ଦାରୁଣ ଅସହାୟତା!
ପାଠକେ! ଏଇ ହିନ୍ଦୁ ଭାଇଙ୍କ କଥା । ଇତି ମଧ୍ୟରେ ଆମ ହିନ୍ଦୁ ଭାଇଙ୍କ ଅବସ୍ଥା ଏମିତି ଅସହାୟତାପୂର୍ଣ୍ଣ ହୋଇଗଲାଣି ଯେ ତାଙ୍କ ଭିତରୁ କିଛି ଭାଇ ବିରକ୍ତରେ କହିଲେଣି -ହେ! ସରକାରକୁ ନ ଆସିଥିଲେ ଭଲ ହୋଇ ଥାଆନ୍ତା । ଏଭଳି ଶ୍ମଶାନ ବୈରାଗୀଙ୍କ ଭିତରୁ ଭୁବନେଶ୍ୱର ରେଳଷ୍ଟେସନରେ ଦେଖା ହୋଇଥିବା ଜଣେ ଭାଇଙ୍କୁ ଆମେ ପଚାରିଲୁ -ଆପଣ ଏମିତି କାଇଁ ବିରକ୍ତ? ଆପଣଙ୍କ ସରକାର ତ ଭଲ ଚାଲିଛି । ଦିଇଟା ଇଞ୍ଜିନର ସରକାର । ରେଳ ଉଡ଼ିବା କଥା । ଆଉ ଆପଣ ଏମିତି କ’ଣ ବଇଷମଙ୍କ ପରି ହେଉଛନ୍ତି? ଡବଲ ଇଞ୍ଜିନ୍ କଥାଟା ଭାଇଜଣଙ୍କୁ ଭଲ ଲାଗିଲା ନାହିଁ ବୋଧେ ଫିଡ଼ିକି ଯାଇ କହି ପକାଇଲେ – ଆହେ ବାବୁ ତମେ କ’ଣ ଦେଖି ପାରୁନ? ଏ ଇଞ୍ଜିନି ଦିଇଟା ସିନା ଆମର ହେଲେ ଏ ଡବାଗୁରା କ’ଣ ଆଉ ଆମର ହେଇକିରି ଅଛି? ଆଏ ଡବା କଥା ଛାଡ଼! ଗାଡ଼ି ଚଲୋଉଥବା ଇଞ୍ଜିନି ଡାଇବର ସଇତେ କ’ଣ ଆମର ଆଉ ହେଇ କି ଅଛନ୍ତି? ଆମେ ଯେତେବେଳେ ପଚାରିଲୁ ‘ଆଉ?’ ଭାଇ କହିଲେ ଫୁଉଲୁ ଲୋକୋ-ପାଇଲଟ ହେଇଗଲେଣି । ବୁଝିଲେ! ଆମେ ପଚାରିଲୁ କ’ଣ ଲୋକଙ୍କ ପାଇଲଟ? ସିଏ ଚିଡି ଉଠି କହିଲେ ନାହିଁ ହେ ଏଇନା ସିଏ ଯା’ର ଇଚ୍ଛା ତାର ପାଇଲଟ । ତାଙ୍କ ଇଚ୍ଛା ଅନୁସାରେ ସିଏ ଗାଡ଼ି ଚଳାଉଛନ୍ତି ।
ଆମେ ବାବୁଙ୍କ ଠାରୁ ଜାଣିବାକୁ ଚାହିଁଥିଲୁ ଯେ -ସିଏ ଏମିତି କାହିଁକି ଭାବୁଛନ୍ତି । ବାବୁ ଆମକୁ କପେ ଷ୍ଟେସନ୍ ଚା ଧରେଇ ଦେଇ ବଡ଼ ବିମର୍ଷ ମନରେ ତାଙ୍କ ଦୁଃଖ କଥାଗୁଡ଼ା କହିବା ଆରମ୍ଭ କଲେ । କହିଲେ-ସୁରେନ୍ଦ୍ର ଭାଇ! ଟିକେ ମନେ ପକେଇଲେ । ଏଇ ଲାଇନ ଅଛି । ଅତୀତରେ ଯେତେବେଳେ ଏହା ଉପରେ ଆମ ବିଜେପି ରେଳ ଗଡ଼ି ଗଡ଼ି ଯାଉଥିଲା ଯାତ୍ରୀମାନଙ୍କ ମନରେ କି ଆନନ୍ଦ, କି ଉତ୍ସାହ ନଥିଲା । ଷ୍ଟେସନ ଦେଖିଲା କ୍ଷଣି ଜୟ ଶ୍ରୀରାମ । ଜଣେ କିଏ ଜୟ ଶ୍ରୀରାମ ନାରାଟା ଦେଇଦେଲାତ ସାରା ରେଳ କମ୍ପିଲା । ଆରେ ନହେବ କେମିତି? ସମସ୍ତେତ ଗୋଟିଏ ଗଛର ଫଳ ନା, ସବୁ ଗୋଟିଏ ପିଢ଼ାର ଲାଉ । କମ୍ପେଇବେନି? ହେଲେ ଏବେ ଆଉ ସେକଥା ହେଉଛି ।
ଆମେ ପଚାରିଲୁ -କାଇଁ ହେଉନି ? ବାବୁ କହିଲେ- ଆଉ କେମିତି ହେବ? ଇଏ ପରା କ୍ଷମତା ସାଙ୍ଗରେ ରହିବା ପାଇଁ ବିଭିନ୍ନ ଦଳର, ବିଭିନ୍ନ ଆଦର୍ଶର, ବିଭିନ୍ନ ଚରିତ୍ରର ଭିନ୍ନ ଭିନ୍ନ ଲୋକ ସବୁ ଆସି ବିଜେପି ରେଳରେ ସିଟ୍ ଆବୋରି ବସି ଗଲେଣି । ଆଉ ତାଙ୍କୁ ଆମ ଦଳର ବଡ଼ବାବୁ (ସେମାନେ ଆଉ ଆମ ଭାଇ ନାହାନ୍ତି, ସେମାନେ ଏଇନା ବାବୁ) ମାନେ ଗେରୁଆ ଗାମୁଛା ପକାଇ ସ୍ୱାଗତ କରି ପକାଉଛନ୍ତି । ଆପଣ ଗୋଟିଏ କଥା ଦେଖୁ ନାହାନ୍ତି । ଆମେ ଯେତେ ରାଜ୍ୟରେ ସରକାର କଲୁଣି ସେଥିରୁ କେତେଟାର ମୁଖ୍ୟମନ୍ତ୍ରୀ, ଯିଏ ସରକାରର ମୁଖ୍ୟ, ନିରୋଳା ବିଜେପିର ? ଆମେ ପଚାରିଲୁ -ମାନେ ? ବାବୁ କହିଲେ ଆପଣ ଆମ ପଡ଼ିଶା ରାଜ୍ୟମାନଙ୍କୁ ଦେଖୁ ନାହାନ୍ତି । ଆସାମକୁ ଦେଖୁ ନାହାନ୍ତି! ସେଠି ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ସିଏ କ’ଣ ଆମ ଲୋକ । ସିଏତ ପୁରା କଂଗ୍ରେସୀ ଲୋକ । ତାଙ୍କୁ ରାହୁଳ ଗାନ୍ଧୀ କୋଳେଇଲେନି ବୋଲି ସିନା ସିଏ ବିଜେପିକୁ ଆସିଲେ ଆଉ ଆସୁ ଆସୁ ସିଧା ମୁଖ୍ୟମନ୍ତ୍ରୀ ହୋଇ ବସିପଡ଼ିଲେ । ଏଇ ଏବେ ଯେଉଁ ପଶ୍ଚିମବଙ୍ଗ ନିର୍ବାଚନ ହେଲା ଆଉ ସେଥିରେ ଯେଉଁ ବାବୁ ମୁଖ୍ୟମନ୍ତ୍ରୀ ହୋଇ ବସିଛନ୍ତି ସିଏ କିଏ? ସିଏ ପରା ଟିଏମସି ମମତା ଦିଦିଙ୍କ ଅଲିଅଳ ସାନଭାଇ ହୋଇ ତାଙ୍କ କାନି ଧରି ଧରି ବାଟ ଚାଲୁଥିଲେ । ହେଲେ ଏଇଲାଗେ ସିଏ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ । କହିଲେଣି -ତାଙ୍କ ପୂର୍ବ ଦଳରୁ ଆଉ ପଚାଶ ବିଧାୟକ, ସାଂସଦ ସବୁ ଆଣି ବିଜେପିରେ ପୁରେଇବେ । ଭାଇ! ଟିକେ ଭାବିଲ । ଆମର ଯେଉଁ ବିଜେପି ଭାଇମାନେ ଏମାନଙ୍କ ବିରୁଦ୍ଧରେ ଜୀବନତମାମ ଲଢ଼ିଥିଲେ, ଏଇମାନଙ୍କଠୁ କେତେ ମାଡଗାଳି ନ ଖାଇଛନ୍ତି । ତାଙ୍କ ମୁଁହ ଆଉ ଖୋଲୁଛି ନାଁ ସିଏ କିଛି କହିବା ଅବସ୍ଥାରେ ଅଛନ୍ତି? ଆଉ ସିଏ କହିବେ ବି କାହାକୁ? ଏଥିରେ ସେମାନେ ଆଉ ପୂର୍ବ ଜୋରରେ ଜୟ ଶ୍ରୀରାମ ବୋଲି ବୋବାଳି ଛାଡ଼ିବେ କେମିତି? ତାଙ୍କୁ ଓଲଟା କୁହାଗଲାଣି ହର ହର ମୋଦି, ଘର ଘର ମୋଦି, ଜୟ ମୋଦିଜୀ ନାରା ପକାଅ ।
ଆମ ଏଇଠି ଦେଖୁ ନାହାନ୍ତି । କଳାହାଣ୍ଡିରୁ ଯିଏ ଦିନେ ଓଡ଼ିଶା ବିଜେପି ଦଳର ରାଜ୍ୟ ମୁଖିଆ ଥିଲେ, ସାଂସଦ ହୋଇଥିଲେ ତାଙ୍କ କଥା ଦଳ ବୁଝିଲା? ସିଏ ଆମ ଗାଡିର ପୁରୁଣା ଯାତ୍ରୀ ହୋଇ ବି ତାଙ୍କ ପୁଅକୁ ନେଇ ଆମ ରେଳରୁ ଡେଇଁ ପଡ଼ି ପଳେଇଲେଣି । ନୂଆ ରେଳକୁ ଗୋଡ଼ ବଢ଼େଇଲେଣିି । ଲେଖାଶ୍ରୀ, ଭୃଗୁ କାହା କଥା କହିବି? ତା ବଦଳରେ ବିଜେଡି, କଂଗ୍ରେସ, କମୁନିଷ୍ଟ ଗାଡିର ଯାଗା ନପାଇ ବୁଲୁଥବା ଲୋକଗୁରା ଏଇନା ଏଡିକି ଏଡ଼ିକି ଲମ୍ବା ଲମ୍ବା ନୂଆ ଗାଡି ଧରି ଦାମିକା ପଂଜାବୀ ପକାଇ ଆମକୁ ହିନ୍ଦୁତ୍ୱ ଉପରେ ପ୍ରବଚନ ଦେଲେଣି । ଅନ୍ୟ ଦଳର ଏମପି, ଏମଏଲଏ ଆଉ କିଏ କିଏ ସବୁ ଆସି ବିଜେପି ଡବାରେ ପଶି ଏମିତି ଭିଡ କଲେଣି ଯେ ଏବେ ଆମକୁ ଆଉ ଯାଗା ମିଳୁନି । ସାରା ଅବିଭକ୍ତ କଟକ ଜିଲ୍ଲାଟାକୁ ଦେଖୁନାହାନ୍ତି । କାଲି ଯେଉଁମାନେ ଆମଲୋକଙ୍କୁ କି କି ଭାଷା ଅଭାଷା କହୁଥିଲେ, ଆମେ ତାଙ୍କୁ ଚୋର କହୁଥିଲୁ ସେ ସବୁ ଆସି ଏଇନା ଆମ ଗାଡ଼ିରେ । ଦୁଃଖ ଲାଗୁଛି ଯେ ସେମାନେ ଆମକୁ ଆସନ ଛାଡିବାକୁ କହୁ ନାହାନ୍ତି, ଆମରି ଲୋକେ ଆସି ଆମକୁ କହୁଛନ୍ତି ସେମାନଙ୍କ ପାଇଁ ଯାଗା ଛାଡ । ଭାରୀ କାନ୍ଦ ଲାଗୁଛି ଭାଇ!
କେଉଁ ମନ୍ତ୍ରୀ କେଉଁ ମଣ୍ଡଳ?
