ଆଫସ୍ପା ଆଇନର ଯଥାର୍ଥତାକୁ ନେଇ ପ୍ରଶ୍ନ

ସରଳ କୁମାର ଦାସ
ସରଳ କୁମାର ଦାସ181 Views
13 Min Read

ଆସାମ ରାଇଫଲସର ସେନାଙ୍କ ଦ୍ୱାରା ନାଗାଲାଣ୍ଡର ମୋନ ଜିଲ୍ଲାରେ ଡିସେମ୍ୱର ୪ ଓ ୫, ୨୦୨୧ରେ ୧୪ଜଣ ନିରସ୍ତ୍ର ନିରୀହ ନାଗରିକଙ୍କ ନିର୍ମମ ହତ୍ୟାପରେ ଦେଶରେ ଆଫସ୍ପା ଆଇନ ବଳବତ୍ତର ରହିବାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହୋଇଛି । ନାଗାଲାଣ୍ଡ ଭଳି ଏକ ସମ୍ୱେଦନଶୀଳ ସୀମାନ୍ତବର୍ତ୍ତୀ ରାଜ୍ୟରେ ଏ ଭଳି ଏକ ଘଟଣା ରାଜ୍ୟବାସୀଙ୍କୁ ଉତ୍ତେଜିତ କରିବା ସହ ଶାନ୍ତିପ୍ରତିଷ୍ଠା ପ୍ରକ୍ରିୟାକୁ ବ୍ୟାହତ କରିଛି ବୋଲି ମତପ୍ରକାଶ ପାଉଛି । ଏପରିକି ଏନ୍ଡିଏର ଅଂଶୀଦାରଥିବା ମେଘାଳୟ ଓ ନାଗାଲାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତୁରନ୍ତ ଆଫସ୍ପା ଆଇନ ପ୍ରତ୍ୟାହାର କରିବାକୁ ଦାବି ଜଣାଇ ସାରିଥିଲାବେଳେ ନାଗାଲାଣ୍ଡ ବିଧାନସଭାରେ ଏହାକୁ ବାତିଲ କରିବାପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇସାରିଲାଣି । ଅବଶ୍ୟ ଏଥିପୂର୍ବରୁ ଆଫସ୍ପା ଆଇନ ପ୍ରତ୍ୟାହାରନେଇ ନାଗାଲାଣ୍ଡ ବିଧାନସଭାରେ ଅନେକଥର ପ୍ରସ୍ତାବ ପାରିତ ହୋଇସାରିଛି ।

ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର୍ସ ଆକ୍ଟ (ଆଫସ୍ପା) ବା ସଶସ୍ତ୍ର ବଳ ବିଶେଷ ଅଧିକାର ଆଇନ ଦେଶର ସଶସ୍ତ୍ର ବଳକୁ ପ୍ରଦତ୍ତ ଏକ ଅତି ନିର୍ଦ୍ଦୟ ଆଇନ, ଯାହା ମାନବିକ ଅଧିକାର ସୁରକ୍ଷାର ବିରୁଦ୍ଧାଚରଣ କରିଥାଏ । ୮୪୪ ଶବ୍ଦ ବିଶିଷ୍ଟ ଏହି ଆଇନ ଅନୁଯାୟୀ ‘ଅଶାନ୍ତ ଅଞ୍ଚଳ’ରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସଶସ୍ତ୍ର ବଳଙ୍କୁ କିଛି ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।ସଶସ୍ତ୍ରବଳ କହିଲେ ସେନାବାହିନୀ, ସ୍ଥଳଭାଗରେ କାର୍ଯ୍ୟରତ ବାୟୁସେନା ଓ କେନ୍ଦ୍ର ସରକାରଙ୍କ ଅନ୍ୟ ଯେକୌଣସି ସଶସ୍ତ୍ର ବଳଙ୍କୁ ବୁଝାଇଥାଏ । ଏହି ଆଇନ ଅନୁସାରେ ଅଶାନ୍ତ ଅଞ୍ଚଳରେ ଅବସ୍ଥାପିତ ସଶସ୍ତ୍ର ବଳର ସଦସ୍ୟ (କମିସନଡ ଓ ନନ୍ କମିସନଡ ଅଧିକାରୀ, ୱାରଣ୍ଟ ଅଫିସର ଓ ସମାନପଦରେ ଥିବା ଅନ୍ୟମାନେ)ଙ୍କର ଲୋକଙ୍କ ଉପରେ ବଳ ପ୍ରୟୋଗ କରିବା, ଏପରିକି ଗୁଳିଚଳାଇ ହତ୍ୟା କରିବାର କ୍ଷମତା ମଧ୍ୟ ରହିଛି । ଆଇନ ଓ ଶାନ୍ତିଶୃଙ୍ଖଳା ଭଙ୍ଗ ବା ଅବମାନନା କରି କୌଣସି ସ୍ଥାନରେ ୫ ବା ଅଧିକ ଲୋକ ରୁଣ୍ଡ ହୋଇଥିଲେ ସେମାନଙ୍କ ଉପରେ ଆବଶ୍ୟକସ୍ଥଳେ ବଳ ପ୍ରୟୋଗ କରିବା, ଏପରିକି ଗୁଳି ଚଳାଇବାକୁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି । ସନେ୍ଦହ ଉପୁଜିଲେ ଯେକୌଣସି ବ୍ୟକ୍ତିକୁ ଗିରଫ କରିବା, ବିନା ୱାରେଣ୍ଟରେ ବି ତାଙ୍କ ଘର ବା ପରିସର ଭିତରେ ପ୍ରବେଶ କରି ଖାନତଲାସ କରିବା ଓ ଅସ୍ତ୍ରାଦି ରଖିବାକୁ ନିଷେଧ କରିବା ଲାଗି ସେମାନେ ଅଧିକୃତ । ଗିରଫ ହୋଇଥିବା ବା ହାଜତରେ ଥିବା କୌଣସି ବ୍ୟକ୍ତିଙ୍କୁ ନିକଟସ୍ଥ ଥାନାରେ ହସ୍ତାନ୍ତର କରି କେଉଁ ପରିସ୍ଥିତିରେ ଗିରଫ କରାଗଲା, ସେ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଦାନ କରିବାକୁ ହୋଇଥାଏ । କୌଣସି ଅଞ୍ଚଳରେ ବିଭିନ୍ନ ଧାର୍ମିକ ଗୋଷ୍ଠୀ, ବର୍ଣ୍ଣ, ଭାଷା, ଜାତି, ସମ୍ପ୍ରଦାୟ ତଥା ଆଞ୍ଚଳିକ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ଓ କଳହ ଲାଗି ରହିଲେ ଆଫପ୍ସା ଆଇନର ଧାରା ୩ ଅନୁଯାୟୀ ସେହି ଅଞ୍ଚଳକୁ ‘ଅଶାନ୍ତ ଅଞ୍ଚଳ’ ବୋଲି ଘୋଷଣା କରିହେବ । କେନ୍ଦ୍ର ସରକାର, ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ବା ଆଂଶିକରୂପେ ‘ଅଶାନ୍ତ ଅଞ୍ଚଳ’ ବୋଲି ଘୋଷଣା କରିପାରିବେ । ସାଧାରଣତଃ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ କୌଣସି ଅଞ୍ଚଳକୁ ‘ଅଶାନ୍ତ ଅଞ୍ଚଳ’ବୋଲି ଘୋଷଣା କରୁଥିଲେ ବି ସ୍ଥଳ ବିଶେଷରେ ଏହି ଅଧିକାର ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ହୋଇଥାଏ । କେଉଁ ଅଞ୍ଚଳରେ ପୁଲିସକୁ ସହାୟତା କରିବା ପାଇଁ ସଶସ୍ତ୍ର ବଳର ଆବଶ୍ୟକତା ରହିଛି, ସେଥିପାଇଁ ଗ୍ୟାଜେଟରେ ଅଧିସୂଚନା ପ୍ରକାଶ ପାଇଥାଏ । ଆଫପ୍ସା ଆଇନର ଧାରା ୬ଅନୁଯାୟୀ ସଶସ୍ତ୍ର ବଳର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ବିନାନୁମତିରେ ସଦସ୍ୟଙ୍କ ଉପରେ କୌଣସି ମାମଲା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନଥାଏ । ଫଳରେ କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିଲେ ସଶସ୍ତ୍ର ବଳଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋଇନଥାଏ । ଏହି ଆଇନର ଆଲୋଚକମାନଙ୍କ ମତରେ ସଶସ୍ତ୍ର ବଳଙ୍କୁ ପ୍ରଦାନ କରାଯାଇଥିବା ଏହି ଖୋଲା ସୁରକ୍ଷା ହିଁ ମାନବିକ ଅଧିକାର ଉଲ୍ଲଂଘନର କାରଣ ହୋଇଥାଏ ।

