ସବୁଜ ବିପ୍ଲବର ଗୁମର କଥା (୧୩)
୧୯୦୮ ଡିସେମ୍ବର ୧୪ । ଲିଓ ଟଲଷ୍ଟୟ ତାଙ୍କର ଜଣେ ଭାରତୀୟ ବନ୍ଧୁଙ୍କୁ ଚିଠି ଲେଖିଥିଲେ, “A Commercial Company enslaved a nation comprising two hundred million people ( William Dalrymple – The Anarchy )” । ସତ୍ୟ ଓ ସାମାଜିକ ନ୍ୟାୟ ପାଇଁ ଆଜୀବନ କଲମ ଚଳାଇଥିବ ପୃଥିବୀର ଜଣେ ଶ୍ରେଷ୍ଠ ସାମାଜ ବିଜ୍ଞାନୀ ‘war and peace’ର ଲେଖକ ଟଲଷ୍ଟୟଙ୍କର ଭାରତରେ ଇଷ୍ଟ୍ଇଣ୍ଡିଆ କମ୍ପାନୀର ଲୁଟ ଓ ଅତ୍ୟାଚାରର ଭୟାବହତା ସମ୍ପର୍କରେ ଆଉ ଅଧିକ ତଥ୍ୟ ଖୋଜିବା କାହିଁକି । ଇଷ୍ଟ୍ଇଣ୍ଡିଆ କମ୍ପାନୀ ଭାରତକୁ ଲୁଟ୍ କରି ଖୋଳ କରିଦେଲା । ୨୦ କୋଟି ଭାରତୀୟଙ୍କୁ (୧୯୦୮ ଜନସଂଖ୍ୟା) ଗୋଲାମ କରିଦେଲା । କ୍ଲାଇବ୍ ତ ଲୁଟେରାମାନଙ୍କର ମୁଖ୍ୟ ଖଳନାୟକ ପ୍ରିୟ ପାଠକ ଆଗରୁ ସୂଚନା ପାଇଛନ୍ତି । oxford English Dictionaryରେ Loot ନୂଆ ଶବ୍ଦଟି କ୍ଲାଇବଙ୍କ ସମୟରେ ହିଁ ଯୋଡ଼ାଯାଇଥିଲା । କ୍ଲାଇବଙ୍କ ପରେ ୱାରେନ ହେଷ୍ଟିଂସ (୧୭୭୨ -୧୭୮୫) କଲିକତାର ଗଭର୍ଣ୍ଣର ନିଯୁକ୍ତି ପାଆନ୍ତି । ଜମି ଜମା ଆଇନ ସଂଶୋଧନ ମାଧ୍ୟମରେ କମ୍ପାନୀ ଚାଷୀଙ୍କଠାରୁ ଜୋରଜବରଦସ୍ତ ୪/୫ ଗୁଣ ଅଧିକ ଖଜଣା ଆଦାୟ କଲା । ଖଜଣା ଅଣଆଦାଏ ଚାବୁକମାଡ଼ । ପଥରବସ୍ତା ମୁଣ୍ଡାଇ ଖରାରେ ଘଣ୍ଟାଘଣ୍ଟା ଠିଆ ହେବା, ଗୋଟିଏ କୋଠରୀରେ ବହୁସଂଖ୍ୟକ ରୟତଙ୍କୁ ବନ୍ଦକରି ଶ୍ୱାସରୁଦ୍ଧ କରି ମାରିବା ଭଳି ଘଟଣାମାନ କମ୍ପାନୀପାଇଁ ଅତି ମାମୁଲି କାମଥିଲା । ହେଷ୍ଟିଂସଙ୍କ ଅମଳରେ ଚାଷୀଉପରେ ଯେଉଁ ଦମନଲୀଳା ଚାଲିଥିଲା ଇତିହାସରେ ବିରଳ । ଭାରତୀୟମାନଙ୍କ ଉପରେ ଇଷ୍ଟ୍ଇଣ୍ଡିଆ କମ୍ପାନୀର ଅମାନୁଷିକ ଅତ୍ୟାଚାର ଓ ଶୋଷଣ ସମ୍ପର୍କରେ ବିଲାତର ତତ୍କାଳୀନ ଲର୍ଡ ଚ୍ୟାନସେଲର କୁହନ୍ତି ‘‘Corporations have neither bodies to be punished, nor souls to be condemned. They therefore do what they like’- (William Dalrymple – The Anarchy)
ମୋର ପ୍ରିୟ ପାଠକମାନଙ୍କୁ ମନେପକାଇ ଦେବା ଠିକ ହେବ ‘ସବୁଜ ବିପ୍ଳବର ଗୁମର କଥା-୧୨’ରେ ଆମେ ପ୍ରାୟ ୧୯୦୮ ପର୍ଯ୍ୟନ୍ତ ଘଟଣାବଳି ଆଲୋଚନା କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪-୧୯୧୮ଠାରୁ ଆରମ୍ଭ କରିବା । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଘଟଣାକୁ ଆସିବା ପୂର୍ବରୁ ପୁଣି ଥରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ଦୋହରାଇବାକୁ ଯାଉଛି । ୧୮୫୭ରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଭାରତୀୟ କୃଷକ, ଜମିଦାର, ରାଜାରାଜୁଡ଼ାମାନେ ଭାରତରେ କମ୍ପାନୀ ସୈନ୍ୟବାହିନୀରେ ଭାରତୀୟ ସୈନ୍ୟମାନଙ୍କ ଡାକରାରେ ୧୮୫୭ରେ କମ୍ପାନୀ ବିରୁଦ୍ଧରେ ଯେଉଁ ବିଦ୍ରୋହ କରିଥିଲେ ତାହା କମ୍ପାନୀଶାସନକୁ ଦୋହଲାଇ ଦେଇଥିଲା । ଅତୀତର ଶିଖି ମନାଇ ବା ମିର୍ଜାଫରମାନଙ୍କ ପରି ବିଶ୍ୱାସଘାତକ ମାନେ କମ୍ପାନୀକୁ ବାଟଘାଟ ଦେଖାଇବା ଦ୍ୱାରା କମ୍ପାନୀ ବିଦ୍ରୋହ ଦମନ କରିପାରିଲା । ମାତ୍ର କମ୍ପାନୀର ଭାରତରେ ପ୍ରଶାସନିକ କ୍ଷମତାର ଯବନିକା ପଡ଼ିଲା । ରାଣୀ ଭିକ୍ଟୋରିଆ ନିଜେ ଭାରତଶାସନ ଦାୟିତ୍ୱ ନେଲେ । ୧୮୫୭ବେଳକୁ ଭାରତର ମୋଟ ଘରୋଇ ଉତ୍ପାଦନ ୨୦ପ୍ରତିଶତରୁ କମି ୨/୩ ପ୍ରତିଶତରେ ପହଞ୍ଚିଲାଣି । ପକ୍ଷାନ୍ତରେ ବିଲାତର ମୋଟ ଘରୋଇ ଉତ୍ପାଦନ ଗତ ୧୦୦ ବର୍ଷ ଭିତରେ ୨ ପ୍ରତିଶତରୁ ବଢ଼ି ୨୨ ପ୍ରତିଶତରେ ପହଞ୍ଚିଲା । (ଇରଫାନ ହବିବ–ଇଣ୍ଡିଆନ ଇକୋନମି–୧୮୦୮ -୧୯୧୪) । ବିଲାତ ତା’ର ଚୋରିଧନ ବଳରେ ସାରାପୃଥିବୀରେ ଉପନିବେଶ ଶାସନ ଚଳାଇଲାଣି । ଛାରପୋକ ଲୁଚି ଲୁଚି ମଣିଷର ରକ୍ତ ଶୋଷି ଟିଙ୍କଭଳି ଫୁଲିଗଲା ଭଳି ବିଲାତ ଫୁଲିଗଲାଣି । ୧୯୧୮ବେଳକୁ ବିଲାତ ପୃଥିବୀର ଏକାନ୍ନ ଚକ୍ରବର୍ତ୍ତୀ । ବିଲାତ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହେଉନାହାଁନ୍ତି । ପୂର୍ବରୁ ପଶ୍ଚିମ ଶତାଧିକ ଦେଶରେ ବିଲାତର ଉପନିବେଶ ।
ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪-୧୯୧୮ । ଜର୍ମାନ ୧୯୧୪କୁ ପ୍ରତିରକ୍ଷା, ଅସ୍ତ୍ରଶସ୍ତ୍ର, ଯୁଦ୍ଧ କୌଶଳରେ ଇଉରୋପର ପ୍ରଚଣ୍ଡ ଶକ୍ତିଶାଳୀ ଦେଶ । ଯୁଦ୍ଧ, ଜର୍ମାନ ଓ ତାର ସହଯୋଗୀ ଦେଶ ଏବଂ ବିଲାତ ଓ ତାର ମିତ୍ର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ । ଇଂଲଣ୍ଡ ମିତ୍ର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ମୁଖ୍ୟ ଖଳନାୟକ । ଆମେରିକାର ଅର୍ଥନୀତି ସେତବେଳକୁ ପାକଳ ହୋଇନାହିଁ । ସେ ମିତ୍ର ଶକ୍ତିମାନଙ୍କ ଅନୁରୋଧ ରକ୍ଷା କରି ଯୁଦ୍ଧରେ ଅଂଶଗ୍ରହଣ କରୁନାହିଁ । ଯୁଦ୍ଧର ପରିଣତି ସବୁବେଳେ ବିପର୍ଯ୍ୟୟ । ଲକ୍ଷଲକ୍ଷ ସୈନ୍ୟ ଜୀବିକା ପାଇଁ ଯୁଦ୍ଧରେ ମୃତ୍ୟୁବରଣ କରିଥାନ୍ତି । ସମ୍ପୃକ୍ତ ଦେଶମାନଙ୍କର ଅର୍ଥନୀତି ଭୁଷୁଡ଼ି ପଡ଼ିଥାଏ । ଖାଦ୍ୟାଭାବ, ରୋଗ, ପ୍ରକୃତି ଓ ଜୈବବିବିଧତା ଧ୍ୱଂସ, ଧାର୍ମିକ ଅସହନଶୀଳତା, ସାଧାରଣ ଜନତାଙ୍କର ଧନଜୀବନ ନଷ୍ଟ ସର୍ବୋପରି ଶାନ୍ତି ଓ ମାନବଧର୍ମ ବିପନ୍ନ ହୋଇଥାଏ । ଯୁଦ୍ଧପରେ ବିଲାତର ଅର୍ଥନୀତି ଭୁଷୁଡ଼ି ପଡ଼ିଲା । ଯୁଦ୍ଧ ପାଇଁ ବିଲାତ, ଫ୍ରାନ୍ସ ଓ ଅନ୍ୟ ମିତ୍ରଶକ୍ତିର ଦେଶମାନେ ଆମେରିକାଠାରୁ ଋଣ କରିଥିଲେ । ସର୍ତ୍ତ ଅନୁସାରେ ଆମେରିକା ଋଣସୁଝିବା ପାଇଁ ବିଲାତକୁ ବାଧ୍ୟ କରେ । ବିଲାତରେ ଉକ୍ରଟ ଖାଦ୍ୟସମସ୍ୟା । ଶ୍ରମିକ ବିକ୍ଷୋଭ । କଳକାରଖାନାରେ ଶ୍ରମିକ ଛଟେଇ । ଶିଳ୍ପ, କଳକାରଖାନା ବନ୍ଦ ହୋଇ ଯାଉଛି । ମ୍ୟାଞ୍ଚେଷ୍ଟର ଲୁଗାକଳରେ ତାଲା । ଜୁଆର ପରେ ଭଟ୍ଟା । ଭାରତ ଉପରେ ଆଖି । ଭାରତର ହସ୍ତତନ୍ତ, ବୟନଶିଳ୍ପ ନିଷ୍ଠୁର ଭାବେ ଭାଙ୍ଗି ଚୁରମାର କରି ଦେଇଥିଲା ଯେଉଁ ବିଲାତ ବର୍ତ୍ତମାନ ଆମ ଦେଶର ବୟନଶିଳ୍ପକୁ ପ୍ରୋତ୍ସାହନ ଦଉଛି, ସ୍ୱଳ୍ପ ମଜୁରୀ ସୁବିଧା ପାଇ ଭାରତ ପ୍ରସ୍ତୁତ ଲୁଗା ବର୍ତ୍ତମାନ ବିଲାତବ୍ରାଣ୍ଡ୍ରେ ପୃଥିବୀର ବେପାର ଚାଲିଲା । ମାଛ ତେଲରେ ମାଛ ଭଜା ।
