ଏକବିଂଶ ଶତାବ୍ଦୀରେ ମାନବ ସଭ୍ୟତା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଶିଖରରେ ପହଞ୍ଚିଥିଲେ ମଧ୍ୟ ଯୁଦ୍ଧର ମାନସିକତାରୁ ମୁକ୍ତ ହୋଇପାରି ନାହିଁ । ଆଧୁନିକ ଯୁଦ୍ଧର ପରିସର କେବଳ ମାନଚିତ୍ରର ପରିବର୍ତ୍ତନ ମଧ୍ୟରେ ସୀମିତ ନ ରହି ପୃଥିବୀର ଜୈବିକ ଭାରସାମ୍ୟକୁ ବିପର୍ଯ୍ୟସ୍ତ କରିଦେଉଛି ।
ଯେତେବେଳେ ବୋମା ବିସ୍ଫୋରଣର ଶବ୍ଦରେ ଆକାଶ ପ୍ରକମ୍ପିତ ହୁଏ ସେତେବେଳେ କେବଳ ଅଟ୍ଟାଳିକା ଭାଙ୍ଗେ ନାହିଁ ବରଂ ପୃଥିବୀର ଶ୍ୱାସରୁଦ୍ଧ ହୁଏ । ବିଜୟର ପତାକା ଉଡ଼ାଇବା ପାଇଁ ମଣିଷ ଯେଉଁ ମାଟିକୁ ରକ୍ତରଞ୍ଜିତ କରେ, ସେହି ମାଟିର ଶେଷ ପ୍ରତିଧ୍ୱନି ହେଉଛି ଆଗାମୀ ପିଢ଼ି ପାଇଁ ଏକ ବିଷାକ୍ତ ଭବିଷ୍ୟତ ।
ଯୁଦ୍ଧର ଭୟାବହତା କେବଳ ମୃତ୍ୟୁସଂଖ୍ୟା କି ଜୟ ପରାଜୟ ମଧ୍ୟରେ ସୀମିତ ନ ଥାଏ । ଯୁଦ୍ଧ କେବଳ ଦୁଇଟି ସୀମା ମଧ୍ୟରେ ଲଢ଼ାଯାଏ ନାହିଁ , ଏହା ପ୍ରକୃତି ଏବଂ ଆଗାମୀ ପିଢ଼ି ବିରୁଦ୍ଧରେ ଏକ ଅଘୋଷିତ ଅପରାଧ । ଇତିହାସ ସାକ୍ଷୀ ଅଛି ଯେ, ଯେତେବେଳେ ମଣିଷ ନିଜର ଶକ୍ତି ପ୍ରଦର୍ଶନ କରିଛି, ସେତେବେଳେ ସବୁଜ ଧରିତ୍ରୀ କଳୁଷିତ ଓ ବିଷାକ୍ତ ହୋଇଛି । ଅତୀତରୁ ଆଜି ପର୍ଯ୍ୟନ୍ତ ଯୁଦ୍ଧର ରୂପ ବଦଳିଛି ସତ କିନ୍ତୁ ପରିବେଶ ଉପରେ ଏହାର ଘାତକ ପ୍ରଭାବ ଆହୁରି ଭୟଙ୍କର ହୋଇଛି । ଆଧୁନିକ ଯୁଦ୍ଧ କେବଳ ମଣିଷ ବା ମାନଚିତ୍ର ଉପରେ ଆକ୍ରମଣ ନୁହେଁ ଏହା ପୃଥିବୀର ପ୍ରାକୃତିକ ସମ୍ପଦ ଓ ପରିବେଶ ଉପରେ ଏକ ସାଂଘାତିକ ପ୍ରହାର । ଯୁଦ୍ଧର ବୀଭତ୍ସତା କେବଳ
ଶବ ସଂଖ୍ୟାରେ ସୀମିତ ନୁହେଁ ଏହା ମାଟି, ପାଣି ଏବଂ ପବନକୁ ଦେଇଥିବା ସେହି ଅଭିଶାପ, ଯାହାର ପରିଣାମ ପ୍ରକୃତିକୁ ଶତାବ୍ଦୀ ଶତାବ୍ଦୀ ଧରି ଭୋଗିବାକୁ ପଡ଼ିଥାଏ ।
ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ମଧ୍ୟ ପରିବେଶର କ୍ଷତି ଆରମ୍ଭ ହୋଇଯାଏ । ସେନା ବଳ ତିଆରି ଓ ତାଲିମ ଦେବା ପାଇଁ ବହୁତ ଧନସମ୍ପଦ ଦରକାର ହୁଏ । ଧାତୁ, ଜଳ, ଇନ୍ଧନ ଇତ୍ୟାଦି । ସେନା ଶକ୍ତି ପାଇଁ ଏହି ସମ୍ପଦର ନିୟନ୍ତ୍ରଣ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେନା ଅଭ୍ୟାସ, ଯାନବାହନ, ବିମାନ, ଜାହାଜ ଓ ଅନ୍ୟାନ୍ୟ ସଂରଚନା ପାଇଁ ବହୁତ ଇନ୍ଧନ ଦରକାର ହୁଏ, ଯାହା ପ୍ରାୟତଃ ତେଲ ଉପରେ ନିର୍ଭର । ଏହାର ଫଳରେ ବହୁତ ଅଙ୍ଗାରକାମ୍ଳ ଉତ୍ସର୍ଜନ ହୁଏ । ଆନୁମାନିକ ଭାବେ ସେନା କାର୍ଯ୍ୟକଳାପ ଦୁନିଆର ୫.