ଶୈଶବରେ ରାଜେନ୍ଦ୍ର

18 Min Read

ଛୋଟ ସମୃଦ୍ଧ ଗାଁ ଟିଏ, ନାଁଟି ତାର ନରିଶୋ । ପ୍ରାଚୀ ନଦୀ ଗାଁର ଉତ୍ତର ଦିଗରେ ବହିଯାଇଛି । ନଦୀକୂଳରୁ ବଡ଼ ଏକ ଜଙ୍ଗଲ ପାର ହୋଇଗଲେ ପଡ଼ିବ ବାସ୍ତୁବନ୍ଧ । ବାସ୍ତୁବନ୍ଧ ଏବେ କେନାଲ ବନ୍ଧରେ ରୂପାନ୍ତରିତ ହୋଇଯାଇଛି । ଜଙ୍ଗଲ ବି ନଦୀକୂଳରୁ ଉଭାନ ହୋଇଯାଇଛି । କେନାଲ ବନ୍ଧରୁ ଅଳ୍ପ କିଛି ବାଟ ଗଲେ ନରିଶୋ ଗାଁ ଆସିବ । ସେହି ଗାଁର ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ଓ ଶ୍ରୀମତୀ ବିଦ୍ୟୁତଲତା ଷଡ଼ଙ୍ଗୀଙ୍କର କୋଳ ମଣ୍ଡନ କରିଥିଲେ ରାଜେନ୍ଦ୍ର ଷଡ଼ଙ୍ଗୀ । ସେଦିନ ଦ୍ୱିତୀୟ ରଜ । ଶ୍ରୀମତୀ ଷଡ଼ଙ୍ଗୀ ସଂକ୍ରାନ୍ତିର ସାତ୍ତ୍ୱିକ ରୋଷେଇ କରି ଶାଶୁ, ଶ୍ୱଶୁର, ଦିଅର ଓ ବଡ଼ ଝିଅକୁ ଖୁଆଇସାରି ବାରିପଟକୁ ଯାଇ ଫେରିଲେ । ଫେରିଲା ବେଳକୁ ଖୁବ୍ ଯନ୍ତ୍ରଣାରେ ଛଟପଟ ହୋଇଗଲେ । ଶାଶୁ ଧାଇଁଆସି ତାଙ୍କର ଶୁଶ୍ରୂଷା ଆରମ୍ଭ କରିଦେଲେ । ଖୁବ୍ କମ୍ ସମୟର ଯନ୍ତ୍ରଣା ପରେ ଷଡ଼ଙ୍ଗୀ ପରିବାରର ଗୃହାଙ୍ଗନ କୁଆଁ କୁଆଁ ଶବ୍ଦରେ କଂପିଉଠିଲା । ଜେଜେମା ପୁତ୍ର ସନ୍ତାନ ଜନ୍ମର ଘୋଷଣା କଲେ । ଶିଶୁଟିକୁ ସଫାସୁତୁରା କରି ଧରିବା ବେଳକୁ ବଡ଼ ପିଉସୀ ଓ ମଝିଆ ପିଉସୀ ତାଙ୍କର ରଜ ବୁଲା ସାରି ଫେରିଆସିଲେ । ବଡ଼ ପିଉସୀ ଆନନ୍ଦରେ ଗଦ୍ଗଦ୍ ହୋଇ କହିଉଠିଲେ, ରଜରେ ଜନ୍ମ ହୋଇଛି, ତା’ ନାଁ ରାଜୁ । ମଝିଆ ପିଉସୀ ସାହି ସାରା ପ୍ରଚାର କରିଦେଲେ, ଆମର ରାଜୁ ଜନ୍ମ ହୋଇଛି । ଜେଜେ କହିଲେ, ସଂକ୍ରାନ୍ତିରେ ଜନ୍ମ ହୋଇଛି, ତା’ ନାଁ ସଙ୍କର୍ଷଣ ରଖାଯିବ । ଏମିତି ହେଲା ଯେ, ଯେଉଁ ଦଦେଇ (ବଡ଼ବାପା) ତାର ଜାତକ କରିଥିଲେ, ସେଥିରେ ‘ସ’ ଅକ୍ଷରରେ ନାମ ବାହାରିଲା । ସେ ତା’ ନାଁ ସଙ୍କର୍ଷଣ ରଖିଲେ । କିନ୍ତୁ ତାର ଡାକନାମ ରହିଲା ରାଜୁ । ସ୍କୁଲରେ ନାମ ଲେଖାଇଲା ବେଳେ ଲେଖାଗଲା ରାଜେନ୍ଦ୍ର ଷଡ଼ଙ୍ଗୀ ।
କଳା ମଚମଚ ଗହଳିଆ ଚୁଟି, ସୁନ୍ଦର ଆଖି ନାକରେ ପିଲାଟି ଅତି କୌତୁକିଆ ହୋଇଥିଲା । ମଝିଆ ପିଉସୀର ସେ ଖେଳ କଣ୍ଢେଇ ହେଲା । ମଝିଆ ପିଉସୀର ନାମ ଶଶିନାନୀ । ଯେତିକି ସମୟ ସ୍କୁଲ ଯାଉଥିଲା, ସେତିକି ସମୟ ବାଦ୍ ସବୁବେଳେ ତା’ କୋଳରେ ରାଜୁ । ଜେଜେ, ଜେଜେମା, କକେଇ ଓ ପିଉସୀମାନଙ୍କର ନୟନତାରା ହୋଇ ବଢ଼ିବାକୁ ଲାଗିଲା ରାଜୁ । ରାଜୁର ବଡ଼ ଭଉଣୀ ମିନା, ସେ ତାକୁ ନାନୀ ଡାକେ । ଦୁଇଜଣ ସାଙ୍ଗ ହୋଇ ଖେଳନ୍ତି । ପଡ଼ିଶା ଘରର ଝିଅ କନକଲତା, ଡାକନାମ ମିିନା, ସେମାନଙ୍କର ପ୍ରିୟ ସାଙ୍ଗ । କନକଲତାଙ୍କ ବାରିପଟ ଘରଟିରେ ତାଙ୍କର ମୁଖ୍ୟ ଖେଳସବୁ ଚାଲେ । ତଳ ଦାଣ୍ଡରେ ମଧ୍ୟ ଖୁବ୍ ଖେଳ ହୁଏ । ମିନା, ରାଜୁ ଆଉ ମନା ସବୁ ସମୟରେ ଏକାଠି ଖେଳାବୁଲା କରନ୍ତି ।
ମିନା ରାଜୁଠାରୁ ଦୁଇ ବର୍ଷ ବଡ଼ । ପ୍ରଥମେ ବିଦ୍ୟାଳୟରେ ତାର ନାମ ଲେଖାଗଲା । ସେ ନରିଶୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଏ । ସାନ ପିଉସୀ ବି ସେଇଠି ପଢ଼ନ୍ତି । ମଝିଆ ପିଉସୀ ଓ କକେଇ ନିଆଳି ହାଇସ୍କୁଲରେ ପଢ଼ନ୍ତି । ସକାଳ ଦଶଟା ବେଳକୁ ପିତା ନଟବର ଷଡ଼ଙ୍ଗୀ ଓ ଘରର ସବୁ ପିଲା ବିଦ୍ୟାଳୟ ଯିବାକୁ ପ୍ରସ୍ତୁତ ହୁଅନ୍ତି । ରାଜୁ ମଧ୍ୟ ଦୁଇ ତିନି ବଷ ହେଉ ହେଉ ବିଦ୍ୟାଳୟ ଯିବାକୁ ଜିଦ୍ କରିବାକୁ ଲାଗିଲା । ସେଥିପାଇଁ ତାକୁ ଚାରି ବର୍ଷ ହେବା ମାତ୍ରେ ଜେଜେ ତା’ ନାଁ ଲେଖେଇବାକୁ ନେଇଗଲେ । ବିଦ୍ୟାଳୟ ଯିବାରୁ ସେ ଭାରି ଖୁସି ହେଲା । ମିନାର ତଳ ଶ୍ରେଣୀରେ ସେ ଓ ମନାଙ୍କର ନାମ ଲେଖାଗଲା । ଖୁବ୍ ଶୀଘ୍ର ଅକ୍ଷର ଶିକ୍ଷା ଶେଷ କରି ସେ ଗଣିବା ବି ଶିଖିଗଲା । ତାଙ୍କ ଶ୍ରେଣୀର ସବୁଠାରୁ ଆଗରେ ଥିବା ଛାତ୍ର ସେ । ତାର ପାଖାପାଖି ମେଧା ଥିବା ଛାତ୍ରୀ ଥିଲା କନକଲତା । ତାର ଶ୍ରେଣୀରେ ଛାତ୍ରୀ ବେଶୀ ଥିଲେ, ଛାତ୍ର କମ୍ ଥିଲେ । ତାର ଖୁବ୍ ଭଲ ସାଙ୍ଗ ଥିଲା ଶେଖ୍ ଉସିମୁଦ୍ଦିନ । ଉସିମ୍ର ବାପା ମୁସଲମାନ ବିଦ୍ୟାଳୟର ମୌଲବୀ ଥିଲେ । ରାଜୁ, ଉସିମ୍, କନକ,ବିଜୟଲକ୍ଷ୍ମୀ, ଧନଲକ୍ଷ୍ମୀ ଏବଂ କୁନ୍ତଳୀ ଏକାପରି ପାଠ ପଢ଼ୁଥିଲେ । ସେତେବେଳେ ନିୟମ ଥିଲା ପ୍ରତ୍ୟେକ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ପାଇଁ ପାଞ୍ଚ ଜଣ ବଛାଯିବେ । ହେଲେ ଏମାନେ ତ ଛଅ ଜଣ । ଶିକ୍ଷକମାନେ ବଡ଼ ଦ୍ୱନ୍ଦ୍ୱରେ ଥିଲେ କାହାକୁ ଛାଡ଼ିବେ । ଏତିକି ବେଳେ କିନ୍ତୁ ଧନଲକ୍ଷ୍ମୀକୁ ଭୁବନେଶ୍ୱର ତା ମା’ଙ୍କ ପାଖକୁ ଯିବାକୁ ପଡ଼ିଲା । ସେଥିପାଇଁ ସେ ଗାଁ ଛାଡ଼ି, ବିଦ୍ୟାଳୟ ଛାଡ଼ି ଯିବାକୁ ବାଧ୍ୟ ହେଲା । ଫଳରେ ଶିକ୍ଷକମାନେ ଚିନ୍ତାମୁକ୍ତ ହେଲେ । ଉସିମ୍ ମିଆଁର ପାଠ ଭଲ ତ ସିଏ ଭଲ । ବିଜୟଲକ୍ଷ୍ମୀ ସାର୍ଙ୍କ ଭଉଣୀ । କୁନ୍ତଳୀ ସାର୍ଙ୍କ ଝିଅ । ତେଣୁ ସେମାନେ ବି ସବୁବେଳେ ପଢ଼ାରେ ଲାଗି ରହନ୍ତି । ବାକି ରହିଲେ ମନା ଆଉ ରାଜୁ । ମନା ଆଉ ରାଜୁଙ୍କର ଯାବତୀୟ କାମ । ସେମାନେ ତୋଟାକୁ ଯିବେ, କୋଳି ତୋଳିବେ, କୁମ୍ଭାଟୁଆ ଚଢ଼େଇ ପଛରେ ଗୋଡେÿଇବେ, ଗାଈଙ୍କ ପାଇଁ ଚାକୁଣ୍ଡା ଫଳ ଗୋଟେଇବେ, ବିଲରୁ ଧାନ କେଣ୍ଡା ଗୋଟେଇବେ । ସେ ଧାନକୁ ନେଇ ବାଳାଗୁଡ଼ିଆ ଦୋକାନରେ ଦେଇ ସେଠି ମୁଢ଼ି ଉଖୁଡ଼ା କିଣିବେ । କେନ୍ଦୁ ଗଛରୁ କେନ୍ଦୁ ତୋଳିବେ, ବଉଳ କୋଳି ଗୋଟେଇବେ, ବଉଳ ଫୁଲ ଗଛରୁ ଆଣି ସେଥିରେ ମାଳ ଗୁନ୍ଥିବେ, ଜଗୁ ବାପାଙ୍କ ବାଡ଼ିରୁ କମଳା