ଆମେ ସାଧାରଣତଃ ଜାଣୁ ଯେ ଓଡ଼ିଶାର ପ୍ରଥମ ଉଚ୍ଚ ବାଳିକା ବିଦ୍ୟାଳୟ ହେଉଛି ‘ରେଭେନ୍ସା ବାଳିକା ବିଦ୍ୟାଳୟ’ ଓ ଏହାର ସ୍ଥାପନା ୧୮୭୩ରେ ହୋଇଥିଲା ବୋଲି କୁହାଯାଇଥାଏ । ୧୮୭୩ରେ ଯେଉଁ ବିଦ୍ୟାଳୟର ସ୍ଥାପନା ହୋଇଥିଲା ତାହାର ନାଁ ଥିଲା ‘ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ’ । ଏହି ନାଁଟି ୧୮୭୧ବେଳକୁ କାର୍ଯ୍ୟ କରୁଥିବା୧ ‘କଟକ ହିନ୍ଦୁ ବାଳିକା ବିଦ୍ୟାଳୟ’ର ପରିବର୍ତ୍ତିତ ନାଁ । ଏପରି ପରିବର୍ତ୍ତନର କାରଣ ଜଣାପଡ଼େ ଯେତେବେଳେ ରେବା ରାୟ(ଜନ୍ମ ୧୮୭୬- ମୃତ୍ୟୁ ୧୯୫୭ ) ଲେଖନ୍ତି୨(ପୃ ୩୮୮), “ତତ୍କାଳୀନ ଓଡ଼ିଶାର କମିଶନର ଏବଂ ଗଡ଼ଜାତ ସମୂହର ସୁପରିଟେଣ୍ଡେଣ୍ଟ ରେଭେନ୍ସା ସାହେବଙ୍କ ନାଁ ସ୍ଥାୟୀ କରିବା ଉଦ୍ଦେଶ୍ୟରେ (ଶ୍ରୀମତୀ ରମାଦେବୀଙ୍କର ମାତାମହ )ଶ୍ରୀଯୁକ୍ତ ନନ୍ଦକିଶୋର ଦାସ ବାଳିକା ସ୍କୁଲ ଗୃହନିର୍ମାଣ ନିମିତ୍ତ କେନ୍ଦୁଝରର ତଦାନୀନ୍ତନ ମହାରାଜ ମହୋଦୟଙ୍କ ନିକଟରୁ ୫ହଜାର ଟଙ୍କା ସାହାଯ୍ୟ ଦାନ କରାଇ ଦେଇଥିଲେ । ସେହି ଦିନୁ ଏ ବାଳିକା ବିଦ୍ୟାଳୟ ‘ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ’ ନାମରେ ଅଭିହିତ ହେଲା ।” ଏହି ବିଦ୍ୟାଳୟର ହିଁ ଏକଦା ଛାତ୍ରୀ ଥିଲେ ରେବା ରାୟ । ସେ ଲେଖନ୍ତି୨(ପୃ ୩୮୭), “ମୋର ଶୈଶବର ଶିକ୍ଷାମନ୍ଦିର କଟକର ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ।” ଏଠାରେ ପ୍ରାଥମିକସ୍ତର ଯାଏ ପାଠପଢ଼ା ହେଉଥିଲା । କିନ୍ତୁ ଏହାକୁ ଏକ ହାଇସ୍କୁଲ ବା ଉଚ୍ଚବାଳିକା ବିଦ୍ୟାଳୟରେ ପରିଣତ କରାଯିବାର ପ୍ରସ୍ତାବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ, ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବବେଳେ, ଦେଇଥିଲେ ତତ୍କାଳୀନ ଓଡ଼ିଶାର କମିଶନର ଶ୍ରୀଯୁକ୍ତ କେ ଜି ଗୁପ୍ତ । କିନ୍ତୁ କର୍ତ୍ତୃପକ୍ଷ କହିଥିଲେ୨(ପୃ ୩୯୧), “ଏହା ହିନ୍ଦୁ ବାଳିକା ବିଦ୍ୟାଳୟ । ଦଶ,ଏଗାର ବର୍ଷରେ ଏମାନଙ୍କର ବିବାହ ହୋଇଯାଏ । ସୁତରାଂ ଏଇଟିକୁ କିପରି high school କରାଯାଇପାରେ?” ଏହା ଶୁଣି କମିଶନର ମହାଶୟ ଆଉ ଏହି ପ୍ରସ୍ତାବରେ ଆଗେଇଲେ ନାହିଁ । ତେବେ କଟକରେ ବାଳିକାମାନଙ୍କ ପାଇଁ ଏକ ଉଚ୍ଚ ବିଦ୍ୟାଳୟର ଆବଶ୍ୟକତା ବିଷୟକୁ କମିଶନର ମହାଶୟଙ୍କ ମୁଣ୍ଡରେ ପୁରାଇଥିଲେ ରେବା ରାୟ, ସେତେବେଳକୁ ସେ ବିଧବା, ବୟସ ‘୨୪/୨୫’ ହେବ୨(ପୃ ୩୯୦) । ଅବଶ୍ୟ କମିଶନର ମହାଶୟଙ୍କୁ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟର କର୍ତ୍ତୃପକ୍ଷ ନିରୁତ୍ସାହିତ କରିବା, ରେବା ରାୟଙ୍କୁ ତାଙ୍କ ସଂକଳ୍ପରୁ ବିଚ୍ୟୁତ କରିପାରି ନ ଥିଲା । ସେ ସମୟରେ ନିଜର ମାନସିକ ସ୍ଥିତି ସମ୍ପର୍କରେ ସେ ଲେଖନ୍ତି୨(ପୃ ୩୯୧), “ଅକୂଳ ସମୁଦ୍ରରେ କର୍ଣ୍ଣଧାରହୀନ ତରଣୀ ତୁଲ୍ୟ ମୋର ପ୍ରାଣ ମନର ଅବସ୍ଥା ମତେ ନିରନ୍ତର ଅସ୍ଥିର କରୁଥିଲା -କି ଉପାୟରେ ବାଳିକାମାନଙ୍କ ପାଇଁ ଗୋଟିଏ high school ସ୍ଥାପନ କରିହେବ, ସବୁବେଳେ ଏହି ଚିନ୍ତା । ମୋ ପରି ଜଣେ ଦୀନ, ହୀନ, ଅକିଞ୍ଚନ ପକ୍ଷରେ ଏହା ଦୁରାକାଂକ୍ଷା ହେଲେ ମଧ୍ୟ ସବୁବେଳେ ଏହି ଚିନ୍ତାରେ ମୋର ମନ ବିବ୍ରତ ରହୁଥିଲା ।” ଏପରି ବ୍ୟାକୁଳ-ବିବ୍ରତ ରେବା ରାୟ ଖୋଜୁଥିଲେ ସମର୍ଥନ ଓ ସହଯୋଗ । ‘କଟକରେ ବାଳିକାମାନଙ୍କ ଶିକ୍ଷାପାଇଁ ଗୋଟିଏ ହାଇସ୍କୁଲ ସ୍ଥାପନକଲେ ଭଲ ହେବ’, ଏ ପ୍ରସ୍ତାବ ସେ ରଖିଥିଲେ ସେମାନଙ୍କ ସମ୍ମୁଖରେ ଯେଉଁମାନଙ୍କ ମଧ୍ୟରେ ଥିଲେ ଜାନକୀନାଥ ବୋଷ, ରେବା ରାୟଙ୍କର ଜ୍ୟେଷ୍ଠ ତାତ ମଧୁସୂଦନ ରାଓ ଆଦି । ରେବା ରାୟ ଲେଖନ୍ତି୨(ପୃ୩୯୧), “ବଡବାବା କହିଲେ, କିଛିଦିନ ପୂର୍ବେ ଗଭର୍ଣ୍ଣମେଣ୍ଟଙ୍କ ପକ୍ଷରୁ ଏଠାରେ ବାଳିକାମାନଙ୍କ ପାଇଁ ଗୋଟିଏ ହାଇସ୍କୁଲ କରିବାର କଥା ଉଠିଥିଲା, କିନ୍ତୁ ବର୍ତ୍ତମାନ ଏଠାରେ ତାହା ଅସମ୍ଭବ ବୋଲି ଜଣାଇ ଦିଆଗଲା । କାରଣ, ହାଇସ୍କୁଲରେ ପଢ଼ିବା ଭଳି ବାଳିକା ନାହାନ୍ତି । ସୁତରାଂ ଏ ବିଷୟରେ ଚେଷ୍ଟାକରିବା ବୃଥା ।” ଏହାଥିଲା ୧୯୦୪ ମସିହା ବେଳର କଥା । ଏପରି ଅଭିଜ୍ଞତାର ପ୍ରତିକ୍ରିୟାରେ ରେବା ରାୟ ଲେଖନ୍ତି୨(ପୃ ୩୯୨), “କାହାରି ଠାରୁ ଏ ବିଷୟରେ ସାହାଯ୍ୟ ପାଇବାର ଆଶା ନ ଦେଖି ମନରେ ନୈରାଶ୍ୟ ଆସିବା ଦୂରେ ଥାଉ, ମନ ଏ କାର୍ଯ୍ୟରେ ଅଗ୍ରସର ହେବା ପାଇଁ ଅଧିକତର ବ୍ୟଗ୍ର ଓ ଉତ୍ସୁକ ହୋଇପଡ଼ିଲା । କମାର ଯେପରି ଭାଟିଦ୍ୱାରା ଅଗ୍ନିକୁ ଅଧିକତର ଉତ୍ତପ୍ତ କରେ, ତଦ୍ଦ୍ୱାରା କଠିନ ଲୌହ ନରମ ହୋଇ ଦ୍ରବ୍ୟ ଗଠିତହୁଏ, ସେହିପରି ମୋର ନିସ୍ତେଜ ମନକୁ କମାର ଭାଟି ତୁଲ୍ୟ ଗୋଟିଏ ମହତ୍ତର ଶକ୍ତି ମୋତେ ଏ କାର୍ଯ୍ୟରେ ବ୍ରତୀ ହେବାପାଇଁ ମନରେ ବିଶେଷ ଭାବରେ ବ୍ୟାକୁଳତା ଆଣି ଦେଉଥାଏ ।” ଶେଷରେ ରେବା ରାୟ ମାତ୍ର ପାଞ୍ଚଜଣ ବାଳିକାଙ୍କୁ ନେଇ ୧୯୦୫ ମସିହା ଫେବୃଆରୀ ୫ ତାରିଖ ଦିନ, କଟକ କାଳୀଗଳି ସ୍ଥିତ ନିଜ ବାସ ଭବନରେ, ଆରମ୍ଭକଲେ ସ୍କୁଲ ଯାହାର ନାମ ରଖିଲେ ‘ଆଦର୍ଶ ବାଳିକା ବିଦ୍ୟାଳୟ ବା Model Girls’ School’ । କହିବା ବାହୁଲ୍ୟ, ଏହାହିଁ ଥିଲା ବାଳିକାଙ୍କ ପାଇଁ ପ୍ରଥମ ହାଇସ୍କୁଲ ।
