୫୯ତମ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଳା ଆଧୁନିକ ହିନ୍ଦୀ ସାହିତ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବିମାନଙ୍କ ମଧ୍ୟରେ ଅନ୍ୟତମ । ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ସୃଜନ କାର୍ଯ୍ୟ ସକାଶେ ଶ୍ରୀ ଶୁକ୍ଳାଙ୍କୁ କେତେକ ସର୍ବୋଚ୍ଚ ଜାତୀୟ ତଥା ଆନ୍ତର୍ଜାତିକ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୩ ମସିହାରେ ପେନ୍ ଆମେରିକା ଆନ୍ତର୍ଜାତିକ ସାହିତ୍ୟରେ ତାଙ୍କର ସଫଳତା ସକାଶେ ପେନ୍ ନାବୋକୋଭ ପୁରସ୍କାରରେ ସମ୍ମାନିତ କରିଛି । ୨୦୨୪ମସିହା ପାଇଁ ବିନୋଦ କୁମାର ଶୁକ୍ଳାଙ୍କୁ ଗତ ମାର୍ଚ୍ଚ ୨୨ ତାରିଖରେ ଭାରତୀୟ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି । ଛତିଶଗଡ଼ ରାଜ୍ୟର ପ୍ରଥମ ସାହିତ୍ୟିକ ଭାବେ ୮୮ବର୍ଷ ବୟସରେ ସେ ଏହି ପୁରସ୍କାର ଲାଭ କରିଛନ୍ତି । ହିନ୍ଦୀ ସାହିତ୍ୟଜଗତକୁ ବିଶେଷ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କର କବିତାଗୁଡ଼ିକ ଗ୍ରାଣ୍ଟା, ମେଟାମରଫୋସିସ୍, ମଡର୍ଣ୍ଣ ପୋଏଟ୍ରି ଇନ୍ ଟ୍ରାନ୍ସଲେସନ୍ ପରି ଆନ୍ତର୍ଜାତିକ ପ୍ରକାଶନରେ ସ୍ଥାନିତ ହୋଇଛି । ଜ୍ଞାନପୀଠ ପୁରସ୍କାର ପାଇବା ଅବସରରେ ବିନୋଦ କୁମାର ଶୁକ୍ଳାଙ୍କୁ ତାଙ୍କ ରାୟପୁରସ୍ଥିତ ଶୈଳେନ୍ଦ୍ର ନଗର ବାସଭବନରେ ସାକ୍ଷାତ କରିଥିଲେ ବରିଷ୍ଠ ସାମ୍ବାଦିକ ବିଭୂତି ପତି ।
ବିନୋଦ କୁମାର ଶୁକ୍ଳାଙ୍କର ଜନ୍ମ ୧୯୩୭ ମସିହା ଜାନୁଆରୀ୧ ତାରିଖ ଦିନ ଛତିଶଗଡ଼ର ରାଜନନ୍ଦଗାଓଁରେ ହୋଇଥିଲା । ସେତେବେଳେ ଏହା ନାନଗାଓଁର ଦେଶୀୟ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ଏବଂ ପରବର୍ତ୍ତୀ କାଳରେ ମଧ୍ୟପ୍ରଦେଶର ଅଂଶବିଶେଷ ହେଲା । ୧୯୭୧ ମସିହାରେ ତାଙ୍କର ପ୍ରଥମ କବିତାସଂଗ୍ରହ ‘ଲଗଭଗ ଜୟହିନ୍ଦ’, ୧୯୮୧ ମସିହାରେ ସମ୍ଭାବନା ପ୍ରକାଶନ ଦ୍ୱାରା ତାଙ୍କର ଦ୍ୱିତୀୟ କବିତା ସଂକଳନ ‘ୱହ ଆଦମୀ ଚଲାଗୟା ନୟା ଗରମକୋଟ ପହନକର୍ ବିଚାର କି ତରହ’ ପ୍ରକାଶିତ ହୋଇଥିଲା । ସେହି ଏକା ପ୍ରକାଶକଙ୍କ ଦ୍ୱାରା ୧୯୭୯ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ନୌକର କି କମିଜ୍’ (ଚାକରର କମିଜ୍) ପ୍ରକାଶିତ ହେଲା । ୧୯୮୮ମସିହାରେ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ପେଡ୍ ପର୍ କମ୍ରା’ (ଗଛ ଉପରେ କୋଠରି) ପ୍ରକାଶିତ ହେଲା । ଏହାପରେ ୧୯୯୨ ମସିହାରେ ତାଙ୍କର ଆଉ ଏକ କବିତାସଂଗ୍ରହ ‘ସବ୍ କୁଛ ହୋନା ବଚା ରହେଗା’ ପ୍ରକାଶିତ ହେଲା ।
ବିନୋଦ କୁମାର ଶୁକ୍ଳା ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ଆଗ୍ରାର ନିରାଲା ସୃଜନପୀଠରେ ଅତିଥି ସାହିତ୍ୟିକ ରୂପେ ରହିଥିଲେ । ଏହି ସମୟରେ ସେ ଦୁଇଟି ଉପନ୍ୟାସ ‘ଖିଲେଗା ତୋ ଦେଖେଙ୍ଗେ’ ଏବଂ ‘ଦିୱାର୍ ମେଁ ଏକ ଖିଡ୍କୀ ରହତି ଥି’ ରଚନା କରିଥିଲେ । ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ତି ଖାନ୍ନା ‘ଦିୱାର୍ ମେଁ ଏକ ଖିଡ୍କୀ ରହତି ଥି’ର ଇଂରାଜୀ ଅନୁବାଦ କରିଥିଲେ, ଯାହାର ନାମ ‘ଏ ୱିଣ୍ଡୋ ଲିଭଡ୍ ରନ୍ ଏ ୱାଲ୍’ । ବିନୋଦ କୁମାର ଶୁକ୍ଳାଙ୍କୁ ଏକତାରା-ତକ୍ଷଶୀଳା ଶିଶୁସାହିତ୍ୟ ଓ କଳାକେନ୍ଦ୍ର ପକ୍ଷରୁ ତାଙ୍କୁ କଳାକାରଙ୍କ ଆବାସ ପ୍ରଦାନ କରାଯାଇଥିଲା, ଯେଉଁଠାରେ ସେ ‘ଏକ ଚୁପ୍ପି ଜଗହ’ ନାମକ କିଶୋର ଉପନ୍ୟାସ ରଚନା କରିଥିଲେ ।
ସେ ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟ (ଜେ.ଏନ୍.କେ.ଭି.ଭି.)ରୁ କୃଷିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଏବଂ ତା’ପରେ ସେ ରାୟପୁର କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେ କବି ମୁକ୍ତିବୋଧଙ୍କ ଦ୍ୱାରା ଯଥେଷ୍ଟ ଅନୁପ୍ରାଣିତ ହୋଇଥିଲେ, ଯିଏ କି ସେତେବେଳେ ଦିଗ୍ ବିଜୟ ମହାବିଦ୍ୟାଳୟ, ରାଜନନ୍ଦଗାଓଁରେ ହିନ୍ଦୀ ଅଧ୍ୟାପକ ଥିଲେ । ସେହି ମହାବିଦ୍ୟାଳୟରେ ପଦମଲାଲ ପନ୍ନାଲାଲ ବକ୍ସି ମଧ୍ୟ କାର୍ଯ୍ୟ କରୁଥିଲେ । ସେହି ଅବଧିରେ ବଲଦେଓ ପ୍ରସାଦ ମିଶ୍ର ମଧ୍ୟ ରାଜନନ୍ଦଗାଓଁରେ ହିଁ ଥିଲେ ।
