ଗଣତନ୍ତ୍ର, ସ୍ୱୈରତନ୍ତ୍ର ଓ ଭିଡ଼ତନ୍ତ୍ର

7 Min Read

ଗଣତନ୍ତ୍ର ଆଉ ଭିଡ଼ତନ୍ତ୍ର ଭିତରେ ଫରକଟା କ’ଣ ତାର ଚାକ୍ଷୁସ ଉଦାହରଣ ଦେଖାଗଲା ଆମେରିକାର କ୍ୟାପିଟାଲ ହିଲ୍ରେ । ପୃଥିବୀର ସବୁଠୁଁ ବଡ଼ ଆଉ ଧନୀ ଗଣତାନ୍ତ୍ରିକ ଦେଶ ହେଲା ଆମେରିକା । ଏକ ମଡ଼େଲ୍ ଗଣତାନ୍ତ୍ରିକ ଦେଶ ଭାବରେ ଆମେରିକାକୁ ନିଆଯାଏ । ସେଇ ଦେଶରେ ଭୋଟରେ ପରାଜିତ ଜଣେ ରାଷ୍ଟ୍ରପତିର ସମର୍ଥକମାନେ ‘ଟ୍ରମ୍ପ ପରାଜିତ ହୋଇନାହାନ୍ତି, ତାଙ୍କୁ ଷଡ଼ଯନ୍ତ୍ର କରି ହରେଇ ଦିଆଯାଇଛି’ ବୋଲି କହି ସଂଘବଦ୍ଧ ଭାବେ ଦେଶର ସଂସଦ ଉପରେ ଚଢ଼ଉ କଲେ । ଧସେଇ ଭିତରକୁ ପଶିଲେ । କଂଗ୍ରେସର କାର୍ଯ୍ୟ ଭଣ୍ଡୁର କଲେ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଗୁଳି ଚାଳନା କରିବାକୁ ପଡ଼ିଲା । ଆମେରିକାର ଇତିହାସରେ ଏମିତି ଘଟଣା କେବେ ହୋଇନାହିଁ । ଧରନ୍ତୁ ଟ୍ରମ୍ପ୍-ସମର୍ଥକମାନଙ୍କ ଭିଡ଼, ଯାହା ଭିତରେ ଗୋରା ଆମେରିକାନ୍ମାନଙ୍କ ସଂଖ୍ୟା ଅଧିକ-ସାରା ଦେଶକୁ ଅକ୍ତିଆର କରି ନେଇଥାନ୍ତା ଏବଂ ଟ୍ରମ୍ପ୍ ପୁଣିଥରେ ରାଷ୍ଟ୍ରପତି ହୋଇ ଶାସନ ଚଲେଇଥାନ୍ତେ । ତାହା ହୋଇଥାନ୍ତା ସ୍ୱୈରତନ୍ତ୍ର ।

ଇତିହାସ କହେ ଗଣତନ୍ତ୍ର (ଡିମୋକ୍ରାସି) ଶବ୍ଦ ଏବଂ ଏହାର ଅବଧାରଣାର ଆରମ୍ଭ ଗ୍ରୀକ୍ ରାଜନୈତିକ ଓ ଦାର୍ଶନିକ ଭାବଧାରାରୁ । ଖ୍ରୀଷ୍ଟପୂର୍ବ ୫୦୭ ବେଳକୁ ଏଥେନ୍ସରେ ଏହାର ଆରମ୍ଭ । ଡିମୋକ୍ରାସି ଶବ୍ଦଟି ଦୁଇଟି ଶବ୍ଦ-ଡିମୋନ୍ ବା ସାଧାରଣ ଲୋକ ଏବଂ କ୍ରାଟସ୍ ବା ଶକ୍ତିର ମିଶ୍ରଣରେ ତିଆରି । ଭାରତରେ ମଧ୍ୟ ପ୍ରାଚୀନ କାଳରୁ ଏ ପ୍ରକାର ଶାସନବ୍ୟବସ୍ଥା କିଛି କିଛି ଜନପଦରେ ଥିଲା ବୋଲି ପୌରାଣିକ ଆଖ୍ୟାୟିକା କହେ ।

