ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ; ସାମ୍ପ୍ରଦାୟିକ ହିଂସାର ଏକ ନିରପେକ୍ଷ ବିଶ୍ଳେଷଣ

ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ଦଳୀୟ ରାଜନୀତିରୁ ମୁକ୍ତ ରଖି  ତାକୁ ଶକ୍ତି ପ୍ରଦର୍ଶନ ବଦଳରେ ଭକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିବର୍ତ୍ତିତ କରାଯାଉ

ସରୋଜ ମହାନ୍ତି
ସରୋଜ ମହାନ୍ତି 401 Views
29 Min Read

ବିଭିନ୍ନ ଧର୍ମ, ସମୁଦାୟ ଓ ସଂସ୍କୃତି ଭିତରେ ମଧୁର ସମ୍ପର୍କ, ସଂଳାପ ଓ ସମନ୍ୱୟର ଭୂଇଁ ହେଲା ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁର । ଧର୍ମ ନିର୍ବିଶେଷରେ ନୂଆଖାଇ, ଶୀତଳଷଷ୍ଠୀ, ଧନୁଯାତ୍ରା, ରଥଯାତ୍ରା, ମକର ହୋଲି,  ଦୁର୍ଗାପୂଜା, ଇଦ୍, ବଡ଼ଦିନ ଆଦି ଗଣପର୍ବରେ ସବୁ ସମୁଦାୟର ଲୋକ ଅଂଶଗ୍ରହଣ କରି ଆସୁଛନ୍ତିି । ଏପରିକି ବିଭିନ୍ନ ପୂଜାକମିଟିରେ ସବୁ ଧର୍ମର ଲୋକ ସାମିଲ ରହୁଥିବାର ଅନେକ ନଜିର ଆଗରୁ ରହିଆସିଛି । ତରଭାର ମଝାର, ସମ୍ବଲପୁରରେ ନୁରବିବିଙ୍କ ମଝାର, ରେମଣ୍ଡାର ରଥଯାତ୍ରା, ସୋହେଲାର ଦୁର୍ଗାପୂଜା, ସୋନପୁର- ନାରାୟଣପୁରର ରଥଯାତ୍ରା, ବରପାଲିର ରାମମନ୍ଦିର ନିର୍ମାଣ, ସମ୍ବଲପୁରରେ ୩୪୫ ବର୍ଷ ହେଲା ହିନ୍ଦୁ ପରିବାର ଦ୍ୱାରା ତାଜିଆ ନିର୍ମାଣ, ମୁସଲିମ ସମୁଦାୟରେ ଗୀତା,ବେଦ,ଉପନିଷଦର ଚର୍ଚ୍ଚା, ଭଜନ-ସଂପ୍ରଦାରେ ମୁସଲିମ କବି କଳାକାରଙ୍କ ସଂପୃକ୍ତିର ଅନେକ ଉଦାହରଣ ରହିଛି ଏ ମାଟିରେ । ଧର୍ମକୁ ଆଧାର କରି କ୍ଷମତାସର୍ବସ୍ୱ ରାଜନୀତି କରୁଥିବା ଦଳ ଓ ଗୋଷ୍ଠୀମାନେ ବିଭିନ୍ନ ଧର୍ମର ଲୋକଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରି ଦେଶ ଓ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦଙ୍ଗା କରେଇବାରେ ସଫଳ ହେଉଥିବାବେଳେ ସମ୍ବଲପୁର ସହରରେ ରହିଥିବା ଧାର୍ମିକ ସମନ୍ୱୟ ଓ ଭାଇଚାରାର ଐତିହ୍ୟ କାରଣରୁ ଏ ସହର ସାମ୍ପ୍ରଦାୟିକ ଦଙ୍ଗା ଓ ଉତ୍ତେଜନାରୁ ଏଯାଏଁ ମୁକ୍ତ ହେଇଆସିଥିଲା ।

ଏପ୍ରିଲ ୧୨ ଓ ୧୪, ୨୦୨୩ ସମ୍ବଲପୁର ପାଇଁ କଳା ଦିନ: ହନୁମାନ ଜୟନ୍ତୀ ପାଳନର ଦୁଇଦିନ ପୂର୍ବରୁ ୨୦୨୩ ଏପ୍ରିଲ ୧୨ତାରିଖ ଦିନ ହେଇଥିବା ବାଇକ୍ ରାଲି  ଉପରକୁ କିଛି ମୁଷ୍ଟିମେୟ ଅପରାଧୀଙ୍କ ଅତର୍କିତ ପଥର ମାଡ଼ ଓ ଆକ୍ରମଣର ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ସ୍ଥିତି ଆକଳନ, ଦୂରଦୃଷ୍ଟିର ଅଭାବ ଓ ଶାନ୍ତି ଶୃଙ୍ଖଳାର ସହ ଏ କାର୍ଯ୍ୟକ୍ରମକୁ ପରିଚାଳିତ କରିବା ଲାଗି ଆବଶ୍ୟକ ପ୍ରସ୍ତୁତି ଅଭାବ କାରଣରୁ ମୁଷ୍ଟିମେୟ ଅପରାଧୀ ଏ ଘଟଣା ଘଟେଇବାରେ ସଫଳ ହେଲେ ଯେଉଁଥିରେ ଉଭୟ ପୁଲିସ ଓ ଶୋଭାଯାତ୍ରାକାରୀମାନେ ଆହତ ହେଲେ । ପୁଲିସ ନିଜେ ଲହୁଲୁହାଣ ହେଲା । ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଅନ୍ୟତମ କର୍ମକର୍ତ୍ତା  ଦାମ କର, ଧନୁପାଲି ମହିଳା ଥାନା ଅଧିକାରୀ ଗମ୍ଭୀରରୂପେ ଆହତ ହେଲେ । ଆଶ୍ୱାସନାର କଥାଯେ ସେମାନେ ସୁସ୍ଥ ହେଲେଣି । ସେଦିନ ମୋତିଜିରା ଓ ସୁନାପାଲି ଅଂଚଳଦେଇ ପ୍ରାୟ ୧୫୦୦ ଲୋକଙ୍କ ବାଇକ୍ ରାଲି  ଦଳ ଦଳ ହେଇ ସେ ରାସ୍ତାରେ ଯାଉଥାଏ । ଶୋଭାଯାତ୍ରାର ଏକ ବଡ଼ ଅଂଶ ଯାଇସାରିଲା ପରେ ଆଉ ଏକ ଛୋଟଦଳ ଶେଷରେ ଆସୁଥାଏ । ସେଇ ଦଳ କିଛି ସମୟ ଅଟକି ସ୍ଳୋଗାନ ଦେଉଥିବାବେଳେ ଏ ଘଟଣା ଘଟିଲା । ସେତେବେଳକୁ ସେଠି ମାତ୍ର ୧୨-୧୩ ଜଣ ପୁଲିସ । ସେମାନେ ସ୍ଥିତିକୁ ସମ୍ଭାଳି ନପାରିବା ସ୍ୱାଭାବିକ । ଯାହା ଫଳରେ ସାରା ସହରର ଶାନ୍ତି ଓ ସୋହାର୍ଦ୍ଦ୍ୟ ବ୍ୟାହତ ହେଲା । ସେଇଦିନ କିଛି ମୁଷ୍ଟିମେୟ ଅପରାଧୀ ଅନେକ ଛୋଟ ବଡ଼ ଦୋକାନ ନଷ୍ଟ କଲେ।