ଆଜ୍ଞା! ଏକଥାଟି ଆମେ କହୁନାହୁଁ । ଏ କଥାଟି ଭାରତୀୟ ଜନତାପାର୍ଟିର ଓଡ଼ିଶା ଶାଖାର ସଭାପତି ମନମୋହନ ସାମଲ ଏବେ ମୋବାଇଲ ସମ୍ବାଦଦାତାମାନଙ୍କୁ କହିଛନ୍ତି । ବିଭିନ୍ନ ମୋବାଇଲରେ ତାଙ୍କର ଏହିପରି କଥା କହୁଥିବାର ଏକ ଭିଡିଓ ଦିନେ ଦୁଇଦିନ ଖଣ୍ଡେ ଦେଖିବାକୁ ମିଳୁଥିଲା । ସାମଲଙ୍କ ମତରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା କଥାକୁ ଗଣମାଧ୍ୟମ, ଜଣମାଧ୍ୟମ ଓ ମୋବାଇଲ ମାଧ୍ୟମ ବେଶୀ ଅପପ୍ରଚାର କରାଉଛି । ସିଏ କେତେଥର ଏହି କଥା ଶୁଣିଲେଣି । ହେଲେ କାଇଁ କେଉଁଠି ହେଉଛି? ଏଥର ମଧ୍ୟ ସେପରି କିଛି ହେବାର ଥିବା ପରି ସିଏ ସଭାପତି ଥାଇ ମଧ୍ୟ ଜାଣିନାହାନ୍ତି ।
ପାଠକେ! କ’ଣ ହେଇଛି କି? ଗତ କେତେ ମାସ ହେଲାଣି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା କଥାକୁ ନେଇ ମୋବାଇଲ ଗଣମାଧ୍ୟମରେ ଢେର ଅପପ୍ରଚାର ହେଉଛି । ବିଶେଷ କରି ଏହି ସବୁ ମାଧ୍ୟମରେ ପ୍ରାୟ ଆଠରୁ ଦଶଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା କଥାର ପ୍ରଚାର ହୋଇ ସାରିଲାଣି । ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ଥାନରେ କେତେବେଳେ ଧର୍ମେନ୍ଦ୍ର ପ୍ରଧାନ, କେତେବେଳେ ମନମୋହନ ସାମଲ, କେତେବେଳେ ଜୟ ପଣ୍ଡା, କେତେବେଳେ ଅପରାଜିତା ଷଡଙ୍ଗୀ ଓ ବେଳେ ବେଳେ ବିଜେଡିର ନବୀନ ପଟ୍ଟନାୟକଙ୍କ ଆଦିଙ୍କ ନାଁ ସବୁ ପ୍ରଚାରିତ ହୋଇଯାଉଛି । କେବଳ ସେତିକି ନୁହେଁ, ଆଉ ଦି ତିନି ଜଣ କେନ୍ଦ୍ରମନ୍ତ୍ରୀ ଯେମିତିକି ଜୁଏଲ ଓରାମ, ଗୁଜୁରାଟୀ ଭାଇ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବି ପ୍ରଚାରିତ ହୋଇଯାଉଛି । ସେତିକି ନୁହେଁ ରାଜ୍ୟର ଜଣେ ଦୁଇଜଣ ମନ୍ତ୍ରୀ ଯେମିତି ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ମଧ୍ୟ ଏହି ଗୁଜବରେ ଦେଖିବାକୁ/ଶୁଣିବାକୁ ମିଳିଯାଉଛି । ଏହା ସାଙ୍ଗକୁ ଆଉ ଗୋଟିଏ ଅପପ୍ରଚାର ମଧ୍ୟ ଶୁଣିିବାକୁ ଦେଖିବାକୁ ମିଳୁଛି ଯେ କେତେବେଳେ ୬ ଜଣ ତ କେତେବେଳେ ୮ ଜଣ ମନ୍ତ୍ରୀ ଏଥର ମନ୍ତ୍ରିମଣ୍ଡଳରୁ ବିଦା ହୋଇ ଯାଉଛନ୍ତି । ଆଉ ତାଙ୍କ ଯାଗାରେ ଅନେକ ନୂଆ ବିଧାୟକଙ୍କ ନାଁ’କୁ ନୂତନ ମନ୍ତ୍ରିମଣ୍ଡଳ ତାଲିକାରେ ସାମିଲ କରି ତାଙ୍କ ନୂଆ ବିଭାଗ ସମ୍ପର୍କରେ ମଧ୍ୟ ସୂଚନା ପ୍ରସାରିତ ହୋଇଯାଉଛି ।
ଏସବୁ ଦେଖି ଆମେ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ପଚାରିଲୁ – ହଇଓ ଭାଇ ଏଗୁରା ଏମିତି କାଇଁ ପ୍ରଚାରିତ ହେଉଛି । ସିଏ ଆମକୁ ଯାହା କହିଲେ ଆମେ ମୁଣ୍ଡରେ ହାତ ଦେଇଦେଲୁ । ସିଏ କହିଲେ ଆହେ ଆଜିକାଲିତ ଯାହା ହାତରେ ମୋବାଇଲ ସିଏ ସାମ୍ବାଦିକ । ତେଣୁ କିଛି ଲୋକ ତାଙ୍କ ନାଁ’ଟାକୁ ପ୍ରଚାର କରାଇ ପତିଆରା ବଢ଼ାଉଛନ୍ତି । କ’ଣ କରାଯିବ?
