ପିଲାଙ୍କ ଭବିଷ୍ୟତ ପାଇଁ ଆମେ ସତରେ କେତେ ଚିନ୍ତିତ!

10 Min Read

ଏଭଳି ଏକ ପ୍ରଶ୍ନ କେହି କେହି ଅଭିଭାବକ ଏବେ ପଚାରୁଛନ୍ତି । ସତେ ଯେମିତି ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ ଧରାପଡ଼ିବା ପରେ ପିଲାଙ୍କ ଭବିଷ୍ୟତ କଥା ମନେ ପଡ଼ିଯାଉଛି! ଏଭଳି ପ୍ରଶ୍ନ ସେହି ଅଭିଭାବକମାନେ ବେଶୀ ଚର୍ଚ୍ଚା କରୁଛନ୍ତି, ଯେଉଁମାନେ ନିଜ ପିଲାଙ୍କ ଭବିଷ୍ୟତ ତଣ୍ଟି କଟା ପ୍ରତିଯୋଗିତା ମାଧ୍ୟମରେ ସୁରକ୍ଷିତ କରିସାରିଛନ୍ତି । ତଥାପି ଏତେସଂଖ୍ୟକ ଭୁଲ୍ ଓଡ଼ିଆ ବିଦ୍ୟାଳୟମାନଙ୍କର ପାଠ୍ୟପୁସ୍ତକରେ ଆସିଯିବା ସମସ୍ତଙ୍କ ପାଇଁ କୌତୂହଳ ଓ ଚର୍ଚ୍ଚାର ବିଷୟ ହୋଇଯାଇଛି । ସର୍ବାଧିକ ବନାନ ଭୁଲ୍, ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ଓ ଫଟୋ ଭିତରେ ତାଳମେଳ ନ ରହିବା, କର୍ଣ୍ଣାଟକ ବିଧାନସଭାକୁ ଓଡ଼ିଶା ବିଧାନସଭା ଦେଖାଯିବା, ନ୍ୟୁଟନଙ୍କ ଭଳି ବୈଜ୍ଞାନିକଙ୍କୁ ପାଇଲଟ କହିବା, ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡ ରାଜ୍ୟର ବୋଲି ଦେଖାଇବା, ହାମ୍ପିକୁ କୋଣାର୍କ ଭାବରେ ଦର୍ଶାଇବା ଇତ୍ୟାଦି ସବୁ ପାଠ୍ୟକ୍ରମକୁ ନେଇ କୌଣସି ଗୁଣାତ୍ମକ ଚର୍ଚ୍ଚା ନୁହଁ ବରଂ ହାସ୍ୟରୋଳ ସୃଷ୍ଟି କଲାଭଳି ଆଲୋଚନା ଚାଲିଛି । କିଛି ଲୋକ ତୁରନ୍ତ ତ୍ରୁଟି ସଂଶୋଧନ କରି ନୂଆ ଓ ସଠିକ୍ ପାଠ୍ୟପୁସ୍ତକ ପ୍ରକାଶନ କରିବା ପାଇଁ ଦାବି କଲାବେଳେ, ଅନ୍ୟମାନେ ଏଥିପାଇଁ ଦାୟୀ ଲୋକମାନଙ୍କୁ ଦଣ୍ଡବିଧାନ ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି । ସରକାର କିନ୍ତୁ ତଳସ୍ତରର ଅଧିକାରୀ ଓ କମର୍ଚାରୀମାନଙ୍କୁ ଏଥିପାଇଁ ଦାୟୀ କରି କାର୍ଯ୍ୟରୁ ନିବୃତ୍ତ କରିବା କଥାଟିକୁ ଉଦାରତାର ସହିତ ଅଭିଭାବକମାନେ ଗ୍ରହଣ କରୁନାହାନ୍ତି ।
