ଗୃହିଣୀଙ୍କୁ ବେତନ ଓ ମହିଳାଙ୍କର ଅବୈତନିକ ଶ୍ରମର ଗଣନା

ସମସ୍ତ ମହିଳା ଜଣେ ଜଣେ ଶ୍ରମିକ, କାରଣ ସେମାନେ ଉତ୍ପାଦକ ଏବଂ ପ୍ରଜନନକାରିଣୀ ଅଟନ୍ତି

ତାମିଲନାଡୁରେ କମଲ ହାସନଙ୍କ ରାଜନୈତିକ ଦଳ ନିଜର ନିର୍ବାଚନ ପ୍ରଚାର ଅଭିଯାନ କାଳରେ ଗୃହିଣୀମାନଙ୍କୁ ବେତନ ବା ଦରମା ଦେବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କର ଏହି ବିଚାରକୁ କଂଗ୍ରେସ ନେତା ଶଶୀ ଥରୁର ସ୍ୱାଗତ କରିଛନ୍ତି । ଅନ୍ୟ ଏକ ଘଟଣାରେ ଆକାଶରେ ବିମାନ ଉଡ଼ାଉଥିବା ପାଇଲଟ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ମହିଳା ପାଇଲଟମାନଙ୍କ ଦ୍ୱାରା ସାନଫ୍ରାନ୍ସିସକୋରୁ ବାଙ୍ଗାଲୋର ପର୍ଯ୍ୟନ୍ତ ସବୁଠାରୁ ଦୀର୍ଘପଥ ଅତିକ୍ରମ କରିବାର ରେକର୍ଡ଼ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ଲାଗିଛି ।

ଗୃହିଣୀମାନଙ୍କୁ ବେତନ ଓ ନାରୀବାଦୀ ପରିସଂଖ୍ୟାନ

ଏହି ଖବରଗୁଡ଼ିକ ରାଷ୍ଟ୍ରୀୟ ଶ୍ରମ ପରିସଂଖ୍ୟାନରେ ମହିଳାମାନଙ୍କ କାର୍ଯ୍ୟର ସଠିକ୍ ହିସାବ ପାଇବାପାଇଁ ନାରୀବାଦୀ ପରିସଂଖ୍ୟାନବିତ୍ ଏବଂ ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଜାରୀଥିବା ସଂଘର୍ଷ ତୁଳନାରେ ଅଧିକ ପ୍ରଚାରିତ ହେବାରେ ସଫଳ ହୋଇଛନ୍ତି । ଏବେ ଦେଖିବାର କଥାହେଉଛି ଏହା କିପରି ହୋଇପାରିଲା । କେବଳ ସେତିକି ନୁହେଁ, ସେହି ସବୁ ଦସ୍ତାବିଜ୍ଗୁଡ଼ିକର ମଧ୍ୟ କଥା ଆସୁଛି ଯାହାକି ମହିଳାମାନଙ୍କର ବେତନ ଓ ଅବୈତନିକ କାର୍ଯ୍ୟର ହିସାବ କରି ଦେଶର ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ସେମାନଙ୍କର ପୁରା ଯୋଗଦାନ ଥିବା କଥା କହିଥାଆନ୍ତି ।

ସମସ୍ତ ମହିଳା ଜଣେ ଜଣେ ଶ୍ରମିକ

୧୯୮୮ ମସିହାରେ ଆତ୍ମ-ନିଯୁକ୍ତ ବା ଆପଣା କାମ ନିଜେ କରୁଥିବା ମହିଳା ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ଜାତୀୟ ଆୟୋଗଙ୍କ ରିପୋର୍ଟ ‘ଶ୍ରମଶକ୍ତି’ରେ କୁହାଯାଇଥିଲା ଯେ “ସମସ୍ତ ମହିଳା ଜଣେ ଜଣେ ଶ୍ରମିକ, କାରଣ ସେମାନେ ଉତ୍ପାଦକ ଏବଂ ପ୍ରଜନନକାରିଣୀ ଅଟନ୍ତି । ଏପରିକି ଯଦି ସେମାନେ ଶ୍ରମଜୀବୀ ନୁହନ୍ତି , ତଥାପି ସେମାନେ ମଧ୍ୟ ଏହି ଶ୍ରେଣୀରେ ସାମିଲ ହୋଇଥାଆନ୍ତି । ସେମାନେ ସାମାଜିକ ରୂପରେ ଉତ୍ପାଦନ, ଶ୍ରମ ଏବଂ ପ୍ରଜନନ କାର୍ଯ୍ୟରେ ସାମିଲ ଅଛନ୍ତି । ଯାହାକି ସମାଜର ସବୁ ସ୍ତର ଓ ଶ୍ରେଣୀ ପାଇଁ ବହୁ ପରିମାଣରେ ଜରୁରୀ । ତେଣୁ ଗୃହ କାର୍ଯ୍ୟ କରୁଥିବା ଗୃହିଣୀମାନଙ୍କୁ ସାମାଜିକ ଓ ଆର୍ଥିକ ଉତ୍ପାଦକ ରୂପରେ ମାନ୍ୟତା ଦିଆଯିବା ଆବଶ୍ୟକ ।”

ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ

ବିଭିନ୍ନ କାର୍ଯ୍ୟରେ ମହିଳାମାନଙ୍କର ସହଭାଗିତାକୁ ଆକଳନ କରିବାପାଇଁ ଗତ କେତେ ଦଶନ୍ଧିଧରି ଆଲୋଚନା ପର୍ଯ୍ୟାଲୋଚନା ଜାରୀ ରହିଛି । କେବଳ ସେତିକି ନୁହେଁ ଏପରି ଅଭିଯୋଗ ମଧ୍ୟ ଲଗାଯାଇଥାଏ ଯେ ସରକାରୀ ପରିସଂଖ୍ୟାନ ବିଭାଗ ପକ୍ଷରୁ ପାରମ୍ପରିକ ଶ୍ରମିକ ଶ୍ରେଣୀଙ୍କର ହିସାବ କରାଯିବାବେଳେ ମହିଳାମାନଙ୍କର ଅବୈତନିକ ଶ୍ରମକୁ ଅଣଦେଖା କରାଯାଇଥାଏ । କାର୍ଯ୍ୟ ବା ଶ୍ରମକୁ ମାପିବାର ପରିଭାଷା ଏବଂ ମାନକ ସାଧାରଣତଃ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ (ଆଇଏଲ୍ଓ), ଏହାର ଆନ୍ତର୍ଜାତିକ ସଙ୍ଗଠନ-ଇଂଟରନ୍ୟାସନାଲ କନଫରେନ୍ସ ଅନ ଲେବର ଷ୍ଟାଟିଷ୍ଟିଆନ (ଆଇସିଏଲଏସ) ଦ୍ୱାରା ସ୍ଥିରୀକୃତ ହୋଇଥାଏ । ୧୯୮୨ରେ ୧୩ତମ ଆଇସିଏଲ୍ଏସ୍ରେ ଆର୍ଥିକ ଦୃଷ୍ଟିରୁ ସକ୍ରିୟ ଜନସଂଖ୍ୟା, ରୋଜଗାରିଆ ଓ ବେରୋଜଗାରିଆଙ୍କ ପାଇଁ ପରିଭାଷା ଓ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା । ଯେଉଁଥିରେ କି ୧୯୮୭, ୧୯୯୮ ଓ ୨୦୦୮ରେ ସଂଶୋଧନ କରାଯାଇଥିଲା ।

