ଆମେ ବିହାରରେ ନିର୍ବାଚନ ଲଢ଼ିବାକୁ ଯାଉଛୁ

ପାଠକଗଣ, ମୁଁ ସେ ହରିଶଙ୍କର ନୁହେଁ, ଯିଏ ବ୍ୟଙ୍ଗ ଇତ୍ୟାଦି ଲେଖୁଥିଲି । ମୋର ନାମ, କାମ, ଧାମ, ସବୁ ବଦଳିଯାଇଛି । ମୁଁ ରାଜନୀତିକୁ ‘ସିଫ୍ଟ’ ହୋଇଯାଇଛି । ବିହାରରେ ବୁଲୁଛି ଓ ମଧ୍ୟବର୍ତ୍ତୀ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି ।
ଏବେ ମୋର ନାଁ ହେଉଛି-ବାବୁ ହରିଶଙ୍କର ନାରାୟଣ ପ୍ରସାଦ ସିଂହ ।
ମନେ ରହିବ ତ ? ଭୁଲିବେ ନାହିଁ  ତ ?
ହସିବେ ନାହିଁ । ମୁଁ ନୂଆ ଲୋକ ହୋଇଯାଇଛି ତ । ଏବେ ଶୁଦ୍ଧ ଭାଷା ଶିଖୁଛି । ଯେପରି ଗଠନ ହେଉଛି, ସେହିପରି କହୁଛି ।
ମୁଁ ବିହାର ଜନତାଙ୍କ ଡାକରାରେ ହିଁ ବିହାର ଆସିଥାଏ । ଜନତାଙ୍କ ଡାକ ରାଜନୀତିଜ୍ଞଙ୍କୁ କିପରି ଶୁଭିଯାଏ, ଏହା ପେସାର ଏକ ରହସ୍ୟ, ଏହା ମୁଁ କହିବି ନାହିଁ । ଜନତାର ଡାକ ବେଳେବେଳେ ଯଦି ଛେଳି ଛୁଆର ମେଁ ମେଁ ଡାକ ଭଳି ହୋଇଥାଏ । ସେ ତା ମାକୁ ଡାକୁଥାଏ, କିନ୍ତୁ ଆସିଯାଏ ଗଧିଆ । ସେ ଯଦି ଚୁପ ରହେ ତାହାହେଲେ ବି କେଭେ କେଭେ ଗଧିଆ ପହଞ୍ଚିଯାଏ ଓ କହେ ତୁ ମୋତେ ଡାକୁଥିଲୁ । ଛେଳି ଛୁଆ କହେ -ମୁଁ ତ ପାଟି ଖୋଲିନାହିଁ । ଗଧିଆ କହେ -ତାହେଲେ ମୁଁ ତୋର ହୃଦୟର ଡାକ ଶୁଣିଥିବି ।
ବିହାରର ଜନତା କହିପାରନ୍ତି – ଆମେ ତୁମକୁ ଡାକିନାହୁଁ । ତୁମଦ୍ୱାରା ଆମର ଉଦ୍ଧାର କରାଇବାର ନାହିଁ । ତୁମେ କାହିଁକି ଆମର ମଙ୍ଗଳ କରିବା ପାଇଁ ଏତେ ଆଗ୍ରହୀ?
ମୁଁ କହିବି -ମୁଁ ଦୂର ମଧ୍ୟପ୍ରଦେଶରେ ତୁମ ହୃଦୟର ଡାକ ଶୁଣି ନେଇଥିଲି । ସେଠାରେ ମଧ୍ୟବର୍ତ୍ତୀ ନିର୍ବାଚନ ହେଉନାହିଁ, ସେଥିପାଇଁ ସେଠାରେ ଜନତାଙ୍କ ସେବା ମୁଁ କରିପାରିବି ନାହିଁ । ଆଉ ସେବା ନ କରିପାରିଲେ ମୁଁ ଜୀବିତ ରହିପାରିବି ନାହିଁ । ତୁମେ ରାଜି ନହେଲେ, ବଳପୂର୍ବକ ସେବା କରିଯିବି । ସେବାର ବଳାତ୍କାର! ବୁଝୁଛନ୍ତି?
ଏକୁଟିଆ ମୁଁ ନୁହେଁ, ଭଗବାନ୍ ଶ୍ରୀକୃଷ୍ଣ ମଧ୍ୟ ବିହାର ଜନତାର ଉଦ୍ଧାର କରିବା ପାଇଁ ଆସି ପହଞ୍ଚିଛନ୍ତି । ବିହାରର ବନ୍ୟା, ଦୁର୍ଭିକ୍ଷ ଓ ମହାମାରୀରେ ପୀଡ଼ିତ ଜନତା! ଅକାଳରେ ପୀଡ଼ିତ ଜନତା!
ଦିନେ ମୋର କୃଷ୍ଣ ଭଗବାନ୍ଙ୍କ ସହ ଭେଟ ହୋଇଗଲା । ମୁଁ ଚିହ୍ନି ପକାଇଲି -ସେହି ମୟୂର, ମୁକୁଟ, ପୀତାମ୍ବର ଓ ମୁରଲୀ!
ମୁଁ କହିଲି, “ଭଗବାନ୍ କୃଷ୍ଣ ତ!”
ସେ କହିଲେ, “ହଁ, ମୁଁ ସେହି । କିନ୍ତୁ ମୋ ନାଁ ଏବେ ଭଗବାନ୍ ବାବୁ କୃଷ୍ଣନାରାୟଣ ପ୍ରସାଦ ସିଂହ ହୋଇଯାଇଛି । କୃଷ୍ଣବାବୁ ମଧ୍ୟ କହିପାରନ୍ତି ।”
ମୁଁ କହିଲି, “ଭଗବାନ୍, କଣ ଗୋରକ୍ଷା-ଆନ୍ଦୋଳନର ନେତୃତ୍ୱ ନେବାକୁ ଆସିଛନ୍ତି? ନିର୍ବାଚନ ଆସୁଛି, ତେଣୁ ଗୋରକ୍ଷା ହବ ହି । ଆପଣ ତ ଗୋରକ୍ଷା ଆନ୍ଦୋଳନ ଜରିଆରେ ପଲିଟିକ୍ସରେ ପଶିଯିବେ ।”
କୃଷ୍ଣ କହିଲେ, “ନା, ସେଥିପାଇଁ ଆସିନାହିଁ । ଗୋରକ୍ଷା ଆନ୍ଦୋଳନ ସାଧାରଣ ନିର୍ବାଚନର ବିଷୟ । ମଧ୍ୟବର୍ତ୍ତୀ ଛୋଟ ନିର୍ବାଚନରେ ତ ‘ମୂଷକ ରକ୍ଷା ଆନ୍ଦୋଳନ’ ଦ୍ୱାରା କାମ ଚଳିଯିବ । ମୂଷକ ରକ୍ଷାରେ ଗଣେଶଙ୍କର ରୁଚି ଥାଇପାରେ, ମୋର ନୁହେଁ ।”
ମୁଁ କହିଲି, “ତାହେଲେ ଆପଣଙ୍କୁ ରାମସେବକ ଯାଦବ ଡାକିଥିବେ -ଯାଦବଙ୍କ ଭୋଟ ସଂସୋପା(ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି)କୁ କରାଇଦେବା ପାଇଁ ।”
କୃଷ୍ଣ ଚିଡ଼ିଗଲେ । କହିଲେ, “ମୋତେ ତ କହିବାକୁ ଦିଅ । ମୁଁ ବିହାର ଜନତାଙ୍କ ଡାକରାରେ ହିଁ ଆସିଛି ।”
ମୁଁ କହିଲି, “ଭଗବାନ୍, ଆପଣଙ୍କୁ ଭ୍ରମ ହୋଇଯାଇଛି । ସେମାନେ ତ କୃଷ୍ଣବଲ୍ଲଭ ସହାୟଙ୍କ ସମର୍ଥକ ଥିଲେ ଯେଉଁମାନେ ତାଙ୍କୁ ଟିକେଟ ଦେବା ପାଇଁ ଏତେ ଜୋରରେ ପାଟି କରୁଥିଲେ ଯେପରିକି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଯାଏ ଶୁଣାଯିବ ।”
କୃଷ୍ଣ କହିଲେ, “ନା, ମୁଁ ନିଜେ ଶୁଣିଛି, ଜନତା କହୁଥିଲା-ହେ ଭଗବାନ୍, ଏବେ ତ ତୋର ହିଁ ସାହାରା? ତୁ ହିଁ ଉଦ୍ଧାର କରିପାରିବୁ! ଏହି ଆରତ ଡାକ ଶୁଣି ମୁଁ ଆସିଛି ।”
ଏପରି ହୋଇପାରେ । କଥାହେଉଛି ଯେ ଚତୁର୍ଥ ନିର୍ବାଚନ ପରେ କେବଳ ଭଗବାନ୍ ଙ୍କ କ୍ଷମତା ଆସନ ବା ସତ୍ତା ହିଁ ସ୍ଥିର । ବିହାରର ହଇରାଣ ହରକତରେ ଥିବା ଲୋକ ପାଟନାରେ ଗୋଟିଏ ସରକାରକୁ ଅପିଲ କରୁଥିବେ ସେତେବେଳକୁ ଆଉ ଏକ ସରକାର ଆସିଗଲାଣି । ହୋଇପାରେ, ସେମାନେ ଈଶ୍ୱରଙ୍କର ଏକମାତ୍ର ସ୍ଥିର ସରକାରଠାରେ ଗୁହାରି କରିଥିବେ ।
ମୁଁ କହିଲି, “ଠିକ କଲେ ଯେ ଆପଣ ଆସିଗଲେ । ଏବେ କଣ କରିବାର ଲକ୍ଷ୍ୟ ରହିଛି?”