ସେମାନଙ୍କର ହୁଏତ ଏଇ ଭାବନା ରହିଛି ଯେ, ବଡ଼ ମୁଣ୍ଡଗୁଡିକୁ ଛାଡ଼ିଦେଇ ତଳିଆ ବାବୁମାନଙ୍କୁ ଶାସ୍ତି ଦିଆଯାଉଛି । ତେବେ କେହି ବି ସ୍ପଷ୍ଟ ନୁହନ୍ତି ଏବେ ପିଲାମାନେ ପଢିବେ କଣ? ସରକାର ଶିକ୍ଷକମାନଙ୍କୁ ତ୍ରୁଟି ସଂଶୋଧନ କରି ପଢ଼େଇବା ପାଇଁ କହି ସାରିଛନ୍ତି । ଏକଥା ସମସ୍ତେ ଜାଣି ସାରିଲେଣି ଯେ, ଏହି ତ୍ରୁଟିଗୁଡ଼ିକ ସରକାରଙ୍କୁ ଜାତୀୟସ୍ତରରେ ଲଜ୍ଜାଜନକ ପରିସ୍ଥିତିରେ ପକାଇ ଦେଇଛି । ଯେମିତି ଡାକ୍ତରୀ ପ୍ରବେଶିକା ପରୀକ୍ଷା ‘ନୀଟ୍’ରେ ତୁହାକୁ ତୁହା ପ୍ରଶ୍ନପତ୍ର ପ୍ରକଟ ହେବା କଥା କେନ୍ଦ୍ର ସରକାରଙ୍କ ପାଇଁ ଏକାଭଳି ପରିସ୍ଥିତି ସୃଷ୍ଟି କରିଛି । କିନ୍ତୁ ମୋଟା ଚମଡ଼ା ଥିବା ଲୋକଙ୍କ ପାଇଁ ନିନ୍ଦା, ସମାଲୋଚନା ବା ତ୍ରୁଟି ବିଚ୍ୟୁତିର ଉନ୍ମୋଚନ କୌଣସି ପ୍ରକାର ପ୍ରଭାବିତ କରୁନାହିଁ ବୋଲି କୁହାଯାଉଛି । ପାଠ୍ୟପୁସ୍ତକ ପ୍ରସ୍ତୁତିରେ ସଂଘ ପରିବାର ପ୍ରତିନିଧିମାନଙ୍କର ସଂପୃକ୍ତି ଥାଇ ‘ନିମ୍ବୁଡ଼ା ନିମ୍ବୁଡ଼ା’ ଭଳି ହିନ୍ଦୀ ଚଳଚ୍ଚିତ୍ର ଗୀତ ପଞ୍ଚମ ଶ୍ରେଣୀର ଇଂରାଜୀ ପାଠ୍ୟପୁସ୍ତକରେ କେମିତି ସ୍ଥାନିତ ହେଲା, କେହି କେହି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହାର ସପକ୍ଷରେ ବି ସାମାଜିକ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପଣ୍ଡିତମାନେ କହିସାରିଲେଣି ଯେ ଏଥିରେ ଅସୁବିଧା କିଛି ନାହିଁ । ‘ନିମ୍ବୁଡ଼ା ନିମ୍ବୁଡ଼ା’ ଗୀତ ଏକ ରାଜସ୍ଥାନୀ ଲୋକଗୀତ ଯାହା ହିନ୍ଦୀ ଚଳଚ୍ଚିତ୍ରରେ ସ୍ଥାନିତ ପରେ ହୋଇଛି । ଆଉ କିଛି ଲୋକ ତାକୁ ଯୁକ୍ତିଯୁକ୍ତ ବି କହୁଛନ୍ତି କାହିଁକି ନା, ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ କୁଆଡ଼େ ଏସବୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି । ଏବଂ ଯେଉଁଠି ଯାହା ରଖିବା କଥା ସବୁ ଭାବିଚିନ୍ତି କରି ବିଦ୍ୱାନମାନେ, ପଣ୍ଡିତମାନେ ତାକୁ ରଖିଛନ୍ତି ।
