ପାହାଡ଼ କୋଳର ସୁନ୍ଦର ଗାଁ: “ପୁକୁଲିଙ୍ଗିଆ”

106 Views
5 Min Read

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ନିବିଡ଼ ସବୁଜିମା ଏବଂ ପାହାଡ଼ିଆ ଘେର ମଧ୍ୟରେ ଅବସ୍ଥିତ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ଏକ ଶାନ୍ତ, ସୁନ୍ଦର ଓ ସମୃଦ୍ଧ ଗାଁ ହେଉଛି ପୁକୁଲିଙ୍ଗିଆ। କାକଲାବାକି ଝରଣାର ମଧୁର ସ୍ୱନ ଏବଂ ପ୍ରାକୃତିକ ପରିବେଶ ଭିତରେ ଗଢ଼ିଉଠିଥିବା ଏହି ଗାଁଟି କେବଳ ଏକ ଭୌଗୋଳିକ ସୀମାରେଖା ନୁହେଁ, ବରଂ ଏହା ସରଳ ଗ୍ରାମୀଣ ଜୀବନ, ସାମାଜିକ ଭାଇଚାରା ଏବଂ ପ୍ରାଚୀନ ପରମ୍ପରାର ଏକ ଅପୂର୍ବ ସମାହାର। ଏହି ଗାଁର ଜୀବନୀକୁ ଉପସ୍ଥାପନା କରିଛନ୍ତି ରୀତିକା ପ୍ରଧାନ । ସେ ‘ଆସ ଲେଖିବା ଆମ ଗାଁ’ର ଜୀବନୀ’  କାର୍ଯ୍ୟକ୍ରମରେ ଭାଗନେଇ ନିଜ ଗାଁର ଏହି ସୁନ୍ଦର ଅତୀତକୁ ଆଜି ପୁଣି ଜୀବନ୍ତ କରିଛନ୍ତି ।

ଆମ ଗାଁର ନାମ ପୁକୁଲିଙ୍ଗିଆ ।  ଆମ ଗାଁର ଇତିହାସ ବିଷୟରେ ଜାଣିବାକୁ ମୁଁ ଗାଁର ସବୁଠୁ ବୟସ୍କ ବ୍ୟକ୍ତି ହେମନ୍ତ ପ୍ରଧାନ , ବୟସ ୮୫ଙ୍କୁ ପଚାରିଥିଲି । ସେ କହିବା ଅନୁସାରେ, ପୁକୁଲିଙ୍ଗିଆ ଗ୍ରାମଟି ପ୍ରାୟ ୧୫୦ ବର୍ଷର ପୁରୁଣା । ଗାଁର ନାମକରଣ ପଛରେ ମଧ୍ୟ ରହିଛି ଏକ ସୁନ୍ଦର କାହାଣୀ। ‘ପୁକୁଲିଙ୍ଗିଆ’ ନାମଟି ସାଧାନିଆ ଭାଷାରୁ ଆସିଛି, ଯାହାର ଅର୍ଥ ହେଉଛି “ଛୋଟ ଝରଣା କୂଳରେ ଥିବା ଜାଗା”। ଅତୀତରେ ଏହା ଏକ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ଥିଲା। କନ୍ଧ ସମୁଦାୟର ଆଦ୍ୟ ଆଦିବାସୀମାନେ ଜଙ୍ଗଲ ସଫା କରି ଏଠାରେ ପ୍ରଥମେ ନିଜର ଆସ୍ଥାନ ଜମାଇଥିଲେ। ଗାଁ ପାଖ ଦେଇ ବହିଯାଉଥିବା ‘କାକଲାବାକି’ ଝରଣା କୂଳରେ ବସବାସ ଆରମ୍ଭ ହୋଇଥିବାରୁ ଏହି ଗାଁର ନାମ ପୁକୁଲିଙ୍ଗିଆ ରଖାଯାଇଛି ଅନୁମାନ କରାଯାଏ । ସେ ପୁଣି କୁହନ୍ତି ଗାଁଟି ଯେବେ ସ୍ଥାପନ ହେଲେ ସେତେବେଳେ ମାତ୍ର ୧୦ଟି ଘର ଥିଲା ।  କନ୍ଧ ଓ ପାଣ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଏଠାରେ ରହୁଥିଲେ। କାଳକ୍ରମେ ଗାଁର କଳେବର ବୃଦ୍ଧି ପାଇଛି। ବର୍ତ୍ତମାନ ଏଠାରେ ପ୍ରାୟ ୯୦ ରୁ ୧୨୦ଟି ପରିବାର ବସବାସ କରୁଛନ୍ତି ଏବଂ ମୋଟ ଜନସଂଖ୍ୟା ପ୍ରାୟ ୭୨୦। ବର୍ତ୍ତମାନ  କନ୍ଧ, ସୁଣ୍ଢି ଓ ଗୌଡ଼ ଆଦି ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏକାଠି ମିଳିମିଶି ଓ ପରସ୍ପରକୁ ସାହାଯ୍ୟ-ସହଯୋଗ କରି ରହୁଛନ୍ତି।

ପୁକୁଲିଙ୍ଗିଆର ସାମାଜିକ ଜୀବନ ମୁଖ୍ୟତଃ କୃଷି, ପ୍ରାକୃତିକ ସମ୍ପଦ ଏବଂ ପାରମ୍ପରିକ ହସ୍ତକଳା ଉପରେ ଆଧାରିତ। ବର୍ଷା ଜଳକୁ ନିର୍ଭର କରି ଗ୍ରାମବାସୀମାନେ ଧାନ, ମାଣ୍ଡିଆ, ଅଦା ଏବଂ ସୁପ୍ରସିଦ୍ଧ କନ୍ଧମାଳ ହଳଦୀ ଚାଷ କରନ୍ତି। ଏଠାକାର ହଳଦୀର ଚାହିଦା ବେଶ୍ ଅଧିକ, ଯାହାକୁ ଚାଷୀମାନେ ଜି. ଉଦୟଗିରି ହାଟରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି। ଏହା ସହିତ ଜଙ୍ଗଲରୁ ମହୁଲ ଫୁଲ, କେନ୍ଦୁପତ୍ର, ଶାଳପତ୍ର ଓ ସିଆଳି ପତ୍ର ସଂଗ୍ରହ କରି ଖଲି-ପତ୍ର ତିଆରି କରିବା ମଧ୍ୟ ଏଠାକାର ଅନ୍ୟତମ ଜୀବିକା। ଗାଁର ହସ୍ତକଳା ଓ କାରିଗରୀ ସଂସ୍କୃତି ବେଶ୍ ସମୃଦ୍ଧ। ବାଉଁଶରୁ କୁଲା , କୁକୁଡ଼ା ରଖିବା ଘର, କାଠରୁ ଖଟ, କବାଟ, ଝରକା ଆଦି ତିଆରି କରିବାରେ ଏମାନେ ସିଦ୍ଧହସ୍ତ। ଆମ ଗ୍ରାମରେ କେତେକ ଲୋକ କମାର କାମ କରି ନିଜର ପରିବାର ଚଳାଉଛନ୍ତି ଓ କେତେ କୁମ୍ଭାର ମଧ୍ୟ ରହିଛନ୍ତି। ମାଟିର ବିଭିନ୍ନ ପାତ୍ର, ଫୁଲକୁଣ୍ଡ, ହାଣ୍ଡି ମଧ୍ୟ ବନାଉଛନ୍ତି। ଆମ ଗ୍ରାମରେ ଏହି ଦୁଇ ସମ୍ପ୍ରଦାୟର କାରିଗରୀ ଅଛନ୍ତି, କାରଣ ଗ୍ରାମର ଅଧିକାଂଶ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରୁଛନ୍ତି। ପୁକୁଲିଙ୍ଗିଆର ସବୁଠୁ ବଡ଼ ସମସ୍ୟା ରୋଜଗାର। ଚାଷରୁ ସୀମିତ ଆୟ ହେଉଥିବାରୁ କେତେକ ଯୁବକ ସହରମୁହାଁ ହେଉଛନ୍ତି।  କିନ୍ତୁ ସରକାରଙ୍କ କୃଷି ଯୋଜନାରେ ଧୀରେ ଧୀରେ ଅବସ୍ଥା ସୁଧୁରୁଛି।


( ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗ୍ରାମ୍ୟ ଜୀବନୀ ଓ ଐତିହ୍ୟ ଅଧୟନ କେନ୍ଦ୍ର ତରଫରୁ ଗ୍ରାମ ର ଛାତ୍ର ଓ ଯୁବକ ମାନଙ୍କୁ ନେଇ ଗ୍ରାମ୍ୟ ଜୀବନୀ ଲେଖା  ଯାଉଛି। ସମଧ୍ୱନି ମାଧ୍ୟମରେ ଗ୍ରାମ ଇତିହାସ ଲେଖିବା କାମ ଜାରି ରହିଛି। ଆମ Village Biography ଭାଗ ରେ ଆମେ ନିୟମିତ ସେସବୁକୁ ସ୍ଥାନ ଦେବୁ । ନିଜ ଗାଁର ଜୀବନୀ ଲେଖିବା ପାଇଁ ଯୋଗାଯୋଗ କରନ୍ତୁ – ଶିବାଶିଷ , 9853456083 )


 

 

ପୁକୁଲିଙ୍ଗିଆର ସାଂସ୍କୃତିକ ପରମ୍ପରା ଗ୍ରାମବାସୀଙ୍କୁ ଏକସୂତ୍ରରେ ବାନ୍ଧି ରଖିଛି। ଦଣ୍ଡନାଚ, ମେରୁ ଯାତ୍ରା ଓ ଗ୍ରାମଦେବୀ ପୂଜା ଏଠାକାର ପ୍ରଧାନ ପର୍ବ। ଦଣ୍ଡନାଚ ସମୟରେ ଗ୍ରାମବାସୀମାନେ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ଭଗବାନଙ୍କ ଆରାଧନା କରନ୍ତି। କନ୍ଧ ସମାଜର ପାରମ୍ପରିକ ନୃତ୍ୟ ଓ ଗୀତ ଏହି ସମୟରେ ଗାଁକୁ ଆନନ୍ଦମୁଖର କରିତୋଳେ। ସେହିପରି ବିଲରୁ ନୂଆ ଧାନ ଆସିଲେ ଗ୍ରାମଦେବୀ ଓ ଭୂ-ଦେବତାଙ୍କୁ ପୂଜା କରି ‘ନୂଆଖିଆ’ ପାଳନ କରାଯାଏ। ଘରେ ଘରେ ନୂଆ ଚୁଲି ଜଳାଯାଇ ପିଠା-ମିଠା ପ୍ରସ୍ତୁତ କରାଯାଏ ଏବଂ ଦେବଦେବୀଙ୍କୁ ଭୋଗ ଲଗାଇ ସମସ୍ତେ ଆନନ୍ଦ ମନରେ ଆହାର ଗ୍ରହଣ କରନ୍ତି।

ସମୟର ସ୍ରୋତ ସହ ପୁକୁଲିଙ୍ଗିଆ ଗାଁରେ ମଧ୍ୟ ପରିବର୍ତ୍ତନର ପବନ ବହିବାରେ ଲାଗିଛି। ପୂର୍ବରୁ ଲଣ୍ଠନ ଆଲୋକ ଓ କୂଅ ପାଣି ଉପରେ ନିର୍ଭର କରୁଥିବା ଏହି ଗାଁକୁ ଏବେ ବିଜୁଳି, ନଳକୂପ, ପକ୍କା ରାସ୍ତା, ମୋବାଇଲ୍ ଟାୱାର ଏବଂ ପିଏମ୍ ଆବାସ ଯୋଜନାରେ ପକ୍କାଘର ଆସିପାରିଛି।

