ଏ ପକ୍ଷର ଖବର

113 Views
12 Min Read

ସିନ୍ଦୁରର ରଙ୍ଗ ଗେରୁଆ!

ପାଠକେ! ଆମ ରାଜ୍ୟରେ ତଥା ଦେଶରେ ସିନ୍ଦୁରର ଆଦର ବହୁତ । ରଙ୍ଗଟା ବି ସେହିପରି । ପୁରା ଲାଲ୍ ଟହଟହ । ଏହା ଦୁଇ ସ୍ଥାନରେ ଶୋଭା ପାଇଥାଏ । ଗୋଟିଏ ହେଉଛି ମହିଳାଙ୍କ କପାଳ ଆଉ ଗୋଟିଏ ହେଉଛି ଭଙ୍ଗା ବୁଦ୍ଧ ମୂର୍ତ୍ତି । ଏକରେ ଏହାକୁ ହିନ୍ଦୁ ବିବାହିତ ମହିଳାମାନେ ସେମାନଙ୍କ ସିନ୍ଥିରେ ଲଗାଇ ନିଜକୁ ଅତୀବ ଭାଗ୍ୟବତୀ ଓ ସୁରକ୍ଷିତା(କେବଳ ଦୁଃଖିନୀ ଯଶୋଦା ବେନଙ୍କ ପରି ମହିଳାମାନଙ୍କୁ ଛାଡ଼ି) ବୋଲି ମନେ କରିଥାଆନ୍ତି । ଆଉ ଯେତେବେଳେ ଏହି ସିନ୍ଦୁରରେ ଟିକେ ଜଡ଼ାତେଲ କି ପୋଡ଼ାମୋବିଲ ମିଶି ଗୋଟିଏ ଭଙ୍ଗାପଥର ଉପରେ ବୋଳା ହେଇଯାଏ ସେତେବେଳେ ଜାଣନ୍ତୁ ବୋଳିଲାବାଲାର ବେକାରୀକାଳ ଶେଷ । ନଡ଼ିଆ, କଦଳୀ, ଉଖୁଡ଼ା, ଲଡ୍ଡୁ, ଟଙ୍କା ପଇସା, ଗାମୁଛା, କରିଆ, ଶଙ୍ଖାଠୁ ଆରମ୍ଭ କରି ଗଞ୍ଜେଇ ଯାକେ । କି ଆୟ! ହେଲେ ଆପଣ ଦେଖିବେ ଏବେ ଏଇ ଲାଲ ସିନ୍ଦୁରକୁ ଧୀରେ ଧୀରେ ଟପି ଯିବାରେ ଲାଗିଛି ଆଉ ଗୋଟେ ରଙ୍ଗର ସିନ୍ଦୁର । ଆଉ ସେଇଟା ହେଉଛି ଗେରୁଆ ସିନ୍ଦୁର । ଏହି ରଙ୍ଗର ସିନ୍ଦୁରଟି ହନୁମାନଙ୍କ ସିନ୍ଦୁର ଭାବରେ ଖ୍ୟାତିପ୍ରାପ୍ତ । ଏହା ଆଉ ଗୋଟିଏ କାରଣରୁ ଖ୍ୟାତିପ୍ରାପ୍ତ ଯେ ମହିଳାଙ୍କ ସ୍ଥିନ୍ଥିକୁ ଲାଲ ଟହଟହ ସିନ୍ଦୁର ଶୋଭା ଜୁଟାଇବା ପରି ଏ ଗେରୁଆ ରଙ୍ଗର ସିନ୍ଦୁର ବିଜେପି, ସଂଘ, ଆରଏସ୍ଏସ୍ ଓ ଏହି ଆଦର୍ଶବାଦୀ ବାବୁମାନଙ୍କର କପାଳକୁ ପ୍ରଜ୍ଜ୍ୱଳିତ କରି ପକାଉଛି । ଏବେ ବିଜେପି ରାଜ୍ୟରେ ସରକାର କରିବାପରେ ସେମିତିକା ସିନ୍ଦୁର କଲି ମାରୁଥିବା ଲୋକଙ୍କର ସଂଖ୍ୟା ଟିକିଏ ବଢ଼ିଛି । କିଛିଲୋକ ଭାବୁଛନ୍ତି ଗେରୁଆ ରଙ୍ଗର ସିନ୍ଦୁର କଲିଟାଏ ମାରି ଦେଇଥିଲେ ଆଉ ଗାଡ଼ିରେ ଗୋଟେ ଦି-କେନିଆ ଗେରୁଆ ପତାକା ଖୋସି ଦେଇଥିଲେ ସରକାରୀ ଦପ୍ତରମାନଙ୍କରେ ନହେଲା କାମ ହୋଇଯିବ । ବାବୁମାନେ ମଧ୍ୟ ଛାନିଆ । କାମ ମଧ୍ୟ କିଛି କିଛି ପରିମାଣରେ ହୋଇଯାଉଛି । କେବଳ ଭାରତର ଲୋକଙ୍କ କଥା କାହିଁକି