ଲକ୍ଷ୍ୟ କଲେଣି ଓଡ଼ିଶାର ବହୁ ନଈ, ନାଳ, ଝରଣା ହୁଏତ ମରିଗଲେଣି କିମ୍ବା କ୍ଷୀଣତୋୟା ହୋଇଗଲେଣି । ଓଡ଼ିଶାର ବହୁ ସହରରେ ପ୍ରାକୃତିକ ନାଳ ଥିଲା । ସେମିତି ବହୁ ନାଳକୁ ହୁଏତ ପୋତି ଘର ତିଆରି ହେଲାଣି । କିମ୍ବା ତାହା ନର୍ଦ୍ଦମାରେ ପରିଣତ ହେଲାଣି । ବହୁ ନଈ ବି ନର୍ଦ୍ଦମା ହୋଇଗଲାଣି । ସହରର ଯେତେ ମଇଳା ପାଣି ଦୁନିଆଯାକର ବର୍ଜ୍ୟ ପଦାର୍ଥ ସେଥିରେ ପଡୁଛି ବା ପକା ହେଉଛି । ଗାଡ଼ିଆ, ପୋଖରୀ ଭଳି ଜଳାଶୟ କଥା ଛାଡ଼ନ୍ତୁ, କେତେ ଯେ ପୋତାହୋଇ ଘରହେଲାଣି, ତାର ହିସାବ ନାହିଁ । ସମାନ କଥା ୱେଟଲାଣ୍ଡ ବା ସନ୍ତସନ୍ତିଆ ପାଣି ଜମୁଥିବା ଜାଗାର । ସବୁ ପୋତାହୋଇ ଘର ହେଉଛି, ରାସ୍ତା ହେଉଛି ।
ଓଡ଼ିଶାରେ ଜଳପଥ ପରିବହନ ପ୍ରାୟ ଶେଷ ହୋଇଗଲାଣି । ଅକ୍ଷୟ ମହାନ୍ତିଙ୍କ ଗୀତ ଅଛି, ଗଡ଼ଗଡ଼ିଆ ଘାଟ ଅଛି, ହେଲେ ମହାନଦୀରେ ଯାତ୍ରୀବାହୀ ନୌକା ଆଉ ପ୍ରାୟ ଚାଲୁନି ।
ସମସ୍ତେ ଜାଣନ୍ତି – ଜଳପଥ ପରିବହନ ସବୁଠୁଁ ଶସ୍ତା ଆଉ ପରିବେଶ ଅନୁକୂଳ । ଆଗରୁ ଓଡ଼ିଶାରେ ଜଳପଥ ପରିବହନର ପରମ୍ପରା ଥିଲା । ଏବେ ଆଉ ନାହିଁ । ନଈଉପରେ ଲୋକଙ୍କର ନିର୍ଭରଶୀଳତା କମିଯାଇଛି ବା କମେଇ ଦିଆଯାଇଛି । ଆଗରୁ ନଈ କୂଳରେ ରହୁଥିବା ଲୋକେ ସେଥିରେ ଗାଧାଉଥିଲେ, ନଈ ପାଣିକୁ ବିଭିନ୍ନ କାମରେ ବ୍ୟବହାର କରୁଥିଲେ । ନଈ ସହିତ ଏକ ପ୍ରାତ୍ୟହିକ ଏବଂ ଆତ୍ମିକ ସମ୍ପର୍କ ରହୁଥିଲା । ଏବେ ନଦୀ ସହିତ ଲୋକଙ୍କର ସେ ଆତ୍ମିକ ସମ୍ପର୍କ ନାହିଁ କି ନଈକୁ ବଞ୍ଚେଇ ରଖିବାର ବା କଲ୍ଲୋଳିନୀ କରି ରଖିବାର ଦାୟ ବି ନାହିଁ । ନଈକୁ ଆମେ ମରିବାକୁ ଛାଡ଼ିଦେଇଛୁ ।