ଗାଁରେ ପ୍ରାଥମିକ ସ୍କୁଲ ଅଛି। ଉଚ୍ଚ ଶିକ୍ଷା ପାଇଁ ଜି .ଉଦୟଗିରି ଯିବାକୁ ପଡ଼େ। ପୂର୍ବରୁ ଆମ ଗାଁରେ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିଲା। ଏବେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ସବୁ ଅଛି। ଗାଁର ପିଲାମାନେ ଶିକ୍ଷିତ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଗାଁରେ ୩୦ ରୁ ୪୦ ପିଲା ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ତଥାପି, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ରୋଜଗାର ପାଇଁ ଗ୍ରାମବାସୀଙ୍କୁ ଜି. ଉଦୟଗିରି କିମ୍ବା ଭୁବନେଶ୍ୱର ଭଳି ସହର ଉପରେ ନିର୍ଭର କରିବାକୁ ପଡ଼ୁଛି।

ଆଧୁନିକତା ଏବଂ ସହରୀ ପ୍ରଭାବ ସତ୍ତ୍ୱେ, ପୁକୁଲିଙ୍ଗିଆ ଆଜି ବି ନିଜର ମୂଳ ସଂସ୍କୃତି, ସରଳତା ଏବଂ ମାଟିର ଗନ୍ଧକୁ ଜାବୁଡ଼ି ଧରିଛି। ସକାଳ ପାହାନ୍ତାରୁ ଉଠି କାମକୁ ଯାଉଥିବା ପରିଶ୍ରମୀ ଗ୍ରାମବାସୀ ଏବଂ ହସଖୁସିରେ ଭରା ସେମାନଙ୍କର ସରଳ ଜୀବନଶୈଳୀ ଏହି ଗାଁକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସତରେ, ପୁକୁଲିଙ୍ଗିଆ କେବଳ ଏକ ଗାଁ ନୁହେଁ, ଏହା ପ୍ରକୃତି ଓ ମଣିଷର ଅପୂର୍ବ ନିବିଡ଼ତାର ଏକ ଜୀବନ୍ତ ନିଦର୍ଶନ।

ପାହାଡ଼ ତଳେ ବସିଅଛି ଆମ ଛୋଟ ଗାଁ  ପୁକୁଲିଙ୍ଗିଆ,

ସବୁଜ  ଧାନ କ୍ଷେତ ନୀଳ ଆକାଶ ପକ୍ଷୀ ଗୀତରେ ମନ ଭରିଯାଏ।

ଚାଳ ଘର ମାଟି ଅଗଣା ସକାଳ ବେଳେ କୁକୁଡ଼ା ଡାକ,

ମହୁଲ ଫୁଲ କେନ୍ଦୁ ପତର, ଜୀବନ ଚାଲେ ସରଳ ପାକ ।

ଦଣ୍ଡ ଯାତରା କେବେ ଘାଟ ଘାଟ,

 ଭୂମି ପୂଜାରେ ନୂଆ ଚୁଲା,

 ଲୋକମାନେ ମିଳିମିଶି ହସି ଖୁସି ସବୁ ଭୁଲା।

ବିଜୁଳି ରାସ୍ତା ଆସିଲା ଏବେ,

କିନ୍ତୁ ମାଟିର ଗନ୍ଧ ସେହି,

ପୁକୁଲିଙ୍ଗିଆ ଆମର ଗର୍ବ।


ଉପସ୍ଥାପନା:       

 ରୀତିକା ପ୍ରଧାନ, ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଜୁନିଅର ମହାବିଦ୍ୟାଳୟ, ଜି . ଉଦୟଗିରି , କନ୍ଧମାଳ ର ଛାତ୍ରୀ

 


Total Views: 17

Comments

0 comments

Share This Article