୩୨ ବର୍ଷ ତଳେ ୧୫ ଫେବୃୟାରୀ ୧୯୯୪ ମସିହାରେ ପ୍ରଗତିବାଦୀରେ ପ୍ରକାଶିତ ‘ଗେହ୍ଲା ମନମୋହନ’ ଲେଖାଟି ସମଦୃଷ୍ଟି (୧୬-୩୧ ଜୁଲାଇ ୨୦୦୬)ରେ ପ୍ରକାଶିତ ହେଇସାରିଛି। ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କୁ ମନେପକାଇ ଏବଂ ପାଠକମାନଙ୍କର ଅନୁରୋଧ କ୍ରମେ ଏହି ପ୍ରବନ୍ଧଟିକୁ ପୁନଃ ପ୍ରକାଶିତ କରୁଛୁ । – ସମ୍ପାଦକ
ବହୁ ପ୍ରତୀକ୍ଷା ପରେ ପିଲାଟିଏ ହେଲେ, ସେ ଘରେ ସବୁଠାରୁ ଗେହ୍ଲା ହୋଇଥାଏ । କାରଣ ତା’ର ଆବିର୍ଭାବରେ ଗୃହଲକ୍ଷ୍ମୀର ବନ୍ଧ୍ୟାଦୋଷ ଯେ କଟିଗଲା । ଆଉ ପୁଅ ହୋଇଥିଲେ କଥା କହିଲେ ନସରେ । ବଂଶରକ୍ଷାର ପ୍ରତିଶ୍ରୁତି ତା’ ଦେହରୁ ଝଟକୁଥାଏ ପରା। ପରିବାରରେ ଯଦି ସମସ୍ତେ କଳା, ତା ହେଲେ ତାଙ୍କ ଭିତରେ ଯିଏ ସବୁଠାରୁ କମ କଳା ସେ ହିଁ ଗେହ୍ଲା ହୋଇଥାଏ । ପରିବାରର ସବୁ ପିଲା ଗେହ୍ଲା ହୋଇ ପାରନ୍ତି ନାହିଁ । ପୁଣି ଜଣକର ଗେହ୍ଲା ଆଉ ଜଣକର ଗେହ୍ଲା ନ ହୋଇପାରେ । କିଏ କାହାକୁ କେତେଦୂର ଆନନ୍ଦ ଦେଉଛି ତାହାରି ଉପରେ ନିର୍ଭର କରୁଛି କିଏ କାହାର ଗେହ୍ଲା । କିଏ ଯଦି ବାପାର ଗେହ୍ଲା ତ ଆଉ କିଏ ହେଲାଣି ମା’ର ଗେହ୍ଲା ।
ପରିବାରରେ କେବଳ ଗେହ୍ଲା ନଥାନ୍ତି । ସାରଙ୍କର ଗେହ୍ଲା ଛାତ୍ର ଥାନ୍ତି । ମାଲିକଙ୍କର ଗେହ୍ଲା ଭୃତ୍ୟ ଥାନ୍ତି । ଦୋକାନୀଙ୍କର ଗେହ୍ଲା ସେଲ୍ସମ୍ୟାନ ଥାନ୍ତି । ଡକେଇତ ଦଳର ସର୍ଦ୍ଦାରର ମଧ୍ୟ ଜଣେ ଅଧେ ଗେହ୍ଲା ସହଯୋଗୀ ଥାନ୍ତି । ଏସବୁ କ୍ଷେତ୍ରରେ ଗେହ୍ଲାର ସର୍ବନିମ୍ନ ଗୁଣ ତ ନିଶ୍ଚିତ ଆନୁଗତ୍ୟ ଓ ଇମାନଦାରୀ – ତା’ ଛଡ଼ା ଆଉ କିଛି ଅଧିକ ।
ଏହାଛଡ଼ା ମଦୁଆମାନଙ୍କର ମଧ୍ୟ ଗେହ୍ଲା ଭାଟିପିଲା ଥାନ୍ତି । ଭାଟିରେ ପହଞ୍ଚିଗଲେ ସେହି ପିଲାଟିକୁ ଖୋଜାହୁଏ । ସେ ଗ୍ଲାସରେ ମଦ ନ ଢ଼ାଳିଲେ – କାଳେ ନିଶାରେ ସେ ମଜା ଆସେ ନାହିଁ । ରସିକମାନଙ୍କର ଗେହ୍ଲା ଭାଡ଼ୁଆ ମଧ୍ୟ ଥାନ୍ତି । ସେମାନେ ବାଟ କଢ଼େଇ ନନେଲେ ମେଜାଜଟା ବେତାଳିଆ ହୋଇଯାଏ ।
ଦୁର୍ବଳତା କାହାର କେଉଁଠି, ତାକୁ ନେଇ କିଏ କାହାର ଗେହ୍ଲା
‘ଛାଡ଼ି ରହି ହେବନାହିଁ’ (Indispensable) ଏହିଭଳି ଗୋଟିଏ ଭାବ ଗେହ୍ଲା ସହ ସମ୍ପୃକ୍ତ । ଗଣତନ୍ତ୍ରରେ ଏହିଭଳି ଭାବର କୌଣସି ସ୍ଥାନ ନାହିଁ ବୋଲି କୁହାଯାଏ । ତେଣୁ ଯୁଗ୍ମ ସଂସଦୀୟ କମିଟି (JPC) ର ରିପୋର୍ଟରେ ଅର୍ଥମନ୍ତ୍ରଣାଳୟ ପ୍ରତି ମନ୍ତବ୍ୟକୁ ଭିତ୍ତିକରି ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କର ଇସ୍ତଫାକୁ ନେଇ ଆଲୋଚନା ବେଳେ ସି.ପି.ଏମ୍. ସାଂସଦ ସୋମନାଥ ଚାଟାର୍ଜୀ କୁହନ୍ତି, ‘କୌଶଳପୂର୍ଣ୍ଣ ଭାବେ ସୃଷ୍ଟି କରାଯାଇଥିବା (Contrived Projection) କୌଣସି ବ୍ୟକ୍ତିବିଶେଷର ଅପରିହାର୍ଯ୍ୟତା (Indispensability) କୁ ଆଳକରି ଗୋଟିଏ ସୁନ୍ଦର ନଜିର (Precedent) କୁ ନଷ୍ଟକରି ଦିଆନଯାଉ ।’
ଜେ.ପି.ସି .ର ଆସ୍ପର୍ଦ୍ଧା
କିନ୍ତୁ ମନମୋହନ ସିଂହ ତ ଗେହ୍ଲା ତେଣୁ ତାଙ୍କୁ ଛାଡ଼ି ରହିହେବ ବା କିପରି ? ଇଏ ତ ଯୁଗ୍ମ ସଂସଦୀୟ କମିଟିର ନଗ୍ନ ଆସ୍ପର୍ଦ୍ଧା ଯେ, ସେ ଗେହ୍ଲା ମନମୋହନଙ୍କର ଅର୍ଥମନ୍ତ୍ରଣାଳୟ ପ୍ରତି ଆକ୍ଷେପ କରିବାର ସାହସ କରିଛି ଓ ତାଙ୍କର ଦାୟିତ୍ୱବୋଧକୁ ଆହ୍ୱାନ କରି ତାଙ୍କ ମନରେ ଆଘାତ ଆଣିଛି । ତେଣୁ ଥାଉ ପଛେ ଯୁଗ୍ମ ସଂସଦୀୟ କମିଟିର ଆକ୍ଷେପ ପଛରେ ସର୍ବସମ୍ମତି- ସର୍ବସମ୍ମତିରେ ପଛେ ଅଂଶୀଦାର ହୋଇଥାନ୍ତୁ ମନମୋହନଙ୍କ ଦଳରୁ କମିଟିରେ ସଂଖ୍ୟାଗରିଷ୍ଠ ପନ୍ଦର ଜଣ କଂଗ୍ରେସ (ଇ) ସଭ୍ୟ ଓ ପୁନଶ୍ଚ ସେମାନଙ୍କ ମଧ୍ୟରେ ଥାନ୍ତୁ ପଛେ ମଣିଶଙ୍କର ଆୟାର, ମୁରଲୀ ଦେଓରା ଓ ଏସ୍.ଏସ୍. ଆହୁଲୁଓଲିଆଙ୍କ ପରି ଉଚ୍ଚକଣ୍ଠୀ ଟାଣୁଆ ସଭ୍ୟ—ମନମୋହନଙ୍କ ପ୍ରତି ତାଙ୍କର ମନ୍ତ୍ରଣାଳୟ ପ୍ରତି ଆକ୍ଷେପ କରିବାର ଆସ୍ପର୍ଦ୍ଧା ପାଇଁ ଜେ.ପି.ସି.ଙ୍କୁ ଛାଡ଼ି ଦିଆ ଯାଇ ନ ପାରେ ।
