ବିଶ୍ୱ ଦୁଗ୍ଧ ଦିବସ (୧, ଜୁନ) ପାଳନ ଅବସରରେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଦୁଗ୍ଧ ସମବାୟ ଓମଫେଡ ମାଧ୍ୟମରେ ଅନେକ ଘୋଷଣା ମଧ୍ୟରେ ବିଞ୍ଝାରପୁରୀ ଗାଈର ଇ୨ କ୍ଷୀର ଓ ଏଥିରୁ ପ୍ରସ୍ତୁତ ଇ୨ ଘିଅର ସ୍ୱତନ୍ତ୍ର ବିକ୍ରୟର ଶୁଭାରମ୍ଭ କରି ଓଡ଼ିଶାର ଏହି ସ୍ୱତନ୍ତ୍ର ଗୋ-ପ୍ରଜାତିକୁ ପୁନଃ ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଏହି ବିଶେଷ ଗୋପ୍ରଜାତି ଯେ ରାଷ୍ଟ୍ର ନିର୍ମାତାମାନଙ୍କର ଓଡ଼ିଶାକୁ ଦାନ; ଏକଥା ଆଜିର ସରକାର ଓ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ‘ସେବାଘର’ ଯେ ଏକ ମହତ୍ତ୍ୱପୂର୍ଣ୍ଣ ପୀଠ, ଏକଥା ଇତିହାସରେ ଲିପିବଦ୍ଧ ହୋଇଛି । ଓଡ଼ିଶାର ଗାନ୍ଧୀ ରୂପେ ସୁପରିଚିତ ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର ଚାକିରୀରୁ ଇସ୍ତଫା ଦେଇ ଯେତେବେଳେ ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ଅଞ୍ଚଳରେ କାର୍ଯ୍ୟ କଲେ, ସେତେବେଳେ ସେବାଘରର ଏହି ମୁଖ୍ୟ ବିନ୍ଧାଣୀ ସ୍ୱାଧୀନତା ଆନ୍ଦୋଳନ ସହ ସୂତାକଟା, ପନିପରିବା ଚାଷ, ଫଳ ଚାଷ ସହ ଗୋବଂଶର ସମ୍ବର୍ଦ୍ଧନ ଦିଗରେ ଯେଉଁ ପ୍ରୟୋଗ ଆରମ୍ଭ କରିଥିଲେ, ତାହାର ଫଳଶ୍ରୁତି ହେଉଛି ବିଞ୍ଝାରପୁରୀ ଗାଈ ।
ସାଧାରଣତଃ ଅଣ୍ଡିରା ବାଛୁରୀଟିଏ ଜଟିଆ, ପାଞ୍ଚଗୋଡିଆ କି କେମ୍ପା କୁଜା ହେଲେ ତାକୁ ଷଣ୍ଢ ଛାଡ଼ିଦେବା ଏକ ଚଳଣୀ । ତେବେ ଏଭଳି ଷଣ୍ଢ ଯେ ଉତ୍ତମ ଗୋବଂଶ ସୃଷ୍ଟି ପାଇଁ ଅକ୍ଷମ, ସେକଥା କେହି ବୁଝନ୍ତି ନାହିଁ । ୧୯୩୬-୩୭ ମସିହାବେଳକୁ ସେବାଘର ଓଡ଼ିଶାର ସ୍ୱାଧୀନତା ଆନେ୍ଦାଳନର ମୂଳକେନ୍ଦ୍ର ପାଲଟି ଯାଇଥାଏ । ସ୍ୱାଧୀନତା ଆନେ୍ଦାଳନରେ ସାମିଲ ହେବାକୁ ଆସୁଥିବା ହଜାର ହଜାର କର୍ମୀମାନଙ୍କୁ ଏଠାରେ ରଚନାତ୍ମକ କାର୍ଯ୍ୟ ଓ ଆନ୍ଦୋଳନର ଟ୍ରେନିଂ ଦିଆଯାଉଥାଏ । ଅଳକାଶ୍ରମରେ ଥିବାବେଳେ ଗୋପବାବୁ ଗାଈଟିଏ ରଖିଥିଲେ । ହେଲେ, ଲବଣ ସତ୍ୟାଗ୍ରହର ନେତୃତ୍ୱ କାରଣରୁ ତାଙ୍କୁ ଜେଲ ପଠାଇବା ସହିତ ତାଙ୍କ ଗାଈକୁ ସରକାର ନିଲାମ କରିଦେଇଥାନ୍ତି । ତେଣୁ ବରୀରେ ଗାଈ ଆଉ ନଥାଏ । ଜୀବରାମଜୀ କଲ୍ୟାଣଜୀ କୋଠାରୀ ଗାଈଦେବାରୁ ଏହି ଅଭାବ ପୂରଣ ହେଲା । ଏହି ପାଟଗାଈ ତା’ର ଛୁଆ ବାସୁଦେବ, ଗୋପାଳ,ଚମ୍ପା ଓ ବୈଦ୍ୟନାଥ ପରିବେଷ୍ଟିତ ହୋଇ ଆସି ଆଶ୍ରମରେ ପହଞ୍ଚିଲା । ସେମାନଙ୍କ ନିମନ୍ତେ ମାଟି ପକାଇ ଉଚ୍ଚା ଗୁହାଳ ତିଆରି ହେବା ସହ ପ୍ରତ୍ୟହ ସେମାନଙ୍କ ଗାଧୋଇବା ନିମନ୍ତେ ବ୍ୟବସ୍ଥା କରାଗଲା । ବରୀ ବିଞ୍ଝାରପୁର ଅଞ୍ଚଳଟି ନଈକୂଳିଆ ସ୍ଥାନ ହୋଇଥିବାରୁ ପାଟ ଅଞ୍ଚଳରେ ପ୍ରଚୁର ଘାସ ହୁଏ । ଗୋବଂଶ ସମ୍ବର୍ଦ୍ଧନ ନିମନ୍ତେ ଏହି ଅଞ୍ଚଳ ଅନୁକୂଳ ହୋଇଥିବାରୁ ଏଠାରେ ଗାଈ ବଳଦ ଭଲ ବଢୁଥାନ୍ତି । ଗୋପବାବୁ କି ମା’ ରମାଦେବୀ ନିଜ ଆଶ୍ରମରେ ସୀମିତ ରହିବା ଲୋକ ନଥିଲେ । ସେମାନେ ହରିୟାନା,ଜର୍ସୀ, ହଂସୀ, ରେଡ ସିନ୍ଧୀ, ବୃନ୍ଦାବନୀ, ମଣ୍ଟଗୁମାରୀ ଜାତିର ଗାଈ ବାଛୁରୀମାନ ଦାନସୂତ୍ରରେ ଆଣି ସେମାନଙ୍କର ଲାଳନ ପାଳନ କଲେ । ସେମାନଙ୍କର ଯନô ନେବା, ଦାନା ଖୋଇବା, ଦିନକୁ ତିନିଥର ଗୁହାଳ ସଫାଇ, ମର୍ଦ୍ଦନ ଆଦି ମାଧ୍ୟମରେ ଚାଲିଲା ଗୋସେବା ପାଲା । ସମସ୍ତଙ୍କର ଖାଇବା ଶୈଳୀ ସ୍ୱତନ୍ତ୍ର । ଯମୁନାର ବାଲ୍ଟି ଘାଣ୍ଟିଲେ ନଖାଇ ଋଷିବ । ତା’ପାଖରେ ବାଲ୍ଟି ଥୋଇଦେଲେ ସେ ହାଇ ସୋସାଇଟି ଲେଡି ସୁପ ପିଇବା ଭଳି ପ୍ରଥମେ ପାଣି ଓ ପରେ ଦାନା ଖାଏ । ନର୍ମଦାକୁ ଖୋଇବାବେଳେ ଲଗାତର ଘାଣ୍ଟିବାକୁ ହୁଏ । ଜର୍ସୀ ଗାଈ ଏତେ ସୁକୁମାରୀ ଯେ, ତାକୁ ଘୋଳଦହି ପିଇବାକୁ ଦିଆହୁଏ ।