ଯୁଦ୍ଧରେ ୪କୋଟି ୬୦ ଲକ୍ଷ ସୈନ୍ୟ ଓ ଶାନ୍ତିପ୍ରିୟ ସାଧାରଣ ମଣିଷ, ମହିଳା, ଶିଶୁ ମୃତ୍ୟୁବରଣ କଲେ । ଲକ୍ଷ ଲକ୍ଷ ସୈନ୍ୟ ଆହତ ହେଲେ । ପାଣିଭଳି ପଇସା ଖର୍ଚ୍ଚ । ଉଭୟ ଦଳର ନଗଦ ଖର୍ଚ୍ଚ ପ୍ରାୟ ୫୬୦୦ କୋଟି ପାଉଣ୍ଡ । ୨୦୨୫ ମୁଦ୍ରାର ବିନିମୟ ମୂଲ୍ୟ ହିସାବରେ ଏହି ଖର୍ଚ୍ଚ ପ୍ରାୟ ୫ ଲକ୍ଷ ୬୦ହଜାର କୋଟି । ଅର୍ଥହାନୀ ଶରୀର ପୀଡ଼ା । ଖାଦ୍ୟ ସଙ୍କଟ । ଶିଳ୍ପ ଭୁଷୁଡ଼ି ପଡିଲା । (Glimses of world History Jawarharlal Nehru -Xage -889, 890,891) । ଯୁଦ୍ଧରେ ଭାରତରୁ ୧୦ ଲକ୍ଷରୁ ଅଧିକ ଯୁବକ ବିଲାତ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ଜମିଦାରମାନଙ୍କୁ କୋଟା ଦିଆଗଲା । ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ବା ସ୍ଥଳବିଶେଷରେ ଜୋର ଜବରଦସ୍ତ କରି ଭାରତୀୟ ଯୁବକମାନଙ୍କୁ ଯୁଦ୍ଧକୁ ପଠାଇଲେ । ହଜାର ହଜାର ଭାରତୀୟ ସୈନ୍ୟ ମଧ୍ୟ ମୃତାହତ ହେଲେ । ବହୁ ଯୁବକ ବିକଳାଙ୍ଗ ହୋଇ ଘରକୁ ଫେରିଲେ । ବିଲାତ, ଜର୍ମାନୀ ତ ଷଣ୍ଢ ଲଢ଼େଇ କଲେ । ଭାରତ ଯୁଦ୍ଧରୁ ପାଇଲା କ’ଣ? ଯୁଦ୍ଧ ଯୋଗୁଁ ଭାରତର ବୈଦେଶିକ ବାଣିଜ୍ୟ ବିପର୍ଯ୍ୟସ୍ତ ହେଲା । ବିଲାତରେ ଶିଳ୍ପ ତ ମନ୍ଥର ହୋଇଯାଇଛି । ଯୁଦ୍ଧ ସାମଗ୍ରୀ ଉତ୍ପାଦନ କରିବାପାଇଁ ବିଲାତ ନିଜ ସ୍ୱାର୍ଥରେ ଭାରତ ଶିଳ୍ପ ଅଭିବୃଦ୍ଧିରେ ଲାଗିଗଲା । ପୁଣି ଥରେ ଭାରତରେ କମି ଯାଇଯାଇଥିବା ବୟନ ଶିଳ୍ପ, ଝୋଟ ଶିଳ୍ପ ଓ ଲୌହ ଇସ୍ପାତଶିଳ୍ପ ମୁଣ୍ଡ ଟେକିଲେ । ଜାମସେଦପୁରରେ ଟାଟା କମ୍ପାନୀ ଏହି ସୁଯୋଗରେ ଦ୍ରୁତ ଅଭିବୃଦ୍ଧି କଲା । ମାତ୍ର ଶ୍ରମିକ! ଶ୍ରମିକର ରକ୍ତ ବିନିମୟରେ ବିଲାତର ବଡ଼ପଣିଆ । ଶ୍ରମିକ ମାନଙ୍କର ମଜୁରୀ ଅବଶ୍ୟ କିଛି ବଢ଼ିଲା । ମାତ୍ର ଯୁଦ୍ଧ ପରବର୍ତ୍ତୀ ଦରଦାମର ଅହେତୁକ ବୃଦ୍ଧି ଓ ମୁଦ୍ରାର ଅବମୂଲ୍ୟାୟନ ଏ ବୃଦ୍ଧି ସମୁଦ୍ରକୁ ଶଙ୍ଖେ ।
ଭାରତରେ ଖାଦ୍ୟ ଉତ୍ପାଦନ ବଢ଼ିଲେ ବିଲାତି ସାହବଙ୍କ ପାଟିକୁ ଗୁଣ୍ଡାଯିବ । କୃଷି ଉତ୍ପାଦନ ବୃଦ୍ଧିପାଇଁ ଏକାଧିକ କେନାଲ ଖୋଳା ହେଲା । କୃଷିବିଭାଗ ଚଳଚଞ୍ଚଳ ହେଲା । ନୂଆ ନୂଆ ଗହମ, ଧାନ ବିହନ କିସମ ଚାଷୀପାଖେ ପହଞ୍ଚିଲା । କିନ୍ତୁ ଟିକସ? ଚାଷୀକୁ ଚିପୁଡ଼ି ଟିକସ ଆଦାୟ କଲା । ଚାଷୀକୁ ଶୋଷଣ ଓ ଅତ୍ୟାଚାର କରିବାର ଏକ ଲୋମହର୍ଷଣକାରି ଘଟଣା – ଗୋଟିଏ ଟଙ୍କାର କୃଷି ସାମଗ୍ରୀ ବଜାରରେ ବିକୁଥିବା ଚାଷୀଠାରୁ ୫ଟଙ୍କା ମାହାସୁଲ ଆଦାୟ ଏକ ମାମୁଲି ଘଟଣା (The Anarchy – William Dalryonple) । କେନାଲରୁ ଜଳଯୋଗାଣ ବ୍ୟବସ୍ଥା କଲେ । କିନ୍ତୁ ଜଳକର ଆକାଶଛୁଆଁ । ଚାଷୀ ଅତ୍ୟଧିକ ଜଳକର ଦବାର ନାହିଁକି କେନାଲ ପାଣି ନବାର ନାହିଁ । କେନାଲ କୂଳ ବହୁତ ଚାଷଜମି ପଡିଆ ପଡିଲା । ଓଡ଼ିଶାରେ କେନ୍ଦ୍ରାପଡ଼ା କେନାଲ ଏହାର ଏକ ନମୁନା ମାତ୍ର । ଭୂରାଜସ୍ୱର ଅହେତୁକ ବୃଦ୍ଧି । ଚାଷୀ ଖଜଣା ପଇଠ କରିପାରୁନାହିଁ । ପିଆଦା ଲଗାଇ ଖଜଣା ଆଦାୟ । ଖଜଣା ଅନାଦାୟ ଘର କୋରଖି । ପୁଲିସ ଚାଷୀଘରେ ପଶି ବାସନକୁସନ, ପେଡି ପେଟରା, ଗାଈ ଗୋରୁ ଏପରିକି ସ୍ତ୍ରୀ ଲୋକମାନଙ୍କୁ ଘୋସାରି ଘୋସାରି ନେଇଗଲେ । ସେମାନଙ୍କୁ ଧନୀକ ମାନଙ୍କୁ ବିକିଲେ । ସରଳ, ସ୍ୱାଭିମାନୀ ସ୍ତ୍ରୀ ଲୋକଟି ବର୍ତ୍ତମାନ ଜମିଦାର, ମକଦ୍ଦମଙ୍କ ଘରେ କ୍ରୀତଦାସ । ସଭ୍ୟତାର ଖୋଳ ଭିତରେ ଅସଭ୍ୟ, ବର୍ବୋରିତ ମାନସିକତା । ପୃଥିବୀର ସଭ୍ୟଦେଶ ବୋଲାଉଛି ବିଲାତ!