କଂଗ୍ରେସ (ଇ) ସଭ୍ୟ ବୁଟା ସିଂହ ଜେ.ପି.ସି. ରିପୋର୍ଟକୁ ସମାଲୋଚନା କରି ଏହାର ସର୍ବସମ୍ମତ ଚରିତ୍ରକୁ ହିଁ ପ୍ରଶ୍ନ କରିଲେ ତାଙ୍କ ଦୃଷ୍ଟିରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ରିପୋର୍ଟ ନୁହେଁ । ରାଜ୍ୟସଭାରେ କଂଗ୍ରେସ (ଇ) ସଦସ୍ୟ ମୁରଲୀଧର ଭଣ୍ଡାରେ, ମଦନ ଭାଟିଆ ଓ ବିଶ୍ଵଜିତ ପୃଥ୍ଵୀଜିତ ସିଂହ ପ୍ରତିଭୂତି ହେରଫେରରେ ଗାଏବ ହୋଇଥିବା ଟଙ୍କାର ସନ୍ଧାନରେ ଜେ.ପି.ସି. ଅସଫଳ ହୋଇଛି ବୋଲି ଅଭିଯୋଗ କରି ଏହି ରିପୋର୍ଟର ଗୁରୁତ୍ୱ ହ୍ରାସ କରିଦେବାର ଉଦ୍ୟମ କରିଥିଲେ । ପୂର୍ବତନ ବାଣିଜ୍ୟମନ୍ତ୍ରୀ ପି. ଚିଦାମ୍ବରମ କହିଲେ, ମନ୍ତ୍ରୀସ୍ତରୀୟ ବିଚ୍ୟୁତି (ministerial lapses) କୁ ନୈତିକ ଦାୟିତ୍ୱ (moral responsibility) ସହ ସମାନ କରିବା ଜେ.ପି.ସି.ର ଠିକ୍ ସୂତ୍ର ନୁହେଁ । ଜେ.ପି.ସି.ର ଅନୁମୋଦନକୁ ଗୁରୁତ୍ୱ ନଦେବା ପାଇଁ ଇଙ୍ଗିତ ଦେଇ କହିଲେ ଯେ, ସରକାର ତଦନ୍ତ କମିଶନର ରିପୋର୍ଟକୁ ଯେପରି ଗ୍ରହଣ କରିବା ଓ ତା’ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ, ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ କ୍ଷେତ୍ରରେ ସରକାର ସେଭଳି ବାଧ୍ୟ ନୁହନ୍ତି । କେନ୍ଦ୍ର ଶକ୍ତିମନ୍ତ୍ରୀ ଏନ.କେ.ପି. ସାଲଭେ ଏହି ରିପୋର୍ଟକୁ ଗୋଟିଏ ବିରାଟ ଶୂନ (Big Zero) ବୋଲି ଅଭିହିତ କରି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି ଯୁକ୍ତି ବାଢ଼ିଲେ । ଏହିଠାରେ ସ୍ମରଣ କରାଯାଇପାରେ ଯେ, ଶ୍ରୀ ସାଲ୍ଭେ ପ୍ରତିଭୂତି ହେରଫେର ଘଟଣା ପ୍ରଘଟ ହେବାମାତ୍ରେ ରାଜ୍ୟସଭାରେ ୨୯.୪.୯୨ ଦିନ କହିଥିଲେ, ‘ମୁଁ ଯଦି କେବେ ଅର୍ଥମନ୍ତ୍ରୀ ହୋଇଥାନ୍ତି ଏବଂ ଏହିଭଳି ପରିସ୍ଥିତି ଉପୁଜିବାକୁ ଦେଇଥାନ୍ତି, ଯେଉଁଠି ଅସଲି ଓ ସଚ୍ଚା ପୁଞ୍ଜି ନିବେଶକାରୀ, ମଧ୍ୟବିତ୍ତ ଶ୍ରେଣୀଲୋକ, ଚାକିରିଆ ଲୋକ ଠକିଯିବେ, ମୋର ମନେହୁଏ ମୁଁ ଅଫିସରେ ବସି ରହିନଥାନ୍ତି । … ଯଦି ଅର୍ଥମନ୍ତ୍ରୀ ଜାଣନ୍ତି ନାହିଁ ଯେ ଏଭଳି ଘଟଣା ଘଟୁଛି, ତାହେଲେ ସେ ତାଙ୍କର ପଦବୀ ପାଇଁ ଯୋଗ୍ୟ ନୁହନ୍ତି ।’ ଏହିଭଳି ପ୍ରତିକ୍ରିୟାର ପ୍ରତ୍ୟୁତ୍ତରରେ ବୋଧହୁଏ ଅର୍ଥମନ୍ତ୍ରୀ ମନମୋହନ ସିଂହ ୩୦.୪.୧୯୯୨ ଦିନ ଲୋକସଭାରେ କହିଲେ, ‘ଏହାର ଅର୍ଥ ନୁହେଁ ଯେ, ଷ୍ଟକ ବଜାରର ଉଠିବା-ପଡ଼ିବା ନେଇ ମୁଁ ମୋର ନିଦ୍ରା ନଷ୍ଟ କରିବି ।’ (But that does not mean that I should lose my sleep simply because stock market goes up one day and falls the next day) । ଅର୍ଥମନ୍ତ୍ରୀଙ୍କ ଏତାଦୃଶ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେଇ ଜେ.ପି.ସି. ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଲେ, ‘ସହଜରେ ନିଦ୍ରା ନ ହରାଉଥିବା ଜଣେ ଅର୍ଥମନ୍ତ୍ରୀ ରହିବା ଭଲକଥା । କିନ୍ତୁ ଜଣେ ନିଶ୍ଚିତ ଆଶା କରିବ ଯେ, ଏଭଳି ଏକ ଆକସ୍ମିକ ବିପତ୍ତି ଯେତେବେଳେ ପଡ଼ିବ, ସେତେବେଳେ କୌଣସି ସତର୍କ ଘଣ୍ଟି ବାଜିବ ଯାହା ତାଙ୍କର ନିଦ୍ରାରେ ବିଘ୍ନ ଆଣିବ ।’
ମତରେ ସିଧାସଳଖ ୧୮୦ ଡିଗ୍ରୀ ପରିବର୍ତ୍ତନ କରିବା ଦୋଷରେ ଯଦି ଏନ୍.କେ.ପି. ସାଲଭେ ଦୋଷୀ, ତାହେଲେ, ପୁରୁଖା କଂଗ୍ରେସ (ଇ) ନେତା ଓ କଂଗ୍ରେସ (ଇ) କାର୍ଯ୍ୟକାରିଣୀ ସମିତିର ମୁଖପାତ୍ର ଭି.ଏନ୍. ଗାଡଗିଲ ମଧ୍ୟ ପଛରେ ନାହାନ୍ତି । ୨୧ ଡିସେମ୍ବର ୧୯୯୩ରେ ଯେତେବେଳେ ଜେ.ପି.ସି. ରିପୋର୍ଟ ଦାଖଲ କରାଗଲା ସେତେବେଳେ ଏ ଭଦ୍ରଲୋକ ଏହାକୁ ସ୍ୱାଗତ କରିଥିଲେ । କିନ୍ତୁ ପରେ ବଦଳିଯାଇ କହିଲେ ଯେ, ସଂସଦ ଦ୍ୱାରା ତଦନ୍ତ କରାଯାଇ ସତ୍ୟ ଉଦ୍ଘାଟନ ସମ୍ଭବ ନୁହେଁ । ତେଣୁ ଯୁଗ୍ମ ସଂସଦୀୟ କମିଟି ନିଯୁକ୍ତି ପ୍ରଥା ଅବ୍ୟାହତ ରଖିବାରେ ଯଥାର୍ଥତା କେତେ ତାହା ସଂସଦ ଆଲୋଚନା କରିବା ଉଚିତ ।
