ରବି ରାୟ ଜନ୍ମଶତବାର୍ଷିକୀ ବକ୍ତୃତା – ‘ଜାତୀୟ’ ଶିକ୍ଷା ନୀତି ୨୦୨୦ ଓ ରାଷ୍ଟ୍ରର ଭବିଷ୍ୟତ (୩)
ଶିକ୍ଷାନୀତି ୨୦୨୦ର ସପ୍ତମ ଅଧ୍ୟାୟରେ ବିଦ୍ୟାଳୟଗୁଡିକର ସଂଖ୍ୟା ହ୍ରାସ କରିବାର ଯୋଜନା ଦିଆଯାଇଛି ‘ସ୍କୁଲ ପରିସର/କ୍ଲଷ୍ଟରମାନଙ୍କ ମାଧ୍ୟମରେ କୁଶଳ ସଂଶାଧନ ଓ ପ୍ରଭାବୀ ଶାସନ’ (Efficient Resourcing and Effective Governance through school Complexes/clusters) ଉପଲକ୍ଷରେ ବା ଆଳରେ । ଏହି ନୀତି ଆସିବାର ୬ ବର୍ଷ ମଧ୍ୟରେ ଏହି ହ୍ରାସକରଣ ତ୍ଵରାନ୍ଵିତ ହୋଇଛି, ଯଦିଓ ଏହି ପ୍ରକ୍ରିୟା ୨୦୧୪ ମସିହାରୁ ଆରମ୍ଭ ହେଲାଣି, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଆଦି ବିଜେପି ଶାସିତ ରାଜ୍ୟରୁ । ଆମ ରାଜ୍ୟରେ ୨୦୧୮ ରୁ ଆରମ୍ଭ ହେଲାଣି, ୧୪୦୦୦ ବିଦ୍ୟାଳୟ ବନ୍ଦ କରିବାର ଲକ୍ଷ୍ୟ ଥିଲା କିନ୍ତୁ ‘ବିଦ୍ୟାଳୟ ସୁରକ୍ଷା ସମିତି’ ନାମକ ଏକ ଅଭିଭାବକ -ଛାତ୍ର ସଂଗଠନ ଏହାକୁ ବିରୋଧ କରିବାରୁ ଓ ଓଡ଼ିଶା ମାନ୍ୟବର ହାଇକୋର୍ଟ ଏପରି ବନ୍ଦ କରାଯିବା ସମ୍ବିଧାନ ବିରୋଧୀ ବୋଲି ରାୟ୨୦ ଦେବା ଫଳରେ ଏହି ପ୍ରକ୍ରିୟା ବାଧା ପ୍ରାପ୍ତ ହୋଇଛି , ତଥାପି ପ୍ରାୟ ୭୦୦୦ ବିଦ୍ୟାଳୟ ସେ ସମୟ ମଧ୍ୟରେ ବନ୍ଦ ହୋଇଯାଇଛି ଓ ଆମର ଲୋକପ୍ରିୟ ସରକାର ମାନ୍ୟବର ହାଇକୋର୍ଟଙ୍କ ରାୟ ବିରୋଧରେ ଅପିଲ ଦାଏର କରିଛନ୍ତି । ଯାହା ଜଣାଯାଏ ସାରା ଭାରତରେ ପ୍ରାୟ ୯୩୦୦୦ ସରକାରୀ ବିଦ୍ୟାଳୟ ଇତ୍ୟବସରରେ ବନ୍ଦ ହୋଇ ଗଲାଣି । ଏବେ ଦେଖିବା ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାର ଯୋଜନା କିପରି ଏହି ଶିକ୍ଷାନୀତି ୨୦୨୦ ରୁ ଜଣା ପଡୁଛି ? ଶିକ୍ଷାନୀତି ୨୦୨୦ ର ୧୦ମ ଅଧ୍ୟାୟ-‘ଆନୁଷ୍ଠାନିକ ପୁନର୍ଗଠନ ଏବଂ ସୁଦୃଢିକରଣ’ (Institutional Restructuring and Consolidation)ର ଅନୁଛେଦ ୧୦.୧ ପଢିଲେ ଏପରି ଇଙ୍ଗିତ ମିଳେ । ଏହି ଅନୁଚ୍ଛେଦରେ କୁହାଯାଇଛି, “ଉଚ୍ଚଶିକ୍ଷା ସମ୍ପର୍କରେ ଏହି ନୀତି ଗୁରୁତ୍ଵ ଦିଏ ଉଚ୍ଚ ଶିକ୍ଷାର ବିଖଣ୍ଡନ(fragmentation)କୁ ସମାପ୍ତ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ବିଶାଳ ବହୁ- ବିଷୟକ (multidisciplinary) ବିଶ୍ବବିଦ୍ୟାଳୟ , କଲେଜ ଏବଂ ଉଚ୍ଚଶିକ୍ଷାନୁଷ୍ଠାନର ସମୂହରେ ପରିଣତ କରିବା ଉପରେ , ଯେଉଁଠାରେ ୩୦୦୦ ବା ଅଧିକ ଛାତ୍ର -ଛାତ୍ରୀ ପଢୁଥିବେ ।” ଆଉ ଏକ ଅନୁଛେଦ ୧୦. ୭ରେ କୁହାଯାଇଛି, “୨୦୪୦ ସୁଦ୍ଧା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ରହିବ ବହୁ- ବିଷୟକ (multidisciplinary) ଅନୁଷ୍ଠାନରେ ସେମାନେ ରୂପାନ୍ତରିତ ହେବା, ଏବଂ ଏହା ମଧ୍ୟ ଲକ୍ଷ୍ୟ ରହିବ ଯେ ବହୁ ସଂଖ୍ୟାରେ ଛାତ୍ର-ଛାତ୍ରୀ, ସମ୍ଭବତଃ ହଜାର ହଜାର ସଂଖ୍ୟାରେ, ଏହି ଅନୁଷ୍ଠାନମାନଙ୍କରେ ଯେପରି ନାଁ ଲେଖାଉଥିବେ । .. ଯେହେତୁ ଏହି ପ୍ରକ୍ରିୟା ସମୟ ସାପେକ୍ଷ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ୨୦୩୦ ସୁଦ୍ଧା ବହୁ- ବିଷୟକ (multidisciplinary) ହେବାକୁ ଯୋଜନା କରିବେ, ଓ ତାପରେ କ୍ରମଶଃ ଛାତ୍ର ସଂଖ୍ୟାକୁ ସ୍ଥିରୀକୃତ ସଂଖ୍ୟା ଯାଏ ବଢାଇ ଚାଲିବେ ।” ଅନୁଛେଦ ୧୦.୮ ଅନୁସାରେ, “୨୦୩୦ ସୁଦ୍ଧା ଅନ୍ୟୁନ ଗୋଟିଏ ବହୁ- ବିଷୟକ (multidisciplinary) ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ପ୍ରତ୍ୟେକ ଜିଲ୍ଲାରେ ବା ଜିଲ୍ଲା ନିକଟରେ ରହିବ । ପଦକ୍ଷେପ ନିଆଯିବ ଉଭୟ ସରକାରୀ ଓ ଘରୋଇ ଉଚ୍ଚ ମାନର ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯେଉଁଠାରେ ଶିକ୍ଷା ଦାନର ମାଧ୍ୟମ ହେବ ସ୍ଥାନୀୟ / ଭାରତୀୟ ଭାଷା ବା ହେବ ଦ୍ଵିଭାଷୀୟ । ” ଅର୍ଥାତ୍ ଉଚ୍ଚ ଶିକ୍ଷାରେ ପ୍ରବୃତ୍ତ ସେହି ସଂସ୍ଥା ହିଁ ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇବ ଯାହା multidisciplinary ଓ ସେଥିରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୩୦୦୦ ବା ତାଠାରୁ ଅଧିକ ହୋଇଥିବ ତାହାହେଲେ ଉଚ୍ଚ ଶିକ୍ଷା ଦେଉଥିବା ସେ ଶିକ୍ଷାନୁଷ୍ଠାନ ଗୁଡିକ ଯେ ବନ୍ଦ ହେବ ତାହାହିଁ ଏପରି ଯୋଜନାର ସମ୍ବାଦ । କାରଣ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରକାଶିତ All India Survey of Higher Education (AISHE) ରିପୋର୍ଟ ୨୦୨୩ -୨୪ରୁ ଜଣାପଡେ ଯେ ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ସମୁଦାୟ ୪୬୪୬୮ କଲେଜ ମଧ୍ୟରେ ୩୭. ୯ % କଲେଜରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୦୦ ରୁ କମ, ୪୪.୯% ରେ ଛାତ୍ର-ଛାତ୍ରୀ ସଂଖ୍ୟା ୨୦୦ ରୁ ୧୦୦୦, ୧୭.୨% କଲେଜରେ ଛାତ୍ର-ଛାତ୍ରୀ ସଂଖ୍ୟା ୧୦୦୦ ରୁ ଅଧିକ ଯାହା ଭିତରେ ୩.୪% କଲେଜରେ (ସଂଖ୍ୟା ୧୫୮୫) ଛାତ୍ର-ଛାତ୍ରୀ ସଂଖ୍ୟା ୨୦୦୦ରୁ ୩୦୦୦ ଓ ୪% କଲେଜରେ(୧୮୬୦) ଛାତ୍ର-ଛାତ୍ରୀ ସଂଖ୍ୟା ୩୦୦୦ ରୁ ଅଧିକ (ଦ୍ରଷ୍ଟବ୍ୟ ପୃ ୨୦ ) । ଯଦି ୩୦୦୦ ବା ଅଧିକ ସଂଖ୍ୟାର ଛାତ୍ର-ଛାତ୍ରୀ ପଢୁଥିବା କଲେଜମାନଙ୍କର ଅନୁପାତ ଏତେ କମ ଓ ପ୍ରାୟ ୯୬ % କଲେଜ, ଯାହାର ଉପସ୍ଥିତି ସାରା ଦେଶରେ, ବିଭିନ୍ନ ଭୌଗଳିକ ଅଞ୍ଚଳକୁ ବ୍ୟାପିଛି, ସେତେବେଳେ ୩୦୦୦ରୁ ଅଧିକ ସଂଖ୍ୟାର ଛାତ୍ର-ଛାତ୍ରୀ ଥିବା କଲେଜମାନଙ୍କରେ ସେମାନଙ୍କୁ ସୀମିତ କରିବା ଅର୍ଥ ବହୁ କଲେଜକୁ ବନ୍ଦ କରିଦେବା ହେବ ନାହିଁ କି ? ଏହି ରିପୋର୍ଟରେ କୁହାଯାଇଛି ଯେ କଲେଜରେ ନାଁ ଲେଖାଇଥିବା ସମୁଦାୟ ଛାତ୍ର-ଛାତ୍ରୀ ସଂଖ୍ୟା ପ୍ରାୟ ୩.୨ କୋଟି (ଦ୍ରଷ୍ଟବ୍ୟ ପୃ ୨୧ ) । ନିଶ୍ଚିତ ଭାବରେ ଏହି ସଂଖ୍ୟାର ଛାତ୍ର-ଛାତ୍ରୀ ବାଣ୍ଟି ହୋଇ ପଢୁଛନ୍ତି ୪୬୪୬୮ କଲେଜରେ । ଯଦି ଆଜି କା ଦିନରେ ଏହି ସଂଖ୍ୟାର ଛାତ୍ର-ଛାତ୍ରୀଙ୍କୁ ୩୦୦୦ ବା ଅଧିକ ଛାତ୍ର -ଛାତ୍ରୀ ସଂଖ୍ୟାର ଅନୁଷ୍ଠାନମାନଙ୍କରେ ଏମାନଙ୍କୁ ପଢାଇବାକୁ ପଡେ ତାହାଲେ ସେପରି ଅନୁଷ୍ଠାନମାନଙ୍କର ସଂଖ୍ୟା ସର୍ବାଧିକ ପ୍ରାୟ ୧୧୦୦୦ ହେବ, ଯାହା ୪୬୪୬୮ସଂଖ୍ୟାର ପ୍ରାୟ ୨୪ ପ୍ରତିଶତ । ଅର୍ଥାତ୍ ପ୍ରାୟ ୭୬ ପ୍ରତିଶତ କଲେଜ ବନ୍ଦ ହେବ । ଏଥିରୁ ବିଦ୍ୟାଳୟ ହ୍ରାସକରଣର ବିଶାଳତା ସହଜରେ ଅନୁମେୟ ଏବଂ ଯଦି ୬୦ ପ୍ରତିଶତରୁ ଅଧିକ କଲେଜ ଗ୍ରାମାଞ୍ଚଳରେ ଅବସ୍ଥିତ ବୋଲି ପରିସଂଖ୍ୟାନ କୁହେ୨୧ , ତାହାହେଲେ ଏପରି ହ୍ରାସକରଣ ଗ୍ରାମାଞ୍ଚଳର ଛାତ୍ର-ଛାତ୍ରୀଙ୍କର ଉଚ୍ଚଶିକ୍ଷା ସୁଯୋଗକୁ ବିଶେଷ ଭାବରେ ପ୍ରଭାବିତ କରିବ ନାହିଁ କି?
ଶିକ୍ଷାନୀତି୨୦୨୦ ଓ ସରକାରୀ-ବଦାନ୍ୟ ସହଭାଗୀତା(public–philanthropic partnership)
ଶିକ୍ଷାନୀତି ୨୦୨୦ର ଅନୁଛେଦ ୧୮.୧୩ ଓ ୧୮.୧୪ ଦୃଷ୍ଟିରେ ଉଭୟ ସରକାରୀ ଓ ଘରୋଇ (public and private) ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ସମାନ । ଘରୋଇ ଶିକ୍ଷାନୁଷ୍ଠାନ ଯାହା ପଛରେ ରହିଛି ବଦାନ୍ୟତା ଓ ଜନହିତୈଷୀ ଉଦ୍ଦେଶ୍ୟ(‘philanthropic and public spirited intent’ ) ତାହାକୁ ଉତ୍ସାହିତ କରାଯିବାର ପ୍ରତିଶୃତି ରହିଛି ଏହି ଦୁଇ ଅନୁଚ୍ଛେଦରେ । ଶିକ୍ଷାନୀତି ୨୦୨୦ର ଅନୁଛେଦ ୩.୬ରେ ରହିଛି ଏକ ପରାମର୍ଶ ଯେ ବେସରକାରୀ-ବଦାନ୍ୟ(non-governmental philanthropic ) ସଂଗଠନ ଗୁଡିକ ବିଦ୍ୟାଳୟ ସ୍ଥାପନା କରିପାରିବେ । କହିବା ବାହୁଲ୍ୟ ଯେ ଏହି ଶିକ୍ଷା ନୀତିରେ ସରକାରୀ- ବଦାନ୍ୟ ସହଭାଗିତା(‘public-philanthropic partnership’)ରେ ବିଦ୍ୟାଳୟ ସ୍ଥାପନାକୁ ଉତ୍ସାହିତ କରଯାଇଛି । ଏଯାବତ୍ ଆମେ ଜାଣୁଥିଲେ ‘ସରକାରୀ ଘରୋଇ ସହଭାଗିତା’ (public-private partnership) ଯାହା ସମାଲୋଚନାର ଶରବ୍ୟ ହେଉଥିଲା । କେବଳ ‘ଘରୋଇ’ ଶବ୍ଦ ସ୍ଥାନରେ ‘ ବଦାନ୍ୟ’ ର ପ୍ରୟୋଗ ସମାଲୋଚନାର ଧାରକୁ ହ୍ରାସ କରିବାର ଏକ କୌଶଳ ନିଶ୍ଚୟ । କାରଣ ବଦାନ୍ୟ ର ଅର୍ଥ ଯାହା ଆମେ ବୁଝି ଆସିଛୁ ଯେ ଜନହିତୈଷୀ କାର୍ଯ୍ୟରେ ଅର୍ଥ ବ୍ୟୟ କରିବା ବଦାନ୍ୟତା, ସେ ଅର୍ଥରେ ଏବେ ଯୋଡି ହୋଇ ଗଲାଣି ଯେ ଘରୋଇ ସମ୍ପତ୍ତି ସୃଷ୍ଟି କରିବା(‘private wealth creation’) ମଧ୍ୟ ଏକ ବଦାନ୍ୟ କାର୍ଯ୍ୟ୨୨ ! ତେଣୁ ସରକାରୀ-ବଦାନ୍ୟ ସହଭାଗୀତାରେ ସ୍ଥାପିତ ଶିକ୍ଷାନୁଷ୍ଠାନ ଯେ ଘରୋଇ ସମ୍ପତ୍ତିର ସର୍ଜନା ପାଇଁ ବ୍ୟବହାର ନ ହେବ କିଏ କହିବ ? ତେବେ ଏହି ଭଳି ବିଦ୍ୟାଳୟ ଗୁଡିକୁ ବିକଳ୍ପ ଶିକ୍ଷାନୁଷ୍ଠାନ (‘to allow alternative models of education’ ) ଭାବେ ପ୍ରୋତ୍ସାହନ ଯୋଗ୍ୟ ମନେ କରଯାଇଛି । Non– Formal ବା ଅନୌପଚାରିକ ଶିକ୍ଷାକୁ ମଧ୍ୟ ଏହି ଶିକ୍ଷାନୀତିର ଅନୁଛେଦ ୩.୫ ସମର୍ଥନ ଦିଆଯାଇଛି, ଯେପରି Open Distance Learning programme ଜରିଆରେ, National Institute of Open Schooling (NIOS) ଓ State Open Schools ଦ୍ୱାରା । ଏଠାରେ ସ୍ମରଣ କରାଯାଇପରେ ଯେ ୧୯୮୬ ଶିକ୍ଷାନୀତିରେ ପ୍ରଥମ ଥର ପାଇଁ Non- Formal ଶିକ୍ଷାର ଧାରଣା ଆରମ୍ଭ ହୋଇଥିଲା ଓ ଏହାକୁ NGO ମାନେ ଚଳାଇବାର ବ୍ୟବସ୍ଥା ଥିଲା -ଯାହାକୁ Fraud on the Indian Constitution, fraud on the people of India ବୋଲି ମନ୍ତବ୍ୟ ଦେଇଥିଲେ ଦୁଇ ମାନ୍ୟବର ବିଚାରପତି କୃଷ୍ଣାଆୟାର ଏବଂ ଚିନ୍ନପ୍ପା ରେଡ୍ଡୀ । ତେବେ ଅନୌପଚାରିକ ଶିକ୍ଷା ପ୍ରତି ଏହି ନୀତି ୨୦୨୦ର ସମର୍ଥନ ସ୍ଵାଭାବିକ କାରଣ ଏଥିରେ ପ୍ରଥମରୁ କୁହାଯାଇଛି ଯେ, “୧୯୯୨ ରେ ସଂଶୋଧିତ ଜାତୀୟ ଶିକ୍ଷାନୀତି ୧୯୮୬ ର ଅସମାପ୍ତ କାର୍ଯ୍ୟକୁ ଏହି ନୀତିରେ ସଠିକ ଭାବରେ ବିଚାର କରଯାଇଛି ।” ଅନୌପଚାରିକ ଶିକ୍ଷା , ଭିନ୍ନ ବିକଳ୍ପ ଶିକ୍ଷା ସଂଗଠନ ଉପରେ ଗୁରୁତ୍ୱକୁ ଯଥାର୍ଥ ବୋଲି କୁହାଯାଇଛି କାରଣ ଏହାଦ୍ୱାରା, ଯେପରି ଏହି ନୀତିର ତୃତୀୟ ଅଧ୍ୟାୟର ଶିରୋନାମାରୁ ଜଣାଯାଏ, ‘ ଅଧାରୁ ପାଠ ଛାଡିବା ହାର(dropout rate ) ହ୍ରାସ କରାଯାଇ ପାରିବ ଓ ସବୁ ସ୍ତରରେ ଶିକ୍ଷା ପାଇବାର ସାର୍ବଜନୀନ(universal) ସୁଯୋଗକୁ ସୁନିଶ୍ଚିତ କରାଯାଇ ପାରିବ ।’
ଶିକ୍ଷାନୀତି୨୦୨୦ରେ ‘ପ୍ରସ୍ଥାନ ବିକଳ୍ପ’( ‘exit option’)
‘ଅଧାରୁ ପାଠ ଛାଡିବା’ର ବ୍ୟବସ୍ଥା ରହିଛି ଏହି ଶିକ୍ଷାନୀତି ୨୦୨୦ର ଉଚ୍ଚ ଶିକ୍ଷା ଖଣ୍ଡର ଏକାଦଶ ଅଧ୍ୟାୟରେ । ଅବଶ୍ୟ ଏକ ଭିନ୍ନ ନାମରେ –‘ପ୍ରସ୍ଥାନ ବିକଳ୍ପ’(exit option)ର ସୁଯୋଗ ନେଇ । ସତେ ଯେପରି ‘ଅଧାରୁ ପାଠ ଛାଡିବା’ ଉଚ୍ଚ ଶିକ୍ଷାରେ ‘ପ୍ରସ୍ଥାନ ବିକଳ୍ପ’ ନାମରେ ବୈଧ ହୋଇ ଯାଇଛି । ଅନୁଛେଦ ୧୧.୯ରେ କୁହାଯାଇଛି (ପୃ ୩୭ -୩୮), “ସ୍ନାତକ ଶିକ୍ଷାର ସମୟକାଳ ତିନି ବର୍ଷର ହେବ ବା ଚାରି ବର୍ଷର ହେବ । କିନ୍ତୁ ଏହି ସମୟକାଳ ମଧ୍ୟରେ ଉପଲବ୍ଧ ହେବ କେତୋଟି ‘ପ୍ରସ୍ଥାନ ବିକଳ୍ପ’(‘exit options’) । ଯେପରି ବର୍ଷକ ପରେ ଜଣେ ଛାତ୍ର-ଛାତ୍ରୀ ବାହାରି ଯାଇ ପାରିବ, ଗୋଟିଏ ବୈଷୟିକ ଶିକ୍ଷା ବା ଧନ୍ଦା ମୂଳକ ଶିକ୍ଷାରେ ତାଲିମ ନେଇ ଓ ସେ ପାଇବ ଏକ ସାର୍ଟିଫିକେଟ, ଦୁଇ ବର୍ଷ ପରେ ସେ ବାହାରି ଯାଇ ପାରିବ ଓ ସେ ପାଇବ ଗୋଟିଏ ଡିପ୍ଲୋମା, ତିନି ବର୍ଷ ପରେ ସେ ପାଇବ ସ୍ନାତକ ଡିଗ୍ରୀ । … ଯଦି ୪ ବର୍ଷ ପରେ, ଜଣେ ଗବେଷଣା ସମାପ୍ତ କରେ ତାହାହେଲେ ସେ ପାଇବ ରିସର୍ଚ୍ଚ ସହ ଏକ ଡିଗ୍ରୀ,। ଏହା ପୂର୍ବରୁ ଅନୁଛେଦ ୪.୨ରେ ବ୍ୟବସ୍ଥା ରହିଛି(ପୃ ୧୧) ଯେ ୧୦ମ ଶ୍ରେଣୀ ପରେ ଶିକ୍ଷାର୍ଥୀ ପଢାରୁ ବାହାରି ଯାଇ ପାରେ ଓ ଅନ୍ୟ କୌଣସି ଧନ୍ଦା ମୂଳକ ଶିକ୍ଷା ବା ୧୧-୧୨ଶ ଶ୍ରେଣୀରେ ଉପଲବ୍ଧ ବିଶେଷ ବିଷୟରେ ପ୍ରବେଶ କରିପାରିବେ ।
ଶିକ୍ଷାନୀତି ୨୦୨୦ ଓ NTA
