ରେଭେନ୍ସା ବିଶ୍ବବିଦ୍ୟାଳୟକୁ ବିବାଦ ଛାଡିବାର ନାହିଁ । ରେଭେନ୍ସାର ନାଁ ବଦଳ ପ୍ରସଙ୍ଗରେ ସାରା ଓଡିଶା ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ରେଭେନ୍ସାର ଯେଉଁ ଇଷ୍ଟ ହଷ୍ଟେଲର ଛାତ୍ରମାନେ ୟୁନିଅନ ଜ୍ୟାକ ଓହ୍ଲାଇ ଦେଇ ତ୍ରିରଙ୍ଗା ଉଡ଼ାଇଥିଲେ ବୋଲି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ସେହି ଇଷ୍ଟ ହଷ୍ଟେଲର ପିଲାମାନେ ବନ୍ଧୁତା ଦିବସ (Friendship Day) ପାଳନ କରିବା ନିମନ୍ତେ ମଦ ମଗାଇଥିଲେ । ଏଖବର କର୍ତ୍ତୃପକ୍ଷଙ୍କ କର୍ଣ୍ଣଗୋଚର ହେବାରୁ ସେ ସମ୍ଭାବ୍ୟ ଗଣ୍ଡଗୋଳର ଆଶଙ୍କା ତଥା ହଷ୍ଟେଲରେ ମଦ ନପିଇବା ଯୁକ୍ତିରେ ଆସିଷ୍ଟାଣ୍ଟ ୱାର୍ଡେନ ଡ଼ ରବିଉଲ ଆନସାରୀ ମଦ ଥିବା ଦୁଇଟି ରୁମକୁ ତାଲା ପକାଇ ଦେଇଥିଲେ । ପିଲାଙ୍କୁ କହିଲେ ଆଜି ତୁମେମାନେ ଅନ୍ୟ ସାଂଗକ ରୁମରେ ଶୋଇବ, କାଲି ସକାଳେ ତୁମ ରୁମ ଖୋଲା ହେବ । ଖବର ଅନୁସାରେ ଯେଉଁ ପିଲାମାନେ ମଦ ଆଣିଥିଲେ ଓ friendship day ପାଳିବାର ନେତୃତ୍ୱ ନେଇଥିଲେ, ସେମାନେ ସମସ୍ତେ ଏବିଭିପି, ଆରଏସଏସର ପିଲା । ଶୁଣାଯାଉଛି ଯେ, ମଦ ମଧ୍ୟ ବିଜେପି ଦଳ ତରଫରୁ ସେମାନଙ୍କୁ ଉପହାର ମିଳିଥିଲା । ଯାହାଫଳରେ ଘଟଣାସ୍ଥଳରେ ରବିଉଲ ଆନସାରୀ ସାରଙ୍କୁ ମାଆ ଭଉଣୀ ନେଇ ପିଲାମାନେ ଗାଳିଗୁଲଜ କଲେ ଓ ବିଭିନ୍ନ ଆଳ ଦେଖାଇ ତାଙ୍କର ଇସ୍ତଫା ଦାବୀରେ ଧାରଣା ଦେଲେ ।
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କୁଳପତି, ରେଜିଷ୍ଟ୍ରାର, ଇଷ୍ଟ ହଷ୍ଟେଲର ୱାର୍ଡେନ ତଥା ରେଭେନ୍ସା ହଷ୍ଟେଲ ସମୂହର ଚିଫ ୱାର୍ଡେନ ଧାରଣାରତ ପିଲାମାନଙ୍କୁ ନେଇ ଇଷ୍ଟ ହଷ୍ଟେଲ ପରିସରରେ ଏକ ବୈଠକ ଆୟୋଜିତ କରିଥିଲେ । ଘଟଣା ସବୁ ଆଲୋଚନା ହେବାପରେ ପିଲାମାନେ ନିଜର ଭୁଲ ବୁଝିପାରିଥଲେ ଓ ସେମାନଙ୍କର ହଷ୍ଟେଲର ଅସୁବିଧା ବାବଦରେ ଆଉ ଯେଉଁ ସବୁ କେତେକ ଦାବୀ ଥିଲା, ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନ କରିଦେବାକୁ ପ୍ରତିଶୃତି ମଧ୍ୟ ଦେଲେ । ହେଲେ ଠିକ ଏହି ମୁହୂର୍ତ୍ତରେ ଆମ ରାଜ୍ୟର ଇଂଲିଶ ଏମଏଲଏ ଭାବରେ କୁଖ୍ୟାତ ଇଂ ପ୍ରକାଶ ସେଠି ସେଠାରେ ପହଞ୍ଚି ନିଜର ଦାଦାଗିରି ଆରମ୍ଭ କରିଦେଲେ । ଘଟଣାର ସମାଧାନ ହୋଇଗଲାଣି ବୋଲି କହିବା ସତ୍ତ୍ୱେ ତୁରନ୍ତ ଆସିଷ୍ଟାଣ୍ଟ ୱାର୍ଡେନ ଡ଼ ରବିଉଲ ଆନସାରୀଙ୍କୁ ସେଠାକୁ ଡକାଇ କ୍ଷମା ମଗାଇବାକୁ ଦାବୀ କଲେ । ଇଷ୍ଟ ହଷ୍ଟେଲର ୱାର୍ଡେନ ଡ଼ ଶରତ ଚନ୍ଦ୍ର ରାଉତ ତଥା ରେଭେନ୍ସା ହଷ୍ଟେଲ ସମୂହର ଚିଫ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ର ପ୍ରମୁଖ ଏହାର ଆବଶ୍ୟକତା ନାହିଁ ବୋଲି କହିବାରୁ ବିଧାୟକ ମହୋଦୟ (ଯାହାଙ୍କୁ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର ସିନେଟ ର ମେମ୍ବର ଭାବରେ ନେଇଛି), ଧମକ ଚମକ କେବଳ ଦେଲେ ନାହିଁ, ଓଲଟା ଅଶ୍ଳୀଳ ଖଣ୍ଡି ଇଂରାଜୀ ଭାଷାରେ ଗାଳିଗୁଲଜ ମଧ୍ୟ କଲେ । ଚିଫ ୱାର୍ଡେନ ଏଜୁକେସନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ର ସୁଦର୍ଶନ ମିଶ୍ର ଜଣେ ମିଷ୍ଟଭାଷୀ ତଥା ଛାତ୍ରବତ୍ସଳ ପ୍ରଫେସର ଭାବରେ ସମସ୍ତ ଜାଣନ୍ତି, ହେଲେ ତାଙ୍କୁ ଓ ଇଷ୍ଟ ହଷ୍ଟେଲର ୱାର୍ଡେନ ଡ଼ ଶରତ ଚନ୍ଦ୍ର ରାଉତଙ୍କୁ ଛାତ୍ର ଓ କୁଳପତିଙ୍କ ଉପସ୍ଥିତିରେ ଯେଉଁଭଳି ଗାଳିଗୁଲଜ ବିଧାୟକ କଲେ, ସେଥିରେ ତାଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ କିଭଳି ସୁରକ୍ଷିତ ରହିବ, ତାହା ସ୍ପଷ୍ଟ ଅନୁମେୟ ।
ଭୁଲଭାଲ ଇଂରାଜୀ କହି ନିଜେ ହାସ୍ୟାସ୍ପଦ ହେଉଥିବା ଏହି ବିଧାୟକ, ରେଭେନ୍ସା ଭଳି ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନକୁ ନଷ୍ଟଭ୍ରଷ୍ଟ କରିଦେବାକୁ ସତେ ଯେମିତି ପଣ କରିଛନ୍ତି, ତାହା ତାଙ୍କର ଗଣମାଧ୍ୟମ ଷ୍ଟେଟମେଣ୍ଟରୁ ବୁଝାପଡୁଛି । ଅବଶ୍ୟ ଗତ ଦଶହରା ସମୟରେ କଟକରେ ଅନୁଷ୍ଠିତ ହୋଇଥିବା ଗଣ୍ଡଗୋଳ ସମୟରେ ଯେଉଁ ଅପରାଧୀମାନେ ଗିରଫ ହୋଇ ଜେଲ ଯାଇଥିଲେ, ସେମାନଙ୍କୁ ଜେଲରେ ଭେଟି ସେମାନଙ୍କ ମନୋବଳ ବଢ଼ାଇବା ଭଳି କାମ କରିଥିବା ଏହି ବିଧାୟକ ଯେ, ଜଣେ ଅପରାଧୀ ଶ୍ରେଣୀର ବ୍ୟକ୍ତି, ତାହା ବୁଝାପଡୁଛି ।
ସମଗ୍ର ରାଜ୍ୟରେ ଏହି ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଚୁପ ବସି ଯେପରି ନାଟ ଦେଖୁଛନ୍ତି । ଛାତ୍ର ଆନ୍ଦୋଳନ ଯୋଗୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ବେଳେ, ଏହି ଘଟଣା ଯେ, ଭିନ୍ନ ମୋଡ଼ ନେଇପାରେ ଏହି ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ।
> ନିଜ ଦଳୀୟ ପିଲା ତଥା ମଦ ପିଇ ଉତ୍ପାତ ହେବାକୁ ଚାହୁଁଥିବା ପିଲାମାନଙ୍କ ସହ ଛିଡା ହେବାକୁ ଚେଷ୍ଟା କରୁଥିବା ଏହି ବିଧାୟକଙ୍କୁ ତୁରନ୍ତ ରେଭେନ୍ସା ସିନେଟ ରୁ ଅପସାରଣ କରାଯିବା ଆବଶ୍ୟକ ।
> ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ।
> କୁଳପତି ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ଭଳି କଥା ନକହି ପ୍ରତ୍ୟକ୍ଷଦର୍ଶୀ ଭାବରେ ସେଦିନ ତାଙ୍କ ୱାର୍ଡେନମାନଙ୍କୁ ଯେଭଳି ଅସଦବ୍ୟବହାର କଲେ, ସେକଥା ଗଣମାଧ୍ୟମରେ ପ୍ରକାଶ କରନ୍ତୁ ।
> କଟକ ସହରବାସୀ, ରେଭେନ୍ସାରେ ପାଠ ପଢୁଥିବା ପିଲାଙ୍କ ଅଭିଭାବକ ତଥା ରେଭେନ୍ସା ପୁରାତନ ଛାତ୍ର ସଂସଦ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ରେଭେନ୍ସାର ସ୍ୱର୍ଣ୍ଣିମ ଇତିହାସକୁ ଉଜ୍ଜୀବୀତ ରଖିବା ଦିଗରେ କାର୍ଯ୍ୟ କରନ୍ତୁ ।
>ଅଭିଭାବକମାନଙ୍କୁ ନିବେଦନ ଆପଣଙ୍କ ପିଲାଙ୍କୁ ଅସାମାଜିକ ଓ ମଦୁଆ କରିବାକୁ ଚେଷ୍ଟା କରୁଥିବା ରାଜନୈତିକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ। ନହେଲେ ଦେଶ ଓ ସମାଜ ସହ ଆପଣଙ୍କ ପିଲାର ଭବିଷ୍ୟତ ମଧ୍ୟ ଉଜୁଡ଼ି ଯାଇପାରେ।
ଡା ବିଶ୍ୱଜିତ
ରାଷ୍ଟ୍ରୀୟ ଯୁବା ସଂଗଠନ
Comments
0 comments