ସେ କହିଲେ, “ମୋର ତ ଘୋଷିତ କାର୍ଯକ୍ରମ ରହିଛି-ତ୍ରିସୂତ୍ରୀ- ସାଧୁଙ୍କର ପରିତ୍ରାଣ, ଦୁଷ୍କର୍ମୀଙ୍କର ବିନାଶ ଓ ଧର୍ମର ସଂସ୍ଥାପନା ।”
ମୁଁ ପଚାରିଲି, “କୌଣସି ଆର୍ଥିକ କାର୍ଯକ୍ରମ ଆଦି?”
ସେ କହିଲେ, “ନା, କେବଳ ଏହି ତ୍ରିସୂତ୍ରୀ କାର୍ଯକ୍ରମ ।”
ମୁଁ ପଚାରିଲି, “ଏଠାକାର ରାଜନୀତିଜ୍ଞଙ୍କ ମଧ୍ୟରେ କେହି ସାଧୁ ମିଳିଲେ?”
“ଜଣେ ବି ନୁହେଁ ।”
“ଆଉ ଅସାଧୁ?”
“ଜଣେ ବି ନୁହେଁ । ପ୍ରତ୍ୟେକ ନିଜକୁ ସାଧୁ ଓ ଅନ୍ୟକୁ ଅସାଧୁ କହୁଛି । କାହାର ବିନାଶ କରିବି, ବୁଝିପାରୁ ନାହିଁ ।”
ସେହି ସମୟରେ ମୁଁ ଦେଖିଲି ତାଙ୍କ ହାତରେ ସୁଦର୍ଶନ ଚକ୍ର ତ ନାହିଁ, ବିନାଶ କିପରି କରିବେ । ମୁଁ ଯେତେବେଳେ ପଚାରିଲି, କୃଷ୍ଣ କହିଲେ, “ଚକ୍ର ଘରେ ରଖିଛି କାରଣ ତାର ଲାଇସେନ୍ସ ନାହିଁ । ତା’ଛଡ଼ା ଏଠାରେ ଏବେଠାରୁ ଧାରା ୧୪୪ ମଧ୍ୟ ଲାଗିଛି ।”
ମୁଁ ତାଙ୍କୁ ବୁଝାଇଲି, “ଭଗବାନ୍, ସୁଦର୍ଶନ ଚକ୍ରର ଲାଇସେନ୍ସ ବି ଯଦି ମିଳିଯାଏ ତାହାହେଲେ ବି କାହାରିକୁ ହତ୍ୟା କରିବା ଦୋଷରେ ଆପଣ ଦଫା ୩୦୨ରେ ପଡ଼ିଯିବେ ।”
କୃଷ୍ଣ ଚିନ୍ତାରେ ପଡ଼ିଗଲେ । କହିଲେ, “ତାହାଲେ ଧର୍ମର ସଂସ୍ଥାପନା କିପରି ହେବ?”
ମୁଁ କହିଲି , “ଧର୍ମର ସଂସ୍ଥାପନା ତ ସାମ୍ପ୍ରଦାୟିକ ଦଙ୍ଗାଦ୍ୱାରା ହେଉଛି । ଆପଣ ଗୋଟିଏ ହାଡ଼ର ଖଣ୍ଡ ନେଇ ମନ୍ଦିରରେ ପକାଇ ଦିଅନ୍ତୁ ଆଉ ହିନ୍ଦୁ ଧର୍ମ ନାଁରେ ଦଙ୍ଗା କରାଇ ଦିଅନ୍ତୁ । ଧର୍ମର ଉପଯୋଗ ତ ଏବେ କେବଳ ଦଙ୍ଗା କରିବାପାଇଁ ରହିଯାଇଛି । ଆପଣଙ୍କ ବିଚାର ବହୁତ ପୁରୁଣା ହୋଇଗଲାଣି । ଆମେ ସମସ୍ତେ ତ ଦୁଷ୍କର୍ମୀଙ୍କର ପରିତ୍ରାଣ ପାଇଁ ଏହି ବ୍ୟବସ୍ଥା ଚଳାଇଛୁ । ସବୁଠାରୁ ଅସୁରକ୍ଷିତ ତ ସାଧୁ ଅଟନ୍ତି ।”
ଭଗବାନ୍ କୃଷ୍ଣଙ୍କୁ ମୁଁ ପୁଣି ବୁଝାଇଲି, “ଆପଣ ସଂସଦୀୟ ଲୋକତନ୍ତ୍ରରେ ପ୍ରବେଶ ବିନା ଜନତାଙ୍କର ଉଦ୍ଧାର କରିପାରିବେ ନାହିଁ । ଆପଣ ନିର୍ବାଚନ ଲଢ଼ନ୍ତୁ ଓ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତୁ । ରୁକ୍ମିଣୀଜୀଙ୍କୁ ଡକାଇ ଦିଅନ୍ତୁ । ଯେଉଁ ଟୁର୍ଣାମେଣ୍ଟର ଆପଣ ଉଦ୍ଘାଟନ କରିବେ, ସେଥିରେ ସେ ପୁରସ୍କାର ବିତରଣ କରିବେ । ଘରର ଗୋଟିଏ ଯୋଡ଼ିଙ୍କର ‘କର-କମଳ’ରେ ଦୁଇଟି କାମ ହୋଇଯିବ ।”
ବହୁତ କଷ୍ଟରେ ତାଙ୍କର ସାମନ୍ତୀ ସଂସ୍କାର ଗଳାରେ ଲୋକତନ୍ତ୍ର ପଶିଲା । ଏହାଠାରୁ ସହଜରେ ତ ଦରଭଙ୍ଗା-ନରେଶ ବାବୁ କାମାକ୍ଷାନାରାୟଣ ସିଂହ ଲୋକତନ୍ତ୍ରୀ ହୋଇ ଯାଇଥିଲେ ।
କୃଷ୍ଣଙ୍କୁ ନିର୍ବାଚନ ପଡ଼ିଆରେ ଓହ୍ଲାଇବା ପଛରେ ମୋର ସ୍ୱାର୍ଥ ଥିଲା । ରାଜନୀତିରେ ମୁଁ ନୂଆ ଆସିଛି । ପ୍ରଥମେ କୌଣସି ବଡ଼ଲୋକର ‘ଚାମଚା’ ହେବା ନିହାତି ଦରକାର । ‘ଦାଦା’କୁ ‘ଚାମଚା’ ଦରକାର ଆଉ ଚାମଚାକୁ ଦାଦା । ଦାଦା ମୁଖ୍ୟମନ୍ତ୍ରୀ, ତ ଚାମଚା ଗୃହମନ୍ତ୍ରୀ । ମୁଁ ଭାବିଲି, ଲୋକେ ଶଙ୍କରାଚାର୍ଯ୍ୟଙ୍କୁ ନିଜ ପଟକୁ ନେଉଛନ୍ତି, ମୁଁ ସାକ୍ଷାତ ଭଗବାନ କୃଷ୍ଣଙ୍କ ସାଥୀ ହୋଇଯାଏ ।