ତେବେ ଆମର ତର୍କ ବିତର୍କର ସ୍ଥିତି ଯାହା ଥାଉନା କାହିଁକି, ଆମ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ହାତରେ ସରକାର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଦେଇସାରିଛନ୍ତି । ତ୍ରୁଟି ଧରାପଡ଼ିବା ପରେ ସଂଶୋଧନ ତାଲିକା ବାହାର କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦିଆଯାଇଛି ବୋଲି କୁହାଯାଇଛି, ଯେମିତି ସେମାନେ ଭ୍ରମ ସଂଶୋଧନ କରି ପିଲାଙ୍କୁ ପଢ଼ାଇବେ । ଅନ୍ତତଃ ଏହା କୁହାଯାଉଛି, କଣ ହେଉଛି ଅଲଗା କଥା । ଯଦି ନୂଆ ପାଠ୍ୟପୁସ୍ତକ ତିଆରି କରାଯାଏ, ତେବେ ୬ ମାସରୁ ୧ବର୍ଷ ଲାଗିବ । ବହି ଛାପିବା ଓ ବିତରଣ କରିବା ପାଇଁ ୨ରୁ ୩ମାସ ଲାଗିବ । ଏ ଭିତରେ ଦେଢ଼ଟି ପାଠ୍ୟବର୍ଷ ବିତିଯିବ । ତେଣୁ ବହିର ତ୍ରୁଟି ସଂଶୋଧନ କରି ପଢ଼େଇବାଟା ହିଁ ଅଧିକ ବାସ୍ତବିକ ଜଣାପଡୁଛି । ଗତ ପାଠ୍ୟପୁସ୍ତକ ପ୍ରସ୍ତୁତିବେଳେ ସେତିକି ସମୟ ଲାଗିଥିଲା, ତଥାପି ଏଭଳି ଭୁଲ୍ ରହିଲା । ଛପା ପାଇଁ ଯିବାପୂର୍ବରୁ ସାଧାରଣତଃ ମାସେ ସମୟ ଦିଆଯାଇ ଥାଏ କେବଳ ଟାଇପ୍ କରିବା, ପ୍ରୁଫ୍ ଗୁଡ଼ିକୁ ଭଲକି ପଢ଼ିବା ଓ ତ୍ରୁଟି ସଜାଡ଼ିବା ପାଇଁ । ତା’ସତ୍ତ୍ୱେ ବି ଯଦି ୧୬୭୮ଟି ମାରାତ୍ମକ ଭୁଲ୍ ରହିପାରିଲା, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଧ୍ୟାନ ନିଶ୍ଚୟ ଦେବାକୁ ପଡ଼ିବ, ଅଧିକ ସମୟ ଲାଗିବ ।
ହୁଏତ ସଂଘ ପରିବାରର ପ୍ରତିନିଧିଙ୍କ ସହ କେହି କେହି ତଥାକଥିତ ବିଜ୍ଞ ଏବଂ ଇଚ୍ଛୁକ ଥିବା ବ୍ୟକ୍ତିମାନଙ୍କୁ ଏ କାମରେ ସାମିଲ୍ କରାଯିବ । ସେ ଦୃଷ୍ଟିରୁ ତ୍ରୁଟି ସଂଶୋଧନ କରି ପାଠ୍ୟକ୍ରମ, ପାଠ ପଢ଼ାଇବା ଅଧିକ ବାସ୍ତବିକ ଲାଗେ ପିଲାଙ୍କ ପାଠପଢ଼ା ଦୃଷ୍ଟିରୁ । ଏ ଭିତରେ ସରକାର କଣ ଅନୁସନ୍ଧାନ କରିବେ, କାହାକୁ ସସପେଣ୍ଡ କରିବେ, କାହାକୁ ଦଣ୍ଡ ବିଧାନ କରିବେ ଏବଂ ଆମେ ଏଭଳି ଦାବି କେତେ ଦିନ ଦୃଢ଼ ସ୍ୱରରେ କହିପାରିବା, ତାହା ଭବିଷ୍ୟତ ହିଁ କହିବ!
