ମୂଳଲେଖା- ଡ. ପରକାଳ ପ୍ରଭାକର
ଭାଷାନ୍ତର- ସମଦୃଷ୍ଟି ବ୍ୟୁରୋ
(୧)
ଏହାହେଉଛି ଡକ୍ଟର ବି.ଆର. ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ (B.R. Ambedkar Open University)ରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାମାଜିକ-ରାଜନୈତିକ ସମୀକ୍ଷକ ପରକାଳ ପ୍ରଭାକରଙ୍କ ଦ୍ୱାରା ପ୍ରଦତ୍ତ ‘ପି.ଭି. ନରସିଂହ ରାଓ ସ୍ମାରକୀବକ୍ତୃତା’ର ପ୍ରଥମ ଭାଗ । ପ୍ରଫେସର ପ୍ରଭାକର ଯେମତି ବକ୍ତୃୃତାକୁ ଉପସ୍ଥାପନା କରିଛନ୍ତିିି, ଆମେ ତାକୁ ସେଭଳି ରଖିଛୁ । ପ୍ରଭାକରଙ୍କ ଯୁକ୍ତିରେ ଯେଉଁ ଜିନିଷକୁ ଭୋଟର ତାଲିକାର ଏକ ସାଧାରଣ ସଂଶୋଧନ ଭାବେ ଉପସ୍ଥାପନ କରାଯାଉଛି, ତାହା ପ୍ରକୃତରେ ତା’ଠାରୁ ଅନେକ ଗୁଣା ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଗାମୀ ପ୍ରଭାବଶାଳୀ ଅଟେ । ନିର୍ବାଚନ କମିଶନଙ୍କ ସ୍ପଷ୍ଟୀକରଣ, ଏହି ପ୍ରକ୍ରିୟାକୁ ନେଇ ରହିଥିବା ଅସ୍ପଷ୍ଟତା (ଗୋପନୀୟତା) ଏବଂ ବିଭିନ୍ନ ରାଜ୍ୟରୁ ମିଳିଥିବା ପ୍ରମାଣଗୁଡ଼ିକୁ ଅନୁଧ୍ୟାନ କରି ସେ ଦାବି କରିଛନ୍ତି ଯେ, ଏହି ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ଭାରତର ଗଣତାନ୍ତ୍ରିକ ଢାଞ୍ଚାର ଏକ ବ୍ୟାପକ ପରିବର୍ତ୍ତନର ଆରମ୍ଭକୁ ସୂଚାଉଛି ।
ଯଦି ମୁଁ କେବେ ନିଜକୁ ଭାଗ୍ୟବାନ, ଆଶୀର୍ବାଦପ୍ରାପ୍ତ ଏବଂ ସୌଭାଗ୍ୟଶାଳୀ ମନେ କରିବି, ତେବେ ତାହା କେବଳ ଗୋଟିଏ କାରଣ ପାଇଁ ହେବ: ଆଉ ତାହା ହେଉଛି, ମୁଁ ଶ୍ରୀ ପି.ଭି.ନରସିଂହ ରାଓଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ।

ଯଦିଓ ମୁଁ ତାଙ୍କୁ ମୋ ପିଲାଦିନୁ ଜାଣିଛି, ତଥାପି ମୁଖ୍ୟତଃ ମୋର ବିଶ୍ୱବିଦ୍ୟାଳୟ ଶିକ୍ଷାପାଇଁ ଦିଲ୍ଲୀରେ ଥିବା ଦିନଗୁଡ଼ିକରେ ହିଁ ମୁଁ ତାଙ୍କୁ ଭେଟିଥିଲି ଏବଂ ତାଙ୍କ ବିଷୟରେ ଅଧିକ ଜାଣିବାକୁ ପାଇଥିଲି । ମୁଁ ତାଙ୍କସହ କଥାବାର୍ତ୍ତା କରିଛି, ତାଙ୍କ ସହ ଯୁକ୍ତିତର୍କ କରିଛି, ତାଙ୍କଠାରୁ ଶିଖିଛି, ତାଙ୍କ ସହ ନୀରବରେ ବସିଛି, ତାଙ୍କ ସହ ଖାଇଛି, ତାଙ୍କ ସହ ଯାତ୍ରା କରିଛି, ଏପରିକି ତାଙ୍କ ସହ ବ୍ୟାଡମିଣ୍ଟନ ମଧ୍ୟ ଖେଳିଛି । ଏହା ମୋ ପାଇଁ ଏକ ବିନା ପରିଶ୍ରମରେ ମିଳିଥିବା ସୁଯୋଗ (ବା ଅଧିକାର) ଥିଲା, ଯାହାପାଇଁ ମୁଁ ନିଜେ କିଛି ଯୋଗ୍ୟତା ଅର୍ଜନ କରିନଥିଲି । ମୁଁ କେବଳ ଭାଗ୍ୟବଶତଃ ତାଙ୍କର ଜଣେ ରାଜନୈତିକ ସହକର୍ମୀ ତଥା ବନ୍ଧୁଙ୍କ ପୁତ୍ର ଥିଲି । ସେହି ସୌଭାଗ୍ୟ ମୋତେ ଆଧୁନିକ ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କୁ ଅତି ନିକଟରୁ ଦେଖିବାର ଏକ ସୁଯୋଗ ଦେଇଥିଲା ।
SIR ଏବଂ ଏକ ମତାଧିକାରରୁ ବଞ୍ଚିତ ପ୍ରଜାତନ୍ତ୍ରର ଗଠନ
ସତକର୍ତାର ଘଣ୍ଟି
ମୁଁ ପ୍ରଥମେ ସତକର୍ତାର ଘଣ୍ଟି ବଜାଇବାକୁ ଚାହିଁବି ।
ଆଗାମୀ ଦିନଗୁଡ଼ିକରେ ଆମେ ହୁଏତ ଏଭଳି ସଭାସମିତି ସ୍ୱାଧୀନ ଭାବରେ ଆୟୋଜନ କରିବାକୁ ସକ୍ଷମ ହୋଇନପାରୁ । ଆପଣ କୌଣସି ଜଣେ ନିର୍ଦ୍ଦିଷ୍ଟ ବକ୍ତାଙ୍କୁ ନିମନ୍ତ୍ରଣ କରିପାରିବେ କି ନାହିଁ, କିମ୍ବା ସେହି ବକ୍ତା ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ କହିପାରିବେ କି ନାହିଁ, ସେଥିପାଇଁ ହୁଏତ ଆପଣଙ୍କୁ ଶାସନ ଗାଦିରେ ଥିବା କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିପାରେ । ବକ୍ତା ସେହି ନିର୍ଦ୍ଦିଷ୍ଟ ମତାମତ ଉପସ୍ଥାପନ କରିପାରିବେ କି ନାହିଁ ତାହା ସ୍ଥିର କରିବା ପାଇଁ, ଆପଣଙ୍କୁ ହୁଏତ ବକ୍ତବ୍ୟର ଲେଖାକୁ ଆଗୁଆ ଦାଖଲ କରିବାକୁ ମଧ୍ୟ କୁହାଯାଇପାରେ । ଏଭଳି ସମସ୍ତ ବିଶୃଙ୍ଖଳା ଏବଂ ଅପମାନରୁ ବଞ୍ଚିବା ପାଇଁ, ଆପଣ ହୁଏତ ଖୁବ୍ ଶୀଘ୍ର ନିଜଆଡ଼ୁ ଏଭଳି ସମସ୍ତ ଆଲୋଚନାଚକ୍ରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବାକୁ ଆଗେଇ ଆସିପାରନ୍ତି । ବର୍ତ୍ତମାନ ଏହାର ଏକ ଦୃଢ଼ ସମ୍ଭାବନା ଦେଖାଯାଉଛି । ଏହା ଆମ ଆଖି ଆଗରେ ସ୍ପଷ୍ଟ ଦେଖାଯାଉଛି । ଏଥିରେ କୌଣସି ଭ୍ରମ ରଖନ୍ତୁ ନାହିଁ ।
ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଲାଲ୍କିଲ୍ଲା ଉପରେ ଆମର ପ୍ରିୟ ତ୍ରିରଙ୍ଗା ପତକା ଉଡ଼ିବାର ଏକ ଭଲ ସୁଯୋଗ ରହିଛି । କିନ୍ତୁ ପରବର୍ତ୍ତୀ ସ୍ୱାଧୀନତା ଦିବସରେ ଏହା ସେଠାରେ ଉଡ଼ିବ କି ନାହିଁ, ସେ ବିଷୟରେ ମୁଁ ନିଶ୍ଚିତ ନୁହେଁ । ତ୍ରିରଙ୍ଗା ସ୍ଥାନରେ କେଉଁ ପତାକା ଆସିପାରେ, ତାହା ଅନୁମାନ କରିବା ଆପଣଙ୍କ ପାଇଁ ଆଦୌ କଷ୍ଟକର ନୁହେଁ ।
ନିକଟରେ, କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ ସମସ୍ତ କେନ୍ଦ୍ର ସରକାରଙ୍କ ସରକାରୀ ସଭା ଏବଂ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ର ସମସ୍ତ ୬ଟିଯାକ ସ୍ତବକ ଗାନ କରାଯିବା ବାଧ୍ୟତାମୂଳକ କରାଯାଇଛି । ଏହି ବିଜ୍ଞପ୍ତିରେ ଏହା ମଧ୍ୟ ନିର୍ଦ୍ଧାରଣ କରାଯାଇଛି ଯେ ଜାତୀୟସଙ୍ଗୀତ ‘ଜନ ଗଣ ମନ’ ପୂର୍ବରୁ ‘ବନ୍ଦେ ମାତରମ୍’ ଗାନ କରାଯିବ । ଅଧିକ ଦିନ ଯିବ ନାହିଁ, ଜନ ଗଣ ମନକୁ ବାଦ୍ ଦେବାପାଇଁ ବାହାନା ସବୁ ଖୋଜାଯିବ । ସେମାନେ କହିବେ ଯେ ସମୟ ଅଭାବ ଅଛି ଏବଂ ଯେହେତୁ ସେମାନେ ଇତିମଧ୍ୟରେ ବନ୍ଦେ ମାତରମ୍ ଗାନ କରିସାରିଛନ୍ତି, ତେଣୁ ସେମାନେ ଜନ ଗଣ ମନକୁ ବାଦ୍ ଦେଇପାରନ୍ତି । ସେହି ବାହାନାଟି ହୁଏତ ନୀରିହ ବା ସାଧାରଣ ମନେ ହୋଇପାରେ । କିନ୍ତୁ ଜନ ଗଣ ମନ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସେହି ବାହାନାଟି କେବଳ ଏକ ସାମୟିକ ପଦକ୍ଷେପ ହେବ । ଏବଂ ତା’ପରେ ଜନ ଗଣ ମନକୁ ହଟାଇବା ପାଇଁ ଏକ ସରକାରୀ ନିଷ୍ପତ୍ତି ପ୍ରକାଶ ପାଇବ । ଯେଉଁମାନେ ଆମ ଲୋକସଭାରେ ବନ୍ଦେ ମାତରମ୍ ଉପରେ ହୋଇଥିବା ନିକଟର ୧୦ ଘଣ୍ଟିଆ ମାରାଥନ୍ ଆଲୋଚନାକୁ ନିଷ୍ଠାର ସହ ଅନୁଧ୍ୟାନ କରିଛନ୍ତି, ସେମାନେ ଏହି ଆଶଙ୍କାରୁ ମୁକ୍ତ ହୋଇପାରିବେ ନାହିଁ ।
କେନ୍ଦ୍ର ସରକାରଙ୍କ ବନ୍ଦେ ମାତରମ୍ ବିଜ୍ଞପ୍ତି

କେନ୍ଦ୍ର ସରକାର ନିକଟରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଏକ ଉଚ୍ଚସ୍ତରୀୟ କମିଟି (HLCDC) ଗଠନ କରିଛନ୍ତି । ଏହି କମିଟି ଗଠନର ଯୁକ୍ତିଯୁକ୍ତତା ପଛରେ ‘ବେଆଇନ ଅନୁପ୍ରବେଶ’କୁ କମିଟିର କାର୍ଯ୍ୟାବଳୀ (Terms of Reference)ରେ ବାରମ୍ବାର ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଏହି ଦେଶର ଅବାଂଛିତ ବାସିନ୍ଦା ଭାବରେ ଚିହ୍ନିତ କରିବା ସରକାରଙ୍କ ଉଦ୍ଦେଶ୍ୟ ଅଟେ ।
SIR : ଭୋଟର ତାଲିକା ସଫା କରିବାର ଏକ ପ୍ରୟାସ!
