ମ୍ୟାକଲେଙ୍କ ସୁପାରିଶରେ ଇଷ୍ଟଇଣ୍ଡିଆ କମ୍ପାନୀ ସରକାର ୧୮୩୫ ରେ ଯେଉଁ ଇଂରାଜୀ ଶିକ୍ଷା ଆଇନ ୧୮୩୫ ରେ ପ୍ରଚଳନ କଲେ, ତାହାର ୧୯ ବର୍ଷ ପରେ, ୧୮୫୪ ରେ, ଏକ ମରାଠୀ କବିତା ସଂକଳନ, ‘କାବ୍ୟ ଫୁଲେ’ ପ୍ରକାଶ ପାଇଥିଲା ଯେଉଁଥିରେ, ଇଂରାଜୀ ଶିକ୍ଷାକୁ ସ୍ଵାଗତ କରାଯାଇ ଦଳିତ ନିଷ୍ପେଷିତଙ୍କର ମୁକ୍ତି ପାଇଁ ଏହାର ଅପରିହାର୍ଯ୍ୟତାକୁ ଗୁରୁତ୍ବ ଦିଆଯାଇଥିବା ତିନୋଟି ରଚନା ଅନ୍ତର୍ଭୁକ୍ତ ହୋଇଥିଲା । ଦୁଇଟି ରଚନାର ଶିରୋନାମା ଥିଲା୧ , ମରାଠୀରେ ‘ଇଂରାଜୀ ମାଉଲୀ’ ଅର୍ଥାତ୍ ଓଡିଆ ଅନୁବାଦରେ ‘ଇଂରାଜୀ ମାତା’, ଅନ୍ୟଟିର ଶିରୋନାମା ଥିଲା ମରାଠୀରେ ‘ଇଂରାଜୀ ଶିକା’ ଅର୍ଥାତ୍ ଓଡିଆ ଅନୁବାଦରେ ‘ଇଂରାଜୀ ଶିଖ’ ।
ଏହି କବିତା ଗୁଡିକର ଲେଖିକା ଥିଲେ ସାବିତ୍ରୀବାଇ ଫୁଲେ । ୩ ଜାନୁଆରୀ ୧୮୩୧ ରେ ଜନ୍ମିତ ଏହି ମରାଠୀ ମହିଳା ମାତ୍ର ୯ ବର୍ଷ ବୟସରେ ଜ୍ୟୋତିବା ଫୁଲେଙ୍କୁ ବିବାହ କରିଥିଲେ । ସେତେବେଳେ ସେ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ । କିନ୍ତୁ ଜ୍ୟୋତିବା ଫୁଲେ(ଜନ୍ମ ୧୧ ଏପ୍ରିଲ ୧୮୨୭ -ମୃତ୍ୟୁ ୨୮ ନଭେମ୍ବର ୧୮୯୦) ୧୮୪୮ ମସିହାରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନା କରିବା ବେଳକୁ ଜ୍ୟୋତିବା ଫୁଲେଙ୍କ ତତ୍ତ୍ଵାବଧାନରେ ସାବିତ୍ରୀବାଇ ଏପରି ଶିକ୍ଷିତ ହୋଇଥିଲେ ଯେ ୧୮୪୭ ରେ ନର୍ମାଲ ସ୍କୁଲରୁ ଶିକ୍ଷକ ତାଲିମରେ ଉତ୍ତୀର୍ଣ୍ଣ ହେବା ପରେ, ସେହି ବାଳିକା ବିଦ୍ୟାଳୟରେ ସାବିତ୍ରୀବାଇ ଫୁଲେ ଶିକ୍ଷୟତ୍ରୀ ହେଲେ । ଏହା ତାଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଭାବେ ପରିଚିତି ଦେଲା । କିନ୍ତୁ ଉଲ୍ଲେଖ ଯୋଗ୍ୟ ଯେ ତାଙ୍କ ସହ ଶିକ୍ଷୟତ୍ରୀ ଭାବେ ମଧ୍ୟ ଯୋଗ ଦେଇଥିଲେ ସମାନ ତାଲିମ ପାଇ ମୁସଲମାନ ମହିଳା ଫାତିମା ଶେଖ (ଜନ୍ମ ୯ ଜାନୁଆରୀ ୧୮୩୧-ମୃତ୍ୟୁ ୯ ଅକ୍ଟୋବର ୧୯୦୦ ) । ଏତଦ୍ଵାରା ଫତିମା ଶେଖ ହେଲେ ଭାରତର ପ୍ରଥମ ମୁସଲମାନ ମହିଳା ଶିକ୍ଷୟତ୍ରୀ । ଫତିମା ଶେଖ ଥିଲେ ସାବିତ୍ରୀବାଇ ଫୁଲେଙ୍କ ସମବୟସୀ । ଫତିମା ଶେଖଙ୍କ ଭାଇ ଉସମାନ ଶେଖ ଥିଲେ ଜ୍ୟୋତିବା ଫୁଲେଙ୍କ ବନ୍ଧୁ । ଅସ୍ପୃଶ୍ୟ , ଦଳିତ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଆଗଭର ଜ୍ୟୋତିବା ଫୁଲେ ଯେତେବେଳେ ଏହି କାରଣରୁ ନିଜ ପରିବାରରୁ ବହିଷ୍କୃତ ହେଲେ ସେତେବେଳେ ତାଙ୍କୁ ସାବିତ୍ରୀବାଇଙ୍କ ସହ ନିଜ ଘରେ ଆଶ୍ରୟ ଦେଇଥିଲେ ଉସମାନ ଶେଖ । ଏହି ଠାରେ ହିଁ ତାଙ୍କର ବାଳିକା ବିଦ୍ୟାଳୟର ସ୍ଥାପନ ହୋଇଥିଲା ଯାହାକୁ ସାବିତ୍ରୀବାଇ ଫୁଲେ ଓ ଫତିମା ଶେଖ ବହୁ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଏହି ବିଦ୍ୟାଳୟକୁ ଚଳାଇଥିଲେ । ଫୁଲେ ଦମ୍ପତି ସମାଜ ସଂସ୍କାରରେ ବିଶେଷତଃ ସମାଜର ସବୁଠାରୁ ତଳ ଶ୍ରେଣୀରେ ଥିବା ବର୍ଗକୁ ଶିକ୍ଷିତ ଓ ମର୍ଯ୍ୟାଦାବନ୍ତ ଜୀବନ ଯାପନ ପାଇଁ ଆଧୁନିକ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଲେ । ଇଂରାଜୀ ଶିକ୍ଷା ଆଇନ ୧୮୩୫ର ପ୍ରଚଳନ ହେବା ଦ୍ବାରା ତଳ ଶ୍ରେଣୀରେ ଥିବା ବର୍ଗ ଅଜ୍ଞାନତା, ରକ୍ଷଣଶୀଳ ବିଚାର ଓ ଶୋଷଣରୁ ଯେ ମୁକ୍ତି ପାଇବେ, ଏହାକୁ ରେଖାଙ୍କିତ କରି ଉପରୋକ୍ତ କବିତାଗୁଡିକ ଲେଖିଥିଲେ ।
୧୮୧୮ ରେ ମହାରାଷ୍ଟ୍ରରେ ପେଶୱା ଶାସନର ଅନ୍ତ ହେଲା, ବିଜୟୀ ଇଂରାଜ ଶାସନର ସ୍ଥାପନା ହେଲା । ପେଶୱା ଶାସନରେ ଶୂଦ୍ର, ସମାଜର ନିମ୍ନ ବର୍ଗର ମଣିଷମାନେ ବେଶ ଅତ୍ୟାଚାରିତ ଥିଲେ ଓ ଉଚ୍ଚ ବର୍ଗ ଯେପରି ବ୍ରାହ୍ମଣ , କ୍ଷତ୍ରିୟଙ୍କର ଘୃଣାର ଶିକାର ହେଉଥିଲେ । ଶାସକ ପେଶୱା ତ ବ୍ରାହ୍ମଣ ଥିଲେ । କିନ୍ତୁ ଯଦିଓ ପେଶୱା ଶାସନର ଅନ୍ତ ହୋଇଥିଲା, ତଥାପି ଶୁଦ୍ରଙ୍କ ପ୍ରତି ସାମାଜିକ ଧାରଣାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ତାହା ନ ହେଲେ ପେଶୱା ଶାସନ ଅନ୍ତ ହେବାର ତିନି ଦଶନ୍ଧି ଭିତରେ ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ ଅସ୍ପୃଶ୍ୟତା ଓ ଜାତିପ୍ରଥା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରି ନ ଥାନ୍ତେ । ଏହି ଆନ୍ଦୋଳନର ମୂଳରେ ଥିଲା ସମାଜର ନିମ୍ନ ବର୍ଗରେ ଥିବା ଲୋକଙ୍କ ପାଇଁ, ଶୂଦ୍ର,ଅତିଶୁଦ୍ର ଓ ମହିଳାଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିବା । ମାତ୍ର ୨୧ ବର୍ଷ ବୟସରେ, ୧୮୪୮ ମସିହାରେ ସେ ସ୍ଥାପନା କଲେ ଉସମାନ ଶେଖଙ୍କ ହତା ଭିତରେ ବାଳିକା ମାନଙ୍କ ପାଇଁ ଏକ ବିଦ୍ୟାଳୟ, ଯେଉଁଠାରେ ପତ୍ନୀ ସାବିତ୍ରୀବାଇ ଓ ଉସମାନ ଶେଖଙ୍କର ଭଉଣୀ ଫାତିମା ଶେଖ ଶିକ୍ଷୟତ୍ରୀ ଦାୟିତ୍ଵ ନେଲେ । ତତ୍କାଳୀନ ରକ୍ଷଣଶୀଳ ସମାଜରେ ବାଳିକାମାନଙ୍କୁ ଶିକ୍ଷା ଦେବା ପାଇଁ କୁଣ୍ଠିତ ପରିବାରମାନଙ୍କୁ ପ୍ରବର୍ତ୍ତାଇବା ସହଜ ବ୍ୟାପାର ନ ଥିଲା । ସାବିତ୍ରୀବାଇ ଓ ଫାତିମା ଶେଖ ଯେତେବେଳେ ଏହା କରିବା ପାଇଁ ପରିବାରମାନଙ୍କୁ ଭେଟୁଥିଲେ, ସେତେବେଳେ ବହୁ ଅପମାନର ମଧ୍ୟ ଶରବ୍ୟ ହେଉଥିଲେ । କିନ୍ତୁ ତାଙ୍କର ଅବିଚଳିତ ଉଦ୍ୟମ ସେମାନଙ୍କର କୁଣ୍ଠା ଓ ରକ୍ଷଣଶୀଳତାକୁ ଭାଙ୍ଗି ଥିଲା । ଜ୍ୟୋତିବା ଫୁଲେ ଏହି ବାଳିକା ବିଦ୍ୟାଳୟ ସ୍ଥାପନା ପୂର୍ବରୁ ଖ୍ରୀଷ୍ଟାନ ମିସନାରୀମାନେ ବାଳିକା ବିଦ୍ୟାଳୟ ଚଳାଉଛନ୍ତି ବୋଲି ଜାଣିଥିଲେ, ଓ ନିଜେ Scottish Mission High Schoolରୁ ଇଂରାଜୀ ଶିକ୍ଷା ୧୮୪୭ ରେ ସମାପ୍ତ କରିଥିଲେ । ସେ ବୁଝିଥିଲେ ଯେ ଇଂରାଜୀ ଶିକ୍ଷା ଦ୍ଵାରା ଦଳିତ , ନିଷ୍ପେଷିତ ତାର ମଣିଷ ହେବାର ମର୍ଯ୍ୟାଦାକୁ ହୃଦୟଙ୍ଗମ କରିପାରିବ । କିନ୍ତୁ ଏହି ଶିକ୍ଷା ମିସନାରୀ ବାଳିକା ବିଦ୍ୟାଳୟ ଜରିଆରେ ନୁହେଁ ବରଂ ଏକ ଦେଶଜ ବାଳିକା ବିଦ୍ୟାଳୟ ଜରିଆରେ ଅଧିକ ପ୍ରଭାବୀ ହୋଇପାରେ ବୋଲି ସେ ବୋଧେ ଭାବୁଥିଲେ । ସ୍ଵାଭାବିକ ଜ୍ୟୋତିବା ଫୁଲେଙ୍କର ଏପରି ଧାରଣା ସାବିତ୍ରୀବାଇଙ୍କୁ ପ୍ରଭାବିତ କରିଥିଲା ଓ ଏହି ଧରଣାର ଗଭୀରତା ତାଙ୍କର ଉପରୋକ୍ତ କବିତା ଗୁଡିକରେ ପ୍ରତିଫଳିତ ହୋଇଥିଲା ।
ସାବିତ୍ରୀବାଇ ତାଙ୍କ କବିତାରେ ଇଂରାଜୀକୁ ମାତା ବୋଲି ସମ୍ବୋଧନ କରନ୍ତି ଓ ଏହା ଅତି ପ୍ରେମର ସହ ଶୁଦ୍ରଙ୍କୁ ପ୍ରକୃତ ଜ୍ଞାନ ଓ ଜୀବନ ସହ ପରିଚିତ କରାଇ ପାରେ, ଓ ସେମାନଙ୍କ ପାଇଁ ମୁକ୍ତିକାରୀ ହୋଇ ପାରେ ବୋଲି ମନେ କରନ୍ତି । ସେ ବୁଝାନ୍ତି ଯେ ଇଂରାଜ ଶାସନ ମୋଗଲ ଶାସନ ପରି ନୁହେଁ, ପେଶୱା ଶାସନ ପରି ନୁହେଁ, ନା ଏହା କୌଣସି ମୂର୍ଖର ଶାସନ । ତାଙ୍କର ବିଶ୍ୱାସ ‘ ଇଂରାଜୀ ମାତା’ ଶୁଦ୍ରଙ୍କୁ ମନୁଷତ୍ଵ ଦେବ , ତାଙ୍କ ଭିତରେ ଥିବା ପଶୁତ୍ଵର ବିନାଶ କରିବ । ଶୁଦ୍ରଙ୍କୁ ଆହ୍ୱାନ ଦେଇ ସେ କୁହନ୍ତି ନୈରାଶ୍ୟର ଘୋର ଅନ୍ଧକାର ସମୟରେ , ଯେତେବେଳେ ହୀନଭାବନାରେ ତୁମ ମନ ଆକ୍ରାନ୍ତ, ସ୍ଵର୍ଗ, ନର୍କର ଭୟ ତୁମକୁ ଘାରିଅଛି, ସେତେବେଳେ ‘ଇଂରାଜୀ ମାତା’ ଆସିଛି । ଏହାହିଁ ପ୍ରକୃଷ୍ଟ ସମୟ ଲେଖା ପଢା ଶିଖିବାର, ପ୍ରଥା ପରମ୍ପରାକୁ ଫୋପାଡିଦେବାର, ପରମ୍ପରାର ବନ୍ଧ ବାଡ ଭାଙ୍ଗିବାର । ସେ ସ୍ମରଣ କରାଇଛନ୍ତି ଯେ ଶୂଦ୍ର ତାର ଅଜ୍ଞାନତା ଯୋଗୁଁ ହିଁ ପୁରୋହିତ ଧର୍ମର ଛଳ କପଟର ଶିକାର ହେଉଛି, ଅତ୍ୟାଚାରିତ ହେଉଛି, ନିର୍ଯ୍ୟାତିତ ହେଉଛି । ସାବିତ୍ରୀବାଇ ମନେ ପକାଇ ଦେଉଛନ୍ତି ଯେ ପେଶୱା ଶାସନ ସମାପ୍ତ ହୋଇଛି , ବ୍ରାହ୍ମଣ ଶାସିତ ରାଜ୍ୟ ଧ୍ୱଂସ ପାଇଛି , ବୁଦ୍ଧିମାନ ଇଂରାଜର ବିଜୟ ହୋଇଛି, ମନୁସ୍ମୃତିର ସମୟ ଯାଇଛି, ଓ ଏହି ସମୟ ହିଁ ଶୁଦ୍ରଙ୍କ ହିତ ପାଇଁ ଅନୁକୂଳ । ଏହି ସମୟରେ ହିଁ ଶୂଦ୍ରଜନଙ୍କ ଉପରେ ପଡୁଛି ଜ୍ଞାନର ପ୍ରକାଶ, ଭୟର ବାତାବରଣ ସମାପ୍ତ ହୋଇଛି । ‘ଇଂରାଜୀ ମାତା’ ଯେ ଆସିଛି । ସେ ମନେ ପକାଇ ଦେଉଛନ୍ତି ଯେ ଇଣ୍ଡିଆ ବା ଭାରତ କେହି ଜଣକର ନୁହେଁ ; ଏଠାରେ ବସବାସ କରୁଥିବା ସମସ୍ତଙ୍କର । ଏ ସମସ୍ତେ ହେଉଛନ୍ତି ଗୋଟିଏ ରକ୍ତର ପରିବାର । ସେ ଆହ୍ୱାନ ଦେଇଛନ୍ତି ଶୁଦ୍ରଙ୍କୁ , ଅତିଶୁଦ୍ରଙ୍କୁ ଯେ ଦୁଃଖ ନିବାରଣ ପାଇଁ ଇଂରାଜୀ ଶିଖ, ଜାତିଭେଦକୁ ଭାଙ୍ଗ, ପୁରୋହିତବାଦକୁ ପ୍ରତ୍ୟାଖ୍ୟାନ କର , ସେ ସୁଯୋଗ ଯେ ଆଜି ଆସିଛି , ‘ଇଂରାଜୀ ମାତା’ ଆସିଛି । ଏଥିରେ ସାବିତ୍ରୀବାଇଙ୍କର ରହିଛି ଶୁଦ୍ରଙ୍କୁ ଆକୁଳ ନିବେଦନ ସ୍ଵାବଲମ୍ବୀ ହେବା ପାଇଁ, ଉଦ୍ୟୋଗୀ ହେବା ପାଇଁ , ନିଷ୍ଠାର ସହ ଜ୍ଞାନ ଆହରଣ ପାଇଁ, ଯତ୍ନର ସହିତ ଜ୍ଞାନର ସଞ୍ଚୟ ପାଇଁ । କାରଣ ସେ ଜଣାଇବାକୁ ଚାହିଁଛନ୍ତି ଯେ ‘ଯଦି ବିଦ୍ୟା ଗଲା, ତାହାହେଲେ ସବୁ ନଷ୍ଟ ହେଲା ।’
ପେଶୱା ଶାସନରେ ଶୂଦ୍ର ଓ ଦଳିତ ଭୋଗୁଥିବା ଦୁର୍ଦ୍ଦଶା ଯେ ଇଂରାଜ ଶାସନ ଓ ଇଂରାଜୀ ଶିକ୍ଷାର ପ୍ରଚଳନ ଦ୍ୱାରା ଲାଘବ ହେବ -ଏ ବିଶ୍ବାସ ସାବିତ୍ରୀବାଇ ଫୁଲେଙ୍କର ହେଉଥିଲା । ‘ଇଂରାଜୀ ମାତା’ ସମ୍ବୋଧନରେ ସେ ଯେପରି ଦେଉଥିଲେ ଶୁଦ୍ର ସମାଜକୁ ସୁରକ୍ଷାର ପ୍ରତିଶୃତି । ଏପରି ସମୟକୁ ସେ ଉଚ୍ଚଜାତିର ଅତ୍ୟାଚାରରୁ ଶୁଦ୍ରଙ୍କର ମୁକ୍ତି ପାଇଁ ଏକ ଅପୂର୍ବ ଅବସର ବୋଲି ମନେ କରିଥିଲେ । ଏହି ଅବସର ସୁଯୋଗ ନେବା ପାଇଁ ସେ ଶୁଦ୍ରଙ୍କୁ ଆହ୍ବାନ ଦେଇଥିଲେ ।
ମ୍ୟାକଲେ କହୁଥିଲେ୨ ଯେ “ଆମର ସୀମିତ ସାଧନ ଭିତରେ , ଜନସାଧରଣଙ୍କୁ ଶିକ୍ଷିତ କରିବା ପାଇଁ ଚେଷ୍ଟା କରିବା ସମ୍ଭବ ନୁହେଁ” ଅର୍ଥାତ୍ ଇଂରାଜୀ ଶିକ୍ଷାର ସୁଯୋଗ ସମସ୍ତଙ୍କ ପାଇଁ ସୃଷ୍ଟି କରିବା ସମ୍ଭବ ନୁହେଁ । ଅବଶ୍ୟ ଲକ୍ଷ୍ୟ ମଧ୍ୟ ଥିଲା ଯେ ଯେଉଁମାନଙ୍କୁ ଏହି ଶିକ୍ଷା ଉପଲବ୍ଧ ହେବ ସେମାନେ କେବଳ ଇଂରାଜ ଶାସନ ଓ ଶାସିତଙ୍କ ମଧ୍ୟରେ ବ୍ୟାଖ୍ୟାକାର (interpreter)ଙ୍କର ଏକ ବର୍ଗ ହେବେ ନାହିଁ, ଯେଉଁମାନେ ‘ରକ୍ତ ଓ ବର୍ଣ୍ଣରେ ରହିବେ ଭାରତୀୟ, କିନ୍ତୁ ରୁଚି, ମତ ନୈତିକତା ଏବଂ ବୁଦ୍ଧିରେ ହେବେ ଇଂରାଜ’, ବରଂ ସେମାନେ ହିଁ ପରବର୍ତ୍ତୀ ସମୟରେ, ଉପଲବ୍ଧ ଶିକ୍ଷାରୁ ଆହରଣ କରିଥିବା ଜ୍ଞାନ, ବିଶେଷତଃ ‘ପାଶ୍ଚାତ୍ୟ ନାମକରଣରୁ ଗ୍ରହଣ କରାଯାଉଥିବା ବିଜ୍ଞାନର ଶବ୍ଦ ଦ୍ଵାରା’ ସେମାନଙ୍କର ନିଜ ଆଞ୍ଚଳିକ ଭାଷା ଗୁଡିକୁ ସମୃଦ୍ଧ କରିବେ ଯାହା ସାଧାରଣ ଜନତାଙ୍କର ସଠିକ ଜ୍ଞାନ ଆହରଣର ମାଧ୍ୟମ ହେବ । ଏପରି ପୃଷ୍ଠଭୂମିରେ, ଅର୍ଥାତ୍ ମ୍ୟାକଲେଙ୍କ ଶିକ୍ଷାନୀତିର ପ୍ରଚଳନର ମାତ୍ର ଦେଢ -ଦୁଇ ଦଶନ୍ଧି ମଧ୍ୟରେ, ସାବିତ୍ରୀବାଇ ଫୁଲେ ଇଂରାଜୀ ଭାଷା ଶିଖିବା ପାଇଁ ଭାରତୀୟ ସମାଜର ସବୁଠାରୁ ତଳେ ଥିବା ବର୍ଗ , ଶୂଦ୍ର ଓ ଅତିଶୁଦ୍ରଙ୍କୁ ଆହ୍ୱାନ କରିବା, ଓ ଏହି ଶିକ୍ଷାରେ ସେମାନଙ୍କର ମୁକ୍ତି ରହିଛି ବୋଲି ସେମାନଙ୍କୁ ବୁଝାଇବା ନିଶ୍ଚିତ ଭାବରେ, ସେ ସମୟରେ, ଏକ ଅତ୍ୟନ୍ତ କ୍ରାନ୍ତିକାରୀ ଉଦ୍ୟମ ଥିଲା । ଯଥାର୍ଥରେ ସେ ଭୂଷିତ ହୋଇଥିଲେ ‘କ୍ରାନ୍ତିଜ୍ୟୋତି ’ ଉପାଧିରେ ଓ ଭାରତର ସମାଜ ସଂସ୍କାରକଙ୍କ ମଧ୍ୟରେ ତାଙ୍କର ପରିଚୟ ଥିଲା : କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେ, କେହି କେହି ତାଙ୍କୁ ଜ୍ଞାନଜ୍ୟୋତି ସାବିତ୍ରୀବାଇ ଫୁଲେ ବୋଲି ମଧ୍ୟ ସମ୍ବୋଧନ କରୁଥିଲେ । ଏହି ମହୀୟସୀ ମହିଳାଙ୍କର ମହାପ୍ରୟାଣ ତାରିଖ ଥିଲା ୧୦ ମାର୍ଚ୍ଚ ୧୮୯୭ ।
ବ୍ୟବହୃତ ଉପାଦାନ ସୂଚୀ
୧. Savitribai Phule Samagra Vangmaya (The complete works of Savitribai Phule), Editor: Dr, M. G. Mali, Maharashtra Rajya Sahitya and Sanskrit Mandal, Mumbai, 5th Edition 2011
୨. ମ୍ୟାକଲେ ଏବଂ ଭାରତ , ବୀରେନ୍ଦ୍ର ନାୟକ , ସମଦୃଷ୍ଟି, ୧୬-୨୮ ଫେବୃଆରୀ, ୨୦୨୬, ପୃ ୧୪
Comments
0 comments