୫% ଗ୍ରୀନହାଉସ ଗ୍ୟାସ ଉତ୍ସର୍ଜନର ଦାୟୀ । ସେନା ଶିବିର ଓ ପରୀକ୍ଷା କ୍ଷେତ୍ରପାଇଁ ବହୁତ ଜମି ଓ ସମୁଦ୍ର କ୍ଷେତ୍ର ଦରକାର ହୁଏ ଯାହା ପ୍ରାୟତଃ ପରିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଅଭ୍ୟାସ ସମୟରେ ଧ୍ୱନି ଓ ରାସାୟନିକ ପ୍ରଦୂଷଣ ହୋଇଥାଏ ।
ଏହା ସହିତ, ସେନାବାହିନୀ ପାଇଁ ଘାଟି, ସୁବିଧା କେନ୍ଦ୍ର କିମ୍ବା ପରୀକ୍ଷଣ ଏବଂ ତାଲିମ ପାଇଁ ସ୍ଥଳଭାଗ ଓ ସମୁଦ୍ରର ବିଶାଳ ଅଞ୍ଚଳ ଆବଶ୍ୟକ ହୁଏ । ବିଶ୍ୱର ସମୁଦାୟ ସ୍ଥଳଭାଗର ପ୍ରାୟ ୧ରୁ ୬ ପ୍ରତିଶତ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ବିଶ୍ୱାସ କରାଯାଏ । ଅନେକ କ୍ଷେତ୍ରରେ ଏଗୁଡ଼ିକ ପରିବେଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ସାମରିକ ତାଲିମ ଯୋଗୁଁ ପ୍ରଦୂଷଣ ବଢ଼ିଥାଏ, ପ୍ରାକୃତିକ ପରିବେଶ ତଥା ସ୍ଥଳଜ ଓ ସାମୁଦ୍ରିକ ବାସସ୍ଥାନ ନଷ୍ଟ ହୁଏ ଏବଂ ଅସ୍ତ୍ରଶସ୍ତ୍ର, ବିମାନ ଓ ଯାନବାହନ ବ୍ୟବହାର ଯୋଗୁଁ ରାସାୟନିକ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ହୋଇଥାଏ ।
ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ ଯେ, ଯୁଦ୍ଧର ପ୍ରଦୂଷଣ ବହୁ ଦଶନ୍ଧି ଧରି ମାଟି ଓ ଜଳକୁ ଅଭିଶପ୍ତ କରି ରଖିଛି ।
ହିରୋଶିମା ଓ ନାଗାସାକି ପରମାଣୁ ବିସ୍ଫୋରଣ (୧୯୪୫) :
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଦ୍ୱାରା ଜାପାନର ଏହି ଦୁଇଟି ସହର ଉପରେ କରାଯାଇଥିବା ପରମାଣୁ ଆକ୍ରମଣ କେବଳ ମାନବ ଇତିହାସ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କଳା ଅଧ୍ୟାୟ । ବିସ୍ଫୋରଣରୁ ନିର୍ଗତ ପ୍ରବଳ ଉତ୍ତାପ (ପ୍ରାୟ ୩୯୦୦ ଡିଗ୍ରୀ ସେଲସିୟସ) ସହରଗୁଡ଼ିକୁ ମୂହୁର୍ତ୍ତକ ମଧ୍ୟରେ ପାଉଁଶ କରିଦେଇଥିଲା । ଏହା ସହିତ ବାୟୁମଣ୍ଡଳକୁ ପ୍ରବଳ ମାତ୍ରାରେ ତେଜସ୍କ୍ରିୟ ବିକିରଣ (Radioactive Radiation) ମାଡ଼ି ଯାଇଥିଲା ।
ବିସ୍ଫୋରଣ ପରେ ବାୟୁମଣ୍ଡଳରେ ଥିବା ଧୂଳି, ପାଉଁଶ ଏବଂ ତେଜସ୍କ୍ରିୟ ପଦାର୍ଥ ମିଶି କଳାରଙ୍ଗର ବିଷାକ୍ତ ବର୍ଷା ହୋଇଥିଲା । ଯେଉଁମାନେ ଏହି ବର୍ଷା ସଂସ୍ପର୍ଶରେ ଆସିଲେ, ସେମାନେ ଗୁରୁତର ଭାବେ ବିକିରଣଜନିତ ରୋଗରେ ଆକ୍ରାନ୍ତ ହେଲେ ।
ମାଟି ଏବଂ ପାଣିରେ ତେଜସ୍କ୍ରିୟତା ବହୁ ଦଶନ୍ଧି ଧରି ରହିଲା । ଏହାର ପ୍ରଭାବରେ ପରବର୍ତ୍ତୀ ପିଢ଼ିର ଶିଶୁମାନେ ଜନ୍ମଗତ ବିକଳାଙ୍ଗତା, କର୍କଟ ଏବଂ ଅନ୍ୟାନ୍ୟ ଜେନେଟିକ୍ ସମସ୍ୟା ନେଇ ଜନ୍ମ ହେଲେ । ପରିବେଶର ଜୈବବିବିଧତା ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଥିଲା ।
ଏଜେଣ୍ଟ ଅରେଞ୍ଜ-ଭିଏତନାମ ଯୁଦ୍ଧ (୧୯୬୧-୧୯୭୧):
ଭିଏତନାମ ଯୁଦ୍ଧ ସମୟରେ ଆମେରିକୀୟ ସେନା ଶତ୍ରୁ ପକ୍ଷର ଲୁଚିବା ସ୍ଥାନ ଖୋଜିବାପାଇଁ ଏକ ଶକ୍ତିଶାଳୀ ତୃଣନାଶକ (Herbicide) ବ୍ୟବହାର କରିଥିଲେ, ଯାହାର ନାମ ଥିଲା ‘ଏଜେଣ୍ଟ ଅରେଞ୍ଜ’ ।
ଆମେରିକା ପ୍ରାୟ ୨୦ନିୟୁତ ଗ୍ୟାଲନ୍ ରାସାୟନିକ ଭିଏତନାମର ଜଙ୍ଗଲ ଓ ଚାଷଜମି ଉପରେ ସିଞ୍ଚନ କରିଥିଲା । ଏହା ଫଳରେ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଶୁଖିଗଲା ଏବଂ ପରିବେଶ ସନ୍ତୁଳନ ବିଗିଡ଼ି ଗଲା । ମାଟିରୁ ପ୍ରାକୃତିକ ପୁଷ୍ଟିସାର ନଷ୍ଟ ହୋଇଯିବା ଫଳରେ ପୁନର୍ବାର ଜଙ୍ଗଲ ସୃଷ୍ଟି ହେବା ଅସମ୍ଭବ ହୋଇପଡ଼ିଲା । ଡାଇଓକ୍ସିନ୍ (Dioxin)ର ବିଷକ୍ରିୟା:ଏଜେଣ୍ଟ ଅରେଞ୍ଜରେ ‘ଡାଇଓକ୍ସିନ୍’ ନାମକ ଏକ ଅତ୍ୟନ୍ତ ବିଷାକ୍ତ ଉପାଦାନ ଥିଲା । ଏହା ଖାଦ୍ୟ ଶୃଙ୍ଖଳାରେ ମିଶି ମାଛ, ପକ୍ଷୀ ଏବଂ ଶେଷରେ ମଣିଷ ଶରୀରକୁ ଗଲା । ଏହା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ କର୍କଟ, ଚର୍ମରୋଗ ଏବଂ ସ୍ନାୟୁଗତ ସମସ୍ୟା ଦେଖାଦେଲା । ଆଜି ବି ଭିଏତନାମର ଅନେକ ଅଞ୍ଚଳରେ ପିଲାମାନେ ଗୁରୁତର ଶାରୀରିକ ଓ ମାନସିକ ବିକଳାଙ୍ଗତା ସହ ଜନ୍ମ ହେଉଛନ୍ତି ।
ଇରାକ-ଇରାନ ଯୁଦ୍ଧ (୧୯୮୦-୧୯୮୮) ଓ ସନ୍ତସନ୍ତିଆ ଅଞ୍ଚଳର ବିନାଶ:
ଇରାକର ପୂର୍ବତନ ଶାସକ ସଦ୍ଦାମ ହୁସେନ୍ ଶତ୍ରୁ ପକ୍ଷକୁ ଦମନ କରିବା ପାଇଁ ପରିବେଶକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିଥିଲେ । ମେସୋପଟାମିଆର ବିସ୍ତୀର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ (Marshlands) ଯାହାକୁ ‘ଏବକ୍ସୟରଦ୍ଭ କ୍ଟଲ ଋୟରଦ୍ଭ’ କୁହାଯାଉଥିଲା ତାକୁ ସମ୍ପୂର୍ଣ୍ଣ ଶୁଖାଇ ଦିଆଗଲା । ପାଣିର ସ୍ରୋତ ବଦଳାଇ ଦେବା ଫଳରେ ଏହି ଅଞ୍ଚଳ ଏକ ମରୁଭୂମିରେ ପରିଣତ ହେଲା । ସେଠାକାର ହଜାର ହଜାର ମାଛ, ପକ୍ଷୀ ଏବଂ ସ୍ଥାନୀୟ ବନ୍ୟଜନ୍ତୁ ମରିଗଲେ । ଏହା ଏକ ବିରାଟ ପରିବେଶ ଗୋଷ୍ଠୀକୁ ଧ୍ୱଂସ କରିଦେଲା ।
ଚେର୍ନୋବିଲ୍ ପରମାଣୁ ଦୁର୍ଘଟଣା(୧୯୮୬)-ପରୋକ୍ଷରେ ଶୀତଳ ଯୁଦ୍ଧର ପ୍ରଭାବ:
ଯଦିଓ ଏହା ଏକ ଯୁଦ୍ଧ ନଥିଲା, କିନ୍ତୁ ଶୀତଳ ଯୁଦ୍ଧ (Cold War) ସମୟରେ ପରମାଣୁ ଶକ୍ତି ପ୍ରତିଯୋଗିତା ଯୋଗୁଁ ଏହି ବିପର୍ଯ୍ୟୟ ଘଟିଥିଲା । ୟୁକ୍ରେନର ଚେର୍ନୋବିଲ୍ ପରମାଣୁ କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣ ଘଟି ପ୍ରଚୁର ପରିମାଣର ତେଜସ୍କ୍ରିୟ ପଦାର୍ଥ ବାୟୁମଣ୍ଡଳକୁ ମିଶିଥିଲା । ଆଖପାଖର ବିରାଟ ଜଙ୍ଗଲ ନାଲି ପଡ଼ି ମରିଗଲା ଯାହାକୁ ଆଜି ‘ରେଡ୍ ଫରେଷ୍ଟ’ କୁହାଯାଏ । ସେଠାକାର ପଶୁପକ୍ଷୀଙ୍କ ମଧ୍ୟରେ ଜେନେଟିକ୍ ପରିବର୍ତ୍ତନ ଦେଖାଦେଲା । ଆଜି ବି ସେହି ଅଞ୍ଚଳ ମଣିଷ ରହିବାପାଇଁ ଅସୁରକ୍ଷିତ ହୋଇ ରହିଛି ।
କୁଏତ ତୈଳକୂପ ଅଗ୍ନିକାଣ୍ଡ (୧୯୯୧):
ଉପସାଗରୀୟ ଯୁଦ୍ଧ (Gulf War) ଶେଷ ସମୟରେ, କୁଏତରୁ ଫେରିବା ବେଳେ ଇରାକୀ ସେନା ‘ସ୍କର୍ଚଡ୍ ଆର୍ଥ’ (Scorched Earth) ନୀତି ଆପଣାଇ ପ୍ରାୟ ୬୦୦ରୁ ୭୦୦ ତୈଳକୂପରେ ନିଆଁ ଲଗାଇ ଦେଇଥିଲେ ।
ଏହି ନିଆଁ ପ୍ରାୟ ୧୦ମାସ ଧରି ଜଳିଥିଲା । ପ୍ରତିଦିନ ପ୍ରାୟ ୬୦ଲକ୍ଷ ବ୍ୟାରେଲ୍ ତେଲ ଜଳିବା ଫଳରେ ପ୍ରବଳ କଳାଧୂଆଁ ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଲା । ସୂର୍ଯ୍ୟ କିରଣ ପୃଥିବୀପୃଷ୍ଠକୁ ଆସିପାରିଲା ନାହିଁ, ଯାହାଫଳରେ ଅଞ୍ଚଳର ତାପମାତ୍ରା ୧୦ଡିଗ୍ରୀ ପର୍ଯ୍ୟନ୍ତ କମିଯାଇଥିଲା । ବାୟୁମଣ୍ଡଳରେ ଥିବା ସଲଫର ଏବଂ ଧୂଆଁ କଣିକା ମିଶି ‘କୃଷ୍ଣ ବର୍ଷା’ (Black Rain) କରାଇଲା । ଏହି ବର୍ଷା କେବଳ କୁଏତ ନୁହେଁ ବରଂ ପାର୍ଶ୍ୱବର୍ତ୍ତୀ ଦେଶ ଯଥା ଇରାନ, ପାକିସ୍ତାନ ଏବଂ ତୁର୍କୀ ପର୍ଯ୍ୟନ୍ତ ପ୍ରଭାବ ପକାଇଥିଲା । କୂପରୁ ନିର୍ଗତ ହେଉଥିବା ଅଶୋଧିତ ତୈଳ ସମୁଦ୍ରରେ ମିଶିବା ଫଳରେ ହଜାର ହଜାର ସାମୁଦ୍ରିକ ପକ୍ଷୀ, ମାଛ ଏବଂ ପ୍ରବାଳ ପ୍ରାଚୀର (Coral Reefs) ନଷ୍ଟ ହୋଇଯାଇଥିଲା । ଏହାକୁ ଇତିହାସର ସବୁଠାରୁ ବଡ଼ ପରିବେଶଗତ ଆତଙ୍କବାଦ ବୋଲି କୁହାଯାଏ ।
ଆଫଗାନିସ୍ତାନର ଜଙ୍ଗଲ କ୍ଷୟ (ଦୀର୍ଘକାଳୀନ ଯୁଦ୍ଧ):
ଆଫଗାନିସ୍ତାନର ଜଙ୍ଗଲ କ୍ଷୟ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷର ଘଟଣା ନୁହେଁ, ବରଂ ଏହା ପ୍ରାୟ ୪୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ନିରନ୍ତର ଯୁଦ୍ଧର ପରିଣାମ । ମୁଖ୍ୟତଃ ୧୯୭୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ବିଭିନ୍ନ ପର୍ଯ୍ୟାୟର ଯୁଦ୍ଧ ଏଥିପାଇଁ ଦାୟୀ । ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ଆଫଗାନିସ୍ତାନର ଜଙ୍ଗଲ ସମ୍ପଦ ଧ୍ୱଂସ ପାଇଛି ।
ବୋମା ବିସ୍ଫୋରଣ ଏବଂ ସେନାମାନଙ୍କର ଗତିବିଧି ପାଇଁ ବହୁ ପରିମାଣର ଗଛ କଟାଯାଇଛି । ଶାସନ ବ୍ୟବସ୍ଥା ଦୁର୍ବଳ ହେବାର ସୁଯୋଗ ନେଇ ‘ଟିମ୍ବର ମାଫିଆ’ମାନେ ପିସ୍ତା ଓ ପାଇନ୍ ଜଙ୍ଗଲକୁ ସମ୍ପୂର୍ଣ୍ଣ ସଫା କରିଦେଇଛନ୍ତି । ଏହା ଫଳରେ ଭୂସ୍ଖଳନ ଓ ମରୁଭୂମିକରଣ ବଢ଼ିବାରେ ଲାଗିଛି ।
ରୁଷ-ୟୁକ୍ରେନ ଯୁଦ୍ଧ (୨୦୨୨-ବର୍ତ୍ତମାନ):
ବର୍ତ୍ତମାନ ଚାଲିଥିବା ଏହି ଯୁଦ୍ଧ ମଧ୍ୟ ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ୨୦୨୩ ମସିହାରେ କାଖୋଭକା ଡ୍ୟାମ୍ (Kakhovka Dam)ଭାଙ୍ଗିବା ଫଳରେ ପ୍ରବଳ ବନ୍ୟା ଆସିବା ସହ ଶିଳ୍ପାଞ୍ଚଳର ରାସାୟନିକ ତେଲ ଓ ସାର ପାଣିରେ ମିଶି ନଦୀକୁ ବିଷାକ୍ତ କରିଦେଇଛି ।
ସାମ୍ପ୍ରତିକ ସମୟରେ ୟୁରୋପଠାରୁ ଆରମ୍ଭ କରି ପଶ୍ଚିମ ଏସିଆ ପର୍ଯ୍ୟନ୍ତ ଲାଗି ରହିଥିବା ସଂଘର୍ଷ କେବଳ ଭୂ-ରାଜନୀତିକୁ ନୁହେଁ, ବରଂ ବିଶ୍ୱର ଜଳବାୟୁ ପରିବର୍ତ୍ତନର ଗତିକୁ ଭୟଙ୍କର ଭାବେ ତ୍ୱରାନ୍ୱିତ କରୁଛି । ଆଧୁନିକ ଯୁଦ୍ଧରେ ବ୍ୟବହୃତ ଯୁଦ୍ଧ ବିମାନ, ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ରଗୁଡ଼ିକ ପ୍ରଚୁର ପରିମାଣରେ ଜୀବାଶ୍ମ ଜାଳେଣି ବ୍ୟବହାର କରନ୍ତି ।
