ଯୁବ ରାଜନୈତିକ କର୍ମୀଙ୍କ ପ୍ରତି 

3 Views
32 Min Read
(‘ପ୍ରିୟ ସାଥିଗଣ’ରୁ ଲେଖାଟି ଆରମ୍ଭ ହୋଇଛି । ତେଣୁ ଆପଣମାନେ ଏହାକୁ ଭାରତର ଯୁବପିଢ଼ି ଉଦେ୍ଦଶ୍ୟରେ ଭଗତ୍ ସିଂଙ୍କର ଏକ ଚିଠି କହିପାରନ୍ତି, ଏକ ଅଭିଭାଷଣ କହିପାରନ୍ତି । ଏଥିରେ ସେ ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହାକୁ ଭାରତର ଯୁବପିଢ଼ି ପାଇଁ ଭଗତ୍ ସିଂଙ୍କ ‘ଇଚ୍ଛାପତ୍ର’ କୁହାଯାଇ ପାରେ, ‘ନିର୍ଦ୍ଦେଶ ’ କୁହାଯାଇପାରେ । ଭଗତ୍ ସିଂ ୧୯୦୭ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ ଜନ୍ମ ହୋଇଥିଲେ ଏବଂ ୧୯୩୦ ମସିହା ଅକ୍ଟୋବର ୭ତାରିଖ ଦିନ ତାଙ୍କୁ ଫାଶୀ ଦଣ୍ଡ ହୋଇସାରିଥିଲା । କିନ୍ତୁ ୧୯୩୧ ମସିହା ମାର୍ଚ୍ଚ ୨୩ତାରିଖ ଦିନ ତାଙ୍କୁ ଫାଶୀ ଦେବା ପୂର୍ବରୁ ଜେଲର କାଳକୋଠରୀରେ ବସି ୧୯୩୧ ମସିହା ଫେବୃୟାରୀ ୨ତାରିଖ ବେଳକୁ ଏହି ଲେଖାଟି ସମାପ୍ତ କରିଥିଲେ । ସେହିଦିନ ବେଳକୁ ତାଙ୍କର ବୟସ ହୋଇଥିଲା ମାତ୍ର ୨୩ବର୍ଷ ୪ମାସ ୬ଦିନ । ଏତେ କମ୍ ବୟସରେ ଏହି ଲେଖାଟିରେ ତକ୍ରାଳୀନ ରାଜନୈତିକ ପରିସ୍ଥିତି ସମ୍ପର୍କରେ ପରିପକ୍ୱ ମତାମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଭାରତର ଭବିଷ୍ୟତକୁ ନେଇ ସେ ଏକ ସ୍ୱପ୍ନ ଦେଖିଛନ୍ତି – ଏକ ସ୍ୱାଧୀନ ଭାରତର ସ୍ୱପ୍ନ, ବିପ୍ଳବ ଜରିଆରେ କୃଷକ ଓ ଶ୍ରମିକମାନଙ୍କର ଏକ ରାଷ୍ଟ୍ର ପ୍ରତିଷ୍ଠାର ସ୍ୱପ୍ନ, ଏକ ଶୋଷଣହୀନ ସମାଜବାଦୀ ସମାଜ ପ୍ରତିଷ୍ଠାର ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ଯେହେତୁ ତାଙ୍କ ନିଜ ପକ୍ଷରେ ଆଉ ସମ୍ଭବ ନଥିଲା, ତାହାକୁ ସାକାର କରିବା ଦାୟିତ୍ୱ ସେ ଛାଡ଼ି ଦେଇଥିଲେ ଭାରତର ଯୁବପିଢ଼ି ଉପରେ ଓ ସେମାନଙ୍କୁ ସେ ଦିଗରେ ସଠିକ୍ ମାର୍ଗଦର୍ଶନ ଦେବା ପାଇଁ ଏକ ସୁଚିନ୍ତିତ ରୂପରେଖ ପ୍ରସ୍ତୁତ କରିଥିଲେ । 
ବିପ୍ଳବର ସୁଦୀର୍ଘ ପଥରେ ସ୍ୱାଧୀନତା ସଂଗ୍ରାମ କେବଳ ପ୍ରଥମ, ତଥାପି ଆବଶ୍ୟକୀୟ ପଦକ୍ଷେପ ମାତ୍ର । ଭାରତର ଯୁବ ସମାଜ ହିଁ ଏହି ବିପ୍ଳବ ସଙ୍ଗଠିତ କରିପାରିବ ବୋଲି ଭଗତ୍ ସିଂ ଅନୁଭବ କରୁଥିଲେ । ତେଣୁ ସେମାନଙ୍କ ଉଦେ୍ଦଶ୍ୟରେ ଏହି ଲେଖା । କିନ୍ତୁ ତାଙ୍କର ସ୍ୱପ୍ନକୁ ସାକାର କରିପାରିବେ କେବଳ ସେହି ଯୁବକମାନେ ଯେଉଁମାନେ ସେ ନିଜେ ଅନୁପ୍ରାଣିତ ହୋଇଥିବା ଦର୍ଶନ ଓ କାର୍ଯ୍ୟଧାରା ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କରି ଦ୍ୱାରା ପ୍ରଦର୍ଶିତ ମାର୍ଗରେ କାର୍ଯ୍ୟ କରିବେ । ଏହି ଲେଖାଟିରେ ଦୁଇଟି ଭାଗ ରହିଛି । ପ୍ରଥମ ଭାଗଟି ଛାପିକରି ବାଣ୍ଟିବା ପାଇଁ ଓ ଦ୍ୱିତୀୟ ଭାଗଟି ବିପ୍ଳବୀମାନଙ୍କ ବିଚାର, ବିତର୍କ ଓ କାର୍ଯ୍ୟକ୍ରମ ପାଇଁ ଦିଗ୍ଦର୍ଶନ ଦେବାପାଇଁ । ଗୁପ୍ତରେ ଲେଖାଟି ଜେଲରୁ ବାହାରକୁ ଆସିବା ପରେ ୧୯୩୧ ମସିହାରେ ବିଭିନ୍ନ ପତ୍ରପତି୍ରକାରେ କାଣ୍ଟ ଛାଂଟ  ପରେ ପ୍ରକାଶିତ ହୋଇଥିଲା । କାଣ୍ଟ ଛାଂଟ ରେ  ସୋଭିଏତ୍ ୟୁନିଅନ, ମାର୍କ୍ସ, ଲେନିନ୍, କମ୍ୟୁନିଷ୍ଟ  ପାର୍ଟି ଓ ମାର୍କ୍ସବାଦ ସମ୍ପର୍କିତ ଅଂଶଗୁଡ଼ିକ ସବୁ କଟି ଯାଇଥିଲା । ୧୯୩୧ମସିହା ଅକ୍ଟୋବର ୩ତାରିଖ ଦିନ ଶ୍ରୀମତୀ ବିମଳାପ୍ରଭା ଦେବୀଙ୍କ ଘରର ତଲାସି ବେଳେ ଏହି ଲେଖାଟି ମିଳିଥିଲା ଓ ସି.ଆଇ.ଡି. ବିଭାଗର ଗୁପ୍ତ ରିପୋର୍ଟରେ ଉପସ୍ଥାପିତ ହୋଇଥିଲା । ଗୁପ୍ତ ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଥିଲା ଯେ, ସେହି ସମୟରେ ଭଗତ୍ ସିଂଙ୍କ ସାଥୀ ଓ ଅନୁଗାମୀମାନେ ଏହି ଲେଖାର ନିର୍ଦ୍ଦେଶ  ଅନୁସାରେ କାର୍ଯ୍ୟ କରୁଥିଲେ ।) 
ପ୍ରିୟ ସାଥୀଗଣ, 
ଆମ ଆନ୍ଦୋଳନ  ବର୍ତ୍ତମାନ ଏକ ଜରୁରୀ ପର୍ଯ୍ୟାୟ ଦେଇ ଗତି କରୁଛି । ଏକବର୍ଷର ଭୟଙ୍କର ଲଢ଼େଇ ପରେ ସାମ୍ବିଧାନିକ ସଂସ୍କାର ସମ୍ପର୍କିତ କେତେକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୋଲଟେବୁଲ ବୈଠକ ଦ୍ୱାରା ପ୍ରଣୟନ କରାଯାଇଛି ଏବଂ କଂଗ୍ରେସ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି, ଏହାକୁ ମଞ୍ଜୁରୀ ଦେଇ ଶାସନ ସଂସ୍କାରରେ ସହଯୋଗ କରିବା ପାଇଁ । ତେଣୁ ସେମାନେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର ଆନ୍ଦୋଳନକୁ ପ୍ରତ୍ୟାହାର କରିନେବା ଉଚିତ ବିଚାର କରୁଛନ୍ତି । ସେମାନେ ପ୍ରତ୍ୟାହାର କରିବା ସପକ୍ଷରେ ନିଷ୍ପତ୍ତି କରନ୍ତୁ ବା ବିପକ୍ଷରେ, ସେମାନଙ୍କ ନିଷ୍ପତ୍ତି ଆମ ପାଇଁ ବଡ଼ କଥା ନୁହେଁ । ବର୍ତ୍ତମାନର ଆନ୍ଦୋଳନ କୌଣସି ଭାବରେ ବି ଆପୋଷ ନିଷ୍ପତ୍ତିରେ ଶେଷ ହେବା ପାଇଁ ବାଧ୍ୟ । ଆପୋଷ ନିଷ୍ପତ୍ତି ଚଞ୍ଚଳ ହୋଇଯାଇପାରେ ନଚେତ ଟିକିଏ ଡେରିରେ ହୋଇପାରେ । ଆମେ ଯେମିତି ସାଧାରଣତଃ ଭାବିଥାଉ ଆପୋଷ ନିଷ୍ପତ୍ତି ସେମିତି କିଛି ଲଜ୍ଜାଜନକ ଓ ଘୃଣ୍ୟ ବିଷୟ ନୁହେଁ । ବରଂ ରାଜନୈତିକ ରଣନୀତିରେ ଆପୋଷ ନିଷ୍ପତ୍ତି ଆବଶ୍ୟକ ହୋଇଥାଏ ଆପୋଷ ନିଷ୍ପତ୍ତି ନକଲେ ନଚଳେ । ଅତ୍ୟାଚାରୀଙ୍କ ବିରୁଦ୍ଧରେ ଲଢ଼େଇ କରୁଥିବା ଯେକୌଣସି ଜାତି ପ୍ରଥମେ ପ୍ରଥମେ ତ ବିଫଳ ହେବା ପାଇଁ ବାଧ୍ୟ । କିନ୍ତୁ ତାର ଲଢ଼େଇର ମଧ୍ୟବର୍ତ୍ତୀକାଳରେ ଆଂଶିକ ସଂସ୍କାରଗୁଡ଼ିକୁ ଆପୋଷ ନିଷ୍ପତ୍ତି ଜରିଆରେ ହିଁ ହାସଲ କରିହେବ । କେବଳ ଲଢ଼େଇର ଶେଷ ପର୍ଯ୍ୟାୟରେ ଯେତେବେଳେ ଜାତିର ସମସ୍ତଉପାୟ ଠୁଳ ହୋଇସାରିଥିବ, ସକଳ ଶକ୍ତି ସଙ୍ଗଠିତ ହୋଇସାରିଥିବ ସେତେବେଳେ ହୁଏତ ଅନ୍ତିମ ଧକ୍କା ଦେଇହେବ, ହୁଏତ ଶାସକର ସରକାରକୁ ଧୂଳିସାତ କରିବାରେ ସଫଳତା ମିଳିପାରିବ । ଏହି ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିପାରେ ଯେତେବେଳେ କୌଣସି ବି ଧରଣର ଆପୋଷ ନିଷ୍ପତ୍ତି ଅନିବାର୍ଯ୍ୟ ହୋଇପଡ଼େ । ଏଠାରେ ଋଷିଆର ଉଦାହରଣ ହିଁ ଯଥାର୍ଥ ଉଦାହରଣ ହେବ ।