ଶାସନବ୍ୟବସ୍ଥା ଭାବେ ଗଣତନ୍ତ୍ର ଅଧିକ ଗ୍ରହଣୀୟ ହେଲା ରୋମାନ୍ ରିପବ୍ଲିକର ସାଫଲ୍ୟରୁ – ଯଦିଓ ସେବକାର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଧନୀ ଓ ଶକ୍ତିଶାଳୀ ଲୋକମାନେ ଅଧିକ ଭାଗନେବାର ସୁବିଧା ପାଉଥିଲେ । ରୋମ୍ର ଗଣତନ୍ତ୍ର ନଷ୍ଟହେଲା ସେଠିକାର ରାଜନୈତିକ ମତଭେଦ କାରଣରୁ । ରୋମାନ୍ ରିପବ୍ଲିକର ପତନ ପରେ ଖ୍ରୀଷ୍ଟପୂର୍ବ ୮୨ ବେଳକୁ ଜଣେ ସେନାପତି ଲୁସିଅସ୍ କନ୍ନେଲିଅସ୍ ସୁଲା ନିଜର ଏକ ସୈନ୍ୟବାହିନୀ ଗଠନ କଲେ । ଗରିବ ଏବଂ ନିପୀଡ଼ିତ ଲୋକମାନଙ୍କୁ ଏକ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖାଇଲେ । ଆଉ ରୋମ୍ ଆକ୍ରମଣ କଲେ । ସୈନ୍ୟବାହିନୀ ସାହାଯ୍ୟରେ ସୁଲା ରୋମର ସିନେଟ୍କୁ ତାର ସମ୍ବିଧାନକୁ ଅଣଦେଖା କରି ତାଙ୍କୁ ରୋମ୍ର ସର୍ବମୟ ଶାସକ ଘୋଷଣା କରିବାକୁ ବାଧ୍ୟ କଲେ । ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷକମାନେ ଯେଉଁ ଲାଠିର ବଣ୍ଡଲ୍ (ଅନେକ ସମୟରେ ସେଥିରେ କୁରାଢ଼ିଟିଏ ବି ରହୁଥିଲା) ଧରୁଥିଲେ ଯାହାକୁ ‘ଫ୍ୟାସେସ୍’ ବୋଲି କୁହାଯାଉଥିଲା- ସେଇଥିରୁ ପରବର୍ତ୍ତୀ ସମୟରେ ଫ୍ୟାସିଷ୍ଟ ବା ସ୍ୱୈରା ଚାରୀ ଶବ୍ଦ ଉତ୍ପତ୍ତି ।

ଇତିହାସକୁ ଭଲଭାବରେ ଅନୁଧ୍ୟାନ କଲେ ଆମେ ଜାଣିପାରିବା : ଗୋଟେ ଦେଶର ଲୋକେ କ୍ଷମତାକୁ ଏବଂ କ୍ଷମତାଧରକୁ କେମିତି ଭାବରେ ଦେଖୁଛନ୍ତି, ଦେଶ ଶାସନ ଓ ପରି ଚାଳନାରେ ନିଜର ଭୂମିକା ଓ ଦାୟିତ୍ୱକୁ କେମିତି ନିର୍ବାହ କରୁଛନ୍ତି ବା କରିବାକୁ ଚାହୁଁଛନ୍ତି- ତାରି ଉପରେ ଶାସନରେ ସାଧାରଣ ଲୋକଙ୍କ ଭାଗିଦାରୀ ନିର୍ଭର କରୁଛି । ଦେଶର ଶାସନବ୍ୟବସ୍ଥା ନିର୍ଭର କରୁଛି ।

ଗଣତନ୍ତ୍ରରେ ଗଣ ହେଉଛନ୍ତି – ଯେଉଁ ନାଗରିକମାନଙ୍କ କିଛି ବୁଦ୍ଧିବୃତ୍ତି ଅଛି, ଯେଉଁମାନେ ଭଲ ଏବଂ ଖରାପର ଫରକଟା ଜାଣିଛନ୍ତି, ନୀତି ଅନୀତିର ଫରକ ଜାଣିଛନ୍ତି ଏବଂ ସେ ଫରକ ଜାଣି ସେଇ ଅନୁସାରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଭିଡ଼ତନ୍ତ୍ରର ଭିଡ଼ ଏ ଫରକକୁ ହୁଏତ ଜାଣନ୍ତି ନାହିଁ କିମ୍ବା ଜାଣିଥିଲେ ବି ଭିଡ଼ର ଅଙ୍ଗ ଭାବେ ତାକୁ ମାନନ୍ତି ନାହିଁ । ଭିଡ଼ତନ୍ତ୍ରର କେବଳ ଏକମାତ୍ର ଲକ୍ଷ୍ୟ, ସେମାନେ ଯାହା ଭାବିଛନ୍ତି ତାହା ଏକମାତ୍ର ଠିକ୍ । ଯାହା ଭାବିଥିବେ, ତାକୁ କଳେ, ବିଶେଷ କରି କି ବଳେ ହାସଲ କରିବା । ଭାଙ୍ଗିବା, ରୁଜିବା, ଗଡ଼େଇ ପକେଇବା, ଟିଅର ଡାଉନ କରିବା ଇତ୍ୟାଦି ହେଲା ଭିଡ଼ତନ୍ତ୍ରର କାମ ।