ତେବେ ଯାହା ମତାମତ ରଖିଥିବା ଅଭିଭାବକମାନେ କେବେ ବି ପ୍ରଶ୍ନ କରୁନାହାନ୍ତି ବା ଗୁରୁତ୍ୱର ସହ ନେଇନାହାନ୍ତି, ତାହା ହେଉଛି ଯେ ସେମାନଙ୍କ ନିଜ ପିଲା ପିଲାଙ୍କୁ ଛାଡ଼ି ଲକ୍ଷ ଲକ୍ଷ ଆହୁରି ଅଧିକ ପିଲା ଅଛନ୍ତି, ଯେଉଁମାନଙ୍କର ପାଠପଢ଼ିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ, ତାହା ସେମାନେ କେତେ ବିଚାର କରୁଛନ୍ତି? ପ୍ରାୟ ୫୦ରୁ ୫୨ଲକ୍ଷ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମଶ୍ରେଣୀ ଯାଏଁ ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପଢ଼ନ୍ତି ବା ଅନ୍ତତଃ ନାଁ ଲେଖାନ୍ତି । ୨୦୧୪-୧୫ରୁ ୨୦୨୪-୨୦୨୫ ଭିତରରେ ତଥ୍ୟ କହୁଛି ଯେ, ନବମ ଦଶମ ଶ୍ରେଣୀବେଳକୁ ପିଲାମାନଙ୍କର ଅଧାରୁ ପାଠ ଛାଡ଼ିବା ସଂଖ୍ୟା ବଢ଼ିଯାଏ । ବାଳକମାନଙ୍କ ଭିତରେ ପାଖାପାଖି ୧୮ପ୍ରତିଶତ ଅଧାରୁ ପାଠ ଛାଡୁଥିବା ବେଳେ ବାଳିକାମାନଙ୍କ କ୍ଷେତ୍ରରେ ଏହା ପାଖାପାଖି ୧୩ ପ୍ରତିଶତ, ଅର୍ଥାତ୍ ବାଳକମାନେ ବେଶୀ ପାଠ ଛାଡୁଛନ୍ତି । ଅଷ୍ଟମ ଶ୍ରେଣୀ ଯାଏଁ ପାସ୍-ଫେଲ୍ ବ୍ୟବସ୍ଥା ନଥିବା ଯୋଗୁଁ କେତେ ଛାତ୍ରଛାତ୍ରୀ ଅଷ୍ଟମ ବା ତା’ ପୂର୍ବରୁ ପାଠ ଛାଡ଼ିଛନ୍ତି, ଜାଣିବା ସହଜ ନୁହଁ ।
ଯଦି ଆମେ ସଂଘ ପରିବାର ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଗୁଡ଼ିକୁ ଦେଖିବା, ପ୍ରଥମରୁ ଅଷ୍ଟମ ଯାଏଁ ଅନୁମାନିକ ୩ଲକ୍ଷ ପିଲା ପାଠପଢ଼ନ୍ତି । ଏମାନଙ୍କର ପିଲାମାନେ ପ୍ରାୟ ଅଧାରୁ ପାଠ ଛାଡ଼ିବାର ଉଦାହରଣ ନାହିଁ ଏବଂ ଯଦି ବି କିଛି ଥିବ, ତଥ୍ୟ ସାର୍ବଜନୀନ ହେବା ସମ୍ଭାବନା କମ୍ । ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାସ୍-ଫେଲ୍ ବ୍ୟବସ୍ଥା ଅଛି ଏବଂ ପ୍ରାୟ ଅଧାରୁ ପାଠ ଛାଡ଼ିବା ନମୁନା କମ୍ ଦେଖିବାକୁ ମିଳେ । ଆଉ ଆମ ଅଜାଣତରେ ଆମେ ଏଭଳି ଏକ ବ୍ୟବସ୍ଥାକୁ ବୈଧତା ଯୋଗାଇ ଚାଲିଛୁ, ଯେଉଁଠି ଗରିବ ଏବଂ ଅଣଗରିବ ଶ୍ରେଣୀର ବାପାମାଆଙ୍କ ପିଲାମାନଙ୍କୁ ସରକାରୀ ଓଡ଼ିଆ ବିଦ୍ୟାଳୟମାନଙ୍କରେ ପାଠପଢ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । ଗ୍ରାମାଞ୍ଚଳର ସମ୍ଭ୍ରାନ୍ତ ବା ସହରିଆମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରୁ ଆରମ୍ଭ କରି ସି.ବି.ଏସ୍.ଇ. ଓ ଆଇ.ସି.ଏସ୍.ଇ. ପରିଚାଳିତ ସ୍କୁଲମାନଙ୍କରେ ଇଂରାଜୀ ଶିକ୍ଷା ପାଇଁ ନାମ ଲେଖେଇଥାନ୍ତି ।