ଆଧୁନିକ ମିସାଇଲ୍, ଡ୍ରୋନ୍ ଏବଂ ଯୁଦ୍ଧ ବିମାନର ନିରନ୍ତର ବ୍ୟବହାର ଯୋଗୁଁ ବର୍ତ୍ତମାନର ଯୁଦ୍ଧ ପ୍ରଥମ ବର୍ଷରେ ପ୍ରାୟ ୧୫୦ ନିୟୁତ ଟନ୍ କାର୍ବନ ନିର୍ଗମନ କରିଛି । ଏହା କୌଣସି ବିକଶିତ ୟୁରୋପୀୟ ଦେଶର ବାର୍ଷିକ ପ୍ରଦୂଷଣ ସହ ସମାନ ।
ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଥମ କିଛି ମାସ ମଧ୍ୟରେ ନିର୍ଗତ ହୋଇଥିବା କାର୍ବନ ଡାଇଅକ୍ସାଇଡ୍ର ପରିମାଣ ବେଲଜିୟମ୍ ପରି ଏକ ବିକଶିତ ଦେଶର ବାର୍ଷିକ ନିର୍ଗମନ ସହ ସମାନ । ବିଶ୍ୱର ସମୁଦାୟ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନର ପ୍ରାୟ ୫.୫% କେବଳ ସାମରିକ ଗତିବିଧିରୁ ଆସୁଛି, ଯାହାକି ବିଶ୍ୱ ତାପମାୟନ (Global Warming) କୁ ଅଣାୟତ୍ତ କରୁଛି । ଯୁଦ୍ଧ କ୍ଷେତ୍ରରେ କେବଳ ବୋମା ବିସ୍ଫୋରଣ ହୁଏ ନାହିଁ, ବରଂ ପ୍ରତିଦିନ ଟନ୍ ଟନ୍ ସାମରିକ ଆବର୍ଜନା ସୃଷ୍ଟି ହୁଏ । ଏଥିରେ ପ୍ଲାଷ୍ଟିକ୍, ରବର, କେମିକାଲ୍ ଏବଂ ବ୍ୟବହୃତ ମେଡିକାଲ୍ ବର୍ଜ୍ୟବସ୍ତୁ ଥାଏ । ଖୋଲା ଆକାଶ ତଳେ ଏହାକୁ ପୋଡ଼ିବା ପାଇଁ ବଡ଼ ବଡ଼ ‘ବର୍ଣ୍ଣ ପିଟ୍ସ’ ବ୍ୟବହାର କରାଯାଏ । ଏଥିରୁ ନିର୍ଗତ ହେଉଥିବା ‘ଡାଇଓକ୍ସିନ୍’ ପରି ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳକୁ ଦୂଷିତ କରିବା ସହ ସ୍ଥାନୀୟ ଲୋକଙ୍କ ଶରୀରରେ ପ୍ରଜନନ ସମସ୍ୟା ଓ କର୍କଟ ରୋଗ ସୃଷ୍ଟି କରେ ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ରାନ୍ସର କିଛି ଅଞ୍ଚଳରେ ଏତେ ମାତ୍ରାରେ ଗୁଳିଗୋଳା ଓ ରାସାୟନିକ ଅସ୍ତ୍ର ବ୍ୟବହାର ହୋଇଥିଲା ଯେ ତାହା ପରିବେଶକୁ ସମ୍ପୂର୍ଣ୍ଣ ବିଷାକ୍ତ କରିଦେଇଥିଲା । ମାଟିରେ ଆର୍ସେନିକ୍, ସିସା ଏବଂ ମର୍କୁରୀ ପରି ଭାରୀ ଧାତୁର ପରିମାଣ ଏତେ ବଢ଼ିଗଲା ଯେ ସେଠାରେ ଗଛଲତା ବଢ଼ିବା ବନ୍ଦ ହୋଇଗଲା ।