ଗଣତନ୍ତ୍ରର କାମହେଲା ଗଢ଼ିବା । ପ୍ରତିବାଦ ବି ଯଦି କରିବାର ଅଛି, ତାହା ଏକ ଶୃଙ୍ଖଳିତ ଉପାୟରେ କରିବା । ଭିଡ଼ତନ୍ତ୍ରରେ ପ୍ରଥମ ଯେଉଁ କାମଟି ହୁଏ, ତାହା ହେଉଛି ଶୃଙ୍ଖଳାକୁ ଭାଙ୍ଗିଦେବା । ବିଶୃଙ୍ଖଳିତ ହୋଇଯିବା, ବିଶୃଙ୍ଖଳିତ ଭିଡ଼, କୌଣସି ଯୁକ୍ତି, ତର୍କକୁ ଖାତିର କରନ୍ତି ନାହିଁ, ମାନନ୍ତି ନାହିଁ, ବୁଝନ୍ତି ବି ନାହିଁ । ତେଣୁ ଭିଡ଼ତନ୍ତ୍ର ଏକ ଦେଶ ପାଇଁ, ବିଶେଷ କରିକି ଏକ ଗଣତାନ୍ତ୍ରିକ ଦେଶ ପାଇଁ ବଡ଼ ବିପଦ! ଭିଡ଼ତନ୍ତ୍ରକୁ କାବୁ କରାଯାଇ ନ ପାରିଲେ ମୋଟାମୋଟି ଦୁଇଟି ପରିଣତି ହୋଇପାରେ । ଏକ : ଆନାର୍କି ବା ଅରାଜକତା । ଦୁଇ : ସ୍ୱୈରତନ୍ତ୍ର ବା ଫାସିଜିମ୍ ।

ବର୍ତ୍ତମାନ ଦେଖାଯାଉ ଗଣତନ୍ତ୍ର କେତେବେଳେ ଭିଡ଼ତନ୍ତ୍ରରେ ପରିଣତ ହୋଇଯାଏ? ଗଣତନ୍ତ୍ରର ବୁନିଆଦ ଯଦି ମଜଭୁତ ହେଇନଥିବ, ତେବେ ତାହା ଭିଡ଼ତନ୍ତ୍ରରେ ପରିଣତ ହୋଇଯିବ । ଆଉ ଗୋଟିଏ କ୍ଷେତ୍ରରେ ତାହା ଭିଡ଼ତନ୍ତ୍ରରେ ପରିଣତ ହେଇଯିବ, ଯେତେବେଳେ କୌଣସି ଏକ ଜନଘେନତାକାରୀ (ଏ ଶବ୍ଦଟି ମୁଁ ନିଜେ ବାହାର କରିଛି, ପପୁରାଲ ଓ ପପୁଲିଷ୍ଟ ଭିତରେ ଫରକ ଜଣେଇବା ପାଇଁ) ବ୍ୟକ୍ତି ଯେତେବେଳେ ଶାସନରେ ବସିବା ପାଇଁ ଚାହିଁବ ବା ବସିବ । ସେତେବେଳେ ସେ ତା’ର ସମର୍ଥକଙ୍କୁ ମଣିଷରୁ ଏକ ଯନ୍ତ୍ରରେ ପରିଣତ କରିଦେଇପାରିବ । ଯେଉଁମାନଙ୍କ ମସ୍ତିଷ୍କ ଭିତରେ ତର୍କ ଲଜିକ୍ ଏ ସବୁ ଆଉ କିଛି ରହିବ ନାହିଁ । ସେମାନେ ସମ୍ପୂର୍ଣ୍ଣ ଭାବରେ ସେ ଶାସକଙ୍କର, ସେ ନେତାଙ୍କର ଅନୁଗତ ହୋଇଯିବେ । ସେ ଯାହା କହିବେ, ବା ସେ ଯାହା କହିବେ ବୋଲି ତାଙ୍କର ଅନୁଗାମୀମାନେ ଭାବିବେ, ତାହାକୁ ହିଁ ଧ୍ରୁବସତ୍ୟ ଭାବେ ଗ୍ରହଣ କରିବେ । ତା’ ବାହାରେ ଅନ୍ୟ କିଛି ସତ୍ୟ ଥାଇପାରେ, ସେ କଥା ସେମାନେ ସ୍ୱୀକାର କରିବେ ନାହିଁ । ଏହା ଧୀରେ ଧୀରେ ଗଣତନ୍ତ୍ରକୁ ଭିଡ଼ତନ୍ତ୍ରରେ ପରିଣତ କରିଦେବ । ଯାହା ଟ୍ରମ୍ପଙ୍କ ଶାସନ କାଳରେ ଆମେରିକାରେ ହେବାକୁ ଲାଗିଲା ।