‘କାମ’ର ଆକଳନ

ସକଳ ଘରୋଇ ଉତ୍ପାଦନ ବା ଜିଡିପି ଉପରେ ତଥ୍ୟ ସଂଗ୍ରହ କରିବାପାଇଁ ଆନ୍ତର୍ଜାତିକ ଦିଶାନିର୍ଦ୍ଦେଶ ଦେଉଥିବା ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରୀୟ ଖାତା ବା ନ୍ୟାସନାଲ ଆକାଉଟାଣ୍ଟ ସୁପାରିଶ କରେ ଯେ ମହିଳାମାନଙ୍କର ପ୍ରଜନନ ସମ୍ବନ୍ଧିତ, ଗୃହ ବା ପରିବାର ଏବଂ ଏହାର ସଦସ୍ୟମାନଙ୍କର ଦେଖାଶୁଣା କରିବା ପରି ଅବୈତନିକ କାର୍ଯ୍ୟକୁ ରାଷ୍ଟ୍ରୀୟ ଖାତାଗୁଡ଼ିକରେ ଗଣନା କରାଯିବା ଉଚିତ୍ ଓ ଏହାର ରେକର୍ଡ ମଧ୍ୟ ହେବା ଉଚିତ୍ । କିନ୍ତୁ ଏହା ଉପରେ ମଧ୍ୟ ତର୍କ ଦିଆଯାଉଛି ଯେ ଏହି ଅବୈତନିକ ଶ୍ରମର ମୂଲ୍ୟ ରାଷ୍ଟ୍ରୀୟ ଆୟରେ ଆୟର ପ୍ରବାହ ପାଇଁ କରାଯାଉଥିବା ଆକଳନକୁ ହୁଏତ ଭୁଲଭାଲ କରିଦେବ । ଆଇଏଲ୍ଓର ୧୯ତମ ଆଇସିଏଲ୍ଏସରେ ‘କାମ’ର ଆକଳନ ବା ମାପିବା ପାଇଁ ଯେଉଁ ମାନକ ତିଆରି କରାଗଲା, ତାହା ଲିଙ୍ଗକୁ ନେଇ ଅଧିକ ସମ୍ବେଦନଶୀଳ ଥଲା । ପାରମ୍ପରିକ ପରିଭାଷାରେ ଶ୍ରମ ବଳକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି- ଯଥା ନିୟୋଜିତ, ବେକାର ଏବଂ ନିଷ୍କ୍ରିୟ ବା ଶ୍ରମବଳରୁ ବାହାରେଥିବା ଲୋକ । କିନ୍ତୁ ୧୯ତମ ଆଇସିଏଲ୍ଏସ୍ରେ “କାମ”କୁ ଏକ ଆନ୍ତର୍ଜାତୀୟ ପରିସଂଖ୍ୟାନ ଆଧାରିତ ପରିଭାଷା ବୋଲି ସହମତି ବ୍ୟକ୍ତ କରାଗଲା । ଯେଉଁଥିରେ ଲୋକେ ସାମିଲ ହୋଇପାରିବା ଭଳି ପାଂଚଟି ପ୍ରମୁଖ ଗତିବିଧି ବିଷୟରେ କୁହାଗଲା ।

ଏଥିରେ ପ୍ରଥମ ବଡ଼ ପରିବର୍ତ୍ତନ ଥିଲା ଯେ “କାମ”ରେ ବସ୍ତୁ ବା ସେବାଗୁଡ଼ିକର ଉତ୍ପାଦନ କରିବା ପାଇଁ ଦେୟପ୍ରଦାନ କରାଯିବା ଓ ଅବୈତନିକ ଗତିବିଧିଗୁଡିକୁ ସାମିଲ କରାଗଲା । ଏଥିରେ କାମ ବା ଶ୍ରମକୁ ଚିହ୍ନଟ କରୁଥିବା ଗତିବିଧିଗୁଡ଼ିକ ଥିଲା, ଯଥା-୧- ନିଜର ଉପଯୋଗ ପାଇଁ ଉତ୍ପାଦନ କରିବା, ୨-ଅନ୍ୟର ଉପଯୋଗ ପାଇଁ ବେତନ ବା ହିତ ଆଧାରରେ କାମ କରିବା, ୩-ଅନ୍ୟମାନଙ୍କ ଉପଯୋଗ ପାଇଁ ବିନା କୌଣସି ବେତନରେ ଅବୈତନିକ ଭାବେ କାମ କରିବା(କ) ଅବୈତନିକ ଭାବରେ ପ୍ରଶିକ୍ଷଣ ନେଉଥିବା ଲୋକ ପରି କାମ କରିବା, (ଖ) ଅନ୍ୟ ଅବୈତନିକ କାମ ଏବଂ (ଗ)-ସ୍ୱୟଂସେବୀ ଭାବରେ କାମ କରିବା ।

ଏଥିରେ ଦ୍ୱିତୀୟ ଯେଉଁ ବଡ ଆଖିଦୃଶିଆ ପରିବର୍ତ୍ତନଟି ହୋଇଥିଲା, ତାହା ହେଉଛି ଜଣେ ବ୍ୟକ୍ତି ଗୋଟିଏ ସମୟରେ ଗୋଟିଏରୁ ଅଧିକ କାର୍ଯ୍ୟରେ ନିୟୋଜିତ ହୋଇପାରିବ ।