ଆମ ପାଟିରୁ ବାହାରି ପଡ଼ିଥିଲା- ନାଇଁ ଆଉ କିଛି କରି ହେବନି ।
କର୍ପୋରେଟ ପଞ୍ଝା ଓ ବିଜୁଳିକାଟ
ପାଠକେ! ଏବେ ସାରାରାଜ୍ୟରେ ବିଜୁଳିକାଟ ନତୁବା ଲୋ-ଭୋଲଟେଜ ସମସ୍ୟାରେ ଲୋକେ ନାହିଁ ନଥିବା ହନ୍ତସନ୍ତ ହେବାରେ ଲାଗିଛନ୍ତି । ବିଶେଷ କରି ଏବେର ବିଜୁଳି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଆସିଥିବା ପଶ୍ଚିମ ଓଡ଼ିଶାରେ ଏହି ଅବସ୍ଥା ଅଧିକ ଉକ୍ରଟ । ପୂର୍ବତନ ଆଇନମନ୍ତ୍ରୀ ତଥା ରାଜ୍ୟର ଜଣେ ବରିଷ୍ଠ ରାଜନୀତିଜ୍ଞ ନରସିଂହ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାରୁ ଆସିଛନ୍ତି । ସିଏ ଇତିମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଲୋ ଭୋଲଟେଜ ଓ ବିଦ୍ୟୁତ କାଟ ସମସ୍ୟା ପ୍ରାୟ ନଥିଲା । ଏବେ କେବଳ ବିଜୁଳି କାଟ ବା ଲୋ-ଭୋଲଟେଜ ବୋଲି ନୁହେଁ,ତାହା ଯୋଗୁ ଜଳାଭାବ ଦେଖାଯାଇଛି । ଲୋକେ ଗାଧୋଇବା, ଶୌଚ ହେବା ସହିତ ପିଇବା ପାଣି ଟୋପାଏ ପାଇଁ ମଧ୍ୟ ଡହଳ ବିକଳ ହେଉଛନ୍ତି ।
ଶ୍ରୀ ମିଶ୍ର କହିଲେ ବୋଲି ନୁହେଁ ଏବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହେଲାଣି ପଶ୍ଚିମ ଓଡ଼ିଶାର ଝାରସୁଗୁଡା । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଉପରକୁ ଚାଲିଯାଉଛି । ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ ଆଦି ଜିଲ୍ଲାରେ ହିଟ୍ ୱେଭ ସତର୍କତା ଜାରୀ କରୁଛି ପାଣିପାଗ କେନ୍ଦ୍ର । ୩୦ତାରିଖ ପରେ ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ ହୁଏତ ଉତ୍ତାପ କମ ହୋଇପାରେ । ରାଜ୍ୟରେ ଉତ୍ତାପ ଓ ଗୁଳୁଗୁଳି ମଣିଷ ଜୀବନକୁ ଦହଗଞ୍ଜ କରି ପକାଉଥିବା ବେଳେ ସାଧାରଣ ଲୋକେ ଚାହୁଁଛନ୍ତି ଯେ ସେମାନଙ୍କ ଘରେ ଅନ୍ତତଃ ବିଜୁଳି ନକଟୁ, ବିଜୁଳି ଥାଇ ବି ଲୋ-ଭୋଲଟେଜ୍ ନହେଉ । ଅନ୍ତତଃ ପଙ୍ଖା ତ ଚାଲୁ । ଯାହାକି ଅଧିକାଂଶ କ୍ଷେତ୍ରରେ ଅସମ୍ଭବ ହେଉଛି । ଦିନ ଏବଂ ରାତି ଉଭୟ ସମୟରେ ବିଜୁଳି କଟୁଛି ଏବଂ ଲୋ-ଭୋଲଟେଜ ହୋଇଯାଉଛି । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟାକୁ ଦେଖିଲେ ବିଶ୍ୱାସ କରି ହେଉନାହିଁ ଯେ କର୍ପୋରେଟ କବଳରେ ଥିବା ରାଜ୍ୟ ସରକାର ଚାହୁଁଛନ୍ତି ଯେ ରାଜ୍ୟରେ ଲୋ ଭୋଲଟେଜ ବା ବିଜୁଳିକାଟ ସମସ୍ୟାର ସମାଧାନ ହୋଇଯାଉ ।