ଆମେ ସ୍ଥିର କଲୁ ଯେ ପ୍ରଥମେ ଆମ ପକ୍ଷରେ ଜନମତ ସୃଷ୍ଟି କରିବା ଓ ପରେ ରାଜନୈତିକ ପାର୍ଟିମାନଙ୍କ ସହ ବୁଝାମଣା କରିବା । ଆମେ ଲୋକଙ୍କ ସହ ଭେଟ କରିବାକୁ ବାହାରି ପଡିଲୁ । ମୁଁ ତ ଥିଲି ଚାମଚା । ଭଗବାନଙ୍କ ପରିଚୟ ଦେଇ ଚୁପ ହୋଇଯାଉଥିଲି । ମୋର ବିଶ୍ୱାସ ଥିଲା ଯିଏ ଯୁକ୍ତି କରି କରି ଅର୍ଜୁନ ନ ଚାହୁଁଥିଲେ ମଧ୍ୟ ତାଙ୍କୁ ଲଢ଼େଇ ଦେଇ ପାରିଥିଲେ ସେ ଲୋକଙ୍କୁ ତର୍କରେ ଠିକ କରିଦେବେ । କିନ୍ତୁ ଧୀରେଧୀରେ ମୋର ଚିନ୍ତା ବଢ଼ିବାକୁ ଲାଗିଲା । କୃଷ୍ଣଙ୍କ କଥା ଲୋକଙ୍କ ଭିତରେ କାଟୁ କରୁ ନ ଥିଲା ।
ରାଜନୀତି କରୁଥିବା କେତେକ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ହେଲା । କୃଷ୍ଣ କହିଲେ-ନିର୍ବାଚନରେ ଲଢୁଛି ।
ସେମାନେ କହିଲେ, “ହଁ,ହଁ, ଆପଣ କାହିଁକି ଲଢ଼ିବେ ନାହିଁ । ଆପଣ ଭଗବାନ୍ । ଆପଣଙ୍କର ନାଁ ଅଛି । ଆପଣଙ୍କର ଭଜନ ହୁଏ । ଆପଣଙ୍କର ଆରତୀ ହୁଏ । ଆପଣଙ୍କ ଉପରେ ପ୍ରବଚନ ହୁଏ । ଆପଣଙ୍କର ଫଟୋ ବିକ୍ରି ହୁଏ । ଆପଣ ଯଦି ଲଢ଼ିବେ ନାହିଁ ତାହାହେଲେ କିଏ ଲଢ଼ିବ, ଆପଣ ତ ଯାଦବ, ନୁହେଁ କି?”
କୃଷ୍ଣ କହିଲେ, “ମୁଁ ଈଶ୍ୱର ଅଟେ । ମୋର କୌଣସି ଜାତି ନାହିଁ ।”
ସେମାନେ କହିଲେ, “ଦେଖନ୍ତୁ,ଏଠାରେ ଭଗବାନ୍ ହେଲେ କାମ ହେବ ନାହିଁ । ଆପଣଙ୍କୁ କେହି ଭୋଟଦେବେ ନାହିଁ । ଜାତି ଯଦି ନ ରଖିବେ ତାହାହେଲେ ଜିତିବେ କିପରି?”
ଜାତିର ଏପରି ବିଚାରରେ ଆମେ ବିବ୍ରତ ହୋଇ ପଡିଲୁ -ଭୂମିହାର, କାୟସ୍ଥ, କ୍ଷତ୍ରିୟ, ଯାଦବ ହେବା ପରେ ହିଁ କେହି କଂଗ୍ରେସୀ, ସମାଜବାଦୀ ବା ସାମ୍ୟବାଦୀ ହୋଇପାରେ । କୃଷ୍ଣଙ୍କୁ ପ୍ରଥମେ ଯାଦବ ହେବାକୁ ପଡ଼ିବ, ତା’ପରେ ପଛେ ସେ ମାର୍କ୍ସବାଦୀ ହୋଇଯାଆନ୍ତୁ ।
କୃଷ୍ଣ ଏହି ଜାତିବାଦଦ୍ୱାରା ବିବ୍ରତ ହୋଇପଡିଲେ । କହିଲେ, “ଏମାନେ ପଛୁଆ ଲୋକ । ଚାଲ ବିଶ୍ୱବିଦ୍ୟାଳୟ ଯିବା । ଆମେ ପ୍ରବୃଦ୍ଧ ଲୋକଙ୍କର ସମର୍ଥନ ନେଇ ଏହି ଜାତିବାଦର ମୂଳ ତାଡ଼ିଦେବା ଉଚିତ ।”
ବିଶ୍ୱବିଦ୍ୟାଳୟର ରାଜନୀତିର ପ୍ରଫେସରଙ୍କ ସହ ଆମେ କଥାବାର୍ତ୍ତା କରୁଥିଲୁ । ସେ ସ୍ପଷ୍ଟ କହିଦେଲେ, “ମୁଁ କାୟସ୍ଥ ହୋଇଥିବାରୁ, କାୟସ୍ଥଙ୍କୁ ହିଁ ସମର୍ଥନ କରିବି ।”
କୃଷ୍ଣ କହିଲେ, “ଆପଣ ବିଦ୍ୱାନ ହୋଇ ମଧ୍ୟ ଏତେ ସଂକୀର୍ଣ୍ଣ?”
ପ୍ରଫେସର ବୁଝାଇଲେ, “ଦେଖନ୍ତୁ, ବିଦ୍ୟାଦ୍ୱାରା ମନୁଷ୍ୟ ତାର ଅସଲ ରୂପକୁ ଚିହ୍ନିଥାଏ । ମୁଁ ବିଦ୍ୟାପ୍ରାପ୍ତ କଲି, ସେଇଠୁ ନିଜକୁ ଚିହ୍ନିଲି ଯେ ମୁଁ କାୟସ୍ଥ ଅଟେ ।”
କୃଷ୍ଣ ବ୍ୟସ୍ତ ହୋଇ ଗୋଟିଏ ଗଛର ଛାଇରେ ଗଡ଼ି ପଡ଼ିଲେ । କହିଲେ, “ଭାବୁଛି ଫେରିଯାଏ । ଯେଉଁଠି ଭଗବାନ୍ ଙ୍କ ଭଗବାନ୍ ହେବା କାରଣରୁ ଗୋଟିଏ ବି ଭୋଟ ମିଳିବ ନାହିଁ, ସେଠି ମୋଦ୍ୱାରା ରାଜନୀତି ହେବ ନାହିଁ ।”
ସେପଟେ କୃଷ୍ଣ ରାଜନୀତିରେ ଓହ୍ଲାଇବା ସମ୍ବାଦ ବେଶ୍ ପ୍ରଚାରିତ ହୋଇ ଯାଇଥିଲା ଓ ରାଜନୈତିକ ଦଳମାନେ ସତର୍କ ହୋଇ ଯାଇଥିଲେ । ଜନସଂଘର ଧାରଣା ଥିଲା ଯେ ଗୋପାଳ ହୋଇଥିବାରୁ, କୃଷ୍ଣ ତାଙ୍କର ସାଥୀ ହେବେ ଆଉ ଯଦି ବିରୋଧ ହୁଏ ତାହାପାଇଁ ମଧ୍ୟ ପ୍ରସ୍ତୁତ ହୋଇଯିବା ଉଚିତ । ସେମାନେ ପୁରାଣ ବାଚକଙ୍କୁ ବସେଇ ଦେଇଥିଲେ ଯେ ପୋଥି ଦେଖି କୃଷ୍ଣଙ୍କର ଦୋଷ ସବୁ କାଢ଼ିବା ପାଇଁ । ଯଦି ଗଡ଼ବଡ଼ କରନ୍ତି ତାହାହେଲେ ଚରିତ୍ର ସଂହାର କରିଦେବେ ।
ଚରିତ୍ର ସଂହାର ଆରମ୍ଭ ହୋଇଯାଇଥିଲା । କାନକୁହା ଆରମ୍ଭ ହୋଇ ଯାଇଥିଲା । କୃଷ୍ଣ ଶୀତଳଛାଇରେ ଶୋଇ ପଡ଼ିଥିଲେ । ମୁଁ ବସିଥିଲି । ସେତେବେଳେ ଗୋଟିଏ ଲୋକ ଆସିଲା । ମୋ କାନରେ କହିଲା–
“ଇଏ ଭଗବାନ ଶ୍ରୀକୃଷ୍ଣ ନା?”
