“ପାଖେ ପାଖେ ଘର ନୁହେଁ ଆତୁର,
ସବୁଜ ସୁନ୍ଦର ସଭିଙ୍କ ଘର ।
ଆମରି ଗାଁ ତ ସିଏ ସୁନ୍ଦର,
କାନନ, ନଦୀ, ପୁଷ୍କରିଣୀ ମନକୁ ଭୁଲେଇ ଦିଏ ।
ଜୁଇ, ଜାଇ, ମଲ୍ଲୀ, ପାଟ-ବେନ୍ଦରା,
ପିଜୁଳି, ପଣସ, ଆମ୍ବ, ଖଜୁରା ।
କେତେ କେତେ ଫୁଲ-ଫଳ,
ଲୋକ ନିଜ ମଧ୍ୟେ ଭାଗବଣ୍ଟା କରି ଆନନ୍ଦ ହୁଅନ୍ତି ମେଳ ।
ଆଦିବାସୀ, ବ୍ରାହ୍ମଣ, ସୁଣ୍ଢି ଘର,
ବାଘ, ପୋଢ଼, ଷଣ୍ଢ, ଗୁଡ଼ିଆ ଘର ।
ଭଣ୍ଡାରୀ, କୁମ୍ଭାର ଆଉ ମେହେର,
ଆହୁରି ଯେ କେତେ ଜାତି,
ମିଳିମିଶି କରି ସମସ୍ତେ ଚଳିଲେ ଗାଁର ହେବ ଉନ୍ନତି ।
ଗାଁ ଭାଗବତ, ଜାଗର ଜାତରା,
ଦୋଳ, ଦଶହରା, ରଥ ଜାତରା ।
ସମସ୍ତଙ୍କ ମନ ମଉଜ ଭରା,
ଆରିସା, କାକରା ପିଠା, ପଣା ଖାଇ ମନକୁ ଭୁଲାଇ ଦେବା ।
ଗାଁ ନୁହେଁ ସିଏ ଆମ ମାଟି,
ସେହି ଗାଁ ପିଲା ଆମେରେ ।
ଖାଦ୍ୟ, ବସ୍ତ୍ର ଆଉ ବାସଗୃହ ଦିଏ,
ମୋ ତଳଗାଁ ଗ୍ରାମ ସମ କିଏରେ ।”
ଏହି ମଧୁର ଏବଂ ଭାବପୂର୍ଣ୍ଣ ଗୀତର ପ୍ରତ୍ୟେକ ପଦରେ ପ୍ରତିଫଳିତ ହୁଏ ‘ତଳଗାଁ’ ପଲ୍ଲୀ ମାଟିର ପ୍ରକୃତ ସୌନ୍ଦର୍ଯ୍ୟ, ଭାଇଚାରା ଓ ସଂସ୍କୃତି । କୌଣସି ବହି ବା ପୋଥିରେ ଲିପିବଦ୍ଧ ହୋଇନଥିବା ଏହି ପାରଂପରିକ ଗୀତଟି ଗାଁର ପିଢ଼ି ପରେ ପିଢ଼ି ପୁରୁଖା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ । ବୌଦ୍ଧ ଜିଲ୍ଲାର ଜଙ୍ଗଲ ଓ ପାହାଡ଼ ତଳ ଅଞ୍ଚଳରେ ଅବସ୍ଥିତ ଏହି ଛୋଟ ଗାଁଟି ହେଉଛି ‘ତଳଗାଁ’ । ଗାଁର ଅତୀତ, ପ୍ରକୃତି, କୃଷି, ପର୍ବପର୍ବାଣି ଓ ପରଂପରାର ଏକ ସୁନ୍ଦର କାହାଣୀ କୁ ଉପସ୍ଥାପନା କରିଛନ୍ତି ଶିବାନୀ କହଁର ।

ଗାଁର ଇତିହାସ ଓ ସାମାଜିକ ଗଠନ
ଗାଁର ବୃଦ୍ଧଲୋକମାନଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବେ ମାତ୍ର ୪ ରୁ ୫ ଜଣ ଅନ୍ୟତ୍ର ଖଜଣା ନ ଦେଇପାରି ଏହି ଜଙ୍ଗଲ-ପାହାଡ଼ ମଝିରେ ବସତି ସ୍ଥାପନ କରିଥିଲେ । ଗାଁଟି ପାହାଡ଼ର ସର୍ବନିମ୍ନ (ତଳ) ଭାଗରେ ବସତି ସ୍ଥାପନ କରିଥିବାରୁ ଏହାର ନାମ ରଖିଥିଲେ ‘ତଳଗାଁ’ ।