କହିବା? ଆମେରିକାରେ ଟ୍ରମ୍ପବାବୁ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବାବେଳେ ଭାରତ ସହିତ ଆମେରିକାରେ କେତେ ଯାଗାରେ କିଛି ଗେରୁ ସିନ୍ଦୁର ଲଗା ଚାନ୍ଦାପୁଷ୍ଟ ଭାଇ ଟ୍ରମ୍ପଙ୍କ ଜିତିବାପାଇଁ ଯଜ୍ଞର ଆୟୋଜନ କରିଥିଲେ । ସେଥିରେ ଟ୍ରମ୍ପଙ୍କ ଫଟୋରେ ଏଇ ସିନ୍ଦୁର କଲି କପାଳ ମଣ୍ଡନ କରିଥିଲା । ଏବଂ ଟ୍ରମ୍ପ ଜିତିବାପରେ ସେମାନେ ଘୋଷଣା କରିଥିଲେ ଯେ ସେଇଟା ଥିଲା ତାଙ୍କ ଯଜ୍ଞ ଆଉ ସିନ୍ଦୁରକଲିର ମାହାତ୍ମ୍ୟ ।
ସିନ୍ଦୁରର ଲୋକପ୍ରିୟତା ତଥା ଗ୍ରହଣୀୟତାକୁ ଦେଖି ଆମ କ୍ଷମତାଭାଇ ଏହି ଶବ୍ଦଟାକୁ ପରାକ୍ରମୀ ଶବ୍ଦଟାଏ ମନେକରି ତାକୁ ବିହାର ନିର୍ବାଚନ ପାଁଇ ଏକଦମ ଉପଯୋଗୀ ମଣିଲେ ବୋଲି କୁହାଯାଉଛି । ପୁଲୱାମା ବେଳେ ସୈନ୍ୟମାନଙ୍କ ସହାଦତ ଯେମିତି ଦେଶପ୍ରେମୀ ଉନ୍ମାଦ ତିଆରି କରିଥିଲା, ସେମିତି ଏଠାରେ ହିନ୍ଦୁତ୍ୱ ନିଶ୍ଚିତ ବିକ୍ଷିପ୍ତ ପଡ଼ିଥିବା ହିନ୍ଦୁ ଭୋଟଗୁଡ଼ାକୁ ଏକାଠିକରି ତାଙ୍କ ଝୋଲାରେ ଢାଳି ଦେଇପାରିବ । ପଦ୍ମଦଳିଆ ଭାବିଲେ ଏକଦମ୍ ଠିକ୍ କଥା! ନବୀନା ପରି ନୀତିଶ ବି ସଫା ହୋଇଯିବ ଆଉ ବିହାର ଆମର । ଏହା ପଛରେ ସତ୍ୟତା ଥାଇପାରେ ବୋଲି ଆମେ କହୁନାହୁଁ କିନ୍ତୁ ଲୋକ କେତୋଟି ପ୍ରଶ୍ନ କରୁଛନ୍ତି ଯାହାକୁ ସହଜରେ ଫାଙ୍କି ଦେଇ ହେଉନାହିଁ । ପ୍ରଶ୍ନ-୧ ପଇସା ନେଇ ମଣିଷଗୁରାଙ୍କୁ ମାରି ପକାଉଥିବା ମାତ୍ର ୪ଟା ସୁପାରୀ କିଲର ଆସି ୨୬ଜଣ ହିନ୍ଦୁ-ମୁସଲମାନ ମହିଳାଙ୍କର ସିନ୍ଦୁରକୁ ପୋଛି ସଫା କରିଦେଲେ? ପୁଣି ସେମାନେ ପର୍ଯ୍ୟଟକମାନଙ୍କୁ ତୁମର ଧର୍ମ କ’ଣ ବୋଲି ପଚାରି ଯିଏ ହିନ୍ଦୁ ବୋଲି କହିଲା ତାକୁ ମାରିଦେଲେ? ଅଥଚ କେହି ରୋକିଲେନି କିପରି? ପ୍ରଶ୍ନ -୨- ଏହି ସିନ୍ଦୁର ପୋଛିବା କାମପାଇଁ ସେମାନେ ଏମିତିକା ସ୍ଥାନକୁ ବାଛିଥିଲେ ଯେ ସେଠାରେ ସେଦିନ ୪୦୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ । କିନ୍ତୁ କାଶ୍ମୀରଭଳି ଯାଗାରେ ସେମାନଙ୍କ ସୁରକ୍ଷାପାଇଁ କେହି ଜଣେ ହେଲେ ସୁରକ୍ଷା କର୍ମୀ ନଥିଲେ । କାହିଁକି? ପ୍ରଶ୍ନ ୩-ଏହା କ’ଣ ଏଇଥିପାଇଁ କରାଯାଇଥିଲା କି କିଲରମାନେ ଯେତେବେଳେ ଗୁଳି ଚଲେଇବେ ତାଙ୍କୁ କେହି ଯେମିତି ରୋକିବା ପାଇଁ ନଥିବ? ପ୍ରଶ୍ନ-୪- ଏହି ପେଷାଦାର ହତ୍ୟାକାରୀ ବା ଆତଙ୍କବାଦୀମାନେ ପାକିସ୍ଥାନ ସୀମାରୁ ୨୨ଘଂଟା କାଳ ଚାଲିଚାଲି ପହେଲଗାଁଓକୁ ଆସିଥିଲେ । ହେଲେ ତାଙ୍କୁ ଭାରତୀୟ ସେନା କି ସୁରକ୍ଷାବାହିନୀ କେହି ଦେଖିପାରିଲେ ନାହିଁ କିପରି? ସିଏ ଆଇଲେ ତାଙ୍କ କାମକଲେ ଆଉ ପଳେଇଲେ । ତାହେଲେ ଆମେ ପୁଲିସ୍, ସୈନ୍ୟବାହିନୀ ଆଦିଙ୍କୁ ପୋଷୁଛୁ କାହିଁକି? ପ୍ରଶ୍ନ-୫- ଘଟଣାକୁ ୨୦ ଦିନ ବିତିଯିବା ପରେ ଜୋରଦାର ଯୁଦ୍ଧ ଲାଗିଥିବାର ଓ ସରିଯିବାର ହୋ ହଲ୍ଲା ପରେ ବି ସେମାନେ ନା ସଶରୀରେ ନା ମୃତ କୌଣସି ଅବସ୍ଥାରେ ମିଳିନାହାନ୍ତି । ତାହେଲେ ଗଲେ କୁଆଡ଼େ?
ପାଠକେ! ଏମିତି ୨୬ଜଣ ପର୍ଯ୍ୟଟକଙ୍କର ଜୀବନଦୀପ ଅକାରଣରେ ଲିଭିଯିବା କଥାଟିକୁ ଭାରତୀୟମାନେ ଗ୍ରହଣ କରିପାରିଲେ ନାହିଁ । ସେମାନେ କହିଲେ ଯଦି ପାକିସ୍ଥାନ ଆମଲୋକଙ୍କୁ ମାରିଛି ତେବେ ଆମ ସୈନ୍ୟ ପାକିସ୍ଥାନ ଆକ୍ରମଣ କରି ବଦଲା ନିଅନ୍ତୁ । କ୍ଷମତାଭାଇ ଦେଖିଲେ ଏଇଠି ସିନ୍ଦୁର କାମ କରିବ । ଫଟାଫଟ ଘୋଷଣାହେଲା ଅପରେସନ ସିନ୍ଦୁର । ଟିଭିରେ ଖାଲି ଗୋଟା ବୁଢ଼ାବିଲୁଆର ରଡ଼ି ଶୁଣିବାକୁ ମିଲିଲା ଘରେ ପଶି ମାରି ପକାଇବୁ । ଯାହାକୁ ଶୁଣି ପାକିସ୍ଥାନବାଲା କାଳେ କହିଲେ-ଶାଲା! ସୁଅର କା ବଚ୍ଚା । କଥା ବଡ଼ ବଡ଼ କୁହାଗଲା କିନ୍ତୁ କେବଳ ପିଓକେରେ ସନ୍ତ୍ରାସବାଦୀଙ୍କ କେଇଟା ଟ୍ରେନିଂ ସେଣ୍ଟର ନଷ୍ଟ ହେଲା । ଭାରତୀୟ ସେନା କିନ୍ତୁ ଗଦ୍ଦାରମାନଙ୍କ ବହୁଆଗକୁ ଚାଲି ଯାଇଥିଲା । ଯୁଦ୍ଧ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଥିଲେ ଯେ ଯଦି ଅନ୍ତରାଷ୍ଟ୍ରୀୟ ଚାପ ପକାଇ ଭାରତକୁ ରୋକା ଯାଇନଥାନ୍ତା ତାହାହେଲେ ପିଓକେ ଭାରତକୁ ଚାଲିଯିବା ସହିତ ବେଲୁଚିସ୍ଥାନକୁ ଅଲଗା ହୋଇଯିବାରୁ ରୋକାଯାଇ ପାରିନଥାନ୍ତା । ମୋଦୀଭାଇ ତ ଅନ୍ତଃରାଷ୍ଟ୍ରୀୟ ଲୋକ । ତେଣୁ ଭାରତପକ୍ଷରୁ କୁହାଗଲା ଯେ ପାକିସ୍ଥାନର ବଡ଼ ସୈନ୍ୟ ଅଧିକାରୀମାନେ କାଳେ ଭାରତକୁ ଫୋନ କରି କହିଲେ ଯେ ଯୁଦ୍ଧ ରୋକ । ପୁଣି କୁହାଗଲା ଟ୍ରମ୍ପଙ୍କ ମଧ୍ୟସ୍ଥତା ଯୋଗୁ କାଳେ ଦୁଇଦେଶ ମଧ୍ୟରେ ଯୁଦ୍ଧବିରତି ସମ୍ଭବ ହେଲା । ହେଲେ ଏହି ଲେଖାଟି ଲେଖାହେବା ବେଳକୁ ଟ୍ରମ୍ପ ନିଜେ କହିଲେଣି ଯେ ସିଏ ମୋଟେ ଭାରତ ପାକିସ୍ଥାନ ଭିତରେ ଯୁଦ୍ଧ ରୋକିବାକୁ ମଧ୍ୟସ୍ଥି କରିନାହାନ୍ତି । ତାହା ହେଲେ ଲୋକଙ୍କୁ ଇମୋସନାଲୀ ବ୍ଲାକମେଲ କରିବାପାଇଁ ଅପରେସନ ସିନ୍ଦୁର ନାମରେ ଲୋକଙ୍କର ଯେଉଁ ୧୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଗଲା ଓ କିଛି ଜବାନଙ୍କୁ ସହିଦ କରାଗଲା ଓ ସୀମାନ୍ତ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଗଲା, ଯୁଦ୍ଧଜାହାଜ ଓ ଯୁଦ୍ଧାସ୍ତ୍ର ନଷ୍ଟ କରାଗଲା ତାହା କେଉଁ ସିନ୍ଦୁରର କରାମତି? ଲାଲ ନା ଗେରୁଆ ସିନ୍ଦୁର?

ଆପଣା ସୁନା ତ ଭେଣ୍ଡି, ବଣିଆ ସାଙ୍ଗରେ କିଆଁ ହାତ ଧରାଧରି

ଗତ ଗୁରୁବାର ୧୫ ତାରିଖ ଦିନର ଘଟଣା । ରାଜ୍ୟର ବିଡ଼ିଓ ଏବଂ ସିଡିଓ ମାନଙ୍କର ଏକ ବିଶାଳ ବୈଠକ ଲୋକସେବା ଭବନରେ ଆୟୋଜିତ ହୋଇଥିଲା । ବୈଠକରେ ବସିଥିବା କିଛି ଅଫିସରଙ୍କ ମୁତାବକ ସେଠାରେ ଉପସ୍ଥିତ ଥିବା ଅଫିସରମାନଙ୍କ ଆଚରଣ ଦେଖି ମୋଟେ ଲାଗୁ ନଥିଲା ଯେ ସେମାନେ କୌଣସି ଗମ୍ଭୀର କାମରେ ଆସିଛନ୍ତି । ଏହାକୁ ଦେଖି ସଭାରେ ଥିବା ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ବୋଶ କଡ଼ା ଭାଷାରେ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଫିସରମାନେ ନିଜକୁ ସର୍ବେସର୍ବା ଭାବୁଛନ୍ତି । ବିଧାୟକମାନଙ୍କୁ ବସିବାକୁ ଚେୟାର ଦେବାତ ଦୂରର କଥା ସମ୍ମାନ ମଧ୍ୟ ଦେଉନାହାନ୍ତି । ଅଫିସରମାନେ ବିଧାୟକ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ରଖୁନାହାନ୍ତି । ଏଥିରେ କାମ କେିମତି ହେବ ? ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ କହିଥିଲେ ଯେ ସିଏ ଜଣେ ଆଦିବାସୀ ଲୋକ ସତ କିନ୍ତୁ ସରପଂଚରୁ ଉଠି ଉଠି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଦରକାର ପଡ଼ିଲେ ସିଏ ଖୁବ୍ କଠୋର ହୋଇ ପାରିବେ । ତାଙ୍କର ଛୋଟ ମସ୍ତିଷ୍କ ହେଲେ ବି ସେଥିରେ ସବୁ କିଛି ଅଛି । ତାଙ୍କ ସରଳତାକୁ କେହି ଦୁର୍ବଳତା ବୋଲି ଭାବିନେବା ଅନୁଚିତ । ମୁଖ୍ୟମନ୍ତ୍ରୀ କହି ଦେଇଥିଲେ ଯେ ଏସବୁ ପୁରୁଣା ଅଭ୍ୟାସକୁ ତୁରନ୍ତ ତ୍ୟାଗକର । ଲୋକଙ୍କ ପାଖରେ ଉତ୍ତରଦାୟୀ ହେବା ଶିଖ । ‘ଆପଣମାନଙ୍କୁ ଅଧିକାର ମିଳିଛି ବୋଲି ତାକୁ ଳୋକଙ୍କୁୁ ପ୍ରଦର୍ଶନ କରନ୍ତୁ ନାହିଁ, ତାହାକୁ ଳୋକଙ୍କ ଭଲପାଇଁ ବ୍ୟବହାର କରିବା ଉଚିତ୍ ।’
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଚେତାବନୀପୂର୍ଣର୍ ଉଗ୍ରରୂପକୁ ଦେଖି ସବୁ ଆଡେ ଆଲୋଚନା ଆରମ୍ଭ ହୋଇଛି । କିଛି ଲୋକଙ୍କ କହିବା କଥା ଆପଣା ସୁନା ତ ଭେଣ୍ଡୀ, ଆଉ ଗୁଣିଆ ସହିତ ହାତ ଧରାଧାରି ହୋଇ ଲାଭଟା କ’ଣ ? ଆମେ ଯେତେବେଳେ ଜାଣିବାକୁ ଚାହିଁଲୁ ଯେ କ’ଣ ଆପଣା ସୁନା ଭେଣ୍ଡୀ ଜଣେ ପାଠକ କହିଲେ ପ୍ରଥମରୁ ବିଜେପିର କିଛି ନେତା ମାଝୀବାବୁ ମୁଖ୍ୟମନ୍ତ୍ରୀ ହେବା ଯୋଗ୍ୟ ବୋଲି ଭାବୁ ନାହାନ୍ତି । ଆଉ କେତେକ ସହି ପାରୁ ନାହାନ୍ତି । ପଇସାବାଲା ଦେତାମାନେ ଭାବୁଛନ୍ତି ଇଏ ଗୋଟା ଆରଏସଏ ଲବିରେ ମଖ୍ୟମନ୍ତ୍ରୀ ହେଇଗଲା, ଥରୁଟିଏ ଏମଏଲଏ ହୋଇ ଆଉ ଜଣେ ସ୍ତ୍ରୀଲୋକ ଉପମୁଖ୍ୟମନ୍ତ୍ରୀ ହୋଇଗଲା । ଅଥଚ ଆମେ ବସିଛୁ । ଦଳର ଆଉ କିଛି ଲୋକ ଅଛନ୍ତି ତାଙ୍କର ଏକାଥରେ ଗୁଡ଼ାଏ ପଇସା କମାଇ ପକାଇବାର ଲୋଭ । ସିଏ ଭାବୂଛନ୍ତି ଆଉ ସରକାର ଆସିବ ନାହିଁ । ସେମାନେ ଲାଗିଛନ୍ତି ଯେ ଗୋଟାଏ ଟ୍ରାନ୍ସଫରରେ ୧୦ ଲକ୍ଷ କମାଇଦେବା । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଯୋର ଚାପ ପକାଉଥିଲେ । ସେମାନେ ସବୁ ତିନି ମହଲାରେ ଜଣେ ଜଣେ ସୁପର ଚିଫ ମିନିଷ୍ଟର ହୋଇ ଯାଇଥିଲେ । କେନ୍ଦ୍ରୀୟ ନେତାମାନେ ତାଙ୍କୁ ସବୁ ସେଠୁ ବାହାର କରିଛନ୍ତି । ଜଣେ ଦୁଇଜଣ ସାମ୍ବାଦିକ ବୋଲାଉଥିବା ଚାଲାକ ଲୋକ ତିନି ମହଲାରେ ବିଭିନ୍ନ ଲୋକଙ୍କ ଟ୍ରାନ୍ସଫର, ଆଉ କ’ଣ କାମ ସବୁ ନେଇ ପହଂଚୁଥିଲେ । ସେଗୁରାଙ୍କୁ ସବୁ ମନା କରି ଦିଆହୋଇଛି, ଆସ ହେଲେ ଲୋକଙ୍କ ନାମରେ ଆଉ ବେପାର କରନାହିଁ ।