୧୯୦୫ ମସିହା ଋଷିଆରେ ଏକ ବୈପ୍ଳବିକ ଆନେ୍ଦାଳନର ସୂତ୍ରପାତ ହେଲା । ନେତାମାନେ ସମସ୍ତେ ଅତି ଆଶାବାଦୀ ହୋଇ ପଡ଼ିଥିଲେ । ବିଦେଶରେ ଆଶ୍ରୟ ନେଇଥିବା ଲେନିନ୍ ସ୍ୱଦେଶକୁ ଫେରିି ସାରିଥିଲେ । ଲଢ଼େଇକୁ ସେ ପରିଚାଳନା କରୁଥିଲେ । ଡଜନେ ହେବ ଜମିଦାରଙ୍କୁ ସେ ମାରି ଦିଆଯାଇଥିବା ଓ ସେମାନଙ୍କର କୋଡ଼ିଏ ହେବ ଉଆସକୁ ଜାଳିଦିଆ ଯାଇଥିବା କଥା ଲୋକେ ଲେନିନ୍ଙ୍କୁ ଜଣାଇଥିଲେ । ତାର ଉତ୍ତରରେ ଲେନିନ୍ ସେମାନଙ୍କୁ କହିଥିଲେ ଫେରିଯାଇ ବାର ଶହ ଜମିଦାରଙ୍କୁ ହତ୍ୟା କରିବା ପାଇଁ ଓ ସେହି ପରିମାଣର ଉଆସ ଜାଳିବା ପାଇଁ । ତାଙ୍କ ମତରେ ବିପ୍ଳବ ବିଫଳ ହୋଇଥିଲେ ମଧ୍ୟ ସେଇତକ ହିଁ ସଫଳତା ମିଳିଥାନ୍ତା । ଡୁମା (ପାର୍ଲିଆମେଣ୍ଟ) ବ୍ୟବସ୍ଥା ପ୍ରଚଳନ ହେଲା । ସେଇ ଏକା ଲେନିନ୍ ଡୁମାରେ ଭାଗ ନେବା ସପକ୍ଷରେ ମତାମତ ଦେଲେ । ଏହା ହେଲା ୧୯୦୭ ମସିହାର କଥା । କିନ୍ତୁ ୧୯୦୬ ମସିହାରେ ପ୍ରଥମ ଡୁମାରେ ଭାଗ ନେବା ବିଷୟକୁ ସେ ବିରୋଧ କରିଥିଲେ, ଯଦିଚ ପ୍ରଥମ ଡୁମାରେ କାମ କରିବା ପାଇଁ ଅଧିକ ସୁଯୋଗ ଥିଲା ଅଥଚ ଦ୍ୱିତୀୟ ଡୁମାକୁ ତାର ଅନେକ ଅଧିକାରରୁ ବଞ୍ଚôତ କରାଯାଇଥିଲା । ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ସେ ଏପରି କହିଥିଲେ । ପ୍ରତିକ୍ରିୟାଶୀଳ ଗୋଷ୍ଠୀର ପ୍ରଭାବ ବଢ଼ି ଚାଲିଥିଲା । ତେଣୁ ସମାଜବାଦୀ ଚିନ୍ତାର ଆଲୋଚନା ପାଇଁ ଡୁମାକୁ ଏକ ମଞ୍ଚ ହିସାବରେ ବ୍ୟବହାର କରିବା ପାଇଁ ଲେନିନ୍ ଚାହୁଁଥିଲେ ।
ପୁଣି ୧୯୧୭ବିପ୍ଳବ ପରେ ବଲସେଭିକାନ  ଯେତେବେଳେ ବ୍ରେଷ୍ଟ ଲିଟୋଭସଙ୍କ  ଚୁକ୍ତିରେ ସହି କରିବା ପାଇଁ ବାଧ୍ୟ ହୋଇଥିଲେ ସେତେବେଳେ ଲେନିନ୍ ଙ୍କ  ଛାଡ଼ି ଅନ୍ୟ ସମସ୍ତେ ତାର ବିରୋଧ କରୁଥିଲେ । ଲେନିନ୍ କହିଲେ, ‘ଶାନ୍ତି! ଶାନ୍ତି!! ଯେଉଁ ମୂଲ୍ୟରେ ହେଉ ଶାନ୍ତି!!! – ଏପରିକି ଜର୍ମାନ ଯୁଦ୍ଧଖୋରମାନଙ୍କୁ ଋଷିଆର ବହୁ ପ୍ରଦେଶ ଦେଇ ତାରି ବିନିମୟରେ ଶାନ୍ତି ।’ ଏଇଭଳିଆ ଏକ ଚୁକ୍ତି ପାଇଁ କେତେକ ବଲ୍ସେଭିକ୍ ବିରୋଧୀ ଲୋକ ଯେତେବେଳେ ଲେନିନ୍ ଙ୍କୁ  ଦୋଷ ଦେଲେ ସେତେବେଳେ ସେ ସ୍ପଷ୍ଟ ଭାବେ ଘୋଷଣା କଲେ ଯେ ଭୟଙ୍କର ଜର୍ମାନ ଆକ୍ରମଣର ମୁକାବିଲା କରିବା ସ୍ଥିତିରେ ବଲସେଭିକାନରେ  ନଥିଲେ । ତେଣୁ ବଲସେଭିକ  ସରକାରର ସମ୍ପୂର୍ଣ୍ଣ ଧ୍ୱଂସ ସାଧନ ଅପେକ୍ଷା ଏଭଳି ଏକ ଚୁକ୍ତିକୁ ସେ ଅଧିକ ବା‚ନୀୟ ମନେ କଲେ ।
ମୁଁ ଯାହା ଦୃଷ୍ଟିକୁ ଆଣିବା ପାଇଁ ଚାହୁଁଥିଲି ତାହା ହେଲା – ଆପୋଷ ନିଷ୍ପତ୍ତି ହେଉଛି ଏକ ଅତି ଦରକାରୀ ଅସ୍ତ୍ର ଯାହାକୁ ସଂଘର୍ଷର ବିକାଶ ପଥରେ ମଝିରେ ମଝିରେ ଆବଶ୍ୟକତାକୁ ଧରି ବ୍ୟବହାର କରିବାକୁ ପଡ଼ିଥାଏ । କିନ୍ତୁ ଯେଉଁ ଲକ୍ଷ୍ୟ ହାସଲ ପାଇଁ ଆମେ ସଂଗ୍ରାମ କରୁଛେ ସେହି ଲକ୍ଷ୍ୟ ସମ୍ପର୍କରେ ଆମର ସ୍ପଷ୍ଟ ଧାରଣା ରହିବା ନିହାତି ଆବଶ୍ୟକ । ଆମ ଆନେ୍ଦାଳନର ସଫଳତା କେତେ ବିଫଳତା କେତେ ନିର୍ଦ୍ଧାରଣ କରିବା ପାଇଁ ସେହି ସ୍ପଷ୍ଟ ଧାରଣା ହିଁ ସାହାଯ୍ୟ କରିବ, ମାପକାଠି ହେବ ଓ ଭବିଷ୍ୟତର କାର୍ଯ୍ୟକ୍ରମ ଆମେ ସହଜରେ ସ୍ଥିର କରିପାରିବା । ତିଳକଙ୍କ ଆଦର୍ଶକୁ ବାଦ ଦେଇ କେବଳ ତାଙ୍କର ନୀତି, ଅର୍ଥାତ୍ ତାଙ୍କର ରଣନୀତିର ବିଚାର କଲେ ଆମେ ଦେଖିବା ତାହା ହେଉଛି ଅନ୍ୟ ସଭିଙ୍କ ରଣନୀତିଠୁ ଭଲ ରଣନୀତି । ତୁମ ଶତ୍ରୁଙ୍କଠୁ ତୁମେ ଷୋହଳ ଅଣା ପାଇବା ପାଇଁ ଲଢ଼େଇ କରୁଛ, ଅଣାଟିଏ ପାଉଛ । ତାକୁ ମୁଣାରେ ପକାଅ ଏବଂ ବଳକା ପାଇଁ ଲଢ଼େଇ କର । ନରମପନ୍ଥୀଙ୍କ ଆଦର୍ଶକୁ ଦୃଷ୍ଟି ପକାଅ । ଅଣାଟିଏ ପାଇଁ ସେମାନେ ଲାଗିପଡ଼ନ୍ତି ଓ ତାହା ବି ସେମାନେ ପାଆନ୍ତିନି । ବିପ୍ଳବୀମାନେ ଏହା ସର୍ବଦା ମନେ ରଖିବା ଉଚିତ ଯେ ସେମାନେ ଅତି ନିଷ୍ଠାର ସହିତ ଏକ ସମ୍ପୂର୍ଣ୍ଣ ବିପ୍ଳବ ପାଇଁ ଚେଷ୍ଟା କରୁଛନ୍ତି । ଶତ୍ରୁଙ୍କ ହାତରେ ଥିବା କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ଦଖଲ କରିବା ଆମର ଲକ୍ଷ୍ୟ । ଆପୋଷ ନିଷ୍ପତ୍ତିକୁ ଭୟ କରାଯାଏ କାରଣ ଆପୋଷ ନିଷ୍ପତ୍ତି ପରେ ରକ୍ଷଣଶୀଳମାନେ ବିପ୍ଳବୀ ଶକ୍ତିକୁ ଭାଙ୍ଗି ଦେବାକୁ ଚେଷ୍ଟାକରନ୍ତି । କିନ୍ତୁ ସକ୍ଷମ ଓ ସାହସୀ ନେତାମାନେ ଏହିଭଳିଆ ଅଘଟଣରୁ ଆନ୍ଦୋଳନକୁ ରକ୍ଷା କରିପାରିବେ । ଏହିଭଳି ସଙ୍କଟ କାଳରେ ଅସଲ ସମସ୍ୟାଗୁଡ଼ିକୁ ନେଇ, ବିଶେଷ କରି ଅସଲ ଲକ୍ଷ୍ୟକୁ ନେଇ ଯେପରି ଆମର ବିଚାର ବିଭ୍ରାନ୍ତି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ହେବ । ବି୍ରଟିଶ୍ ଶ୍ରମିକ ନେତାମାନେ ସେମାନଙ୍କର ବାସ୍ତବ ଲଢ଼େଇ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ଖସି ଯାଇଛନ୍ତି କେବଳ ଭଣ୍ଡ ସାମ୍ରାଜ୍ୟବାଦୀଙ୍କ ସ୍ତରକୁ । ମୋ ମତରେ ଏହି ଚିକ୍କଣ ରଣକୌଶଳ ଓ ରଣନୀତି ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା କଲେ ଲେନିନ୍ ଙ୍କ  ଜୀବନୀ ଓ ରଚନାବଳୀ ପଢ଼ିବା ଉଚିତ । ‘ବାମପନ୍ଥୀ’ କମୁ୍ୟନିଜିମ୍ ବହିରେ ଆପୋଷ ନିଷ୍ପତ୍ତି ବିଷୟରେ ତାଙ୍କର ନିର୍ଦ୍ଦିଷ୍ଟ ମତ ମିଳେ ।
