ଆମେରିକା ସାମ୍ରାଜ୍ୟର ପ୍ରଜା

14 Min Read

ଦକ୍ଷିଣ କିମ୍ବା ଲାଟିନ୍ ଆମେରିକା ସାମ୍ରାଜ୍ୟ ଦ୍ୱାରା ଅତ୍ୟଧିକ ପୀଡ଼ିତ ଏବଂ ସମଗ୍ର ବିଶ୍ୱରେ ସେଇ ଅଞ୍ଚଳ ଗୁଡ଼ିକରେ ପ୍ରଚଣ୍ଡ ବିରୋଧ ମଧ୍ୟ ରହିଛି । ଯେଉଁ ସବୁ ବିରୋଧ ରହିଛି ସେଥିରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ବା ସମାଜବାଦ ବିଶ୍ୱ ବ୍ୟବସ୍ଥାର ପ୍ରଶ୍ନ ଉଠୁଛି । ତେବେ ଏସବୁ ଦେଶ ଗୁଡ଼ିକ ତା’ର ବାହକ ହୋଇପାରିବେ କି? ଏ ସମ୍ପର୍କରେ ଏକ ମୀମାଂସା – କିଶନ ପଟ୍ଟନାୟକ / ଅନୁସୃଜନ – ରବିଶଙ୍କର (ଲେଖାଟିର ଉପାଦେୟତା ଦୃଷ୍ଟିରୁ ଏହାକୁ ଏଠାରେ ଉପସ୍ଥାପିତ କରାଯାଇଛି)

ଏହି ଛୋଟ ଟିପ୍ପଣୀ ଲେଖିବା ପଛରେ ଉଦ୍ଦେଶ୍ୟ ରହିଛି । ଆମେମାନେ ଲାଟିନ୍ ଆମେରିକା (ଦକ୍ଷିଣ ଆମେରିକା) ସମ୍ପର୍କରେ ଅଧିକ ଜାଣି ରଖିବା ଉଚିତ । ଭୌଗଳିକ ମାନଚିତ୍ରରେ ଦୁଇଟି ଆମେରିକା (ମହାଦ୍ୱୀପ) ରହିଛି । ମେକ୍ସିକୋ ପ୍ରଖଣ୍ଡର ଦକ୍ଷିଣ ଦିଗକୁ ଅବସ୍ଥିତ ପ୍ରକାଣ୍ଡ ଭୂଖଣ୍ଡଟି ଦକ୍ଷିଣ ଆମେରିକା ନାମରେ ନାମିତ । ରାଜନୈତିକ ଆଲୋଚନାରେ ଏହି ଦକ୍ଷିଣ ଆମେରିକାକୁ ଲାଟିନ୍ ଆମେରିକା ବୋଲି କୁହାଯାଏ ।

ଲାଟିନ୍ ଆମେରିକା ଭିତରେ ମେକ୍ସିକୋ, କ୍ୟୁବା ଭଳି ଦେଶଗୁଡ଼ିକୁ ସାମିଲ କରାଯାଏ । ଏହି ଦେଶଗୁଡ଼ିକର ସାମାଜିକ, ଆର୍ଥିକ, ରାଜନୈତିକ ସ୍ଥିତିଗୁଡ଼ିକ ସହ ଦକ୍ଷିଣ ଆମେରିକାର ଅନ୍ୟାନ୍ୟ ପ୍ରମୁଖ ଦେଶଗୁଡ଼ିକର ସାମଞ୍ଜସ୍ୟ ରହିଛି । ଶିକ୍ଷିତ ଭାରତୀୟ ଲୋକଙ୍କ ଭିତରେ ଏହି ମହାଦେଶ ସମ୍ପର୍କରେ ଅତି ନଗଣ୍ୟ ବା ବିଲ୍‌କୁଲ କୌଣସି ସୂଚନା ନଥାଏ । ତାର କାରଣ ମଧ୍ୟ ଅତି ଅଦ୍ଭୁତ । ଯେହେତୁ ଆମର ପୂର୍ବ ଶାସକ ଇଂରେଜ ମାନଙ୍କର କୌଣସି ସ୍ୱାର୍ଥ ଏ ଅଞ୍ଚଳମାନଙ୍କ ଦ୍ୱାରା ପୂରଣ ହେଉ ନଥିଲା, ତେଣୁ ଏହା ଘଟିଛି ବୋଲି କୁହାଯାଇ ପାରେ ।

ଆମେରିକା ଏବଂ ୟୁରୋପ ଆମର ଜ୍ଞାନ କ୍ଷେତ୍ରକୁ ମାଲିକ ଦେଶ ଆକାରରେ ପ୍ରବେଶ କରନ୍ତି ଏବଂ ଏମାନଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ମାଧ୍ୟମରେ ଆମେ ଆଫ୍ରିକା, ଅଷ୍ଟ୍ରେଲିଆ ତଥା ଏସିଆର ଦେଶଗୁଡ଼ିକୁ ଜାଣିଥାଉ । ଏଗୁଡ଼ିକ ଆମ ପୂର୍ବ ଶାସକଙ୍କ ପ୍ରମୁଖ କ୍ଷେତ୍ର ଥିଲା ଏବଂ ଏବେ ମଧ୍ୟ ରହିଆସିଛି । ବର୍ତ୍ତମାନ ଆମେରିକା ଭୂପୃଷ୍ଠ ବଡ଼ ଭାଇ, ସେ ଚାହେଁ ନାହିଁ ଯେ ଦକ୍ଷିଣ ଆମେରିକା ସମ୍ପର୍କରେ ବାହ୍ୟ ରାଷ୍ଟ୍ର ଗୁଡ଼ିକ କିଛି ଜାଣନ୍ତୁ । ପ୍ରକୃତରେ ଦେଖିବାକୁ ଗଲେ, ପ୍ରାୟତଃ ସମସ୍ତ ବିକାଶଶୀଳ ଦେଶଗୁଡ଼ିକର ସୂଚନା ବ୍ୟବସ୍ଥା ୟୁରୋପ ଏବଂ ଆମେରିକା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏଣୁ କେବଳ ଯୁଦ୍ଧ ଓ ଭୂକମ୍ପର ସମାଚାର ସମଗ୍ର ଦେଶ ଦୁନିଆକୁ ମିଳେ ।

