ମୁଁ ନରିଶୋ କହୁଛି

ସ୍ଵୟଂପ୍ରଭା ପାଢ଼ୀ Swayam Prava Parhi
Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a...
1.1k Views
7 Min Read
Highlights

    ଓଡ଼ିଶା ରାଇଜର ଖୋର୍ଦ୍ଧା ଜିଲ୍ଲା । ସେହି ଜିଲ୍ଲାରେ ବାଲିପାଟଣା ବ୍ଲକରୁ ମୁଁ ନରିଶୋ ଗାଁ’ ଆପଣମାନଙ୍କୁ କିଛି କହିବାପାଇଁ ଚାହୁଁଛି । ମୁଁ ଆଜିକୁ ୬୦-୭୦ବର୍ଷ ହେବ ଏକ ଦୁରାରୋଗ୍ୟରେ ପିଡ଼ିତ ଅଛି । ସେହି ଦୂରାରୋଗ୍ୟଟିର ନାଁ ହେଉଛି ‘ସବୁଜିଆ ରୋଗ’ । ଗାଁ’ର ଚାଷୀପୁଅ ଏହି ରୋଗରେ ହାହତାଶ ହେଲେଣି । ସେହି ‘ସବୁଜିଆ ରୋଗ’ଟି ବିଷୟରେ ଆଉ ମୋ ଗାଁ’ର ନଟ ମାଷ୍ଟେ, ଯିଏ ଏହି ରୋଗରେ ହାହତାଶ ହୋଇ ତାର ଜଡ଼ିବୁଟି ଔଷଧ ଖୋଜିପାଇଛନ୍ତି ତାଙ୍କରି କଥା ମୁଁ ସମସ୍ତଙ୍କୁ କହିବାକୁ ଚାହେଁ… ।

    ଅନେକ ଦିନ ତଳର କଥା, ପାଖା ପାଖି ୬୦-୭୦ବର୍ଷ ହେବ । ଦେଶ ଦୁନିଆର ସବୁ ଗାଁ’ପରି ମୋ ପାଖକୁ ସେହି ଅଜଣା ରୋଗ ‘ସବୁଜିଆ ରୋଗ’ ମାଡ଼ିଆସିଥିଲା । ଏ ରୋଗ ଧିରେ ଧିରେ ସବୁଆଡ଼େ ମାଡ଼ିଚାଲିଲା । ଲୋକେ ରୋଗ ନୁହଁ ୟାକୁ ଔଷଧି ଭାବି ସରକାର ବାପୁଡ଼ା ଠାରୁ କିଣି ଚାଲିଲେ। ସରକାର ବାପୁଡ଼ା କାହାକଥାରେ କେଜାଣି ଲୋକଙ୍କୁ ବୁଝେଇଦେଲେ ଯେ ବାଡ଼ି, ବଗିଚା, ଗଛଲତା ସବୁଠି ଏହି ଔଷଧ ପକାଇଦେଲେ ଗଛରେ ବହୁତ ଫଳ ଫଳିବ । ସେସବୁ ଫଳ ବିକି ଚାଷୀପୁଅ ଧନୀ ହେବାଇଯିବ । ଲୋକେ କାହିଁକି ନହେଲେ ଏତେ କଥା ଜାଣନ୍ତେ!! ସରକାର ବାପୁଡ଼ା ଫିକର କରି ଲୋକଙ୍କ ପାଖକୁ ଆସି ‘ସବୁଜ ରୋଗକୁ’ ଔଷଧ ବୋଲି କହି ଦୁଆରେ ଦୁଆରେ ବାଣ୍ଟିଚାଲିଲା । ଲୋକେ ରୋଗକୁ ଔଷଧ ଭାବି ଅତି ଆଦର ଯତ୍ନରେ କିଣିଲେ ।
    ତେବେ କେହି ଆଉ ଜାଣିପାରିଲେନି ରୋଗକୁ ଔଷଧ କହି ସରକାର ବାପୁଡ଼ା ଆମକୁ କାହିଁକି ବାଣ୍ଟିଲା । ରୋଗଟି ଯେ ସରକାରଙ୍କ କୃପାରୁ ଆମ ଗାଁ’ର ଚାଷୀପୁଅର ଅଶେଷ କ୍ଷତି ଆଜିଯାଏଁ କରିଚାଲିଛି ଏକଥା ଆମ ଚାଷୀପୁଅକୁ ଜଣାନାହିଁ । ତେବେ ଏହିସବୁ କଥା ଆଜି କାହାଣୀ ପାଲଟି ଯାଇଛି । ଏବେ ମୁଁ ସେ କାହାଣୀ କହିବା ଆରମ୍ଭ କଲେ ସରିବନି । ଧିରେ ଧିରେ ସବୁ କହିବି । ଏବେ ଖାଲି ଏହି ରୋଗର ଦୁଃଖ ବିଷୟରେ କିଛି କହୁଛି ।