ବିନୋଦ କୁମାର ଶୁକ୍ଳାଙ୍କର କବିତାଗୁଡ଼ିକ ବ୍ୟାପକ ଭାବେ ଅନୁଦିତ ହୋଇଛି । ୨୦୧୫ ମସିହାରେ ଦିଲ୍ଲୀର ଲେଖକ ଅଖିଲ୍ କାତ୍ୟାଲ ଶୁକ୍ଳାଙ୍କର ‘ହତାଶା ସେ ଏକ ବ୍ୟକ୍ତି ବୈଠ ଗୟା’କୁ ଇଂରାଜୀରେ ଅନୁବାଦ କରିଥିଲେ ।
ସେ ହିନ୍ଦୀଭାଷାରେ ଉପନ୍ୟାସ, କବିତାସଂଗ୍ରହ ଏବଂ କ୍ଷୁଦ୍ରଗଳ୍ପମାନ ରଚନା କରିଛନ୍ତି । ଯଦିଓ ସେ ପ୍ରସିଦ୍ଧିଠାରୁ ଦୂରରେ ରୁହନ୍ତି ତଥାପି ଜଣେ ହିନ୍ଦୀ ଲେଖକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ସମସ୍ତ ପ୍ରମୁଖ ପୁରସ୍କାର ଜିତି ସାରିଛନ୍ତି । ଏସବୁ ମଧ୍ୟରେ ସାହିତ୍ୟ ଏକାଡେମୀ ପୁରସ୍କାର, ଅଟ୍ଟାଗଲାଟ୍ଟା-ବାଙ୍ଗାଲୋର ଉତ୍ସବ ପୁସ୍ତକ ପୁରସ୍କାର ଏବଂ ଚଳିତବର୍ଷ ୮୩ବର୍ଷ ବୟସରେ ସେ ପ୍ରଥମ ମାତୃଭୂମି ବୁକ୍ ଅଫ୍ ଦି ଇଅର୍ ପୁରସ୍କାର ପାଇଛନ୍ତି । ସେ ତାଙ୍କର ‘ବ୍ଲୁ ଇଜ୍ ବ୍ଲୁ’ (୨୦୧୯) ପୁସ୍ତକ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହା ହେଉଛି ଅରବିନ୍ଦ କ୍ରିଷ୍ଣ ମେହେରୋତ୍ରା ଓ ସାରା ରାୟଙ୍କ ଦ୍ୱାରା ଇଂରାଜୀରୁ ଅନୁବାଦ କରାଯାଇଥିବା କାହାଣୀଗୁଡ଼ିକର ଏକ ସମାହାର । ଏଥିରୁ ‘କଲେଜ’କୁ ପ୍ରସ୍ତୁତ କରାଯାଇଛି । ୧୯୭୯ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ ‘ନୌକର କି କମିଜ୍’ (ଚାକରର କମିଜ୍)କୁ ୧୯୯୯ ମସିହାରେ ମଣି କୌଲ ଏକ ଚଳଚ୍ଚିତ୍ରର ରୂପ ଦେଇଥିଲେ । ଏହି ଉପନ୍ୟାସ ସମେତ ଶୁକ୍ଳାଙ୍କର ଆଉ ଚାରିଟି ଉପନ୍ୟାସକୁ ସତ୍ତି ଖାନ୍ନା ଇଂରାଜୀରେ ଅନୁବାଦ କରିଛନ୍ତି ।
ଲେଖାଲେଖି କରିବା ସଙ୍ଗେସଙ୍ଗେ ଅବସର ଗ୍ରହଣ ପର୍ଯ୍ୟନ୍ତ ଶୁକ୍ଳା କୃଷକମାନଙ୍କୁ କୃଷି କୌଶଳ ତାଲିମ ପ୍ରଦାନ କରୁଥିଲେ । ଆମେ ତାଙ୍କର କୃତିଗୁଡ଼ିକରେ ଗ୍ରାମୀଣ ତଥା ଛୋଟ ସହରର ବର୍ଣ୍ଣନା ଓ ଲୋକମାନଙ୍କ ସମ୍ପର୍କରେ ଆମେ ତାଙ୍କର ଘନିଷ୍ଠତା ଲକ୍ଷ୍ୟ କରିଥାଉ । ସେ ବେଶ୍ ମଜାଳିଆ ଢଙ୍ଗରେ କୌଣସି ପ୍ରାକ୍ ଯୋଜନା ନଥାଇ ଲେଖନ୍ତି । କିନ୍ତୁ ଗଭୀରତାର ସହ ଲକ୍ଷ୍ୟ କଲେ ତାଙ୍କ ରଚନାଗୁଡ଼ିକରେ ଆମେ ମୁକ୍ତିର ରାଜନୀତିକୁ ବେଶ୍ ସ୍ପଷ୍ଟ ଭାବରେ ଲେଖିପାରିବା । ଶୁକ୍ଳା ଦୁଃଖଦ ଅଭିଜ୍ଞତା ସମ୍ପର୍କରେ, ବିଶେଷ କରି ଭାରତର ଗରିବ ଲୋକମାନଙ୍କ ସମ୍ପର୍କରେ ଲେଖନ୍ତି, କିନ୍ତୁ ଏଥିରେ ଭାବପ୍ରବଣତା ବା ନାଟକୀୟତା ନଥାଏ । ତାଙ୍କ କୃତିରେ ସର୍ବଦା ହାସ୍ୟରସ ଓ ଆଶ୍ଚର୍ଯ୍ୟ ରହିଥାଏ । ବିନୋଦ କୁମାର ଶୁକ୍ଳା ୮୮ବର୍ଷ ବୟସରେ ମଧ୍ୟ ଛତିଶଗଡ଼ର ରାୟପୁର ସହରରୁ ହିନ୍ଦୀରେ ଉପନ୍ୟାସ ଓ କବିତା ଲେଖି ଚାଲିଛନ୍ତି । ତାଙ୍କର କବିତାଗୁଡ଼ିକୁ ପ୍ରୟୋଗଧର୍ମୀ ବା ଆଧୁନିକ ହିନ୍ଦୀ କବିତା ପରମ୍ପରାରେ ନୂତନ କବିତା ବୋଲି ଅଭିହିତ କରାଯାଇପାରିବ । ସେ ନିରନ୍ତର ତାଙ୍କର ସଂକ୍ଷିପ୍ତ, ଅଥଚ ଶକ୍ତିଶାଳୀ ପଦ୍ୟ ମାଧ୍ୟମରେ କବିତାର ଢାଞ୍ଚା, ବ୍ୟାକରଣ ଓ ଶବ୍ଦକୋଷକୁ ଆହ୍ୱାନ କରିଆସିଛନ୍ତି । ସେ ଛଅଟି ଉପନ୍ୟାସ ଲେଖିଛନ୍ତି, ଯାହାକି ଆମେରିକୀୟ ପ୍ରଫେସର ସତ୍ତି ଖାନ୍ନାଙ୍କ ଦ୍ୱାରା ଇଂରାଜୀରେ ଅନୁଦିତ ହୋଇଛି । ତାଙ୍କର ଲେଖନ ଶୈଳୀକୁ ‘ଅଲୌକିକ ବାସ୍ତବବାଦ’ର ସୀମା ସ୍ପର୍ଶ କରୁଛି ବୋଲି କୁହାଯାଇପାରେ, ଯଦିଓ ତାଙ୍କର କୃତିଗୁଡ଼ିକ ନୂତନତ୍ୱ ବହନ କରୁଥିବା ମୌଳିକ ଲେଖା ଏବଂ ଚିତ୍ତାକର୍ଷକ ରୂପେ ଦୃଶ୍ୟମାନ ।
ଭାରତୀୟ କବି ତଥା ଉପନ୍ୟାସ ଲେଖିକା ସୁମନା ରାୟଙ୍କ ଭଳି ଅନେକ ସୁନାମଧେୟ ଲେଖକ ଓ ଲେଖିକା କୁହନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶ୍ରୀ ଶୁକ୍ଳା ଯଦି ଇଉରୋପୀୟ ହୋଇଥାଆନ୍ତେ, ତେବେ ସେ ସମ୍ଭବତଃ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଲେଖକ ହୋଇଥାଆନ୍ତେ । ନିରବ ସାଧକ ବିନୋଦ କୁମାର ଶୁକ୍ଳା ସାହିତ୍ୟିକ ପ୍ରସିଦ୍ଧିଠାରୁ ନିଜକୁ ଦୂରେଇ ରଖିଛନ୍ତି । ୧୫ବର୍ଷରୁ ଲେଖାଲେଖି ଆରମ୍ଭ କରିଥିବା ଏହି ଲେଖକ ଦୀର୍ଘ ୬୫ ବର୍ଷ ଧରି ନିଜର ଲେଖନୀ ଚାଳନା ୮୮ ବର୍ଷରେ ମଧ୍ୟ ଜାରି ରଖିଛନ୍ତି ।
ଆପଣ ଲେଖିବା ଆରମ୍ଭ କରିବା ଦିନଠାରୁ ଆଜିପର୍ଯ୍ୟନ୍ତ ଜଣେ ଲେଖକ ହିସାବରେ ନିଜ ମଧ୍ୟରେ ସବୁଠାରୁ ବଡ଼ କେଉଁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?