ଏବେ ଏ ସମସ୍ତେ ଅପପ୍ରଚାର କରୁଛନ୍ତି ଯେ ମୋହନ ମାଝୀ ବାବୁଙ୍କ ସରକାର ଚାଲୁନାହିଁ । ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଯେଉଁ ସରକାର ଏହା ପୂର୍ବରୁ ୨୫ ବର୍ଷ ଥିଲେ ସିଏ କାମ କରୁଥିଲେ ନା ନାହିଁ? ତାଙ୍କ ଆଗରୁ ଯେଉଁ ବାବୁ ୧୫ ବର୍ଷ ଧରାଧରି କରି ମୁଖ୍ୟମନ୍ତ୍ରୀ ଥିଲେ ସିଏ ଭଲ କାମ କରୁଥିଲେ ଟି । ତାଙ୍କୁ ସଂଘ ବାଲାଙ୍କର ପ୍ରଶଂସା ମିଳୁଥିଲା ? ଆଉ ଏବେ ଜଣେ ଆଦିବାସୀ ନେତା ସରପଂଚରୁ ଉଠି ଉଠି ମୁଖ୍ୟମନ୍ତ୍ରୀ ହୋଇ ସାରିଲା ପରେ ତାଙ୍କୁ ତମେ ଧକ୍କାଟେ ପକେଇଲେ କି ଅଫିସର ଠିକ୍ ବ୍ୟବହାର ନକଲେ ବିଜେପି ନିଜେ ତ ଈଶ୍ୱରଙ୍କ ପରି ନିରବ । ମୁଖ୍ୟମନ୍ତ୍ରୀ ରାଗିଲେ କ’ଣ ହେବ ?

ଏ ବାବୁଜଣକ କିଏ?

ପାଠକେ! ଗୋଟିଏ ଖବର ଆମ ପାଖରେ ପହଂଚିଛି । ଖବରଟି ଅତି ଆଶ୍ଚର୍ଯ୍ୟକର । ତେଣୁ ଆମେ ଭାବିଲୁ ଏଇଟିକୁ ‘ସମଦୃଷ୍ଟି’ର ପାଠକମାନଙ୍କ ନଜରକୁ ମଧ୍ୟ ଅଣାଯାଉ ।
ଜଣେ ବାବୁ ଅଛନ୍ତି ତାଙ୍କ ନାମହେଉଛି ନଳିନୀ ପ୍ରଭାତ । ସିଏ ଏବେ କାଶ୍ମୀର ରାଜ୍ୟର ପୁଲିସ ଡିଜିପି ଅଛନ୍ତି । ସାର୍ ନିଶ୍ଚିତ ବଡ଼ଲୋକ କାରଣ ସିଏ କାଶ୍ମୀର ପୁଲିସ ଆଉ ସିଆର୍ପିଏଫ୍ର ଜଣେ ବଡ଼ ଅଧିକାରୀ ଏବେ କାଶ୍ମୀର ପୁଲିସର ସର୍ବୋଚ୍ଚ ପଦବୀରେ ଅଛନ୍ତି । ସିଏ ଅଧିକାଂଶ ସମୟ କାଶ୍ମୀରରେ ଥାଆନ୍ତି । କାରଣ ସିଏ କାଶ୍ମୀର ପୁଲିସ୍ । ତେବେ ଦେଖିବାର କଥା ହେଉଛି ଯେତେବେଳେ ସେନାଉପରେ ଆମ ଦେଶଭିତରେ ଆକ୍ରମଣ ହେଉଛି ବା ସୈନ୍ୟ ମରୁବଛନ୍ତି ସେତେବେଳେ ଦେଖାଯାଉଛି ଯେ ଏଇ ବାବୁ ସେଠି ଗୋଟେ ବଡ଼ ପଦବୀରେ ଅଛନ୍ତି । ଉଦାହରଣସ୍ୱରୂପ – ୨୦୧୦ରେ ଯେଉଁ ଦନ୍ତେୱାଡା ଘଟଣା ଘଟିଲା ଯେଉଁଥିରେ ୭୬ ସୈନ୍ୟ ବିନାଯୁଦ୍ଧରେ ସହିଦ ହୋଇଗଲେ ସେତେବେଳେ ଏଇ ବାବୁ ସିଆରପିଏଫ୍ର ଡିଆଇଜି ଥିଲେ । ୨୦୨୧ରେ ବିଜାପୁରରେ ୨୨ଜଣ ସୈନ୍ୟ ସହିଦ ହୋଇଥିଲେ । ସେତେବେଳେ ବି ଏଇବାବୁ ସେଇଠି ଆଇଜି ହୋଇ ଯାଇଥିଲେ । ୨୦୧୯ରେ ପୁଲୱାମା ହେଲା ସେଥିରେ ୪୦ଜଣ ସୈନ୍ୟ ବିନା ଯୁଦ୍ଧରେ ଦେଶ ଭିତରେ ବୋମା ବିସ୍ଫୋରଣର ଶିକାର ହୋଇ ମରିଗଲେ । ସେତେବେଳେ ଏଇ ଲୋକ ସିଆରପିଏଫ୍ରେ ଜଣେ ବରିଷ୍ଠ ଅଧିକାରୀ ହୋଇ ରହିଥିଲେ । ୨୦୨୫ରେ ଯେତେବେଳେ ପହେଲଗାଁଓ ହତ୍ୟାକାଣ୍ଡ ହେଲା ଓ ୨୬ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଗଲା ଏଇବାବୁ ଏବେ ସେଠି କାଶ୍ମୀରର ଡିଜିପି (ମାନେ ସର୍ବୋଚ୍ଚ କର୍ତ୍ତା ଅଛନ୍ତି)
ପାଠକେ, ଆମେ କହୁନାହୁଁ ଯେ ଏଇ ବାବୁଙ୍କଯୋଗୁଁ ଭାରତର ଏତେ ଗୁଡ଼ିଏ ସୈନିକ ବା ସାଧାରଣ ଲୋକ ମରିଗଲେ କିନ୍ତୁ ଦେଖିବାର କଥା ହେଉଛି ସବୁ ଭୟଙ୍କର ମୃତୁ୍ୟବେଳକୁ ବାବୁଙ୍କର ଅବସ୍ଥିତି ଓ ତାଙ୍କ ପଦୋନ୍ନତି । ହେଇଥିବ ଯେ ବାବୁ ଜଣେ ଟାଣୁଆ ଲୋକ ହୋଇଥିବେ । କିନ୍ତୁ କହୁଛନ୍ତି ଯେ ସେଇଟା କାଳେ ହେଉଛି ଗେରୁଆ ସିନ୍ଦୁରର କରାମତି କାରଣ ବାବୁ ଗେରୁଆ ସିନ୍ଦୁରକୁ କାଳେ ଭାରି ପବିତ୍ର ବୋଲି ମାନନ୍ତି ।

ଓବିସି ପିଲା କୋଟାରେ ଡାକ୍ତର ଇଂଜିନିୟର ହେବେନି!

ଏଥର ଲେଖାଟି ଟିକେ ଡେରିରେ ପ୍ରେସକୁ ଯିବାର କାରଣ ହେଉଛି ଓବିସି । ହଁ ଆଜ୍ଞା । ଏବେର ରାଜ୍ୟ ସରକାର ଗୋଟେ କଡ଼ା ପଦକ୍ଷେପ ନେଇ ଓବିସି ପିଲାଙ୍କ ନାମଲେଖା ପାଇଁ ବିଭିନ୍ନ ସରକାରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ୧୧.୨୫% ସଂରକ୍ଷଣ ରହିବ ବୋଲି ଘୋଷଣା କରିଛନ୍ତି । ଏହି ସଂରକ୍ଷଣକୁ ନେଇ ବହୁ ପଛୁଆ ଜାତିର ନେତା ଖୁସି । ଆଜି ୧୭ମଇ ଦିନ ଏହି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଶୁଭେଚ୍ଛା ଅଭିନନ୍ଦନ ସବୁ ଜଣାଇଛନ୍ତି । ହେଲେ ନେତାଏ ବୁଝିନାହାନ୍ତି ଯେ ଏହି ଜାତିର ଲୋକମାନଙ୍କର ଗୋଟିଏ ଦୁଃଖ ହେଉଛି ଯେ ସେମାନଙ୍କ ପିଲାମାନଙ୍କୁ ମେଡିକାଲ, ଇଂଜିନିୟରିଂ ପରି ପଇସାବାଲା ପାଠରେ ଏହି ୧୧.