ନିଆରା କାରା ପତ୍ର

ଏହି ସବୁ ଲୋକ ଯେଉଁମାନେ ଏତେ ଆକ୍ରାମକ ଢଂଗରେ ସମ୍ପୂର୍ଣ୍ଣକ୍ରାନ୍ତିର ସ୍ଲୋଗାନ ଦେଉଛନ୍ତି ଅଥଚ ସେମାନେ କ୍ରାନ୍ତି ବିରୋଧୀ ଭାବନାକୁ ଜାବୋଡ଼ି ଧରିବାର ଚେଷ୍ଟା କରୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେବି ଯଦି ଏହି ଲୋକେ କୌଣସି ପ୍ରକୃତ କ୍ରାନ୍ତି ହେବାକୁ ଦେବେ ।

ବିଶିଷ୍ଟ ସମାଜବାଦୀ ନେତା ଶ୍ରୀ ମଧୁ ଦଣ୍ଡବତେଙ୍କର ୨୧ ଜାନୁଆରୀ ୨୦୨୩ରୁ ଜନ୍ମ ଶତବାର୍ଷିକୀ ତାଙ୍କର ପ୍ରଶଂସକମାନେ ସାରା ଭାରତରେ ପାଳନ କରୁଛନ୍ତି । ମଧୁ ଦଣ୍ଡବତେଙ୍କ ଜନ୍ମ ୨୧ ଜାନୁଆରୀ ୧୯୨୪ରେ ମହାରାଷ୍ଟ୍ରର ଅହମଦନଗରରେ ହୋଇଥିଲା । ତାଙ୍କର ପିତା ଜଣେ ଇଂଜିନିଅର ଥିଲେ, ମାତା ଗୃହିଣୀ । ପିତାମହ ଥିଲେ ସାହିତ୍ୟିକ, ସଂସ୍କୃତରେ ଲିଖିତ ଅନେକ ପୁସ୍ତକକୁ ମରାଠୀରେ ଅନୁବାଦ କରିଥିଲେ । ସେ ବଢ଼ିଥିଲେ ବହୁ ପୁସ୍ତକଘେରା ବୌଦ୍ଧିକ ପରିବେଶରେ । ତେଣୁ ତାଙ୍କର ବିଭିନ୍ନ ସାହିତ୍ୟରେ ତ ଆଗ୍ରହ ଜନ୍ମି ଥିଲା, ସେ ହିନ୍ଦୁସ୍ଥାନୀ ଓ ପଶ୍ଚିମା ସଂଗୀତରେ ମଧ୍ୟ ରୁଚି ରଖୁଥିଲେ । ସେ ଗାନ୍ଧୀଙ୍କୁ ଯେପରି ନିଷ୍ଠାର ସହ ପଢ଼ିଥିଲେ, ସେହିପରି ନିଷ୍ଠାର ସହ ମାର୍କ୍ସଙ୍କୁ ପଢ଼ିଥିଲେ । ଯାହାର ପରିଣତିରେ ୧୯୭୭ ମସିହାରେ ତାଙ୍କ ଲିଖିତ ‘ମାର୍କ୍ସ ଏବଂ ଗାନ୍ଧୀ’ ପୁସ୍ତକ ପ୍ରକାଶ ପାଇଲା । କିନ୍ତୁ ସେ ଥିଲେ ପୂର୍ଣ୍ଣତଃ ଜଣେ ରାଜନୈତିକ ବ୍ୟକ୍ତି ଯଦିଓ ବୃତ୍ତିରେ ସେ ଥିଲେ ଅଧ୍ୟାପକ, କିଛିବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ଅଧ୍ୟାପନା କରିଥିଲେ । ସାଧାରଣତଃ ଯେତେବେଳେ ମଧୁ ଦଣ୍ଡବତେଙ୍କୁ ସ୍ମରଣ କରାଯାଏ, ସେତେବେଳେ ସେ କେତେ ଖାଣ୍ଟି ସମାଜବାଦୀ ଥିଲେ, କେତେ ସଚ୍ଚୋଟ ଓ ସରଳ ଥିଲେ, କେନ୍ଦ୍ରରେ ପ୍ରଥମ ଅଣକଂଗ୍ରେସୀ ସରକାରରେ ରେଳ ମନ୍ତ୍ରୀ (୧୯୭୭ରୁ ୧୯୭୯) ଥାଇ କିପରି ରେଳଯାତ୍ରାକୁ ସାଧାରଣ ଯାତ୍ରୀଙ୍କ ପାଇଁ ସୁଖକର କରାଇଥିଲେ, କିପରି ସେ ତାଙ୍କର ସମାଜବାଦୀ ବିଚାରକୁ କାର୍ଯ୍ୟକାରୀ କରିଥିଲେ, ୧୯୭୮ ମସିହାରେ ଶ୍ରେଣୀ ବିହୀନ ରେଳ (ଭୁବନେଶ୍ୱର-ସିକନ୍ଦରାବାଦ କୋଣାର୍କ ସୁପରଫାଷ୍ଟ ଏକ୍ସପ୍ରେସ, ଯାହା ୧୯୯୪ରେ ଭୁବନେଶ୍ୱର -ବମ୍ବେରେ ପରିବର୍ତ୍ତିତ ହେଲା) ଚଳାଚଳ ଆରମ୍ଭ କରି, ଯୋଜନା କମିଶନର ଉପାଧ୍ୟକ୍ଷ(୧-୦୮ ୧୯୯୬ ରୁ ୨୧ -୦୩ ୧୯୯୮) ଭାବେ ବା ଭାରତ ସରକାରଙ୍କ ବିତ୍ତମନ୍ତ୍ରୀ (୨ ଡିସେମ୍ବର ୧୯୮୯ ରୁ ୧୦ ନଭେମ୍ବର ୧୯୯୦)ଭାବେ କିପରି ସାଧାରଣ ଜନତାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରୁଥିଲେ -ଏହି ସବୁର ଉଲ୍ଲେଖ ହୋଇଥାଏ । ଆଜିକାର ଯୁବ ଶ୍ରୋତାମାନଙ୍କୁ ଏହା ବିଶ୍ୱାସ କରିବା ପାଇଁ କଷ୍ଟକର ହୋଇଥାଏ ଯେ ଜଣେ ରାଜନେତା ଯିଏ ପାଂଚବାର ସାଂସଦ (୧୯୭୧ରୁ ୧୯୯୧), ଦୁଇ ଦୁଇ ବାର କେନ୍ଦ୍ରରେ କ୍ୟାବିନେଟ ପାହ୍ୟାମନ୍ତ୍ରୀ, ତାଙ୍କର ଶେଷ ଜୀବନ ଗୋଟିଏ ଦୁଇ କୋଠରୀ ବିଶିଷ୍ଟ ଫ୍ଲାଟରେ ହିଁ କଟାଇଥିଲେ, କାରଣ ଏତିକି ହିଁ ସମ୍ପତ୍ତି ସେ କରିଥିଲେ ତାଙ୍କର ଅଧ୍ୟାପନା ବୃତ୍ତିରୁ କରିଥିବା ଆୟରୁ । ସେ ଯେ ଭିନ୍ନ କିସମର ରାଜନୈତିକ ବ୍ୟକ୍ତି ଥିଲେ-ଏପରି ଧାରଣା ହେବା ସ୍ୱାଭାବିକ ଥିଲା । ଏହା ମନେ ପକାଇଦିଏ ଓଡ଼ିଶାରେ ଆମେ ଜାଣିଥିବା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ରାଜନୈତିକ ବ୍ୟକ୍ତିତ୍ୱକୁ ।

ମଧୁ ଦଣ୍ଡବତେଙ୍କୁ ସ୍ମରଣ କଲାବେଳେ ଆମେ ତାଙ୍କ ପତ୍ନୀ ପ୍ରମିଳା ଦଣ୍ଡବତେଙ୍କ ଭୂମିକାକୁ ପାଶୋରିବା ନାହିଁ । ପ୍ରମିଳା ଦଣ୍ଡବତେ ମଧୁ ଦଣ୍ଡବତେଙ୍କଠାରୁ ବୟସରେ ଚାରିବର୍ଷ ସାନ ଥିଲେ, ତାଙ୍କର ଜନ୍ମ ୨୭ ଅଗଷ୍ଟ ୧୯୨୮ରେ ବମ୍ବେରେ  ହୋଇଥିଲା । ତାଙ୍କ ପିତା ଜଣେ ଜଣାଶୁଣା ସ୍ତ୍ରୀରୋଗ ଚିକିତ୍ସକ (Gynaecologist) ଥିଲେ । ପ୍ରମିଳାଙ୍କର ଚିତ୍ରକଳାରେ ବହୁତ ଆଗ୍ରହ ଥିଲା ଓ ସେ ବମ୍ବେର ପ୍ରସିଦ୍ଧ ଜେ ଜେ ସ୍କୁଲ ଅଫ୍ ଆର୍ଟରୁ ସ୍ନାତକ ଡିଗ୍ରି ପାଇଥିଲେ । ସେ ମଧ୍ୟ ପୂର୍ଣ୍ଣକାଳୀନ ରାଜନୈତିକ ବ୍ୟକ୍ତି ଥିଲେ ଯଦିଓ ତାଙ୍କର ବୃତ୍ତି ଜୀବନ ଆରମ୍ଭ ହୋଇଥିଲା କଳାଶିକ୍ଷକ ଭାବେ । ସେ ସମାଜବାଦୀ ରାଜନୀତିରେ ସମ୍ପୃକ୍ତ ଥିଲେ । ସେ ମଧ୍ୟ ସାଂସଦ ହୋଇଥିଲେ (୧୯୮୦ରୁ ୧୯୮୪) ଏହା ପୂର୍ବରୁ  ସେ ବମ୍ବେ ମୁନିସିପାଲ କର୍ପୋରେସନର ସଭ୍ୟା ଥିଲେ (୧୯୬୮ରୁ ୧୯୭୩) । ଅକ୍ଟୋବର ୨୨, ୧୯୫୩ ମସିହାରେ ତାଙ୍କର ମଧୁ ଦଣ୍ଡବତେଙ୍କ ସହ ବିବାହ ହୋଇଥିଲା ।

୨୫ ଜୁନ ୧୯୭୫ ମଧ୍ୟରାତ୍ରୀରେ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଜରୁରୀକାଳୀନ ପରିସ୍ଥିତି ଜାରି କରା ଯାଇଥିଲା । ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା । କଂଗ୍ରେସ ବିରୋଧୀ ଦଳଗୁଡିକର ନେତାମାନଙ୍କର ବ୍ୟାପକ ଗିରଫଦାରୀ ଆରମ୍ଭ ହୋଇଥିଲା ।  ସ୍ୱାଭାବିକ ବିରୋଧୀ ଦଳର ଜଣେ ତୁଙ୍ଗନେତା ଭାବେ ମଧୁ ଦଣ୍ଡବତେଙ୍କୁ ୨୬ଜୁନ ୧୯୭୫ଦିନ ଗିରଫ କରାଗଲା ଓ ତାଙ୍କୁ ବାଙ୍ଗାଲୋର ସେଂଟ୍ରାଲ ଜେଲରେ ୧୮ମାସ ରଖାଗଲା । ମଧୁ ଗିରଫ ହେବାର ୩ ସପ୍ତାହ ପରେ ପ୍ରମିଳା ଦଣ୍ଡବତେ ଗିରଫ ହେଲେ ୧୭ ଜୁଲାଇ ୧୯୭୫ ଦିନ ଓ ତାଙ୍କୁ ପୁନା ନିକଟରେ ୟେରୱାଡା ସେଂଟ୍ରାଲ ଜେଲରେ ରଖାଗଲା; ଏହି ଦୁଇ ଜେଲ ମଧ୍ୟରେ ଦୂରତା ଥିଲା ପ୍ରାୟ ୮୦୦କିମି । ଜରୁରୀକାଳୀନ ପରିସ୍ଥିତିରେ ଏହି ରାଜନୈତିକ ଦମ୍ପତ୍ତି ଗିରଫ ହେବା ମନେ ପକାଇଦିଏ ସେହି କାଳରେ ଗିରଫ ହୋଇଥିବା ଓଡ଼ିଶାର ରାଜନୈତିକ ଦମ୍ପତ୍ତି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ।