ମୋଟାମୋଟି ଭାବେ କହିବାକୁ ଗଲେ ଲେଖକ ହିସାବରେ ମୋ ଭିତରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ମୁଁ ପୂର୍ବରୁ ମଧ୍ୟ ଲେଖୁଥିଲି, ସମ୍ଭବତଃ ୧୫-୧୬ ବର୍ଷ ବୟସରୁ । ସେତେବେଳେରୁ ହିଁ ଏସବୁର ଆରମ୍ଭ । ମୁଁ ପ୍ରାୟ ୬୦-୬୫ ବର୍ଷ ହେଲା ଲେଖିଆସୁଛି । ଦିନେ ମୁଁ ହୃଦୟଙ୍ଗମ କଲି ଯେ ମୁଁ ଭାଷାରେ ଚିନ୍ତା କରେନାହିଁ । ମୁଁ ଚିତ୍ରରେ ଭାବେ । ଯେତେବେଳେ କୌଣସି ଭାଷା ନ ଥିଲା, ସେତେବେଳେ ଆଦିମ ମାନବ ନିଶ୍ଚିତ ରୂପେ ଚିତ୍ରରେ ହିଁ ଚିନ୍ତା କରିଥିବ । ଭାଷା ଅନେକ ପରେ ଆସିଲା । ମୁଁ ପ୍ରଥମେ ଚିତ୍ର ସଂପର୍କରେ ଚିନ୍ତା କରେ, ଏବଂ ତା’ପରେ ତାକୁ ଭାଷାରେ ପ୍ରକାଶ କରେ ।
ଲେଖିବା ଗୋଟିଏ ଉତ୍ତରଦାୟିତ୍ୱ । ବାସ୍ତବରେ ମୁଁ ପୂର୍ବେ ଏକଥା ଜାଣି ନ ଥିଲି । ମୁଁ ଲେଖି ଲେଖି ବଡ଼ ହୋଇଛି, ଯେମିତିକି ପିଲାମାନେ ଖେଳୁ ଖେଳୁ ବଡ଼ ହୁଅନ୍ତି । କିନ୍ତୁ ଲେଖିବାର ଗୋଟେ ପରମ୍ପରା ଅଛି । ମୁଁ ମଧ୍ୟ ଏହି ପରମ୍ପରା ଭିତରେ ତିଷ୍ଠି ରହିବାର ପ୍ରୟାସ କରିଛି । କେତେକ ପହଁରିବା ଶିଖିଛନ୍ତି । ମୋ ପାଇଁ ଏହା ଗୋଟିଏ ଅଭ୍ୟାସ ପାଲଟିଯାଇଛି, ଯେମିତିକି ଗୋଟିଏ ନିତିଦିନିଆ ରୁଟିନ୍ । ଲେଖିବା ଏପରି ଗୋଟିଏ କାମ, ଯାହାକି କେବେ ଶେଷ ହୁଏନାହିଁ । ମୋ ପାଇଁ ଏହି କାମ ସବୁବେଳେ ଅସଂପୂର୍ଣ୍ଣ । ଏବେ ମଧ୍ୟ ମୁଁ ଲେଖିବାର ଏତେବର୍ଷ ଧରି ଲେଖୁଥିଲେ ମଧ୍ୟ ମୁଁ ଏଯାଏ ଲେଖିବାର କଳାରେ ପାରଙ୍ଗମ ହୋଇପାରି ନାହିଁ । ପୂର୍ବେ, ଜଣେ ଲେଖକ ହିସାବରେ ମୁଁ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ, ମୁଁ ଏବେ ମଧ୍ୟ ସାମ୍ନା କରୁଛି । ମୋ ପାଇଁ ଲେଖିବା ଏବେ ମଧ୍ୟ ଏକ ଲେଖିବାର ଉଦ୍ୟମ ହୋଇ ରହିଛି ।
ପ୍ରଶ୍ନ: ଆଜିକାଲି ?ଆପଣଙ୍କର ଲେଖିବାର ପ୍ରକ୍ରିୟା କ’ଣ? ନିକଟରେ ଆପଣ ଶିଶୁମାନଙ୍କ ପାଇଁ ଲେଖିଥିବା ଗଳ୍ପ/କବିତାଗୁଡ଼ିକ ପ୍ରକାଶିତ ହୋଇସାରିଲାଣି । ସେଗୁଡ଼ିକ ମୂଳରୂପରେ ଉପଲବ୍ଧ । ଆଉ ସେଗୁଡ଼ିକର ଅନୁବାଦ?
