ଆମ ଭୋଟର ମୂଲ୍ୟ କ’ଣ କିଛି ନାହିଁ!

 ଏବେ ବିଶ୍ୱରେ ଗଣତନ୍ତ୍ର ଆଉ ଲୋକଙ୍କ ବୈଧ ମତଦାନ ବା ଭୋଟ୍ ଉପରେ ନିର୍ଭର କରୁନାହିଁ । ଲାଭ ଏବଂ ଲୋଭର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଏକଚାଟିଆ କ୍ଷମତାକୁ ଉପଭୋଗ କରୁଥିବା ଏକ ଶକ୍ତିଶାଳୀ ଗୋଷ୍ଠୀ ବିଶ୍ୱର ପ୍ରାୟ ସବୁ ଦେଶରେ ନିର୍ବାଚନୀ ଗଣତନ୍ତ୍ରକୁ ଏକ ପ୍ରହସନରେ ପରିଣତ କରିସାରିଛନ୍ତି । ସବୁଠି ଗଣମାଧ୍ୟମ ତଥା ଟିଭି ଚ୍ୟାନେଲ୍ ଓ ଖବରକାଗଜମାନେ ଏହି ଶକ୍ତିଶାଳୀ ଗୋଷ୍ଠୀର ଇଙ୍ଗିତରେ ପରିଚାଳିତ ହେଉଛନ୍ତି । ସେଥିପାଇଁ ଶକ୍ତିଶାଳୀ ଗୋଷ୍ଠୀଙ୍କୁ ପ୍ରଶ୍ନ ପଚାରିବା ବା ଦେଶକୁ ଲୁଟ୍ କରୁଥିବା ନୀତିକୁ ଲୋକଙ୍କ ପାଖରେ ଉନ୍ମୋଚନ କରିବା କାମ ଆଉ ଗଣମାଧ୍ୟମମାନେ କରିପାରୁ ନାହାନ୍ତି ।

ଭାରତରେ ମଧ୍ୟ ଏକା ଅବସ୍ଥା । ଏଠି ପରିସ୍ଥିତି ଟିକିଏ ଅଧିକ ସଙ୍ଗିନ୍; ଯେହେତୁ ଏଠି କମ୍ପାନୀ ଶକ୍ତିମାନଙ୍କ ସହିତ ହିନ୍ଦୁ ସାମ୍ପ୍ରଦାୟିକ ସଂଗଠନମାନେ ମିଳିତ ଭାବରେ କାମ କରୁଛନ୍ତି । ଭାରତରେ କେବଳ ଗଣମାଧ୍ୟମ ଯେ ଏକ ଶକ୍ତିଶାଳୀ ଶାସକଗୋଷ୍ଠୀର ବୋଲକରା ସାଜି ଜନମତ ସେମାନଙ୍କ ସପକ୍ଷରେ ସୃଷ୍ଟି କରୁଛି ତାହା ନୁହେଁ, ଏଠି ୧୦ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଥିବା ଏବଂ ଘୃଣା ବାଣ୍ଟୁଥିବା ଏକ ସଂଗଠନ ଦେଶବ୍ୟାପୀ ସମାଜର ସବୁ ସ୍ତରକୁ ପ୍ରଭାବିତ କରି ରଖୁଛି ଏବଂ ଅବୈଧ ଜନମତ ସୃଷ୍ଟି କରିବାର କାର୍ଯ୍ୟଟିକୁ ବୈଧ କରିବା କାମରେ ଲାଗିପଡ଼ିଛି ।

ପୂର୍ବରୁ ‘ସମଦୃଷ୍ଟି’ରେ ଲେଖାଯାଇସାରିଛି ଯେ କେମିତି ୨୦୧୪ର ନିର୍ବାଚନ- ଯାହା ଫଳାଫଳ ନେଇ ନରେନ୍ଦ୍ର ମୋଦୀ ଯିଏକି ଏକ ସରପଞ୍ଚ ହୋଇ ପଞ୍ଚାୟତ ଚଳାଇବାର ଅଭିଜ୍ଞତା ନଥାଇ ବି ଦେଶର ପ୍ରଧାନମନ୍ତ୍ରୀ ହେଲେ, ତାହା ଦେଶ ଇତିହାସର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଥିଲା । କେତୋଟି