    ୬୦ବର୍ଷ ଭିତରେ ସାରା ଦୁନିଆରେ ‘ସବୁଜିଆ ରୋଗ’ ଏମିତି ବ୍ୟାପିଲା ଯେ ଚାଷୀପୁଅ ରୋଗରେ ଆକ୍ରାନ୍ତ ହୋଇ ନୟାନ୍ତ ହେଲା । ଦୁନିଆଯାକର ଧାର କରଜ କରି କରି ସେ କରଜିଆ ହୋଇଗଲା ହେଲେ ରୋଗରୁ ମୁକ୍ତି ମିଳିଲାନି ।

    ଆମ ଗାଁବି ଏଥିରୁ ବାଦ ଗଲାନି । ଯାଆନ୍ତା ବା କେମିତି । ଦୁଇପଇସା ପାଇବାକଥା ତ ସରକାର ବାପୁଡ଼ା କହିଛି, ଚାଷୀ ପକେଟକୁ କେବେ ବେଶୀ ନଗଦ ଆସିବାକଥା ସେ ଭାବି ନଥିଲା । ତା’ଛଡ଼ା ଦେଶ ଦୁନିଆରେ ସବୁ ଲୋକ ଯେତେବେଳେ ଅଣ୍ଟାଭିଡ଼ି ଆଗଉଥିଲେ ସେତେବେଳେ ଚାଷୀପୁଅ ସେହି ତିମିର ଭିତରେ ଘାଣ୍ଟି ହେଉଥିଲା । ବିଲାତି ସରକାର ଯାଇ ଦେଶୀ ସରକାର ସିନା ଆସିଲା ହେଲେ ଭାତଗଣ୍ଡେ ଦେଶବାସୀଙ୍କ ପେଟକୁ ଯୋଗାଉଥିବା ଚାଷୀପୁଅର ଦୁଃଖ ସେମିତିକୁ ସେମିତି ରହିଥିଲା । ତା ଅଣ୍ଟା ସଳଖି ଚାଲିବା କଥା କେହିକେବେ ଭାବିଲେନି । ଏମିତିକା ସମୟରେ ସରକାର ବାପୁଡ଼ାର ଦୁଇପଇସା ପାଇବା କଥାଟା ଚାଷୀପୁଅ ମନକୁ ବେଶ୍ ପାଇଲା । ସରକାରୀ ଫନ୍ଦି ଫିକର ସିଏବା ଜାଣନ୍ତା କେମିତି ।