୧୪୪ ଧାରା ସତ୍ତ୍ୱେ ଏପ୍ରିଲ ୧୪ ସନ୍ଧ୍ୟାରେ ପ୍ରଶାସନିକ ଅନୁମତିରେ  ହନୁମାନ ଜୟନ୍ତୀ ପାଳନ ହେଲା । ଶୋଭାଯାତ୍ରା ଦିନ ୪୨ପ୍ଳାଟୁନ ପୁଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ ସତ୍ତ୍ୱେ ଗୋଲବଜାର, ଗେଟି ଟକିଜ୍, ଲକ୍ଷ୍ମୀ ଟକିଜ୍ ଓ ଅନ୍ୟ କିଛି ଅଂଚଳରେ ଅନେକ ଦୋକାନ ଜଳାପୋଡ଼ା ଓ ଭଙ୍ଗାରୁଜାର ଘଟଣା ଘଟିଲା । ଏସବୁ ଦୋକାନ ଥିଲା ସଂଖ୍ୟାଲଘୁ ସମ୍ପ୍ରଦାୟର । ତା’ସହ ଜଣେ ଆଦିବାସୀଯୁବକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ହତ୍ୟା ହେଲା ଯେଉଁଥିରେ ଅପରାଧିକ ପୃଷ୍ଠଭୂମି ଥିବା କେତେଜଣ ମୁସଲମାନ ଜଡ଼ିତ ଥିଲେ । ସମ୍ବଲପୁର ଇତିହାସରେ ଏ ବିରଳ ଘଟଣା ସମସ୍ତଙ୍କୁ ଚକିତ ଓ ମର୍ମାହତ କରିଛି । ତା ପରେପରେ କର୍ଫ୍ୟୁ  ଜାରି ତଥା ଇଂଟରନେଟ୍ ସେବା ବନ୍ଦ ଭିତରେ ଅଳ୍ପ କିଛି ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣା ହେବା ସତ୍ତ୍ୱେ ସହର ଧିରେଧିରେ ଶୃଙ୍ଖଳିତ ହେବାରେ ଲାଗିଛି ଯାହା କିଛିଟା ଆଶ୍ୱସ୍ତି ଆଣିଛି । ଏସବୁ ସତ୍ତ୍ୱେ ସହରରେ ବିଭିନ୍ନ ସମୁଦାୟ ଭିତରେ ସନ୍ଦେହ  ଓ ଅବିଶ୍ୱାସ ବଢ଼ିଛି । ମିଥ୍ୟା ତଥ୍ୟ ଓ ମିଛକଥାର ପ୍ରଚାର ହେଉଥିବା ଯୋଗୁଁ ସହରବାସୀଙ୍କ ଭିତରେ ଆଶଙ୍କା ଓ ଆତଙ୍କ ଜାରି ରହିଛି । ଦୀର୍ଘ ଦୁଇ ସପ୍ତାହ ଧରି ସାରା ସହରବାସୀଙ୍କ ଜୀବନ ଯେମିତି ଅଚଳ ହେଇପଡ଼ିଲା । ବିଶେଷ କରି ଦିନ ମଜୁରିଆ, ଉଠାଦୋକାନୀ, ଖାଇବା ହୋଟେଲ, କପଡ଼ା ଦୋକାନ, ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ, ଇଂଟରନେଟ୍ ସେବା ଉପରେ ନିର୍ଭରଶୀଳ ଛାତ୍ର, ଘରୁ ଅଫିସ କାମ କରୁଥିବା କର୍ମଚାରୀ, ଜରୁରୀ ବ୍ୟାଙ୍କ ସେବା ଚାହୁଁଥିବା ଉପଭୋକ୍ତା, ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେ । ଅନ୍ୟପଟେ ଅନେକ ମୁସଲମାନ ଯେଉଁମାନେ  ହିନ୍ଦୁମାନଙ୍କର ଘରେ ରହୁଥିଲେ, ହିନ୍ଦୁମାନଙ୍କ ନିୟନ୍ତ୍ରଣରେ ଥିବା ଜାଗା ଓ ଦୋକାନ ଭଡ଼ାରେ ନେଇଥିଲେ, ସେମାନଙ୍କୁ ଘର ଓ ଦୋକାନ ଛାଡ଼ିବାପାଇଁ କୁହାଯାଉଛି । ଘର ଓ ଜାଗା/ଦୋକାନ ମାଲିକମାନେ କହୁଛନ୍ତି ଭାଇ ଛାଡ଼, ଆମ ଉପରେ ଚାପ ଅଛି । କେତେ ଜାଗାରେ ଆଉ ଦୋକାନ ଖୋଲ ନାହିଁ, ବନ୍ଦ ରଖ ବୋଲି ଶୁଣେଇ ଦିଆଯାଉଛି । ଏ ନେଇ ଲୋକେ ପୁଲିସକୁ ଜଣେଇବାକୁ ଡରୁଛନ୍ତି । ଅଳ୍ପଲୋକ ପୁଲିସକୁ ଲେଖି ଜଣଉଛନ୍ତି ମଧ୍ୟ ।  କିଛି ଲୋକ ଏଯାଏଁ ଦୋକାନ ବନ୍ଦ କରି ରଖିଛନ୍ତି । କିଛିଲୋକ ଘର/ ଜାଗା ଓ ଦୋକାନ ଛାଡ଼ୁଛନ୍ତି । ସୋଭାଗ୍ୟବଶତଃ ଏପରି ଘଟଣାର ସଂଖ୍ୟା ଅତି ଅଳ୍ପ । ଆଶା କରାଯାଉଛି ଯେ ସମୟକ୍ରମେ ଏସବୁ ପ୍ରକ୍ରିୟା ଶାନ୍ତ ପଡ଼ିଯିବ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଯେଉଁପରି ବିଦ୍ୱେଷ ସୃଷ୍ଟିକାରୀ ଲେଖା ସବୁ ସ୍ଥାନିତ ହେଉଛି, ହିନ୍ଦୁସମାଜ ନାଁରେ ନିର୍ଦ୍ଦିଷ୍ଟ ନାଁ ଓ ଠିକଣା ନଥାଇ ମୁସଲମାନମାନଙ୍କୁ ସବୁ ରକମର ସାମାଜିକ ଓ ଆର୍ଥିକ ବାସନ୍ଦ କରନ୍ତୁ ବୋଲି ଏକ ପ୍ରଚାରପତ୍ରର ପ୍ରସାର ହେଉଛି । ଏସବୁ ଦେଖିଲେ ଲାଗୁଛି କିଛି ଦୁଷ୍ଟଶକ୍ତି ଓ ତତ୍ତ୍ୱ ଅଶାନ୍ତିର ନିଆଁକୁ ଜଳେଇ ରଖିବାକୁ ଚାହାଁନ୍ତି । ସେସବୁକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ଦ୍ୱାରା ବିଦ୍ୱେଷ ଓ ଅବିଶ୍ୱାସ ଅହୁରି ବଢୁଛି ।

୨୯ଏପ୍ରିଲ ସୁଦ୍ଧା ୧୨ ତାରିଖ ଘଟଣାରେ ୪୬ ଜଣ ଓ ୧୪ ତାରିଖର ପୋଡ଼ାଜଳା, ହତ୍ୟା ତଥା ତା’ ପରବର୍ତ୍ତୀ ଘଟଣାରେ ୫୬ଜଣ ଗିରଫ ହେଇଛନ୍ତି । ସେ ଭିତରୁ ହତ୍ୟା ଘଟଣା ଲାଗି ୮ଜଣ ଗିରଫ ହେଇଛନ୍ତି ।  ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ନେଇ ୧୬ଜଣଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଛି । ଇଂଟରନେଟ୍ ସେବା ବନ୍ଦ ଓ ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକୁ ନେଇ ଗିରଫଦାରୀ ସମ୍ବଲପୁରର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ପୁଲିସର ଆଉ ଏକ ଘୋଷଣା ଉଭୟ ସମୁଦାୟଙ୍କୁ ଚିନ୍ତାରେ ପକେଇଛି, ସେ ହେଲା ଅପରାଧିକ ଗିତିବିଧି ସହ ଜଡ଼ିତ ଲୋକଙ୍କ ଘର ଯଦି ସରକାରୀ ଜମିରେ ବେଆଇନ ରୂପେ ନିର୍ମିତ ହେଇଥିବ ତେବେ ସେମାନଙ୍କୁ ଉଛେଦ କରାଯିବ । ସମ୍ବଲପୁରରେ ଧର୍ମ ନିର୍ବିଶେଷରେ ବହୁଲୋକ ଆଜି ବି ସରକାରୀ ଜମିରେ ଘର ଓ ଦୋକାନବାଡ଼ି କରିଛନ୍ତି । ଏଇମିତି ଲୋକ ବି ବହୁସଂଖ୍ୟାରେ ଅଛନ୍ତି ଯେଉଁମାନେ ବହୁ ଦଶନ୍ଧିହେଲା ରହୁଥିବା ଜମିଲାଗି ପଟ୍ଟା ଦାବୀ କରି ଆସୁଛନ୍ତି ଯାହାକୁ ସରକାରମାନେ ଅଣଦେଖା କରି ଚାଲିଛନ୍ତି ।

ପ୍ରଶ୍ନ ହେଲା ଏଥିପାଇଁ ଦାୟୀ କିଏ?

ପ୍ରଶାସନିକ ବିଫଳତା, ଏପ୍ରିଲ ୧୨ ଓ ୧୪ତାରିଖର ଘଟଣାରେ ଜଡ଼ିତ ମୁଷ୍ଟିମେୟ ଅପରାଧୀଙ୍କ ଗତିବିଧି, ହନୁମାନ ଜୟନ୍ତୀ ପାଳନରେ ଭକ୍ତି ବଦଳରେ ଶକ୍ତି ପ୍ରଦର୍ଶନର ଦୂରାଗ୍ରହ ଓ ସାମ୍ପ୍ରଦାୟିକ ରାଜନୀତି ଏଥିଲାଗି ମୂଳତଃ ଦାୟୀ ।

ପ୍ରଶାସନିକ ବିଫଳତା:

ସ୍ଥିତି ଆକଳନଜନିତ ପ୍ରଶାସନିକ କଳର ବିଫଳତା ତ ନିଶ୍ଚିତ କଥା । ରାମନବମୀ ଓ ହନୁମାନ ଜୟନ୍ତୀକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେବାର ନଜିର ସଭିଙ୍କ ସାମ୍ନାରେ ଥିଲାବେଳେ ସମ୍ବଲପୁର ପ୍ରଶାସନ ସତର୍କ ନହେବା ଆଶ୍ଚର୍ଯ୍ୟଜନକ । ଗୁଇନ୍ଦା ସଂସ୍ଥା ଓ ପ୍ରଶାସନିକ କଳ ସତର୍କ ହେଇଥିଲେ ଏପ୍ରିଲ ୧୨ ତାରିଖ ଓ ତା ପରର ହିଂସାତ୍ମକ ଘଟଣାକୁ ଏଡ଼ାଯାଇ ପାରିଥାନ୍ତା । ୧୨ତାରିଖ ବାଇକ୍ ରାଲି ପୂର୍ବରୁ ଅପରାଧିକ ଗତିବିଧିର ଇତିହାସ ଥିବା କିଛିଲୋକଙ୍କୁ ସାମୟିକ ଭାବେ ଗିରଫ କରାଯାଇ ପାରିଥାନ୍ତା । ରାଲି  ସମୟରେ ବଡ଼ସଂଖ୍ୟାରେ ପୁଲିସ ଓ ଅର୍ଦ୍ଧସାମରିକ ବଳ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରଯାଇ ପାରିଥାନ୍ତା । ବିଶେଷକରି ମୋତିଝରନ, ସୁନାପାଲି, ଜିଲ୍ଲା ହାଇସ୍କୁଲ ଛକ, ପୀରବାବା ଛକ ଆଦି ଅଂଚଳରେ । ସେ ଅଂଚଳରେ ଥିବା କିଛି କୋଠାଘର ଛାତମାନଙ୍କରେ କିଛି ପୁଲିସ ଛିଡ଼ା କରାଯାଇପାରିଥାନ୍ତା । ତା’ଛଡ଼ା ବାଇକ୍ ରାଲିର ସମୟ ଓ ରୋଜା/ ନମାଜପଢ଼ା ସହ ମସଜିଦରେ ଲୋକଙ୍କ ଯିବା ଆସିବା ସମୟ ଗୋଟିଏ ହେଇଯିବା ଆଉ ଏକ ବିଡ଼ମ୍ବନା । ପ୍ରଶାସନ ଏ ବାବଦରେ ସଚେତନ ହେଇଥିଲେ ରାଲିର ସମୟକୁ ଆଗ ପଛ କରାଯାଇ ପାରିଥାନ୍ତା । ଏଥିରୁ ଜଣାପଡ଼ୁଛି ପ୍ରଶାସନ ଆଇନ ଶୃଙ୍ଖଳାର ପ୍ରସଙ୍ଗକୁ ନେଇ ଗମ୍ଭୀର ନଥିଲା । ଅନ୍ୟପଟେ ସମ୍ବଲପୁର ଏସପି  ୧୨ତାରିଖ ଘଟଣାକୁ ପୂର୍ବନିୟୋଜିତ ବୋଲି କହିଲା ପରେ ପୁଲିସ ପ୍ରଶାସନ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଲୋକେ କହୁଛନ୍ତି ଯଦି ଘଟଣା ପୂର୍ବ ନିୟୋଜିତ ଥିଲା ତେବେ ପୁଲିସ କେମିତ ଜାଣିପାରିଲା ନାହିଁ । ଯାହେଉ ଗତବର୍ଷ (୨୦୨୨)ରେ ସେଇ ସମାନ ଅଂଚଳରେ ଥିବା ମସଜିଦ ସାମ୍ନା ଦେଇ ଶୋଭାଯାତ୍ରା ଯାଉଥିବାବେଳେ ଉତ୍ତେଜକ ସ୍ଳୋଗାନ କାରଣରୁ କିଛିଟା ଉତ୍ତେଜନା ଦେଖାଯାଇଥିଲା ଯାହା ପୁଲିସର ହସ୍ତକ୍ଷେପ ଫଳରେ ନିୟନ୍ତ୍ରିତ ହେଇଯାଇଥିଲା । ଆଗରୁ ପୁଲିସ ପ୍ରଶାସନ ମସଜିଦ୍ ସାମ୍ନାରେ ଉତ୍ତେଜନାର ଆଶଙ୍କା କରି ପ୍ରସ୍ତୁତ ହେଇ ରହୁଥିଲା ଓ ଭିଡ଼କୁ ଯେତେଶୀଘ୍ର ସମ୍ଭବ କମ କରିବାକୁ ଚେଷ୍ଟା କରୁଥିଲା । ସେ ଘଟଣାରୁ ପୁଲିସ ପ୍ରଶାସନ ଶିକ୍ଷା ନେଇ ଅଧିକ ସତର୍କ ହେବାର ଥିଲା । ତାଛଡ଼ା ଏବର୍ଷ ଯେହେତୁ ଜୟନ୍ତୀ ଓ ରମଜାନ ଗୋଟିଏ ସମୟରେ ପଡ଼ୁଥିଲା ତେଣୁ ବାଇକ୍ ରାଲିର ସମୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିଲା ।

