ଆଇନର ଚଲାପଥ : ଗୋଟେ ଏତଲା ଓ ତା’ ପରର କାହାଣୀ

1 View
15 Min Read

୨୦୨୬ ମସିହା ମାର୍ଚ୍ଚ ୧୫ତାରିଖ । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଏକ ଆଦେଶ ଜାରିକଲେ । ଆଦେଶନାମାରେ କୁହାଗଲା ଯେ ୨୦୧୭ ମସିହାର ଏକ ମାମଲାରେ ଅଭିଯୁକ୍ତ ଲଦ ସିକକା କୋର୍ଟରେ ହାଜର ହେଉନାହାନ୍ତି । ସେ ଜଣେ ପଳାତକ । କୋର୍ଟରେ ହାଜର ହେବାକୁ ବାଧ୍ୟ କରିବା ନିମନ୍ତେ ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବା ଲାଗି କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ନିଦେ୍ର୍ଦଶ ଦିଆଗଲା । ସାଧାରଣତଃ ଦେଖାଯାଏ ଯେ ଜଘନ୍ୟ ଅପରାଧ କ୍ଷେତ୍ରରେ ପୁଲିସ ଗିରଫ କରିପାରେ, ଜାମିନବିହୀନ ପରୱାନା ପୂର୍ବରୁ ଅଦାଲତ ସମନ ଜାରି କରିପାରନ୍ତି ଏବଂ ଶେଷରେ ସମ୍ପତ୍ତି ଜବତ କରିବାର ଆଦେଶ ଦେଇପାରନ୍ତି । ତେବେ, ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଲଢ଼ୁଥିବା ଡଙ୍ଗରିଆ ଆଦିବାସୀ ନେତା ଲଦ ସିକକା କ’ଣ ଜଣେ ଜଘନ୍ୟ ଅପରାଧୀ? ୨୦୧୭ର ମାମଲାଟି ଏମିତି କ’ଣ ଥିଲା ଯେ ମାଜିଷ୍ଟ୍ରେଟଙ୍କୁ ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବା ପର୍ଯ୍ୟନ୍ତ ଆଦେଶ ଦେବାକୁ ହେଲା? ଏହାର ଉତ୍ତର ପାଇବାକୁ ଚାଲନ୍ତୁ ପ୍ରଥମେ ମାମଲାର ଏତଲାଟିକୁ ଦେଖିବା ଯାହା ବେଦାନ୍ତ ରିଫାଇନେରୀର ସୁରକ୍ଷାକର୍ମୀମାନଙ୍କ ମୁଖିଆ ଘଟଣାର ଠିକ୍ ପରଦିନ (୨୬.୦୪.୨୦୧୭) ଲାଞ୍ଜିଗଡ଼ ଥାନାରେ ଦରଜ କରିଥିଲେ । ତାହା ଏହିପରି:–
୨୫.୦୪.୨୦୧୭ ଦୁଇ ପହର ୧୨ଟା ପାଖାପାଖି ଜମିହରା ସଂଘ, ଲାଞ୍ଜିଗଡ ତଥା ନିୟମଗିରି ସୁରକ୍ଷା ସମିତିର ସଭ୍ୟମାନେ ଉଦୟ କୁମାର (ଜମିହରା ସଂଘର ସଭାପତି) ଓ କୁମୁଟି ମାଝିଙ୍କ (ନିୟମଗିର ସୁରକ୍ଷା ସମିତିର ସଭାପତି) ନେତୃତ୍ୱରେ ଜଗନ୍ନାଥପୁର ଗାଁରୁ ଏକ ଶୋଭାଯାତ୍ରା ବାହାର କଲେ । ଶୋଭାଯାତ୍ରାରେ ଡଙ୍ଗରିଆ କନ୍ଧଙ୍କ ସମେତ ପାଖାପାଖି ୬୦୦ଜଣ ଥିଲେ । ଡଙ୍ଗରିଆମାନେ ଟାଙ୍ଗିଆ, କୁରାଢ଼ି, ଧନୁତୀର ଓ ଠେଙ୍ଗା ଧରିଥିଲେ । ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ଲଦ ସିକକା, ଦଧି ପୁଷିକା, ମନୁ ସେଠୀ, ପୁରନ୍ଦର ଦଣ୍ଡସେନା ଓ ଅନ୍ୟମାନେ ବି ଏହାର ନେତୃତ୍ୱ ନେଉଥିଲେ । ସେମାନେ ବେଦାନ୍ତ ହଟାଅ, ନିୟମଗିରି ବଞ୍ଚାଅ ଭଳି ସ୍ଲୋଗାନ ଦେଇ ଦିନ ୧.