“କିଶନ ପଟ୍ଟନାୟକ(୧୯୩୦-୨୦୦୪) ଥିଲେ ଭାରତୀୟ ରାଜନୀତିର ଜଣେ ବିଶିଷ୍ଟ ଚିନ୍ତାନାୟକ । ସମକାଳୀନ ସମୟରେ ନାଗଭୁଷଣ ପଟ୍ଟନାୟକଙ୍କୁ (ନକ୍ସଲବାଦୀ ନେତା) ବାଦ ଦେଲେ, ସମ୍ଭବତଃ ଓଡ଼ିଶାର କୌଣସି ନେତା ଦେଶରେ ତାଙ୍କସ୍ତରର ବୌଦ୍ଧିକ ମର୍ଯ୍ୟାଦା ଲାଭ କରିନଥିଲେ । ଆସାମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଓ ଗୋଆରେ ତାଙ୍କୁ ଜାଣିଥିବା ତଥା ତାଙ୍କ ବିଚାରରେ ଅନୁପ୍ରାଣିତ ଥିବା ଏକ ବୌଦ୍ଧିକ ବର୍ଗ ରହିଥିଲେ ଏବଂ ଆଜି ବି ସେମାନେ ଅଛନ୍ତି । ମାତୃଭାଷା ଓଡିଆ ବ୍ୟତୀତ ହିନ୍ଦୀ, ବଙ୍ଗଳା ଓ ଇଂରାଜୀରେ କିଶନବାବୁ ଧାରାପ୍ରବାହ ବକ୍ତୃତା ପ୍ରଦାନ କରିପାରୁଥିଲେ ଏବଂ ହିନ୍ଦୀ, ଓଡିଆ ଓ ଇଂରାଜୀରେ ଅତି ସହଜରେ ସେ ଲେଖି ପାରୁଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ହିନ୍ଦୀରେ ପ୍ରକାଶିତ ମାସିକ ‘ସାମୟିକ ବାର୍ତ୍ତା’ ଓ ଓଡିଆରେ ପ୍ରକାଶିତ ତ୍ରୈମାସିକ ‘ବିକଳ୍ପ ବିଚାର’ର ସଂପାଦକ ଥିଲେ । ଉଭୟ ପତ୍ରିକାର ବିଷୟ ନିର୍ବାଚନଠାରୁ ଆରମ୍ଭ କରି ସଂପାଦକୀୟ ଲେଖିବା ପର୍ଯ୍ୟନ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତଥିଲା । ‘ସମାଜବାଦୀ ଜନ ପରିଷଦ’ ନାମକ ଏକ କମ୍ ପରିଚିତ ସମାଜବାଦୀ ଦଳର ସେ ମେରୁଦଣ୍ଡ ସଦୃଶ ଥିଲେ ।
ଯଦି ଅନ୍ୟ ଏକ ଦୃଷ୍ଟିରୁ ଦେଖାଯାଏ, କିଶନ ବାବୁ ନିର୍ବାଚନ ରାଜନୀତିରେ ବିଶେଷ ସଫଳତା ଲାଭ କରିନଥିଲେ । ମାତ୍ର ଥରଟିଏ (୧୯୬୨-୬୭) ସେ ନିର୍ବାଚନ ଜିଣିଥିଲେ ଏବଂ ସମ୍ବଲପୁରକୁ ଲୋକସଭାରେ ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ୧୯୬୭ରେ, ୧୯୭୧ରେ ଏବଂ ୧୯୮୯ରେ ସେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଛନ୍ତି ଏବଂ ପରାଜିତ ହୋଇଛନ୍ତି, ଯାହା ତାଙ୍କ ସୀମିତ ଜନାଧାରକୁ ଦର୍ଶାଏ । ୨୦୦୪ ପରେ ବଂଚିଥିଲେ ବି ସେ କ୍ଷମତାର ମଙ୍ଗ ଧରିବା ତ ପଛ କଥା, ନିର୍ବାଚନ ଜିଣି ସଂସଦକୁ ଯାଇଥାନ୍ତେ ବୋଲି ଆଶା କରାଯାଇ ନପାରେ । ନିର୍ବାଚନରେ ଅସଫଳ ନେତୃବର୍ଗ ବି ଅନେକ ସମୟରେ ପରୋକ୍ଷ ଦରଜା ଦେଇ କ୍ଷମତା ରାଜନୀତିର ଦ୍ୱାର ମାଡିବାରେ ସଫଳ ହୋଇଥାନ୍ତି । ମାତ୍ର କିଶନ ବାବୁଙ୍କ କ୍ଷେତ୍ରରେ ତା’ର ସମ୍ଭାବନା ନ ଥିଲା, କାରଣ ସେ କାହାକୁ ପଛରୁ ଏଥିପାଇଁ କହିନପାରନ୍ତି ; ସେଭଳି ବାଟରେ କ୍ଷମତା ଭୋଗିବାର ବି ତାଙ୍କର କେବେ ଲୋଭ ନଥିଲା ।
ଏହି ଆଧାରରେ କୁହାଯାଇପାରେ ଯେ, ଆଜି ସେ ବଂଚିଥିଲେ ମଧ୍ୟ ବର୍ତ୍ତମାନ ରାଜନୀତିର ଗତି ଓ ପ୍ରଗତିକୁ ମୋଡ ଦେଇ ପାରିନଥାନ୍ତେ! ଅନ୍ୟପକ୍ଷରେ, ଆଜିର ରାଜନୀତି ସଂପର୍କରେ ଏକ ମୌଳିକ ଚିନ୍ତନ ତାଙ୍କ ପାଖରୁ ମିଳି ପାରିଥାନ୍ତା । ଦେଶର ବୌଦ୍ଧିକ ବର୍ଗପାଇଁ ତାହା ବେଶ୍ ଖୋରାଖ ହୋଇପାରିଥାନ୍ତା । ଯେଉଁ ବୌଦ୍ଧିକ ବର୍ଗ ନିଜକୁ ସମାଜବାଦୀ ବୋଲି ଆଜି ଅବିହିତ କରନ୍ତି, ସେହି ବର୍ଗ ତ କିଶନ ବାବୁଙ୍କ ଅବର୍ତ୍ତମାନରେ ଏକ ରକମର ଅନାଥ ହୋଇଗଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟ ଶବ୍ଦରେ କହିଲେ, ନିର୍ବାଚନୀ ରାଜନୀତି ଓ କ୍ଷମତା ରାଜନୀତିକୁ ମୋଡ ଦେବାର ସାମର୍ଥ୍ୟ ନ ଥିବା ସତ୍ତ୍ୱେ କିଶନ ବାବୁଙ୍କ ମୃତ୍ୟୁ ସମକାଳୀନ ଭାରତ ପାଇଁ ଏକ ବଡ଼ ବୌଦ୍ଧିକ କ୍ଷତି !”
‘ବିିଚାରର ଟିପାଖାତା’ର ଲେଖକ କିଶନ ପଟ୍ଟନାୟକଙ୍କ ବିଚାରଧାରାର ଯେଭଳି ବିଲୟ ଘଟିନାହିଁ, କେଉଁଠି ନା କେଉଁଠି ଏହାର ଉଦଗିରଣ ସମ୍ଭାବନା ରହିଛି, ତାହାକୁ ନେଇ ସମଦୃଷ୍ଟି ତରଫରୁ ଚାରିଟିକିଆ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇ କିଶନବାବୁଙ୍କୁ ଜାଣିଥିବା, ତାଙ୍କରି ବିଚାର ଧାରା ସହିତ ସମ୍ବନ୍ଧିତ ଅନେକ ବ୍ୟକ୍ତିବିଶେଷଙ୍କୁ ପଠାଯାଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେ ମଧ୍ୟରୁ ଆମକୁ ମିଳିଲା ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପ୍ରଫେସର ବୀରେନ୍ଦ୍ର ନାୟକ, ପ୍ରଫେସର ମନୋରଞ୍ଜନ ମହାନ୍ତି, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଅଧ୍ୟାପକ କିଶୋର ମେହେର ଓ ସମାଜକର୍ମୀ ସରୋଜ ପ୍ରମୁଖଙ୍କ ଉତ୍ତର । ସେହି ଉତ୍ତର ଗୁଡିକୁ ଏକାଠିକରି ଆମେ ସମଦୃଷ୍ଟିରେ (ସମଦୃଷ୍ଟି ୧୬-୩୦, ସେପ୍ଟେମ୍ବର; ୧-୧୫ ଅକ୍ଟୋବର ୨୦୧୪) ସଂଖ୍ୟାରେ ପ୍ରକାଶିତ କରିଥିଲୁ । ଆଜି ୩୦, ଜୁନ ତାଙ୍କ ଜନ୍ମତିଥିରେ(ଜନ୍ମ- ୩୦ ଜୁନ ୧୯୩୦) ଏଠାରେ ଉପସ୍ଥାପନା କରୁଛୁ ।
ସାକ୍ଷାତକାର ସକାଶେ ପ୍ରଶ୍ନସମୂହ
୧. ଆଜିର ଭାରତ ଓ ଓଡ଼ିଶା ପରିପ୍ରେକ୍ଷୀରେ କିଶନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ଆପଣ କିପରି ମୂଲ୍ୟାୟନ କରୁଛନ୍ତି?
୨. ଆପଣ ଭାବୁଛନ୍ତି କି ଆମେ ଆଗାମୀ ଦିନରେ କିଶନ ପଟ୍ଟନାୟକଙ୍କ ଭଳି ଜଣେ ଦୂରଦ୍ରଷ୍ଟ୍ରା ଏବଂ ସଚ୍ଚୋଟ ଓ ସରଳ ମଣିଷ ପାଇବା?
୩. ଭାରତରେ ସମାଜବାଦର ଭବିଷ୍ୟତ ନେଇ ଆପଣଙ୍କ ମତାମତ କ’ଣ ରହିବ?
୪. କିଶନ ପଟ୍ଟନାୟକଙ୍କ ଜୀବନାଦର୍ଶରୁ ଓଡ଼ିଶା କିଛି ଶିକ୍ଷା ଲାଭ କରିପାରିବ?
ପ୍ରଫେସର ବୀରେନ୍ଦ୍ର ନାୟକ
୧: କିଶନ ପଟ୍ଟନାୟକ ତାଙ୍କ ଉପସ୍ଥିତି କାଳରେ ଯେଉଁ କେତେଜଣଙ୍କୁ ନେଇ ଏକ ସଙ୍ଗଠନ ଗଢ଼ିଥିଲେ, ତାହା ତାଙ୍କର ଅନୁପସ୍ଥିତିରେ କ୍ଷୀଣ ହୋଇଯିବା ନିଶ୍ଚିତଭାବରେ ଏକ ନୈରାଶ୍ୟଜନକ ଦୃଶ୍ୟ । ସେ କଦାପି ଏହିଭଳି ଭବିଷ୍ୟତର କଳ୍ପନା କରି ନ ଥିବେ, କାରଣ ଯେଉଁମାନଙ୍କୁ ସେ ସାଥୀରୂପେ ବାଛି ଥିଲେ ସେମାନେ ତାଙ୍କର ଆଦର୍ଶ ସହ ଏକାତ୍ମ ବୋଲି ବିଶ୍ୱାସ କରିଥିବେ ଓ ଏମାନେ ତାଙ୍କର ସଂଗଠନର ପ୍ରସାର କରିବେ ବୋଲି ଆଶା କରିଥିବେ । ଯେତେବେଳେ ଏହା ହୋଇନାହିଁ. ସେତେବେଳେ ତାଙ୍କ ଅନୁପସ୍ଥିତିର କି ମୂଲ୍ୟାୟନ କରିବି?