    ସରକାରଟା ନାଁକୁ ଖାଲି ଦେଶୀ ବୋଲି କହିଲା ସିନା ହେଲେ ଦେଶ ଲୋକଙ୍କ କଥା ବୁଝିଲାନି । ଘରେ ଘରେ ରୋଗ କିଣିବାପାଇଁ ବୁଝେଇ ଚାଲିଲା । ରେଡ଼ିଓରେ ସେହି ସମୟରେ କୃଷି ସଂସାର କର୍ଯ୍ୟକ୍ରମଟିଏ ସରକାର ଚଳାଇଲା । ମନେପଡ଼ୁଛି ତ ଆମ ଗାଁ’ର ଲୋକେ ମାଳ ମାଳ ହୋଇ କୃଷି ସଂସାର କାର୍ଯ୍ୟକ୍ରମଟିକୁ ସଂନ୍ଧ୍ୟାବେଳେ କେମିତି ଏକାଠି ଶୁଣୁଥିଲେ । ଲୋକଙ୍କୁ ଏମିତି ବୁଝେଇଲା ଯେ କେହି କିଛି ନପଚାରି ସବୁକଥାକୁ ସତ ମଣି ଆପଣେଇ ନେଲେ । ସମସ୍ତଙ୍କ ମୁଣ୍ଡରେ ଗୋଟିଏ କଥା ଲାଭ ମିଳିବ । ଚାଷୀପୁଅକୁ ‘ଲାଭ’ କଥା ଏମିତି ପାଗଳ କଲାଯେ ମୋ ଗାଁ ଖାଲି ନୁହଁ ଦେଶ ଦୁନିଆର ଚାଷୀ ଆଖି ଉଠିବା ଦିନରୁ କେବେ ସେ ବିଷୟଟି ଭାବିନଥିଲା । ସେଥିପାଇଁ ତ ସମସ୍ତଙ୍କ ବାଡ଼ିରେ ପନି ପରିବା, ଭଲ ମନ୍ଦ ଗଛ ବୃକ୍ଷ ଭରି ହୋଇଥିଲା । ଲୋକେ ସବୁବେଳେ କଥାରେ କହୁଥିଲେ ଧାନ ଅମାରରେ ଧାନ ବାଡ଼ିରେ ଶାଗ ଥିଲେ ଦୁନିଆରେ ସେ ସବୁଠୁ ସୁଖି । ବ୍ୟାଙ୍କରେ ଟଙ୍କା ରଖିବା କଥାଟି ଚାଷୀ କେବେ ଭାବିନଥିଲା । ଏବେତ ଚାଷୀର ବ୍ୟାଙ୍କ ଖାତା ସେଇ ସରକାର ଜବରଦସ୍ତ ଖୋଲାଉଛି । ସବୁ ଫିକର ତାରି । ଯଦିବା ସେଇ େଔଷଧ ନାଁର ରୋଗକୁ ଆପଣେଇ ଚାଷୀପୁଅ କିଛିଦିନ ଧାନ ଓ ଆଉସବୁ ଫସଲ ଅଧିକ ଫଳେଇଲା । କିଛିଦିନ ପାଇଁ ପଇସା ତା ପକେଟକୁ ବି ଆସିଲା । ହେଲେ କଥାରେ କୁହନ୍ତିନି ଖଡ଼ିକୁ ହିସାବ ସିନା ପେଢ଼ିକୁ ନାହିଁ । ଠିକ୍ ସେମିତି ଚାଷୀପୁଅର ଅବସ୍ଥା ଧିରେ ଧିରେ ଏତେ ଖରାପଆଡ଼କୁ ଗଲା ଯେ ଯାହା ରୋଜଗାର ଆସିଲା ତା ଚାଷକାମକୁ ନିଅଣ୍ଟିଆ ହେଲା ପୁଣି ଘର ଦୁଆର ତ ଅଛି!! ଲାଭ କଥା ଦୂରରେ ଥାଉ ଯେଉଁସବୁ ରୋଗ ସରକାର ତା ଘରେ ଦେଇଗଲେ ସେଥିରୁ ଆଉ ମୁକୁଳିବାପାଇଁ ଏବେ ବାଟ ମିଳୁନି । ସାରା ଦୁନିଆରେ ଏହି ରୋଗର ବିଷରେ ଆକ୍ରନ୍ତ ହେଲେଣି ଖାଲି ମଣିଷ ନୁହଁ ଜୀବ, ଜନ୍ତୁ ଗଛ, ଲତା, ପାଣି, ପବନ ଛୋଟ ଛୋଟ ଜିଆ, ଅଣୁଜୀବ ବି । ଯେଉଁସବୁ ରୋଗ ବ୍ୟାଧି କଥା ଚାଷୀପୁଅ କାନ ଶୁଣିନଥିଲା ସେହି ବ୍ୟାଧିରେ (‘ସବୁଜ ରୋଗ’ରେ) ଆକ୍ରାନ୍ତ ହେଇଛି ଖାଲି ମୋ ଗାଁ କି ପାଖ ଗାଁ ରାଇଜ ନୁହଁ ସାରା ଦୁନିଆ । ଏଥିରୁ ମୁକ୍ତି ମିିଳିବ କେମିତି? କିଏ ସେ ବାଟଟି କାଢ଼ିବ?

    ଏମିତି ଏକ ଦୁଃସମୟରେ ‘ସବୁଜିଆ ରୋଗ’ ଦାଉରେ ଘାଣ୍ଟି ହେଉଥିଲେ ଆମ ଗାଁର ଜଣେ ନଟ ମାଷ୍ଟେ । ମାଷ୍ଟେ ଚାଷୀ ଘରର ଛୁଆ ସେଥିପାଇଁ ଚାଷୀପୁଅର ଭଲମନ୍ଦ ତାଙ୍କ ମୁଣ୍ଡକୁ ବେଶ ଘାରେ । ତାଙ୍କ ବାପା ତ ଚାଷୀଥିଲେ ସେତେବେଳେ ସେ ଏହି ସରକାର ବାପୁଡ଼ା କଥାରେ ପଡ଼ି ଔଷଧ କିିଣିଥିଲେ । ହେଲେ ଦିନେ ବିଲରେ ଥିଲାବେଳେ ଗୋଟେ ଚାଷୀପୁଅର କଷ୍ଟ ତାଙ୍କ ଆଖି ଖୋଲି ଦେଲା । ସେ ବିଲରେ ଚାଷବେଳେ ସରକାରଙ୍କ ଔଷଧ ପକାଇବା ପାଇଁ ଯାଇଥିଲେ ତାଙ୍କ ପାଖ ବିଲରେ ଜଣେ ଔଷଧ ଢ଼ାଳିବାବେଳେ ବେହୋସ ହୋଇଗଲା । ମାଷ୍ଟେ ତ ଖାଲି ଜଣେ ସାଧାରଣ ଚାଷୀପୁଅ ନୁହଁନ୍ତି ସେ ପାଠୁଆ ଲୋକ ପୁଣି ବିଜ୍ଞାନ ପାଠ ପଢ଼ାନ୍ତି । ଏବେ ସିନା ଅବସର ନେଲାରୁ ଚାଷବାସ କରୁଛନ୍ତି । ଲୋକଟିକୁ ବେହୋସ ଦେଖି ସେ ତାର କାରଣ ଖୋଜି ଚାଲିଲେ । ବହୁତ ପଢ଼ିଲେ । ସେଥିରୁ ଯାହାସବୁ ଜାଣିଲେ ତାଙ୍କ ଅକଲ ଗୁଡ଼ୁମ ହୋଇଗଲା । ମାଷ୍ଟେ ସରକାର ବାପୁଡ଼ାର ଅସଲି କଥା ଜାଣିଗଲେ । ସାରା ଦୁନିଆକୁ କେତେଦିନ ଯାଏ ଏମାନେ ଅନ୍ଧାରରେ ବା ରଖନ୍ତେ । ସତ କହିବାପାଇଁ ପଣକରି ଅଣ୍ଟା ଭିଡ଼ିଲେ ‘ନଟ ମାଷ୍ଟେ’ । ଏବେ ବୟସ ୮୬-୮୭ ହେବ । ପାଖାପାଖି ୧୫-୨୦ ବର୍ଷ ହେଲା ସେ ସବୁ ସତକଥା ଲୋକଙ୍କୁ କହି ବୁଲୁଛନ୍ତି । ଖାଲି ସତ କହୁନାହାଁନ୍ତି ଏହି ଭିଷଣ ଦୁରାରୋଗ୍ୟରୁ ଭଲ ହେବାପାଇଁ ସବୁ ପ୍ରକାରର ପରୀକ୍ଷା ନିରୀକ୍ଷା କରି ସେ ମୁକୁଳିବାର ବାଟ ପାଇଗଲେଣି । ଏହିସବୁ ବାଟ ଗୁଡ଼ିକ ବିଷୟରେ ଆମେତ ନିଶ୍ଚେ ସବୁକଥା ଶୁଣିବା ହେଲେ ଆଜି ମୁଁ ଅନ୍ୟକିଛି କଥା କହିବି ।