ଆମ ଦେଶରେ ବର୍ତ୍ତମାନ ଚାଲିଥିବା ଭୋଟର ତାଲିକା ସଂଶୋଧନର ଏକ ବୃହତ ପ୍ରକ୍ରିୟା ବିଷୟରେ । ଏହାକୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (SIR-ସ୍ୱତନ୍ତ୍ର ସଘନ ସଂଶୋଧନ) କୁହାଯାଏ । ଏକ ଧର୍ମନିରପେକ୍ଷ ଗଣତନ୍ତ୍ର ଭାବରେ ଭାରତର ଆମର ପ୍ରିୟ ଚିନ୍ତାଧାରା ଏବଂ ଏହି ମାଟିର ଲୋକମାନଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃଭାବ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଆମ ଗଣରାଜ୍ୟ ପାଇଁ ଏହାର ଅର୍ଥ କ’ଣ ହେବ, ସେ ବିଷୟରେ ମୁଁ ଆଲୋଚନା କରିବି । ଏହି ଆଦଶର୍ଗୁଡ଼ିକର ଜଣେ ଦୃଢ଼ ସମଥର୍କ ଥିଲେ ବାବାସାହେବ ଆମ୍ବେଦକର ।
ଭୋଟର ତାଲିକାକୁ ସଫା କରିବାର ଏକ ପ୍ରୟାସ ଭାବରେ ‘SIR’ କୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି । ଭାରତୀୟ ନିର୍ବାଚନ କମିଶନ (ECI) ଏହାକୁ ଭୋଟର ତାଲିକାରୁ ଅନୁପସ୍ଥିତ (Absent), ସ୍ଥାନାନ୍ତରିତ (Shifted), ମୃତ (Dead) ଏବଂ ନକଲି (Duplicate) ବା ସଂକ୍ଷେପରେ ‘ASDD’ ଭୋଟରଙ୍କ ନାମ ବାଦ୍ ଦେବାପାଇଁ ଉଦ୍ଦିଷ୍ଟ ଏକ ପ୍ରକ୍ରିୟା ଭାବରେ ପ୍ରଚାର (marketed) କରିଛନ୍ତି । ଏହା ସହିତ ଭୋଟର ତାଲିକାରୁ ବିଦେଶୀମାନଙ୍କୁ ଚିହ୍ନଟକରି ବାଦ୍ ଦେବାର ଏକ ପଦକ୍ଷେପ ଭାବରେ ମଧ୍ୟ ଏହାର ପ୍ରଚାର କରାଯାଉଛି ।

ଯଦି ଆମଭୋଟର ତାଲିକାରେ ଏଭଳି ଅଗ୍ରହଣୀୟ ସଂଖ୍ୟାରେ ASDD (ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲି) ଭୋଟର ଏବଂ ବିଦେଶୀ ରହିଥାନ୍ତି, ତେବେ ପରୋକ୍ଷରେ ଆମର ପୂର୍ବ ନିର୍ବାଚନ ଏବଂ ସେଥିରୁ ମିଳିଥିବା ଜନାଦେଶ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି, ପରବର୍ତ୍ତୀ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକ–ଏପରିକି ୨୦୧୪, ୨୦୧୯ ଏବଂ ୨୦୨୪ର ଜନାଦେଶ ସହ ସେହି ଜନାଦେଶ ଦ୍ୱାରା ଗଠିତ ସରକାର ଗୁଡ଼ିକୁ ମଧ୍ୟ ବୈଧତାବିହୀନ ବୋଲି ଧରାଯିବ । ଯଦି ଭୋଟର ତାଲିକା ଅଶୁଦ୍ଧ ଥିବାନେଇ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ଦାବିର ଅର୍ଥ କରାଯାଏ, ତେବେ ଆମର ଗଣତନ୍ତ୍ର ଗମ୍ଭୀର ସଙ୍କଟ ମଧ୍ୟରେ ଅଛି ଏବଂ ରହିଆସିଛି ।
ବର୍ତ୍ତମାନର ECI, ଜାଣିଶୁଣି ହେଉ ବା ଅଜାଣତରେ, ପୂର୍ବର ସମସ୍ତ ECI ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣୁଛନ୍ତି । ଫଳସ୍ୱରୂପ, ଏହା ପୂର୍ବ ଜନାଦେଶଗୁଡ଼ିକର ବୈଧତାକୁ ମଧ୍ୟ ସନ୍ଦେହ ଘେରକୁ ଟାଣି ଆଣୁଛି ।
‘ଅଶୁଦ୍ଧ’ ଭୋଟରତାଲିକା ସଂପର୍କରେ ECIଙ୍କ ଦାବି ଏବଂ SIR (ସ୍ୱତନ୍ତ୍ର ସଘନ ସଂଶୋଧନ) କରିବାର ଉଦ୍ଦେଶ୍ୟ ବିଶ୍ୱାସଯୋଗ୍ୟ ମନେହେଉ ନାହିଁ । SIR ପରିଚାଳନା ପଛରେ ବର୍ତ୍ତମାନର ECIଙ୍କ ଆଭିମୁଖ୍ୟ ସନ୍ଦେହ ଜନକ ଅଟେ । ଏହା ଜଣକୁ ସନ୍ଦେହ କରିବାକୁ ବାଧ୍ୟ କରୁଛି ଯେ, SIR କେବଳ ‘ASDD’ ଭୋଟରଙ୍କୁ ବାଦ୍ ଦେବାର ଏକ ପ୍ରକ୍ରିୟା ନୁହେଁ, ବରଂ ଦେଶର ରାଜନୈତିକ ସମାଜର ସ୍ୱରୂପ ଏବଂ ଗଠନକୁ ବଦଳାଇବା ପାଇଁ ଏକ ବୃହତ ଯୋଜନାର ଅଂଶବିଶେଷ ।
ଭାରତୀୟ ନିର୍ବାଚନ କମିଶନ (Election Commission of India)
ଏହି ଯୋଜନାର ସ୍ୱରୂପ ବିଷୟରେ ଆଲୋଚନା କରିବା ପୂର୍ବରୁ, ମୁଁ ECI (ଭାରତୀୟ ନିର୍ବାଚନ କମିଶନ)ର ଅସ୍ପଷ୍ଟତା ଏବଂ ସେହି ସ୍ପଷ୍ଟ ଅନିୟମିତତାଗୁଡ଼ିକ ଉପରେ ଆଲୋକପାତ କରିବାକୁ ଚାହିଁବି, ଯାହା ଝଓଜ ପ୍ରକ୍ରିୟା ପଛରେ ଥିବା ଉଦ୍ଦେଶ୍ୟ କୁ ସନ୍ଦେହ ଜନକ କରିଦିଏ ।
ECI ଦ୍ୱାରା ଦିଆଯାଇଥିବା ଯୁକ୍ତିଗୁଡ଼ିକ ଆଧାରରେ SIRର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଏହି ଯୁକ୍ତିଗୁଡ଼ିକ ହେଉଛି:
•ସମୟର ବ୍ୟବଧାନ: ଏହା ହେଉଛି ପ୍ରାଥମିକ ଯୁକ୍ତି । ECI ଯୁକ୍ତି ଦର୍ଶାଇଛି ଯେ ଶେଷ ସଘନ ସଂଶୋଧନ (Intensive Revision) ଏବଂ ବର୍ତ୍ତମାନ ମଧ୍ୟରେ ୨୦ବର୍ଷରୁ ଅଧିକ ସମୟ ବିତିଗଲାଣି ।