କୌଣସି ଅପରାଧ ନକରି ଗରିବ ପିଲାମାନେ ଜନ୍ମରୁ ବିଭାଜିତ ହୋଇ କୌଣସି ବିକଳ୍ପ ନଥାଇ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ିବା ପାଇଁ ଅସହାୟ ହୋଇଥାନ୍ତି । ବାପାମାଆଙ୍କର ସାମର୍ଥ୍ୟକୁ ନେଇ ପାଠପଢ଼ିବା ଏବଂ ଅସହାୟମାନେ କୌଣସି ବିକଳ୍ପ ନପାଇ ଯାହା ବି ସରକାରୀ ବିକଳ୍ପ ଅଛି ତାକୁ ଆପଣେଇବା ଆମର ସମାଜରେ ଏକ ସାମାନ୍ୟ ଘଟଣା ହୋଇଯାଇଛି । ତାକୁ ନେଇ କେହି କେବେ ଶିକ୍ଷକ, ଅଭିଭାବକ ବା ଶିକ୍ଷାବିତ୍ ପ୍ରଶ୍ନ କରିବାଟା ଆଜିକାଲି ଅନ୍ତତଃ ଦେଖାଯାଉନି ।
ଅସହାୟ, ଆଦିବାସୀ, ଦଳିତ ଏବଂ ଗରିବ ଶ୍ରେଣୀର ବାପାମାଆମାନଙ୍କ ପିଲାମାନଙ୍କ ପାଇଁ ସରକାରୀ ବିଦ୍ୟାଳୟ ଏକମାତ୍ର ବିକଳ୍ପ, ଯଦି ସେମାନେ କାମଧନ୍ଦାରେ ପିଲାମାନଙ୍କୁ ନ ଲଗାଇ ବିଦ୍ୟାଳୟକୁ ଛାଡ଼ିବା ପାଇଁ ବାଧ୍ୟ ହୋଇଥାନ୍ତି । ଏହି ସରକାରୀ ବିଦ୍ୟାଳୟମାନଙ୍କରେ କିନ୍ତୁ ବିଚିତ୍ର ପରିସ୍ଥିତି । ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସ୍ଥାନ ଅତି ମାରାତ୍ମକ ଅବସ୍ଥାରେ ରହିଛି । ପାଖାପାଖି ୩୫ହଜାର ପଦବୀ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ଏବେ ବି ଖାଲି ପଡ଼ିଛି । ସେଥିରୁ ପ୍ରାୟ ୫୦ପ୍ରତିଶତ ଖାଲି ପଦବୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଦେଖିବାକୁ ମିଳୁଛି । ଯାହା ବି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, ସେମାନଙ୍କୁ ଅଣଶିକ୍ଷାଦାନ କାମରେ ନିୟମିତ ନିୟୋଜିତ କରାଯାଉଛି । ଏ କଥା ସବୁ ଅଭିଭାବକମାନେ ଜାଣୁଛନ୍ତି, କିନ୍ତୁ ପ୍ରଶ୍ନ କରୁନାହାନ୍ତି । ପ୍ରଶ୍ନ ପଚାରିବା ଲୋକଙ୍କ ପିଲାମାନେ ସବୁବେଳେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପ୍ରାୟ ପଢ଼ିଥାନ୍ତି ।
କିଛି ବିଦ୍ୱାନ ବଳିଷ୍ଠଭାବେ ଯେଉଁ ଯୁକ୍ତି ରଖି ଆସିଛନ୍ତି, ତାହା ହେଲା ଯେ , ଓଡ଼ିଶା ସରକାର ନୂତନ ଶିକ୍ଷାନୀତି, ୨୦୨୦ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଯେଉଁ ନୂତନ ବହି ଛପେଇଛନ୍ତି ସେଥିରେ ଥିବା ତ୍ରୁଟି ଗୁଡିକ କେବଳ ବନାନ ତ୍ରୁଟି କୁହାଯିବନି । ବନାନ ତ୍ରୁଟି ହୋଇଥିଲେ ତାହା ହୁଏତ ଏତେ ଚିନ୍ତାର ବିଷୟ ହୋଇନଥାନ୍ତା । ଖୁବ ଦୁଃଖ ଓ ପରିତାପର ବିଷୟ ଯେ, ଏହା ଯୋଜନାବଦ୍ଧ ଭାବେ ଇଛା କରି ବେପରୁଆ ଭାବେ କରାଯାଇ ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଛି ।