ଜେ.ପି.ସି. ଓ ଏହାର ରିପୋର୍ଟ ଉପରେ କଂଗ୍ରେସ (ଇ) ସଭ୍ୟମାନଙ୍କର ଆକ୍ରମଣ ଏତେ ତୀବ୍ର ଥିଲା ଯେ, ଜେ.ପି.ସି.ର କଂଗ୍ରେସ (ଇ) ସଭ୍ୟମାନେ କାନ୍ଦୁରା ଓ ଦୋଷୀ ଭଳି ଦିଶିଲେ । ଏମାନଙ୍କ ବିରୋଧରେ କଂଗ୍ରେସ (ଇ) ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରେ କି- ଏଭଳି ପ୍ରଶ୍ନମାନ ମଧ୍ୟ ସାମ୍ବାଦିକମାନଙ୍କ ତରଫରୁ କଂଗ୍ରେସ (ଇ) ମୁଖପାତ୍ରଙ୍କୁ ହେଲା । ଏହି ସଭ୍ୟମାନଙ୍କ ମଧ୍ୟରୁ ମଣିଶଙ୍କର ଆୟାର, ଶ୍ରବଣ ପଟେଲ ଇତ୍ୟାଦି ମନମୋହନ ସିଂହଙ୍କର ଇସ୍ତଫା ଗ୍ରହଣ ନକରିବା ପାଇଁ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଅନୁରୋଧ କରି ପତ୍ର ଲେଖିଲେ ଓ ବିବୃତ୍ତିମାନ ଦେଲେ ।
କଂଗ୍ରେସ (ଇ) ସଭ୍ୟମାନଙ୍କର ଜେ.ପି.ସି. ଓ ଏହାର ରିପୋର୍ଟ ଉପରେ ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ଜନତାଦଳର ସାଂସଦ ଓ ଜେ.ପି.ସି.ର ସଭ୍ୟ ଜୟପାଲ ରେଡ୍ଡୀ କୁହନ୍ତି, ‘ଯେଉଁ ନଗ୍ନ ବିଦ୍ୱେଷ ଭାବ କଂଗ୍ରେସ ସଭ୍ୟମାନେ ରିପୋର୍ଟ ପ୍ରତି ଦେଖାଇଲେ ତାହା ହେଉଛି ରାଜନୈତିକ ଦେବାଳିଆମି ଓ ନୈତିକ ଅବକ୍ଷୟର ସ୍ୱୀକାରୋକ୍ତି । ପ୍ରଧାନମନ୍ତ୍ରୀ ସଂସଦକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ରିପୋର୍ଟଟିକୁ ସମ୍ମାନ ଦେବେ । କିନ୍ତୁ ଦେଖିଲା ବେଳକୁ ଭିତରେ ରହି ସଂସଦୀୟ ଓ ରାଜନୈତିକ ଆଦର୍ଶ ପ୍ରତି ସେ ହିଁ ଅନ୍ତର୍ଘାତୀ ପ୍ରମାଣିତ ହେଲେ । ଆମେ ବର୍ତ୍ତମାନ ଏହି ଘଟଣାକୁ ଲୋକଙ୍କ ପାଖକୁ ନେବୁ । ଏହି ରିପୋର୍ଟ ସଂସଦରେ ବଜେଟ ତଥା ଅନ୍ୟାନ୍ୟ ଅଧିବେଶନ ମାନଙ୍କରେ ବାରମ୍ବାର ପଡ଼ିବ । ଜେ.ପି.ସି.ର ନିଷ୍କର୍ଷ, ନ୍ୟାୟିକ ତଦନ୍ତ ସହ ସମାନ ନୁହେଁ- ପ୍ରଣବ ମୁଖାର୍ଜୀ ଓ ଭି.ସି. ଶୁକ୍ଳଙ୍କର ଏପରି ଯୁକ୍ତି ଯେ କେବଳ ହାସ୍ୟାସ୍ପଦ ନୁହେଁ ଏହା ବିପଜ୍ଜନକ ମଧ୍ୟ ।’
କିନ୍ତୁ ବିଡ଼ମ୍ବନା ଏହି ଯେ, ଜନତାଦଳର ଅନ୍ୟତମ ବରିଷ୍ଠ ନେତା ଓ ଆମର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତା ୨୬.୧୨.୯୩ରିଖ ଦିନ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦ୍ଘାଟନ ଅବସରରେ ଜେ.ପି.ସି.ର କାର୍ଯ୍ୟକଳାପ ଓ ରିପୋର୍ଟର ତୀବ୍ର ସମାଲୋଚନା କରି କହିଲେ – ‘ଜେ.ପି.ସି. ବିଭିନ୍ନ ଶ୍ରେଣୀର ଶହ ଶହ ଲୋକଙ୍କଠାରୁ ବୟାନ ନେଇ ପରିଶେଷରେ ପ୍ରକୃତ ଦୋଷୀକୁ ଶାସ୍ତିବିଧାନ କରିବାରେ କେବଳ ଯେ ସମର୍ଥ ହୋଇନାହାନ୍ତି, ସେତିକି ନୁହେଁ, ଅପରପକ୍ଷେ ସାରା ପୃଥିବୀରେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଖ୍ୟାତି ଅର୍ଜନ କରିଥିବା ଡକ୍ଟର ମନମୋହନ ସିଂହ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ଯୋଗୁଁ କେନ୍ଦ୍ର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।’ ସତେ ଯେପରି ଅପରାଧ ଜେ.ପି.ସି. ହିଁ କରିଛି ।
‘ସଚ୍ଚୋଟ ପଣିଆମି’ ପ୍ରତି ବିଜୁବାବୁଙ୍କର ଏତାଦୃଶ ଅନୁରାଗ ଦ୍ୱାରା କେହି କେହି ବିସ୍ମିତ ହୋଇପାରନ୍ତି । କିନ୍ତୁ ଯେଉଁମାନେ ସ୍ମରଣ କରିପାରିବେ ଯେ, ବିଜୁବାବୁ ଏକଦା ଶିଳ୍ପପତି ଥିଲେ – ସେମାନେ ବିଜୁବାବୁଙ୍କର ଏତାଦୃଶ ଦଳମତର ବିପରୀତ ମତ ଶୁଣି ଆଦୌ ଚକିତ ହେବେ ନାହିଁ । ବରଂ ଆଜି ଶିଳ୍ପପତି ତଥା ବଡ଼ ବଡ଼ ବ୍ୟବସାୟୀମାନଙ୍କର ଗେହ୍ଲା ମନମୋହନଙ୍କ ପ୍ରତି ବିଜୁଙ୍କର ସ୍ନେହ ସ୍ୱାଭାବିକ ବୋଲି ଯୁକ୍ତି ବାଢ଼ିବେ ।
ଶିଳ୍ପପତି ଓ ବ୍ୟବସାୟୀଙ୍କର ଗେହ୍ଲା ମନମୋହନ
ମନମୋହନ ସିଂହ ଭାରତୀୟ ଶିଳ୍ପପତି ଓ ସେୟାର ଦଲାଲମାନଙ୍କର ଯେ କେତେଦୂର ଗେହ୍ଲା, ତାହା ମନମୋହନ ସିଂହଙ୍କ ଇସ୍ତଫା ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ୨୪ ଡିସେମ୍ବର ୧୯୯୩ ଦିନ ମନମୋହନ ସିଂହ ନିଜର ଇସ୍ତଫା ସମ୍ବାଦ ଘୋଷଣା କରିବା ମାତ୍ରେ ତାଙ୍କ ସମର୍ଥନରେ ପ୍ରତିକ୍ରିୟାମାନ ଶିଳ୍ପପତି, ବ୍ୟବସାୟୀ ଓ ସେୟାର ଦଲାଲମାନଙ୍କ ଠାରୁ ହିଁ ସର୍ବପ୍ରଥମେ ଆସିଥିଲା । ପ୍ରତିଭୂତି ହେରଫେରରେ ମୁଖ୍ୟ ଆସାମୀ ହର୍ଷଦ ମେହେଟ୍ଟା ଏହାକୁ ଏକ ଦୁଃଖଦ ପରିସ୍ଥିତି ବୋଲି କହିଥିଲେ । ଅନ୍ୟ ଏକ ଆସାମୀ ଭୂପେନ ଦଲାଲ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ, ଏସିଆ ପ୍ୟାସିଫିକ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, କନ୍ଫେଡ଼େରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍, ବେଙ୍ଗଲ୍ ଚାମ୍ବର୍ସ ଅଫ କମର୍ସ, ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ପ୍ରଭୃତି ଶିଳ୍ପଗୋଷ୍ଠୀ ଓ ବଣିକ ସଂଘମାନଙ୍କ ତରଫରୁ ମନମୋହନ ସିଂହଙ୍କର ଇସ୍ତଫା ପ୍ରଧାନମନ୍ତ୍ରୀ ଗ୍ରହଣ ନ କରନ୍ତୁ ବୋଲି ଅନୁରୋଧମାନ କରାଯାଇଥିଲା ଓ ବିବୃତ୍ତିମାନ ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଏତାଦୃଶ ଅନୁରୋଧ ଉପରେ ବିରକ୍ତି ପ୍ରକାଶ କରି ତାଙ୍କ ଦପ୍ତରର ଅଫିସରମାନେ ବିସ୍ମୟ ପ୍ରକାଶ କରିଥିଲେ ଯେ, କାହିଁକି ଅର୍ଥମନ୍ତ୍ରୀଙ୍କର ସମର୍ଥକମାନେ ଅର୍ଥମନ୍ତ୍ରୀଙ୍କୁ ତାଙ୍କର ଇସ୍ତଫା ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ କରୁନାହାନ୍ତି ?
ଏ ସମସ୍ତ ଅନୁରୋଧ ପତ୍ର ବା ବିବୃତ୍ତିରେ ସମାନ ଆଶଙ୍କା ପ୍ରକଟିତ ହୋଇଥିଲା ଯେ, ଇସ୍ତଫା ଗ୍ରହଣ କରିନେଲେ ଅର୍ଥନୀତିର ଉଦାରୀକରଣ ପ୍ରକ୍ରିୟାରେ ମନ୍ଥରତା ଆସିଯିବ ଓ ଆନ୍ତର୍ଜାତିକ ସମର୍ଥନ ପ୍ରତ୍ୟାହୃତ ହୋଇଯିବ । ଶିଳ୍ପପତିମାନଙ୍କର ଜଣେ ବଳିଷ୍ଠ ସମର୍ଥକ, ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କର ଇସ୍ତଫା ଗ୍ରହଣ କରାଗଲେ ‘ଏକ ବିପର୍ଯ୍ୟୟକାରୀ ତ୍ରୁଟି’ ଘଟିବ ବୋଲି ଚେତାଇ ଦେଇଥିଲେ ।
ଘଟଣାକ୍ରମଟିକୁ ସଜାଡ଼ି ନେଇ କୁହାଯାଇପାରେ ଯେ, ଏହି ଶିଳ୍ପପତିମାନଙ୍କର ମନମୋହନଙ୍କ ସମର୍ଥନରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହିଁ କଂଗ୍ରେସ (ଇ) ସଭ୍ୟମାନଙ୍କ ତରଫରୁ ମନମୋହନଙ୍କ ସପକ୍ଷରେ ବିବୃତ୍ତିମାନ ପ୍ରକାଶ ପାଇଲା ଓ ଇସ୍ତଫା ଗ୍ରହଣ କରାଗଲେ ଅର୍ଥନୈତିକ ଉଦାରୀକରଣ ମନ୍ଥର ହୋଇଯିବ ତଥା ଆନ୍ତର୍ଜାତିକ ସମର୍ଥନ ପ୍ରତ୍ୟାହୃତ ହୋଇଯିବ– ସେହି କାରଣଗୁଡ଼ିକର ପୁନରାବୃତ୍ତି ହେଲା ।
କିଏ ବା ନଜାଣେ ଯେ, ଅର୍ଥନୈତିକ ଉଦାରୀକରଣ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସମର୍ଥନ (ନିର୍ଦ୍ଦେଶ)ରେ ଚାଲିଛି । ଏହି ଉଦାରୀକରଣ ଫଳରେ ଦେଶୀ ଶିଳ୍ପପତିମାନଙ୍କୁ ଅନେକ ରିହାତି ମିଳିଛି । କଳାଧନକୁ ଧଳା କରିଦେବାର ବାଟକୁ ସରକାରୀ ସ୍ୱୀକୃତି ମିଳିଛି – ନାଲିଫିତା କଟକଣା ସବୁକୁ ଉଠାଇ ଦିଆଯାଇଛି । ଶ୍ରମ ଆଇନରେ ପରିବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ମିଳୁଛି । ଭି.ପି. ସିଂହ ଅର୍ଥମନ୍ତ୍ରୀ ଥିବା ବେଳେ ଯେଉଁ ନିୟମଗୁଡ଼ିକୁ ଧରି ଦେଶୀ ଶିଳ୍ପପତିମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିଲେ ସେ ନିୟମଗୁଡ଼ିକୁ ସବୁ କୋହଳ କରିଦିଆଯାଇଛି । ତେଣୁ ସ୍ୱାଭାବିକ ଯେ ଦେଶୀ ଶିଳ୍ପପତି ଓ ବ୍ୟବସାୟୀ ମାନଙ୍କୁ ଗତ ୪୫ ବର୍ଷରେ ପ୍ରଥମ ଥର ପାଇଁ ‘ସଚ୍ଚୋଟପଣିଆ’, ‘ସାଧୁତା’, ‘କର୍ତ୍ତବ୍ୟ ପରାୟଣତା’ ଓ ‘ବିଶ୍ୱାସନୀୟତା’ ଭଳି ଗୁଣମାନ ମନମୋହନଙ୍କ ଠାରେ ଦୃଶ୍ୟ ହେଉଛି । ଏହା ଭିନ୍ନ କଥା ଯେ ଯେତେବେଳେ ମନମୋହନଙ୍କର ‘ସଚ୍ଚୋଟପଣିଆ’ ଓ ‘ସାଧୁତା’ ଦ୍ୱାରା ତାଙ୍କର ସମର୍ଥକମାନେ ମୁଗ୍ଧ ହୋଇ ଏହାକୁ ପ୍ରଚାର କରିବାରେ ବ୍ୟସ୍ତ ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍. ଶେଷାନ ଜଣାଇଛନ୍ତି ଯେ ମନମୋହନ ମିଥ୍ୟା ଠିକଣା ଦେଇ ଆସାମରୁ ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ତେବେ ଏହି ଉଦାରୀକରଣ ଫଳରେ ସରକାର ଦେଶୀ ଶିଳ୍ପପତିଙ୍କ ପ୍ରତି ଯେତିକି ଉଦାର ହୋଇଛନ୍ତି, ତାହାଠାରୁ ବୋଧହୁଏ ଅଧିକ ଉଦାର ହୋଇଛନ୍ତି ବିଦେଶୀ ପୁଞ୍ଜିପ୍ରତି ବହୁ ଦେଶୀୟ କମ୍ପାନୀମାନଙ୍କ ପ୍ରତି । ତେଣୁ ମନମୋହନଙ୍କ ଇସ୍ତଫା ଫଳରେ ଆମେରିକା ସ୍ତବ୍ଧ ବୋଲି ଖବର ବାହାରିଛି । ଅଣ ଆବାସିକ ଭାରତୀୟମାନଙ୍କ ତରଫରୁ ଉଦାରୀକରଣ ପ୍ରକ୍ରିୟା ମନ୍ଥର ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ବ୍ରିଟିଶ ସରକାରଙ୍କର ଭାରତରେ ରାଷ୍ଟ୍ରଦୂତ ସାର ନିକୋଲାସ ଫେନ୍ସ (Sir Nicholas Fenn) ଭାଇ ବୀର ସିଂହ ଆନ୍ତର୍ଜାତିକ ପୁରସ୍କାର ଗ୍ରହଣ କରୁ କରୁ (ତା-୨୬.