ଠିକ୍ ସେମିତି ପୁଲିସ ପ୍ରଶାସନ ନିଷ୍ଠାର ସହ କାମ କରିଥିଲେ ଏପ୍ରିଲ ୧୪ଜୟନ୍ତୀ ଦିନ ଶୋଭାଯାତ୍ରାବେଳେ ଘଟିଥିବା ଜଳାପୋଡ଼ା ଓ ଭଙ୍ଗାରୁଜାର ଘଟଣାକୁ ଏଡ଼େଇ ଦେଇପାରିଥାନ୍ତା । ସବୁଠୁ ଦୁଃଖଦ ଘଟଣା ହେଲା ଆଦିବାସୀ ଯୁବକ ମିର୍ଦ୍ଧାଙ୍କ ହତ୍ୟା ଯାହା ଲୋକଙ୍କୁ ଅଧିକ ଉତ୍ତ୍ୟକ୍ତ କରିବା ସ୍ୱାଭାବିକ । କିଛି ଲୋକଙ୍କ ମତହେଲା ୧୨ତାରିଖ ଘଟଣାକୁ ଦେଖି ଯଦି ଏପ୍ରିଲ ୧୪ତାରିଖ କାର୍ଯ୍ୟକ୍ରମକୁ ଚଳିତବର୍ଷ ଲାଗି ବନ୍ଦ କରିଦିଆ ଯାଇଥାନ୍ତା ତେବେ ଏ ହତ୍ୟାକାଣ୍ଡ ଘଟିନଥାନ୍ତା । ଅବଶ୍ୟ, ଯଦି, କିନ୍ତୁ ପରନ୍ତୁର ମାନେ କିଛି ନାହିଁ । ଘଟଣା ଘଟିସାରିଛି । ଅଭାବନୀୟ ଆର୍ଥିକ କ୍ଷତି ଓ ସବୁଠୁ ବଡ଼ କ୍ଷତି ହେଲା ଦୁଇଟି ସମୁଦାୟ ଭିତରେ ନିର୍ମିତ ସନ୍ଦେହ  ଓ ଅବିଶ୍ୱାସର ବାତାବରଣ।

 ହନୁମାନ ଜୟନ୍ତୀ ଏକ ନୂଆ ପରମ୍ପରା:

ସମ୍ବଲପୁରର ଇତିହାସରେ ଗଙ୍ଗାଧର ମେହେର କଲେଜରେ ୧୯୮୦ରେ ହେଇଥିବା ଛାତ୍ର ଆନ୍ଦୋଳନ  ଏକ ମହତ୍ୱପୂର୍ଣ୍ଣ ଘଟଣା । ୮୦ରେ ହେଇଥିବା ଅଭୂତପୂର୍ବ ବନ୍ୟା ହେଇଥିଲା ଯାହା ସମ୍ବଲପୁରର ଜନଜୀବନକୁ ବେଶ୍ ପ୍ରଭାବିତ କରିଥିଲା । ବନ୍ୟା କାରଣରୁ ଅବଶ୍ୟକ ରିଲିଫ କାମବେଳେ ଛାତ୍ର ଓ ବ୍ୟବସାୟିକ ଶ୍ରେଣୀସହ ଭିତରେ ଏକ ବିବାଦ ହେଇଥିଲା । ଗୋଟିଏ ସମୟରେ ଏହା ମାରୱାଡ଼ି ହଟାଓ ଆଡ଼କୁ ମୁହେଁଇ ଯାଇଥିଲା । ଅନେକ ମାଡ଼ପିଟ ଓ ଗିରଫଦାରୀ ହେଇଥିଲା ସେ ପ୍ରସଙ୍ଗକୁ ନେଇ । ସେ ଆନ୍ଦୋଳନ  କାରଣରୁ ସହରବାସୀ ଭିତରେ ମାରୱାଡ଼ି ସମୁଦାୟ ପ୍ରତି ବେଶ୍ ସମୟ ଧରି ଅସନ୍ତୋଷ ଲାଗି ରହିଥିଲା । ଏଇ ଆନ୍ଦୋଳନ ରେ ଲୋକପ୍ରିୟ ହେଇଥିଲେ ସୁରେଶ ପୂଜାରୀ ଯାହା ପରେ ଜାନକୀ ପଟ୍ଟନାୟକ ଓ କଂଗ୍ରେସ ବିରୋଧୀ ଆନ୍ଦୋଳନର ରୂପ ନେଇଥିଲା । । କିନ୍ତୁ ସେ ଆନ୍ଦୋଳନ କାରଣରୁ ମାରୱାଡ଼ି ସମୁଦାୟ ସମ୍ବଲପୁରରେ ନିଜର ଅସ୍ମିତା ଓ ଅସ୍ତିତ୍ୱର ସୁରକ୍ଷାକୁ ନେଇ ବିଚଳିତ ଓ ଆତଙ୍କିତ ହେଇଉଠିଥିଲେ । ସହରବାସୀଙ୍କ ଭିତରେ ସେମାନଙ୍କୁ ନେଇ ବଡ଼ ଧରଣର ଅସନ୍ତୋଷ ଦେଖି ସେମାନେ ଘାବରେଇ ଯାଇଥିଲେ । କିଛିକାଳ ସେମାନେ ସେ ଅସନ୍ତୋଷର ନିଦାନ ଖୋଜିବାରେ ଲାଗି ବ୍ୟସ୍ତ ରହିଲେ । ପରେପରେ ଆଂଚଳିକ ବୈଷମ୍ୟର ପ୍ରସଙ୍ଗ ଯାହା ଉପକୂଳ ବନାମ ପଶ୍ଚିମାଂଚଳର ସମୀକରଣକୁ ଜନ୍ମ ଦେଲା । ସର୍ବଭାରତୀୟ ସ୍ତରରେ ୮୦ରୁ ସଂଗଠିତ ରୂପେ ଆରମ୍ଭ  ଓ ୯୦ଦଶକ ବେଳେ ବ୍ୟାପକ ହେଇଥିବା ସାମ୍ପ୍ରଦାୟିକ ରାଜନୀତିର ପ୍ରଭାବରେ ସମ୍ବଲପୁରର ଜନମାନସ ବି ପ୍ରଭାବିତ ହେଲା । ଏ ଦୁଇଟି ପ୍ରକ୍ରିୟା ଭିତରେ ମାରୱାଡ଼ି ସମୁଦାୟ ପ୍ରତି ସୃଷ୍ଟି ହେଇଥିବା ଅସନ୍ତୋଷ ସମୟକ୍ରମେ ଉଭେଇଗଲା । ସେ ଯାହେଉ ସମୟକ୍ରମେ ସ୍ଥିତି ସ୍ୱାଭାବିକ ହେଇଗଲା । ସେଇ ସମୟଖଣ୍ଡରେ ବା ୮୦ ଦଶକରେ ଆରମ୍ଭ ହନୁମାନ ଜୟନ୍ତୀ ୯୦ଦଶକରେ ସଂଗଠିତ ରୂପ ନେବା ଆରମ୍ଭ କଲା ।

ହନୁମାନ ଜୟନ୍ତୀ ୮୦ଦଶକରୁ ଆରମ୍ଭ ହେଇଛି । ପ୍ରଥମ ହନୁମାନ ଜୟନ୍ତୀ ‘ହନୁମାନ ବ୍ୟାୟାମଶାଳା’ରୁ ଆରମ୍ଭ ହେଇଥିଲା । ପ୍ରଥମରେ ଅଳ୍ପସଂଖ୍ୟକ ମାରୱାଡ଼ି ସମୁଦାୟ ଓ କିଛି ପହିଲମାନ ଏହାକୁ ଆରମ୍ଭ କରିଥିଲେ । ସେତେବେଳେ ଖୁବ୍ କମ ଲୋକ ଭାଗ ନେଉଥିଲେ । ଏପରିକି ସହରର ସବୁ ପଡ଼ାରେ ଏହା ପାଳିତ ହେଉନଥିଲା । ସେ ସମୟରେ ଏଇପରି  ଆଶଙ୍କା ଓ ଭୟର କଥା କେହି ଅନୁଭବ କରୁନଥିଲେ । ଅନ୍ୟ ପର୍ବପର୍ବାଣୀ ପରି ଏହାଥିଲା ସହଜ ଓ ସ୍ୱାଭାବିକ । ୧୯୮୬ ମସିହାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକାରୀ ଦଳକୁ ପୀରବାବା ଛକରେ ହୁସେନ ନାମକ ଏକ ମୁସଲମାନ ସହ କିଛିଲୋକ ଅଟକେଇ ପୀର ବାବାଙ୍କ ସାମ୍ନାରେ ବାଜା ବଜେଇବାକୁ ମନାକଲେ । ତାକୁ ନେଇ ସେମାନଙ୍କ ଭିତରେ ଟଣାଓଟରା ହେଇଥିଲା । ତା ପରଠୁ ବିଭିନ୍ନ ପଡ଼ାର ଲୋକେ ମିଳିତ ରୂପେ ସହର ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭକଲେ । ଜନତା ଦଳର ସରକାର ଭାଙ୍ଗିବା ପରେ ଜନସଂଘର ଲୋକେ ଭାଜପାରେ ସକ୍ରିୟ ହେଲେ । ଆରମ୍ଭରେ ହନୁମାନ ଜୟନ୍ତୀ କିଛିପଡ଼ାର ଲୋକ ଚୈତ୍ର ପୂର୍ଣ୍ଣିମାରେ ପାଳନ କରୁଥିଲା ବେଲେ କିଛି ଜାଗାରେ ସଂକ୍ରାନ୍ତୀ ଦିନରେ ପାଳିତ ହେଉଥିଲା । ଗୋଟିଏ ସମୟରେ ବେନିଭୁଜ ସାହୁ ପରି ରାଜନୈତିକ ବ୍ୟକ୍ତି ଏ ଗତିବିଧିରେ ସାମିଲ ହେଲେ ଯିଏ ସମ୍ବଲପୁରରେ ଭାଜପା ଦଳର ଆଦ୍ୟ ପ୍ରତିଷ୍ଠାତାଙ୍କ ଭିତରୁ ଜଣେ । ତଥାପି ସେ ସମୟରେ ଏହା ସାମ୍ପ୍ରଦାୟିକ ରାଜନୀତିର ନିୟନ୍ତ୍ରଣକୁ ଯାଇନଥିଲା । ସମୟକ୍ରମେ ଏହାକୁ ସଂଗଠିତ ରୂପ ଦେବାର ଗତିବିଧି ଆରମ୍ଭ ହେଲା ।

ଏହାପରେ କେବଳ ସଂକ୍ରାନ୍ତୀ ଦିନ (ଯାହା ପ୍ରାୟତଃ ଏପ୍ରିଲ ୧୪ରେ ପଡ଼େ) ଏହା ପାଳନ ହେଲା । ପ୍ରଥମରୁ ବାଇକ୍ ରାଲି  ହେଉନଥିଲା ।  ପରେ ବାଇକ୍ ରାଲି  ସହ ସଂଗଠିତ ଓ ବଡ଼ ରୂପରେ ଗଲା ୨୫ବର୍ଷ ହେଲା ଏହା ପାଳିତ ହେଉଛି । ହନୁମାନ ଜୟନ୍ତୀ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବ କି ନାହିଁ, ଏ ନେଇ ଲୋକ ଓ ପ୍ରଶାସନ ଭିତରେ ଏକ ଆଶଙ୍କା ଗଲା କିଛିବର୍ଷ ହେଲା ରହିଆସୁଛି । ଗୋଟିଏ ସମୟରେ ସାରା ସହରରେ ମାଇକ୍ ଲଗାଯାଇ ହନୁମାନ ଚାଳିଶା ଶୁଣେଇବା କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏଇ ସମୟଖଣ୍ଡରେ ହନୁମାନ ଜୟନ୍ତୀ ଦୁଇ ଦିନ ପୂର୍ବରୁ ଝଣ୍ଡା ରାଲି  ଓ ଏପ୍ରିଲ ୧୪ର ର୍ୟାଲିରେ ଖଣ୍ଡା, ତଲୱାର ଓ ନିଆଁ  ଖେଳ ବଢ଼ିଲା । ଏହାର ପ୍ରଭାବ ମୁସଲମାନ ସମୁଦାୟର ମହରମ ବେଳେ ଦେଖିବାକୁ ମିଳିଲା । ସେମାନେ ଯଦିଓ ତାଙ୍କ ପରମ୍ପରା ଅନୁଯାୟୀ ମହରମରେ ବହୁ ଆଗରୁ ଅସ୍ତ୍ର ଧରନ୍ତି ଓ ନିଜକୁ ପିଟନ୍ତି । ଶୋକ ପାଳନ କରନ୍ତି । ଏହା ଭାରତ ଓ ଅନ୍ୟଦେଶରେ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ସେମାନେ ବି ସେଇ ସମୟଖଣ୍ଡରେ ଦୁଇ ଚାରିବର୍ଷ ଲାଗି ଅସ୍ତ୍ର ଖେଳକୁ ଆଗ ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ଦେଖିବାକୁ ମିଳିିଥିଲା ।

୧୯୯୭ରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତିଆରି ହେଲା । ସାରା ସହରର ବିଭିନ୍ନ ପଡ଼ାରୁ ଶୋଭାଯାତ୍ରାକାରୀ ଦଳ ଗୋଟିଏ ଜାଗାରେ ଜମା ହେଇ ମିଳିତ ରୂପେ ସହର ପରିକ୍ରମା କରିବା ଆଜିଯାଏଁ ଜାରି ରହିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟଯେ ୫୦୦ବର୍ଷର ସମ୍ବଲପୁର ସହରର ଇତିହାସରେ ହନୁମାନ ଜୟନ୍ତୀ ପାଳନର ପରମ୍ପରାଟି ମାତ୍ର ୪୦ବର୍ଷର । ତା ଅର୍ଥ ଏହା ସମ୍ବଲପୁରର ପାରମ୍ପରିକ ଉତ୍ସବ ନୁହେଁ । ତେଣୁ ଝଣ୍ଡା ର୍ୟାଲି ହେଉକି ଜୟନ୍ତୀଜନିତ ଶୋଭାଯାତ୍ରା; ଏ ସହର ପାଇଁ ଏକ ନୂଆ ପରମ୍ପରା । ସେ ଭିତରେ ପୁଣି ଭକ୍ତି ପ୍ରଦର୍ଶନରୁ ଶକ୍ତି ପ୍ରଦର୍ଶନ ଆଡ଼କୁ ଯିବା ହନୁମାନ ଜୟନ୍ତୀ ପାଳନର ଇତିହାସରେ ଅହୁରି ନୂଆ ପରମ୍ପରା ।

ଭକ୍ତି ବନାମ ଶକ୍ତି ପ୍ରଦର୍ଶନର ରାଜନୀତି: ୨୦୦୬ ପରଠୁ ସ୍ଥିତିରେ ଆହୁରି ପରିବର୍ତ୍ତନ ଆସିଲା । ବିଜେପି-ବିଜେଡ଼ିର ମିଳିତ ସରକାର ଥିବାରୁ ହନୁମାନ ଜୟନ୍ତୀ ପାଳରେ ଆସୁଥିବା ସାଂପ୍ରଦାୟିକ ପରିବର୍ତ୍ତନ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଲେ ନାହିଁ । ସମ୍ବଲପୁର ବିଧାନସଭା ଭାଜପା ହାତରେ ଥିଲା । ବିଜେଡ଼ି ଗୋଟିଏ ରକମ ଏ ଆସନକୁ ଦଳୀୟ ଭିତ୍ତିରେ ସେତେ ଗୁରୁତ୍ୱ ଦେଉନଥାଏ ଓ କଂଗ୍ରେସ ଦୁର୍ବଳରୁ ଦୁର୍ବଳତର ହେଇ ଚାଲିଥାଏ । ଏ ସ୍ଥିତି ଦକ୍ଷିଣପନ୍ଥୀଙ୍କୁ ବେଶ୍ ସୁହାଇଲା । ଏହାପରଠୁ ବଂଗାଳୀ ଅନୁପ୍ରବେଶ, ଗୋ ହତ୍ୟା, ଗୋମାଂସ, ଧର୍ମାନ୍ତରୀକରଣ, ବସ୍ତି ଜବରଦଖଲ ପରି ପ୍ରସଙ୍ଗଗୁଡ଼ିକୁ ଧାର୍ମିକ ଭିତ୍ତି ଦେଇ ପ୍ରଚାର କରାଗଲା । ତା’ପରଠୁ ହନୁମାନ ଜୟନ୍ତୀକୁ ଆହୁରି ସଂଗଠିତ ଭାବେ ଶକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିଣତ କରି ଘୃଣା ସୃଷ୍ଟିକାରୀ ସ୍ଳୋଗାନ ଓ ବକ୍ତବ୍ୟରେ ତାକୁ ଆହୁରି ବିଦ୍ୱେଷମୂଳକ କରାଗଲା । ଜୟନ୍ତୀ ପାଇଁ, ବାଇକ୍ ରାଲି ପାଇଁ ପଡ଼ା ପଡ଼ା ବସ୍ତି ବସ୍ତିରେ ପ୍ରସ୍ତୁତି ପ୍ରାୟ ଗୋଟିଏ ସପ୍ତାହ ଧରି ଚାଲେ ।ରାଲି  କେଉଁ ରାସ୍ତାରେ ଯିବ ଯିବ ନାହିଁ, ରାଲି ରେ ନିଆଁ  ଖେଳ ହେବ କି ନାହିଁ, ଖଣ୍ଡା ତଲୱାର ଧରିବେ କି ନାହିଁ; ଏସବୁକୁ ନେଇ ଗଲା କିଛିବର୍ଷ ହେଲା ଜୟନ୍ତୀ ଆୟୋଜକ ଓ ପ୍ରଶାସନ ଭିତରେ ଦ୍ୱନ୍ଦ୍ୱ ଲାଗି ରହୁଛି । କିଛିବର୍ଷ ତଳେ ଖଣ୍ଡା ବୁଲାକୁ ନେଇ ସ୍ଥାନୀୟ ବିଧାୟକ ଓ ବର୍ତ୍ତମାନର ବିରୋଧୀ ଦଳ ନେତା ଏବଂ ଜିଲ୍ଲା ପ୍ରଶାସନ ଭିତରେ ବଡ଼ ବିବାଦ ଛିଡ଼ା ହେଇଥିଲା (୨୦୧୫) । ବିଧାୟକ ପ୍ରଶାସନିକ ଅନୁମତି ବିନା ଖଣ୍ଡା ବୁଲେଇ ଗିରଫ ହେଇଥିଲେ । ଅସଲରେ ସେଇବର୍ଷ ନିଆଁ ଖେଳ ଓ ଖଣ୍ଡା ନ ଧରିବା ନେଇ ସବୁ ସମୁଦାୟ ଓ ପ୍ରଶାସନ ଭିତରେ ଏକ ବୁଝାମଣା ହେଇଥିଲା । ବାକି ସମୁଦାୟର ଧାର୍ମିକ କାର୍ଯ୍ୟକ୍ରମରେ ସେମାନେ ଏ ବୁଝାମଣାକୁ ପାଳନ କରିଥିବାବେଳେ ହନୁମାନ ଜୟନ୍ତୀର ଆୟୋଜକ ସଂଗଠନ ନିଜ କାର୍ଯ୍ୟକ୍ରମ ବେଳକୁ ଏ ପ୍ରତିଶୁ୍ରତି ରକ୍ଷା କରିନଥିଲେ ।

