ଓଡିଶାରେ ନାରୀ ଜାଗରଣ, ନାରୀତ୍ୱର ନବପ୍ରତିଷ୍ଠା,ନାରୀବାଦର ଯୌକ୍ତିକତାର ପ୍ରକାଶ ପାଇଁ ପ୍ରାଣପଣ ଉଦ୍ୟମ,ସମାଜ ଓ ସଂସ୍କୃତିର ଅଗ୍ରଗତି ପାଇଁ ସଂଗ୍ରାମ ସହିତ ଗାନ୍ଧିବାଦୀ କାର୍ଯ୍ୟକ୍ରମକୁ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ପ୍ରସାର ପରି ନାନାଧାରାରେ ସରଳା ଦେବୀ ଦୀର୍ଘ ଷାଠିଏ ବର୍ଷକାଳ ଅବଗାହନ କରିଛନ୍ତି । ସେ ଥିଲେ ଅବିସ୍ମରଣୀୟା ବିପ୍ଳବିଣୀ ଏବଂ ସଂସ୍କାରିକା । ଓଡ଼ିଆ ସାହିତ୍ୟର ବିଭିନ୍ନ ପର୍ବ ଉପରେ ତତ୍ତ୍ୱନିଷ୍ଠ ଏବଂ ତଥ୍ୟନିଷ୍ଠ ଆଲୋଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧିଶାଳୀ କରିଯାଇଛନ୍ତି । ଓଡ଼ିଶାରେ ସାମାଜିକ ପରିବର୍ତ୍ତନ ଓ ସଂସ୍କାର ପାଇଁ ସେ ବହୁ ପ୍ରତିବାଦ କରିଛନ୍ତି । ସମାଜର ନାନା କୁସଂସ୍କାର ବିରୁଦ୍ଧରେ ଦୃଢ଼ ସ୍ୱର ଉଠାଇଛନ୍ତି । ତାଙ୍କ ଭାଷା ଓ ଭାବ ନବଚେତନାର ଉନ୍ମେଷ ଓ ଉତ୍ତରଣ ପାଇଁ ବାଟ ସଭା କରିଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ପାଇଁ ସେ ମଧ୍ୟ ଅଭିଯାନ ଚଳାଇଥିଲେ । ରାଜ୍ୟର ଅନେକ ବିକାଶଶୀଳ କାର୍ଯ୍ୟରେ ସେ ସମୟ ବିନିଯୋଗ କରିଥିଲେ । ନାରୀଶିକ୍ଷା,ସମବାୟ ଆନ୍ଦୋଳନ, ସାମାଜିକ ଓ ରାଜନୀତିକ କାର୍ଯ୍ୟକଳାପରେ ସେ ବେଶ୍ ସକ୍ରିୟ ଥିଲେ । ଓଡ଼ିଶାରେ ସାମାଜିକ-ସାଂସ୍କୃତିକ ଆନେ୍ଦାଳନରେ ତାଙ୍କର ଅବଦାନ ଅବିସ୍ମରଣୀୟ ।
ସରଳା ଦେବୀ ୧୯୦୪ ମସିହା ଅଗଷ୍ଟ ୯ ତାରିଖରେ ଜଗତ୍ସିଂହପୁର ଜିଲ୍ଲାର ନରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଗୃହଶିକ୍ଷକଙ୍କ ସହଯୋଗରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଆନୁଷ୍ଠାନିକ ଶିକ୍ଷା ଲାଭ କରିଥିଲେ । ମାତ୍ର ପରବର୍ତ୍ତୀ କାଳରେ ନିଜର ଉଦ୍ୟମ ବଳରେ ସେ ବଙ୍ଗଳା ପଢ଼ି ଶିଖିଥିଲେ ଏବଂ ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ ଠାକୁର ଓ ଶରତ୍ଚନ୍ଦ୍ରଙ୍କର ଅମର କୃତିସବୁ ପଢ଼ି ସାରିଥିଲେ । ଏହା ସହିତ ରାଜା ରାମମୋହନ ରାୟ, କେଶବଚନ୍ଦ୍ର ସେନ୍, ଦୟାନନ୍ଦ ସରସ୍ୱତୀ,ସ୍ୱାମୀ ବିବେକାନନ୍ଦ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଓ ଗୋପାଳକୃଷ୍ଣ ଗୋଖେଲ୍ଙ୍କ ଲେଖା ମଧ୍ୟ ତାଙ୍କ ଚିନ୍ତାଜଗତକୁ ଆଲୋଡିତ କରିଥିଲା ।(ମହାନ୍ତି ସଚ୍ଚିଦାନନ୍ଦ, ସରଳା ଦେବୀ, ଲେଖିକା, ସଂସ୍କାରିକା, ବିପ୍ଳବିଣୀ, ୨୦୦୪, କଟକ ।) ସେ କିଶୋରୀ ବୟସରେ ଜଗତ୍ସିଂହପୁର (ଚାଟରା ମୌଜାର) ଜମିଦାର ଭାଗିରଥି ମହାପାତ୍ରଙ୍କୁ ବିବାହ କରିଥିଲେ । ସଚ୍ଚିଦାନନ୍ଦ ମହାନ୍ତି ଲେଖିଛନ୍ତି-ଭାଗିରଥୀଙ୍କ ପରି ଜଣେ ଦେଶପ୍ରେମୀ ଓ ସ୍ୱାଧୀନଚେତା ସ୍ୱାମୀ ସରଳା ଦେବୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ । ମାତ୍ର ଅନ୍ନଦାଶଙ୍କର ରାୟଙ୍କ ଆତ୍ମଜୀବନୀ ଖଣ୍ଡ (ପ୍ରଥମ ଯୌବନ) ଯାହା ଆନନ୍ଦବଜାର ପତ୍ରିକାର ୧୯୯୫ ମସିହା ଅକ୍ଟୋବର ପୂଜା ସଂଖ୍ୟାରେ ପ୍ରକାଶ ପାଇଥିଲା, ଭିନ୍ନ ତଥ୍ୟ ପରିବେଷଣ କରିଛି । ପ୍ରକୃତରେ ସ୍ୱାଧୀନଚେତା ସରଳା ଦେବୀ ବିବାହର ପ୍ରଥମ କେତୋଟି ବର୍ଷରେ ସ୍ୱାମୀଙ୍କର ସାମନ୍ତବାଦୀ ଆଧିପତ୍ୟକୁ ପ୍ରତିବାଦ କରିଥିଲେ ଏବଂ ତାଙ୍କୁ ଦେଶସେବା ପାଇଁ ପ୍ରେରଣା ଦେଇଥିଲେ । ବିବାହ କରିବାର କିଛି ବର୍ଷ ପରେ ସେ ପ୍ରଖ୍ୟାତ ସବୁଜଗୋଷ୍ଠୀର ଲେଖକ-ଅନ୍ନଦା ଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସହଯୋଗରେ ବାସନ୍ତୀ ଉପନ୍ୟାସର ଏକ ପରିଚ୍ଛେଦ ରଚନା କରିଥିଲେ । ନିଜେ ଅନ୍ନଦା ଶଙ୍କର ସରଳା ଦେବୀଙ୍କୁ ତାଙ୍କର ଆଦ୍ୟଜୀବନର ସାହିତି୍ୟକ ବାନ୍ଧବୀ ବୋଲି ଗ୍ରହଣ କରିଥିଲେ । ତାଙ୍କର ସୁପ୍ରସିଦ୍ଧ ପୁସ୍ତକ “ପଥେ ପ୍ରବାସେ” ସରଳା ଦେବୀଙ୍କୁ ଉତ୍ସର୍ଗ କରାଯାଇଥିଲା । ତାଙ୍କ କହିବାନୁସାରେ ବଙ୍ଗଳା ସାହିତ୍ୟରେ ଯେଉଁ ପୁସ୍ତକ ତାଙ୍କୁ ପ୍ରତିଷ୍ଠିତ କରିଥିଲା ତାହାର ମୂଳରେ ଥିଲା ସରଳାଙ୍କର ଚିଠିପତ୍ର । ଏଥିରୁ କିଶୋରୀ ସରଳାଙ୍କର ସାହିତ୍ୟିକ ବୈଶିଷ୍ଟ୍ୟ ସ୍ୱୀକାର କରାଯାଇପାରେ । ସବୁଜ ଗୋଷ୍ଠୀ ସହିତ ସରଳାଙ୍କର ଏହି ସମ୍ପର୍କ ତାଙ୍କର ସାହିତ୍ୟିକ ଦିଗ୍ବଳୟକୁ ପ୍ରସାରିତ କରିଥିଲା ।
ଓଡ଼ିଶାରେ ଗାନ୍ଧିବାଦୀ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ସରଳାଙ୍କର ଅତୁଳନୀୟ ଅବଦାନ ଥିଲା । ନାଗପୁରରେ ଭାରତୀୟ ଜାତୀୟ କଂଗ୍ରେସର ପଞ୍ଚତିରିଶତମ ଅଧିବେଶନରେ ସରଳା ଦେବୀ ତାଙ୍କ ସ୍ୱାମୀ ଭାଗିରଥୀ ମହାପାତ୍ରଙ୍କ ସହିତ ପ୍ରତିନିଧି ହିସାବରେ ଯୋଗଦାନ କରି ଗାନ୍ଧିବାଦୀ କାର୍ଯ୍ୟକ୍ରମକୁ ଓଡ଼ିଶାରେ ପ୍ରସାରିତ କରାଇଥିଲେ । ଓଡ଼ିଶାରେ ଅସହଯୋଗ ଆନେ୍ଦାଳନରେ ସେ ମୁଖ୍ୟ ଭୂମିକା ନାରୀମାନଙ୍କ ତରଫରୁ ଗ୍ରହଣ କରିଥିଲେ । ସେତେବେଳେ ଜଗତ୍ସିଂହପୁରରେ ପ୍ରତିଷ୍ଠିତ ଅଳକାଶ୍ରମରେ ସେ ମଧ୍ୟ ବହୁବାର ଯୋଗଦେଇ ଏହାର ଗଠନାତ୍ମକ ଶିକ୍ଷା ପଦ୍ଧତିକୁ ଉତ୍ସାହିତ କରିଥିଲେ । ଲେଖିକା ହିସାବରେ ସେ ପ୍ରଥମେ “ପରିଚାରିକା” ନାମକ ମହିଳା ପତ୍ରିକାରେ ଲେଖା ଆରମ୍ଭ କରଥିଲେ । ପରିଚାରିକା ବସନ୍ତକୁମାରୀ ଦେବୀଙ୍କ ସଂପାଦିତ ଏବଂ ମହିଳାମାନଙ୍କ ଶିକ୍ଷୋନ୍ନତି ନିମନ୍ତେ ୧୯୧୯ ବେଳକୁ ପ୍ରସାରିତ ହୋଇଥିଲା । ଏହି ପତ୍ରିକାରେ ଲେଖା ପ୍ରକାଶ କରିବା ସଙ୍ଗେ ସଙ୍ଗେ ୧୯୧୯ରେ ସରଳା ଦେବୀ ୨୪ଟଙ୍କା ଏହାର ପ୍ରକାଶନ ପାଇଁ ଦାନ କରିଥିଲେ ।
ନାରୀ ଶିକ୍ଷା, ନାରୀ ଜାଗରଣ ପରି ନାନା ପ୍ରକାର ସାମାଜିକ ପ୍ରସଙ୍ଗ ଉପରେ ସରଳା ଦେବୀ ୨୦ବର୍ଷ ବୟସରୁ ଅନ୍ତତଃ ସଚେତନ ହୋଇଥିଲେ ଏବଂ ନିଜର ଏହି ସମ୍ପର୍କିତ ସମସ୍ତ ଭାବନାକୁ ସେ ସାହିତ୍ୟ ପତ୍ର ଏବଂ ସମ୍ବାଦପତ୍ରମାନଙ୍କରେ ସ୍ଥାନ ଦେଇଥିଲେ । ୧୯୨୪ ମସିହା ଜୁଲାଇ ୨୬ ତାରିଖରେ ଉକ୍ରଳ ଦୀପିକାରେ ସରଳା ଦେବୀଙ୍କର ପତ୍ର ଉକ୍ରଳ ନାରୀ ସମ୍ମିଳନୀ ସମ୍ପର୍କରେ ଏବଂ ନାରୀବାଦ ସମ୍ପର୍କରେ ପ୍ରଚୁର ସୂଚନା ବହନ କରେ । ସେ ଏହି ପତ୍ରରେ ଲେଖିଥିଲେ- “ଅତୀତ ଜୀବନରେ ଯାହା ଦିନେ ସ୍ୱପ୍ନ ଦେଖୁଥିଲି, ସେ ଦିନ ବାସ୍ତବ ଜଗତରେ ତାହା ସଫଳ ହେବାର ଦେଖି ମୋର ପ୍ରାଣ ସାର୍ଥକ ହୋଇଗଲା । ମୋର କେବେ ଆଶା ନଥିଲା ଭାରତର ଅନ୍ୟାନ୍ୟ ପ୍ରଦେଶମାନଙ୍କ ପରି ଉକ୍ରଳର ନାରୀ ବୋଲି ଜଗତରେ କିଛି ଗୋଟାଏ ଏପରି ଜିନିଷ ହୋଇଯିବ ଏବଂ ତାହା ମୁଁ ଇହଜନ୍ମରେ ଦେଖିପାରିବି । ଉକ୍ରଳରେ ନାରୀ ସମ୍ମିଳନୀ ହେବା ଏବଂ ଉକ୍ରଳ ପ୍ରାଦେଶିକ ସମ୍ମିଳନୀକୁ ଅସ୍ପୃଶ୍ୟ ତଥା ସ୍ପୃଶ୍ୟ ଜାତିରୁ ପ୍ରତିନିଧି ହୋଇ ଆସିବା ଆଜି ଉକ୍ରଳର ଜାତୀୟ ଇତିହାସରେ ନୂଆ କଥା । ନାରୀ ଜାଗରଣରେ ଏ ଯେ ଶୁଭ ଲକ୍ଷଣ; ଏହା ଦେଖି କେଉଁ ହୃଦୟବାନ୍ ଉଦାର ଦେଶସେବକର ଚିତ୍ତ ପୁରି ନ ଉଠିବ? ନିରାଶ ଅନ୍ଧକାରରେ ସ୍ୱର୍ଗୀୟ ଆଶା ରଶ୍ମି ଫୁଟି ଉଠିଥିଲା । ଆୟୋଜନ କ୍ଷୁଦ୍ର ହେଲେ ହେଁ ଓ କତିପୟ ନାରୀ ଯୋଗ ଦେଇଥିଲେ ହେଁ ଅନୁଷ୍ଠାନର ପ୍ରାଣଟା କେତେ ଜୀବନ୍ତ ଓ ମହୀୟାନ୍ ଏହା ବୁଝିବା ଆବଶ୍ୟକ । ଆମ୍ଭମାନଙ୍କର ଭରଷା ପ୍ରତି ବର୍ଷ ଆମର ଏ ନୂଆ ଜାଗରଣଟିକୁ କର୍ମର, ଜ୍ଞାନର ଓ ଉତ୍ସାହର ପ୍ରେରଣା ଦ୍ୱାରା ଅନୁପ୍ରାଣିତ ହୋଇ ଜୀବନ୍ତ ରଖିବୁ” । ପ୍ରାଦେଶିକ ସମ୍ମିଳନୀରେ ନାରୀ ସମସ୍ୟା ଉପସ୍ଥାପନ ଉପରେ ସରଳା ଏହି ଚିଠିରେ ଗୁରୁତ୍ୱ ଦେଇଥିଲେ ଏବଂ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଏହି ସମ୍ପର୍କିତ ମତ ଓ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲେ ।