କାରାଗାରରେ ରହଣି ସମୟରେ ମଧୁ ଦଣ୍ଡବତେ ଓ ପ୍ରମିଳା ଦଣ୍ଡବତେଙ୍କ ମଧ୍ୟରେ ଯେଉଁ ପତ୍ର ବିନିମୟ ହେଉଥିଲା, ତାହାର ସଂଖ୍ୟାଥିଲା ପ୍ରାୟ ୨୦୦ । ଏହି ପତ୍ର ଗୁଡିକରୁ ତ ଜଣାପଡ଼େ ଯେ ଏହି ଦମ୍ପତ୍ତିଙ୍କ ମଧ୍ୟରେ ପରସ୍ପର ପ୍ରତି ଆକର୍ଷଣ କେତେ ଗଭୀର ଥିଲା, କିନ୍ତୁ ଏଥିରୁ ମଧ୍ୟ ଫୁଟି ଆସେ ମଧୁ ଦଣ୍ଡବତେଙ୍କର ବୌଦ୍ଧିକତାର ବ୍ୟାପ୍ତି ଓ ସମ୍ବେଦନଶୀଳତା ଓ ଅପରପକ୍ଷରେ ମଧୁଙ୍କର ବୌଦ୍ଧିକତା ଉପରେ ପ୍ରମିଳାଙ୍କର ପ୍ରଚଣ୍ଡ ଆସ୍ଥା । ପ୍ରମିଳାଙ୍କୁ କାରାଗାରରୁ ପତ୍ର ଲେଖିବାର ଉଦେଶ୍ୟକୁ ସ୍ପଷ୍ଟକରି ମଧୁ ଦଣ୍ଡବତେ ଲେଖିଥିଲେ୧(ପୃ ୩୧୬), “କାରାଗାରର ଏକାକୀତ୍ୱ ଭିତରେ ପତ୍ର ଲେଖିବା ମନକୁ ଶାନ୍ତ କରିବାର ଏକ ବିରାଟ ପ୍ରକ୍ରିୟା । ଅବଶ୍ୟ ଏହି ପତ୍ରଗୁଡିକ ଅନ୍ୟ ଲୋକଙ୍କ ପାଇଁ, କିନ୍ତୁ ଏହା ମଧ୍ୟ ଏକ ବଡ଼ ମାଧ୍ୟମ ନିଜ ଚିନ୍ତାକୁ ଶୁଣିବାର ଓ ଶୁଣିବାର ଯେ ନିଜର ଅନୁଭବ ଓ ଚିନ୍ତାକୁ କିପରି ସଜାଡୁଛୁ ।”  କିନ୍ତୁ ମଧୁଙ୍କର ଏପରି ପତ୍ର ପତ୍ନୀ ପ୍ରମିଳାଙ୍କ ପାଇଁ କେତେ ପ୍ରତୀକ୍ଷିତ ଥିଲା , ତାହା ସେ ବ୍ୟକ୍ତ କରନ୍ତି ଏକ ଅଭିମାନଭରା ପତ୍ରରେ ଯେତେବେଳେ ପ୍ରମିଳା ଲେଖୁଥିଲେ(ପୃ ୩୨୭), “ଆମ ବିବାହର ଆଦ୍ୟକାଳରେ ମୋର ମନେ ଅଛି ତୁମେ ଦୀର୍ଘ ଯାତ୍ରାରେ ବାହାରି ଯାଅ ଓ ମାସ ମାସ ଧରି ଲେଖ ନାହିଁ । ମୋତେ କାନ୍ଦ ମାଡ଼ିଥାଏ । କେବଳ ଗୋଟିଏ ସ୍ଥାନରେ ମୁଁ ତୁମ ସମ୍ପର୍କରେ କିଛି ପଢ଼ିଥାଏ, ତାହା ହେଉଛି ଖବରକାଗଜ । ଯେତେବେଳେ ଯଦି କେହି ତୁମ ବିଷୟରେ ମୋତେ ପଚାରିଥାନ୍ତି, ମୁଁ ବେଶ ଅପ୍ରସ୍ତୁତ ହୋଇପଡ଼େ । ମୋର ସେମାନଙ୍କୁ କିଛି କହିବାକୁ ନ ଥାଏ । କିନ୍ତୁ ବର୍ତ୍ତମାନ ଆମକୁ ଦେଖ ! ତୁମେ କୌଣସି ହେଳା ନକରି ପ୍ରତି ସୋମବାର ଦିନ ଚିଠି ଲେଖୁଛ । ଧନ୍ୟବାଦ୍, ଜରୁରୀକାଳିନ ପରିସ୍ଥିତିକୁ !”

ଏହି ସମୟରେ ପତ୍ରଗୁଡ଼ିକର ଯାଂଚ ସରକାର କରୁଥିଲେ । ତେଣୁ ଦଣ୍ଡବତେ ଦମ୍ପତ୍ତି କିଛି ସାଙ୍କେତିକ ଶବ୍ଦର ବ୍ୟବହାର କରୁଥିଲେ ଯେପରିକି ଯାଂଚ କରୁଥିବା ଅଧିକାରୀଙ୍କର ସନ୍ଦେହ ହେବ ନାହିଁ । ଯେପରି(ପୃ ୩୧୮-୯) କାରାଗାରରେ ବନ୍ଦୀ ହେବାକୁ “ବାହା ହେଉଛନ୍ତି” (“getting married”), ଇନ୍ଦିରାଙ୍କ ପାଇଁ “ଶାଶୁ” (“mother-in-law”), ସଂଜୟଙ୍କ ପାଇଁ “ରାଜକୁମାର” (“mother-in-law”), ସତ୍ୟାଗ୍ରହ ପାଇଁ “ତୀର୍ଥକୁ ଯାଉଛୁ” (“going on pilgrimage”) ଏବଂ ଜୟପ୍ରକାଶଙ୍କ ପାଇଁ “ପ୍ରଭାବତୀଙ୍କ ସ୍ୱାମୀ”(“Pravabati’s Husband”) । ଜରୁରୀକାଳୀନ ପରିସ୍ଥିତି ବେଶ୍ କଠିନ ଥିଲା । ସମ୍ବାଦପତ୍ର ଉପରେ ସରକାରୀ ନିୟନ୍ତ୍ରଣ କଠୋର ଥିଲା । ସତ୍ୟ ବାହାରକୁ ଆସୁ ନଥିଲା, ସରକାରୀ ପ୍ରୋପାଗଣ୍ଡା ଦ୍ୱାରା ଏହାକୁ ଘୋଡ଼ାଇ ଦେବାର ଉଦ୍ୟମ ବେଶ୍ ସକ୍ରିୟ ଥିଲା । ସତ୍ୟକୁ ଯେ ଦୀର୍ଘଦିନ ଧରି ଚାପି ରଖାଯାଇପାରେନା ଏହି ବିଶ୍ୱାସକୁ ପ୍ରମିଳାଙ୍କୁ ଜଣାଇବାକୁ ଯାଇ ସେତେବେଳେ ମଧୁ ଦଣ୍ଡବତେ ଫରାସୀ ଲେଖକ ଏମିଲ ଜୋଲା (Emile Zola)ଙ୍କୁ ଉଦ୍ଧାର କରି ଲେଖିଥିଲେ(ପୃ ୩୧୯), “ଯଦି ତୁମେ ସତ୍ୟକୁ ଚାପିବ ଏବଂ ମାଟିତଳେ ପୋତିଦେବ, ଏହା ବରଂ ବଢ଼ିବ ଏବଂ ଏପରି ବିସ୍ଫୋରକ ଶକ୍ତି ଅକ୍ତିଆର କରିବ ଯେ ଯେଉଁଦିନ ଏହାର ବିସ୍ଫୋରଣ ହେବ, ସେ ସମସ୍ତ ଜିନିଷକୁ ଉଡ଼ାଇ ଦେବ ।” ଏହି ଉଦ୍ଧୃତି ଆଜିକା ସମୟରେ ମଧ୍ୟ ସ୍ମରଣୀୟ ନୁହେଁ କି?