ଅଶୀଦଶକ ପରବର୍ତ୍ତୀ ବିଶ୍ୱରେ ଆମେରିକାର ନୀତି ଓ ତାର ଔଦ୍ଧତ୍ୟକୁ ସିଧାସଳଖ ବିରୋଧ କରିବାର ରାଜନୀତି ଲୁପ୍ତ ହୋଇଗଲା । ହେଲେ କେବଳ ଲାଟିନ୍ ଆମେରିକାର ଦେଶଗୁଡ଼ିକ ଭିତରେ ଆମେରିକା ନୀତିକୁ ବିରୋଧ କରିବା ତାଙ୍କର ରାଷ୍ଟ୍ରୀୟ ରାଜନୀତିର ମୁଖ୍ୟ ଧାରା ଭାବରେ ରହି ଆସିଛି । ଇରାକ୍ ଏବଂ ଚୀନ୍‌ରେ ମଧ୍ୟ ଏଭଳି ହୋଇ ପାରିନାହିଁ ! ଲାଟିନ୍ ଆମେରିକାର ପ୍ରମୁଖ ରାଷ୍ଟ୍ରଗୁଡ଼ିକର ରାଜନୀତିରେ ଆମେରିକା ବିରୋଧୀ ଏକ ଘୋଷିତ ଏବଂ ଲୋକପ୍ରିୟ ମୁଦ୍ଦା ରହିଛି । ଏବେ ଏହା ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ଦକ୍ଷିଣ ଆମେରିକାର ସବୁଠୁ ବଡ଼ ଦେଶ ବ୍ରାଜିଲ୍ ରାଷ୍ଟ୍ରପତି ପଦବୀର ନିର୍ବାଚନରେ ଶ୍ରମିକଦଳ (ୱାର୍କରସ୍ ପାର୍ଟି) ବିଜୟୀ ହୋଇଥିଲା । ଏହି ଦଳର ବିଚାର ଧାରାକୁ ସମାଜବାଦୀ ବିଚାରଧାରା ବୋଲି ମାନ୍ୟତା ମିଳିଛି । ଭେନେଜୁଏଲାର ନିର୍ବାଚିତ ରାଷ୍ଟ୍ରପତି ହ୍ୟୁଗୋ ସାଭେଦ୍‌କୁ ଆମେରିକା ବିତାଡ଼ିତ କରିବା ପାଇଁ ବହୁତ କୌଶଳ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ।

ଠିକ୍ ସେପରି ‘ଇକ୍ୱାଡ଼ୋର୍‌’ର ସରକାରକୁ ମଧ୍ୟ ଆମେରିକାର ପସନ୍ଦ ନୁହେଁ । ଚିଲିରେ ୩୦ବର୍ଷ ପରେ ସମାଜବାଦୀ ପାର୍ଟିର ରାଷ୍ଟ୍ରପତି ବିଜୟୀ ହୋଇଛନ୍ତି । କିନ୍ତୁ ନିଜର କ୍ଷମତା ପାଇଁ ରାଷ୍ଟ୍ରପତି ‘ରିକାର୍ଡ଼ୋ ଲାଗୋସ୍‌’ ଆମେରିକା ସହିତ ବୁଝାମଣା କରିବା ପାଇଁ ନୀତି ତିଆରି କରିଥିଲେ । ଏଣୁ ସର୍ବଦା ସେଠି ଥିବା କମ୍ୟୁନିଷ୍ଟ ମାନଙ୍କ ସହିତ ତାଙ୍କର ଝଗଡ଼ା ଲାଗିରହିଥିଲା । ଉଦାରବାଦୀ ତଥା ବାମପନ୍ଥୀ ଦଳର ମିଳିତ ସମର୍ଥନରେ ଲାଗୋସ ରାଷ୍ଟ୍ରପତି ହେଲେ । ୩୩ବର୍ଷ ପୂର୍ବରୁ ଏଠି ସାଲ୍‌ଭାଦୋର୍ ଆଇନ୍ଦେ (ତତ୍କାଳୀନ ରାଷ୍ଟ୍ରପତି)ଙ୍କୁ ହତ୍ୟା କରାଯିବା ପରେ ଏକ ଆମେରିକା ବିଶ୍ୱସ୍ତ ସରକାର ତିଆରି ହୋଇଥିଲା । ମିଲିଟ୍ରି ଜେନେରାଲ୍ ‘ଆଗଷ୍ଟୋ ପିନୋଚେଟ୍‌’ଙ୍କ ନେତୃତ୍ୱରେ ଏଇ ସରକାର ଦୀର୍ଘ ୧୭ବର୍ଷ ଚାଲିଲା । ସେଇ ସମୟ ଭିତରେ ଆଇନ୍ଦେଙ୍କ ଆର୍ଥିକ ନୀତିଗୁଡ଼ିକ ପୁରାପୁରି ବଦଳାଇ ଦିଆଗଲା । ପ୍ରଗତିଶୀଳ ନେତୃବୃନ୍ଦଙ୍କ ଉପରେ କଠୋର ଦମନ ଓ ଅତ୍ୟାଚାର କରାଗଲା । ଏବେକାର ରାଷ୍ଟ୍ରପତି, ପିନୋଚେଟ ଜେଲ୍‌ରେ ବନ୍ଦୀଥିଲେ ।

ତଥାପି ମଧ୍ୟ ସେ ଆଚି ପିନୋଚେଟ୍‌ଙ୍କ ନୀତି ଗୁଡ଼ିକ ସମ୍ପର୍କରେ ନରମ ପନ୍ଥା ଅବଲମ୍ବନ କରିଛନ୍ତି । ସାମ୍ରାଜ୍ୟବାଦ ବିରୋଧୀ ରାଜନୀତିରେ ଏଭଳି ବିଡ଼ମ୍ବନା ବେଳେ ବେଳେ ଦେଖିବାକୁ ମିଳିଥାଏ । ପେରୁ ଏବଂ ଆର୍ଜେଣ୍ଟିନାର ରାଜନୀତିରେ ମଧ୍ୟ ସମାଜବାଦୀ ବିଚାରଧାରା ରହିଛି । ଏହି ଦେଶଗୁଡ଼ିକରେ ସମାଜବାଦୀ ତଥା ସାମ୍ୟବାଦୀ ଦଳଗୁଡ଼ିକ ପ୍ରତି ଲୋକପ୍ରିୟତା ବଢ଼ିବାର କାରଣ ହେଲା – ଏ ଦେଶର ଲୋକମାନେ ଆମେରିକା ସାମ୍ରାଜ୍ୟବାଦ ଏବଂ ଦେଶର ପ୍ରାକୃତିକ ସମ୍ବଳ ଉପରେ ବିଦେଶୀ ନିୟନ୍ତ୍ରଣକୁ ବିରୋଧ କରନ୍ତି । ସଦ୍ୟତମ ଉଦାହରଣ ଭାବରେ ‘ବଲିଭିୟା’ ଦେଶକୁ ନିଆଯାଇପାରେ । ଏହାର ରାଷ୍ଟ୍ରପତି (ଗୋଜାଲା ସାଞ୍ଜେଜା)ନିଜ ଦେଶରୁ ପଳାୟନ କଲେ । ସାଞ୍ଜେଜାଙ୍କ ଆମେରିକା ପ୍ରତି ନୀତିଗୁଡ଼ିକ ପାଇଁ ‘ବୋଲିଭିୟା’ର ଚାଷୀ, ଶ୍ରମିକ ଓ ଜନସାଧାରଣ ବହୁତ ଅସୁଖୀ ଥିଲେ । ଯେତେବେଳେ ସେଇ ଦେଶର ପ୍ରାକୃତିକ ଗ୍ୟାସର ଭଣ୍ଡାର ଗୁଡ଼ିକ ଅତି ଶସ୍ତା ଦରରେ ଆମେରିକାକୁ ରତ୍ପାନୀ କରିବାପାଇଁ ନିଷ୍ପତ୍ତି ନେଲେ, ବୋଲିଭିୟାରେ ଗଣବିଦ୍ରୋହର ବିସ୍ଫୋରଣ ଘଟିଥିଲା । ବୋଲିଭିୟାର ଜନଆନ୍ଦୋଳନ ବିଶେଷତଃ ରତ୍ପାନୀ ବିରୋଧୀ ଥିଲା । (ବିଶ୍ୱ ବ୍ୟାଙ୍କ କହୁଛି ରତ୍ପାନୀ ହିଁ ବିକାଶର ଇଞ୍ଜିନ୍‌)

ବୋଲିଭିୟା ଏକ ଗରିବ ଦେଶ । ଏଠାକାର ଜନସଂଖ୍ୟା ଭିତରେ ମୂଳ ଅଧିବାସୀଙ୍କ ସଂଖ୍ୟା (ଅନୁପାତ) ଅଧିକ । ଏହି ଦେଶରେ ଥିବା ମୂଲ୍ୟବାନ ସମ୍ପଦ- ପ୍ରାକୃତିକ ସମ୍ବଳକୁ ଶସ୍ତାଦରରେ ଧନୀ ରାଷ୍ଟ୍ରଗୁଡ଼ିକୁ ବିକ୍ରୀ କରିବା ଏହାର ବାଣିଜ୍ୟ ନୀତି । ପ୍ରଥମେ ଏଠି ରୂପାର ବହୁତବଡ଼ ଭଣ୍ଡାର ଥିଲା, ପରେ ଟିଣ, ତାପରେ …. । ଏବଂ ବର୍ତ୍ତମାନ ପ୍ରାକୃତିକ ଗ୍ୟାସ । ଯେବେଠୁ ଗୋରା ଲୋକମାନେ ଏଠାକୁ ଆସିଲେ, ସେଇଦିନଠୁ ଆଜି ପର୍ଯ୍ୟନ୍ତ ଏଭଳି ଚାଲିଛି । ଏହି ରତ୍ପାନୀ ଯୋଗୁଁ ଲୋକମାନେ ଖୁବ୍ ବିରକ୍ତ ହେଲେଣି । ଏହି ପ୍ରକ୍ରିୟାରେ ବିଦେଶୀ କମ୍ପାନୀମାନେ ମାଲାମାଲ୍ ହେବା ସହିତ ଦେଶର ଶାସକବର୍ଗ ମଧ୍ୟ ଧନୀ ହେଉଛନ୍ତି । ଅଥଚ ଦେଶର ଖଣିଜସମ୍ପଦ ସବୁ ଖାଲିହେବାରେ ଲାଗିଥିଲା ବେଳେ ସାଧାରଣ ଜନତା ଆହୁରି ଦରିଦ୍ର ହେଉଛନ୍ତି ।

