ଗାନ୍ଧୀ ଓ ସୁଭାଷ ତ୍ରିପୁରୀ କଂଗ୍ରେସ -୧୯୩୯ ଏକ ଐତିହାସିକ ନିର୍ବାଚନ: ପ୍ରାର୍ଥୀ ହେବାଠାରୁ ଇସ୍ତଫା ପର୍ଯ୍ୟନ୍ତ

ସୁଭାଷ ଚାହୁଁଥିଲେ କଂଗ୍ରେସ ଭିତରେ ଥିବା ସବୁ ଗୋଷ୍ଠୀରୁ ପ୍ରତିନିଧିଙ୍କୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (composite)ଗଢ଼ିବା ପାଇଁ, କେବଳ ସଂଖ୍ୟାଗରିଷ୍ଠଙ୍କ ଭିତରୁ ଏକ ସମଜାତୀୟ(homogeneous) କମିଟି ନୁହେଁ

ସୁଭାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହେରୁ ଓ ସମାଜବାଦୀଙ୍କ ସହ ନିଜର ଅସହମତି ସନ୍ଦର୍ଭରେ ଗାନ୍ଧୀ ଏକ ସାକ୍ଷାତକାରରେ କହିଥିଲେ୧(ପୃ ୯୫), “ଆମେ ସେ ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱ ଦେବା ଉଚିତ ଯେଉଁଥିରେ ଆମେ ସହମତ, ଅସହମତିକୁ ବେଶୀ ଫେଣାଇବା ଉଚିତ ନୁହେଁ ।” କିନ୍ତୁ ଆମେ ଏକ ଏପରି ରାଜନୈତିକ-ସାଂସ୍କୃତିକ ପରିବେଶ ଦେଇ ଗତି କରୁଛୁ ଯେଉଁଠି ସହମତି ଅପେକ୍ଷା ଅସହମତିକୁ ବେଶୀ ଫେଣାଇ ଉପସ୍ଥାପିତ କରାଯାଉଛି, ସେତେବେଳେ ଅସହମତିର ସନ୍ଦର୍ଭକୁ ସଠିକ ଭାବରେ ଜାଣିବା ଅପରିହାର୍ଯ୍ୟ ହୋଇପଡ଼େ,ବିଶେଷତଃ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ଅସହମତିକୁ ଦର୍ଶାଇ ସେମାନଙ୍କୁ ପରସ୍ପରର ନୈସର୍ଗିକ ବିରୋଧୀ ବୋଲି ଠିଆ କରାଇ ଦିଆଯାଏ ।

ବାମପନ୍ଥୀ -ଦକ୍ଷିଣପନ୍ଥୀ ବିବାଦ

ଏହା ଏକ ଐତିହାସିକ ସତ୍ୟ ଯେ ସୁଭାଷ ଚନ୍ଦ୍ର ବୋଷ ଯେତେବେଳେ ଦ୍ୱିତୀୟ ଥରପାଇଁ କଂଗ୍ରେସର ସଭାପତି ପଦ ପାଇଁ ପ୍ରାର୍ଥୀହେଲେ, ସେତେବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଡକ୍ଟର ପଟ୍ଟାଭି ସିତାରମୟା  ଏବଂ ପଟ୍ଟାଭି ସିତାରାମୟାଙ୍କ ପରାଜୟର ପ୍ରତିକ୍ରିୟାରେ ଗାନ୍ଧୀ   ‘ଏହି ପରାଜୟରେ ମୁଁ ଉଲ୍ଲସିତ’(I rejoice in this defeat) ଶିରୋନାମାରେ ଏକ ବୟାନ ଜାରି କରି କହିଥିଲେ ଯେ ‘ଯେହେତୁ ମୁଁ ଡକ୍ଟର ପଟ୍ଟାଭିସିତାରମୟାଙ୍କୁ ପ୍ରାର୍ଥୀ ଭାବେ ନାଁ ପ୍ରତ୍ୟାହାର ନ କରିବାକୁ ପ୍ରବର୍ତ୍ତାଇବାରେ ମୁଖ୍ୟ ଭୂମିକା ନେଇଥିଲି, ବିଶେଷତଃ ଯେତେବେଳେ ମୌଲାନା ଆଜାଦ ତାଙ୍କ ନାଁ ପ୍ରତ୍ୟାହାର କରିନେଲେ, ସେତେବେଳେ ତାଙ୍କ ଅପେକ୍ଷା ପରାଜୟ ମୋର ବେଶୀ ।’ ଗାନ୍ଧୀ ପ୍ରଥମରୁ ହିଁ ସୁଭାଷଙ୍କର ପୁନଃନିର୍ବାଚନକୁ ବିରୋଧ କରୁଥିଲେ୧(ପୃ୩୨) – ‘ମୁଁ ସ୍ୱୀକାର କରିବି ଯେ ମୂଳରୁ ମୁଁ ନିଶ୍ଚିତ ଭାବରେ ତାଙ୍କର ପୁନଃନିର୍ବାଚନକୁ ବିରୋଧ କରୁଥିଲି ଯହାର କାରଣ ଜଣାଇବାର ଆବଶ୍ୟକତା ନାହିଁ ।’ ନିର୍ବାଚନ ଫଳାଫଳକୁ ଗାନ୍ଧୀ ନିଜର ବ୍ୟକ୍ତିଗତ ପରାଜୟ ବୋଲି ବିଚାର କରିବା  ସୁଭାଷ ବୋଷଙ୍କୁ ବ୍ୟଥିତ କରିଥିଲା । ସେ କହିଥିଲେ୧(ପୃ ୩୩), ‘ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖଦ ହେବ ଯଦି ମୁଁ ଅନ୍ୟମାନଙ୍କର ବିଶ୍ୱାସ ଜିଣିବାରେ ସଫଳ ହେଉଥିବି, ଅଥଚ ଭାରତର ସବୁଠାରୁ ବଡ଼ ମଣିଷର ବିଶ୍ୱାସ ଜିଣିବାରେ ବିଫଳ ହେବି ।’