କେତୋଟି ଉଦାହରଣ ଦେଖିବା । ଆମ ରାଜ୍ୟରେ ଏବର୍ଷ ଏଇ ସମୟରେ ବା ଗ୍ରୀଷ୍ମ କାଳରେ ବିଦ୍ୟୁତ ଚାହିଦା ୮୧୧୦ ମେଗାୱାଟ ପର୍ଯ୍ୟନ୍ତ ପହଞ୍ଚୁଛି । ତେବେ କେତେକ ଏହାକୁ ୮୧୧୮ ମେଗାୱାଟ କହୁଛନ୍ତି ତ ଅନେକ ସମୟରେ ଏହା ଦିନବେଳା ୬୧୧୫ ମେଗାୱାଟ୍ ରହୁଛି ଓ ପିକ୍ ଆୱାରରେ ୭୨୫୧ ମେଗାୱାଟ ପର୍ଯ୍ୟନ୍ତ ଯାଉଛି ବୋଲି କେତେକ ହିସାବରେ କୁହାଯାଉଛି । କହିବା ବାହୁଲ୍ୟ ଯେ ଏହା ସବୁବେଳେ ଏତିକି ନଥାଏ, କମ୍ ବେଶୀ ମଧ୍ୟ ହୋଇଥାଏ । ଧରାଯାଉ ଆମର ହାରାହାରି ଆବଶ୍ୟକତା ଦୈନିକ ୭୦୦୦ ମେଗାୱାଟ୍ ବିଜୁଳି । ହେଲେ ଆମେ ପାଉଛୁ କେତେ? ଆମେ ଜଳ ବିଦୁ୍ୟତ ପାଇବା କଥା ଦୈନିକ ୬୬୫ ମେଗାୱାଟ୍ ଏବଂ ତାପଜ ବିଦ୍ୟୁତ ପାଉଛୁ ଦୈନିକ ୪,୧୮୯ ମେଗାୱାଟ୍ । ଏହା ବାହାରେ ମଧ୍ୟ କିଛି ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା ଅଛି ଯେମିତିକି ଅକ୍ଷୟଶକ୍ତି ଏବଂ ସୋଲାର (୯୭୫ ମେଗାୱାଟ୍) ଇତ୍ୟାଦି । ରାଜ୍ୟ ବିଦ୍ୟୁତ୍ ବ୍ୟତୀତ ଆମକୁ ସେଂଟ୍ରାଲ ପୁଲ ଯେପରିକି ଏନଟିପିସି ବା ଟିଟିପିଏସ ଆଦିରୁ ଦୈନିକ ପାଖାପାଖି ୪୦୩୮ ମେଗାୱାଟ୍ ବିଜୁଳି ମିଳିବା କଥା, ଯଦିଓ ମିଳୁନି, ୨୦୦୦ ମେଗାୱାଟ ଖଣ୍ଡେ ମିଳୁଛି । ଏସବୁ ବ୍ୟତୀତ ଆମକୁ ବିଭିନ୍ନ କର୍ପୋରେଟ ହାଉସ୍ ସେମାନଙ୍କ ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବା କ୍ୟାପ୍ଟିଭ ପାୱାର ପ୍ଲାଂଟ ବା ସିପିପିରୁ ୧୫୦୦୦ ମେଗାୱାଟ୍ ବିଦ୍ୟୁତ ଦେଇ ପାରିବା କଥା । ଦେଉଛନ୍ତି ୮୦୦ରୁ ୯୦୦ ମେଗାୱାଟ୍ ବା ଗ୍ରୀଡକୋ ସେତିକିି ମାତ୍ର କିଣୁଛି । ସେମାନେ ସେମାନଙ୍କ କାରଖାନା ପାଇଁ ଆମଠାରୁ ଅନେକ କଥା ନେଉଛନ୍ତି ଯେଉଁଥିରେ ରାଜ୍ୟର ବିଜୁଳି ମଧ୍ୟ ସାମିଲ ଅଛି । ହିସାବ ଅନୁଯାୟୀ ଆମକୁ ବେଦାନ୍ତ ୫୦୦, ଜିନ୍ଦଲ ୨୦୦ ଏବଂ ନବଭାରତ ୪୫ ମେଗାୱାଟ ବିଜୁଳି ରିହାତିରେ ବିକିବା କଥା । ତେଣୁ ଏସବୁକୁ ଦେଖିଲେ ଗୋଟିଏ କଥା ମନକୁ ଆସୁଛି ଯେ ଯେ ଆମର ଯେତିକି ବିଜୁଳି ଦରକାର ଆମେ ତା ଠାରୁ ବେଶୀ ପାଉଛୁ । ରାଜ୍ୟରେ ବିଜୁଳିର ଅଭାବ ନାହିଁ । ଏକଥା ଆମେ କହୁନୁ, ନିଜେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯାହାଙ୍କ ହାତରେ ବିଜୁଳି ବିଭାଗ ଅଛି ଥରେ ରାଜ୍ୟ ବିଧାନସଭାରେ କହିଛନ୍ତି ଯେ ଆମ ପାଖରେ ଆବଶ୍ୟକତାଠାରୁ ୭୯୫ ମେଗାୱାଟ ବିଜୁଳି ଅଧିକ ରହୁଛି ।