ଏତିକିବେଳେ ହରିୟାନା ପ୍ରଜାତିର ବୃଷଭରାଜ ବିଶ୍ୱନାଥ ଆସିବା ପରେ ପ୍ରକୃତ କାମ ଆରମ୍ଭ ହେଲା । ବିଶ୍ୱନାଥର କର୍ପୂରବିନିନ୍ଦି କାନ୍ତି ଓ ଉଦାସ ଦୃଷ୍ଟିଯୋଗୁଁ ସେ ମହାଦେବଙ୍କ ବୃଷଭ ନନ୍ଦୀଙ୍କ ବଂଶଧର ପ୍ରତୀତ ହେଉଥାଏ । ତା ନିମନ୍ତେ ସଂପୂର୍ଣ୍ଣ ଭିଆଇପି ବ୍ୟବସ୍ଥା- ଅଲଗା ଡିହ, ଅଲଗା ଗୁହାଳ, ଅଲଗା ଦାନା ଏପରିକି ଅଲଗା ଛଣଗଦା । ତା ନାକରେ ଭାଗବତରେ ବର୍ଣ୍ଣନା ଭଳି ଏକ ତମ୍ବା ନୋଥ ଝୁଲୁଥାଏ । ଗୋପବାବୁ ବା ମନମୋହନ ଚୌଧୁରୀଙ୍କଠାରୁ ମର୍ଦ୍ଦନ ପ୍ରତ୍ୟହ ନଖାଇଲେ ବିଶ୍ୱନାଥର ନ ଚଳେ । ବିଶ୍ୱନାଥକୁ ଏତେ ଗେହ୍ଲା କରିବା ପଛରେ ଗୋପବାବୁଙ୍କର ଉଦ୍ଦେଶ୍ୟ ହେଉଛି, ସେ ସ୍ଥାନୀୟ ଓ ହରିୟାନା ମିଶ୍ରିତ ଏକ ସ୍ୱତନ୍ତ୍ର ଗୋଜାତି ସୃଷ୍ଟି ମତଲବରେ ଥାଆନ୍ତି । ଏହି ଷଣ୍ଢ ପରେ ଆଉ ପାଞ୍ଚଟି ଷଣ୍ଢ କୁରୁକ୍ଷେତ୍ର ଅଞ୍ଚଳରୁ ଅଣାଗଲେ । କୁରୁକ୍ଷେତ୍ରରୁ ଆସିଥିବାରୁ ସେମାନଙ୍କର ନାମ ଗୀତାରେ ବର୍ଣ୍ଣିତ ଯୋଦ୍ଧା ଧୃଷ୍ଟକେତୁ, ଚେକିତାନ, କାଶୀରାଜ,ପୁରୁଜିତ ଓ କୁନ୍ତିଭୋଜ ରହିଲା । ଏହି ଷଣ୍ଢମାନଙ୍କୁ ବରୀ, ଅରଙ୍ଗାବାଦ, ରାମଚନ୍ଦ୍ରପୁର, ରମ୍ପା, ରତଳାଙ୍ଗ ଆଦି ପାଞ୍ଚଖଣ୍ଡ ଗ୍ରାମରେ ରଖାଗଲା । ଶୀତ ଓ ଖରାଦିନ ତ ଚଳିଗଲା, ହେଲେ ବର୍ଷାଦିନରେ ସେମାନେ ଗିଲେଇଲେ । କାହାର ଗୋଡ ଫୁଲିଲାଣି ତ କାହାର ଫଡିଆ ଦରଜ । ସେମାନଙ୍କୁ ରମାଦେବୀ ଓ ଗୋପବାବୁଙ୍କ ମାର୍ଗଦର୍ଶନରେ ତଥା ଅଳକାଶ୍ରମର ପ୍ରାକ୍ତନ ଛାତ୍ର ଲକ୍ଷ୍ମୀଧର ବାବୁଙ୍କ ସହାୟତାରେ ସୋଡିସାଲିସିଲେଟ ମିକଶ୍ଚର ପିଆଇବା, ଅଖା ଘୋଡାଇ ରଖିବା, ଗରମ ପାଣି ସେକ, ଗୁହାଳ ଶୁଖିଲା ରଖିବା ଆଦି ମାଧ୍ୟମରେ ସୁସ୍ଥ ରଖାଗଲା । ବ୍ରିଡିଙ୍ଗ ନିମନ୍ତେ ଷଣ୍ଢ ନେବାକୁ ହେଲେ ତିନି ଟଙ୍କା ଫିସ ସହ କେଇ ଗଣ୍ଡା ଛଣ ଅଥବା ମୁଗ ବିରି ବା କୋଳଥ କି ସୋରିଷର ଛଣ ଦେବାକୁ ହେଉଥାଏ । ଗାଈମାନଙ୍କୁ ଯତ୍ନର ସହ ପାଳିଲେ ଦୁଧର ପରିମାଣ ଯେ ବଢ଼ିଯାଏ, ତାହା ସେବାଘରେ ପରୀକ୍ଷା କରି ଦେଖାଇ ଦିଆଗଲା । ଗାଈମାନଙ୍କୁ ଲୁଣ ଖୁଆଇବା, ସଫାସୁତରା ରଖିବା,ବଳଦମାନଙ୍କୁ ପେଟପୂରା ଖୁଆଇବା,ଗର୍ଭିଣୀ ଓ ଦୁଧିଆଳୀ ଗାଈମାନଙ୍କୁ ପ୍ରଚୁର ପାଣି ପିଇବାକୁ ଦେବାର ସୁଫଳ ଲୋକେ ପାଇଲେ । ବିଶେଷକରି ଏହି ଅଞ୍ଚଳର ଭୂମିହୀନ ଦଳିତଲୋକେ ଗୋପାଳନ କାମରେ ଆଗୁଆ ହେଲେ । ବୈଜ୍ଞାନିକ ପ୍ରଣାଳୀରେ ଗୋପାଳନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଗଲା । ଏପରିକି ଟ୍ୱିଡ ସାହେବଙ୍କର ପୁସ୍ତକ କାଓ କିପିଙ୍ଗ ଇନ୍ ଇଣ୍ଡିଆ ପୁସ୍ତକକୁ ମଧ୍ୟ ଅନୁସରଣ କରାଗଲା । ଆଜି ଯେଉଁ ବିଞ୍ଝାରପୁରୀ ଗାଈ, ବଳଦ, ଦେଖୁଛନ୍ତି; ସେସବୁ ସେହି ପ୍ରୟାସର ଫଳ ।
ବିଞ୍ଝାରପୁରୀ ଗୋବଂଶର ପ୍ରଚାର ଏତେ ହେଲା ଯେ, ତତ୍କାଳୀନ ଭେଟେରନାରୀ ନିର୍ଦ୍ଦେଶକ ଗୁରୁବଚନ ସିଂହ ଏହା ଦେଖିବାକୁ ଆସିବେ ବୋଲି ଖବର ପଠାଇଲେ । ଏ ଖବର ମିଳିବାମାତ୍ରେ ଗୋପବାବୁଙ୍କ ନିର୍ଦ୍ଦେଶରେ ଗଣେଶ ମହାନ୍ତି ଦୁଇଟଙ୍କାର ମୁଢି ଉଖୁଡା କିଣି ଗୁହାଳି ପାଟରେ ବାଗୁଡି ପ୍ରତିଯୋଗିତା ପାଇଁ ଗାଈଆଳମାନଙ୍କୁ ନିମନ୍ତ୍ରଣ କଲେ । ଫଳରେ ଗାଈଆଳସବୁ ଗୁହାଳି ପାଟରେ ଗାଈସବୁ ଅଡେଇ ଦେଇ ବାଗୁଡି ପ୍ରତିଯୋଗିତାରେ ଲାଗିଗଲେ ଓ ଗୁରୁବଚନ ସିଂହ ଯାଜପୁରରୁ ବରୀ ଯିବା ରାସ୍ତାରେ ସେଠାରେ ବିରାଟ ପ୍ରାକୃତିକ ଗୋପ୍ରଦର୍ଶନୀ ଦେଖି ଲସୀ ପିଇ ଫେରିଲେ ।
ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଓ ତାଙ୍କ ସହକର୍ମୀମାନଙ୍କର ପ୍ରୟାସ ଫଳରେ ଯେଉଁ ଗୋବଂଶର ସୃଷ୍ଟି ହୋଇଥିଲା, ତାହାର ଅଶୀ ଦଶନ୍ଧି ପରେ ଆଜି ପୁଣି ସରକାରୀ ସ୍ତରରେ ବିଞ୍ଝାରପୁରୀ ଗାଈ ତଥା ଏହାର ଇ୨ ବିଟା-କେସିନ ପ୍ରୋଟିନ ଯୁକ୍ତ ଘିଅ ଓ ଦୁଧକୁ ମାନ୍ୟତା ମିଳିବା ସତରେ ଯେତିକି ଉତ୍ସାହପ୍ରଦ, ସେତିକି ପ୍ରଶାସନିକ ସ୍ଥାଣୁତାର ପରିଚାୟକ । ଓଡ଼ିଶାର ଅନ୍ୟ ଅଞ୍ଚଳ କଥା ଛାଡ଼, ଆଜି ବରୀ ଓ ବିଞ୍ଝାରପୁର ଅଞ୍ଚଳରେ ସୁଦ୍ଧା ଏହି ପ୍ରଜାତିର ଗୋବଂଶ ଖୁବ କମ୍ ଦେଖାଯାଉଛନ୍ତି । ସ୍ୱାମୀ ପ୍ରଜ୍ଞାନାନନ୍ଦ ସରସ୍ୱତୀଙ୍କ ଭଳି ଦେଶୀ ପ୍ରଜାତିର ଗୋବଂଶ ସଂରକ୍ଷଣ ଦିଗରେ କାର୍ଯ୍ୟରତ ଅଳ୍ପ କେତେଜଣ ବ୍ୟକ୍ତିଗତ ସ୍ତରରେ ଏଦିଗରେ ପ୍ରୟାସରତ । ଓଡ଼ିଶାରେ ବିଞ୍ଝାରପୁରୀ ବ୍ୟତୀତ ମୋଟୁ, ଖରିଆର, ଘୁମୁସରୀ, ପାରଳାଖେମୁଣ୍ଡି ପ୍ରଜାତିର ଦେଶୀ ଗାଈ ଥିବାସତ୍ତ୍ୱେ ବିଞ୍ଝାରପୁରୀ ପ୍ରଜାତି ନାସନାଲ୍ ବ୍ୟୁରୋ ଅଫ୍ ଆନିମଲ ଜେନେଟିକ ରିସୋର୍ସ (NBAGR) ଦ୍ୱାରା ପଞ୍ଜିକୃତ ।
ହିନ୍ଦୁତ୍ୱ, ଗୋସୁରକ୍ଷା ଆଦି ସ୍ଲୋଗାନ ଦେଇ ଯେତେବେଳେ ବିଜେପି ସରକାର ୨୦୧୪ମସିହାରେ କ୍ଷମତାକୁ ଆସିଲା, ସେତେବେଳେ ଗୋପ୍ରଜାତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଉଥିଲା । ଭାରତ ଉକôଟ ବେକାରୀରୁ ମୁକୁଳିବା ନିମନ୍ତେ ଗୋପାଳନ ଏକ ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ଅନେକେ ଚିନ୍ତା କରିବା ସ୍ୱାଭାବିକ । ତେବେ ଉନ୍ନତପ୍ରଣାଳୀର ଗୋପାଳନ, ଦୁଗ୍ଧଜାତୀୟ ପଦାର୍ଥ ପାଇଁ ନୂତନ ମାର୍କେଟ, ପୁଣି କୃଷିକ୍ଷେତ୍ରରେ ପଶୁସମ୍ପଦର ବ୍ୟବହାରକୁ ଅନିର୍ବାର୍ଯ୍ୟ କରିବା ଭଳି ପଦକ୍ଷେପ ବଦଳରେ ସରକାର କର୍ପୋରେଟ ଅଭିମୁଖୀ କୃଷିର ପ୍ରସାର କରିବାଦ୍ୱାରା ଏହି କ୍ଷେତ୍ର ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିପାରୁ ନାହିଁ କି ବଳଦଭଳି ପଶୁସମ୍ପଦର ବିନିଯୋଗ ହୋଇପାରୁ ନାହିଁ । ଗୋହତ୍ୟା ରୋକିବା ଦିଗରେ ଏସବୁ ବାସ୍ତବ ପଦକ୍ଷେପ ବଦଳରେ ଆମେ କେବଳ କେତେକ ଶସ୍ତା କାର୍ଯ୍ୟକ୍ରମମାନ ଆପଣାଉଛୁ । ବିଞ୍ଝାରପୁରୀ ଗାଈର ଦୁଧ ଓ ଘିଅର ମାର୍କେଟିଙ୍ଗ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଐତିହାସିକ ହୋଇଥିବାବେଳେ ଏହି ପ୍ରଜାତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ କ୍ଷେତ୍ରରେ ବିଶେଷ କାର୍ଯ୍ୟକ୍ରମ ଜରୁରୀ । ସେହିପରି ଏହି ଛୋଟ ଓ ସୁଧାର ଗାଈ ଭାରତୀୟ ଛୋଟ ପରିବାରମାନଙ୍କ ନିମନ୍ତେ ଯେ, ବ୍ୟବହାର ଉପଯୋଗୀ ତାହାର ପ୍ରଚାର ପ୍ରସାରର ବହୁଳ ଆବଶ୍ୟକତା ଅନୁଭୂତ ହେଉଛି ।
Comments
0 comments