ଜାତୀୟ ନମୂନା ସର୍ବେକ୍ଷଣ (ଏନଏସଓ) ସଂସ୍ଥା ନିଜର ଶ୍ରମବଳ(ୱାର୍କ-ଫୋର୍ସ) ସର୍ବେକ୍ଷଣରେ ପ୍ରଥମେ ନିଯୁକ୍ତ ବ୍ୟକ୍ତି ଓ ପରେ ନିଯୁକ୍ତିବିହୀନ ସର୍ବେକ୍ଷଣ(ଇୟୁଏସ)ରେ ମହିଳାଙ୍କର କାର୍ଯ୍ୟକୁ ଆକଳନ କରିବା ପାଇଁ ପାରମ୍ପରିକ ପରିଭାଷାର ଉପଯୋଗ କରୁଥିଲେ । ଏବେ ଏହାର ନୂଆ ସଂସ୍କରଣ ଆସିଲା ସାମୟିକ ଶ୍ରମ-ବଳ ସର୍ବେକ୍ଷଣ ବା ପିରିୟଡିକ ଲେବର ଫୋର୍ସ ସର୍ଭେ(ପିଏଲ୍ଏଫଏସ୍) । ଏମିତି ଦେଖିଲେ ତ ବିଶେଷଜ୍ଞମାନେ ବର୍ତ୍ତମାନ ସୁଦ୍ଧା ଆଇସିଏଲଏସରେ ବ୍ୟବହୃତ ପରିଭାଷାର ବିଚାର ସହିତ ସଂଘର୍ଷ କରି ଚାଲିଛନ୍ତି । ତେବେ ଏନ୍ଏସ୍ଓ ବିଚାର କରୁଛି ଯେ ନୂତନ ପରିଭାଷାଗୁଡିକୁ ଶ୍ରମବଳର ହିସାବ ଏକତ୍ରିତ କରିବା କାମରେ ଉପଯୋଗ କରାଯାଇ ପାରିବ କି?

ଏମ୍ପ୍ଲୋୟମେଣ୍ଟ ଏବଂ ଅନଏମ୍ପ୍ଲୋୟମେଣ୍ଟ

କିନ୍ତୁ ମହିଳାଙ୍କୁ ଶ୍ରମ ବଳ ବା ୱାର୍କ ଫୋର୍ସକୁ ଭାଗ ମିଳିବାରେ କମି ଦେଖିବାକୁ ମିଳୁଛି । ୨୦୦୪-୦୫ର ନିଯୁକ୍ତ ଓ ନିଯୁକ୍ତିବିହୀନ (ଏମ୍ପ୍ଲୋୟମେଣ୍ଟ ଏବଂ ଅନଏମ୍ପ୍ଲୋୟମେଣ୍ଟ) ସର୍ବେକ୍ଷଣରେ ଗ୍ରାମାଂଚଳରେ ମହିଳାମାନଙ୍କର ଭାଗିଦାରୀ ୪୮ପ୍ରତିଶତ ରହିଥିଲା ଯାହାକି ୨୦୧୭-୧୮ରେ ପିରିୟଡିକ ଲେବର ଫୋର୍ସ ସର୍ଭେରେ ୨୩ ପ୍ରତିଶତକୁ ଖସି ଯାଇଥିଲା । ସହରାଂଚଳରେ ମହିଳାମାନଙ୍କର ଭାଗିଦାରୀ ଏହି ବର୍ଷ ଗୁଡିକରେ କ୍ରମାନ୍ୱୟରେ ୨୩ ପ୍ରତିଶତ ଓ ୧୮ପ୍ରତିଶତ ହୋଇଥିଲା ।

ସମ୍ପ୍ରତି ସମ୍ମୁଖକୁ ଆସିଥିବା ଟାଇମ ୟୁଜ ସର୍ଭେ (ଟିୟୁଏସ୍)ରେ ୨୦୧୯ରେ ଆଶାର ଆଲୋକ ଦେଖିବାକୁ ମିଳିଥିଲା । ଏହି ସର୍ବେକ୍ଷଣ ୨୦ ବର୍ଷ ପୂର୍ବେ ୧୯୯୯ରେ ୬ଟି ରାଜ୍ୟରେ କରାଯାଇଥିଲା । ଏଥର ଏହା ୫ଟି ରାଜ୍ୟରେ କରାଯାଇଛି ।