୩୦ରେ ବେଦାନ୍ତ ମୁଖ୍ୟ ଫାଟକ ନିକଟରେ ପହଞ୍ଚିଲେ । ପୁଲିସ ଘେରକୁ ଭାଙ୍ଗି ମୁଖ୍ୟ ଫାଟକ ବନ୍ଦ କରିଦେଲେ ଏବଂ ଧାରଣାରେ ବସିଲେ । କେନ୍ଦ୍ର ଓ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଓ ବେଦାନ୍ତ ବିରୁଦ୍ଧରେ ଉତ୍ତେଜିତ ଭାଷଣ ଦେଲେ । ଦିନ ୪ଟା ବେଳକୁ ହଠାତ୍ ସେମାନେ ମୁଖ୍ୟ ଫାଟକରେ ତାଲା ପକେଇଦେଲେ । ଜିଲ୍ଲା ପ୍ରଶାସନ ଏହା ନ କରିବାକୁ ଅନୁରୋଧ କରିବା ସତ୍ତ୍ୱେ ବି ସେମାନେ ତାହା କଲେ । ସେମାନେ ମୁଖ୍ୟଫାଟକ ପାଖ ଆଉ ଦୁଇଟି ଫାଟକ ଓ ମାଲ ପରିବହନର ଫାଟକ ବି ବଳପୂର୍ବକ ବନ୍ଦ କରିଦେଲେ । ବେଦାନ୍ତର ସବୁ କର୍ମଚାରୀ ଭିତରେ ବନ୍ଦହୋଇ ରହିଲେ । ମେଗାଫୋନ ସାହାଯ୍ୟରେ ସ୍ଥାନୀୟ ପୁଲିସ ଆନେ୍ଦାଳନକାରୀମାନଙ୍କୁ କହିଲେ କି ମାନ୍ୟବର ସିଭିଲ ଜଜ୍ ଭବାନୀପାଟଣା ୨୮.୦୨.୨୦୧୩ର ଏକ ରାୟରେ ବେଦାନ୍ତ ରିଫାଇନେରୀର ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଧାରଣା, ବିକ୍ଷୋଭ ବା ସଭା କରିବାପାଇଁ ବାରଣ କରିଛନ୍ତି । ତଥାପି ବି ସେମାନେ ଖାତିର କଲେ ନାହିଁ । ଶେଷରେ, କର୍ତ୍ତବ୍ୟରେ ଥିବା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରଶାସନକୁ ଫାଟକ ଖୋଲିବାପାଇଁ କହିଲେ । ପ୍ରଶାସନ ସବୁଗୁଡ଼ିକ ଫାଟକ ଖୋଲିଦେଲା । ଏହା ପରେ ଆନ୍ଦୋଳନକାରୀମାନେ ଜଗନ୍ନାଥପୁର ଆଡ଼କୁ ପଡ଼ିଥିବା ସଡ଼କରେ ଏଣେ ତେଣେ ପଳେଇଲେ ।
ଏଠାରେ ଏତଲାଟିକୁ ଉଦ୍ଧାର କରିବାର ଉଦ୍ଦେଶ୍ୟ ନୁହେଁ ଯେ ଏହାର ସତ୍ୟାସତ୍ୟ ନିରୂପଣ କରିବା ତଥା ଆଇନର ଧାରା, ଉପଧାରା ବା ଗଳି ଅର୍ଗଳି ଭିତରେ ପଶିବା । ଉଦ୍ଦେଶ୍ୟ, ଏତଲାର କୁହା ଓ ଅକୁହା କଥାକୁ କେବଳ ତନଖି କରିବା । ନିହାତି ସାଧାରଣ ବୁଦ୍ଧିରେ ଏତଲାଟିକୁ ପଢ଼ିଲେ ଏହା କହି ହେବ ଯେ ଜମିହରା ସଂଘ ଓ ନିୟମଗିରି ସୁରକ୍ଷା ସମିତିର ସଭ୍ୟମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । କୌଣସି ପ୍ରକାର ହିଂସାକାଣ୍ଡ ଘଟେଇ ନଥିଲେ । ସେମାନେ ଯଦିଓ ତାଲା ପକେଇଥିଲେ, ପ୍ରଶାସନ ଯେଉଁ ସମୟରେ ଚାହିଁଲା, ଫାଟକ ଖୋଲିଦେଲା । ତାହାର ବିରୋଧ ନକରି ସେମାନେ ବରଂ ଯେଉଁ ବାଟେ ବାଟେ ଆସିଥିଲେ, ସେହି ବାଟେ ବାଟେ ପଳେଇଲେ । ଦ୍ୱିତୀୟ କଥାଟି ହେଲା ମାନ୍ୟବର ସିଭିଲ ଜଜ୍ ଙ୍କ ରାୟ । ଏମିତି ରାୟଟିଏ ଜଜ୍ କାହିଁକି ଦେଲେ, ଆଇନର କେଉଁ ଗଳାବାଟ ବା ପେଞ୍ଚପାଞ୍ଚରେ ତାହା ହାସଲ କରାଗଲା, ସହରର ସୁଧୀଜନଙ୍କୁ ଅଗୋଚର । ୪୦୦୦ ହଜାର ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚ ନିୟମଗିରି ପର୍ବତର ଖୋଲରେ ବାସ କରୁଥିବା ଡଙ୍ଗରିଆ କନ୍ଧ ବା ଜାଣିବେ କେମନ୍ତ । ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା ଓ ସଂସଦ ପାଇଁ ଏପରି ଆଇନଗତ ବାରଣ ଥିବାର ନଜିର ନାହିଁ । ବୋଧହୁଏ, ବେଦାନ୍ତ ରିଫାଇନେରୀ ସ୍ଥାନଟି ଏତେ ପବିତ୍ର ଓ ସ୍ୱର୍ଗୀୟ ଯେ ତାର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ଧାରଣା, ବିକ୍ଷୋଭ ବା ସଭାସମିତି ଭଳି ତୁଚ୍ଛା ପାର୍ଥବ କର୍ମକାଣ୍ଡଗୁଡ଼ିକ ବାରଣ ହେବା ବା‚ନୀୟ! ତେଣୁ ବାରଣ ଆଦେଶକୁ ଚାରି ବର୍ଷ ବିତି ଯାଇଥିଲେ ବି ତାହା କାଏମ ରହିଛି । (ଅବଶ୍ୟ, ମାମଲାର ଅନୁସନ୍ଧାନ ଅଧିକାରୀ ଓ କମ୍ପାନୀର ଉଚ୍ଚ ପାହ୍ୟାର କର୍ମଚାରୀମାନେ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଛନ୍ତି ଯେ ୨୮.୦୨.୨୦୧୭ରେ ଏମିତି ଏକ ରାୟ କୋର୍ଟ ଦେଇଛନ୍ତି ।) ହୁଏତ, ଏହା ବେଦାନ୍ତର ରିଫାଇନେରୀ ଥିବା ପର୍ଯ୍ୟନ୍ତ ବଳବତ୍ତର ରହିପାରେ! କର୍ପୋରେଟ-ସରାଗୀ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ସମ୍ୱିଧାନସ୍ୱୀକୃତ ଅଧିକାର ଗ୍ରହଣୀୟ ନୁହେଁ । ତାହା ଏକ ଅପରାଧ । ଅବଶ୍ୟ ଆଇନଜ୍ଞମାନେ ତାର ତର୍ଜମା କରିବେ । ଆମେ ଏବେ ଏତଲାର ଅକୁହା କଥା ବିଷୟରେ କହିବା ।
ଯେଉଁ ଦୁଇ ସଂଗଠନର (ନିୟମଗିରି ସୁରକ୍ଷା ସମିତି ଓ ଲାଞ୍ଜିଗଡ଼ ଜମିହରା ସଂଘ) ସଭ୍ୟ ଓ ନେତୃତ୍ୱଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି, ସେମାନଙ୍କ ଇତିବୃତ୍ତ ଜାଣିବାପାଇଁ ଟିକେ ଇତିହାସକୁ ଯିବା । ଯଦ୍ୱାରା ଏତଲାର ଅକୁହା ବିଷୟଟି ଆଉ ଟିକେ ଖୋଲିଯିବ । ଜୁନ ୨୦୦୨ରେ ନିୟମଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ ୧୨ଟି ଗାଁରେ ଜମି ଅଧିଗ୍ରହଣ କରିବାକୁ ନୋଟିସ ଆସିଲା ଯେ ବେଦାନ୍ତ କମ୍ପାନୀ ଲାଞ୍ଜିଗଡ଼ଠାରେ ଆଲୁମିନା ପ୍ରକଳ୍ପ ସ୍ଥାପନ କରିବ ଏବଂ ଏଥି ନିମନ୍ତେ ନିୟମଗିରି ପାହାଡ଼ରୁ ବକ୍ସାଇଟ ଖୋଳିବ । ସେବେଠୁଁ ସ୍ଥାନୀୟ କୁଟିଆ କନ୍ଧ ଗାଁଗୁଡ଼ିକ ନିୟମଗିରି ସୁରକ୍ଷା ସମିତି ଗଠନ କରି ପ୍ରକଳ୍ପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ । ବିରୋଧର ଲୋମଟାଙ୍କୁରା, ଲମ୍ୱା ଇତିହାସକୁ ନଯାଇ ଏତିକି କହିବା ଯେ ପ୍ରଲୋଭନ ଓ ଦମନ ଆଗରେ ପ୍ରତିବାଦ ଆନେ୍ଦାଳନ ଠିଆ ହୋଇପାରିଲା ନାହିଁ । ତା ସ୍ଥାନରେ ଠିଆ ହେଲା ବେଦାନ୍ତର ଆଲୁମିନା ରିଫାଇନେରୀ । ୨୦୦୭ ମସିହାରେ କମ୍ପାନୀର ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ ହେଲା । ୨୦୦୯ ମସିହାବେଳକୁ ରିଫାଇନେରୀରୁ ନିର୍ଗତ ବିଷାକ୍ତ ବର୍ଜ୍ୟ ସମଗ୍ର ଅଞ୍ଚଳକୁ ଦୂଷିତ କରିଦେଲା । ଲୋକେ କଲବଲ ହେଲେ । ଅନ୍ୟ ପଟେ, ଯେଉଁମାନେ ବାସହରା ଓ ଜମିହରା ହେଲେ, ଚାକିରି ପାଇବାର ଆଶା ରଖି ଦିନ ଗଣିଲେ, ସେମାନେ ତାହା ପାଇଲେ ନାହିଁ । ପ୍ରଦୂଷଣ ଓ ପ୍ରତାରଣା ଅସନ୍ତୋଷକୁ ଜନ୍ମ ଦେଲା । ଏହାର ପରିଣାମ ହେଲା ଜମିହରା ସଂଘର ଜନ୍ମ ଏବଂ କମ୍ପାନୀ ଫାଟକରେ ତାଲା, ଧାରଣା ଓ ବିକ୍ଷୋଭ । ଏହା ଲାଞ୍ଜିଗଡ଼ରେ ଲାଗାତାର ଚାଲିଆସିଲା । ୨୦୧୭ ମସିହାର ଘଟଣା ତାର ଆଉ ଏକ ସଂସ୍କରଣ ମାତ୍ର ।
ଯଦିଓ କମ୍ପାନୀର କାରଖାନା ଠିଆ ହୋଇଗଲା, କେଁ ରହିଲା ନିୟମଗିରିରୁ ବକ୍ସାଇଟ ଖନନକୁ ନେଇ । ପ୍ରକଳ୍ପବିରୋଧୀ ଆନେ୍ଦାଳନ ଦବିଗଲା ବେଳକୁ ଖଣିବିରୋଧୀ ଆନେ୍ଦାଳନ ମୁଣ୍ଡ ଟେକିଲା ସେହି ନିୟମଗିରି ସୁରକ୍ଷା ସମିତି ନେତୃତ୍ୱରେ । ଏଥର ଆଗଧାଡ଼ିରେ ରହିଲେ ନିୟମଗିରିର ଚାରିପାଖେ ଥିବା ଡଙ୍ଗରିଆ କନ୍ଧ ଗାଁଗୁଡ଼ିକ । ସମୟକ୍ରମେ, ଏହାର ନେତୃତ୍ୱ ନେଲେ ଲଦ ସିକକା । ପ୍ରତିରୋଧ ଆନେ୍ଦାଳନ ଯେତିକି ଆଗକୁ ବଢ଼ିଲା, ପୁଲିସର ଦମନ ଓ ନିର୍ଯାତନା ସେତିକି ତୀବ୍ରତର ହେଲା । ଏହା ଏକ ନିର୍ଣ୍ଣାୟକ ବିନ୍ଦୁରେ ପହଞ୍ଚିଲା ଯେବେ ସୁପ୍ରିମକୋର୍ଟ ରାୟ ଦେଲେ ଯେ ନିୟମଗିରିରୁ ଖଣି ଖନନ ହେବ କି ନାହିଁ, ତାହା ଗ୍ରାମସଭା ଦ୍ୱାରା ନିର୍ଦ୍ଧାରିତ ହେବ । ୨୦୧୩ ଜୁଲାଇ-ଅଗଷ୍ଟ ମାସରେ ୧୨ଟି ଗାଁରେ ଗ୍ରାମସଭା ହେଲା । ଲୋକେ ଖଣିଖନନକୁ ବର୍ଜନ କଲେ । ନିୟମଗିରି ବଞ୍ଚିଗଲା । ହେଲେ ଭବିଷ୍ୟତରେ କେବେ ବି ନିୟମଗିରିରୁ ବକ୍ସାଇଟ ଖଣିଖନନ ହେବ ନାହିଁ ବୋଲି ସ୍ଥିର ନିଶ୍ଚିତ ନୀତି ସରକାରଙ୍କ ତରଫରୁ ଘୋଷଣା କରାଗଲା ନାହିଁ । ନିୟମଗିରିର ବକ୍ସାଇଟ ଏକ ଖଣ୍ଡା ଭଳି ଲୋକଙ୍କ ମୁଣ୍ଡ ଉପରେ ଝୁଲିରହିଲା । ୨୦୧୬ ମସିହାରେ ଗ୍ରାମସଭାର ଫଳାଫଳକୁ ନାକଚ କରି ଆଉ ଥରେ ଗ୍ରାମସଭା କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କଲେ । ଅବଶ୍ୟ ତାହା ଅଗ୍ରାହ୍ୟ ହେଲା । ଅନ୍ୟପକ୍ଷରେ ନିୟମଗିରିର ବାସିନ୍ଦାଙ୍କ ଉପରେ ଅତ୍ୟାଚାରର ଅନ୍ତ ହେଲା ନାହିଁ । ମାଓବାଦୀ ଆରୋପରେ ସିଆର୍ପିଏଫ୍ର ତଲାସୀ ଅଭିଯାନ ଓ ଗିରଫଦାରୀ ଚାଲିଲା । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଅପ୍ରେଲ ୨୦୧୭ରେ ଘୋଷଣା କଲା ଯେ ମାଓବାଦୀଙ୍କ ମାର୍ଗଦର୍ଶନରେ ନିୟମଗିରି ସୁରକ୍ଷା ସମିତି ପରିଚାଳିତ । ଠିକ୍ ଏହି ସମୟରେ ବେଦାନ୍ତ ରିଫାଇନେରୀ ପ୍ରକଳ୍ପର କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋକଙ୍କ ନଜରକୁ ଆସିଲା । ଏହା ଉଭୟ ଜମିହରା ଓ ଖଣିବିରୋଧୀ ଶକ୍ତିଙ୍କୁ ଆଶଙ୍କିତ କଲା । ପ୍ରତାରିତ ଜମିହରା ଆଶଙ୍କା କଲେ ଯେ ରିଫାଇନେରୀ ସମ୍ପ୍ରସାରଣ ଦ୍ୱାରା ଆହୁରି ଜମି ଯିବ, ଆହୁରି ପ୍ରଦୂଷଣ ବଢ଼ିବ । ଖନନବିରୋଧୀ ଶକ୍ତି ଆଶଙ୍କା କଲେ ଯେ ରିଫାଇନେରୀ ସମ୍ପ୍ରସାରଣ ଅର୍ଥ ନିୟମଗିରିରୁ ବକ୍ସାଇଟ ଖୋଳିବା ଯୋଜନା ତଥାପି ଜୀବନ୍ତ । ଫଳସ୍ୱରୂପ, ୨୦୧୭ ଅପ୍ରେଲ ୨୫ତାରିଖରେ ବେଦାନ୍ତ ରିଫାଇନେରୀ ସମ୍ମୁଖରେ ଉଭୟ ଜମିହରା ସଂଘ ଓ ନିୟମଗିରି ସୁରକ୍ଷା ସମିତି ପ୍ରତିବାଦ କଲେ । ଅଧିକନ୍ତୁ, ଏଥିପାଇଁ ଆଇନ ମୁତାବକ ପୁଲିସ ପାଖରୁ ଅନୁମତି ବି ଆଣିଥିଲେ ।
