ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍ସିଇଆର୍ଟି ପକ୍ଷରୁ ପ୍ରକାଶିତ ନବମ ଓ ଦଶମ ଶ୍ରେଣୀର ବିଜ୍ଞାନ ପାଠ୍ୟପୁସ୍ତକରୁ ବୈଜ୍ଞାନିକ ଚାର୍ଲସ୍ଡାରଉଇନ୍ ଙ୍କ ‘ବିବର୍ତ୍ତନବାଦ’ ସମ୍ପର୍କିତ ବିଷୟଟିକୁ ହଟେଇବାକୁ ନେଇ ଦେଶର ବୌଦ୍ଧିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜ୍ଞାନ ପାଠ୍ୟପୁସ୍ତକରୁ ଡାରଉଇନଙ୍କ ବିବର୍ତ୍ତନବାଦକୁ ଏଭଳି ହଟେଇ ଦେବାକୁ ଦେଶର ବୈଜ୍ଞାନିକ ଓ ଶିକ୍ଷାବିତ୍ମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଦେଶର ବିଭିନ୍ନ ଆଇଆଇଟି, ଆଇଜର ତଥା ବିଶ୍ୱବିଦ୍ୟାଳୟର ଦୁଇ ହଜାରରୁ ଉର୍ଦ୍ଧ ଗବେଷକ, ବୈଜ୍ଞାନିକ ଓ ପ୍ରଫେସର ଏହାର ପ୍ରତିବାଦ କରିବା ସହ ପାଠ୍ୟପୁସ୍ତକରେ ପୂର୍ବପରି ତାକୁ ଅବ୍ୟାହତ ରଖିବାକୁ ଦାବି କରି ସରକାରଙ୍କୁ ଚିଠି ଦେଇଛନ୍ତି । ସେମାନଙ୍କ ବ୍ୟତୀତ ଦେଶର ବିଭିନ୍ନ ବିରୋଧି ଦଳ, ଛାତ୍ର ସଂଗଠନ, ବିଜ୍ଞାନ ତଥା ହେତୁବାଦୀ ସଙ୍ଗଠନମାନେ ମଧ୍ୟ ଏହି ନିଷ୍ପତ୍ତି ବିରୁଦ୍ଧରେ ନିଜ ନିଜର ଅସନ୍ତୋଷ ଜଣାଇଛନ୍ତି ।
ଯଦିଓ ଉଭୟ ଏନସିଇଆରଟି ଓ ସରକାରଙ୍କ ପକ୍ଷରୁ କୋଭିଡ ମହାମାରୀ ହେତୁ ପାଠ୍ୟକ୍ରମକୁ “ଯୁକ୍ତିସଙ୍ଗତ’ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ପାଠର ବୋଝକୁ ହ୍ରାସ କରିବାକୁ ଏପରି କରାଯାଇଛି ବୋଲି ସ୍ପଷ୍ଟୀକରଣ ଦିଆଯାଇଛି କିନ୍ତୁ ତାହା ସାଧାରଣରେ ବିଶ୍ୱାସ ସୃଷ୍ଟି କରିପାରିନି । କାରଣ ଇତିମଧ୍ୟରେ କୋଭିଡ଼ ମହାମାରୀ ଯିବାର ଅନେକ ଦିନ ହୋଇଯାଇଛି ଏବଂ ସ୍କୁଲ, କଲେଜରେ ପିଲାଙ୍କ ପାଠପଢ଼ା ବି ସ୍ୱାଭାବିକ ହୋଇସାରିଛି । ଏଭଳି ସ୍ଥଳେ କୋଭିଡ଼ ଆଳରେ ଏନସିଇଆରଟିର ଏଭଳି ପଦକ୍ଷେପ ନିଶ୍ଚିତ ରୂପେ ହାସ୍ୟାସ୍ପଦ ମନେହୁଏ । ବରଂ କୋଭିଡ଼୍ ଆଳରେ ସରକାର ଯେ ପାଠ୍ୟପୁସ୍ତକରେ ନିଜର ରାଜନୈତିକ ଏଜେଣ୍ଡାକୁ ଲଦି ଦେବାକୁ ଚାହୁଁଛନ୍ତି, ସେକଥା ସ୍ପଷ୍ଟ ଜଣାପଡ଼ୁଛି । ଏହାପୂର୍ବରୁ ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକରେ ବି ସରକାର ନିଜର ରାଜନୈତିକ ଦୃଷ୍ଟିଭଙ୍ଗୀର ଆଧାରରେ ଅନେକ ବିଷୟକୁ ବାଦ ଦେଇଥିବା ବେଳେ ବର୍ତ୍ତମାନ ବିଜ୍ଞାନ ପୁସ୍ତକରୁ ବାଦ ପଡ଼ିଥିବା ଅଂଶ ଓ ବିଷୟକୁ ଦେଖିଲେ ସରକାର କୌଣସି ଯୁକ୍ତିସଙ୍ଗତ କାରଣରୁ ନୁହେଁ ବରଂ ନିଜର ରୁଢ଼ିବାଦୀ ଓ ସାମ୍ପ୍ରଦାୟିକ ବିଚାର ଅନୁରୂପ ସେସବୁକୁ ହଟେଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ଜୀବସୃଷ୍ଟି ସମ୍ପର୍କରେ ବ୍ରିଟିଶ ବେଜ୍ଞାନିକ ଚାର୍ଲସ୍ ଡାରଉଇନ୍ ଙ୍କ ବିବର୍ତ୍ତନବାଦର ତତ୍ତ୍ୱ ବିଶ୍ୱର ବିଜ୍ଞାନ ଓ ଧର୍ମ ଜଗତରେ ଏକଦମ୍ ଚହଳ ସୃଷ୍ଟି କରିଥିଲା । ୧୮୩୧ ମସିହାରେ ଇଂଲଣ୍ଡର ରୟାଲ ନୌବାହିନୀର ପର୍ଯ୍ୟବେକ୍ଷଣ ଜାହାଜ ଏଚ୍ଏମ୍ଏସ୍ ବିଏଗ୍ଳିରେ ଜଣେ କ୍ୟାବିନ୍ ସହାୟକ ଭାବେ ସେ ବିଶ୍ୱର ଅନେକ ଦେଶ ପରିଭ୍ରମଣ କରିଥିଲେ । ମାତ୍ର ୨୨ ବର୍ଷ ବୟସରେ ଜଳଯାତ୍ରା ଆରମ୍ଭ କରିବାବେଳେ ତାଙ୍କର ବାଇବେଲରେ ବର୍ଣ୍ଣିତ ସୃଷ୍ଟିତତ୍ତ୍ୱ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । କିନ୍ତୁ ସମୂଦ୍ରରେ ଦୀର୍ଘ ଆଠ ବର୍ଷ ଧରି ସୁଦୀର୍ଘ ୪୦ ହଜାର କି.ମିରୁ ଅଧିକ ଦୂରତା ଯାତ୍ରା ସମୟରେ ସେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରକୃତିର ରହସ୍ୟକୁ ଦେଖୁ ଦେଖୁ ଜଣେ ବସ୍ତୁବାଦୀ ଦାର୍ଶନିକରେ ରୂପାନ୍ତରିତ ହୋଇଯାଇଥିଲେ । ଏହି ଯାତ୍ରା ହିଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ପ୍ରକୃତିବିଜ୍ଞାନୀ ହିସାବରେ ପରିଚିତ କରିଥିଲା ।
ତେବେ ବୈଜ୍ଞାନିକ ଡାରଉଇନ୍ ଙ୍କ ବିବର୍ତ୍ତନ ତତ୍ତ୍ୱଟି ଆଦୌ କଳ୍ପନା -ପ୍ରସୂତ ନଥିଲା । ଲଗାତାରଭାବେ ପରୀକ୍ଷା, ପର୍ଯ୍ୟବେକ୍ଷଣ ଓ ସେଥିରୁ ସିଦ୍ଧାନ୍ତକୁ ବାହାର କରିବାର ବୈଜ୍ଞାନିକ ପ୍ରକ୍ରିୟା ଜରିଆରେ ହିଁ ସେ ଶେଷରେ ସତ୍ୟରେ ଯାଇ ଉପନୀତ ହୋଇଥିଲେ । ଜଳଯାତ୍ରାରୁ ଫେରିବା ପରେ ଦୀର୍ଘ ଦୁଇ ଦଶକ ଧରି ଗବେଷଣା କରି ବିପୁଳ ପରିମାଣର ତଥ୍ୟ ଓ ଯୁକ୍ତି ଦେଇ ତାଙ୍କର ପ୍ରଥମ ପୁସ୍ତକ ‘ପ୍ରାକୃତିକ ଚୟନ ଜରିଆରେ ପ୍ରଜାତିର ସୃଷ୍ଟି’କୁ ପ୍ରସ୍ତୁତ କରିଥିଲେ । ସାରା ବିଶ୍ୱର ବୌଦ୍ଧିକ ଜଗତରେ ଏହି ପୁସ୍ତକ ଏକଦମ୍ ଚହଳ ସୃଷ୍ଟି କରିଥିଲା । ପୃଥିବୀରେ ଥିବା ବିଭିନ୍ନ ଧର୍ମର ବିଶେଷ କରି ବାଇବେଲ ଦ୍ୱାରା ପ୍ରଚାରିତ ‘ପ୍ରଜାତି ଅପରିବର୍ତ୍ତନଶାଳୀ ଓ ଈଶ୍ୱରଙ୍କ ସୃଷ୍ଟି’ ବୋଲି ସେଯାଏଁ ରହିଥିବା ଭାବବାଦୀ ଧାରଣାକୁ ଏହି ତତ୍ତ୍ୱ ଏକ ଶକ୍ତ ଆଘାତ ଦେଇ ଦୋହଲାଇ ଦେଇଥିଲା । ନିର୍ଜୀବ ବସ୍ତୁଠାରୁ ସଜୀବ ବସ୍ତୁ, ଏକକୋଷୀ ପ୍ରାଣୀଠାରୁ ବହୁକୋଷୀ ପ୍ରାଣୀ, ଜଳଠାରୁ ସ୍ଥଳ ସବୁ ଜାଗାରେ କିପରି ପ୍ରାଣର ବିସ୍ତାର ହୋଇଛି, ତାର ଏକ ବୈଜ୍ଞାନିକ ବ୍ୟାଖ୍ୟା ଦେବାରେ ଡାରଉଇନ୍ ଙ୍କ ଉପରୋକ୍ତ ପୁସ୍ତକ ଏକ ଶକ୍ତିଶାଳୀ ପ୍ରୟାସ କରିଥିଲା ।
ତେବେ ଡାରଉଇନ୍ ଙ୍କ ବିବର୍ତ୍ତନବାଦରେ ରହିଥିବା ସୃଷ୍ଟି ତତ୍ତ୍ୱକୁ ବିରୋଧଟି ନୂଆ ନୁହେଁ । ଯୁକ୍ତି, ତଥ୍ୟ ଓ ପ୍ରମାଣର ଆଧାରରେ ଦୁନିଆର ଧର୍ମ ଓ ବିଜ୍ଞାନ ଜଗତକୁ ଏକଦମ୍ ଓଲଟ ପାଲଟ କରି ଦେଇଥିବା ଏହି ତତ୍ତ୍ୱକୁ ଅତୀତରେ ବିଭିନ୍ନ ଧର୍ମର ଧର୍ମାଧୀଶ ଓ ସେମାନଙ୍କୁ ସମର୍ଥନ କରୁଥିବା ରାଜନେତାମାନଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । କାରଣ ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି ବୋଲି ଧର୍ମ କହୁଥିବାବେଳେ ଡାରଉଇନଙ୍କ ବିବର୍ତ୍ତନବାଦ ଏକ ଲମ୍ବା ବିବର୍ତ୍ତନ ପ୍ରକ୍ରିୟା ଦେଇ ଏକକୋଷୀ ପ୍ରାଣୀରୁ ଆଜି ମଣିଷ ପରି ବହୁକୋଷୀ ପ୍ରାଣୀରେ ଉଦ୍ଭବ ହୋଇଛି ବୋଲି ପ୍ରମାଣ କରିଥିଲା । ବିବର୍ତ୍ତନବାଦର ଏହି ତତ୍ତ୍ୱଟି ଜୀବ ବିଜ୍ଞାନର ମାନକ ସାହିତ୍ୟ (standard literature in the biological sciences)ର ଅଂଶବିଶେଷ ହୋଇଆସିଛି । ଅବଶ୍ୟ ବିଜ୍ଞାନର କୌଣସି ବି ତତ୍ତ୍ୱ ଅପରିବର୍ତ୍ତନଶୀଳ ବା Dogma ନୁହେଁ । ନୂତନ ପ୍ରମାଣର ଆଧାରରେ ଯେକୌଣସି ସ୍ଥାପିତ ବୈଜ୍ଞାନିକ ତତ୍ତ୍ୱକୁ ଖାରଜ୍ କିମ୍ବା ମିଥ୍ୟା ବି ପ୍ରମାଣିତ କରାଯାଇପାରେ । କିନ୍ତୁ ଯେଉଁମାନେ ଏହି ତତ୍ତ୍ୱକୁ ଭୁଲ ବୋଲି ଦାବୀ କରୁଛନ୍ତି, ସେମାନେ ଏହାକୁ କାଟିଲା ଭଳି କୌଣସି ବୈଜ୍ଞାନିକ ପ୍ରମାଣ ବା ତଥ୍ୟ ଏଯାଏଁ ଦେଇପାରି ନାହାଁନ୍ତି ।
ଏଠାରେ କହିବା ଉଚିତ ହେବ ଯେ ଡାରଉଇନ୍ ଙ୍କ ସିଦ୍ଧାନ୍ତକୁ ନେଇ କେନ୍ଦ୍ର ସରକାର କିମ୍ବା କ୍ଷମତାରେ ଥିବା ଭାଜପା କିମ୍ବା ତା’ର ସହଯୋଗୀ ଆର୍ଏସ୍ଏସର ବିରୋଧଟି ଆଦୌ ନୂଆ ନୁହେଁ । ୨୦୧୮ ମସିହାରେ ତକ୍ରାଳୀନ କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ଉଭୟ ସଂସଦ ଓ ବାହାରେ ଦୁଇ ଦୁଇଥର ବିବୃତ୍ତି ଦେଇ ଡାରଉଇନ୍ ଙ୍କ ବିବର୍ତ୍ତନବାଦର ସିଦ୍ଧାନ୍ତକୁ ଭୁଲ ବୋଲି ଖୋଲାଖୋଲି ଭାବେ କହିଥିଲେ । ଯେହେତୁ ମଣିଷମାନେ ପୃଥିବୀରେ ସର୍ବଦା ମଣିଷ ଭାବରେ ହିଁ ବିଦ୍ୟମାନ ରହିଛନ୍ତି ଏବଂ କୌଣସି ମାଙ୍କଡ଼ ମଣିଷରେ ରୂପାନ୍ତରିତ ହେବା କଥାକୁ କେହି କେବେ ଆଖିରେ ଦେଖିନାହାଁନ୍ତି, ତେଣୁ ଏହି ସିଦ୍ଧାନ୍ତଟି ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଯୁକ୍ତିକରି ସେ ସ୍କୁଲ ଏବଂ କଲେଜ ପାଠ୍ୟକ୍ରମରୁ ବି ଏହି ବିବର୍ତ୍ତନ ତତ୍ତ୍ୱକୁ ହଟେଇ ଦିଆଯିବା ଉଚିତ ବୋଲି ସେତେବେଳେ କହିଥିଲେ । ବୋଧହୁଏ ମାଙ୍କଡ଼ ପ୍ରଜାତିରୁ ମଣିଷ ପ୍ରଜାତି ସୃଷ୍ଟି ହେବାର ହଜାର ହଜାର ବର୍ଷର ବିବର୍ତ୍ତନ ପ୍ରକ୍ରିୟାକୁ ମନ୍ତ୍ରୀ ସ୍ୱଚକ୍ଷୁରେ ଦେଖିଥିଲେ ଯାଇ ହିଁ ବିଶ୍ୱାସ କରିଥାନ୍ତେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଗୋଟିଏ ତତ୍ତ୍ୱକୁ ଖାରଜ କଲାବେଳେ ଜଣେ ବ୍ୟକ୍ତିର ବିଜ୍ଞାନ ସମ୍ପର୍କରେ ସର୍ବନିମ୍ନ ଧାରଣାଟିଏ ରହିବା ଦରକାର ଯାହାକି ସତ୍ୟପାଲ ସିଂଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନି । ଏଥିସହିତ ବେଦରେ ସବୁ ପ୍ରଶ୍ନର ଜବାବ ରହିଛି ବୋଲି ମନ୍ତ୍ରୀ ଯେଉଁ ଦାବୀ କରିଛନ୍ତି, ତାହା ଅତିଶୟୋକ୍ତିଭରା ଯାହାକିି ପ୍ରମାଣର କଷଟିରେ ଉତ୍ତୀର୍ଣ୍ଣ ହୋଇପାରୁନି । ବରଂ ଭାରତୀୟ ବୈଜ୍ଞାନିକ ପରମ୍ପରାର ଇତିହାସ ଅଧ୍ୟୟନ ଉପରେ ଯେଉଁ ଗମ୍ଭୀର ଅନୁସନ୍ଧାନ ଚାଲିଛି, ତାକୁ ପରିହାସ କରୁଛି । କିନ୍ତୁ କେବଳ ବିବୃତ୍ତିଟିଏ ଦେଇ ନୁହେଁ ଉପଯୁକ୍ତ ପ୍ରମାଣ ଓ ସ୍ପଷ୍ଟୀକରଣର ଆଧାରରେ ହିଁ ତାକୁ ଭୁଲ ମଧ୍ୟ ପ୍ରମାଣିତ କରାଯାଇପାରେ ।