୨୦୨୬ ଜୁନ -ଜୁଲାଇ ମାସରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଯେଉଁ ଛାତ୍ର ବିକ୍ଷୋଭ ହେଲା ତାହା ଯଦିଓ ମୁଖ୍ୟତଃ NEET (National Eligibility -Cum-Entrance Test ) ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ(leak) ହେବାକୁ ନେଇ ଆରମ୍ଭ ହୋଇଥିଲା -କିନ୍ତୁ ଏହି ଅବସରରେ ଭାରତରେ ସମୁଦାୟ ଶିକ୍ଷା ବ୍ୟବସ୍ଥାର ଦୁର୍ଦ୍ଦଶାକୁ ନେଇ ପ୍ରଶ୍ନ ଉଠିଥିଲା । ଶିକ୍ଷାନୀତି ୨୦୨୦ ଲାଗୁ ହେବାର ୬ ବର୍ଷ ପରେ ଏପରି ପ୍ରଶ୍ନ ଉଠିବା ନିଶ୍ଚିତ ଭାବରେ ଶିକ୍ଷାନୀତିର ବିଫଳତା ପ୍ରତି ଇଙ୍ଗିତ କରୁଥିଲା । ତେବେ NEETରେ ପ୍ରଶ୍ନ ପତ୍ର ପ୍ରଘଟ ହେବା ଯେ ଏକ ବାର୍ଷିକ ଦୃଶ୍ୟ ହୋଇଛି -ତାହା କେହି ଅସ୍ଵୀକାର କରି ପାରେ ନା । ଏହା ଏକ ସର୍ବଭାରତୀୟ ପରୀକ୍ଷା ଯାହାର ପରିଚାଳନା କରେ NTA(National Testing Agency)ନାମକ ଏକ ସଂସ୍ଥା । ଏହି ସଂସ୍ଥା ଶିକ୍ଷାନୀତି ୨୦୨୦ର ସ୍ଵୀକୃତି ପାଇଛି । ଏହାର ଅନୁଛେଦ ୪.୪୨ ରେ କୁହାଯାଇଛି, “NTA ଗୋଟିଏ ପ୍ରମୁଖ, ବିଶେଷଜ୍ଞ, ସ୍ଵୟଂଶାସିତ ସଂସ୍ଥା ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ଓ ଫେଲୋସିପ ପାଇଁ ପ୍ରବେଶ ପରୀକ୍ଷାର ପରିଚାଳନା କରିବ । NTA ଦ୍ୱାରା ପରିଚାଳିତ ପରୀକ୍ଷା ସେବାର ଉଚ୍ଚ ଗୁଣବତ୍ତା, ବିସ୍ତୃତି(range ) ଓ ନମନୀୟତା(flexibility) ଅଧିକାଂଶ ବିଶ୍ଵବିଦ୍ୟାଳୟ ପାଇଁ ଏହି ସାଧାରଣ ପ୍ରବେଶ ପରୀକ୍ଷା(common entrance examinations)କୁ ବ୍ୟବହାର କରିବାରେ ସହାୟକ ହେବ – ଯାହା ଫଳରେ ସେ ବିଶ୍ୱବିଦ୍ୟାଳୟମାନଙ୍କୁ ନିଜ ନିଜ ପ୍ରବେଶ ପରୀକ୍ଷା କରିବାକୁ ପଡ଼ିବ ନାହିଁ, ଓ ଏହାଦ୍ୱାରା ଛାତ୍ରଛାତ୍ରୀ, ବିଶ୍ଵବିଦ୍ୟାଳୟ ଓ କଲେଜ ତଥା ସମସ୍ତ ଶିକ୍ଷା ବ୍ୟବସ୍ଥା ଉପରେ ଭାର ଯଥେଷ୍ଟ ପରିମାଣରେ କମିଯିବ ।” ତେବେ ଏହି ସଂସ୍ଥାର ସ୍ଥାପନା ହୋଇଥିଲା ୨୦୧୭ ମସିହାରେ, ମାତ୍ର ୨୫ କୋଟି ଟଙ୍କାର ଅନୁଦାନରେ, କିନ୍ତୁ UGC ବା AICTE ଭଳି କୌଣସି Act of Parliament ଜରିଆରେ ନୁହେଁ । ବରଂ ଏହାର ସ୍ଥାପନା ହୋଇଥିଲା the Societies Registration Act (1860) ଦ୍ଵାରା, ତେଣୁ ଏହାର ଆୟ ବ୍ୟୟର ପରୀକ୍ଷା ଭାରତ ସରକାରଙ୍କ CAG ଦ୍ୱାରା ନ ହୋଇ ଘରୋଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଙ୍କ ଦ୍ୱାରା ହୋଇଥାଏ । ଉଲ୍ଲେଖ ଯୋଗ୍ୟ ଯେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ, ପ୍ରତି ବର୍ଷ, NTAର ଆୟ ବ୍ୟୟ ଅପେକ୍ଷା ଅଧିକ ହୋଇଛି୨୩ । ଇତ୍ୟବସରରେ NTAର କ୍ରିୟାକଳାପ ସମ୍ପର୍କରେ ପ୍ରକାଶିତ ଏକ ଦୀର୍ଘ ପ୍ରବନ୍ଧରୁ ଜଣାଯାଏ୨୪ ଯେ ଏହି ସଂସ୍ଥା ୨୭୫ ପରୀକ୍ଷାର ପରିଚାଳନା କରେ ଯେଉଁଥିରେ ଅଂଶ ଗ୍ରହଣ କରିଥାନ୍ତି ପ୍ରାୟ ୬ କୋଟି ୬୦ ଲକ୍ଷ ପ୍ରାର୍ଥୀ । ଅଥଚ ଏହି ସଂସ୍ଥାରେ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ମାତ୍ର ୩୯, ଠିକା କର୍ମଚାରୀ ହେଉଛନ୍ତି ୭୩ ଓ ଆଉଟସୋର୍ସ (outsource) କର୍ମଚାରୀ ହେଉଛନ୍ତି ୧୨୪ । ଏହି ପ୍ରବନ୍ଧର ଶିରୋନାମା ହେଉଛି ‘From Ariyalur to Jantar Mantar :Fixing NEET fixes nothing, abolishing it does’ ଯାହାର ସମ୍ବାଦ ହେଉଛି ଯେ ତାମିଲନାଡୁରେ NEET ର ଯେଉଁ କରୁଣ ପରିଣତି, ଶତାଧିକ ପ୍ରାର୍ଥୀଙ୍କର ଆତ୍ମହତ୍ୟା, ଓ ଏହା ବିରୋଧରେ ଜନ୍ତର ମନ୍ତରରେ ପ୍ରଦର୍ଶନ ର ଉଦ୍ଦେଶ୍ୟ ନୁହେଁ NEET ପରୀକ୍ଷାରେ ସୁଧାର ବରଂ ପ୍ରକୃତ ସମାଧାନ ହେଉଛି ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ । ଅର୍ଥାତ୍ NEET କୁ ସଜଡା ଯାଇ ପାରିବ ନାହିଁ, ଏହାକୁ ବନ୍ଦ କରି ଦେବାରେ ରହିଛି ସମାଧାନ । ଏପରି ପ୍ରତିକ୍ରିୟାର କାରଣ ହେଉଛି ଦୁଇ ବର୍ଷ ପୂର୍ବେ ଯେତେବେଳେ ପ୍ରଶ୍ନ ପତ୍ର ପ୍ରଘଟ ହୋଇଯିବା ଫଳରେ ବିରୋଧର ସ୍ଵର ଉଠିଥିଲା ସେତେବେଳେ ସରକାର ISRO ର ପୂର୍ବତନ ମୁଖ୍ୟ K Radhakrishnanଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ଓ କମିଟି କିଛି ପରାମର୍ଶ ଦେଇଥିଲା । ପୁଣି ଏବେ INFOSYSର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସିଛି । Radhakrishnan କମିଟିଙ୍କର ପରାମର୍ଶ ସାର୍ବଜନୀନ ହୋଇନାହିଁ । ନିଲେକାନୀ ରିପୋର୍ଟର ଭବିଷ୍ୟତ କଣ ହେବ କିଏ ଜାଣେ ? ପୁନଶ୍ଚ NTA ଦ୍ୱାରା ପରିଚାଳିତ ପରୀକ୍ଷାମାନଙ୍କରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହେବା ଏକ ଧାରଣା ସ୍ଵାଭାବିକ ପ୍ରଶ୍ନ ସୃଷ୍ଟି କରିଛି ଯେ କାହିଁକି NTA ରହିବ? ବରଂ କାହିଁକି NTAର ଉଚ୍ଛେଦ ହେବା ଉଚିତ (‘ Why NTA must go’) -ଏହି ଶିରୋନାମାରେ ଯୁକ୍ତି ଆଗତ ହେବାର ଦେଖାଯାଏ ସମ୍ବାଦ ପତ୍ରରେ୨୩ । ଭାରତବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ କରିବା ପାଇଁ ପ୍ରବେଶିକା ପରୀକ୍ଷାମାନ ଯାହା ଏକଦା CBSE(Central Board of Secondary Education), AICTE, CSIR ( Council for Scientific and Industrial Research) (CSIR), UGC, IACR(Indian Council for Agricultural Research), NCHM( National Council for Hotel Management) ଓ ବିଭିନ୍ନ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ସେମାନଙ୍କ ନିଜ ନିଜ ସ୍ତରରେ କରୁଥିଲେ ସେଗୁଡ଼ିକର ପରିଚାଳନା ମଧ୍ୟ କେବଳ ଗୋଟିଏ ସଂସ୍ଥା ଅର୍ଥାତ୍ NTA ଠାରେ ନ୍ୟସ୍ତ କରଯାଇଛି । ଏତଦଦ୍ଵାରା ଉଚ୍ଚ ଶିକ୍ଷାରେ ପ୍ରବେଶ ପରୀକ୍ଷାର ଅବାଞ୍ଛନୀୟ କେନ୍ଦ୍ରୀକରଣ ହୋଇଛି । କହିବା ବାହୁଲ୍ୟ ଯେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ମୂଳ ଧାରଣା୧୩ –‘ଏକ ଦେଶ, ଏକ ରାଷ୍ଟ୍ର ,ଏକ ବ୍ୟବସ୍ଥାପିକା, ଏକ କାର୍ଯ୍ୟପାଳିକା’ ସହ ତାଳ ଦେଇ ‘ଏକ ଦେଶ, ଏକ ପରୀକ୍ଷା’ର ପରିବେଶ NTA ଜରିଆରେ ସୃଷ୍ଟି ହୋଇଛି । GST ଦ୍ୱାରା ତ ‘ଏକ ଦେଶ , ଏକ ଟିକସ’ର ପ୍ରଚଳନ ହୋଇସାରିଛି ।
ଉପସଂହାର
ଉପରୋକ୍ତ ଉପସ୍ଥାପନାରୁ ସ୍ପଷ୍ଟ ଯେ ଶିକ୍ଷାନୀତି ୨୦୨୦ ର ପ୍ରସ୍ତୁତି ଏକ ନିର୍ଦ୍ଧିଷ୍ଟ ବିଚାର ଧାରା ଦ୍ଵାରା ପ୍ରଭାବିତ ହୋଇଛି । ଯେଉଁମାନେ ଏହାର ପ୍ରସ୍ତୁତି ପଛରେ ଅଛନ୍ତି ସେମାନେ ମଧ୍ୟ ସ୍ଵୀକାର କରିଛନ୍ତି, ଯେପରି ଶ୍ରୀଯୁକ୍ତ ପ୍ରକାଶ ଜାଭଡେକର, ଓ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ଯେପରି ଶ୍ରୀମତୀ ସୁହାସିନୀ ଅଲି । କିନ୍ତୁ ଏହା ଅଭିଜ୍ଞତା ଭିତରେ ଯେ ଯେତେବେଳେ ଯେତେବେଳେ ଏହି ବିଚାର ଧାରା ପୋଷଣ କରୁଥିବା ରାଜନୈତିକ ଦଳ କ୍ଷମତାକୁ ଆସିଛି ସେତେବେଳେ ସେମାନେ ଏହି ବିଚାର ଧାରା ଅନୁସାରେ ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି, ପାଠ୍ୟକ୍ରମରେ, ବିଶେଷତଃ ଇତିହାସ ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ବିଚାରଧାରା ଠାରୁ ଭିନ୍ନମତ ପୋଷଣ କରୁଥିବା ଐତିହାସିକଙ୍କ ସମ୍ପର୍କରେ କେଉଁ ପ୍ରକାର ମତ ଦେଇଥାନ୍ତି ତାହା ବିଶିଷ୍ଟ ଐତିହାସିକ ଶ୍ରୀମତୀ ରୋମିଲା ଥାପରଙ୍କ ଭାଷାରୁ ଜଣାପଡେ । ରୋମିଲା ମ୍ୟାଡମ୍ ଲେଖନ୍ତି୧୭(ପୃ ୪୯୩ ) , “୧୯୯୮ ମସିହାରେ ଭାରତୀୟ ଜନତାପାର୍ଟିର ସରକାରରେ ଥିବା ମାନବ ସମ୍ବଳ ବିକାଶ ମନ୍ତ୍ରୀ ମୂରଲୀ ମନୋହର ଯୋଶୀ ଆମ ସମ୍ପର୍କରେ କହିଥିଲେ ଯେ ଆମେ ହେଉଛୁ ଶୈକ୍ଷିକ ଆତଙ୍କବାଦୀ(academic terrorists), ସାଧରଣ ଆତଙ୍କବାଦୀଙ୍କ ଠାରୁ ଅଧିକ ମାରାତ୍ମକ, ଏବଂ ପ୍ରଶ୍ନ ମଧ୍ୟ ଉଠିଥିଲା ଯେ ଆମକୁ କାହିଁକି ଆତଙ୍କବାଦୀ କାର୍ଯ୍ୟକଳାପ ନିରୋଧକ ଆଇନ POTA ରେ ଗିରଫ କରା ନ ଯିବ । ମୁଁ ଅଶୋକ(ଦେଶାଇ, ପ୍ରତିଷ୍ଠିତ ଓକିଲ )ଙ୍କୁ ଫୋନ କଲି ଜାଣିବା ପାଇଁ ଯେ ଯଦି ପୁଲିସ ମୋତେ ଗିରଫ କରିବାକୁ ଆସେ ତାହାହେଲେ ମୁଁ କ’ଣ କରିବି । ”