କାଳକ୍ରମେ କନ୍ଧ ସଂପ୍ରଦାୟ ସହ ସୁଣ୍ଡି, ତେଲି, ଗୌଡ଼, କମାର, ବଢ଼େଇ, ପାଣ ଓ ବ୍ରାହ୍ମଣ ଆଦି ବିଭିନ୍ନ ଜାତିର ଲୋକମାନେ ଆସି ଏଠାରେ ବସବାସ କଲେ । ଆଜି ପ୍ରାୟ ୯୦ ରୁ ୯୫ ଟି ଘର ଏବଂ ୪୦୦ ରୁ ୫୦୦ ଲୋକଙ୍କୁ ନେଇ ଗଢ଼ିଉଠିଛି ଏହି ଭାଇଚାରାର ଗାଁ । ଗାଁ କେବେ ସ୍ଥାପନ ହେଲା ଏବଂ ପ୍ରଥମ ବାସିନ୍ଦା କିଏ ଥିଲେ, ଏ ବିଷୟରେ ଗାଁର ଲୋକମାନେ ବେଶୀ କିଛି ଜାଣିନାହାନ୍ତି । ଅନୁମାନ କରାଯାଏ ଗାଁ ର ପ୍ରଥମ ବାସିନ୍ଦା କନ୍ଧ ସମ୍ପ୍ରଦାୟର ଲୋକମାନେ ଥିଲେ ।
ଗାଁ ଲୋକମାନଙ୍କର ପ୍ରମୁଖ ଜୀବିକା ହେଉଛି କୃଷି । ଗାଁରେ କୁମ୍ଭାର କାମ, ବଢ଼େଇ କାମ, କମାର କାମ, ମିସ୍ତ୍ରୀ କାମ, ମାଟିରୁ ମୂର୍ତ୍ତି ତିଆରି କାମ, ବାଉଁଶରୁ ବିଭିନ୍ନ ପାତ୍ର, ଝାଡ଼ୁ ଇତ୍ୟାଦି କାରିଗରୀ କାମ ହୁଏ । ଗାଁର ଅଧା ଲୋକ ଏହି କାମ କରି ନିଜର ପରିବାର ଚଳାଉଛନ୍ତି । ଗାଁରେ ଗୋଟିଏ ଶିକ୍ଷାନୁଷ୍ଠାନ ଅଛି, ସେଠିକି ଆମ ଗାଁରୁ ଅଧାରୁ ଅଧିକ ପିଲା ପାଠ ପଢ଼ିବାକୁ ଯାଉଛନ୍ତି । ଗାଁର ୧୦ ରୁ ୧୨ ଜଣ ପିଲା ଅଧାରୁ ପାଠ ଛାଡ଼ିଛନ୍ତି, ସେମାନେ ଓଡ଼ିଶା ବାହାରକୁ ଯାଇ କାମ କରୁଛନ୍ତି ।
ଗାଁରେ ପାଣିପାଗ ସହିତ କୃଷି କାର୍ଯ୍ୟରେ ମଧ୍ୟ ବହୁତ ପରିବର୍ତ୍ତନ ଘଟିଛି । ଯେପରି କି ଆଗରୁ ଅଧିକ ଲୋକ କୃଷିକାର୍ଯ୍ୟ କରୁଥିଲେ, କାରିଗରୀ କାମରେ ପଛରେ ଥିଲେ; କିନ୍ତୁ ଏବେ ଗାଁର ଲୋକମାନେ ବହୁ ପ୍ରକାର କାରିଗରୀ କାମ କରୁଛନ୍ତି, ଯାହା ଦ୍ୱାରା ଆମ ଗାଁ ଆଗକୁ ବଢ଼ିଛି, ଅର୍ଥ ଅଭାବର ଚିନ୍ତା ଦୂର ହୋଇଛି । ଏହି ପରିବର୍ତ୍ତନ ଦ୍ୱାରା ଗାଁରେ ବେଶୀ କିଛି ପରିବର୍ତ୍ତନ ହୋଇନାହିଁ ।