ମୁଁ କହିଲି, “ହଁ, ଦେଖ କିପରି ରୂପ ।”
ସେ କହିଲା, “ଗୋଟିଏ କଥା କହିବି । କାହାରିକୁ କହିବେ ନାହିଁ । ଆଙ୍କର ‘ଡବ୍ଳିୟୁ’ ମାମଲାରେ ବହୁତ ଅସୁବିଧା ଅଛି । ଅପହରଣ କରି ନେଇ ଆସିଛନ୍ତି । ରୁକ୍ମିଣୀ ନାମ ଅଟେ । ବହୁତ ବଡ଼ ଦଙ୍ଗା ହୋଇଥିଲା ଯେତେବେଳେ ସେ ରୁକ୍ମିଣୀଙ୍କୁ ନେଇ ଆସିଥିଲେ । ପ୍ରମାଣ ମିଳିଗଲାଣି । ପୋଥିରେ ସବୁ ଲେଖାଅଛି । ଯିଏ କୌଣସି ଝିଅକୁ ଅପହରଣ କରି ନେଇ ଆସିଛି, ସେ ଯଦି ଶାସନରେ ଆସେ ତାହାହେଲେ ଆମଘର ଝିଅ ବୋହୂଙ୍କର ଇଜ୍ଜତର କଣ ହେବ?”
କୃଷ୍ଣ ଉଠିଲାପରେ ମୁଁ କହିଲି, “ପ୍ରଭୁ, ଆପଣଙ୍କର ‘କାରେକ୍ଟର ଆଶାସିନେସନ’ ଆରମ୍ଭ ହୋଇଗଲାଣି । ଏବେ ଆପଣ ନିର୍ବାଚନରେ ସାହସର ସହ ଲମ୍ଫ ଦିଅନ୍ତୁ, ନହେଲେ ମୋତେ ଛାଡ଼ନ୍ତୁ । ମୁଁ କେଉଁଠି ନିଜର ବୁଝାମଣା କରିନେବି । ଆପଣଙ୍କ ସାଙ୍ଗରେ ରହିଲେ ମୋର ରାଜନୀତିକ ଭବିଷ୍ୟତ ବିପଦରେ ପଡ଼ିଯିବ ।”
ଶୋଇକି ଉଠିବାପରେ କୃଷ୍ଣଙ୍କ ମସ୍ତିଷ୍କ ସତେଜ ହୋଇଯାଇଥିଲା । ସେ ବହୁତ ବିଶ୍ୱାସର ସହ କହିଲେ, “ଗୋଟିଏ କଥା ମୋ ମୁଣ୍ଡକୁ ଆସିଛି । ଏଠାରେ ମୋର କେତେ ହଜାର ପକ୍କା ସମର୍ଥକ ଅଛନ୍ତି ଯେଉଁମାନଙ୍କୁ ମୁଁ ଭୁଲି ଯାଇଥିଲି । ମୋର ହଜାର ମନ୍ଦିର ଅଛି । ଏମାନଙ୍କର ପୂଜାରୀ ମୋର ପକ୍କା ସମର୍ଥକ ହେବେ ହିଁ । ମୁଁ ଏହି ହଜାର ପୂଜାରୀଙ୍କ ବଳରେ ସମସ୍ତ ଆସନ ଜିତିପାରିବି । ଚାଲ, ପୂଜାରୀମାନଙ୍କ ସହିତ କଥାବାର୍ତ୍ତା ହେବା ।”
ଆମେ ଯାଇ ଏକ ମନ୍ଦିରରେ ପହଁଚିଲୁ । ପୂଜାରୀ କୃଷ୍ଣଙ୍କୁ ଦେଖିଲା ଓ ଖୁସିରେ ପାଗଳ ହୋଇଉଠିଲା, ନାଚିବାକୁ ଲାଗିଲା । କହିଲା, “ଧନ୍ୟ ମୋ ଭାଗ୍ୟ! ଜୀବନସାରାର ପୂଜା ସଫଳ ହୋଇଗଲା । ଭଗବାନ୍ ଙ୍କ ସାକ୍ଷାତ୍ ଦେଖୁଛି ।”
କୃଷ୍ଣ ପୂଜାରୀକୁ କହିଲେ ଯେ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଭୋଟ ଦିଆଇବାର ଦାୟିତ୍ୱ ପୂଜାରୀର ହେବ ।
ପୂଜାରୀ କହିଲା, “ଆପଣ ତ ପ୍ରଭୁ, ଆପଣଙ୍କୁ କେଉଁ ଭୋଟର ଅଭାବ ହେବ ।”
କୃଷ୍ଣ କହିଲେ, “ତଥାପି ତ ନିଶ୍ଚିତ କରିବାକୁ ହେବ, ତୁମେ ମୋତେ ଭୋଟ ଦେବ ତ?”
ପୂଜାରୀ ହାତ ମଳିମଳି କହିଲା, “ଆପଣ ମୋର ଆରାଧ୍ୟ ଅଟନ୍ତି, ପ୍ରଭୁ ଅଟନ୍ତି, କିନ୍ତୁ ଭୋଟକଥା ଏପରି ଯେ ଏହା କେବଳ ଜାତିର ଲୋକକୁ ହିଁ ଯିବ । ଜାତିଠାରୁ ଉପରେ ଯଦି କେହି ନଥାନ୍ତା, ତାହାହେଲେ ମୁଁ ନିଶ୍ଚିତ ଆପଣଙ୍କୁ ହିଁ ଭୋଟ ଦେଇଥାନ୍ତି ।”
କୃଷ୍ଣଙ୍କର ଏତେ ଦୟନୀୟ ଅବସ୍ଥା ସେତେବେଳେ ମଧ୍ୟ ହୋଇ ନ ଥିବ ଯେତେବେଳେ ଶିକାରୀର ତୀର ତାଙ୍କୁ ଭେଦିଥିବ । କହିବାକୁ ଲାଗିଲେ, “ଏବେ ଭୂଦାନ ଆନେ୍ଦାଳନରେ ସାମିଲ ହେବାଛଡ଼ା ଆଉ କୌଣସି ରାସ୍ତା ନାହିଁ । ଯାହାର ନିଜର ପୂଜାରୀ ଧୋକା ଦେଇପାରେ, ଏପରି ଆହତ ରାଜନୀତିଜ୍ଞଙ୍କ ପାଇଁ ରହିଛି ହୁଏତ ଭାରତ ସେବକ ସମାଜ ବା ସର୍ବୋଦୟ । ଚାଲ, ବାବାଙ୍କ ପାଖକୁ ।”
ମୁଁ କହିଲି, “ବର୍ତ୍ତମାନ ସେ ସବଜେକ୍ଟ ଆସିନାହିଁ । ଏବେ ତ ଆମେ ଗୋଟିଏ ବି ନିର୍ବାଚନରେ ହାରିନାହାନ୍ତି । ପାଞ୍ଚପାଞ୍ଚ ଥର ନିର୍ବାଚନରେ ହାରି ମଧ୍ୟ ଲୋକେ ସର୍ବୋଦୟକୁ ଯାଇନାହାନ୍ତି । ଚାଲନ୍ତୁ, ରାଜନୀତିକ ଦଳମାନଙ୍କ ସହ କଥାବାର୍ତ୍ତା ହେବା ।”