ଶିକ୍ଷାନୀତି ୨୦୨୦ରେ ବାରମ୍ବାର inclusive ଶବ୍ଦର ବ୍ୟବହାର ହୋଇଛି । quality education ନିଶ୍ଚିତ କରିବ ବୋଲି ପ୍ରତିଶ୍ରୁତି ବାରମ୍ବାର ଦିଆଯାଇଛି । କିନ୍ତୁ ଏହି ଶିକ୍ଷାନୀତିର ପ୍ରଚଳନର ୬ ବର୍ଷ ପରେ ଶିକ୍ଷାର ଯେଉଁ ସ୍ଥିତି ଯାହା ବିରୋଧରେ ରାସ୍ତା ଘାଟରେ ପ୍ରଦର୍ଶନ ଚାଲିଛି, ତାହା ‘inclusive’ ଓ ‘quality education’ର ପ୍ରୟୋଗକୁ ହାସ୍ୟାସ୍ପଦ କରି ଦେଉ ନାହିଁକି ? ବରଂ ଏହି ଶିକ୍ଷାନୀତି ବିଦ୍ୟାଳୟ ଉଚ୍ଛେଦକୁ ପ୍ରକାରାନ୍ତରେ ଉତ୍ସାହିତ କରୁଛି, ଛାତ୍ର -ଛାତ୍ରୀଙ୍କ ସଂଖ୍ୟା ୩୦୦୦ ବା ଅଧିକ ହେଲେ ଯାଇ ଉଚ୍ଚ ଶିକ୍ଷାନୁଷ୍ଠାନର ସ୍ଵୀକୃତ ହେବା ର ବ୍ୟବସ୍ଥା ଏହା ଠାରୁ କମ ସଂଖ୍ୟକ ମହାବିଦ୍ୟାଳୟ ଗୁଡିକ ପ୍ରତି ବିପଦ ହୋଇଛି । ଏହା କେବଳ ଦୁର୍ବଳ, ଅର୍ଥନୀତି ଦୃଷ୍ଟିରୁ ଅନୁନ୍ନତ ଶ୍ରେଣୀର ପିଲାଙ୍କୁ ପ୍ରଭାବିତ କରିବ ତା ନୁହେଁ, ବିଶେଷ ଭାବରେ ବାଳିକା ଓ ଦିବ୍ୟାଙ୍ଗ ମାନେ ମଧ୍ୟ ଶିକ୍ଷାରୁ ବଞ୍ଚିତ ହେବେ । ତେଣୁ ଏହି ଶିକ୍ଷାନୀତି ‘exclusionary’ ବୋଲି ମନେ ହୁଏ ନାହିଁ କି ? ଏହି ଶିକ୍ଷାନୀତିର ଅଧ୍ୟାୟ ୨୪ ରେ online ଶିକ୍ଷାର ସୂଚନା ଦିଆଯାଇଛି ଓ ଯେଉଁମାନେ ଶ୍ରେଣୀ ଶିକ୍ଷାରୁ ବଞ୍ଚିତ ହେବେ ସେମାନେ onlineରେ ଶିକ୍ଷା ପାଇପାରିବେ ବୋଲି କୁହାଯାଇଛି । କିନ୍ତୁ ଏହା ଶିକ୍ଷାକୁ ବ୍ୟୟ ବହୁଳ କରିବ ନାହିଁ କି ? ତା ଛଡା ଶ୍ରେଣୀରେ ପଢୁଥିବା ଛାତ୍ର-ଛାତ୍ରୀଙ୍କୁ ସେମାନଙ୍କର ପାଠ୍ୟକ୍ରମର ଶତକଡା ୪୦ ଭାଗ online modeରେ ପଢିବା ପାଇଁ ବାଧ୍ୟ କରାଯାଏ୨୫ ତାହାହେଲେ ଏତଦ ଦ୍ୱାରା ଶିକ୍ଷାର ବ୍ୟବସାୟୀକରଣ ହେଉଛି ବୋଲି କହିବା କଣ ଅଯଥାର୍ଥ ହେବ ?
କିନ୍ତୁ ଯେଉଁମାନେ ଏହି ଶିକ୍ଷାନୀତି ୨୦୨୦କୁ ସମାଲୋଚନା କରୁଛନ୍ତି ସେମାନେ କୌଣସି ବିକଳ୍ପ ଦେବାର ପ୍ରୟାସ କରିଛନ୍ତି କି? ମୋ ଜାଣିବାରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ( All India Save Education Committee(AISEC)) ଏପରି ଉଦ୍ୟମ କରିଛି । ଗତ ଜାନୁଆରୀ ୨୪, ୨୦୨୬ ଦିନ ବେଙ୍ଗଲୁରୁ ଠାରେ ଏକ ଜନ ସଂସଦ (People’s Parliament)ର ଆୟୋଜନ କରାଯାଇ ସେଠାରେ ବିକଳ୍ପ ନୀତିର ଏକ ଚିଠା ଉପସ୍ଥାପିତ କରାଯାଇଥଲା । ସେଠାରେ ଉପସ୍ଥିତ ଶତାଧିକ ଶିକ୍ଷାବିତ୍ ଓ ସାରାଦେଶରୁ ଆସି ଯୋଗ ଦେଇଥିବା ପ୍ରତିନିଧିମାନଙ୍କ ପରାମର୍ଶକୁ ଅନ୍ତର୍ଭୁକ୍ତ କରାଯାଇ ଚୂଡ଼ାନ୍ତ ଦସ୍ତାବିଜ ପ୍ରକାଶିତ ହୋଇଛି : ଜନଶିକ୍ଷା ନୀତି ୨୦୨୬: ଶିକ୍ଷାନୀତି ୨୦୨୦ର ଏକ ବିକଳ୍ପ (People’s Education Policy 2026 : An Alternative to NEP 2020)
ଶିକ୍ଷା ଏକ ବ୍ୟାପକ ଧାରଣା । ବିଦ୍ୟା ଅର୍ଜନ ବା ଜ୍ଞାନ ଆହରଣ ହିଁ ଶିକ୍ଷାର ଲକ୍ଷ୍ୟ । କିନ୍ତୁ କିପରି ଜ୍ଞାନ ? ବିଷ୍ଟୁ ପୁରାଣରେ କୁହାଯାଇଛି ଯେ ‘ସା ବିଦ୍ୟା ଯା ବିମୁକ୍ତୟେ ’ ଅର୍ଥାତ୍ ବିଦ୍ୟା ବା ଜ୍ଞାନ ହେଉଛି ତାହା ଯାହା ମୁକ୍ତି ଦିଏ । କେଉଁଥିରୁ ମୁକ୍ତି ? ସଂକୀର୍ଣ୍ଣତାରୁ, ଅନ୍ଧ ବିଶ୍ଵାସରୁ, ଅହଂକାରରୁ ଇତ୍ୟାଦି । ସୂଚନା ଜ୍ଞାନ ନୁହେଁ । ସୂଚନା ବହୁ ବାଟରେ ଆସିପାରେ, କିନ୍ତୁ ତାହାକୁ କିପରି ଜଣେ ଗ୍ରହଣ କରିବ ତାହା ହିଁ ଗୁରୁତ୍ଵପୁର୍ଣ୍ଣ । ଏହି ସନ୍ଦର୍ଭରେ ବୁଦ୍ଧଙ୍କ ଉପଦେଶକୁ ସ୍ମରଣ କରାଯାଇ ପାରେ ।
ବୁଦ୍ଧ ବାଣୀ
କଲାମା ସୂତ୍ତ(kalama sutt )ରେ ବୁଦ୍ଧ କୁହନ୍ତି : ସେ କଥାରେ ବିଶ୍ଵାସ କର ନାହିଁ, ଯେହେତୁ ତୁମେ ତାହା ଶୁଣିଛ; ପରମ୍ପରାରେ ବିଶ୍ଵାସ କର ନାହିଁ, ଯେହେତୁ ପିଢି ପରେ ପିଢି ତାହା ଆମ ଆଡକୁ ଗଡି ଆସିଛି; ସେ କଥାରେ ବିଶ୍ଵାସ କର ନାହିଁ, ଯେହେତୁ ତାହା ଅନେକେ କହୁଛନ୍ତି ଓ ପ୍ରଚାର କରୁଛନ୍ତି; ସେ କଥାରେ ବିଶ୍ଵାସ କର ନାହିଁ, ଯେହେତୁ ତାହା ତୁମ ଧର୍ମଗ୍ରନ୍ଥରେ ଲେଖା ଯାଇଛି; ସେ କଥାରେ ବିଶ୍ଵାସ କର ନାହିଁ, ଯେହେତୁ ତାହା ତୁମଠାରୁ ବଡ ବୟସ୍କ ଓ ତୁମର ଶିକ୍ଷକ କହୁଛନ୍ତି; କେବଳ ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ପରେ, ଯଦି ତୁମେ ଦେଖ ଯେ ଏହା ଯୁକ୍ତି ସମ୍ମତ ହେଉଛି ଏବଂ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହେଉଛି ତାହାହେଲେ ତାକୁ ଗ୍ରହଣ କର ଓ ତାହାକୁ ନିଜ ଜୀବନରେ ଅମଳ କର ।
ଆବ୍ରାହମ ଲିଙ୍କନ -ଅଭିଭାବକ
ଶିକ୍ଷକ ହିଁ ଶିକ୍ଷା ଦିଅନ୍ତି । କ’ଣ ଶିକ୍ଷା ଦେବା ଶିକ୍ଷକଙ୍କ ଠାରୁ ଆଶା କରନ୍ତି ଆବ୍ରାହମ ଲିଙ୍କନ ତାଙ୍କ ପୁଅ ପାଇଁ ? ଆବ୍ରାହମ ଲିଙ୍କନ(ଫେବୃଆରୀ ୧୨, ୧୮୦୯ -ଏପ୍ରିଲ ୧୫, ୧୮୬୫) ଯୁକ୍ତରାଷ୍ଟ୍ର ଆମେରିକାର ଷୋଡଶ ରାଷ୍ଟ୍ରପତି(୧୮୬୦ରୁ ୧୮୬୫ ) ଗଣତନ୍ତ୍ରକୁ ଗୋଟିଏ ବାକ୍ୟରେ ପରିଭାଷିତ କରିଥିଲେ ଯେ ଏହା ହେଉଛି “government of the people, by the people, for the people” ଯାହା ଆମେ ସବୁବେଳେ ବ୍ୟବହାର କରିଥାଉ । ସେ ତାଙ୍କ ପୁଅ ପଢୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଥିଲେ୨୬ ଯେ ତାଙ୍କ ପୁଅକୁ କେଉଁ ଶିକ୍ଷା ସେ ଦେବେ । ଯେପରି –
“୧. ଆପଣ ଶିକ୍ଷା ଦିଅନ୍ତୁ ଯେ ଚାଲୁ ଚାଲୁ ବାଟରୁ ପାଇଥିବା ପାଞ୍ଚ ଡଲାର ଅପେକ୍ଷା ପ୍ରକୃତ ପରିଶ୍ରମ କରି ଅର୍ଜନ କରିଥିବା ଗୋଟିଏ ଡଲାରର ମୂଲ୍ୟ ଅନେକ ଅଧିକ ।
“୨. ଆପଣ ଶିକ୍ଷା ଦିଅନ୍ତୁ ଯେ ସ୍ୱାର୍ଥସିଦ୍ଧି ନିମନ୍ତେ ଯେତେ ମଣିଷ ରାଜନୀତି କରୁଛନ୍ତି, ଠିକ ସେତିକି ମଣିଷ ଏକ ପୁର୍ଣ୍ଣ ଉତ୍ସର୍ଗର ମନୋଭାବ ସହିତ ବି ରାଜନୀତିରେ ନେତୃତ୍ଵ ନେଉଛନ୍ତି ।
“୩ . ଆପଣ ଟାକୁ ଏ କଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ ଠକିବା ଅପେକ୍ଷା ବରଂ ଅକୃତକାର୍ଯ୍ୟ ହେବା ହେଉଛି ଅଧିକ ସମ୍ମାନଜନକ ।
“୪. ସମସ୍ତେ ଏକାଠି ଗୋଟିଏ ଶଗଡ ଉପରେ ବସି ‘ଆମେ ହିଁ ଠିକ ବାଟରେ ଯାଉଛୁ’ ଏଡେ ବଡ ପାଟିରେ ଚିତ୍କାର କରି ବାହାରିଥିବା ସମୟରେ ମୋ’ ପୁଅ ଯେପରି ତଥାପି ସେମାନଙ୍କ ସହିତ ସେହି ଶଗଡ ଭିତରକୁ ଡେଇଁ ପଡିବ ନାହିଁ, ତା ଭିତରେ ପ୍ରକୃତରେ ସେତିକି ବଳ ରହିଥିବା ଉଚିତ । ଆପଣ ତାକୁ ସେହି ବଳର ଶିକ୍ଷା ଅବଶ୍ୟ ଦେବେ ।
“୫ . ମୋ ପୁଅ ସମସ୍ତଙ୍କ କଥାକୁ ସହାନୁଭୂତି ଓ ଧୈର୍ଯ୍ୟର ସହିତ ଶୁଣି ପାରୁଥିବ -ଆପଣ ତାକୁ ସେହି ବିଷୟରେ ଅବଶ୍ୟ ଶିକ୍ଷା ଦେବେ ।
“୬. ମାତ୍ର ତାକୁ ଏ କଥା ମଧ୍ୟ ଶିକ୍ଷା ଦେଇଥିବେ ଯେ, ଏହିପରି ଭାବରେ ସେ ଯେଉଁଠି ଯାହାକିଛି ଶିଖିବ, ସେଗୁଡିକୁ ଗ୍ରହଣ କରିବା ପୂର୍ବରୁ ସେ ତାହାକୁ ସତ୍ୟର ଛାଙ୍କୁଣିରେ ପ୍ରକୃତରେ ଛାଣିନେଇ ପାରୁଥିବ । ସେହି ଛାଙ୍କୁଣିରେ ଯେତିକି ଗଳିବ, ସେ କେବଳ ସେତିକିକୁ ହିଁ ଗ୍ରହଣ କରୁଥିବ ।
“୭ . ଆପଣ ଯଦି ପାରିବେ, ତେବେ, ଦୁଃଖବେଳେ ସେହି ଦୁଃଖରେ ବିମର୍ଷ ହୋଇ ନପଡି କିପରି ସେ ତଥାପି ହସି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷାଦେବେ । … ଚକ୍ଷୁରୁ ଲୋତକ ବର୍ଷଣ କରିବାରେ ଯେ ଆଦୌ କୌଣସି ଲଜ୍ଜା ନାହିଁ, ଆପଣ ତାକୁ ସେହି କଥା ଶିକ୍ଷାଦେବେ ।
“୮. ଆପଣ ତାକୁ ଶିକ୍ଷା ଦେବେ, ଯେପରିକି ସିଏ ନିନ୍ଦୁକ ଓ ନିପଟ ଦୋଷଦର୍ଶୀମାନଙ୍କୁ ସିଧା ଉପହାସ କରି ପାରୁଥିବ, ଅତିବେଶୀ ମଧୁର ଆଚରଣ ଓ ମିଷ୍ଟ ଭାଷଣରୁ ସିଏ ଯେପରି ସାବଧାନ ହୋଇ ରହିପାରିବ ।
“୯. ନିଜର ହୃଦୟ ଏବଂ ନିଜର ଆତ୍ମାକୁ ସିଏ ଯେପରି ଆଦୌ କୌଣସି ମୂଲ୍ୟ ବଦଳରେ କଦାପି ବିକ୍ରି କରିବାକୁ ରାଜି ହେବ ନାହିଁ, ତାକୁ ଆପଣ ସେହି ଶିକ୍ଷାଟିକୁ ମଧ୍ୟ ଦେଇଥିବେ ।
“୧୦ . ଯେତେବେଳେ ବହୁସଂଖ୍ୟକ ମଣିଷ ଗୋଟାଏ ପଲରେ ଏକତ୍ର ରୁଣ୍ଡ ହୋଇ ଉଚ୍ଚସ୍ଵରରେ ଏଡେବଡ ରବ ବା ଚିତ୍କାର କରିବାରେ ଲାଗିଥିବେ, ସେତେବେଳେ ସେ ଆଡକୁ ନିଜର କାନକୁ ବନ୍ଦ କରି ରଖିବା ନିମନ୍ତେ ଆପଣ ପୁଅକୁ ଶିକ୍ଷା ଦେବେ । .. ଏବଂ ସେହି ପରିସ୍ଥିତିରେ, ତାହାକୁ ଏକୁଟିଆ ଛିଡା ହୋଇ ଯୁଦ୍ଧ କରିବା ଆବଶ୍ୟକ ବୋଲି ମନେ କରୁଥିଲେ, ସିଏ ଯେପରି ତାହା ଅବଶ୍ୟ କରିବ, ଆପଣ ତାକୁ ସେହି କଥାଟିକୁ ମଧ୍ୟ ଶିକ୍ଷା ଦେଇଥିବେ ।