ଏଠାରେ କହିବା ଉଚିତ ହେବ ଯେ ଡାରଉଇନ୍ ଙ୍କ ବିବର୍ତ୍ତନବାଦକୁ ସ୍କୁଲ ପାଠ୍ୟକ୍ରମରୁ ହଟାଇବା ଏବଂ ତାର କିଛିବର୍ଷ ପୂର୍ବରୁ ତତ୍କାଳୀନ ମନ୍ତ୍ରୀ ସତ୍ୟପାଲ ସିଂ ବିଧିବଦ୍ଧ ବୟାନ ଦେଇ ତାକୁ ଭୁଲ ବୋଲି କହିବା ସହ ପାଠ୍ୟପୁସ୍ତକରୁ ତାକୁ ହଟାଇବାକୁ ଦାବୀ କରିବା କୌଣସି ବିଛିନ୍ନ ଘଟଣା ଆଦୌ ନୁହେଁ । ଉଭୟ କ୍ଷେତ୍ରରେ ବର୍ତ୍ତମାନ କେନ୍ଦ୍ର ସରକାରରେ ଥିବା ଭାଜପା ଓ ତାର ସମଭାବାପନ୍ନ ହିନ୍ଦୁତ୍ୱବାଦୀ ସଂଗଠନମାନଙ୍କ ବିଚାରଧାରାର ପରିପ୍ରକାଶ ଦେଖିବାକୁ ମିଳିଛି । ଅବୈଜ୍ଞାନିକ ଓ ରୁଢ଼ିବାଦୀ ରୂପେ ପରିଚିତ ଏହି ବିଚାରଧାରାର ପ୍ରବକ୍ତା ପାଲଟିଥିବା ଭାଜପାର ନେତାମାନେ ଏକ ସୁନିୟୋଜିତ ଅଭିଯାନ ଅନ୍ତର୍ଗତ ମଝି ମଝିରେ ଦେଶର ବିଜ୍ଞାନ ଓ ବୈଜ୍ଞାନିକ ବିଚାର ବିରୁଦ୍ଧରେ ଲଗାତାର ବିଭ୍ରାନ୍ତି ବୟାନବାଜି କରିବା ଦେଖାଯାଇଛି । ଭାଜପା ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ୍ ମହାଭାରତ ସମୟରେ ଭାରତରେ ଇଂଟରନେଟ୍ ଓ ଟେଷ୍ଟଟୁ୍ୟବ୍ ଶିଶୁଜନ୍ମର ପଦ୍ଧତି ରହିଥିଲା ବୋଲି ଦାବି କରିଥିବାବେଳେ ସତପାଲ ସିଂ ଉଡ଼ାଜାହାଜର ଉଦ୍ଭାବନ ରାଇଟ୍ ଭ୍ରାତାମାନେ ନୁହଁନ୍ତି ବରଂ ଶିବରାମ ବାପୁଜୀ ତଲପଦେ ନାମରେ ଜଣେ ଭାରତୀୟ କରିଥିଲେ ବୋଲି କହିଛନ୍ତି । କେଉଁ ଭାଜପା ନେତା ବିଶ୍ୱରେ ସୁପର୍ସୋନିକ୍ ଜେଟ୍ର ଉଦ୍ଭାବନର ବହୁ ପୂର୍ବରୁ ଆମ ଦେଶରେ ପୁଷ୍ପକଯାନ ଥିଲା ବୋଲି କହିଥିବାବେଳେ ରାଜସ୍ଥାନର ଜନୈକ ଭାଜପା ନେତା ପ୍ରାଣୀଜଗତରେ କେବଳ ଗାଈ ହିଁ ଏକମାତ୍ର ପ୍ରାଣୀ ଯିଏକି ତାର ପ୍ରଶ୍ୱାସରେ ଅଙ୍ଗାରକାମ୍ଳ ଗ୍ୟାସ୍ ଏବଂ ନିଶ୍ୱାସରେ ଅମ୍ଳଜାନ ଗ୍ୟାସ ଛାଡ଼ିଥାଏ ବୋଲି କହିବାକୁ ପଛେଇ ନାହାନ୍ତି । ଭାଜପା ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଏକ ସଭାରେ ଉଦ୍ବୋଧନ ଦେଇ କ୍ୟାନସର୍ ରୋଗ ପୂର୍ବଜନ୍ମର ପାପ ଯୋଗୁଁ ହିଁ ହୋଇଥାଏ ବୋଲି କହିଥିବାବେଳେ ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଫେଲ ବିମାନ ଆଣିବାକୁ ଫ୍ରାନ୍ସ୍ ଯାଇଥିବା ବେଳେ ବିମାନର ସୁରକ୍ଷା ପାଇଁ ତା’ଆଗରେ ନଢ଼ିଆ ବାଡ଼େଇବା ସହ ସେଥିରେ ଲେମ୍ବୁ ଓ କଞ୍ଚାଲଙ୍କା ଭିଡ଼ିବା ଦେଖାଯାଇଛି ।