ଘରୋଇ କମ୍ପାନୀ ଖୋଲାଖୋଲି ମୋଦୀଙ୍କ ନିର୍ବାଚନ ପ୍ରଚାରରେ ଅର୍ଥ ଖର୍ଚ୍ଚ କରି ଚାଲିଥିଲେ । ସେତେବେଳେ ଭାରତର ନିର୍ବାଚନ ଆୟୋଗ କେଉଁଠି ବି ହସ୍ତକ୍ଷେପ କରିବାର ଦୃଷ୍ଟାନ୍ତ ଆମେ ଦେଖିବାକୁ ପାଇ ନଥିଲୁ । ୨୦୧୪ ସାଧାରଣ ନିର୍ବାଚନ ପରେ ଭାରତର ଗଣତନ୍ତ୍ର ପଥଚ୍ୟୁତ ହେବାରେ ଲାଗିଛି । ଅବୈଧ ଅର୍ଥ କାରବାର ରୋକିବା ନାଁରେ ଯେଉଁ ନିୟମ ମୋଦୀ ସରକାର ଆଣିଲେ, ତାକୁ ଆୟୁଧ କରି ବିରୋଧୀ ଦଳର ତୁଙ୍ଗ ନେତାମାନଙ୍କୁ ଗିରଫ କରିବା, ନିନ୍ଦିତ କରିବା ଏବଂ ସେମାନଙ୍କୁ ଭାଜପାରେ ସାମିଲ କରେଇବା ପରେ ‘ଅଭିଯୋଗମୁକ୍ତ’ କରିଦେବା କାମଟି ଗତ ୧୨ବର୍ଷ ଧରି ଚାଲିଛି । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ED), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI), ଆୟକର ବିଭାଗ (IT) ଇତ୍ୟାଦିକୁ ଲଗାଇ ବିରୋଧୀ ଦଳଗୁଡ଼ିକୁ ଭାଙ୍ଗି ଭାରତରେ ଯେମିତି ଭାରତୀୟ ଜନତା ପାର୍ଟି ଏକମାତ୍ର ଦଳ ରହିବ, ସେହି କାମଟି ଏମାନେ ଏଯାବତ୍ କରିଚାଲିଛନ୍ତି ।

ସବୁଥିରେ ଗଣମାଧ୍ୟମ ସରକାରଙ୍କ ସହ ଅଛନ୍ତି । ଯଦି କେଉଁଠି ଜନ ପ୍ରତିବାଦ ହେଉଛି, ଜଘନ୍ୟ ୟୁଏପିଏ (UAPA) ଆଇନକୁ ଲଗାଇ ସେମାନଙ୍କୁ ବନ୍ଦୀ କରି ବର୍ଷବର୍ଷ ଧରି ବିନା ବିଚାରରେ ଜେଲ୍ରେ ରଖାଯାଉଛି । ସାଧାରଣ ଲୋକଙ୍କ ପାଖରେ ଏହିସବୁ କଥା ପହଞ୍ଚିବା କଷ୍ଟକର । ସବୁଠି ଗଣମାଧ୍ୟମ, ସରକାର ଓ ତାଙ୍କ ପୋଲିସ ବାହିନୀର ଭାଷା ବ୍ୟବହାର କରି ନିଷ୍ଠାପର ତଥା ସଚ୍ଚୋଟ ବ୍ୟକ୍ତିମାନଙ୍କୁ ବିଭିନ୍ନ ନାମ ଦେଇ ନିନ୍ଦିତ କରିବାରେ ଲାଗିପଡ଼ିଛନ୍ତି । ସେଥିପାଇଁ ଜନଗଣ ଏମାନଙ୍କୁ ନେଇ ଦ୍ୱନ୍ଦ୍ୱ ବା ବିଭ୍ରାନ୍ତିରେ ରହିବା ସ୍ୱାଭାବିକ । ସାମାଜିକ ଗଣମାଧ୍ୟମ ଅଧିକାଂଶରେ ଏମାନଙ୍କ ନିୟନ୍ତ୍ରଣରେ ହିଁ ରହୁଛି । ଯାହା ଗଣମାଧ୍ୟମରେ ଆସୁଛି ତାକୁ ସାମାଜିକ ଗଣମାଧ୍ୟମ ଯଥା— WhatsApp, Facebook, Twitter, Telegram, Instagram, Reel ଇତ୍ୟାଦି ମାଧ୍ୟମରେ ଅଧିକ ପ୍ରସାରିତ କରାଯାଉଛି ।