ପ୍ରଶ୍ନ ଉଠୁଛି ଶୀତଳଷଷ୍ଠୀ ପରି ବିରାଟ ଗଣପର୍ବ ବେଳେ ହେଉକି ଅନ୍ୟ ଛୋଟ ବଡ଼ ଧାର୍ମିକ ଶୋଭାଯାତ୍ରା ସେ ସାର୍ବଜନୀନ ଦୁର୍ଗା ପୂଜା, ଇଦ୍, ଗୁରୁପରବ, ବଡ଼ ଦିନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କେବେ କିଛି ବିଶେଷ ଘଟଣା ଘଟିନାହିଁ କି ସେପ୍ରକାର ଆଶଙ୍କା ଲୋକଙ୍କ ମନରେ ଆସି ନାହିଁ । କେବଳ ହନୁମାନ ଜୟନ୍ତୀକୁ ନେଇ ଏପରି ସ୍ଥିତି ଉପୁଜୁଛି କାହିଁକି? ମୁସଲମାନ ସମୁଦାୟର ଲୋକ ହନୁମାନ ଜୟନ୍ତୀ ପାଳନ ବେଳେ କାହିଁକି ଗଲା କିଛିବର୍ଷ ହେଲା ବିଭିନ୍ନ ଆଶଙ୍କାରେ ରହୁଛନ୍ତି? ସେମାନେ ଅନ୍ୟ ଧାର୍ମିକ ପର୍ବପର୍ବାଣୀ ବେଳର ଶୋଭାଯାତ୍ରା ପରି ହନୁମାନ ଜୟନ୍ତୀ ବେଳର ଶୋଭାଯାତ୍ରାକୁ ସ୍ୱାଭାବିକ ରୂପରେ କାହିଁକି ଗ୍ରହଣ କରିପାରୁ ନାହାଁନ୍ତିି?

ଏ ପ୍ରଶ୍ନର ଉତ୍ତର ସର୍ବଭାରତୀୟ ସ୍ତରରେ ଘଟୁଥିବା ଘଟଣା ସମୂହକୁ ବିଚାରକୁ ନେଲେ ଯାଇ ସ୍ପଷ୍ଟ ହେବ । ଆମେ ଜୟ ସିଆରାମ ବା ରାମ ରାମରୁ ଜୟ ଶ୍ରୀରାମ ଆଡ଼କୁ ପହଁଚିଥିବା ଯାତ୍ରାକୁ ବୁଝିପାରିଲେ ଅନେକ କଥା ସ୍ପଷ୍ଟ ହେଇଯିବ । ଭାରତବର୍ଷରେ ମଣ୍ଡଳ-ମନ୍ଦିର ରାଜନୀତିରୁ ଜନ୍ମିତ ବିଦ୍ୱେଷ ସାରା ଭାରତକୁ ପ୍ରଭାବିତ କରିବା ଆରମ୍ଭ କଲା । ବମ୍ବେ ଦଙ୍ଗା, ଅଯୋଧ୍ୟା ପ୍ରକରଣ, ରାମ ମନ୍ଦିର ଅଭିଯାନ, ବାବ୍ରି ମସଜିଦ୍ ଭଙ୍ଗ, ଗୋଧ୍ରା କାଣ୍ଡ ଓ ଗୁଜରାଟ ଦଙ୍ଗାର ପ୍ରଭାବ ସାରା ଭାରତର ଜନମାନସକୁ ପ୍ରଭାବିତ କଲା । ହିନ୍ଦୁ ବନାମ ମୁସଲମାନର ସମୀକରଣର ରାଜନୀତିରୁ ଦେଶରେ ଧର୍ମଭିତ୍ତିରେ ସାମାଜିକ, ରାଜନୈତିକ ବିଭାଜନର ପ୍ରକ୍ରିୟା ଜୋର ଧରିଲା । ଏସବୁ ପ୍ରକ୍ରିୟାର ପ୍ରଭାବ ସମ୍ବଲପୁର ସହର ଉପରେ ବି ପଡ଼ିଲା ଓ ତାହା ହନୁମାନ ଜୟନ୍ତୀ ପାଳନର ଚରିତ୍ରକୁ ବି ଧିରେ ଧିରେ ପ୍ରଭାବିତ କଲା । ହନୁମାନ ଜୟନ୍ତୀ ପାଳନ ଓ ଆୟୋଜନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗ ଦଳ ଓ ଭାଜପା ପରି ଦଳର ପ୍ରବେଶ ଓ ନିୟନ୍ତ୍ରଣ ବଢ଼ିବାରେ ଲାଗିଲା । ଅନ୍ୟ ଦଳର ଲୋକ ସାମିଲ ହେଉଥିଲେ ବି ୧୯୯୭ ପରଠୁ  ହନୁମାନ ଜୟନ୍ତୀ ସମନ୍ୱୟ ସମିତି ନାମକ ସଂଗଠନରେ ଭାଜପା, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିନିଧିତ୍ୱ ଓ କର୍ତ୍ତୃର୍ତ୍ୱ ଅଧିକ ଗତିରେ ବଢ଼ିବାରେ ଲାଗିଲା ।  ବିଭିନ୍ନ ବର୍ଷରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ପଦପଦବୀ ମଣ୍ଡନ କରିଥିବା ବ୍ୟକ୍ତିମାନଙ୍କ ରାଜନୈତିକ ପୃଷ୍ଠଭୂମି ଦେଖିଲେ ଏକଥା ସ୍ପଷ୍ଟ ଜଣାପଡ଼େ । ଯେଉଁ ସମୟରୁ ଏଇ ଦକ୍ଷିଣପନ୍ଥୀଙ୍କ ପ୍ରତିନିଧିତ୍ୱ ଓ ନିୟନ୍ତ୍ରଣ  ବଢ଼ିଛି, ହନୁମାନ ଜୟନ୍ତୀ ପାଳନର ଚରିତ୍ରରେ ଏକ ନିର୍ଦ୍ଦିଷ୍ଟ ରକମର ପରିବର୍ତ୍ତନ ଆସିଛି । ଅନ୍ତତଃ ମୁସଲିମ ସମୁଦାୟ ଏସବୁ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ‘ମୁସଲିମ ବିରୋଧୀ’ ସଂଗଠନ ରୂପେ ବିଚାର କରିଥାଏ । ଏଇ ସଂଗଠନଗୁଡ଼ିକର ସକ୍ରିୟତା ପରେ ହନୁମାନ ଜୟନ୍ତୀକୁ ଶକ୍ତି ପ୍ରଦର୍ଶନର ଏକ ପର୍ବରେ ପରିଣତ କରିବାର ଚେଷ୍ଟା ଅଧିକ ଜୋର ଧରିଛି । ଶକ୍ତି ପ୍ରଦର୍ଶନ ପରି ଶବ୍ଦ ଆସିଲା ମାନେ ପ୍ରଶ୍ନ ଉଠିବ ସେ କାହାର ବିରୋଧରେ? କେଉଁ ଦଳ ବା ସମୁଦାୟ ବିରୋଧରେ ସେ ଶକ୍ତି ପ୍ରଦର୍ଶନ? ଏଇ ପ୍ରଶ୍ନର ଉତ୍ତର ଖୋଜିବାବେଳେ ଆମେ ଯଦି ନିରପେକ୍ଷ ଓ ନିର୍ଭୀକ ହେବା, ତେବେ ହନୁମାନ ଜୟନ୍ତୀକୁ ନେଇ ମୁସଲମାନ ସମୁଦାୟର ଆଶଙ୍କା ଓ ଏ ବର୍ଷର ଅପରାଧମୂଳକ ଅଥଚ ଅଗ୍ରହଣୀୟ ହିଂସାତ୍ମକ ପ୍ରତିକ୍ରିୟାକୁ ବୁଝିବା ସହଜ ହେବ ।

ହନୁମାନ ଜୟନ୍ତୀ ପ୍ରସ୍ତୁତି ପାଇଁ କରାଯାଉଥିବା ସଭା ସମିତିରେ ରାମ ଓ ହନୁମାନଙ୍କ ପ୍ରତି ଭକ୍ତି ଓ ସେମାନଙ୍କ ଜୀବନରେ ରହିଥିବା ଉଜ୍ଜଳମୟ ଦିଗଗୁଡ଼ିକ ବାବଦରେ ଆଲୋଚନା ଅପେକ୍ଷା ଶକ୍ତିି ପ୍ରଦର୍ଶନକୁ ପ୍ରାଥମିକତା ଦେବା, ରାଲି ଓ ଜୟନ୍ତୀବେଳେ ଓଡ଼ିଶାର କଟକ ଓ ଅନ୍ୟ ସହର ପରି ମୁସଲମାନ ସମୁଦାୟଙ୍କୁ ସାମିଲ କରିବା ଲାଗି କୋଣସି ଉଦ୍ୟମ ନ କରିବା, ବାଇକ୍ ରାଲି ବେଳର ସ୍ଳୋଗାନରେ ଭକ୍ତି ଅପେକ୍ଷା ଉତ୍ତେଜନାର ରାଜୁତି, ମୁସଲିମ ବହୁଳ ଅଂଚଳରେ ଓ ମସଜିଦଗୁଡ଼ିକ ସାମ୍ନାରେ ଅପେକ୍ଷାକୃତ ଅଧିକ ଉତ୍ସାହ ଓ ଉତ୍ତେଜନାଭରା ସ୍ଳୋଗାନ, ମୁସଲମାନ ସମୁଦାୟର ଧାର୍ମିକ ଭାବନାକୁ ଆଘାତ ପହଂଚେଇଲା ପରି ମନ୍ତବ୍ୟ ଓ ସ୍ଳୋଗାନ ସହ ଉଗ୍ର ପ୍ରଦର୍ଶନ ବୋଧେ ଗଲା କିଛିବର୍ଷ ହେଲା ମୁସଲମାନ ସମୁଦାୟକୁ ପ୍ରତିବାଦ, ପ୍ରତିରୋଧ ପାଇଁ ପ୍ରେରିତ କରି ଆସୁଥିଲା? ଜୟନ୍ତୀ ସମୟରେ ଗତ କିଛି ବର୍ଷ ହେବ ଅସ୍ତ୍ର ଓ ସେସବୁ ଧାରଣକାରୀଙ୍କ ସଂଖ୍ୟା ବୃଦ୍ଧି ଆଦି ଘଟଣା କ’ଣ ମୁସଲିମ ସମୁଦାୟ ଭିତରେ ଭୟ ଓ ଆଶଙ୍କା ତିଆରି କରିଆସୁଥିଲା? ସେମାନେ ଏ ଶୋଭାଯାତ୍ରାରେ ନିଜ ପାଇଁ  କିଛି ବିପଦ ଦେଖି ଆସୁଥିଲେ? ହନୁମାନ ଜୟନ୍ତୀ ପାଳନରେ, ଆୟୋଜନରେ ଭାଜପା, ବଜରଂଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପରି ସଂଗଠନର ନେତୃତ୍ୱ ଓ ନିୟନ୍ତ୍ରଣ ବଢ଼ିଚାଲୁଥିବା କାରଣରୁ ମୁସଲମାନ ସମୁଦାୟରେ ଏ ଆଶଙ୍କା ଓ ଭୟ ସମୟକ୍ରମେ ବଳବତ୍ତର ହେଉଥିଲା କି?