•ଜନସଂଖ୍ୟାଗତ ପରିବର୍ତ୍ତନ (Demographic Shifts): ବ୍ୟାପକ ସହରୀକରଣ, ବୃହତ ଆକାରରେ ପ୍ରବାସନ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଫଳରେ ଜନସଂଖ୍ୟାର ସ୍ୱରୂପ ବଦଳିଛି, ଯାହା ଫଳରେ ଏକ ବ୍ୟାପକ ଘରକୁ ଘର ବୁଲି ସଫେଇ ପ୍ରକ୍ରିୟା ଜରୁରୀ ହୋଇପଡ଼ିଛି ।
•ଡାଟାବେସ୍ ତ୍ରୁଟି: ଭୋଟର ତାଲିକାରୁ ନକଲି ନାମ (duplicate entries), କାଳ୍ପନିକ ବା ନକଲି ଭୋଟର (ghost voters), ସୂଚନା ଦିଆ ଯାଇନଥିବା ମୃତ୍ୟୁ ଏବଂ ଅପ୍ରମାଣିତ ନାମଗୁଡ଼ିକୁ ହଟାଇବା ପାଇଁ ଏହି ସଂଶୋଧନ ଉଦ୍ଦିଷ୍ଟ ।
ଏହିସବୁ ସ୍ପଷ୍ଟ ଉଦ୍ଦେଶ୍ୟ ଗୁଡ଼ିକ ବେଶ୍ ମହତ । ମୁଁ ଭାବୁନାହିଁ ଯେ ଏହି ଗୃହରେ ଉପସ୍ଥିତ ଥିବା କେହି ବି ଏହି ଉଦ୍ଦେଶ୍ୟ ଗୁଡ଼ିକ ସହ ଅସହମତି ପ୍ରକାଶ କରିବେ । ଆମେ ସମସ୍ତେ ଚାହୁଁ ଯେ ଆମର ଭୋଟର ତାଲିକା ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ହେଉ । ଆମେ ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ ଚାହୁଁନାହୁଁ, ଆମେ ଚାହୁଁ ନକଲି ନାମଗୁଡ଼ିକୁ ବାଦ୍ ଦିଆଯାଉ, ଅପ୍ରମାଣିତ ନାମଗୁଡ଼ିକୁ କାଟି ଦିଆଯାଉ ଏବଂ କାଳ୍ପନିକ ଭୋଟରମାନଙ୍କୁ ହଟାଇ ଦିଆଯାଉ ।
ଆମ ପାଖରେ ‘ସ୍ପେଶାଲ ସମରୀ ରିଭିଜନ୍’ (SSR-ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ) ନାମକ ଏକ ପ୍ରକ୍ରିୟା ରହିଛି । ଏହି ସଂକ୍ଷିପ୍ତ ସଂଶୋଧନ ପ୍ରତିବର୍ଷ କରାଯାଇଥାଏ । ଏହା ମୃତ, ସ୍ଥାନାନ୍ତରିତ ଏବଂ ଅନୁପସ୍ଥିତ ଭୋଟରମାନଙ୍କୁ ବାଦ୍ ଦେଇଥାଏ । ଏଥିରେ ସେହି ବ୍ୟକ୍ତିମାନଙ୍କୁ ସାମିଲ କରାଯାଏ ଯେଉଁମାନେ ସେହି ସମୟ ମଧ୍ୟରେ ଭୋଟ୍ଦେବା ବୟସ ହାସଲ କରିଛନ୍ତି ଏବଂ ଶେଷ ସଂଶୋଧନ ପରେ ସେହି ଅଞ୍ଚଳକୁ ଆସିଥିବା ଲୋକଙ୍କ ନାମ ମଧ୍ୟ ଯୋଡ଼ାଯାଇଥାଏ ।
ECI ର ଅସ୍ପଷ୍ଟତା
୨୦୨୪ ସାଧାରଣ ନିର୍ବାଚନ ପରେ ଝଝଜ ହୋଇସାରିଛି । ତେବେ କେଉଁ ଆଧାରରେ ECI ଏହି ନିଷ୍ପତ୍ତିରେ ପହଞ୍ଚିଲା ଯେ ଏହାକୁ ଏକ ସଘନ ସଂଶୋଧନ (intensive revision) କରିବାକୁ ପଡ଼ିବ? SIRର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଗୁଡ଼ିକର ଜବାବରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ (SC)ରେ ଦାଖଲ କରିଥିବା ଆଫିଡେଭିଟ୍ (ଶପଥପତ୍ର)ରେ ଋଉଓ କହିଛି ଯେ, ଏକ ସ୍ୱାଧୀନ ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ SSRରେ ମଧ୍ୟ ଭୋଟର ତାଲିକାରେ ତ୍ରୁଟି ରହିଯାଇଥିଲା ।
ଯେତେବେଳେ ସୂଚନା ଅଧିକାର (RTI) ଆଇନ ଅନୁଯାୟୀ ‘ସ୍ୱାଧୀନ ମୂଲ୍ୟାଙ୍କନ’(independent appraisal) ବିଷୟରେ ସୂଚନା ମଗାଯାଇଥିଲା, ସେତେବେଳେ ଭାରତୀୟ ନିର୍ବାଚନ କମିଶନ (ECI) କୌଣସି ବିବରଣୀ ପ୍ରକାଶ କରିନଥିଲେ । ଆମେ ଏଠାରେ ବୈଠକ ଆରମ୍ଭ କରିବା ପର୍ଯ୍ୟନ୍ତ, ECI କହିନଥିଲା ଯେ ଏହି ମୂଲ୍ୟାଙ୍କନ କିଏ କରିଛି ଏବଂ ଏହାର ସୁପାରିଶଗୁଡ଼ିକ କଣ ଥିଲା । ଏହି ସ୍ୱାଧୀନ ମୂଲ୍ୟାଙ୍କନର ରିପୋର୍ଟକୁ ସାର୍ବଜନୀନ କରିବାକୁ ଏହା ଏବେ ମଧ୍ୟ ମନା କରୁଛି । ଏହାକୁ କେହି ଦେଖିନଥିଲେ ।
ଏକ RTI ପ୍ରଶ୍ନର ଉତ୍ତରରେ ECI ଅନ ରେକର୍ଡ (ଲିଖିତ ଭାବେ) ସ୍ୱୀକାର କରିଛି ଯେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR-ବିଶେଷ ସଘନ ସଂଶୋଧନ) କାହିଁକି ବା କିପରି ଆରମ୍ଭ କରାଯାଇଥିଲା, ସେ ସମ୍ପର୍କରେ ଏହା ପାଖରେ କୌଣସି ରେକର୍ଡ ନାହିଁ ।
ଅନ୍ୟ ଏକ RTI ପ୍ରଶ୍ନ, ଯେଉଁଥିରେ “୨୦୨୫ ମସିହାରେ ସାରା ଦେଶରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ଆରମ୍ଭ କରିବା ନିଷ୍ପତ୍ତି ସମ୍ବନ୍ଧିତ ସମସ୍ତ ଫାଇଲର ରେଫରେନ୍ସ ନମ୍ବର….” ମଗାଯାଇଥିଲା, ତାର ଉତ୍ତରରେ ECIର ପ୍ରଧାନ ସଚିବ ଶ୍ରୀ ଟି.ସି. କମ୍ କହିଥିଲେ, “….ଆବଶ୍ୟକୀୟ ସୂଚନା କୌଣସି ଭୌତିକ ରୂପରେ (material form) ଉପଲବ୍ଧ ନାହିଁ ।” ସେ କହିଥିଲେ ଯେ ଯେହେତୁ “RTI ଆଇନ କେବଳ ଭୌତିକ ରୂପରେ ଉପଲବ୍ଧ ସୂଚନା ପ୍ରକାଶ କରିବାକୁ ବାଧ୍ୟ କରେ” ଏବଂ SIR କାର୍ଯ୍ୟକାରୀ କରିବା ପାଇଁ କିପରି ନିଷ୍ପତ୍ତି ନିଆଗଲା ସେ ସଂର୍ପକିତ ସୂଚନା ‘ଭୌତିକ ରୂପରେ’ ଉପଲବ୍ଧ ନଥିଲା, ତେଣୁ ତାଙ୍କ ପାଖରେ ପ୍ରକାଶ କରିବାକୁ କିଛି ନଥିଲା ।