ବନ୍ଦୀ ଜୀବନ ଯେ କଠୋର ଉଭୟେ ବୁଝିଥିଲେ ଓ ପରସ୍ପରକୁ ଉତ୍ସାହିତ କରୁଥିଲେ ଏହାକୁ ସହ୍ୟ କରିବା ପାଇଁ ଏବଂ ଏହି ସମୟକୁ ଏକ ସୃଜନୀର ଅବସରରେ ବଦଳାଇ ଦେବାପାଇଁ । ମଧୁଙ୍କୁ ପ୍ରମିଳା ଲେଖିଥିଲେ(ପୃ ୩୨୧), ଗିରଫ ହେବାର ମାତ୍ର ୩ଦିନ ପରେ, ୨୦ ଜୁଲାଇ ୧୯୭୫ ଦିନ, “ଯେତେବେଳେ ମହାନ ବ୍ୟକ୍ତିମାନେ ଗିରଫ ହୋଇଛନ୍ତି, ଏହା ମାନବ ସମାଜ ପାଇଁ ବରଦାନ ସଦୃଶ ହୋଇଛି । ଉଚ୍ଚାଙ୍ଗ ସାହିତ୍ୟ, କବିତା ଏବଂ ଚିନ୍ତାଭାବନାର ଜନ୍ମ ଏହି କାରାଗାରରେ ହିଁ ହୋଇଛି ।….ମୁଁ ଜଣେ ସରଳ ଓ କ୍ଷୁଦ୍ର ମଣିଷ । କିନ୍ତୁ ତୁମେ ପ୍ରକୃତରେ ମହାନ ବ୍ୟକ୍ତିଙ୍କର ଉପାଦାନରେ ଗଢ଼ା । ମୁଁ ନିଶ୍ଚିତ ଯେ ତୁମେ କେବଳ ପଢ଼ିବ ନାହିଁ, ତୁମେ ମଧ୍ୟ ଲେଖିବ । ମୋର ବିଶ୍ୱାସ, ଏହି ବାଧ୍ୟତାମୂଳକ ଅବକାଶ ତୁମ ମାଧ୍ୟମରେ ଜନ୍ମ ଦେବ ଏକ ମହାନ, ଶାଶ୍ୱତ ସାହିତ୍ୟ ।” ଏହାର ଉତ୍ତରରେ ମଧୁ ଦଣ୍ଡବତେ, ପ୍ରମିଳାଙ୍କ ଜଣାଇଥିଲେ ଯେ ସେ ମାର୍କ୍ସ ଏବଂ ଗାନ୍ଧୀଙ୍କ ଉପରେ ଅଧ୍ୟୟନ କରୁଛନ୍ତି ଓ କିଛି ଅଧ୍ୟାୟ ଲେଖିଲେଣି । ଅପର ପକ୍ଷରେ ମଧୁ ଯେତେବେଳେ ପ୍ରମିଳାଙ୍କ ପତ୍ରରେ ଦୁଃଖର ଛାଇ ଦେଖିଥିଲେ ଓ ତାଙ୍କ ଲେଖାରେ  ଆଶଙ୍କାର ସ୍ୱର ଶୁଣିଥିଲେ ଯେ କାରାଗାରରୁ ବାହାରିଲା ବେଳକୁ ସେମାନଙ୍କର ଘର ପରିବାର ଓ ଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିବ, ଯାହାକୁ ପୁଣି ସଜାଡ଼ି ହେବନାହିଁ, ସେତେବେଳେ ସେ ପ୍ରମିଳାଙ୍କୁ ଧୈର୍ଯ୍ୟ ଦେଇ ଲେଖିଥିଲେ(ପୃ ୩୨୨), “ଆମେ ସବୁବେଳେ ଆମ ଜୀବନକୁ ଏକାଠି ଆମ ପିଠିରେ ବୋହିଛୁ । ଯେତେବେଳ ଯାଏ ଆମର ମେରୁଦଣ୍ଡ ତା ସ୍ଥାନରେ ଥିବ ଆମ ଜୀବନକୁ କିଏ ଛୁଇଁ ପାରିବ?” କିନ୍ତୁ ଉଦବିଗ୍ନତା ତ ଥିଲା ପ୍ରମିଳାଙ୍କ ମନରେ ଯେ କେବେ ସେମାନଙ୍କର ଏ ରାତ୍ରୀ  ପାହିବ? କିଛି ଦିନ ପରେ ପ୍ରମିଳା ମଧୁଙ୍କୁ ଲେଖୁଥିଲେ(ପୃ ୩୩୧), “କେତେ ଦିନ ତୁମେ ଆକାଶର ଏକ ସୀମିତ ଅଂଶତଳେ ରହିବ? ମୁଁ ଦିନବେଳେ ଯେତେବେଳେ କାରାଗାର ଚାରିପାଖେ ବୁଲୁଥାଏ ଏବଂ ବିଭିନ୍ନ କିସମର ପକ୍ଷୀଙ୍କୁ ଦେଖୁଥାଏ ଏବଂ ଦେଖୁଥାଏ ରଙ୍ଗ ବଦଳୁଥିବାର ଆକାଶକୁ, ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଆକାଶର କେଉଁ ଅଂଶତଳେ ତୁମେ ରହିଛ । ପାହୁ ନ ଥିବା ଏହି ରାତିର କେବେ ଭୋର ହେବ?” ପ୍ରମିଳାଙ୍କ ମନରେ ସ୍ୱାମୀ ମଧୁଙ୍କୁ ଭେଟ କରିବାର ବ୍ୟାକୁଳତା କିପରି ତୀବ୍ରଥିଲା, ତାହା ବୁଝିହୁଏ ଯେତେବେଳେ ସେ ମଧୁଙ୍କୁ ଲେଖୁଥିଲେ(ପୃ ୩୩୦-୧), “ମୁଁ ତୁମର ଚିଠି ଗୁରୁବାର ଦିନ ପାଇଲି । ମୁଁ ପ୍ରକୃତରେ ନିରନ୍ତର ଦିବାସ୍ୱପ୍ନ ଦେଖୁଛି । ଆମର ଏପରି ବ୍ୟବହାର ଏହି ବୟସରେ ଶୋଭାଦିଏ ନାହିଁ । କିନ୍ତୁ ମୁଁ ସବୁବେଳେ ଆମର ଭେଟ (କାରାଗାରରେ) ହେବବୋଲି ଭାବୁଛି । ଯଦିଓ ତୁମେ କେନ୍ଦ୍ର ସରକାରଙ୍କୁ ଏ ପର୍ଯ୍ୟନ୍ତ ଆବେଦନଟିଏ ହିଁ କରିଛ । କିନ୍ତୁ ଏହା ହେଉ ବୋଲି ମୁଁ ନିରନ୍ତର ସ୍ୱପ୍ନ ଦେଖୁଛି । ମୋ ମନ ଏ ପର୍ଯ୍ୟନ୍ତ କେବେ ଇତସ୍ତତଃ ହେଉନଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ନିୟନ୍ତ୍ରଣରେ ରଖିବାପାଇଁ ମୋତେ ଚେଷ୍ଟା କରିବାକୁ ପଡୁଛି । ମୋ ଚାରିପାଖରେ ଅନେକ ଯୁବତୀ ଅଛନ୍ତି ଯେଉଁଥିପାଇଁ ମୋତେ ସଂଯତ ହେବାକୁ ପଡୁଛି ଯେପରି ସେମାନେ ମୋ ମନର ଅବସ୍ଥାକୁ ଜାଣି ନପାରନ୍ତି ।” ପ୍ରମିଳା ଚାହୁଁ ଥିଲେ ସେ ରହୁଥିବା ୟେରୱାଡା ଜେଲକୁ ମଧୁଙ୍କୁ ସ୍ଥାନାନ୍ତରିତ କରାଯାଉ ବା ଅତି କମରେ ତାଙ୍କୁ ଭେଟିବା ପାଇଁ ମଧୁଙ୍କୁ ଅନୁମତି ଦିଆଯାଉ । ପ୍ରମିଳାଙ୍କ ଇଚ୍ଛାକୁ ରଖିବାକୁ ଯାଇ ମଧୁ ଦଣ୍ଡବତେ ସରକାରଙ୍କୁ ଅନୁମତି ମାଗିଥିଲେ ।