ଅନ୍ୟମାନଙ୍କ କଥା ଛାଡ଼ନ୍ତୁ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସମାଜରେ ଅବୈଜ୍ଞାନିକ ଓ ରୁଢ଼ିବାଦୀ ବିଚାରକୁ ଖୋଲାଖୋଲି ଭାବେ ପ୍ରଚାର କରିବାରେ ପଛରେ ନାହାଁନ୍ତି । କିଛିବର୍ଷ ତଳେ ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍କୁ ଉଦ୍ଘାଟନ କରିବାବେଳେ ସେଠାରେ ଉପସ୍ଥିତ ଡାକ୍ତରମାନଙ୍କୁ ଉଦ୍ବୋଧନ ଦେଇ ସେ ଆଧୁନିକ ଚିକିତ୍ସା ବିଜ୍ଞାନକୁ କାଳ୍ପନିକ ମିଥକ୍ ଶାସ୍ତ୍ର ସହିତ ଯୋଡ଼ିବାକୁ ଚେଷ୍ଟା କରିଥିଲେ । ଭଗବାନ ଗଣେଶ ଓ ମହାଭାରତର କର୍ଣ୍ଣଙ୍କୁ ନେଇ ରହିଥିବା କାହାଣୀକୁ ଉଲ୍ଲେଖ କରି ସେ ପ୍ରାଚୀନ ଭାରତରେ ପ୍ଳାଷ୍ଟିକ୍ ସର୍ଜରୀ ଓ ଜେନେଟିକ୍ ବିଜ୍ଞାନ ରହିଥିଲା ବୋଲି ଦାବୀ କରିଥିଲେ । ଆମଦେଶରେ ପ୍ଳାଷ୍ଟିକ୍ ସର୍ଜରୀର ପ୍ରଚଳନ ଭଗବାନ ଗଣେଶଙ୍କ ସମୟରୁ ରହିଆସିଛି ବୋଲି କହିବା ସହିତ ପ୍ଳାଷ୍ଟିକ୍ ସର୍ଜନ ନଥିଲେ ଗଣେଶଙ୍କ କଟାଶରୀରରେ ହାତୀର ମୁଣ୍ଡକୁ ଲଗାଯାଇ ପାରିନଥାନ୍ତା ବୋଲି ଯୁକ୍ତି କରିଥିଲେ । ସେହିପରି ନର୍ଦ୍ଦମାରୁ ଗ୍ୟାସ୍ ବାହାର କରି କେହି ଜଣେ ଚା’ ଦୋକାନୀ ଚା’ ପ୍ରସ୍ତୁତ କରିବା କଥା ସେ ଉଲ୍ଲେଖ କରିବା ଦେଖାଯାଇଥିଲା ।
ଆମ ଦେଶର ସମ୍ବିଧାନରେ ଧାରା ୫୧(କ)(ଜ)ରେ ବୈଜ୍ଞାନିକ ମନୋଭାବର ପ୍ରଚାର ପ୍ରସାର ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । କିନ୍ତୁ ଆଜି ଅବସ୍ଥା ଏପରି ହୋଇଛି ଯେ ସମ୍ବିଧାନର ଶପଥ ନେଇ ଶାସନରେ ବସିଥିବାଲୋକେ ଅତ୍ୟନ୍ତ ନିର୍ଭୀକ ଭାବେ ଏକଦମ୍ ରୁଢ଼ିବାଦୀ ଓ ଅବୈଜ୍ଞାନିକ କଥା ସବୁ କହିଯାଉଛନ୍ତି । ଏଠାରେ କେହି ପ୍ରଶ୍ନ କରିପାରନ୍ତି ଯେ ଅବୈଜ୍ଞାନିକ ବିଶ୍ୱାସ ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଉପରୋକ୍ତ ନିଜସ୍ୱ ବୟାନକୁ ନେଇ ଆମେ ଚିନ୍ତିତ ହେବା କ’ଣ ଦରକାର? କିନ୍ତୁ ବାସ୍ତବ କଥା ହେଲା ଯେ ଦାୟିତ୍ୱପୂର୍ଣ୍ଣ ପଦପଦବୀରେ ବସିଥିବା ଏହି ବ୍ୟକ୍ତିମାନଙ୍କ ଅବୈଜ୍ଞାନିକ ମନ୍ତବ୍ୟ ବା ବୟାନଟି କେବଳ ସେମାନଙ୍କ ନିଜସ୍ୱ ଡ଼୍ରଇଂରୁମ୍ ମଧ୍ୟରେ ହିଁ ସୀମିତ ରହୁ ନାହିଁ । ସେମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ସର୍ବସାଧାରଣ ମଂଚରେ ଉପରୋକ୍ତ ବିବାଦୀୟ ମନ୍ତବ୍ୟ ସବୁ ଦେଉଛନ୍ତି, ଯାହାର ପ୍ରଭାବଟି ଦେଶର ନୀତି ଉପରେ ପଡ଼ୁଥିବା ଦେଖାଯାଉଛି ।
ମୋଦୀଙ୍କ ଶାସନକାଳରେ ବିଜ୍ଞାନର ଏକ ନୂଆଶାଖା ରୂପେ ‘କାଓପ୍ୟାଥି’ ବା ‘ଗୋବିଜ୍ଞାନ’ର ପ୍ରବର୍ତ୍ତନ କରାଯିବା ସହ ଗାଈର ପରିସ୍ରାରୁ କ୍ୟାନସର ପ୍ରତିରୋଧୀ ଔଷଧ ବାହାର କରିବାକୁ କେନ୍ଦ୍ର ସରକାରଙ୍କ ସିଆଇଏସ୍ଆର୍ ସଂସ୍ଥା ବ୍ୟୟ ମଞ୍ଜୁର କରିଛନ୍ତି । କେଉଁ ଦ୍ରବ୍ୟରେ କି ଔଷଧୀୟ ଗୁଣ ଅଛି ତାକୁ ଜଣେ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପରେ ହୁଏତ ଆବିଷ୍କାର କରିପାରନ୍ତି । କିନ୍ତୁ ତାଙ୍କୁ ଅମୁକଦ୍ରବ୍ୟରୁ ଅମୁକରୋଗର ଔଷଧ ବାହାର କର ବୋଲି