ବିଦ୍ୟାଳୟ ବଢ଼ିଲା- ଏହି ବାଳିକା ବିଦ୍ୟାଳୟକୁ କଟକର ତଦାନୀନ୍ତନ ଭଦ୍ର ପରିବାରର ବାଳିକାମାନେ ପଢ଼ିବାକୁ ଆସିଲେ । ରେବା ରାୟ ଲେଖନ୍ତି୩(ପୃ ୪୦୯), “ରେଭେନ୍ସା ଉଚ୍ଚ ପ୍ରାଥମିକ ହିନ୍ଦୁ ବାଳିକା ବିଦ୍ୟାଳୟରୁ ଅବସ୍ଥାପନ୍ନ ଭଦ୍ର ବ୍ୟକ୍ତିମାନଙ୍କ ଝିଅ ଇଂରାଜୀ ଶିକ୍ଷାପାଇଁ ଏବଂ ଯିବା ଆସିବା କରିବାକୁ ଗାଡି ମିଳିବାରୁ ମୋ ସ୍କୁଲକୁ ଚାଲି ଆସିଲେ ।” ମାତ୍ର ବର୍ଷେ ପୂରଣ ହେଉ ହେଉ ଏହି ଅନୁଷ୍ଠାନଟି, ଦୂର ଦୁରାନ୍ତରୁ ବାଳିକାଙ୍କୁ ଉଚ୍ଚଶିକ୍ଷା ଦେବାକୁ ଆଗ୍ରହୀ ଅଭିଭାବକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ରେବା ରାୟ ଲେଖନ୍ତି୩(ପୃ ୪୧୦), “ଦୂରରୁ ବାଳିକାମାନେ ବୋର୍ଡିଂରେ ଆସି ରହିବା ପାଇଁ ପତ୍ର ଲେଖିଲେ ।” ଏଥିପାଇଁ ସେ ଏକ କୋଠି ୫୧ ଟଙ୍କା ଭଡ଼ାରେ ବିହାରୀଲାଲ ପଣ୍ଡିତଙ୍କଠାରୁ ନେଲେ ଓ ସେହିଠାରେ, ‘ବୋର୍ଡିଂ ଓ ସ୍କୁଲ ଉଭୟ କାର୍ଯ୍ୟ ଚଳିଲା । ସେତେବେଳକୁ ଛାତ୍ରୀସଂଖ୍ୟା ପ୍ରାୟ ଏକ ଶତ’ । ଅନୁଷ୍ଠାନଟି ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଓ ସେମାନେ ବିଦ୍ୟାଳୟ ପରିଦର୍ଶନରେ ଆସି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ, ଏପରିକି ସ୍କୁଲ ବିଭାଗର ଡିରେକ୍ଟର Earl ସାହେବ ଲେଖିଲେ୩(ପୃ ୪୧୦) “ଆପଣଙ୍କ ସ୍କୁଲକୁ ସାହାଯ୍ୟ କରିପାରିଲେ ମୁଁ ଖୁବ ଖୁସି ହେବି ।” ଓ ପରେ ସାହାଯ୍ୟ କରିବାକୁ ଯାଇ ତତ୍କାଳୀନ ସ୍କୁଲସମୂହର ଇନ୍ସପେକ୍ଟର ମଧୁସୂଦନ ରାଓଙ୍କୁ ଲେଖିଥିଲେ୩(ପୃ ୪୧୩), “ଆଦର୍ଶ ବାଳିକା ବିଦ୍ୟାଳୟକୁ ଗତ ୬ ମାସ ପାଇଁ ଦୁଇଶତ ଟଙ୍କା ହିସାବରେ ୧୨ଶତ ଟଙ୍କା ସାହାଯ୍ୟ ଦିଅନ୍ତୁ । ଏହା ପରେ ମାସିକ ବ୍ୟୟ ସହିତ ରୀତିମତ ଦରଖାସ୍ତ କରନ୍ତୁ । ମୁଁ ଅଧେ ଟଙ୍କା ସାହାଯ୍ୟ କରିବି ।” ଏହା ଛଡ଼ା ତତ୍କାଳୀନ କମିଶନର F W Duke ଏହି ଅନୁଷ୍ଠାନ ପାଇଁ ଭିନ୍ନ ଭିନ୍ନ ଗଡଜାତରୁ ସାହାଯ୍ୟ ରାଶିର ଆୟୋଜନ କରାଇଥିଲେ । କେବଳ ସେତିକି ନୁହେଁ Duke ସାହେବ ତତ୍କାଳୀନ ବଂଗ , ବିହାର ଓ ଓଡ଼ିଶାର ଲାଟ୍ ସାହେବ ସାର୍ ଆଣ୍ଡ୍ରୁ ଫ୍ରେଜର ଓ ତାଙ୍କ ପତ୍ନୀ ଲେଡି ଫ୍ରେଜରଙ୍କୁ ଆଦର୍ଶ ବାଳିକା ବିଦ୍ୟାଳୟ ପରିଦର୍ଶନ ପାଇଁ ପଥ ସୁଗମ କରିଥିଲେ । ପରିଦର୍ଶନ ପରେ ଭିଜିଟ ବହିରେ ଲାଟ୍ ସାହେବ ସ୍ୱହସ୍ତରେ ଲେଖିଥିଲେ୩(ପୃ ୪୧୫), “ଲେଡି ଫ୍ରେଜର ଓ ମୁଁ ସ୍କୁଲ ପରିଦର୍ଶନ କରି ଖୁବ ଖୁସି ହେଲୁ । ମୁଁ ସ୍କୁଲର ଉତ୍ତରୋତ୍ତର ଉନ୍ନତି କାମନା କରେ ।” କିନ୍ତୁ ଏହି ପରିଦର୍ଶନ ପରେ, ରେବା ରାୟ ଲେଖନ୍ତି ୩(ପୃ ୪୧୫), “କାହିଁକି କେଜାଣି ମିସ୍ ଦାସ ମୋ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲେ ।”
ମିସ୍ ଶୈଳବାଳା ଦାସ
ମିସ୍ ଦାସ ଅର୍ଥାତ୍ ମିସ ଶୈଳବାଳା ଦାସ(ଜନ୍ମ ୧୮୭୫-ମୃତ୍ୟୁ ୧୯୬୮), ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପାଳିତା କନ୍ୟା, ଆଦର୍ଶ ବାଳିକା ବିଦ୍ୟାଳୟର ସ୍କୁଲ ମାନେଜିଂ କମିଟିର ପ୍ରେସିଡେଣ୍ଟ ଥିଲେ । ତାଙ୍କ ନିଯୁକ୍ତି ସମ୍ପର୍କରେ ରେବା ରାୟ ଲେଖନ୍ତି୩(ପୃ ୪୧୩), “ଆଦର୍ଶ ବାଳିକା ବିଦ୍ୟାଳୟ ମାସିକ ୩୧୦ଟଙ୍କା ଗଭର୍ଣ୍ଣମେଣ୍ଟ ସାହାଯ୍ୟ ପାଇଲା ପରେ, ଶ୍ରୀମତୀ ଶୈଳବାଳା ଦାସ ବିଲାତରୁ ଫେରିଲେ । ମୋର ୧୫ /୧୬ ବର୍ଷ ବୟସରୁ ତାଙ୍କ ସହ ପରିଚୟ ଥିଲା । ସ୍କୁଲ ସ୍ଥାପନ ପୂର୍ବରୁ ସେ ବିଲାତ ଯାଇଥିଲେ । ବଡବାବା ଦିନେ ମୋତେ ଡାକି କହିଲେ, ମିସ୍ ଶୈଳବାଳା ଦାସଙ୍କୁ ସ୍କୁଲ ମାନେଜିଂ କମିଟିର ପ୍ରେସିଡେଣ୍ଟ କର, ଭଲ ହେବ । ସେ ଓଡ଼ିଶାର ଜଣେ ଶିକ୍ଷିତା ମହିଳା । ବଡବାବାଙ୍କ କଥା ଅନୁସାରେ ତାଙ୍କୁ ସ୍କୁଲ ମାନେଜିଂ କମିଟିର ପ୍ରେସିଡେଣ୍ଟ କରାଗଲା । ସେ ସମୟରେ ଆଉ ପାଞ୍ଚଜଣ ବିଶିଷ୍ଟ ମହିଳା ମେମ୍ବର ଥିଲେ ।” ଲାଟ୍ ସାହେବଙ୍କ ପରିଦର୍ଶନ ସମୟର ଦୃଶ୍ୟର ବିବରଣୀ ଦେଇ ରେବା ରାୟ ଲେଖନ୍ତି୩(ପୃ ୪୧୪), “ସ୍କୁଲ ପରିଦର୍ଶନ ଦିବସ ୧୨ଟା ସମୟରେ । ଶ୍ରୀଯୁକ୍ତ ଫ୍ରେଜର ଓ ଲେଡି ଫ୍ରେଜର, କମିଶନର F W Dukeଙ୍କୁ ସାଙ୍ଗରେ ଘେନି ଆସି ପହଞ୍ଚିଲେ । ମୋଟର ପୋଟିକୋ ପାଖରେ ପହଞ୍ଚିଲା ବେଳକୁ, ମୁଁ ଓ ମିସ୍ ଦାସ ବାରଣ୍ଡାରେ ତାଙ୍କ ଅପେକ୍ଷାରେ ଛିଡ଼ା ହୋଇଥିଲୁ । ବଡ଼ବାବା ଚାରିହାତ ଦୂରରେ ଛିଡ଼ା ହୋଇଥିଲେ । ମୋର ପରିଧାନରେ ସାମାନ୍ୟ ଥାନ ଧୋତି, ନଗ୍ନପଦ, ତହିଁରେ ପୁଣି ଇଂରାଜୀ କଥା ଜାଣେ ନାହିଁ, ସେଥିପାଇଁ ମୁଁ ବଡ ସଙ୍କୁଚିତ ଭାବରେ ଠିଆ ହୋଇଥାଏ । ମନେ ମନେ ସ୍ଥିର କରିଥାଏ, ମିସ୍ ଦାସ ସ୍କୁଲ ପରିଦର୍ଶନ କରାଇବେ, ମୁଁ କେବଳ ସେମାନଙ୍କ ପଛରେ ରହିଥିବି । କିନ୍ତୁ ଦୈବ ଘଟଣାବଶତଃ ସବୁ ବିପରୀତ ଘଟିଲା । ଫ୍ରେଜର ଓ ଲେଡି ଫ୍ରେଜର ଗାଡ଼ିରୁ ଓହ୍ଲାଇବାମାତ୍ରେ ପଛରେ ଡୁ୍ୟକ୍ ସାହେବ ଓହ୍ଲାଇ ମୋତେ ଦେଖାଇ କହିଲେ, ‘ଏ ମିସେସ ରାୟ’ । ଫ୍ରେଜର ଓ ଲେଡି ଫ୍ରେଜର ମୋତେ hand shake କରି Duke ର ସାହେବଙ୍କ ସହିତ ସ୍କୁଲର ହଲ ଘର ଭିତରକୁ ପ୍ରବେଶ କଲେ । ମୋ ପାଖରେ ମିସ୍ ଦାସ ଛିଡା ହୋଇଥିଲେ । ତାଙ୍କର ଏବଂ ବଡବାବାଙ୍କର କିଛି ପରିଚୟ ଦେଲେ ନାହିଁ । ଫ୍ରେଜର ଓ ଲେଡି ଫ୍ରେଜର ଘର ଭିତରକୁ ପ୍ରବେଶ କଲାମାତ୍ରେ ଉଚ୍ଚ ଶ୍ରେଣୀର ବାଳିକାମାନେ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦର୍ଶନ କରି “ଜୟ ବଙ୍ଗେଶ୍ୱର, ଜୟ ଶ୍ରୀ ଫ୍ରେଜର, ଜୟ ଶ୍ରୀମତୀ ଫ୍ରେଜର ଦେବୀ”-ଏହି ସଙ୍ଗୀତଟି, ଯାହା ରଚନା କରିଥିଲେ ମଧୁସୂଦନ ରାଓ, ଗାଇ ଶେଷ କରିବା ମାତ୍ରେ ମିସ୍ ଦାସ କହିଲେ, “ଓଡ଼ିଶାରେ ବାଳିକାମାନଙ୍କ ଉଚ୍ଚ ଶିକ୍ଷାପାଇଁ ସ୍କୁଲଟି ହୋଇଅଛି ସତ କିନ୍ତୁ ଉଚ୍ଚଶ୍ରେଣୀରେ ଓଡ଼ିଆ ବାଳିକା ନାହାନ୍ତି ।” ମୁଁ ଏ କଥା ଶୁଣି କ’ଣ ଉତ୍ତର ଦେବି ସ୍ଥିର କରି ପାରିଲି ନାହିଁ । Duke ସାହେବ ଆଗଭର ହୋଇ ପ୍ରତ୍ୟୁପନ୍ନମତିତା ବଳରେ କହିଲେ, ‘ଉଚ୍ଚ ଶ୍ରେଣୀମାନଙ୍କରେ ଯେତେ ଓଡ଼ିଆ ଓ ଡୋମିସାଇଲ ବଙ୍ଗାଳୀ ଅଛ ଉଠି ଛିଡ଼ା ହୁଅ’ । ଏକଥା ଶୁଣି ଉଚ୍ଚଶ୍ରେଣୀର ୨୧ଜଣ ବାଳିକାଙ୍କ ମଧ୍ୟରୁ ୧୭ ଜଣ ଛିଡ଼ାହେଲେ । ଚାରିଜଣ ମାତ୍ର ବଙ୍ଗାଳୀ ଥିଲେ । ମିସ୍ ଦାସ ଲାଟ୍ ସାହେବ ସ୍କୁଲ ପରିଦର୍ଶନ କରାଇବେ ବୋଲି ଆସି ଏପରି ବିପରୀତ କଥା କହିବାର କାରଣ ମୁଁ ବୁଝି ପାରିଲି ନାହିଁ ।” ମିସ୍ ଦାସ ଲାଟ ସାହେବଙ୍କୁ ପରିଦର୍ଶନ କରାଇବେ, ଏହା ଥିଲା ମଧୁସୂଦନ ରାଓଙ୍କ ପରାମର୍ଶ । ରେବା ରାୟଙ୍କ ଭାଷାରେ୩(ପୃ ୪୧୪), “ବଡବାବା ମୋତେ କହିଲେ, ତୁ ଭଲ ଇଂରାଜୀ ଜାଣୁ ନାହିଁ, ମିସ୍ ଶୈଳବାଳା ଦାସଙ୍କୁ ଖବର ଦେବି, ସେ ଉପସ୍ଥିତ ଥାଇ କଥାବାର୍ତ୍ତା କରିବେ । ମୁଁ ନିଶ୍ଚିନ୍ତ ହେଲି । ବଡବାବା ମିସ୍ ଦାସଙ୍କୁ ଖବର ଦେଲେ ।” ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ଯେ ଲାଟ୍ ସାହେବଙ୍କ ପରିଦର୍ଶନ ମିସ୍ ଶୈଳବାଳା ଦାସଙ୍କ ଅଗ୍ରଗାମୀତ୍ୱରେ ହେବା ନିର୍ଦ୍ଧାରିତ ହୋଇଥିଲା । ଏଥିପାଇଁ ସେ ଉପସ୍ଥିତ ଥିଲେ ମଧ୍ୟ ଅତିଥିମାନେ ତାଙ୍କୁ ଅଣଦେଖା କରି ରେବା ରାୟଙ୍କୁ ସାଥିରେ ନେଇ ପରିଦର୍ଶନ କାର୍ଯ୍ୟ ସମାପନ କଲେ । ସ୍ୱାଭାବିକ ମିସ୍ ଦାସ ଆହତ ହୋଇଥିବେ । ପୁଣି ଲାଟ୍ ସାହେବ ଦମ୍ପତିଙ୍କ ସମ୍ମୁଖରେ ମିସ୍ ଦାସଙ୍କର ବିଦ୍ୟାଳୟ ସମ୍ପର୍କରେ ମତ ତଥ୍ୟାଶ୍ରିତ ନୁହେଁ ବୋଲି କମିଶନର ଡୁ୍ୟକ୍ ସାହେବ ଦେଖାଇଦେବା ତାଙ୍କୁ ଲଜ୍ଜିତ କରିଥିବ, ବିଦ୍ୟାଳୟ ମାନେଜିଂ କମିଟିର ପ୍ରେସିଡେଣ୍ଟ ହୋଇ ତଥ୍ୟରେ ତ୍ରୁଟି! ବୋଧହୁଏ ଏହିପରି ଅଭିଜ୍ଞତା ଯୋଗୁଁ ମିସ୍ ଦାସ ରେବା ରାୟଙ୍କ ସହ ‘ସମସ୍ତ ସମ୍ବନ୍ଧ ଛିନ୍ନ’ କରିଥିବେ ।
ଅପରପକ୍ଷରେ ଶୁଣାଗଲା ଯେ ‘ରେଭେନ୍ସା ବାଳିକା ବିଦ୍ୟାଳୟକୁ ହାତରେ ନେଇ ସେଇଟିକୁ ମିସ୍ ଦାସ ହାଇସ୍କୁଲ କରିବେ’ । ଏଥିପାଇଁ ରେବା ରାୟ ଲେଖନ୍ତି୩(ପୃ ୪୧୫), “ଆଦର୍ଶ ବାଳିକା ବିଦ୍ୟାଳୟରୁ ଉଚ୍ଚ ଶ୍ରେଣୀର ବାଳିକାମାନଙ୍କୁ ରେଭେନ୍ସା ବାଳିକା ବିଦ୍ୟାଳୟକୁ ନେବାପାଇଁ ମିସ୍ ଦାସ ପ୍ରାଣପଣେ ଚେଷ୍ଟା କଲେ।” ଏହାଶୁଣି ଆଦର୍ଶ ବାଳିକା ବିଦ୍ୟାଳୟର ଶୁଭେଚ୍ଛୁ କମିଶନର ଡୁ୍ୟକ୍ ସାହେବ ରେବା ରାୟଙ୍କୁ ହସି କହିଥିଲେ୩(ପୃ ୪୧୫), “ମିସ୍ ଦାସ, ତୁମ ସ୍କୁଲରୁ ବାଳିକା ନ ନେଲେ ଆଉ ଉଚ୍ଚଶ୍ରେଣୀ ପାଇଁ କେଉଁଠୁ ବାଳିକା ପାଇବେ ।” କିନ୍ତୁ ଏହା ଥିଲା ‘ଆଦର୍ଶ ବାଳିକା ବିଦ୍ୟାଳୟ’ର ଅସ୍ତିତ୍ୱ ବିଲୋପନ ଉଦ୍ୟମର ଅୟମାରମ୍ଭ । ଏହା ବୋଧହୁଏ ରେବା ରାୟ ବୁଝିପାରିଥିଲେ । ତା ନହେଲେ ସେ କାହିଁକି ଲେଖନ୍ତେ୩(ପୃ ୪୧୫), “କିଛିଦିନ ପରେ କେତେଗୁଡିଏ ଭଦ୍ରବ୍ୟକ୍ତି ମିଳି ଡୁ୍ୟକ୍ ସାହେବଙ୍କୁ କହିଲେ, ‘ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟକୁ ହାଇସ୍କୁଲ ନକଲେ ରେଭେନ୍ସା ସାହେବଙ୍କ ନାମ ରହିବ ନାହିଁ । କାରଣ ଆଦର୍ଶ ବାଳିକା ବିଦ୍ୟାଳୟ ୩ବର୍ଷ ହେଲା ପ୍ରତିଷ୍ଠିତ ହୋଇ ମାସିକ ୩୧୦ ଟଙ୍କା ଲେଖାଏଁ ଗଭର୍ଣ୍ଣମେଣ୍ଟ ସାହାଯ୍ୟପ୍ରାପ୍ତ ହେଉଛି, ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ମାତ୍ର ୩୦ଟଙ୍କା ସାହାଯ୍ୟ ପାଉଛି ।’ ଡୁ୍ୟକ୍ ସାହେବ ନିଜ ଜାତିର ଗୌରବ ଓ ମର୍ଯ୍ୟାଦା ଭଲରୂପେ ବୁଝନ୍ତି, ତତ୍ରାଚ ସେ ନିରପେକ୍ଷ ହୋଇ ରହିଲେ ।”
‘ରେଭେନ୍ସା’ ନାଁର ସୁବିଧା
କିନ୍ତୁ ରେଭେନ୍ସାଙ୍କ ନାମ ଥିବା ଅନୁଷ୍ଠାନକୁ ଯେ ଉପେକ୍ଷା କରାଯାଇ ପାରେନା -ଏପରି ଏକ ବିଚାର ଇଂରାଜ ଶିକ୍ଷା ପ୍ରଶାସକଙ୍କ ମଧ୍ୟରେ ଦେଖା ଯାଇଥିଲା । ରେବା ରାୟ ଲେଖନ୍ତି୪(ପୃ ୫୦୫), “ବର୍ତ୍ତମାନ (ଆରଲ) Earl ସାହେବଙ୍କ ପରିବର୍ତ୍ତରେ Kuchlar(କୁଚଲର) ସାହେବ ଡିରେକ୍ଟର ଥିଲେ । ସେ ଘୋର ସଙ୍କଟରେ ପଡ଼ିଲେ । ଏକ ଦିଗରେ ଓଡ଼ିଶା ବାଳିକାମାନଙ୍କର ପ୍ରଥମ ହାଇସ୍କୁଲ ଯାହାକୁ ଗଭର୍ଣ୍ଣମେଣ୍ଟ ତ୍ରୟ ବର୍ଷାଧିକ ହେବ ମାସିକ ୩୧୦ଟଙ୍କା ସାହାଯ୍ୟ ଦେଉଛନ୍ତି, ଅନ୍ୟ ଦିଗରେ ମିସ୍ ଦାସ ରେଭେନ୍ସା ସାହେବଙ୍କ ନାମରେ ଥିବା ସ୍କୁଲକୁ ହାଇସ୍କୁଲରେ ପରିଣତ କରିବା ପାଇଁ ସାହାଯ୍ୟ ପ୍ରାର୍ଥନା କରୁଅଛନ୍ତି ।” ଏହାର ସମାଧାନ ଦୁଇ ସ୍କୁଲର ବିଲୟରେ ଅଛି ବୋଲି Kuchlar(କୁଚଲର) ସାହେବ ଆଦର୍ଶ ବାଳିକା ବିଦ୍ୟାଳୟ ପରିସରକୁ ଆସି ରେବା ରାୟଙ୍କୁ ବୁଝାଇଲେ । ରେବା ରାୟ ଲେଖନ୍ତି୪(ପୃ ୫୦୫), “ମୋତେ କହିଲେ ‘କଟକରେ ବାଳିକା ମାନଙ୍କର ଦୁଇଟି ହାଇସ୍କୁଲ ଚଳିପାରିବ ନାହିଁ । ଏ ଦୁଇ ସ୍କୁଲ ମିଶି ଏକ ହୋଇଗଲେ ଭଲ’ ।” ଏପରି ପରାମର୍ଶ ସମୟରେ ରେବା ରାୟଙ୍କ ବଡ଼ବାବା ମଧୁସୂଦନ ରାଓ ଯିଏ ସେତେବେଳେ ‘ସ୍କୁଲ ସମୂହର ଇନ୍ସପେକ୍ଟର’ ଉପସ୍ଥିତ ଥିଲେ । କୁଚଲର ସାହେବଙ୍କର ପରାମର୍ଶ ଥିଲା ସ୍କୁଲ ଦୁଇଟି ଏକ ହୋଇଗଲାପରେ ରେବା ରାୟ ‘ଏକଶତ ଟଙ୍କା ବେତନରେ ବୋର୍ଡିଂ ସୁପରିଟେଣ୍ଡେଣ୍ଟ ହୋଇ ରହିବେ’ ଓ ମିସ୍ ଦାସ ‘ଲେଡି ପ୍ରିନ୍ସିପାଲ ହେବେ’ । ଏହାର ପ୍ରତିକ୍ରିୟାରେ ରେବା ରାୟ କହିଥିଲେ୪(ପୃ ୫୦୫), “ମିସ୍ ଦାସଙ୍କ ମୋ ପ୍ରତି ଯେପରି ମନୋଭାବ ତାଙ୍କ ସହିତ ମିଶି କାର୍ଯ୍ୟ କରିବା ମୋ ପକ୍ଷରେ ଅସମ୍ଭବ ।” କିନ୍ତୁ କୁଚଲର ସାହେବ ଯେତେବେଳେ ରେଭେନ୍ସା ବାଳିକା ବିଦ୍ୟାଳୟ ଯାଇ ମିସ୍ ଦାସଙ୍କୁ ଏହି ପରାମର୍ଶ ଦେଲେ, ମିସ୍ ଦାସ ତାହା ସହିତ ସମ୍ମତ ହେଲେ ଅର୍ଥାତ୍ ଦୁଇ ବିଦ୍ୟାଳୟ ଏକ ହେବେ, କିନ୍ତୁ ସେ ପ୍ରଶ୍ନ କଲେ ଯେ୪(ପୃ ୫୦୬) ‘ମିସେସ ରାୟଙ୍କର କି ଯୋଗ୍ୟତା ଅଛି ଯେ ସେ ମାସିକ ଏକ ଶତ ଟଙ୍କା ପାଇବେ?’ ରେବା ରାୟ ଲେଖନ୍ତି, “ଦିରେକ୍ଟର ସାହେବ ପ୍ରତିତ୍ତ୍ୱରରେ ମିସ୍ ଦାସଙ୍କୁ କହିଲେ୪(ପୃ ୫୦୬), ‘ମିସେସ ରାୟ ଓଡ଼ିଶାରେ ବାଳିକାମାନଙ୍କ ପାଇଁ ପ୍ରଥମ ହାଇସ୍କୁଲ ସ୍ଥାପନ କରି ଅଛନ୍ତି । ସେଇଥିପାଇଁ ମୁଁ ତାଙ୍କୁ, ଏକଶତ ଟଙ୍କା ବେତନରେ ବୋର୍ଡିଂ ସୁପରିଟେଣ୍ଡେଣ୍ଟ କରି ରଖିବାକୁ ଚାହେଁ ।’” କୁଚଲର ଫେରି ଯିବା ପରେ, ଡିରେକ୍ଟର ଅଫିସରୁ, ରେବା ରାୟ ଲେଖନ୍ତି୪(ପୃ ୫୦୬), “ମୋ ପାଖକୁ ଖଣ୍ଡିଏ ପତ୍ର ଆସିଲା । ତାର ସାରମର୍ମ ଏହି -ଦୁଇ ସ୍କୁଲ ଏକ ହୋଇଯିବ, ଗଭର୍ଣ୍ଣମେଣ୍ଟ ଏହାକୁ ହାତରେ ନେବେ । ଆପଣ ଏକଶତ ଟଙ୍କା ବେତନରେ ଲେଡି ସୁପରିଟେଣ୍ଡେଣ୍ଟ ହୋଇ ରହିବେ । ଆପଣ ଏ ପ୍ରସ୍ତାବ ଅଗ୍ରାହ୍ୟ କଲେ ଆପଣଙ୍କର ସ୍କୁଲର ସାହାଯ୍ୟ ବନ୍ଦ ହେବ ।” ବୋଧହୁଏ ରେବା ରାୟ ଏହି ପତ୍ର ପାଇ, ରେବା ରାୟଙ୍କ ଭାଷାରେ ୪(ପୃ ୫୦୬), “କିଞ୍ଚିତ କ୍ଷୁବ୍ଧ ହେଲି ନାହିଁ । ଅଧିକନ୍ତୁ ମୁଁ ଏବଂ ସ୍କୁଲର ଶିକ୍ଷୟିତ୍ରୀମାନେ ଅଧିକତର ଯତ୍ନ ସହିତ କାର୍ଯ୍ୟ କରିବାକୁ ଲାଗିଲୁ । ମିସ୍ ଦାସ ରେଭେନ୍ସା ବାଳିକା ବିଦ୍ୟାଳୟ ପାଇଁ ପାଞ୍ଚଶତ ଟଙ୍କା ସାହାଯ୍ୟ ପାଇଲେ ।” ଅର୍ଥାତ୍ ରେବା ରାୟ ଦୁଇ ବିଦ୍ୟାଳୟ ମିଶିଯିବାର ପ୍ରସ୍ତାବକୁ ଗ୍ରହଣ କରୁ ନଥିଲେ, ତାଙ୍କ ସ୍କୁଲ ପାଇଁ ସାହାଯ୍ୟ ବନ୍ଦ ହେବାର ଧମକ ସତ୍ତ୍ୱେ ଓ ରେଭେନ୍ସା ବାଳିକା ବିଦ୍ୟାଳୟକୁ ପାଞ୍ଚଶତ ଟଙ୍କାର ସାହାଯ୍ୟ ସତ୍ତ୍ୱେ । ବରଂ ଆଦର୍ଶବାଳିକା ବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରଖିବା ଚାହୁଁଥିଲେ । ଏବଂ ଏହା ସ୍କୁଲ ମାନେଜିଂ କମିଟିର ମେମ୍ବର ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଚାହୁଁଥିଲେ । ରେବା ରାୟ ଲେଖନ୍ତି, “ମାନେଜିଂ କମିଟିର ମେମ୍ବରମାନେ କହିଲେ୪(ପୃ ୫୦୬), ‘ଆପଣ ଯଦି ଏ ସ୍କୁଲକୁ ଆଉ ତିନିବର୍ଷ ଚଲାଇ ରଖିପାରନ୍ତି ତେବେ ଏ ସ୍କୁଲ ସ୍ଥାୟୀ ହୋଇ ରହିଯିବ’ ।” କାରଣ ସେତେବେଳକୁ ସରକାର ୩୧୦ଟଙ୍କାର ଯେଉଁ ମାସିକ ସାହାଯ୍ୟ ଦେଉଥିଲେ, ତାହା ବନ୍ଦ କରି ଦେଇଥିଲେ । ତେବେ ଏହି ଅଭାବ ପୂରଣ କରିବେ ବୋଲି ରେବା ରାୟଙ୍କ ପିତା ଜଗନ୍ନାଥ ରାଓ ପ୍ରତିଶ୍ରୁତି ଦେଇଥିଲେ, ସେ ‘ତିନି ବର୍ଷ ପାଇଁ ମାସିକ ୩୧୦ଟଙ୍କା ଦେବେ’ । କିନ୍ତୁ ବର୍ଷେ ପୂରଣ ହେଉ ହେଉ, ମଧୁସୂଦନ ରାଓ ରେବା ରାୟଙ୍କ ଉପରେ ବିରକ୍ତ ହୋଇ କହିଲେ୪(ପୃ ୫୦୬-୭), “ଦିରେକ୍ଟରଙ୍କ କଥାନୁସାରେ ଦୁଇ ସ୍କୁଲ ମିଶି ଯାଇଥିଲେ ଭାରି ଭଲ ହୋଇଥାନ୍ତା; ଏପରି ଭାବରେ ମାସକୁ ମାସ ଏତେ ଟଙ୍କା ଅଣି ଖର୍ଚ୍ଚ କରିବାଦ୍ୱାରା ବାପର ରକ୍ତଶୋଷଣ କରାହେଉଛି ।” ମଧୁସୂଦନ ରାଓଙ୍କୁ ମିସ୍ ଦାସ ପ୍ରବର୍ତ୍ତାଉଥାନ୍ତି ଦୁଇ ସ୍କୁଲର ମିଶ୍ରଣ ପାଇଁ ରେବା ରାୟଙ୍କୁ ବୁଝାଇବାକୁ । ରେବା ରାୟ ଲେଖନ୍ତି୪(ପୃ ୫୦୭), “ଏଣେ ଉଚ୍ଚ ଶ୍ରେଣୀମାନଙ୍କରେ ବାଳିକା ନ ପାଇ ମିସ୍ ଦାସ ବଡବାବାଙ୍କୁ ବାରମ୍ବାର କହିଲେ, ‘ମଧୁବାବୁ, ରେବା ବୃଥାରେ ଘରୁ ଟଙ୍କା ସାରି ସ୍କୁଲ ଚଲାଉଛି । ଆପଣ ରେବାକୁ ବୁଝାଇ ଦୁଇ ସ୍କୁଲ ମିଶାଇ ଦେବାକୁ ରାଜି କରାନ୍ତୁ ।’ ବଡବାବା ମୋତେ ଆସି ଅନେକ ଥର ଏହି କଥା କହିଲେ । କିନ୍ତୁ ମୁଁ ତାଙ୍କ କଥା ଶୁଣିଲି ନାହିଁ । ଶେଷରେ ବଡ଼ବାବା ପିତୃଦେବଙ୍କୁ ଲେଖିଲେ, ‘କଟକରେ ଦୁଇଟା ସ୍କୁଲ ଚଳିପାରିବ ନାହିଁ । ଦୁଇ ସ୍କୁଲ ମିଶି ଯିବା ଏକାନ୍ତ ବା‚ନୀୟ; ଏପରି ଅବସ୍ଥାରେ ତୁ ଆଉ ସ୍କୁଲ ପାଇଁ ଟଙ୍କା ପଠାଇବୁ ନାହିଁ ।’ .. ପିତୃଦେବ ବଡବାବାଙ୍କ କଥାରେ ହଠାତ୍ ଟଙ୍କା ବନ୍ଦ କରିଦେଲେ ।” ଏପରି ଟଙ୍କା ବନ୍ଦ ହୋଇଯିବାର ପ୍ରତିକ୍ରିୟାରେ ରେବା ରାୟ ଲେଖନ୍ତି୪ (ପୃ ୫୦୭), “ପିତୃଦେବ ସ୍କୁଲର ମାସିକ ସାହାଯ୍ୟ ୩୧୦ଟଙ୍କା ବନ୍ଦ କରିଦେବାରୁ ମୋ ମନରେ ବଡ଼ ଦୁଃଖ ହେଲା । ଆଦର୍ଶ ବାଳିକା ବିଦ୍ୟାଳୟର ମାନେଜିଂ କମିଟିର ମେମ୍ବରମାନେ ଦୃଢ଼ ଭାବରେ ଜାଣିଥିଲେ, ଆଦର୍ଶ ବାଳିକା ବିଦ୍ୟାଳୟକୁ (ସରକାର ସାହାଯ୍ୟ ବନ୍ଦ କରିବା ପରଠାରୁ) ୩ବର୍ଷ ଚଲାଇ ପାରିଲେ, ଏହା ନିଶ୍ଚୟ ସ୍ଥାୟୀ ହୋଇଯିବ । ମେମ୍ବରମାନଙ୍କ ମଧ୍ୟରୁ ପ୍ରଧାନ ରେଭେନ୍ସା କଲିଜିଏଟ୍ ସ୍କୁଲର ହେଡମାଷ୍ଟର ଶ୍ରୀଯୁକ୍ତ ବେଣୀମାଧବ ଦାସ । ସେ ସ୍କୁଲ ସ୍ଥାୟୀ ହେବା ବିଷୟରେ ପ୍ରଥମ ଉଦ୍ୟୋକ୍ତା ଥିଲେ ।” ସ୍ମରଣ କରିବା ଉଚିତ ହେବ ଯେ ସୁଭାଷଚନ୍ଦ୍ର ବୋଷଙ୍କର ଅତି ପ୍ରିୟ ଶିକ୍ଷକ ଥିଲେ ଶ୍ରୀଯୁକ୍ତ ବେଣୀମାଧବ ଦାସ । ତେଣୁ ରେବା ରାୟ ସ୍କୁଲ ଚଳାଇ ରଖିବା ପାଇଁ ଅର୍ଥ ଯୋଗାଡ଼ରେ ବାହାରିଲେ । କାଫଲା ବଜାର ଦୁଇ ମହଲା ଘରେ ବ୍ୟବହାର ପାଇଁ ରଖା ଯାଇଥିବା ୩୦୦୦ଟଙ୍କାର କଡ଼ିକାଠ ବିକିଦେଲେ, କାଳୀଗଳିରେ ଥିବା ନିଜ କୋଠାକୁ ଦେଢ଼ ହଜାର ଟଙ୍କାରେ ବନ୍ଧା ପକାଇଦେଲେ, ତାପରେ ସେ ଚାଲିଲେ ସାହାଯ୍ୟ ସଂଗ୍ରହରେ କଟକ ବାହାରକୁ -ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେ ବାହାଦୁରଙ୍କ ପାଖକୁ, ସେଠୁ ନୀଳଗିରି ରାଜାସାହେବଙ୍କ ପାଖକୁ, ଚକ୍ରଧରପୁର ରାଜାସାହେବଙ୍କ ପାଖକୁ, ଆନନ୍ଦପୁର ଜମିଦାରଙ୍କ ପାଖକୁ, ବାମଣ୍ଡା ରାଜାଙ୍କ ପାଖକୁ । ଆଦର୍ଶ ବାଳିକା ବିଦ୍ୟାଳୟକୁ ସ୍ଥାୟୀ କରିବାର ଦୃଢ ସଂକଳ୍ପ କନ୍ୟା ରେବା ରାୟଙ୍କ ଠାରେ ଦେଖି ବୋଧହୁଏ ପିତା ଜଗନ୍ନାଥ ରାଓଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ରେବା ରାୟ ଲେଖନ୍ତି ୪(ପୃ ୫୦୯), “ମୋତେ ଡକାଇ ମୋ ହାତରେ ହଜାର ଟଙ୍କିଆ ତିନି ଖଣ୍ଡ ନୋଟ ଦେଇ କହିଲେ- ଏ ଟଙ୍କା ସ୍କୁଲ ପାଇଁ ଦେଲି । ସ୍କୁଲ କାର୍ଯ୍ୟ ଯେପରି ଚଳୁଥିଲା ସେହିପରି ଚଳିଲା ।” ସେହି ବର୍ଷ ଏଣ୍ଟ୍ରାନ୍ସ (ମାଟ୍ରିକ) ପରୀକ୍ଷା ଦେବା ପାଇଁ ଆଦର୍ଶ ବାଳିକା ବିଦ୍ୟାଳୟରୁ ଦୁଇ ଜଣ ଓଡିଆ ଓ ଜଣେ ଡୋମିସାଇଲ ବଙ୍ଗାଳୀ ଛାତ୍ରୀ ପ୍ରସ୍ତୁତ ହେଉଥିବା ବେଳେ, ରେଭେନ୍ସା ବାଳିକା ବିଦ୍ୟାଳୟରୁ ‘ଜଣେ ମାତ୍ର କଲିକତି ଝିଅ ପ୍ରସ୍ତୁତ’ ହେଉଥିଲା ।