ସରକାରଙ୍କୁ ଏପରି ପତ୍ର ଲେଖିବା ମନେ ପକାଇ ଦିଏ ସେହି ସମୟରେ ବନ୍ଦୀ ନବକୃଷ୍ଣ ଚୌଧୁରୀଙ୍କର ପତ୍ନୀ ମାଳତୀ ଦେବୀଙ୍କୁ ବାରିପଦା ଜେଲରୁ ଲେଖିଥିବା ପତ୍ର ଯେଉଁଥିରେ ସେ ଲେଖିଥିଲେ(ପୃ ୧୫୭), “ମାନବିକତା ଦୃଷ୍ଟିରୁ ଆମ ଦୁହିଁଙ୍କୁ କେଉଁଠି ଏକାଠି ବନ୍ଦୀ କରି ରଖିବାପାଇଁ ବହୁତ ବ୍ୟସ୍ତ ହୋଇ ନନ୍ଦିନୀଙ୍କୁ ଖଣ୍ଡେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଚିଠିଲେଖିଲି । ଆମ ସହିତ ତାର ଯେଉଁ ବ୍ୟକ୍ତିଗତ ସମ୍ବନ୍ଧ ତାକୁ କିଛି ନ ଜଣାଇଥିଲେ ପରେ ସେ ମୋତେ ଦୋଷଦେବ ଭାବି ଚିଠିଲେଖିଲି ।” ନନ୍ଦିନୀ ସତପଥି ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପୋଲିସ ମାଳତୀ ଦେବୀଙ୍କୁ ଗିରଫ କରିବାପାଇଁ ସନ୍ଧାନରେ ଥିଲେ, ସଫଳହେଲେ ଫେବୃଆରୀ ୩, ୧୯୭୬ରେ ସେତେବେଳକୁ ନବକୃଷ୍ଣ ସ୍ୱାସ୍ଥ୍ୟଗତ କାରଣରୁ ପ୍ୟାରୋଲରେ ।

କେନ୍ଦ୍ର ସରକାର ପ୍ରମିଳା ଦଣ୍ଡବତେଙ୍କୁ ୟେରୱାଡା ଜେଲରେ ଭେଟ କରିବା ପାଇଁ ମଧୁଙ୍କୁ ଅନୁମତି ଦେଲେ, କିନ୍ତୁ ଏକ ସର୍ତ୍ତ ସହିତ ଯେ ଏଥିପାଇଁ ମଧୁଙ୍କୁ ସୁରକ୍ଷା ଖର୍ଚ୍ଚ ବହନ କରିବାକୁ ପଡ଼ିବ । ଏପରି ଅପମାନଜନକ ସର୍ତ୍ତକୁ ଗ୍ରହଣ କରିବା ସମ୍ଭବ ନଥିଲା । ତେଣୁ ଭେଟ ସମ୍ଭବ ହେଲାନାହିଁ । ସର୍ତ୍ତକୁ ମଧୁ ଗ୍ରହଣ ନକରିବା ଉପରେ ପ୍ରମିଳା ତାଙ୍କର ପ୍ରତିକ୍ରିୟା ମଧୁଙ୍କୁ ଜଣାଇ ଲେଖିଥିଲେ(ପୃ ୩୩୧), “ଏକ ପକ୍ଷରେ ଏହା କରିବା ଠିକ ହୋଇଛି ବୋଲି ମୁଁ ଅନୁଭବ କରେ । ଅପରପକ୍ଷରେ ମୁଁ ଦୁଃଖୀ ହୋଇପଡ଼େ ଯେତେବେଳେ ତୁମ ଚିଠିର ସେହି ଧାଡ଼ିକୁ ମନେ ପକାଏ: ‘ଆମର ଭେଟ ହେବ ଯେତେବେଳେ ଆମେ ଖଲାସ ହେବା’ । ଏହା ତୁମେ ଏହିପରି ଲେଖି ଦେଇଥିବ କିନ୍ତୁ ମୁଁ ଏହାକୁ ସେପରି ଭାବେ ହଜମ କରିପାରୁ ନାହିଁ ।” ପ୍ରମିଳାଙ୍କୁ ଭେଟିବା ପାଇଁ ମଧୁ ମଧ୍ୟ ବ୍ୟାକୁଳ ଥିଲେ କିନ୍ତୁ କୌଣସି ଅପମାନଜନକ ସର୍ତ୍ତକୁ ମାନି ନୁହେଁ । ସେ ପ୍ରମିଳାଙ୍କୁ ଲେଖିଥିଲେ(ପୃ ୩୨୯-୩୦), “ଆମେ ଚାହିଁବା ନାହିଁ ଏପରି ସର୍ତ୍ତ ମାନି ପରସ୍ପରକୁ ଭେଟିବା ଯାହାଦ୍ୱାରା ଆମେ ଅସହାୟ ଓ ଅପମାନିତବୋଧ କରିବା । ଯେତେବେଳେ ଏହି ଭାବନା ମୋ ମନରେ ଆସୁଛି, ମୋର ମନେ ପଡୁଛି କବି କୁସୁମାଗ୍ରଜ ଜ୍ଞାନପୀଠ ପୁରସ୍କାର ବିଜେତା ମରାଠୀ କବିଙ୍କ କେତୋଟି ଧାଡି:

ମୁଁ ଚାହେଁ ନା ଭୀରୁଙ୍କର ଦୟନୀୟ ଘନିଷ୍ଠତା

ମୁଁ ବରଂ ସହ୍ୟ କରିବି ତୁମଠାରୁ ଦୂରରେ ରହିବା

ଯେତେବେଳେ ଆମେ କାରାଗାରରୁ ମୁକୁଳିବା, ଆମେ ସତେଜ ମନରେ ବାହାରେ ପାଦ ରଖିବା । କାରାଗାରରେ ଜୀବନ ଆମକୁ ନୂତନ ଶକ୍ତି ଦେଇ ପ୍ରେରଣା ଯୋଗାଇବ ଆମର ତେଇଶ ବର୍ଷର ଏକାଠି ଯାତ୍ରାକୁ ଆହୁରି ଅନେକ ବର୍ଷଯାଏ ଚଳାଇ ରଖିବା ପାଇଁ ।”