ଯୁଦ୍ଧ ପରେ ପରେ ବିଲାତରେ ତ ଖାଦ୍ୟସଙ୍କଟ କଥା ଆମେ ଆଗରୁ ଜାଣିଛେ । ଚାଷୀର ଘରେ ପଶି ଗୁମାସ୍ତାମାନେ ଧାନ, ଗହମ, ମୁଗ, ବିରି ବୋହିନେଲେ। ବିଲାତ ସରକାର ଲେଭି ବସାଇଛି । ଖାଦ୍ୟ ବିଲାତ ଯିବ । ସାହେବ ସାହେବାଣି ଖାଇବେ । ଚାଷୀ କମେଇ ଭୋକିଲା ରହୁଛି । ମୂଲିଆଙ୍କୁ ମଜୁରୀ କ’ଣ ଦବ? ପୁରୁଷମୂଲିଆ ବର୍ଷକ ଚାକିରି ରହିଲେ ୬୦ ଟଙ୍କା ଦରମା । ପେଟକୁ ଗଣ୍ଡେ ପେଜ ତୋରାଣି ଖାଇବ । ଗଧ ଭଳି ଖଟିବ । ଦିନ ମଜୁରିଆ । ପୁରୁଷର ମଜୁରୀ ଦିନକୁ ଆଠ ଅଣା । ମାଇପି ମଜୁରୀ ଦିନକୁ ୪ଅଣା । ଆଜିକା ମୂଲ୍ୟରେ ଦିନକୁ ପୁରୁଷର ୫୦ଟଙ୍କା, ମାଇପି ମଜୁରୀ ୨୫ଟଙ୍କା । ହାରାହାରି ପରିବାରରେ ୫ଜଣ ଥିଲେ ଖାଇବେ କେତେ, ପିନ୍ଧିବାକୁ କେତେ, ରୋଗ ବଇରାଗ ପାଇଁ ରଖିବେ କେତେ? ଆମଦେଶରେ ବିଲାତଶାସନରେ ଚାଷୀ, ମୂଲିଆର ଦୟନୀୟ ସ୍ଥିତି ଇତିହାସରେ ବିରଳ ।
ଯୁଦ୍ଧପରେ ବିଲାତରେ ଶିଳ୍ପ ସ୍ଥାଣୁ ହୋଇଯାଉଛି । ବିଲାତ ବାଧ୍ୟ ହେଲା ଭାରତର ଉଜୁଡା ଶିଳ୍ପବ୍ୟବସ୍ଥାକୁ ତା’ର ନିଜର ସ୍ୱାର୍ଥ ପୁଣି ସଜାଡ଼ିବ । ମାଞ୍ଚେଷ୍ଟର, ଲଙ୍କାସାୟାର ବୟନଶିଳ୍ପ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ବିଲାତ ତାର ବାଣିଜ୍ୟ ନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲା । କେତେବେଳେ ଗାଡ଼ିକା ଉପରେ ନାହାତ ପୁଣି କେତେବେଳେ ନାହାକା ଉପରେ ଗାଡ଼ି । ଭାରତର ପୁଞ୍ଜିପତିମାନଙ୍କର ପଞ୍ଚମ ବୃହସ୍ପତି । ସେମାନେ ବୟନଶିଳ୍ପ, ଝୋଟଶିଳ୍ପ ପାଇଁ ପୁଞ୍ଜି ଖଟେଇଲେ । ବିଲାତ ସେମାନଙ୍କୁ ରୋକିବାକୁ ବଳ ନାହିଁ । ଭାରତରେ ବିଲାତ ଶାସନବିରୁଦ୍ଧରେ ଜନଜାଗରଣ ସୃଷ୍ଟି ହେଲାଣି । ସ୍ୱାଧୀନତା କଥା ଉଠିଲାଣି । ବିଲାତର ମୁଣ୍ଡ ଧରିଲାଣି । ବିଲାତର ପୁଞ୍ଜିପତିମାନେ ଦେଖୁଛନ୍ତି ବିଲାତରେ ପୁଞ୍ଜି ଖଟେଇଲେ ଲାଭ ଆଶା କମ୍ । ଭାରତରେ ପୁଞ୍ଜି ଲଗାଇଲେ ଲାଭର ଆଶା ଉଜ୍ଜଳ । ଉଜାଣି ଗଙ୍ଗା ବୋହିଲା ।
ବିଲାତର ବିଲୁଆ ଚଲାଖି । ବିଦେଶୀ ପୁଞ୍ଜିପତିମାନେ ଭାରତରେ ପୁଞ୍ଜି ଖଟେଇଲେ ଏଠାରେ ଶିଳ୍ପ ବିଲାତ କବ୍ଜାରେ ରହିବ । ଖାଦ୍ୟ ସଙ୍କଟର ତ୍ୱରିତ ସମାଧାନ ପାଇଁ ଭାରତରେ ଗୋଟିଏ କୃଷି କମିଶନ ଗଠନ କଲା । ୧୯୧୮ ପର୍ଯ୍ୟନ୍ତ ବିଲାତରୁ ଲୋଟା କମ୍ବଳ ଧରି ଭାରତକୁ ଆସୁଥିବା କୁଜି ସାହେବମାନେ ଏଠାରୁ ମୋଟା ଅଙ୍କ ଲୁଟିକରି ୨/୩ ବର୍ଷ ରହଣି ପରେ ଦେଶକୁ ଫେରି ଇଷ୍ଟେଟ କିଣୁଥିଲେ । ନୂଆ ନୂଆ ଦାମୀ ବଙ୍ଗଳା, ଭିଲ୍ଲା ତିଆରି କରି ବିଳାସବ୍ୟସନରେ ମସଗୁଲ ହେଉଥିଲେ । ଏବେ ଆଉ ସେକାଳ ପଖାଳ ନାହିଁ । ଭାରତରେ ଦେଶୀୟ ରାଜା, ଜମିଦାର, ମକଦ୍ଦମ, ବୁଦ୍ଧିଜୀବୀ ଏପରିକି ଚାଷୀ ମୂଲିଆମାନେ ଏଠାର ଫିରିଙ୍ଗି ଶାସନ ବିରୁଦ୍ଧରେ ମେଳି କଲେଣି । ବିଲାତ ହାତରୁ ଭାରତ ଖସିଯିବାର ସ୍ଥିତି ଉପୁଜୁଛି । ଉତ୍ତର ପୂର୍ବ ଏସିଆରେ କମ୍ୟୁନିଷ୍ଟମାନେ ହାଙ୍ଗାମା କଲେଣି । ଋଷିଆରେ ବଲସେଭିକମାନଙ୍କର ବିଜୟ, ଜାର ଶାସନ ଲୋପ ଓ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି । ଲାଲବାହିନୀ ଚୀନ ଆଡ଼କୁ ମୁହାଁଇବା ଲକ୍ଷ୍ୟ କରୁଛି । ଭାରତରେ ଖାଦ୍ୟାଭାବ ସେମାନଙ୍କୁ ଭାରତ ମାଡିଆସିବାକୁ ଖୋରାକ ଯୋଗାଇପାରେ । ଆମେରିକାର ଦକ ପଶିଲା ।