ଜନସାଧାରଣ ପ୍ରଶ୍ନ କଲେଣି, ଏହିସବୁ ପ୍ରାକୃତିକ ସମ୍ପଦର ଲାଭ ସ୍ଥାନୀୟ ଲୋକମାନଙ୍କୁ ମିଳିବା ଦରକାର । ପ୍ରାକୃତିକ ଗ୍ୟାସର ଉପଯୋଗ ଜନସାଧାରଣଙ୍କ ଭିତରେ ବିନିଯୋଗ ହେବା ଉଚିତ । ପଡ଼ୋଶୀ ରାଷ୍ଟ୍ର ‘ଚିଲି’ ବୋଲିଭିୟା ଠାରୁ ଅପେକ୍ଷାକୃତ ସମ୍ପନ୍ନ ଅଟେ । ସେଥିପାଇଁ ଆମେରିକା ସେଠାକାର ବ୍ୟବସାୟୀମାନଙ୍କୁ ମଧ୍ୟସ୍ଥି କରି ବୋଲିଭିୟାକୁ ପ୍ରବଳ ମାତ୍ରାରେ ଲୁଣ୍ଠନ କରୁଛି । ଏଥିରେ ଚିଲିକୁ ମଧ୍ୟ କିଛି ଅଂଶରେ ଲାଭମିଳୁଛି । ତେଣୁ ବୋଲିଭିୟା ଜନତାଙ୍କ ମନଭିତରେ ‘ଚିଲି’ ପ୍ରତି ବିଦ୍ୱେଷ ବଢ଼ିବାରେ ଲାଗିଛି ।

ଆଜକୁ ୩୩ବର୍ଷ ପୂର୍ବରୁ ଚିଲିରେ ଆମେରିକା ବିରୋଧୀ ଏକ ଐତିହାସିକ ଘଟଣା ଘଟିଥିଲା । ଚିଲିର ସମାଜବାଦୀ ରାଷ୍ଟ୍ରପତି (ନିର୍ବାଚିତ) ସାଲଭାଦୋର୍ ଆଇନ୍ଦେଙ୍କୁ ୧୧ସେପ୍ଟେମ୍ବର ୧୯୭୩ରେ ହତ୍ୟା କରାଗଲା । ଆଇନ୍ଦେଙ୍କ ହତ୍ୟା ସମ୍ପର୍କରେ ଭାରତରେ ଅନେକ ଥର ଚର୍ଚ୍ଚା ହୋଇଛି । କିନ୍ତୁ ତାରିଖଟା ୧୧ ସେପ୍ଟେମ୍ବର ବୋଲି ମନେପଡ଼େନାହିଁ । ଦକ୍ଷିଣ ଆମେରିକାର ଏବଂ ସମାଜବାଦ ବିରୋଧରେ ଆମେରିକାର ଏଭଳି ସନ୍ତ୍ରାସବାଦୀ ଆକ୍ରମଣର ଏହି ଦିବସଟିକୁ ଆମେ ମାନେ କେବେ ମଧ୍ୟ ପାଳନ କରୁନା । ହେଲେ ଠିକ୍ ଏହାର ୨୮ବର୍ଷ ପରେ ଏଭଳି ଏକ ତାରିଖରେ ଯେତେବେଳେ ଏହି ଶକ୍ତିଶାଳୀ ରାଷ୍ଟ୍ରକୁ ଗୋଟିଏ ଛୋଟ ଇସ୍‌ଲାମ୍ ଗୋଷ୍ଠୀ ଆକ୍ରମଣ କରି କ୍ଷତବିକ୍ଷତ କରିଦେଲା, ସେତେବେଳେ ଆମେମାନେ ବିବ୍ରତ ହୋଇ ଉଠିଲୁ ।

ଗଣମାଧ୍ୟମ ଏହି ଘଟଣାଟିକୁ ଆମର ସ୍ମୃତି ଭିତରେ ଏଭଳି ଭାବରେ ଛାପି ଦେଲା ଯେ, ପ୍ରତ୍ୟେକ ଲେଖା, ପ୍ରଚାର ପତ୍ର ଓ ଚର୍ଚ୍ଚା ଭିତରେ ଏହି ତାରିଖଟି ଆପେ ଆପେ ଆତଙ୍କବାଦର ପ୍ରତୀକ ଭାବରେ ମନେପଡ଼ିଯାଏ । ଯଦି ଏହା ସନ୍ତ୍ରାସବାଦ ଅଟେ, ତେବେ ୧୧ସେପ୍ଟେମ୍ବର ୧୯୭୩ରେ ଘଟିଥିବା ଘଟଣାକୁ ଆମେ କ’ଣ କହିବା? ନିଶ୍ଚିତ ଭାବରେ ଏଭଳି ଏକ ବିରୋଧକୁ ଏକ ଶକ୍ତିଶାଳୀ ଭାଷା ଦିଆଯାଇଥିଲା ଯାହା ଆଜି ଖୁବ୍ ଦୁର୍ବଳ ଜଣାପଡ଼ୁଛି । ଗୋଟିଏ ଦୁର୍ବଳ ଭାଷାର ସହାୟତାରେ କୌଣସି ବି ବଡ଼ ଅନ୍ୟାୟର ପ୍ରତିକାର ହୋଇପାରିବ ନାହିଁ ।