ମୁଁ ନିୟମିତ ରୂପେ ଲେଖିଚାଲେ । ମୋ ବିଚାରରେ ମୋ ପାଖରେ ଆଉ ବେଶି ସମୟ ନାହିଁ । ମୁଁ ଆଉ ରାତିରେ ଲେଖିପାରୁ ନାହିଁ । ତେବେ, ମୁଁ ରାତିରେ ଶୀଘ୍ର ଶୋଇପଡ଼େ ନାହିଁ ମଧ୍ୟ । ମୋ ଶବ୍ଦସବୁ ରାତିରେ ହିଁ ମୋ ପାଖକୁ ଆସନ୍ତି ଏବଂ ଦିନବେଳେ ମୁଁ ସେଗୁଡ଼ିକୁ ଲେଖିବାରେ ଲାଗେ । ମୁଁ ପିଲାମାନଙ୍କ ପାଇଁ ତିନିଟି ନୂଆ ବହି ଲେଖୁଛି- ଗୋଟିଏ ଗଳ୍ପସଂଗ୍ରହ, ଗୋଟିଏ କବିତାସଂଗ୍ରହ ଏବଂ ଗୋଟିଏ ଡାଏରି । ତିନିଟିଯାକ ପୁସ୍ତକ ମୂଳଭାଷା ହିନ୍ଦୀରେ ପ୍ରକାଶିତ ହେବ, ଅନୁବାଦ ଭାବେ ନୁହେଁ ।
ପ୍ରଶ୍ନ: ଆପଣ କ’ଣ ବୟସ୍କ ଓ ଶିଶୁମାନଙ୍କ ପାଇଁ ଭାଷାର ଚୟନ ଭିନ୍ନ ଭିନ୍ନ ଭାବେ କରନ୍ତି? ଅଥବା ଆପଣ ଲେଖିବାବେଳେ ପାଠକର ବୟସ ଗୁରୁତ୍ୱ ବହନ କରେ ନାହିଁ?
ମୁଁ ଯେତେବେଳେ ପିଲାମାନଙ୍କ ପାଇଁ ଲେଖେ, ମୁଁ ସେମାନଙ୍କର ବୟସ ସମ୍ପର୍କରେ ସଚେତନ ଥାଏ । ମାତ୍ର ବୟସ୍କମାନଙ୍କ ପାଇଁ ଲେଖିବାବେଳେ ବ୍ୟବହାର କରୁଥିବା ଭାଷା ପିଲାମାନଙ୍କ ପାଇଁ ମଧ୍ୟ ଲେଖେ । ମୁଁ କେବେହେଲେ ଏକଥା ବିବେଚନା କରେନାହିଁ ସେମାନଙ୍କର ବୟସ କମ୍ ହୋଇଥିବାରୁ ସେମାନେ ନ୍ୟୂନ । ତେଣୁ, ମୋ ଭାଷା ସମାନ ରୁହେ । ତେବେ ବେଳେବେଳେ ବାକ୍ୟଗଠନ ଭିନ୍ନ ହୋଇପାରେ । ମୁଁ ବିଶ୍ୱାସ କରେ ଯେ ପିଲାମାନଙ୍କର ଭାଷା ହେଉଛି ଛନ୍ଦ । ଏହା ସେମାନଙ୍କର ନିରୀହପଣ, ପିଲାଳିଆମୀ ଓ ଆବେଗକୁ ଧରିରଖେ । ଛନ୍ଦର ବ୍ୟବହାର କରି, ଆମେ ସେମାନଙ୍କୁ ଆମ ଦୁନିଆରେ ସାମିଲ କରୁ ଏବଂ ସେମାନଙ୍କୁ ଏହାର ଏକ ଅଂଶବିଶେଷ କରୁ ।
ପ୍ରଶ୍ନ: ଆପଣଙ୍କର କେଉଁ ଚରିତ୍ର ଆପଣଙ୍କ ସହ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଛି, ଆଉ କାହିଁକି?
ଯେଉଁ ଚରିତ୍ରଟି ମୋର ଲେଖିବା ଆରମ୍ଭ ଠାରୁ ମୋ ସହିତ ରହିଆସିଛି- ସେ ହେଉଛି ମୁଁ । ମୁଁ ଯାହାକିଛି ବି ଲେଖିଛି ତାହା ମୋ ନିଜ ଜୀବନ ଦ୍ୱାରା ଅନୁପ୍ରାଣିତ ହୋଇ ଲେଖିଛି । ମୋ କୃତିଗୁଡ଼ିକର ‘ମୁଁ’ରେ ମୁଁ ହିଁ ରହିଛି । ମୁଁ ଯେଉଁସବୁ ସ୍ଥାନ ବିଷୟରେ ଲେଖିଛି, ସେଗୁଡ଼ିକ ସେହିସବୁ ସ୍ଥାନ, ଯାହା ମୁଁ ଦେଖିଛି ବା ସେଠାକୁ ମୁଁ ଯାଇଛି । ମୁଁ ଯାହା ଦେଖିନାହିଁ ବା ଶୁଣିନାହିଁ, ସେଗୁଡ଼ିକୁ ମୁଁ ମୋର କଳ୍ପନାର ଶକ୍ତିରେ ନିଜର କରିଛି ।
ପ୍ର: ବିନୋଦ କୁମାର ଶୁକ୍ଳାଙ୍କ କବିତା ଓ ଗଦ୍ୟରେ ଏପରି ଅନେକ ମୁହୂର୍ତ୍ତମାନ ରହିଛି ଯାହା ଗୋଟିଏ ସମୟ ଓ ସ୍ଥାନରୁ ଖସିଯାଇ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଏକ ବିଶ୍ୱରେ ପହଞ୍ଚି ଯାଆନ୍ତି । ଏହା ପାଠକମାନଙ୍କ ମନରେ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଆବେଗିକ ବାସ୍ତବତାର ଉଦ୍ରେକ କରିଥାଏ, ‘ଶୁଆମାନେ ଗଛଗୁଡ଼ିକ ସହିତ ସମ୍ପୂର୍ଣ୍ଣ ରୂପେ ମିଶିଯାଆନ୍ତି, ଅସ୍ତ ଗଲାବେଳେ ସୂର୍ଯ୍ୟ ନିଜ ସହିତ ପଶ୍ଚିମ ଦିଗକୁ ମଧ୍ୟ ଦିଗବଳୟର ତଳକୁ ନେଇଯାଏ ଏବଂ ଛବିଗୁଡ଼ିକ ଆକାଶକୁ ଖୋଲି ଦିଅନ୍ତି’ । ଆପଣଙ୍କ ଲେଖାର ଯାଦୁ କ’ଣ ଆପଣଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ଭେଦିଯାଏ? ଆପଣ କ’ଣ ଜୀବନକୁ ଅନୁରୂପ ଭାବେ ଅନୁଭବ କରନ୍ତି? ଏକ ପ୍ରାକ୍ତନ ସହକାରୀ ଅଧ୍ୟାପକ, ସ୍ୱାମୀ, ପିତା ଓ ଜେଜେ ବାପା ହିସାବରେ ଆପଣଙ୍କ ଭିନ୍ନ ଭିନ୍ନ ବାସ୍ତବତା କିପରି ସହାବସ୍ଥାନ କରନ୍ତି?