ଆମେରିକାର Population National Security Theory (PNST)ର ଚେତାବାନୀ-ଭାରତରେ ଜନସଂଖ୍ୟାର ଅହେତୁକ ବୃଦ୍ଧି, ଭବିଷ୍ୟତରେ ଖାଦ୍ୟସଙ୍କଟ ଆଶଙ୍କା, ରାଜନୈତିକ ଅସ୍ଥିରତା, କମ୍ୟୁନିଷ୍ଟମାନଙ୍କର ହାଙ୍ଗାମା ଆମେରିକାର ସ୍ୱାର୍ଥପ୍ରତି ବିପଦ । ସଫଳ ପ୍ରତିରୋଧ ନ କରିପାରିଲେ ଯୁଦ୍ଧ ଅବଶ୍ୟମ୍ଭାବୀ । ରକ୍ ଫାଉଣ୍ଡସନ ସହାୟତାରେ ଗଢ଼ା Scripps Foundationର ଆମେରିକାକୁ ଚେତାବନୀ ‘‘Increasing Population with Limited resources are key Variables in causing war. West Pacific , Indian Ocean , Central Europe – Italy are places near explosion’. Thomas s Simpson, 1915, Director Scripps Foundation (Funded by Rockefeller Foundation.) (Source. Prelude To The ‘’Green Revolution -2 –Green 2 pg)
ଆମେରିକା ତ ମତଲବୀ । ବିଲାତର ଦେବାଳିଆ ସ୍ଥିତି । ଭାରତର ବଜାର ଆମେରିକା କବ୍ଜା କରିବ! ଆମେରିକାରେ ଗହମ ବଳକା । ବଜାର ଶସ୍ତାଯୋଗୁଁ ଗହମପୋଡ଼ି ରେଳଗାଡ଼ି ଚାଲୁଛି । ପ୍ରଶାନ୍ତ ମହାସାଗରରେ ଶହ ଶହ ଟନ ଗହମ ଢାଳି ଦିଆଯାଉଛି । ଗହମ ଚାଷ କମାଇ ଜମି ପଡ଼ିଆ ରଖିବାକୁ ଚାଷୀକୁ କ୍ଷତିପୂରଣ ଦିଆଯାଉଛି । ଗହମ ଦାମ ବଢ଼ିବ! ଭାରତକୁ ସାହାଯ୍ୟ ବାହାନାରେ କିଛି କିଛି ଗହମ ଦବା । କେରାଣ୍ଡି ଗୁନ୍ଥିଲେ ରୋହି, ମିରିକାଳି ଧରିବା ନ୍ୟାୟ। ଆମେରିକା କୁଟଚକ୍ରୀ । ଭାରତରେ ବିଲାତଶାସନର ଶେଷ ୨୦ବର୍ଷ ବାର୍ଷିକ କୃଷି ଉତ୍ପାଦନ ୦.୦୩ ବଢୁଥିବା ବେଳେ ଜନସଂଖ୍ୟା ବୃଦ୍ଧି ୧.୧୨ ପ୍ରତିଶତ । ୧୯୧୯ ବେଳକୁ ଭାରତ ଖାଦ୍ୟ ରପ୍ତାନିକାରୀ ଦେଶମାନ୍ୟତାରୁ ଖସି ଖାଦ୍ୟ ଆମଦାନୀକାରୀ ଦେଶ ହେଲାଣି । ୧୮୯୬କୁ ଭାରତରେ ଦୈନିକ ମୁଣ୍ଡପିଛା ୩୭୦ଗ୍ରାମ ଖାଦ୍ୟ ମିଳୁଥିଲା । ୧୯୪୦ ବେଳକୁ ଏହି ପରିମାଣ କମି ୨୩୮ଗ୍ରାମରେ ପହଞ୍ଚିଯାଇଛି । ଅତୀତର ସୁସ୍ଥସବଳ ଭାରତ ବର୍ତ୍ତମାନ ଅପପୁଷ୍ଟି ଓ କ୍ଷୁୁଧାର ଦେଶ । ସୁଏଜ କେନାଲ ୧୮୬୯ ମସିହାରେ ଖୋଲିଲା । ଏହା ଆଗରୁ ଭାରତରୁ ଚାଉଳ, ଗହମ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ତମାଶା ଅନ୍ତରୀପ ଦେଇ ଇଉରୋପକୁ ରପ୍ତାନି ହେଉଥିଲା । ମାତ୍ର ସୁଏଜ ଖୋଲିଲା ବେଳକୁ ଭାରତରୁ ଖାଦ୍ୟ ସାମଗ୍ରୀ କମ୍ ଓ ଅର୍ଥକାରୀ ଫସଲ ଉତ୍ପାଦନ କପା, ରବର, କଫି, ଚା, ଧୂଆଁପତ୍ର ଅଧିକ ରପ୍ତାନି ହେଲା । ଦେଶରେ ଖାଦ୍ୟାଭାବ ।
ବିଦେଶୀ ଶାସନ କୃଷିକ୍ଷେତ୍ରକୁ ଅଣଦେଖା କଲା । ଇଉରୋପରେ ସାହେବମାନଙ୍କର ଚାହିଦା କଫି, ଚା, ସିଗାରେଟ ପୂରଣ ପାଇଁ ଭାରତରେ ଖାଦ୍ୟଶସ୍ୟ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ । ବିଲାତର ତ୍ରୁଟିପୂର୍ଣ୍ଣ କୃଷି ନୀତି ଭାରତୀୟଙ୍କ ପାଇଁ କାଳହେଲା । ବିଦେଶୀ ଶାସନକୁ ଆମେ ତ ଦାୟୀ କରୁଛେ ଠିକ୍, ହେଲେ ଆଜି । ଆମ ସ୍ୱାଧୀନ ସରକାର! ପୃଥିବୀରେ ମାଂସଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଜୈବ ଇନ୍ଧନ (Bio –diesel) ପ୍ରସ୍ତୁତ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କଲେ । ଉତ୍ପାଦିତ ଖାଦ୍ୟଶସ୍ୟରୁ ୩୦-୪୦ପ୍ରତଶତ ଗୋ ଖାଦ୍ୟ, କୁକୁଡ଼ା ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ପୁଞ୍ଜିପତିଙ୍କ ସ୍ୱାର୍ଥ ସାଧନରେ ଲାଗିଲା । ଦେଶରେ ପ୍ରତିଦିନ ୧୨କୋଟି ଲୋକ ଭୋକିଲା । ବିଶ୍ୱ କ୍ଷୁଧା ତାଲିକାରେ ୧୨୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୧ । ପାକିସ୍ଥାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳ ଆମ ଉପରେ । ପ୍ରଚାର ଜୋର । ବହ୍ୱାଡ଼ମ୍ବରେ ଲଘୁକ୍ରିୟା । ତେଣିକି ଗଲେ ଲମ୍ବିଯିବ ।
୧୯୨୬ରେ ଭାଇସରାୟ ଲର୍ଡ ଇରୱିନଙ୍କ ଶାସନ । ସେ ମହାଶୟଙ୍କ ଶାସନ କାଳରେ Royal Commission of Agriculture ଗଢ଼ାହେଲା । ଉଦ୍ଦେଶ୍ୟ -ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଉପରେ ଆଧାରିତ ଚାଷ କରାଯିବ । ଲଙ୍ଗଳ ବଳଦ ଛାଡ଼ି ଟ୍ରାକ୍ଟର ଧରିବାକୁ ହବ । ଦେଶୀ ଚାଷ ନୁହେଁ, ଯାନ୍ତ୍ରିକ କୃଷି ପ୍ରବର୍ତ୍ତନ ଜରୁରୀ । ଚାଷରେ ୬୦ପ୍ରତିଶତ ଲୋକ କାହିଁକି ରହିବେ । ୧୦ରୁ ୨୦ପ୍ରତିଶତ ଯଥେଷ୍ଟ । ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ । ଇଂରେଜମାନେ ଯେତେବେଳେ ଚାଷରେ ଖଡ଼ି ଛୁଇଁ ନଥିଲେ ମହେଞ୍ଜୋଦାରୋ ଓ ହରପ୍ପାରେ ସିନ୍ଧୁ ସଭ୍ୟତାର କୃଷି ସଂସ୍କୃତି ପୃଥିବୀକୁ ଆଲୋକ ଦେଖାଇଲାଣି । ଭାରତର କୃଷିସଂସ୍କୃତି ୧୦ହଜାର ବର୍ଷର ପୁରୁଣା । ସାହେବୀ ଚାଷରେ ପୋଥି ବାଇଗଣ ଫଳିବ । ବାଡ଼ି ବାଇଗଣ ଭରତା, ପୋଡ଼ା, ଖାଇବ ତ ଦେଶୀ ଚାଷ କର । ଆମ ଚାଷୀ ସାହେବଙ୍କ କଥା ଶୁଣୁନାହାନ୍ତି ।
୧୯୨୯ରେ imperial Agriculture Research Council ଗଠନ କରାଗଲା । ସାହେବଙ୍କୁ ରାତି ନିଦ ନାହିଁ । ଭାରତରୁ ଖାଦ୍ୟ ରପ୍ତାନି ହେଲେ ସାହେବ ଖାଇବେ । ସମୟ ଗଡ଼ି ଚାଲିଛି । କେତେବେଳେ ପହଞ୍ଚିଗଲାଣି ୧୯୪୩ । ୧୯୪୩ରେ ବଙ୍ଗଳାକୁ ଶନିଦଶା । ଭୟଙ୍କର ଦୁର୍ଭିକ୍ଷ । ସେ ବର୍ଷ ବଙ୍ଗଳାରେ ବର୍ଷା କମ୍ । ଧାନ ଠିଆ ମରୁଡ଼ି । ଜମିଦାର, ମକଦ୍ଦମ, ବେପାରୀ ଚାଉଳ ଲୁଚାଇ ରଖିଛନ୍ତି । ବଜାରକୁ ଛାଡୁନାହାନ୍ତି । ୪/୫ମାସ ପରେ ଦରଦାମ ଖୁବ୍ ବଢ଼ିଯିବ । ୩୦ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ । ବଙ୍ଗଳାରେ ଧାନ ଉତ୍ପାଦନ କମ୍ । ଜାପାନ ବର୍ମା ଅଧିକାର କରିଗଲାଣି । ଭାରତକୁ ଚାଉଳ ଆମଦାନୀ ଥପ୍ । ୧୯୪୭ ଡିସେମ୍ବରକୁ ଚାଉଳର ପାଇକାରୀ ମୂଲ୍ୟ ମହଣ(ପ୍ରାୟ ୫୦କିଲୋ) ୧୪ ଟଙ୍କା । ୧୯୪୩ ମାର୍ଚ୍ଚକୁ ଦର ବଢ଼ି ଚାଉଳ ମହଣ ୨୦ ଟଙ୍କା, ମେ ମାସକୁ ୩୦ ଟଙ୍କା ଓ ଅଗଷ୍ଟକୁ ୩୭ ଟଙ୍କା । ଚାଉଳ ମୂଲ୍ୟ ହୁ ହୁ ହୋଇ ବଢ଼ିଯାଉଛି ।
ବିଲାତ ସରକାର ଦୁର୍ଭିକ୍ଷର ପୂର୍ବ ସୂଚନା ପାଇ ମଧ୍ୟ ଆବଶ୍ୟକ ଖାଦ୍ୟ ଆମଦାନୀ ପାଇଁ ତତ୍ପର ନାହାନ୍ତି । ପରନ୍ତୁ ସେହି ୧୯୪୩ ମସିହାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଚାଉଳ ଆମଦେଶରୁ ବିଲାତକୁ ରପ୍ତାନି ହୋଇଛି । ୧୯୪୨ରେ ଆଦାୟ ଖଜଣା ଠାରୁ ୧୯୪୩ରେ ଅଧିକ ଖଜଣା ବିଲାତ ତହବିଲକୁ ଯାଇଛି । ବିଲାତ ସରକାରଙ୍କର ଏହାଠାରୁ ଅଧିକ ନିଷ୍ଠୁରତା, ଅମାନବିକତା କ’ଣ ହୋଇପାରେ । (Amartya Sen – Hunger and Famine).