୧୨.୧୯୯୩) ମନମୋହନ ସିଂହଙ୍କୁ ଉଦାରୀକରଣର ଏକ ଆନ୍ତର୍ଜାତିକ ପ୍ରତୀକ (International Symbol) ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ନରସିଂହ ରାଓ ମନମୋହନଙ୍କର ଇସ୍ତଫା ଗ୍ରହଣ ନକରିବା ପାଇଁ ପରାମର୍ଶ ଦେଇଥିବାର ଖବର ମଧ୍ୟ ସମ୍ବାଦପତ୍ରରେ ବାହାରିଛି । କଂଗ୍ରେସ (ଇ) ଦଳର ମୁଖପାତ୍ର ଶ୍ରୀ ଭି.ଏନ. ଗାଡଗିଲ ଏହି ସବୁକୁ ଲକ୍ଷ୍ୟ କରି କହିଥିଲେ, ତାଙ୍କର ଇସ୍ତଫା ଅର୍ଥନୈତିକ ସୁଧାର ବିଷୟରେ ଭୁଲ ସଙ୍କେତ ଦେବ ।’
କହିବା ବାହୁଲ୍ୟ ଯେ, ଦେଶୀ ଶିଳ୍ପପତି ଓ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନେ ‘ଆନ୍ତର୍ଜାତିକ ସମର୍ଥନ’ ପାଇଁ ମନମୋହନଙ୍କର ଅପରିହାର୍ଯ୍ୟତାକୁ ଦର୍ଶାଇ ଏହାହିଁ ଜଣାଇଦେଲେ ଯେ, ମନମୋହନ ପ୍ରକୃତରେ ଭାରତୀୟ ବଜାରକୁ ଉନ୍ମୁକ୍ତ କରିଦେବା ପାଇଁ ଦାବି କରୁଥିବା ଆନ୍ତର୍ଜାତିକ ଗୋଷ୍ଠୀର ଗେହ୍ଲା । ଏହା କେବଳ ଭାରତ ବାହାରୁ ଶିଳ୍ପପତିମାନଙ୍କର ମନ୍ତବ୍ୟରୁ ନୁହେଁ; ବରଂ ଜଣେ ରାଷ୍ଟ୍ରଦୂତଙ୍କର ଉଲ୍ଲିଖିତ ମନ୍ତବ୍ୟରୁ ମଧ୍ୟ ସ୍ପଷ୍ଟ ହୁଏ । ଏହାଛଡ଼ା ଯେଉଁମାନେ ବିତର୍କିତ ଡଙ୍କେଲ ଚିଠାର ଉତ୍ସ ଆନ୍ତର୍ଜାତିକ ସଂସ୍ଥା ‘ଗାଟ୍’ର ପରାମର୍ଶଦାତା ପ୍ରଫେସର ଜଗଦୀଶ ଭଗବତୀଙ୍କର ଏକ ସାକ୍ଷାତକାରକୁ ସ୍ମରଣ କରିପାରିବେ, ତାହେଲେ ସେମାନେ ମନମୋହନ ପ୍ରକୃତରେ କାହାର ଗେହ୍ଲା ତାଙ୍କର ଠିକଣା ପାଇପାରିବେ ।
ଆଇ.ଏମ୍.ଏଫ୍. ଓ ବିଶ୍ୱବ୍ୟାଙ୍କ୍ର ଗେହ୍ଲା ମନମୋହନ
ଏହି ସାକ୍ଷାତକାର ପ୍ରଫେସର ଭଗବତୀ ଦେଇଥିଲେ ୧୯୯୨ ମସିହାର ଉତ୍ତରାର୍ଦ୍ଧରେ । ଭାରତ ପରିଦର୍ଶନରେ ଥିବାବେଳେ ସେ କହିଥିଲେ, ‘ଯଦି ଡକ୍ଟର ମନମୋହନ ସିଂହଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଏ, ତାହେଲେ ଦେଶକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ କାରଣ ବିଦେଶୀ ପୁଞ୍ଜି ନିବେଶକାରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ସମର୍ଥନ ଅନ୍ତର୍ହିତ ହୋଇଯିବ’ । ଏହି ଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବର୍ଷିୟାନ ସାମ୍ବାଦିକ ନିଖିଳ ଚକ୍ରବର୍ତ୍ତୀ ଲେଖିଥିଲେ, ‘ଆଶ୍ଚର୍ଯ୍ୟର କଥା ଯେ ସେ (ପ୍ରଫେସର ଭଗବତୀ) ଆମର ଅର୍ଥମନ୍ତ୍ରୀଙ୍କୁ ବିଶ୍ୱବ୍ୟାଙ୍କର ଜଣେ ବିଶ୍ୱସ୍ତ ଏଜେଣ୍ଟ ଭାବେ ଉତ୍ତୋଳିତ କରିବାର ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି । ଜଣେ ଭାବିଥିବ ଯେ ଆମ ଅର୍ଥମନ୍ତ୍ରୀ ଆମ ନିଜ ଜନଗଣଙ୍କ ପ୍ରତି ହିଁ ଉତ୍ତର ଦାୟୀ ହେବେ ଯେତେ ଶକ୍ତିଶାଳୀ ହେଲେ ବି, ବିଦେଶ ଶକ୍ତିକୁ ନୁହେଁ (ମେନଷ୍ଟ୍ରିମ, ୨ ଜାନୁଆରୀ ୧୯୯୩) ।
ତେଣୁ ଇସ୍ତଫାର ମାତ୍ର ୩ ଦିନ ପରେ ୨୭ ତାରିଖ ଦିନ ଯେତେବେଳେ କଂଗ୍ରେସ ଦଳ ତରଫରୁ ଚାପ ସୃଷ୍ଟି କରାଗଲା, ସେତେବେଳେ ସର୍ବଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଶ୍ରୀ ଗାଡଗିଲଙ୍କୁ ସାମ୍ବାଦିକମାନେ ପଚାରିଥିଲେ – ‘ମନମୋହନଙ୍କର ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବିଶ୍ୱବ୍ୟାଙ୍କ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତରଫରୁ ଭାରତ ସରକାରଙ୍କ ଉପରେ ଚାପ ପଡ଼ୁଛି କି ?’ ପ୍ରତ୍ୟାଶିତ ଉତ୍ତର ଥିଲା – ‘ନା’ ।
କହିବା ବାହୁଲ୍ୟ ଯେ ମନମୋହନଙ୍କ ପ୍ରତି ଗେହ୍ଲାର ପ୍ରକୃତ ଉତ୍ସ – ମା’ର ଗେହ୍ଲାପରି- ଭାରତ ବାହାରେ, ଦେଶ ଭିତରେ ଯେଉଁ ଗେହ୍ଲା ଆମେ ଦେଖୁଛୁ ତାହାକୁ ଧାଈର ଗେହ୍ଲା ସହ ତୁଳନା କରାଯାଇପାରେ ।
ମନମୋହନ ଜଣେ ଅଭ୍ୟାସଗତ ଇସ୍ତଫାଦାତା !