    କଥାଟି ହେଲା; ମୋ ଗାଁ ପାଖ କେନାଲ ଆରପଟେ ଧଳା ରଙ୍ଗର ଗୋଟିଏ ଛୋଟିଆ କୋଠାଘରଟିଏ ଅଛି । ଘରର ବାହାରେ ଗୋଟିଏ ବୋର୍ଡ଼ରେ ଲେଖା ହୋଇଛି ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର । ଆଗରୁ ସେଠି ଖାଲି ଠାଠା ବିଲଥିଲା । ଏବେ ୫-୬ବର୍ଷ ହେବ ଘରଟି ଛାଡ଼ାହୋଇଛି । ଆମ ଗାଁ ନଟ ମାଷ୍ଟେ ସେହି ଘରଟିର ମୁଖ୍ୟ କାରର୍ପଟଦାର୍ । ତା ସାଙ୍ଗ ଅଭିମନ୍ୟୁ ସିଂ ଯିଏ ଗତ ବର୍ଷ ହୃଦଘାତରେ ଚାଲିଗଲେ, ସେ ମାଷ୍ଟେଙ୍କର କାମଦାମକୁ ବହୁତ ଭଲପାଉଥିଲେ । ସିଏବି ମୋ ଗାଁର ପାଖ ଗାଁ’ ନିଆଳିରେ ଦୁଇ ଦୁଇଥର ସରପଞ୍ଚ ଥିଲେ । ଭାରି ନା ଡ଼ାକ ଅଛି ଏ ଅଞ୍ଚଳରେ ତାଙ୍କର । ସିଏ ବୁଢ଼ାଙ୍କର କାମଦାମ ଦେଖି ସନ୍ତୁଷ୍ଟ ହେଇ ଜାଗାଟି ଲୋକଙ୍କ ସେବାକାମ ପାଇଁ ଦାନ କଲେ । ହେଲେ କଥାରେ ଅଛି ଗାଁ କନିଆ ସିଙ୍ଗାଣୀ ନାକି । ନଟ ମାଷ୍ଟେ ତେବେ ଏମିତି କ’ଣ କାମ କରୁଥିଲେ କି ତାଙ୍କୁ ତାଙ୍କ ସଙ୍ଗାତ ଯାଗାଟିଏ ଦାନ କଲେ? ବୁଢ଼ା ମାଷ୍ଟେ ତା ହେଲେ କ’ଣସବୁ କରୁଥିଲେ ସବୁକଥା ଆମେ ଆଗକୁ ଜାଣିବା । ଆଜି ଏତିକିରେ ସମସ୍ତଙ୍କ ଠାରୁ ବିଦାୟ ନେଉଛି …

    Author

    ସ୍ଵୟଂପ୍ରଭା ପାଢ଼ୀ Swayam Prava Parhi

    Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a Vocal Artist, Voiceover Artist, and Documentary Filmmaker.

    Total Views: 1,053

    Comments

    0 comments

    Share This Article
    Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a Vocal Artist, Voiceover Artist, and Documentary Filmmaker.