୧୯୪୩କୁ ବଙ୍ଗଳାରେ ଲର୍ଡ ଲିନଲିଥ୍ଗୋ ଭାଇସ୍ରାୟ ଥାନ୍ତି । ଚର୍ଚ୍ଚିଲ ସେତେବେଳେ ବିଲାତର ପ୍ରଧାନମନ୍ତ୍ରୀ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଯାଏ । ଭାଇସରାୟ ଦୁର୍ଭିକ୍ଷର ଭୟାବହତା ଦର୍ଶାଇ ଭାରତକୁ ଶୀଘ୍ର ଚାଉଳ ପଠାଇବାକୁ ଚର୍ଚ୍ଚିଲଙ୍କୁ ଚିଠି ଲେଖିଲେ । ଚର୍ଚ୍ଚିଲ ଭାରତପାଇଁ ଖୁବ ନିଷ୍ଠୁର ଥିଲେ । ଚାଉଳ ତ ଭାରତକୁ ପଠାଇଲେ ନାହିଁ, ବିଚିତ୍ର ବିଚାର । ଭାରତରୁ ଅଧିକ ଚାଉଳ ବିଲାତକୁ ରପ୍ତାନି କରିବାକୁ ତାଗିଦ କଲେ । (Prelude to Green Revolution -7) । ୨ଶହ ବର୍ଷ ଧରି ଆମଦେଶରୁ ରକ୍ତ ଶୋଷି ବିଲାତ ଫୁଲିଥିଲେ ମଧ୍ୟ ଭାରତକୁ ତାତ୍ସଲ୍ୟ କରି ଚର୍ଚ୍ଚିଲ ଭାଇସରାୟଙ୍କୁ ଚିଠି ଲେଖିଲା, ‘I am glad …. That a strict line is being taken in dealing with requests for cereals from the Indian ocean area ….. we cannot afford to send ships merely as a gesture good will .’ କେଡ଼େ ଅସଭ୍ୟ, ଅମଣିଷ, ବର୍ବର, ନିର୍ଲଜ ଜଣେ ପ୍ରଧାନମନ୍ତ୍ରୀ ହୋଇପାରେ? ପୁଣି ସେ ଉଦ୍ଧତ ଚର୍ଚ୍ଚିତ ଅପମାନଜନକ ଭାଷାରେ କହିଲା, ‘‘I hate Indians . They are a beastly people with a beastly religion. The famine was their own fault for breeding like rabbits,’’ Winston Churchil। ଚର୍ଚ୍ଚିଲର ଭାରତୀୟଙ୍କ ପ୍ରତି ବିପଦ ବେଳେ ଏପରି କଟୁକ୍ତି ଆଜି ଯେ କୌଣସି ଭାରତୀୟ ଶୁଣିଲେ ତାର ରକ୍ତ ଟକଟକ ଫୁଟିବ । ମାରିବି କି ମରିବି ପରିସ୍ଥିତି ଉପୁଜିବନି କି? ଆଜି ତ ଆମେ ଶୁଣିଲେ ଏଭଳି ଏକ ଅମଣିଷକୁ ଘୃଣା ନକରି ରହିପାରୁ ନଥାଇ । ୧୯୪୩ ମସିହାରେ କ’ଣ ଭାରତରେ ସଚେତନ ଲୋକ ନଥିଲେ?