୨: କହି ହେବ ନାହିଁ । କିନ୍ତୁ କିଶନ ବାବୁ ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯିଏ କି କେବଳ ନିଜ ସହ ହିଁ ତୁଳନୀୟ । ସେ ଦୂରଦ୍ରଷ୍ଟା ଥିଲେ, ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ସମ୍ପର୍କରେ ଯେଉଁ ପୂର୍ବାନୁମାନ ସବୁ କରିଥିଲେ, ସେଗୁଡିକୁ ଆମେ ପ୍ରତ୍ୟକ୍ଷ ହୋଇଛେ । ସଚ୍ଚୋଟ ସେ ଚିନ୍ତା ଭାବନାରେ ଯେପରି ଥିଲେ ଜୀବନଚର୍ଯ୍ୟାରେ ମଧ୍ୟ ସେପରି ଥିଲେ । ସେ ସରଳ ମଣିଷ ଥିଲେ କିନ୍ତୁ ସଚେତନ ଥିଲେ ଯେପରି ତାଙ୍କର ସରଳତାକୁ କେହି ଦୁର୍ବଳତା ବୋଲି ମନେ ନକରୁ । ଅତି ସ୍ପଷ୍ଟ ଥିଲେ ତାଙ୍କର ପ୍ରତିକ୍ରିୟାରେ । ଜଣେ ରାଜନୈତିକ କର୍ମୀ ବୋଲି ସେ ନିଜକୁ କହୁଥିଲେ । କିନ୍ତୁ ସେ ଥିଲେ ଏକ ବିରଳ ବୁଦ୍ଧିଦୀପ୍ତ ରାଜନୈତିକ କର୍ମୀ -ମୌଳିକ ଭାବନାର ଏକ ଅନିର୍ବାଣ ଉତ୍ସ । ତେଣୁ କିଶନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ମାନେ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ପରିବେଶରେ ପ୍ରଭାବୀ ହେବା ଯେତେବେଳେ ପ୍ରାୟଃ ଅସମ୍ଭବ , ସେତେବେଳେ ଆଗାମୀ ଦିନରେ କିଶନ ପଟ୍ଟନାୟକଙ୍କ ଭଳି ଜଣେ ଦୂରଦ୍ରଷ୍ଟା ଏବଂ ସଚ୍ଚୋଟ ଓ ସରଳ ମଣିଷର ଆବିର୍ଭାବ ହେଲେ ମଧ୍ୟ ତାହା ରାଜନୈତିକ ପରିବେଶକୁ କେତେଦୁର ପ୍ରଭାବିତ କରିବ? ତା ସତ୍ତ୍ୱେ ମଧ୍ୟ ଆମେ ଆଶା କରିବା ଯେ କିଶନ ପଟ୍ଟନାୟକଙ୍କ ଭଳି ରାଜନୈତିକ ବ୍ୟକ୍ତିମାନେ ଓଡିଶା ଓ ଭାରତର ରାଜନୈତିକ ପରିବେଶରେ ବିଚରଣ କରୁଥାନ୍ତୁ ଓ ଏକ ପରିବର୍ତ୍ତନର ସମ୍ଭାବନାକୁ ଉଜାଗର ରଖୁଥାନ୍ତୁା
୩: ସାଧାରଣ ମଣିଷର ସମସ୍ୟାର ସମାଧାନ ଯଦି କେଉଁଥିରେ ରହିଛି ତାହା ସମାଜବାଦରେ । ଆଇନଷ୍ଟାଇନ ୧୯୪୯ ମସିହାରେ କହିଥିଲେ, “I am convinced there is only one way to eliminate these grave evils, namely through the establishment of a socialist economy, accompanied by an educational system which would be oriented toward social goals”(Why Socialism? Monthly Review, New York, May, 1949)” ସେହିଭଳି ଗଣିତଜ୍ଞ-ଐତିହାସିକ ଦାମୋଦର ଧର୍ମାନନ୍ଦ କୋସାମ୍ବୀ ୧୯୫୪ ମସିହାରେ ଲେଖନ୍ତି “The solution for India, of course, would be socialism, which alone can create a demand rising with supply….”(‘On the Class Structure of India’ Monthly Review, New York, vol.6, 1954) ଅର୍ଥାତ୍ ନିରପେକ୍ଷ ଭାବେ ଚିନ୍ତା ଭାବନା କରୁଥିବା ବ୍ୟକ୍ତିମାନେ ସମାଜବାଦରେ ହିଁ ମାନବ ସମାଜର ସମାଧାନର ସମ୍ଭାବନା ଦେଖନ୍ତି । କିନ୍ତୁ ବିଡମ୍ବନା ଯେ ସମାଜବାଦର ଧାରଣା ଏକ ଉପହାସରେ ପରିଣତ ହେଲାଣି । ସମାଜବାଦ ସ୍ଥାପନା କରିବାପାଇଁ ଆଗଭର ହୋଇଥିବା ରାଜନୈତିକ ଦଳଗୁଡିକ କ୍ରମଶଃ ନାମମାତ୍ର ହେବାକୁ ବସିଲେଣି । ଏହା ଆଦର୍ଶର ସମସ୍ୟା ନୁହେଁ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାହାରିଥିବା ଦଳମାନଙ୍କର ସମସ୍ୟା, ଦଳର ନେତୃତ୍ୱର ସମସ୍ୟା । ସମାଜବାଦର ଭବିଷ୍ୟତ ଅଛି । କିନ୍ତୁ ଏହା ବାସ୍ତବ ହେବା ଯେଉଁ ପ୍ରକାର ନେତୃତ୍ୱ ଦାବିକରୁଛି, ସେଭଳି ନେତୃତ୍ୱ ଭବିଷ୍ୟତରେ କେବେ ଦୃଶ୍ୟମାନ ହେବ ତାହା ଅନୁମାନ କରି ହେଉନାହିଁ ।
୪: କିଶନ ପଟ୍ଟନାୟକ ଜଣେ ରାଜନୈତିକ କର୍ମୀ ଥିଲେ । ତାଙ୍କର ବ୍ୟକ୍ତିତ୍ୱରେ ବୌଦ୍ଧିକତା, ସରଳତା, ସଚ୍ଚୋଟପଣିଆ ଓ ଚିନ୍ତାରେ ସ୍ୱଚ୍ଛତା ସାରାଭାରତରେ ବହୁ ଯୁବକଙ୍କୁ ଉଦ୍ବୁଦ୍ଧ କରିଥିଲା । ମୋ ଜାଣିବାରେ ଓଡିଶା ବାହାରେ ଅଧିକ ଯୁବକ ତାଙ୍କର ଅନୁଯାୟୀ ଥିଲେ । ମୁଁ ତାଙ୍କ ବିଷୟରେ ପ୍ରଥମେ ଶୁଣିଥିଲି ୧୯୭୦ ମସିହାରେ ଯେତେବେଳେ ମୁଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଥିଲି । ଶୁଣି ଥିଲି ତାଙ୍କର ଅନୁଯାୟୀ ଦେବବ୍ରତ ମଜୁମଦାରଙ୍କ ଠାରୁ ଯିଏ ବନାରସ ବିଶ୍ୱବିଦ୍ୟାଳୟର ଛାତ୍ରନେତା ଥିଲେ ଓ ମଧ୍ୟ ଷାଠିଏ ଦଶକରେ ଉତ୍ତର ପ୍ରଦେଶରେ ହୋଇଥିବା ଭାଷା ଆନେ୍ଦାଳନର ଅଗ୍ରଭାଗରେ ଥିଲେ । ସେ ଉତ୍ତର ଭାରତରେ ‘ଛୋଟେ ଲୋହିଆ’ଭାବେ ପରିଚିତି ହାସଲ କରିଥିଲୋ ତାଙ୍କ ରାଜନୈତିକ ଦଳର ମୁଖ୍ୟ ଥିଲେ ଡଃ ରାମମନୋହର ଲୋହିଆ । ତେଣୁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣକୁ ଯିବା ବା ସେମାନଙ୍କ ସହ ସମ୍ପର୍କ ରଖିବା ବା ସେମାନଙ୍କୁ ପରାମର୍ଶ ଦେବା ବା ସେମାନଙ୍କର ଆନେ୍ଦାଳନ ସହ ଯୋଡି ହେବାର ପ୍ରକ୍ରିୟା ନବେଦଶକରୁ ହିଁ ସେ ଆରମ୍ଭ କରିଥିଲେ, ନୂତନ ଅର୍ଥନୀତି ପ୍ରଚଳନ ହେବା ପରେ ପରେ । ଅବଶ୍ୟ ମଧ୍ୟ ଅଶି ଦଶକରେ ତାଙ୍କର ଗନ୍ଧମାର୍ଦ୍ଦନ ଆନେ୍ଦାଳନ ସହ ସଂପୃକ୍ତି ଥିଲା ବେଶ୍ ଫଳପ୍ରଦ । କିନ୍ତୁ ସେ ଯେପରିଭାବେ ସଂପୃକ୍ତ ହେଉଥିଲେ, ଆତ୍ମପ୍ରଚାରର ଊଦ୍ଧ୍ୱର୍ରେ ରହୁଥିଲେ ଓ ସାଧାରଣଙ୍କର ଅନ୍ତର୍ନିହିତ ଶକ୍ତିର ବୃଦ୍ଧିରେ ବିଶ୍ୱାସ କରୁଥିଲେ ନିଜ ପତିଆରା ବୃଦ୍ଧିରେ ନୁହେଁ ତାହାହିଁ ଓଡିଶାର ସମାଜକର୍ମୀମାନେ ଶିକ୍ଷା କରିବା ଉଚିତ ।
ପ୍ରଫେସର ମନୋରଞ୍ଜନ ମହାନ୍ତି
୧. ଆମେ ଖୁବ ମନେପକାଉ କିଶନ ପଟ୍ଟନାୟକଙ୍କୁ । ସେଭଳି ବ୍ୟକ୍ତି ଆମସାମ୍ନାରେ ନାହାନ୍ତି । ଏ ପରିସ୍ଥତିର ମୂଳକାରଣ ସେ ବୁଝିଥିଲେ ଏବଂ କାରଣ ବୁଝିବା ପାଇଁ ସମନ୍ୱିତ ରଣନୀତି, ରାଜନୈତିକ, ସାଂସ୍କୃତିକ ପରିସ୍ଥିତି ଆଦିକୁ ସେ ବୁଝିଥିଲେ । ଗଭୀର ବିଚାର ଏବଂ ଉପଯୁକ୍ତ କାର୍ଯ୍ୟପନ୍ଥାର ସମ୍ମିଶ୍ରଣ ଆଉ କାହା ଠାରେ ଦେଖାଯାଉନି । ବର୍ତ୍ତମାନ ଉପର ଠାଉରିଆ ଆଲୋଚନା ହେଉଛି । ବିଶ୍ୱୀକରଣ ରାଜନୀତି ଓ ଅର୍ଥନୀତିର ମୁକାବିଲା କରିବା ପାଇଁ ସମନ୍ୱୟ ରଣନୀତିକୁ କିଶନ ପଟ୍ଟନାୟକ ବୁଝିସାରିଥିଲେ । ସମଗ୍ର ଦେଶରେ ତାଙ୍କୁ କେହି ଭୁଲି ନାହାନ୍ତି ।