“୧୧ . ତା’ ପ୍ରତି ଆପଣ କଠୋର ହେବେ ନାହିଁ, ସର୍ବଦା ସହାନୁଭୂତି ରଖିଥିବେ ଏବଂ କୋମଳ ଆଚରଣ କରୁଥିବେ, ମାତ୍ର କଦାପି ଗେହ୍ଲା କରି ପକାଇବେ ନାହିଁ ।
“୧୨. ଆପଣ ତାକୁ ଈର୍ଷା ଓ ପରଶ୍ରୀକାତରତାଠାରୁ ଦୂରକୁ ନେଇଯିବେ; ଯଦି ପାରିବେ ଯେ କୌଣସି ପରିସ୍ଥିତିରେ ମଧ୍ୟ ନୀରବରେ, ଶାନ୍ତ ଭାବରେ ହସି ପାରିବାର ରହସ୍ୟଟିକୁ ମଧ୍ୟ ଶିଖାଇବେ ।
“୧୩. ଆପଣ ତାକୁ ଏହି କଥା ଶିକ୍ଷା ଦେବେ ଯେ, ଯେଉଁମାନେ ଉତ୍ପୀଡନକାରୀ ହିସାବରେ କ’ଣ କ’ଣ କରି ପକାଇବେ ବୋଲି ଫୁଲି ହେଉଥାନ୍ତି ଓ ଚୋଟ ମାରିବାକୁ ଧାଇଁ ଆସୁଥାନ୍ତି, ସେହିମାନେ ହିଁ ପଦଲେହନ କରିବା ଲାଗି ସର୍ବପ୍ରଥମେ ପ୍ରସ୍ତୁତ ମଧ୍ୟ ହୋଇଯାନ୍ତି ।“
ଆବ୍ରାହମ ଲିଙ୍କନଙ୍କୁ ଏକ ଆଦର୍ଶ ଅଭିଭାବକ ବୋଲି କୁହାଯାଇପାରେ । କିନ୍ତୁ ଯଦି ଅଭିଭାବକ ଏହିପରି ହୁଅନ୍ତି ତାହାହେଲେ ଶିକ୍ଷା ବ୍ୟବସ୍ଥାରୁ ଯେ ଉଦାରଚେତା ସୁନାଗଋିକ ବାହାରିବେ ଏଥିରେ ସନ୍ଦେହ ନାହିଁ । ଆମକୁ ସବୁବେଳେ ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦିଆଯାଉଛି କିନ୍ତୁ ଏହା ଯେଉଁ ଶ୍ଳୋକରୁ ନିଆ ଯାଇଛି ତାହାଏହିପରି : ଅୟଂ ନିଜଃ ପରୋ ବେତି ଗଣନା ଲଘୁ ଚେତସାମ୍/ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ । (‘ଏଟା ମୋର, ସେଟା ତାର’ -ଏହା ସଙ୍କୁଚିତ ମାନସିକତାର ଲୋକେ କହୁଥାନ୍ତି । ଉଦାର ହୃଦୟର ଲୋକଙ୍କ ପାଇଁ ପୂରା ପୃଥିବୀ ହିଁ ଗୋଟିଏ ପରିବାର ଅଟେ । ) (Maha Upanishad VI 71-73, Chapter 6 ) ଅର୍ଥାତ୍ ‘ବସୁଧୈବ କୁଟୁମ୍ବକମ୍’ କହିବା ପାଇଁ ସେହିମାନେ ହିଁ ଯୋଗ୍ୟ ଯେଉଁମାନେ ଉଦାର ଚରିତ୍ରର ମଣିଷ । ଧର୍ମ କୁ ଭିତ୍ତି କରି ,ଜାତିକୁ ଭିତ୍ତି କରି ଭେଦଭାବକୁ ପ୍ରୋତ୍ସାହିତ କରୁଥିବା ମଣିଷ ଉଦାର ଚରିତ୍ରର ମଣିଷ ହୋଇପାରେ ନା । ଅର୍ଥାତ୍ ଏ ଭଳି ମଣିଷକୁ ଶୋଭା ଦିଏ ନା ‘ବସୁଧୈବ କୁଟୁମ୍ବକମ୍’ କହିବା । ଏଇଠାରେ ଶେଷ କରୁଛି, ଏହା ଆଶା କରି ଯେ ଆମେ ସମସ୍ତେ ‘ବସୁଧୈବ କୁଟୁମ୍ବକମ୍’ କହିବା ପାଇଁ ନିଜକୁ ଯୋଗ୍ୟ କରିବା ।
ଆପଣମାନେ ଧୈର୍ଯ୍ୟର ସହ ବସି ଶୁଣିଛନ୍ତି , ତେଣୁ ଆପଣମାନଙ୍କୁ ମୋର କୃତଜ୍ଞତା ଜଣାଇବି । ମୁଁ ଜାଣି ନାହିଁ ମୁଁ କେତେଦୂର ଆପଣମାନଙ୍କର ଶିକ୍ଷାନୀତିରେ ଆଗ୍ରହକୁ କେତେ ପୂରଣ କରିପାରିଛି । ଯଦି କିଛି ଅଭାବ ଥାଏ ତାହାହେଲେ ମୋତେ କ୍ଷମା କରିବେ । ଧନ୍ୟବାଦ୍ ।
ବ୍ୟବହୃତ ଉପାଦାନ ସୂଚୀ
୨୦ ବିଦ୍ୟାଳୟ ବିଲୟନ, ବୀରେନ୍ଦ୍ର ନାୟକ, ଅପ୍ରକାଶିତ, ରଚନା ୮ ଜୁଲାଇ ୨୦୨୧
୨୧ Holistic Growth with Rise in Higher Education Institutions Significant Increase in Number of Universities/IITs/IIMs in last 9 years, Posted On: 22 APR 2023 7:27PM by PIB Chennai
୨୨ New Philanthropy: Getting Rich= Doing Good, The Times of India, Bhubaneswar, November, 24, 2023
୨୩ Why the NTA must go, T K Rajlaxmi, Frontline, August 10,2026
୨୪ ‘From Ariyalur to Jantar Mantar :Fixing NEET fixes nothing, abolishing it does’ , Sujatha Sivagnanam, 30 August 2026, The Caravan, September, 2026.
୨୫ UGC allows universities to offer 40% course through online mode each semester, Education Times, March 30, 2021, https://www.educationtimes.com/article/newsroom/81757222/ ugc- allows- universities- to- of..
୨୬ ଜଣେ ଅଭିଭାବକଙ୍କ ଚିଠି, ସମଦୃଷ୍ଟି, ୧-୧୫ ସେପ୍ଟେମ୍ବର, ୨୦୨୬
Comments
0 comments