ଆମେ ଯଦି ୧୯ତମ ଆଇସିଏଲଏସର ୫ ଗତିବିଧିଯୁକ୍ତ ପରିଭାଷାକୁ ଉପଯୋଗ କରୁଛେ, ତାହାହେଲେ ଆମକୁ ପ୍ରଥମେ ଟିୟୁଏସ୍ରେ ପ୍ରଥମ ପରିବର୍ତ୍ତନ ଅନୁସାରେ ବେତନ ଏବଂ ଅବୈତନିକ ଗିତିବିଧି ଗୁଡିକରେ ମହିଳାମାନଙ୍କର ଭାଗିଦାରୀ ବହୁ ପରିମାଣରେ ବଢ଼ିଥିବା କଥା ନଜରକୁ ଆସେ ।

ଗ୍ରାମାଂଚଳ ମହିଳାମାନଙ୍କର ସ୍ଥିତି

ଗ୍ରାମାଂଚଳ ଏବଂ ସହରାଂଚଳ କ୍ଷେତ୍ରରେ ୫ଟି ଗତିବିଧିରେ ଭାଗ ନେଉଥିବା ମହିଳାମାନଙ୍କର ସ୍ଥିତିକୁ ଦେଖନ୍ତୁ । ନିଜ ଉପଯୋଗ ଲାଗି କାମ କରୁଥିବା ୨୦ ପ୍ରତିଶତ ମହିଳା,୨-ବେତନ ବା ଲାଭ ପାଇଁ ଅନ୍ୟର ଉପଯୋଗ ପାଇଁ କାମ କରୁଥିବା ୧୮.୦୪ ପ୍ରତିଶତ ମହିଳା, ୩- ଅନ୍ୟର ଉପଯୋଗ ପାଇଁ ଅଥଚ ବିନା କୌଣସି ବେତନରେ କାମ କରୁଥିବା ମହିଳା,-ଏଥିରେ ଅବୈତନିକ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷୁ ଓ ସ୍ୱୟଂସେବୀ ପରି କାମ କରୁଥିବା ମହିଳା ମାତ୍ର ୨ ପ୍ରତିଶତ ହୋଇଥିବା ବେଳେ ଅନ୍ୟ ଅବୈତନିକ କାର୍ଯ୍ୟ କରୁଥିବା ମହିଳାଙ୍କ ସଂଖ୍ୟା ହେଉଛି ୮୧ ପ୍ରତିଶତ ।

ଏଥିରେ ଲୋକଲୋଚନକୁ ଆସିଥିବା ଦ୍ୱିତୀୟ ପ୍ରମୁଖ ପରିବର୍ତ୍ତନ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି । କିନ୍ତୁ ଏକଥା ସ୍ପଷ୍ଟ ଯେ ଟିୟୁଏସର ଉପଯୋଗ କରି ହେଉଥିବା ଏହି ଆକଳନଗୁଡିକ ପାରମ୍ପରିକ ଶ୍ରମ ଶକ୍ତି ସର୍ବେକ୍ଷଣ ବା ପିଏଲଏଫଏସରେ ସମ୍ମୁଖକୁ ଆସିଥିବା କାର୍ଯ୍ୟରେ ଅଂଶଗ୍ରହଣ ହାର ସହିତ ତୁଳନା କରାଯାଇ ପାରିବ ନାହିଁ । ଏହା ବ୍ୟତୀତ ଏକଥା ମଧ୍ୟ ସ୍ପଷ୍ଟ ଯେ ପାରମ୍ପରିକ ଢାଂଚାରେ ସର୍ବେକ୍ଷଣ କରାଯିବାର ମାନକ ପ୍ରଶ୍ନାବଳୀ ପଦ୍ଧତି ମାଧ୍ୟମରେ ଏକ ସମୟରେ ଏକାଧିକ ବେତନ ପ୍ରାପ୍ତ ଏବଂ ଅବୈତନିକ କାମରେ ଲାଗିଥିବା ମହିଳା ମାନଙ୍କର କାର୍ଯ୍ୟର ସହଭାଗିତାର ଗଣନା କରିବା ମଧ୍ୟ କଷ୍ଟକର ।

ମୂଳ ଲେଖଢ଼ା- ଜିମୋଲ ଉନ୍ନି

ଭାଷାନ୍ତର- ସୁରେନ୍ଦ୍ର ପାତ୍ର

Photo Credit- https://bit.ly/2TBOcnm

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.