ପ୍ରଥମେ ଆମେ କଂଗ୍ରେସ ଅଫିସ ଗଲୁ । ସେଠି କୁହାଗଲା ଏଠାରେ କଂଗ୍ରେସ ତ ଆଦୌ ନାହିଁ । ମନ୍ତ୍ରୀ କହିଲେ, “ଏଠାରେ ତ କୃଷ୍ଣବଲ୍ଲଭ ବାବୁ ଅଛନ୍ତି, ମହେଶ ବାବୁ ଅଛନ୍ତି, ରାମଖିଲାଓନ ବାବୁ ଅଛନ୍ତି, ମିଶ୍ର ବାବୁ ଅଛନ୍ତି, କଂଗ୍ରେସ ତ କେହି ନାହାନ୍ତି । ପୁଣି କଂଗ୍ରେସ ସହ ଭେଟ କରି କଣ କରିବେ । ଯେଉଁ ଗୋଷ୍ଠୀ ସରକାରରେ ପଶିଯାଏ, ସେ ହିଁ କଂଗ୍ରେସ ହୋଇଥାଏ । ଯିଏ କ୍ଷମତାରେ ନ ରହେ, ସେ କଂଗ୍ରେସ ମଧ୍ୟ ରହେ ନାହିଁ । କଂଗ୍ରେସ କିଏ, ତାହା ତ ନିର୍ବାଚନ ପରେ ହିଁ ଜଣାପଡ଼ିବ । କଂଗ୍ରେସ ଏବେ ସରକାର ଗଢ଼େନାହିଁ, ସରକାର ଭାଙ୍ଗେ । ଆପଣ ନିର୍ବାଚନ ଲଢ଼ନ୍ତୁ । ଯଦି ଆପଣଙ୍କ ସାଥିରେ ଚାରି ପାଞ୍ଚଜଣ ବିଧାୟକ ରୁହନ୍ତି , ତାହାହେଲେ ଆପଣ ଆମପାଖକୁ ଆସନ୍ତୁ । ଆପଣଙ୍କର ‘ମେଜରିଟି’ କରି ଦେଇ ଆପଣଙ୍କର ସରକାର କରିଦେବୁ । ଆମେ ମଣ୍ଡଳଙ୍କ ସରକାର କରି ଥିଲୁ ନା ।”
ଆମେ ସଂସୋପା ପାଖକୁ ଗଲୁ । ସେମାନେ ପ୍ରଥମେ ପରୀକ୍ଷା ନେଲେ । ଯେତେବେଳେ ଆମେ କହିଲୁ ଯେ ଜବାହରଲାଲ ତାଙ୍କ ଶେରୱାନିରେ ଯେଉଁ ଗୋଲାପଫୁଲ ଲଗାଉ ଥିଲେ ତାହା କାଗଜର ଥିଲା, ସେତେବେଳେ ସେମାନେ ବହୁତ ଖୁସି ହୋଇଗଲେ । କହିଲେ, “ବଡ଼ କ୍ରାନ୍ତିକାରୀ ବିଚାର ଅଟେ ଆପଣଙ୍କର । ଦେଖ, ଏହି ନେହେରୁ ଦେଶକୁ କେତେ ବଡ଼ ଧୋକା ଦେଇ ଚାଲିଥିଲା ।”
ମୁଁ କହିଲି, “ଆମେ ସମାଜବାଦୀ ହେବାକୁ ଚାହୁଁଛୁ ।”
ସେମାନେ କହିଲେ, “ସମାଜବାଦୀ ହେବା ସେତେ ଜରୁରୀ ନୁହେଁ, ଯେତେ ଅଣ-କଂଗ୍ରେସୀ ହେବା । ଡାକୁ ବି ଯଦି କଂଗ୍ରେସବିରୋଧୀ ହୁଏ , ତାହାହେଲେ ବଡ଼ରୁ ବଡ଼ ସମାଜବାଦୀଙ୍କଠାରୁ ମଧ୍ୟ ସେ ଶ୍ରେଷ୍ଠ ହେବ ।”
କୃଷ୍ଣ କହିଲେ, “ତେବେ କୌଣସି ଆଇଡିୟୋଲୋଜି ତ ଥିବ ନା?”
ସଂସୋପା ଲୋକେ କହିଲେ,“ଅଣ-କଂଗ୍ରେସବାଦ ତ ଗୋଟିଏ ଆଇଡିୟୋଲୋଜି । ଏହି ଆଇଡିୟୋଲୋଜି କାରଣରୁ ସମସ୍ତଙ୍କ ସହ ବୁଝାମଣା ହୋଇପାରୁଛି -ଗୋରକ୍ଷାରେ ଜନସଂଘ ସହିତ, ପୁଞ୍ଜିରକ୍ଷାରେ ସ୍ୱତନ୍ତ୍ର ପାର୍ଟି ସହିତ, ଜନତାନ୍ତ୍ରିକ ସମାଜବାଦରେ ପ୍ରସୋପା(ପ୍ରଜା ସୋସିଆଲିଷ୍ଟ ପାର୍ଟି) ସହିତ ଜନକ୍ରାନ୍ତିରେ କମ୍ୟୁନିଷ୍ଟଙ୍କ ସହିତ ।”
ମୁଁ ପଚାରିଲି, “ଡକ୍ଟର ଲୋହିଆ କହିଥିଲେ ଜନତାଙ୍କର ବିଶ୍ୱାସ ପାଇବାକୁ ହେଲେ ଅଣ-କଂଗ୍ରେସୀ ସରକାର ଛ’ମାସ ଭିତରେ କୌଣସି ଚମକ୍ରାର କାର୍ଯ୍ୟ କରି ଜଣାଉ । ଏପରି ହେଇଥିଲା କି?”
ସେମାନେ କହିଲେ, “ହଁ, ଗୋଟିଏ ନୁହେଁ ଅନେକ ଚମକ୍ରାରୀ କାମ ହୋଇଛି । ଆମର ମଣ୍ଡଳବାବୁ ହିଁ ତ କେତେ ବଡ଼ ଚମତ୍କାରୀ କାମ କରିଛନ୍ତି ।”
ଆମେଦୁହେଁ ସାମ୍ୟବାଦୀ ଦଳମାନଙ୍କ ପାଖକୁ ଗଲୁ । ଦକ୍ଷିଣପନ୍ଥୀ ସାମ୍ୟବାଦୀ ଦଳ କହିଲେ, “କମ୍ରେଡ ଶ୍ରୀକୃଷ୍ଣ’, ଆପଣଙ୍କ ହିସ୍ଟ୍ରି ଆମେ ପଢ଼ିଛୁ । ଆପଣଙ୍କଠାରେ ବାମପନ୍ଥୀ ଦୁଃସାହସିକତା ଓ ବାମପନ୍ଥୀ ବିଚଳନ ଉଭୟ ଅଛି । ଆପଣ ଏହିପରି କାମ କରିଥିଲେ । ଆପଣ ମାର୍କ୍ସବାଦୀଙ୍କ ନିକଟକୁ ଯାଆନ୍ତୁ ।”
ମାର୍କ୍ସବାଦୀ କହିଦେଲେ, “ତୁମେ ତ ସଂଶୋଧନବାଦୀ ଅଟ । ତୁମର ସମସ୍ତ ବର୍ଗଚରିତ୍ର ପ୍ରତିକ୍ରିୟାବାଦୀ ଅଟେ ।”
ଜନସଂଘ ଖୋଲା ହୃଦୟରେ ସ୍ୱାଗତ କଲା । କହିଲା, “ଆପଣ ତ ଦ୍ୱାପରରୁ ଆମର ପାର୍ଟିର ସଦସ୍ୟ ଥିଲେ । ଆସନ୍ତୁ , ଆପଣଙ୍କର ‘ବୌଦ୍ଧିକ’ ହେଇଯାଉ ।”
ସେମାନେ ଗୋଟିଏ କାଗଜ ଖଣ୍ଡରେ ଲେଖିଲେ-ହିନ୍ଦୁ ରାଷ୍ଟ୍ର, ଗୋରକ୍ଷା, ଭାରତୀୟ ସଂସ୍କୃତି । କାଗଜଖଣ୍ଡକୁ ଗୋଟିଏ ଛପା କାଗଜରେ ରଖିଲେ । ପୁଣି ଆଲମାରୀରୁ ତାଲା ଚାବି କାଢ଼ିଲେ ।
ସେମାନେ ବୁଝାଇବାକୁ ଲାଗିଲେ, “ଆପଣଙ୍କର ବୌଦ୍ଧିକ ସଂସ୍କାର କରୁଅଛୁ । ମୁଣ୍ଡ ଖୋଲି ଏ ବିଚାର ଆପଣଙ୍କ ମଗଜରେ ରଖି ତାଲା ଲଗାଇ ଦେବୁ ଓ ଚାବି ନାଗପୁର ଗୁରୁଜୀଙ୍କ ପାଖକୁ ପଠାଇ ଦେବୁ । ସେଠାରୁ ନା ଚାବି ଆସିବ, ନା ଆପଣଙ୍କର ମଗଜ ଖୋଲିବ, ନା ପରକୀୟ ଓ ଅରାଷ୍ଟ୍ରୀୟ ବିଚାର ଆପଣଙ୍କ ମଗଜରେ ପଶିବ ।”
କୃଷ୍ଣ ଆତଙ୍କିତ ହୋଇଗଲେ । ସେ ହଠାତ୍ ଉଠି ପଡ଼ିଲେ ଓ ବାହାରକୁ ଦଉଡ଼ିଲେ । ପଛରୁ ସେ ଲୋକଟି ପାଟି କଲା, “ରୁହନ୍ତୁ, ରୁହନ୍ତୁ, ଆମର ସ୍ୱୟଂସେବକମାନଙ୍କୁ ଗୋଟିଏ ଗୋଟିଏ ସୁଦର୍ଶନ ଚକ୍ର ତ ଦେଇକି ଯାଆନ୍ତୁ ।”