ଆମେ ପୁଣି ଫେରିବୁ ଏତଲା ପାଖକୁ:
ଏତଲାଟି ୨୦୧୭ ଅପ୍ରେଲ ୨୬ତାରିଖ ଦିନ ଲାଞ୍ଜିଗଡ଼ ଥାନାରେ ପଞ୍ଜିକୃତ ହେଲା । ଏହାପରେ ଥାନା ଅଧିକାରୀମାନେ ଘଟଣାର ସଘନ ଅନୁସନ୍ଧାନ ଆରମ୍ଭ କଲେ । ଲଦ ସିକକାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ନିଷ୍ଠାପର ଉଦ୍ୟମ କଲେ । କିନ୍ତୁ ଧରି ପାରିଲେ ନାହିଁ । ତେଣୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରିବା ପାଇଁ ପୁଲିସ ବାବୁ ଅଦାଲତରେ ପ୍ରାର୍ଥନା କଲେ । ମାନ୍ୟବର ଅଦାଲତ ତାହା ଶୁଣିଲେ ଏବଂ ପୁଲିସବାବୁଙ୍କର ନିଷ୍ଠାପର ଉଦ୍ୟମକୁ ଆଖିରେ ରଖି ଜାମିନ ବିହୀନ ପରୱାନା ଜାରି କରିବା ପାଇଁ ୨୦୨୦ ମାର୍ଚ୍ଚ ୧୮ ତାରିଖରେ ଆଦେଶ ଦେଲେ । ଅର୍ଥାତ୍ ଘଟଣାର ପାଖାପାଖି ୩ବର୍ଷ ପରେ । ଆମେ ପୁଲିସ ବାବୁଙ୍କ ପ୍ରାର୍ଥନା ଓ ଅଦାଲତଙ୍କର ବିବେଚନା ଭିତରକୁ ଯିବାକୁ ଚାହୁଁ ନାହୁଁ । ଆମେ କେବଳ ଗୋଟିଏ ଘଟଣାର ଅବତାରଣା କରିବୁ ଯାହା ରିଫାଇନେରୀ ଘଟଣାର ପାଖାପାଖି ଦେଢ଼ବର୍ଷ ପରେ ଘଟିଥିଲା ଓ ଯେଉଁ ସମୟରେ ପୁଲିସର ସଘନ ଅନୁସନ୍ଧାନ ଚାଲିଥିଲା । ସେ ଦିନଟି ଥିଲା ୨୦୧୮ ଅକ୍ଟୋବର ୨୦ ତାରିଖ । ଲଦ ସିକକା ଲାଞ୍ଜିଗଡ଼ ହାଟକୁ କମଳା ବିକିବାକୁ ଯାଇଥିଲେ । ହାଟରେ କମଳା ବିକି ଫେରିଲାବେଳେ ମୁନିଗୁଡ଼ା ପୁଲିସ ତାଙ୍କୁ ଉଠେଇ ନେଲା । ତାଙ୍କ ହାତକୁ ପଛ ପଟରୁ ବାନ୍ଧି ଦେଇ, ଆଖିରେ ଅନ୍ଧ ପୁଟୁଳି ଲଗେଇ ଦିଆଗଲା ଏବଂ ମାଡ଼ମରା ଗଲା । ଶେଷରେ ତାଙ୍କୁ ମୁନିଗୁଡ଼ା ଥାନାକୁ ନିଆଗଲା । ପରେ ଛାଡ଼ି ଦିଆଗଲା । ଏହାର କାରଣ ହେଲା ଅକ୍ଟୋବର ୨୩ ତାରିଖ ଦିନ ପୁଲିସ ଓ ସିଆର୍ପିଏଫ୍ର ଅତ୍ୟାଚାର ବିରୁଦ୍ଧରେ ନିୟମଗିରି ସୁରକ୍ଷା ସମିତି ଏକ ପ୍ରତିବାଦ ବିକ୍ଷୋଭର ଡାକରା ଦେଇଥିଲା । ଏ ସମ୍ୱନ୍ଧରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ।