କିନ୍ତୁ ସୁଭାଷ ବୋଷ ଯେ ପ୍ରାର୍ଥୀ ହେବାକୁ ଚାହୁଁ ନଥିଲେ ତାହା ସ୍ପଷ୍ଟ ହୁଏ ଯେତେବେଳେ ସେ ତାଙ୍କୁ ନିର୍ବାଚନରୁ ଓହରି ଯିବାପାଇଁ ପରାମର୍ଶ ଦେଉଥିବା ବ୍ୟକ୍ତିଗଣଙ୍କୁ ଲେଖୁଥିଲେ୧(ପୃ ୩୦), ‘ଏହା ପ୍ରକୃତରେ ଦୁଃଖର କଥା ଯେ ମୋ ନାଁ ସଭାପତି ପଦ ପାଇଁ ପ୍ରାର୍ଥୀ ଭାବରେ ପ୍ରସ୍ତାବିତ ହୋଇଛି । ମୁଁ ମୋର ଅନେକ ବନ୍ଧୁଙ୍କୁ ପରାମର୍ଶ ଦେଇଛି ଯେ ବାମରୁ ଜଣେ ବ୍ୟକ୍ତିଙ୍କୁ ଏହିବର୍ଷ ପ୍ରାର୍ଥୀ କରାଯାଉ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହା ହୋଇପାରିଲା ନାହିଁ । ଏବଂ ମୋ ନାଁର ପ୍ରସ୍ତାବ ବିଭିନ୍ନ ପ୍ରଦେଶରୁ ଆସିଲା । ତେବେ ଏହି ବିଳମ୍ବିତ କାଳରେ ମଧ୍ୟ ମୁଁ ପ୍ରସ୍ତୁତ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯିବାପାଇଁ ଯଦି ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଭଳି ଜଣେ ପ୍ରକୃତ ଫେଡେରେସନ ବିରୋଧୀ (anti-federationist)ବ୍ୟକ୍ତିଙ୍କୁ ଆଗାମୀ ବର୍ଷ ପାଇଁ ସଭାପତି ଭାବେ ଗ୍ରହଣ କରାଯାଏ ।’ ଜଣେ ବାମପନ୍ଥୀ କଂଗ୍ରେସର ସଭାପତି ହେବା ଉଚିତ ଓ ଏହା ନିତାନ୍ତ ଜରୁରୀ ବୋଲି ସେ ଯୁକ୍ତି ଦେଇ ଲେଖିଥିଲେ୧(ପୃ ୩୦), “ମୁଁ ଦୃଢ଼ତାର ସହ ଅନୁଭବ କରେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ଜଣେ ପ୍ରକୃତ ଫେଡେରେସନ ବିରେଧୀ (anti-federationist) ସଭାପତି ଆସନରେ ବସିବା ଦରକାର । ଯଦି ଦକ୍ଷିଣପନ୍ଥୀମାନେ ପ୍ରକୃତରେ ଜାତୀୟ ଐକ୍ୟ ଓ ସଂହତି ଚାହାନ୍ତି, ତାହାହେଲେ ଏହା ଭଲ ହେବ ଯଦି ସେମାନେ ଜଣେ ବାମପନ୍ଥୀଙ୍କୁ ସଭାପତି ଭାବେ ଗ୍ରହଣ କରନ୍ତି ।” ଏହି ଉକ୍ତିରୁ ସ୍ପଷ୍ଟ ହୁଏ ଯେ କଂଗ୍ରେସ ଭିତରେ ସେତେବେଳେ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ, ଦୁଇଟି ଗୋଷ୍ଠୀ ଥିଲେ । ଯଦିଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସଭାପତି ନିର୍ବାଚନକୁ ବାମପନ୍ଥୀ-ଦକ୍ଷିଣପନ୍ଥୀ ସନ୍ଦର୍ଭରେ ଦେଖିବାକୁ ଅଗ୍ରାହ୍ୟ କରୁଥିଲେ ଓ ଏହାକୁ କେବଳ ଦେଶର ହିତଦୃଷ୍ଟିରୁ ଦେଖାଯିବା ଉଚିତ ବୋଲି କହୁଥିଲେ୧(ପୃ ୩୦) ଯେଉଁମାନେ ବଲ୍ଲଭଭାଇଙ୍କ ସହ ଥିଲେ, ଯେପରି କଂଗ୍ରେସ କାର୍ଯ୍ୟକାରୀ କମିଟିର ଅନ୍ୟ ସଦସ୍ୟଗଣ, ରାଜେନ୍ଦ୍ର ପ୍ରସାଦ, ଯମନଲାଲ ବଜାଜ, ଜୟରାମଦାସ ଦୌଲତରାମ, ଶଙ୍କରରାଓ ଦେଓ, ଭୁଲାଭାଇ ଦେଶାଇ ଏବଂ ଆଚାର୍ଯ୍ୟ କୃପାଲାନୀ, ସେମାନଙ୍କର ଯୁକ୍ତି ଥିଲା ଯେ କଂଗ୍ରେସ ସଭାପତିର ଚୟନରେ ନୀତି ଆଦର୍ଶ ପ୍ରାସଙ୍ଗିକ ନୁହେଁ । କଂଗ୍ରେସର ନୀତି ଓ ଆଦର୍ଶ ଏହାର ସଭାପତିଙ୍କ ଦ୍ୱାରା ନିର୍ଦ୍ଧାରିତ ହୁଏ ନାହିଁ । ଯଦି ଏପରି ହେଉଥାନ୍ତା ତାହାହେଲେ ସମ୍ବିଧାନ ସଭାପତିଙ୍କ କାର୍ଯ୍ୟକାଳକୁ ଏକବର୍ଷରେ ସୀମିତ କରିନଥାନ୍ତା । ଏହାଛଡ଼ା ଫେଡେରସନ ବିରୋଧ (anti-federation) ତ ହେଉଛି କଂଗ୍ରେସର ନୀତି । ଏହି ଯୁକ୍ତି ଉପସ୍ଥାପନ କରି ସେମାନେ ଦର୍ଶାଇବାକୁ ଚାହୁଁଥିଲେ, ଯିଏ ସଭାପତି ହେଉ ସେ ଏହି ନୀତିକୁ କାର୍ଯ୍ୟକାରୀ କରିବ । ଏହାଛଡ଼ା ସେମାନଙ୍କର ଯୁକ୍ତି ମଧ୍ୟ ଥିଲା ଯେ ସଭାପତି ପଦ ଭଳି ଏକ ମର୍ଯ୍ୟାଦାବନ୍ତ ପଦବୀ ପାଇଁ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ଉଚିତ । ତେଣୁ ସେମାନେ ଅନୁରୋଧ କରୁଥିଲେ ସୁଭାଷ ବୋଷଙ୍କୁ ଯେ ସେ ତାଙ୍କର ନିଷ୍ପତ୍ତିର ପୁନଃବିଚାର କରନ୍ତୁ ଓ ଡକ୍ଟର ପଟ୍ଟାଭି ସିତାରମୟାଙ୍କ ନିର୍ବାଚନକୁ ନିଦ୍ୱର୍ନ୍ଦ୍ୱ କରିବାରେ ସାହାଯ୍ୟ କରନ୍ତୁ । ଯେଉଁ ବୟାନ ଜରିଆରେ ଏହି ଯୁକ୍ତିମାନ ଉପସ୍ଥାପିତ କରାଯାଇଥିଲା ତାହା ଗାନ୍ଧୀଙ୍କ ନିର୍ଦେଶରେ ହୋଇଥିଲା୧(ପୃ ୨୮-୯) । ଏପରି ବୟାନକୁ ନାପସନ୍ଦ କରିଥିଲେ ସୁଭାଷ ଓ କହିଥିଲେ-କାର୍ଯ୍ୟକାରୀ କମିଟିର ଦୁଇ ସଦସ୍ୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାବେଳେ ଅନ୍ୟ ସଦସ୍ୟମାନେ ଏପରି ସଙ୍ଗଠିତ ଢଙ୍ଗରେ ଜଣକ ପକ୍ଷ ନେବା ସ୍ପୃହଣୀୟ ନୁହେଁ । ସୁଭାଷ ବୋଷ ଓ ପଟ୍ଟାଭି ସିତାରମୟା ଉଭୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସେତେବେଳେ ସଦସ୍ୟ ଥିଲେ୧(ପୃ ୨୯) । ଯେତେବେଳେ ଏହିପରି ବିବାଦ ହେଉଥିଲା ସେତେବେଳେ ସଭାପତି ଥିଲେ ଜବାହାରଲାଲ ନେହେରୁ । ବଲ୍ଲଭଭାଇ ଓ ଅନ୍ୟମାନଙ୍କ ଉପରୋକ୍ତ ଯୁକ୍ତି ଯେ ସଭାପତି ଚୟନରେ ନୀତି ଆଦର୍ଶ ପ୍ରାସଙ୍ଗିକ ନୁହେଁ, ତାହାର ଉତ୍ତରରେ ଜବାହାରଲାଲ କହିଥିଲେ ଯଦିଓ ସର୍ବଶେଷରେ କଂଗ୍ରେସ କମିଟି ହିଁ ନୀତି ପ୍ରଣୟନ କରେ, ତେବେ୧(ପୃ ୩୧) ‘ନୀତିକୁ କାର୍ଯ୍ୟକାରୀ କରିବାରେ ସଭାପତି କିଛି ଭିନ୍ନତା ଆଣିଥାଏ, ଏବଂ କଂଗ୍ରେସ ସଭାପତି, ମୋ ମତରେ, କେବଳ ଜଣେ ବକ୍ତା ନୁହେଁ ।’ ଜବାହାରଲାଲ ନେହେରୁ ଯେତେବେଳେ କଂଗ୍ରେସ ସଭାପତି ଭାବେ ୧୯୩୬ ମସିହାରେ ନିର୍ବାଚିତ ହେଲେ, ସେତେବେଳେ ସେ ନିଜକୁ  ସମାଜବାଦୀ ବୋଲି ଘୋଷଣା କରିଥିଲେ କାରଣ ତାଙ୍କର ବିଶ୍ୱାସ ଥିଲା୨(ପୃ ୬୪) ଯେ, “କେବଳ ସମାଜବାଦ ଦ୍ୱାରା ବ୍ୟାପକ ବୈପ୍ଳବିକ ପରିବର୍ତ୍ତନ କରି ଭାରତର ଏବଂ ପୃଥିବୀର ସମସ୍ୟା ସମାଧାନ କରାଯାଇପାରେ ।” କିନ୍ତୁ ସେତେବେଳେ ନେହେରୁଙ୍କ ପାଇଁ କାର୍ଯ୍ୟ ନିର୍ବାହରେ ବେଶ ବାଧା ଆସିଥିଲା ।  ନେହେରୁ କାର୍ଯ୍ୟକାରୀ କମିଟି ଗଠନକୁ ନେଇ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଯେ ସେ ସଭାପତି ପଦରୁ ଇସ୍ତଫା ଦେଇଦେବା ଶ୍ରେୟସ୍କର ବୋଲି ମଣିଥିଲେ । ଏହା ନ କରିବାପାଇଁ ତାଙ୍କୁ ବହୁତ ବୁଝାଇବା ପରେ ସେ ଏହି ପଦକ୍ଷେପ ନେବାରୁ କ୍ଷାନ୍ତ ହୋଇଥିଲେ । ଏହି ସମୟରେ ହିଁ ନେହେରୁ ସୁଭାଷ ବୋଷ, ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣ ଓ ଅଚ୍ୟୁତ ପଟବର୍ଦ୍ଧନଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନୀତ କରିଥିଲେ୨(ପୃ ୬୬) । ବାମପନ୍ଥୀ ସଭାପତି ଭାବେ ଜବାହାରଲାଲ ନେହେରୁଙ୍କ ପ୍ରତି ସୁଭାଷ ଇଙ୍ଗିତ କରୁଛନ୍ତି ଓ Government of India Act  ୧୯୩୫ ଅନ୍ତର୍ଗତ ମନ୍ତ୍ରିମଣ୍ଡଳ ଗଢ଼ିବାର ପ୍ରଶ୍ନକୁ ନେଇ କଂଗ୍ରେସ ଭିତରେ ଉଠିଥିବା ମତଭେଦ ପ୍ରତି ମଧ୍ୟ ଇଙ୍ଗିତ କରୁଛନ୍ତି, ଯେତେବେଳେ ସୁଭାଷ ଲେଖୁଛନ୍ତି୧(ପୃ ୨୯-୩୦), “ମୁଁ ନୀତି ଓ କାର୍ଯ୍ୟକ୍ରମର ପ୍ରଶ୍ନ ଉପରେ କହିବାକୁ ଚାହେଁ ଯେ ଏଗୁଡ଼ିକ ଅପ୍ରାସଙ୍ଗିକ ନୁହଁନ୍ତି । ଅନେକ ପୂର୍ବରୁ କଂଗ୍ରେସ ସଭାପତିଙ୍କ ନିର୍ବାଚନ ପ୍ରସଙ୍ଗରେ ଏହି ପ୍ରଶ୍ନ ଉଠା ଯାଉଥାନ୍ତା, ଯଦି ୧୯୩୪ କଂଗ୍ରେସ ସମ୍ମିଳନୀ ପରଠାରୁ ପ୍ରତିବର୍ଷ ଉଭୟ ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ ସମର୍ଥନରେ ଜଣେ ବାମପନ୍ଥୀ ନିର୍ବାଚିତ ହେଉ ନଥାନ୍ତେ । ଏହି ଧାରାରୁ ଏହି ବର୍ଷ ବ୍ୟତିକ୍ରମ ଦେଖାଯିବା ଏବଂ ଜଣେ ଦକ୍ଷିଣପନ୍ଥୀଙ୍କୁ ସଭାପତି ପଦବୀରେ ଆସୀନ କରାଇବାର ଉଦ୍ୟମ ହେବା ତାତ୍ପର୍ଯ୍ୟପୂର୍ଣ୍ଣ । ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ କଂଗ୍ରେସ ଦଳର ଦକ୍ଷିଣପନ୍ଥୀ ଓ ବି୍ରଟିଶ ସରକାର ମଧ୍ୟରେ ଆଗାମୀ ବର୍ଷ ଫେଡେରେସନକୁ (federal scheme)ନେଇ ଏକ ସାଲିସର ସମ୍ଭାବନା ରହିଛି । ଫଳରେ, ଦକ୍ଷିଣପନ୍ଥୀ ଜଣେ ବାମପନ୍ଥୀ ସଭାପତି ଚାହାନ୍ତି ନାହିଁ ଯିଏ ସାଲିସ ପଥରେ କଂଟା ହୋଇପାରେ ଓ ଆପୋଷ ଆଲୋଚନାରେ ବିଘ୍ନ ସୃଷ୍ଟି କରିପାରେ ।” ନେହେରୁ ସଭାପତି ପଦବୀ ଗ୍ରହଣ କରିବା ସମୟରେ କହିଥିଲେ୨(ପୃ ୬୪), “ଏହି ଆଇନ (Government of India Act 1935) ର ସର୍ତ୍ତ ଅନୁସାରେ ପଦବୀ ଓ ମନ୍ତ୍ରିମଣ୍ଡଳ ଗ୍ରହଣ କରିବା ଅର୍ଥ ଏହି ଆଇନର ପ୍ରତ୍ୟଖ୍ୟାନ କରିବାକୁ ଖାରିଜ କରିବା” କିନ୍ତୁ କାର୍ଯ୍ୟକାରୀ କମିଟି ବୈଠକରେ ମନ୍ତ୍ରିମଣ୍ଡଳ ଗଠନ କରିବା ବିଷୟ ସର୍ବଭାରତୀୟ କଂଗ୍ରେସ କମିଟି ଦ୍ୱାରା ସ୍ଥିର ହେବ ବୋଲି କୁହାଯାଇ ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଥିଲା୨(ପୃ ୬୫) । କହିବା ବାହୁଲ୍ୟ ଯେ କାର୍ଯ୍ୟକାରୀ କମିଟିରେ ଏପରି ଅଧିକାଂଶ ସଦସ୍ୟ ଥିଲେ ଯେଉଁମାନେ ସଭାପତି ନେହେରୁଙ୍କୁ ପ୍ରଭାବହୀନ କରି ଦେଉଥିଲେ ।  ସୁଭାଷଙ୍କ ବଡ଼ ଭାଇ ଶରତ ବୋଷଙ୍କ ପୌତ୍ର, ସୁଗତ ବୋଷ, ଲେଖନ୍ତି୩(ପୃ ୧୩୬-୭), “୧୯୩୬ ଏବଂ ୧୯୩୭ରେ ନେହେରୁଙ୍କର ଅନେକ ଦ୍ୱନ୍ଦ୍ୱ, କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା, ପନ୍ଦର ଜଣିଆ କଂଗ୍ରେସ କାର୍ଯ୍ୟକାରୀ କମିଟି (Congress Working Committee)ର ସଦସ୍ୟଙ୍କ ସହ ହୋଇଛି । ଏପରି ସମୟ ମଧ୍ୟ ଆସିଛି ଯେତେବେଳେ ସେ ଇସ୍ତଫା ଦେବାର ଧମକ ଦେଇଛନ୍ତି । କିନ୍ତୁ ଗାନ୍ଧୀଙ୍କ କଥା ରଖି ସେ ଏଥିରୁ କ୍ଷାନ୍ତ ହୋଇଛନ୍ତି ।” ଏହି ସଭ୍ୟମାନେ ଅଧିକାଂଶ ଦକ୍ଷିଣପନ୍ଥୀ ଥିଲେ । ନେହେରୁ, ସୁଭାଷ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣ ଆଦି କେତେଜଣ କାର୍ଯ୍ୟକାରୀ କମିଟିରେ ବାମପନ୍ଥୀ ଥିଲେ ।