ଏଠାରେ ପ୍ରଶ୍ନ ଉଠୁଛି: ଯଦି SIR ପଛର ଉଦ୍ଦେଶ୍ୟ ସାଧୁ (bona fide) ଅଟେ, ତେବେSIR କରିବାର ନିଷ୍ପତ୍ତି ଗୋପନୀୟ ଭାବେ କାହିଁକି ନିଆଯାଉଛି ଏବଂ କମିଶନଙ୍କ ପାଖରେ ଫାଇଲ୍ ଓ ଚିଠିପତ୍ରର କୌଣସି ଭୌତିକ ରେକର୍ଡ କାହିଁକି ନାହିଁ? ଏହା କଣ ଅସ୍ପଷ୍ଟ ଏବଂ ଅତ୍ୟନ୍ତ ସନ୍ଦେହ ଜନକ ନୁହେଁ କି?
ବିହାର, ଏବଂ ତା’ପରେ ଅନ୍ୟ ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଝଓଜ ସଂପନ୍ନ ହେବା ପରେ ଏହାକୁ ନେଇ ସନ୍ଦେହ ଓ ଆଶଙ୍କା ଆହୁରି ବଢ଼ିଯାଇଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ, ତାମିଲନାଡୁ, ପଣ୍ଡିଚେରୀ, କେରଳ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସାମିଲ ଅଛନ୍ତି ।
ବିହାରରେ ଭୋଟର ତାଲିକାରୁ ପ୍ରାୟ ୮୦ଲକ୍ଷ ନାମ ବାଦ୍ ଦିଆ ଯାଇଥିଲା ଏବଂ ପ୍ରାୟ ୨୧ଲକ୍ଷ ଭୋଟରଙ୍କୁ ଯୋଡ଼ା ଯାଇଥିଲା । ଉତ୍ତରପ୍ରଦେଶର ଭୋଟର ତାଲିକାରୁ ୨.୦୪ କୋଟିରୁ ଅଧିକ ଭୋଟରଙ୍କୁ ହଟାଇ ଦିଆଯାଇଥିଲା ଏବଂ ୮୪ଲକ୍ଷ ନୂତନ ଭୋଟରଙ୍କୁ ଯୋଡ଼ା ଯାଇଥିଲା । ପ୍ରତ୍ୟେକ ରାଜ୍ୟରେ କାହାଣୀ ସମାନ । ନାମ ବାଦ୍ ପଡ଼ିବା ସଂଖ୍ୟା କେରଳରେ ୨୪ଲକ୍ଷରୁ ନେଇ ତାମିଲନାଡୁରେ ୯୭ଲକ୍ଷ ଏବଂ ଉତ୍ତରପ୍ରଦେଶରେ ୨କୋଟିରୁ ଅଧିକ ରହିଛି ।
SIR ଦ୍ୱାରା ବାଦ୍ ପଡ଼ିଥିବା ଏହି ସଂଖ୍ୟା ଜନସାଂଖ୍ୟିକୀୟ ପରୀକ୍ଷା (demographic test)ରେ ବିଫଳ ହେଉଛି । ଏହି ସମସ୍ତ ରାଜ୍ୟରେ, ଅନ୍ତିମ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଭୋଟରଙ୍କ ସଂଖ୍ୟା ସେହି ରାଜ୍ୟଗୁଡ଼ିକର ସାବାଳକ ଜନସଂଖ୍ୟା ତୁଳନାରେ କମ୍ ରହୁଛି । ଯେହେତୁ ଆମ ଦେଶ ସର୍ବଜନୀନ ସାବାଳକ ମତାଧିକାର ଉପରେ ଆଧାରିତ ଏକ ଗଣତନ୍ତ୍ର, ତେଣୁ ଏକ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ସେହି ରାଜ୍ୟର ସାବାଳକ ଜନସଂଖ୍ୟା ସହିତ ସମାନ ହେବା ଉଚିତ । ଯଦି ଏକ ରାଜ୍ୟର ସାବାଳକ ଜନସଂଖ୍ୟା ୧୦୦ହୁଏ, ତେବେ ଆଦଶର୍ଗତ ଭାବେ ସେହି ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୧୦୦ହେବା ଉଚିତ । ଯଦି ଏହା ୯୯ କିମ୍ବା ୧୦୧ ହୁଏ, ତେବେ ସେହି ସଂଖ୍ୟାକୁ ଗ୍ରହଣ କରାଯାଇପାରେ । କିନ୍ତୁ ଅନ୍ତିମ ସଂଶୋଧିତ ତାଲିକାରେ ୭୦ କିମ୍ବା ୧୩୦ ଭୋଟର ରହିବା ଗ୍ରହଣଯୋଗ୍ୟ ନୁହେଁ । ଉତ୍ତରପ୍ରଦେଶରେ, SIR ପରେ ଭୋଟରଙ୍କ ଅନ୍ତିମ ସଂଖ୍ୟା ରାଜ୍ୟର ସାବାଳକ ଜନସଂଖ୍ୟା ଠାରୁ ୨.୮୩ କୋଟି କମ୍ ରହିଛି । ବିହାରରେ ଏହି ସଂଖ୍ୟା ପ୍ରାୟ ୮୦ଲକ୍ଷ ଅଟେ ।
ଏହି ସ୍ୱଳ୍ପତା ବା କମି ପାଇଁ କଣ ଦାୟୀ? ECI ଆମକୁ ଏହା କହୁନାହିଁ ।
ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ସଂଖ୍ୟାଲଘୁ, ଦଳିତ ଏବଂ ଆଦିବାସୀ ସଂପ୍ରଦାୟ, ଦିନମଜୁରିଆ, ଗରିବ ଏବଂ ନିରକ୍ଷର ଲୋକଙ୍କ ସଂଖ୍ୟା ଅସମାନ ଭାବେ ବହୁତ ଅଧିକ । ଏହି ବର୍ଗଗୁଡ଼ିକ ମଧ୍ୟରେ ମହିଳାମାନଙ୍କର ଏକ ବଡ଼ ଅଂଶ ରହିଛି । ଅଧ୍ୟୟନରୁ ଜଣାପଡିଛି ଯେ SIR ଆମର ରାଜନୈତିକ ବ୍ୟବସ୍ଥାରେ ମହିଳାମାନଙ୍କର ସମ୍ଭାବ୍ୟ ରାଜନୈତିକ ଅଂଶଗ୍ରହଣକୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି । ଏମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଯେଉଁମାନେ ବୋଧହୁଏ ଜାଣି ନଥିବେ ଯେ ସେମାନଙ୍କର ମତାଧିକାର କ୍ଷୁଣ୍ଣ କରାଯାଇଛି । ଯଦିଓ ସେମାନେ ଜାଣିଛନ୍ତି, ତଥାପି ସେମାନେ ନିଜର ପ୍ରତିବାଦର ସ୍ୱର ଶୁଣାଇବା ପାଇଁ ଅତ୍ୟନ୍ତ ଦୁର୍ବଳ ଏବଂ ଅସମର୍ଥ ।
ପୂର୍ବରୁ କଣ କେବେ SIR ହୋଇଥିଲା?