ଆମେ ଦଉଡ଼ିଲୁ ଓ ସିଧାଯାଇ ଶୋଷିତ ଦଳପାଖରେ ପହଁଚିଲୁ । ସେମାନେ କହିଲେ, “ଆପଣ ଏବେଠାରୁ ଶୋଷିତ କିପରି ହୋଇପାରିବେ? ଶୋଷିତ ସେତେବେଳେ ହୁଅନ୍ତି ଯେତେବେଳେ ବିଧାୟକ ହେବେ କିନ୍ତୁ ମନ୍ତ୍ରୀ ହେଉନଥିବେ । ଆପଣ ମନ୍ତ୍ରୀ ହୋଇ ନ ପାରିଲେ ତ ଶୋଷିତ ହେବେ । ସେତେବେଳେ ଆମସାଙ୍ଗରେ ଚାଲି ଆସିବେ ।”
କ୍ରାନ୍ତିଦଳର ମହାମାୟା ବାବୁଙ୍କ ସହ ଭେଟ କରିବାର ଆମର ଇଚ୍ଛା ଥିଲା, କିନ୍ତୁ ଶୁଣିଲୁ ଯେତେବେଳଠାରୁ ସେ କାମାକ୍ଷା ବାବୁଙ୍କ ବିରୁଦ୍ଧରେ ୨୧୮ ମକଦ୍ଦମା ଉଠାଇଛନ୍ତି ସେହି ଦିନଠାରୁ ତାଙ୍କ ଖଣିରେ ହିଁ ଗୁପ୍ତବାସ କରୁଛନ୍ତି ।
ଖଣିବାହାରେ ରାଜା କାମାକ୍ଷାନାରାୟଣ ସିଂହଙ୍କ ସହ ଭେଟ ହୋଇଗଲା । ସେ କହିଲେ, “ମୋ ସାଙ୍ଗରେ ରହିଲେ ଅପଣମାନଙ୍କୁ ରାଜନୀତି ଦୁନିଆସାରା ଭ୍ରମଣ କରିବାକୁ ହେବ । ଆପଣ ଥକି ପଡ଼ିବେ । ସବୁଲୋକ ମୋ ଭଳି ଫୁର୍ତ୍ତି ନୁହନ୍ତି । ଦେଖନ୍ତୁ ନା, ମୁଁ ଜନତା ପାର୍ଟି ତିଆରି କଲି । ତାପରେ ମୁଁ ସ୍ୱତନ୍ତ୍ର ପାର୍ଟିକୁ ଚାଲିଗଲି । ପୁଣି କଂଗ୍ରେସକୁ ଫେରି ଆସିଲି । ପୁଣି ମୁଁ ଭାରତୀୟ କ୍ରାନ୍ତିଦଳକୁ ଚାଲିଗଲି । ପୁଣି ଭାରତୀୟ କ୍ରାନ୍ତିଦଳରୁ ବାହାରି ଜନତା ପାର୍ଟି ତିଆରି କଲି । ମୋ ପାଇଁ ରାଜନୀତିକ ଦଳ ଅଣ୍ଡରୱିୟର ଅଟେ; ବେଶୀ ଦିନ ଗୋଟିଏକୁ ପିନ୍ଧାଯାଇ ପାରେନା କାହିଁକି ନା ଦୁର୍ଗନ୍ଧ ଆସେ । ମୋ ପାଖରେ ସମୁଦାୟ ସତର ବିଧାୟକ ଅଛନ୍ତି, କିନ୍ତୁ କୌଣସି ସରକାର ମୋତେ ବାଦ୍ ଦେଇ ଚାଲିପାରିବ ନାହିଁ । ଆପଣମାନେ ନିଜର ଗୋଟିଏ ପାର୍ଟି କରନ୍ତୁ, ନିଜର କିଛି ଲୋକଙ୍କୁ ବିଧାନସଭାକୁ ଆଣନ୍ତୁ ଓ ପୁଣି ସିଂହାସନ ଉପରେ ବସି କଂଗ୍ରେସବାଦ, ସଂଘବାଦ, କ୍ରାନ୍ତିବାଦ, ସମାଜବାଦ, ସାମ୍ୟବାଦ ସମସ୍ତଙ୍କ ଦ୍ୱାରା ଗୋଡ଼ ଘସାନ୍ତୁ । ସିଦ୍ଧାନ୍ତରେ ଯଦି ରହିବ, ତାହେଲେ ଧ୍ୱଂସ ହେବ । ସବୁଠାରୁ ବଡ଼ ସିଦ୍ଧାନ୍ତ ହେଉଛି ବେପାର ।”
ଆମେ ବୁଝିଲୁ ଯେକୌଣସି ଦଳ ସହ ଆମର ଧାରଣା ସମ୍ପୂର୍ଣ୍ଣ ମିଶିବ ନାହିଁ । ଆମର ଗୋଟିଏ ଅଲଗାଦଳ ହେବା ଦରକାର । ଯଦି ଆମର ଚାରି-ପାଞ୍ଚ ବିଧାୟକ ବି ରହନ୍ତି, ତାହାହେଲେ ଭଙ୍ଗା-ଯୋଡ଼ା, ଉଠା-ପକା ଓ ଓପଡ଼ା-ଫୋପଡ଼ା ଦ୍ୱାରା ପ୍ରଦେଶର ସରକାର ସବୁବେଳେ ଆମ କବ୍ଜାରେ ରହିବ ।
ଆମେ ଏକ ନୂଆ ପାର୍ଟି ଗଢ଼ି ଦେଇଛୁ, ବର୍ତ୍ତମାନ ଏହି ପାର୍ଟି କେବଳ ବିହାରରେ କାର୍ଯ୍ୟ କରିବ । ଯଦି ମଧ୍ୟବର୍ତ୍ତୀ ନିର୍ବାଚନରେ ଆମକୁ ଜନତାଙ୍କର ଭଲ ସମର୍ଥନ ମିଳିଲା, ତାହେଲେ ଅଖିଳ ଭାରତୀୟ ପାର୍ଟି ଗଢ଼ିବୁ ।
ଏହି ପାର୍ଟିର ସଂକ୍ଷିପ୍ତ ମାନିଫେଷ୍ଟୋ ଏଠାରେ ଦେଉଅଛୁ–
ଭାରତୀୟ ରାଜନୀତିରେ ବ୍ୟାପ୍ତ ସୁବିଧାବାଦ, ମୂଲ୍ୟହୀନତା ଓ ଅସ୍ଥିରତାକୁ ଦେଖି ସବୁ ସଚ୍ଚୋଟ ଜନସେବକଙ୍କର ହୃଦୟ ଫାଟି ପଡୁଛି । ରାଜନୀତିକ ଭ୍ରଷ୍ଟାଚାର କାରଣରୁ ଆଜି ଦେଶରେ କୋଟି କୋଟି ମଣିଷ ଭୋକରେ ଅଛନ୍ତି, ଲଙ୍ଗଳା ଅଛନ୍ତି, ବେକାର ଅଛନ୍ତି । ସେମାନେ ଦୁର୍ଭିକ୍ଷ, ବନ୍ୟା, ଅନାବୃଷ୍ଟି ଏବଂ ମହାମାରୀର ଶିକାର ହେଉଛନ୍ତି । ଅସଂଖ୍ୟ କଣ୍ଠରୁ ଡାକରା ଶୁଭୁଛି -ହେ ଭଗବାନ୍, ଆସ ଓ ନୂଆ ରାଜନୀତିକ ପାର୍ଟି ଗଢ଼ି କ୍ଷମତା ଦଖଲ କର ଓ ଆମର ରକ୍ଷା କର । ଜନତାଙ୍କ ଆର୍ତ୍ତନାଦ ଶୁଣି ଭଗବାନ କୃଷ୍ଣ ବିହାରରେ ଅବତରିତ ହୋଇଛନ୍ତି ଓ ସେ ହରିଶଙ୍କର ନାରାୟଣ ପ୍ରସାଦସିଂହ ନାମକ ଏକ ବିଶ୍ୱବିଖ୍ୟାତ ଜନସେବକଙ୍କ ସହ ମିଶି ଏକ ପାର୍ଟିର ସ୍ଥାପନା କରି ଦେଇଛନ୍ତି ।
ପାର୍ଟିର ନାଁ –‘ଭାରତୀୟ ଜନମଙ୍ଗଳ କଂଗ୍ରେସ’ ହେବ ।