ମୁଁ କହିଛି ଯେ ବର୍ତ୍ତମାନର ଆନେ୍ଦାଳନ, ଅର୍ଥାତ୍ ବର୍ତ୍ତମାନର ଲଢ଼େଇ ଅନିବାର୍ଯ୍ୟ ଭାବେ କୌଣସି ନା କୌଣସି ପ୍ରକାରର ଆପୋଷ ନିଷ୍ପତ୍ତିରେ ସମାପ୍ତ ହେବ ଅବା ବିଫଳ ହେବ ।
ମୁଁ ତାହା କହିଛି କାରଣ, ମୋ ମତରେ, ଏଇଥର ଅସଲ ବୈପ୍ଳବିକ ଶକ୍ତିଗୁଡ଼ିକୁ ଲଢ଼େଇର ମଇଦାନକୁ ନିମନ୍ତ୍ରଣ କରାଯାଇନି । ଏହା ହେଉଛି ଏପରି ଏକ ଲଢ଼େଇ ଯାହା ମଧ୍ୟମଶ୍ରେଣୀ ଦୋକାନଦାର ସ୍ୱଳ୍ପସଂଖ୍ୟକ ପୁଞ୍ଜିପତିଙ୍କ ଉପରେ ନିର୍ଭରଶୀଳ । ଉଭୟଗୋଷ୍ଠୀ, ବିଶେଷ କରି ପୁଞ୍ଜିପତିମାନେ ସେମାନଙ୍କ ସମ୍ପତ୍ତି ଓ ଭୋଗଦଖଲରେ ଥିବା ବିଷୟ ସମୂହକୁ କୌଣସି ବି ଲଢ଼େଇରେ ବାଜି ରଖିବା ପାଇଁ ସାହସ କରିବେନି । ବିପ୍ଳବର ଅସଲ ଯୋଦ୍ଧାମାନେ – କୃଷକ, ଶ୍ରମିକମାନେ – ରହିଛନ୍ତି ଗାଁରେ, କଳକାରଖାନାରେ । କିନ୍ତୁ ଆମ ବୁର୍ଜୁଆ ନେତାମାନେ ସେମାନଙ୍କ ପାଖ ମାଡ଼ନ୍ତିନି, ପାଖ ମାଡ଼ିବା ପାଇଁ ସାହସ କରନ୍ତିନି । ଶୋଇବା ସିଂହ ଥରେ ତା’ ନିଦରୁ ଉଠିଲେ ତାକୁ ଆଉ ସମ୍ଭାଳେ କିଏ? ଆମ ନେତାମାନଙ୍କର ଲକ୍ଷ୍ୟ ହାସଲ ହେବା ପରେ ମଧ୍ୟ ସେ ଆହୁରି ଆଗକୁ ମାଡ଼ି ଯାଇପାରେ । ୧୯୨୦ ମସିହାରେ ଅହମ୍ମଦାବାଦର ଶ୍ରମିକମାନଙ୍କ ମଧ୍ୟରେ ତାଙ୍କର ପ୍ରଥମ ଅଭିଜ୍ଞତା ପରେ ମହାତ୍ମା ଗାନ୍ଧୀ ଘୋଷଣା କଲେ, ‘ଶ୍ରମିକମାନଙ୍କୁ ଆଦୌ ଛୁଇଁବାନି । କାରଖାନା ଶ୍ରମିକମାନଙ୍କୁ ରାଜନୈତିକ କାମରେ ଲଗେଇବା ଅତି ବିପଦପୂର୍ଣ୍ଣ କଥା ।’ ((The Times, May  ୧୯୨୧) । ତା’ପରଠାରୁ ସେମାନେ କେବେ ହେଁ ସେମାନଙ୍କ ନିକଟକୁ ଯାଇ ନାହାନ୍ତି । ଆଉ ରହିଲା କୃଷକମାନଙ୍କ କଥା । ବିଶାଳ କୃଷକଶ୍ରେଣୀ ଏକ ବିଦେଶୀ ଜାତିର ଆଧିପତ୍ୟକୁ କାନ୍ଧରୁ ଫୋପାଡ଼ିବା ସଙ୍ଗେ ସଙ୍ଗେ ଜମିଦାରଙ୍କ ଜୁଆଳିକୁ ମଧ୍ୟ ଫୋପାଡ଼ିବା ପାଇଁ ଠିଆ ହେବା ଦେଖି ଆମ ନେତାମାନଙ୍କ ମନରେ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା ତାହା ହିଁ ୧୯୨୨ ମସିହାର ବରଦୋଳି ସିଦ୍ଧାନ୍ତ ସ୍ପଷ୍ଟ ରୂପେ କହେ ।
ଏପରି ପରିସ୍ଥିତିରେ ହିଁ ଆମ ନେତାମାନେ କୃଷକମାନଙ୍କ ଅପେକ୍ଷା ବି୍ରଟିଶ୍ ନିକଟରେ ଆତ୍ମସମର୍ପଣ କରିବା ପସନ୍ଦ କରନ୍ତି । ପଣ୍ଡିତ ଜବାହାରଲାଲଙ୍କ କଥା ଛାଡ଼ । କୃଷକ ଅବା ଶ୍ରମିକମାନଙ୍କୁ ସଙ୍ଗଠିତ କରିବା ପାଇଁ କୌଣସି ବି ଭାବେ ଚେଷ୍ଟା କରିଥିବା ଜଣେ ନେତାଙ୍କୁ ଦେଖେଇ ଦେଇପାରିବ କି? ନା, ସେମାନେ ସେହି ବିପଦକୁ ବରଣ କରିବେନି । ସେହି ଗୁଣଟି ହିଁ ସେମାନଙ୍କ ଠାରେ ଅଭାବ । ସେହି କାରଣରୁ ହିଁ ମୁଁ କହେ ସମ୍ପୂର୍ଣ୍ଣ ବିପ୍ଳବ କେବେ ହେଁ ସେମାନଙ୍କର ଲକ୍ଷ୍ୟ ନୁହେଁ । ଅର୍ଥନୈତିକ ଓ ଶାସକୀୟ ଚାପ ଜରିଆରେ ଭାରତୀୟ ପୁଞ୍ଜିପତିଙ୍କ ପାଇଁ ଆଉ କିଛି ଅଧିକ ସଂସ୍କାର, ଆଉ କିଛି ଅଧିକ ସୁବିଧା ହାସଲ କରିବା ପାଇଁ ସେମାନେ ଆଶା ବାନ୍ଧିଥିଲେ । ତେଣୁ ମୁଁ କହେ ଏହି ଆନେ୍ଦାଳନଟି ମରିବା ପାଇଁ ହିଁ ଜନ୍ମ ହୋଇଛି । ହୁଏତ କୌଣସି ବି ଭାବର ଆପୋଷ ନିଷ୍ପତ୍ତି ପରେ ମରିବ ଅବା ବିନା ଆପୋଷ ନିଷ୍ପତ୍ତିରେ ମରିବ । ଯୁବ ରାଜନୈତିକ କର୍ମୀମାନେ ଯେଉଁମାନେ ସେମାନଙ୍କର ସମସ୍ତ ଆନ୍ତରିକତା ସହ ‘ଇନ୍କିଲାବ ଜିନ୍ଦାବାଦ’ ନାରା ଦିଅନ୍ତି, ନିଜେ ଆନେ୍ଦାଳନକୁ ପରିଚାଳନା କରିବା ପାଇଁ ଭଲ ରୂପେ ସଙ୍ଗଠିତ ହୋଇ ନାହାନ୍ତି ଏବଂ ସେଥିପାଇଁ ମଧ୍ୟ ସେମାନଙ୍କ ପାଖେ ଯଥେଷ୍ଟ ଶକ୍ତି ନାହିଁ । ବସ୍ତୁତଃ, ଆମର ବଡ଼ ବଡ଼ ନେତାମାନେ, ସମ୍ଭବତଃ ପଣ୍ଡିତ ମୋତିଲାଲ ନେହେରୁଙ୍କ ଛଡ଼ା, ଅନ୍ୟ କେହି ନିଜ କାନ୍ଧ ଉପରକୁ କୌଣସି ବି ଦାୟିତ୍ୱ ନେବା ପାଇଁ ସାହସ କରନ୍ତିନି । ତେଣୁକରି ମଝିରେ ମଝିରେ ବିନା ସର୍ତ୍ତରେ ସେମାନେ ଗାନ୍ଧୀଙ୍କ ନିକଟରେ ଆତ୍ମସମର୍ପଣ କରନ୍ତି । (ଗାନ୍ଧିଜୀ ଓ)ସେମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ସତ୍ତ୍ୱେ ସେମାନେ କେବେ ହେଁ ଗମ୍ଭୀରତା ସହ ତାଙ୍କର ବିରୋଧ କରନ୍ତିନି ଏବଂ ମହାତ୍ମାଙ୍କ ପାଇଁ ହିଁ ସିଦ୍ଧାନ୍ତଗୁଡ଼ିକ ଗୃହୀତ ହୋଇଥାଏ ।
ଏହି ପରିସ୍ଥିତିରେ ଯେଉଁ ନିଷ୍ଠାବାନ ଯୁବ କର୍ମୀମାନେ ବିପ୍ଳବକୁ ଜରୁରୀ ମନେ କରନ୍ତି ସେମାନଙ୍କୁ ମୁଁ ଆହୁରି ଅଧିକ ଦୁଃଖକଷ୍ଟର ଦିନ ଆସୁଥିବା ବିଷୟରେ ସତର୍କ କରିଦେବା ପାଇଁ ଚାହେଁ । ସେମାନେ ସାବଧାନ ରହନ୍ତୁ ନଚେତ ବିଭ୍ରାନ୍ତିରେ ପଡ଼ିବେ ଅବା ହତୋତ୍ସାହ ହେବେ । ଗାନ୍ଧୀଙ୍କର ଦୁଇଟି ଲଢ଼େଇରେ ପାଇଥିବା ଅଭିଜ୍ଞତା ପରେ ଆମର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଧାରଣା ଗଠନ କରିବା ତଥା ଭବିଷ୍ୟତ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଆମେ ଅଧିକ ଭଲ ସ୍ଥିତିରେ ରହିଛେ ।