୨.ତାଙ୍କ ପ୍ରେରଣାରେ ମୁଁ ବଢ଼ିଛି । ଏ ପ୍ରଶ୍ନ ନିଜେ କିଶନ ପଟ୍ଟନାୟକ ପଚାରିନଥାନ୍ତେ । କିଶନ ବାବୁଙ୍କ ଭଳି ସରଳ, ଆଦର୍ଶବାନ୍ ଓ ନୀତିଗତ କର୍ମୀ ଆସିବେ । ଏ ପରିସ୍ଥତି ସେଭଳି ଲୋକଙ୍କ ଅପେକ୍ଷାରେ ଥାଏ । କିଶନ ପଟ୍ଟନାୟକ କହନ୍ତି ଜଣେ ମଣିଷର ନେତୃତ୍ୱ ଇତିହାସକୁ ବଦଳାଇ ପାରିବେନି ।
୩. ସମାଜବାଦ ଉପରେ କୁଠାରାଘାତ ହେଉଛି । କିନ୍ତୁ ଆଜି ବି ସମାଜବାଦର ଭବିଷ୍ୟତ ନେଇ ବହୁତ ଆଶାବାଦୀ । କାରଣ ସମାଜବାଦ ଏକ ଚଳମାନ ଚିନ୍ତାଧାରା ଏବଂ ଗଲା କିଛିବର୍ଷର ଅଭିଜ୍ଞତାରୁ ଅନେକ ଶିକ୍ଷାକୁ ଭିତ୍ତିକରି ଏହା ବଦଳି ଚାଲିଛି । ୩ଟି ବିଷୟରେ ଏହା ନିଶ୍ଚୟ ଚିନ୍ତା ଏବଂ କାର୍ଯ୍ୟରେ ଆଗକୁ ଆଗଭର ହେଉଚି । ୧. ଶ୍ରେଣୀ ରାଜନୀତି ସହିତ ଜାତିପ୍ରଥା ବିରୋଧୀ, ଲିଙ୍ଗ ପ୍ରାଧାନ୍ୟବିରୋଧୀ, ରାଜନୀତି ଏବଂ ସମାଜ ପରିବର୍ତ୍ତନ ନେଇ ସବୁ ସମାଜବାଦୀ ଏବଂ ଅନେକ ସାମ୍ୟବାଦୀ ଚିନ୍ତା କରୁଛନ୍ତି ଏବଂ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ୨ୟ, ସମାଜବାଦର ମୂଳ ମନ୍ତ୍ର ହେଲା, ସମାନତା ଏବଂ ଗଣତନ୍ତ୍ର । ଏବଂ ଗଣତନ୍ତ୍ର ବାସ୍ତବରେ ଗାଁସ୍ତରରୁ ଜିଲ୍ଲା ରାଜ୍ୟ, ରାଷ୍ଟ୍ର ସବୁ ସ୍ତରରେ କିଭଳି ସାଧାରଣ ଜନତାର ପ୍ରତ୍ୟକ୍ଷ ଭାଗିଦାରୀରେ ରାଜନୀତି ପରିଚାଳିତ ହେବ, ଏହା ଉପରେ ସମସ୍ତେ ଗୁୁରୁତ୍ୱ ଦେଉଛନ୍ତି । ପୁଞ୍ଜିବାଦୀ ଭୂମଣ୍ଡଳୀକରଣ ଠିକ୍ ବିପରୀତ ଦିଗରେ ଆମ ସମାଜକୁ ଟାଣିନେଉଛି । ଅସାମ୍ୟ ବଢ଼ୁଛି ଏବଂ କ୍ଷମତା ରାଜନୀତିକ ଗୋଷ୍ଠୀ ଓ ପୁଞ୍ଜିପତିଙ୍କ ହାତରେ କେନ୍ଦ୍ରୀଭୂତ ହେଉଛି । ଏହା ବିରୋଧରେ ବିଶ୍ୱସାରା ଆନେ୍ଦାଳନ ଚାଲିଛି । ୩ୟ, ସମାଜବାଦ କେବଳ ସମୃଦ୍ଧି ଓ ସମତା ଉପରେ ଗଢ଼ାଯାଏ ନାହିଁ । ତା ସଙ୍ଗେ ସଙ୍ଗେ ଚିରନ୍ତନ ବିକାଶ ପରିବେଶ, ସୁରକ୍ଷା, ଏବଂ ମାନବ ଓ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟ ରଖିବା ଉପରେ ଆଜି ଗୁରୁତ୍ୱ ଦିଅଯାଉଛି । ଗଲା ୨୦୦ବର୍ଷ ଭିତରେ ପୁଞ୍ଜିବାଦ ପ୍ରାକୃତିକ ସମ୍ପଦକୁ ଯେପରି ଭାବରେ ଧ୍ୱଂସ କରିଛି, ସେ ବିଷୟରେ ଆଜି ସମସ୍ତେ ସଚେତନ । କିଶନ ପଟ୍ଟନାୟକ, ୩ଟି ଯାକ ଦିଗ ଉପରେ ଗୁରୁତ୍ୱ ଦେଉଥିଲେ । ସମାଜର ସବୁ ଶ୍ରେଣୀ, ସବୁ ଗୋଷ୍ଠୀର ସମବିକାଶ, ଗଣତନ୍ତ୍ର ଏବଂ ଭାଗିଦାରୀରର ମହତ୍ୱ ଏବଂ ପ୍ରକୃତି ସମ୍ମତ ବିକାଶ । ଏହି ଭାବଧାରା ଉପରେ ନିବିଷ୍ଟ ସମାଜବାଦର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ।
୪.କିଶନ ପଟ୍ଟନାୟକଙ୍କଠାରୁ ଓଡିଶା ଅନେକ ଶିକ୍ଷା ଲାଭ କରିପାରିବ । ୧ମ, ସମତାପନ୍ନ ବିକାଶର ଆଦର୍ଶ । ଓଡ଼ିଶାରେ କରଣ, ବ୍ରାହ୍ମଣ ଆଧିପତ୍ୟ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ୨ୟ ପୁଂଜିବାଦୀ ବ୍ୟବସ୍ଥାରେ ଓଡ଼ିଶାରେ ବିଶ୍ୱୀକରଣ ଦ୍ୱାରା ଖଣି ଶିଳ୍ପକେନ୍ଦ୍ରିକ ବିକାଶ ବଢ଼ିଚାଲିଛି, ସେ ବିକାଶ ଧାରାରେ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ । ୩ୟ, ଓଡ଼ିଶାରେ କ୍ଷତ୍ରୀୟ ଅସମତା ବିଶେଷ କରି ପୂର୍ବଭାଗ ତୁଳନାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଦାରିଦ୍ର୍ୟ ଏବଂ ପଛୁଆ ସ୍ଥିତି କିପରି ପରିବର୍ତ୍ତନ ହେଉ । ୪ର୍ଥ, ଓଡ଼ିଶାରେ ଜନଆନେ୍ଦାଳନକୁ ସରକାର ସମ୍ମାନ ଦେଇ ସେମାନଙ୍କ ଦାବୀ ପୂରଣ କରନ୍ତୁ ଏବଂ ଦମନକାରୀ ନୀତି ଯଥାଶୀଘ୍ର ବନ୍ଦ କରନ୍ତୁ । ଏହା ନିଶ୍ଚୟ କିଶନ ପଟ୍ଟନାୟକଙ୍କ ଜୀବନଦର୍ଶରୁ ଓଡ଼ିଶା ଶିଖିବ । ୫ମ, ଓଡ଼ିଶାର ବୁଦ୍ଧିଜୀବୀ କିଶାନ ପଟ୍ଟନାୟକ ଠାରୁ ଶିଖିବା କଥା ପ୍ରତ୍ୟେକ ସମସ୍ୟାକୁ ଇତିହାସ, ଦର୍ଶନ ଏବଂ ରାଜନୀତି, ଅର୍ଥନୀତି ସବୁ ଦୃଷ୍ଟିକୋଣକୁ ମିଶାଇ ବାସ୍ତବ ପରିସ୍ଥିତିର ଗଭୀର ଅନୁଧ୍ୟାନ କରି ସେ ବିଷୟରେ ନିଜର ଲେଖା ବା ପୁସ୍ତିକା ଦ୍ୱାରା ତାହା ପ୍ରକାଶ କରିବା ଆବଶ୍ୟକ । ରାଜନୀତିଜ୍ଞମାନଙ୍କ ଲୋକସେବାର ଆଦର୍ଶ ନୁହେଁ, ବର୍ତ୍ତମାନ କିଶନ ପଟ୍ଟନାୟକ ଓଡ଼ିଶା ବୁଦ୍ଧିଜୀବୀଙ୍କ ପାଇଁ ବୌଦ୍ଧିକ ନିୟାମକ ଦେଇ ଯାଇଛନ୍ତି । ସେ ବାରମ୍ବାର ବୁଦ୍ଧିଜୀବୀଙ୍କୁ ଆହ୍ୱାନ କରାଇଥିଲେ ଗବେଷଣାକୁ ନିଜର ଦେଶ ପାଇଁ ଏବଂ ଜନତାଙ୍କ ପାଇଁ କରିବା ସ୍ୱପ୍ନ ଅଛି, ତା ସହ ଯୋଡ଼ ।
ଅଧ୍ୟାପକ କିଶୋର ମେହେର
୧. ବ୍ୟକ୍ତିଗତ ଭାବରେ ମୋ ଜୀବନରେ ମୁଁ ଥରେ ମାତ୍ର ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଭାଷଣ ଶୁଣିବାକୁ ସୁଯୋଗ ପାଇଥିଲି । ଆମଭଳି ସାଧାରଣ ଶ୍ରୋତାମାନଙ୍କୁ ସୁହାଇଲା ଭଳି ଅତି ସରଳଭାଷାରେ ଗୋଟିଏ ବି ଇଂରାଜୀ ଶବ୍ଦ ବ୍ୟବହାର ନକରି ସରକାରଙ୍କ ଆର୍ଥôକ ନୀତି, ଜଗତୀକରଣ, ମୁକ୍ତ ବଜାର, ଆଦି ଭଳି ଗୁଢ଼ ଆର୍ଥôକ ବି·ର ସବୁ ସେ ବୁଝାଉଥିଲେ । ଏଭଳି ଭାଷଣ ମୁଁ ଆଉ କେଉଁଠାରେ ଶୁଣିଛି ବୋଲି ମୋର ମନେ ପଡୁନାହିଁ । କିଶନ ପଟ୍ଟନାୟକଙ୍କ ସେଇ ଗୋଟିଏ ଭାଷଣ ଦ୍ୱାରା ମୁଁ ବେଶ ଅନୁପ୍ରାଣୀତ ହୋଇଥିଲି ଓ ସମାଜବାଦ ସମ୍ପର୍କରେ ଗଭୀର ଚିନ୍ତା କରିବାକୁ ଲାଗିଲି । ଯେଉଁ ବଳିଷ୍ଠ ଯୁକ୍ତି ଦ୍ୱାରା ସେ ନିଜ ବି·ର ଶାଣିତ କରୁଥିଲେ ଓ ତା’ସକାଶେ ଯେଉଁ ସୁନ୍ଦର ବୌଦ୍ଧିକ ତଥ୍ୟ ମାନ ରଖୁଥିଲେ, ତାହା ଅନ୍ୟକୋଣସି ନେତାଙ୍କ ଭାଷଣରେ ଦେଖିବାକୁ ମିଳୁ ନଥିଲା ବା ଏବେ ମଧ୍ୟ ମିଳୁ ନାହିଁ ।
