ପ୍ରବେଶ ପୂର୍ବରୁ ପଳାୟନ
ଏହି ଶିରୋନାମାରେ ଲିଖିତ ପ୍ରଥମ ପ୍ରବନ୍ଧରେ ଅମୃତ କାଳରେ ଆମ ଦେଶ ପ୍ରବେଶ କରୁଛି ବୋଲି ଦାବୀ ବଜେଟରେ କରାଯାଉଥିବା ବେଳେ ଆମ ଦେଶ କିପରି ଘାତକ ବୈଷମ୍ୟ ଦ୍ୱାରା ସଙ୍କ୍ରମିତ ଓ ବିସ୍ଫୋରକ ବେରୋଜଗାରୀ ଉପରେ ଦଣ୍ଡାୟମାନ; ତାହାର ଏକ ବିବରଣୀ ଦିଆଯାଇଥିଲା । କିନ୍ତୁ ଏପରି ସମୟ ଆସିବା ଓ ଏହା ଆଗାମୀ ୨୫ ବର୍ଷ ଯାଏ ଅବ୍ୟାହତ ରହିବ ବୋଲି ଶ୍ରୋତାଙ୍କୁ ଆଶ୍ୱସ୍ତ କରିବା, ସ୍ମରଣ କରାଇଦିଏ ୨୦୧୪ରେ ପ୍ରତିଶୃତ ‘ଅଚ୍ଛେ ଦିନ’ ଆସୁଅଛି, କାହିଁକି ଭାରତର ଧନୀକ ବର୍ଗ ଭିତରେ ବିଶ୍ୱାସ ସୃଷ୍ଟି କରାଇପାରିଲା ନାହିଁ ଯେ ସେମାନେ ଆମ ଦେଶକୁ ଛାଡ଼ି ବିଦେଶର ନାଗରିକତ୍ୱ ଗ୍ରହଣ କରି ଚାଲିଛନ୍ତି । ଯେଉଁମାନେ ଏହି ଦୃଶ୍ୟର ଅଧ୍ୟୟନ କରୁଛନ୍ତି, ସେମାନଙ୍କର ନିଷ୍କର୍ଷ ହେଉଛି ଯେ ଭାରତ ଛାଡ଼ିବାପାଇଁ ଯେଉଁମାନଙ୍କର ଆର୍ଥିକ ସାମର୍ଥ୍ୟ ଅଛି ସେମାନେ ଭାରତ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି । ଏହା ଗତ କେଇବର୍ଷ ହେଲା, ବିଶେଷତଃ ୨୦୧୪ ପରେ, ବିଶେଷ ଭାବରେ ଦୃଶ୍ୟମାନ ହୋଇଛି ଓ ଚର୍ଚ୍ଚାର ବିଷୟହୋଇଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ସରକାର କ୍ଷମତାକୁ ଆସିବାର ମାତ୍ର ବର୍ଷକ ପରେ ମଇ ୨୦୧୫ରେ ଦକ୍ଷିଣକୋରିଆର ସିଓଲ ସହରରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେଇ ମୋଦୀ ମହାଶୟ କହୁଥିଲେ୧, “ଗୋଟାଏ ସମୟ ଥିଲା ଯେତେବେଳେ ଲୋକେ ବାବୁଥିଲେ ଯେ କି ପାପ ସେମାନେ ତାଙ୍କର ପୂର୍ବ ଜନ୍ମରେ କରିଛନ୍ତି ଯେ ସେମାନେ ଭାରତରେ ଜନ୍ମ ନେଲେ । ଏହାକୁ କଣ ତୁମେ ଗୋଟାଏ ଦେଶ କହୁଛ, ସରକାର କହୁଛ, ଏହି ପରି କଣ ଲୋକଙ୍କ ଅବସ୍ଥା ହେବା ଉଚିତ । ଚାଲ ଏହାକୁ ଛାଡି ଆଉ କେଉଁ ଆଡ଼କୁ ଯିବା । ଏବଂ ଲୋକ ଛାଡି ଚାଲିଗଲେ ମଧ୍ୟ । କିନ୍ତୁ ଦୃଢ଼ ବିଶ୍ୱାସର ସହିତ କହିପାରେ ଯେ ସବୁ ବର୍ଗର ବୁଦ୍ଧିମାନ ଲୋକ, ଏପରିକି ଖ୍ୟାତନାମା ବୈଜ୍ଞାନିକ ଯଦିଓ ସେମାନେ ବିଦେଶରେ ବହୁତ ରୋଜଗାର କରୁଛନ୍ତି, ଏବେ ସେମାନେ ବ୍ୟାକୁଳ ଭାରତକୁ ଫେରିବା ପାଇଁ ଓ ଭାରତରେ ରହିଯିବା ପାଇଁ, କମ ଦରମାରେ ହେଲେ ମଧ୍ୟ ।” ସଂଘାଇ ସହରରେ ମୋଦୀ ମହାଶୟ ପ୍ରାୟ ତାହା ହିଁ କହୁଥିଲେ୧, “ଏହି କିଛିକାଳ ପର୍ଯ୍ୟନ୍ତ ଭାରତୀୟମାନେ ସେମାନଙ୍କର ମୂଳ ଦେଶକୁ ନେଇ ନୈରାଶ୍ୟଗ୍ରସ୍ତ ଥିଲେ । କିନ୍ତୁ ମୋ ସରକାର ଏହି ପ୍ରଥମ ବର୍ଷ ଶାସନ କାଳରେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି ଏହି ଅବସ୍ଥାକୁ ବଦଳାଇବା ପାଇଁ ।” କିନ୍ତୁ ମୋଦୀଙ୍କର ଏପରି ଦାବୀ ସତ୍ତ୍ୱେ ତାଙ୍କରି କାର୍ଯ୍ୟକାଳ ଭିତରେ ବିଦେଶରୁ ଆସିଥିବା ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପନଗାରିୟା, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ବା ରିଜର୍ଭ ବ୍ୟାଙ୍କର ଉପଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଯେ ଏହି ଦେଶରେ ରହିଲେ ନାହିଁ ବରଂ ବିଦେଶକୁ ଫେରିଗଲେ, ଏହାକୁ ଅସ୍ୱୀକାର କରାଯାଇ ନପାରେ । ମୋଦୀଙ୍କ କାର୍ଯ୍ୟକାଳରେ କେତେଜଣ ଖ୍ୟାତନାମା ବୈଜ୍ଞାନିକ ବା ବିଶିଷ୍ଟ ପ୍ରବାସୀ ଭାରତୀୟ ବିଦେଶୀ ନଗରିକତା ଛାଡ଼ି ସ୍ୱଦେଶୀ ନାଗରିକତା ନେଇଛନ୍ତି ତାହାର ସୂଚନା ଏହି ପ୍ରସଙ୍ଗରେ ନିହାତି ଆବଶ୍ୟକ । ତେବେ ଭାରତୀୟମାନେ ଯେ ସେମାନଙ୍କର ସ୍ୱଦେଶୀ ନାଗରିକତା ଛାଡ଼ି ବିଦେଶରେ ବସତି ପାଇଁ ଯାଉଛନ୍ତି ଏହା ସତ୍ୟ । ଏହି ମାତ୍ର ୩ ମାସ ତଳେ ଏକ ସମ୍ବାଦ ପ୍ରକାଶ ପାଇଛି ଯାହାର ଶିରୋନାମା ହେଉଛି୨, “ମୋଦୀ ଚାହିଁଥିଲେ ବ୍ରେନ-ଡ୍ରେନକୁ ବିପରୀତମୁଖୀ କରିବା ପାଇଁ, କିନ୍ତୁ ଭାରତୀୟମାନେ ପଲପଲ ହୋଇ ସେମାନଙ୍କର ପାସପୋର୍ଟ ତ୍ୟାଗ କରୁଛନ୍ତି” ତେଣୁ ୨୦୧୪ରୁ କେତେ ଲୋକ ଭାରତ ଛାଡ଼ି ପଳାଇଛନ୍ତି ତାହାର ସୂଚନା ଦ୍ୱାରା ଏକ ବାସ୍ତବ ଚିତ୍ର ମିଳିବ; ବାକ୍ୟରେ ଦାବୀ ଓ କ୍ଷେତ୍ରରେ ସ୍ଥିତି ମଧ୍ୟରେ କେତେ ବିଶାଳ ଫାଙ୍କ ରହିଛି, ତାହାର ଅନୁମାନ କରାଯାଇପାରିବ । ୨୦୧୭ରୁ ୨୦୨୧ ମଧ୍ୟରେ ୬ଲକ୍ଷଲୋକ ସେମାନଙ୍କର ନାଗରିକତା ବଦଳାଇଛନ୍ତି ବୋଲି ନଭେମ୍ବର ୩୦ , ୨୦୨୧ ଦିନ ସଂସଦରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସୂଚନା ଦେଇଛନ୍ତି୨ ଅର୍ଥାତ୍ ପ୍ରତ୍ୟେକବର୍ଷ ହାରାହାରି ୧ଲକ୍ଷ ଭାରତୀୟ ସେମାନଙ୍କ ପାସପୋର୍ଟ ଫେରାଉଛନ୍ତି । ଗତ ଅକ୍ଟୋବର(୨୦୨୧)ରେ ପଶ୍ଚିମବଙ୍ଗର ବିତ୍ତ ମନ୍ତ୍ରୀ ଅମିତ ମିତ୍ର ବିଭିନ୍ନ ଅଧ୍ୟୟନରୁ ଦର୍ଶାନ୍ତି ଯେ୩ ୨୦୧୪ରୁ ୨୦୨୦ ମଧ୍ୟରେ ୩୫୦୦୦ ଉଚ୍ଚଦରର ଭାରତୀୟ ( high net worth) ଉଦ୍ୟୋଗୀ (entrepreneurs) ଭାରତ ଛାଡିଛନ୍ତି । ଉଚ୍ଚ ଦରର ( high net worth) ଉଦ୍ୟୋଗୀ (entrepreneurs) ହେଉଛି ସେହି ବ୍ୟକ୍ତି ଯାହା ପାଖରେ ନିବେଶ କରିବା ପାଇଁ ୫କୋଟିରୁ ଅଧିକ ଅତିରିକ୍ତ ବା ବଳକା (surplus)ସାମର୍ଥି୍ୟ ରହିଛି । ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ ୨୦୨୦ ସୁଦ୍ଧା ଏହିମାନଙ୍କର ସଂଖ୍ୟା ୩ଲକ୍ଷ ୫୦ ହଜାର ଥିଲା, ଯାହା ୨୦୨୫ ସୁଦ୍ଧା ୬ଲକ୍ଷ ୧୧ହଜାର ହୋଇପାରେ ବୋଲି ଅନୁମାନ କରାଯାଉଛି୪ । ଅର୍ଥାତ୍ ୫ବର୍ଷରେ ଶତକଡ଼ା ୭୫ବୃଦ୍ଧି ପାଇବ । ବିଶ୍ୱସ୍ତରରେ ଏହି ହାର ଶତକଡ଼ା ୪୧ । ଅର୍ଥାତ୍ ଭାରତରେ ଉଚ୍ଚ ଦରର ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ବିଶ୍ୱସ୍ତରରେ ବୃଦ୍ଧିରୁ ଅଧିକ କ୍ଷୀପ୍ରଗତିରେ ହେଉଛି । ଏହାଛଡ଼ା ଭାରତର ସର୍ବମାନ୍ୟ ଧନୀ ମୁକେଶ ଅମ୍ବାନୀ ଲଣ୍ଡନରେ ୫୯୨କୋଟି ଟଙ୍କାରେ ୪୯ଟି ଶୋଇବା ଘର ଥିବା ବିଳାସମୟ ବାସଗୃହ କିଣିବା ମଧ୍ୟ ତାଙ୍କର ଭାରତ ଛାଡ଼ିଯିବାର ସମ୍ଭାବନାକୁ ନେଇ ବିଭିନ୍ନ ମହଲରେ କଳ୍ପନା-ଜଳ୍ପନା ପ୍ରକାଶ ପାଇଛି । କାରଣ ଏହି ଗୃହରେ ସେ ଗତବର୍ଷ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏହା ଭାରତୀୟ ହିନ୍ଦୁ ବ୍ୟବସାୟୀ ଗୋଷ୍ଠୀ ଭିତରେ ଏକ ପରମ୍ପରା ଯେ ସେମାନେ ନିଜ ଘରେ ହିଁ ଦୀପାବଳି ପାଳନ କରିଥାନ୍ତି । ଯଦିଓ ଏପରି ଆଶଙ୍କାର ମଧ୍ୟ ଖଣ୍ଡନ ଆସିଛି ତାଙ୍କର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ତରଫରୁ ଓ ଏପରି କଳ୍ପନା-ଜଳ୍ପନାକୁ ଅନାବଶ୍ୟକ ବୋଲି କୁହାଯାଇଛି । କିନ୍ତୁ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏହି ସମ୍ବାଦ ଧନୀ ଭାରତୀୟମାନେ ଭାରତ ଛାଡ଼ି ଚାଲିଯିବାର ସନ୍ଦର୍ଭରେ ହିଁ ପ୍ରକାଶ ପାଇଛି । Global wealth Miugration Reviewରୁ ଉଦ୍ଧାର କରାଯାଇ ଦର୍ଶାଯାଇଛି ଯେ କିପରି ଅତି ଧନୀ (super rich) ୫୦୦୦ ଭାରତୀୟ ୨୦୨୦ରେ ଭାରତ ଛାଡ଼ିଛନ୍ତି ଓ ପୁଞ୍ଜିନିବେଶର ପ୍ରତିଶ୍ରୁତି ବଦଳରେ ବାହାର ଦେଶର ନାଗରିକତା ପାଉଛନ୍ତି୫ ।