କହିବା କେବଳ ବୈଜ୍ଞାନିକ ନିୟମର ପରିପନ୍ଥୀ ହିଁ ନୁହେଁ , ବରଂ ଚରମ ମୁର୍ଖାମୀ ବୋଲି କୁହାଯାଇପାରେ । ପୁନଶ୍ଚ ମଣିଷର ପରିସ୍ରାରେ କ’ଣ କ’ଣ ଉପାଦାନ ରହିଛି ତାକୁ ଜାଣିବା ପାଇଁ କୌଣସି ବୈଜ୍ଞାନିକ ଗବେଷଣା ନୁହେଁ ଜଣେ ସାଧାରଣ ପାଥୋଲୋଜିଷ୍ଟ ବି ପରୀକ୍ଷା କରି କହିଦେଇ ପାରିବେ । ନିକଟରେ ବରେଲୀସ୍ଥିତ ଭାରତ ସରକାରଙ୍କ ଜାତୀୟ ପଶୁବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ଗୋମୂତ୍ରକୁ ପରୀକ୍ଷା କରି ସେଥିରେ ମଣିଷ ଶରୀର ପାଇଁ ହାନିକାରକ ବ୍ୟାକ୍ଟେରିଆ ରହିଥିବାର ପ୍ରମାଣିତ କରିଛନ୍ତି । ଗୋମୂତ୍ର ସେବନ ଫଳରେ ଅନେକ ରୋଗବ୍ୟାଧିର ଶିକାର ହେବାର ସମ୍ଭାବନା ରହିଛି ବୋଲି ସେଥିରେ ବୈଜ୍ଞାନିକମାନେ ସତର୍କ କରିଛନ୍ତି । ଅତଏବ ଗାଈର ପରିସ୍ରାରେ ଆଉ ଅଧିକା କ’ଣ ଅଛି ବୋଲି ଜାଣିବାକୁ ଗବେଷଣା କରିବା ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା କେବଳ ପାଗଳାମୀ ବୋଲି ହିଁ କୁହାଯାଇପାରେ ।
ନିକଟରେ କେନ୍ଦ୍ର ସରକାରଙ୍କ ଏଆଇସିଟିଇ ଦେଶର ଇଂଜିନିୟରିଂ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ରୂପେ ଜ୍ୟୋତିଷ, ବେଦ ଓ ଯୋଗକୁ ରଖିବାକୁ ଘୋଷଣା କରିଛି । ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟମାନଙ୍କର ପାଠ୍ୟକ୍ରମରେ ଏବେ ଜ୍ୟୋତିଷ ବିଦ୍ୟା, କର୍ମକାଣ୍ଡ ଓ ବାସ୍ତୁଶାସ୍ତ୍ର ପରି ଅବୈଜ୍ଞାନିକ ବିଷୟକୁ ରଖି ସେଥିପାଇଁ କେନ୍ଦ୍ର ସରକାର ବିପୁଳ ବ୍ୟୟ ବରାଦ କରିବା ସହିତ ପିଲାଙ୍କୁ ପଢ଼ିବାକୁ ବାଧ୍ୟ କରାଯାଉଥିବା ଜଣାପଡ଼ିଛି । ବିଜେପି ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଇତିମଧ୍ୟରେ ସରକାରୀ ଡାକ୍ତରଖାନାମାନଙ୍କର ବର୍ହିିଚିକିତ୍ସା ବିଭାଗରେ ଜଣେ ଜଣେ ଜ୍ୟୋତିଷଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି ଯେଉଁଠିକି ରୋଗୀମାନେ ଡାକ୍ତରମାନଙ୍କୁ ରୋଗ ଦେଖାଇବା ପୂର୍ବରୁ ପ୍ରଥମେ ନିଜର ଜାତକକୁ ସେଠାରେ ଥିବା ଜ୍ୟୋତିଷଙ୍କୁ ଦେଖାଇ ଗ୍ରହନକ୍ଷତ୍ରର ପ୍ରଭାବ ରହିଛି ନା ନାହିଁ ପରୀକ୍ଷା କରିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ସରକାର ଦେଶରେ ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ବଦଳରେ ଅପବିଜ୍ଞାନକୁ ଅଧିକ ପ୍ରଶ୍ରୟ ଦେଉଛନ୍ତି । ଚୀନ, ଆମେରିକା, ଜାପାନ ପରି ବିଶ୍ୱର ଉନ୍ନତ ଦେଶମାନେ ବିଜ୍ଞାନ ଓ ଗବେଷଣା ପାଇଁ ଆମଠାରୁ ଅନେକ ଗୁଣ ଅଧିକ ଖର୍ଚ୍ଚ କରୁଥିବା ବେଳେ ଆମେ ସେ ଦିଗରେ ଅନେକ ପଛରେ ରହିଛୁ । ବଜେଟରେ ବିଜ୍ଞାନ ଓ ଗବେଷଣା ପାଇଁ ବ୍ୟୟବରାଦକୁ ବୃଦ୍ଧି କରିବା ପରିବର୍ତ୍ତେ ତାକୁ ଲଗାତାର