‘ କିନ୍ତୁ ଦୁଇ ସ୍କୁଲକୁ ମିଶାଇ ଦେବା ପାଇଁ ଚାପ ପ୍ରୟୋଗରୁ ମଧୁସୂଦନ ରାଓ ନିବୃତ୍ତ ହେଉ ନ ଥିଲେ । ରେବା ରାୟ ଲେଖନ୍ତି ୪(ପୃ ୫୦୯), “ଠିକ୍ ଏହି ସମୟରେ ଦିନେ ବଡବାବା ଆସି କହିଲେ, ‘ତୁ ବୃଥା କାହିଁକି ଏତେ ପରିଶ୍ରମ କରୁଛୁ ଓ ଟଙ୍କା ବ୍ୟୟ କରୁଛୁ । ମିସ୍ ଦାସ କହୁଛନ୍ତି ତୁ ବୋର୍ଡିଂ ସୁପରିଟେଣ୍ଡେଣ୍ଟ ହୋଇ ରହିବୁ । ଆଉ ଅନ୍ୟାନ୍ୟ ସମସ୍ତ ବିଷୟ ଦୁଇ ସ୍କୁଲର ମାନେଜିଂ କମିଟିର ମେମ୍ବରମାନେ ବସି ସ୍ଥିର କରିବେ । ମୋ କଥା ମାନି ଚାଲ, ଆଉ ଏଥିରେ ଆପତ୍ତି କର ନା’ ।” ଶେଷକୁ ଦିନେ ମଧୁସୂଦନ ରାଓ ରେବା ରାୟଙ୍କୁ ଦୁଇସ୍କୁଲର ମିଶ୍ରଣ ଦିନ ଶୁଣାଇଲେ । ରେବା ରାୟ ଲେଖନ୍ତି ୪(ପୃ ୫୦୯) , “ଶେଷରେ ବଡବାବା ଆସି କହିଲେ ‘ଢ’ଜ୍ଞବଗ୍ଦ ଛୁଟି ପରେ ଦୁଇ ସ୍କୁଲ ମିଶିଗଲେ ଭଲ ହେବ । ମିସ୍ ଦାସଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଓ ଆଗ୍ରହ ମିଶାଇ ଦେବାକୁ, ତୋର କାହିଁକି ଏତେ ଅନିଚ୍ଛା ? ମୁଁ ମାନେଜିଂ କମିଟିର ମେମ୍ବରମାନଙ୍କୁ ବୁଝାଇ କହିଛି । ତୁ କେବଳ ରାଜି ହେଲେ ଦୁଇ କମିଟିର ମେମ୍ବରମାନେ ବସି ସବୁ ଠିକ୍ କରିବେ’ ।” ସ୍କୁଲ ଦ୍ୱୟକୁ ମିଶାଇ ଦେବା ପାଇଁ ରେବା ରାୟଙ୍କ ‘ପିତୃଦେବ ମଧ୍ୟ ଜିଦ ଧରି ବସିଲେ‘ । ଏପରି ଚାପ ରେବା ରାୟଙ୍କୁ ଯେପରି ଅସହାୟ କରିଦେଇଥିଲା । ସେ ଲେଖନ୍ତି ୪(ପୃ ୫୦୯- ୧୦), “ଯେଉଁମାନଙ୍କୁ ଘେନି ସ୍କୁଲ କାର୍ଯ୍ୟ ଚଳାଉ ଥିଲି ସେମାନେ ତ ଦୁଇ ସ୍କୁଲ ମିଶାଇ ଦେବାକୁ ଚାହାନ୍ତି । ମୁଁ ତହିଁରେ ଅସମ୍ମତ ପ୍ରକାଶ କରି ଲାଭ କଣ ? ଶେଷରେ ଦୁଇ ସ୍କୁଲ ମିଶାଇ ଦେବାକୁ ସମ୍ମତ ହେଲି ।”
ମିଶ୍ରଣ ପ୍ରକ୍ରିୟା
ଦୁଇ ସ୍କୁଲକୁ ମିଶାଇବା ପ୍ରକ୍ରିୟା ଆରମ୍ଭ ହେଲା । ଦୁଇ ସ୍କୁଲର ମାନେଜିଂ କମିଟିର ମେମ୍ବରମାନେ ସ୍କୁଲ ଇନ୍ସପେକ୍ଟରଙ୍କ ଅଫିସରେ ମିଳିତ ହେଲେ । ଆଦର୍ଶ ବାଳିକା ବିଦ୍ୟାଳୟର ସଦସ୍ୟମାନଙ୍କ ତରଫରୁ ଦୁଇଟି ପ୍ରସ୍ତାବ ରହିଲା – ପ୍ରଥମ ପ୍ରସ୍ତାବ ଥିଲା ମିଶିଗଲା ପରେ ବିଦ୍ୟାଳୟର ନାମ ‘ରେଭେନ୍ସା ଆଦର୍ଶ ବାଳିକା ବିଦ୍ୟାଳୟ’ ହେବ, ଓ ଦ୍ୱିତୀୟ ପ୍ରସ୍ତାବ ଆଗତ କରି କଲିଜିଏଟ ସ୍କୁଲର ହେଡମାଷ୍ଟର (ଶ୍ରୀ ବେଣୀମାଧବ ଦାସ) କହିଥିଲେ ୪(ପୃ ୫୧୦), “ ଏହି ମିଳିତ ସ୍କୁଲରେ ମିସେସ୍ ରାୟ ଓ ମିସ୍ ଦାସଙ୍କର similar position ହେବ ।“ ପ୍ରଥମ ପ୍ରସ୍ତାବ ତ ସର୍ବସମ୍ମତି କ୍ରମେ ଗୃହୀତ ହୋଇଗଲା । କିନ୍ତୁ ଦ୍ୱିତୀୟ ପ୍ରସ୍ତାବ ଉପରେ, ରେବା ରାୟଙ୍କ ଭାଷାରେ୪(ପୃ ୫୧୦), “ମାନନୀୟ ମଧୁସୂଦନ ଦାସ, C. I. E (ମଧୁବାବୁ) ବିଦ୍ରୂପ କରି କହିଲେ, କଣ! ଜ୍ୟାମିତିର ତ୍ରିଭୁଜ ପରି ସମାନ ହେବ?”
X -mas ଛୁଟି ଭିତରେ, ରେବା ରାୟ ଲେଖନ୍ତି୪(ପୃ ୫୧୦), “ଆଦର୍ଶ ବାଳିକା ବିଦ୍ୟାଳୟର ସମସ୍ତ furniture, ବଡ ଆଲମାରି ସହିତ library ପୁସ୍ତକ ସମୂହ ଯାହା ଯାହା ଉପକରଣ ସମୂହ ଥିଲା, କାଳୀଗଳିସ୍ଥ ବିଦ୍ୟାଳୟକୁ ପଠାଇଦେଲି ।” କାଳୀଗଳିରେ ଥିଲା ରେଭେନ୍ସା ବାଳିକା ବିଦ୍ୟାଳୟ । କିନ୍ତୁ ଏହିଭଳି ନିଜ ବିଦ୍ୟାଳୟର ଆସବାବପତ୍ର ଆଦି, ରେଭେନ୍ସା ବାଳିକା ବିଦ୍ୟାଳୟକୁ ହସ୍ତାନ୍ତରିତ କରିଦେବା ରେବା ରାୟଙ୍କ ପାଇଁ ବେଶ୍ ବେଦନାଦାୟକ ଥିଲା । ତା ନହେଲେ ସେ ଲେଖନ୍ତେ ନାହିଁ୪ (ପୃ ୫୧୧), “ମୁଁ ରେଭେନ୍ସା ବାଳିକା ବିଦ୍ୟାଳୟକୁ ସ୍କୁଲର ସମୁଦାୟ ଆସବାବ ପତ୍ର ଦେଇ ଦେଇଥିବାରୁ ମୋ ହାତରେ କେବଳ ଶୂନ୍ୟ ମନ୍ଦିର ତୁଲ୍ୟ ଖାଲି ଘରଟି ହିଁ ଥିଲା । ଅକ୍ଳାନ୍ତ ଭାବେ ଖଟି ଖଟି ଯାହା କରିଥିଲି ସେ ସମୁଦାୟ ରହିଲା ମିସ୍ ଦାସଙ୍କ ହାତରେ ।”
X-mas ପରେ, ଜାନୁଆରୀ ୨ତାରିଖରେ ‘ରେଭେନ୍ସା ବାଳିକା ବିଦ୍ୟାଳୟ ଖୋଲିବା ସଙ୍ଗେସଙ୍ଗେ ଆଦର୍ଶ ବାଳିକା ବିଦ୍ୟାଳୟର ଯେଉଁ ଶିକ୍ଷୟିତ୍ରୀମାନଙ୍କର ମିଳିତ ସ୍କୁଲରେ କାର୍ଯ୍ୟ କରିବାର କଥା ହୋଇଥିଲା ସେମାନେ ସେଠାକୁ ପଢାଇବାକୁ ଗଲେ । ଆଦର୍ଶ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ସେଠାକୁ ପଢିବାକୁ ଗଲେ ।’ ରେବା ରାୟ ଲେଖନ୍ତି୫ (ପୃ ୬୦୫), “ମିସ୍ ଦାସ ମୋତେ ଡାକିଲେ ନାହିଁ କି ମୋ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ ।” ଯେତେବେଳେ ମିଳିତ ସ୍କୁଲ କମିଟିର ଏକ ମିଟିଂ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ବସିଲା ଓ ଆଲୋଚନା ବେଳେ ମଧୁସୂଦନ ଦାସ କହିଲେ ଯେ “ଦୁଇ ସ୍କୁଲ ମିଶିବା କଥା କେବଳ କାଗଜ ପତ୍ରରେ ହୋଇଛି, କିନ୍ତୁ କାର୍ଯ୍ୟତଃ ମିଶି ନାହିଁ ”, ଏବଂ ଏହାକୁ ‘ବଡବାବା’ ମଧୁସୂଦନ ରାଓ ହାତଉଠାଇ ସମର୍ଥନ କଲେ, ସେତେବେଳେ କ୍ଷୁବ୍ଧ ରେବା ରାୟ ଲେଖନ୍ତି୫(ପୃ ୬୦୫-୬), “ମୁଁ ଏ ଅକିଞ୍ଚନ ଜୀବନରେ ଏ ଅସମ୍ଭବ ମିଥ୍ୟା କଥା କେବେହେଲେ ଶୁଣି ନାହିଁ ।.. ଉତ୍କଳର ଶୀର୍ଷସ୍ଥାନୀୟ ସ୍ୱନାମଧନ୍ୟ ବ୍ୟକ୍ତି ଦୁହେଁ ଏପରି ଅଯଥା ମିଥ୍ୟା କହିପାରନ୍ତି… ଯେଉଁମାନଙ୍କର ପଦଧୂଳି ମୋର ମସ୍ତକର ଭୂଷଣ, ସେମାନେ ସ୍ୱାର୍ଥ ସିଦ୍ଧି ପାଇଁ ଏପରି ମିଥ୍ୟା ବାକ୍ୟ ଉଚ୍ଚାରଣ କରିବାକୁ ତିଳେହେଲେ ଦ୍ୱିଧାବୋଧ କଲେ ନାହିଁ ।