ଏସବୁ ବିଗତ ୧୨ବର୍ଷ ଧରି ଚାଲି ଆସୁଥିଲା । ଏବେ କିନ୍ତୁ ଅଧିକ ସାଙ୍ଘାତିକ ଘଟଣାଟି ହେଉଛି ଯେ, ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଭାବେ ଭାଜପା ଦଳ ପାଇଁ କାମ କରୁଥିବାର ଭୟଙ୍କର ଅଭିଯୋଗ ବିରୋଧୀ ଦଳ ମାନେ କରୁଛନ୍ତି । ଆୟୋଗ ନିଜକୁ ନିର୍ମଳ ଓ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ କୌଣସି ପ୍ରଚେଷ୍ଟା ନ କରିବା ଯୋଗୁଁ ଏକ ଲଜ୍ଜାଜନକ ସ୍ଥିତି ସୃଷ୍ଟି ହେଇଛି । ସେଥିରେ ପୁଣି ଅଛି ଭାରତର ଉଚ୍ଚତମ ନ୍ୟାୟାଳୟର ନୀରବତା  କେବଳ ନୁହେଁ, ବରଂ ଅଭିଯୋଗ ଆଣୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏବଂ ଆଚରଣ । ସମସ୍ତେ ମିଶି ଗୋଟିଏ ଧାରଣା ସୃଷ୍ଟି କରୁଛନ୍ତି ଯେ, ଭାରତରେ କୌଣସି ସାମ୍ୱିଧାନିକ ଏବଂ ବୈଧାନିକ ସଂସ୍ଥା ଆଉ ନିରପେକ୍ଷ ନାହାନ୍ତି ବା ରହିପାରିବେ ନାହିଁ । ସେମାନେ ଯେ ଭାରତର ଗଣତନ୍ତ୍ର, ସମ୍ୱିଧାନ ଓ ଆଇନର ଶାସନକୁ ସୁରକ୍ଷା ଦେଇପାରିବେ, ଏଭଳି କଥା ଚିନ୍ତାଶୀଳ ଲୋକମାନଙ୍କୁ ଆଦୌ ଲାଗୁ ନାହିଁ । ଅବଶ୍ୟ ଏକଥା ବି ସତ ଯେ, ଭାରତର କୁହାଳିଆ ମଧ୍ୟବିତ୍ତ ଶ୍ରେଣୀ ଏହି ୧୨ବର୍ଷ ଭିତରେ ଅଧିକ ମିଛ ଭକ୍ତିର ରାସ୍ତା ଆପଣେଇଛନ୍ତି ବା ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା କାମରେ ଲାଗି ପଡ଼ିଛନ୍ତି । ଏପରିକି ଏକ ସମୟରେ ଜନଗଣଙ୍କ ସାମ୍ନାରେ ବିକଳ୍ପ କ’ଣ ଅଛି ପ୍ରଶ୍ନଟି କଲେ, ଉତ୍ତର କିଛି ନଥିଲା ଭଳି ଲାଗୁଛି ।