ଯେପରି ସୁଭାଷ ଚାହୁଁଥିଲେ, ଯଦି ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ କଂଗ୍ରେସର ସଭାପତି କରିବାପାଇଁ ସମସ୍ତେ ରାଜି ହୋଇଯାଇଥାନ୍ତେ, ତାହାହେଲେ ସୁଭାଷ ଦ୍ୱିତୀୟ ଥରପାଇଁ ପ୍ରାର୍ଥୀ ହୋଇନଥାନ୍ତେ । ତେଣୁ ସୁଭାଷ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହେବା  ନିଜର ମହତ୍ୱ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ନଥିଲା -ଏହା ଆଦର୍ଶଗତ ଥିଲା । ପ୍ରଥମ ଥର ଯେତେବେଳେ ସୁଭାଷଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା, ସେତେବେଳେ ସେ ଭାରତରେ ନଥିଲେ । ଜାନୁଆରୀ ୧୮, ୧୯୩୮ ଦିନ ଆଚାର୍ଯ୍ୟ କ୍ରିପଲାନୀ ଏହାର ଘୋଷଣା କରିଥିଲେ । ସୁଭାଷ କରାଚୀରେ ପହଂଚିଥିଲେ ୨୩ ଜାନୁଆରୀ ଦିନ, କଲିକତାରେ ପହଂଚିଥିଲେ ୨୪ ଜାନୁଆରୀ ଦିନି୩(ପୃ ୧୩୩-୪) । ଅର୍ଥାତ୍ କୌଣସି ଆଗ୍ରହ ଦେଖାଇ ନଥିବା ସୁଭାଷ ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାର କାରଣ ପ୍ରତି ଇଙ୍ଗିତ କରି ସୁଗତ ବୋଷ ଲେଖନ୍ତି୩(ପୃ ୧୩୬-୭), “ଗାନ୍ଧୀ ମହାରାଜ ବୁଦ୍ଧିମାନର କାର୍ଯ୍ୟ କରିଥିଲେ ଯେ ସେ କଂଗ୍ରେସ ଭିତରେ ଉଠୁଥିବା ବାମପନ୍ଥୀ ଜୁଆରକୁ ନ ଅଟକାଇବାର ନିଷ୍ପତ୍ତି ନେଇଥିଲେ (not to play King Canute) ବରଂ ପ୍ରଥମେ ଜବାହାରଲାଲ ନେହେରୁ ଓ ପରେ ସୁଭାଷ ଚନ୍ଦ୍ର ବୋଷଙ୍କୁ କଂଗ୍ରେସ ସଭାପତି ପଦରେ ବସାଇ , ଏହି ଜୁଆରକୁ ସୀମିତ କରି ପାରିବେ, ନିୟନ୍ତ୍ରଣ କରିପାରିବେ ଓ ଗତିପଥକୁ ବଦଳାଇ ପାରିବେ ବୋଲି ଆଶା କରୁଥିଲେ ।” ଦ୍ୱିତୀୟଥର ପାଇଁ ଯେତେବେଳେ ସୁଭାଷ ସଭାପତି ପ୍ରାର୍ଥୀ ହେଲେ, ସେତେବେଳେ ବୋଧହୁଏ ଗାନ୍ଧୀ ବୁଝୁଥିଲେ ଯେ ଦୁଇଜଣ ବାମପନ୍ଥୀଙ୍କୁ ଲଗାତାର କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରାଇବା ପରେ, ବାମପନ୍ଥୀଙ୍କୁ ସନ୍ତୁଷ୍ଟକରି ଭୁଲାଇ ଦିଆଯାଇପାରି ନାହିଁ । କିନ୍ତୁ ଏହା ପରେ ଆଉ ନୁହେଁ -ଏପରି ଏକ ସଙ୍କଳ୍ପ ଯେପରି ସେ କରିନେଇଥିଲେ । ତେଣୁ ପଟ୍ଟାଭି ସିତାରମୟାଙ୍କୁ ସୁଭାଷଙ୍କ ବିରୋଧରେ ପ୍ରାର୍ଥୀ କରାଇଥିଲେ । ସ୍ୱାଭାବିକ ସେ ପଟ୍ଟାଭିଙ୍କର ପରାଜୟ ତାଙ୍କର ପରାଜୟ ବୋଲି ଖୋଲାଖୋଲି ଘୋଷଣା କରିଥିଲେ । କହିବା ବାହୁଲ୍ୟ ଯେ ସୁଭାଷଙ୍କ ସଭାପତିତ୍ୱ ସମୟରେ ଯେଉଁ ନିଷ୍ପତ୍ତିମାନ ନିଆଯାଇଥିଲା ଯେପରି ଜବାହାରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଯୋଜନା କମିଟିର ଗଠନ ତାହା ଦକ୍ଷିଣପନ୍ଥୀଙ୍କୁ ଅସହଜ କରୁଥିଲା, ସମାଜବାଦ ଉପରେ ଗୁରୁତ୍ୱ ଦିଆଯିବା ଦକ୍ଷିଣପନ୍ଥୀଙ୍କୁ ସୁହାଉ ନଥିଲା । ଦକ୍ଷିଣପନ୍ଥୀ ଗାନ୍ଧୀଙ୍କର ସମର୍ଥନ ପାଇବା ସ୍ୱାଭାବିକ ଥିଲା କାରଣ ୧୯୩୪ ମସିହାରେ ଯେତେବେଳେ କଂଗ୍ରେସ ଭିତରେ ଆଚାର୍ଯ୍ୟ ନରେନ୍ଦ୍ରଦେବ, ଜୟପ୍ରକାଶ ନାରାୟଣ ଆଦି କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଗଠନକଲେ ସେତେବେଳେ ଏହାକୁ ବିରୋଧ କରି ଗାନ୍ଧୀ ତ ଧମକ ଦେଇଥିଲେ ଯେ ସେ କଂଗ୍ରେସ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବେ! କଂଗ୍ରେସ ଭିତରେ ସମାଜବାଦୀଙ୍କର ବିସ୍ତାର ଗାନ୍ଧୀଙ୍କୁ ପସନ୍ଦ ହେଉ ନଥିଲା୪(ପୃ ୨୯୫-୭) । ୧୯୩୬ ଓ ୧୯୩୭ରେ ନେହେରୁଙ୍କ ସଭାପତି କାଳରେ ସମାଜବାଦୀ ଚିନ୍ତାଧାରାର ଝଲକ କଂଗ୍ରେସର କେତେକ ନିଷ୍ପତ୍ତି ଭିତରେ ଦୃଶ୍ୟହେବା ଆରମ୍ଭ ହୋଇଯାଇଥିଲା; ୧୯୩୮ରେ ସୁଭାଷଙ୍କ ସଭାପତିତ୍ୱ କାଳରେ ଏହା ଅଧିକ ସ୍ପଷ୍ଟ ହେଉଥିଲା ଯାହା କଂଗ୍ରେସ ଭିତରର ଦକ୍ଷିଣପନ୍ଥୀଙ୍କୁ କ୍ରୋଧିତ କରୁଥିଲା୩(ପୃ ୧୫୪) । ବଂଗ ଦେଶରେ ମିଳିତ ମନ୍ତ୍ରିମଣ୍ଡଳରେ କଂଗ୍ରେସର ଅଂଶଗ୍ରହଣ ପାଇଁ ସୁଭାଷ ଦେଇଥିବା ପ୍ରସ୍ତାବକୁ, ବଙ୍ଗଳାର ପ୍ରାଦେଶିକ ସଂଗଠନର ମତକୁ ଉପେକ୍ଷା କରି ଗାନ୍ଧୀ ଯେପରି ପ୍ରତ୍ୟାଖ୍ୟାନ କଲେ ତାହା ପୁଣି କେବଳ ତିନି ଜଣ (ବିରଳା, ଆଜାଦ ଓ ସରକାର)ଙ୍କ ପରାମର୍ଶରେ, ତାହାର ଦୃଢ଼ ପ୍ରତିବାଦ ସୁଭାଷ କରିଥିଲେ । ପ୍ରତିକ୍ରିୟାରେ ସେ କହିଥିଲେ୩(ପୃ ୧୫୧), “ଏହା ମତେ ଆଶ୍ଚର୍ଯ୍ୟ କରିଛି ଯେ ଏତେ ଗମ୍ଭୀର ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ମୋତେ ପଚାରିଲେ ନାହିଁ ।” ଏହା ଥିଲା ଡିସେମ୍ବର ୧୯୩୮ର କଥା, ସୁଭାଷଙ୍କର ସଭାପତି କାର୍ଯ୍ୟକାଳ ଶେଷ ହେଉଥିଲା । ଏପରି ଆଚରଣରୁ ବୋଧହୁଏ ନେତାଜୀ ବୁଝି ପାରୁଥିଲେ ଯେ ତାଙ୍କର ସଭାପତି ଭାବେ ପୁନଃମନୋୟନ ହେଉ ନାହିଁ । ଡିସେମ୍ବର ୬ ତାରିଖ, ୧୯୩୮ ଦିନ ସେ ତାଙ୍କର ପ୍ରେୟସୀ-ପତ୍ନୀ Emilie Schenklଙ୍କୁ ଲେଖିଥିଲେ୩(ପୃ ୧୫୩), “ମୁଁ ଆଗାମୀ ବର୍ଷପାଇଁ ସଭାପତି ପଦରେ ପୁନଃନିର୍ବାଚିତ ହେବି ଏହା ନେଇ ମୋର ସନ୍ଦେହ ରହିଛି ।” ୪ଜାନୁଆରୀ ୧୯୩୯ ଦିନ ପୁଣି Emilie Schenkଙ୍କୁ ଲେଖୁଛନ୍ତି୩(ପୃ ୧୫୪), “ଯଦିଓ କଂଗ୍ରେସ ସଭାପତି ଭାବେ ମୋର ପୁନଃନିର୍ବାଚନ ପାଇଁ ସାଧାରଣରେ ଏକ ଇଚ୍ଛାରହିଛି, କିନ୍ତୁ ମୁଁ ଭାବୁ ନାହିଁ ଯେ ମୁଁ ପୁନର୍ବାର ସଭାପତି ହେବି । ଗୋଟିଏ ଦୃଷ୍ଟିରୁ ପୁଣି ଥରେ ସଭାପତି ନ ହେବା ଭଲ । ତାହାହେଲେ ମୁଁ ଅଧିକ ସ୍ୱାଧୀନ ରହିବି ଓ ମୋ ନିଜ ପାଇଁ ଅଧିକ ସମୟ ପାଇବି ।” ଏପରିକି କବିଗୁରୁ ରବୀନ୍ଦ୍ରନାଥ  ଗାନ୍ଧୀଙ୍କୁ ଲେଖୁଛନ୍ତି ସୁଭାଷଙ୍କୁ କଂଗ୍ରେସ ସଭାପତି ଭାବେ ପୁନଃ ନିର୍ବାଚିତ କରିବା ପାଇ୩(ପୃ ୧୫୩) କିନ୍ତୁ ଗାନ୍ଧୀ ଚାହୁଁ ନଥିଲେ ସୁଭାଷଙ୍କର ପୁନଃମନୋନୟନ । ଗାନ୍ଧୀ ମନୋନୀତ ପଟ୍ଟାଭିସିତାରାମୟାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଭାଷ ହୋଇଥିଲେ ପ୍ରସ୍ତୁତ ।