ଯଦି ଏସବୁ ପ୍ରଶ୍ନର ଉତ୍ତର ହଁ ତେବେ ଏ ନେଇ ହନୁମାନ ଜୟନ୍ତୀର ଆୟୋଜକମାନେ ସମ୍ବଲପୁରରେ ଶାନ୍ତିକୁ ଅଗ୍ରାଧିକାର ଦେଇ ପ୍ରସ୍ତୁତି ସଭା, ବାଇକ୍ ରାଲି ଓ ଜୟନ୍ତୀ ଦିନର ଶୋଭାଯାତ୍ରାର ସ୍ୱରୂପ ଓ ଚରିତ୍ର ବାବଦରେ ପୁନଃଚିନ୍ତନ କରିବାର ଆବଶ୍ୟକତା ଅତୀତରେ ବି ଥିଲା ଓ ଏବେ ବି ତାହାର ପ୍ରାସଙ୍ଗିକତା ରହିଛି । ଯଦି ରାଜନୈତିକ ସ୍ୱାର୍ଥ, ଦଳୀୟ ରାଜନୀତିର ଚାପ, ଭୋଟ ରାଜନୀତିର ଆଗ୍ରହ ଦ୍ୱାରା ହନୁମାନ ଜୟନ୍ତୀର ଅୟୋଜକମାନେ ସଚେତନ ହେଉକି ଅସଚେତନ ଭାବରେ ପ୍ରଭାବିତ ହେଉଥିବେ, ତେବେ ଏ ନେଇ ପୁନଃଚିନ୍ତନ ହେବ ନାହିଁ । ରାଲି ଓ ଜୟନ୍ତୀ ଦିନରେ ହେଉଥିବା ଶେଭାଯାତ୍ରାର ଚରିତ୍ର ଭକ୍ତି ଅପେକ୍ଷା ଶକ୍ତି ପ୍ରଦର୍ଶନ ଉପରେ ପର୍ଯ୍ୟବସିତ  ହେଇ ରହିବ । ହନୁମାନ ଜୟନ୍ତୀକୁ ହିନ୍ଦୁ-ମୁସଲମାନ ବିଭାଜନକୁ ବଢ଼େଇବା ଲାଗି ବ୍ୟବହାର ହେଇଚାଲିବ । ଭୋଟ ରାଜନୀତିର ଜଟିଳତା: ଗଲା କିଛିବର୍ଷ ହେଲା ଏଇ କାର୍ଯ୍ୟକ୍ରମର ପ୍ରଭାବ ଫଳରେ ଧାର୍ମିକ ଭିତ୍ତିରେ ସହରରେ ସାମାଜିକ ବିଭାଜନ ବଢୁଛି ଓ ତାହା ଭାଜପାର ଭୋଟ ରାଜନୀତିକୁ ବଳ ଦେଉଛି ବୋଲି ଅନ୍ୟ ରାଜନୈତିକ ଦଳମାନେ ଅନୁଭବ କରିବା ଆରମ୍ଭ କରିଛନ୍ତି ପରି ମନେହୁଏ । ତେଣୁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଭିତରେ ଏ ନେଇ ଦ୍ୱନ୍ଦ୍ୱ ଓ ସଂଘାତ ଆରମ୍ଭ ହେବା ସ୍ୱାଭାବିକ । ଦଳୀୟ ରାଜନୀତିରୁ, ଭୋଟ ସର୍ବସ୍ୱ ରାଜନୀତିରୁ ଉପରକୁ ଉଠି ହନୁମାନ ଜୟନ୍ତୀକୁ ଭକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିଣତ ନ କରିବା ଯାଏଁ ସମ୍ବଲପୁରରେ ପ୍ରତିବର୍ଷ ଅନ୍ତତଃ ଏପ୍ରିଲ ମାସରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ଉପରେ ହିଂସାର ‘ଗ୍ରହଣ’ ଲାଗିବାର ଆଶଙ୍କାକୁ ଦୂର କରାଯାଇ ପାରିବ ନାହିଁ ।

ଏ ଅଶାନ୍ତିରୁ ରାଜନୈତିକ ଫସଲ କଟାଯାଇପାରିବ ବୋଲି ଯେଉଁ ରାଜନୈତିକ ଦଳକୁ ହୃଦବୋଧ ହେବ, ସେ ନିଶ୍ଚିତ ରୂପେ ଏ ଜୟନ୍ତୀକୁ ତାର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବ । ଏହା ବିଭିନ୍ନ ସମୁଦାୟର ମୁଷ୍ଟିମେୟ ଅପରାଧୀଙ୍କ ଲାଗି ସୁଯୋଗ ଓ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ । ତେଣୁ ପ୍ରତିବର୍ଷ ଏପରି କାଣ୍ଡ ଘଟେଇବା ଲାଗି ବିଭିନ୍ନ ରକମର ଷଡ଼ଯନ୍ତ୍ରରେ ସେମାନେ ସାମିଲ ହେବେ ଓ ତାଙ୍କୁ ରାଜନୈତିକ ପୃଷ୍ଟପୋଷକତା ମିଳିବ । ତେଣୁ ପ୍ରତିବର୍ଷ ଯେଉଁ ଦଳ ବି ଶାସନରେ ରହୁ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏପରି ଦୁଷ୍ଟଶକ୍ତିଙ୍କୁ କିପରି ନିୟନ୍ତ୍ରଣ କରିବ ସେ ନେଇ ତତ୍ପର ରହିବାକୁ ବାଧ୍ୟ ହେବ । ବିଭିନ୍ନ ରାଜନୈତିକ ଦଳଙ୍କ ଭିତରେ ହନୁମାନ ଜୟନ୍ତୀକୁ ନେଇ ଛକାପଞ୍ଝା ଲାଗି ରହିବ । ଏଇ ଛକାପଞ୍ଝା ଆମେ ଚଳିତବର୍ଷ ଭାଜପା ଓ ବିଜଦ ଭିତରେ ଦେଖିବାକୁ ପାଉଛୁ । ଉଭୟ ଦଳ ଭୋଟ ରାଜନୀତି ଦୃଷ୍ଟିରୁ ଘଟଣାକୁ ବିଚାର କରୁଛନ୍ତି ।

ଘଟଣା ପରେ ସଂଖ୍ୟାଲଘୁ ବନାମ ସଂଖ୍ୟାଗରିଷ୍ଠର ସମୀକରଣ ତିଆରି ହେଉଥିବା ଅନୁମାନ କରି ଯେମିତି କେହି ପଛରେ ନରୁହନ୍ତିି ସେ ଉଦ୍ୟମଗୁଡ଼ିକ ଉଭୟ ଦଳାରୁ ହେଉଥିବା ଜଳଜଳ ଦିଶୁଛି । ଗୋଟିଏ ଦଳକୁ ଲାଗୁଛି ଏପ୍ରିଲ ୧୨ତାରିଖ ଘଟଣା ଭୋଟ ରାଜନୀତି ଦୃଷ୍ଟିରୁ ତା’ପାଇଁ ଲାଭଦାୟକ ହେଇଛି । ସେକଥା ସାମାଜିକ ଗଣମାଧ୍ୟମରେ ହେଉଥିବା ପୋଷ୍ଟଗୁଡ଼ିକ ପୁଷ୍ଟ କରୁଛି । ସାମାଜିକ ଗଣମାଧ୍ୟମରେ ୧୨ ତାରିଖ ସନ୍ଧ୍ୟାରୁ ଦେଖିବାକୁ ମିଳିଲାଯେ-‘ଭୋଟବେଳେ ୧୨ତାରିଖ ଘଟଣାକୁ ମନେପକେଇ ଭୋଟ ଦେବ ।’ ପରେପରେ ଅବଶ୍ୟ ଇଂଟରନେଟ୍ ବନ୍ଦ ହେଇଗଲା । ଏ ସ୍ଥିତିକୁ ଦେଖି ଆଉ ଗୋଟିଏ ଦଳକୁ ଲାଗୁଛି ସଂଖ୍ୟାଗରିଷ୍ଠ ହିନ୍ଦୁ ଭୋଟ ହାତରୁ ଖସିଯିବନି ତ? ସେ ଭୟରେ କ’ଣ ଭୋଟ ଗଣିତରେ ସମତୁଲତା ଆଣିବା ଲାଗି ଏପ୍ରିଲ ୧୪ର ଜଳାପୋଡ଼ା ଓ ଭଙ୍ଗାରୁଜା ଯାହାକୁ ବ୍ୟାପକ ପୁଲିସ ମୁତୟନ ଦୃଷ୍ଟିରୁ ଏଡ଼ାଯାଇ ପାରିଥାନ୍ତା ବୋଲି ସଭିଏଁ ଜାଣନ୍ତି, ତାହା ପ୍ରକାରାନ୍ତରେ ହେବାକୁ ଦିଆଗଲା? ଯଦି ତାହା ସତ୍ୟ ହେଇଥାଏ ତେବେ ସାଂଘାତିକ । ଆମେ ଭୁଲିଯିବା କଥା ନୁହେଁ ଯେ ସେଦିନ ଖାଲି ଭଂଗାରୁଜା କି ଜଳାପୋଡ଼ା ହେଇନଥିଲା, ଜଣେ ଆଦିବାସୀ ଯୁବକଙ୍କ ହତ୍ୟା ବି ହେଇଥିଲା । ଯଦି ପୁଲିସ ପ୍ରଶାସନ ଏପ୍ରିଲ ୧୪ ତାରିଖରେ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିବା ନେଇ ସନ୍ଦିହାନ ଥିଲା, ତେବେ ଗୋଟିଏ ବର୍ଷ ଲାଗି ଜୟନ୍ତୀ ଦିନର ଶୋଭାଯାତ୍ରାକୁ ବନ୍ଦ କରାଯାଇପାରିଥାନ୍ତା କିମ୍ବା ଦିନ ଥାଉଥାଉ ତାକୁ ସାରିବା ଠିକ୍ ହେଇଥାନ୍ତା । ଶୋଭାଯାତ୍ରା ବନ୍ଦ ରହିଥିଲେ ଅନ୍ତତଃ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ହତ୍ୟାକୁ ଏଡ଼ାଯାଇ ପାରିଥାନ୍ତା । ଗୋଟିଏ ମଣିଷର ଜୀବନଠୁ ଶୋଭାଯାତ୍ରା ବଡ଼ ନୁହେଁ ।