ନାଁରେ ‘ଜନ’ ବା ‘ଜନତା’ ବା ‘ଲୋକ’ ରଖିବା ଆଧୁନିକ ରାଜନୀତିରେ ଏକ ଫେସନ୍ ହୋଇଯାଇଛି । ସେଥିପାଇଁ ଆମେ ବି ‘ଜନ’ ଶବ୍ଦ ରଖି ଦେଇଛୁ । ଜନତାଙ୍କୁ ପ୍ରାର୍ଥନା ଯେ ‘ଜନ’କୁ ଗମ୍ଭୀରତା ସହିତ ନେବେ ନାହିଁ, ଏହାକୁ ବର୍ତ୍ତମାନ ରାଜନୀତିର ଏକ ପରିହାସ ବୋଲି ବୁଝିବେ ।
ପାର୍ଟିର ନାଁରେ ‘ଭାରତୀୟ’ ଏଥିପାଇଁ ରଖିଛି ଯଦି ଭବିଷ୍ୟତରେ ଦରକାର ପଡ଼େ, ତାହାହେଲେ ଭାରତୀୟ ଜନସଂଘ ସହ ମିଶି କ୍ଷମତାରେ ଅଂଶୀଦାର ହୋଇପାରିବୁ ।
‘କଂଗ୍ରେସ’ ଆମେ ଏଥିପାଇଁ ରଖିଛୁ ଯେ ଯଦି ଇନ୍ଦିରାଙ୍କ କଂଗ୍ରେସକୁ ଅଳ୍ପମତ ସରକାର ଗଢ଼ିବାକୁ ପଡ଼େ, ତାହେଲେ ପ୍ରଥମ ସୁଯୋଗ ଆମକୁ ଦେବେ ।
‘ଜନତା’ ଶବ୍ଦର ବ୍ୟାଖ୍ୟା କୌଣସି ଦଳ କରିନାହିଁ । ଆମେ ପ୍ରଥମ ଥରପାଇଁ ଏପରି କରୁଛୁ । ଜନତା ସେହି ମଣିଷମାନଙ୍କୁ କୁହାଯାଏ ଯେଉଁମାନେ ଭୋଟର ଅଟନ୍ତି ଓ ଯାହାଙ୍କ ଭୋଟରେ ବିଧାୟକ ତଥା ମନ୍ତ୍ରୀ ହୁଅନ୍ତି । ଏହି ପୃଥିବୀରେ ଜନତାର ଉପଯୋଗିତା କେବଳ ଏତିକି ଯେ ତାର ଭୋଟରେ ମନ୍ତ୍ରିମଣ୍ଡଳ ତିଆରି ହୁଏ । ଯଦି ଜନତା ବିନା ସରକାର ହୋଇପାରନ୍ତା, ତାହାହେଲେ ଜନତାର କୌଣସି ଆବଶ୍ୟକତା ନାହିଁ ।
ଜନତା ହେଉଛି କଞ୍ଚାମାଲ । ଏହିଥିରୁ ପକ୍କା ମାଲ ବିଧାୟକ, ମନ୍ତ୍ରୀ ଆଦି ତିଆରି ହୁଅନ୍ତି । ପକ୍କା ମାଲ ତିଆରି ହେବାକୁ ହେଲେ କଞ୍ଚାମାଲକୁ ସାରିବାକୁ ପଡ଼େ ।
ଆମେ ଜନତାଙ୍କୁ ବିଶ୍ୱାସ ଦେଉଛୁ ଯେ ସେମାନଙ୍କୁ ସାରିଦେଇ ଆମେ ଉଚ୍ଚ କ୍ୱାଲିଟିର ସରକାର ଗଢ଼ିବୁ । ଆମର ନ୍ୟୁନତମ କାର୍ଯ୍ୟକ୍ରମ ହେବ ସରକାରରେ ରହିବା ।
ଆମେ ଏହି ନୀତିକୁ ମାନୁ- ଯଥା ରାଜା ତଥା ପ୍ରଜା । ରାଜା ଯଦି ଥାଟରେ ରହିବ, ଅୟସ ଓ ଆରାମରେ ରହିବ, ତାହେଲେ ପ୍ରଜା ମଧ୍ୟ ସେହିଭଳି ରହିବେ । ରାଜା ଯଦି ସୁଖୀ ହେବ, ତାହାହେଲେ ପ୍ରଜା ମଧ୍ୟ ସୁଖୀ ହେବ । ଏଥିପାଇଁ ଆମ ପାର୍ଟିର ମନ୍ତ୍ରୀ ଅୟସ ଓ ଆରାମରେ ରହିବେ । ଜନତା ଏହା ବୁଝିବା ଉଚିତ ଯେ ଆମକୁ ବାଧ୍ୟହୋଇ ସୁଖୀ ଜୀବନ ଅତିବାହିତ କରିବାକୁ ହେବ, ଯାହାଦ୍ୱାରା ଜନତା ମଧ୍ୟ ସୁଖୀ ହୋଇପାରିବ । ଯଥା ରାଜା ତଥା ପ୍ରଜା ।
ଆମର ପ୍ରାର୍ଥୀ ବିଧାୟକ ହେବାପାଇଁ ନିର୍ବାଚନ ଲଢ଼ିବେ ନାହିଁ । ସେମାନେ ମନ୍ତ୍ରୀ ହେବାପାଇଁ ଭୋଟ ମାଗିବେ । ଆମର ପ୍ରାର୍ଥୀଙ୍କୁ ଯେତେବେଳେ ଜନତା ଭୋଟ ଦେବେ, ସେମାନେ ମନ୍ତ୍ରୀଙ୍କୁ ଭୋଟ ଦେବେ । ଆମେ ଆମ ପାର୍ଟିର ପ୍ରତ୍ୟେକ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ନେବୁ , ଯେପରି କି କେହି ଦଳ ଛାଡ଼ିବେ ନାହିଁ ।
ଯଦି ଆମର କୌଣସି ମନ୍ତ୍ରୀଙ୍କୁ ଦଳ ଛାଡ଼ିବାକୁ ହୁଏ, ତା ପୂର୍ବରୁ ସେ ଆମକୁ ପଚାରିବେ । ସେ ସେତେବେଳେ ହିଁ ଦଳ ଛାଡ଼ିପାରିବେ ଯେତେବେଳେ ଆମେ ତାଙ୍କର ଦାବି ପୂରଣ କରିପାରିବୁ ନାହିଁ ।
ସରକାରର କାମ କେବଳ ଶାସନ କରିବା, ଖାଦ୍ୟ-ପେୟ ଭଳି ଦୈନନ୍ଦିନ ସମସ୍ୟାର ସମାଧାନ କରିବା ନୁହେଁ ।
ସରକାରର କାମ ଶାସନକରିବା, ସେଥିପାଇଁ ସେ ଅନ୍ନ ଉତ୍ପାଦନ କରିବ ନାହିଁ । ଯେଉଁ କମ୍ପାନୀ ଅନ୍ନ ଉତ୍ପାଦନ କରିବାକୁ ଚାହିଁବ, ତାକୁ ବିହାରର ଜମି ଦେଇ ଦିଆଯିବ ।
ଆମେ ଜାତି ହିସାବରେ ଅଲଗା ଅଲଗା ଜିଲ୍ଲା ଗଠନ କରିଦେବୁ । ବ୍ରାହ୍ମଣଙ୍କ ଜିଲ୍ଲାରେ କ୍ଷତ୍ରିୟ ରହିବେ ନାହିଁ । ଜିଲ୍ଲାପାଳଙ୍କ ନିଯୁକ୍ତି ଜାତି-ପଂଚାୟତ କରିବ ।
ବିହାରରେ କ୍ଷୁଧା ଓ ମହାମାରୀରେ ବହୁତ ଲୋକ ମରୁଛନ୍ତି । କିନ୍ତୁ କାଶୀ ବିହାରରେ ନାହିଁ । ଗୟା ଏଠାରେ ଶ୍ରାଦ୍ଧପାଇଁ ଅଛି । ଆମେ ଆନେ୍ଦାଳନ କରି କାଶୀକୁ ବିହାରରେ ମିଶାଇବୁ, ଯାହାଦ୍ୱାରା ବିହାରର ଲୋକେ ଏହି କାଶୀରେ ମରି ଗୟାରେ ପିଣ୍ଡଦାନ କରେଇ ନେବେ ।