… ସ୍ୱାର୍ଥରକ୍ଷା ପାଇଁ ଗକ୍ସ. ଦାସଙ୍କ ପକ୍ଷରେ ଏପରି କହିବା ଅସ୍ୱାଭାବିକ ନୁହେଁ । କିନ୍ତୁ ମୋର ବଡ଼ବାବା କିପରି ହାତ ଉଠାଇଲେ! ପୁଣି ଏପରି କଥାକୁ ସମର୍ଥନ କଲେ! ସେ ମଧ୍ୟ ବିଶେଷ ସ୍ୱାର୍ଥଯୋଗୁଁ ଏପରି ମିଥ୍ୟା କଥାର ପ୍ରତିବାଦ କଲେ ନାହିଁ! ମୋର ସବୁ ଦୁଃଖ ସବୁ ରାଗଯାକ ବଡବାବାଙ୍କ ଉପରେ ହେଲା । ମୋର ବାରମ୍ବାର ନିଷେଧ ସତ୍ତ୍ୱେ ମୋତେ ଏବଂ ପିତୃଦେବଙ୍କୁ ଦୁଇ ସ୍କୁଲ ମିଶାଇ ଦେବାକୁ ସ୍ୱୀକୃତ କରାଇ ନେଇପରେ ଏପରି କାର୍ଯ୍ୟରେ କିଛି ପ୍ରତିବାଦ ନ କରି ଓଲଟି ତାଙ୍କୁ ସମର୍ଥନ କଲେ । ଏତିକିରେ ମିଟିଂ ଶେଷ ହେଲା । ମୁଁ କିଂକର୍ତ୍ତବ୍ୟବିମୂଢ ହୋଇ ଘରକୁ ଫେରିଲି ।” ରେବା ରାୟଙ୍କର ହତୋତ୍ସାହିତ ମନୋଭାବକୁ ବୁଝି ପାରିଥିଲେ ରେଭେନ୍ସା କଲିଜିଏଟର ହେଡମାଷ୍ଟର ଶ୍ରୀ ବେଣୀମାଧବ ଦାସ । ବୋଧହୁଏ ଏଇଥି ପାଇଁ, ଏହି ଘଟଣା ପରେ ସେ ରେବା ରାୟଙ୍କୁ ଆଶ୍ୱସ୍ତ କରୁଥିଲେ ଏହା କହି ଯେ, “ମିସେସ୍ ରାୟ, ଉକôଳର ନାରୀଶିକ୍ଷା ଇତିହାସେ ଆପନାର ନାମ ସ୍ୱର୍ଣ୍ଣାକ୍ଷରରେ ଲିଖା ଥାକବେ ।” ଏପରି ଅଭିଜ୍ଞତା ପରେ ମଧ୍ୟ ରେବା ରାୟ ଅଟକି ଯାଇ ନଥିଲେ ନିଜ ବିଦ୍ୟାଳୟର ନାମକୁ କାଏମ ରଖିବାର ଉଦ୍ୟମରେ । ସେ ଯାଇଥିଲେ କଲିକତା ଓ କଲିକତା ବିଶ୍ୱବିଦ୍ୟାଳୟର ‘ସର୍ବେସର୍ବା’, କୁଳପତି ଆଶୁତୋଷ ମୁଖାର୍ଜିଙ୍କୁ ଜଣାଇଥିଲେ ଯେ୫(ପୃ ୬୦୬) “ମୁଁ ଆଉ ମିସ୍ ଦାସଙ୍କ ସହିତ ମିଶି ଏ ସ୍କୁଲରେ କୌଣସି କାର୍ଯ୍ୟ କରିବାକୁ ଚାହେଁ ନାହିଁ । ଗତ ୬ବର୍ଷ ହେବ ଦେହ, ମନ, ପ୍ରାଣ ଏବଂ ସର୍ବସ୍ୱ ଦେଇ ଗାର୍ଲସ ହାଇସ୍କୁଲଟିଏ ସ୍ଥାପନ କରିଥିଲି । ମୁଁ ଆଉ କିଛି ଚାହେଁ ନାହିଁ , ଦୁଇ ସ୍କୁଲ ମିଶି ଯାଇଛି; ଏହାହିଁ ପ୍ରମାଣିତ ହେଉ, ଅର୍ଥାତ୍ ସ୍କୁଲର ପ୍ରସ୍ତାବିତ ନିୟମ ଅନୁସାରେ ସ୍କୁଲର ନାମ ‘ରେଭେନ୍ସା ଆଦର୍ଶ ବାଳିକା ବିଦ୍ୟାଳୟ’ ରହୁ ।” ଏହାର ଉତ୍ତରରେ ଆଶୁତୋଷ ମୁଖାର୍ଜି ଜଣାଇଥିଲେ ୫(ପୃ ୬୦୬), “ଆଚ୍ଛା, ମିସେସ୍ ରାୟ, ନିଶ୍ଚିନ୍ତ ହୋଇ କଟକ ଫେରି ଯା’ନ୍ତୁ । ତାହା ହିଁ ହେବ ।” ଆଶୁତୋଷ ମୁଖାର୍ଜି ତାଙ୍କ କଥା ରଖିଲେ । କଟକ ଫେରିବାର ମାତ୍ର ସପ୍ତାହ ପରେ, ରେବା ରାୟ ଏକ ପତ୍ର ପାଇଲେ ଯେଉଁଥିରେ, ରେବା ରାୟଙ୍କ ଭାଷାରେ, ଲେଖାଥିଲା୫(ପୃ ୬୦୬), “ଆଦର୍ଶ ବାଳିକା ବିଦ୍ୟାଳୟ କିମ୍ବା ରେଭେନ୍ସା ବାଳିକା ବିଦ୍ୟାଳୟ -ଏ ଦୁଇଟିରୁ କାହାରିକୁ University ସ୍ୱତନ୍ତ୍ର ଭାବରେ ସଂମିଶ୍ରିତ ସ୍କୁଲ affiliation ଦେବ ନାହିଁ; କିନ୍ତୁ ଦୁଇ ସ୍କୁଲ ମିଶି ଯାଇଥିବାରୁ ରେଭେନ୍ସା Model Girl’s School ନାମରେ ଅଭିହିତ ହୋଇ affiliation ପାଇବ ।” ଏହି ପତ୍ର ମଧ୍ୟ ଯାଇଥିଲା ମିସ୍ ଦାସଙ୍କ ନିକଟକୁ । କିନ୍ତୁ affiliation ପାଇଲା ରେଭେନ୍ସା ବାଳିକା ବିଦ୍ୟାଳୟ । ଏହିପରି ବଦଳି ଯିବାର କାରଣ ପ୍ରତି ଇଙ୍ଗିତ କରି, ପ୍ରତିକ୍ରିୟାରେ ରେବା ରାୟ ଲେଖନ୍ତି୫(ପୃ ୬୦୬), “ଓଡ଼ିଶାରେ ଯେଉଁମାନେ ମାନ୍ୟବର ମଧୁସୂଦନ ଦାସଙ୍କର ଜୀବନୀ ଆଲୋଚନା କରିଛନ୍ତି ସେମାନେ ଭଲରୂପେ ଜାଣନ୍ତି ଯେ ମିଃ. ଦାସ କଲିକତାରେ ଥିବା ସମୟରେ ସେ Bengal Tiger ଆଶୁତୋଷ ମୁଖାର୍ଜିଙ୍କର ଗୃହ ଶିକ୍ଷକ ଥିଲେ । ଏହାପରେ ମିଳିତ ସ୍କୁଲର ନାମ ରଦ୍ଦ ହୋଇ ରେଭେନ୍ସା ବାଳିକା ବିଦ୍ୟାଳୟ କିପରି affiliation ପାଇଲା, ଏହାର କାରଣ ଅନୁସନ୍ଧାନ କରିବା ପାଇଁ ବେଶୀ ଦୂର ଯିବାକୁ ପଡ଼ିବ ନାହିଁ ।”
ଉପସଂହାର
ଏହିଭଳି ଓଡ଼ିଶାର ପ୍ରଥମ ଉଚ୍ଚ ବାଳିକା ବିଦ୍ୟାଳୟ, ରେବା ରାୟ ପ୍ରତିଷ୍ଠିତ ‘ଆଦର୍ଶ ବାଳିକା ବିଦ୍ୟାଳୟ’ର ଅସ୍ତିତ୍ୱ ଲୋପ ପାଇଲା । ବିଡ଼ମ୍ବନା ଯେ ଯେଉଁମାନେ ଏହାର ବିଲୋପନକୁ ସମ୍ଭବ କଲେ ସେମାନେ ରେବା ରାୟଙ୍କର ଅତି ନିଜର ସମ୍ମାନସ୍ପଦ ଗୁରୁଜନ ହିଁ ଥିଲେ ଯାହାଙ୍କ ଭୂମିକା ସମ୍ପର୍କରେ ସେ, ଅତି ବ୍ୟଥିତ ହୃଦୟରେ, ସ୍ପଷ୍ଟ ମତ ରଖିଛନ୍ତି, ଚାରୋଟି ଖଣ୍ଡରେ ପ୍ରକାଶିତ ପ୍ରବନ୍ଧ ‘ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ’ ରେ ; ଓ ପାଠକ ପାଠିକାଙ୍କ ଉପରେ ଛାଡିଛନ୍ତି୫(ପୃ ୬୦୭) “ଏଥିରୁ ସତ୍ୟର ମହିମା, ସତ୍ୟର ଜୟ ଉପଲବ୍ଧି କରି ପାରିଲେ, ଲେଖା ସାର୍ଥକ ହେବ ।”