ଭାବେ କମାଇବା ଦେଖାଯାଇଛି । ଆଇଆଇଟି, ଏନ୍ଆଇଟି ଓ ଆଇଆଇଏସ୍ଇ ପରି ଜାତୀୟସ୍ତରର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଂସ୍ଥାଗୁଡ଼ିକୁ ଲଗାତାର ଅନୁଦାନ ହ୍ରାସ କରିବା ସହିତ ସେମାନେ ଘରୋଇ କମ୍ପାନୀଙ୍କ ସହାୟତାରେ ନିଜର ଖର୍ଚ୍ଚ ବାହାର କରିବାକୁ କୁହାଯାଉଛି । ସରକାରଙ୍କ ଏଭଳି ନୀତି ବିରୁଦ୍ଧରେ ନିକଟ ଅତୀତରେ ଏସବୁ ସଂସ୍ଥାରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକମାନେ ମଧ୍ୟ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିବା ଦେଖାଯାଇଥିଲା । ବିଜ୍ଞାନର ଉଚ୍ଚତର ଗବେଷଣାରେ ନିୟୋଜିତ ଗବେଷକମାନଙ୍କ ଷ୍ଟାଇପେଣ୍ଡ ବର୍ଷ ବର୍ଷ ଧରି ନ ବଢ଼ିବା ଦେଖାଯାଇଛି । ମାଧ୍ୟମିକ ସ୍ତରରୁ ବୈଜ୍ଞାନିକ ଗବେଷଣା ପାଇଁ ମେଧାବୀ ପିଲାଙ୍କୁ ଆକର୍ଷିତ କରିବାକୁ ଉଦ୍ଦିଷ୍ଟ କିଶୋର ବୈଜ୍ଞାନିକ ବୃତ୍ତି ଯୋଜନାକୁ ଇତି ମଧ୍ୟରେ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ରୁଢ଼ିବାଦ ଓ ଅବୈଜ୍ଞାନିକ ବିଚାରରେ ବିଶ୍ୱାସୀ ଦେଶର ଶାସକଗୋଷ୍ଠୀଙ୍କ ପକ୍ଷରୁ ବିଜ୍ଞାନ ଉପରେ ଲଗାତାର ଆକ୍ରମଣ ସହିତ ଛଦ୍ମବିଜ୍ଞାନ ବା ଅବୈଜ୍ଞାନିକ ଚିନ୍ତାକୁ ଲଦି ଦେବାର ଯେଉଁ ଉଦ୍ୟମଟି ହେଉଛି ଅତ୍ୟନ୍ତ ବିପଜ୍ଜନକ ।
ଭୌତିକ ବିଜ୍ଞାନରୁ ଡାରଉଇନ୍ ଙ୍କ ତତ୍ତ୍ୱକୁ ବାହାର କରିବା ଯାହା ଜୀବ ବିଜ୍ଞାନରୁ ଡାରଉଇନ୍ ଙ୍କ ବିବର୍ତ୍ତନବାଦକୁ ବି ବାଦ୍ ଦେବା ତାହା । ବିବର୍ତ୍ତନବାଦ ପଢ଼ିବାର ପରିଣାମ ହେଉଛି ସୃଷ୍ଟିକର୍ତ୍ତାର ଧାରଣାରୁ ମଣିଷକୁ ବାହାର କରିଦେବା । କାରଣ ଡାରଉଇନ୍ବାଦ ବା ବିବର୍ତ୍ତନବାଦ କହୁଛି ସବୁକିଛି ଈଶ୍ୱରଙ୍କ ଦ୍ୱାରା ନୁହେଁ ବରଂ ପ୍ରକୃତିରୁ ସୃଷ୍ଟି ହୋଇଛି । ଏହି ପୃଥିବୀ, ଗ୍ରହ ଉପଗ୍ରହ, ସମସ୍ତ ପ୍ରାଣୀ ସବୁକିଛି ପ୍ରକୃତିର ବିଭିନ୍ନ କ୍ରିୟା ପ୍ରତିକ୍ରିୟା ଦେଇ ସୃଷ୍ଟି ହୋଇଛନ୍ତି । ଅତଏବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ ପାଇଁ ବିବର୍ତ୍ତନର ପ୍ରକ୍ରିୟାକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଧାର୍ମିକ ରୁଢ଼ିବାଦୀ ଓ ଅବୈଜ୍ଞାନିକ ବିଚାର ରଖୁଥିବା ଶକ୍ତି ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ସରକାରମାନେ ପିଲାମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱରୁ ବଂଚିତ କରିବାକୁ ଚେଷ୍ଟା କରି ଆସିଛନ୍ତି । ଜୀବଜଗତର ସୃଷ୍ଟି ସମ୍ପର୍କରେ ବୈଜ୍ଞାନିକ ସତ୍ୟକୁ ନ ଜଣାଇବାକୁ ହିଁ ବିବର୍ତ୍ତନବାଦକୁ ପାଠ୍ୟପୁସ୍ତକରୁ ବାଦ ଦିଆଯାଉଛି । ଏହାଫଳରେ ଆମର ପିଲାମାନେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପଢ଼ିବାରୁ ବଂଚିତ ହେବା ସହ ଦେଶର ବୈଜ୍ଞାନିକ ଗବେଷଣା ଉପରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି ।