ଆଫସ୍ପା ଆଇନର ମୂଳଦୁଆ ପଡ଼ିଥିଲା ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନ ସମୟରେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତଛାଡ଼ ଆନେ୍ଦାଳନ ଘୋଷଣା ହେବାପରେ ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ ଓ ପ୍ରତିହତ କରିବା ପାଇଁ ବ୍ରିଟିଶ ଉପନିବେଶବାଦୀ ସରକାରରେ ବଡଲାଟ ଥିବା ଲର୍ଡ ଲିନଲିଥ୍ଗୋଙ୍କ ଦ୍ୱାରା ୧୯୪୨ରେ କେତେକ ବିଶେଷ କାର୍ଯ୍ୟରେ ନିୟୋଜିତ ପୁଲିସ ବଳର ଅଧିକାରୀ ଓ ସଦସ୍ୟଙ୍କୁ ବିଶେଷ କ୍ଷମତା ପ୍ରଦାନ କରି ‘ଦି ଆର୍ମଡ ଫୋର୍ସେସ (ସ୍ପେଶାଲ ପାୱାର୍ସ) ଏକ୍ସଟେନସନ ଅର୍ଡିନାନ୍ସ’ ଜାରି ହେଲା । ଏହାଦ୍ୱାରା ସଶସ୍ତ୍ରବଳଙ୍କୁ ପ୍ରଦତ୍ତ କିଛି ବିଶେଷ କ୍ଷମତା ପୁଲିସ ବଳଙ୍କୁ ପ୍ରଦାନ କରାଗଲା । ଏହା ତତ୍କାଳ ସମଗ୍ର ବ୍ରିଟିଶ ଭାରତରେ କାର୍ଯ୍ୟକାରୀ ହୋଇଥିଲା । କେନ୍ଦ୍ର ସରକାର ଓ ପ୍ରଭିନ୍ସିଆଲ ସରକାର ଗ୍ୟାଜେଟରେ ଅଧିସୂଚନା ଜାରି କରି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ପୁଲିସ ବଳର ଅଧିକାରୀ ଓ ସଦସ୍ୟଙ୍କୁ ସଶସ୍ତ୍ରବଳକୁ ପ୍ରଦତ୍ତ ବିଶେଷ କ୍ଷମତା ପ୍ରଦାନ କରିପାରିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ସରକାରଙ୍କ ଅର୍ଡିନାନ୍ସରେ ମଧ୍ୟ ଏହି କ୍ଷମତା କେବଳ ବ୍ରିଟିଶ ସେନାବାହିନୀର ‘କ୍ୟାପଟେନ’ ପଦବୀରେ ଥିବା ଅଧିକାରୀଙ୍କ ସମକକ୍ଷ ପୁଲିସ ଅଧିକାରୀ, ଯିଏଜଣେ ଗ୍ୟାଜେଟେଡ ପଦାଧିକାରୀ ହୋଇଥିବେ, ତାଙ୍କୁ ପ୍ରଦାନ କରାଯାଇ ପାରୁଥିଲା । ତାଙ୍କଠାରୁ ନିମ୍ନପଦରେ ଅଧିଷ୍ଠିତ ଅନ୍ୟମାନେ ଏହି କ୍ଷମତାକୁ ପ୍ରୟୋଗ କରି ପାରୁ ନଥିଲେ । ଅନ୍ୟପକ୍ଷରେ ଭାରତ ସରକାରଙ୍କ ପ୍ରଚଳିତ ଆଫସ୍ପା ଆଇନ ଅନୁସାରେ ର୍ୟାଙ୍କ ଦୃଷ୍ଟିରୁ କ୍ୟାପଟେନ ପଦବୀର ଯଥେଷ୍ଟ ତଳେ ଥିବା ଜଣେ ନନ୍-କମିସନଡ୍ ଅଫିସର ଓ ୱାରେଣ୍ଟ ଅଫିସର ମଧ୍ୟ ଏହି କ୍ଷମତାକୁ ପ୍ରୟୋଗ କରିବା ପାଇଁ ଅଧିକୃତ ।

ଦେଶ ସ୍ୱାଧୀନ ହେବା ପରେ ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ କ୍ରମାଗତ ଭାବେ ହିଂସା ବୃଦ୍ଧି ପାଇବାରୁ ରାଜ୍ୟ ସରକାରଙ୍କ ପକ୍ଷରେ ତାହା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଲା । ଏହାକୁ ଦୃଷ୍ଟିରେରଖି ମେ ୧୯୫୮ରେ ଅର୍ଡିନାନ୍ସ ଆକାରରେ ଆସିଥିବା ଆଫସ୍ପା, ସେହିବର୍ଷ ଅଗଷ୍ଟରେ ସଂସଦରେ ପାରିତ ହେବାପରେ ସେପ୍ଟମ୍ୱର ୧୧ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରି ଆଇନରେ ପରିଣତ ହେଲା । ପ୍ରାଥମିକ ଅବସ୍ଥାରେ ଆସାମ ଓ ମଣିପୁରରେ ନାଗା ସଶସ୍ତ୍ର ବିଦ୍ରୋହୀଙ୍କ ବିଚ୍ଛିନ୍ନତାବାଦୀ ଆନେ୍ଦାଳନକୁ ପ୍ରତିହତ କରିବାଲାଗି ଏହା ନାଗା ପାର୍ବତ୍ୟାଞ୍ଚଳରେ ସାମୟିକଭାବେ ଲାଗୁ ହୋଇଥିଲା ବୋଲି କୁହାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିଲା । ୧୯୫୮ରେ ଆସାମ ରାଜ୍ୟରେ ଏହି ଆଇନ ଆଂଶିକଭାବେ ଲାଗୁ ହୋଇଥିଲେ ବି ଉଲଫା ଉଗ୍ରବାଦ ଓ ବୋଡୋଲାଣ୍ଡ ଆନ୍ଦୋଳନ ଯୋଗୁଁ ନଭେମ୍ୱରର ୧୯୯୦ରେ ସମଗ୍ର ଆସାମକୁ ଅଶାନ୍ତ ଅଞ୍ଚଳ ଘୋଷଣା କରି ସେଠାରେ ଆଫସ୍ପା ଆଇନ ଲାଗୁ କରାଯାଇଛି । ୧୯୫୮ରେ ମଣିପୁରରେ ଆଂଶିକ ଭାବେ ଏହି ଆଇନ ଲାଗୁ ହୋଇଥିଲାବେଳେ ୮ ସେପ୍ଟେମ୍ୱର, ୧୯୮୦ରେ ଏହା ରାଜ୍ୟବ୍ୟାପୀ ସମ୍ପ୍ରସାରିତ ହୋଇଥିଲା । ତେବେ ବର୍ତ୍ତମାନ ଏହା ଇମ୍ଫାଲ ସଂଲଗ୍ନ ୭ଟି ବିଧାନସଭା କ୍ଷେତ୍ରକୁ ବାଦ୍ ଦେଇ ରାଜ୍ୟର ଅନ୍ୟତ୍ର ବଳବତ୍ତର ରହିଛି । ମୂଳରୁ ନାଗାଲାଣ୍ଡ ରାଜ୍ୟ ଅଶାନ୍ତ ଅଞ୍ଚଳଭାବେ ଘୋଷିତ ହୋଇ ଏଯାବତ୍ ସମଗ୍ର ରାଜ୍ୟରେ ଆଫସ୍ପା ଆଇନ ଲାଗୁ ହୋଇରହିଛି । ୨୦୧୯ରେ ଅରୁଣାଚଳ ପ୍ରଦେଶରୁ ଆଂଶିକ ଭାବେ ଆଫସ୍ପା ଆଇନ ପ୍ରତ୍ୟାହୃତ ହୋଇଛି । ବର୍ତ୍ତମାନ ରାଜ୍ୟର ତିରାପ, ଚାଙ୍ଗଲାଙ୍ଗ ଓ ଲୋଙ୍ଗଡିଙ୍ଗ ଜିଲ୍ଲା ତଥା ଆସାମ ସୀମାବର୍ତ୍ତୀ ୪ଟି ଥାନା ଅଞ୍ଚଳରେ ଏହି ଆଇନ ବଳବତ୍ତର ରହିଛି । ଜାନୁଆରୀ ୧୯୬୭ରେ ସମଗ୍ର ମିଜୋରାମକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣାକରି ସେଠାରେ ଆଫସ୍ପା ଆଇନ ଲାଗୁ ହୋଇଥିଲା । ତେବେ ଜୁନ ୧୯୮୬ରେ ସେଠାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ସେଠାରୁ ଏହି ଆଇନ ପ୍ରତ୍ୟାହୃତ ହୋଇଥିଲା । ତ୍ରିପୁରା ରାଜ୍ୟରେ ଉଗ୍ରବାଦ ଗତିବିଧି ହ୍ରାସ ପାଇବାପରେ ସେଠାରେ ଫେବୃଆରୀ ୧୯୯୭ରୁ ଲାଗୁ ହୋଇଥିବା ଏହି ଆଇନ ୧୮ ବର୍ଷ ପରେ ମେ ୨୦୧୫ରେ ପ୍ରତ୍ୟାହାର କରି ନିଆଗଲା । ଆସାମ ସୀମାକୁ ଲାଗି ଥିବା ମେଘାଳୟର ୨୦ କିଲୋମିଟର ଅଞ୍ଚଳକୁ ଅଶାନ୍ତ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା । ସେଠାରେ ଉଗ୍ରବାଦ ଗତିବିଧି ଯଥେଷ୍ଟ ହ୍ରାସ ପାଇଥିବାରୁ ୨୭ବର୍ଷ ପରେ ସମଗ୍ର ମେଘାଳୟରୁ ୩୧ ମାର୍ଚ୍ଚ, ୨୦୧୮ରୁ ଆଫପ୍ସା ଆଇନ ପ୍ରତ୍ୟାହାର କରି ନିଆଯାଇଛି । ଆଫସ୍ପା ଆଇନକୁ ଆଧାର କରି ସଂସଦ ଦ୍ୱାରା ୧୯୯୦ରେ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଇଁ ଏକ ସ୍ୱତନ୍ତ୍ର ଆର୍ମଡ ଫୋର୍ସେସ (ଜାମ୍ମୁଓ କାଶ୍ମୀର) ସ୍ପେଶାଲ ପାୱାର୍ସ ଆକ୍ଟ ପ୍ରଣୀତ ହେଲା, ଯାହା ଏବେ ମଧ୍ୟ ବଳବତ୍ତର ରହିଛି । ସେହିପରି ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଆନେ୍ଦାଳନ ଚାଲିଥିବାବେଳେ ସେଠାରେ ଉଗ୍ରବାଦର ମୁକାବିଲା କରିବା ପାଇଁ ଆର୍ମଡ ଫୋର୍ସେସ (ପଞ୍ଜାବ ଓ ଚଣ୍ଡିଗଡ଼) ସ୍ପେଶାଲ ପାୱାର୍ସ ଆକ୍ଟ, ୧୯୮୩ ପ୍ରଣୀତ ହୋଇଥିଲା, ଯାହା ୧୯୯୭ରେ ପ୍ରତ୍ୟାହୃତ ହେଲା ।