ଭାଜପା ଓ ଏହାର ସାଥୀ ସଂଗଠନମାନେ ବିଭିନ୍ନ ସମୟରେ ନିଜର ପର୍ଯ୍ୟବେକ୍ଷକ ଦଳ ପଠେଇ ସରକାରଙ୍କ ବିଫଳତା ଉପରେ ଆଲୋକପାତ କରିବା ସହ ପ୍ରଶାସନ ହିନ୍ଦୁମାନଙ୍କ ପ୍ରତି ପକ୍ଷପାତମୂଳକ ନୀତି ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଘଟଣାର ଏଏନ୍ଆଇ ତଦନ୍ତ ହେଉ ବୋଲି ଦାବୀ କରୁଛନ୍ତି । କିଛି ଲୋକ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବୁଲ୍ଡ଼ୋଜର ନୀତି କଥା ଉଠେଇ ଘଟଣା ସହ ଜଡ଼ିତ ଲୋକଙ୍କ ଘର ଭଙ୍ଗାଯାଉ ବୋଲି ଦାବୀ କରୁଛନ୍ତି ।  ଭାଜପା ଦଳ ଘଟଣାକୁ ଗୁଡ୍ଡୁ ମୁସଲମାନ ସହ ଯୋଡ଼ିକି ଦେଖେଇବାର ଚେଷ୍ଟା କରୁଛି । ବିଜେଡ଼ି ଓ ଭାଜପା ଭିତରେ ବକ୍ତବ୍ୟଜନିତ ଏକ କାଗଜୀ ଲଢ଼େଇ ଚାଲିଛି । ଅନ୍ୟପଟେ ମୁସଲମାନ ସମୁଦାୟ ମଧ୍ୟ ୧୪ର ଜଳାପୋଡ଼ା ଘଟଣା ଲାଗି ପ୍ରଶାସନକୁ ଦାୟୀ କରୁଛନ୍ତି । ପ୍ରଶାସନକୁ ନେଇ ଉଭୟ ସମୁଦାୟ ଅସନ୍ତୁଷ୍ଟ ।

କିନ୍ତୁ ରାଜନୈତିକ ଲାଭ–କ୍ଷତି ଦୃଷ୍ଟିରୁ ଭାଜପାପାଇଁ ଏ ସ୍ଥିତି ଲାଭଦାୟକ ହେବ ବୋଲି ବୁଦ୍ଧିଜୀବୀମାନେ ବିଚାର କରୁଛନ୍ତି । ତାଙ୍କ ମତରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଏକ ହନୁମାନ ଜୟନ୍ତୀ ପାଳନ ହେବାର ଥିବାରୁ ସେ ସମୟଯାଏଁ ୨୦୨୩ର ପଥରମରା ଘଟଣାର ପ୍ରଭାବକୁ  ଜନମାନସରେ ଜୀବନ୍ତ ରଖିବାକୁ  ଭାଜପା ଚେଷ୍ଟା ଜାରି ରଖିଛି । ସମ୍ବଲପୁର  ଓ ନିକଟତମ ଜିଲ୍ଳାରେ ତାଙ୍କ ସମର୍ଥିତ ସଂଗଠନମାନେ କେବଳ ୧୨ ତାରିଖ ଘଟଣା କଥା ଉଲ୍ଲେଖ କରି ଅପରାଧୀଙ୍କ ଦଣ୍ଡ ଦେବା ଲାଗି ଦାବୀ କରି ଦାବୀପତ୍ର ଦେଉଛନ୍ତି । ନିକଟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବନ୍ଦ ଡ଼ାକରା ଦେଇଥିଲେ । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏ ନେଇ ସଭାସମିତି ଜାରି ରଖିଛନ୍ତି ।  ୧୨ତାରିଖ ଘଟଣାକୁ ଏକ  ଦେଶଦ୍ରୋହୀ ଗତିବିଧି ରୂପେ ଚିତ୍ରିତ କରି ରାଷ୍ଟ୍ରୀୟ ରୂପ ଦେବାର ଚେଷ୍ଟା କରୁଛନ୍ତି । ଭାଜପାର ଜାତୀୟ ସଭାପତିଙ୍କ ହସ୍ତକ୍ଷେପ ଆରମ୍ଭ ହେଇଯାଇଛି । ଏଇ ଘଟଣାକୁ ପୁଣିଥରେ ୨୦୨୪ ହନୁମାନ ଜୟନ୍ତୀବେଳେ ବ୍ୟାପକ ଚର୍ଚ୍ଚାରେ ଆଣି ଭାଜପା ହିନ୍ଦୁ ଭୋଟଉପରେ କବ୍ଚା କରିବାରେ ସଫଳ ହେଇପାରେ ବୋଲି ବୁଦ୍ଧିଜୀବୀମାନଙ୍କ ଭିତରେ ଆଲୋଚିତ ହେଉଛି ।

ହିଂସା ଓ ପ୍ରତିହିଂସା ଗ୍ରହଣୀୟ ନୁହେଁ:

ମୁସଲମାନ ସମୁଦାୟର କିଛି ମୁଷ୍ଟିମେୟ ଅପରାଧୀ ଏପ୍ରିଲ ୧୨ତାରିଖ ଘଟଣାରେ ପଥରମାଡ଼ କରିବା ଓ ବିଭିନ୍ନ ଲୋକଙ୍କ ଘରୁ ପେଟ୍ରୋଲ ବମ୍ ବରାମଦ ହେବା ଏକ ଚିନ୍ତାଜନକ ଦିଗ । ଆଦିବାସୀ ଯୁବକଙ୍କ ହତ୍ୟାରେ ମୁସଲମାନ ସମୁଦାୟର ଅପରାଧିକ ପୃଷ୍ଠଭୂମି ଥିବା ଅପରାଧୀଙ୍କ ସମ୍ପୃକ୍ତି ଉଭୟ ନିନ୍ଦାଜନକ ଓ ଦୁର୍ଭାଗ୍ୟଜନକ । ଏପ୍ରିଲ ୧୨ତାରିଖ ଘଟଣାକୁ ବିଶ୍ଳେଷଣ କଲେ ଦେଖିବା ଯେ ସେ ହିଂସାରେ ଜଡ଼ିତ ସମୂହଟି ବୟସରେ ପ୍ରାୟତଃ ଯୁବକ । ହନୁମାନ ଜୟନ୍ତୀ ବେଳର ବାଇକ୍ ର୍ୟାଲି ଓ ଶୋଭାଯାତ୍ରାର ଉତ୍ତେଜକ ସ୍ଳୋଗାନ, ମୁସଲମାନ ବସ୍ତି ଓ ମସଜିଦ୍ ସାମ୍ନାରେ ଉଗ୍ର ପ୍ରଦର୍ଶନ ଯାହା କିଛିବର୍ଷ ହେବ ଆରମ୍ଭ ହେଇଛି, ତାହା ମୁସଲମାନ ସମୁଦାୟର ଯୁବଗୋଷ୍ଠିଙ୍କୁ  ସମୟକ୍ରମେ  ଅଧିକ ପ୍ରତିକ୍ରିୟାଶୀଳ କରୁଥିଲା ଓ ସେମାନଙ୍କ ଭିତରେ ଏକ ଆକ୍ରୋଶମୂଳକ ଭାବନାକୁ ଉଗ୍ରତର କରିଚାଲୁଥିଲା । ଏବର୍ଷର ଅପରାଧିକ ଗତିବିଧିକୁ ତାର ସ୍ୱାଭାବିକ ପ୍ରତିଫଳନ ବୋଲି କହିପାରିବା କି? ଗତ ବର୍ଷ ସେ ଅଂଚଳରେ ଦେଖାଯାଇଥିବା ଚାପା ଉତ୍ତେଜନାକୁ ଦେଖି ସେମାନେ ଏବର୍ଷ କିଛି ବିପଦର ଆଶଙ୍କା କରି ପ୍ରସ୍ତୁତ ହେଇଥିଲେ କି?

କିଛି ଲୋକଙ୍କର ଆଉ ଏକ ପ୍ରତିକ୍ରିୟା ହେଲା ବାହାରୁ କିଛିଲୋକ ଆସି ସ୍ଥାନୀୟ ମୁସଲିମ ସମୁଦାୟ ବିଶେଷ କରି ଯୁବଗୋଷ୍ଠୀଙ୍କୁ ଏ ଦିଗରେ ପ୍ରେରିତ କରୁଛନ୍ତି ଓ ଘଟଣା ପରେ ଅଂଚଳ ଓ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ତାଙ୍କ ପାଇଁ ସ୍ଥାନୀୟ ମୁସଲିମ ସମୁଦାୟ ନିନ୍ଦିତ ହେଉଛନ୍ତି ଓ କ୍ଷତି ସହୁଛନ୍ତି । କାରଣ ଯାହାବି ହେଉ ସାମଗ୍ରିକ ରୂପେ ମୁସଲିମ ସମୁଦାୟ ଓ ବିଶେଷ କରି ପଥରମାଡ଼ ସହ ସମ୍ପୃକ୍ତ ମୁଷ୍ଟିମେୟ ଅପରାଧୀମାନେ ସ୍ପଷ୍ଟ ହେବା କଥାଯେ କୋ÷ଣସି ପରିସ୍ଥିତିରେ ବି ହିଂସା ଗ୍ରହଣୀୟ ନୁହେଁ । ହିଂସା ଓ ପ୍ରତିକ୍ରିୟାମୂଳକ ହିଂସା କୋ÷ଣସି ସମସ୍ୟାର ସମାଧାନ ନୁହେଁ । ପ୍ରତିଟି ହିଂସା ଆହୁରି ବଡ଼ ହିଂସା ଓ କ୍ରମାଗତ ହିଂସାକୁ ଜନ୍ମ ଦେବ । ସେମାନେ ଯଦି ଅସୁରକ୍ଷିତ ଅନୁଭବ କରୁଛନ୍ତି, ତେବେ ସରକାର ଓ ପ୍ରଶାସନର ସାହାଯ୍ୟ ନେଇପାରିବେ ଓ ବ୍ୟାପକ ସୁରକ୍ଷାଲାଗି ଦାବୀ କରିପାରିବେ । ଆକ୍ରମଣର ଆଶଙ୍କା କିମ୍ବା ଉତ୍ତେଜକ ସ୍ଳୋଗାନର ପ୍ରତିକ୍ରିୟାରେ ଆଇନକୁ ହାତକୁ ନେବେ ତେବେ ଆଇନ ଅନୁସାରେ ଦଣ୍ଡିତ ହେବେ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବା ଜରୁରୀ ମଧ୍ୟ । ଠିକ୍ ସେମିତି ଆଇନଷ୍ଟାଇନଙ୍କ କ୍ରିୟା-ପ୍ରତିକ୍ରିୟାର ତତ୍ତ୍ୱର ଉଦାହରଣ ଦେଇ ଏପ୍ରିଲ ୧୨ ତାରିଖର ପଥରମାଡ଼ର ପ୍ରତିକ୍ରିୟାରେ ଏପ୍ରିଲ ୧୪ ଓ ତା’ ପରର ହିଂସାକୁ ଯୁକ୍ତିସିଦ୍ଧ କରାଯାଇପାରିବ ନାହିଁ । ସେମାନେ ବି ଦଣ୍ଡିତ ହେବା ଜରୁରୀ ।