ଡାରଉଇନଙ୍କ ତତ୍ତ୍ୱ ବିଜ୍ଞାନକୁ ସବୁଠାରୁ ଶ୍ରେଷ୍ଠ ଉପହାର ହୋଇଥିବା ବେଳେ ସାରା ବିଶ୍ୱର ରୁଢ଼ିବାଦୀ ଓ ଧାର୍ମିକ ମୌଳବାଦୀ ଶକ୍ତିମାନେ ତାକୁ ନିଜର ଅସ୍ତିତ୍ୱ ପାଇଁ ବିପଦ ବୋଲି ମନେ କରିଆସିଛନ୍ତି । ଆମେରିକା ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ଏପରିକି ଭାରତ ପର୍ଯ୍ୟନ୍ତ ବିଭିନ୍ନ ଧର୍ମର ମୌଳବାଦୀ ଓ ରୁଢ଼ିବାଦୀ ଶକ୍ତିମାନେ ସର୍ବଦା ଏହି ତତ୍ତ୍ୱ ବିରୁଦ୍ଧରେ ଏକଦମ୍ ମୁଖର ହୋଇ ଆସିଛନ୍ତି । ତେବେ ବିବର୍ତ୍ତନବାଦ ନେଇ ଅସହମତି ସତ୍ତ୍ୱେ ବିଶ୍ୱର ବହୁତ କମ୍ ଦେଶ ହିଁ ନିଜର ପାଠ୍ୟପୁସ୍ତକରେ ଏହାକୁ ସ୍ଥାନ ନଦେଇ ନିଜର ପିଲାଙ୍କୁ ତାକୁ ପଢ଼ିବାରୁ ବଂଚିତ କରିବା ଦେଖାଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଆରବ ଦେଶ ଅଥବା ଭାରତର ପଡ଼ୋଶୀ ଇସ୍ଲାମିକ ଦେଶମାନେ ରହିଛନ୍ତି । ପାକିସ୍ଥାନ, ବାଂଲାଦେଶ ପରି ଇସ୍ଲାମିକ୍ ଦେଶରେ ପାଠ୍ୟପୁସ୍ତକରେ ଇସ୍ଲାମ୍ ଧର୍ମର ସୃଷ୍ଟିତତ୍ତ୍ୱ ସହିତ ଡାରଉଇନ୍ ଙ୍କ ବିବର୍ତ୍ତନବାଦକୁ ମଧ୍ୟ ସ୍ଥାନ ଦିଆଯାଇଥିବା ବେଳେ ସାଉଦୀ ଆରବ, ଓମାନ୍, ଆଲଜେରିଆ ଏବଂ ମରୋକ୍କୋ ଆଦି ନିଜ ଦେଶରେ ଏହି ତତ୍ତ୍ୱକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଜୋର୍ଡ଼ାନରେ ଏହାକୁ ଧର୍ମର ପରିଧି ମଧ୍ୟରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଥିବାବେଳେ ଇଜିପ୍ଟ୍ ଓ ଟୁ୍ୟନିସିଆର ପାଠ୍ୟପୁସ୍ତକରେ ଏହାକୁୁ ଏକ ପ୍ରମାଣ ନଥିବା ତତ୍ତ୍ୱ ରୂପେ ଉପସ୍ଥାପିତ କରାଯାଇଛି । ଆମେରିକାର ଖ୍ରୀଷ୍ଟିୟାନ ଧର୍ମର ରୁଢ଼ିବାଦୀ ଶକ୍ତିମାନେ ବିବର୍ତ୍ତନବାଦ ବଦଳରେ ବାଇବେଲର ସୃଷ୍ଟିତତ୍ତ୍ୱକୁ ପିଲାଙ୍କୁ ପଢ଼ାଇବାକୁ ଲଗାତାର ଦାବି କରି ଆସିଛନ୍ତି । ତେବେ ନିକଟ ଅତୀତରେ ତୁର୍କୀକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ଏହାକୁ ଆଦର୍ଶଗତଭାବେ ବିରୋଧ କରି ନିଜର ପାଠ୍ୟପୁସ୍ତକରୁ ହଟେଇବା ଦେଖାଯାଇନି । ୨୦୧୮ରେ ତୁର୍କୀରେ ଇସ୍ଲାମିକ୍ ମୌଳବାଦୀମାନେ ଶାସନ କ୍ଷମତା ଉପରେ ନିଜର ପ୍ରଭାବକୁ ସୁଦୃଢ଼ କରିବା ପରେ ସେଠାକାର ପାଠ୍ୟପୁସ୍ତକରୁ ବିବର୍ତ୍ତନବାଦକୁ ହଟେଇବା ଦେଖାଯାଇଛି । ନିକଟରେ ଆମ ଦେଶରେ ବି କୋଭିଡ଼୍ ଓ ପାଠର ବୋଝ କମାଇବା ବାହାନାରେ ଏନ୍ ସି ଇ ଆର ଟି ର ପାଠ୍ୟପୁସ୍ତକରୁ ବିବର୍ତ୍ତନବାଦକୁ ହଟେଇବାକୁ ନିଷ୍ପତ୍ତି ନେଇ ଆମ ସରକାର ଆମଦେଶକୁ ସେସବୁ ମୌଳବାଦୀ ଦେଶଙ୍କ ଧାଡ଼ିରେ ସାମିଲ କରିନାହାଁନ୍ତି ତ?
Comments
0 comments