୧୯୪୫ ଦ୍ୱିତୀୟ ମହାଯୁଦ୍ଧ ସରିଯାଇଛି । ଆମେରିକାର କୋରନେଲ ୟୁନିଭରସିଟିର ଆଗ୍ରୋନମି ବିଭାଗ ମୁଖ୍ୟ ରିଚାର୍ଡ ବରାଦ ଫିଲ୍ଡ ଭାରତର ବର୍ଦ୍ଧିତ ଜନସଂଖ୍ୟା ଓ ଖାଦ୍ୟ ସଙ୍କଟକୁ ଲକ୍ଷ୍ୟ କରି କହୁଛନ୍ତି ‘ଯୁଦ୍ଧ ପରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବା ଆବଶ୍ୟକ ପଡୁଛି । ବିସ୍ଥାପନରେ ବାସଗୃହ ହରାଇଥିବା ପରିବାରମାନଙ୍କୁ ଥଇଥାନ କରିବାକୁ ପଡ଼ିବ । କୃଷି କ୍ଷେତ୍ରରୁ ଅଧିକ ଉତ୍ପାଦନ ପାଇଁ ବିହନ, ରାସାୟନିକ ସାର, କୀଟନାଶକ, କୃଷି ଯନ୍ତ୍ରପାତି ଏବଂ ଗୋ ସମ୍ପଦ ଯୋଗାଇବା ଜରୁରୀ ।’ ବ୍ରାଡ ଫିଲ୍ଡଙ୍କ ବିଚାରରେ ଭାରତର ପାରମ୍ପରିକ କୃଷି ଏହିସବୁ ସମସ୍ୟା ପୂରଣ କରିବା ଅସମ୍ଭବ । ଭାରତୀୟ କୃଷିର ସୁଧାର ଆଣିବାକୁ କୃଷି ବୈଜ୍ଞାନିକ (Agronomist) ଭାରତ ପଠାଇବା ଜରୁରୀ । ଖୁବ୍ ଚତୁରତା ସହିତ ଭାରତରେ ରାସାୟନିକ କୃଷି ପ୍ରଚଳନ ପାଇଁ ଆମେରିକା ଉଦ୍ୟମ ଆରମ୍ଭ କରିଦିଏ । ଆମେରିକା ପ୍ରେସିଡେଣ୍ଟଙ୍କୁ ରିପୋର୍ଟ ଦିଅନ୍ତି, ‘୨୩୦ ‘230 million people were at risk if adequate supplies of wheat could not be found for India..’୧୯୪୬ -୧୯୪୭ରେ ଭାରତ ଆମେରିକାରୁ ୮.୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଆମଦାନୀ କଲା ।
୧୯୫୦ । Loy W. Henderson ଭାରତରେ ଆମେରିକାର ରାଷ୍ଟ୍ରଦୂତ । ତାଙ୍କର ଆମେରିକା ସରକାରକୁ ପରାମର୍ଶ, ‘‘Technical Specialists would promote our interest in India and would tend to offset the efforts of communists and would not be harmful to British interests.” କମ୍ୟୁନିଷ୍ଟମାନଙ୍କ ପାଇଁ କି ଆତଙ୍କିତ ଆମେରିକା! ପୁଞ୍ଜିବାଦୀ ଅର୍ଥନୀତି ପାଇଁ କମ୍ୟୁନିଷ୍ଟମାନେ ସେତେବେଳେ ଭୟର କାରଣ । ଆମେରିକା ଭାରତକୁ ଖାଦ୍ୟ ସାହାଯ୍ୟ ଦେବାର ୨ଟି ଉଦେ୍ଦଶ୍ୟ । (୧)- ଆମେରିକାର କମ୍ୟୁନିଷ୍ଟମାନଙ୍କୁ କୋକୁଆ ଭୟ । ପୁଞ୍ଜିବାଦୀ ଅର୍ଥନୀତି ପାଇଁ ସାମ୍ୟବାଦ ପରମାଣୁ ବୋମାଭଳି ଶକ୍ତିଶାଳୀ । ଚୀନ୍ରେ ମାଓସେତୁଙ୍ଗ ସେତବେଳକୁ କମ୍ୟୁନିଷ୍ଟ ଶାସନ ଜାହିର କଲେଣି । ମଉକା ମିଳିଲେ ଭାରତ କେତେ ଦୂର! (୨)- ଆମେରିକାର ବହୁଦେଶୀୟ କମ୍ପାନୀମାନେ ଭାରତର କୃଷିକ୍ଷେତ୍ର ଦଖଲ କରିବା ମତଲବରେ । ସାହାଯ୍ୟ ବାହାନାରେ ଆମେରିକା ଭାରତରେ ରାସାୟନିକ କୃଷି ପ୍ରବର୍ତ୍ତନ ପାଇଁ ଷଡ଼ଯନ୍ତ୍ରରେ ଅଛି । ଗୋଟିଏ ଗୁଳିରେ ୨ଟି ଶିକାର ।
୧୯୪୯ । ଆମେରିକାର ରାଷ୍ଟ୍ରପତି Harry True man । ଭାରତର କୃଷିକ୍ଷେତ୍ର ଦଖଲ ପାଇଁ ତାଙ୍କର ବାର୍ତ୍ତା, ‘‘Greater Production is the key to prosperity and peace . And the key to greater production is a wider and more vigorous application of modern scientific and technical knowledge.’’ Harry S.Truman, us president with 4th point inaugural speech, 1949 (Prelude to Green Revolution -5)’। ଭାରତରେ ବହୁଦେଶୀୟ କମ୍ପାନୀମାନଙ୍କର ପ୍ରବେଶ ପାଇଁ ଟ୍ରୁମ୍ୟାନ ସବୁଜ ସଂକେତ ଦେଇଦେଲେ ।
୧୯୪୯ । ଦିଲ୍ଲୀରେ ଆମେରିକା ଦୂତାବାସର କୃଷି ପରାମର୍ଶଦାତା ଉର୍ଫ ଲ୍ୟାଣ୍ଡଜିନସିଲେ ଭାରତର କୃଷକଙ୍କୁ ରାସାୟନିକ କୃଷି ଅଫିମ ଧରେଇବାକୁ ବ୍ୟାକୁଳ । ଏସ୍.ଟି.ରାଜା କୃଷି ମନ୍ତ୍ରାଳୟରେ ଅଣ୍ଡର ସେକ୍ରେଟାରୀ । କ୍ଲୀଫୋଡ.ସି. ଟେଲର ଆମେରିକା ଦୂତାବାସରେ ପ୍ରଥମ କୃଷି ଅଧିକାରୀ । ତିନିଙ୍କର ବିଚାର ଭାରତରେ କୃଷି ସମ୍ପ୍ରସାରଣ ସେବା ଆରମ୍ଭ କରିବେ । ଟି. ରାଜା କହୁଛନ୍ତି, ‘India will go the way of china within five years unless more rapid progress were made on food production.’ । ରୋଗୀ ଖୋଜୁଥିଲା ଯାହା, ବଇଦ କହିଲା ତାହା । ଆମେରିକାକୁ ସବୁଜ ସଂକେତ, ମିଳିଗଲା । ଚୀନରେ ତ କମ୍ୟୁନିଷ୍ଟମାନେ ଶାସନ ଚଳାଉଛନ୍ତି । ଭାରତର କ୍ଷୁଧା ଚୀନ ଭାରତ ଆକ୍ରମଣ ପାଇଁ ସୁଯୋଗ ଦେବ । ଭାରତ ସରକାର କ୍ରମାଗତ ଆମେରିକାକୁ ଖାଦ୍ୟ ସାହାଯ୍ୟ ମାଗିବା, ଆଗକୁ ସବୁଜ ବିପ୍ଲବ ପାଇଁ ଦୁଆର ଖୋଲିବ । ଆମେ ଏଇଠି କହିପାରିବା ୧୯୪୯-୧୯୫୦ କୁ ଭାରତରେ ସବୁଜ ବିପ୍ଲବର ଗର୍ଭସଂଚାର ହେଲା । ଆଜି ଏତିକି ।
Comments
0 comments