କୃଷିକୁ ନେଇ ମୁଁ ଗାଁର ବୟସ୍କ ଚାଷୀ ଦାଶରଥି କହଁର । ଯିଏ ଗତ ୩୦ ବର୍ଷ ହେଲାଣି ଚାଷକାର୍ଯ୍ୟ କରୁଛନ୍ତି, ତାଙ୍କୁ ଗାଁର ଚାଷବାସ ବିଷୟରେ ପଚାରିଥିଲି । ସେ ତାଙ୍କ ଜେଜେବାପାଙ୍କ ସମୟରେ ହେଉଥିବା ଚାଷବାସ ବିଷୟରେ କିଛି ଜାଣିଥିଲେ । ସେତେବେଳେ ଧାନ, ମାଣ୍ଡିଆ ଇତ୍ୟାଦି ଚାଷ ହେଉଥିଲା । କେବଳ ହଳ-ଲଙ୍ଗଳ ଦ୍ୱାରା ଚାଷ ହେଉଥିଲା, ଚାଷରେ ଗୋବର ଓ ଖତ-ସାର ବ୍ୟବହାର ହେଉଥିଲା ।
ଏବେ ଧାନ, ସୋରିଷ, ବାଜରା, ମୁଗ, ବିରି, ମାଣ୍ଡିଆ ଇତ୍ୟାଦି ଚାଷ ହେଉଛି । ଚାଷରେ ଅଧିକ ଅମଳ ପାଇଁ ଖତ-ସାର ସହିତ ରାସାୟନିକ ସାର ଇତ୍ୟାଦି ବ୍ୟବହାର ହେଉଛି । ଆଗରୁ ବିହନକୁ ଲୋକମାନେ ସାଇତି ରଖୁଥିଲେ ଓ ପୁଣି ବ୍ୟବହାର କରୁଥିଲେ । ଏବେ ଚାଷୀମାନେ ବିହନ ରଖୁନାହାନ୍ତି, ସିଧାସଳଖ ଦୋକାନରୁ କିଣୁଛନ୍ତି ।
କେଉଁ ସବୁ ସ୍ଥାନୀୟ ବିହନ, ଫସଲ ବା ଉଦ୍ଭିଦ ଲୋପ ପାଇଗଲାଣି ବୋଲି ମୁଁ ତାଙ୍କୁ ପଚାରିଥିଲି, ସେ କହିଲେ, “ଏହି ସବୁ ବିଷୟରେ ବେଶୀ କିଛି ଧାରଣା ନାହିଁ, କିନ୍ତୁ ବେଶୀ କିଛି ସ୍ଥାନୀୟ ଫସଲ ଲୋପ ପାଇନାହିଁ ।
ମୁଁ ପୁଣି ତାଙ୍କୁ ପଚାରିଥିଲି, ଆଗରୁ କେଉଁ ସବୁ କ୍ଷୁଦ୍ରଶସ୍ୟ ଚାଷ ହେଉଥିଲା, ଏବେ କେଉଁ ସବୁ କ୍ଷୁଦ୍ରଶସ୍ୟ ଚାଷ ହେଉଛି? ସେ କହିଲେ, ଆଗରୁ ମାଣ୍ଡିଆ, ସୁଆଁ ଚାଷ ହେଉଥିଲା । ଏବେ ମାଣ୍ଡିଆ, ବାଜରା, ସୋରିଷ ଚାଷ ହେଉଛି ।
ଆଗରୁ କେନାଲ ଖନନ କରି ଚାଷକାର୍ଯ୍ୟ କରୁଥିଲେ, ଏବେ ମୋଟର ସାହାଯ୍ୟରେ ଉଠା ଜଳସେଚନ କରୁଛନ୍ତି । ଚାଷୀମାନେ ଫସଲକୁ ମହାଜନ ପାଖରେ ବିକ୍ରି କରୁଥିଲେ, ଏବେ ଧାନ ମଣ୍ଡିରେ ବିକ୍ରି କରୁଛନ୍ତି । ମାଟି, ପାଣି, ଜଙ୍ଗଲର ସୁରକ୍ଷା ପାଇଁ ପୂଜାପାଠ କରୁଥିଲେ ଓ ବଳି ଦେଉଥିଲେ । ଏବେ ମାଟି ଓ ପାଣି ପ୍ରତି କମ୍ ଧ୍ୟାନ ଦେଇ ଜଙ୍ଗଲର ସୁରକ୍ଷାରେ ଅଧିକ ଧ୍ୟାନ ଦେଉଛନ୍ତି । ଚାଷକାର୍ଯ୍ୟ ସହିତ ସଂପର୍କ ବହୁତ ପୁରୁଣା । ପାରଂପରିକ ଚାଷ ପ୍ରଣାଳୀ ପ୍ରାକୃତିକ ମାନବ ମଧ୍ୟରେ ସଂପର୍କ ନିବିଡ଼ କରେ ।

( ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗ୍ରାମ୍ୟ ଜୀବନୀ ଓ ଐତିହ୍ୟ ଅଧୟନ କେନ୍ଦ୍ର ତରଫରୁ ଗ୍ରାମ ର ଛାତ୍ର ଓ ଯୁବକ ମାନଙ୍କୁ ନେଇ ଗ୍ରାମ୍ୟ ଜୀବନୀ ଲେଖା ଯାଉଛି। ସମଧ୍ୱନି ମାଧ୍ୟମରେ ଗ୍ରାମ ଇତିହାସ ଲେଖିବା କାମ ଜାରି ରହିଛି। ଆମ Village Biography ଭାଗ ରେ ଆମେ ନିୟମିତ ସେସବୁକୁ ସ୍ଥାନ ଦେବୁ )
ଆମ ଗାଁ ପାଖ ଜଙ୍ଗଲରେ କେଉଁ କେଉଁ ପ୍ରକାର ଗଛ ଦେଖିବାକୁ ମିଳେ? କେଉଁ ଗଛଗୁଡ଼ିକ ଷୌଧୀୟ ଓ ସେଥିରୁ କେଉଁ ସବୁ ରୋଗ ଭଲ ହୁଏ? ଏସବୁ ବିଷୟରେ ଜାଣିବାପାଇଁ ମୁଁ ଯାଇଥିଲି ବିଳାସ ଜାନୀ, ବୟସ ପାଖାପାଖି ୬୫ଙ୍କ ପାଖକୁ । ସେ କହିଲେ,ଗାଁ ପାଖ ଜଙ୍ଗଲରେ ଶାଳ, ପିଆଶାଳ, ଶିଶୁ, ବେଲ, ଖଇର, ନିମ୍ବ ଗଛ ଦେଖାଯାଏ । ବେଲ ଗଛ ଓ ନିମ୍ବ ଗଛ ହେଉଛି ଔଷଧୀୟ ଗଛ । ବେଲ ଗଛରୁ ପେଟ ରୋଗ ଭଲ ହୁଏ ଓ ନିମ୍ବ ଗଛରୁ ଚର୍ମ ରୋଗ ଭଲ ହୁଏ ।
ଗାଁର ଲୋକମାନେ ପାଖ ଜଙ୍ଗଲରୁ ଗ୍ରୀଷ୍ମ ଋତୁରେ ଭାଲିଆ ସହିତ ମହୁଲ ଆଣନ୍ତି , ତାକୁ ବିକ୍ରି କରନ୍ତି ଓ କେନ୍ଦୁ ଆଣି ଖାଆନ୍ତି । ବର୍ଷା ଋତୁରେ ମାସିଆ କନ୍ଦା ଆଣନ୍ତି, ତାକୁ ଖାଆନ୍ତି । ବସନ୍ତ ଋତୁରେ ଝୁଣା ଆଣି ବିକ୍ରି କରନ୍ତି ତା ସହିତ ମହୁ , ଚାରକୋଳି ମଧ୍ୟ ଆଣନ୍ତି ତାକୁ ବିକ୍ରି କରିବା ସହିତ ଖାଇଥାନ୍ତିି । ରୋଜଗାର ଦେଇଥାଏ ଜଙ୍ଗଲ । ଲୋକମାନେ ଆଗରୁ ଜଙ୍ଗଲରୁ ଯାହା ସଂଗ୍ରହ କରୁଥିଲେ, ଏବେ ତାହା କରୁନାହାନ୍ତି । କାରଣ ଆଗରୁ ଯାହା ସଂଗ୍ରହ କରୁଥିଲେ, ଏବେ ସେଗୁଡ଼ିକ ଲୋପ ପାଇଗଲାଣି ।
ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମରେ ବନ ସୁରକ୍ଷା ସମିତି କାମ କରୁଛନ୍ତି । ଜଙ୍ଗଲର ସୁରକ୍ଷା ଆବଶ୍ୟକ । ଜଙ୍ଗଲ ସୁରକ୍ଷା କରିବା ପାଇଁ ଆମକୁ ଗଛ ଲଗାଇବାକୁ ପଡ଼ିବ, ନିଜେ ସଚେତନ ହୋଇ ଅନ୍ୟକୁ ଜଙ୍ଗଲ ସୁରକ୍ଷା ବିଷୟରେ ସଚେତନ କରିବାକୁ ପଡ଼ିବ ଓ ଜୈବ ବିବିଧତାକୁ ସୁରକ୍ଷା କରିବା ପାଇଁ ଅଞ୍ଚଳର ବିଦ୍ୟାଳୟ, ସ୍ଥାନୀୟ ସଂସ୍ଥାମାନଙ୍କୁ ସଚେତନ କରିବା ଉଚିତ ।

ଗାଁରେ କେଉଁ ସବୁ ପର୍ବ ପାଳନ କରାଯାଏ ଓ କେଉଁ ମାସରେ କେଉଁ ପର୍ବ ପାଳନ କରାଯାଏ ଆଗରୁ କେମିତି ପାଳନ କରାଯାଉଥିଲା ଏବେ ସେଥିରେ କଣ ପରିବର୍ତ୍ତନ ହୋଇଛି ଜାଣିବା ପାଇଁ ମୁଁ ଗାଁର ବୟସ୍କ ବ୍ୟକ୍ତି ଅଚ୍ୟୁତାନନ୍ଦ ସାହୁ, ବୟସ ୬୨ଙ୍କୁ ପଚାରିଥିଲି । ସେ କହିଲେ, ଏବେ ଗାଁରେ ରଜ ପର୍ବ , ମକର ସଂକ୍ରାନ୍ତି , ଜାଗର, ଦୋଳ ପୂର୍ଣ୍ଣିମା, ପଣା ସଂକ୍ରାନ୍ତି, ଖୁଦୁରୁକୁଣୀ ଓଷା , ନୂଆଖାଇ, ଦୀପାବଳୀ ଇତ୍ୟାଦି ପର୍ବ ପାଳନ କରାଯାଉଛି । ଆଗରୁ ଡାଲଖାଇ, ନୂଆଖାଇ, ମକର ସଂକ୍ରାନ୍ତି ଇତ୍ୟାଦି ପାଳନ କରାଯାଉଥିଲା । ହଁ, ସେହି ସବୁ ପର୍ବ ପାଳନ କରାଯାଉଛି; କିନ୍ତୁ ଡାଲଖାଇ ଆଉ ପାଳନ କରାଯାଉନାହିଁ । ପୂର୍ବପୁରୁଷମାନେ ଡାଲଖାଇ ପାଳନ କରୁଥିଲେ, କିନ୍ତୁ ସମୟ ସହିତ ଏହି ପର୍ବକୁ ଆଉ ପାଳନ କରାଯାଉନାହିଁ । କୃଷିକୁ ନେଇ ଏହି ଦୁଇଟି ପର୍ବ କାହିଁ କେଉଁଅମଳରୁ ପାଳନ ହୋଇ ଆସୁଛି । ଚାଷର ଆରମ୍ଭରୁ ବିହନ ବୁଣିବା ବେଳେ ଅକ୍ଷୟ ତୃତୀୟା ପାଳନ କରାଯାଏ ଓ ଫସଲ ଅମଳ ପରେ ନୂଆଖାଇ ପାଳନ କରାଯାଏ । ମନ୍ଦିର ବ୍ୟତିତ ଲୋକମାନେ ଜଙ୍ଗଲ ଓ ପାହାଡ଼କୁ ପୂଜା କରନ୍ତି । ପାଣିପାଗ ଭଲ ରହିବା ପାଇଁ ଓ କୃଷି ଭଲ ହେବା ପାଇଁ ପୁଜା କରାଯାଏ । ପର୍ବ-ପରଂପରା ବହୁତ ଗୁରୁତ୍ୱପୂର୍ଣ୍ଣ ।