ମାର୍କ୍ସବାଦ ଏକ ଅନ୍ତର୍ନିହିତ ଶକ୍ତି ଯେଉଁଥିରୁ ବଞ୍ଚିତ ସମୂହର ମନଟା ଖୁବ୍ ଉଷ୍ଣତା ପାଏ । ଦକ୍ଷିଣ ଆମେରିକାର ଦେଶଗୁଡ଼ିକୁ ସଚେତନ ଏବଂ ସାହସୀ କରିବାରେ କ୍ୟୁବା ରାଷ୍ଟ୍ରପତି ଫିଡ଼େଲ୍ କାଷ୍ଟ୍ରୋଙ୍କ ହାତ ରହିଛି । କୁହାଯାଏ ଯେ, ଆଇନ୍ଦେଙ୍କୁ ମାରିବା ପାଇଁ ଯେତେବେଳେ ଆକ୍ରମଣ ହେଲା, ସେ ସମୟରେ ଆତ୍ମରକ୍ଷା ପାଇଁ ତାଙ୍କ ହାତରେ ଯେଉଁ ବନ୍ଧୁକଟି ଥିଲା ତାହା କାଷ୍ଟ୍ରୋଙ୍କ ପ୍ରଦତ୍ତ ଉପହାର । ତଳିତଳାନ୍ତ ହେଉଥିବା ରାଷ୍ଟ୍ରମାନଙ୍କର ଆଦର୍ଶ ଭାବରେ କାଷ୍ଟ୍ରୋଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗୌରବମୟ କମ୍ୟୁନିଷ୍ଟ ଶାସନର ଏହି ଜୀବନ୍ତ ଅବଶେଷ ଅନ୍ୟକୁ ଆଉ ନିଜ ଆଦର୍ଶରେ ଦୀକ୍ଷିତ ସିନା କରିପାରିବ ନାହିଁ ହେଲେ, ସାମ୍ରାଜ୍ୟବାଦ ବିରୋଧୀ ଶକ୍ତିର ନିର୍ମାଣ କରି ଏକ ନୂତନ ଢ଼ଙ୍ଗରେ ସମାଜସମ୍ପର୍କରେ ଭାବିବା ପାଇଁ ପ୍ରେରଣା ଦେଇପାରିବ । ଦକ୍ଷିଣ ଆମେରିକା ଯେଉଁସବୁ ଦେଶ ଗୁଡ଼ିକରେ ଆମେରିକା ବିରୋଧୀ ଲଢ଼େଇ ମୁଣ୍ଡ ଟେକୁଛି, ଏମାନଙ୍କର ଅଧିକାଂଶ ନେତୃବୃନ୍ଦ ସାମ୍ୟବାଦୀ ବା ସମାଜବାଦୀ ବିଚାରର ଅଟନ୍ତି ।

ସୂଚନାର ଅଭାବ ହେତୁ ଏହି ଆନ୍ଦୋଳନ ଗୁଡ଼ିକରେ ସମାଜବାଦୀ ଭାବନା କେତେ ସ୍ପଷ୍ଟ ତା’ଉପରେ ସମ୍ପୂର୍ଣ୍ଣ ମନ୍ତବ୍ୟ ଦେଇନପାରିଲେ ମଧ୍ୟ ବହୁତ ବେଶୀ ସ୍ପଷ୍ଟ ଥିବ ବୋଲି କହିପାରିବା ନାହିଁ । କମ୍ୟୁନିଷ୍ଟମାନଙ୍କଠୁ ଅଲଗା ହୋଇଥିବ କିନ୍ତୁ ଆଶା କରୁଛୁ କମ୍ୟୁନିଷ୍ଟ ବିରୋଧୀ ହୋଇ ନଥିବ । ସମାଜବାଦୀ ଓ କମ୍ୟୁନିଷ୍ଟମାନଙ୍କ ଭିତରେ ରହିଥିବା ଶତ୍ରୁତା ଯୋଗୁଁ ଅନେକଗୁଡ଼ିଏ ଦେଶରେ ବାମପନ୍ଥୀ ବା ସାମ୍ୟବାଦ ଧାରାଟି ଦୁର୍ବଳ ହୋଇପଡ଼ିଛି । ବ୍ରାଜିଲ୍‌, ଭେନେଜୁଏଲା, ଇକ୍ୱାଡ଼ୋର୍ ଏବଂ ବୋଲିଭିୟାର ନୂତନ ଶାସକମାନଙ୍କର ଆର୍ଥିକ ବିକାଶ ନୀତି କ’ଣ ହେବ ଏହାର ସଠିକ୍ ତଥ୍ୟ ମିଳିନାହିଁ । କେବଳ ଗୋଟିଏ କଥା ଜଣାପଡ଼ୁଛି ଯେ, ସେଠାକାର ଜନସାଧାରଣ ତାଙ୍କର ଆର୍ଥିକ ଓ ରାଜନୈତିକ ବ୍ୟବସ୍ଥାକୁ ସାମ୍ରାଜ୍ୟବାଦୀ ଲୁଣ୍ଠନ ଓ ଦାଦାଗିରିରୁ ବଞ୍ଚେଇବାକୁ ଚାହାନ୍ତି ଏବଂ ପ୍ରୟାସରତ ମଧ୍ୟ ।

ଦକ୍ଷିଣ ଆମେରିକାରେ ଥିବା ଉପନିବେଶ ଦୀର୍ଘ ୨୦୦ବର୍ଷର ପୁରୁଣା । ୧୮୨୩ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ସରକାର ଘୋଷଣା କରି ପ୍ରକଟ କରିଥିଲେ ଯେ, ସମଗ୍ର ଆମେରିକା (ଉତ୍ତର-ଦକ୍ଷିଣ) ଦେଶଗୁଡ଼ିକରେ ଆମେରିକା ଭିନ୍ନ ଅନ୍ୟ କୌଣସି ୟୁରୋପୀୟ ସାମ୍ରାଜ୍ୟ ପଶି ପାରିବ ନାହିଁ । ‘ମନ୍‌ରୋ’ ତତ୍କାଳୀନ ରାଷ୍ଟ୍ରପତି ଥିଲେ । ଏବଂ ଏହାକୁ ମନ୍‌ରୋ ଡ଼ିକ୍ଲାରେସନ୍ସ-(ମନ୍‌ରୋ ଘୋଷଣାନାମା) ବୋଲି କୁହାଯାଏ । ସେତେବେଳେ ୟୁରୋପ ଦେଶଗୁଡ଼ିକ ପରସ୍ପର ମଧ୍ୟରେ ଯୁଦ୍ଧରତ ଯୋଗୁଁ ନିଜ ଭିତରେ ଏକତା ନ ଥିଲା । ‘ପର୍ତ୍ତୁଗାଲ’ ଏବଂ ‘ସ୍ପେନ୍‌’ ମଧ୍ୟରୁ ମୁଖ୍ୟତଃ ସ୍ପେନ୍‌ର ଆଧିପତ୍ୟ ଲାଟିନ୍ ଆମେରିକାର ଦେଶଗୁଡ଼ିକରେ ବ୍ୟାପକ ଭାବରେ ରହିଛି ।

ସ୍ପେନ୍ ତରଫରୁ ପ୍ରତିରୋଧ ନହୋଇପାରିବାର କାରଣ ସେଇ ଦେଶର ରାଜନୈତିକ ସଙ୍କଟ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଦୁଇ ମହାଦ୍ୱୀପ ଉପରୁ ବ୍ରିଟେନ୍ ଓ ଫ୍ରାନ୍ସ ସମେତ ଅନ୍ୟ ୟୁରୋପୀୟ ସାମ୍ରାଜ୍ୟ ହଟିଥିଲା । କେବଳ ଯୁକ୍ତରାଷ୍ଟ୍ର ଆମେରିକାର ଆଧିପତ୍ୟ ସମଗ୍ର ଭୂଖଣ୍ଡ ଉପରେ ରହିଲା । ସମଗ୍ର ଆମେରିକାର ମୂଳ ଅଧିବାସୀ ଥିଲେ ଲୋହିତ ଭାରତୀୟ । (ସେମାନଙ୍କୁ ଆମେରିକୀୟ ଭାରତୀୟ ବୋଲି କହିବାର ଅର୍ଥ ଭିନ୍ନ ଅଟେ) କଲମ୍ବସ ଆବିଷ୍କାର ପୂର୍ବରୁ ସମ୍ପୂର୍ଣ୍ଣ ଆମେରିକା ଲୋହିତ ଭାରତୀୟଙ୍କର ଥିଲା । କଲମ୍ବସ୍‌ଙ୍କ କାରଣ ଯୋଗୁଁ ପ୍ରଥମ ଗୋରା ସାମ୍ରାଜ୍ୟ ସ୍ପେନ୍‌ର ହିଁ ଥିଲା ।

ଆଜି ମଧ୍ୟ ଦକ୍ଷିଣ ଆମେରିକାର ମୁଖ୍ୟ ଭାଷା ‘ସ୍ପେନୀୟ’ ଅଟେ । ବ୍ରାଜିଲ୍‌ରେ ପର୍ତ୍ତୁଗୀଜ୍ ଭାଷା ରହିଛି । ଅଧିକାଂଶ ଦେଶଗୁଡ଼ିକରେ ଗୋରା ଲୋକମାନେ ଅଳ୍ପ ସଂଖ୍ୟାରେ ରହିଛନ୍ତି ହେଲେ ରାଜନୈତିକ ସତ୍ତା ତଥା ନେତୃତ୍ୱ ଉପରେ ସେମାନଙ୍କର କର୍ତ୍ତୃତ୍ୱ ରହିଛି । ଏବେ ଏବେ ସାମ୍ୟବାଦୀ ତଥା କ୍ରାନ୍ତିକାରୀ ଆନ୍ଦୋଳନ ଏବଂ ବିଭିନ୍ନ ଗଣବିଦ୍ରୋହ ଗୁଡ଼ିକର ପରିଣାମସ୍ୱରୂପ ରାଜନୈତିକ ନେତୃତ୍ୱ ଓ ରାଷ୍ଟ୍ରର ସର୍ବୋଚ୍ଚ ପଦପଦବୀ ଗୁଡ଼ିକରେ ସେଠାକାର ମୂଳ ଅଧିବାସୀ ମାନଙ୍କର ଭାଗିଦାରୀ ବଢ଼ିବାରେ ଲାଗିଛି । ଅନ୍ୟ କୌଣସି ମହାଦ୍ୱୀପ ଗୁଡ଼ିକ ତୁଳନାରେ ଦକ୍ଷିଣ ଆମେରିକାରେ ଗୋରା-କଳାର ମିଶ୍ରଣ ଅଧିକ ହୋଇଛି । ଗୋଟିଏ ବଡ଼ସଂଖ୍ୟକ ବର୍ଣ୍ଣଶଙ୍କର ଲୋକ ସେଠାରେ ଅଛନ୍ତି । ଯାହାକୁ ‘ମୁଲାତୋ’ କୁହାଯାଏ ।

ପୃଥିବୀର ପୂର୍ବ ଏବଂ ପଶ୍ଚିମ ଦୁଇଟି ଗୋଲାର୍ଦ୍ଧରେ ୨ଟି ଭିନ୍ନ ପ୍ରକାରର ସାମ୍ରାଜ୍ୟବାଦର ବିକାଶ ଘଟିଛି । ଗୋଟିଏ ହେଲା ୟୁରୋପୀୟ ଅନ୍ୟଟି ଆମେରିକାର । ୟୁରୋପୀୟ ସାମ୍ରାଜ୍ୟରେ ଉପନିବେଶ ପ୍ରଶାସନର ସର୍ବୋଚ୍ଚ ପଦବୀଗୁଡ଼ିକରେ ୟୁରୋପୀୟ ଲୋକ ସିଧାସଳଖ ରହୁଥିଲେ । ଉପନିବେଶଗୁଡ଼ିକୁ ଚଳାଇବା ପାଇଁ ଯେଉଁସବୁ ନିୟମକାନୁନ, ତାକୁ ୟୁରୋପୀୟ ସରକାର ନିଜେ ତିଆରି କରୁଥିଲେ । କିନ୍ତୁ ଅନ୍ୟ ପକ୍ଷରେ ଆମେରିକୀୟ ସାମ୍ରାଜ୍ୟର ଢ଼ାଞ୍ଚା ପ୍ରଶାସନିକ ନଥିବା ହେତୁ ଏହାର ଭୌଗୋଳିକ ମାନଚିତ୍ର ମଧ୍ୟ ନାହିଁ । ଆର୍ଥିକ ବ୍ୟବସ୍ଥା ଉପରେ କବ୍‌ଜା କରିବା ଏହାର ମୂଳମନ୍ତ୍ର ଅଟେ ।