ତାହେଲେ ଲାଇନ୍ କଟୁଛି କାହିଁକି ଓ ଲୋକେ ହନ୍ତସନ୍ତ ହେଉଛନ୍ତି କାହିଁକି? ଏହାର ଉତ୍ତର ସରକାର ଖାମଖିଆଲି ଭାବରେ ଦେଉଛନ୍ତି ଯେ ‘ଏସି ଚାଲୁଛି ବୋଲି ବେଶୀ ଲୋଡ ପଡ଼ିଯାଉଛି’, ‘ଆମକୁ କର୍ପୋରେଟମାନେ ଯେତିକି ବିଜୁଳି ଦେବା କଥା ଦେଉନାହାନ୍ତି ।’ ହାସ୍ୟାସ୍ପଦ କଥା । ତମେ ସରକାର ହୋଇ ଘରୋଇ କମ୍ପାନୀ ତୁମକୁ ଶୁଣୁ ନାହାନ୍ତି ଆଉ କ’ଣ ଗାଁ ଲୋକଙ୍କୁ ଶୁଣିବେ?
ଲୋକଙ୍କ କଥାହେଉଛି ଯେ ରାଜ୍ୟରେ ବିଜୁଳି କାଟ ବା ଲୋ-ଭୋଲଟେଜ ନହେଉ ଏହି ଇଚ୍ଛା ଟିକକ ରାଜ୍ୟ ସରକାରଙ୍କ ପାଖରେ ଅଛି କି? ଲାଗୁଛି ସବୁ ଯେପରି ଖାମଖିଆଲୀ ଭାବରେ ଚାଲୁଛି । ଉଦାହରଣ ଦେଖନ୍ତୁ । ଗତ ୨୧.୦୫.୨୬ ତାରିଖରେ ରାଜ୍ୟର ବିଦ୍ୟୁତ ଆବଶ୍ୟକତା ଥିଲା ୭୨୪୯ ମେଗାୱାଟ୍ । କିନ୍ତୁ ସେଦିନ ବିଭିନ୍ନ ସୂତ୍ରରୁ ରାଜ୍ୟକୁ ମିଳିଥିଲା ୭,୩୯୭ ମେଗାୱାଟ୍ । ୧୪୮ ମେଗାୱାଟ୍ ଅଧିକ ବିଜୁଳି ଥାଇ ମଧ୍ୟ ରାଜଧାନୀ ଭୁବନେଶ୍ୱରର ଅନେକ ଅଂଚଳ, କଟକର ଗୋପାଳପୁର ଅଂଚଳ, ବାଙ୍କୀ, ରାଷ୍ଟ୍ରପତିଙ୍କ ଅଂଚଳ ରାଇରଙ୍ଗପୁର, ମାଲକାନାଗିରି ଓ ବହୁ ଅଂଚଳରେ ଘଂଟା ଘଂଟା ଧରି ଲାଇନ ରହିଲା ନାହିଁ ବୋଲି ଖବର ଆସିଲା । କାହିଁକି? ପୁଣି ସରକାର କହୁଛନ୍ତି ଆମକୁ କର୍ପୋରେଟମାନେ ଯେତିକି ବିଜୁଳି ଦେବା କଥା ଦେଉ ନାହାନ୍ତି । ପାଠକେ ବୁଝନ୍ତୁ ଓଡ଼ିଶାରେ କର୍ପୋରେଟମାନଙ୍କର ଯେତିକି ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବା ସିପିପି ରହିଛି ତାର ଉତ୍ପାଦନ ସାମର୍ଥ୍ୟ ହେଉଛି ୧୫୦୦୦ ମେଗାୱାଟ୍ । କିନ୍ତୁ ରାଜ୍ୟକୁ ସେଥିରୁ ମାତ୍ର ୮୦୦ରୁ ୯୦୦ ମେଗାୱାଟ୍ ବିଜୁଳି ମିଳୁଛି । କେତେକ ଅଫିସର କହୁଛନ୍ତି ସଠିକ ମାତ୍ରାରେ ବିଜୁଳି ନ ଆଣିବାରୁ ରାଜ୍ୟରେ ସବୁଦିନେ ଯେତିକି ଚାହିଦା ଅଛି ତାଠାରୁ ୫୩୬ ମେଗାୱାଟ୍ ପର୍ଯ୍ୟନ୍ତ ବିଜୁଳି କମ ମିଳୁଛି । ତେଣୁ ପାୱାର କଟ୍, ଲୋ-ଭୋଲଟେଜ ଆଦି ଚାଲୁଛି । ଯଦି ସରକାର କର୍ପୋରେଟମାନଙ୍କ ଠାରୁ ବିଜୁଳି ଆଣି ନ ପାରିବେ, ତା ହେଲେ କ’ଣ ସାଧାରଣ ଲୋକ ଆଣିବେ?