କହିବାବାହୁଲ୍ୟ ଯେ ପୁଞ୍ଜିନିବେଶର ସାମର୍ଥ୍ୟ ଥିବା ଧନୀବ୍ୟକ୍ତିମାନେ ଯଦି ଭାରତ ଛାଡ଼ି ଚାଲି ଯାଉଥାନ୍ତି, ତାହାହେଲେ ଦେଶର ଅର୍ଥନୀତି ଉପରେ ଏପରି ପଳାୟନର ପ୍ରତିକୂଳ ପ୍ରଭାବକୁ ଅନୁମାନ କରାଯାଇପାରେ । କିନ୍ତୁ ବଜେଟରେ ଏହାକୁ ନେଇ କୌଣସି ଚିନ୍ତା ପ୍ରକଟିତ ହେବାର ଦେଖାଯାଏ ନାହିଁ । ଅପର ପକ୍ଷରେ କ୍ଷମତାସୀନଙ୍କ ତରଫରୁ ‘ଅଚ୍ଛେ ଦିନ’, ‘ଅମୃତକାଳ’ ଆଦି ପ୍ରୟୋଗ ବାକ୍ୟଖଣ୍ଡରେ ଧନାଢ଼୍ୟ ଭାରତୀୟର ବିଶ୍ୱାସ ନାହିଁ ବୋଲି ଜଣାଯାଏ ।
କୃଷକଙ୍କୁ ବୃଦ୍ଧାଙ୍ଗୁଷ୍ଠି!
କୃଷକମାନଙ୍କର ୩୮୦ଦିନର ଆନେ୍ଦାଳନକୁ କୃଷକ ନେତାମାନେ ସ୍ଥଗିତ କରିବାର ନିଷ୍ପତ୍ତି ନେଲେ ଯେତେବେଳେ ଭାରତ ସରକାର କୃଷକମାନଙ୍କର କେତୋଟି ଦାବିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମାଭିତରେ ବିଚାର କରିବେ ବୋଲି ଲିଖିତ ପ୍ରତିଶୃତି ଦେଲେ୬ । ଗୋଟିଏ ଦାବି ଥିଲା ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ ଏସ୍ ପି)ର ବ୍ୟବସ୍ଥାକୁ ଆଇନସିଦ୍ଧ କରାଯାଉ । ସରକାରଙ୍କ ତରଫରୁ ପ୍ରତିଶୃତି ଦିଆଗଲା ଯେ ଏକ କମିଟି କରି ଏହି ଦାବିର ବିଚାର କରାଯିବ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ ଯାହାର ପ୍ରତିକ୍ରିୟାରେ ୩୧ଜାନୁଆରୀ ୨୦୨୨ଦିନ କୃଷକମାନେ ‘ବିଶ୍ୱାସଘାତ ଦିବସ’ ପାଳନ କଲେ । ତାପର ଦିନ ବିତ୍ତମନ୍ତ୍ରୀ ବଜେଟ ଉପସ୍ଥାପନା ବେଳେ କହୁଥିଲେ, “୨୦୨୧-୨୨ ରବି ଋତୁରେ ଗହମ ଓ ଖରିଫ ଋତୁରେ ଧାନର ସମୁଦାୟ ସଂଗ୍ରହର ପରିମାଣ୧୨୦୮ ମେଟ୍ରିକ ଟନ ହେବ, ୧୬୩ ଲକ୍ଷ କୃଷକଙ୍କ ଠାରୁ ଏହି ସଂଗ୍ରହ ହେବ ଓ ୨ଲକ୍ଷ ୩୭ ହଜାର କୋଟି ଟଙ୍କା ସର୍ବନିମ୍ନ ସମର୍ଥନ ମୂଲ୍ୟ ବାବଦ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେବ ।” (ଅଭିଭାଷଣର ଅନୁଚ୍ଛେଦ-୨୮) ଏହାର ପ୍ରତିକ୍ରିୟାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ କହୁଥିଲେ ଯେ ଏହା ପୂର୍ବବର୍ଷ ତୁଳନାରେ ସବୁ ଦିଗରୁ କମ୍ । କାରଣ ୨୦୨୦-୨୧ ରେ ୧୨୮୬ ମେଟ୍ରିକ ଟନ ଶସ୍ୟ, ୧୯୭ଲକ୍ଷ କୃଷକଙ୍କଠାରୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ଦେଇ ୨ଲକ୍ଷ ୪୮ ହଜାର କୋଟି ଟଙ୍କା ଦେଇ ଖରିଦ କରାଯାଇଥିଲା । ଏପରି ହ୍ରାସ କରାଯିବାରେ କୃଷକ ଦେଖୁଥିଲେ୭ ସରକାରଙ୍କ ପ୍ରତିଶୋଧ-ପରାୟଣତା, କୃଷକମାନେ ଯେ ଆନେ୍ଦାଳନ କରୁଥିଲେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଦେବାକୁ ଆଇନସିଦ୍ଧ କରିବାର ଦାବି ନେଇ । ସେହିପରି କୃଷକଙ୍କୁ ସେମାନଙ୍କର ଉତ୍ପାଦନର ମୂଲ୍ୟକୁ ସୁରକ୍ଷା ଦେବା ପାଇଁ (Market Intervention Scheme and Price Support Scheme(MIS-PPS) ବଜେଟରେ ମାତ୍ର ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇ ଥିବାବେଳେ ଗତ ସଂଶୋଧିତ ବଜେଟରେ ଏହି ପରିମାଣ ଥିଲା ୩୫୯୫.୬୧ କୋଟି ଟଙ୍କା୮ । କୃଷି ଓ କୃଷକ କଲ୍ୟାଣ ପାଇଁ ବର୍ତ୍ତମାନ ବଜେଟ (୨୦୨୨-୨୩)ରେ ୧୨୪୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଗତ ବର୍ଷ ବଜେଟରେ ଏହି ବ୍ୟୟ ବରାଦର ପରିମାଣ ଥିଲା ୧୨୩୦୧୭.୫୭ କୋଟି ଟଙ୍କା । ଅର୍ଥାତ୍ ଗତବର୍ଷ ତୁଳନାରେ ବୃଦ୍ଧି ହୋଇଛି ମାତ୍ର ୦.୭୯୮ପ୍ରତିଶତ । କିନ୍ତୁ ଗତବର୍ଷର ସଂଶୋଧିତ ବଜେଟରେ ବରାଦ ବ୍ୟୟକୁ ୩.୮ପ୍ରତିଶତ ହ୍ରାସ କରାଯାଇ ରଖାଯାଇଥିଲା ୧୧୮୨୯୪.୨୪ କୋଟି ଟଙ୍କା୯ । ଯଦି ଗତବର୍ଷର ବଜେଟରେ ସମୁଦାୟ ବ୍ୟୟବରାଦର ପରିମାଣ ସହ ତୁଳନା କରାଯାଏ ତାହାହେଲେ କୃଷି ଓ କୃଷକ କଲ୍ୟାଣ ପାଇଁ ବ୍ୟୟବରାଦ ସମୁଦାୟ ବ୍ୟୟ ବରାଦ (୩୪୮୩୨୩୫.୬୩ କୋଟି ଟଙ୍କା)ର ଥିଲା ୩.୫ ପ୍ରତିଶତ କିନ୍ତୁ ବର୍ତ୍ତମାନ ବଜେଟରେ ସମୁଦାୟ ବ୍ୟୟ ବରାଦ(୩୯୪୪୯୦୮.୬୭ କୋଟି ଟଙ୍କା)ର ଏହା ହେଉଛି ୩.୧୪ ପ୍ରତିଶତ । ଅର୍ଥାତ୍ ବଜେଟରେ ସମୁଦାୟ ବ୍ୟୟରେ କୃଷି ଓ କୃଷକ ମଙ୍ଗଳ ବାବଦ ବ୍ୟୟର ଅଂଶ ଗତବର୍ଷ ଠାରୁ କମ ହୋଇଛି । ସାରରେ ରିହାତି ବାବଦ ବ୍ୟୟବରାଦ ଗତବର୍ଷର ସଂଶୋଧିତ ବଜେଟରେ ୧୪୦୧୨୨.୩୨ କୋଟି ଟଙ୍କା ହୋଇଥିବାବେଳେ ଏ ବର୍ଷର ବଜେଟରେ ଏହାକୁ ୧୦୫୨୨୨.୩୨ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଭାରତୀୟ ଖାଦ୍ୟ ନିଗମକୁ ରିହାତିରେ ହ୍ରାସ ହୋଇଛି । ଗତବର୍ଷର ସଂଶୋଧିତ ବଜେଟରେ ଏ ବାବଦ ବରାଦ ୨୧୦୯୨୯.୦୦ କୋଟି ଟଙ୍କା ଥିଲା, ଏ ବର୍ଷର ବଜେଟରେ ଏହି ବାବଦ ବରାଦ ହୋଇଛି ୧୪୫୯୧୯.୯୦କୋଟି ଟଙ୍କା ଅର୍ଥାତ୍ ୩୦.୮୨ ପ୍ରତିଶତ ହ୍ରାସ ହୋଇଛି । Decentralized Procurement ପାଇଁ ରିହାତି ବାବଦ ବ୍ୟୟବରାଦ ଗତବର୍ଷର ସଂଶୋଧିତ ବଜେଟରେ ୭୫୨୯୦.୧୧କୋଟି ଟଙ୍କା ଥିବା ବେଳେ ଏବର୍ଷ ବଜେଟରେ ଏହି ପରିମାଣ ୬୦୫୬୧. ୧୯କୋଟି ଟଙ୍କା । ଅର୍ଥାତ୍ ୧୯.୫୬ପ୍ରତିଶତ ହ୍ରାସ ହୋଇଛି୧୦ । ଭାରତୀୟ ଖାଦ୍ୟ ନିଗମକୁ ରିହାତିର ପରିମାଣ କମିବା ଓ ବିକେନ୍ଦ୍ରିକ ସଂଗ୍ରହ ଏପରି ହ୍ରାସହେବା ଦ୍ୱାରା ସର୍ବନିମ୍ନ ସମର୍ଥନ ମୂଲ୍ୟର ସୁଯୋଗ ସଙ୍କୁଚିତ ହେବାର ସମ୍ଭାବନା ସୃଷ୍ଟି କରିଛି ।
ଶିକ୍ଷାର ପରୀକ୍ଷା
ବଜେଟ ଅଭିଭାଷଣରେ ବିତ୍ତମନ୍ତ୍ରୀ ମହୋଦୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇବର୍ଷ ଶ୍ରେଣୀ ଗୃହ ପାଠପଢ଼ାରୁ ବଂଚିତ ହୋଇଥିବା ଗ୍ରାମାଂଚଳର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର-ଛାତ୍ରୀଙ୍କ ପ୍ରତି ଚିନ୍ତିତ ମନେ ହୋଇଛନ୍ତି ଓ ଏହାର ସମାଧାନ ରୂପେ ସେ ‘ଗୋଟିଏ ଶ୍ରେଣୀକୁ ଗୋଟିଏ ଟିଭି ଚ୍ୟାନେଲ’ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିପାଇଁ ଯୋଜନାକୁ ୧୨ଟି ଟିଭି ଚ୍ୟାନେଲରୁ ୨୦୦ ଟିଭି ଚ୍ୟାନେଲ ଯାଏ ବଢ଼ାଇ ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି (ଦ୍ରଷ୍ଟବ୍ୟ ଅଭିଭାଷଣର ଅନୁଚ୍ଛେଦ ୪୬) ତେବେ ଏଥିପାଇଁ ବ୍ୟୟ ବରାଦର ପରିମାଣ କେତେ? ମାତ୍ର ୦.