କାରାଗାର ଜୀବନ ଯେ ବେଶ୍ କଠୋର ଓ ବେଦନାପୂର୍ଣ୍ଣ, ମଧୁ ଦଣ୍ଡବତେ ସ୍ୱୀକାର କରୁଥିଲେ । କିନ୍ତୁ ଏହି ବେଦନା ଯେ ସୃଷ୍ଟି କରିପାରେ ସୌନ୍ଦର୍ଯ୍ୟ ତାହା ସେ ଦର୍ଶାଉଥିଲେ ଯେତେବେଳେ ତାଙ୍କ ପତ୍ରରେ ସେ ଉଦ୍ଧାର କରୁଥିଲେ ଇଂରାଜ କବି ଶେଲୀଙ୍କର ସେହି ଅମର ଧାଡି: ‘ଆମର ମଧୁରତମ ସଂଗୀତ ହେଉଛି ସିଏ ଯିଏ କହିଥାଏ କରୁଣତମ ଭାବନା’ (Our sweetest songs are those that tell of saddest thought)  ତେଣୁ ତାଙ୍କପତ୍ରରେ ନୈରାଶ୍ୟର ଭାବନା ନଥିଲା । ବରଂ ସମ୍ବେଦନଶୀଳତା ଥିଲା ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବାଙ୍ଗାଲୋର ଜେଲର କଏଦୀମାନଙ୍କ ପ୍ରତି । ପ୍ରମିଳାଙ୍କୁ ସେ ଲେଖୁଥିଲେ(ପୃ ୩୨୫), “ଯେତେବେଳେ ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀମାନେ ପରିସରରେ ଥିବା ଗୋଲାପ ଗଛଗୁଡିକରେ ପାଣି ଦେଉଥାନ୍ତି, ପୋଷଣ ପାଇଁ ଗଛଗୁଡିକ ଉପରେ ସେମାନଙ୍କର ଅଶ୍ରୁ ବୁହାଇଥାନ୍ତି ଏବଂ ସେହି ଅଶ୍ରୁର ପ୍ରତିଫଳନ ଦେଖିଥାନ୍ତି, ସସ୍ମିତ, ପ୍ରସ୍ଫୁଟିତ, ସୁବାଷିତ ପୁଷ୍ପରେ । ଶୀତଋତୁର ଥଣ୍ଡାରେ ଏହି ଫୁଲଗୁଡିକ ଶୁଖିଯାଏ ଏବଂ ଝରି ପଡ଼େ ଏବଂ ଏହି ବନ୍ଦୀମାନେ ଭାବିଥାନ୍ତି ସେମାନେ ତାଙ୍କର ଦଣ୍ଡ ସମୟ କଟେଇଲା ପରେ କେବେ ବାହାରେ ପାଦରଖିବେ ଏବଂ ବିସ୍ମିତ ହେଉଥାନ୍ତି, ପଚାରିଥାନ୍ତି ଯେ ସମାଜ କଣ ସେମାନଙ୍କର ସବୁଦିନ ପାଇଁ କଳଙ୍କିତ ହୋଇଯାଇଥିବା ଜୀବନକୁ ସେହିପରି ଦେଖିବ ।” ସେ ଦେଖୁଥିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀ କିପରି ତାଙ୍କର ଅଶ୍ରୁର ସୃଜନୀର ବ୍ୟବହାର କରୁଛନ୍ତି । ତେଣୁ କାରାଗର ଭିତରେ ରହି ମଧ୍ୟ ସ୍ୱାଧୀନତାର ସ୍ୱାଦ ଚାଖିହେବ, ସୃଜନଶୀଳ ହୋଇହେବ(ପୃ ୩୨୬) – “ଆମର ସ୍ୱାଧୀନତା ରହିଛି ଦିନ ସାରା ଆକାଶକୁ ଅନାଇ ଆମ କଳ୍ପନାର ମୀନାର ଗଢ଼ିବାର; ଏବଂ ସ୍ୱାଧୀନତା ରହିଛି ରାତ୍ରୀର ଅନ୍ଧକାର ଭିତରେ ଭବିଷ୍ୟତ ପାଇଁ ସ୍ୱପ୍ନ ଆଙ୍କିବାର ।” କିନ୍ତୁ ମଧୁଙ୍କର ଏପରି ଆଶ୍ୱସନାର ବାଣୀ ପ୍ରମିଳାଙ୍କୁ ଆଶ୍ୱସ୍ତ କରିପାରୁ ନଥିଲା । ସେ ଲେଖିଥିଲେ(ପୃ ୩୨୬), “ଆମେ ବାହାରୁ ଯେତେ ହସୁଥାଉ ନା କାହିଁକି, ଆମେ ଯେତେ ଚପଳ ମନେ ହେଉନା କାହିଁକି, ମୋ ମନ ଘୋଷରି ହେଉଛି ଜଳ ବିହୁନେ ମାଛ ପରି ।” ପତ୍ରରେ ଜେଲରୁ ମୁକୁଳିବାର ବ୍ୟସ୍ତତାକୁ ଆଡ଼େଇ ଯାଇ କିପରି ମଧୁ ଏହି ସମୟରେ ସୁନୀଲ ବୋଷଙ୍କ ରାଗ ବିହାଗ ଏବଂ ଜୟଜୟୱନ୍ତୀ ରେଡିଓରୁ ଶୁଣିବାର ସୁଯୋଗ ପାଉଛନ୍ତି ତାହା ପ୍ରମିଳାଙ୍କୁ ପତ୍ରରେ ଜଣାଉଥିଲେ ଏବଂ ଜଣାଉଥିଲେ(ପୃ ୩୩୨), ଅଗଷ୍ଟ ୯ ଦିନ ଭାରତ ଛାଡ଼ ଆନ୍ଦୋଳନକୁ ସ୍ମରଣ କରି,  ଫୈଜ-ଅହମଦ-ଫୈଜଙ୍କର ଭାରତ-ପାକିସ୍ଥାନ ବିଭାଜନ ଉପରେ କବିତା, ‘ସୁବହ-ଏ-ଆଜାଦୀ’(ସ୍ୱାଧୀନତାର ସକାଳ)ର ଦୁଇ ଧାଡି: ‘ଏହି ଦାଗ ଲଗା ପାଂଶୁଳ ଆଲୋକ, ଏହି ରାତ୍ରୀ ଦଂଶିତ ଭୋର/ଯାହାକୁ ଆମେ ଅପେକ୍ଷା କରିଥିଲେ ଏହା ତ ସେହି ସକାଳ ନୁହେଁ’  ।