ଏହାପରେ ଜାମିନବିହୀନ ପରୱାନାକୁ କାର୍ଯ୍ୟକାରୀ କରିବାପାଇଁ ମାନ୍ୟବର ଅଦାଲତ ଲାଞ୍ଜିଗଡ଼ ଥାନାକୁ ନିଷ୍ଠାପର ଭାବେ ନିର୍ଦ୍ଦେଶ ଦେଇ ଚାଲିଲେ । ତାରିଖ ପରେ ତାରିଖ ଗଡ଼ି ଚାଲିଲା । ଇତିମଧ୍ୟରେ କଳାହାଣ୍ଡି ଏସ୍ପିଙ୍କ ଆଦେଶମତେ ଲାଞ୍ଜିଗଡ଼ ପୁଲିସ ବାବୁ ଚାର୍ଜସିଟ ଦାଖଲ କଲେ ୨୦୨୧ ଜାନୁୟାରୀ ୨୬ ତାରିଖ ଦିନ । ଅନୁସନ୍ଧାନର ଆପାତତଃ ମୁଣ୍ଡି ମରାହେଲା ଆମ ସାଧାରଣତନ୍ତ୍ର ଦିବସ ଦିନ । ଅବଶ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା କାର୍ଯ୍ୟକାରୀ କରିବାପାଇଁ ମାନ୍ୟବର ଅଦାଲତ ନିଦେ୍ର୍ଦଶ ଦେଇ ଚାଲିଲେ । ପୁଲିସ କିନ୍ତୁ ଅଭିଯୁକ୍ତଙ୍କୁ ଠାବ କରିପାରିଲା ନାହିଁ । ସେମାନେ କେଉଁଠି ଲୁଚିକି ରହିଲେ ତାହା ପୁଲିସ ଶତଚେଷ୍ଟା ସତ୍ତ୍ୱେ ଜାଣିପାରିଲା ନାହିଁ । ୨୦୨୪ ଅଗଷ୍ଟ ୭ତାରିଖ ଦିନ ମାନ୍ୟବର ଅଦାଲତ ଲଦ ସିକକା ଓ ସତ୍ୟ ମାହାର ଓ ଦଧି ପୁସିକାଙ୍କ (ସଂଯୋଗତଃ ଏ ତିନିଜଣଯାକ ନିୟମଗିରି ସୁରକ୍ଷା ସମିତିର ଆଗଧାଡ଼ିର ନେତା) ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୮୨ ଓ ୮୩ (ଧାରା ୮୨–ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରିବା ଏବଂ ଧାରା – ୮୩ ତାଙ୍କ ସମ୍ପତ୍ତି ଜବତ କରିବା)ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶଦେଲେ ।
ଦୁର୍ଗୀକୃତ ଥାନା ଭିତରେ ଓ ମାନ୍ୟବର ଜଜ୍ଙ୍କ ନ୍ୟାୟମୟ ମିସଲରେ କ’ଣ ଚାଲୁଥିଲା ଅବଶ୍ୟ ଲଦ ସିକକାଙ୍କର ଜାଣିବାର ଉପାୟ ନଥିଲା । ସେ ସେମିତି ଲାଞ୍ଜିଗଡ଼ ହାଟକୁ କମଳା ବା ସପୁରୀ ଅଦା ବା ହଳଦୀ ବିକି ଆସୁଥିଲେ । ରାସନ କାର୍ଡରେ ଚାଉଳ ଉଠଉଥିଲେ । ଡଙ୍ଗରିଆଙ୍କ ସୁବିଧା ଅସୁବିଧା ନେଇ କଲ୍ୟାଣସିଂହପୁର ବ୍ଲକ ଅଧିକାରୀଙ୍କୁ ଦେଖା କରୁଥିଲେ । ଗୋଟେ ଚର୍ଚ୍ଚିତ ଜନଆନେ୍ଦାଳନର ନେତା ହିସାବରେ ଜଳ, ଜଙ୍ଗଲ, ଜମି ରକ୍ଷା କରିବା ପାଇଁ ଓଡ଼ିଶାର ଜନଆନେ୍ଦାଳନମାନଙ୍କର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ସେଥିପାଇଁ ଜିଲ୍ଲା ସଦର ମହକୁମା ଓ ରାଜ୍ୟ ରାଜଧାନୀକୁ ବି ଯାଉଥିଲେ । ଏହି ସମୟର ଖବରକାଗଜ ଓଲଟେଇଲେ ଯେ କେହି ଜାଣିପାରିବ । ଆମେ ଗୋଟେ ଦୁଇଟା ରାଜଧାନୀ ଖବର ଉଦାହରଣ ସ୍ୱରୂପ ରଖିବୁ । ୨୦୨୨ ଡିସେମ୍ୱର ୨ତାରିଖରେ ଓଡ଼ିଶା ସରକାରଙ୍କ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ କରି ଯେଉଁ ପ୍ରତିବାଦ ରାଲୀ ହୋଇଥିଲା ସେଠି ଲଦ ସିକକା ଉପସ୍ଥିତ ଥିଲେ । ପୁଣି ଆଗାମୀ ନିର୍ବାଚନକୁ ବର୍ଜନ କରିବା ପାଇଁ ୨୦୨୪ ଜାନୁୟାରୀ ୩୦ ତାରିଖରେ ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେ ସେଥିରେ ଭାଗ ନେଇଥିଲେ । ସତରେ କ’ଣ ଉକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଲଦ ସିକକାଙ୍କ ଉପସ୍ଥିତି ବିଷୟରେ ପୁଲିସ ଜାଣି ନଥିଲା? ତେବେ ତାଙ୍କୁ ପଳାତକ ବୋଲି ଘୋଷଣା କରାଗଲା କାହିଁକି?