୦୧ କୋଟି ଅର୍ଥାତ୍ ଏକ ଲକ୍ଷ ଟଙ୍କା । ୨୦୨୧-୨୨ ବଜେଟରେ ଏହି ପରିମାଣ ଥିଲା ୫୦ କୋଟି ଟଙ୍କା ଯାହାକୁ ଅବଶ୍ୟ ସଂଶୋଧିତ ବଜେଟରେ ୦.୦୧ କୋଟି ବା ଏକ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଥିଲା୧୧ । ୨୦୨୨-୨୩ ସଂଶୋଧିତ ବଜେଟରେ ଏହାର ପରିମାଣ ଶେଷକୁ କେତେ ହେବ ତାହା ଦେଖିବାକୁ ରହିଲା । ଅଭିଭାଷଣର ଅନୁଚ୍ଛେଦ ୪୭, ୪୮, ୪୯ରେ ଗୁରୁତ୍ୱ ପାଇଛି ଇଣ୍ଟରନେଟ ଜରିଆରେ ଶିକ୍ଷାଦାନ, ସେଥିପାଇଁ ପାଠର ପ୍ରସ୍ତୁତି, ଏପରିକି ବିଜ୍ଞାନ ଓ ଗଣିତର ପାଇଁ ୭୫୦ଭର୍ଚୁଆଲ ପ୍ରୟୋଗଶାଳା (Vertual Labs)ର ଗଠନା ଡିଜିଟାଲ ଶିକ୍ଷକ(Digital Teachers) ମାନଙ୍କ ଜରିଆରେ ଏହି ଶିକ୍ଷାଦାନ ହେବ । ଡିଜିଟାଲ ଶିକ୍ଷକ (Digital Teachers)କହିଲେ ଆମେ ରକ୍ତମାଂସର ଶିକ୍ଷକ ବୁଝିବା କି? ଏହା ଜଣାଯାଉ ନାହିଁ । ତେବେ ସ୍ୱାଭାବିକ କୁହାଯାଇଛି ଯେ ଏ ସବୁର ପରିଣତିରେ ପିଲାଏ ଗୁଣାତ୍ମକ ଶିକ୍ଷା ପାଇବେ । ଏପରି ସବୁ ପ୍ରତିଶୃତିର ଚରମ ଅଭିବ୍ୟକ୍ତି ହେଉଛି Digital University ସ୍ଥାପନାର ପ୍ରସ୍ତାବ । (ଦ୍ରଷ୍ଟବ୍ୟ ଅନୁଚ୍ଛେଦ ୫୦) ଏହାର ସ୍ଥାପନା ହେଲେ ବିଶ୍ୱସ୍ତରୀୟ ଗୁଣାତ୍ମକ ଶିକ୍ଷାର ଅଭିଜ୍ଞତା ଘରଦୁଆର ମୁହଁରେ ଉପଲବ୍ଧ ହେବ । କିନ୍ତୁ ବଜେଟରେ Digital university ସ୍ଥାପନା ବାବଦ ବ୍ୟୟ ବରାଦ ହେବା କେଉଁଠାରେ ଦେଖାଯାଏ ନାହିଁ । ଅପର ପକ୍ଷରେ Setting up of virtual classrooms and massive open online courses (Moocs) ପାଇଁ ୨୦୨୧-୨୨ର ସଂଶୋଧିତ ବଜେଟରେ ୮୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଆଲୋଚ୍ୟ ବଜେଟ ୨୦୨୨-୨୩ରେ କୌଣସି ବ୍ୟୟ ବରାଦ କରାଯାଇ ନାହିଁ୧୨ । operation Digital Board (ODB) ପାଇଁ କୌଣସି ବ୍ୟୟବରାଦ ହୋଇ ନାହିଁ ଯେତେବେଳେ କି ୨୦୨୧-୨୨ ବଜେଟରେ ଏହି ବ୍ୟୟ ବରାଦ ଏକ କୋଟି ବୋଲି ଦେଖା ଯାଇଥିଲା୧୩ । ସେହିଭଳି National Digital Library ପାଇଁ କୋଣସି ବ୍ୟୟବରାଦ ହୋଇ ନାହିଁ ଏହି ବଜେଟରେ, ଯେତେବେଳେ କି ୨୦୨୧-୨୨ ସଂଶୋଧିତ ବଜେଟରେ ଏଥିପାଇଁ ବ୍ୟୟ ବରାଦ ହୋଇଥିଲା ୧୫କୋଟି ଟଙ୍କା୧୪ । ସେହିପରି ଡିଜିଟାଲ ଫର୍ମାଟରେ ରଖା ଯାଇଥିବା ବିଭିନ୍ନ ଗବେଷଣାମୂଳକ ପତ୍ରପତ୍ରିକା, ପୁସ୍ତକ ଆଦିକୁ ବିଶ୍ୱବିଦ୍ୟାଳୟମାନଙ୍କୁ ଗ୍ରାହକ ଚାନ୍ଦାରେ ରିହାତି ଦେଇ ଯୋଗାଇବାର e- Soudh- sindhuଙ୍କ ଯୋଜନା ବାବଦ କୌଣସି ବ୍ୟୟବରାଦ ହୋଇ ନାହିଁ ଯଦିଓ ପୂର୍ବର ସଂଶୋଧିତ ବଜେଟରେ ଏ ବାବଦ ବ୍ୟୟ ବରାଦର ପରିମାଣ ଥିଲା ୧୫୦ କୋଟି ଟଙ୍କା୧୫ ତେବେ ସୂଚନା ସଂଚାର ଟେକ୍ନୋଲୋଜୀ (ICT)ଜରିଆରେ ରାଷ୍ଟ୍ରୀୟ ଶିକ୍ଷା ମିଶନର ଲକ୍ଷ୍ୟ ହାସଲ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୪୦୦କୋଟି ଟଙ୍କା ଯାହା ପୂର୍ବ ବଜେଟରେ ଥିଲା ୧୫୦ କୋଟି ଓ ସଂଶୋଧିତ ବଜେଟରେ ହ୍ରାସ କରାଯାଇ ହୋଇଥିଲା ୮୩.୭୧ କୋଟି ଟଙ୍କା୧୬ । ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ବ୍ୟୟବରାଦ ହୋଇଛି ୧୭୦୦କୋଟି ଟଙ୍କା ଯାହା ଗତବର୍ଷ ବଜେଟରେ ହୋଇଥିଲା ୧୭୧୦ କୋଟି ଟଙ୍କା ଯାହା ସଂଶୋଧିତ ବଜେଟରେ ହୋଇଯାଇଥିଲା ୧୨୦୦ କୋଟି ଟଙ୍କା୧୭ । ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ପାଇଁ ବ୍ୟୟବରାଦ ହୋଇଛି ୨୦୦ କୋଟି ଟଙ୍କା ଯେତେବେଳେ କି ଗତ ବଜେଟରେ ଏହାର ପରିମାଣ ଥିଲା ୧୬୦ କୋଟି ଟଙ୍କା୧୮ । ଅପର ପକ୍ଷରେ ଏକ କେନ୍ଦ୍ରୀୟ ଯୋଜନା ଥିଲା ଯାହା ବାଳିକାଙ୍କୁ ମାଧ୍ୟମିକ ଶିକ୍ଷା ପ୍ରୋତ୍ସାହନ ପାଇଁ ଉଦ୍ଦିଷ୍ଟ ଥିଲା ଓ ଏଥିପାଇଁ ଗତ ବଜେଟରେ ମାତ୍ର ଏକ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା ଯାହାପାଇଁ ଏହି ବର୍ଷ ବଜେଟରେ କୌଣସି ବ୍ୟୟବରାଦ ହୋଇ ନାହିଁ୧୯ ।
୨୦୨୨-୨୩ ବଜେଟରେ ଉଚ୍ଚଶିକ୍ଷା ପାଇଁ ବ୍ୟୟବରାଦ ୪୦୮୨୮.୩୫ କୋଟି ଟଙ୍କା ହୋଇଥିବା ବେଳେ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ପାଇଁ ବ୍ୟୟବରାଦ ହୋଇଛି ୬୩୪୪୯.୩୭ କୋଟି ଟଙ୍କା ଅର୍ଥାତ୍ ସମୁଦାୟ ଶିକ୍ଷାପାଇଁ ବ୍ୟୟବରାଦ ହୋଇଛି ୧୦୪୨୭୭.୭୨ କୋଟି ଟଙ୍କା । ଗତ ବର୍ଷ ବଜେଟରେ ଉଚ୍ଚଶିକ୍ଷା ପାଇଁ ବ୍ୟୟବରାଦ ୩୮୩୫୦.୬୫ କୋଟି ଟଙ୍କା ହୋଇଥିବା ବେଳେ ସଂଶୋଧିତ ପରିମାଣ ହୋଇଥିଲା ୩୬୦୩୧.୫୭ କୋଟି ଟଙ୍କା ଓ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ପାଇଁ ବ୍ୟୟବରାଦ ୫୪୮୭୩.୬୬ କୋଟି ଟଙ୍କା ହୋଇଥିବା ବେଳେ ସଂଶୋଧିତ ପରିମାଣ ହୋଇଥିଲା ୫୧୯୬୯.୯୫.କୋଟି ଟଙ୍କା ଅର୍ଥାତ୍ ସମୁଦାୟ ଶିକ୍ଷାପାଇଁ ବ୍ୟୟବରାଦ ହୋଇଥିଲା ୯୩୨୨୪.୩୧ କୋଟି ଟଙ୍କା କିନ୍ତୁ ସଂଶୋଧିତ ପରିମାଣ ହେଲା ୮୮୦୦୧.୫୨ କୋଟି ଟଙ୍କା । ଅର୍ଥାତ୍ ୨୦୨୧-୨୨ରେ ବ୍ୟୟ ବରାଦ ତୁଳନାରେ ୨୦୨୨-୨୩ ବଜେଟରେ ବ୍ୟୟ ବରାଦରେ ୧୧.୮୫୬ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ, ଉଲ୍ଲେଖନୀୟ ହେଉଛି ୨୦୨୧-୨୨ରେ ବ୍ୟୟବରାଦରେ ୫.୬୦୨ ପ୍ରତିଶତ ହ୍ରାସ କରାଯାଇଥିଲା ସଂଶୋଧିତ ବଜେଟରେ । ଅପର ପକ୍ଷରେ ୨୦୨୨-୨୩ ବଜେଟରେ ସମୁଦାୟ ବ୍ୟୟ ବରାଦ କରାଯାଇଛି ୩୯୪୪୯୦୮.୬୭ କୋଟି ଟଙ୍କା । ଗତ ବର୍ଷ ବଜେଟରେ ଏହା ଥିଲା ୩୪୮୩୨୩୫.୬୩ ଯାହା ସଂଶୋଧିତ ହୋଇ ହୋଇଥିଲା ୩୭୬୯୯୯୯.୭୩ କୋଟି ଟଙ୍କା । ଅର୍ଥାତ୍ ୨୦୨୧-୨୨ରେ ସମୁଦାୟ ବ୍ୟୟବରାଦ ତୁଳନାରେ ୨୦୨୨-୨୩ ବଜେଟରେ ବ୍ୟୟ ବରାଦରେ ୧୩.୨୫୪ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଓ ୨୦୨୧-୨୨ରେ ବ୍ୟୟ ବରାଦରେ ୮.୨୩୨ପ୍ରତିଶତ ବୃଦ୍ଧି କରାଯାଇଥିଲା ସଂଶୋଧିତ ବଜେଟରେ । ଲକ୍ଷ୍ୟ କରିବାର କଥା ଯେ ଗତ ବର୍ଷ ଶିକ୍ଷା ପାଇଁ ବ୍ୟୟ ବରାଦ ସମୁଦାୟ ବ୍ୟୟ ବରାଦର ୨.୬୭୬ ପ୍ରତିଶତ ହୋଇଥିବାବେଳେ ସଂଶୋଧିତ ବଜେଟରେ ଏହି ଅଂଶ ୨.୩୩୪ ପ୍ରତିଶତ ହୋଇଥିଲା । ଏହି ବର୍ଷ ବଜେଟରେ ଏହି ଅଂଶ ୨.୬୪୩ ପ୍ରତିଶତ ଅଛି , ସଂଶୋଧିତ ବଜେଟ ଆସିଲେ ଜଣା ପଡିବ ଏହି ଅଂଶ କେତେ ବଢୁଛି ବା କମୁଛି । ଅପର ପକ୍ଷରେ ୨୦୨୦-୨୧ରେ ପ୍ରକୃତ (Actual)ବ୍ୟୟର ଯେଉଁ ସଂଖ୍ୟା ଦିଆଯାଇଛି (ସମୁଦାୟ ବ୍ୟୟ-୩୫୦୯୮୩୬.୩୮ କୋଟି ଟଙ୍କା ଓ ଶିକ୍ଷା ବାବଦ ବ୍ୟୟ-୮୪୨୧୯.୪୦ କୋଟି ଟଙ୍କା) ତାହା ଅନୁସାରେ ଏହି ଅଂଶ ୨.୩୯୯ ପ୍ରତିଶତ । କହିବା ବାହୁଲ୍ୟ ଯେ କେନ୍ଦ୍ରୀୟ ବଜେଟରେ ସମୁଦାୟ ବ୍ୟୟବରାଦର ଶିକ୍ଷା ବାବଦ ବ୍ୟୟବରାଦର ଅଂଶ ୩ ପ୍ରତିଶତରୁ କମ ରହି ଆସିଛି ।
ଶିକ୍ଷା ବାବଦ ଖର୍ଚ୍ଚ ସମୁଦାୟ ଖର୍ଚ୍ଚର ମାତ୍ର ୩ ପ୍ରତିଶତରୁ କମ ବ୍ୟବସ୍ଥା କରି ଶିକ୍ଷାକୁ ଏକ ପରୀକ୍ଷାର ସମ୍ମୁଖୀନ କରାଇଛନ୍ତି । ଶିକ୍ଷାର ଡିଜିଟିକରଣ ଦ୍ୱାରା କେତେଦୂର ଶିକ୍ଷାର ମୂଳ ଲକ୍ଷ୍ୟ ହାସଲ ହୋଇପାରିବ ଓ ଶ୍ରେଣୀ ଗୃହରେ ମିଳୁଥିବା ପାଠପଢ଼ାର ଆନନ୍ଦ ଦେଇପାରିବ, ନା ଯେଉଁ ବଡ଼ ବଡ଼ ଆଇଟି କମ୍ପାନୀମାନେ ଡିଜିଟାଲ ବା ଅନଲାଇନ ଶିକ୍ଷା ଯୋଗାଣରେ ସକ୍ରିୟ ହୋଇଯାଇଛନ୍ତି ତାଙ୍କୁ ଆନନ୍ଦିତ କରୁଥିବ, ଏ ପ୍ରଶ୍ନ ଉଠିପାରେ । କାରଣ ଇତ୍ୟବସରରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସିର ଅଧ୍ୟକ୍ଷ, ପୂର୍ବତନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଜଗଦୀଶ କୁମାର ଏକ ୱେବିନାରରେ କହିଛନ୍ତି ଯେ ଏହିଭଳି କମ୍ପାନୀ ମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟମାନେ ଅନଲାଇନ ପାଠ୍ୟକ୍ରମ ଚଳାଇ ପାରିବେ୨୦ । ତେବେ ବିତ୍ତମନ୍ତ୍ରୀ ମହୋଦୟା ବଜେଟରେ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଦ୍ୱାରା ଘୋଷିତ ନୂତନ ଶିକ୍ଷାନୀତି ୨୦୨୦ର ଅଧ୍ୟାୟ ୨୪ରେ ଦିଆଯାଇଥିବା ଡିଜିଟାଲ ଶିକ୍ଷାର ପ୍ରସ୍ତାବକୁ ଯେ କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ଅଗ୍ରସରତା ଦର୍ଶାଇଛନ୍ତି, ଏଥିରେ ସନ୍ଦେହ ନାହିଁ ।
ବ୍ୟବହୃତ ଉପାଦାନ ସୂଚୀ
1.PM Narendra Modi’s remarks abroad on birth in India slammed by opposition, social media ,PTILast Updated: May 19, 2015, https://economictimes.indiatimes.com/news/politics-and-nation/pm-narendra-modis-remarks-abroad-on-birth-in-india-slammed-by
2.“Modi wanted to reverse brain-drain but Indians continue to give up their passports in droves ,By Manavi Kapur ,Published December 1, 2021 ,https://qz.com/india/2096805/over-600000-indians-gave-up-their-passports-in-the-past-5-years/)
3.Mass exodus: India sees rise in number of people surrendering citizenship Issued on: 04/12/2021 -,Text by: Murali Krishnan in New Delhi. https://www.rfi.fr/en/international/20211204-mass-exodus-india-sees-rise-in-number-of-people-surrendering-citizenship-econom
4.India will have 6.11 lakh HNIs by 2025: Knight Frank ,Team Cafemutual Mar 18, 2021 ,https://cafemutual.com/news/industry/21545-india-will-have-611-lakh-hnis-by-2025-knight-frank
5.The truth about Mukesh Ambani moving to London , By Bharat Hiteshi – November 16, 2021 ,http://tehelka.com/the-truth-about-mukesh-ambani-moving-to-london/2 of 4 3/11/