୨୫% ସଂରକ୍ଷଣ ବି ମିଳିବ ନାହିଁ । ଏ ବିଷୟରେ ଓବିସି ନେତା ରବି ବେହେରାଙ୍କୁ ପଚାରିଲେ ସିଏ ଅଶାବାଦୀ ହୋଇ କହିଛନ୍ତି ଯେ ହେବ । ଏତିକି ତ ହେଉ ନଥିଲା ନା ଭାଇ । ସେଇଟା ବି ହେବ । ପାଠକେ! ଆମେ ଓଡ଼ିଶା ଷ୍ଟେଟ କମିଶନ ଫର ବ୍ୟାକୱାର୍ଡ କ୍ଲାସେସ (ଓଏସସିବିସି)ରୁ ଯାହା ଜାଣିଲୁ ରାଜ୍ୟରେ ପାଖାପାଖି ୩୯.୩୧% ପଛୁଆ ଜାତିର ଲୋକ କାଗଜପତ୍ରରେ ଅଛନ୍ତି । ପାଖାପଖି ୨୦୮ଟି(ବେଶି କମ୍ ହୋଇପାରନ୍ତି) ପଛୁଆ ଜାତି ଅଛନ୍ତି । ଯେଉଁଥିରେ ପାଖାପାଖି ୧କୋଟି ୯୪ଲକ୍ଷ ଲୋକ ଅଛନ୍ତି ।
ଏ କାର୍ଯ୍ୟଟିକୁ ପ୍ରଥମେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି ପି ସିଂହ ଆରମ୍ଭ କରିଥିଲେ । ୧୯୯୦ ମସିହା ଅଗଷ୍ଟ ୭ତାରିଖରେ ଘୋଷଣା ହେଲା ଯେ ନିଯୁକ୍ତିକ୍ଷେତ୍ରରେ ପଛୁଆ ଜାତିମାନଙ୍କୁ ୨୭% ସଂରକ୍ଷଣ ମିଳିବ । କିନ୍ତୁ ଓଡିÿଶାରେ ବିଜୁ ପଟ୍ଟନାୟକ କହିଦେଲେ ‘ଗରିବର ଜାତି ନାହିଁ ।’ ତେଣୁ ସିଏ ସଂରକ୍ଷଣ ଲାଗୁ କଲେନି । ହେଲେ ସୁପ୍ରିମକୋର୍ଟ ଯେତେବେଳେ ନିଦେ୍ର୍ଦଶ ଦେଲେ ଓଡ଼ିଶା ସରକାର ବାଧ୍ୟହୋଇ ଏହାକୁ ଲାଗୁ କଲେ । ୨୦୦୭ରେ ପୁଣି ପ୍ରଶାସନିକ ଟ୍ରିବ୍ୟୁନାଲର ଆଳଦେଖାଇ ସଂରକ୍ଷଣ କଟାଗଲା । ୨୦୦୫-୬ରେ ୟୁପିଏ ୧ର ଅର୍ଜୁନ ସିଂହ ଆଇଆଇଟି, ଆଆଇଏମ୍, ଏମ୍ସରେ ପଛୁଆବର୍ଗ ପିଲାମାନେ ନାମ ଲେଖାଇବାକୁ ୨୭% ସ୍ଥାନ ସଂରକ୍ଷଣ କରିଥିଲେ । କିନ୍ତୁ ରାଜ୍ୟରେ ଥିବା ନବୀନ ପଟ୍ଟନାୟକ ସରକାର ଏହାକୁ ଲାଗୁ କଲେନି କି ୨୦୨୫ ପର୍ଯ୍ୟନ୍ତ ମୋହନ ମାଝୀଙ୍କ ସରକାର କଲେନି । ମୋହନ ମାଝୀଙ୍କ ସରକାର ଶାସନରେ ରହିବାର ବର୍ଷୁଟିଏ ହେଲାଣି । ଏବେ ଯାହାହେଉ ପଛୁଆବର୍ଗର ପିଲାମାନଙ୍କୁ ନାମଲେଖା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଦେଇଛନ୍ତି । ହେଲେ ଓଡ଼ିଶାର ପଛୁଆଜାତି ପିଲାଙ୍କ ପାଇଁ ଇଂଜିନିୟରିଂ, ମେଡ଼ିକାଲ ପରି ପଇସାବାଲା ପାଠଗୁଡ଼ିକରେ ସଂରକ୍ଷଣ ଦେଇନାହାନ୍ତି । ତେଣୁ ଏହି ଜାତିର ଲୋକେ ବୁଝିପାରୁ ନାହାନ୍ତି ଆଉ କେତେ ଲଢ଼ିବେ?

Comments

0 comments

Share This Article