ଏହି ସରକାର ବୋଲି ନୁହେଁ ସବୁ ସରକାରରେ ଥିବା ନେତା ଅଫିସରମାନେ ଏଇ କର୍ପୋରେଟମାନଙ୍କୁ ଗେହ୍ଲାପୁଅ କରିଛନ୍ତି । ସେମାନଙ୍କୁ ଆଖିବୁଜି ଲୋକଙ୍କ ଝାଳବୁହା ପଇସା ଦେବାରେ ଲାଗିଛନ୍ତି ଓ ସେଥିରୁ ନିଜ ହାତଚିକ୍କଣ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ହେଉଛି । ରିଲାଏନ୍ସ ସଂସ୍ଥା ଯେତେବେଳେ ରାଜ୍ୟରେ ବିଜୁଳି ବିତରଣ କରିବାକୁ ବଛା ହେଲା; ତାକୁ ଏଇ ବାବୁମାନେ ରାଜକୋଷରୁ ୨୬୦୦୦ କୋଟି ଟଙ୍କା ଦେଇଦେଲେ । କ’ଣ ! ନା ଭିତ୍ତିଭୂମି ସଜାଡିବ । ନୂଆ ତାର ଟାଣିବ । ୨୦୦୩ ରୁ ୨୦୧୫ ଭିତରେ ୧୭୦୦୦ କୋଟି ଟଙ୍କା ବାକି ଅଛି ବୋଲି ଯେଉଁ ଘରୋଇ କମ୍ପାନୀଟି କ୍ଲେମ୍ କରି ଟ୍ରାଇବ୍ୟୁନାଲକୁ ଯାଇଥିଲା କୁହାଯାଉଛି ଓଡ଼ିଶା ସରକାର ସେ ମୋକଦ୍ଦମାରେ ହାରି ସେ କମ୍ପାନୀକୁ ୧୦,୦୦୦ ଟଙ୍କା ଦେବେ ବୋଲି କହିଛନ୍ତି । ମାର୍ଚ୍ଚରେ ଟାଟା ପାୱାର ଆସୁ ଆସୁ କହିଲା ସରକାରୀ ସଂସ୍ଥାଗୁଡ଼ିକ ଉପରେ ୪୬୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ ବାକି ଅଛି ତିନିମାସ ଭିତରେ ଦିଅ । ନହେଲେ ବିଦ୍ୟୁତ୍ ଯୋଗାଣ ବନ୍ଦ । ସରକାର ତୁରନ୍ତ ସପ୍ଲିମେଂଟାରୀ ବଜେଟରେ ଅର୍ଥ ବ୍ୟବସ୍ଥା କରାଇ ମୋହନ ମନ୍ତ୍ରିମଣ୍ଡଳର ଏକ ବୈଠକରେ ଏ ଟଙ୍କା ଦେବା ପାଇଁ ଅନୁମୋଦନ କରିଦେଲେ ।
କର୍ପୋରେଟ ହଜାର ହଜାର କୋଟି ଟଙ୍କା ନେଇ ନାଲେନାଲ, ମନ୍ତ୍ରୀ, ଅଫିସର ତାଙ୍କ ମାଲ ନେଇ ଗେରୁଆ, ଆଉ ଯେଉଁମାନେ ଟ୍ୟାକ୍ସ ଦେଇ ଦେଇ ବିଜୁଳି କାଟ, ଲୋ ଭୋଲଟେଜରେ ଘାଂଟି ହେଉଛନ୍ତି ସେମାନେ ସବୁ ହେଲେ ବିଚରା ଅସହାୟ ଭାରତବାସୀ ।
Comments
0 comments