ଋଉଓ ଦାବି କରିଛି ଯେ ପୂର୍ବରୁ ମଧ୍ୟ ଥରେ, ୨୦୦୨ ମସିହାରେ ଝଓଜ କରାଯାଇଥିଲା । ମୁଁ ଆଜି ଏଠାରେ ଉପସ୍ଥିତ ଥିବା ଏବଂ ୨୦୦୨ରେ ଭୋଟର ଥିବା ଲୋକଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏଠାରେ କାହାର ମନେ ଅଛି କି ଯେ ଆପଣ ଜଣେ ଭୋଟର ହେବା ପାଇଁ ଯୋଗ୍ୟ ବୋଲି ପ୍ରମାଣ କରିବାକୁ କୌଣସି ସରକାରୀ ଅଧିକାରୀଙ୍କ ପାଖକୁ ଯାଇଥିଲେ? ମୁଁ ୨୦୦୨ରେ ଜଣେ ଭୋଟର ଥିଲି । ମୁଁ ଜଣେ ଭୋଟର ହେବା ପାଇଁ ଯୋଗ୍ୟବୋଲି ପ୍ରମାଣ କରିବାକୁ କେବେହେଲେ ଦସ୍ତାବିଜ୍ (documents) ର ଏକ ବିଡ଼ା ଧରି କାହା ପାଖକୁ ଯାଇନାହିଁ । ଯେତେବେଳେ ମୁଁ ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ବୋଧିତ କରିଥିବା ବିଭିନ୍ନ ସଭାରେ ଏହି ପ୍ରଶ୍ନ ପଚାରିଥିଲି, ଏପର୍ଯ୍ୟନ୍ତ ଜଣେ ହେଲେ ବି ବ୍ୟକ୍ତି କହିନାହାନ୍ତି ଯେ ସେମାନଙ୍କୁ ନିଜର ଯୋଗ୍ୟତା ପ୍ରମାଣ କରିବାକୁ ପଡ଼ିଥିଲା ।
ତେଣୁ, ୨୦୦୨ରେ ଯେଉଁ ସଂଶୋଧନ ହୋଇଥିଲା ତାହା SIR ନାମରେ ଏବେ ଯାହା ଚାଲିଛି ତାହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଋଉଓ ଦେଶକୁ ବିଭ୍ରାନ୍ତ କରୁଛି ।
ଯେତେବେଳେ କର୍ମୀମାନେ ଜାଣିବାକୁ ଚାହିଁଲେ ଯେ ୨୦୦୨ ସଂଶୋଧନର ନିଦେ୍ର୍ଦଶାବଳୀ କ’ଣ ଥିଲା, ଯେପରି ସେମାନେ ଏହାକୁ ର୍ବତ୍ତମାନର ସଂଶୋଧନ ନିଦେ୍ର୍ଦଶାବଳୀ ସହିତ ତୁଳନା କରିପାରିବେ, ସେତେବେଳେ ସେମାନେ ସୂଚନା ଅଧିକାର ଆଇନ (RTI) ଅଧୀନରେ ଏହି ସୂଚନା ମାଗିଥିଲେ । ଭାରତୀୟ ନିର୍ବାଚନ ଆୟୋଗ (ECI) କହିଥିଲେ ଯେ ସେମାନଙ୍କ ପାଖରେ ୨୦୦୨ ନିଦେ୍ର୍ଦଶାବଳୀର କୌଣସି ନକଲ ନାହିଁ, ଏବଂ RTI ନିୟମ ଅନୁଯାୟୀ ସେମାନେ ୨୦ବର୍ଷରୁ ଅଧିକ ପୁରୁଣା ଦସ୍ତାବିଜ୍ ଦେବାକୁ ବାଧ୍ୟ ନୁହନ୍ତି । ଏହା ପୁଣି ଥରେ ସତ୍ୟଠାରୁ ବହୁ ଦୂରରେ ଏବଂ ECIର ଅସ୍ପଷ୍ଟତା (ଅପାରଦର୍ଶିତା)କୁ ପ୍ରକାଶ କରେ ।
ଋଉଓ ପକ୍ଷରୁ ଆଉ ଏକ ବିଭ୍ରାନ୍ତିକର ସୂଚନା ମଧ୍ୟ ରହିଛି । ୨୦୦୨ରେ କରାଯାଇଥିବା ଏହି ପ୍ରକ୍ରିୟାକୁ “ସ୍ପେଶାଲ୍ ରିଭିଜନ୍ ଅଫ୍ ଆନ୍ ଇଣ୍ଟେନସିଭ୍ ନେଚର’ (Special Revision of an intensive nature) କୁହାଯାଉଥିଲା । ଏହା “ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍’ (SIR) ନଥିଲା । ସେତେବେଳେ ଥିବା ‘ମୂଳ ତାଲିକା’ (mother list) ସହିତ ସଂଶୋଧନଗୁଡ଼ିକୁ ଯାଞ୍ଚ କରି ଋଉଓକୁ ସ୍ୱଚ୍ଛତାର ସହ ସଂଶୋଧନ କରିବା ଆବଶ୍ୟକ ଥିଲା । ସେହି ୨୦୦୨ ନର୍ଦ୍ଦେଶାବଳୀରେ ଏହି କାର୍ଯ୍ୟକ୍ରମ ଗ୍ରାମସଭା ଏବଂ ୱାର୍ଡ କମିଟି ବୈଠକରେ ଖୋଲାଖୋଲିଭାବେ କରାଯିବାକୁ ବାଧ୍ୟତାମୂଳକ କରାଯାଇ ଥିଲା । ୨୦୦୨ ସଂଶୋଧନରେ ମନମୁଖୀ ସଂଶୋଧନ ପାଇଁ କୌଣସି ସ୍ଥାନ ନଥିଲା ।
ECI କାହିଁକି ୨୦୦୨ ସଂଶୋଧନ ପ୍ରକ୍ରିୟା ବିଷୟରେ ଦେଶକୁ ଭୁଲ୍ ସୂଚନା ଦେଉଛି?