ଗୋଲାମି ବୌଦ୍ଧିକତା କେବେ ମଧ୍ୟ ଏକ ରାଷ୍ଟ୍ରକୁ ସକାରତ୍ମକ ଢଙ୍ଗରେ ଗତିଶିଳ କରିପାରେ ନାହିଁ ବୋଲି ତାଙ୍କର ସ୍ପଷ୍ଟ ମତ ଥିଲା । କିଶନ ବାବୁ ଥିଲେ ଜଣେ ମୋ÷÷ଳିକ ଚିନ୍ତନର ଅଧିକାରୀ । ଜାତି ବ୍ୟବସ୍ଥା, ଭାଷା ସମସ୍ୟା, ପରିବେଶ ଆନେ୍ଦାଳନ ବିଦେଶି ପୁଞ୍ଜିି ଆଦି ସମ୍ପର୍କରେ ତାଙ୍କର ମତ ଥିଲା ଅନନ୍ୟ । ଏହି ପ୍ରସଙ୍ଗ ମାନଙ୍କରେ ସେ ବାମପନ୍ଥୀଙ୍କ ସହ ମଧ୍ୟେ ସହମତ ନ ହୋଇ ଭିନ୍ନ ମତ ରଖୁଥିଲେ । କିଶନ ବାବୁଙ୍କ ରାଜନୀତି କ୍ଷମତା ଦଖଲ ପାଇଁ ନଥିଲା । ତାଙ୍କ ରାଜନୀତି ଥିଲା ସମସ୍ତଙ୍କ ପାଇଁ ମୁଠାଏ ଭାତ, ଖଣ୍ଡେ ବସ୍ତ୍ର ଓ ମୁଣ୍ଡ ପାଇଁ ଗୋଟିଏ ଛାତଟିଏ ପାଇଁ । ଏଣୁ ସେ ଲୋକଙ୍କ ଦ୍ୱାରା ବେଶ୍ ଶ୍ରଦ୍ଧାବ୍ଚନ ହୋଇଥିଲେ । ଦିବଙ୍ଗତ ବର୍ଷିୟାନ ସାମ୍ବାଦିକ ତଥା ବଲାଙ୍ଗିର ଅଂଚଳର ଲୋକଚେତନାର ଏକ ବଳିଷ୍ଠ ସ୍ତମ୍ଭ ଶିବପ୍ରସାଦ ପାଣ୍ଡିଆ କିଶନ ବାବୁଙ୍କୁ ଅବର୍ତ୍ତମାନରେ ଶୋକାଭିଭୂତ ହୋଇ ତାଙ୍କୁ “ହେ କିଶାନ୍ ଦେବତା ତୁମକୁ କୋଟି ପ୍ରଣାମ” କହିି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଇଥିରୁ ସ୍ପଷ୍ଟ ହୁଏ ଯେ କିଶନ ପଟ୍ଟନାୟକ ତାଙ୍କ ଜୀବଦ୍ଦଶାରେ ଜଣେ କିମ୍ବଦନ୍ତୀ ରାଜନୀତି ତଥା ଚିନ୍ତାନାୟକ ରୂପେ ଉଭା ହୋଇ ପାରିଥିଲେ । ନିର୍ବାଚନ ରାଜନୀତି ଓ ଭିନ୍ନ ବିଷୟ କିନ୍ତୁ ପଶ୍ଚିମ ଓଡିଶା ତଥା ହିନ୍ଦୀବଳୟରେ ସେ ଯେ ଜଣେ ସମ୍ମାନାଷ୍ପଦ ନେତା ଥିଲେ । ଏଥିରେ କାହାରି ସନେ୍ଦହ ନାହିାଁ କିଶନ ପଟ୍ଟନାୟକଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ସମ୍ମୁଖରେ ଆଜିର ନେତୃମଣ୍ଡଳୀ ଗୋଟାପଣେ ବାମନ ପାଲଟି ଯାଆନ୍ତି । ଏ କଥା ମୁଁ କହୁ ନାହିଁ, ଏହା ବହୁ ଲୋକଙ୍କ ମତ । ରାଜନୀତି ପାଇଁ ଯେଉଁ ବୌଦ୍ଧିକତା ଆବଶ୍ୟକ ତାହା କେତେଜଣ ପାଖରେ ଅଛି ବୋଲି ଆଜି ଅନେକଙ୍କ ପ୍ରଶ୍ନ । ଏଣୁ କିଶନ ପଟ୍ଟନାୟକଙ୍କ ସ୍ଥାନ ରିକ୍ତ ରହିଛି ଓ ରହିବ ବି ।
୨. ଆମେ ଏବେ ଏକ ଭୟଙ୍କର ସମୟ ଦେଇ ଗତି କରୁଛୁ । ବୌଦ୍ଧିକତାର ଚରମ ଦାରିଦ୍ର୍ୟ ଏଠି ବିରାଜମାନ । ପ୍ରାକ୍ ସ୍ୱାଧୀନତା କାଳରେ ଦେଶ ପାଇଁ ଚିନ୍ତା କରୁଥିଲେ । ଦେଶ ସେବା ଥିଲା ସେ ସମୟର ଆହ୍ୱାନ । ଦେଶକୁ କିଏ କେତେ ଦେଇପାରିବ ତାହା ଥିଲା ପ୍ରଶ୍ନ । ଲୋକଚରିତ୍ର ମଧ୍ୟ ସେଇ ଅନୁଯାୟୀ ନିର୍ମିତ ହୋଇଥିଲା । ସରଳ ଜୀବନ, ଉଚ୍ଚ ବି·ର ଥିଲା ଧ୍ୟେୟ । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ମଧ୍ୟ ସେଇ ଧାରା ଅବ୍ୟାହତ ରହିଲା । ସ୍ୱାଧୀନତା ଆଧାରିତ ମୂଲ୍ୟବୋଧ ବି ଲୋକଙ୍କ ଧ୍ୟେୟ ହୋଇଥିଲା । ଲୋକେ ଟଙ୍କା ପାଇଁ ଏତେ ହାଉ ହାଉ ହେଉନଥିଲେ । ଆବଶ୍ୟକତା କମ୍ ଥିଲା । ଏଣୁ ସମ୍ବଳ ଉପରେ ·ପ ମଧ୍ୟ ବେଶି ପଡୁ ନଥିଲା ନବେଦଶକରେ ଏ ସ୍ଥିତିରେ ପରିବର୍ତ୍ତନ ଆସିଲା । ମୁକ୍ତବଜାର,ଖୋଲା ଅର୍ଥନୀତି ପୁଞ୍ଜିର ଜୟଗାନ, ବଜାର ସର୍ବସ୍ୱ ସରକାର ଖାଉଟିଙ୍କ ବା ଉପଭୋକ୍ତାଙ୍କ ଦେଶରେ ପରିଣତ କଲା । ଏହାକୁ କୁପ୍ରଭାବ ଭୀଷଣ ଭାବରେ ଲୋକ ଚରିତ୍ର ଉପରେ ପଡିଲା । କେବଳ ଲାଭ ଓ ଲୋଭ ପାଇଁ ବଂଚୁଥିବା ସମାଜରେ ଅର୍ଥ ହିଁ ସବୁକିଛି ପାଲଟିଗଲା । ଏହି ଲୋଭ ଯଜ୍ଞରେ ବଳିପଡ଼ିଲା ସରଳତା, ସାଧୁତା, ନିଷ୍କପଟତା ତଥା ନିର୍ଲୋଭ ମାନସିକତା ଭଳି ମାନବୀୟ ଗୁଣମାନ । ଯେଉଁମାନଙ୍କ ହାତକୁ ଟିକିଏ ବି କ୍ଷମତା ଆସିଲା ସେମାନେ ଦେଶକୁ ଲୁଟିବାକୁ ଲାଗିଲେ । କେହି ବାକି ରହିଲେ ନାହିଁ । ନେତା, ଅମଲା, ପୋଲିସ, ବେପାରୀ, ସାମ୍ବାଦିକ, ବି·ରପତିଙ୍କ ଭଳି ତଥାକଥିତ ଶିକ୍ଷିତ ଗୋଷ୍ଠୀ ଲୁଟି·ଲିଲେ ଦେଶକୁ । ଆଉ ଅଧିକ ଖୋଲି କହିବା ଦରକାର ପଡୁନାହିଁ । ଏମାନଙ୍କ ମଧ୍ୟରୁ କିଏ କିଶନ ପଟ୍ଟନାୟକଙ୍କ ସରଳତା ସଚ୍ଚୋଟତାକୁ ସମ୍ମାନ ଜଣାଇବ? ଏଭଳି ଏକ ସମାଜରେ କେଉଁ ପିତା ତା ପୁଅ କିଶନ ବାବୁଙ୍କ ଭଳି ହେବାକୁ ଅନୁମତି ଦେବ? ମୁଣ୍ଡରେ ମୁଣ୍ଡେ ବୁଦ୍ଧି ଅଥଚ ପେଟ ଖାଲି! ଫକଟ ରାମ । ଏଭଳି ବ୍ୟକ୍ତିଙ୍କୁ କଣ ଏ ସ୍ୱାର୍ଥସର୍ବସ୍ୱ ସମାଜ ତିଆରି କରିପାରିବ? ଏ ଏକ ବଡ଼ ପ୍ରଶ୍ନ କିନ୍ତୁ ମୋ ମତରେ ଏହି ଅର୍ଥ ସର୍ବସ୍ୱ ସମାଜରୁ ଆଉ ଜଣେ କିଶନ ପଟ୍ଟନାୟକ ସୃଷ୍ଟି ହୋଇପାରିବେ । ଏଥିରେ ସନେ୍ଦହ ହେଉଛି । କିନ୍ତୁ ଆଶାର କିରଣ ଉଙ୍କି ଅବଶ୍ୟ ମାରୁଛି ସେଇ କ୍ଷେତ୍ରରୁ ଯେଉଁ କ୍ଷେତ୍ରରୁ ଆଜି ଅଗଣିତ ସଂଘର୍ଷର ଉନ୍ମେଷ ହେଉଛି । ଲୋକଙ୍କ ସମ୍ବଳ, ଜୀବନ ଜୀବିକା ପାଇଁ ଯେଉଁ ସ୍ଥାନରେ ବି ସଂଘର୍ଷ ଲାଗିଛି, ସେଇ ସ୍ଥାନରୁୁ ସେଇ ଲୋକଙ୍କ ମଧ୍ୟରୁ ନୂତନ ନେତୃତ୍ୱ ଯେ ଉଭା ହେବ, ଏ ଆଶା ଅବଶ୍ୟ ରହିଛି । କାରଣ କିଶନ ବାବୁ ଯେଉଁ ପ୍ରଶ୍ନମାନଙ୍କୁ ନେଇ ରାଜନୀତି କରୁଥିଲେ ସେଇ ପ୍ରଶ୍ନ ମାନ ଆଜି ଆହୁରି ବିକଟାଳ ହୋଇଛି ଓ ଆଗକୁ ଆହୁୁରୀ ବେଶି ହେବ । ଏଣୁ କିଶନ ପଟ୍ଟନାୟକଙ୍କ ରାଜନୀତିର ଅନ୍ତ କେବେ ମଧ୍ୟ ହୋଇପାରେନା । ହୁଏତ ବ୍ୟକ୍ତି ଓ ସ୍ଥାନ ବଦଳି ଯାଇପାରେ କିନ୍ତୁ ମୌଳିକ ପ୍ରଶ୍ନ ଓ ସମାଧାନରେ ଅଙ୍ଗୀକାରବଦ୍ଧତା ସେଇଭଳି ରହିବ ବୋଲି ଅନ୍ତତଃ ଆଜି ଅନୁମାନ କରି ହେଉଛି ।
୩. ଏକ ବିରାଟ ‘ନା’ ହେବ । ଏ ଦେଶର ସଂରଚନା ଏଭଳି ଯେ ଏଠାରେ ଆଉ କୌଣସି ବି ବିଚାର ଧାରା କାର୍ଯ୍ୟ କରିବ ନାହିଁ ବା ଦେଶ ପାଇଁ ହିତ କରି ବି ହେବ ନାହିଁ । ବିଗତ ୨୫ବର୍ଷ ମଧ୍ୟରେ ପୁଞ୍ଜିବାଦ ବା ଖୋଲା ଅର୍ଥନୀତି ବା ଉଗ୍ର ଭୋଗବାଦ ଏ ଦେଶର ଅଧିକାଂଶଙ୍କୁ ବେଶୀ ବ୍ୟଥିତ କରିଛି । ତଥାପି ଦେଶଟାଯାକର ସବୁ ଲୋକେ ଖାଉଟିବାଦ-ପୁଞ୍ଜିବାଦର ଗ୍ରାହକ ହୋଇନାହାନ୍ତି । ହଁ ଅବଶ୍ୟ ଦେଶର ଏକ ସଂଖ୍ୟାଲଘୁ ଗୋଷ୍ଠୀଟିଏ ପରିପୁଷ୍ଟ ହୋଇଛନ୍ତି । ଗଣମାଧ୍ୟମ ଓ ଅର୍ଥବ୍ୟବସ୍ଥା ଏବେ ସେମାନଙ୍କ ନିୟନ୍ତ୍ରଣରେ । ଏଣୁ ବିକାଶ ଭେଳିକି ଦେଖାଇ ଗଣମାଧ୍ୟମ ଦ୍ୱାରା ଅତ୍ୟଧିକ ପ୍ରସାର ପ୍ରଚାର କରି ପୁଞ୍ଜିବାଦୀମାନେ କ୍ଷମତା ଆହରଣ କରି ଆସିଛନ୍ତି । ଏମାନଙ୍କ ଏଇ ସଫଳତା ସେମାନଙ୍କ ନୀତି ଆଦର୍ଶ ବା ଭଲକାମ ଯୋଗୁଁ ନୁହେଁ, ବରଂ ଅନ୍ୟମାନଙ୍କ ଦୁର୍ବଳତା ଯୋଗୁଁ । ବିକଟ ଦାରିଦ୍ର୍ୟ, ବେକାରୀ,ବିସ୍ଥାପନ,ଗ୍ରାମୀଣ ଭାରତର ବିଧ୍ୱସ୍ତ ଅବସ୍ଥାର ସମାଧାନ ଆଜିର ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ଆଦୌ କରିପାରିବ ନାହିଁ । ଏଣୁ ଯେହେତୁ ମୌଳିକ ପ୍ରଶ୍ନ ବା ସମସ୍ୟା ଅସମାହିତ, ଏଣୁ ସମାଜବାଦୀ ରାଜନୀତି ବି ରହିବ । ହୁଏ ତ ସାମୟିକ ସମୟ ପାଇଁ ଏ ରାଜନୀତିର ବିରାମ ଘଟୁଥାଇପାରେ ଅନ୍ତତଃ କ୍ଷମତା ରାଜନୀତି କ୍ଷେତ୍ରରେ । ସମାଜବାଦ ପ୍ରାସଙ୍ଗିକ ରହିଛି ଓ ରହିବ । ଉପରୋକ୍ତ ପ୍ରସଙ୍ଗରେ ଯେଉଁ ଗୋଷ୍ଠିମାନ ସକ୍ରିୟ ଭାଗ ନେଉଛନ୍ତି, ସେମାନଙ୍କୁ ଏକ ଛତ୍ରତଳକୁ ଆଣିବାକୁ ହେବ । ଅବଶ୍ୟ କିଶନବାବୁ ଏ କାମଟି କରୁଥିଲେ । ଏହା ହିଁ ସବୁ ସମାଜବାଦୀଙ୍କ ପ୍ରଧାନ କାମ ହେବା ଆବଶ୍ୟକା