ସବୁ କବିତା ବାସ୍ତବତାରେ ରହିଥାଆନ୍ତି । ସେମାନଙ୍କ ଉପସ୍ଥିତି ସେତେବେଳେ ହିଁ ଅନୁଭବ କରିହୁଏ, ଯେତେବେଳେ ସେମାନଙ୍କ ସମୟ ଆସେ । ଯେପରିକି ଶୁଆମାନେ ଗଛଗୁଡ଼ିକ ସହିତ ଏକାକାର ହୋଇଯିବା ଏବଂ ସେମାନଙ୍କର ମୂଳତତ୍ତ୍ୱ ସବୁଜ ପତ୍ରଗୁଡ଼ିକରେ ରହିଯାଇଥାଏ । ଶୁଆମାନେ ଉଡ଼ିଗଲା ପରେ ମଧ୍ୟ ସେମାନଙ୍କ ଉପସ୍ଥିତିର ଅନୁଭୂତି ଉଭେଇ ଯାଇ ନଥାଏ । ଏହି ଅନୁଭୂତି ଆହୁରି କିଛି ସମୟ ପର୍ଯ୍ୟନ୍ତ ବଳବତ୍ତର ରହେ ଏବଂ ଆମର ଅନୁଭବରେ ଅନ୍ତର୍ନିହିତ ହୋଇଯାଏ । ଏହା ଆମ ସ୍ମୃତିର ଅଂଶବିଶେଷ ହୋଇଯାଏ ଏବଂ ଏହି ସ୍ମୃତିରୁ ଆହୁରି ଅନେକ ସ୍ମୃତିର ସୃଷ୍ଟି ହୁଏ ।
ସେସବୁ ଦିନଗୁଡ଼ିକରେ ଜଣେ ସହକାରୀ ଅଧ୍ୟାପକ ହେବା ମୋର ଦୈନିକ ଦିନଚର୍ଯ୍ୟାର ଏକ ଅଂଶବିଶେଷ ଥିଲା । ଏବେ ସେଗୁଡ଼ିକ କେବଳ ମୋ ସ୍ମୃତିର ରାଜ୍ୟରେ ଅଛି । ବାସ୍ତବରେ ଅତୀତ କେବେହେଲେ ବାସ୍ତବରେ ଅତିକ୍ରାନ୍ତ ହୁଏ ନାହିଁ । ଗୋଟିଏ ଜାଗାରେ ଜମା ହୋଇ ରହେ, ମନେ ପକାଯିବାକୁ ଅପେକ୍ଷା କରେ । ଅତୀତର ‘ମୁଁ’ଟିଏ ମଧ୍ୟ ଅଛି । ସେହି ଅତୀତର ‘ମୁଁ’ ଏବେ ମଧ୍ୟ ସେହି ସମୟର ଲୋକମାନଙ୍କ ସ୍ମୃତିରେ ସେମାନଙ୍କର ନିଜ ନିଜ ଢଙ୍ଗରେ ବିଦ୍ୟମାନ ରହିବା ଜାରି ରଖିଛି । ସମୟ ସବୁବେଳେ ଉପସ୍ଥିତ ଅଛି । କିନ୍ତୁ ଏହି ସମୟ ହିଁ ଆମକୁ ଅତିକ୍ରମ କରି ଚାଲିଯାଏ । ଆମର ପ୍ରତ୍ୟେକଟି ମୁହୂର୍ତ୍ତମାନ, ଯେଉଁଗୁଡ଼ିକ ଆମର ବର୍ତ୍ତମାନରେ ଠୁଳ ହୋଇଥିଲେ, ଅତୀତକୁ ଖସି ଯାଉଛନ୍ତି । ଅନୁରୂପ ଭାବେ ଆମ ଭବିଷ୍ୟତର ମୁହୂର୍ତ୍ତମାନ ନିରନ୍ତରଭାବେ ଆମ ବର୍ତ୍ତମାନର ରତ୍ନ ଭଣ୍ଡାରରେ ଯୋଡ଼ି ହେଉଛନ୍ତି ।
ବର୍ତ୍ତମାନ ହେଉଛି ଏକ ଅଦ୍ଭୁତ ପ୍ରକାରର ସମୟ, ଯେଉଁଠାରେ ଆମେମାନେ ସମକାଳୀନ ଭାବେ ବଞ୍ଚୁଛେ ଏବଂ ଅତିକ୍ରମ କରୁଛେ । ଗୋଟିଏ ପିତା ଓ ସ୍ୱାମୀର ଜୀବନ ହେଉଛି ଲାଳନପାଳନ ସହିତ ଦାୟିତ୍ୱପୂର୍ଣ୍ଣ ଭାବରେ ଜୀବିକାର୍ଜନ କରିବାର ଗୋଟିଏ ଜୀବନ! ନାତିନାତୁଣୀଙ୍କ ଭିତରେ ଜୀବନ କାଟିବା ହେଉଛି ଅତୀତର ଆବେଗରେ ବର୍ତ୍ତମାନର ଖୁସିରେ ବଞ୍ଚିବା ପାଇଁ ଜୀବନକୁ ଉପଭୋଗ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ । ଏସବୁ ମିଶି ଦୈନନ୍ଦିନ ଜୀବନ ।
ବାସ୍ତବରେ ଚିନ୍ତା କରିବାର ପ୍ରକ୍ରିୟା ଆମର ନିତିଦିନିଆ କାମ ସହ ଛନ୍ଦିହୋଇ ରହିଥାଏ । ଜୀବନରେ ଆମେ କେବେହେଲେ ଆଶଙ୍କା କରି ନଥିବା ବିପଦ ମଧ୍ୟ ଆସିଥାଏ । ‘ଭଗବାନ’ ଶବ୍ଦ ଏବଂ ତାଙ୍କର ଉପସ୍ଥିତି ମାନବ ସମାଜର କଳ୍ପନାପ୍ରସୂତ ସୃଷ୍ଟି । ମୁଁ ମୋ କଳ୍ପନାରେ ଯାହାକିଛି ସୃଷ୍ଟି କରେ ତାହା ମୋର ସତ୍ୟ- ସେହି ବାସ୍ତବତା ଯାହା ସମ୍ପର୍କରେ ମୁଁ କଳ୍ପନା କରିଛି । ମୋ କବିତା, ଗଳ୍ପ ଏବଂ ଉପନ୍ୟାସଗୁଡ଼ିକ ମୋର ସୃଷ୍ଟି, ଯାହା ସହିତ ମୋର ଜୀବନ ବଞ୍ଚିବାର ଅଭିଜ୍ଞତା ଜଡ଼ିତ ଅଛି ।
ପ୍ର: ଆପଣଙ୍କର କବିତା ‘ଗୋଟିଏ ପାଞ୍ଚବର୍ଷର ଝିଅ’ରେ ଆପଣ ଲେଖିଛନ୍ତି, ‘ଏପରିକି ମୋ ଘରେ ମଧ୍ୟ ମୁଁ ମୋ ଘରକୁ ଝୁରେ ।’ ସବୁବେଳେ ଆପଣ କହିଛନ୍ତି, ଆପଣ ନିଜ ଘରେ ଲେଖିବାକୁ ପସନ୍ଦ କରନ୍ତି ଏବଂ ବାହାରକୁ ଯିବାକୁ ବା ଅଧିକାଂଶ ସମୟରେ ଯାତ୍ରା କରିବାକୁ ଆବଶ୍ୟକ ମଣନ୍ତି ନାହିଁ । ଆପଣଙ୍କ ପାଇଁ ଘରର ସଂଜ୍ଞା କ’ଣ? ଆପଣ ନିରନ୍ତର ଭାବରେ ଘରର ଭାବନାକୁ ଖୋଜିବାର କାରଣ କ’ଣ?