ଟ୍ରମ୍ପ ‘ଆମେରିକା ଫାଷ୍ଟ’ ର ନାରା ଦେଇ ଆମେରିକାବାସୀଙ୍କୁ ତାଙ୍କର ଏକ ସ୍ୱପ୍ନର ଦୁନିଆକୁ ନେଇଯିବେ ବୋଲି କହି ଏବଂ ସେଇ ଅନୁସାରେ କିଛି ନୀତି ବି କରି ସେମାନଙ୍କୁ ନିଜର ସମ୍ପୂର୍ଣ୍ଣ ଅନୁଗତ କରି ପକେଇଥିଲେ । ତାଙ୍କର ଅନୁଗତମାନେ ବିଶ୍ୱାସ କରିବାକୁ ନାରାଜ ଯେ, ଟ୍ରମ୍ପ ହାରିଯାଇ ପାରନ୍ତି ବା ଟ୍ରମ୍ପଙ୍କ ଛଡ଼ା ଆଉ କେହି ଆମେରିକାକୁ ଶାସନ କରିବେ ।

ସେମାନେ ଟ୍ରମ୍ପଙ୍କର ସମ୍ପୂର୍ଣ୍ଣ ଅନୁଗତ ଏଇଥିପାଇଁ ଯେ ସେମାନଙ୍କର ବିଶ୍ୱାସ : ତାଙ୍କ ଅବସ୍ଥାର ସକାରାତ୍ମକ ପରିବର୍ତ୍ତନ କେବଳ ଟ୍ରମ୍ପ କରିପାରିବେ । ରାଷ୍ଟ୍ର ତାହା କରିପାରିବ ନାହିଁ । ବ୍ୟବସ୍ଥା ତାହା କରିପାରିବ ନାହିଁ । ରାଷ୍ଟ୍ର ଓ ବ୍ୟବସ୍ଥାଠୁଁ ଜଣେ ବ୍ୟକ୍ତିଙ୍କ ପ୍ରତି ଆସ୍ଥା ଯେତେବେଳେ ବଢ଼ିଯାଏ, ଏବଂ କିମ୍ବା ରାଷ୍ଟ୍ର ଓ ବ୍ୟବସ୍ଥା ପ୍ରତି ଅନାସ୍ଥା ଦେଖାଦିଏ, ଆଉ ଜଣେ ବ୍ୟକ୍ତି ଭିତରେ ଆଶା ଦିଶେ- ସେତେବେଳେ ଭିଡ଼ ବ୍ୟକ୍ତି ପାଇଁ ରାଷ୍ଟ୍ର ଓ ବ୍ୟବସ୍ଥା ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଏ ।

ଆମେରିକାରେ ବୋଧହୁଏ ଏଇଆ ହିଁ ହେଲା । ନ ହେଲେ ଟ୍ରମ୍ପ ଏତେସଂଖ୍ୟକ ଭୋଟ (ସାତ କୋଟିରୁ ଊଦ୍ଧ୍ୱର୍ । ବାଇଡେନ୍ ପାଇଛନ୍ତି ସାଢ଼େ ସାତକୋଟିରୁ ଊଦ୍ଧ୍ୱର୍) ପାଇନଥାନ୍ତେ । ଆମେରିକା ଇତିହାସରେ ୨୦୦ବର୍ଷ ପରେ ତା’ କ୍ୟାପିଟାଲ ହିଲ ଉପରେ ଆକ୍ରମଣ ହେଲା । ବହୁ ବର୍ଷ ପରେ ଆମେରିକୀୟ ସୈନ୍ୟବାହିନୀକୁ ତା’ ନିଜ ନାଗରିକମାନଙ୍କ ସମ୍ମୁଖରେ ମୁହାଁମୁହିଁ ବନ୍ଧୁକ ଧରିକି ଠିଆହେବାକୁ ପଡ଼ିଲା । ଜଣେ ଗମାତରେ କହିଲେ, ବର୍ତ୍ତମାନ ଲକ୍ଡାଉନ୍ ଅଛି ତ, ସେଥିପାଇଁ ଆମେରିକାର ସୈନ୍ୟବାହିନୀକୁ ଆଉ ବାହାର ଦେଶକୁ ନ ପଠାଇ ନିଜ ଦେଶରେ ହିଁ ବନ୍ଧୁକ ଧରି ଲୋକଙ୍କ ମୁହାଁମୁହିଁ ହେବାକୁ ସୁଯୋଗ ଦିଆଗଲା । ସରଳ ସତ୍ୟଟି ହେଉଛି ଯେ, ଗଣତନ୍ତ୍ର ବଡ଼ ସ୍ପର୍ଶକତାର ଶାସନ ବ୍ୟବସ୍ଥା । ଏ ବ୍ୟବସ୍ଥାକୁ ସଠିକ୍ ଭାବେ ଚଳେଇବା ପାଇଁ ରାଷ୍ଟ୍ର ଏବଂ ଶାସନ ବ୍ୟବସ୍ଥାର ଗଣ ପ୍ରତି ଦାୟିତ୍ୱବୋଧ ଯେତିକି ଦରକାର, ଗଣର ମଧ୍ୟ ରାଷ୍ଟ୍ର ପ୍ରତି ସେତିକି ବିଶ୍ୱାସ ଓ ଦାୟିତ୍ୱବୋଧ ରହିବା ଦରକାର ।