ଫ୍ରାନ୍ସ ସରକାର ପ୍ରାୟ ୧୨୦୦ ବର୍ଗ କିଲୋମିଟର ଅଞ୍ଚଳକୁ ‘ନାଲି ଅଞ୍ଚଳ’ ((Red Zone) ) ଘୋଷଣା କରି ସେଠାରେ ଚାଷବାସ ଓ ଜନବସତି ନିଷିଦ୍ଧ କରିଛନ୍ତି । ଆଜି ବି ସେଠାରେ ମାଟି ତଳୁ ଅଫୁଟା ବୋମା ମିଳୁଛି ।
‘‘Zone Rouge’ ହେଉଛି ଯୁଦ୍ଧର ସେହି କଳା ସ୍ୱାକ୍ଷର, ଯାହା ପ୍ରମାଣ କରେ ଯେ ଯୁଦ୍ଧ ଶେଷ ହେବାର ୧୦୦ ବର୍ଷ ପରେ ମଧ୍ୟ ପ୍ରକୃତି ସେହି ବିଷାକ୍ତ ପ୍ରଭାବରୁ ମୁକ୍ତ ହୋଇପାରି ନାହିଁ ।
ସାମ୍ପ୍ରତିକ ସମୟରେ ଗାଜା ଓ ୟୁକ୍ରେନର ଊର୍ବର ଜମିରେ ଏହି ବିଷାକ୍ତ କେମିକାଲ୍ ଏଭଳି ଭାବେ ମିଶିଯାଇଛି ଯେ, ଯୁଦ୍ଧ ପରେ ବି ସେଠାରେ ଖାଦ୍ୟସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ହେବ । ସମୁଦ୍ର ମଧ୍ୟରେ ଯୁଦ୍ଧାଭ୍ୟାସ ଏବଂ ଯୁଦ୍ଧଜାହାଜ ବୁଡ଼ିଯିବା ଫଳରେ ସାମୁଦ୍ରିକ ପ୍ରଦୂଷଣ ବଢ଼ିଥାଏ । ସବ୍ ମେରିନରେ ବ୍ୟବହୃତ Sonar System ଏବଂ ବିସ୍ଫୋରଣ ଯୋଗୁଁ ସମୁଦ୍ରର ଜୈବିକ ଭାରସାମ୍ୟ ନଷ୍ଟ ହୁଏ । ଏହା ତିମି ଏବଂ ଡଲଫିନ୍ ପରି ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ ।ଆଜିର ଯୁଦ୍ଧ ପରିସ୍ଥିତି, ବିଶେଷ କରି ରୁଷ-ୟୁକ୍ରେନ ଏବଂ ଗାଜା-ଇସ୍ରାଏଲ ସଂଘର୍ଷ, ପରିବେଶ ପ୍ରଦୂଷଣକୁ ନୂତନ ସ୍ତରକୁ ନେଇଯାଇଛି । ସାମ୍ପ୍ରତିକ ସମୟରେ ଜାପୋରିଜିଆ (Zaporizhzhia) ପରି ପରମାଣୁ ଶକ୍ତି କେନ୍ଦ୍ରଗୁଡ଼ିକ ନିକଟରେ ଚାଲିଥିବା ଗୁଳିବର୍ଷା ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଯୁଦ୍ଧ ପରେ ସନ୍ଧି ହୋଇପାରେ କିନ୍ତୁ ମାଟି, ପାଣି ଏବଂ ବାୟୁରେ ମିଶିଥିବା ବିଷାକ୍ତ ପଦାର୍ଥଗୁଡ଼ିକୁ ସଫା କରିବା ଅସମ୍ଭବ । ଯୁଦ୍ଧର ଏହି ‘ନିରବ ବିନାଶ’ ମଣିଷର ଅନେକ ପିଢ଼ିକୁ ଭୋଗିବାକୁ ପଡ଼ିଥାଏ । ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଏହି ପ୍ରଦୂଷଣ ବହୁ ବର୍ଷ ଧରି ରହିଥାଏ । ଯୁଦ୍ଧ ପରେ ସହରଗୁଡ଼ିକୁ ପୁଣି ଥରେ ଗଢ଼ିବା ପାଇଁ ଯେଉଁ ବିପୁଳ ପରିମାଣର ସିମେଣ୍ଟ, ଷ୍ଟିଲ୍ ଓ କଂକ୍ରିଟ୍ ବ୍ୟବହାର ହୁଏ, ତାହା ପୁଣି ଥରେ କୋଟି କୋଟି ଟନ୍ କାର୍ବନ ନିର୍ଗମନ କରିଥାଏ । ଅର୍ଥାତ୍ ଯୁଦ୍ଧ ଧ୍ୱଂସ କରିବା ବେଳେ ଏବଂ ଶାନ୍ତି ସମୟରେ ନିର୍ମାଣ ହେବା ବେଳେ ଉଭୟ ସମୟରେ ପରିବେଶ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଏ । ଯୁଦ୍ଧ ଶେଷହେବା ପରେ ପରିବେଶକୁ ପୁଣି ସଫା କରିବା ପାଇଁ ଯେତିକି ଅର୍ଥ ଲାଗେ, ତାହା ଯୁଦ୍ଧ ବଜେଟ୍ ଠାରୁ ବି ଅଧିକ ହୋଇପାରେ । ମାଟିରୁ ବିଷାକ୍ତ କେମିକାଲ୍ ବାହାର କରିବା ଏବଂ ଜଳସ୍ରୋତକୁ ପୁନର୍ଜୀବିତ କରିବା ପାଇଁ ଶତାଧିକ ବର୍ଷ ସମୟ ଲାଗିଥାଏ ।
ଆଜି ଯେତେବେଳେ ସମଗ୍ର ବିଶ୍ୱ ‘ନେଟ୍ ଜିରୋ’ ଏବଂ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, ଯୁଦ୍ଧ ସେହି ସବୁ ପ୍ରୟାସକୁ ପାଣିରେ ମିଶାଇ ଦେଉଛି । ପରିବେଶର କୌଣସି ସୀମା ନଥାଏ । ତେଣୁ, ଆନ୍ତର୍ଜାତିକ ସ୍ତରରେ “ପରିବେଶଗତ ନ୍ୟାୟ’ (Environmental Justice)କୁ ଯୁଦ୍ଧ ବିରୋଧୀ ଆନେ୍ଦାଳନର ମୁଖ୍ୟ ଆଧାର କରିବାକୁ ହେବ । ମଣିଷ ନିଜର ସ୍ୱାର୍ଥ ଓ ସୀମା ବଢ଼ାଇବାକୁ ଯାଇ ଯଦି ପ୍ରକୃତିର ଶ୍ୱାସରୁଦ୍ଧ କରିଦେବ, ତେବେ ଜୟ-ପରାଜୟର କୌଣସି ଅର୍ଥ ରହିବ ନାହିଁ ।
ଇତିହାସ ଆମକୁ ଚେତାବନୀ ଦେଉଛି ଏବଂ ବର୍ତ୍ତମାନର ସ୍ଥିତି ଆମକୁ ଭୟଭୀତ କରୁଛି । ଯଦି ବିଶ୍ୱ ସମୁଦାୟ ଯୁଦ୍ଧର ଏହି ପାରିସ୍ଥିତିକ ବିନାଶକୁ ଗମ୍ଭୀରତାର ସହ ନ ନିଏ, ତେବେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ହେଉଥିବା ସମସ୍ତ ପ୍ରୟାସ ନିରର୍ଥକ ହୋଇଯିବ । ପ୍ରକୃତିର କୌଣସି ପାର୍ସପୋର୍ଟ ନଥାଏ କି ସୀମା ନଥାଏ । ତେଣୁ ଗୋଟିଏ କୋଣରେ ହେଉଥିବା ବିସ୍ଫୋରଣର ପ୍ରତିଧ୍ୱନି ସମଗ୍ର ପୃଥିବୀର ପରିବେଶକୁ ଶ୍ୱାସରୁଦ୍ଧ କରେ । ଆମକୁ ଯୁଦ୍ଧର ସଂଜ୍ଞା ବଦଳାଇବାକୁ ହେବ । ଏହା କେବଳ ଦୁଇଟି ଶକ୍ତିର ଲଢ଼େଇ ନୁହେଁ ବରଂ ଏହା ମାନବ ଜାତିର ସାମୂହିକ ଭବିଷ୍ୟତ ବିରୁଦ୍ଧରେ ଏକ ଆକ୍ରମଣ । ଯଦି ଆମେ ଆଗାମୀ ପିଢ଼ିକୁ ଏକ ବଞ୍ଚିବା ଯୋଗ୍ୟ ପୃଥିବୀ ଦେବାକୁ ଚାହୁଁଛୁ, ତେବେ ଆନ୍ତର୍ଜାତିକ ସ୍ତରରେ ‘‘Ecocide’ କୁ ଏକ ଯୁଦ୍ଧ ଅପରାଧ ଭାବେ ମାନ୍ୟତା ଦେବା ସମୟ ଆସିଯାଇଛି ।
“ଜୟ-ପରାଜୟର ସୀମାରେଖା ତଳେ କାନ୍ଦୁଛି ଆଜିର ମାଟି
ବୋମା ବିସ୍ଫୋରଣେ ସବୁଜ ଧରିତ୍ରୀର ଅସ୍ତିତ୍ୱ ଯାଉଛି ମିଟି’ ।
Comments
0 comments