ଜେପିସି ରିପୋର୍ଟକୁ ଭିତ୍ତିକରି ମନମୋହନ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫାଦେବା ଦ୍ୱାରା ଅନେକଙ୍କର ମନେ ହୋଇଥିଲା ଯେ, ସେ ଲାଲବାହାଦୁର ଶାସ୍ତ୍ରୀ, କୃଷ୍ଣମାଚାରୀ ବା ଭି.କେ କୃଷ୍ଣମେନନଙ୍କ ସ୍ତରର ବୋଲି, କାରଣ ଏମାନଙ୍କର ବ୍ୟକ୍ତିଗତ ଭୂମିକାକୁ ପ୍ରଶ୍ନ କରାଯାଇ ନଥିଲା । କିନ୍ତୁ ଏମାନେ ମନ୍ତ୍ରଣାଳୟର ବିଫଳତା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ – ଯଦିଓ ପ୍ରଥମରୁ ହିଁ ମନମୋହନଙ୍କର ଇସ୍ତଫାକୁ ଏକ ନାଟକ ବୋଲି କହି ଏହାର ଅବସାନ ପାର୍ଲିଆମେଣ୍ଟରେ ଜେ.ପି.ସି. ରିପୋର୍ଟ ଆଲୋଚନା ସରିବା ମାତ୍ରେ ଘଟିବ ଓ ମନମୋହନ ସିଂହଙ୍କର ଇସ୍ତଫା ପ୍ରଧାନମନ୍ତ୍ରୀ ଗ୍ରହଣ କରିବେ ନାହିଁ ବୋଲି ଜନତାଦଳର ନେତା ଜର୍ଜ ଫର୍ଣ୍ଣାଣ୍ଡେଜ୍ ଭବିଷ୍ୟବାଣୀ କରିଥିଲେ । ଏହି ଭବିଷ୍ୟବାଣୀ ଯେ ସତ୍ୟ ହେଲା ଓ ମନମୋହନ ସିଂହ ଫେରିଲେ ତାହା ଆଜି ଭାରତବର୍ଷର ଜନସାଧାରଣଙ୍କୁ କହିବାର ଆବଶ୍ୟକତା ନାହିଁ ।
କିନ୍ତୁ ମନମୋହନଙ୍କର ଇସ୍ତଫା ଖବର ପ୍ରଚାରିତ ହେବାମାତ୍ରେ ଏହାକୁ ବିରୋଧୀଦଳର ନେତୃବର୍ଗ ସ୍ୱାଗତ କରିଥିଲେ ଓ ଏତାଦୃଶ ପଦକ୍ଷେପ ପାଇଁ ମନମୋହନ ସିଂହଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ସଂସଦୀୟ ଗଣତନ୍ତ୍ରରେ ଏହା ଏକ ଭଲ ଉଦାହରଣ ବୋଲି ସି.ପି.ଏମ୍. ଦଳର ଲୋକସଭା ସଦସ୍ୟ ସୋମନାଥ ଚାଟ୍ଟାର୍ଜୀ କହିଲା ବେଳେ – ଏହି ଇସ୍ତଫା ଦ୍ୱାରା ମନମୋହନ ସିଂହ ରାଜନୈତିକ ସଚ୍ଚୋଟପଣିଆ ଦେଖାଇଛନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଜନତାଦଳର ନେତା ଭି.ପି.ସିଂହ ମନ୍ତବ୍ୟ ଦେଇଥିଲେ । ବି.ଜେ.ପି. ନେତା ଯଶୱନ୍ତ ସିଂହ କହିଥିଲେ, ‘ଡକ୍ଟର ମନମୋହନ ସିଂହ ଇସ୍ତଫା ଦେଇ ଉଚ୍ଚଲୋକ – ଚରିତ୍ରବତ୍ତାର ପରିଚୟ ଦେଇଛନ୍ତି ।’
ଏହି ମନ୍ତବ୍ୟଗୁଡ଼ିକ ଦେବା ସମୟରେ ଏମାନେ ନିଶ୍ଚୟ ଭାବିଥିବେ ଯେ ମନମୋହନ ସିଂହ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆନ୍ତରିକତାର ସହ ନେଇଛନ୍ତି ଓ ସେହି ନିଷ୍ପତ୍ତିରେ ସେ ଅଟଳ ରହିବେ । କିନ୍ତୁ ମନମୋହନ ସିଂହ ଯେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ ନାହିଁ ଏହା କହିବାର ଆବଶ୍ୟକତା ନାହିଁ । ଇସ୍ତଫା ଦେଇସାରି ୪ ଦିନ ପର୍ଯ୍ୟନ୍ତ ଅଫିସ ନଯିବା, ତା’ପରେ ଅଫିସ ଯିବା ଓ ଜେ.ପି.ସି. ରିପୋର୍ଟର ଲୋକସଭାରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ଭାବେ ଅଂଶ ଗ୍ରହଣକରିବା ଅନ୍ତରାଳରେ ମନମୋହନ ସିଂହଙ୍କର ବ୍ୟବହାରର ଚିତ୍ରଣ କରିବାକୁ ଯାଇ ଜଣେ କଂଗ୍ରେସ (ଇ) ସାଂସଦ କହନ୍ତି, ‘ଏ ତ ଠିକ୍ ଗୋଟିଏ ଗେହ୍ଲା ପିଲା (Spoilt Child) ର ବ୍ୟବହାର ଭଳି ଯିଏ ତା’ ଦ୍ୱାରା ହୋଇଥିବା ଛୋଟିଆ ଭୁଲଟିକୁ ନମାନି ଅଝଟ କରେ ଯେ ପରିବାର ସାରା ସମସ୍ତେ ତାକୁ ଘେରି ବସନ୍ତୁ ଓ କୁହନ୍ତୁ ଯେ ସେମାନେ ତାକୁ କେତେ ଭଲ ପାଆନ୍ତି ।’ (ସନ୍ଡ଼େ, ୨-୮ ଜାନୁଆରୀ ୧୯୯୪) ଅବଶ୍ୟ ମନମୋହନଙ୍କର ଅର୍ଥମନ୍ତ୍ରୀତ୍ୱ କାଳରେ ହୋଇଥିବା ୬୦୦୦ କୋଟି ଟଙ୍କାର ମହାଲୁଣ୍ଠନକୁ ଗୋଟିଏ ଛୋଟିଆ ଭୁଲ ବୋଲି କୁହାଯାଇ ନପାରେ ।
ଖେଳର ଓସ୍ତାଦ୍
ଇସ୍ତଫା ଦେବା ଓ ଇସ୍ତଫା ଗ୍ରହଣ ହେଉ ଏହା ଉପରେ ଜିଦ୍ ନଧରିବା ବା ଇସ୍ତଫା ଦେବା ପାଇଁ ସ୍ଥିର କରିବା ଓ ପୁନଶ୍ଚ ଏଥିରୁ କ୍ଷାନ୍ତ ହେବା, ମନମୋହନଙ୍କ ଜୀବନରେ ନୂତନ ଘଟଣା ନୁହେଁ । ଅବଶ୍ୟ ଏଥରକ ଇସ୍ତଫା ନାଟକ ଭଳି – ପୂର୍ବ ଇସ୍ତଫା ଗୁଡ଼ିକର ଏ ଭଳି ପ୍ରଚାର ହୋଇଥିବାର ନଜିର ନାହିଁ । ମନମୋହନଙ୍କ ବ୍ୟକ୍ତିତ୍ୱର ଏହି ଦିଗଟି ଯଦି ଜେ.ପି.ସି. ସଦସ୍ୟ ଜୟପାଲ ରେଡ୍ଡୀ ଜାଣିଥାନ୍ତେ, ତାହେଲେ ସେ ହୁଏତ କହିନଥାନ୍ତେ, ‘ମୁଁ ତାଙ୍କ (ମନମୋହନଙ୍କ) ପାଇଁ ଦୁଃଖିତ । ଯଦିଓ ସେ ତାଙ୍କର ସଚ୍ଚୋଟପଣିଆ (integrity) ଇସ୍ତଫା ଦେଇ ପ୍ରମାଣ କରିଥିଲେ । ଇସ୍ତଫା ପ୍ରତ୍ୟାହାର କରି ସେ ନିଜର ଭାବମୂର୍ତ୍ତିକୁ ମଳିନ କରିଦେଲେ ।’