ସକାରାତ୍ମକ ଦିଗ: ଏ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଅନେକ ସଂଗଠନ, ଅନୁଷ୍ଠାନ ଓ ସଭ୍ୟ ସମାଜର ପ୍ରତିନିଧିମାନେ ସମ୍ବଲପୁରରେ ଶାନ୍ତିି ଓ ସୋହାର୍ଦ୍ଦ୍ୟ ଫେରେଇ ଆଣିବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଶାସନ ଆଦ୍ୟକାଳୀନ ବିଫଳତାରୁ ଶିକ୍ଷା ନେଇ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ଲାଗି ବିଭିନ୍ନ ସମୁଦାୟ ସହ କଥା ହେଉଛି । ବିଭିନ୍ନ ପଡ଼ାରେ ସଭା ସମିତି କରୁଛି । ଶ୍ରମିକ, କର୍ମଚାରୀ, ଚାଷୀ ଓ ଅନେକ ସାମାଜିକ, ସାଂସ୍କୃତିକ ତଥା ବୁଦ୍ଧିଜୀବୀ ଏପରିକି ବିଭିନ୍ନ ଧାର୍ମିକ ଓ ସାମାଜିକ ସମୁଦାୟ ତରଫରୁ ଶାନ୍ତି ରକ୍ଷା ଲାଗି ଉଦ୍ୟମ ହେଉଛି । ଏ ପରିପ୍ରେକ୍ଷୀରେ ସରକାରଙ୍କ ପାଖରେ ବିଭିନ୍ନ ସଂଗଠନ ବିଭିନ୍ନ ରକମର ଦାବୀ ଉପସ୍ଥାପିତ କରୁଛନ୍ତି । ସଭିଏଁ ପ୍ରଶାସନିକ କଳର ବିଫଳତାର ନିନ୍ଦା କରୁଥିଲେ ବି ଶାନ୍ତିପ୍ରତିଷ୍ଠା ଲାଗି ପ୍ରଶାସନକୁ ସହାୟତାର ହାତ ବଢ଼ାଉଛନ୍ତି ।

ଶାନ୍ତି ପାଇଁ ଜରୁରୀ କଥା:

ଶେଷରେ ଏତିକି କହିବା ଧର୍ମ, ଧର୍ମାନୁଷ୍ଠାନ ଓ ଦେବାଦେବୀ ତଥା ଈଶ୍ୱର/ଆଲ୍ଲାଙ୍କୁ ଦଳୀୟ ଓ ଭୋଟସର୍ବସ୍ୱ ରାଜନୀତିରେ ବ୍ୟବହାର କରାଯାଉଥିବା ଯାଏଁ ଓ ଧାର୍ମିକ ବିଭାଜନରୁ ଭୋଟ ଫସଲ ଉତ୍ପାଦନରେ ସାମ୍ପ୍ରଦାୟିକ ଶକ୍ତି (ସେ ସଂଖ୍ୟାଗରିଷ୍ଠ ହେଉକି ସଂଖ୍ୟାଲଘୁ) ଓ ରାଜନୈତିକ ଦଳମାନେ ସଫଳ ହେଉଥିବାଯାଏଁ ସେଥିରୁ ଯେଉଁ ଘୃଣା ଓ ବିଦ୍ୱେଷ ଜନ୍ମ ନେବ, ତାହା ଆମକୁ ବିଭିନ୍ନ ସମୟରେ ହିଂସା ଆଡ଼କୁ ବାହିନେଉଥିବ । ଧର୍ମ ଓ ଧାର୍ମିକ ପର୍ବପର୍ବାଣୀଗୁଡ଼ିକୁ ରାଜନୀତିକରଣରୁ ମୁକ୍ତ ରଖି ତାକୁ ଭକ୍ତି, ମାନବିକତା ଓ ଭାଇଚାରା ନିର୍ମାଣ ଲାଗି  ବ୍ୟବହାରରେ ଆଣିଲେ ହିଁ ଆମକୁ ଏକ ଶାନ୍ତି ଓ ସୋହାର୍ଦ୍ଦ୍ୟର ସମାଜ ଓ ଦେଶ ମିଳିବ ।

ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ଦଳୀୟ ରାଜନୀତିରୁ ମୁକ୍ତ ରଖି  ତାକୁ ଶକ୍ତି ପ୍ରଦର୍ଶନ ବଦଳରେ ଭକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିବର୍ତ୍ତିତ କରାଯାଉ । ସେଥିରେ ସମସ୍ତ ସମୁଦାୟର ଲୋକଙ୍କୁ ସାମିଲ ଲାଗି ନିଷ୍ଠାର ସହ ଉଦ୍ୟମ ହେଉ । ଉଭୟ ସମୁଦାୟ ମୌଳବାଦୀ ଶକ୍ତିଙ୍କଠୁ ନିଜକୁ ମୁକ୍ତ ରଖିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରିରଖିବେ ଏବଂ ସମୁଦାୟ ନିର୍ବିଶେଷରେ ରହିଥିବା ଅପରାଧୀ ତତ୍ତ୍ୱଙ୍କୁ ଉଭୟ ସମୁଦାୟ ପ୍ରଶାସନର ସହାୟତାରେ ନିୟନ୍ତ୍ରିତ କରିପାରିବେ ତେବେ ସମ୍ବଲପୁରରେ ସ୍ଥାୟୀ ଶାନ୍ତି ସୋହାର୍ଦ୍ଦ୍ୟର ବାତାବରଣ ପ୍ରତିଷ୍ଠିତ ହେଇପାରିବ । ସବୁ ଧାର୍ମିକ ସମୁଦାୟ ଓ ନାଗରିକ ସମାଜର ସର୍ବମାନ୍ୟ ଓ ସର୍ବଗ୍ରାହ୍ୟ ଲୋକମାନେ ମିଶି ଯଦି ପର୍ବଗୁଡ଼ିକର ରୂପରେଖ ବାବଦରେ ସର୍ବସମ୍ମତି ନିଷ୍ପତ୍ତି ନେଇପାରନ୍ତେ ତେବେ ପରସ୍ପରଭିତରେ ସମ୍ପର୍କ ଓ ବୁଝାମଣା ମଜଭୁତ ହୁଅନ୍ତା ଓ ପୁଲିସ ପ୍ରଶାସନର ହସ୍ତକ୍ଷେପ ଦରକାର ହୁଅନ୍ତା ନାହିଁ ।

ମୋୖଳିକ ସମସ୍ୟା ଆଡ଼କୁ ଦୃଷ୍ଟି ଯାଉ:

ସମ୍ବଲପୁରର ମାଟିରେ ଏକଦା ହିନ୍ଦୁ-ମୁସଲମାନ ମିଳତ ରୂପେ ସ୍ୱାଧୀନତାର ଆନ୍ଦୋଳନ  ଲଢ଼ିଥିଲେ । ସ୍ୱାଧୀନତା ଆନ୍ଦୋଳନର ସମର୍ଥନରେ ଜିଲ୍ଲାସ୍କୁଲରେ ହେଇଥିବା ସ୍କୁଲ ବର୍ଜନ ଆନ୍ଦୋଳନରେ ଉଭୟ ସମୁଦାୟର ନେତୃତ୍ୱ ରହିଥିଲା ।  ସମ୍ବଲପୁରର କ୍ରୀଡ଼ା, ସଂଗୀତ, ସାହିତ୍ୟ ସବୁଠି ଆମେ ଏ ଦୁଇଟି ସମୁଦାୟର ଅବଦାନ ଓ ଭାଇଚାରା ଦେଖିପାରିବା । ସେମାନେ ଓ ବାକି ସମୁଦାୟ ମିଶି ସମ୍ବଲପୁରର ଶାନ୍ତି ପ୍ରତିଷ୍ଠା ଓ ମୌଳିକ ସମସ୍ୟାର ନିଦାନ ଲାଗି ପୁଣିଥରେ ମିଳିତ ଉଦ୍ୟମ କରିବେ ବୋଲି ଆଶାଟି ସେତେବେଳେ ପୂରଣ ହେବ ଯେବେ ସବୁ ସମୁଦାୟ ଭିତରେ ଭାଇଚାରା ବଂଚିରହିବ । ଗଣମାଧ୍ୟମ ଓ ଜନ ସଂଗଠନଗୁଡ଼ିକ ଜନଜୀବନ ସହ ଜଡ଼ିତ ମୌଳିକ ପ୍ରସଙ୍ଗ ବାହାରେ ରହିଥିବା ଉତ୍ତେଜନା ସୃଷ୍ଟିକାରୀ ବିଚାରହୀନ-ବିବେକହୀନ ପ୍ରସଙ୍ଗ ଓ ତା’କୁ ନେଇ କ୍ଷମତାସର୍ବସ୍ୱ ରାଜନୀତି କରୁଥିବା ବ୍ୟକ୍ତି,ଦଳ ତଥା କାର୍ଯ୍ୟକ୍ରମମାନଙ୍କୁ ପ୍ରାଧାନ୍ୟ ନ ଦେବା ହିଁ ଶାନ୍ତିରକ୍ଷା ଓ ସହରର ବିକାଶ ଦିଗରେ ସବୁଠୁ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ । ଏ ଅବସରରେ ମନେପଡ଼ୁଛି ହିନ୍ଦୀ ସିନେମାର ଏକ ଲୋକପ୍ରିୟ ଧାଡ଼ି- ‘ତୁ ହିନ୍ଦୁ ବନେଗା ନା ମୁସଲମାନ ବନେଗା/ଇନସାନ୍ କେ ଔଲାଦ ହେ ଇନସାନ୍ ବନେଗା ।’ ଆଜିର ସମୟରେ ବୋଧେ ସବୁଠୁ ବଡ଼ ଆହ୍ୱାନ ହେଲା ମଣିଷ ହେବା ।

Comments

0 comments

Share This Article