ମୋର ଘରର ସଂଜ୍ଞା ବେଶ୍ ସରଳ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ମୁଁ ବାସକରେ ଏବଂ ଏହି ସ୍ଥାନ ଛାଡ଼ିଦେଲେ ମୁଁ ବାହାରେ ରହିଥାଏ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ମୁଁ ବାହାରେ ରହିବା ପରେ ଫେରି ଆସିବାର ଆବେଗକୁ ଅନୁଭବ କରିଥାଏ । ତେଣୁ ଘର ହେଉଛି ଫେରି ଆସିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଥିବା ବ୍ୟବସ୍ଥା ଜୀବନ ଜୀଇଁବାରେ ସହାୟକ ହୋଇଥାଏ । ଏହା ହେଉଛି ମାନବସଭ୍ୟତାର ସାମାଜିକ ତଥା ସାମୂହିକ ବିକାଶର ସ୍ଥିତି ।
ଯେପରି ଘର ଗୋଟିଏ ସ୍ଥାନ, ଘରମାନଙ୍କର ସ୍ଥାନ ହେଉଛି ଗୋଟିଏ ସହର, ଗାଁ ବା ନଗରୀ ଯେଉଁଠାରେ ଲୋକମାନେ ବାସ କରନ୍ତି । ବସତି ହେଉଛି ଏପରି ଏକ ସ୍ଥାନ ଯାହା ସାରାଜୀବନ ଜୀବିକା ନିର୍ବାହରେ ସହାୟକ ହୋଇଥାଏ । ଏସବୁ ବାହାରେ ଆମେମାନେ ନାଗରିକ ମଧ୍ୟ, ଆମର ଗୋଟିଏ ଦେଶ ଅଛି ଯାହାକି ବହୁ ନଗରୀ ଓ ଗାଁ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ । ଏହା ହେଉଛି ଆମ ଭୂମି, ଏବଂ ଆମ ଦେଶବାହାରର ଭୂମି ହେଉଛି ବିଦେଶ- ଇତ୍ୟାଦି ଇତ୍ୟାଦି ।
ଏପରି ମଧ୍ୟ ହୋଇପାରେ ଯେ ଘରେ ଥାଇ ମଧ୍ୟ ଘରକୁ ଝୁରିବାର ଭାବ ମନରେ ଉଦ୍ରେକ ହୋଇଥାଏ । କେବଳ ଏକଥା ହୃଦୟଙ୍ଗମ କରିବା ଯେ ଆମେମାନେ ଗତକାଲିଠାରୁ ଏଠାରେ ରହୁଛୁ । ସେତେବେଳେ ଘରଟି ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଥିଲା ଏବଂ ଏବେ ତାହା ଭିନ୍ନ । ଆମ ଭାବନା ଏପରି ଏକ କାରଣ ତିଆରି କରିପାରେ ଯାହାକି ଆମକୁ ଘରେ ଥାଇ ମଧ୍ୟ ଘରକୁ ଝୁରିହେବାକୁ ବାଧ୍ୟ କରିଥାଏ । ମୁଁ ଯେଉଁଠି ମୋର ପିଲାଦିନ କଟାଇଛି ତାହା ଏକ ଭିନ୍ନ ସ୍ଥାନ ଥିଲା, ଏକ ଭିନ୍ନ ଗାଁ ଥିଲା । ସେ ଘର ଆଉ ନାହିଁ, ହେଲେ ତାହା ଏବେ ମଧ୍ୟ ମୋ ସ୍ମୃତିରେ ରହିଛି ।
ପ୍ର: ଉଭୟ ‘ସେହି ଲୋକଟି ଗୋଟିଏ ପଶମ କୋଟ୍ ପିନ୍ଧିଲା ଏବଂ ଗୋଟିଏ ବିଚାର ପରି ଚାଲିଗଲା’ ଏବଂ ‘କାନ୍ଥରେ ଗୋଟିଏ ଝରକା ରହୁଥିଲା’ ଦ୍ୱୟ ଆପଣଙ୍କ କବିତାର ତଥା ବହିଗୁଡ଼ିକର ଶୀର୍ଷକ ମଧ୍ୟ । ବିଶେଷ କରି ଦ୍ୱିତୀୟଟି ଏକ କାଳ୍ପନିକ ଲେଖା । ପ୍ରଥମେ କିଏ ଆସିଲା- ଶୀର୍ଷକ ଅଥବା କାହାଣୀ ଏବଂ ଚରିତ୍ର ନା ଦୃଶ୍ୟ? ଆପଣଙ୍କ କବିତାଗୁଡ଼ିକ ସାଧାରଣ ଭାବେ କେଉଁଠାରୁ ଆରମ୍ଭ ହୁଅନ୍ତି? ଆପଣଙ୍କୁ କ’ଣ ପ୍ରେରଣା ଦେଇଥାଏ?
ପ୍ରଥମେ କାହାଣୀ, ତା’ପରେ ଶୀର୍ଷକ ଆସିଲା । ଗୋଟିଏ ଶୀର୍ଷକ ଏହା କିପରି କାହାଣୀର ସାରକୁ ପ୍ରତିଫଳିତ କରୁଛି ସେହି ଆଧାରରେ ବର୍ଣ୍ଣିତ ହୁଏ । ବେଳେବେଳେ ଶୀର୍ଷକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୋର କବିତାଗୁଡ଼ିକର ଶୀର୍ଷକ ନ ଥାଏ, ମାତ୍ର କବିତା ସଂକଳନ ପାଇଁ ସୂଚୀପତ୍ର ପ୍ରସ୍ତୁତି ବେଳେ କବିତାର ପ୍ରଥମ ଧାଡ଼ିଟିକୁ ଏହାର ଶୀର୍ଷକ ବୋଲି ଧରି ନିଆଯାଏ । କାହାଣୀ ଅନୁଯାୟୀ ଚରିତ୍ରମାନେ ଆସନ୍ତି । ଏବଂ ସେମାନଙ୍କର ବ୍ୟକ୍ତିତ୍ୱ, ସେମାନଙ୍କର ଚେହେରା, ବୈଶିଷ୍ଟ୍ୟ ଏବଂ ବ୍ୟବହାରକୁ ଧ୍ୟାନରେ ରଖି ଲେଖାଯାଏ । ପରବର୍ତ୍ତୀ କାଳରେ ପାଠକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଧାରା ସ୍ଥାପନ କରାଯାଏ ।
ଗଳ୍ପ, କବିତା ଓ ଉପନ୍ୟାସ ଲେଖିବାର ଶୈଳୀସବୁ, ସମୟର ଆରମ୍ଭରୁ ଏହି ଧାରାସବୁ ଅବଲମ୍ବନ କରାଯାଇ ଆସୁଛି । ଏହି ଶୈଳୀକୁ ପୂର୍ବର ତଥା ମୋର ସମସାମୟିକ ଲେଖକମାନେ ଅନୁସରଣ କରି ଆସିଛନ୍ତି । କବିତା ହେଉଛି ରୂପକ ଓ ଚିତ୍ରକଳ୍ପର ବ୍ୟବହାର ଦ୍ୱାରା ସ୍ୱଳ୍ପ ଶବ୍ଦରେ ଭାବ ପ୍ରକାଶ କରିବାର ମାଧ୍ୟମ । ଉପନ୍ୟାସ ହେଉଛି ଏକ ଦୀର୍ଘ କାର୍ଯ୍ୟ, ଏଥିରେ ଅଧିକସଂଖ୍ୟକ ପୃଷ୍ଠା ଥାଏ । ଏହା ହେଉଛି ମୋର ଅବଧାରଣା ।
ମୁଁ ଭବିଷ୍ୟତରୁ ମୋର ପ୍ରେରଣା ପାଏ । ମୋ ଆଶାରେ ଭବିଷ୍ୟତ ଭର୍ତ୍ତି ହୋଇ ରହିଛି । ତେଣୁ ଲେଖିବା ସକାଶେ ତଥାକଥିତ ପ୍ରେରଣା ସମ୍ପର୍କରେ ମୁଁ କ’ଣ କହିବି? ପ୍ରଥମତଃ, ଆମେମାନେ ଗୋଟିଏ ଘଟଣା ବା ଗୋଟିଏ ଅବଧାରଣା ସମ୍ପର୍କରେ ଆମେ ହିଁ ଆମମାନଙ୍କୁ ପ୍ରେରିତ କରିଥାଉ । ଏପରି ଗୋଟିଏ ଘଟଣା ବା ଅବଧାରଣା ସମ୍ପର୍କରେ ଯାହା ବିଷୟରେ ଲେଖିବା ପୂର୍ବ ପର୍ଯ୍ୟନ୍ତ ଆମେ କିଛିହେଲେ ଜାଣିନାହୁଁ । ଏହାପରେ ଆମେ ଯାହା ଲେଖିଥାଉଁ ତାହାହିଁ ଆମକୁ ଅନୁପ୍ରାଣିତ କରିଥାଏ । ଆମ ଚିନ୍ତାଧାରା ମଧ୍ୟରେ ନୂଆ ବିଚାର ସୃଷ୍ଟି କରିଥାଏ । ଏପରିକି ସୃଜନର ଚରିତ୍ରମାନେ ମଧ୍ୟ ସେମାନଙ୍କର କାର୍ଯ୍ୟକଳାପ ଓ ବ୍ୟବହାର ମାଧ୍ୟମରେ ଆମମାନଙ୍କୁ ଅନୁପ୍ରାଣିତ କରିଥାଏ ।
ପ୍ର: ଆପଣଙ୍କ କାର୍ଯ୍ୟରେ ଯଥେଷ୍ଟ ବିମୂର୍ତ୍ତତା ରହିଥାଏ । ଏହା ଏତେ ଅଧିକ ଯେ ଅନେକ ସମୟରେ ଜଣେ ଏହାକୁ ଜାଣିବା ପୂର୍ବରୁ ‘ଆଜି’ ପ୍ରକୃତରେ ଗତକାଲି ହୋଇଯାଏ, ଏବଂ ସେହିପରି ‘ଆସନ୍ତାକାଲି’ଆଜି ହୋଇଯାଏ । ରାତ୍ରକାଳରେ ସବୁକିଛିର ଆକାର ରାତି ଭଳି ଏବଂ ଅନ୍ଧାର ଯାହା ସ୍ପର୍ଶକରେ ତାହାକୁ ହିଁ ଆକାର ଦିଏ । ଆପଣଙ୍କ କବିତାଗୁଡ଼ିକରେ ଆପଣ ଘଡ଼ିର କଣ୍ଟା ବ୍ୟବହାର କରି ସମୟକୁ ମାପନ୍ତି ନାହିଁ, ବରଂ ଏହା ବଦଳରେ ଆପଣ ଗଛରୁ ପତ୍ର ଝଡ଼ିବା ସହିତ ଏହାକୁ ପର୍ଯ୍ୟାୟବାଚୀ କରିଦିଅନ୍ତି । ତେବେ, ଆମେ କ’ଣ ଏକଥା ଅନୁମାନ କରିପାରିବା ଯେ ଆପଣଙ୍କର ଅନେକଗୁଡ଼ିଏ କୃତି ବିମୂର୍ତ୍ତତା ଉପରେ ପର୍ଯ୍ୟବସିତ? ଆପଣ ସମୟକୁ କିପରି ବୁଝନ୍ତି? ଆପଣଙ୍କ ବିଚାରରେ ସମୟ ରୈଖିକ ନା ଅରୈଖିକ?
ମୋର କେତେକ କାର୍ଯ୍ୟ ବିମୂର୍ତ୍ତତା ଚାରିକଡ଼େ ଘୁରି ବୁଲୁଥାଏ, ସେ କଥାକୁ ମୁଁ ଅସ୍ୱୀକାର କରୁନାହିଁ । ‘ଆଜି’ ପ୍ରକୃତରେ ଗତକାଲି ହୋଇଯାଏ, ଏବଂ ସେହିପରି ‘ଆସନ୍ତାକାଲି’ ଆଜି ହୋଇଯାଏ । ଏହା ହିଁ ସମୟର ସତ୍ୟ । ସମୟ ଭିନ୍ନ ଭିନ୍ନ ସତ୍ୟରେ ପରିପୂର୍ଣ୍ଣ । ପୂର୍ବ ପ୍ରଶ୍ନର ଉତ୍ତର ଦେବାବେଳେ ମଧ୍ୟ ମୁଁ ଏ ସମ୍ପର୍କରେ କହିଛି । ଜୀବନରେ ସମୟର ସତ୍ୟତା ବିଷୟରେ ମଧ୍ୟ ଭ୍ରମ ରହିଛି ଏବଂ ଯାହା ପ୍ରକୃତରେ ଏକ ଭ୍ରମ । ତାହା ବେଳେବେଳେ ଏକମାତ୍ର ସତ୍ୟ ବୋଲି ଅନୁଭବ ହୁଏ । ଏହିପରି ଭାବରେ ସମୟ ବିଭିନ୍ନ ବିରୋଧାଭାସରେ ପରିପୂର୍ଣ୍ଣ, କିନ୍ତୁ ଏହାସତ୍ତ୍ୱେ ଏଥିରେ ଏକ କ୍ରମ ରହିଛି ।
ପ୍ର: ଆପଣଙ୍କ କବିତା କେବେ କାହାଣୀର ରୂପ ନେଇଛି କି? କିମ୍ବା ଏପରି ହୋଇଛି କି ଯେ ଗୋଟିଏ ବିଚାର ଯାହା ପ୍ରଥମେ ମନେ ହେଉଥିଲା ଯେ ଏହାର କାହାଣୀଟିଏ ହେବାର ସମ୍ଭାବନା ରହିଛି ବୋଲି, ମାତ୍ର ଲେଖିବା ପ୍ରକ୍ରିୟାରେ ଏହା ଏକ କବିତାରେ ରୂପାନ୍ତରିତ ହୋଇଛି? ଏହି ଦୁଇଟି ରୂପ ପରସ୍ପର କ୍ଷେତ୍ରରେ ହସ୍ତକ୍ଷେପ କରନ୍ତି କି? କିମ୍ବା କିଛି ଅଂଶ ଉଭୟ ରୂପରେ ସମାନ ଭାବରେ ଉଭା ଥାଏ? ଆପଣ କିପରି ଏକଥା ସ୍ଥିର କରନ୍ତି ଯେ ଗୋଟିଏ ବିଚାର କାହାଣୀଟିଏ ହେବ ଅଥବା କବିତାଟିଏ? ଆପଣଙ୍କ ଅର୍ନ୍ତଜ୍ଞାନ କ’ଣ ଆପଣଙ୍କୁ ଏହି ନିଷ୍ପତ୍ତି ନେବାର ସାହାଯ୍ୟ କରିଥାଏ?