ଏହି ପ୍ରବନ୍ଧ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସୌଜନ୍ୟରୁ ଶ୍ରୀ ଚିନ୍ତାମଣି ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ମାସିକ ପତ୍ରିକା ‘ନବଜୀବନ’ର ୭ମ ବର୍ଷ (୧୯୬୨-୩) ୬ଷ୍ଠ, ୭ମ , ୮ମ ଓ ୯ମ ସଂଖ୍ୟାରେ ଧାରାବାହିକ ପ୍ରକାଶ ପାଇଥିଲା । ତେଣୁ ଏହି ପ୍ରବନ୍ଧର ଲେଖିକା ଠ ରେବା ରାୟ ବୋଲି ଉଲ୍ଲେଖ ହୋଇଛି । କାରଣ ଏହି ପ୍ରବନ୍ଧ ୧୯୬୨ରେ ପ୍ରକାଶ ପାଇଲା ବେଳକୁ ରେବା ରାୟ ହେଲେଣି ଦିବଙ୍ଗତ । ତାଙ୍କର ମୃତ୍ୟୁ ହୋଇଥିଲା ୧୯୫୭ ମସିହାରେ ଓ ଏହି ପ୍ରବନ୍ଧ ସେ ଲେଖୁଥିଲେ ୧୯୫୬ ମସିହାରେ, ୮୧ବର୍ଷ ବୟସରେ୨(ପୃ ୩୮୯) । ଏହି ପ୍ରବନ୍ଧକୁ ନବଜୀବନରେ ପ୍ରକାଶ ପାଇଁ ଦେବାକୁ ଯାଇ ଲକ୍ଷ୍ମୀନାରାୟଣ ବାବୁ ଲେଖିଥିଲେ୨(ପୃ ୩୮୬), “ରେବାଦେବୀ ମୋର ମାତୃ ସଦୃଶା । ତାଙ୍କ ଜୀବନର ଇତିହାସ ମୁଁ କିୟତ ପରିମାଣରେ ଜାଣେ । ତାଙ୍କର ପୁତ୍ର ରବି ମୋର ସାଙ୍ଗ ଥିଲା ।
“ରେବା ଦେବୀ ଯେ ଓଡ଼ିଶାର ସର୍ବପ୍ରଥମ ବାଳିକା ହା : ଇ : ସ୍କୁଲ କରିଥିଲେ ଏହିକଥା ଆଜି ଲୁଚିଯାଉଛି; କିନ୍ତୁ ସତ୍ୟର ଅପଳାପ କରିବା ଲୋକେ ସଂସାରରେ ଚିରଦିନ ରହିବେ ନାହିଁ । ପ୍ରକୃତ ସତ୍ୟ ସୂର୍ଯ୍ୟସ୍ୱରୂପ ଉଦ୍ଭାସିତ ହୋଇଉଠିବ । ଦିନେ ନା ଦିନେ ଏହା ପ୍ରକାଶିତ ହେବ ।
“ରେବା ଦେବୀଙ୍କ ଚେଷ୍ଟାରେ ଈଶ୍ୱରଙ୍କ ଗୁପ୍ତହସ୍ତ ଯେ କାର୍ଯ୍ୟ କରୁଥିଲା, ତାହା ଏହି ଇତିହାସ ପଢ଼ିଲେ ସ୍ପଷ୍ଟ ଅନୁମିତ ହୁଏ । ଏହି ପ୍ରବନ୍ଧଟିରେ ଓଡ଼ିଶାର ଗୋଟିଏ ବହୁମୂଲ୍ୟ ଅଧ୍ୟାୟ ଲିଖିତ ହୋଇଅଛି । ଜଣେ ମନସ୍ୱିନୀ ଉକôଳୀୟା ନାରୀର ପ୍ରଚେଷ୍ଟା କି ଅସାଧ୍ୟ ସାଧନ କରିଥିଲା ତାହାର ପ୍ରମାଣ ଏଥିରେ ରହିଛି । ଭାଷା ଓ ପ୍ରକାଶଭଙ୍ଗୀ ଅତି ଚମତ୍କାର ।”
ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ବୁଝିଥିଲେ ଯେ ରେବା ରାୟଙ୍କୁ ଯଥାର୍ଥ ସ୍ୱୀକୃତିରୁ ବଞ୍ଚିତ କରିବାର ଉଦ୍ୟମ ହୋଇଛି, କିନ୍ତୁ ଏ ବିଶ୍ୱାସ ମଧ୍ୟ ତାଙ୍କର ଥିଲା ଯେ ଏହା ସଫଳ ହେବ ନାହିଁ । ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ, ଓ ରେବା ରାୟ ଯେ ଓଡ଼ିଶାରେ ବାଳିକାଙ୍କ ପାଇଁ ଉଚ୍ଚ ଶିକ୍ଷାର ଆଦ୍ୟ ଅଧିଷ୍ଠାତ୍ରୀ, ଏହା ଓଡ଼ିଶାବାସୀ ଜାଣିବେ । ଯେପରି ପୂର୍ବେ ଉଲ୍ଲେଖ କରିଛି, ରେଭେନ୍ସା କଲିଜିଏଟର ବିଖ୍ୟାତ ପ୍ରଧାନ ଶିକ୍ଷକ, ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ଅତ୍ୟନ୍ତ ପ୍ରିୟ ଶିକ୍ଷକ, ଶ୍ରୀ ବେଣୀମାଧବ ଦାସ ତ ରେବା ରାୟଙ୍କୁ କହିଥିଲେ, ଅବଶ୍ୟ ବଙ୍ଗଳାରେ ଯାହା ଓଡିଆ ଅନୁବାଦରେ ହେଉଛି, “ଶ୍ରୀମତୀ ରାୟ , ଉତ୍କଳର ନାରୀଶିକ୍ଷା ଇତିହାସରେ ଆପଣଙ୍କର ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ।” ଏହା ଅନ୍ୟଥା ହେବ କାହିଁକି? ମଧୁସୂଦନ ଦାସ ରେବା ରାୟଙ୍କର ସଂକଳ୍ପ ଓ ପ୍ରଚେଷ୍ଟାରେ ନିଷ୍ଠାରେ ପ୍ରଭାବିତ ହୋଇ କହି ପକାଇଥିଲେ୩(ପୃ ୪୧୩ ), “ରେବା! ତୁମେ ଯଦି ଇଂରାଜୀ ଜାଣିଥାନ୍ତ, ଓଡ଼ିଶାର ଜଣେ ହୋଇଥାନ୍ତ ।” ଇଂରାଜୀ ନ ଜାଣି ଯେ ରେବା ରାୟ ଓଡ଼ିଶାର ନାରୀସମାଜ ପାଇଁ ଜଣେ ଅନୁକରଣୀୟ, ଆଦର୍ଶ ବ୍ୟକ୍ତିତ୍ୱ -ଏହାକୁ କ’ଣ ଅସ୍ୱୀକାର କରାଯାଇ ପାରେ?
ବ୍ୟବହୃତ ଉପାଦାନ ସୂଚୀ
୧. ସମ୍ବାଦପତ୍ରରୁ ଓଡ଼ିଶାର କଥା, ପ୍ରଥମ ଖଣ୍ଡ, ସଂକଳନ ଓ ସମ୍ପାଦନା : ସୁଧାକର ପଟ୍ଟନାୟକ, ପ୍ରଥମ ମୁଦ୍ରଣ ୧୯୭୨, ଗ୍ରନ୍ଥ ମନ୍ଦିର, ପୃ ୫୮୫ (ଉତ୍କଳ ଦୀପିକା, ୬ଷ୍ଠ ଭାଗ, ୩୦/୯/୧୮୭୧, ସଂଖ୍ୟା ୩୮ରୁ ଉଦ୍ଧୃତ)
୨. ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ, ସ୍ୱର୍ଗତ ରେବା ରାୟ, ନବଜୀବନ, ୭ମ ବର୍ଷ, ସେପ୍େଟମ୍ବର -ଅକ୍ଟୋବର ୧୯୬୨, ୬ଷ୍ଠ ସଂଖ୍ୟା
୩. ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ, ସ୍ୱର୍ଗତ ରେବା ରାୟ, ନବଜୀବନ, ୭ମ ବର୍ଷ, ଅକ୍ଟୋବର-ନଭେମ୍ବର ୧୯୬୨, ୭ ମ ସଂଖ୍ୟା
୪. ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ, ସ୍ୱର୍ଗତ ରେବା ରାୟ, ନବଜୀବନ, ୭ମ ବର୍ଷ, ନଭେମ୍ବର-ଡିସେମ୍ବର ୧୯୬୨, ୮ମ ସଂଖ୍ୟା
୫. ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ, ସ୍ୱର୍ଗତ ରେବା ରାୟ , ନବଜୀବନ, ୭ମ ବର୍ଷ, ଡିସେମ୍ବର-ଜାନୁଆରୀ ୧୯୬୨-୬୩, ୯ମ ସଂଖ୍ୟା
Comments
0 comments