ବିଭିନ୍ନ ସମୟରେ ପ୍ରତିରକ୍ଷା କର୍ମୀଙ୍କ ଦ୍ୱାରା ଆଫସ୍ପା ଆଇନର ଦୁରୁପଯୋଗ ସଂକ୍ରାନ୍ତରେ ଅନେକ ଅଭିଯୋଗ ମିଳିଥାଏ । ଗୃହ ମନ୍ତ୍ରାଳୟର ସୂଚନାନୁସାରେ କେବଳ ୨୦୧୨ରୁ ୨୦୧୬ ପାଞ୍ଚବର୍ଷ ମଧ୍ୟରେ ଆଫସ୍ପା ଆଇନର ଦୁରୁପଯୋଗ ସମ୍ପର୍କରେ ୧୮୬ଟି ଅଭିଯୋଗ ମିଳିଥିଲା ଯେଉଁଥିରୁ ପ୍ରାୟ ଅଧା କେବଳ ଜାମ୍ମୁ ଓ କାଶ୍ମୀର ରାଜ୍ୟରୁ ଆସିଥିଲାବେଳେ ଆସାମ ଓ ମଣିପୁରରୁ ଯଥାକ୍ରମେ ୩୧ ଓ ୧୧ ପ୍ରତିଶତ ଅଭିଯୋଗ ମିଳିଥିଲା । ତଥ୍ୟ ଅନୁଯାୟୀ ୧୯୯୪ରୁ ୨୦୧୭ ମଧ୍ୟରେ ମିଳିଥିବା ମାନବାଧିକାର ଉଲ୍ଲଂଘନର ୧୬୯୫ଟି ଅଭିଯୋଗ ମଧ୍ୟରୁ ମାତ୍ର ୬୬ଟି ସତ ବୋଲି ପ୍ରମାଣିତ ହୋଇ ୧୫୦ଜଣ ପ୍ରତିରକ୍ଷା କର୍ମୀଙ୍କୁ ଦଣ୍ଡିତ କରାଯାଇଛି ଓ ୪୯ଟି ମାମଲାରେ ପ୍ରଭାବିତଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ମାନବାଧିକାର ଉଲ୍ଲଂଘନର ୧୨ଟି ଶ୍ରେଣୀରେ ବିଭକ୍ତ ଏହି ଅଭିଯୋଗଗୁଡିକ ମୁଖ୍ୟତଃ ‘ଯାତନା ପ୍ରଦାନ (ଟରଚର)’ ‘ସେନାବାହିନୀ ଏନକାଉଣ୍ଟରରେ ମୃତ୍ୟୁ’, ‘ସେନାବାହିନୀ ଗୁଳିଚାଳନାରେ ମୃତ୍ୟୁ’ ହୋଇଥିଲେ ବି ସେଥିରେ ପ୍ରତିରକ୍ଷା କର୍ମୀଙ୍କ ଦ୍ୱାରା ‘ଅପହରଣ ଓ ଦୁଷ୍କର୍ମ’ ପରି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି । ୧୧ ଜୁଲାଇ, ୨୦୦୪ରେ ୩୨ ବର୍ଷୀୟା ମଣିପୁରୀ ଯୁବତୀ ଥଙ୍ଗଜାମ ମନୋରମା ଦେବୀଙ୍କ ଗୁଳିବିଦ୍ଧ ମୃତଶରୀର ଇମ୍ଫାଲରେ ତାଙ୍କ ଘରଠାରୁ ୪ କିଲୋମିଟର ଦୂରରେ ମିଳିବା ପରେ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଦିନକ ପୂର୍ବରୁ ଆସାମ ରାଇଫଲସ୍ ମନୋରମା ଦେବୀଙ୍କୁ ତାଙ୍କଘରୁ ଗିରଫ କରିଥିଲେ । ସେନାବାହିନୀର ବର୍ବରତାର ପ୍ରତିବାଦରେ ସେଠାରେ ସଂଖ୍ୟାଧିକ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଆସାମ ରାଇଫଲସର ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏହି ଅଭୂତପୂର୍ବ ଅଭିନବ ପ୍ରତିବାଦ ସର୍ବତ୍ର ଚହଳ ପକାଇବା ସହ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେମାନେ ଧରିଥିବା ବ୍ୟାନରରେ ଲେଖାଥିଲା ‘ଇଣ୍ଡିଆନ ଆର୍ମି ରେପ ଅସ ଟୁ…’ (ଭାରତୀୟ ସେନାବାହିନୀ ଆମକୁ ବି