ଆମେ ପୁଣି ଫେରିବୁ ଆଇନର ଚଲାପଥ ପାଖକୁ । ଅଗଷ୍ଟ ୨୦୨୪ ପରଠାରୁ ମାନ୍ୟବର ଅଦାଲତ ତାରିଖ ପରେ ତାରିଖ, ଆଦେଶନାମା ପରେ ଆଦେଶନାମାରେ ଲେଖିଲେ ଯେ ଜାମିନବିହୀନ ପରୱାନା ଏବଂ ଧାରା ୮୨ ଓ ୮୩ ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଏମିତି ପାଖାପାଖି ୨ବର୍ଷ ଗଡ଼ିଗଲା । ୨୦୨୬ ମେ ୧୫ ତାରିଖ ଅଦାଲତର ନଥିପତ୍ରରେ ଉଲ୍ଲେଖ କରାଗଲା ଯେ ଧାରା ୮୨ ଓ ୮୩ ଅନୁଯାୟୀ ପ୍ରକୃତରେ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ, ତାହା ସନେ୍ଦହଜନକ । ତେଣୁ ପ୍ରୋକ୍ତ ଧାରା ଅନୁଯାୟୀ ନୂଆ ପ୍ରକ୍ରିୟା ଆରମ୍ଭ କରାଯାଉ । କିନ୍ତୁ, ସେହି ସମାନ ତାରିଖରେ କଲ୍ୟାଣସିଂହପୁର ଥାନା ଅଧିକାରୀଙ୍କୁ ମାନ୍ୟବର ଅଦାଲତ ଯେଉଁ ଚିଠି ଲେଖିଲେ ସେଥିରେ ଉଲ୍ଲେଖ କରାଗଲା ଯେ ଅଭିଯୁକ୍ତ ଲଦ ସିକକା ପରୱାନାକୁ ଏଡ଼େଇବା ପାଇଁ ଲୁଚି ରହୁଛନ୍ତି ବା ପଳାୟନ କରିଛନ୍ତି, ସେ ସମ୍ୱନ୍ଧରେ ମାନ୍ୟବର ଜଜ୍ଙ୍କର ହୃଦ୍ବୋଧ ହୋଇଛି । ଆହୁରି ମଧ୍ୟ ଆଦେଶ ଦିଆଗଲା ଯେ ଖଜଣା ଦେଉଥିବା ଜମିଜମା ସ୍ୱତ୍ତ୍ୱ ବ୍ୟତୀତ ତାଙ୍କର ଯେଉଁ ସବୁ ‘ନିମ୍ନଲିଖିତ ସମ୍ପତ୍ତି’ ଅଛି ତାହାକୁ ଜବତ କରାଯାଉ । ଅବଶ୍ୟ ଉକ୍ତ ଚିଠିରେ ‘ନିମ୍ନଲିଖିତ ସମ୍ପତ୍ତି’ର ବିବରଣୀ ନଥିଲା । ଅଦାଲତର ନଥିପତ୍ରରେ ନୂଆ ପ୍ରକ୍ରିୟା ଆରମ୍ଭ କରିବା କଥା ଉଲ୍ଲେଖ କରାଗଲା ବେଳେ, ଚିଠିରେ ସିଧାସଳଖ ସମ୍ପତ୍ତି ଜବତ କରିବା କଥା ଲେଖାଗଲା । ଏହି ବୈପରୀତ୍ୟକୁ ଆମେ କେମିତି ଦେଖିବା? ବିଷୟ ଉପରେ କୋର୍ଟଙ୍କର କ’ଣ ନଜର ରହିଲା ନାହିଁ (ଇଂରାଜୀରେ ଓବରସାଇଟ୍) ବା କହିବା ମତିଭ୍ରମ? ମୁନିମାନଙ୍କର ମତିଭ୍ରମ ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି । ଅବଶ୍ୟ ଏହା ନ୍ୟାୟମୂର୍ତ୍ତିଙ୍କ ସମ୍ୱନ୍ଧରେ କୁହାଯାଇପାରିବ ନାହିଁ ।


Source: Samadrusti TV

Link: https://www.youtube.com/watch?v=4keO1Icf8T4


ଲଦ ସିକକାଙ୍କ ଭଳି ଯେଉଁ ଡଙ୍ଗରିଆମାନେ ନିୟମଗିରିର ପ୍ରଶସ୍ତ କୋଳରେ ବାସ କରୁଛନ୍ତି, ସେମାନଙ୍କର ସମ୍ପତ୍ତି ବୋଇଲେ ନିୟମଗିରି ପାହାଡ଼– ତା ଦିହରେ ପୋଡ଼ୁଚାଷ, ତା ଛାତିରୁ ବାହାରିଥିବା ଝରଣା କୂଳରେ ଲେମ୍ୱୁ, କମଳା, ସପୁରୀ ଓ ପଣସର ବଗିଚା ଏବଂ ଜଙ୍ଗଲ, ପାହାଡ଼ରୁ ମିଳୁଥିବା ହରେକ ପ୍ରକାର ଚେର ଓ କନ୍ଦା । ସେହି ହିଁ ସେମାନଙ୍କର ସମ୍ପତ୍ତି ଓ ଜୀବିକା । ଅଧିକାଂଶ ଡଙ୍ଗରିଆ ବସତିର ବାସସ୍ଥାନ ପଟ୍ଟା ବି ନାହିଁ । ସେମାନଙ୍କର ନୁଆଁଣିଆ ଖପରିଲି ଘର ଭିତରକୁ ପଶିଗଲେ ଜଣେ ଦେଖିବ କେଉଁ କୋଣରେ ଥିବ କିଛି ମାଣ୍ଡିଆ, କୋଶଲା କାନ୍ଦୁଲ ଭଳି ଶସ୍ୟ । ଘର ପାଖକୁ ଲାଗି ରହିଥିବେ କୁକୁଡ଼ା, ଘୁଷୁରୀ ବା ଛେଳି । ସେତକ ହିଁ ସେମାନଙ୍କର ସମ୍ପତ୍ତି । ମାନ୍ୟବର ଅଦାଲତଙ୍କ ଆଦେଶ ବଳରେ କେଉଁ ସମ୍ପତ୍ତି ଜବତ କରାଯିବ? କଣ ପୋଡ଼ୁଚାଷରୁ ମିଳୁଥିବା ମାଣ୍ଡିଆ, କାନ୍ଦୁଲ ନା ଝରଣା କୋଳରେ ପାଚୁଥିବା କମଳା, ଲେମ୍ୱୁ, ସପୁରୀ ଓ ପଣସ ବା କୁକୁଡ଼ା, ଘୁଷୁରୀ ଓ ଛେଳି?