ନିଜର ଏକମାତ୍ର ସନ୍ତାନ ପ୍ରତି ସେମାନଙ୍କର ଚିନ୍ତା ଓ ଭାବପ୍ରବଣତା ମଧ୍ୟ ଏହି ପତ୍ରମାନଙ୍କରେ ସ୍ଥାନ ପାଉଥିଲା । ଯେପରି ପ୍ରମିଳା ଲେଖୁଥିଲେ(ପୃ ୩୩୨), “ଯେତେବେଳେ ମୁଁ ଉଦୟ କଥା ଭାବୁଛି ଶୋକ ବିହ୍ୱଳିତ ନ ହୋଇ ରହିପାରୁ ନାହିଁ । ଆମର ଏକମାତ୍ର ପୁତ୍ର ଅଥଚ କିଛି ନାହିଁ ଯାହା ଆମେ ତା ପାଇଁ କରିପାରିବା । ଆମେ ତା ମନ ଭିତରେ ଆମ ଜୀବନର ମୂଲ୍ୟବୋଧକୁ ସ୍ଥାପନ କରିଲେ । କିନ୍ତୁ ସେ ପୂର୍ଣ୍ଣତଃ ପ୍ରସ୍ତୁତ ହେବା ପୂର୍ବରୁ, ତାର ଡେଣାରେ ଶକ୍ତି ଆସିବା ପୂର୍ବରୁ ଆମେ ତାକୁ ପରିତ୍ୟାଗ କରିଦେଲେ, ଛାଡ଼ିଦେଲେ ନିଜେ ନିଜପାଇଁ ସଂଘର୍ଷ କରିବାକୁ, ନିଜ ଜୀବନ ନିଜେ ଗଢ଼ିବାକୁ…..ସେ ଅନାଥ ହେଲା ଯେତେବେଳେ ତାର ବାପ-ମା ବଂଚିଛନ୍ତି ।” ଅପରପକ୍ଷରେ ପ୍ରମିଳାଙ୍କୁ ଜଣାଉଥିଲେ ମଧୁ, ତାଙ୍କୁ ପୁତ୍ର ଉଦୟ କରିଥିବା ପ୍ରଶ୍ନ(ପୃ ୩୩୨), “କାହିଁକି ସେ ବ୍ୟକ୍ତିମାନେ ଯେଉଁମାନେ ସେମାନଙ୍କର ସମସ୍ତ ଜୀବନ କୌଣସି ଏକ ଉଦେଶ୍ୟ ପାଇଁ ସମର୍ପିତ କରିବାକୁ ଚାହାନ୍ତି, ନିଜକୁ ବୈବାହିକ ସମ୍ପର୍କ ଭିତରେ ଛନ୍ଦି ଦିଅନ୍ତି? ସେମାନଙ୍କର ସ୍ତ୍ରୀ ବା ପିଲାମାନେ ସେମାନଙ୍କ କାର୍ଯ୍ୟରେ କ’ଣ ପ୍ରତିବନ୍ଧକ ହୁଅନ୍ତି ନାହିଁ? ସେମାନଙ୍କର କି ଅଧିକାର ଅଛି ବିବାହ କରିବାକୁ ଓ ପିଲା ଜନ୍ମ କରିବାକୁ?”

କିନ୍ତୁ ମଧୁ ଲେଖୁଥିବା ପତ୍ରଗୁଡିକୁ ପ୍ରମିଳା ସମସ୍ତଙ୍କ ସାମ୍ନାରେ ପଢୁଥିଲେ । ଏହା ମଧୁଙ୍କୁ ଜଣାଇ ପ୍ରମିଳା ଲେଖିଥିଲେ(ପୃ ୩୨୯), “ଆମେ ତୁମ ଚିଠି ଗୁଡିକର ସାର୍ବଜନୀନ ପଠନ କରିଥାଉ । କାରଣ ସେ ଗୁଡିକ ତୁମ ପତ୍ନୀକୁ ଲେଖାଯାଇ ନାହିଁ, ବରଂ ତୁମର ସହ-ବିପ୍ଳବୀମାନଙ୍କୁ ଲେଖାଯାଇଛି ।… ଯଦିଓ ତୁମର ଚିଠିଗୁଡିକ ଖୁବ ସୁନ୍ଦର, ଗୋଟିଏ ଦୁଇଟି ଧାଡ଼ି ଛାଡ଼ିଦେଲେ ଏହିଗୁଡ଼ିକ ସମ୍ପୂର୍ଣ୍ଣରୂପେ ବସ୍ତୁନିଷ୍ଠ । କ୍ୱଚିତ ଏଥିରେ କିଛି ଅଛି ଯାହା ଆତ୍ମନିଷ୍ଠ । ଚିଠି ଏକ ଏପରି ଜିନିଷ ଯାହା ଦୁଇଟି ମନକୁ ଯୋଡ଼ିଥାଏ  ଯେତେବେଳେ ଦୁଇଜଣ ପରସ୍ପରଠାରୁ ଦୂରରେ ଥାନ୍ତି, ସେମାନେ ପରସ୍ପର ସହିତ ଯୋଗାଯୋଗ ପତ୍ର ଜରିଆରେ ହିଁ ରଖିବା ଉଚିତ । ତୁମ ପତ୍ରକୁ ମୋର ଉତତର ବୋଧହୁଏ ତୁମକୁ ନୀରସ ମନେ ହୋଇପାରେ ।” ପ୍ରମିଳାଙ୍କ ଉତ୍ତର କ’ଣ ମଧୁଙ୍କୁ ନୀରସ ବୋଲି ମନେ ହେଉଥିବ?  ପ୍ରମିଳାଙ୍କ ପତ୍ର କଣ ମଧୁଙ୍କୁ ନୀରସ ମନେ ହେଉଥିବ ଯେତେବେଳେ ମଧୁଙ୍କୁ ପ୍ରମିଳା ମନେ ପକାଇ ଦେଉଥିବେ ତାଙ୍କ ଘରକୁ ମଧୁ ପ୍ରଥମେ ଆସିବା ଓ ତାଙ୍କ ମା କହୁଥିବା ଯେ ‘ତୋ ଚାରିପଟେ ଏତେ ଯୁବକ ଥିଲେ । କେଉଁ କୋଣରୁ ଏହାକୁ ଉଠାଇ ଆଣିଲୁ’ ଓ ତାଙ୍କ ମା ଜାଣିପାରି ନ ଥିବା ଯେ ସେ ଏକ ହୀରା ବାଛିଛନ୍ତି, ଓ ପଢୁଥିବେ୧(ପୃ ୩୩୦), “ଆଜି ତେଇଶ ବର୍ଷ ପରେ ଯଦି ମୋତେ କେହି ପଚାରେ, ମୁଁ ଜୀବନସାଥୀ ଭାବେ ସେହି ବ୍ୟକ୍ତିକୁ ହିଁ ବାଛିବି ଓ ବାଛିବି ସେହି ଜୀବନ ଯାତ୍ରାକୁ । କିନ୍ତୁ ମୁଁ ବଟସାବିତୀ୍ର ପୂଜା କରିବି ନାହିଁ ।”