ଆମେ ଛାତ୍ରଛାତ୍ରୀଙ୍କ ନିକଟରେ ବିଜ୍ଞାନସମ୍ମତ ଓ ଯୁକ୍ତିଯୁକ୍ତ ଶିକ୍ଷାକୁ ପହଞ୍ଚାଇବା ପରିବର୍ତ୍ତେ, ବହିମାନଙ୍କରେ ଅବୈଜ୍ଞାନିକ, ଅଯୌକ୍ତିକ, ଅନ୍ଧବିଶ୍ୱାସ, ଧର୍ମୀୟ ଚିନ୍ତା ବିଷୟକୁ ସ୍ଥାନ ଦେଇ କୋମଳମତି ପିଲାମାନଙ୍କ ମନରେ ଘୃଣା ଭରିବାର ଉଦ୍ୟମ କରାଯାଇଛି ।
ଏହାକୁ କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷ ସମେତ ଅନ୍ୟ ଦେଶର ସଚେତନ ନାଗରିକ, ବୁଦ୍ଧିଜୀବୀ, ସମାଜ ସୁଧାରକ ଏବଂ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଓ ସମୁଦାୟ ନିନ୍ଦା ଓ ଚିନ୍ତା ପ୍ରକଟ କରିଛନ୍ତି ।
ବର୍ତ୍ତମାନ ବହିମାନଙ୍କରେ ଏହି ତୃଟିକୁ ସୁଧାରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କ ମତର କୌଣସି ତାଳ ମେଳ ରହୁନି ।
ଏଥିରୁ ସ୍ପଷ୍ଟ ଜଣାପଡ଼େ ଛାତ୍ରଛାତ୍ରୀମାନଙ୍କ ପ୍ରତି ଶିକ୍ଷା ବ୍ୟବସ୍ଥା ଓ ତାର ଦାୟିତ୍ୱର ଗୁରୁତ୍ୱ କେତେ ।
ବହିମାନଙ୍କରେ ଏହି ତ୍ରୁଟି କୁ ନେଇ ଆଦୌ ଆଶ୍ଚର୍ଯ୍ୟ ଲାଗୁନି ଏଥିପାଇଁ, ପ୍ରଥମେ ନୂତନ ଶିକ୍ଷାନୀତି, ୨୦୨୦ ଯାହା ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ଉପଯୋଗୀ ନୁହେଁ, ଯେଉଁ ଶିକ୍ଷାନୀତି କେବଳ ବେସରକାରୀ ଶିକ୍ଷା ସଂସ୍ଥାମାନଙ୍କ ସ୍ୱାର୍ଥରେ ଓ ସେହି ସଂସ୍ଥାକୁ ସୁହାଇଲା ଭଳି ହେଉଛି ।
ଅନ୍ୟପକ୍ଷରେ ହଜାର ହଜାର ସରକାରୀ ବିଦ୍ୟାଳୟକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧୂଳିସାତ କରିବା । ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଅଭାବ, ବିଦ୍ୟାଳୟ ଗୃହ, ଶୌଚାଳୟ, ନାହିଁ ଓ ପାଣିର ଅଭାବ । ବିଭିନ୍ନ ପରୀକ୍ଷା ବାରମ୍ବାର ସ୍ଥଗିତ ଓ ପ୍ରଶ୍ନପତ୍ର ତ୍ରୁଟି ଏବଂ ଅନ୍ୟାନ୍ୟ ଅବସ୍ଥାକୁ ଦେଖି ଲାଗେ, ବର୍ତ୍ତମାନ ତ୍ରୁଟିପୂର୍ଣ୍ଣ ବହି ଯୋଜନାବଦ୍ଧ ଓ ବେପରୁଆ ମାନସିକତାର ପ୍ରତିଛବି । ଏହା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲିଦେଉଛି ଯାହା ।
ଅନେକ ଅଧିକାରୀ ଏହି ଭୁଲକୁ ଶିକାର କରିବା ପରିବର୍ତ୍ତେ ନିଜକୁ ରକ୍ଷା କରିବା ଉଦେ୍ଦଶ୍ୟରେ, ନିଜ ପକ୍ଷରେ ଅନେକ ଭୂଲ ଯୁକ୍ତି ବାଢ଼ି ଚାଲିଛନ୍ତି । ପାଠ୍ୟ ପୁସ୍ତକରେ ଯେଉଁ ତ୍ରୁଟି ହୋଇଛି, ତାହା ଅକ୍ଷମଣୀୟ । ହଜାର ହଜାର ଶବ୍ଦ ବନାନଗତ, ବ୍ୟାକରଣଗତ, ତଥ୍ୟଗତ ଓ ଚିତ୍ରଗତ ତ୍ରୁଟି ରହିଛି । ଏହା ବାଦେ ଗଣିତ ବହିରେ ଧର୍ମ ଚର୍ଚ୍ଚା, ଇଂରାଜୀ ବହିରେ ଓଡିଆ ରଜଦୋଳି ଗୀତ, ବିଜ୍ଞାନ ବହିରେ ପୁରାଣ କଥା ପରି ଅସଂଖ୍ୟ ତ୍ରୁଟି ରହିଛି ।