୧୯୨୯ରେ ବାଲେଶ୍ୱରଠାରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀ ସାଙ୍ଗରେ ନାରୀ ସମ୍ମିଳନୀ ହୋଇଥିଲା । ସରଳା ଏହି ସମ୍ମିଳନୀ ସମ୍ପର୍କରେ ପ୍ରଜାତନ୍ତ୍ରରେ ୬, ମେ ୧୯୨୯ ସଂଖ୍ୟାରେ ଲେଖିଥିଲେ-‘ବାଲେଶ୍ୱରରେ ନାରୀମାନଙ୍କର ଜାତୀୟତାବୋଧ ଓ ଉତ୍ସାହିତ ଭାବ ଦେଖି ଆମ୍ଭମାନଙ୍କର ବିଶ୍ୱାସ ହୁଏ ଓଡ଼ିଶାର ମହିଳା ପ୍ରଗତିରେ ନିକଟରେ ସେମାନେ ଶୀର୍ଷସ୍ଥାନ ଅଧିକାର କରିପାରିବେ । ନିଶିବାଳା ନାଏକ, ପ୍ରୀତିବାଳା ରାୟ, ଜାହ୍ନବୀ ଦେବୀ ଏହି ତିନି ଜଣଙ୍କର ଜ୍ୱଳନ୍ତ ଉତ୍ସାହ ଆମ୍ଭମାନଙ୍କୁ ଭବିଷ୍ୟତ ପ୍ରତି ଯଥେଷ୍ଟ ଆଶାନ୍ୱିତ କରିଅଛି ।’ ଏହି ସଭାରେ ସରଳା ନାରୀ ସମସ୍ୟା, ଜନ୍ମସଂରୋଧ, ସୌନ୍ଦର୍ଯ୍ୟବୋଧ, ଶିକ୍ଷା, ଆମୋଦପ୍ରମୋଦ ଓ ମିଳନ,ଜାତୀୟତା ଓ ଦେଶରେ ନାରୀର କର୍ତ୍ତବ୍ୟ, ଅସ୍ପୃଶ୍ୟତା,ସମାଜରେ ନାନା କୁସଂସ୍କାର ଓ ଅଫିମର ଅନିଷ୍ଟକାରିତା ସମ୍ବନ୍ଧରେ ବୁଝାଇଥିଲେ ।
ନାରୀ ପ୍ରସଙ୍ଗଟି ସରଳାଙ୍କର ରଚନା ସମଗ୍ରରେ ଏକ ବିଶିଷ୍ଟ ଆସନ ଗ୍ରହଣ କରିଥିଲା । ୧୯୨୪ରୁ ୧୯୪୦ ମଧ୍ୟରେ ଏହି ସମ୍ବନ୍ଧରେ ପତ୍ରପତ୍ରିକାମାନଙ୍କରେ ସେ ଉଚ୍ଚକୋଟୀର ଲେଖାମାନ ପ୍ରକାଶ କରିଥିଲେ । ଉତ୍କଳ ସାହିତ୍ୟ ପତ୍ରରେ(୨୫ ଭାଗ,୮ମ ସଂଖ୍ୟାରେ) “ନାରୀତ୍ୱର ପ୍ରତିଷ୍ଠା” ଶୀର୍ଷକ ଆଲୋଚନା ତାଙ୍କ ନାରୀବାଦ ବା ନାରୀ ସଶକ୍ତିକରଣ ତତ୍ତ୍ୱର ପ୍ରଧାନ ପ୍ରସଙ୍ଗ । ଆଶା ସମ୍ବାଦପତ୍ରରେ ତାଙ୍କ ନାରୀ ଜାଗୃତି ଓ ନାରୀବାଦ ସମ୍ପର୍କିତ ତତ୍ତ୍ୱମାନ ପ୍ରସାରିତ ହୋଇଥିଲା ୧୯୨୯ ମସିହାରେ । ଏପ୍ରିଲ ୨୯, ୧୯୨୯ରେ ଆଶାରେ “ଆଧୁନିକ ଯୁଗରେ ଓଡ଼ିଆ ନାରୀ”ଶୀର୍ଷକ ଆଲୋଚନା ସରଳାଙ୍କ ବୈଜ୍ଞାନିକ ତଥା ହେତୁବାଦୀ ଦୃଷ୍ଟିକୋଣର ପରିଚୟ ବହନ କରିଥିଲା । ଓଡ଼ିଆ ନାରୀ ତାର ଆତ୍ମ ପରିଚୟ ଲାଭ କରିବାକୁ ସଚେଷ୍ଟ ନୁହେଁ; ତାର ଭାବ ପ୍ରେରଣା ସକ୍ରିୟ ନୁହେଁ । ବିଶ୍ୱର ଅନନ୍ତ ପ୍ରସାରିତ କ୍ଷେତ୍ରରେ ତାହାର ବିକାଶ ପଥ ଆଜିତକ ମୁକ୍ତ ହେଲାନାହିଁ-ଏହିପରି ଅନେକ ପ୍ରସଙ୍ଗ ତାଙ୍କର ଯୁକ୍ତିନିଷ୍ଠ ବିବରଣୀରେ ସ୍ଥାନ ପାଇପାରିଥିଲା । ଓଡ଼ିଆ ରମଣୀ ମନରେ କର୍ମଶକ୍ତି,ଚିନ୍ତା ଓ ସାହସର ପ୍ରେରଣା ଦେବାକୁ ସେ ପର୍ଯ୍ୟନ୍ତ ସକ୍ଷମ ହେଲା ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରି ଲେଖିଥିଲେ । ସେହି ପ୍ରସଙ୍ଗରେ ସେ କହିଥିଲେ- ‘ଆଧୁନିକ ଯୁଗରେ ଓଡ଼ିଆ ନାରୀର ସ୍ଥାନ ନାହିଁ । ନିଖିଳ ବିଶ୍ୱର ନାରୀତ୍ୱର ପ୍ରତିଷ୍ଠାରେ ତାର କୌଣସି ଯୋଗ ନାହିଁ । ସ୍ଥାନହୀନ, ଆସନହୀନ ସେ । ଅପାଂକ୍ତେୟ ହୋଇପଡିଛି ଯାଇ ଆଚାରପଦ୍ଧତିମୂଳକ ସଂସ୍କାରର ଅନ୍ଧ ତମିସ୍ରାରେ-ଅସୂର୍ଯ୍ୟଂସ୍ପର୍ଶ୍ୟ ପାତାଳପୁରୀରେ । ତଥାପି ସେ ନାରୀ ପ୍ରଗତି ଓଡ଼ିଶାରେ ୧୯୨୧ରୁ ଆରମ୍ଭ ହୋଇଥିବାର ସୂଚନା ଦେଇଥିଲେ । ନାରୀ ସମସ୍ୟାର ସମ୍ପ୍ରସାରିତ ଦୃଷ୍ଟିକୋଣରୁ ଆଲୋଚନା ସରଳା ଦେବୀ ୧୯୨୯ ମସିହା ମେ ୧୩ ତାରିଖ,୨୦ ତାରିଖ ଏବଂ ୨୯ ତାରିଖରେ ଆଶା ସମ୍ବାଦପତ୍ରରେ “ହିନ୍ଦୁ ସମାଜରେ ନାରୀ ସମସ୍ୟା ଓ ସଂସ୍କୃତି” ଶୀର୍ଷକ ପ୍ରବନ୍ଧରେ ପ୍ରକାଶ କରିଥିଲେ । ଭାରତୀୟ ନାରୀବାଦ ଓ ନାରୀ ସଶକ୍ତିକରଣର ଏହା ଥିଲା ଉକ୍ରୃଷ୍ଟ ଉଚ୍ଚାରଣ । ହରବିଳାସ ଶାରଦାଙ୍କର ବାଲ୍ୟ ବିବାହ ନିରୋଧକ ଆଇନ ସପକ୍ଷ ଓ ବିପକ୍ଷରେ ଭାରତରେ ୧୯୨୯ରେ ନାନା ଆନେ୍ଦାଳନ ଚାଲିଥିଲା । ସରଳା ଏହି ଆଇନ ସପକ୍ଷରେ ନାନା ପତ୍ରିକାରେ ତାଙ୍କର ମତମାନ ପ୍ରକାଶ କରିଥିଲେ । କିନ୍ତୁ ସେ ସେତେବେଳେ ମତ ଦେଇଥିଲେ ଯେ ଖାଲି ଜଣକ କଥା ବା ମତ ବା ଲେଖାରେ ଶାଗ ସିଝିବାର ନୁହେଁ; ଏଥପାଇଁ ଉକ୍ରଳର ପୁରପଲ୍ଲୀ ସହରବାସିନୀ ସର୍ବଶ୍ରେଣୀର ମହିଳାମାନଙ୍କର ମତ ଓ ସ୍ୱାକ୍ଷର ଆବଶ୍ୟକ । ସେ ଉପଲକ୍ଷରେ ଆଶା ସମ୍ବାଦପତ୍ରରେ ୧୯୨୯ ମସିହା ୯ ତାରିଖରେ ସରଳା ଲେଖିଥିଲେ- ‘ଓଡ଼ିଶାରେ ନାରୀ ଅନୁଷ୍ଠାନ ଓ ଆନେ୍ଦାଳନ ବ୍ୟାପକ ଭାବରେ ନାହିଁ କହିଲେ ଚଳେ । ଯାହା ଅଛି ତାହାର କ୍ଷୀଣସ୍ରୋତ ସହର ସୀମା ଟପି ନାହିଁ । ଆଉ ଥରେ ବି ତାର କାର୍ଯ୍ୟକାରିତା ଭାରତୀୟ ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ନଗଣ୍ୟତମ । ଏପରି ନାରୀକର୍ମୀ ଓଡ଼ିଶା ଖଣ୍ଡରେ କେହି ଜଣେ ନାହାନ୍ତି ଯେ କି ନିଜର ସମସ୍ତ ସମୟ ଓ ଶକ୍ତିକୁ ନାରୀ ସମାଜର ଉନ୍ନତି କଳ୍ପେ ବ୍ୟୟ କରିବାକୁ ପ୍ରସ୍ତୁତ । ଆଉ ଯେଉଁମାନେ କିଛି କହିବାକୁ ଚାହାଁନ୍ତି ସେମାନଙ୍କର ସୁବିଧା ନାହିଁ, ଅର୍ଥ ନାହିଁ, କ୍ଷେତ୍ର ନାହିଁ, ଯାହା ଓଡ଼ିଶାର ବିଭିନ୍ନ ସ୍ଥଳରେ ପ୍ରୟୋଗ ହୋଇପାରିବା ସମ୍ଭବପର । ମୁଁ ଓଡ଼ିଶାର ମହିଳାବର୍ଗଙ୍କର ମତ ଓ ସ୍ୱାକ୍ଷରମାନ ଚାହୁଁଛି । ଯେଉଁମାନେ ଶାରଦା ବିଲ୍ ବା ବାଲ୍ୟବିବାହ ବନ୍ଦ ଆଇନର ପକ୍ଷପାତିନୀ ଓ ସହବାସ ସମ୍ମତି ପନ୍ଦର ବର୍ଷରେ ହେବାଟା ନ୍ୟାୟ ଓ ଧର୍ମ ପୁଣି ନୈତିକ ଦିଗରୁ ଉଚିତ ବୋଲି ଅନ୍ତରର ସହିତ ସମର୍ଥନ କରନ୍ତି, ସେମାନେ ମୋର ଠିକଣାରେ ଅବିଳମ୍ବେ ନିଜ ନିଜର ସ୍ୱାକ୍ଷର ଦେଇ ପତ୍ର ଲେଖିବାକୁ ବିନୀତ ଭାବରେ ଅନୁରୋଧ କରୁଅଛି ।’
୧୯୩୫ ମସିହାରେ ସୁଦ୍ଧା ସରଳା ଦେବୀ ‘ଉକ୍ରଳର ନାରୀ ସମସ୍ୟା’, ‘ନାରୀର ଦାବୀ’, ‘ଗାଁବାଲାଙ୍କ କଥା’, ‘ଭାରତୀୟ ମହିଳା ପ୍ରସଙ୍ଗ’, ‘ନାରୀର ଜଗତ’, ‘ବୀରାଙ୍ଗନା’, ପ୍ରଭୃତି ପୁସ୍ତିକା ପ୍ରକାଶ କରିଥିଲେ । ନାରୀ ସମସ୍ୟା ସମ୍ବନ୍ଧରେ ଏପରି ତଥ୍ୟପୂର୍ଣ୍ଣ, ଯୁକ୍ତିନିଷ୍ଠ ପୁସ୍ତିକା ଭାରତର ଅନ୍ୟାନ୍ୟ ଭାଷାରେ ମଧ୍ୟ ସେତେବେଳେ ଖୁବ୍ କମ୍ ଥିଲା । ତାଙ୍କର ଏହି ସମସ୍ତ ଲେଖା ଉକ୍ରଳର ନାରୀ ଜୀବନରେ ନୂତନ ଚେତନା ଆଣିଥିଲା । ସହକାର ମାସିକ ସାହିତ୍ୟ ପତ୍ରରେ ବିଭିନ୍ନ ସଂଖ୍ୟାରେ ସେ ଧାରାବାହିକ ଭାବରେ ବୌଦ୍ଧଯୁଗରେ ନାରୀ, ଭାରତୀୟ ନାରୀର ଆର୍ଥିକ ଦୈନ୍ୟ, ପ୍ରସାଧନ, ସାରଳା ମହାଭାରତରେ ନାରୀର ଚିତ୍ର,ଭାଷା ବ୍ୟବଧାନ, ବୃନ୍ଦାବତୀ ଦାସୀ, ନାରୀର ଆର୍ଥିକ ସ୍ୱାଧୀନତା,ବାଲ୍ୟବିବାହ, ପ୍ରାଚୀନ କାଳରେ ହିନ୍ଦୁର ସାମାଜିକ ରୀତି,ଉକ୍ରଳରେ ନାରୀଜାତିର ବିବାହ ସମସ୍ୟା, ପୁରୁଷ ଜୀବନରେ ନାରୀର ପ୍ରଭାବ, ନିଖିଳ ଭାରତୀୟ ମହିଳା ସଂଘ, ସାଧାରଣ ଜୀବନରେ ନାରୀ, ଭାରତରେ ନାରୀ ପ୍ରଗତି,ନାରୀର ଭବିଷ୍ୟତ ପରି ପ୍ରବନ୍ଧମାନ ୧୯୩୦ରୁ ୧୯୪୦ ମଧ୍ୟରେ ପ୍ରକାଶ କରି ତାଙ୍କର ଯୁକ୍ତିନିଷ୍ଠ ନାରୀବାଦର ସମ୍ପ୍ରସାରଣ କରାଇଥିଲେ । ୧୯୩୭ ମସିହାଠାରୁ ସହକାର ମାସିକ ସାହିତ୍ୟ ପତ୍ରରେ ସେ ମହିଳା ମହଲ ସ୍ତମ୍ଭଟିର ଲେଖିକା ହୋଇ ନାରୀ ସମସ୍ୟାର ନାନା ଦିଗ ଉପରେ ଆଲୋକପାତ କରିଥିଲେ । ଏହି ମହିଳା ମହଲର ପରିକଳ୍ପନା କରିଥିଲେ ସରଳା ଦେବୀ ୧୯୩୪ କିମ୍ବା ୧୯୩୫ ମସିହାରେ । ୧୯୩୭ରେ ନାରୀ ଆନେ୍ଦାଳନ ବ୍ୟାପକ ହେବାବେଳେ ଓଡ଼ିଶାରେ ଏକ ସୁଦୃଢ଼ ନାରୀ ସଂଘ ସ୍ଥାପନ ପାଇଁ ସରଳା ମତ ଦେଇଥିଲେ । ଓଡ଼ିଶାରେ ନିଖିଳ ଭାରତୀୟ ମହିଳା ସଂଘର ଏକ ଶାଖା କଟକରେ ଶୈଳବାଳା ଦାସଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ମାତ୍ର ୧୯୩୭ ବେଳକୁ ଏହି ଶାଖା ସଭାର କିଛି କାର୍ଯ୍ୟ ହୋଇନଥିବାରୁ ଏହାର ପୁନଃପ୍ରତିଷ୍ଠା ପାଇଁ ସରଳା ଦେବୀ ଦାବୀ କରିଥିଲେ । ଏହି ସଭାର ନୂତନ ସଂସ୍କରଣ ପାଇଁ ସେ ଚିନ୍ତା କରିଥିଲେ । କଟକରେ ଗୋଟିଏ କେନ୍ଦ୍ର ନାରୀସଭା କରି ଓଡ଼ିଶାର ପ୍ରତି ସହର ଓ ସବ୍-ଡିଭିଜନ୍ରେ ବାସ କରୁଥିବା ମହିଳାମାନଙ୍କୁ ଏହି ପ୍ରକାର ଶାଖା ସଭା ଗଠନ କରିବାକୁ ସେ ଆହ୍ୱାନ କରିଥିଲେ । ୧୯୩୦ ଦଶକରେ ସରଳା ଦେବୀଙ୍କର ସମାଜ ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ନାନା ତଥ୍ୟ ତଥା ତତ୍ତ୍ୱଭିତ୍ତିକ ଆଲୋଚନା ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ନବୀନ ସମ୍ବାଦ ଓ ସାହିତ୍ୟ ପତ୍ରରେ ପ୍ରକାଶ ପାଇ ଓଡ଼ିଶାରେ ନବଜାଗରଣର ଜାହ୍ନବୀ-ସ୍ରୋତ ପ୍ରବାହିତ କରିଥିଲା । ୧୯୩୫ ମସିହା ୧୨, ୧୯ ଓ ୨୬ ନଭେମ୍ବର, ଡିସେମ୍ବର ୧୨ ନବୀନ ସଂଖ୍ୟାରେ ‘ବ୍ରଜନାଥ ବଡଜେନାଙ୍କ ସମର ତରଙ୍ଗ’ ଧାରାବାହିକ ରଚନା ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚାର ନବ ଇସ୍ତାହାର ହିସାବରେ ଗ୍ରହଣ କରାଯାଇପାରେ । ଏହି ସମ୍ପର୍କରେ ସରଳା ଲେଖିଥିଲେ- ‘ସମର ତରଙ୍ଗ ଉକ୍ରଳ ସାହିତ୍ୟରେ ଶ୍ରେଷ୍ଠତମ ଯୁଦ୍ଧ କାବ୍ୟ କହିଲେ ବାହୁଲ୍ୟ ହେବ ନାହିଁ । କିନ୍ତୁ ଆମଦେଶରେ ଏହି କାବ୍ୟ ସହିତ ପରିଚିତ ହେବାର ସୌଭାଗ୍ୟ ଖୁବ୍ କମ୍ ସାହିତ୍ୟମୋଦୀଙ୍କ ଭାଗ୍ୟରେ ଘଟିଥିବାର ମନେହୁଏ । ତାହା ନହୋଇଥିଲେ ଏତେଦିନ ୧୯୦୪ ମସିହାରୁ ଛାପା ହୋଇଥିବା ଏହି କ୍ଷୁଦ୍ରକାବ୍ୟଟିର ଅନ୍ତତଃ ଏକାଧିକ ସଂସ୍କରଣ ହୋଇସାରିଥାଆନ୍ତା । ମାତ୍ର ତାହାତ ଦୂରର କଥା କିନ୍ତୁ ସେହି ଗୋଟିକ ସଂସ୍କରଣର ଅସ୍ତିତ୍ୱ ମଧ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡିବା ଦୁର୍ଲ୍ଲଭ ହୋଇଗଲାଣି, ତାହାରି ସମ୍ବାଦ ମଧ୍ୟ କେହି ରଖିନାହାନ୍ତି । +++ ଆମ୍ଭେମାନେ ଉକ୍ରଳର ଏହି ଜଣେ କୃତୀ କବିଙ୍କର ବୀର ରସାତ୍ମକ ସୁନ୍ଦର କାବ୍ୟଟିର ନବସଂସ୍କରଣ କରିବାରେ ବ୍ରତୀ ହୋଇଅଛୁଁ ।” ଆଲୋଚନାଟିରେ ସେ କବି ଜୀବନୀ ସହିତ ତାହାଙ୍କର ଅନ୍ୟାନ୍ୟ ଲେଖାର ସଂକ୍ଷିପ୍ତ ପରିଚୟ ଦେଇଥିଲେ । ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ସେ “ଚତୁର ବିନୋଦ”କୁ ପ୍ରଥମେ ଗୁରୁତ୍ୱ ଦେଇଥିଲେ । ଅଷ୍ଟାଦଶ ଶତାବ୍ଦୀରେ ଲିଖିତ ଚାରିଗୋଟି ଗଳ୍ପୋପନ୍ୟାସକୁ ନେଇ ଏହି ଗଦ୍ୟ ପୁସ୍ତକ ରଚିତବୋଲି ସେ ମତ ଦେଇଥିଲେ । ସେ ମଧ୍ୟ ଏହାକୁ ଗଦ୍ୟକାବ୍ୟ ବୋଲି ଗ୍ରହଣ କରିଥିଲେ । ପୁସ୍ତକରେ ଶୃଙ୍ଗାର ରସକୁ ପ୍ରଥମ ସ୍ଥାନ ଓ ହାସ୍ୟରସକୁ ଦ୍ୱିତୀୟ ସ୍ଥାନ ବଡଜେନା ଦେଇଥିବାର କଥା ସରଳା ଲେଖିଥିଲେ । ତାଙ୍କର ଅନ୍ୟ ରଚନା ମଧ୍ୟରେ ‘ଗୋପୀ ବିଳାପ’, ‘ଶ୍ୟାମରାସୋତ୍ସବ’, ‘ଗୁଣ୍ଡିଚା ବିଜେ’, ‘କେଳି କଳାନିଧି’ ଓ ‘ଅମ୍ବିକା ବିଳାସ’କୁ ସେ ଗ୍ରହଣ କରି ଆଲୋଚନା କରିଥିଲେ । ସମରତରଙ୍ଗ ବିଷୟ ମଧ୍ୟ ସେ ଗୁରୁତ୍ୱର ସହିତ ଚର୍ଚ୍ଚା କରିଥିଲେ । କବିଙ୍କର ଯୁଦ୍ଧ ବର୍ଣ୍ଣନାକୁ ପ୍ରଶଂସା କରି ସେ ଲେଖିଥିଲେ- ‘ଗୋଟିଏ ଗୋଟିଏ ଛାନ୍ଦ ପୟାରରେ ସେ ଏପରି କୃତିତ୍ୱର ସହିତ ସମର ଭାବ ଫୁଟାଇ ଅଛନ୍ତିି, ତାହା ପଢ଼ିଲେ ଚମକ୍ ଲାଗେ ।’ କବି ବୀରରସକୁ ରାଜାଙ୍କ ଚରିତ୍ରରେ ଏକ ଅଖଣ୍ଡ ରୂପ ଦାନ କରିଥିବାର ସୂଚନା ଦେଇ ସେ ମଧ୍ୟ ମତ ଦେଇଥିଲେ-ଯଦିଓ ସମର ତରଙ୍ଗ କାବ୍ୟର ଆମୂଳଚୁଳ ବୀରରସମୂଳକ, ତଥାପି ବିଶେଷ ଅବସ୍ଥାରେ ତଥା ବିଶେଷ କ୍ଷେତ୍ରରେ ତାହାର ପ୍ରକଟ ସାହିତ୍ୟ ରସାମୋଦୀଙ୍କୁ ଆନନ୍ଦ ଦିଏ ବେଶୀ । ରାଜା ଅନିଚ୍ଛୁକ, ରଣଶ୍ରାନ୍ତ ସୈନିକମାନଙ୍କୁ ଯେଉଁଠି ଉଦ୍ବୋଧନ କରୁଛନ୍ତି, ସେହିଠାରେ ବୀରରସ ସମଧିକ ପରିମାଣରେ ଫୁଟି ଉଠିଛି । ସୈନ୍ୟମାନେ ଓ ପାତ୍ର ମନ୍ତ୍ରୀମାନେ ମରହଟ୍ଟାର ଭୀଷଣ ପ୍ରତାପରେ ଅତିଷ୍ଠ ହୋଇ ଢେଙ୍କାନାଳ ଦରବାରରେ ସଭା କରି ରାଜାଙ୍କୁ ଯୁଦ୍ଧରୁ ନିବୃତ୍ତ ହୋଇ ଗଡ଼ ଦୁଇଦିନ ପାଇଁ ଛାଡ଼ିଯିବା ପାଇଁ ଯୁକ୍ତି ଦେଖାଇ ଯେଉଁଠି ଆବେଦନ କରୁଛନ୍ତି ଏବଂ ରାଜା ତାହାର ଉତ୍ତର ଦେଇ ଯେଉଁ ଅଦମ୍ୟ ପୌରୁଷ ଓ ସ୍ୱଦେଶର ଅଭିମାନ କଣ, ତାହାରି ଅଙ୍ଗୁଳି ସଂକେତ ନିହିତ ରହିଛି । ତାହାର ଏକ ଉଦାହରଣ ଦେଇ ସରଳା କାବ୍ୟର କିଛି ଧାଡି ଉଦ୍ଧାର କରିଥିଲେ- ‘ବୋଳି ଅଙ୍ଗରେ କର୍ପୁର ଚନ୍ଦନ/ ମଣ୍ଡି ହୋଇଥିବ ହେମରତନ/ଘରେ ଥିବ ସ୍ତିରୀ ପରି ସମ୍ପତ୍ତି / ରକତ ଦେଖି ଦୁଲୁକେ ଯା ଛାତି/ ସେ ମନୁଷ୍ୟହୀନ, ଭୋଗନୁହେଁ ତାର ରୋଗ ସମାନ’ ଅର୍ଥାତ୍; ସମସ୍ତ ସୁଖାୟୋଜନ ମଧ୍ୟରେ ଓ ସୌଭାଗ୍ୟର ଶିଖର ଦେଶରେ ରହିସୁଦ୍ଧା, ଯେଉଁ ଲୋକ ସଂଗ୍ରାମର ରକ୍ତରେଖା ଦେଖି ଭୀତ ହୋଇପଡ଼େ, ସେହିଠାରେ ସେ ଭୋଗକରିବାର କ୍ଷମତାରୁ ମଧ୍ୟ ବଞ୍ଚôତ ହୋଇଥାଏ । ସେହି ଭୋଗ ତାହା ପକ୍ଷରେ ଆନନ୍ଦଦାୟକ ନହୋଇ ରୋଗପରି ପୀଡାଦାୟକ ହୋଇଥାଏ । ଏହିପରି ଆଲୋଚନା କରି ସରଳା ଓଡ଼ିଆ ସାହିତ୍ୟର ଏକ ମୂଲ୍ୟବାନ୍ ସମ୍ପତ୍ତିର ପରିଚୟ ୧୯୩୫ରେ ଦେଇଥିଲେ । ୧୯୩୬ ମସିହା ସେପ୍ଟେମ୍ବର ୮ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ଧାରାବାହିକ ରୂପରେ ‘ବିବାହ ପ୍ରଥା’ ଶୀର୍ଷକ ସମାଜସଂସ୍କାରମୂଳ ତାତ୍ତ୍ୱିକ ନିବନ୍ଧ ନବୀନରେ ପ୍ରକାଶ କରି ବିପ୍ଳବିଣୀ ସରଳା ଅନ୍ଧକୁସଂସ୍କାରାବଦ୍ଧ ଓଡ଼ିଆ ପ୍ରାଣରେ ନବଚେତନା ଜାଗ୍ରତ କରିଥିଲେ । ପ୍ରସଙ୍ଗଟିର ପ୍ରସାରିତ ଚର୍ଚ୍ଚା ନିମନ୍ତେ ସେ ଶାସ୍ତ୍ରସିନ୍ଧୁ ମନ୍ଥନ କରିଥିଲେ । ନାରୀ ଜାଗରଣ ପାଇଁ ସେ ଆଲୋଚନାଟିକୁ ଗୁରୁତ୍ୱ ଦେଇଥିଲେ । ୧୯୩୭ ମସିହା ଜୁନ୍ ମାସ ୨୦ ତାରିଖରେ ନବୀନରେ ତାଙ୍କର ମନୋଜ୍ଞ ରଚନା ‘ଦ୍ଵିତୀୟ ପକ୍ଷ’ ମଧ୍ୟ ସମାଜସଂସ୍କାର ନିମନ୍ତେ ଉଦ୍ଦିଷ୍ଟ । ଏହି ପ୍ରବନ୍ଧ ୧୯୩୭ ମସିହା ୩୧ ଅଗଷ୍ଟ ସଂଖ୍ୟାରେ ଶେଷ ହୋଇ ସରଳା ଦେବୀଙ୍କର ସମାଜ ସଂସ୍କାର ଅଭିଯାନର ଏକ ମାଇଲ୍ଖୁଣ୍ଟ ହିସାବରେ ଗୃହୀତ ହୋଇଥିଲା ।
ଫେବୃଆରୀ ୨୦ତାରିଖ ୧୯୩୮ମସିହାରେ ୩ଟା ସମୟରେ ସରଳାଦେବୀଙ୍କର ଘରଠାରେ ନାରୀମଙ୍ଗଳ ସମତିର ଗୋଟିଏ ବୈଠକ ବସିଥିଲା । ଏହି ସଭାରେ ଲତିକା ଦେବୀ, ଶୈଳବାଳା ଦାସ, ସୌଦାମିନୀ ଦେବୀ, ହରପ୍ରି୍ରୟା ଦେବୀ, ତିଳୋତମା ଦେବୀ, ବସନ୍ତକୁମାରୀ ଦେବୀ, ଶାନ୍ତି ଦେବୀ, ସରୋଜିନୀ ଦେବୀ, ଚାରୁବାଳା ଦେବୀ ପ୍ରମୁଖ ବିଶିଷ୍ଟ ଉତ୍ସାହୀ ମହିଳାମାନେ ଯୋଗ ଦେଇଥିଲେ । ଏହି ସଭାରେ ସରଳାଦେବୀଙ୍କୁ ନାରୀମଙ୍ଗଳ ସମତିର ସଭାପତି ହିସାବରେ ନିର୍ବାଚନ କରାଯାଇଥିଲା । ନାରୀମଙ୍ଗଳ ସମିତି ତରଫରୁ ଗୋଟିଏ ମାସିକ ପତ୍ର ପ୍ରକାଶ କରିବା ପାଇଁ ସରଳା ଦେବୀ ମତ ଦେଇଥିଲେ । (ନବୀନ, ଜାନୁଆରୀ ୩, ୧୯୩୮) ୧୯୩୯, ୯ମେ ନବୀନ ସଂଖ୍ୟାରେ ‘ସମ୍ପାଦକୀୟ ସମାଲୋଚନା’ଶୀର୍ଷକ ସ୍ତମ୍ଭରେ ଲେଖିକା ହିସାବରେ ସରଳାଦେବୀଙ୍କର ମୂଲ୍ୟାୟନ ହୋଇଥିଲା । ସେଥିରେ ମତ ଦିଆଯାଇଥିଲା- ‘ଲେଖିକାଙ୍କ ଉକ୍ରଳ ସାହିତ୍ୟ ବିଦ୍ୟାପୀଠରେ ସ୍ଥାନ ନିରୂପଣ କରିବା ଶକ୍ତି ଓ ଅଧିକାର ଆମ୍ଭମାନଙ୍କର ନାହିଁ । କିନ୍ତୁ ଏତିକି କହିପାରୁ ଶ୍ରୀମତୀ ସରଳା ଓଡିଶାର ଜଣେ ଲବ୍ଧପ୍ରତିଷ୍ଠିତ ଲେଖିକା-ଉକ୍ରଳୀୟ ବାଣୀ ମନ୍ଦିରର ଜଣେ ଆଜୀବନ ଉପାସିକା । ଶ୍ରୀମତୀ ସରଳାଙ୍କର ଅନେକ ଚିନ୍ତାପୂର୍ଣ୍ଣ ଲେଖା ଆମ୍ଭେମାନେ ବେଳେବେଳେ ପତ୍ରପତ୍ରିକାରୁ ପାଇଥାଉଁ । ତାଙ୍କର ଇଂରାଜୀ ଲେଖାମାନ ଓଡ଼ିଆ ଲେଖାଠାରୁ କୌଣସି ଗୁଣେ ନୁ୍ୟନ ନୁହେଁ । ଉଭୟ ଇଂରାଜୀ ଓ ଓଡିଆ ଲେଖାରେ ମୌଳିକ ଚିନ୍ତା ପୂର୍ଣ୍ଣମାତ୍ରାରେ ଲକ୍ଷିତ ହୁଏ । ଆଡ୍ଭାନସ୍, ଅମୃତବଜାର ପ୍ରଭୃତି କଲିକତାର ବିଶିଷ୍ଟ ଇଂରେଜୀ ଦୈନିକ ଖବରକାଗଜମାନ ଶ୍ରୀମତୀ ସରଳାଙ୍କର ଲେଖାମାନଙ୍କୁ ଗୋଟିଏ ଉଚ୍ଚସ୍ଥାନ ଦେଇଥାଆନ୍ତି । ତାଙ୍କ କାର୍ଯ୍ୟକଳାପ କେବଳ ଲେଖା ପରିସର ମଧ୍ୟରେ ଆବଦ୍ଧ ନୁହେଁ । ଉକ୍ରଳୀୟ ନାରୀ ଆନେ୍ଦାଳନର ସେ ଏକ ପ୍ରକାର ଜନ୍ମଦାତ୍ରୀ । ଓଡ଼ିଶା ବାହାରେ ମଧ୍ୟ ଶ୍ରୀମତୀ ସରଳାଙ୍କର ଖ୍ୟାତି ଖୁବ୍ ବେଶୀ । ସୁଦୂର ତାମିଲନାଡୁ ରାଜନୈତିକ ସମ୍ମିଳନୀରେ ସେ ସଭାନେତ୍ରୀର ଆସନ ଅଳଂକୃତ କରିଥିଲେ । ଏହା ଓଡ଼ିଶା ପକ୍ଷେ କମ୍ ଗୌରବର କଥା ନୁହେଁ । ତାମିଲନାଡୁରୁ ଫେରି ବିଜୟନଗର ପ୍ରଭୃତି ଆନ୍ଧ୍ରଦେଶରେ ସେ ଯେଉଁ ଓଜସ୍ୱିନୀ ବକ୍ତୃତାମାନ ଦେଇଥିଲେ, ଆଜି ସୁଦ୍ଧା ଆନ୍ଧ୍ରମାନେ ପ୍ରଶଂସାଗାନ କରୁଅଛନ୍ତି । ପୁଣି ପ୍ରାଦେଶିକ ବ୍ୟବସ୍ଥା ପରିଷଦରେ ତାଙ୍କର କାର୍ଯ୍ୟକଳାପ କାହାରିକୁ ଅବିଦିତ ନୁହେଁ । ବର୍ତ୍ତମାନ ସେ ନିଖିଳ ଭାରତ ମହିଳା ରାଷ୍ଟ୍ରସଂଘର ଗୋଟିଏ ଶାଖା ଓଡ଼ିଶାରେ ଖୋଲିବା ପାଇଁ ବିଶେଷ ଯନô କରୁଛନ୍ତି । ଏଣୁ ଶ୍ରୀମତୀ ସରଳାଙ୍କୁ ଉକ୍ରଳ-ନାରୀ-ଲଲାମଭୂତା ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।’ ୧୯୩୦ ଦଶକରେ ସରଳାଦେବୀଙ୍କର ଏହି ମୂଲ୍ୟାୟନ ଓଡ଼ିଆ ଜାଗୃତିର ବଳିଷ୍ଠ ସ୍ୱାକ୍ଷର । ସରଳାଦେବୀଙ୍କର ନବୀନରେ ‘ଚିଠି’ ଶୀର୍ଷକ ପ୍ରବନ୍ଧ ଧାରାବାହିକ ଭାବରେ ୧୯୩୯ ରେ ପ୍ରକାଶ ପାଇ ପାଠକୀୟ ଆଲୋଡ଼ନ ସୃଷ୍ଟି କରିଥିଲା । ଚିଠି ଛଳରେ ଲେଖିକା ଗୋଟାଏ ଉଚ୍ଚଦରର ପ୍ରବନ୍ଧ ନବୀନରେ ପ୍ରକାଶ କରିଥିଲେ ବୋଲି ସଂପାଦକ କୃପାସିନ୍ଧୁ ନରେନ୍ଦ୍ରଦେବ ମତ ଦେଇଥିଲେ । ଏହି ଚିଠିମାନଙ୍କରେ ମନବିଜ୍ଞାନର ଢଙ୍ଗ ଦେଖିବାକୁ ମିଳେ ।
୧୯୩୯ ଅକ୍ଟୋବର ୩ ନବୀନ ସଂଖ୍ୟାରେ ସରଳାଦେବୀଙ୍କର ‘ସାକ୍ଷରତା’ ଶୀର୍ଷକ ଆଲୋଚନା ଅବିସ୍ମରଣୀୟ । ସାକ୍ଷରତା ଘର ଭିତରୁ ଆରମ୍ଭ ହେବା ଆବଶ୍ୟକ ବୋଲି ସେ ସୁଚିନ୍ତିତ ମତ ଦେଇଥିଲେ । ସେ ଲେଖିଥିଲେ- ‘ଆମ ଜିଲ୍ଲାମାନଙ୍କର ସହରମାନଙ୍କରେ କେତେକ ପାଠୁଆ ଲୋକ ଓ ବଡ଼ ଲୋକ ଅଛନ୍ତି, ପ୍ରାୟ ସମସ୍ତଙ୍କ ଘରେ ପୁଝାରୀ ଚାକର ଅଛନ୍ତି । ଅଧିକାଂଶଙ୍କ ଘରେ ପୋଇଲୀ ପରିବାରୀ ଅଛନ୍ତି । ସମସ୍ତେ ଯଦି ଚେଷ୍ଟା କରିବେ ଏହି ଅଧୀନସ୍ଥ ଲୋକମାନଙ୍କୁ ସାକ୍ଷର କରି ଦେଶର ଉନ୍ନତି କରିବେ ତେବେ ସରକାରଙ୍କର ବିନା ସାହାଯ୍ୟରେ ସାକ୍ଷରତା କାର୍ଯ୍ୟ ଆମ ସାଧାରଣ ଲୋକମାନଙ୍କଦ୍ୱାରା ଅନେକାଂଶରେ ହୋଇପାରିବ ।’ ୧୯୪୦ ଦଶକରେ ସରଳାଙ୍କର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ ହୋଇଥିଲା । ସେ ୧୯୪୪ ମସିହା ମାର୍ଚ୍ଚ ମାସରେ କଟକରେ ଅନୁଷ୍ଠିତ ନିଖିଳ ଉକ୍ରଳ ପାଠାଗାର ସମ୍ମିଳନୀରେ ଯୋଗଦାନ କରି ନିଖିଳ ଉକ୍ରଳ ପାଠାଗାର ସଂଘର ସଦସ୍ୟା ହିସାବରେ ପାଠାଗାର ଆନେ୍ଦାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପାଠାଗାର ଆନ୍ଦୋଳନରେ ଯୋଗଦାନ ସହିତ ସେ ମଧ୍ୟ ପୁସ୍ତକାଗାରର ଉଦେ୍ଦଶ୍ୟ ଓ ଆଦର୍ଶ ଉପରେ ସୁଚିନ୍ତିତ ମତ ଓ ମନ୍ତବ୍ୟ ନବୀନରେ ୧୯୪୪ ଅଗଷ୍ଟ ୧୨ ସଂଖ୍ୟାରେ ଏକ ଆଲୋଚନା ମାଧ୍ୟମରେ ଉପସ୍ଥାପନ କରିଥିଲେ । ଲୋକମାନଙ୍କ ମଧ୍ୟରେ ଶିକ୍ଷା ପ୍ରଚାର ପାଇଁ ପୁସ୍ତକାଗାର ସଂଗଠନ ଓ ସଂଚାଳନ ଉପରେ ଜୋର୍ ଦିଆଯିବା ଉଚିତ ବୋଲି ମତକୁ ସେ ଗ୍ରହଣ କରିଥିଲେ । ୧୯୪୪ ଅଗଷ୍ଟ ମାସରେ ଅନୁଷ୍ଠିତ ଉକ୍ରଳ ଗୌରବ ମଧୁସୂଦନ ପାଠାଗାର ପୁସ୍ତକାଗାରର ବାର୍ଷିକ ଉତ୍ସବରେ ସେ ‘ପୁସ୍ତକାଗାରର ଉଦ୍ଦେଶ୍ୟ ଓ ଆଦର୍ଶ’ ଶୀର୍ଷକ ପ୍ରବନ୍ଧ ପାଠକରି ଗ୍ରାମ୍ୟ ପୁସ୍ତକାଳୟର ସଂସ୍ଥାପନ ନିମନ୍ତେ ଗୁରୁତ୍ୱ ଦେଇଥିଲେ ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ମିଶ୍ରଣ ଏବଂ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସରଳା ସର୍ବଦା ବ୍ୟାକୂଳ ଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ ମସିହାରେ ଜୁଲାଇ ୨୮ତାରିଖ ଦିନ ଓଡ଼ିଶା ବିଧାୟକ ସଂସଦ କକ୍ଷରେ ବାଚସ୍ପତି ନିର୍ବାଚନ ପରେ ମହିଳା ସଦସ୍ୟ ହିସାବରେ ସରଳା ଦେବୀ ଇଂରାଜୀ ଭାଷାରେ ଓଡ଼ିଶା ସମ୍ପର୍କରେ ଭାଷଣ ଦେଇଥିଲେ । ଏହି ଭାଷଣରେ ସରଳାଙ୍କର ଓଡ଼ିଆମାନଙ୍କର ଅତୀତ ସମ୍ପର୍କରେ ପରିପୂର୍ଣ୍ଣ ଧାରଣା ଥିବା କଥା ଜଣାପଡ଼େ ।