୪. ଏ ଏକ ବିଚିତ୍ର ପ୍ରଶ୍ନ ! ଏ ପ୍ରଶ୍ନ ଉତ୍ତର ମଧ୍ୟ ଅରଣ୍ୟେ ହରି ଶବ୍ଦ ଭଳି ମନେ ହେବ । ଏ ରାଜ୍ୟର ଦୁର୍ଭାଗ୍ୟ ଦେଖନ୍ତୁ ରାଜ୍ୟଟା ଯାକର ଏଲିଟ ଗୋଷ୍ଠିଟି ଏକ ଅସାଧୁ ମେଣ୍ଟ ବାନ୍ଧି ପୁରା ରାଇଜଟାକୁ ଖାଇ ଫମ୍ପା କରି ଦେବାକୁ ଅନବରତ ପ୍ରୟାସ କରୁଛନ୍ତି । ଏ ନାଟକର ସବୁ ଚରିତ୍ର ସମାନ । ଏ ବ୍ୟଭି·ରର ସମାନ ଅଂଶୀଦାର ସମସ୍ତେ । କାହାକୁ କହିବେ ଅମୁକ ବ୍ୟକ୍ତିଟି ସଚ୍ଚୋଟ ଓ ପକ୍କା ଓଡିଆ ବୋଲି ? କାରଣ ଅନେଶତ ଦୁଷ୍ଟ କୌରଵଙ୍କ ମଧ୍ୟରେ ଜଣେ ବିକର୍ଣ୍ଣ ହଜିଯାଏ । ତାର ସତ୍ତା ବାରିହୁଏ ନାହିଁ ।
ଓଡ଼ିଶାର ସମସ୍ୟା ହେଲା ମଣିଷର ସର୍ବନିମ୍ନ ଆବଶ୍ୟକତା ସମ୍ପର୍କିତ ସମସ୍ୟା । ରାଜ୍ୟଟି ଏବେବି ଏକ ଦରିଦ୍ରତମ ରାଜ୍ୟ । ଏହାର ଅର୍ଥବ୍ୟବସ୍ଥା ଗୋଟାପଣେ ଖଣି ଉତ୍ତୋଳନ ଉପରେ ନିର୍ଭର କରେ । ପୁଣି ଖଣିଜସମ୍ପଦର ପ୍ରକୃତ ମୂଲ୍ୟ କେତେ, ତାହା ନିର୍ଦ୍ଧାରଣ କରିବାକୁ ଆମର ସାମର୍ଥ୍ୟ ନାହିଁ । ଲୋକେ କହୁଛନ୍ତି କୁଆଡେ ଅତି ଶସ୍ତାରେ ଆମେ ଆମ ଖଣିଜ ସମ୍ପଦକୁ ହାତଛଡ଼ା କରୁଛୁ । ଏହା କରିବା ପାଇଁ ଆମେ ବ୍ୟବହାର କରୁଛୁ ଉଚ୍ଚ ପ୍ରଯୁକ୍ତି ବିଦ୍ୟା ଯାହାକି ପ୍ରାକୃତିକ ସମ୍ବଳର ଦୋକାନ ଆହୁରି ତୀବ୍ରତର କରିବ ଏ ସବୁୁ ନିଃଶେଷ ହୋଇଯିବ । ଆମେ ଆମ ସୁରକ୍ଷା କବଚଟିକୁ ହରାଇ ବସିବା । କିଶନ ପଟ୍ଟନାୟକ ଏଭଳି ନୀତିକୁ ମାରାତ୍ମକ ବୋଲି କହୁଥିଲେ । ସେ ଅଳ୍ପ ତଥା ଅନାବଶ୍ୟକୀୟ ପ୍ରଯୁକ୍ତି ବିଦ୍ୟାର ସମର୍ଥକ ଥିଲେ ଯଦ୍ଦ୍ୱାରାକି ପ୍ରାକୃତିକ ସମ୍ବଳକୁ ସୁରକ୍ଷିତ ରଖା ଯାଇ ପାରିବ ପରପିଢିଙ୍କ ପାଇାଁ ଏ ରାଜ୍ୟବାସୀ କିଶନ ପଟ୍ଟନାୟକଙ୍କ ଏହି ଆଶଙ୍କାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ । ରାଜନୀତି ଯେତେବେଳେ ପଦପଦବୀ ଆଧାରିତ ହୋଇଛି, ଆଦର୍ଶ ମୂଲ୍ୟବୋଧ ବୋଲି କିଛିନାହିଁ , ଯେତେବେଳେ ସେତେବେଳେ ରାଜ୍ୟର ନୂଆପିଢ଼ି କାହାକୁ ଆଦର୍ଶ ମାନିବେ?
ସରୋଜ ମହାନ୍ତି
୧. ନିଜ ସମୟ ଓ ସମୟର ପରିସ୍ଥିତିକୁ ଥିଓରାଇଜ୍ କରିବା ଓ ସେ ସମୟରେ ବିରାଜମାନ ବୈଷମ୍ୟ, ଶୋଷଣ ଓ ଅନ୍ୟାୟରୁ ମୁକ୍ତି ଲାଗି ସଂଘର୍ଷ, ସଂଘର୍ଷର ରଣନୀତି ତିଆରିରେ ସହଯୋଗୀ ଭୂମିକା ଓ ଆନେ୍ଦାଳନକାରୀ ସଂଗଠନଗୁଡ଼ିକ ମଧ୍ୟରେ ସଂଳାପ, ସମ୍ପର୍କ ଓ ସମନ୍ୱୟଜନିତ ଚ୍ୟାଲେଜିଂଗ କାମରେ ସଭିଙ୍କ ଲାଗି ଗ୍ରହଣୀୟ ହେଉଥିବା ଭଳି ଜଣେ କର୍ଣ୍ଣଧାର ତଥା ଆନେ୍ଦାଳନକାରୀ ସଂଗଠନ ଓ ଜନତାଙ୍କ ଉପରେ ହେଉଥିବା ଦମନ ପରିପ୍ରେକ୍ଷୀରେ ମାନବାଧିକାରର ସୁରକ୍ଷାକୁ ନେଇ ସ୍ୱର ଉତ୍ତୋଳନ ଆଦି,ଏକାସାଂଗରେ ଏତେ ସବୁ କାମ ଲାଗି ଏ ଆଖି ମନ ମସ୍ତିଷ୍କ ଓ ହୃଦୟ ଯାହକୁ ଖୋଜେ ଓ ଯାର ଅନୁପସ୍ଥିତି ଆମକୁ ବ୍ୟସ୍ତ କରେ ସେ ହେଲେ କିଶନ ପଟ୍ଟନାୟକ । ଜଗତୀକରଣ-ଉଦାରୀକରଣ-ଘରୋଇକରଣ ସାଂଗକୁ ଚତୁରତାର ସହ ଚାଷୀ-ଆଦିବାସୀ-ଦଳିତ-ପଛୁଆ-ନାରୀ ବର୍ଗ ବିରୋଧରେ ମୋଦି ସଂସ୍କରଣ ପରେ ଅତି ଯୋଜନାବଦ୍ଧ ଭାବେ ସକ୍ରିୟ ହେଉଥିବା ନବ୍ୟସାମ୍ରାଜ୍ୟବାଦୀ ପୁଂଜିବାଦ ଓ ନବ୍ୟବ୍ରାହ୍ମଣବାଦୀ ଶକ୍ତି ଦେଶ ଓ ସମାଜରେ ଏକ ନିରଙ୍କୁଶ କ୍ଷମତାର ଅଧିକାରୀ ହେବା ଅର୍ଥ ଲୋକଙ୍କ ଜୀବନଜୀବିକା, ପ୍ରକୃତି, ପରିବେଶ,ମାନବାଧିକାର ଉପରେ ଚାଲିଥିବା ଆକ୍ରମଣ ଆହୁରି ତୀବ୍ର ଓ ବ୍ୟାପକ ହେବ । ବିକାଶର ଫାସିବାଦ ଓ ସାମ୍ପ୍ରଦାୟିକ ଫାସୀବାଦକୁ ଏକାସଙ୍ଗରେ କେତେ ସୁରୁଖୁରୁରେ ଲୋକଙ୍କୁ ଅଜ୍ଞାନରେ ରଖି ଚଳା ଯାଇପାରେ ତାର ନମୂନା ହେଲା ମୋଦିଙ୍କ ୧୦୦ ଦିନିଆ ସରକାର । ଅନ୍ୟଦିଗରେ କଂଗ୍ରେସର କର୍ପୋରେଟ ଅର୍ଥନୀତି ଓ ଛଳ ଧର୍ମନିରପେକ୍ଷତା, ମୁଖ୍ୟଧାର ବାମପନ୍ଥୀଙ୍କ ବିଚାର ବିଭ୍ରାଟ, ବିପ୍ଳବୀ ବାମପନ୍ଥୀ ଦଳଙ୍କ ସୀମିତ ପ୍ରଭାବ ଓ ତାଙ୍କ ଭିତରେ ସମନ୍ୱୟର ଅଭାବ, ଆଞ୍ଚଳିକ ଦଳମାନଙ୍କର ବିଚାରହୀନତା ଓ ଦଳିତ-ପଛୁଆ ବର୍ଗ ରାଜନୀତିର ମଙ୍ଗ ଧରିଥିବା ନେତୃବୃନ୍ଦଙ୍କ ସୁବିଧାବାଦ ଯେଉଁ ରାଜନୈତିକ ଶୂନ୍ୟତା ତିଆରିଛି, ସେତେବେଳେ ଜନଆନେ୍ଦାଳନକାରୀଙ୍କ ଭିତରେ ପରିସ୍ଥିତିର ବୁଝାମଣା ଲାଗି ଯେଉଁ ପାରସ୍ପରିକ ସଂଳାପର ଆବଶ୍ୟକତା ରହିଛି, ରାଜନ÷ତିକ ଚେତନା ପରିପୁଷ୍ଟ ହେବା ଦରକାର, ବୁଝାମଣା ଲାଗି ସାହିତ୍ୟ ସୃଷ୍ଟି,ଦେଶବ୍ୟାପୀ ଚର୍ଚ୍ଚା ଓ ବିତର୍କ ଲାଗି ଯେଉଁଭଳି ବିଚାର ପରିପକ୍ୱ ଲୋକଙ୍କ ଏକ ଗୋଷ୍ଠୀର ଆବଶ୍ୟକତା ରହିଛି, ସେ ଗୋଷ୍ଠୀ ଭିତରେ କୋର୍ଡ଼ିନେସନ ପାଇଁ ଲୋକଟିଏ ଖୋଜିବାବେଳେ କିଶନ ପଟ୍ଟନାୟକ ମନେପଡ଼ନ୍ତି ଓ ଲାଗେ ଆମେ ଏଭଳି ମଣିଷଟିଏକୁ ଏଇ କିଛିବର୍ଷ ତଳେ ହରେଇ ଦେଇଛୁ, ଯା’ର କ୍ଷତିର ଭରଣା ସମ୍ଭବ ହେଇନାହିଁ । କିଏ ଆଜି ସଜୋରେ କହିବ ବିକଳ୍ପହୀନ ନହି ହେ ଏ ଦୁନିଆଁ । କିଏ କହିବ ଭାରତ ଶୁଦ୍ରୋଁକା ହୋଗା । ଆଜିର ବୁଦ୍ଧିଜୀବୀଙ୍କ ସଂକଟ ସମ୍ପର୍କରେ କିଏ ଆମକୁ ସଚେତନ କରିବ? ଚିନ୍ତନ, ମନ୍ଥନ,ଲିଖନ ଓ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ରହି ନିଜ ବିଚାର ବିଶ୍ୱାସର ପ୍ରୟୋଗ ତଥା ପ୍ରୟୋଗ ବେଳେ ଦଳୀୟ ରାଜନୀତିରେ ଥାଇ ସୁଦ୍ଧା ତା ଊଦ୍ଧ୍ୱର୍ରେ ବିକଳ୍ପ ସନ୍ଧାନରେ ଏକ ମୁକ୍ତ ମନ ରଖିଥିବା କିଶନଜୀଙ୍କ ଭଳି ଲୋକ ମିଳନ୍ତି ଖୁବ୍ କ୍ୱଚିତ । ଠିକ୍ ସେମିତି ପ୍ରଚଳିତ ସମୟର ପୁଂଜିବାଦୀ ପ୍ରଯୁକ୍ତି ବା ଜ୍ଞାନକୌଶଳକୁ ନେଇ, ଶିଳ୍ପାୟନକୁ ନେଇ ଓ ସାମଗ୍ରିକ ରୂପେ ବିକାଶ ଓ ସଭ୍ୟତାକୁ ନେଇ ଉଭୟ ବାମ ଓ ଦକ୍ଷିଣପନ୍ଥୀଙ୍କ ଭିତରେ ଥିବା ଅସଂପୂର୍ଣ୍ଣ ବିଚାର ବା ତ୍ରୁଟୀପୂର୍ଣ୍ଣ ବିଚାର ମୁଖରଭାବେ ସମାଲୋଚନା କରୁଥିବା କତିପୟ ଲୋକଙ୍କ ଭିତରେ ସେ ଥିଲେ ଅଗ୍ରଗଣ୍ୟ । ତାଙ୍କ ଭଳି ମୋ÷ଳିକ ଚିନ୍ତନ ଓ ସେ ଚିନ୍ତନର ସରଳ ବଖାଣ ଉଭୟ କଲମରେ ଓ ମୁହଁରେ ମିଳିବା ମୁସ୍କିଲ । ଆମ୍ବେଦକର ଓ ଦଳିତ ରାଜନୀତିର କିଛି ତୁଙ୍ଗ ନେତୃସ୍ଥାନୀୟ ଲୋକଙ୍କୁ ଛାଡ଼ିଦେଲେ ଲୋହିଆଙ୍କ ପରେ ଜାତିପ୍ରଥା ବିରୋଧରେ ବରାବର କହି ଲେଖି ଆସୁଥିବା ଲୋକ ଥିଲେ କିଶନ ପଟ୍ଟନାୟକ । ଯାବତୀୟ ନିରାଶା ଭିତରେ ଆଶା, ଅନ୍ଧାର ଭିତରେ ଆଲୁଅ ଖୋଜୁଥିବା ଓ ଖୋଜିବା ଲାଗି ପ୍ରେରିତ କରେ ତାଙ୍କ ବ୍ୟକ୍ତିତ୍ୱ ,ଜୀବନ ଓ ସାହିତ୍ୟ । ଜଣେ ରାଜନୈତିକ କର୍ମୀ ତା ଜୀବନରେ ଅପରିଗ୍ରହକୁ ଜୀଇଁପାରେ ତାର ଉଦାହରଣ ଥିଲେ ସେ । ତାଙ୍କ ଭିତରର ସ୍ୱାଧୀନଚେତା ଲେଖକର ଅସ୍ମିତା ତାଙ୍କୁ ଦଳୀୟ ରାଜନୀତିର ସଂକୀର୍ଣ୍ଣ ଗଣ୍ଡିର ମୁକ୍ତ କରି ରଖୁଥିଲା ।
୨. ଆଗାମୀ ଦିନ କହିଲେ କଣ? ତାଙ୍କ ଭଳି ମଣିଷଟେ ପାଇବା ସହଜ ନୁହେଁ ।
୩. କେଉଁ ସମାଜବାଦ? ଯେଉଁଭଳି ଭାବେ ବ୍ୟକ୍ତିବାଦ, ଭୋଗବାଦ,ଉପଭୋକ୍ତାବାଦ ବଢୁଛି, ସାମୁଦାୟିକ ଜୀବନ ଉପରେ ବ୍ୟାପକ ଆକ୍ରମଣ, ପ୍ର୍ରାକୃତିକ ସମ୍ପଦର ଅବିଚାରିତ ଦୋହନ ଓ ଧ୍ୱଂସ ପରିପ୍ରେଷୀରେ ବର୍ତ୍ତମାନ ରହଥିବା ରାଜନୈତିକ ଶୂନ୍ୟତାକୁ ଦେଖିଲେ ସେ ପୁରୁଣା ଦିନ ସମାଜବାଦୀ ଢାଞ୍ଚା କଥାତ ଛାଡ଼ନ୍ତୁ ପରିବର୍ତ୍ତିତ ରେଡ଼ିକାଲ ସମାଜବାଦର ମଧ୍ୟ କୌଣସି ଭବିଷ୍ୟତ ନିକଟ ଭବିଷ୍ୟତରେ ଦେଖାଯାଉ ନାହିଁ । ଆଜିର ଦିନରେ ସମାଜବାଦର ସ୍ୱରୂପ କଣ ହେବ, ତାକୁ ନେଇ ଆମର ବୁଝାମଣାଟି କଣ? ବ୍ୟକ୍ତି ସମ୍ପତ୍ତି, ବିକାଶର ଅବଧାରଣା, ଖଣିଜର ବ୍ୟବହାର, ଶିଳ୍ପାୟନ, ମଣିଷ-ପ୍ରକୃତି ସମ୍ପର୍କ, ଟେକ୍ନୋଲୋଜିର ଚରିତ୍ରକୁ ନେଇ ପରିବର୍ତ୍ତିତ ସମାଜବାଦ କଣ କହିବାକୁ ଚାହିଁବ?
୪. ରାଜ୍ୟ କଣ ଶିକ୍ଷା ନେବ? ରାଜ୍ୟ କହିଲେ ଯଦି ସରକାର ତା’ହେଲେ ଓଡ଼ିଶା କିଶନଙ୍କ ଭଳି ମଣିଷଠୁ କିଛି ଶିଖି ନାହିଁକି ଶିଖିବ ନାହିଁ । ରହିଲେ ମୂଖ୍ୟ ଧାରା ବାହାରେ ଥିବା ଦଳ ଓ ଗୋଷ୍ଠୀ ଅବା ଆନେ୍ଦାଳନକାରୀ ସଂଗଠନ,ସ୍ଥିତାବସ୍ଥାର ବିରୋଧୀ, ଯେଉଁମାନେ ବିକଳ୍ପ ବିଚାର ଓ ବିକଳ୍ପ ରାଜନୀତି କଥା ଚିନ୍ତା କରୁଛନ୍ତିି ସେଭଳି ଅନେକେ ତାଙ୍କ ଦ୍ୱାରା,ତାଙ୍କ ଲେଖା ଦ୍ୱାରା ପ୍ରେରିତ ହେଇଛନ୍ତି । ଦୁର୍ଭାଗ୍ୟର କଥାଯେ ଆଜିର ବଡ଼ଭାଗୀ ଓଡ଼ିଶା ତାଙ୍କୁ ଜାଣେ ନାହିଁ କି ତାଙ୍କ ସାହିତ୍ୟ ପଢି ନାହଁ । ତାଙ୍କର ବ୍ୟକ୍ତିତ୍ୱ,ଜୀବନ ଓ ତାଙ୍କର ଲେଖା,ବହି ବା ସାମଗ୍ରିକ ବିଚାର ର ଯଥେଷ୍ଟ ପ୍ରଚାର ପ୍ରସାର ହେଇନାହିଁ । ଆଜିବି ତାଙ୍କର ବହୁ ଉପାଦେୟ ଲେଖା ହିିନ୍ଦିରେ ଅଛି ଯାହା ଏଯାଏଁ ଓଡ଼ିଆରେ ଅନୁବାଦ ହେଇପାରି ନାହଁ । ଏ ସମ୍ପର୍କରେ କିଛି କରାଯାଉ ।
ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ
୧. ସୋସିଆଲିଷ୍ଟ ପାର୍ଟିର ଭାରତୀୟ ରାଜନୀତିରୁ ନିଃଶେଷ ହେଲା ପରେ ବି କିଶନବାବୁ ଏକ ସମାଜବାଦୀ ଗୋଷ୍ଠୀ ସାଙ୍ଗରେ ରହିଥିଲେ । ଏହି ଗୋଷ୍ଠୀର ‘ସମତା ସଂଗଠନ’, ‘ସମାଜବାଦୀ ଜନପରିଷଦ’ ଏବଂ ଆରମ୍ଭରେ ‘ଲୋହିଆ ବିଚାରମଞ୍ଚ’ ଆଦି ନାଁରେ ନିରନ୍ତର ରାଜନୈତିକ ଗତିବିଧି ରହିଥିଲା । ଦେଶର ବିଭିନ୍ନ ଲୋକାଭିମୁଖୀ ରାଜନୈତିକ ଗୋଷ୍ଠୀ, ଯେମିତି ମେଧା ପାଟକରଙ୍କ ଗୋଷ୍ଠୀ, ମଧ୍ୟରେ ସମନ୍ୱୟ ରହିଲେ ଲୋକ ଆନେ୍ଦାଳନ ସମ୍ଭବ ହେବ ବୋଲି ଏମାନେ ସମସ୍ତେ ମନେ କରୁଥିଲେ । ଦେଶରେ ବିକଳ୍ପ ରାଜନୀତିକୁ ସ୍ଥାପନ କରିବାରେ ଏହି ସମନ୍ୱିତ ଗୋଷ୍ଠୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କିଶନ ବାବୁ ଦୃଢ଼ ଧାରଣା ରଖିଥିଲେ । ତାଙ୍କ ବୈଚାରିକ ପରିପକ୍ୱତା ତାଙ୍କୁ ସେହି ସମନ୍ୱିତ ଗୋଷ୍ଠୀର ମେରୁଦଣ୍ଡ ଭଳି ଭୂମିକା ଦେଇଥିଲା । କିଶନବାବୁଙ୍କର ୨୦୦୪ରେ ମୃତ୍ୟୁ ହେବା ପରେ ସେହି ବିକଳ୍ପ ରାଜନୀତିର ଭାବଧାରାରେ ଏକ ବାଧା ପଡ଼ିଗଲା ।
୨.କିଶନ ବାବୁଙ୍କ ମୃତ୍ୟୁର ଆଠ ବର୍ଷପରେ ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍ ପାର୍ଟି’ ର ଗଠନକୁ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ରୂପେ ଦେଖିହେବ । କିଶନ ବାବୁ ଜୀବିତ ଥିଲେ ଆପ୍ ପାର୍ଟିର ଅଭୁ୍ୟଦୟକୁ କେଉଁଭଳି ଦେଖିଥାନ୍ତେ, ତାହା ଆମସମସ୍ତଙ୍କ ପାଇଁ ଏକ ପ୍ରଶ୍ନବାଚୀ, କାରଣ ଆପ୍ ପାର୍ଟିର ଅଭ୍ୟୁଦୟ କିଶନ ବାବୁଙ୍କ ସମାଜବାଦୀ ଗୋଷ୍ଠୀକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ‘ସମାଜବାଦୀ ଜନ ପରିଷଦ’ର ଅନେକ ନେତା, ଯେମିତି ଯୋଗେନ୍ଦ୍ର ଯାଦବ, ଅଜିତ ଝା, ବିଶ୍ୱନାଥ ବାଗି, ସୋମନାଥ ତ୍ରିପାଠୀ ଓ ଲିଂଗରାଜ ଆଦି ଆଜି ଆପ୍ ପାର୍ଟିରେ; ଆପ ପାର୍ଟିର ସେମାନେ ଏକ କିସମର ହର୍ତ୍ତାକର୍ତ୍ତା । ସେହି ହିସାବରେ ଦେଖିଲେ ଆପ ପାର୍ଟିର ଅଭୁ୍ୟତ୍ଥାନକୁ କିଶନ ବାବୁଙ୍କର, ଯଦିଓ ସେ ମୃତ, ବିଜୟ ରୂପେ ଦେଖାଯିବା କଥା! ଅନ୍ୟ ଦୃଷ୍ଟିରୁ ଦେଖିଲେ, ଆପ ପାର୍ଟି ଯୋଗୁଁ କିଶନବାବୁଙ୍କ ଦଳ ଆଜି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କିଛି ବେଳର ସଶକ୍ତ ଉପସ୍ଥିତି ପରେ ଆପ୍ ପାର୍ଟି ଆଜି ପତନୋନ୍ମଖୀ । ନା ଏହା ସମାଜବାଦୀ ବିଚାରଧାରାରେ, ନା ସମାଜବାଦୀ ବିଚାରଧାରାର ବିରୋଧୀ! ଜାଣି, ରାଜନୀତିର ପଙ୍କରେ ଏହା କୁଳକିନାରା ପାଉନାହିଁ । ଯେଉଁମାନେ କିଛିମାସ ତଳେ ଏହି ପାର୍ଟିକୁ ନେଇ ଆଶାବାଦୀ ଥିଲେ, ସେମାନେ ମଧ୍ୟ ଆଜି ଏହାର କାର୍ଯ୍ୟଶୈଳୀକୁ ନେଇ ସଂଶୟଗ୍ରସ୍ତ ।