ସୁଭାଷଙ୍କ ବିଜୟ

୨୯ ଜାନୁଆରୀ ୧୯୩୯ରେ ନିର୍ବାଚନର ଫଳାଫଳ ୩୧ ଜାନୁଆରୀ ଦିନ ଜଣାଗଲା୨, ସୁଭାଷ ୨୦୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହେଲେ, ସୁଭାଷ ପାଇଥିଲେ ୧୫୮୦ ଖଣ୍ଡ ଭୋଟ, ପଟ୍ଟାଭି ପାଇଥିଲେ ୧୩୭୫ ଖଣ୍ଡ ଭୋଟ । ଏହି ପରାଜୟର ପ୍ରତିକ୍ରିୟାରେ, ଏକ ବୟାନ ଜାରି କରି ଗାନ୍ଧୀ କହିଥିଲେ୧(ପୃ ୩୨), “ମୁଁ କିଛି ନୁହେଁ, ଯଦି ମୁଁ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଓ ନୀତିକୁ ପ୍ରତିନିଧିତ୍ୱ ନକରେ । ତେଣୁ ଏହା ମୋପାଇଁ ସ୍ପଷ୍ଟ ଯେ ପ୍ରତିନିଧିମାନେ ମୋର ସିଦ୍ଧାନ୍ତ ଓ ନୀତିକୁ ଅନୁମୋଦନ କରନ୍ତି ନାହିଁ ।” ଆହୁରି ମଧ୍ୟ କହିଥିଲେ୧(ପୃ ୩୨), “ତେବେ, ସୁଭାଷ ବାବୁ ତାଙ୍କ ଦେଶର ଶତ୍ରୁ ନୁହନ୍ତି । ସେ ଏହାପାଇଁ ଅନେକ କଷ୍ଟ ସହ୍ୟ କରିଛନ୍ତି । ତାଙ୍କ ମତରେ ତାଙ୍କର ନୀତି ଓ କାର୍ଯ୍ୟକ୍ରମ ସବୁଠାରୁ ସାହସୀ ଓ ଆଗୁଆ । ସଂଖ୍ୟାଲଘୁମାନେ କେବଳ ଏହାର ସଫଳତା କାମନା କରିପାରନ୍ତି । ଯଦି ସେମାନେ ଏହା ସହିତ ତାଳ ପକାଇ ନ ପାରିବେ ତାହାହେଲେ ସେମାନେ କଂଗ୍ରେସରୁ ବାହାରି ଆସିବା ଉଚିତ ।” ସୁଭାଷ ଦେଶର ଶତ୍ରୁ ନୁହନ୍ତି, ଏପରି କାହିଁକି ଗାନ୍ଧୀ କହୁଥିଲେ । ସେମାନଙ୍କୁ କି ଯେଉଁମାନେ, ଯେପରି ବଲ୍ଲଭଭାଇ ପଟେଲ, ଦେଶର ସ୍ୱାର୍ଥ ଦୃଷ୍ଟିରୁ( For the sole consideration is what is in the best interests of the countryinterest)ସୁଭାଷ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ଉଚିତ ବୋଲି ପରାମର୍ଶ ଦେଉଥିଲେ୧(ପୃ ୩୦)?

ଗାନ୍ଧୀଙ୍କ ଭୂମିକା

ପ୍ରଥମଥର ପାଇଁ ଗାନ୍ଧୀ ପରାଜିତ ହେଉଥିଲେ, ତାହା ପୁଣି କଂଗ୍ରେସ ଦଳ ଭିତରେ, ଓ ଏହାକୁ ବ୍ୟକ୍ତିଗତ ପରାଜୟ ବୋଲି ବିଚାର କରୁଥିଲେ । ଗାନ୍ଧୀଙ୍କ ମନୋଭାବକୁ ଆକଳନ କରି ବିପ୍ଳବୀ ବାମପନ୍ଥୀ ନେତା ଏମ୍. ଏନ୍ ରାୟ ସୁଭାଷଙ୍କୁ ଚେତାଇ ଦେଇଥିଲେ ଯେ ତାଙ୍କ ସହିତ ଗାନ୍ଧୀ ଅସହଯୋଗ କରିବେ ଯାହାଦ୍ୱାରା କଂଗ୍ରେସ ଭିତରେ ସମ୍ପର୍କର ଯେଉଁ ସମୀକରଣ ତାହାର ଅନ୍ତର୍ଘାତ ତାଙ୍କୁ ଓ ତାଙ୍କର ସମର୍ଥକଙ୍କୁ ଅପଦସ୍ଥ କରିବ । ଗାନ୍ଧୀଙ୍କ ବୟାନରୁ ଏମ୍ ଏନ୍ ରାୟଙ୍କୁ  ଜଣାପଡୁଥିଲା ଯେ ସୁଭାଷ ଓ ତାଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏକ ସଙ୍ଗରେ କଂଗ୍ରେସର ଶୀର୍ଷସ୍ଥାନରେ ରହିପାରିବେ ନାହିଁ ବୋଲି ଯେପରି ଗାନ୍ଧୀ କହୁଛନ୍ତି ଓ କଂଗ୍ରେସର ଏକତାପାଇଁ ସୁଭାଷଙ୍କୁ ହିଁ ବଳିଦାନ ଦେବାକୁ ହେବ୩(ପୃ ୧୫୭) 

ବୋଧହୁଏ ଏମ୍ ଏନ୍ ରାୟଙ୍କ ଆଶଙ୍କା ସତ୍ୟ ହେବାକୁ ଯାଉଥିଲା । ନିର୍ବାଚନବେଳେ ଯେଉଁ ବୟାନବାଜୀ ହୋଇଥିଲା, ତାହାକୁ ପଛରେ ପକାଇ ଗାନ୍ଧୀଙ୍କ ସହ ଏକ ବୁଝାମଣା ହୋଇପାରେ ବୋଲି ବିଶ୍ୱାସ ଥିଲା ସୁଭାଷଙ୍କର । କାରଣ ସେ ଗାନ୍ଧୀଙ୍କୁ ତାଙ୍କର ସହଯୋଗୀଙ୍କଠାରୁ ଫରକ କରି ଦେଖୁଥିଲେ । ଗାନ୍ଧୀଙ୍କୁ ସେ କହିଥିଲେ୩(ପୃ ୧୬୦), “ଏକ ବିରାଟ ପାର୍ଥକ୍ୟ ଅଛି ଆପଣ ଓ ଆପଣଙ୍କ ସେନାପତିମାନଙ୍କ, ଏପରିକି ଆପଣଙ୍କ ଦ୍ୱାରା ବଛା ସେନାପତିମାନଙ୍କ, ମଧ୍ୟରେ । ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ପାଇଁ ସବୁ କିଛି କରିପାରନ୍ତି କିନ୍ତୁ ସେମାନଙ୍କ ପାଇଁ ନୁହେଁ ।” ସୁଭାଷ ୱାର୍ଦ୍ଧା ଯାଇଥିଲେ ଗାନ୍ଧୀଙ୍କ ସହ ଭେଟ କରିବାକୁ, ମୁହାଁମୁହିଁ କଥାବାର୍ତ୍ତା ହେଲେ ଯଦି ସମାଧାନର ବାଟ ବାହାରିପାରେ । ୧୫ ଫେବୃଆରୀ, ୧୯୩୯ ଦିନ ଗାନ୍ଧୀଙ୍କ ସହ ଭେଟ ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା । କଲିକତା ଫେରି ଆସିଥିଲେ ସୁଭାଷ ଓ ଗଭୀର ଭାବରେ ଅସୁସ୍ଥ ହୋଇପଡ଼ିଥିଲେ । ସେବାଗ୍ରାମରେ କାର୍ଯ୍ୟକାରିଣୀ କମିଟିର ନିର୍ଦ୍ଧାରିତ ବୈଠକ ସ୍ଥଗିତ ରଖିବାପାଇଁ ଓ ତାଙ୍କ ଅନୁପସ୍ଥିତିରେ କୌଣସି ନିଷ୍ପତ୍ତି ନନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଫେବୃଆରୀ ୨୨ ତାରିଖ ଦିନ, କାର୍ଯ୍ୟକାରିଣୀ କମିଟିର ସଦସ୍ୟ, ବଲ୍ଲଭଭାଇ ପଟେଲ, ମୌଲାନା ଆଜାଦ, ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ, ଭୁଲାଭାଇ ଦେଶାଇ, ପଟ୍ଟାଭି ସିତାରାମୟା, ଶଙ୍କରରାଓ ଦେଓ, ମହତାବ, କ୍ରିପ୍ଲାନୀ, ଦୌଲତରାମ, ବଜାଜ ଏବଂ ଗଫର ଖାଁ ସମେତ ୧୨ଜଣ ସଦସ୍ୟଙ୍କର ଇସ୍ତଫାପତ୍ର ସୁଭାଷ ପାଇଲେ । ଏହା ସେମାନଙ୍କର ସର୍ବସମ୍ମତ ନିଷ୍ପତ୍ତି ଥିଲା ବୋଲି ସେମାନେ ଜଣାଇଥିଲେ ଓ ଲେଖିଥିଲେ୧(ପୃ ୪୬),“ଆମେ ଅନୁଭବ କରୁ ଯେ ସମୟ ଆସିଛି ଯେତେବେଳେ ଦେଶର ଏକ ସ୍ପଷ୍ଟ ନୀତି ରହିବା ଉଚିତ ଯାହାର ଆଧାର କଂଗ୍ରେସ ଭିତରେ ଥିବା ବିଭିନ୍ନ ବିଷମ (incompatible) ଗୋଷ୍ଠୀଙ୍କ ମଧ୍ୟରେ ସାଲିସ (compromise)ହେବ ନାହିଁ । ଏହା ତେଣୁ ଠିକହେବ ଯଦି ସଂଖ୍ୟାଗରିଷ୍ଠଙ୍କର ମତକୁ ପ୍ରତିନିଧିତ୍ୱ କରୁଥିବା ଏକ ସମଜାତୀୟ (homogeneous) କ୍ୟାବିନେଟ ଗଠନ କରନ୍ତି ।” ଏହି ଇସ୍ତଫାପତ୍ର ଗାନ୍ଧୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ସ୍ମରଣ କରାଯାଇପାରେ ଯେ ଏହା ପୂର୍ବରୁ ‘ I rejoice in this defeat’ ଶିରୋନାମାରେ ଗାନ୍ଧୀ ଦେଇଥିବା ବୟାନରେ କହିଥିଲେ୧(ପୃ ୩୨), “ସୁଭାଷ ବାବୁ ସଭାପତି ହୋଇଛନ୍ତି ସେମାନଙ୍କର ସମ୍ମତି ବ୍ୟତିରେକେ ଯେଉଁମାନଙ୍କୁ ସେ ଦକ୍ଷିଣପନ୍ଥୀ ବୋଲି କୁହନ୍ତି ବରଂ ସଭାପତି ହୋଇଛନ୍ତି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ଜରିଆରେ । ଏହା ତାଙ୍କୁ ସମର୍ଥକରେ ଏକ ସମଜାତୀୟ (homogeneous) କ୍ୟାବିନେଟ ବାଛିବା ପାଇଁ  ଓ କୌଣସି ପ୍ରତିବନ୍ଧକ ନଥାଇ ନିଜର କାର୍ଯ୍ୟକ୍ରମକୁ ବଳବତ୍ତର କରିବା ପାଇଁ ।” ଉପରୋକ୍ତ ବାର ଜଣଙ୍କ ମଧ୍ୟରେ ଜବାହାରଲାଲ ନ ଥିଲେ । କିନ୍ତୁ ସେ ମଧ୍ୟ ଏକ ପତ୍ର ପଠାଇଥିଲେ ଯାହାର ଭାଷା ଏପରି ଥିଲା ଯେ ଅନେକେ ଏହାକୁ ଅନ୍ୟ ବାରଜଣଙ୍କ ଇସ୍ତଫା ସହ ନେହେରୁଙ୍କ ଇସ୍ତଫା ବୋଲି ଭାବୁଥିଲେ୩(ପୃ ୧୫୮) ଏହା ସତ୍ୟ ଯେ ସୁଭାଷଙ୍କୁ ସହଯୋଗ କରିପାରିବେ ନାହିଁ ବୋଲି ନେହେରୁ ଜଣାଇଥିଲେ, କିନ୍ତୁ ସେ ମଧ୍ୟ ଇସ୍ତଫା ଦେଇଥିବା ବାରଜଣଙ୍କ ସହିତ ନାହାନ୍ତି ତାହା ମଧ୍ୟ ସ୍ପଷ୍ଟ କରିଥିଲେ୧(ପୃ ୪୬) – “ସେମାନଙ୍କର ଇସ୍ତଫାରେ ମୋତେ ସାମିଲ କରିବାକୁ ବହୁତ ଚାପ ପଡ଼ିଥିଲା । କିନ୍ତୁ ମୁଁ ମନା କରି ଦେଇଥିଲି ।”

ସମଜାତୀୟ(homogeneous) କମିଟି ବିବାଦ

ସୁଭାଷ ଚାହୁଁଥିଲେ କଂଗ୍ରେସ ଭିତରେ ଥିବା ସବୁ ଗୋଷ୍ଠୀରୁ ପ୍ରତିନିଧିଙ୍କୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (composite)ଗଢ଼ିବା ପାଇଁ, କେବଳ ସଂଖ୍ୟାଗରିଷ୍ଠଙ୍କ ଭିତରୁ ଏକ ସମଜାତୀୟ(homogeneous) କମିଟି ନୁହେଁ । ଏହି କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନଙ୍କର ଏପରି ଇସ୍ତଫାର ମାତ୍ର ଦୁଇ ସପ୍ତାହ ଭିତରେ ମାର୍ଚ୍ଚ ୧୦ ତାରିଖ ଦିନ ତ୍ରିପୁରୀଠାରେ ଆରମ୍ଭ ହୋଇଥିବା ବାର୍ଷିକ କଂଗ୍ରେସ ଅଧିବେଶନର ଶେଷ ଦିନରେ ଉତ୍ତର ପ୍ରଦେଶର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଗୋବିନ୍ଦବଲ୍ଲଭ ପନ୍ଥ, ଗାନ୍ଧୀଙ୍କ ଠାରେ ପୂର୍ଣ୍ଣ ଆସ୍ଥା ପ୍ରକଟକରି ଏକ ପ୍ରସ୍ତାବ ଆଗତ କଲେ । ଏହି ପ୍ରସ୍ତାବରେ କୁହାଗଲା୧(ପୃ ୬୭), “ଗତବର୍ଷ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଯେପରି କାର୍ଯ୍ୟ କରିଥିଲା, ତା’ପ୍ରତି କଂଗ୍ରେସ ତାର ଆସ୍ଥା ପ୍ରକଟ କରୁଛି ଏବଂ ଦୁଃଖପ୍ରକାଶ କରୁଛି ଯଦି ଏହାର କୌଣସି ସଭ୍ୟଙ୍କ ପ୍ରତି କଟାକ୍ଷ କରାଯାଇଛି । ଆଗାମୀବର୍ଷ ଉପୁଜିବାକୁ ଥିବା ସଙ୍କଟ ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏହାକୁ ଦୃଷ୍ଟିରେ ରଖି ଯେ କେବଳ ମହାତ୍ମା ଗାନ୍ଧୀ ହିଁ ନେତୃତ୍ୱ ଦେଇପାରିବେ, କଂଗ୍ରେସ ବିଚାର କରେ ଯେ କଂଗ୍ରେସର କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କର ନିହିତ(implicit) ବିଶ୍ୱାସର ଭାଜନ ହେବା ଅପରିହାର୍ଯ୍ୟ । କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରାଯାଉଛି ଯେ ସେ ଗାନ୍ଧୀଙ୍କ ଇଚ୍ଛା ଅନୁସାରେ ଆଗାମୀବର୍ଷ ପାଇଁ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନଙ୍କୁ ମନୋନୀତ କରିବେ ।” ଏହି ପ୍ରସ୍ତାବର ଭାଷା ଇଙ୍ଗିତ କରେ ଯେ ସୁଭାଷ ବୋଷଙ୍କର ସଭାପତିତ୍ୱ କାଳ ସଙ୍କଟମୟ ହୋଇପାରେ, ତେଣୁ କଂଗ୍ରେସର ପ୍ରତ୍ୟେକ କାର୍ଯ୍ୟ ଗାନ୍ଧୀଙ୍କର ବିଶ୍ୱାସଭାଜନ ହେବା ଉଚିତ, କଂଗ୍ରେସ ସଭାପତି (ଅର୍ଥାତ୍ ସୁଭାଷ ବୋଷ) ଗାନ୍ଧୀଙ୍କର ଇଚ୍ଛା ମୁତାବକ କାର୍ଯ୍ୟକାରିଣୀ କମିଟିର ମନୋନୟନ କରିବା ଉଚିତ । କିନ୍ତୁ ଏହି ପ୍ରସ୍ତାବ ଉପରେ ସୁଭାଷ ବୋଷଙ୍କୁ ଗାନ୍ଧୀ ଲେଖିଥିଲେ୧(ପୃ ୮୫),“ମୁଁ ପଣ୍ଡିତ ପନ୍ଥଙ୍କର ପ୍ରସ୍ତାବକୁ ବ୍ୟାଖ୍ୟା (interpret) କରିପାରୁ ନାହିଁ । ଏହାକୁ ଯେତେ ଥର ପଢୁଛି ସେତେ ଏହାକୁ ନାପସନ୍ଦ କରୁଛି । କିନ୍ତୁ ଏହା ବର୍ତ୍ତମାନର ଅସୁବିଧାର ଉତ୍ତର ନୁହେଁ । ମୁଁ ତୁମ ଉପରେ କୌଣସି କ୍ୟାବିନେଟକୁ ଲଦି ଦେଇପାରେନା, ଲଦିବି ନାହିଁ ମଧ୍ୟ, ବା ମୁଁ ତୁମ କ୍ୟାବିନେଟ ନୀତିର A.I.C.C ଦ୍ୱାରା ଅନୁମୋଦନକୁ ନିଶ୍ଚିତ (guarantee) କରିପାରିବି ।” ପନ୍ଥଙ୍କ ପ୍ରସ୍ତାବ ଅନୁସାରେ ସୁଭାଷ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ କାର୍ଯ୍ୟକାରିଣୀ କମିଟି ମନୋନୀତ କରିବା ପାଇଁ । ଏହାର ଉତ୍ତରରେ ଗାନ୍ଧୀ ଯାହା ଲେଖିଥିଲେ ତାହାକୁ ସୁଭାଷ ପଢ଼ି ଶୁଣାଇଥିଲେ ୨୯ଏପ୍ରିଲ ୧୯୩୯ ଦିନସାରା ଭାରତ କଂଗ୍ରେସ କମିଟି ଅଧିବେଶନରେ । ଗାନ୍ଧୀ ଲେଖିଥିଲେ୧(ପୃ ୮୫),“ପନ୍ଥଙ୍କ ପ୍ରସ୍ତାବ ଅନୁସାରେ ତୁମେ କାର୍ଯ୍ୟକାରିଣୀ କମିଟି ପାଇଁ ସଦସ୍ୟଙ୍କ ନାଁ ମାଗିଛ । ଯେପରି ମୁଁ ମୋର ଚିଠି ଓ ତାର ବାର୍ତ୍ତାରେ କହିଛି, ଏଥିପାଇଁ ମୁଁ ମୋ ନିଜକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ମନେକରେ । ତ୍ରିପୁରୀ କଂଗ୍ରେସ ପରଠାରୁ ଅନେକ ଘଟଣା ହୋଇଯାଇଛି । ଯେପରି ତୁମର ମତ ମୁଁ ଜାଣିଛି ଏବଂ ଯେପରି ଜାଣିଛି ଅଧିକାଂଶ ସଦସ୍ୟଙ୍କ ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟକୁ, ମୋର ବୋଧହୁଏ ଯେ ଯଦି ମୁଁ ନାଁ ଦିଏ, ତାହାହେଲେ ଏହା ତୁମ ଉପରେ ଲଦି ଦେଲାଭଳି ହେବ । ମୁଁ ତୁମପାଖକୁ ଲେଖିଥିବା ଚିଠିମାନଙ୍କରେ ଏହି ସ୍ଥିତିକୁ ନେଇ ବିଶଦ ଭାବରେ ଆଲୋଚନା କରିଛି । ଏହି ତିନିଦିନ ଧରି ଆମ ଭିତରେ ହୋଇଥିବା ଅନ୍ତରଙ୍ଗ କଥାବାର୍ତ୍ତା ଦ୍ୱାରା ଏପରି କିଛି ହୋଇ ନାହିଁ ଯାହା ମୋର ମତକୁ ବଦଳାଇ ପାରିଛି । ସ୍ଥିତି ଯେତେବେଳେ ଏହିପରି, ତୁମେ ତୁମର ନିଜ କମିଟି ବାଛିବା ପାଇଁ ସ୍ୱତନ୍ତ୍ର । ମୁଁ ତୁମକୁ କହିଛି ଯେ ପରସ୍ପର ସହମତିର ସମ୍ଭାବନା ପାଇଁ ତୁମେ ପୂର୍ବ ସଦସ୍ୟମାନଙ୍କ ସହ ଆଲୋଚନା କରିପାର, ଏବଂ ମୋତେ ଏହାଠାରୁ କିଛି ଅଧିକ ଆନନ୍ଦ ଦିଅନ୍ତା ନାହିଁ ଯଦି ମୁଁ ଜାଣୁଥାନ୍ତି ଯେ ତୁମମାନଙ୍କ ମଧ୍ୟରେ ସହମତି ସୃଷ୍ଟି ହେଉଛି ।…. ଏହା ମୋ ପାଇଁ ଅତ୍ୟନ୍ତ ବ୍ୟଥାର ବିଷୟ ଯେ ଏପରି ପରସ୍ପର ସହମତି ସମ୍ଭବ ହୋଇପାରି ନାହିଁ ।” ଏହି ପତ୍ରଟି ପଢ଼ିସାରି ସୁଭାଷ ବୋଷ କହିଥିଲେ୧(ପୃ ୮୬), “ଏହା ଆମର ଦୁର୍ଭାଗ୍ୟ ଯେ ମହାତ୍ମାଜୀ କାର୍ଯ୍ୟକାରିଣୀ କମିଟି ମନୋନୟନ କରିବା ପାଇଁ ଅସମର୍ଥତା ଜଣାଇଲେ । ସର୍ବଶେଷ ପଦକ୍ଷେପ ଭାବେ ମୁଁ ଏହି ସମସ୍ୟାର ଅନୌପଚାରିକ ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲି । ମହାତ୍ମାଜୀ ମୋତେ କହିଥିଲେ ଯେ ପୂର୍ବ କାର୍ଯ୍ୟକାରିଣୀ କମିଟିର ପ୍ରମୁଖ ସଭ୍ୟଗଣ ଓ ମୁଁ ଏକାଠି ବସି ଦେଖୁ ଯେକୌଣସି ରାଜିନାମାରେ ଆମେ ପହଂଚୁଛୁ ନା ନାହିଁ । ମୁଁ ତାଙ୍କ କଥା ମାନିଥିଲି ଓ ଆମେ ଉଦ୍ୟମ ମଧ୍ୟ କରିଥିଲୁ । ଯଦି ଆମେ କୌଣସି ରାଜିନାମାରେ ପହଂଚିବାରେ ସଫଳ ହୋଇଥାନ୍ତୁ ତାହାହେଲେ ଆମେ ଆମର ଅନୌପଚାରିକ ରାଜିନାମାର ଔପଚାରିକ ଅନୁମୋଦନ ପାଇଁ ଏଆଇସିସିକୁ ଆସିଥାନ୍ତୁ । ଦୁର୍ଭାଗ୍ୟକ୍ରମେ ଯଦିଓ ଆମେ ଘଂଟା ଘଂଟା ଏହି ବିଷୟ ଉପରେ ଆଲୋଚନା କଲୁ, ଆମେ କୌଣସି ନିଷ୍ପତ୍ତିରେ ପହଂଚି ପାରିଲୁ ନାହିଁ । ତେଣୁ ଆପଣମାନଙ୍କ ସମ୍ମୁଖରେ ଦୁଃଖର ସହିତ ମୋତେ ଜଣାଇବାକୁ ପଡୁଛି ଯେ ନୂତନ କାର୍ଯ୍ୟକାରିଣୀ କମିଟିର ସଦସ୍ୟଙ୍କ ନାଁ ମୁଁ ଘୋଷଣା କରିପାରୁ ନାହିଁ ।”