ଉକ୍ରଳ ସାହିତ୍ୟ ସମାଜର ଜଣେ ସଂଗଠିକା ହିସାବରେ ସେ ଏହାର ପୁନର୍ଗଠନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଏହାର ସମ୍ପାଦିକା ହିସାବରେ ୧୯୪୩ ମସିହା ବେଳକୁ ସେ ‘ଜାଗରଣ’ନାମକ ପତ୍ରିକା ପ୍ରକାଶ କରି ସାହିତ୍ୟ, ସଂସ୍କୃତି ଓ କଳାଚର୍ଚ୍ଚାକୁ ଉତ୍ସାହିତ କରିଥିଲେ । ସେତେବେଳେ ତାଙ୍କର ପ୍ରଗତିଶୀଳ ଦୃଷ୍ଟିକୋଣର ପରିପ୍ରସାର ପାଇଁ ଉତ୍କଳିକା ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ସେଥିରେ ବ୍ରିଟିଶ୍ ବିରୋଧୀ ଲେଖାମାନ ପ୍ରକାଶ ପାଇଥିବାରୁ ତାହା ସରକାରଙ୍କ କଡ଼ା ନଜରକୁ ଆସିଥିଲା । ଓଡ଼ିଆରେ ନାରୀ ପ୍ରସଙ୍ଗ ଉପରେ ‘ସତ କଥା’ ଓ ‘ନିଆଁଖୁଣ୍ଟା’ପରି ସାହିତ୍ୟ ପତ୍ରରେ ଅଶ୍ଳୀଳ ଲେଖା ପ୍ରକାଶ ପାଇବାରୁ ସରଳା ଏହା ବିରୁଦ୍ଧରେ ଦୃଢ଼ ସ୍ୱର ଉଠାଇଥିଲେ । ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା ହିସାବରେ ଓଡ଼ିଶାର ପ୍ରଧାନମନ୍ତ୍ରୀଙ୍କୁ ୧୯୪୩ ନଭେମ୍ବର ୯ତାରିଖରେ ଏ ସମ୍ପର୍କରେ ଏକ ଦୀର୍ଘ ପତ୍ର ପଠାଇଥିଲେ । ନିଆଁଖୁଣ୍ଟାର ତୃତୀୟବର୍ଷ ଅଷ୍ଟମ ସଂଖ୍ୟାରେ ‘ନାରୀ ଓ ମହାନଦୀ’ କବିତାରେ ସରଳାଙ୍କୁ ବ୍ୟଙ୍ଗ କରାଯାଇଥିଲା । ଏହାକୁ ବିରୋଧ କରିବା ସହିତ ସରଳା କଟକର ମନମୋହନ ପ୍ରେସ୍ରୁ ପ୍ରକାଶିତ ‘ବିବାହ ବିଜ୍ଞାନ’ ଓ ‘କାମ ବିଜ୍ଞାନ’ନାମକ ଦୁଇଟି ପୁସ୍ତକକୁ ଅଶ୍ଳୀଳ ପୁସ୍ତକ ରୂପେ ଗ୍ରହଣ କରି ଏହାର ପ୍ରଚାର ନିଷିଦ୍ଧ କରିବାକୁ ସେ ସରକାରଙ୍କୁ ଜଣାଇଥିଲେ । ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୧୯୪୧ ମସିହାରୁ ସାହିତ୍ୟ ସପ୍ତାହ ଉତ୍ସବ ଅନୁଷ୍ଠିତ କରି ରାଜ୍ୟବ୍ୟାପୀ ସାହିତ୍ୟସେବା ନିମନ୍ତେ ଉନ୍ମାଦନା ସୃଷ୍ଟି କରିଥିଲେ । ୧୯୪୪ ମସିହାରେ ଏପ୍ରିଲ ମାସ ୭ ତାରିଖରୁ ଉତ୍କଳ ସାହିତ୍ୟ ସମାଜ ତରଫରୁ ତାଙ୍କ ଉଦ୍ୟମରେ ସାହିତ୍ୟ ସପ୍ତାହ ଅନୁଷ୍ଠିତ ହୋଇଥିଲା । ତାହା ଅସାଧାରଣ ଜାଗରଣ ସୃଷ୍ଟି କରିଥିଲା ।
ସରଳା ଦେବୀ କୁନ୍ତଳା ସାହିତ୍ୟର ଜଣେ ସମର୍ଥକ ଥିଲେ । ୧୯୪୦ ମସିହାରେ କୁନ୍ତଳାକୁମାରୀଙ୍କ କବି ପ୍ରତିଭା ଶୀର୍ଷକ ପୁସ୍ତିକା ରଚନା କରି କୁନ୍ତଳାଙ୍କ ଅବଦାନକୁ ଓଡ଼ିଶାରେ ପରିଚିତ କରିଥିଲେ । ଏହା ପ୍ରବନ୍ଧ ଆକାରରେ କୁନ୍ତଳାଙ୍କ ଶ୍ରାଦ୍ଧବାସରରେ ଉକ୍ରଳ ସାହିତ୍ୟ ସମାଜରେ ପଠିତ ହୋଇଥିଲା । ଶ୍ରୀମତୀ ଲତିକା ଦେବୀ ଏହି ପ୍ରବନ୍ଧ ପାଠରେ ଆନନ୍ଦିତ ହୋଇ ୧୦୧ଟଙ୍କା ଉକ୍ରଳ ସାହିତ୍ୟ ସମାଜ ଜରିଆରେ ଲେଖିକାଙ୍କୁ ପୁରସ୍କାର ଦେଇଥିଲେ । ତାଙ୍କର ଦୀର୍ଘ ଆଲୋଚନାରେ କୁନ୍ତଳା ସାହିତ୍ୟର ନବ ମୂଲ୍ୟାୟନ ହୋଇଥିଲା । ସେହିପରି ଭଞ୍ଜ ସାହିତ୍ୟର ମଧ୍ୟ ସେ ଥିଲେ ଉଚ୍ଚ ସମୀକ୍ଷକ ।
ସରଳା ଦେବୀ ଏହିପରି ଓଡ଼ିଶାରେ ନାରୀ ଜାଗୃତିର ତଥା ଓଡ଼ିଆ ସାହିତ୍ୟ ସଂସ୍କୃତିର ଅବିସ୍ମରଣୀୟ ସାରଥି ହିସାବରେ ପରିଚିତ ଥିଲେ । ତାଙ୍କର ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳର ସାହିତ୍ୟ ସାଧନା ଓ ସଂସ୍କାର କାର୍ଯ୍ୟକ୍ରମ ଓଡ଼ିଶାର ସାମାଜିକ ଇତିହାସର ମୁଖ୍ୟ ପ୍ରସଙ୍ଗ ହୋଇ ରହିବ ।
Comments
0 comments