ବଳାକôାର କର…) । ଏହି ପ୍ରତିବାଦ ପରେ ଆସାମ ରାଇଫଲସ୍ ତରଫରୁ ଆଭ୍ୟନ୍ତରୀଣ ତଦନ୍ତର ଆଦେଶ ଦିଆଯାଇଥିଲା । ଏଭଳି ତଦନ୍ତର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଉ ନଥିବାରୁ ସେହି ତଦନ୍ତରେ କାହାରିକୁ ଦଣ୍ଡିତ କରାଯାଇଛି କି ନାହିଁ ତାହା ଆଜିଯାଏଁ ଆଉ ଜଣାପଡ଼ିଲା ନାହିଁ । ତେବେ ପ୍ରବଳ ଜନବିରୋଧ ଯୋଗୁଁ ଇମ୍ପାଲର ୭ଟି ବିଧାନସଭା କ୍ଷେତ୍ରରୁ ଆଫସ୍ପା ଆଇନକୁ ପ୍ରତ୍ୟାହାର କରି ନିଆଯାଇଥିଲା । ମଣିପୁରର ଇରମ ଚାନୁ ଶର୍ମିଲା ଆଫସ୍ପା ଆଇନକୁ ବାତିଲ କରିବାଦାବିରେ ୫ ନଭେମ୍ୱର ୨୦୦୦ରୁ ୯ ଅଗଷ୍ଟ, ୨୦୧୬ ଯାଏଁ ଅନଶନ କରି ରେକର୍ଡ ସୃଷ୍ଟି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ମେ’ ୧୯୭୯ରୁ ମେ’୨୦୧୨ ମଧ୍ୟରେ ମଣିପୁରରେ ସଂଘଟିତ ୧୫୨୮ଟି ବିଚାର ବହିର୍ଭୂତ ହତ୍ୟାରେ ସେନାବାହିନୀ ଓ ଆସାମ ରାଇଫଲସର ଅଧିକାରୀଙ୍କ ଭୂମିକାକୁ ତଦନ୍ତ କରିବାପାଇଁ ସିବିଆଇ ତରଫରୁ ଏକ ଏସ୍ଆଇଟି ଗଠନ କରାଯାଇଛି, ଯାହାର ତଦନ୍ତ ଏଯାଏଁ ସରି ନାହିଁ ।

ଆଫସ୍ପାଭଳି ଏକ ଆଇନ ପାଇଁ ଭାରତକୁ ଜାତିସଂଘ ଓ ବିଶ୍ୱ ଦରବାରରେ ବାରମ୍ୱାର ନିନ୍ଦିତ ହେବାକୁ ପଡ଼ିଛି । ୧୯୯୧ରେ ଭାରତ ତା’ର ମାନବାଧିକାର ସମ୍ପର୍କୀୟ ରିପୋର୍ଟ ଉପସ୍ଥାପନ କଲାବେଳେ ଜାତିସଂଘ ମାନବାଧିକାର କମିଟି (ୟୁଏନ୍ଏଚ୍ଆର୍ସି)ର ସଦସ୍ୟଙ୍କ ଦ୍ୱାରା ଆଫସ୍ପା ଆଇନର ବୈଧତାକୁ ନେଇ ଭାରତକୁ ଅନେକ ଅସହଜ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେମାନେ ଏହି ଆଇନର ସାମ୍ୱିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । ଏଥି ସହ ଏହା ଅନ୍ତର୍ଜାତୀୟ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି (ଆଇସିସିପିଆର)ର ଧାରା ୪ର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ କୌଣସିମତେ ଯୁକ୍ତିସଙ୍ଗତ କହି ହେବନାହିଁ ବୋଲି ମତପ୍ରକାଶ ପାଇଥିଲା । ପ୍ରତ୍ୟେକ ମଣିଷର ବଞ୍ଚିବାର ଜନ୍ମସିଦ୍ଧ ଅଧିକାର ରହିଛି ଓ ଏହାକୁ ଆଇନ ଦ୍ୱାରା ସୁରକ୍ଷିତ ରଖିବାକୁ ହେବ । କାହାରିଠାରୁ ତା’ ଜୀବନ ମନଇଚ୍ଛା ଛଡ଼ାଇ ନେଇ ହେବନାହିଁ । ୧୯୯୭ରେ ୟୁଏନଏଚଆରସି ଆଫସ୍ପା ଆଇନରେ ପ୍ରଦତ୍ତ ‘ଦଣ୍ଡମୁକ୍ତ ବାତାବରଣ’ (କ୍ଲାଇମେଟ ଅଫ୍ ଇମ୍ପ୍ୟୁନିଟି) ପାଇଁ ଉଦବେଗ ପ୍ରକାଶ କରିଥିଲେ । ଜାତିସଂଘର ମାନବିକ ଅଧିକାର କମିଶନର ୨୦୦୯ରେ ଭାରତ ସରକାରଙ୍କୁ ଆଫସ୍ପା ଆଇନ ବାତିଲ କରିବା ଲାଗି ପରାମର୍ଶ ଦେଇ କହିଥିଲେ, “ସମକାଳୀନ ଅନ୍ତର୍ଜାତୀୟ ମାନବାଧିକାର ମାନକର ବିରୁଦ୍ଧାଚରଣ କରୁଥିବା ସମସ୍ତ ପୁରୁଣାକାଳିଆ ଓ ଉପନିବେଶ ସମୟର ଆଇନକୁ ଭାରତ ପ୍ରତ୍ୟାହାର କରିବା ଉଚିତ” । ଏଥି ପୂର୍ବରୁ ୟୁଏନ ସ୍ପେଶାଲ ରାପୋର୍ଟର ଅନ୍ ଏକସଟ୍ରା ଜୁଡିସିଆଲ, ସମରି ଅର ଆର୍ବିଟ୍ରାରୀ ଏକଜିକ୍ୟୁସନସ (୨୦୦୬), କମିଟି ଅନ୍ ଏଲିମିନେସନ ଅଫ୍ ଡିସକ୍ରିମିନେସନ ଏଗେନଷ୍ଟ ଉମେନ (୨୦୦୭), କମିଟି ଅନ୍ ଏଲିମିନେସନ ଅଫ୍ ରେସିଆଲ ଡିସକ୍ରିମିନେସନ (୨୦୦୭) ଆଦି ଜାତିସଂଘର ଏକାଧିକ କମିଟି ଆଫସ୍ପା ଆଇନକୁ ପ୍ରତ୍ୟାହାର କରିବା ଲାଗି ବିଭିନ୍ନ ସମୟରେ ଦୃଢ଼ ସ୍ୱର ଉଠାଇ ଆସିଛନ୍ତି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ନଭେମ୍ୱର ୨୦୦୪ରେ ଜଷ୍ଟିସ ବି ପି ଜୀବନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟରେ ଆଫସ୍ପା ଆଇନକୁ ବାତିଲ କରିବାପାଇଁ ପରାମର୍ଶ ଦିଆ ଯାଇଥିଲେ ବି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଏଯାଏଁ ଗୃହୀତ ହୋଇନାହିଁ । ସେହିପରି କେ ବୀରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମଶସନ (ଏଆରସି) ୨୦୦୭ରେ ଦେଇଥିବା ୫ମ ରିପୋର୍ଟରେ ମଧ୍ୟ ଆଫସ୍ପା ଆଇନ ବାତିଲ କରିବା ସପକ୍ଷରେ ପରାମର୍ଶ ଦେଇଥିଲେ ।

ଅଗଷ୍ଟ ୧୮, ୧୯୫୮ରେ ସଂସଦରେ ପାରିତ ହୋଇଥିବା ଆଫସ୍ପା ଆଇନ ଅନେକ ବର୍ଷଧରି ତିଷ୍ଠି ରହିଥିଲେ ବି ନାଗାଲାଣ୍ଡ ଭଳି ରାଜ୍ୟରେ ତାହା ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ଅନ୍ତ କରିବାରେ ସମର୍ଥ ହୋଇନାହିଁ । ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ (ଏନଏସସିଏନ)ର ଏକାଧିକ ଗୋଷ୍ଠୀ ବିଚ୍ଛିନ୍ନତାବାଦୀ ଆନେ୍ଦାଳନରେ ଏବେ ବି ସକ୍ରିୟ ଥିଲାବେଳେ ଏମାନଙ୍କ ମଧ୍ୟରେ ଏନ୍ଏସ୍ସିଏନ (ଆଇଏମ) ଗୋଷ୍ଠୀ ସର୍ବାଧିକ ସକ୍ରିୟ । ଏମାନଙ୍କ ମୁକାବିଲା ଓ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ଥିବାରୁ ଏଥିପାଇଁ ସେନାବାହିନୀକୁ ନିୟୋଜିତ କରାଯାଇଥାଏ । ଏକଥା ସତ ଯେ ଦେଶର କୌଣସି ଅଶାନ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ଥାଇ ସେନାବାହିନୀର ସହାୟତା ନିଆଗଲେ ସେନାବାହିନୀକୁ କୋର୍ଟକଚେରୀ ଜଞ୍ଜାଳରୁ ଆବଶ୍ୟକ ସୁରକ୍ଷାପ୍ରଦାନ କରିବାକୁ ହେବ । କିନ୍ତୁ ସେନାବାହିନୀକୁ ପ୍ରଦତ୍ତ କ୍ଷମତାର ଦୁରୁପଯୋଗ ହେଲେ ନାଗରିକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ଦେଖାଯାଉ ନାହିଁ । ସେନାବାହିନୀଙ୍କୁ ଦେଶବାସୀଙ୍କ ବିରୁଦ୍ଧରେ ଲଢ଼ିବାରେ ନିୟୋଜିତ କରିବା ଆଦୌ ଯୁକ୍ତିସଙ୍ଗତ ନୁହେଁ । ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ମୁକାବିଲା କରିବା ପାଇଁ ସ୍ଥାନୀୟ ପୁଲିସ ଅସମର୍ଥ ବୋଲି ଧରି ନ ନେଇ ବରଂ ଅଶାନ୍ତ ଅଞ୍ଚଳରେ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ସେନାବାହିନୀକୁ ସେହି ଧରଣର କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ନ୍ତା ନାହିଁ କି ଆଫସ୍ପା ଆଇନର ଦୁରୁପଯୋଗ ନେଇ ଆଉ ସେନାବାହିନୀ ସମାଲୋଚନାର ଶରବ୍ୟ ହୁଅନ୍ତା ନାହିଁ । ଏକଦା ଆୟର୍ଲାଣ୍ଡରେ ବିଚ୍ଛିନ୍ନତାବାଦୀ ଆନେ୍ଦାଳନକୁ ପ୍ରତିହତ କରିବା ପାଇଁ ବ୍ରିଟେନ ଦ୍ୱାରା ଆଫସ୍ପା ଭଳି ଏକ ଆଇନର ସହାୟତା ନିଆଯାଇଥିଲା । ଆମ ପଡ଼ୋଶୀ ପାକିସ୍ଥାନ ଓ ବଙ୍ଗଳାଦେଶରେ ଏବେ ବି ୧୯୪୨ର ଆଫସ୍ପା ଆଇନ ଭିନ୍ନ ରୂପରେ ତିଷ୍ଠି ରହିଥିଲେ ବି ବିଶ୍ୱର ପ୍ରାୟ କୌଣସି ସଭ୍ୟଦେଶରେ ଏ ଧରଣର ଆଇନର ପ୍ରଚଳନ ନାହିଁ । ତେଣୁ ଏକବିଂଶ ଶତାବ୍ଦୀରେ ଭାରତ ପରି ଏକ ବିଶାଳ ଆଧୁନିକ ଗଣତନ୍ତ୍ରରେ ଆଫସ୍ପା ଭଳି ମାନବାଧିକାର ବିରୋଧୀ ଏକ ନିର୍ଦ୍ଦୟ ଆଇନର ଯେ କୌଣସି ସ୍ଥାନ ନାହିଁ, ତାହା ସରକାରଙ୍କୁ ସ୍ୱୀକାର କରି ତା’ର ବିକଳ୍ପ ଅନୁସନ୍ଧାନପୂର୍ବକ ଅବିଳମ୍ୱେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ସୁଖର କଥା ନାଗାଲାଣ୍ଡରୁ ଆଫସ୍ପା ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯିଏ ୪୫ଦିନ ମଧ୍ୟରେ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ । କେବଳ ନାଗାଲାଣ୍ଡ ନୁହେଁ, ବରଂ ସ୍ଥିତି ସମୀକ୍ଷା କରି ଆଫସ୍ପା ଲାଗୁ ରହିଥିବା ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡିକରୁ ମଧ୍ୟ ତୁରନ୍ତ ଏହି ଆଇନ ପ୍ରତ୍ୟାହାର କରିନେବାର ଆବଶ୍ୟକତା ଅନୁଭୂତ ହେଉଛି । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ଦୀର୍ଘଦିନ ଧରି ସେନାବାହିନୀର ଆତଙ୍କର ଆଶଙ୍କା ଭିତରେ ରଖାଗଲେ ସେହିସବୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ସେନାବାହିନୀ ପ୍ରତି ବିଶ୍ୱାସ ସଙ୍କଟ ଦେଖା ଦେଇ ସେମାନେ ଦେଶର ମୁଖ୍ୟସ୍ରୋତରେ ସାମିଲ ହେବା ତ ଦୂରର କଥା, ବରଂ କ୍ରମଶଃ ଦୂରେଇ ଯିବାର ଆଶଙ୍କା ଦେଖା ଦେଇପାରେ ।

Comments

0 comments

Share This Article