SIR: ବିଜ୍ଞାପନ ବନାମ ବାସ୍ତବତା
ଅନେକ ଅନୁସନ୍ଧାନମୂଳକ ଅଧ୍ୟୟନରୁ ଏବେ ସାମ୍ନାକୁ ଆସିଛି ଯେ, ମୃତ ବୋଲି ଦର୍ଶାଯାଇଥିବା ଅନେକ ଲୋକ ପ୍ରକୃତରେ ଜୀବିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ସୁପ୍ରିମର୍କୋଟରେ ହାଜର କରାଯାଇଥିଲା । ନିଜର ନିଷ୍ଠାପର ସାମ୍ବାଦିକତା ପାଇଁ ଜଣାଶୁଣା ସମ୍ବାଦପତ୍ର ‘ଦି ହିନ୍ଦୁ’ (The Hindu) ତାମିଲନାଡୁରେ ଏକ ଅଧ୍ୟୟନ କରିଥିଲା, ଯେଉଁଥିରୁ ଜଣାପଡିଥିଲା ଯେ ମୃତ ବୋଲି ଦର୍ଶାଯାଇଥିବା ଲୋକଙ୍କ ବୟସ, ସରକାରୀ ତଥ୍ୟରେ ଥିବା ମୃତ୍ୟୁହାରର ସାଧାରଣ ଧାରା ସହିତ ମେଳ ଖାଉ ନାହିଁ । ଏହି ସଂଖ୍ୟାଗୁଡ଼ିକ ସାଧାରଣ ଧାରାକୁ ସମ୍ପୂର୍ଣ୍ଣ ଅବମାନନା କରୁଥିଲା । ବଙ୍ଗଳାରେ ମୃତ ଏବଂ ଅନୁପସ୍ଥିତ ଦର୍ଶାଯାଇ ବାଦ୍ ଦିଆଯାଇଥିବା ଅନେକ ଭୋଟର SIR ପ୍ରକ୍ରିୟାରେ ସାମିଲ ଥିବା ସ୍ଥାନୀୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଭିଡ଼ ଜମାଇଥିଲେ ।

ବିହାରରେ, ଯେଉଁ ଭୋଟର ତାଲିକାକୁ ସଂଶୋଧନ ବା ସଫା କରାଯିବାର ଥିଲା, ସେଥିରେ ୧.୩୨କୋଟି ନକଲି ଠିକଣା ଥିଲା । ରାଜ୍ୟର ବାରାଚଟ୍ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଗାଁରେ ଗୋଟିଏ ଠିକଣାରେ ୮୭୭ ଜଣ ଭୋଟର ରହୁଥିବା ଦର୍ଶାଯାଇଥିଲା । ପିପ୍ରା ନିର୍ବାଚନ ମଣ୍ଡଳୀର ଗାଲିମପୁର ଗ୍ରାମରେ ଗୋଟିଏ ଠିକଣାରେ ୫୦୯ ଜଣ ଭୋଟର ପଞ୍ଜୀକୃତ ହୋଇଥିଲେ । ସେହି ଠିକଣାଟି କେବଳ ଭୁଲ୍ ନଥିଲା, ବରଂ ପ୍ରକୃତରେ ସେପରି କୌଣସି ଠିକଣାର ଅସ୍ତିତ୍ୱ ହିଁ ନଥିଲା । ରାଜ୍ୟରେ ଏଭଳି ଅନେକ ଉଦାହରଣ ରହିଛି । ଅନୁସନ୍ଧାନକାରୀ ସାମ୍ବାଦିକମାନଙ୍କ ଦ୍ୱାରା ସମସ୍ତ ୨୪୩ଟି ର୍ନିବାଚନ ମଣ୍ଡଳୀରେ ୧୪.୩୫ଲକ୍ଷ ନକଲି (duplicate) ଭୋଟର ଚିହ୍ନଟ ହୋଇଥିଲେ ।
ଅନୁପ୍ରବେଶକାରୀ ବା ବିଦେଶୀମାନଙ୍କୁ ବାଦ୍ ଦେବା ଦାବି ମଧ୍ୟ ଏକ ମିଥ୍ୟା କିମ୍ବା ଅସାର ଦାବି ବୋଲି ପ୍ରମାଣିତ ହୋଇଛି । ବିହାରରେ ବିଦେଶୀ ହୋଇଥିବା ଆଧାରରେ ଦାଖଲ ହୋଇଥିବା ମୋଟ ଆପତ୍ତି ସଂଖ୍ୟା ୧୦୮୭ ଥିଲା । ଯେଉଁଥି ମଧ୍ୟରୁ କେବଳ ୩୯୦ଟି ଯାଞ୍ଚ ପାଇଁ ସଠିକ୍ ମିଳିଥିଲା ଏବଂ ଗ୍ରହଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୭୬ଜଣ ମୁସଲମାନ ଥିଲେ । ଏବଂ ସେମାନଙ୍କ ମଧ୍ୟରୁ ୧୦ଜଣ ସୀମାଞ୍ଚଳ ଅଞ୍ଚଳର ଥିଲେ । ସୀମାଞ୍ଚଳର ଏହି ୧୦ଜଣଙ୍କ ମଧ୍ୟରୁ ମାତ୍ର ୫ଜଣ ମୁସଲମାନ ଥିଲେ । ସେହି ପାଞ୍ଚଜଣଙ୍କ ମଧ୍ୟରୁ ୨ଜଣ ମୃତ ଥିଲେ । ଶେଷରେ, କେବଳ ୩ଜଣଙ୍କୁ ବିଦେଶୀ ଭାବେ ଚିହ୍ନଟ କରାଯାଇଥିଲା । କିନ୍ତୁ ସୋସିଆଲ ମିଡିଆରେ ଏହି ଭାଇରାଲ୍ ପ୍ରଚାର ଚାଲିଛି ଯେ ହଜାର ହଜାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାଦ୍ ଦିଆଯାଇଛି ଏବଂ ସେମାନେ ଏବେ ଦଳ ଦଳ ହୋଇ ଦେଶ ଛାଡ଼ି ପଳାଉଛନ୍ତି ।
ଯଦି ECI ର ଦାବି ଅନୁଯାୟୀ ବିଦେଶୀ ଏବଂ ଅଣ-ନାଗରିକମାନଙ୍କୁ ବାଦ୍ ଦେବା ଝଓଜର ଅନ୍ୟତମ ପ୍ରାଥମିକ ଉଦ୍ଦେଶ୍ୟ ଥିଲା, ତେବେ ଏହି ପ୍ରକ୍ରିୟା ପାଇଁ ଆସାମ ସବୁଠାରୁ ଯୋଗ୍ୟ ରାଜ୍ୟ ହେବା ଉଚିତ୍ ଥିଲା ।