ମନମୋହନଙ୍କ ଦ୍ୱାରା ପୂର୍ବରୁ ଏଭଳି ଇସ୍ତଫା ଆତଙ୍କ ସୃଷ୍ଟି କରାଯାଇଥିବାର କେତୋଟି ଦୃଷ୍ଟାନ୍ତ ଏକ ପ୍ରସିଦ୍ଧ ବ୍ୟବସାୟୀ ପତ୍ରିକା ବିଜିନେସ ୱାର୍ଲ୍ଡ (୧୨-୨୫ ଜାନୁଆରୀ ୧୯୯୪) ରେ ପ୍ରକାଶିତ ହୋଇଛି ଯାହା ଉଲ୍ଲେଖନୀୟ । ଅର୍ଥମନ୍ତ୍ରଣାଳୟ ସହ ଗୁରୁତର ମତଭେଦ ଯୋଗୁଁ ଅଶି ଦଶକର ଆଦ୍ୟଭାଗରେ ମନମୋହନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ପତ୍ରଟି ପଠାଇଥିଲେ କିନ୍ତୁ ଇସ୍ତଫା ଗ୍ରହଣ ହେଉ ଏହା ଉପରେ ଜୋର ଦେଇନଥିଲେ । ପରେ ତାଙ୍କୁ ଯୋଜନା କମିଶନର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା । ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିବାବେଳେ ରାଜୀବ ଗାନ୍ଧୀ ଯୋଜନା କମିଶନକୁ ବିଦୂଷକମାନଙ୍କର ଗୋଠ (a pack of jokers) ବୋଲି କହିଥିଲେ । ଏହାର ପ୍ରତିବାଦରେ ମନମୋହନ ଭାବିଥିଲେ ଇସ୍ତଫା ଦେବେ ବୋଲି, କିନ୍ତୁ ଏ ଦିଗରେ ଆଗେଇଲେ ନାହିଁ । ଅଳ୍ପ ଦିନ ପରେ ସାଉଥ୍ କମିଶନର ସଚିବ ଭାବେ ନିଯୁକ୍ତି ପାଇଲେ । ୧୯୯୦ରେ ସେ ଫେରିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଅର୍ଥନୈତିକ ପରାମର୍ଶଦାତା ଭାବେ । ଏହି ନିଯୁକ୍ତି ସେ ପାଇଥିଲେ ଆଜିର ଅର୍ଥସଚିବ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରଣାଳୟରେ ବିଶେଷ ସଚିବ ମୋଣ୍ଟେକ ସିଂହ ଆହୁଲୁୱାଲିଆଙ୍କର ପରାମର୍ଶରେ । କିନ୍ତୁ ଚନ୍ଦ୍ରଶେଖରଙ୍କର ବିଶ୍ୱସ୍ତ ବାମପନ୍ଥୀ ଅର୍ଥନୀତିଜ୍ଞ ଏସ୍.କେ. ଗୋୟଲଙ୍କ ସହ ତାଙ୍କର ଗୁରୁତର ମତଭେଦ ହେଲା ଓ ଏଠାରୁ ସେ ରୂପକରି ଖସିଗଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି)ର ଅଧ୍ୟକ୍ଷ ଭାବେ ।
ଆଦର୍ଶ ଉପରେ ଅଟଳ ରହି କ୍ଷମତାକୁ ପଦାଘାତ କରିବାର ମଣିଷ ମନମୋହନ ନୁହନ୍ତି – ଏହାହିଁ ସ୍ପଷ୍ଟ ହୁଏ । ହଠାତ୍ ହୁଏତ ମନଭିତରେ ଆସୁଥିବା କ୍ରୋଧରୁ ସେ ଇସ୍ତଫା ପତ୍ର ଲେଖନ୍ତି କିନ୍ତୁ କ୍ଷମତା ବୃନ୍ତରୁ ବିଚ୍ୟୁତ ହୋଇଯିବାର ଆଶଙ୍କାରେ ସେ ପରବର୍ତ୍ତୀକାଳରେ ଆକ୍ରାନ୍ତ ହୁଅନ୍ତି ଓ ଇସ୍ତଫା ପତ୍ର ଗ୍ରହଣ ହେବା ଉପରେ ଜୋର୍ ଦିଅନ୍ତି ନାହିଁ । ଅବଶ୍ୟ ଆଉ ଏକ ନିଯୁକ୍ତି ପାଇଲେ ସେ ଖସିଯାଆନ୍ତି । ନିଜର ଭାବମୂର୍ତ୍ତି ବଢ଼ାଇବା ପାଇଁ ଯଦି ମନମୋହନ ଏ’ଭଳି କୌଶଳ ଅବଲମ୍ବନ କରୁଥାନ୍ତି ତାହେଲେ ମନମୋହନଙ୍କର ବହୁ ପ୍ରଚାରିତ ବ୍ୟକ୍ତିଗତ ସଚ୍ଚୋଟପଣିଆ ବିଷୟାଦି କ୍ଷେତ୍ରରେ ହୁଏତ ଥାଇପାରେ, କିନ୍ତୁ ତାଙ୍କର ବୌଦ୍ଧିକ ବା ଆଧ୍ୟାତ୍ମିକ ସଚ୍ଚୋଟପଣିଆ ସମ୍ମୁଖରେ ପ୍ରଶ୍ନବାଚୀଟିଏ ଦଣ୍ଡାୟମାନ ହୁଏ । ମନକୁ ଆସେ ‘ରାଜନୀତିର ଅନଭିଜ୍ଞ’ ମନମୋହନଙ୍କ ଠାରୁ ହିଁ କେହି ରାଜନୀତି ଶିକ୍ଷା କରିବା ଉଚିତ।
ଗେହ୍ଲା ଆମ୍ପୁଡ଼ିଲା
ମନମୋହନ କେଡ଼େ ଗେହ୍ଲା ତାହାତ ସ୍ପଷ୍ଟ ଭାବରେ ପ୍ରତିପାଦିତ ହୋଇଗଲା-ମା’ର ଗେହ୍ଲା ଯେତେ ପ୍ରତ୍ୟକ୍ଷ ନୁହେଁ ମା’ର ନିର୍ଦ୍ଦେଶରେ ଧାଈର ଗେହ୍ଲା ବେଶ ପ୍ରତ୍ୟକ୍ଷ । ତେଣୁ ଜେ.ପି.ସି. ଉପରେ ଲଦି ଦିଆଗଲା ଦୋଷ । ଗେହ୍ଲାପାଇଁ ଏହାଠାରୁ ବଳି ଅପୂର୍ବ ସୁଯୋଗ କେତେବେଳେ ବା ଆସିବ ଜେ.ପି.ସି. ରିପୋର୍ଟକୁ ଆମ୍ପୁଡ଼ି କ୍ଷତବିକ୍ଷତ କରିବାର ।