ଗାଁର ଲୋକମାନଙ୍କର ମୁଖ୍ୟ ଖାଦ୍ୟ କ’ଣ? ଲୋକମାନେ କେଉଁ ସବୁ ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି? କେଉଁ ଋତୁରେ କେଉଁ ସବୁ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି? ଏଭଳି ପ୍ରଶ୍ନନେଇ ମୁଁ ଯାଇଥିଲି ଗଙ୍ଗାଧର କହଁର, ବୟସ ୬୦ଙ୍କ ପାଖକୁ । ସେ କହିଲେ, ଗାଁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଭାତ । ଯାଉ ମଧ୍ୟ କରି ଖାଆନ୍ତି । ଗ୍ରୀଷ୍ମ ଋତୁରେ ଲୋକମାନେ ପଖାଳ ଖାଇବାକୁ ପସନ୍ଦକରନ୍ତି, ପଖାଳ ଦେହକୁ ବହୁତ ଥଣ୍ଡା ରଖେ । ଆଗରୁ ମାଣ୍ଡିଆ ଆଉ ଲେଥା ଖାଉଥିଲେ, ଏବେ ଅଧିକ ଖାଉନାହାନ୍ତି । ଜଙ୍ଗଲରୁ ମହୁଲ ସଂଗ୍ରହକରି ମହୁଲ ପିଠା, ଯାହାକୁ ଆଗରୁ ଖାଉଥିଲେ କିନ୍ତୁ ବର୍ତ୍ତମାନ ଲୁପ୍ତ ହୋଇଗଲାଣି । ଯଦି ମହିଳାମାନେ ପାରଂପରିକ ଖାଦ୍ୟକୁ ନିଜ ଘରେ ତିଆରି କରିବେ ତେବେ ଘରର ଲୋକମାନେ ସେହି ଖାଦ୍ୟକୁ ଖାଇବେ ଓ ପାରଂପରିକ ଖାଦ୍ୟ ଲୋପ ପାଇବ ନାହିଁ ।
ଆମ ଗାଁରେ ଆଗରୁ ମ୍ୟାଲେରିଆ, ହଇଜା, ରକ୍ତହୀନତା ଆଦି ରୋଗ ଦେଖାଯାଉଥିଲା । ସେତେବେଳେ ଘରତୋଳି (ଦେଶୀ/ଘରୋଇ) ଔଷଧ ଦ୍ୱାରା ରୋଗ ଭଲ କରୁଥିଲେ ।ଏବେ ଡାଇରିଆ, ବସନ୍ତ, ମିଳିମିଳା, ରକ୍ତହୀନତା ହେଲେ ରୋଗ ଭଲ କରିବା ପାଇଁ ମେଡିକାଲ ଯାଉଛନ୍ତି । ଗାଁର ଜୀବନୀ ଲେଖିବା ଦ୍ୱାରା ମୁଁ ଗାଁର ବୟସ୍କ ଲୋକମାନଙ୍କ ସହିତ ମିଶିପାରିଛି ଓ ସେମାନଙ୍କଠାରୁ ଗାଁର ଇତିହାସ, ପରମ୍ପରା, ଚାଷ,ପର୍ବପର୍ବାଣି କଥା ଜାଣିପାରିଛି । ଗାଁର ଐତିହ୍ୟ ବିଷୟରେ ଜାଣିବା ଉଚିତ । ଗାଁର ଐତିହ୍ୟ ବଞ୍ଚିରହିବା ମଧ୍ୟ ଆବଶ୍ୟକ । ଗାଁର ଐତିହ୍ୟକୁ ଜାଣିଲେ ହିଁ ଗାଁ ବିଷୟରେ ଅଧିକ କଥା ଜାଣିପାରିବା । ମୋ ପାଇଁ ମୋ ଗାଁ ସବୁଠୁ ଅମୂଲ୍ୟ ହୋଇରହିବ ।

ଶିବାନୀ କହଁର, ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଜୁନିଅର ମହାବିଦ୍ୟାଳୟ, ଜି . ଉଦୟଗିରି , କନ୍ଧମାଳ ର ଛାତ୍ରୀ
Comments
0 comments