ଯଦି ଭାରତୀୟ ସଂଘରେ ଏମିତି କୌଣସି ରାଜ୍ୟ ଥାଏ ଯେଉଁଠାରେ ନାଗରିକତ୍ୱ ସବୁଠାରୁ ବଡ଼ ବିବାଦୀୟ ପ୍ରସଙ୍ଗ ପାଲଟିଥିଲା, ତେବେ ତାହା ହେଉଛି ଆସାମ । କିନ୍ତୁ ଏହା ଏକ ବିଡ଼ମ୍ବନା ଯେ ECI ସେହି ରାଜ୍ୟରେ କେବଳ ସ୍ୱତନ୍ତ୍ର ସଂଶୋଧନ (SR) କରିବାକୁ ନିଷ୍ପତ୍ତି ନେଲା, SIR ନୁହେଁ । NRC ପ୍ରକ୍ରିୟା ସମୟରେ ରାଜ୍ୟରେ ସନେ୍ଦହଜନକ ବର୍ଗ – ‘D’ ର୍ବଗରେ ରଖାଯାଇଥିବା ମୋଟ ଭୋଟରଙ୍କ ସଂଖ୍ୟା ୧୯ଲକ୍ଷ ଥିଲା । ଯେଉଁଥି ମଧ୍ୟରୁ ୧୨ଲକ୍ଷ ହିନ୍ଦୁ ଏବଂ ୭ଲକ୍ଷ ମୁସଲମାନ ଥିଲେ ।
ଏହି ତଥ୍ୟ ECI କୁ ଏହି ଅଭିଯୋଗର ସମ୍ମୁଖୀନ କରାଉଛି ଯେ, ଆସାମରେSIR ନ କରିବାର କାରଣ ହେଉଛି ଯଦି ସେମାନେ ୭ଲକ୍ଷ ମୁସଲମାନଙ୍କୁ ଭୋଟ୍ ଦେବାପାଇଁ ଅଯୋଗ୍ୟ ଘୋଷଣା କରନ୍ତି, ତେବେ ସେମାନଙ୍କୁ ୧୨ଲକ୍ଷ ହିନ୍ଦୁଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରିବାକୁ ପଡ଼ିବ । ଆସାମରେ SR ପରେ, ମୋଟ ବାଦ୍ ପଡ଼ିଥିବା ଭୋଟରଙ୍କ ସଂଖ୍ୟା ୩ ଲକ୍ଷରୁ କମ୍ ଥିଲା । ଏହି ସଂଖ୍ୟା ଅନ୍ୟ ରାଜ୍ୟଗୁଡ଼ିକରେ ଲକ୍ଷ ଲକ୍ଷ ଭୋଟର ବାଦ୍ ପଡ଼ିବା ତୁଳନାରେ ସଂପୂର୍ଣ୍ଣ ବିପରୀତ । ଆସାମରେ, ଭୋଟର ତାଲିକା ଅପଡେଟ୍ କରିବାପାଇଁ ଅଧିକାରୀମାନେ ଘରକୁ ଘର ବୁଲିଥିଲେ । ସେଠାରେ ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିବାର ବୋଝ ଲୋକଙ୍କ ଉପରେ ପଡ଼ିନଥିଲା । ଦେଶର ବାକି ଅଞ୍ଚଳରେ ଏପରି କାହିଁକି ହେଲା ନାହିଁ?
ଏହାର ବିପରୀତ ସ୍ପଷ୍ଟ ପ୍ରମାଣ ଥିବା ସତ୍ତ୍ୱେ, ECI ଏବେଂ ବର୍ତ୍ତମାନର ଶାସକ ଗୋଷ୍ଠୀଦ୍ୱାରା ପ୍ରଚାର କରାଯାଉଥିବା ଏହି ଆଖ୍ୟାନ ଯେ “SIR କେବଳ ଭୋଟର ତାଲିକା ସଂଶୋଧନ ପାଇଁ ଉଦ୍ଦିଷ୍ଟ’, ଏହାକୁ ଏବେ ବି ଅନେକ ଲୋକ ବିଶ୍ୱାସ କରୁଛନ୍ତି ।
ଦ୍ୱିତୀୟ ଭାଗରେ ପଢ଼ନ୍ତୁ: ମତାଧିକାରରୁ ବଞ୍ଚିତ ହେବାରୁ ସଂଖ୍ୟାଗରିଷ୍ଠ ଶାସନ: SIRର ରାଜନୈତିକ ଯୁକ୍ତି (From Disenfranchisement to Majoritarian Rule: The Political Logic of SIR) ଅନୁସନ୍ଧାନ କରେ ଯେ କିପରି ବୃହତ ଆକାରରେ ଭୋଟର ବାଦ୍ ପଡ଼ିବା ଭାରତର ରାଜନୈତିକ ବ୍ୟବସ୍ଥାକୁ ମୌଳିକଭାବେ ବଦଳାଇ ଦେଇପାରେ ।
(ପ୍ରଫେସର ପରକାଳ ପ୍ରଭାକର ଅର୍ଥନୀତି ରେ ଜବାହାରଲାଲ ବିଶ୍ୱବିଦ୍ୟାଳୟ ରୁ ଏମ. ଏ. ଡ଼ିଗ୍ରୀ ପାଇବାପରେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ରୁ ପିଏଚ. ଡି ଉପାଧି ପାଇଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ, ଲେଖକ, ସମାଲୋଚକ ଓ ସ୍ତମ୍ଭକାର। ଏହି ମୂଲ୍ୟବାନ ‘ପି.ଭି. ନରସିଂହ ରାଓ ସ୍ମାରକୀ ବକ୍ତୃତା’ ଟି ଛାପିବା ପାଈଁ ଆମକୁ ଦେଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ। ଏହାକୁ ଆମେ ତିନୋଟି ଭାଗରେ ପ୍ରକାଶ କରିବୁ )
Comments
0 comments