ତେଣୁ ଜେ.ପି.ସି. ରିପୋର୍ଟ ଯେତେବେଳେ ବିଦେଶୀ ବ୍ୟାଙ୍କ୍ – ବ୍ୟାଙ୍କ୍ ଅଫ୍ ଆମେରିକା, ଷ୍ଟାଣ୍ଡାର୍ଡ-ଚାଟାର୍ଡ଼ ବ୍ୟାଙ୍କ୍, ଏନ୍.ଜେଡ଼୍ ଗ୍ରୀଣ୍ଡଲେସ ବ୍ୟାଙ୍କ୍ ଏବଂ ସିଟି ବ୍ୟାଙ୍କ୍କୁ ପ୍ରତିଭୂତି ହେରଫେର ମାମଲାରେ ସଂଶ୍ଳିଷ୍ଟ ଥିବା ଓ ଗମ୍ଭୀର ବେଆଇନ କାର୍ଯ୍ୟକଳାପରେ ପ୍ରବୃତ୍ତ ଥିବା ଦର୍ଶାଇ ଏମାନଙ୍କ ବିରୋଧରେ ପ୍ରତିରୋଧମୂଳକ ବ୍ୟବସ୍ଥା ଉଭୟ ରିଜର୍ଭବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଅର୍ଥ ମନ୍ତ୍ରଣାଳୟ ଅତିଶୀଘ୍ର କରିବା ଉଚିତ ବା ଅନ୍ତତଃ ପକ୍ଷେ ବର୍ଷକ ପାଇଁ ଏହି ଚାରିଟି ବ୍ୟାଙ୍କର ଲାଇସନ୍ସ ରଦ୍ଦ କରି ଦିଆଯିବା ଉଚିତ ବୋଲି ଅନୁମୋଦନ କରିଥିଲେ, ତା’ର ପ୍ରତ୍ୟୁତ୍ତରରେ ମନମୋହନ ସିଂହ କହିଥିଲେ ଯେ ସରକାର ଏହି ବ୍ୟାଙ୍କ୍ଗୁଡ଼ିକ ସହ ସଭ୍ୟ (civilised) ଭାବେ ବ୍ୟବହାର କରିବ । ସତେ ଯେପରି ଜେପିସିର ଏତାଦୃଶ ଅନୁମୋଦନ ଅସଭ୍ୟ ଥିଲା । ସଭ୍ୟ ବ୍ୟବହାରର ଉଦାହରଣ ଦେଖାଇ ମନମୋହନ ବ୍ୟାଙ୍କ୍ ଅଫ୍ ଆମେରିକାକୁ ଶତକଡ଼ା ୮୦ ଭାଗ ଅଂଶଧନ ଥାଇ ଏକ ନୂତନ ଅର୍ଥସେବା ସଂସ୍ଥା ଭାରତବର୍ଷରେ ସ୍ଥାପନ କରିବା ପାଇଁ ଜାନୁଆରୀ ୧୭ ତାରିଖ ଦିନ ଅନୁମତି ଦେଇଥିଲେ ।
ଗେହ୍ଲାର ଆମ୍ପୁଡ଼ା କେତେଦୂର ଗଭୀର ହୋଇପାରେ !
ବିଡ଼ମ୍ବନା ଯେ ସଚ୍ଚୋଟ ମନମୋହନ ୩୦ ଡିସେମ୍ବର ୧୯୯୩ ଦିନ ଲୋକସଭାରେ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସରକାର ଜେପିସି ରିପୋର୍ଟକୁ ଗ୍ରହଣ କରିଛି ଓ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବ, ଯେଉଁମାନେ ଦୋଷୀ ତାଙ୍କ ପ୍ରତି ଦଣ୍ଡବିଧାନ କରିବ ।
ଉପସଂହାର
ମନମୋହନ କେତେ ଗେହ୍ଲା ଓ କେଉଁମାନଙ୍କର ଗେହ୍ଲା ତାହା ତ ଆମେ ଜାଣିଲେ । କିନ୍ତୁ ‘ତୋ ଭଳିଆ ପିଲାଏ କିଏ ଅଛି ରେ’ ସୁରରେ ‘ମନମୋହନ ଭଳି ସଚ୍ଚୋଟ ବା କିଏ’ ଯେଉଁ ବୃନ୍ଦଗାନ ବା କୋରସ୍ ଆମେ କଂଗ୍ରେସ ସଭ୍ୟମାନଙ୍କଠାରୁ ଶୁଣିଲେ, ସେଥିରୁ ଏହା ହିଁ ଜଣାପଡ଼ିଲା ଯେ କଂଗ୍ରେସ ଦଳରେ ବୋଧହୁଏ ଆଉ କେହି ସଚ୍ଚୋଟ ଲୋକ ନାହାନ୍ତି । ସେଥିପାଇଁ ବୋଧହୁଏ ରାଜ୍ୟସଭାରେ ଅର୍ଥନୀତିଜ୍ଞ ଅଶୋକ ମିତ୍ର ପଚାରିଥିଲେ ‘କଂଗ୍ରେସରେ କଣ ଆଉ ସଚ୍ଚୋଟ ଲୋକ ନାହାନ୍ତି ?’ ଏହା କଂଗ୍ରେସ ଦଳର ଅନେକଙ୍କ ପାଇଁ ଆଶ୍ୱସ୍ତିକର ଯେ ହୋଇନଥିବ ତା ନୁହେଁ, କିନ୍ତୁ ସେମାନେ ତ ନାଚାର । ମନମୋହନଙ୍କୁ ଦୋଳିରେ ବସାଇ, ଝୁଲାଇ ତାଙ୍କୁ ବୋଧ କରିବାକୁ ହେବ, ଏ’ତ ମା’ଙ୍କ ନିର୍ଦ୍ଦେଶ-ସେମାନେ ତ ଧାଈ ମାତ୍ର । ଏଠାରେ ସ୍ମରଣ କରାଯାଇପାରେ ଯେ ‘ପ୍ରତିଭୂତି ହେରଫେର ମାମଲାରେ ମୋତେ ଉତ୍ତରଦାୟୀ କରାଯାଇ ପାରିବ ନାହିଁ ।’-ଏହି ଭଳି ଭାବି ନେଇଥିବା ଏବଂ ଜେପିସି ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ ତାର ପ୍ରତିବାଦରେ ଇସ୍ତଫା ଦେଇଥିବା ମନମୋହନ ସିଂହ ପରବର୍ତ୍ତୀ କାଳରେ ଲୋକସଭାରେ କହିଥିଲେ- ‘ମୋ ଠାରେ ନ୍ୟସ୍ତ କରାଯାଇଥିବା ବିଷୟଗୁଡ଼ିକରେ ଘଟିଥିବା ସମସ୍ତ ଘଟଣା ପାଇଁ ମୋର ପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ୱକୁ ମୁଁ ସ୍ୱୀକାର କରୁଛି ।’ ଏହା ହିଁ ବିସ୍ମୟ ଯେ ମନମୋହନଙ୍କର ଦାୟିତ୍ୱବୋଧ ଉପରେ ଜେପିସିର ମନ୍ତବ୍ୟର ପ୍ରତିବାଦ କରି ଯେଉଁ ମନମୋହନ ଇସ୍ତଫା ଦେଇଥିଲେ, ସେହି ସଚ୍ଚୋଟ ମନମୋହନ ସମ୍ପୂର୍ଣ୍ଣ ଘଟଣା ପାଇଁ ନିଜର ଦାୟିତ୍ୱକୁ ସ୍ୱୀକାର କରିବା ପରେ କିପରି ଇସ୍ତଫା ପ୍ରତ୍ୟାହାର କରି ନେଲେ ? ବୋଧହୁଏ ବିବେକ ବା ନୀତି ନୈତିକତାର ତାଡ଼ନା ଅପେକ୍ଷା ଆଉ କାହାର ତାଡ଼ନା ଅଧିକ ଥିଲା ।
Source Samadrusti Archive :
( Samadrusti, Volume -01, Issue-03 , 16-31 July 2006)
Comments
0 comments