ସଭାପତି ପଦରୁ ଇସ୍ତଫା

ଏହା କହି ସାରି ସୁଭାଷ ବୋଷ ଘୋଷଣା କରିଥିଲେ ସଭାପତି ପଦରୁ ଇସ୍ତଫା୧(ପୃ ୮୬)- “ମୁଁ ଗଭୀର ଭାବରେ ଚିନ୍ତା କରୁଥିଲି ଯେ ମୋର କଣ କରିବା ଉଚିତ ଯଦ୍ଦ୍ୱାରା ଏଆଇସିସି ତା’ସମ୍ମୁଖରେ ରଖାଯାଇଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ । ମୁଁ ଅନୁଭବ କରେ ଯେ ଏହି ସମୟରେ ମୋର ସଭାପତି ଭାବେ ଉପସ୍ଥିତି ଏହି ସମାଧାନ ଦିଗରେ ପ୍ରତିବନ୍ଧକ ସାଜିପାରେ । ଯେପରି, ଏଆଇସିସି ଚାହିଁ ପାରେ ନିଯୁକ୍ତ କରିବାକୁ ଏକ ଏପରି କାର୍ଯ୍ୟକାରିଣୀ କମିଟି ଯେଉଁଥିରେ ମୁଁ ଖାପ ଖାଇବି ନାହିଁ । ମୁଁ ପୁଣି ଅନୁଭବ କରେ ଯେ ଏଆଇସିସି ପାଇଁ ସମାଧାନ କରିବା ସହଜ ହେବ ଯଦି ଏହାର ଜଣେ ନୂତନ ସଭାପତି ହୁଅନ୍ତି । ବେଶ ପରିପକ୍ୱ ଚିନ୍ତା ଭାବନା ପରେ, ଏବଂ ସମ୍ପୂର୍ଣ୍ଣ ରୂପେ ସହଯୋଗୀ ମନୋଭାବ ନେଇ ମୁଁ ଆପଣମାନଙ୍କ ହାତରେ ମୋର ଇସ୍ତଫା ରଖୁଛି ।” ସୁଭାଷ ସଭାପତି ଆସନରୁ ଓହ୍ଲାଇ ଆସିଲେ ଓ ଶ୍ରୀମତୀ ସରୋଜିନୀ ନାଇଡୁଙ୍କୁ ଅଧ୍ୟକ୍ଷତା ପାଇଁ ଅନୁରୋଧ କଲେ । ନେହେରୁ ଏକ ପ୍ରସ୍ତାବ ଆଗତ କଲେ ଯେ ସୁଭାଷ ବୋଷଙ୍କୁ ଅନୁରୋଧ କରାଯାଉ ଯେ ସେ ସଭାପତି ପଦରୁ ତାଙ୍କର ଇସ୍ତଫା ପ୍ରତ୍ୟାହାର କରିନେବେ ଏବଂ ୧୯୩୮ରେ ଯେଉଁ କାର୍ଯ୍ୟକାରିଣୀ କମିଟି ଥିଲା, ତାହାର ପୁନଃମନୋୟନ କରିବେ । ଏହି କମିଟିର ସଦସ୍ୟ ଯମନଲାଲ ବଜାଜ ଓ ଜୟରାମଦାସ ଦୌଲତରାମ ଯେହେତୁ ସ୍ୱାସ୍ଥ୍ୟ କାରଣରୁ ଅବସର ନେବେ, ସୁଭାଷ ତାଙ୍କ ସ୍ଥାନରେ, କମିଟିର ଅନ୍ୟମାନଙ୍କ ସହ ପରାମର୍ଶ କରି ଦୁଇଜଣ ନୂତନ ସଭ୍ୟ ମନୋନୀତ କରିପାରିବେ । ସୁଭାଷ ବୋଷ ଏହି ପ୍ରସ୍ତାବର ଉତ୍ତରରେ କହିଥିଲେ୧(ପୃ ୮୭), “ମୁଁ ଗୌରବାନ୍ୱିତ ଅନୁଭବ କରୁଛି ଯେ ପଣ୍ଡିତ ଜବାହାରଲାଲ ନେହେରୁ ପ୍ରସ୍ତାବ ଆଗତ କରିଛନ୍ତି ମୋତେ ଅନୁରୋଧ କରି ଯେ ମୁଁ ମୋର ଇସ୍ତଫା ପ୍ରତ୍ୟାହାର କରେ ।” ଏହା ସହିତ ସେ କହିଥିଲେ ନେହେରୁଙ୍କର ଏହି ପ୍ରସ୍ତାବ, “କାର୍ଯ୍ୟତଃ, ମହାତ୍ମା ଗାନ୍ଧୀ ଓ ଅନ୍ୟମାନେ ମୋର ପୂର୍ବ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା ବେଳେ ଯେଉଁ ପ୍ରସ୍ତାବ ଅନୌପଚାରିକ ଭାବେ ରଖିଥିଲେ ପ୍ରାୟ ତାହାରି ପରି । ସାଧାରଣତଃ ମହାତ୍ମାଜୀଙ୍କର କଥା ମୋ ପାଇଁ ଆଇନ, କିନ୍ତୁ ଯେଉଁଠି ନୀତିର କଥା ରହିଛି, ମୁଁ ବେଳେବେଳେ ତାଙ୍କ ଉପଦେଶ ବା ପରାମର୍ଶକୁ ଗ୍ରହଣ କରିପାରେ ନାହିଁ ।” ପୂର୍ବ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟଙ୍କୁ ପୁନଃମନୋନୀତ କରିବା ପ୍ରସ୍ତାବ ଉପରେ ତାଙ୍କର ମନ୍ତବ୍ୟ ଥିଲା ଯେ୧(ପୃ ୮୮) “ଭାରତ ଭଳି ଏକ ବିଶାଳଦେଶରେ କଂଗ୍ରେସର ସର୍ବୋଚ୍ଚ କାର୍ଯ୍ୟକାରିଣୀ ପରସ୍ପର ସହିତ ଘନିଷ୍ଠତା ଥିବା କିଛି ବ୍ୟକ୍ତିଙ୍କର ଏକ  ସଂରକ୍ଷିତ ଗୋଷ୍ଠୀରୁ ଗଢ଼ାଯିବା ଉଚିତ ନୁହେଁ । ତେଣୁ ସାମାନ୍ୟ ପରିସ୍ଥିତିରେ ପ୍ରତିବର୍ଷ ପରିବର୍ତ୍ତନ ହେବା ଉଚିତ ।”  ହରିପୁରା କଂଗ୍ରେସ ଅଧିବେଶନରେ ସଭାପତି ପଦରେ ଯେତେବେଳେ ସୁଭାଷ ବୋଷ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ପୂର୍ବ କାର୍ଯ୍ୟକାରିଣୀ କମିଟିର ସଦସ୍ୟଙ୍କ ମଧ୍ୟରୁ ମାତ୍ର ତିନିଜଣଙ୍କୁ ବଦଳାଇ ଆଉ ସମସ୍ତଙ୍କୁ ତାଙ୍କ କାର୍ଯ୍ୟକାରିଣୀ କମିଟିରେ କାଏମ ରଖିଥିଲେ । କିନ୍ତୁ୧(ପୃ ୮୮) “ବର୍ତ୍ତମାନର ଜରୁରୀ ପରିସ୍ଥିତିରେ କଣ କରାଯିବ?… ଯଦି ଆମେ ଗୋଟିଏ ଗତିଶୀଳ ଆଗ୍ରହ ପୋଷଣ କରୁଥିବା ଏକ ଶକ୍ତିଶାଳୀ କ୍ୟାବିନେଟ ଚାହୁଁ, ତାହାହେଲେ କଂଗ୍ରେସରେ ଥିବା ବିଭିନ୍ନ ମତର ପ୍ରତିନିଧିଙ୍କୁ ସ୍ଥାନ ଦେବା ଆବଶ୍ୟକ ଏବଂ ସେମାନେ ସଂଖ୍ୟାଗରିଷ୍ଠ ହେବା ଉଚିତ ଯେଉଁମାନେ ନୀତିର ନିରନ୍ତରତାକୁ ନିଶ୍ଚିତ କରିପାରିବେ । ଯଦି ଆମେ ନୂତନ ରକ୍ତ ସାମିଲ ହେବାକୁ ଅନୁମତି ନ ଦେଉ, ତାହାହେଲେ କ୍ୟାବିନେଟର କ୍ଷମତା ଓ ଶକ୍ତିରେ କ୍ଷୟ ହେବ । ଯଦି ବ୍ରିଟେନ ଭଳି ଦେଶରେ ଯୁଦ୍ଧର ସଙ୍କଟ କାଳରେ ପାର୍ଟି କ୍ୟାବିନେଟ ସ୍ଥାନରେ ଜାତୀୟ କ୍ୟାବିନେଟର ଗଠନ ହୋଇପାରେ, ସେଭଳି ଆବଶ୍ୟକତା ଆମେ ଏଠାରେ ଅନୁଭବ କରୁନା କି?” ତେଣୁ ସେ କଂଗ୍ରେସ ଭିତରେ ସବୁଗୋଷ୍ଠୀକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିମାନଙ୍କୁ ନେଇ କାର୍ଯ୍ୟକାରିଣୀ କମିଟି ଗଠନ କରିବାକୁ ଚାହୁଁଥିଲେ, ଅର୍ଥାତ୍ ଏକ ସମନ୍ୱିତ (composite)କ୍ୟାବିନେଟର ଗଠନ ଚାହୁଁଥିଲେ । ଯେଉଁମାନେ ଏପରି କାର୍ଯ୍ୟକାରିଣୀ କମିଟି “ଏତେ ବିଜାତୀୟ(heterogeneous) ହେବ ଯେ ସଠିକ ଭାବରେ କାର୍ଯ୍ୟକରିବା ସମ୍ଭବ ନୁହେଁ (“will be too heterogeneous to function properly”) ତେଣୁ ଏହା ସମଜାତୀୟ (homogeneous)ହେବା ଉଚିତ, ବୋଲି ଯୁକ୍ତି ବାଢୁଥିଲେ, ସେମାନଙ୍କୁ ତାଙ୍କର ଉତ୍ତର ଥିଲା୧(ପୃ ୮୮) “କଣ ସବୁ କଂଗ୍ରେସ ଲୋକ ସମଜାତୀୟ ନୁହନ୍ତ?”