ବହୁ ପ୍ରଚାରିତ ଜାତୀୟ ଶିକ୍ଷା ନୀତି – ୨୦୨୦ କିପରି ଶିକ୍ଷାର ଗେରୁଆକରଣ କରି ସେଥିରେ ଅବୈଜ୍ଞାନିକ ବିଚାରଧାରା ଓ ଅନ୍ଧବିଶ୍ୱାସକୁ ଅଧିକ ସ୍ଥାନ ଦେଇ ଦେଶର ବିଜ୍ଞାନସମ୍ମତ୍ତ, ଧର୍ମନିରପେକ୍ଷ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଏବଂ ପିଲାଙ୍କ ଭବିଷ୍ୟତକୁ ଅନ୍ଧାର କରିବାକୁ ଯାଉଛି, ତାହା ଏହି ପାଠ୍ୟ ପୁସ୍ତକ ପ୍ରକରଣରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଏହି ସବୁ ମତଗୁଡ଼ିକ ଯେ ଭିତ୍ତିହୀନ ନୁହଁ, ତାହା ସ୍ୱୀକାର କରିବାକୁ ପଡ଼ିବ ।
ଏସବୁ ଭିତରେ ପ୍ରାୟ ୧୦ହଜାର ସ୍କୁଲ ବନ୍ଦ କରି ଦିଆଗଲାଣି । ଏମିତିକି ଶିକ୍ଷକ ଅଭାବ ଏଥର ଏତେ ଉକ୍ରଟ ହେଇଛି ଯେ ଜନଗଣନା କାମରେ, ଯେଉଁଠି ପ୍ରାୟ ସରକାରୀ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥାନ୍ତି, ଏଥର ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରିବା ପାଇଁ ସରକାର ବାଧ୍ୟ ହୋଇଛନ୍ତି । ଆମ ଅଭିଭାବକମାନଙ୍କର କେଉଁଠି ବି ପ୍ରଶ୍ନ ନାହିଁ । ଇତିହାସ, ସାମାଜିକ ବିଜ୍ଞାନ ବହିରେ କେନ୍ଦ୍ର ସରକାର, ସଂଘ ପରିବାରକୁ ଏବଂ ନିଜ ବିଜେପି ଦଳକୁ ସୁହାଉନଥିବା ବିଷୟବସ୍ତୁଗୁଡ଼ିକୁ ଜବରଦସ୍ତ ବାଦ୍ ଦେବା କଥା ବିଦ୍ୱାନମାନଙ୍କ ମତ ଦେଲାବେଳେ ଆମେ ଉପରେ ଉଲ୍ଲେଖ କରିଛୁ । ଆମ ଅଭିଭାବକମାନଙ୍କର ସେତେବେଳେ କେଉଁଠି ବି କିଛି ପ୍ରତିବାଦ କରାଯିବା କଥା ବା ପ୍ରତିରୋଧ କରାଯିବା କଥା ଆମେ ଶୁଣିବାକୁ ପାଇନାହୁଁ ।
ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟମାନଙ୍କୁ, ସରକାରୀ ବିଦ୍ୟାଳୟମାନଙ୍କରେ ପାଠ୍ୟକ୍ରମରେ ବା ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି କେବଳ ଏକ ବିଳାସପୂର୍ଣ୍ଣ ଚର୍ଚ୍ଚା ବା ଅର୍ଥହୀନ ର୍ଚଚ୍ଚାର ବିଷୟବସ୍ତୁ ହିଁ ରହିଯିବ, ଏହା ଏକ ସ୍ୱାଭାବିକ କଥା । ଆମେ ନିଜ ପିଲାଙ୍କ ଭବିଷ୍ୟତ କଥା ଭାବନ୍ତି, କିନ୍ତୁ ସତରେ କ’ଣ ଆମେ ସବୁ ପିଲାଙ୍କ ଭବିଷ୍ୟତ ପାଇଁ ସେତିକି ସମାନ ଭାବେ ଚିନ୍ତିତ?

Comments

0 comments

Share This Article