6.Farmer agitation: Centre issues ‘formal letter’ agreeing to farmers’ demands ,PTILast Updated: Dec 10, 2021,https://economictimes.indiatimes.com/news/india/farmer-agitation-centre-issues-formal-letter-agreeing-farmers-demands/articles
7.Budget exposes empty promises of government on MSP, say farmers ,Amit Bhardwaj ,February 1, 2022, https://www.indiatoday.in/business/budget-2022/story/budget-agriculture-farmers-protest-minimum-support-price-1907431-2022-02-01
8.CENTRAL SECTOR SCHEMES ,Demand No. 1 ,Department of Agriculture and Farmers Welfare. sl.no.4,EXPENDI TURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
9.EXPENDITURE OF MINISTRIES AND DEPARTMENTS , Department of Agriculture and Farmers Welfare , EXPENDI TURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
10.CENTRAL SECTOR SCHEMES ,Demand No. 15 ,Department of Food and Public Distribution. sl.nos. 158, 159 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
11.CENTRAL SECTOR SCHEMES , sl. no. 266 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
12.CENTRAL SECTOR SCHEMES , sl. no. 261 ,EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
13.CENTRAL SECTOR SCHEMES , sl. no. 245 ,EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
- CENTRAL SECTOR SCHEMES , sl. no. 264 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION2
- CENTRAL SECTOR SCHEMES , sl. no. 262 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
16.CENTRAL SECTOR SCHEMES , sl. no. 260 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
17.CENTRAL SECTOR SCHEMES , sl. no. 252 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
18.CENTRAL SECTOR SCHEMES , sl. no. 285 ,EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
19.CENTRAL SECTOR SCHEMES , sl. no. 244 , EXPENDITURE PROFI LE-2022-2023 ,February, 2022 ,MI NI STRY OF FI NANCE.BUDGET DI VI SION
- ‘Digital University will not lead to job losses for teachers’: UGC Chairman ,R. Radhika | Feb 21, 2022 ,https://news.careers360.com/ugc-aicte-digital-university-iit-madras-ed-tech-pm-modi-union-budget-2022
(ଅବିଶେଷଜ୍ଞ ଦୃଷ୍ଟିରେ କେନ୍ଦ୍ର ବଜେଟ ୨୦୨୨-୨୩ ‘ଅଚ୍ଛେ ଦିନ’ରୁ ପ୍ରସ୍ଥାନ ‘ଅମୃତ କାଳ’ରେ ପ୍ରବେଶ ର 2ୟ ଭାଗ)
Comments
0 comments