ମୋର କୌଣସି କବିତା ଗଳ୍ପରେ ପରିଣତ ହୋଇନାହାନ୍ତି । କିନ୍ତୁ ଗଳ୍ପ ଲେଖିବାବେଳେ କେତେକ ଶବ୍ଦ ଓ ବାକ୍ୟ, ତାହା ଅଧାଗଢ଼ା ହୋଇଥାଉ ଅଥବା ସାମଗ୍ରିକତାର ସହ ହୋଇଥାଉ, ହଠାତ୍ ଉଭା ହୋଇଥାଆନ୍ତି । ସେହି ମୁହୂର୍ତ୍ତଗୁଡ଼ିକରେ, ମୋ ମନରେ କବିତା ଲେଖିବାର ଇଚ୍ଛା ଜାଗ୍ରତ ହୋଇଥାଏ । ସୃଜନଶୀଳତା ହିଁ ନିର୍ଣ୍ଣୟ କରିଥାଏ ଯେ କ’ଣ ଏହା ଏକ କବିତା ହୋଇପାରିବ । ଗୋଟିଏ କବିତାର ସୃଜନ ଏବଂ ଲିଖିତ ଶବ୍ଦରେ ଏହାକୁ ପରିପ୍ରକାଶିତ କରିବା ଏକ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁସରଣ କରି ନଥାଏ । ପ୍ରତ୍ୟେକ କବିତା ବା ସୃଷ୍ଟି ଏହା ସହ ନିଜସ୍ୱ ସୃଜନଶୀଳ ପ୍ରକ୍ରିୟା ଆଣିଥାଏ । ଥରଟିଏ କବିତାଟି ଶେଷ ହୋଇଗଲେ ସୃଜନ ପ୍ରକ୍ରିୟାଟି ମଧ୍ୟ ଶେଷ ହୋଇଥାଏ ।
ପ୍ର: ଆପଣଙ୍କ ଲେଖାରେ ଏକ ଅନ୍ତର୍ଜ୍ଞାନ ରହିଥାଏ । ଆପଣଙ୍କ ସମାଲୋଚକମାନେ ମଧ୍ୟ ସମ୍ମାନର ସହ ସ୍ୱୀକାର କରନ୍ତି । ଆପଣଙ୍କର କାହାଣୀ ଓ କବିତାଗୁଡ଼ିକ ସେହି ଅନ୍ତଃଜ୍ଞାନକୁ ଅନୁଭବ କରାଇଥାଏ । ଏପରି ପ୍ରତୀୟମାନ ହୋଇଥାଏ ଯେପରିକି ଆପଣ ପ୍ରତ୍ୟେକ ଚରିତ୍ର ଏବଂ ଉପାଦାନକୁ ଆପଣଙ୍କ କବିତା ମଧ୍ୟରେ ଏପରି ଜୀବନ୍ତ ହେବାକୁ ଅନୁମତି ଦିଅନ୍ତି ଯାହା ମୂର୍ତ୍ତ ଓ ଅମୂର୍ତ୍ତ ମଧ୍ୟରେ ଥିବା ସୀମାରେଖାକୁ ଅସ୍ପଷ୍ଟ କରିଦିଏ । ଆପଣଙ୍କ ଲେଖାରେ ଅନ୍ତର୍ଦୃଷ୍ଟିର ଭୂମିକା ବିଷୟରେ ଆପଣ କହିପାରିବେ?
ଅନ୍ତଃଜ୍ଞାନ ହେଉଛି ସେହି ଚାଲୁଣି ଯାହାକି ଗୋଟିଏ କବିତାକୁ କବିତାର ଆକାର ଦେବାର ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ । ଏପରି ବହୁପ୍ରକାରର ଜଣା ଓ ଅଜଣା ଚାଲୁଣିମାନ ରହିଛି ଯେଉଁଗୁଡ଼ିକ ଗୋଟିଏ କବିତା ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି । ମୁଁ ନିଜେ ସେ ସବୁଗୁଡ଼ିକ ସମ୍ପର୍କରେ ଜାଣି ନାହିଁ ।
ପ୍ର: ଆପଣ କେମିତି ସ୍ଥିର କରନ୍ତି ଯେ ଗୋଟିଏ କବିତା ତା’ର ଶେଷ ଧାଡ଼ିରେ ପହଞ୍ଚି ସାରିଛି ବୋଲି? ବୋଧହୁଏ କବିତା ନିଜେ ହିଁ ନିଷ୍ପତ୍ତି କରେ ଯେ ଏହା ଶେଷ ହୋଇଛି ନା ନାହିଁ । ତେବେ, ମୁଁ ଅନେକ ଥର କହିଛି ଯେ, ଗୋଟିଏ କବିତା ଲେଖିବା ପାଇଁ ମୁଁ ସାରା ଜୀବନ ମଧ୍ୟ ବିତାଇ ଦେଇପାରେ । ଆମେ ଜୀବନରେ ଯାହାକିଛି ବି ଲେଖୁ, ତାହା କବିତା, ଗୋଟିଏ ଉପନ୍ୟାସ ବା ଗଳ୍ପ ହୋଇଥାଉ, ସବୁକିଛି ସେହି ଗୋଟିଏ ରୂପରୁ ଉତ୍ପନ୍ନ । ଆପଣ ପ୍ରାୟତଃ ଆପଣଙ୍କର କଳ୍ପନାରୁ ଲେଖନ୍ତି ଅଥବା ସ୍ମୃତିରୁ ଲେଖନ୍ତି? ଆପଣଙ୍କ ବିଚାରରେ ଏ ଦୁଇଟି ମଧ୍ୟରେ ସମ୍ପର୍କ କ’ଣ?
ଲେଖିବା ପାଇଁ ଜୀବନକୁ ଅନୁଭବ କରିବା ଏବଂ ସ୍ମୃତି ଉଭୟେ ଗୁରୁତ୍ୱପୂର୍ଣ୍ଣ । ଆମ ଚିନ୍ତାରେ ଆମେ ଧୀରେ ଧୀରେ କଳ୍ପନା ଆଡ଼କୁ ଘୁଞ୍ଚି ଘୁଞ୍ଚି ଯାଉ । ଆମ କଳ୍ପନା ହିଁ ଆମର ସତ୍ୟ । ସୃଜନ କରିବା କଥା ଆସିଲେ କଳ୍ପନା ହିଁ ସୃଜନଶୀଳତାର ଅନ୍ତର୍ନିହିତ ସାର ।
ପ୍ର: ଆପଣଙ୍କର ଲେଖା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ କିଛି କୁହନ୍ତୁ । ଆପଣ ଲେଖିବା ସଙ୍ଗେ ସଙ୍ଗେ ସଂଶୋଧନ କରିଚାଲନ୍ତି କିମ୍ବା ଡ୍ରାଫ୍ଟ ପ୍ରସ୍ତୁତ କରିସାରିବା ପରେ ଅଧିକାଂଶ ସଂଶୋଧନ କାର୍ଯ୍ୟ ହୋଇଥାଏ ।
ଯେ ପର୍ଯ୍ୟନ୍ତ ଲେଖାଟି ପ୍ରକାଶିତ ହୋଇନାହିଁ, ସେ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟ ଚାଲିଥାଏ । ଲେଖାକୁ ସଜାଡ଼ିବା ଏକ ଲାଗି ରହିଥିବା ପ୍ରକ୍ରିୟା ।
ପ୍ର: କ’ଣ ସଂଳାପ ଗଦ୍ୟକୁ ନିର୍ଦ୍ଦେଶିତ କରିଥାଏ, ଅଥବା ଏହାର ଓଲଟା ହୋଇଥାଏ?
ସଂଳାପ ଗଦ୍ୟକୁ ନିର୍ଦ୍ଦେଶିତ କରିଥାଏ ଏବଂ ଗଦ୍ୟ ମଧ୍ୟ ସଂଳାପ ସ୍ଥିର କରିଥାଏ ।
Comments
0 comments