ବିଷୟଟିକୁ ଅତି ସରଳ ଭାବରେ କହିଦିଏ । ତୁମେମାନେ ‘ଇନ୍କିଲାବ୍ ଜିନ୍ଦାବାଦ’ର ନାରା ଦେଉଛ । ତାର ଅର୍ଥ ଯାହା ପ୍ରକୃତରେ ତୁମେ ସେହି ଅର୍ଥରେ ହିଁ ବୁଝୁଛ ବୋଲି ମୁଁ ଧରି ନେଇ ଯାହା କହିବା କଥା କହୁଛି । ଏସେମ୍ବ୍ଲି ବୋମା ମାମଲାରେ ଆମେ ଯେଉଁ ବିବୃତି ଦେଇଥିଲୁ ସେଥିରେ ଦିଆ ଯାଇଥିବା ସଂଜ୍ଞା ଅନୁସାରେ ବିପ୍ଳବର ଅର୍ଥ ହେଲା ଉପସ୍ଥିତ ସମାଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପେ ପତନ ଘଟେଇ ତା’ ସ୍ଥାନରେ ସମାଜବାଦୀ ସମାଜ ବ୍ୟବସ୍ଥାର ସ୍ଥାପନ । ସେହି ଦୃଷ୍ଟିରୁ ଆମର ଜରୁରୀ ଲକ୍ଷ୍ୟ ହେଲା କ୍ଷମତା ଦଖଲ । ବସ୍ତୁତଃ, ରାଷ୍ଟ୍ର ବା ସରକାରୀ ଯନ୍ତ୍ର ହେଉଛି ଶାସକଶ୍ରେଣୀ ହାତରେ ଏକ ଅସ୍ତ୍ର ତାର ସ୍ୱାର୍ଥର ସମ୍ପ୍ରସାରଣ ଓ ସୁରକ୍ଷା ପାଇଁ । ତାକୁ ଆମେ ଛଡ଼େଇ ନେବାକୁ ଚାହୁଁ । ତାକୁ ବ୍ୟବହାର କରି ଆମ ଆଦର୍ଶକୁ ବାସ୍ତବ କରିବାକୁ ଚାହୁଁ । ଏକ ନୂଆ ଭିତ୍ତି ଉପରେ, ମାର୍କ୍ସବାଦର ଭିତ୍ତି ଉପରେ ସମାଜର ପୁନର୍ଗଠନ କରିବାକୁ ଚାହୁଁ । ଏହି ଲକ୍ଷ୍ୟ ପୂରଣ ପାଇଁ ଆମେ ସରକାରୀ ଯନ୍ତ୍ରକୁ ବ୍ୟବହାର କରିବା ସକାଶେ ସକ୍ଷମ ହେବା ଉଦେ୍ଦଶ୍ୟରେ ଲଢ଼େଇ କରୁଛୁ । ଆରମ୍ଭରୁ ହିଁ ଜନଗଣଙ୍କୁ ଆମେମାନେ ଶିକ୍ଷା ଦେଇ ଆମ ସାମାଜିକ କାର୍ଯ୍ୟକ୍ରମ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ । ଲଢ଼େଇ ଜରିଆରେ ଆମେ ତାଙ୍କୁ ଅତି ଉତ୍ତମ ଟ୍ରେନିଂ ଓ ଶିକ୍ଷା ଦେଇପାରିବା ।
ଏହି ବିଷୟଗୁଡ଼ିକ ଆମ ପାଇଁ ସ୍ପଷ୍ଟ ହୋଇଯିବା ପରେ, ଅର୍ଥାତ୍ ଆମର ଆଶୁ ଲକ୍ଷ୍ୟ ଓ ପରମ ଲକ୍ଷ୍ୟ ସମ୍ପର୍କରେ ସ୍ପଷ୍ଟ ଧାରଣା ହୋଇଯିବା ପରେ, ବର୍ତ୍ତମାନ ଆମେ ଉପସ୍ଥିତ ଅବସ୍ଥାର ବିବେଚନା କରିବା । କୌଣସି ଅବସ୍ଥାର ବିଶ୍ଳେଷଣ କଲାବେଳେ ଆମକୁ ସଚ୍ଚୋଟ, ସ୍ପଷ୍ଟବାଦୀ ହେବାକୁ ହେବ, ଆମ ପାଖେ ପେଷାଗତ ଦକ୍ଷତା ରହିବା ଆବଶ୍ୟକ ।
ଭାରତୀୟମାନେ ଭାରତ ସରକାରରେ ଭାଗ ନେବା ପାଇଁ ଚାହୁଁଥିଲେ । ସରକାରଙ୍କର ଦାୟିତ୍ୱ ବଣ୍ଟନ ଚାହୁଁଥିଲେ । ସେଥିପାଇଁ କେତେ ହୋ-ହଲ୍ଲା ହୋଇଥିଲା । ଯାରି ପରିଣାମରେ ମିଣ୍ଟୋ – ମୋର୍ଲେ ସଂସ୍କାର ଅଣାଯାଇଥିଲା । ଭାଇସ୍ରାୟଙ୍କ ପରିଷଦ ଗଠିତ ହୋଇଥିଲା । କିନ୍ତୁ ତାହାର କେବଳ ପରାମର୍ଶ ଦେବାର ଅଧିକାର ଥିଲା, ଅନ୍ୟ କିଛି ନୁହେଁ । ଏହା ହେଲା ପ୍ରଥମ ପର୍ଯ୍ୟାୟର କଥା । ଦ୍ୱିତୀୟ ପର୍ଯ୍ୟାୟରେ, ମହାଯୁଦ୍ଧ ବେଳେ ଭାରତୀୟମାନଙ୍କ ସାହାଯ୍ୟ ନିହାତି ଆବଶ୍ୟକ ଥିଲା, ତେଣୁ ସ୍ୱାୟତ୍ତ ଶାସନର ପ୍ରତିଶ୍ରୁତି ଦିଆଗଲା । ତାର ପରିଣାମ ହେଲା ବର୍ତ୍ତମାନ ପ୍ରଚଳିତ ଥିବା ସଂସ୍କାର । ଏସେମ୍ବ୍ଲିକୁ ସୀମିତ ବିଧେୟକ କ୍ଷମତା ଦିଆଯାଇଛି । ତାହା ପୁଣି ଭାଇସ୍ରାୟଙ୍କ ସଦିଚ୍ଛା ଉପରେ ନିର୍ଭର କରେ । ଏହି ସବୁ କଥା ଆମେ ଜାଣୁ । ବତ୍ତର୍ମାନଟି ହେଲା ତୃତୀୟ ପର୍ଯ୍ୟାୟ ।
ବର୍ତ୍ତମାନ କ’ଣ କ’ଣ ସଂସ୍କାର ଅଣାଯିବ ତାର ଆଲୋଚନା ଚାଲିଛି ଓ ନିକଟ ଭବିଷ୍ୟତରେ ତାହା ପ୍ରଚଳନ କରାଯିବ । ଆମର ତରୁଣମାନେ ସେଗୁଡ଼ିକର ବିଚାର କିପରି କରିବେ? ସେଇଟା ହିଁ ପ୍ରଶ୍ନ । ମୁଁ ଜାଣିନି କଂଗ୍ରେସ ନେତାମାନେ କେଉଁ ମାନଦଣ୍ଡ ନେଇ ସେଗୁଡ଼ିକର ବିଚାର କରିବେ । କିନ୍ତୁ ଆମେ ବିପ୍ଳବୀମାନେ ନିମ୍ନଲିଖିତ ତିନୋଟି ମାନଦଣ୍ଡ ନେଇପାରିବା ।
୧. କେତେ ପରିମାଣର ଦାୟିତ୍ୱ ଭାରତୀୟମାନଙ୍କ କାନ୍ଧକୁ ଦିଆଯାଉଛି ।
୨. କେଉଁ ଧରଣର ସରକାରୀ ଅନୁଷ୍ଠାନମାନ ପ୍ରଚଳନ ହେବ ଓ ସେଗୁଡ଼ିକରେ ଜନଗଣଙ୍କର ଅଂଶଗ୍ରହଣ ଅଧିକାର କେତେ ପରିମାଣରେ ରହିବ ।
୩. ଭବିଷ୍ୟତର ଆଶା ଓ ରକ୍ଷା କବଚ ।
ଏଗୁଡ଼ିକୁ ଟିକିଏ ପ୍ରାଞ୍ଜଳ ଭାବରେ କୁହାଯାଇ ପାରେ । ପ୍ରଥମେ ଆମଲୋକଙ୍କୁ କେତେ ଦାୟିତ୍ୱ ଦିଆଗଲା ତାହା ସହଜରେ ଜାଣି ହେବ । କାର୍ଯ୍ୟପାଳକ  ବା ଶାସକମାନଙ୍କୁ ଆମ ପ୍ରତିନିଧିମାନେ କେତେଦୂର ନିୟନ୍ତ୍ରଣ କରିପାରିବେ, ତାହା ହିଁ ସ୍ଥିର କରିବ କେତେ ଦାୟିତ୍ୱ ଦିଆଗଲା । ଆଜିପର୍ଯ୍ୟନ୍ତ ଶାସକବର୍ଗ ବିଧାନସଭା ନିକଟରେ ଉତ୍ତରଦାୟୀ ନ ଥିଲେ ଓ ଭାଇସ୍ରାୟଙ୍କ ନିକଟରେ ଭିଟୋ ପାୱାର ବା ନାକଚ କରିବା କ୍ଷମତା ଥିଲା, ଯାହା ନିର୍ବାଚିତ ପ୍ରତିନିଧିମାନଙ୍କର ସମସ୍ତ ଚେଷ୍ଟାକୁ ବ୍ୟର୍ଥ କରି ଦେଉଥିଲା । ସ୍ୱରାଜ୍ୟ ପାର୍ଟିର ଉଦ୍ୟମ ପାଇଁ ଧନ୍ୟବାଦ, ଯାରି ଫଳରେ ଭାଇସ୍ରାୟ ଏହି ଅସାଧାରଣ କ୍ଷମତା ମଝିରେ ମଝିରେ ବ୍ୟବହାର କରି ଅତି ନିର୍ଲ୍ଲଜ ଭାବରେ ଜାତୀୟ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ପଦଦଳିତ କରିବା ପାଇଁ ବାଧ୍ୟ ହେଉଥିଲେ । ଏହି ବିଷୟଟି ଏତେ ଜଣାଶୁଣା ଯେ, ତାର ଆଉ ଅଧିକ ଆଲୋଚନା ଆବଶ୍ୟକ କରେନା ।
ବର୍ତ୍ତମାନ ଆମେ ପ୍ରଥମେ କାର୍ଯ୍ୟପାଳିକା ଗଠନର ଧାରା ଦେଖିବାକଥା: କାର୍ଯ୍ୟପାଳିକାଟି ଜନସମର୍ଥିତ ବିଧାନସଭାର ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବ ନା ପୂର୍ବଭଳି ଉପରୁ ଲଦି ଦିଆଯିବ? ପୁଣି ଦେଖିବାକୁ ହେବ : ତାହା ବିଧାନସଭା ନିକଟରେ ଉତ୍ତରଦାୟୀ ରହିବ ନା ପୂର୍ବ ଭଳି ତାର ସମ୍ପୂର୍ଣ୍ଣ ଅବମାନନା କରିବ?