(“Are not all Congressmen homogeneous?”) କାରଣ “କଂଗ୍ରେସ ଭିତରେ ତ ଭିନ୍ନ ଭିନ୍ନ ମତ ରହିଛି । ତା’ବୋଲି କଣ ଆମ ଭିତରେ ଏକ ମୋଟାମୋଟି ସହମତି ନାହିଁ? ଆମେ କଣ ସମସ୍ତେ ସାମ୍ରାଜ୍ୟବାଦ ବିରୋଧୀ ନୋହୁଁ ଯେଉଁମାନେ କଂଗ୍ରେସର ବର୍ତ୍ତମାନ ସମ୍ବିଧାନ, ତାର ନୀତି ଓ ବିଶ୍ୱାସ(creed)କୁ ଗ୍ରହଣ କରିଥାଉ?” ସେ ଏହି ସନ୍ଦର୍ଭରେ ସମଜାତୀୟ(homogeneous) ପଦର ବ୍ୟବହାରକୁ ଗ୍ରହଣ କରୁନଥିଲେ । ତାଙ୍କର ଆଶଙ୍କା ଥିଲା ଯେ “ଆମେ ଅତି ସଙ୍କୀର୍ଣ୍ଣ ଅର୍ଥରେ ସମଜାତୀୟତା(homogeneity) ଶବ୍ଦଟିର ବ୍ୟବହାର କରୁଛୁ ।”(“ I am afraid, that we sometimes give a too narrow meaning to the word ‘homogeneity’.”) ଏହା ଦର୍ଶାଏ ସୁଭାଷ କିପରି ତର୍କର ସହିତ ଗାନ୍ଧୀଙ୍କର ସମଜାତୀୟ (homogeneous) କାର୍ଯ୍ୟକାରିଣୀ କମିଟି ଗଠନର ପ୍ରସ୍ତାବକୁ ଖଣ୍ଡନ କରୁଥିଲେ । ସେ ଯେପରି ଦେଖୁଥିଲେ ଗାନ୍ଧୀଙ୍କର କଂଗ୍ରେସ ସଂଗଠନ ସମ୍ପର୍କରେ ଦୃଷ୍ଟିଭଙ୍ଗୀରେ ବ୍ୟାପକତାର ଅଭାବ । ସେ ଚାହୁଁଥିଲେ୨୫ କାର୍ଯ୍ୟକାରିଣୀ କମିଟି କଂଗ୍ରେସ ସାଧାରଣ ସଭାର ବାସ୍ତବ ପ୍ରତିନିଧି ହେଉ-( “a truly representative of the general body of the Congress”) । ଏହିଭଳି ନିଜର ବିଚାରକୁ ସ୍ପଷ୍ଟ କରି ସେ ସର୍ବଭାରତୀୟ କଂଗ୍ରେସ କମିଟି(too vague)କୁ , ଯାହାଙ୍କଠାରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ, ସେ କମିଟିକୁ କହିଥିଲେ୧(ପୃ ୮୮), ‘ମୁଁ ଜାଣେନା ଆଜି ଏଆଇସିସି ମନ ଭିତରେ କଣ ଅଛି । କିନ୍ତୁ ସମ୍ମାନର ସହିତ ମୁଁ କହିବି ଯେ ଯଦି ଆପଣମାନେ ଚାହାନ୍ତି ମୁଁ ସଭାପତିଭାବେ କାର୍ଯ୍ୟ କରେ ତାହାହେଲେ ମୋର ଉଲ୍ଲିଖିତ ବିଚାର ପ୍ରତି ଆପଣମାନେ କିଛିଟା ଅନୁକୂଳ ମତପୋଷଣ କରିବେ । ଯଦି ଆପଣମାନେ ଅନ୍ୟଥା ଭାବୁଥାନ୍ତି, ତାହାହେଲେ ଦୟାକରି ମୋତେ ସଭାପତି ଦାୟିତ୍ୱରୁ ମୁକ୍ତ କରିଦେବେ ।’ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ସରୋଜିନୀ ନାଇଡୁ ସୁଭାଷ ବୋଷଙ୍କୁ କହିଲେ ନେହେରୁଙ୍କ ପ୍ରସ୍ତାବକୁ ଗ୍ରହଣ କରିନେବାକୁ ଓ ଗୃହକୁ ନିଜର ଶେଷ ନିଷ୍ପତ୍ତି ଜଣାଇବାକୁ । ସୁଭାଷଙ୍କର ଉତ୍ତର ଥିଲା୧(ପୃ ୮୯), “ଗୃହ ସମ୍ମୁଖରେ ଯେଉଁ ବୟାନ ମୁଁ ବର୍ତ୍ତମାନ ଦେଲି ସେଥିରେ, ମୁଁ ଭାବୁଛି, ମୋର ସ୍ଥିତିକୁ ପୂରାପୂରି ସ୍ପଷ୍ଟ କରିଛି । ମୋର ଆଉ କିଛି ଅଧିକା କହିବାର ନାହିଁ ।…ମୁଁ କହିପାରେ ଯେ ମୋର ଅନ୍ତିମ ଉତ୍ତର ନିର୍ଭର କରୁଛି ଏଆଇସିସି ଗ୍ରହଣ କରିିବା ପ୍ରସ୍ତାବର ରୂପରେଖ କଣ ହେବ, ତା’ ଉପରେ । ଏହି ଅବସ୍ଥାରେ, ମୁଁ ଜାଣେନା କେଉଁପ୍ରକାର ପ୍ରସ୍ତାବ ଏଆଇସିସି ଗ୍ରହଣ କରିବ ଏବଂ ଯେତେବେଳ ଯାଏ ତାହା ମୁଁ ନ ଜାଣିଛି, ମୋର ଉତ୍ତର ଦେବା ସମ୍ଭବ ନୁହେଁ ।”  ଗାନ୍ଧୀଙ୍କ ଜୀବନୀକାର ଟେଣ୍ଡୁଲକର ସୁଭାଷଙ୍କର ଏପରି ଉତ୍ତର ସମ୍ପର୍କରେ  ଲେଖୁଛନ୍ତି୧(ପୃ ୮୯), “ଶ୍ରୀମତୀ ନାଇଡୁ ଏବଂ ନେହେରଙ୍କୁ ଏପରି ଉତ୍ତର ଅତ୍ୟନ୍ତ ଅସ୍ପଷ୍ଟ (too vague)ମନେ ହେଲା ଏବଂ ନେହେରୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଲେ । ଶ୍ରୀମତୀ ନାଇଡୁ ସଭ୍ୟମାନଙ୍କୁ ଅନୁରୋଧ କଲେ ନୂତନ ସଭାପତି ନିର୍ବାଚିତ କରିବାପାଇଁ । ରାଜେନ୍ଦ୍ର ପ୍ରସାଦ ସେ ବର୍ଷର ଅବଶିଷ୍ଟ କାଳପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ।” ୨୯ ଏପ୍ରିଲ ୧୯୩୯ଦିନ ସୁଭାଷ ଇସ୍ତଫା ଦେଇଥିଲେ । ନୂତନ ସଭାପତି ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ମେ ପହିଲା ଦିନ ଏଆଇସିସି ବସିଲା । ଅଧିବେଶନ ଆରମ୍ଭରେ ରାଜେନ୍ଦ୍ରବାବୁ ଜଣାଇଲେ ଯେ ସେ ଏହି ନିଷ୍ପତ୍ତିରେ ପହଂଚିଛନ୍ତି ଯେ୧(ପୃ ୮୯) ‘ପୁରୁଣା କାର୍ଯ୍ୟକାରିଣୀ କମିଟି କାଏମ ରହିବ ଓ ଗାନ୍ଧୀ ଏହାର ଅନୁମୋଦନ କରିଥିଲେ ।’ (‘Old Working Committee should continue and that Gandhi had approved it.’) କିନ୍ତୁ ଏହି କମିଟିରେ ସୁଭାଷ ରହିବେ ନାହିଁ ଓ ନେହେରୁ ମଧ୍ୟ ରହିବେ ନାହିଁବୋଲି ଜଣାଇଥିଲେୁ୧(ପୃ ୮୯)ରାଜେନ୍ଦ୍ର ବାବୁ ।  