ଏପରି ଆବେଗପୂର୍ଣ୍ଣ ପତ୍ରଗୁଡିକ ଲେଖିଲାବେଳେ, ପ୍ରମିଳାଙ୍କ ରାଜନୈତିକ ବ୍ୟକ୍ତିତ୍ୱର ମଧ୍ୟ ପ୍ରତିଫଳନ ହେଉଥିଲା ମଧୁଙ୍କୁ ଲେଖୁଥିବା ପତ୍ରରେ । ଯେପରି ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆହ୍ୱାନର ସଫଳତା ଉପରେ ସେ ସନ୍ଦେହ ପ୍ରକାଶ କରି ସେ ଲେଖିଥିଲେ(ପୃ ୩୨୨) “ଏହି ସବୁ ଲୋକ ଯେଉଁମାନେ ଏତେ ଆକ୍ରାମକ ଢଂଗରେ ସମ୍ପୂର୍ଣ୍ଣକ୍ରାନ୍ତିର ସ୍ଲୋଗାନ ଦେଉଛନ୍ତି ଅଥଚ ସେମାନେ କ୍ରାନ୍ତି ବିରୋଧୀ ଭାବନାକୁ ଜାବୋଡ଼ି ଧରିବାର ଚେଷ୍ଟା କରୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେବି ଯଦି ଏହି ଲୋକେ କୌଣସି ପ୍ରକୃତ କ୍ରାନ୍ତି ହେବାକୁ ଦେବେ ।” ସମ୍ପୂର୍ଣ୍ଣକ୍ରାନ୍ତି ଆହ୍ୱାନକାରୀଙ୍କ ମଧ୍ୟରେ କେଉଁ କ୍ରାନ୍ତି ବିରୋଧୀ ତତ୍ତ୍ୱଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ, ପ୍ରମିଳା ଦଣ୍ଡବତେ? ଜୟପ୍ରକାଶଙ୍କ ନେତୃତ୍ୱରେ ଆନ୍ଦୋଳନରେ ତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ରାଜନୈତିକ ଅଙ୍ଗ ଜନସଂଘ ସାମିଲ ଥିଲା । ପ୍ରମିଳା ଲେଖିଥିଲେ୧(ପୃ ୩୨୩), “ଆମ ସମାଜରେ ଆବଶ୍ୟକ ପ୍ରକୃତ ଅର୍ଥରେ ଏକ ସାଂସ୍କୃତିକ ବିପ୍ଳବ ।” ସମାଜବାଦୀଙ୍କର ଚରିତ୍ରର ଆକଳନ କରି ଅତି ସ୍ପଷ୍ଟ ଭାବରେ ସେ ମଧୁଙ୍କୁ ଲେଖୁଥିଲେ(ପୃ ୩୨୨), “ଆମେ କଙ୍କଡ଼ା ଭଳି, ପରସ୍ପରରକୁ ତଳକୁ ଟାଣିଥାଉ ଏବଂ କାହରିକୁ ଛାଡୁ ନା ବେଶ୍ ଉପରକୁ ଯିବାକୁ । ଆମ ଭିତରେ ଆମେ କଳହରେ ମାତିଥାଉ । ଏହା ହିଁ କାରଣ ଯେ ଯଦିଓ ସମସ୍ତେ ଆଜି ଗଣତାନ୍ତ୍ରିକ ସମାଜବାଦକୁ ସମର୍ଥନ କରନ୍ତି, ପ୍ରକୃତ ସମାଜବାଦୀ ଦେଖାଯିବା ବେଶ ଦୁରୁହ ହୋଇଛି । ”

୨୨ବର୍ଷ ଧରି ବିବାହିତ ଦମ୍ପତ୍ତିଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରି ପ୍ରାୟ ୮୦୦କିମି ଦୂରତାରେ ଥିବା ଦୁଇଟି କାରାଗାରରେ ନିକ୍ଷେପ କରିବା-ଏକ କଠୋର ନିଷ୍ପତ୍ତି ନିଶ୍ଚୟ କିନ୍ତୁ ଏହି ଭୌଗଳିକ ଦୂରତାଜନିତ ମାନସିକ ନିର୍ଯାତନାକୁ ଲାଘବ କରିବା ପାଇଁ ପରସ୍ପର ମଧ୍ୟରେ ନିୟମିତ ପତ୍ର ବିନିମୟ ଦଣ୍ଡବତେ ଦମ୍ପତ୍ତିଙ୍କ ପାଇଁ ଥିଲା ଏକ ବିରାଟ ଆଶ୍ୱାସନା । ଏହି ପତ୍ର ଗୁଡିକରେ ପ୍ରକାଶିତ ହୋଇଥିଲା ପରସ୍ପରକୁ ନିକଟରେ ପାଇବାର ବ୍ୟାକୁଳତା ଥିଲା, ଦାମ୍ପତ୍ୟପ୍ରେମର ନିଆରା ଅଭିବ୍ୟକ୍ତି, ଅଭିଭାବକତ୍ୱରୁ ବଂଚିତ ଅପତ୍ୟ ପାଇଁ ଏକ ଅପରାଧବୋଧ ଓ ଏହାକୁ ହାଲୁକା କରିବା ପାଇଁ କଳା ସଂଗୀତ ସାହିତ୍ୟର ଉଦ୍ଧରଣ ଓ ରାଜନୀତିର ନିରପେକ୍ଷ ଆକଳନ ।

ଏହି ନିବନ୍ଧରେ ଲେଖକ କେବଳ ସେହି ପତ୍ରଗୁଡ଼ିକୁ ଆଧାର କରିଛି  ଯାହା ଜ୍ଞାନପ୍ରକାଶ ତାଙ୍କ ପୁସ୍ତକ(ପୃ ୩୧୬-୩୩୩)ରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହି ପତ୍ରଗୁଡିକ ଦଣ୍ଡବତେ ଦମ୍ପତ୍ତିଙ୍କର ବ୍ୟକ୍ତିତ୍ୱକୁ ଯେପରି ଉନ୍ମୋଚିତ କରେ, ସେଥିରୁ ମନେହୁଏ ଯେ ଏହି ଦମ୍ପତ୍ତିଙ୍କର ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ବୁଝିବା ଆହୁରି ଗଭୀର ହୋଇପାରେ ଯଦି ସେମାନଙ୍କର ସମସ୍ତ କାରା ପତ୍ରଗୁଡିକର (ଯାହା ପ୍ରାୟ ୨୦୦) ସଙ୍କଳନ ସ୍ୱତନ୍ତ୍ର ଭାବରେ ଆଗ୍ରହୀଙ୍କୁ ଉପଲବ୍ଧ କରାଯାଏ । କହିବା ବାହୁଲ୍ୟ ଯେ ଭାରତୀୟ ରାଜନୀତିରେ ଏହି ଦମ୍ପତ୍ତି ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ-ଯାହାଙ୍କ ବିଷୟରେ ଅଧିକ ଜାଣିବା ଏକ ସୌଭାଗ୍ୟ ହୋଇପାରେ ।

ବ୍ୟବହୃତ ଉପାଦାନ ସୂଚୀ

୧. Emergency Chronicles, Gyan Prakash, Penguin Random House, India, 2018

୨. ନୁମା, ଉକ୍ରଳ ଗାନ୍ଧୀ ସ୍ମାରକ ନିଧି, ମାଳତୀଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ, ୧୯୯୮

Total Views: 490

Comments

0 comments

Share This Article