ଦ୍ୱିତୀୟ ମାନଦଣ୍ଡ ସମ୍ପର୍କରେ ଏହା କୁହାଯାଇ ପାରେ ଯେ ଭୋଟାଧିକାରର ପରିସରରୁ ଆମେ ତାର ବିଚାର କରିପାରିବା । ଜଣେ ବ୍ୟକ୍ତି ଭୋଟ ଦେବା ପାଇଁ ଯୋଗ୍ୟ ହେବା ନିମନ୍ତେ ସମ୍ପତ୍ତିବାନ ହୋଇଥିବା ସର୍ତ୍ତକୁ ସମ୍ପୂର୍ଣ୍ଣ ରୂପେ ଉଠାଇଦେବା ଆବଶ୍ୟକ ଓ ତା’ପରିବର୍ତ୍ତେ ସାର୍ବଜନୀନ ଭୋଟାଧିକାର ପ୍ରଚଳନ ହେବା ଆବଶ୍ୟକ । ସମସ୍ତ ପ୍ରାପ୍ତବୟସ୍କ ପୁରୁଷ ଓ ମହିଳାଙ୍କର ଭୋଟ ଅଧିକାର ରହିବା ଆବଶ୍ୟକ । ଭୋଟାଧିକାର ପରିସରକୁ କେତେ ବିସ୍ତାରିତ କରାଯାଇଛି, ତାହା ହିଁ କେବଳ ଆମେ ବର୍ତ୍ତମାନ ଦେଖିବା କଥା ।
ଆକାର ଦୃଷ୍ଟିରୁ ଦେଖିବାକୁ ଗଲେ, ଆମର ବର୍ତ୍ତମାନ ଦ୍ୱି-ସଦନୀୟ ସରକାର ଚାଲିଛି । ମୋ ମତରେ ଉଚ୍ଚ ସଦନଟି ହେଉଛି ଏକ ବୁର୍ଜୁଆ କୁସଂସ୍କାର ଅବା ଫାନ୍ଦ । ତେଣୁ ଏକ-ସଦନୀୟ ସରକାର ହେଉଛି ଏକ ମାତ୍ର ଭଲ ସରକାର, ଯାହା ଆମେ ଆଶା କରିପାରୁ ।
ପ୍ରାଦେଶିକ ସ୍ୱାୟତ୍ତ ଶାସନ ସମ୍ପର୍କରେ ମୁଁ କିଛି ସୂଚିତ କରିପାରେ । ମୁଁ ଯାହା ଶୁଣିଛି ସେଥିରୁ କେବଳ ଏତିକି କହିପାରେ ଯେ ବିଧାନସଭା ଉପରେ, ତାର ଊଦ୍ଧ୍ୱର୍ରେ ଅସାଧାରଣ କ୍ଷମତା ଥାଇ ଏକ ଗଭର୍ଣ୍ଣରଙ୍କୁ ଉପରୁ ଲଦି ଦିଆଯିବ, ଯିଏ ଜଣେ ସ୍ୱେଚ୍ଛାଚାରୀଠାରୁ କମ୍ ପ୍ରମାଣିତ ହେବେନି । ଏହାକୁ ‘ପ୍ରାଦେଶିକ ସ୍ୱାୟତ୍ତ ଶାସନ’ ନକହି ‘ପ୍ରାଦେଶିକ ନିରଙ୍କୁଶ ଶାସନ’ କହିଲେ ଭଲ ହେବ । ରାଷ୍ଟ୍ରୀୟ ଅନୁଷ୍ଠାନଟିର ଏହା ହେଉଛି ଏକ କିମ୍ଭୂତ କିମାକାର ଧରଣର ଗଣତନ୍ତ୍ରୀକରଣ ।
ତୃତୀୟ ବିଷୟଟି ଅତି ସ୍ପଷ୍ଟ । ବି୍ରଟିଶ୍ ରାଜକୋଷ ସରିବା ପର୍ଯ୍ୟନ୍ତ ପ୍ରତି ଦଶବର୍ଷରେ ମୁଠିଏ ମୁଠିଏ ସଂସ୍କାର ଭିକ୍ଷା ଦେବେ ବୋଲି ମୋଣ୍ଟେଗୁଙ୍କ ପ୍ରତିଶ୍ରୁତିକୁ ଟାଳି ଦେବା ପାଇଁ ଗତ ଦୁଇବର୍ଷ ଧରି ବି୍ରଟିଶ୍ ରାଜନୀତିଜ୍ଞମାନେ ଚେଷ୍ଟା କରି ଆସୁଛନ୍ତି ।
ଭବିଷ୍ୟତ ସମ୍ପର୍କରେ ସେମାନେ କ’ଣ ସବୁ ନିଷ୍ପତ୍ତି କରିଛନ୍ତି ଆମେ ଦେଖିପାରୁଛେ ।
ମୁଁ ଏହା ସ୍ପଷ୍ଟଭାବେ କହିଦେବାକୁ ଚାହେଁ ଯେ, କୌଣସି ସଫଳତାକୁ ନେଇ ଆନନ୍ଦିତ ହେବା ଅଭିପ୍ରାୟରେ ଏହି ବିଷୟଗୁଡ଼ିକର ବିଶ୍ଳେଷଣ ଆମେମାନେ କରୁନେ । ଆମେମାନେ ଏହି ବିଶ୍ଳେଷଣ କରୁଛେ ଆମ ନିଜର ସ୍ଥିତି ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ଗଢ଼ିତୋଳିବା ପାଇଁ । ଯାହା ଆମେ ଜନଗଣଙ୍କୁ ଜଣେଇବା, ଯାରି ଭିତ୍ତିରେ ଆମେ ସେମାନଙ୍କୁ ଭବିଷ୍ୟତର ଲଢ଼େଇ ପାଇଁ ପ୍ରସ୍ତୁତ କରିବା । ଆପୋଷ ନିଷ୍ପତ୍ତିର ମାନେ ଆମ ପାଇଁ କେବେହେଁ ଆତ୍ମସମର୍ପଣ ନୁହେଁ । ଆମ ପାଇଁ ତାର ମାନେ ହେଲା ପାଦେ ଆଗକୁ ଯିବା ଓ ଟିକିଏ ବିଶ୍ରାମ କରିବା । ତାହା ହିଁ ତାର ଅର୍ଥ, ଅନ୍ୟ କିଛି ନୁହେଁ ।
ଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘ
ଉପସ୍ଥିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ, ଆମେ ବର୍ତ୍ତମାନ ଆମର ଭବିଷ୍ୟତ କାର୍ଯ୍ୟକ୍ରମ ଓ କେଉଁ ଧାରାରେ କାର୍ଯ୍ୟ କରିବା ତାରି ସମ୍ପର୍କରେ ଆଲୋଚନା କରିବା ।
ଯେକୌଣସି ବିପ୍ଳବୀ ଦଳପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନିହାତି ଜରୁରୀ ବୋଲି ମୁଁ ଆଗରୁ କହିସାରିଛି । କାରଣ ତୁମେମାନେ ଜାଣିବା ଜରୁରୀ ଯେ ବିପ୍ଳବମାନେ ହିଁ କାର୍ଯ୍ୟ । ବିପ୍ଳବର ଅର୍ଥ ହେଲା ସଙ୍ଗଠିତ ଓ ବ୍ୟବସ୍ଥିତ କାର୍ଯ୍ୟ ସାହାଯ୍ୟରେ ଇଚ୍ଛାକୃତ ପରିବର୍ତ୍ତନ ଘଟେଇବା । ଏହି ଧରଣର ପରିବର୍ତ୍ତନ ଆକସ୍ମିକ ଓ ଅସଙ୍ଗଠିତ ଅବା ସ୍ୱତଃସ୍ଫୂର୍ତ୍ତ ପରିବର୍ତ୍ତନର ବିରୋଧ କରେ, ବିଘଟନର ବିରୋଧ କରେ । କାର୍ଯ୍ୟକ୍ରମର ନିର୍ଦ୍ଧାରଣ ପାଇଁ ନିମ୍ନରେ ଦିଆ ଯାଇଥିବା ବିଷୟଗୁଡ଼ିକର ଅଧ୍ୟୟନ, ଅନୁଧ୍ୟାନ କରିବା ଏକାନ୍ତ ଜରୁରୀ :
୧. ଲକ୍ଷ୍ୟ୨. କେଉଁ ଅବସ୍ଥାରୁ ଆମେ ଆଗକୁ ଯିବା? ଅର୍ଥାତ୍ ବର୍ତ୍ତମାନ ପରିସ୍ଥିତି କ’ଣ? ୩. କାର୍ଯ୍ୟଧାରା, ଅର୍ଥାତ୍ ମାଧ୍ୟମ ଓ ପଦ୍ଧତିି ।
ଏହି ତିନୋଟି ଦିଗ ସମ୍ପର୍କରେ ସ୍ପଷ୍ଟ ଧାରଣା ନ ରହିଲେ, କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ବି ଆଲୋଚନା କରି ହେବନି ।
ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ କିଛିଟା ଆଲୋଚନା କରିଛେ । ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ସଂକ୍ଷେପରେ କିଛି କହିଛି । ଆମେମାନେ ଏକ ସମାଜବାଦୀ ବିପ୍ଳବ ଚାହୁଁ । ତାହା ପାଇଁ ରାଜନୈତିକ ବିପ୍ଳବ ହେଉଛି ଏକ ଅନିବାର୍ଯ୍ୟ ପ୍ରାଥମିକ ଆବଶ୍ୟକତା । ତାହା ହିଁ ଆମେ ଚାହୁଁ । ରାଜନୈତିକ ବିପ୍ଳବ କହିଲେ ବ୍ରିଟିଶ୍ମାନଙ୍କ ହାତରୁ ଭାରତୀୟମାନଙ୍କ ହାତକୁ ରାଷ୍ଟ୍ରର (ଆହୁରି ସ୍ୱାଭାବିକ ଭାବେ କହିଲେ, କ୍ଷମତାର) ହସ୍ତାନ୍ତର ବୁଝାଏନା । ରାଜନୈତିକ ବିପ୍ଳବ କହିଲେ ବୁଝାଏ କ୍ଷମତାର ହସ୍ତାନ୍ତର କେବଳ ସେହି ଭାରତୀୟମାନଙ୍କ ହାତକୁ ଯେଉଁମାନେ ଆମର ଅନ୍ତିମ ଲକ୍ଷ୍ୟ ସହ ଏକମତ । ଆହୁରି ସଂକ୍ଷିପ୍ତରେ କହିଲେ, ଜନ ସମର୍ଥନ ଜରିଆରେ ବିପ୍ଳବୀ ପାର୍ଟିକୁ କ୍ଷମତାର ହସ୍ତାନ୍ତର । ତା’ପରେ ସମାଜବାଦୀ ଭିତ୍ତିରେ ସମଗ୍ର ସମାଜର ପୁନର୍ଗଠନ ସଙ୍ଗଠିତ ମାର୍ଗରେ କରିବା ପାଇଁ ସଠିକ୍ ଆନ୍ତରିକତା ସହ ଆଗେଇବାକୁ ହେବ । ଯଦି ବିପ୍ଳବର ମାନେ ତୁମ ପାଇଁ ଏୟା ନୁହେଁ, ତେବେ ଦୟାକରି ଆମ ଉପରେ କୃପା କର । ‘ଇନ୍କିଲାବ୍ ଜିନ୍ଦାବାଦ’, ‘ବିପ୍ଳବ ଜିନ୍ଦାବାଦ’ ରଡ଼ି ଛାଡ଼ିବା ବନ୍ଦ କର । ବିପ୍ଳବ ପଦଟି ଅନ୍ତତଃ ପକ୍ଷେ ଆମ ପାଇଁ ଅତି ପବିତ୍ର । ତେଣୁ ଏହାର ଉପରଠାଉରିଆ ବ୍ୟବହାର ଅବା ଅପବ୍ୟବହାର ବନ୍ଦ କର । କିନ୍ତୁ ଯଦି ତୁମେ କୁହ ଜାତୀୟ ବିପ୍ଳବ ପାଇଁ ତୁମେ ସଂଗ୍ରାମ କରୁଛ ଏବଂ ତୁମ ସଂଗ୍ରାମର ଲକ୍ଷ୍ୟ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ଭାରତୀୟ ସାଧାରଣତନ୍ତ୍ର ରାଷ୍ଟ୍ର, ତେବେ ମୁଁ ତୁମକୁ ପଚାରୁଛି ଦୟାକରି ମୋତେ କୁହ ସେହି ବିପ୍ଳବରେ ସହାୟତା କରିବା ପାଇଁ କେଉଁ ଶକ୍ତିଗୁଡ଼ିକ ଉପରେ ତୁମେ ନିର୍ଭର କରୁଛ । ଜାତୀୟ ବିପ୍ଳବ ହେଉ ଅବା ସମାଜବାଦୀ ବିପ୍ଳବ ହେଉ, ଯେଉଁ ଶକ୍ତିମାନଙ୍କ ଉପରେ ତୁମେ ନିର୍ଭର କରି ପାରିବ ସେମାନେ ହେଲେ କେବଳ କୃଷକ ଓ ଶ୍ରମିକ । କଂଗ୍ରେସ ନେତାମାନେ ସେହି ଶକ୍ତିମାନଙ୍କୁ ସଙ୍ଗଠିତ କରିବା ପାଇଁ ସାହସ କରନ୍ତିନି । ତାହା ତୁମେ ଏହି ଆନେ୍ଦାଳନରେ ଦେଖିଛ । ଅନ୍ୟମାନଙ୍କ ଅପେକ୍ଷା ସେମାନେ ଏହା ମଧ୍ୟ ଭଲ କରି ଜାଣନ୍ତି ଯେ ଏହି ଶକ୍ତିମାନଙ୍କ ବିନା ସହାୟତାରେ ସେମାନେ ନିହାତି ଅସହାୟ । ଯେତେବେଳେ ସେମାନେ ପୂର୍ଣ୍ଣସ୍ୱରାଜ – ଯାହାର ବାସ୍ତବ ଅର୍ଥ ହେଲା ବିପ୍ଳବ-ପାଇଁ ପ୍ରସ୍ତାବ ଗ୍ରହଣ କଲେ, ସେମାନେ ତାକୁ ସେହି ବାସ୍ତବ ଅର୍ଥରେ ବୁଝୁ ନଥିଲେ । ସେମାନେ ଯୁବପିଢ଼ିର ଚାପରେ ପଡ଼ି ତାହା କରିବା ପାଇଁ ବାଧ୍ୟ ହୋଇଥିଲେ ଏବଂ ସେମାନଙ୍କ ହୃଦୟର ଆକାଂକ୍ଷିତ ବ୍ରିଟିଶ୍ ଅଧୀନରେ ଏକ ସ୍ୱୟଂଶାସିତ ରାଜ୍ୟ ହୋଇ ରହିବା ବା ଡ଼ୋମିନିୟନ୍ ସ୍ଥିତି ପାଇବାପାଇଁ ତାକୁ ଏକ ଧମକ ହିସାବରେ ବ୍ୟବହାର କରିବା ପାଇଁ ସେମାନେ ଚାହିଁଥିଲେ । କଂଗ୍ରେସର ଶେଷ ତିନୋଟି ଅଧିବେଶନର ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କଲେ ତୁମେ ତାହା ସହଜରେ ବିଚାର କରିପାରିବ, ବୁଝିପାରିବ । ମୁଁ ମାଡ଼୍ରାସ, କଲିକତା ଓ ଲାହୋର ଅଧିବେଶନ କଥା କହୁଛି । ବାର ମାସ ମଧ୍ୟରେ ଡ଼ୋମିନିୟନ୍ ସ୍ଥିତି ନପାଇଲେ ପୂର୍ଣ୍ଣ ସ୍ୱରାଜକୁ ସେମାନଙ୍କର ଲକ୍ଷ୍ୟ ହିସାବରେ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି କଲିକତାରେ ଏକ ପ୍ରସ୍ତାବ ଗ୍ରହଣ କଲେ । ଏବଂ ୧୯୨୯ ମସିହା ଡିସେମ୍ବର ୩୧ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସେହି ଭଳିଆ କିଛି ଉପହାର ମିଳିବା ଆଶାରେ ସମସ୍ତ ପବିତ୍ରତା ସହ ଅପେକ୍ଷା କଲେ । ତା ପରେ ସେମାନେ ‘ଆତ୍ମସମ୍ମାନ ଦୃଷ୍ଟିରୁ ବାଧ୍ୟ ହେଲେ’ ସ୍ୱାଧୀନତା ପ୍ରସ୍ତାବ ଗ୍ରହଣ କରିବା ପାଇଁ, ନଚେତ ତାହା ସେମାନଙ୍କର ଉଦେ୍ଦଶ୍ୟ କେବେ ହେଁ ନଥିଲା । ତା’ପରେ ବି (ରାଜିନାମା ପାଇଁ) ଦ୍ୱାର ଖୋଲା ଥିବା ବିଷୟକୁ ଗାନ୍ଧିଜୀ କେବେ ଗୁପ୍ତରେ ରଖି ନଥିଲେ । ସେଇଟା ହିଁ ତାହାର ବାସ୍ତବ ତାତ୍ପର୍ଯ୍ୟ । ଆରମ୍ଭରୁ ହିଁ ସେମାନେ ଜାଣିଥିଲେ ଯେ ସେମାନଙ୍କର ଆନେ୍ଦାଳନ କୌଣସି ନା କୌଣସି ଆପୋଷ ନିଷ୍ପତ୍ତିରେ ସମାପ୍ତି ଘଟିବ । ଅନ୍ୟଥା ହେବନି । ଏହି ଦରପନ୍ତରିଆ ମନୋଭାବକୁ ହିଁ ଆମେ ଘୃଣା କରୁ, ସଂଗ୍ରାମ କାଳରେ କୌଣସି ଏକ ସ୍ତରରେ ହୋଇଥିବା ରାଜିନାମାକୁ ନୁହେଁ । ଯାହା ହେଉ, ଏକ ବିପ୍ଳବ ପାଇଁ ଯେଉଁ ଶକ୍ତିଗୁଡ଼ିକ ଉପରେ ତୁମେ ନିର୍ଭର କରିପାରିବ ଆମେ ତାରି ସମ୍ପର୍କରେ ଆଲୋଚନା କରୁଥିଲେ । ତୁମେ ଯଦି କୁହ କୃଷକ ଓ ଶ୍ରମିକମାନଙ୍କର ସକ୍ରିୟ ସହଯୋଗ ତାଲିକାଭୁକ୍ତ କରିବା ପାଇଁ ତୁମେ ସେମାନଙ୍କ ନିକଟକୁ ଯିବ, ତେବେ ମୁଁ କହିଦିଏ ଲୁହଝରା କଥାରେ ଠକି ହେବା ଲୋକ ସେମାନେ ନୁହନ୍ତି । ଅତି ସଚ୍ଚୋଟ ଭାବରେ ସେମାନେ ତୁମକୁ ପଚାରିବେ : ଯେଉଁ ବିପ୍ଳବ ପାଇଁ ସେମାନେ ନିଜନିଜକୁ ଉତ୍ସର୍ଗ କରନ୍ତୁ ବୋଲି ଦାବି କରୁଛ, ତଦ୍ଦ୍ୱାରା ସେମାନଙ୍କର କଣ ଲାଭ ହେବ? ଲର୍ଡ଼ ରିଡ଼ିଙ୍ଗ୍ ଭାରତ ସରକାରଙ୍କର ମୁଖ୍ୟ ହୁଅନ୍ତୁ ବା ସାର୍ ପୁରୁଷୋତ୍ତମ ଦାସ ଠାକୁରଦାସ; ତାଙ୍କ ପାଇଁ କଣ ଫରକ ପଡ଼ିବ? ଲର୍ଡ଼ ଇର୍ୱିନଙ୍କ ସ୍ଥାନରେ ସାର୍ ତେଜ୍ ବାହାଦୁର ସାପ୍ରୁ ରହିଲେ ଜଣେ ଚାଷୀ ପାଇଁ କଣ ଫରକ ପଡ଼ିବ? ତାର ଜାତୀୟ ଭାବପ୍ରବଣତାକୁ ଆବେଦନ କରି କିଛି ଲାଭ ନାହିଁ । ତୁମେ ତୁମ ଉଦେ୍ଦଶ୍ୟରେ ତାକୁ ‘ବ୍ୟବହାର’ କରି ପାରିବନି । ଅତି ଗମ୍ଭୀରତାର ସହ ତାକୁ ବୁଝେଇବାକୁ ହେବ ଏବଂ ସେ ଏହା ଭଲ ଭାବେ ବୁଝିବା ଆବଶ୍ୟକ ଯେ ବିପ୍ଳବଟି ହେବ ତାର ଓ ତାରି ଭଲ ପାଇଁ । ଶ୍ରମିକ ଶ୍ରେଣୀର ବିପ୍ଳବ ଓ ଶ୍ରମିକ ଶ୍ରେଣୀ ପାଇଁ ।
ତୁମର ଲକ୍ଷ୍ୟ ସମ୍ପର୍କରେ ଏହି ଭାବର ସ୍ପଷ୍ଟ ଧାରଣା ଗଠନ କରିସାରିବା ପରେ ତୁମେ ନିହାତି ସଚ୍ଚୋଟ ଭାବରେ ଏଇଭଳିଆ ଏକ କାମପାଇଁ ତୁମ ଶକ୍ତିକୁ ସଙ୍ଗଠିତ କରିବା ପାଇଁ ଆଗଭର ହେବ । ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ରହିଛି ଯାହା ମଧ୍ୟ ଦେଇ ତୁମକୁ ଗତି କରିବାକୁ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତି, ଦ୍ୱିତୀୟରେ କାର୍ଯ୍ୟ ।
ବର୍ତ୍ତମାନ ଚାଲୁଥିବା ଏହି ଆନେ୍ଦାଳନର ସମାପ୍ତି ଘଟିବା ପରେ, ପ୍ରକୃତ ବିପ୍ଳବୀ କର୍ମୀମାନଙ୍କ ନିକଟରେ ତୁମେ ଦେଖିବ ବିରକ୍ତିଭାବ, ନୈରାଶ୍ୟଭାବ । କିନ୍ତୁ ସେଥିରେ ତୁମର ବ୍ୟସ୍ତହେବାର କିଛି ନାହିଁ । ଭାବପ୍ରବଣତାକୁ ଆଡ଼େଇ ରଖ । ବାସ୍ତବତାକୁ ସାମନା କରିବା ପାଇଁ ପ୍ରସ୍ତୁତ ରୁହ । ବିପ୍ଳବ ହେଉଛି ଏକ ଅତି କଷ୍ଟ କାର୍ଯ୍ୟ । ବିପ୍ଳବଟିଏ କରିବା ଯେକୌଣସି ଏକ ବ୍ୟକ୍ତିର ଶକ୍ତିର ବାହାରେ । କୌଣସି ଏକ ନିର୍ଦ୍ଦିଷ୍ଟ ଦିନରେ ମଧ୍ୟ ତାହା କରିହେବନି । ବିଶେଷ ଧରଣର ସାମାଜିକ ଓ ଅର୍ଥନୈତିକ ପରିବେଶ ସେହି ସୁଯୋଗ ସୃଷ୍ଟି କରେ । ଏହି ପରିବେଶଗୁଡ଼ିକ ଦ୍ୱାରା ଦିଆ ଯାଉଥିବା ସୁଯୋଗର ସଦୁପଯୋଗ କରିବା ହେଲା ଏକ ସଙ୍ଗଠିତ ପାର୍ଟିର ଦାୟିତ୍ୱ । ବିପ୍ଳବ ପାଇଁ ଜନଗଣଙ୍କୁ ପ୍ରସ୍ତୁତ କରିବା ଓ ଶକ୍ତିଗୁଡ଼ିକୁ ସଙ୍ଗଠିତ କରିବା ହେଉଛି