ଆଣି ଲୁଣ-ଲଙ୍କା ପକାଇ ତାକୁ ପାଗ କରି ଖାଇବେ ଇତ୍ୟାଦି ଇତ୍ୟାଦି । ତାଙ୍କ କାମର ତାଲିକା ବନେଇଲେ ବହୁତ ଲମ୍ବା ହେବ । ସବୁ ପରେ ବି ସକାଳ ୭ଟାରୁ ୯ଟା ସେମାନେ ବଡ଼ସାର୍ (ଶ୍ରୀଯୁକ୍ତ ଲକ୍ଷ୍ମଣ ଆଚାର୍ଯ୍ୟ)ଙ୍କ ପାଖରେ ଗଣିତ ଓ ଶ୍ରୀଯୁକ୍ତ କାଳାଚାନ୍ଦ ଷଡ଼ଙ୍ଗୀଙ୍କ ପାଖରେ ସାହିତ୍ୟ ପଢ଼ନ୍ତି । ସେଇ ପଢ଼ାରେ କେବେ ବି ବ୍ୟତିକ୍ରମ ହୁଏନି । ପ୍ରତିଦିନ ବିଦ୍ୟାଳୟ ଯିବାକୁ ତାଙ୍କୁ କେହି ଅଟକାଇ ପାରେନି । ସେଥିପାଇଁ ଘୋଡ଼ା ଦୌଡ଼ି ଦୌଡ଼ି ଯେଉଁଠିି, ହାତୀ ପାହୁଣ୍ଡ ପକେଇ ସେଇଠି ରୀତିରେ ସେମାନେ କେବେ ବି କାହାଠାରୁ ପଛରେ ପଡ଼ନ୍ତିନି ।
ତୁଳସୀ ଦୁଇ ପତ୍ରରୁ ବାସିବା ପରି ରାଜୁ ଯେ ବଡ଼ ହେଲେ ଜଣେ ବଡ଼ ସଂଗଠକ ହେବ, ଏକଥା ଜଣାପଡ଼ୁଥିଲା । ତା’ ଶୈଶବର କେତୋଟି ଘଟଣାରୁ ତାର ନେତାପଣିଆର ସୂଚନା ମିଳିପାରିବ ।

୬ ବର୍ଷ ବୟସରେ ବଣଭୋଜିର ପରିକଳ୍ପନା:

ସେତେବେଳେ ରାଜେନ୍ଦ୍ର ଦ୍ୱିତୀୟ ଶ୍ରେଣୀର ଛାତ୍ର । ତା’ ନାନୀ ତୃତୀୟ ଶ୍ରେଣୀର ଛାତ୍ରୀ । ଦୁଇ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀ ମିଶି ୫୦ ଜଣ ହେବେ । ସମସ୍ତଙ୍କ ସହ କଥା ହେଇ ରାଜୁ ଗୋଟିଏ ଶନିବାର ବିଦ୍ୟାଳୟ ସରିବା ପରେ ଭୋଜି କରିବାର ସ୍ଥିର କଲା । ସମସ୍ତେ ଘରୁ ଚାଉଳ, ଆଳୁ, ପରିବା, ଡାଲି, ଚିନି ଜିଏ ଯାହା ପାରିଲା ଆଣିବା । ସବୁ ଦ୍ରବ୍ୟ ବ୍ୟାଗ୍ରେ ରଖାଗଲା । ସେତେବେଳେ ରାଜେନ୍ଦ୍ରଙ୍କର ନୂଆ ଘର ତିଆରି ହେଉଥାଏ । ସେଠି ବହୁତ କାଠ ଥାଏ ଏବଂ ପାଣି ଥାଏ । ସେଇଠି ଭୋଜି ହେବା ପାଇଁ ସ୍ଥିର ହୋଇଥାଏ । ସବୁ ପିଲା ଛୁଟି ପରେ ଘରକୁ ଯାଇ ଖୁବ୍ ଶୀଘ୍ର ଫେରିଆସିଥାନ୍ତି । ୩୦-୪୦ ଜଣ ୬-୭ ବର୍ଷ ବୟସର ପିଲା । ନାନାଦି ରନ୍ଧନ ସାମଗ୍ରୀ ଠୁଳ କରି ଖେଳକୁଦରେ ମାତିଥାନ୍ତି । ଘରେ କଣ ଟିକେ ଖାଇକି ଆସିଥିବେ, ଦିନ ସେତେବେଳକୁ ଚାରିଟା ହେବ । ଭୋକ ଲାଗିବାରୁ ଭୋଜି କଥା ମନେପଡ଼ିଲା । ସମସ୍ତେ ଭୋଜି କର ରାଜୁ, ଭୋଜି କର ରାଜୁ ବୋଲି ପାଟି କଲେ । ସେତିକି ବେଳେ ରାଜୁର ଉଦ୍ଧାରକର୍ତ୍ରୀ ଶଶିନାନୀ ଆସି ପହଞ୍ଚିଲା । ଏତେ ପିଲା କାହିଁକି ପାଟି କରୁଛନ୍ତି, ଦେଖିବା ପାଇଁ ସେ ଆସିଥିଲା । ତାକୁ ଦେଖୁ ଦେଖୁ ରାଜୁର ସାହସ ଆସିଗଲା । ନାନୀ ପାଖକୁ ଯାଇ ଭୋଜି କଥା କହିଲା । ନାନୀ ସବୁ ଦେଖି ଚୁପ୍ ଚୁପ୍ ହସିଲା ଓ କହିଲା, ହଇରେ ପିଲେ ଭୋଜି କେମିତି ହେବ? ପିଲାମାନେ ଏକାଠି ମିଶି କହିଲେ, ସବୁତ ଅଛି ରାନ୍ଧିଦିଅ । ନାନୀ କହିଲା, ଆରେ ରାନ୍ଧିବା ପାଇଁ ଚୁଲି ଆଉ ପାତ୍ର ତ ଦରକାର, କୋଉଠି ରଖିଛ ଆଣ । ସମସ୍ତଙ୍କ ମନ ହତାଶରେ ଭରିଗଲା । ନାନୀ ଘରକୁ ଯାଇ ଡେକଚି ଆଣିଲା । ଇଟାରେ ଚୁଲି କଲା । ସେଇ ଭିତରେ ପିଲାମାନେ ପାଣି ଓ ଜାଳେଣି ବୋହିଆଣିଲେ । ନାନୀ ସବୁକୁ ମିଶାଇ ଖେଚୁଡ଼ି ଆଉ ଆଳୁଭରତା କଲା । କଦଳୀ ପତ୍ରରେ ସମସ୍ତଙ୍କୁ ବାଢ଼ିଦେଲା । ସବୁ ପିଲା ଏତେ ଖୁସିରେ ବସି ଖାଇଲେ ଯେ ନାନୀର ପରିଶ୍ରମ ସାର୍ଥକ ହୋଇଗଲା । ଖାଇବା ସରିବା ବେଳକୁ ସନ୍ଧ୍ୟା ହୋଇଗଲାଣି । ପିଲାଙ୍କୁ ଖୋଜି ଖୋଜି ବହୁତ ଜଣ ଆସିଯାଇଥାନ୍ତି । କେତେ ପିଲା ନିଜ ଲୋକମାନଙ୍କ ସହ ଫେରିଗଲେ । ମାତ୍ର କିଛି ପିଲାଙ୍କ ଘର ଦୂର । ତାଙ୍କୁ ଛାଡ଼ିବାକୁ ଯିବାକୁ ହେଲା । ଦୁଇଟି ଲଣ୍ଠନ ଧରି ରାଜୁ, ଭଗୁଆ, ମନା ଏବଂ ମିନା ସମସ୍ତଙ୍କୁ ଛାଡ଼ିବାକୁ ବାହାରିଲେ । ଅନ୍ଧାର ରାତି, ପିଲା ଭୟ କରୁଥାନ୍ତି । ରାଜୁ ଆଉ ଭଗୁଆ ଉଚ୍ଚ ସ୍ୱରରେ କହୁଥାନ୍ତି, ଡର କାହାକୁ, ଭୟ କାହାକୁ ଠାକୁର ଅଛନ୍ତି ଚଉବାହାକୁ । ଏମିତି ପାଟି କରି କରି ସମସ୍ତଙ୍କୁ ତାଙ୍କ ଘରେ ପହଞ୍ଚେଇ ରାଜୁ ଫେରିଆସିଲା । ତା’ ପରଦିନ ରବିବାର । ସୋମବାର ଦିନ ସକାଳ ପଢ଼ାବେଳେ ବଡ଼ସାର୍ ଓ କେଳୁସାର୍ ଭୋଜିର ଖୁବ୍ ପ୍ରଶଂସା କଲେ । ଯେତେବେଳେ ଜାଣିଲେ ଆୟୋଜନର ପ୍ରଥମ ବ୍ୟକ୍ତି ରାଜୁ, ସେତେବେଳେ ତାକୁ ବହୁତ ତାରିଫ କଲେ ।

ରାଜୁର ବ୍ରତଘର:

ଶଶୀ ନାନୀର ବାହାଘର ଆଉ ରାଜୁର ବ୍ରତଘର ଏକା ଦିନରେ ହୋଇଥିଲା । ନାନୀ କନ୍ୟାବେଶ ହୋଇ ଘରଭିତରେ ବସିଥାଏ, ରାଜୁର ପୂଜା ବେଦି ଉପରେ ଚାଲିଥାଏ । ବ୍ରତଭିକ୍ଷାର ସମୟ ଆସିଲା, ସମସ୍ତେ ତାକୁ ଭିକ୍ଷା ଦେଉଥାନ୍ତି । କକେଇ ତା’ ପାଇଁ ଫାଉଣ୍ଟେନ୍ ପେନ୍ ଆଣିଥାନ୍ତି (ସେତେବେଳେ କାଠି କଲମ ବ୍ୟବହାର ହେଉଥିଲା) । କକେଇ ତାକୁ ଭିକ୍ଷା ଦେଲାବେଳେ ସେ କକେଇଙ୍କୁ ପଚାରିଲା, କକେଇ ନାନୀ କାହିଁ? ସେ କଣ ଭିକ୍ଷା ଦେବନି କି? କକେଇ ଗୋଟେ ସ୍କୁଲ ଆଟ୍ଲାସ୍ ଆଣି ମିନାାକୁ ଦେଲେ, ମିନା ଭିକ୍ଷା ଦେଲା । ରାଜୁ ପୁଣି ପଚାରିଲା, କକେଇ ଶଶୀ ନାନୀ କଣ ଭିକ୍ଷା ଦେବନି କି? କକେଇ କହିଲେ, ହଉ ମୁଁ ନାନୀକି ଆଣିକି ଆସୁଛି । ସେତେବେଳକୁ ବରଯାତ୍ରୀ ଆସିଗଲେଣି, ସମସ୍ତେ ନାନୀକୁ ଯିବାକୁ ବାରଣ କରୁଥାନ୍ତି, କିନ୍ତୁ ନାନୀ କକେଇଙ୍କ ସହ ଆସି ରାଜୁକୁ ଭିକ୍ଷା ଦେଲା । କଣ ଦେଲା ଜଣାପଡ଼ିଲା ନାନୀ ତା’ ଶାଶୁଘରୁ ଆସିବା ପରେ । ନାନୀ ତାକୁ ବହୁତ ସୁନ୍ଦର, କୁନି କୁନି ପଥରବସା ସୁନା ମୁଦି ଦେଇଥିଲା । ନାନୀକୁ ଛାଡ଼ିବା ପାଇଁ ରାଜୁ ଯାଇପାରିଲାନି, କାନ୍ଦି କାନ୍ଦି ତାକୁ ଜ୍ୱର ହୋଇଗଲା । ରାଜୁର ବ୍ରତଘର ପରେ କିଛି ଦିନ ତାକୁ ନିଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବାକୁ ପଡ଼ିଲା । ବ୍ରତଘରରେ ତାକୁ ଗୋଟେ ସୁନ୍ଦର ଛତା ମିଳିଥିଲା, ସେ ଛତା ନେଇ ସ୍କୁଲକୁ ଯିବାକୁ ଜିଦ୍ କରେ । ଛତା କାଳେ ହଜିଯିବ ବୋଲି ବୋଉ ସେଥିରେ ଛୁଞ୍ଚି ସୁତାରେ ନାମ ଲେଖିବାକୁ ଭାବିଲା । ସମୟ ଅଭାବରୁ ପୂରା ନାଁ ଲେଖିପାରି ନଥିଲା, ଦୁଇଟି ଅକ୍ଷର ଲେଖିଥିଲା: ‘କୁ’ ଆଉ ‘ନ୍ଦ୍ର’ । ଛତା ନେଇ ସେ ସ୍କୁଲ ଗଲା । ସେ ଶ୍ରେଣୀରେ ପଢ଼ୁଥିବା ବେଳେ ସେଠିକାର ପ୍ରଧାନ ଶିକ୍ଷକ ତା’ ଛତା ନେଇ ତାଙ୍କ ସରକାରୀ ବାସଭବନକୁ ଗଲେ । ସେଠି ତାଙ୍କ ଝିଅ ସୁନ୍ଦର ଛତାଟି ଦେଖି ରଖିବାକୁ ଜିଦ୍ ଧରିଲା । ସାର ଛତାଟି ରଖିଦେଲେ । ଯେତେ ମାଗିଲେ ବି ଦେଲେନି । ରାଜୁ ଆଉ ଜଣେ ସାର୍ଙ୍କୁ କହିଲା । ପ୍ରଧାନ ଶିକ୍ଷକ ରାଗିକି କହିଲେ, ତା’ ଛତା ବୋଲି କଣ ଲେଖାଅଛି?” ରାଜୁ ସାଙ୍ଗେ ସାଙ୍ଗେ କହିଲା, ଛତା ଆଣି ଦେଖନ୍ତୁ, ମୋ ନାଁ ଲେଖା ହୋଇଛି କି ନା । ଛତାରେ ତ ଦୁଇଟି ମାତ୍ର ଅକ୍ଷର ଥିଲା, ରାଜୁ କିନ୍ତୁ ବୁଝାଇଦେଲା, ଆପଣ ତ ନିଜ ନାଁ ଲେଖୁଛନ୍ତି ଉ. ମି. ଅର୍ଥାତ୍ ଉଦୟନାଥ ମିଶ୍ର, ସେମିତି ମୋ ନାଁ କୁ. ନ୍ଦ୍ର. ମାନେ ରାଜେନ୍ଦ୍ର କୁମାର । ସବୁ ସାର ମାନେ ହସିଉଠିଲେ ଆଉ ରାଜୁ ତା’ ଛତାଟି ଫେରିପାଇଲା । ନିଆଳି ସ୍କୁଲ ଛାଡ଼ି ରାଜୁକୁ ଜଟଣୀ ଯିବାକୁ ପଡ଼ିଥିଲା । ଜଟଣୀର ରେତଙ୍ଗ କଲୋନୀରେ ରାଜୁର ନନାଙ୍କର ମାମୁ ତାଙ୍କ ପରିବାର ସହ ରହୁଥିଲେ । ରାଜୁ ତାର ନାନୀ, ସାନ ଭଉଣୀ କୁନିି, ସାନ ଭାଇ ଧୀର, ନନା, ବୋଉ ଓ ଶଶିନାନୀଙ୍କ ସହ ଗଲା । ରେଳଗାଡ଼ିରେ ବସି ଯିବା ଆଉ ଷ୍ଟେସନ ଦେଖିବାର ଆନନ୍ଦ ଖୁବ୍ ମନମାତାଣିଆ ଥିଲା । ନାନାଙ୍କ ମାମୁକୁ ରାଜୁ ଅଜା ଡାକେ । ଅଜା ତାକୁ ବହୁତ ଭଲପାଆନ୍ତି । ରାଜୁ, ମିନା ଦୁଇଜଣ ଅଜାଙ୍କ ସହ ଯାଇ ଷ୍ଟେସନର ବିଭିନ୍ନ କାର୍ଯ୍ୟ ଦେଖନ୍ତି ଅଜା ସିଗନାଲ, ଫ୍ଲାଗ୍, ଘୋଷଣା ସଂର୍ପକରେ ବହୁତ କଥା ବୁଝାନ୍ତି । ପ୍ରଥମେ ଚାରି ଛଅ ଦିନ ସେସବୁ ଭଲଲାଗିଲା, କିନ୍ତୁ ସକାଳୁ ଉଠି ପାଠ ନପଢ଼ି, ସ୍କୁଲ ନଯାଇ, ଖଳାଖେଳି ନକରି ରାଜୁକୁ ଆଦୌ ଭଲଲାଗିଲାନି । ସେ ନନାକୁ ସ୍କୁଲ ଯିବା କଥା କହିଲା । ଅଜାଙ୍କର ଦୁଇଟି ଝିଅ ରେଲୱେ ସ୍କୁଲରେ ପଢ଼ୁଥିଲେ, ସେମାନେ କିନ୍ତୁ ପ୍ରାୟ ସ୍କୁଲ ଯାଆନ୍ତିନାହିଁ । ସେଇ ସ୍କୁଲରେ ପଢ଼ିବା ପାଇଁ ସ୍ଥିର ହେଲା । ସକାଳୁ ପରଟା ଭଜା ଖାଇ ବ୍ୟାଗ୍ ଧରି ରାଜୁ, ମିନା, ଝରଣା ନାନୀ ଓ ଟୁକୁ ନାନୀ ସହ ସ୍କୁଲ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ରେତଙ୍ଗ କଲୋନୀ ଠାରୁ ରେଲୱେ ସ୍କୁଲ ବହୁତ ଦୂର, ପ୍ରାୟ ୫ କିଲୋମିଟର ହେବ । ଏତେ ଦୂର ଚାଲିବାର ଆଦୌ ଅଭ୍ୟାସ ନଥିଲା । ଖୁବ୍ କଷ୍ଟରେ ସ୍କୁଲରେ ପହଞ୍ଚିଲେ । ସେଇ ସ୍କୁଲଟି ଗାଁ ସ୍କୁଲ, ନିଆଳି ସ୍କୁଲଠାରୁ ବହୁତ ବଡ଼ ଥିଲା । ପିଲା ସେଠି ଖାଲି ହାଉଜାଉ ହେଉଥିଲେ । ଶ୍ରେଣୀରେ ବସିବାକୁ ଜାଗା ନଥାଏ । ଶିକ୍ଷକମାନେ ପିଲାଙ୍କ ଶୃଙ୍ଖଳିତ ଭାବେ ବସିବା ପ୍ରତି ଆଦୌ ଲକ୍ଷ୍ୟ ରଖୁନଥିଲେ । ଟେବୁଲ ଉପରେ ଡଷ୍ଟର ପିଟି ପିଟି ଖାଲି ଚୁପ୍ ରହିବା ପାଇଁ ଇସାରା ଦେଉଥିଲେ । ଶ୍ରେଣୀରେ ପିଲା ପ୍ରାୟ ୫୦ ଜଣ ହେବେ, ଶ୍ରେଣୀଗୃହ ଅତି ଅପରିଷ୍କାର । ଛାତ୍ରଛାତ୍ରୀମାନଙ୍କର ବେଶପୋଷାକ ଅରୁଚିକର । ଶିକ୍ଷକଙ୍କର ବ୍ୟବହାର ଅପ୍ରୀତିକର । ଗାଁ ସ୍କୁଲକୁ ଯଦି ନୂଆ ପିଲାଟିଏ ଆସୁଥିଲା, ସାର ତାକୁ ଠିଆ କରି କେତେକ ପ୍ରଶ୍ନ ପଚାରୁଥିଲେ । ତୁମ ନାମ କଣ? ତୁମେ କେଉଁ ଗାଁରୁ ଆସିଛ? ବାପା କଣ କରନ୍ତି? ଇତ୍ୟାଦି । ପିଲାଟି ପ୍ରଶ୍ନଗୁଡ଼ିକର ଉତ୍ତର ଦିଏ । ସବୁ ପିଲା ତାକୁ ଚିହ୍ନି ପାରନ୍ତି । ନୂଆ ବନ୍ଧୁଟିଏ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାନ୍ତି । ରାଜୁ ଓ ମିନାକୁ କେହି କିଛି ପଚାରିଲେନି । ୪ ପିରିଅଡ୍ରୁ ଦୁଇ ପିରିଅଡ୍ରେ ସାର ଆସିଲେନି । ଯେଉଁ ପିରିଅଡ୍ରେ ସାର ଆସିଲେ, ସିଏ ବି କିଛି ପାଠ ପଢ଼େଇଲେ ନାହିଁ । ସ୍କୁଲରୁ ଫେରିବା ବି ବଡ଼ ଯନ୍ତ୍ରଣାଦାୟକ ଥିଲା । ସେଦିନ ରାତିରେ ରାଜୁ ଓ ତା’ ନାନୀ ଶୀଘ୍ର ଶୋଇପଡ଼ିଲେ । ସକାଳ ପାଞ୍ଚଟାରୁ କେହି ନଉଠୁଣୁ ରାଜୁ ଉଠି ଆସି ନାନୀକୁ ଉଠାଇଲା । କହିଲା,ନାନୀ ଧୀରେ ଆସ, ଚାଲ୍ କେହି ଉଠିନାହାନ୍ତି, ଆମେ ପାଠ ପଢ଼ିଦେବା । ଏମାନେ ପାଠ ପଢୁନାହାନ୍ତି, ଆମେ ପାଠ ନପଢ଼ିଲେ ପଛରେ ରହିଯିବା । ବାରଣ୍ଡାରେ ବସି ଭାଇଭଉଣୀ ପାଠ ପଢୁଥାନ୍ତି । ଶଶିନାନୀ ନିଦରୁ ଉଠି ଏ ଦୃଶ୍ୟ ଦେଖିଲା । ରାଜୁକୁ ଗେଲ କରି ପଚାରିବାରୁ ସେ କହିଲା, ନାନୀ ସେ ସ୍କୁଲକୁ ଆମେ ଯାଇପାରିବୁନି ବହୁତ ଦୂର । ପାଠ ବି ପଢ଼ା ହେଉନି । ଆମେ ନିଜେ ନିଜେ ଘରେ ପଢ଼ିବୁ । ନାନୀ ନନାଙ୍କୁ କହିଲା, ନନା ଗାଁକୁ ଫେରିଆସିବାର ବନେ୍ଦାବସ୍ତ କରନ୍ତୁ ।”

କାଳବୈଶାଖୀ କବଳରେ ରାଜୁ:

ଜଟଣୀରେ ଥିଲାବେଳେ ଥରେ ନାନା, ଅଜା, ରାଜୁ ଆଉ ମିନା ବୁଲିବାକୁ ଯାଇଥାନ୍ତି । ଲକ୍ଷ୍ୟ ଥାଏ ନିକଟବର୍ତ୍ତୀ ପାହାଡ଼ ପର୍ଯ୍ୟନ୍ତ ଯିବା । ଅପରାହ୍ନ ସମୟ, ଖରା ନଥାଏ । ମନଖୁସିରେ ଗପସପ ହେଇ ହେଇ ଚାଲିଥାନ୍ତି । ଆକାଶ ଦିଗକୁ କାହାରି ନଜର ନଥାଏ । ହଠାତ୍ ଧୂଳିଝଡ଼ ଆରମ୍ଭ ହେଇଗଲା । ଧୂଳିରେ ଆଖିକୁ କିଛି ଦେଖାଯାଉ ନଥାଏ । ବରକୋଳିଆ ଟୋପା ଆକାଶରୁ ଅଜାଡ଼ି ହୋଇ ପଡ଼ିଲା । କେହି କାହାକୁ ଦେଖିପାରୁ ନଥାନ୍ତି । ଅଜା ମନାର ହାତ ଧରିଥାନ୍ତି । ରାଜୁ ନନାଙ୍କ ପାଖରେ ଥାଏ । ଧାଇଁ ଧାଇଁ ବର୍ଷାରେ ଭିଜି ଭିଜି ଘରେ ପହଞ୍ଚିଲା ବେଳକୁ ରାଜୁ ନାହିଁ । କୁଆଡ଼େ ଗଲା ଭାବି ସମସ୍ତେ ବ୍ୟସ୍ତ ହୋଇ ଖୋଜିଲେ । ନନା ଏବଂ ଅଜା ରାଜୁକୁ ଖୋଜିବାକୁ ଗଲେ । ସେମାନେ ରାଜୁକୁ ପାଇଲେ ନାହିଁ । କିଛି ସମୟ ପରେ ଜଣେ ତେଲୁଗୁ ରେଲୱେ କର୍ମଚାରୀଙ୍କ ହାତ ଧରି ସେ ଆସି ଘରେ ପହଞ୍ଚିଲା । ସେ ଅଜାଙ୍କୁ ନମସ୍କାର କଲେ ଆଉ ହସି ହସି କହିଲେ, ଆପଣଙ୍କ ନାତି ବଡ଼ ହେଲେ ବହୁତ ନାଁ କରିବ । ସେ ଖୁବ୍ ବୁଦ୍ଧିମାନ । ରାଜୁର ପ୍ରଶ୍ନିଳ ଆଖିକୁ ଦେଖି ସେ କହିଲେ, ବର୍ଷା ବେଳେ ସେ ଆମ ବାରଣ୍ଡାରେ ଛିଡ଼ା ହୋଇଥିଲା । ଆମ ଘରେ ତ କେହି ଓଡ଼ିଆ ଜାଣିନାହାନ୍ତି, ସେ ତାର ପରିଚୟ ଦେଇପାରୁନଥାଏ । ଆପଣଙ୍କ ନାଁ କହିଲା, ଆପଣଙ୍କ ଘରର ପରିଚୟ ଦେବାକୁ ଯାଇ କହିଲା – ଠରକ୍ସଚ୍ଚ ଦ୍ଭରବକ୍ସ ଗ୍ଧକ୍ଟ ଗ୍ଧଷର କ୍ସବସକ୍ଷଙ୍ଗବଚ୍ଚ ଗ୍ଦଗ୍ଧବଗ୍ଧସକ୍ଟଦ୍ଭ, ଡସଲର ସଗ୍ଦ ବ ଲବଗ୍ଧ ଙ୍ଗକ୍ଟଜ୍ଞବଦ୍ଭ । ସେତେବେଳେ ମୁଁ ଆସି ପହଞ୍ଚିଲି ଏବଂ ଆପଣଙ୍କ ନାଁ ଜାଣି ତାକୁ ଛାଡ଼ିବାକୁ ଆସିଲି । ମାତ୍ର ଚତୁର୍ଥ ଶ୍ରେଣୀରେ ପାଠ ପଢ଼ି ଯିଏ ଇଂରାଜୀରେ ବୁଝେଇଦେଇପାରୁଛି, ତାର ଭବିଷ୍ୟତ ଅତି ଉଜ୍ଜଳ । ଚା’ ପିଇ ସେ ଚାଲିଗଲେ । ଅଜା ରାଜୁକୁ ସାବାସ୍ କହିଲେ ଆଉ କହିଲେ, ବିପଦରେ ପଡ଼ିଲେ କେବେ ବି ଡରିବୁନି, ବୁଦ୍ଧିର ବ୍ୟବହାର କଲେ ବିପଦ ଟଳିଯିବ ।
ଛୋଟବେଳେ ରାଜୁ ଭାରି ଦୁଷ୍ଟ ଥିଲା । ବହୁତ ବଡ଼ ପାଟିରେ କଥାବାର୍ତ୍ତା କରେ, ଅଶ୍ଳୀଳ ଭାଷାରେ ଗାଳିଦିଏ । ମିନାକୁ ସବୁବେଳେ ବାଡ଼ାଏ । ଯେକୌଣସି ସ୍ୱାଦିଷ୍ଟ ଖାଦ୍ୟ ଅଧିକ ଖାଇବାକୁ ଜିଦ୍ କରେ । ତାକୁ ଯଦି ଖାଦ୍ୟ ବାଣ୍ଟିବାକୁ କୁହାଯାଏ, ସେ ଖୁବ୍ ଖୁସିରେ ବାଣ୍ଟେ, ନିଜ ପାଇଁ କମ୍ ରହିଲେ ପାଟି କରେ । ତାର ଅଶ୍ରାବ୍ୟ ଗାଳିକୁ ଡରି ସମସ୍ତେ ତାକୁ ସବୁ ଦେଇଦିଅନ୍ତି । ଥରେ ସେ ବାଡ଼ିପଟ ନଡ଼ିଆ ଗଛରେ ଚଢ଼ୁଥାଏ, ଯେତେ ଯିଏ ଡାକିଲେ ତଳକୁ ଖସୁନଥାଏ । ଜେଜେମା ଆଉ ବୋଉ ଡାକି ଡାକି ଥକିଗଲେ । ବୋଉ କକେଇଙ୍କୁ ଡାକିଲା, କକେଇ ଗଛରେ ଚଢ଼ି ଧୀରେ ତା କାନ ଧରି ତାକୁ ତଳକୁ ନେଇଆସିଲେ । ରାଜୁ ରାଗିକି କକେଇଙ୍କୁ ଖୁବ୍ ଜୋରରେ ତା ଭାଷାରେ ଗାଳିଦେବାକୁ ଲାଗିଲା ।
ରାଜୁ ରଡ଼ି ମାରିବା ବେଳେ ନନା ଆସିଗଲେ । କକେଇ ହସି ହସି ରାଜୁକୁ କୋଳରେ ଧରି ଘରକୁ ପଶିଗଲେ । ନନା ରାଜୁକୁ ସୁଧାରିବା କଥା ଭାବିଲେ । ସେ ତ ଖୁବ୍ ଭଲ ପଢ଼େ, ନନା ତାକୁ ଟିକେ ଇଂଲିଶ ପଢ଼ାଇ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଲେ । ରାଜୁ ଖୁବ୍ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା । ତାର ସୈନିକ ସ୍କୁଲ ଯିବାର ଯୋଜନା ଚାଲିଲା । ଷଷ୍ଠ ଶ୍ରେଣୀରେ ପଢ଼ିବାକୁ ସେ ଭୁବନେଶ୍ୱର ସୈନିକ ସ୍କୁଲ ଗଲା । ସେଠାକୁ ମାସରେ ଥରଟିଏ ତାକୁ ଦେଖିବା ପାଇଁ ନନା ଭୁବନେଶ୍ୱର ଯାଉଥିଲେ । ଦଶହରା ଛୁଟିରେ ସେ ଘରକୁ ଆସିଲା । ଗାଁରେ ତାର ଛୋଟବଡ଼ ସାଙ୍ଗମାନଙ୍କୁ ତାର ସ୍କୁଲ ବିଷୟରେ କହିଲା, ତାର ବିଭିନ୍ନ ପ୍ରକାର ପୋଷାକ, ଟୋପି ଆଉ ଜୋତା ଦେଖାଇଲା । ସେଇ ଷଷ୍ଠ ଶ୍ରେଣୀ ପଢ଼ୁଥିବା ପିଲା ଗୋଟେ ଟେବଲ ମ୍ୟାଚର ଯୋଜନା କଲା । ସବୁ ଖେଳାଳିମାନଙ୍କ ପାଇଁ ଟି-ସାର୍ଟ ସଂଗ୍ରହ କଲା, ଜୋତା ସଂଗ୍ରହ କଲା । ସମସ୍ତଙ୍କ ଟି-ସାର୍ଟର ପଛରେ ପୋଇ ମଞ୍ଜିର ରଙ୍ଗରେ ସେମାନଙ୍କ ନାଁ ଲେଖିଲା, ଖେଳର ନିୟମ ଶିଖାଇଲା । ସ୍କୁଲ ପଡ଼ିଆ ସାରା ପିଲା ବସି ଦେଖିଲେ । ତାର ପରିର୍ବତ୍ତିତ ବ୍ୟବହାର ଦେଖି ଜେଜେମା କହିଲା, ସୈନିକ ସ୍କୁଲରେ ଗୋଟେ ଯନ୍ତ୍ର ଅଛି, ତା ଭିତରେ ଦୁଷ୍ଟ ରାଜୁକୁ ପୁରେଇଦେଲେ ଆରପଟେ ଗୋଟେ ଶାନ୍ତ ରାଜୁ ବାହାରିଆସିଲା । ସୈନିକ ସ୍କୁଲରେ ପାଠ ଓଡ଼ିଆ ମାଧ୍ୟମରେ ପଢ଼ାଯାଉନଥିଲା, ସବୁ ଇଂଲିଶରେ ପଢ଼ାହେବାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ରାଜୁ ଗଣିତ ଛଡ଼ା ଆଉ କେଉଁଥିରେ ବେଶି ଭଲ କରିପାରୁନଥିଲା । ସପ୍ତମ ଶ୍ରେଣୀରେ ସେ ବହୁତ ହତୋତ୍ସାହ ହୋଇଗଲା । ସ୍କୁଲରେ ମନଦୁଃଖରେ ରହିଲା । ସପ୍ତମ ଶ୍ରେଣୀର ଦଶହରା ଛୁଟି ପରେ ସେ ଯିବାକୁ ବାହାରିଲା ନାହିଁ । ନନା ତାକୁ ନେଇ ଛାଡ଼ିକି ଆସିଲେ, ହେଲେ ଅଳ୍ପ ଦିନ ପରେ ତାର ସ୍କୁଲରୁ ନନାଙ୍କ ପାଖକୁ ଚିଠି ଆସିଲା ଯିବାପାଇଁ । ନନା ଗଲେ, ରାଜୁକୁ ପଚାରିଲେ, କଣ ଏଠି ଆଉ ପଢ଼ିବୁନି? ରାଜୁ କହିଲା, ନା, ମୁଁ ଗାଁରେ ପଢ଼ିବି । ନନା କହିଲେ, ଟିକେ ଅପେକ୍ଷା କର, ମୁଁ ପ୍ରଧାନ ଶିକ୍ଷକଙ୍କ ସହ କଥା ହୋଇ ଆସେ । ସବୁ ବୁଝାବୁଝି କରି ଯିବା, ନହେଲେ ଗାଁରେ ହଇରାଣ ହେବା । ନନା ଆଉ ତା ପାଖକୁ ଫେରିଲେନି, ଘରକୁ ତାକୁ ଚିଠି ଲେଖିଲେ । ନନାଙ୍କ ଚିଠି ତାକୁ ପ୍ରଭାବିତ କଲା । ସେତେବେଳେ କକେଇ ବାଣୀବିହାରରେ ପଢ଼ୁଥିଲେ, ପ୍ରତି ଶନିବାର ତା ପାଖକୁ ଗଲେ । ରାଜୁ ସପ୍ତମ ବାର୍ଷିକ ପରୀକ୍ଷାରେ ଖୁବ୍ ଭଲ କଲା । ସୈନିକ ସ୍କୁଲର ଶୈକ୍ଷିକ ଓ ସହଶିକ୍ଷା କାର୍ଯ୍ୟକ୍ରମ ରାଜୁକୁ ଖୁବ୍ ଭଲ ଲାଗୁଥିଲା । ରାଜୁ ସେଠି ନେତା ବନିଗଲା ଆଉ କୃତିତ୍ୱର ସହ ତାର ଶିକ୍ଷା ସମାପନ କରି ଫେରିଆସିଲା । ସପ୍ତମ ଶ୍ରେଣୀରେ ତାର ଘଟଣାବହୁଳ ଶୈଶବର ସମାପ୍ତି ଘଟିଲା ।

ଉପସ୍ଥାପନା – ନମିତା ଷଡ଼ଙ୍ଗୀ

Comments

0 comments

Share This Article