ଏମିତିକି ଲୋକଙ୍କ ଭିତରେ କଥାବାର୍ତ୍ତା ଚାଲିଛି ଆଉ ନିର୍ବାଚନରେ ଭୋଟ୍ ଦେଇ ଲାଭ କଣ? ଯେଉଁମାନେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିବେ, ସେମାନେ ହିଁ ନିର୍ବାଚନ ଲଢ଼ି ପାରିବେ । ଅନ୍ୟପଟେ ଯାହାକୁ ଭୋଟ୍ ଦେଲେ ବି ଯଦି ପଦ୍ମଫୁଲକୁ ହିଁ ଭୋଟ୍ଟି ମିଳୁଛି, ନିର୍ବାଚନରେ ଭାଗ ନେଲେ ବା ନନେଲେ ସେମାନେ ହିଁ ଜିତିବେ । ଭାରତର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକଳାପ ହିଁ ଏଭଳି ଏକ ଭୟଙ୍କର ଭାବନା ଜନଗଣଙ୍କ ମନରେ ସୃଷ୍ଟି କରିଛି । ତାମିଲନାଡୁ, କେରଳ ଭଳି ରାଜ୍ୟରେ ନିର୍ବାଚନ ଆୟୋଗ ଜାଣିଛନ୍ତି ଯେ ଯଦି କିଛି ଏପଟ ସେପଟ ହୁଏ, ସେମାନେ ନିଜକୁ ସୁରକ୍ଷା ଦେଇପାରିବେ ନାହିଁ । କିନ୍ତୁ ବିଜୁ ଜନତା ଦଳ ବା ତୃଣମୂଳ କଂଗ୍ରେସ ଭଳି ଅତ୍ୟନ୍ତ ବ୍ୟକ୍ତିକେନ୍ଦ୍ରିକ ଦଳ ସକ୍ରିୟ ଥିବା ସ୍ଥାନରେ ଖେଳଟିକୁ ସହଜରେ ବିଗଡ଼ା ଯାଇପାରିବ, ସେଥିରେ କିଛି ଅସୁବିଧା ନାହିଁ ଏବଂ ତାହା ବି ପ୍ରମାଣିତ କରାଯାଇ ସାରିଛି । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତର ନିର୍ବାଚନ ଆୟୋଗ କରିଥିବା ଜାଲିଆତି କାମଗୁଡ଼ିକୁ ଅନେକଥର ପଦାରେ ପକାଇଛନ୍ତି । ଆଉ ଆମେ ବି ‘ସମଦୃଷ୍ଟି’ରେ ଏ ସମ୍ପର୍କରେ ପୂର୍ବରୁ ଅନେକ ଆଲୋଚନା କରିଛୁ । ରାହୁଲ ଗାନ୍ଧୀ ଅଗଷ୍ଟ ୧, ୨୦୨୫ ପ୍ରଥମ ଅଭିଯୋଗ ଜାଲିଆତି ସମ୍ପର୍କରେ ଆଣିଥିଲେ । ଅଗଷ୍ଟ ୭, ୨୦୨୫ରେ ସେ ପ୍ରମାଣ ସହ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ ଯେ କେମିତି ୨୦୨୪ ସାଧାରଣ ନିର୍ବାଚନ ବେଳେ କର୍ଣ୍ଣାଟକର ମହାଦେବପୁରା ବିଧାନସଭା କ୍ଷେତ୍ରରେ ବଡ଼ ଧରଣର ‘ଭୋଟ୍ ଚୋରି’ କରାଯାଇଛି । ସାରା ଦେଶ ଏହି ‘ଭୋଟ୍ ଚୋରି’ ଅଭିଯୋଗର ପ୍ରମାଣ କିଛି ବିକଳ୍ପ ଗଣମାଧ୍ୟମ ସୌଜନ୍ୟରୁ ଦେଖିବାକୁ ପାଇଥିଲା । ଗୋଟିଏ ଗୋଟିଏ ଲୋକ ଅନେକ କେନ୍ଦ୍ରରେ ଭୋଟ୍ ଦେବା ଏବଂ ଗୋଟିଏ ଘରୁ, ଯାର ଠିକଣା ବି ନାହିଁ,  ୭୦-୮୦ ଲୋକ ଭୋଟର ହେବା, ଲୋକଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରିବା ଇତ୍ୟାଦି ଅଭିଯୋଗର ପ୍ରମାଣ ଦିଆଯାଇଥିଲା । ଯଦି ରାହୁଲଙ୍କ ଅଭିଯୋଗ ମିଛ ଥିଲା, ତେବେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତେ, ନେଲେ ନାହିଁ କାହିଁକି? ଏହି ‘ଭୋଟ୍ ଚୋରି’ଯୋଗୁଁ କଂଗ୍ରେସ ଦଳ ଗୋଟିଏ ଲୋକସଭା ଆସନ ହରାଇଥିଲା । ଏମିତି ସେମାନେ ପ୍ରାୟ ଦେଶରେ ୨୫ରୁ ଅଧିକ ଲୋକସଭା ଆସନ ହରାଇଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ, ଯଦିଓ ଏହି ଅଭିଯୋଗଗୁଡ଼ିକୁ ପ୍ରମାଣିତ କରିବା ଏକ କଷ୍ଟ ଏବଂ ସମୟସାପେକ୍ଷ କାମ, ଏଥିପାଇଁ ବହୁତ ଲୋକ ଏବଂ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ ।  ନଭେମ୍ୱର ୮, ୨୦୨୫ରେ ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତୁଥିବା ନିର୍ବାଚନଟି କେମିତି ‘୨୫ ଲକ୍ଷ ଭୋଟ୍ ଚୋରି’ କରି ନିର୍ବାଚନ ଆୟୋଗ ଭାଜପା ହାତରେ ସମର୍ପଣ କରିଦେଲେ, ତଥ୍ୟ ସହ ଉପସ୍ଥାପନ କରିଥିଲେ । ବ୍ରାଜିଲର ଜଣେ ଚଳଚ୍ଚିତ୍ର ତାରକା କେମିତି ହରିୟାଣାର ଏକରୁ ଅଧିକ ଭୋଟ୍ କେନ୍ଦ୍ରରେ ଭୋଟର ତାଲିକାରେ ଅଛନ୍ତି, ତାହା ସେ ଦର୍ଶାଇଥିଲେ । ରାହୁଲ ଗାନ୍ଧୀଙ୍କ ଉପସ୍ଥାପନାରୁ ଜଣାପଡ଼ୁଥିଲା ଯେ ବୁଥ୍ ଦଖଲ କରିବା ଅଭିଯୋଗ ଯାହା ପୂର୍ବେ କରାଯାଉ ଥିଲା, ତାହା ଏବେ ଅପ୍ରାସଙ୍ଗିକ ହୋଇଯାଇଛି । ଏବେ ନିର୍ବାଚନ କମିଶନଙ୍କ ଦପ୍ତରରେ ବସି ଭାରତର ଯେକୌଣସି ବୁଥ୍ର ଭୋଟ୍କୁ ଏପଟସେପଟ କରିବା କାମଟି ଯେମିତି ସୁରୁଖୁରୁରେ ଚାଲିଛି! ଏଥିରେ ମୋଦୀ ଏବଂ ଶାହଙ୍କ ଶାସନର ସୁରକ୍ଷା ଏହି ଗୋଷ୍ଠୀକୁ ମିଳୁଛି, ଏଭଳି ଏକ ଆଶଙ୍କା ଏବଂ ଅଭିଯୋଗ ମଧ୍ୟ କରାଯାଉଛି ।

କୌତୂହଳର କଥା ଯେ, ନିର୍ବାଚନ ଆୟୋଗ ଏଯାବତ୍ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ହୁଏତ ଯଦି ନେବେ, ଅଧିକ ସତ୍ୟ ସାମ୍ନାକୁ ଆସିବାର ବିପଦ ରହିଛି ବୋଲି ସେମାନେ ଭାବୁଥିବେ । ଅନ୍ୟପଟେ, ଏତେସବୁ ତଥ୍ୟଭିତ୍ତିକ ଅଭିଯୋଗ ଉପସ୍ଥାପନ ସତ୍ତ୍ୱେ ଭାରତର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିଜଆଡୁ କିଛି ମାମଲା ରୁଜୁ କରୁନାହାନ୍ତି । ଅନ୍ୟପଟେ, ସାର୍ (SIR) ବା ସ୍ୱତନ୍ତ୍ର ତ୍ୱରିତ ସଂଶୋଧନ ନାରେ ଯେଉଁ ଭୋଟର ତାଲିକା ତିଆରି ହୋଇଛି, ମୁଖ୍ୟତଃ ନିର୍ବାଚନକୁ ସାମ୍ନାରେ ରଖି, ତାହା ବିଭିନ୍ନ ରାଜ୍ୟରେ ଚାଲିଆସିଛି ଏବଂ ଏବେ ବି ଜାରି ରହିଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ କୋଟି ଭୋଟର ବାଦ୍ ପଡ଼ିଛନ୍ତି, ତାହାର ଏକପ୍ରକାର ହିସାବ ଗଣମାଧ୍ୟମରେ ଏକାଠି କଲେ ଦେଖିବାକୁ ମିଳୁଛି । ଏପରି ଏକ ସମୟରେ, ଲୋକଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଆଉ ନିର୍ବାଚନରେ ଭୋଟ୍ ଦେବା କଣ ପାଇଁ? ଭୋଟ୍ ତାଲିକାରୁ ଭୋଟ୍ ବାଦ୍ ଦେଲେ କାହିଁ ସରକାରଟା ଆମକୁ ଦେଶରୁ ବାହାର କରିଦେବନି ତ? ଅନେକ ଆଶଙ୍କା ଭିତରକୁ ଜନଗଣ ଆସିଯିବା ପଛରେ ଏକ ଶକ୍ତିଶାଳୀ ପୁଞ୍ଜିଗୋଷ୍ଠୀ ସକ୍ରିୟ ରହି ଦେଶର ସବୁ ସାମ୍ୱିଧାନିକ ଓ ବୈଧାନିକ ସଂସ୍ଥାଗୁଡ଼ିକୁ ଅଧିକାର କରିନେବା ବା ପ୍ରଭାବିତ କରିବା ଏକ ମୁଖ୍ୟ କାରଣ ରୂପରେ ଆମେ ଦେଖିବାକୁ ପାଉଛୁ । ଏପରି ଏକ ସମୟରେ, ଆମ ନାଗରିକମାନଙ୍କର, ବିଶେଷକରି ଯେଉଁ ନାଗରିକମାନେ ଏସବୁ ଖବର ରଖିପାରୁଛନ୍ତି ବା ବୁଝିପାରୁଛନ୍ତି, ଜାଣିପାରୁଛନ୍ତି, ସେମାନଙ୍କର ସମାଜ ପ୍ରତି କର୍ତ୍ତବ୍ୟ କଣ ରହିବା କଥା, ଗଣତନ୍ତ୍ର ପ୍ରତି କର୍ତ୍ତବ୍ୟ କଣ ରହିବା କଥା ଏବଂ ସମ୍ୱିଧାନର ସୁରକ୍ଷା ପାଇଁ ଦାୟିତ୍ୱବୋଧତା କଣ ରହିବା କଥା, ସେସବୁ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି । ଆଗାମୀକାଲିଟି ଡେରି ହେଇଯିବ; ସେହି ଦୃଷ୍ଟିରୁ ଆଜିଠୁ ହିଁ ଆମେ ଏଇ କାମଟି ଆରମ୍ଭ କରିବା ଅତି ବାଞ୍ଛନୀୟ ହେବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.