ଏକ କଠିନ କାର୍ଯ୍ୟ । ଏବଂ ସେଥିପାଇଁ ବିପ୍ଳବୀ କର୍ମୀମାନଙ୍କ ପକ୍ଷରେ ବହୁତ କିଛି ଉତ୍ସର୍ଗ କରିବାକୁ ପଡ଼ିଥାଏ । ମୁଁ ସ୍ପଷ୍ଟ ରୂପେ ଏହା କହିବାକୁ ଚାହେଁ ଯେ ତୁମେ ଯଦି ଜଣେ ବ୍ୟବସାୟୀ, ତୁମେ ଯଦି ପରିବାର ଅବା ବିଷୟ ସମ୍ପତ୍ତିରେ ବୁଡ଼ି ରହିଛ, ତେବେ ଦୟାକରି ନିଅାଁ ସହିତ ଖେଳ ନାହିଁ । ଜଣେ ନେତା ହିସାବରେ ତୁମେ ପାର୍ଟିର କୌଣସି କାମରେ ଆସିବନି । ଏହି ଭଳିଆ ନେତା ଆମ ପାଖେ ଅନେକ ଅଛନ୍ତି ଯେଉଁମାନେ କେତେକ ସନ୍ଧ୍ୟା ଖାଲି ରଖନ୍ତି ଭାଷଣ ଦେବାପାଇଁ । ସେମାନଙ୍କ ଦ୍ୱାରା କିଛି ହେବନି । ଆମର ଦରକାର – ଲେନିନ୍ଙ୍କ ପ୍ରିୟ ଭାଷାରେ କହିଲେ – ‘ପେଷାଦାର ବିପ୍ଳବୀ’ । ସଦା-ସମୟୀ କର୍ମୀ ଯେଉଁମାନଙ୍କର ବିପ୍ଳବ ଛଡ଼ା ଅନ୍ୟକୌଣସି ଇଚ୍ଛା ନାହିଁ, ବିପ୍ଳବ ଛଡ଼ା ଜୀବନରେ ଅନ୍ୟ କୌଣସି କାମ ନାହିଁ । ଏହିଭଳିଆ କର୍ମୀ ପାର୍ଟି ଭିତରେ ଯେତେ ଅଧିକ ସଂଖ୍ୟାରେ ସଙ୍ଗଠିତ ହେବେ, ତୁମ ସଫଳତାର ସମ୍ଭାବନା ସେତେ ବେଶି ।
ସୁଶୃଙ୍ଖଳ ଭାବେ ଆଗେଇବାକୁ ହେଲେ, ତୁମର ସବୁଠାରୁ ବଳି ଆବଶ୍ୟକ ହେଉଛି ଏକ ପାର୍ଟି । ଯେଉଁଥିରେ ସେହିଧରଣର କର୍ମୀ ରହିବେ ଯେଉଁ ଧରଣର କର୍ମୀ କଥା ଆଲୋଚିତ ହୋଇସାରିଛି । ଯେଉଁମାନଙ୍କର ସ୍ପଷ୍ଟ ଧାରଣା ରହିଥିବ, ତୀକ୍ଷ୍ଣ ଅନୁଭବ ଶକ୍ତି ଥିବ, ନେତୃତ୍ୱ ଦେଇ କୌଣସି କାର୍ଯ୍ୟ ଆରମ୍ଭ କରିବା ତଥା ଶୀଘ୍ର ନିଷ୍ପତ୍ତି କରିବା ପାଇଁ କ୍ଷମତା ଥିବ । ପାର୍ଟି ମଧ୍ୟରେ ଦୃଢ଼ ଶୃଙ୍ଖଳା ରହିବ । ଅନାବଶ୍ୟକ ଭାବେ ଏହା ଏକ ଗୁପ୍ତ ପାର୍ଟି ହେବା ଉଚିତ ନୁହେଁ । ବରଂ ତାର ବିପରୀତ, ଯଦିଚ ସ୍ୱେଚ୍ଛାକୃତ ଭାବେ ଜେଲକୁ ଯିବା ନୀତିକୁ ସମ୍ପୂର୍ଣ୍ଣ ରୂପେ ପରିହାର କରାଯିବା ଉଚିତ । ତାରି ଫଳରେ କେତେକ କର୍ମୀ ସୃଷ୍ଟି ହେବେ ଯେଉଁମାନେ ଅଜ୍ଞାତବାସରେ ରହିବାକୁ ବାଧ୍ୟ ହେବେ । ସେହି ଆନ୍ତରିକତା ସହ ସେମାନେ କାମକୁ ଆଗକୁ କଢ଼େଇ ନେବା ଉଚିତ । ଶ୍ରମିକମାନଙ୍କର ଏହି ଗୋଷ୍ଠୀ ହିଁ ଅସଲ ମୌକା ପାଇଁ ଯଥାର୍ଥ ନେତା ଜାତ କରିବ ।
ପାର୍ଟି ପାଇଁ ଦରକାର କର୍ମୀ, କାର୍ଯ୍ୟକର୍ତ୍ତା । ସେମାନେ କେବଳ ଯୁବ ଆନେ୍ଦାଳନ ମଧ୍ୟ ଦେଇ ବଛାଯାଇ ପାରିବେ । ତେଣୁ ଆମେ ଦେଖୁ ଯେ ଆମ କାର୍ଯ୍ୟକ୍ରମର ପ୍ରାରମ୍ଭ ବିନ୍ଦୁ ହେଲା ଯୁବ ଆନେ୍ଦାଳନ । ଏହା ନିହାତି ଉଚିତ କଥା ଯେ ଏହି ଯୁବ ଆନେ୍ଦାଳନ ପାଠଚକ୍ର ସଙ୍ଗଠିତ କରିବ, ଶ୍ରେଣୀ ବକ୍ତୃତାର ବ୍ୟବସ୍ଥା କରିବ, ପ୍ରଚାରପତ୍ର, ପୁସ୍ତିକା, ବହି ଓ ପତ୍ରପତ୍ରିକା ପ୍ରକାଶନ କରିବ । ରାଜନୈତିକ କର୍ମୀ ବାଛିବା ଓ ଟ୍ରେନିଂ ଦେବା ପାଇଁ ଏହା ହିଁ ପ୍ରକୃଷ୍ଟ କ୍ଷେତ୍ର ।
ଯୁବକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଚିନ୍ତାଧାରା ପରିପକ୍ୱ ହୋଇ ସାରିଥିବ ଓ ଯେଉଁମାନେ ଏହି ଉଦେ୍ଦଶ୍ୟ ହାସଲ ପାଇଁ ନିଜନିଜର ଜୀବନକୁ ଉତ୍ସର୍ଗ କରିଦେବା ପାଇଁ ପ୍ରସ୍ତୁତ ଥିବେ, ସେମାନଙ୍କୁ ପାର୍ଟି ମଧ୍ୟକୁ ଅଣାଯାଇ ପାରେ । ପାର୍ଟିର କର୍ମୀମାନେ ପାର୍ଟିର ଦାୟିତ୍ୱ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଯୁବ ଆନେ୍ଦାଳନକୁ ସର୍ବଦା ଦିଗଦର୍ଶନ ଦେବେ ଓ ତାର କାର୍ଯ୍ୟକୁ ନିୟନ୍ତ୍ରଣ କରିବେ । ଗଣପ୍ରଚାର କାର୍ଯ୍ୟରୁ ହିଁ ପାର୍ଟି ତାର କାମ ଆରମ୍ଭ କରିବା ଉଚିତ । ଏହା ନିହାତି ଜରୁରୀ । ୧୯୧୪-୧୫ରେ ଗଦ୍ଦର ପାର୍ଟିର ସମସ୍ତ ଚେଷ୍ଟା ବିଫଳ ହେବାର ମୌଳିକ କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା : ଜନତାଙ୍କର ଅଜ୍ଞାନତା, ଆଗ୍ରହଶୂନ୍ୟତା ଓ ବେଳେବେଳେ ସେମାନଙ୍କର ସକ୍ରିୟ ପ୍ରତିରୋଧ । ତା’ଛଡ଼ା, କୃଷକ ଓ ଶ୍ରମିକମାନଙ୍କୁ ସଙ୍ଗଠିତ କରିବା ଓ ସେମାନଙ୍କର ସକ୍ରିୟ ସହାନୁଭୂତି ହାସଲ କରିବା ନିହାତି ଜରୁରୀ । ପାର୍ଟିର ନାମଟି (ସମାଜବାଦୀ ପାର୍ଟି କାହିଁକି) ବରଂ କମୁ୍ୟନିଷ୍ଟ ପାର୍ଟି ଦିଆଯାଇ ପାରେ । କଠୋର ଶୃଙ୍ଖଳା ଦ୍ୱାରା ଆବଦ୍ଧ ରାଜନୈତିକ କର୍ମୀ ମାନଙ୍କର ଏହି ପାର୍ଟି ଅନ୍ୟ ସମସ୍ତ ଆନେ୍ଦାଳନକୁ ପରିଚାଳନା କରିବା ଉଚିତ । କୃଷକମାନଙ୍କର ପାର୍ଟି, ଶ୍ରମିକମାନଙ୍କର ପାର୍ଟି, ଶ୍ରମିକ ୟୁନିଅନଗୁଡ଼ିକୁ ସଙ୍ଗଠିତ କରିବାକୁ ହେବ । କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଅନୁଷ୍ଠାନଗୁଡ଼ିକୁ କବଳିତ କରିବା ଭଳି ଦୁଃସାହସ ମଧ୍ୟ କରାଯାଇ ପାରେ । କେବଳ ଜାତୀୟ ରାଜନୀତି ସମ୍ପର୍କରେ ନୁହେଁ, ଶ୍ରେଣୀ ରାଜନୀତି ସମ୍ପର୍କରେ ମଧ୍ୟ ରାଜନୈତିକ ସଚେତନତା ସୃଷ୍ଟି କରିବା ପାଇଁ ପାର୍ଟି ଏକ ବିରାଟ ପ୍ରକାଶନ ଅଭିଯାନ ସଙ୍ଗଠିତ କରିବା ଉଚିତ । (ସର୍ବହରା ସମ୍ପର୍କିତ ସମସ୍ତ ବିଷୟବସ୍ତୁ ତଥା) ସମାଜବାଦୀ ତତ୍ତ୍ୱ ସମ୍ପର୍କରେ ଜନଗଣଙ୍କୁ ଜ୍ଞାନ ପ୍ରଦାନ କଲା ଭଳି ସମସ୍ତ ବହି ସେମାନଙ୍କ ହାତ ପାଆନ୍ତାରେ ରହିବ ଓ ବହୁଳ ଭାବରେ ବଣ୍ଟନ କରାଯିବ । ଲେଖାଗୁଡ଼ିକ ସରଳ ଓ ସ୍ପଷ୍ଟ ହେବା ଉଚିତ ।
ଶ୍ରମିକ ଆନେ୍ଦାଳନ ମଧ୍ୟରେ ଏମିତି ବି କେତେକ ଲୋକ ଅଛନ୍ତି ଯେଉଁମାନଙ୍କ ମୁଣ୍ଡରେ କିମ୍ଭୁତକିମାକାର ଚିନ୍ତାମାନ ରହିଛି । ରାଜନୈତିକ ସ୍ୱାଧୀନତା ବିନା କୃଷକ ଓ ଶ୍ରମିକମାନଙ୍କର ଅର୍ଥନୈତିକ ସ୍ୱାଧୀନତା ସମ୍ଭବ ବୋଲି ସେମାନେ କୁହନ୍ତି । ସେମାନେ ତୁମମାନଙ୍କର ଦୁର୍ବଳତାକୁ ପୁଞ୍ଜି କରି ପାରୁଥିବା ପ୍ରିୟ ନେତା ହୋଇଥାଇ ପାରନ୍ତି ଅବା ବିଶୃଙ୍ଖଳ ମସ୍ତିଷ୍କର ଲୋକ ହୋଇପାରନ୍ତି । ଏହିଭଳିଆ ଚିନ୍ତା କଳ୍ପନାତୀତ, ଅବାନ୍ତର । ଜନଗଣଙ୍କ ଅର୍ଥନୈତିକ ସ୍ୱାଧୀନତା ଆମେ ଚାହୁଁ ଏବଂ ତାରି ପାଇଁ ହିଁ ଆମେ ରାଜନୈତିକ କ୍ଷମତା ହାସଲ କରିବା ପାଇଁ ଚେଷ୍ଟା କରୁଛୁ । ଅବଶ୍ୟ ଏହା ନିଃସନେ୍ଦହ ଯେ ଆରମ୍ଭରେ ଆମକୁ ଏହି ଶ୍ରେଣୀଗୁଡ଼ିକର କେତେକ ଅର୍ଥନୈତିକ ଦାବୀ ଓ ସୁଖସୁବିଧା ପାଇଁ ଲଢ଼େଇ କରିବାକୁ ପଡ଼ିବ । କିନ୍ତୁ ରାଜନୈତିକ କ୍ଷମତା ଦଖଲ କରିବା ଉଦେ୍ଦଶ୍ୟରେ ଅନ୍ତିମ ଲଢ଼େଇ ପାଇଁ ସେମାନଙ୍କୁ ଶିକ୍ଷିତ କରିବା ପାଇଁ ଏହି ସଂଘର୍ଷଗୁଡ଼ିକ ହେଉଛି ଅତି ଉତ୍ତମ ମାଧ୍ୟମ ।