୩. କିଶନ ବାବୁ ଯଦି ବଂଚିଥାନ୍ତେ, ତାଙ୍କୁ ସହକର୍ମୀ ମାନେ କ’ଣ କିଶନବାବୁଙ୍କୁ ଛାଡ଼ି ଏଭଳି ଏକ ଆପ ଦଳକୁ ଯାଇଥାନ୍ତେ? ଯଦି କିଶନବାବୁ ଓ ତାଙ୍କ ସହକର୍ମୀମାନେ ମିଳିତ ଭାବେ ଆପ ଦଳର ଅସ୍ଥି-ମଜ୍ଜା ହୋଇଥାନ୍ତେ, ତାହେଲେ କ’ଣ ଆପ୍ ଦଳର ଏଭଳି ବୈଚାରିକ କଂଚାପଣ ରହିଥାନ୍ତା? ଅନ୍ୟ ପକ୍ଷରେ, ଦୁର୍ଭାଗ୍ୟବଶତଃ ଯଦି କିଶନ ବାବୁଙ୍କୁ ଛାଡ଼ି ତାଙ୍କର କିଛି ସହକର୍ମୀ ‘ଆପ୍’ରେ ସାମିଲ ହୋଇଥାନ୍ତେ, ତା’ସତ୍ତ୍ୱେ ସମାଜବାଦୀ ଜନ ପରିଷଦ ଏଭଳି ଲଣ୍ଡଭଣ୍ଡ ହୋଇଥାନ୍ତା? ଏହାର ପ୍ରମାଣ ହେଲା ଯେ, ପୂର୍ବରୁ କିଶନବାବୁଙ୍କ ଅନେକ ଅନ୍ତରଙ୍ଗ, ରାଜନୈତିକ ସହକର୍ମୀ, ଯେମିତି ବିହାରର ନୀତିଶ କୁମାର ଓ ଶିବାନନ୍ଦ ତିୱାରୀ ଓ ଓଡ଼ିଶାର ଭକ୍ତଚରଣ ଦାସ, ତାଙ୍କୁ ଛାଡ଼ି ଅନ୍ୟ ଦଳମାନଙ୍କରେ ସାମିଲ ହୋଇଥିବା ସତ୍ତ୍ୱେ କିଶନବାବୁଙ୍କ ଗୋଷ୍ଠୀ ମୋଟା ମୋଟି ଅତୁଟ ରହିଥିଲା । ଫଳରେ ଆଞ୍ଚଳିକ ସ୍ତରରେ ଗଢ଼ି ଉଠୁଥିବା ଲୋକ ରାଜନୀତିକୁ ଦେଶରେ ବିକଳ୍ପ ରୂପେ ସ୍ଥାପିତ କରିବାର ତଥା ସମନ୍ୱିତ କରିବାର ସମ୍ଭାବନା ରହିଥିଲା । କିଶନ ବାବୁଙ୍କ ମୃତ୍ୟୁ ଏହି ସମ୍ଭାବନାକୁ ଏକ ରକମର ଧରାଶାୟୀ କରିଛି । ବୋଧହୁଏ, ଏହା ହେବ ଭାରତୀୟ ରାଜନୈତିକ ପ୍ରେକ୍ଷାପଟ ପାଇଁ ଏକ ଦାରୁଣ କ୍ଷତି ।
୪. ଏକ ପତ୍ରିକା ଭାବରେ ‘ସାମୟିକ ବାର୍ତ୍ତା’ ଓ ‘ବିକଳ୍ପ ବିଚାର’ର ହୁଏତ ଖୁବ ଅଧିକ ସଂଖ୍ୟାରେ ପ୍ରସାର ନଥିଲା । ତା’ସତ୍ତ୍ୱେ ଏକ ପରିପକ୍ୱ, ପ୍ରତିବଦ୍ଧ ଓ ଲୋକାଭିମୁଖୀ ବୌଦ୍ଧିକ ବର୍ଗ ଗଠନରେ ଉଭୟ ପତ୍ରିକାର ପ୍ରମୁଖ ଭୂମିକା ରହିଥିଲା । କିଶନ ବାବୁଙ୍କ ମୃତୁ୍ୟ ପରେ ‘ବିକଳ୍ପ ବିଚାର’ ଏକ ରକମର ବନ୍ଦ ହୋଇଗଲା ଏବଂ କିଶନବାବୁଙ୍କ ଅନ୍ତରଙ୍ଗ ସହଯୋଗୀ ସୁନୀଲ ଜୀ (୧୯୬୦-୨୦୧୪)ଙ୍କ ଆକସ୍ମିକ ନିଧନ ପରେ ସାମୟିକ ବାର୍ତ୍ତା ମଧ୍ୟ ଆଜି ସନ୍ଧିକ୍ଷଣରେ । ସବୁଠାରୁ ବଡ଼କଥା ହେଲା ଯେ ଉଭୟ ପତ୍ରିକାର ଅବସ୍ଥା ସଂକଟାପନ୍ନ ହେବା ପଛରେ କାରଣ ଆର୍ଥôକ ନୁହେଁ; ବରଂ ଦାୟିତ୍ୱବାନ ସଂଯୋଜକ ଓ ପ୍ରଭାବକାରୀ ସଂଯୋଜନାର ଅଭାବ! କିଶନ ବାବୁଙ୍କ ନା ଲୋକବଳ ଥିଲା, ନା ଧନବଳ; ନା ସେ କୌଣସି ରାଜା-ଜମିଦାର ବଂଶଜ ଥିଲେ । ତା’ସତ୍ତ୍ୱେ ଏଭଳି ଜଣେ ଫକୀର ରାଜନୀତିଜ୍ଞଙ୍କ ଦେହାବସାନ ଯୋଗୁଁ ଯେ ଦୁଇ ଦୁଇଟି ପତ୍ରିକା ଓ ସଂଖ୍ୟାନ୍ୟୁନ ହେବା ସତ୍ତ୍ୱେ ଏକ ପ୍ରଭାବଶାଳୀ ବୌଦ୍ଧିକବର୍ଗ ଆସନ୍ନପ୍ରାଣ, ଏହା କ’ଣ କିଶନ ବାବୁଙ୍କ ରାଜନୈତିକ ଓ ବୌଦ୍ଧିକ ମହତ୍ତ୍ୱକୁ ଦର୍ଶାଇବା ପାଇଁ ଯଥେଷ୍ଟ ନୁହେଁ?
ପ୍ରଫୁଲ୍ଲ ସାମନ୍ତରା
୧.”କିଶନବାବୁଙ୍କ ରାଜନୈତିକ ବିଚାର ଓ ଆଚରଣ ଥିଲା ଏକ ସଚ୍ଚୋଟ ସମାଜବାଦୀ ନେତୃତ୍ୱର ପରିପ୍ରକାଶ । ସମାଜବାଦୀ ଆଦର୍ଶକୁ ନିଜ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ଆଧାରକରି ସମୟର ଚକ୍ରରେ ନିଜ ଚିନ୍ତା ଚେତନାକୁ ଗତିଶୀଳ କରାଇ ନୂଆ ନୂଆ ବିକଳ୍ପ ପାଇଁ ସର୍ବଦା ଉଦ୍ୟମରତ ଥିଲେ । ପୁଞ୍ଜିବାଦ ସହ ଜଗତୀକରଣ ନାମରେ ନୂଆ ସାମ୍ରାଜ୍ୟବାଦର ଔପନିବେଶିକ ଆଧିପତ୍ୟର ପ୍ରତିବାଦ ପାଇଁ ଜନବାଦୀ ରାଜନୀତିର ଲକ୍ଷ୍ୟ ସମାଜବାଦର ନୂତନ ସୂର୍ଯେ୍ୟାଦୟ । ସେଇଥିପାଇଁ ଜନ ଆନେ୍ଦାଳନମାନଙ୍କ ମିଳିତ ଅଭିଯାନର ଶକ୍ତି ନିର୍ମାଣ ପାଇଁ ନିଷ୍ଠା ଓ ପ୍ରତିବଦ୍ଧତା ସହ କିଶନ ବାବୁ ଉକ୍ରଟ ପୁଞ୍ଜିବାଦର ଘନ ଅନ୍ଧକାରକୁ ପାରକରି ସକାଳର ନୂତନ ସୂର୍ଯେ୍ୟାଦୟ ସମ୍ଭାବନାକୁ ଗବେଷଣାଜନିତ ଜ୍ଞାନ ଓ ନିଜସ୍ୱ ବିଚାର ଜରିଆରେ ଦେଖିପାରୁଥିଲେ ଓ ସେଥିପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏକ ନବ ଉନ୍ମାଦିତ ଯୁବଶକ୍ତି ନିର୍ମାଣ ପାଇଁ ଉଦ୍ୟମରତ ଥିଲେ । ତାଙ୍କରି ଅନୁପସ୍ଥିତି ନିଶ୍ଚିତଭାବେ ନୂଆ ବିକଳ୍ପ ବିଚାର ଓ ସମ୍ଭାବନାଗୁଡିକୁ ଗତିଶୀଳ କରିବା ପାଇଁ ଦୂରଦ୍ରଷ୍ଟା ଚିନ୍ତକଙ୍କର ଅଭାବ ସୃଷ୍ଟିକରିଛି ।
୨. “ଇତିହାସରେ ଯେଉଁ ମଣିଷ ନିଜସ୍ୱ ସ୍ଥାନ ସୃଷ୍ଟି କରିଯାଇଛନ୍ତି ସେମାନେ ଅଦ୍ୱିତୀୟ ହୋଇ ରହିଯାଆନ୍ତି । କିନ୍ତୁ ସମୟଚକ୍ରରେ ପରିବର୍ତ୍ତନକାମୀ ବ୍ୟକ୍ତିମାନଙ୍କ ମଧ୍ୟରେ ପୁଣି କେତେକ ନୂଆ ଇତିହାସ ସୃଷ୍ଟି କରିଥାନ୍ତି । ତେଣୁ ଭବିଷ୍ୟତରେ ପ୍ରଚଳିତ ଶୋଷଣକାରୀ ଅର୍ଥବ୍ୟବସ୍ଥା, ଭ୍ରଷ୍ଟ ରାଜନୀତି ଓ ସାମାଜିକ ବୈଷମ୍ୟତାର ବିଲୋପ ପାଇଁ କିଶବାବୁଙ୍କ ଦାୟାଦ ରୂପେ ମାଟି ମଣିଷମାନଙ୍କ ସମତାଭିତ୍ତିକ ନୂଆ ସମାଜ ପାଇଁ ଦୂରଦ୍ରଷ୍ଟା, ସରଳ ଓ ସଚ୍ଚୋଟ ନେତୃତ୍ୱ ସୃଷ୍ଟି ହୋଇପାରିବ ବୋଲି ମୁଁ ଆଶାବାଦୀ ।
୩. “ସାମ୍ୟବାଦ ହେଉକି ସମାଜବାଦ ହେଉ କାର୍ଲମାର୍କସଙ୍କ ଦର୍ଶନର ଆଧାରରେ ଚର୍ଚ୍ଚିତ, ଆଲୋଚିତ ଓ ସ୍ୱୀକୃତ ମଧ୍ୟ । କିନ୍ତୁ ମାର୍କସଙ୍କ ବିଚାର ଓ ଦର୍ଶନକୁ ଗୋଟିଏ ବୃତ୍ତରେ ମାର୍କ୍ସବାଦୀମାନେ ନିଜ ନିଜ ବ୍ୟାଖ୍ୟାନ ଓ ଆଚରଣକୁ କେନ୍ଦ୍ରକରି ମୂଳ ଦର୍ଶନର ବିଭିନ୍ନ ଦିଗନେଇ ନୂଆନୂଆ ଥିଓରି ସୃଷ୍ଟିକରି ପରବର୍ତ୍ତୀ ସମୟରେ ଆଲୋଚନା ଓ ସମାଲୋଚନା ଜରିଆରେ ସାମ୍ୟବାଦୀ ବିଚାର ଓ ଦର୍ଶନକୁ ଅର୍ନ୍ତଦ୍ୱନ୍ଦ୍ୱ ମଧ୍ୟରେ ସୀମୀତ କରି ରଖିଦେଇଛନ୍ତି । ବିଭିନ୍ନ ଦେଶର ଭୌଗଳିକ, ସାମାଜିକ ଓ ସାଂସ୍କୃତିକ ସ୍ଥିତି ଅନୁଯାୟୀ ସମାଜବାଦର ଭିନ୍ନ ଭିନ୍ନ ପ୍ରୟୋଗକୁ ସ୍ୱୀକାର କରାନଯିବାରୁ ବିଶ୍ୱରେ ମାର୍କସବାଦୀ ସାମ୍ୟବାଦୀ ରାଜନୈତିକ ବ୍ୟବସ୍ଥା ସଙ୍କଟ ଭିତରେ ଗତିକରୁଛି ଗ୍ରହଣୀୟତା ଦୃଷ୍ଟିରୁ । କାରଣ ସୋଭିଏତ ଋଷ ସାମ୍ୟବାଦ ପତନ ଓ ଚୀନର ମାଓବାଦୀ ସାମ୍ୟବାଦକୁ ବଜାରୀ ସାମ୍ୟବାଦରେ ରୂପାନ୍ତରିତ କଲାପରେ ପୁଞ୍ଜିବାଦ ତଥା ସମ୍ପ୍ରତି ସାମ୍ରାଜ୍ୟବାଦୀ ଜଗତୀକରଣର ବିକଳ୍ପ ପାଇଁ ଏକ ନୂଆ ସମାଜବାଦର ଐତିହାସିକ ଆବଶ୍ୟକତା ରହିଛି । ସେହି ସମାଜବାଦ ଯେ ମାର୍କସଙ୍କ ମୌଳିକ ବିଚାରରୁ ଅଲଗାହେବ ତାହାନୁହଁ କିନ୍ତୁ ତା’ସହ ପୃଥିବୀର ବିଭିନ୍ନ ସମୟରେ ଯେଉଁମାନେ ଔପନିବେଶିକ ଶାସନ ବିରୋଧରେ ସଂଗ୍ରାମକରି ଏକ ଜନବାଦୀ, ଶୋଷଣହୀନ ସମାଜପାଇଁ ନିଜ ଚିନ୍ତନ ଓ ଦର୍ଶନକୁ ପ୍ରତିପାଦିତ କରିଛନ୍ତି ସେମାନଙ୍କ ବିଚାର ଆଧାରିତ ପ୍ରୟୋଗଗୁଡ଼ିକୁ ମଧ୍ୟ ନୂଆ ସମାଜବାଦର ମାଧ୍ୟମରୂପେ ଗ୍ରହଣ କରିବା ଏକାନ୍ତ ଜରୁରୀ, ତାହା ବି ଆଜିର ସମୟର ପ୍ରାସଙ୍ଗିକତାକୁ ଆଧାରକରି । କେବଳ ଅନୁଗାମୀ ରୂପେ ନୁହଁ । ସେଇଥିପାଇଁ ଆମଦେଶରେ ମହାତ୍ମା ଗାନ୍ଧୀଙ୍କୁ ସାମ୍ୟବାଦୀ ବା ସମାଜବାଦୀ ଚିନ୍ତକ ରୂପେ ସ୍ୱୀକାର କରାଯାଉନଥିଲେ ବି ଆଜିର ପୁଞ୍ଜି ଓ ଟେକ୍ନୋଲଜିର ମିଳିତ ଶୋଷଣ ପ୍ରକି୍ରୟାର ପ୍ରତିରୋଧ ପାଇଁ ୧୯୦୯ର ‘ହିନ୍ଦ୍ ସ୍ୱରାଜ’ରେ ବିଶ୍ୱକୁ ଗାନ୍ଧିଜୀଙ୍କ ଭବିଷ୍ୟତବାଣୀ ଆଜି ବି ପ୍ରାସଙ୍ଗିକ । ସମାଜବାଦର ଅନ୍ୟତମ ଚିନ୍ତାନାୟକ ଡ: ରାମମନୋହର ଲୋହିଆ ଭାରତର ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ପ୍ରଥମେ ଜାତିହୀନ ସମାଜ ସଂଗ୍ରାମ ପରେ ୨ୟ ପର୍ଯ୍ୟାୟରେ ଶ୍ରେଣୀହୀନ ସମାଜ ସମ୍ଭବପର ବୋଲି ମତ ରଖି ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜ, ଶିକ୍ଷାନୀତି, ଶ୍ରମକୁ ସମ୍ମାନ ଓ ଶ୍ରମ ଆଧାରିତ ଶୋଷଣହୀନ ବିକଶିତ ଆର୍ଥିକ ବ୍ୟବସ୍ଥାକୁ ଆଧାରକରି ଡ:ଲୋହିଆ ଭାରତୀୟ ସମାଜବାଦର ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲେ । ସେଇଥିପାଇଁ ଡ: ଆମ୍ବେଦକରଙ୍କ ନେତୃତ୍ୱକୁ ସ୍ୱୀକାରକରି ସାମାଜିକ ଓ ଆର୍ଥିକ ସମତାଭିତ୍ତିକ ନୂତନ ଜାଗରଣ ପାଇଁ ପ୍ରସ୍ତୁତ ହୋଇଥିଲେ । ଅସମୟରେ ଆମ୍ବେଦକରଙ୍କ ନିଧନ ଓ ଡ: ଲୋହିଆଙ୍କ ଆକସ୍ମିକ ମୃତୁ୍ୟ ସାମାଜିକ ନ୍ୟାୟଭିତ୍ତିକ ଭାରତୀୟ ସମାଜବାଦୀ ଆନେ୍ଦାଳନ ନେତୃତ୍ୱହୀନ ହୋଇଗଲା । ସେହି ନେତୃତ୍ୱହୀନ ସମାଜବାଦୀ ସଂଗଠନ ବିକ୍ଷିପ୍ତ ହୋଇଗଲାବେଳେ ଗାନ୍ଧୀଙ୍କ ମୌଳିକ ବିଚାର ଓ ଡ: ଲୋହିଆଙ୍କ ସମାଜବାଦୀ ରାଜନୀତିର ଦର୍ଶନକୁ ନିଜ ଜନ ଜୀବନରେ ଓ ରାଜନୈତିକ କାର୍ଯ୍ୟକ୍ରମରେ ପ୍ରୟୋଗ କରି କିଶନବାବୁ ବିକଳ୍ପ ରାଜନୀତିର ଆବଶ୍ୟକତା ରହିଥିବା ବାସ୍ତବତାକୁ ଉପଲବଧି କରିଥିଲେ ଓ ସେଥିପାଇଁ ଏକ ବିକଳ୍ପ ରାଜନୀତିର ରାସ୍ତା ନିର୍ମାଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସଫଳତା ଅପେକ୍ଷା ବିଫଳତାକୁ ସେ ବେଶୀ ଦେଖିଛନ୍ତି ତଥାପି ଆତ୍ମବିଶ୍ୱାସ ଓ ବିଚାରର ସ୍ପଷ୍ଟତା ଓ ନୀତିଗତ ପ୍ରତିବଦ୍ଧତା ପାଇଁ ସେ ଆଶାବାଦୀ ହୋଇ ସଫଳତା ପାଇଁ ସମାଜବାଦୀ ବିଚାର ଓ ଦର୍ଶନକୁ ଅସ୍ତ୍ରରୂପେ ଜଗତୀକରଣ, ଖୋଲା ଅର୍ଥନୀତି ଓ ପୁଞ୍ଜିବାଦୀ ବିରୋଧରେ ପ୍ରୟୋଗ କରିଚାଲିଥିଲେ । ତେଣୁ ଆଜି ବିଶ୍ୱର ପୁଞ୍ଜିବାଦୀ ଶକ୍ତିର ବିକଳ୍ପ କେବଳ ଜନବାଦୀ ରାଜନୀତି ଯାହାକି ପୁଞ୍ଜି ଟେକ୍ନୋଲଜି ଦ୍ୱାରା ଲୁଟ ହେଉଥିବା ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବାସହ ତାରି ଉପରେ ଜନତାଙ୍କ ଅଧିକାରକୁ ସାବ୍ୟସ୍ତ କରାଯାଇପାରିବ । ତାର ଅନ୍ୟନାମ ହୋଇପାରେ ଗଣତାନ୍ତ୍ରିକ ସବୁଜ ସମାଜବାଦ । ସେଥିପାଇଁ ଉପଭୋକ୍ତାବାଦକୁ ପ୍ରତ୍ୟାଖ୍ୟାନ କରିବା ସହ ସମସ୍ତଙ୍କପାଇଁ ସମ୍ମାନଜନକ ସୁସ୍ଥ ଜୀବନ-ଶୈଳୀର ଆବଶ୍ୟକତା ପୂରଣ ପାଇଁ ଗଣସଂଗ୍ରାମ । ତାହା ହିଁ ଏକ ନୂଆ ସମାଜବାଦ ପ୍ରତିଷ୍ଠା କରିପାରିବ ଯେଉଁଠି ପ୍ରକୃତି ଓ ମଣିଷ ସମାଜ ମଧ୍ୟରେ ସମନ୍ୱୟ ରହିବ । ଏହି ଦିଗରେ କିଶନବାବୁଙ୍କ ବହି “ବିକଳ୍ପହୀନ ନହିଁ ହେ ଦୁନିଆ’ ମାର୍ଗଦର୍ଶକ ରୂପେ ଆମ ପାଖରେ ରହିଛି ।
୪. ‘ଓଡ଼ିଶାର ଚାଷୀ, ଆଦିବାସୀ ଓ ଦଳିତଙ୍କୁ ଆର୍ଥିକ ଓ ସାମାଜିକ ନ୍ୟାୟ ପାଇଁ ଏକ ନୂଆ ଜନଆନେ୍ଦାଳନର ଆବଶ୍ୟକତାକୁ ସ୍ୱୀକାର କରୁଥିବା ରାଜନୈତିକ ଓ ସାମାଜିକ ବ୍ୟକ୍ତିମାନଙ୍କ ପାଇଁ କିଶନବାବୁଙ୍କ ଦ୍ୱାରା ସୃଷ୍ଟ ସାହିତ୍ୟ ପ୍ରେରଣା ହୋଇରହିବ । ଜେଲରେ ରହି ଚାଷୀ ଆନେ୍ଦାଳନର ସମାଜବାଦୀ ନେତା ରୂପେ ୧୯୬୨ରେ ଲୋକସଭାକୁ ନିର୍ବାଚିତ ହୋଇ କେବେ ବି କ୍ଷମତା ରାଜନୀତି ପ୍ରତି ପ୍ରଲୋଭିତ ହୋଇନଥିଲେ କିମ୍ବା ଆଦର୍ଶଗତ ବିଚାରକୁ ସାଲିସ କରି କୌଣସି ରାଜନ÷÷ତିକ ଦଳର ଭୋଟ ପାଇଁ ପୁଣି ସାଂସଦ ହେବାକୁ ଇଛା କରିନଥିଲେ । ୧୯୭୭ରେ ସଂପୂର୍ଣ୍ଣ କ୍ରାନ୍ତିର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଅନ୍ୟତମ ସଂଗ୍ରାମୀ ସହଯୋଗୀ ରୂପେ କିଶନବାବୁଙ୍କୁ ଜନତାପାର୍ଟିର ଲୋକସଭା ପ୍ରାର୍ଥୀ ହେବାକୁ ବିଜୁ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଗ୍ରହଣ କରିନଥିଲେ କାରଣ ଜନତାପାର୍ଟିର ରାଜନୈତିକ ଚରିତ୍ରକୁ ସେ ଗ୍ରହଣ କରିପାରିନଥିଲେ । ତେଣୁ କିଶନବାବୁ ସର୍ବଦା ରାଜନୈତିକ ଜୀବନ ଓ ନେତୃତ୍ୱ ପାଇଁ ପ୍ରେରଣା ହୋଇରହିବେ ।
ପ୍ରଫେସର ସ୍ୱାଧୀନ ପଟ୍ଟନାୟକ
୧. ଆଜିର ଭାରତବର୍ଷରେ କିଶନ ପଟ୍ଟନାୟକଙ୍କର ଅନୁପସ୍ଥିତି ବରଂ ବେଶୀ ଜଣାଯାଉଛି । ଯେଉଁପ୍ରକାର ରାଜନୀତି ବର୍ତ୍ତମାନ ଦେଖାଯାଉଛି, ସେହି ସମୟରେ ଆମକୁ କିଶନ ବାବୁଙ୍କ ଆହୁରି ତୀବ୍ର ଜଣାଯାଉଛି ।
୨.ତାଙ୍କଭଳି ତ୍ୟାଗପୂତ, ନିର୍ଭୀକ ଲୋକ ଆସିବାର ସମ୍ଭାବନା ବିଷୟରେ ନିଶ୍ଚୟ ବ୍ୟଗ୍ର ଲାଗୁଛି । କିନ୍ତୁ ଆମେ ନିରୁତ୍ସାହିତ ହେବା ଉଚିତ ନୁହେଁ । ପ୍ରତ୍ୟେକ ଘଟଣାର ଦ୍ୱନ୍ଦ୍ୱାତ୍ମକ ବିକଳ୍ପ ନିଶ୍ଚୟ ଆସିବ । ଏଭଳି ବିଶ୍ୱାସ ଆମେ ନ ରଖିଲେ, ଆମେ ପ୍ରତିକ୍ରିୟାଶୀଳ ଶକ୍ତିକୁ ଉତ୍ସାହିତ କରିବା ।
୩.ସମାଜବାଦର ଭବିଷ୍ୟତ ବିଷୟରେ ମୁଁ ସବୁବେଳେ ଆଶାବାଦୀ ଥିଲି ଏବଂ ଅଛି । ଏହା ସମଗ୍ର ବିଶ୍ୱର ଭବିଷ୍ୟତ ହେବାକୁ ହେବ । ନ ହେଲେ ମାନବସମାଜ ଧ୍ୱଂସ ପାଇଯିବ ।
୪.କିଶନବାବୁଙ୍କ ଜୀବନରୁ ଆମେ ଅତି କମ୍ରେ ଏତିକି ଶିଖୁଛୁ ଯେକୌଣସି ପରିସ୍ଥିତିରେ ସାଲିସ ନ କରିବା । ସେଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଥିଲେ । ସେଭଳି ବ୍ୟକ୍ତିତ୍ୱ ନିଶ୍ଚୟ ବିରଳ ।
Comments
0 comments