ଆମେ ଜନତାଙ୍କୁ କଥା ଦେଉଛୁ ଯେଉଁ ସରକାରରେ ଆମେ ନ ରହିବୁ, ସେ ସରକାରକୁ ଆମେ ଭାଙ୍ଗିଦେବୁ । ଯଦି ଆମର ବହୁମତ ହେବ ନାହିଁ, ତାହାହେଲେ ପ୍ରତ୍ୟେକ ମାସ ଜନତାଙ୍କୁ ଆମେ ନୂଆ ସରକାରର ମଜା ଦେବୁ ।
ଘୋଷଣା ପତ୍ରର ଏହା ହେଉଛି ରୂପରେଖ । ବିସ୍ତୃତ ବିବରଣୀ ପରେ ଜଣାଇବୁ ।
ଜନତା ଆମ ପାର୍ଟିର ବିଜୟ ପାଇଁ ପ୍ରାର୍ଥନା କରନ୍ତୁ ।
ଠିକାଦାର, ଉଦ୍ୟୋଗପତି, ଦଙ୍ଗାକାରୀ ସର୍ତ୍ତ ନିଷ୍ପତ୍ତି ପାଇଁ ଏବେଠାରୁ ସମ୍ପର୍କ କରନ୍ତୁ ।
ଆମର ଭାଇ, ପୁତୁରା,ମାମୁଁ, ମଉସା, ପିଇସା, ଶଳା, ଭିଣେଇ ଯିଏ ଯେଉଁଠାରେ ଅଛନ୍ତି ବିହାରରେ ଆସି ରହି ଯାଆନ୍ତୁ ଓ ବନ୍ଧୁବାନ୍ଧବଙ୍କ ପ୍ରମାଣ ଦେଇ ଜୀବନ ସୁଧାରିବାପାଇଁ ଏବେଠାରୁ ଦରଖାସ୍ତ ଦେଇ ଦିଅନ୍ତୁ । ଡେରି କଲେ ନକ୍କଲ (ଭଣ୍ଡ) ଲାଭ ଉଠାଇ ନେବେ ।

(ହରିଶଙ୍କର ପରସାଈ (ଜନ୍ମ :୨୨-୦୮-୧୯୨୨, ମୃତ୍ୟୁ ୧୦ ଅଗଷ୍ଟ ୧୯୯୫ ) ହିନ୍ଦୀ ସାହିତ୍ୟର ଜଣେ ପ୍ରତିଷ୍ଠିତ ବ୍ୟଙ୍ଗ ରଚନାକାର । ତାଙ୍କର ସକ୍ରିୟ ସାହିତ୍ୟିକ ଜୀବନ ୧୯୪୭ରୁ ୧୯୮୩ ମଧ୍ୟରେ ସୀମିତ । ତାଙ୍କର ରଚନାଗୁଡିକ ପରସାଈ ରଚନାବଳୀ ଶିରୋନାମାରେ ୬ ଖଣ୍ଡରେ ପ୍ରକାଶିତ (ରାଜକମଳ ପ୍ରକାଶନ ପ୍ରାଇଭେଟ ଲିମିଟେଡ, ନୂଆଦିଲ୍ଲୀ, ପ୍ରଥମ ସଂସ୍କରଣ ୧୯୮୫) ପରସାଈ ତାଙ୍କ ରଚନା ସମ୍ପର୍କରେ ପରସାଈ ରଚନାବଳୀର ପ୍ରଥମଖଣ୍ଡରେ ଲେଖନ୍ତି, “୩୫ବର୍ଷ ନିଜ ବିଶ୍ୱାସକୁ ମଜବୁତ ଭାବରେ ଧରି, ମୁଁ ଯାହା ଠିକ ଭାବିଲି, ଲେଖିଛି । ଯାହା କିଛି ମାନବ-ବିରୋଧୀ, ତାହା ଉପରେ ନିର୍ମମ ପ୍ରହାର କରିଛି । ତାହାର ପରିଣତି ଭୋଗିଛି, ଏବେ ଭୋଗୁଛି, ଆଗକୁ ମଧ୍ୟ ଭୋଗୁଥିବି । କିନ୍ତୁ ମୁଁ ନିରବିଛିନ୍ନ ଭାବରେ ସେହି ସ୍ଫୂର୍ତ୍ତି ଶକ୍ତି ଓ ବିଶ୍ୱାସର ସହ ଲେଖିଚାଲିଛି ।” ପରସାଈ ସାହିତ୍ୟର ସମୀକ୍ଷକ ଧନଞ୍ଜୟ ବର୍ମାଙ୍କ ଭାଷାରେ ପରସାଈଙ୍କ ଗଳ୍ପଗୁଡିକ ପ୍ରତିବାଦ ଓ ପ୍ରତିରୋଧର ଗଳ୍ପ । ପରସାଈ ସ୍ୱୀକାର କରନ୍ତି, “ମୁଁ ଜାଣିଛି ଯେ ଜୀବନର ସବୁଠାରୁ ସଠିକ ବ୍ୟାଖ୍ୟା କାର୍ଲ ମାର୍କ୍ସ କରିଛନ୍ତି । ମଣିଷର ନିୟତିକୁ ପରିବର୍ତ୍ତନ କରିପାରୁଥିବା ସବୁଠାରୁ ଶ୍ରେଷ୍ଠ ଓ ଅନ୍ତିମ ଦର୍ଶନ ମାର୍କ୍ସବାଦ ଅଟେ ।” ସାହିତ୍ୟ ରଚନା ଛଡ଼ା ପରସାଈ ବିଭିନ୍ନ ପ୍ରକାର ଜନ ଆନେ୍ଦାଳନରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିଲେ । ସେ ଅଖିଳ ଭାରତୀୟ ଶାନ୍ତି ଏବଂ ଏକତା ପରିଷଦର ଗତିବିଧିରେ ଅଂଶଗ୍ରହଣ କରିଥିଲେ । ମଧ୍ୟପ୍ରଦେଶ ଶାନ୍ତି ଆନେ୍ଦାଳନର ନିର୍ମାଣ ଓ ବିସ୍ତାରରେ ତାଙ୍କର ଏକ ବଡ଼ ଭୂମିକା ଥିଲା । ସେ ଅଖିଳ ଭାରତୀୟ ବିଶ୍ୱ ଶାନ୍ତି ଏବଂ ଏକତା ପରିଷଦର ରାଷ୍ଟ୍ରୀୟ ସମିତିର ସଦସ୍ୟ ଥିଲେ । ସେ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ମହାସଂଘର ଅଧ୍ୟକ୍ଷ ମଣ୍ଡଳରେ ଥିଲେ । ଟ୍ରେଡ ଯୁନିଅନ ଓ ଅନ୍ୟ ସଂଗଠିତ କ୍ଷେତ୍ରମାନଙ୍କରେ ଚାଲୁଥିବା ଗତିବିଧିରେ ତାଙ୍କର ସହଯୋଗ ମିଳୁଥିଲା । ସେ ଭାରତ-ରୁଷ ମୈତ୍ରୀ ସଂଘ ଏବଂ ସାମ୍ପ୍ରଦାୟିକତା ବିରୋଧରେ କାମ କରୁଥିବା ସଂଗଠନ ମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ସେ ୧୯୮୨ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ । ଜବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡ଼ି.ଲିଟ୍ ଉପାଧିରେ ସମ୍ମାନିତ ହୋଇଥିଲେ ।)

 

ମୂଳ ହିନ୍ଦୀ- ହରିଶଙ୍କର ପରଶାଇ
ଅନୁବାଦ- ବୀରେନ୍ଦ୍ର ନାୟକ

Total Views: 489

Comments

0 comments

Share This Article