ଯେତେବେଳେ କୌଣସି ଦୁର୍ବଳ ବା ଅଳ୍ପ ବିକଶିତ ରାଷ୍ଟ୍ର ପୁଞ୍ଜି ଏବଂ ଶିଳ୍ପ ପାଇଁ ଧନୀ ତଥା ବିକଶିତ ରାଷ୍ଟ୍ର ଉପରେ ନିର୍ଭର କରେ, ସେତେବେଳେ ଧନୀ ରାଷ୍ଟ୍ରଟି ଏମାନଙ୍କ ବିକାଶର ମାର୍ଗଦର୍ଶକ ହୋଇଯିବା ସଙ୍ଗେ ସଙ୍ଗେ ସାହୁକାର ମଧ୍ୟ ହୋଇଯାଏ । ଏବଂ ଯେତେବେଳେ ଜଣେ ସାହୁକାର ମାର୍ଗଦର୍ଶକର ଭୂମିକା ଗ୍ରହଣ କରିଥାଏ, ସେତେବେଳେ ରାଜନୀତି, ବାଣିଜ୍ୟ, ବେପାର, ସୈନିକ ଓ ଜ୍ଞାନ ଭଳି କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ କରିପାରେ । ଏଥିପାଇଁ ଗୋଟିଏ ଏଜେଣ୍ଟ ଶ୍ରେଣୀର ଆବଶ୍ୟକତା ରହିଥାଏ ଯାହା ମାଧ୍ୟମରେ ସେହି ଦେଶଗୁଡ଼ିକ ଚଳାଇବା ସହଜ ହୋଇଥାଏ ।

ଯେହେତୁ ସିଧାସଳଖ କାହାରିକୁ ମଧ୍ୟ ନିଜ ଅଧିନରେ ରଖିନଥିବା ହେତୁ କେହି କେହି ତର୍କ କରିପାରନ୍ତି ଯେ ଏହା ସାମ୍ରାଜ୍ୟବାଦ ନୁହେଁ । ଦୁର୍ବଳ ରାଷ୍ଟ୍ରମାନେ ନିଜ ନିଜର ଆଇନ୍‌କାନୁନ୍ ନିଜେ ତିଆରି କରିଥାନ୍ତି । ହେଲେ ଏହି ନିଷ୍ପତ୍ତିରେ ‘ଏଜେଣ୍ଟ’ ମାନଙ୍କ ଭୂମିକା ରହିଥାଏ । ଦେଶ ଭିତରକୁ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ଆଗମନ ଯୋଗୁଁ, ତାଙ୍କର ସହଯୋଗରେ ଏଜେଣ୍ଟ ବର୍ଗ ଶାସନକୁ ଆସିଯାନ୍ତି । ଏବଂ ତାଙ୍କ ହାତରୁ କ୍ଷମତା ଯେପରି ଯିବ ନାହିଁ ସେଥିପାଇଁ କମ୍ପାନୀମାନେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରନ୍ତି । ବେଳେବେଳେ ସିଧାସଳଖ ଆକ୍ରମଣ ପାଇଁ ସାମ୍ରାଜ୍ୟବାଦୀ ଦେଶ ସୈନ୍ୟଶକ୍ତିର ପ୍ରୟୋଗ ମଧ୍ୟ କରିଥାନ୍ତି ।

ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଏଭଳି ଘଟଣା ହୋଇଆସୁଛି । ‘ସାଲ୍‌ଭାଦୋର ଆଇନ୍ଦେ’ ଲୋକଙ୍କ ଦ୍ୱାରା ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିବା ସମୟରେ ଆମେରିକାର ପ୍ରସିଦ୍ଧ କୂଟନୀତିଜ୍ଞ ହେନେରୀ କିସିଞ୍ଜର୍ କହିଥିଲେ, ‘ଯଦି ମତଦାତାମାନେ ଦାୟିତ୍ୱହୀନ ହୋଇ ମତଦାନ କରନ୍ତି, ତେବେ ଆମେ ଏହାକୁ ମାନ୍ୟତା ଦେବୁ ନାହିଁ । ଯେପରି ବୋଲିଭିୟାର ରାଷ୍ଟ୍ରପତି ସେଠାକାର ଜନସାଧାରଣଙ୍କ ବିଦ୍ରୋହ ଯୋଗୁଁ ଦେଶରୁ ପଳାୟନ କଲେ, ସେତେବେଳେ ଆମେରିକାର ଜଣେ ସରକାରୀ ପ୍ରବକ୍ତା ଟିପ୍‌ପଣୀ କଲେ ଯେ, ଜଣେ ରାଷ୍ଟ୍ରପତିକୁ ଅଣସାମ୍ବିଧାନିକ ଭାବରେ ହଟାଗଲେ ଆମେ କିପରି ନୀରବ ରହିବୁ ।

ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଭିତରେ ୟୁରୋପୀୟ ଉପନିବେଶବାଦକୁ ଚିହ୍ନିତ ତ କରାଯାଇଛି, ହେଲେ ଆମେରିକା ସାମ୍ରାଜ୍ୟ ବିଷୟରେ ଏଯାଏଁ ପଢ଼ାଯାଉ ନାହିଁ । ଏହି କାରଣ ଯୋଗୁଁ ଭାରତ ତଥା ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଶିକ୍ଷିତବର୍ଗ ବର୍ତ୍ତମାନର ସାମ୍ରାଜ୍ୟବାଦ ଶକ୍ତିକୁ ବୁଝିପାରନ୍ତି ନାହିଁ । ତେଣୁ ଯେତେବେଳେ ଅରୁନ୍ଧତୀ ରାୟ ତାଙ୍କର ଏକ ଲେଖାରେ ଉଲ୍ଲେଖ କଲେ ଯେ, ସେ ଆମେରିକା ସାମ୍ରାଜ୍ୟର ଏକ ପ୍ରଜା ଅଟନ୍ତି, ବହୁତ ଲୋକଙ୍କୁ ସେକଥା ଖରାପ ଲାଗିଥିବ! ପୁରୁଣା ସାମ୍ରାଜ୍ୟବାଦର ଯୁଗ ଶେଷ ହୋଇଯାଇଛି ।

ବର୍ତ୍ତମାନ ଦୁର୍ବଳ ଦେଶଗୁଡ଼ିକର ସରକାରମାନଙ୍କ ଉପରେ କୂଟନୀତିକ ଚାପ ପକାଇ ସେମାନଙ୍କର ନିର୍ଭରଶୀଳତାକୁ ବଢ଼ାଯାଏ । ଫଳତଃ ପ୍ରତିଟି କଥା ପାଇଁ ଧନୀ ରାଷ୍ଟ୍ରମାନଙ୍କୁ ଖୁସି ରଖିବାକୁ ପଡ଼ିଥାଏ । ଏଥିପାଇଁ ଧନୀରାଷ୍ଟ୍ରଗୁଡ଼ିକ ଏକାଠି ବିଶ୍ୱ ବାଣିଜ୍ୟ ସଙ୍ଗଠନ ଭିତରେ ଏମିତି ନିୟମ-କାନୁନ୍ ତିଆରି କରିଛନ୍ତି ଯେ, ପ୍ରତ୍ୟେକ ଦେଶ ସେସବୁକୁ ମାନିବାକୁ ଏକପ୍ରକାର ବାଧ୍ୟ । ଏଥିରେ ସଫଳତା ମିଳିଗଲେ ସାମ୍ରାଜ୍ୟବାଦର ବିଶ୍ୱ ସରକାର ନିର୍ମାଣ ହୋଇଯିବ ।

ଏହାକୁ ବିରୋଧ କରିବା ପାଇଁ ଭିନ୍ନ ଏକ ବିଶ୍ୱ ବ୍ୟବସ୍ଥାର ଅନ୍ୱେଷଣ କରିବାକୁ ଯାଇ ବିଶ୍ୱ ସମାଜକୁ ସଚେତନ କରିବା କାର୍ଯ୍ୟଟି ଆରମ୍ଭ ହୋଇଛି । ଏବଂ ଦକ୍ଷିଣ ଆମେରିକା ଏହାର ପ୍ରଥମ ବିରୋଧୀ ସ୍ୱର ଭାବରେ ଛିଡ଼ା ହୋଇଛି ।

ପ୍ରଶ୍ନ ଉଠୁଛି, ଦକ୍ଷିଣ ଆମେରିକା ସତରେ କ’ଣ ଏକ ଭିନ୍ନ ବିଶ୍ୱ, ଏକ ବୈକଳ୍ପିକ ବିକାଶନୀତି ବିଷୟରେ ଚିନ୍ତା କରୁଛି କି? ବର୍ତ୍ତମାନ ଯାଏଁ ଏହାର କୌଣସି ସୂଚନା ମିଳିନାହିଁ । ଆମେରିକାର ଶୋଷଣ ଏବଂ ତାର ଅନଧିକାର ପ୍ରବେଶ ବିରୁଦ୍ଧରେ ଏଠି ରାଜନୈତିକ ବିଷୟ ତ’ ହୋଇଯାଇଛି, ହେଲେ ସେଠାକାର ନୂତନ ସରକାରଗୁଡ଼ିକ ଆମେରିକାର ପ୍ରଭାବରୁ ନିଜ ଦେଶକୁ କିଭଳି ମୁକ୍ତ ରଖିପାରିବେ? ପୁଞ୍ଜି ବିନିଯୋଗ ଏବଂ ଶିଳ୍ପଉଦ୍ୟୋଗ ଗୁଡ଼ିକର ସେହି ପୁରୁଣା ପଦ୍ଧତି ଯଦି ଜାରି ରହେ, ତେବେ ଏହି ଦେଶ ଗୁଡ଼ିକ ଧନୀରାଷ୍ଟ୍ର ଆମେରିକାର ଫାଶରୁ କିପରି ମୁକୁଳିବେ?

ପୁଞ୍ଜି ଓ ଶିଳ୍ପ ଉଦ୍ୟୋଗ ବିକଳ୍ପ ଖୋଜି ଏକ ବଡ଼ଶକ୍ତି ସହ ମୁକାବିଲା କରିବାର ବିଚାର, ବର୍ତ୍ତମାନ ପର୍ଯ୍ୟନ୍ତ ସେତେଟା ପ୍ରଭାବଶୀଳ ହୋଇପାରିନି!

Photo credit- https://bit.ly/3izNFQx

Comments

0 comments

Share This Article
Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a Vocal Artist, Voiceover Artist, and Documentary Filmmaker.