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣର ବ୍ୟକ୍ତି ବା ଶାସକଦଳ ପ୍ରତି ନୁହେଁ; ରାଷ୍ଟ୍ର ଓ ରାଷ୍ଟ୍ରର ଶାସନ ବ୍ୟବସ୍ଥା ପ୍ରତି ବିଶ୍ୱାସ ଓ ଆନୁଗତ୍ୟ ଅଧିକ ରହିବା ଦରକାର । ଆଉ ରାଷ୍ଟ୍ର ଏବଂ ଶାସନ ବ୍ୟବସ୍ଥା ମଧ୍ୟ ଏ ବିଶ୍ୱାସ ଓ ଆନୁଗତ୍ୟକୁ ବଜାୟ ରଖିବା ଦିଗରେ ସବୁମନ୍ତେ କାର୍ଯ୍ୟ କରିବା ଦରକାର । ବିଶ୍ୱାସର ଏ ବାଲାନ୍ସ ଗଣତନ୍ତ୍ର ପାଇଁ ଭାରି ଜରୁରୀ । ଏ ବାଲାନ୍ସରେ ଓଲମ ବିଲମ ହେଲେ ଗଣ କ୍ରମଶଃ ଭିଡ଼ରେ ପରିଣତ ହୋଇଯିବ ।

ଗଣତନ୍ତ୍ରର ଫୁସ୍ଫୁସ୍ ହେଉଛି ରାଷ୍ଟ୍ର ହିତରେ ବାଦବିବାଦ ଓ ଆଲୋଚନା । ମୁକ୍ତ ମତର ଖୋଲା ସ୍ଥାନ ନଥିଲେ ବାଦବିବାଦର ଜାଗା ସଙ୍କୁଚିତ ହୋଇଯାଏ । ଏହା ଗଣତନ୍ତ୍ର ପାଇଁ ବିପଦ । ଆଉ ରାଷ୍ଟ୍ରହିତରେ ଭିନ୍ନ ମତକୁ ଗ୍ରହଣ କରିବାର ଆବଶ୍ୟକତାକୁ ଶାସକମାନେ ବୁଝିବା ଦରକାର । ଆଉ ରାଷ୍ଟ୍ରହିତରେ ଭିନ୍ନ ମତକୁ ଗ୍ରହଣ କରିବାର ଆବଶ୍ୟକତାକୁ ଶାସକମାନେ ବୁଝିବା ଦରକାର । ଏହା ହିଁ ରାଷ୍ଟ୍ରଧର୍ମ । ଏହା ହିଁ ଗଣତନ୍ତ୍ର ନିର୍ଯ୍ୟାସ ।

ଆମେରିକାର ସାମ୍ପ୍ରତିକ ଘଟଣାବଳୀ ତମାମ ପୃଥିବୀର ସବୁ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଏକ ଚେତାବନୀ ଦେଇଛି ଆଉ ନିଜ ବ୍ୟବସ୍ଥାକୁ ତନଖି ଦେଖିନେବାର ଏବଂ ସଜାଡ଼ି ନେବାର ଏକ ସୁଯୋଗ ଦେଇଛି ।

Photo Credit- https://bit.ly/39NxFut

Comments

0 comments

Share This Article