ଜନଆନେ୍ଦାଳନର ଜଣେ ନେତାଙ୍କର ସମ୍ପତ୍ତି ଜବତ କରିବା ପାଇଁ ଆଦେଶ ଜାରି ହେବା, ଯିଏ କି ପୁଣି ଜଣେ ଡଙ୍ଗରିଆ କନ୍ଧ, ସମ୍ଭବତଃ ଓଡ଼ିଶାର ଜନଆନେ୍ଦାଳନର ଇତିହାସରେ ପ୍ରଥମ । ପ୍ରତିବାଦକୁ ଅପରାଧ ଦର୍ଶାଇବା ଏବଂ ଆଇନକୁ ଏକ ଆୟୁଧ ଭାବେ ପ୍ରତିବାଦୀଙ୍କ ବିରୁଦ୍ଧରେ ପ୍ରୟୋଗ କରିବା ଶାସକଶ୍ରେଣୀ ପାଇଁ ନୂଆ ନୁହେଁ । ଏହା କେବଳ ବେଳକୁ ବେଳ ପ୍ରବଳ ହେଉଛି, ଯେତେବେଳେ ପ୍ରାକୃତିକ ସମ୍ପଦ, ବିଶେଷ କରି ଖଣିଜ ସମ୍ପଦ, କର୍ପୋରେଟ ହାତକୁ ଟେକି ଦିଆଯାଉଛି । ଏହି କଥାଟି ବହୁଳ ମାତ୍ରାରେ ଦେଖାଯାଉଛି ଓଡ଼ିଶାର ବକ୍ସାଇଟ ସମୃଦ୍ଧ ଅଞ୍ଚଳରେ । ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଓ କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଓ କୁଟ୍ରୁମାଳିରୁ ବକ୍ସାଇଟ ଖଣି ଖନନ ପାଇଁ ଯଥାକ୍ରମେ ବେଦାନ୍ତ ଓ ଆଦାନୀ କମ୍ପାନୀକୁ ଅନୁମତି ଦିଆଯିବା ପରେ ଅଞ୍ଚଳଟି ଏକ ଏକପାଖିଆ ଅଘୋଷିତ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇସାରିଛି । କେବଳ ଗୋଟିଏ ମାସରେ–୨୦୨୬ ମାର୍ଚ୍ଚ ୮ତାରିଖରୁ ଅପ୍ରେଲ ୮ ତାରିଖ ମଧ୍ୟରେ – ସେହି ଅଞ୍ଚଳରୁ ୨୪ଜଣଙ୍କୁ ଗିରଫ କରାଯାଇଛି, ୨୧୭ ଜଣଙ୍କ ନାଁରେ ଅଭିଯୋଗ ହୋଇଛି ଓ ‘ଅନ୍ୟାନ୍ୟ’ଙ୍କ ସଂଖ୍ୟା ୧୧୪୦ ଯାହା ବଳରେ ପୁଲିସ ଯାହାକୁ ଇଚ୍ଛା ତାହାକୁ ଉଠେଇ ନେଇପାରୁଛି । କେବଳ ସେତିକି ନୁହେଁ । କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ୫ଟି ନୂଆ ବକ୍ସାଇଟ ଖଣିର ନିଲାମି ପାଇଁ ୨୦୨୬ ମେ ୨୯ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣିବିଭାଗ ତରଫରୁ ଟେଣ୍ଡର ଆବେଦନ କରାଯାଇଛି । ପ୍ରକୃତି ଦୋହନକାରୀ ଏହିସବୁ ଯୋଜନା ବିରୁଦ୍ଧରେ ମୁଣ୍ଡ ଟେକିଥିବା ଆନେ୍ଦାଳନ ପ୍ରତି ନିୟମଗିରି ସୁରକ୍ଷା ସମିତି ଓ ଲଦ ସିକକାଙ୍କର ସଂହତି ଓ ସମର୍ଥନ ରହିଆସିଛି । ଠିକ୍ ସେହି ସମୟରେ ତାଙ୍କୁ ପଳାତକ ଘୋଷଣା କରି ତାଙ୍କ ସମ୍ପତ୍ତି ଜବତ କରିବାର ଆଦେଶ ହେଉଛି ଜନଆନେ୍ଦାଳନମାନଙ୍କ ପ୍ରତି ଏକ ଇସାରା – ପ୍ରତିବାଦ ଅପରାଧ ଓ ଦମନଯୋଗ୍ୟ ।

 

ବିଶ୍ୱପ୍ରିୟ କାନୁନଗୋ (BISWAPRIYA KANUNGO),  Mob:9861392021
ନିଗମ (NIGAM), Mob: 9777195324

Comments

0 comments

Share This Article