ଇସ୍ତଫାର ପ୍ରତିକ୍ରିୟା

ସୁଭାଷଙ୍କର ଇସ୍ତଫା ଉପରେ ଓ ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ମନ୍ତବ୍ୟ କରି ସୁଗତ ବୋଷ ଲେଖନ୍ତି୩(ପୃ ୧୬୪), “୧୯୩୯ର ବସନ୍ତ କାଳରେ ବୋଷ କଂଗ୍ରେସ ରାଜନୀତିରେ ଗାନ୍ଧୀଙ୍କ ଦ୍ୱାରା ଚତୁରତାରେ ସମ୍ପୂର୍ଣ୍ଣ ଭାବରେ ପରାସ୍ତ ହୋଇଥିଲେ । ତ୍ରିପୁରୀ ଏବଂ ଏହାର ପରବର୍ତ୍ତୀ ସମୟ ସ୍ପଷ୍ଟ ଭାବରେ ଦର୍ଶାଏ ବୋଷଙ୍କର ପରାଜୟ, ଯଦିଓ ବ୍ୟକ୍ତିଗତ ସ୍ତରରେ ବୋଷ୍ ବେଶ ଲୋକପ୍ରିୟ ଥିଲେ, କିନ୍ତୁ ତାଙ୍କର ସ୍ୱଭାବ ଦୃଷ୍ଟିରୁ ଏବଂ ସଂଗଠନ କରିବାର ସାମର୍ଥ୍ୟ ଦୃଷ୍ଟିରୁ ରାଜନୈତିକ ଚତୁରତାରେ ସେ ଗାନ୍ଧୀ ଓ ତାଙ୍କର ସେନାପତିମାନଙ୍କର ସମକକ୍ଷ ନ ଥିଲେ ।” କିନ୍ତୁ ଏପରି ‘ପରାଜୟ’ର ପ୍ରତିକ୍ରିୟାରେ କବିଗୁରୁ ରବୀନ୍ଦ୍ରନାଥ ସୁଭାଷଙ୍କୁ ଲେଖିଥିଲେ୩(ପୃ ୧୬୪), “ଏହି ଅତ୍ୟନ୍ତ ବିଷମ ସ୍ଥିତିରେ ତୁମେ ଯେଉଁ ଗରିମା ଓ ଧୈର୍ଯ୍ୟର ପ୍ରଦର୍ଶନ କରିଛ, ତାହା ତୁମର ନେତୃତ୍ୱ ପ୍ରତି ମୋର ସମ୍ମାନ ଓ ବିଶ୍ୱାସକୁ ଜିଣିନେଇଛି । ଏହି ଶାଳୀନତାକୁ କାଏମ ରଖିବାକୁ ହେବ ବଙ୍ଗଳାର ଆତ୍ମସମ୍ମାନ ପାଇଁ ଯାହା ତୁମର ଦୃଶ୍ୟମାନ ପରାଜୟକୁ ଏକ ସ୍ଥାୟୀ ବିଜୟରେ ବଦଳାଇ ଦେବ ।” କବିଗୁରୁ ରବୀନ୍ଦ୍ରନାଥଙ୍କ ପାଇଁ ତ ସୁଭାଷ ଥିଲେ୨୭ ‘ଦେଶନାୟକ’ ନେହେରୁ ତ ଗାନ୍ଧୀଙ୍କୁ କହିଥିଲେ ଯେ ସେ ସୁଭାଷଙ୍କୁ ସଭାପତି ଭାବେ ଗ୍ରହଣ କରନ୍ତୁ୩(ପୃ ୧୬୨)- “ତାଙ୍କୁ ଠେଲି ବାହାର କରିଦେବା ପାଇଁ ଚେଷ୍ଟା କରିବା ମୋ ମତରେ ଏକ ଅତ୍ୟନ୍ତ ଭୁଲ ପଦକ୍ଷେପ ହେବ ।” ଇସ୍ତଫା ପରେ ସୁଭାଷ ବୋଷ Emilieଙ୍କୁ  ଜୁନ ୧୯୩୯ରେ ଲେଖୁଛନ୍ତି୩(ପୃ ୧୬୫-୬), “ଭାରତ ଏକ ଅଦ୍ଭୁତ ଦେଶ ଯେଉଁଠି ଲୋକେ ଭଲପାଆନ୍ତି ନାହିଁ ଯେହେତୁ ତାଙ୍କ ହାତରେ କ୍ଷମତା ଅଛି ବରଂ ତାକୁ ଯେ କ୍ଷମତାକୁ ପରିତ୍ୟାଗ କରିଛି । ଉଦାହରଣସ୍ୱରୂପ, ମୋର ଏବେ ଲାହୋରରେ ସ୍ୱାଗତ ପୂର୍ବ ଅପେକ୍ଷା ଅଧିକ ଉଷ୍ମ ଥିଲା ଯେତେବେଳେ ମୁଁ କଂଗ୍ରେସ ସଭାପତି ଭାବେ ଯାଇଥିଲି ।” ସେ ନିଜକୁ ଆଶ୍ୱସ୍ତ କରୁଥିଲେ୩(ପୃ ୧୬୫-୬), “ଏହା ହିଁ ହେଉଛି ପ୍ରକୃତ ଭାରତ ଯେଉଁଥିରେ ଜଣେ ରଖିପାରେ ଅକ୍ଷୟ ବିଶ୍ୱାସ, ତ୍ରିପୁରୀ କଣ କହିଲା ବା କଲାର ପ୍ରଭାବର ଊଦ୍ଧ୍ୱର୍ରେ ।” ଅପରପକ୍ଷରେ ଯେପରି ପରିସ୍ଥିତିରେ ସୁଭାଷଙ୍କୁ ପ୍ରାୟ ବାଧ୍ୟ କରାଗଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ତାହା ଗାନ୍ଧୀଙ୍କର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା । ସୁଗତ ବୋଷ ଲେଖନ୍ତ୩(ପୃ ୧୬୪), “୧୯୩୯ର କଳହରୁ ଗାନ୍ଧୀଙ୍କର ଆଭା ବେଶ୍ ମଳିନ ହୋଇଥିଲା । ଯୁବ ଆହ୍ୱାନ ସମ୍ମୁଖରେ ସେ କ୍ଷୁଦ୍ର ଓ ପ୍ରତିଶୋଧପରାୟଣ ଦେଖା ଯାଉଥିଲେ ।”

 ଉପସଂହାର

ଉପରୋକ୍ତ ଘଟଣାବଳିର ଅଧ୍ୟୟନରୁ ଏକ ପ୍ରଶ୍ନ ମନରେ ଆସେ ଯେ ସୁଭାଷ କଂଗ୍ରେସର ସଭାପତି ହେବା ପରେ, କାହିଁକି କାର୍ଯ୍ୟକାରିଣୀ କମିଟି ଗଠନ କରିବାରେ ଅସମର୍ଥ ହେଲେ? ଗାନ୍ଧୀ ତ ସ୍ପଷ୍ଟ ଜଣାଇ ଦେଇଥିଲେ ଯେ ସେ କୌଣସିମତେ କାର୍ଯ୍ୟକାରିଣୀ କମିଟି ଗଠନରେ ହସ୍ତକ୍ଷେପ କରିବେ ନାହିଁ । ପୁଣି ଗାନ୍ଧୀ ମଧ୍ୟ ଗୋବିନ୍ଦବଲ୍ଲଭ ପନ୍ଥଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ନାପସନ୍ଦ କରି ସୁଭାଷଙ୍କୁ ତାଙ୍କ ନିଜ ଅନୁସାରେ କାର୍ଯ୍ୟକାରିଣୀ କମିଟି ଗଢ଼ିବା ପାଇଁ ପରାମର୍ଶକୁ ଦୋହରାଇ ଥିଲେ । ତେଣୁ ଏପରି ସ୍ଥିତିରେ ସୁଭାଷ କାହିଁକି କାର୍ଯ୍ୟକାରିଣୀ କମିଟି ଗଠନ କଲେ ନାହିଁ ଓ ଏହାକୁ ନିଜର ଅସମର୍ଥତା ଦର୍ଶାଇ ସଭାପତି ପଦରୁ ଇସ୍ତଫା ଦେଇଦେଲେ? ଗାନ୍ଧୀ ଯଦିଓ କାର୍ଯ୍ୟକାରିଣୀ କମିଟି ଗଠନପାଇଁ ସଭାପତି ସୁଭାଷଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ, କିନ୍ତୁ ସୁଭାଷ ବୋଧହୁଏ ବୁଝିଥିଲେ ଯେ ଗାନ୍ଧୀ ମୂଳତଃ ତାଙ୍କୁ ସଭାପତି ପଦରେ ଗ୍ରହଣ କରିପାରୁ ନାହାନ୍ତି । ଆଉ ଗାନ୍ଧୀ ସୁଭାଷଙ୍କୁ ସଭାପତି ଭାବେ ଗ୍ରହଣ କରିବା ହିଁ ସୁଭାଷଙ୍କ ଆକାଂକ୍ଷାର ଶୀର୍ଷରେ ଥିଲା । ସ୍ମରଣ କରାଯାଇପାରେ ସେ କହିଥିବା୧(ପୃ ୩୩), “ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖଦ ହେବ ଯଦି ମୁଁ ଅନ୍ୟମାନଙ୍କର ବିଶ୍ୱାସ ଜିଣିବାରେ ସଫଳ ହେଉଥିବି, ଅଥଚ ଭାରତର ସବୁଠାରୁ ବଡ଼ ମଣିଷର ବିଶ୍ୱାସ ଜିଣିବାରେ ବିଫଳ ହେବି ।” ସୁଭାଷଙ୍କ ଜୀବନରେ ଗାନ୍ଧୀ ଏକ ନିଆରା ସ୍ଥାନ ଅଧିକାର କରିଥିଲେ । ତାଙ୍କ ପାଇଁ ସେ ‘ଭାରତର ସବୁଠାରୁ ବଡ଼ ମଣିଷ’ ଥିଲେ । ଗାନ୍ଧୀଙ୍କ ସ୍ୱୀକୃତି ତାଙ୍କପାଇଁ ସବୁଠାରୁ ଅଧିକ କାମ୍ୟ ଥିଲା । ଗାନ୍ଧୀଙ୍କର ସେନାପତିମାନଙ୍କ ମତ-ପ୍ରତିକ୍ରିୟା ଦ୍ୱାର ସେ ଆଦୌ ପ୍ରଭାବିତ ହୋଇ ନ ଥାନ୍ତେ ଯଦି ଗାନ୍ଧୀଙ୍କ ସ୍ୱୀକୃତି ତାଙ୍କର ସଭାପତିତ୍ୱ ପାଇଥାନ୍ତା । ମୋର ମନେ ହୁଏ ଯେଉଁ ଦିନଠାରୁ ଗାନ୍ଧୀ ସୁଭାଷଙ୍କ ବିଜୟକୁ ନିଜର ପରାଜୟ ବୋଲି ଘୋଷଣା କରିଛନ୍ତି, ବୋଧହୁଏ ସେହି ଦିନଠାରୁ ନେତାଜୀ ଏହି ପଦବୀ ପ୍ରତି ବୀତସ୍ପୃହ ହୋଇଛନ୍ତି । କାର୍ଯ୍ୟକାରିଣୀ କମିଟି ନ ଗଢ଼ି ପାରିବା ଏହି ମନୋଭାବକୁ ଏପରି ସ୍ଥିତିକୁ ନେଇଛି ଯେ ସଭାପତି ପଦବୀରୁ  ଇସ୍ତଫା ଦେବାରେ ହିଁ ନିଷ୍କୃତି ରହିଛି ବୋଲି ବୋଧହୁଏ ସେ ଭାବିଛନ୍ତି । ସୁଭାଷ ଗାନ୍ଧୀଙ୍କ ପ୍ରତି ବେଶ୍ ଅନୁରକ୍ତ ଥିଲେ ଓ ତାଙ୍କୁ ଅସନ୍ତୁଷ୍ଟ କରି ସଭାପତି ପଦରେ ରହିବା ସେ ଚାହିଁ ନଥିବେ । ସୁଭାଷଙ୍କର ଗାନ୍ଧୀ ପ୍ରତି ଅନୁରକ୍ତିର ଗଭୀରତା ଜଣାପଡ଼େ ଯେତେବେଳେ ସେ ଗାନ୍ଧୀଙ୍କୁ ରାଷ୍ଟ୍ରର ପିତା ବୋଲି ସମ୍ବୋଧନ କରନ୍ତି ତାଙ୍କର ୬ ଜୁଲାଇ ୧୯୪୪ ଦିନ ରେଙ୍ଗୁନଠାରେ ଦେଇଥିବା ରେଡିଓ ବାର୍ତ୍ତାରେ୫ ।

ବ୍ୟବହୃତ ଉପାଦାନ ସୂଚୀ

୧. Mahatma, Vol 5, D.G Tendulkar, Publications Division, Government of India

  1. Mahatma, Vol 4, D.G Tendulkar, Publications Division, Government of India

3 His Majesty’s Opponent, Sugata Bose, Penguin Random House India, 2019

  1. Mahatma, Vol 3, D.G Tendulkar, Publications Division, Government of India.

୫. ଆମ ରାଷ୍ଟ୍ରର ପିତା-ମହାତ୍ମା ଗାନ୍ଧୀଙ୍କ ଉଦେ୍ଦଶ୍ୟରେ ନେତାଜୀ ସୁଭାଷ ବୋଷଙ୍କର ରେଡିଓ ବାର୍ତ୍ତା, ସମଦୃଷ୍ଟି,  ୧-୧୫ ମାର୍ଚ୍ଚ ୨୦୨୩, ପୃ ୨୧-୨୭

Comments

0 comments

Share This Article