ଏଗୁଡ଼ିକ ଛଡ଼ା, ଏକ ସୈନ୍ୟ ବିଭାଗ ସଙ୍ଗଠିତ କରିବା ଆବଶ୍ୟକ ରହିଛି । ଏହା ଅତି ଜରୁରୀ । ବେଳେବେଳେ ଏହାର ଆବଶ୍ୟକତା ଅତି ଭୟଙ୍କର ଭାବେ ଅନୁଭବ କରାଯାଏ । କିନ୍ତୁ ଠିକ୍ ସେହି ଆବଶ୍ୟକ ସମୟରେ ହିଁ କାମ ଆରମ୍ଭ କରି ଗୋଟିଏ ଦଳ ସଙ୍ଗଠିତ କରି ତା’ ପାଇଁ ଯଥେଷ୍ଟ ଯୁଦ୍ଧ ସାମଗ୍ରୀ ସଂଗ୍ରହ କରି ଦକ୍ଷତାର ସହ ଲଢ଼େଇ କରିବା ସମ୍ଭବ ନୁହେଁ । ସମ୍ଭବତଃ ଏହି ବିଷୟଟିର ହିଁ ଯନôର ସହ ବ୍ୟାଖ୍ୟା କରିବା ଆବଶ୍ୟକତା ରହିଛି । ଏହି ବିଷୟଟିକୁ ନେଇ ହିଁ ମୋତେ ଭୁଲ ବୁଝିବାର ବହୁତ ସମ୍ଭାବନା ରହିଛି । ଏମିତି ଦେଖିବାକୁ ତ ମୁଁ ସନ୍ତ୍ରାସବାଦୀ ଭଳି କାମ କରିଛି । କିନ୍ତୁ ମୁଁ ସନ୍ତ୍ରାସବାଦୀ ନୁହେଁ । ମୁଁ ଜଣେ ବିପ୍ଳବୀ, ଯାହା ନିକଟରେ ଏକ ଦୀର୍ଘ କାର୍ଯ୍ୟକ୍ରମର ନିର୍ଦ୍ଦିଷ୍ଟ ଧାରଣାମାନ ରହିଛି ଯାହା ଏଠାରେ ଆଲୋଚିତ ହୋଇଛି । ମୁଁ କାଳକୋଠରୀରେ ରହିବା ଫଳରେ ମୋ ମନରେ କେତେକ ନିର୍ଦ୍ଦିଷ୍ଟ ଧରଣର ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ରାମପ୍ରସାଦ ବିସ୍ମିଲ ଆରୋପ କଲାଭଳି ମୋର ଅନ୍ୟ ‘ଯୋଦ୍ଧା ସାଥିମାନେ’ ମଧ୍ୟ କରିପାରନ୍ତି । କିନ୍ତୁ ତାହା ସତ୍ୟ ନୁହେଁ । ମୁଁ ବାହାରେ ଥିଲା ବେଳେ ଯେଉଁ ଧାରଣାସମୂହ ଥିଲା ଆଜି ମଧ୍ୟ ତାହା ଅଛି, ସେଇ ବିଶ୍ୱାସ ଅଛି, ସେଇ ଆନ୍ତରିକତା ଅଛି ଓ ସେଇ ସ୍ଫୁର୍ତ୍ତି ଅଛି, ସମ୍ଭବତଃ – ସମ୍ଭବତଃ କାହିଁକି, ନିଶ୍ଚିତ ରୂପେ – ତାଠାରୁ ଅଧିକ ଭଲ ଭାବେ । ତେଣୁ ମୋ ଲେଖା ପଢ଼ିଲା ବେଳେ ହୁସିଆର୍ ରହିବା ପାଇଁ ମୁଁ ମୋ ପାଠକମାନଙ୍କୁ ସତର୍କ କରିଦେଉଛି । ଯାହା ଲେଖା ଯାଇନାହିଁ ତାହା ପଂକ୍ତିଗୁଡ଼ିକ ମଧ୍ୟରେ ପଢ଼ିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ । ମୋର ସମସ୍ତ ଶକ୍ତି ଖଟେଇ ମୁଁ ଏହା ଘୋଷଣା କରେ ଯେ ମୁଁ ଜଣେ ସନ୍ତ୍ରାସବାଦୀ ନୁହେଁ ଏବଂ ମୋର ବୈପ୍ଳବିକ ଜୀବନର ସମ୍ଭବତଃ ପ୍ରାରମ୍ଭ କାଳକୁ ଛାଡ଼ି ଦେଲେ, କେବେ ନଥିଲି । ମୋର ହୃଦ୍ବୋଧ ହୋଇଛି ଯେ ସେହି ପଦ୍ଧତିଗୁଡ଼ିକ ମାଧ୍ୟମରେ ଆମର କିଛି ଲାଭ ହେବନି । ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଏସୋସିଏସନ୍ର ଇତିହାସରୁ ଯେ କେହି ଏହାର ବିଚାର କରିପାରେ । ଗୋଟିଏ ଲକ୍ଷ୍ୟ ଆଡ଼କୁ ଆମର ସମସ୍ତ କାର୍ଯ୍ୟକଳାପ ପରିଚାଳିତ ହେଉଥିଲା ଅର୍ଥାତ୍, ଏକ ମହାନ ଆନେ୍ଦାଳନ ସହ ଆମୋନେ ନିଜକୁ ଏକାକାର କରି ଦେଇଥିଲୁ ତାହାର ସେନାବାହିନୀ ଭାବେ । କେହି ଯଦି ମୋତେ ଭୁଲ ବୁଝିଥାଆନ୍ତି, ତେବେ ତାଙ୍କର ସେହି ଧାରଣାର ସଂଶୋଧନ କରନ୍ତୁ । ମୋର କହିବାର ଅର୍ଥ ଏହା ନୁହେଁ ଯେ ବୋମା ଓ ପିସ୍ତଲର ଆଉ ଆବଶ୍ୟକତା ନାହିଁ, ବରଂ ଠିକ୍ ତାର ବିପରୀତ । ମୁଁ କହିବାର ଅର୍ଥ ଏହା ଯେ ବୋମା-ଫୋପାଡ଼ି କେବଳ ଅନୁପଯୋଗୀ ନୁହେଁ, ବେଳେବେଳେ କ୍ଷତିକାରକ ମଧ୍ୟ । ପାର୍ଟିର ସୈନ୍ୟ ବିଭାଗ ତା’ ନିକଟରେ ଥିବା ଯୁଦ୍ଧସାମଗ୍ରୀକୁ ଜରୁରୀ କାଳରେ ବ୍ୟବହାରକ୍ଷମ ଅବସ୍ଥାରେ ସର୍ବଦା ରଖିବା ଉଚିତ । ପାର୍ଟିର ରାଜନୈତିକ କାର୍ଯ୍ୟରେ ସହାୟତା କରିବା ଉଚିତ । ସ୍ୱାଧୀନଭାବେ ଏହା କାର୍ଯ୍ୟ କରିବନି, କରିବା ମଧ୍ୟ ଉଚିତ ନୁହେଁ ।
ଉଲ୍ଲିଖିତ ମାର୍ଗରେ ପାର୍ଟି ତା’ କାମରେ ଆଗେଇବା ଉଚିତ । ନିର୍ଦ୍ଧାରିତ ସମୟରେ ମଝିରେ ମଝିରେ ସଭା, ସମ୍ମିଳନୀ ଜରିଆରେ ଶ୍ରମିକମାନଙ୍କୁ ସମସ୍ତ ବିଷୟ ସମ୍ପର୍କରେ ଶିକ୍ଷିତ ତଥା ଆଲୋକିତ କରିବା ଉଚିତ ।
ତୁମେ ଯଦି ଏହି ମାର୍ଗରେ କାମ କରିବା ଆରମ୍ଭ କର, ତେବେ ତୁମକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହେବାକୁ ପଡ଼ିବ । ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣତା ପାଇଁ ଅନ୍ତତଃ କୋଡ଼ିଏ ବର୍ଷ ଆବଶ୍ୟକ । ବର୍ଷକ ମଧ୍ୟରେ ସ୍ୱରାଜ ଆଣିବା ପାଇଁ ଗାନ୍ଧୀଙ୍କର କଳ୍ପନାବିଳାସୀ ପ୍ରତିଶ୍ରୁତି ଭଳି ଦଶବର୍ଷ ମଧ୍ୟରେ ବିପ୍ଳବ କରିବା ପାଇଁ ତୁମର ଯଦି କୌଣସି ଯୁବସୁଲଭ ସ୍ୱପ୍ନ ଥାଏ ତେବେ ତାକୁ ଫୋପାଡ଼ି ଦିଅ । ବିପ୍ଳବ ଭାବପ୍ରବଣତା ଚାହେଁନା କି ମୃତୁ୍ୟ ଚାହେଁନା । ଏହା ଚାହେଁ ଅହରହ ସଂଗ୍ରାମର ଜୀବନ, ଯନ୍ତ୍ରଣାର ଜୀବନ, ବଳିଦାନର ଜୀବନ । ତୁମର ‘ମୁଁ’ – କାରକୁ ପ୍ରଥମେ ପଦଦଳିତ କର । ବ୍ୟକ୍ତିଗତ ସୁଖର ସ୍ୱପ୍ନକୁ ଭାଙ୍ଗ । ତା ପରେ କାମ ଆରମ୍ଭ କର । ଇଞ୍ଚକ ପରେ ଇଞ୍ଚେ ତୁମକୁ ଆଗକୁ ବଢ଼ିବାକୁ ହେବ । ସେଥିପାଇଁ ଆବଶ୍ୟକ ସାହସ, ଅଧ୍ୟବସାୟ ଓ ଅତି ଦୃଢ଼ ସଂକଳ୍ପ । କୌଣସି ପ୍ରକାରର ବିଶ୍ୱାସଘାତକତା ତୁମକୁ ଅବସନ୍ନ କରିବନି । ତୁମ ଉପରେ ଯେତେ ଦୁଃଖଯନ୍ତ୍ରଣା ଚାପି ଦେଲେ ମଧ୍ୟ ତାହା ଯେପରି ତୁମ ଅନ୍ତରର ସେହି ବୈପ୍ଳବିକ ଇଚ୍ଛାଶକ୍ତିକୁ ବାହାରକୁ ଟାଣିଟୁଣି ନପକାଏ । ଦୁଃଖଯନ୍ତ୍ରଣା ଓ ବଳିଦାନର ଅଗ୍ନିପରୀକ୍ଷା ମଧ୍ୟ ଦେଇ ତୁମେ ବିଜୟୀ ହେବ । ଏହି ବ୍ୟକ୍ତିଗତ ବିଜୟଗୁଡ଼ିକ ହେବ ବିପ୍ଳବ ପାଇଁ ଉକ୍ରୃଷ୍ଟ ସମ୍ପତ୍ତି ।
ଇନ୍କିଲାବ୍ ଜିନ୍ଦାବାଦ’
‘ବିପ୍ଳବ ଦୀର୍ଘଜୀବୀ ହେଉ’
ଫେବୃୟାରୀ ୨, ୧୯୩୧ । 

 

ସହିଦ-ଇ-ଆଜମ୍            
ଭଗତ ସିଂ

ଭାଷାନ୍ତର
ଅଧ୍ୟାପକ ନୀଳମଣି ସାହୁ


 

Total Views: 3

Comments

0 comments

Share This Article