ଭାରତ ଏକ ନଦୀମାତୃକା ଦେଶ । ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଗୋଦାବରୀ ଭଳି ବଡ଼ ନଦୀ ଛଡ଼ା ଭାରତରେ ଅନ୍ତତଃ ୪୦୦ଟି ନଦୀ ଅଛି । ଏହି ଜଳରେଖାମାନ ଏ ଦେଶର କୃଷି, ବାଣିଜ୍ୟ, ସଂସ୍କୃତିର ଆଧାର ଗଢ଼ିଛନ୍ତି । ବର୍ତ୍ତମାନ ଏମାନେ ସଙ୍କଟରେ । ଅତ୍ୟଧିକ ପ୍ରଦୂଷଣ, ଅନିୟନ୍ତ୍ରିତ ଉଦ୍ୟୋଗିକୀକରଣ, ଅବୈଧ ଅତିକ୍ରମଣ ଓ ଜଳବାୟୁ ପରିବର୍ତ୍ତନ ଧୀରେ-ଧୀରେ ଭାରତର ନଦୀମାନଙ୍କୁ ମାରି ଦେଉଛି । ଯେଉଁ ନଦୀମାନେ କେବେ ସ୍ଫଟିକ ସ୍ୱଚ୍ଛ ଥିଲେ, ଏବେ ବିଷାକ୍ତ ନାଳୀ ଭଳି ହୋଇପାରିଛନ୍ତି । ଏକ ସାମ୍ପ୍ରତିକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୩,୮୦୦ କୋଟି ମଇଳା ପାଣି ଆମ ନଦୀମାନଙ୍କରେ ପଡୁଛି । ଏହି ପରିସ୍ଥିତି ନଦୀର ଇକୋ-ସିଷ୍ଟମର ବିନାଶ ସହିତ, କୋଟି କୋଟି ଲୋକଙ୍କର ସ୍ୱାସ୍ଥ୍ୟ, ଜୀବିକା ଓ ଜଳ ସୁରକ୍ଷାକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି ।
ଗଙ୍ଗା ନଦୀକୁ ଭାରତର ଆତ୍ମା ବୋଲି କୁହାଯାଏ । ଗଙ୍ଗାନଦୀ କୂଳରେ ରହିଛି ବହୁ ତୀର୍ଥସ୍ଥାନ । ବାରଣାସୀ ଭଳି ପ୍ରାଚୀନ ସହର । କୋଟି କୋଟି ଲୋକ ଏ ନଦୀକୁ ପୂଜା କରନ୍ତି । କିନ୍ତୁ ବିଡ଼ମ୍ବନା ହେଲା-ଏହା ବିଶ୍ୱର ସବୁଠାରୁ ପ୍ରଦୂଷିତ ନଦୀଗୁଡ଼ିକ ମଧ୍ୟରୁ ଗୋଟିଏ । “ନମାମି ଗଙ୍ଗେ’ ପରି ଅନେକ ବହୁ ଅର୍ଥ ବ୍ୟୟକାରୀ (୧୩୦୦୦ କୋଟି ଟଙ୍କା) ସରକାରୀ ପ୍ରୟାସ ସତ୍ତ୍ୱେ ଏହା ଏବେ ବି ମଇଳା । ଏହା କୂଳରେ ଅବସ୍ଥିତ ସହରମାନଙ୍କର ସତୁରୀ ଶତାଂଶ ଏବେ ବି ଅପରିଷ୍କୃତ ଦୂଷିତ ପାଣିକୁ ସିଧା ନଈ ଭିତରକୁ ଛାଡ଼ୁଛନ୍ତି । ଯମୁନା ନଦୀରେ ପ୍ରତିବର୍ଷ ଦେଖାଯାଏ ଦୂଷିତ ଫେଣ । ମୁମ୍ବାଇ ସହର ଭିତରଦେଇ ଯାଏ ମିଥୀ ନଦୀ । ପ୍ଲାଷ୍ଟିକ ଓ ନିର୍ମାଣ ଅବଶେଷ ପଡ଼ି ପଡ଼ି ନଈଟି ମରିଗଲା । ପଶ୍ଚିମବଙ୍ଗର ଇଚ୍ଛାମତୀ (ଯାହା ଉପରେ ବିଭୂତିଭୂଷଣ ବନେ୍ଦାପାଧ୍ୟାୟ ଏକ ଉତ୍ତମ ଉପନ୍ୟାସ ଲେଖିଛନ୍ତି) ପ୍ରାୟ ମୃତ । ଓଡ଼ିଶାର ପ୍ରାଚୀ ଓ ଦୟା ନଦୀ ମଧ୍ୟ ମରୁଛି । ସମ୍ପ୍ରତି (୨୨ ଏପ୍ରିଲ ୨୦୨୫) ଇଂରାଜୀ ଦୈନିକ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଓଡ଼ିଶାର ଦୁଇଟି ବଡ଼ ନଦୀ ମହାନଦୀ ଏବଂ ବ୍ରାହ୍ମଣୀ ଅତ୍ୟଧିକ ପ୍ରଦୂଷିତ । ଖବରର ସୂତ୍ର: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଭୁବନେଶ୍ୱରର ଦକ୍ଷିଣ ଦୟା କେନାଲ ଏବଂ ଗଙ୍ଗୁଆ ନାଳ ପାଣି ଅତି ପ୍ରଦୂଷିତ । ୨୦୨୪ର ସିଏଜି ରିପୋର୍ଟରେ କୁହାଯାଇଥିଲା: ଦୟା ପଶ୍ଚିମ କେନାଲଟା ବସ୍ତୁତଃ ମଇଳା ପାଣି ନଳା ହୋଇଗଲାଣି ।
ଭାରତରେ ନଦୀର ଏମିତି ଅବସ୍ଥା ପାଇଁ ଅନେକ କାରଣ ରହିଛି । ସବୁଠୁଁ ବଡ଼ ଦୁଇଟି କାରଣ ହେଲା-ନଦୀ ସହିତ ସାଧାରଣ ଲୋକଙ୍କର କ୍ରମଶଃ ସମ୍ପର୍କହୀନତା ଏବଂ ଆମର ସର୍ବଗ୍ରାସୀ ଲୋଭ । ଅନ୍ୟାନ୍ୟ କାରଣ ଭିତରୁ ରହିଛି ନଗରୀକରଣ, ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟ ପାଣି ଓ ପଦାର୍ଥ ପରିଚାଳନାରେ ଆମର ଅପାରଗତା ଇତ୍ୟାଦି । ଭାରତରେ ନଗରୀକରଣ (ଅର୍ବାନାଇଜେସନ) ଦ୍ରୁତ ବେଗରେ ବଢୁଛି । ୧୯୫୧ରେ ଆମ ଦେଶର ୧୭ଶତାଂଶ ଲୋକ ସହରାଞ୍ଚଳରେ ରହୁଥିଲେ, ଏବେ ତାହା ୩୫ ଶତାଂଶରେ ପହଞ୍ଚିଲାଣି । ୨୦୫୦ ସୁଦ୍ଧା ତାହା ୫୦ଶତାଂଶରେ ପହଞ୍ଚିବ । ଯୋଜନାବଦ୍ଧ ଭାବେ ନୂଆ ସହର ତିଆରି ହେଉନାହିଁ । ତେଣୁ ଯେଉଁ ସହର ଅଛି, ତାହା ଇତସ୍ତତଃ ଭାବେ ବଢୁଛି । ସହର ଭିତରେ ଥିବା ଜଳାଶୟ ପୋତି ଦିଆଯାଉଛି । ନଦୀକୁ ସଂକୁଚିତ କରି ନିର୍ମାଣ କରାଯାଉଛି । ଭୁବନେଶ୍ୱର ଭିତରେ ବହୁଥିବା ଦୟା ନଦୀ ଏହାର ଉଦାହରଣ । ଅବିଚାରିତ ନିର୍ମାଣ ଫଳରେ ପ୍ରାକୃତିକ ବନ୍ୟା କ୍ଷେତ୍ର ଓ ଜଳସ୍ତର ସୁଧାର କରୁଥିବା ଜଳାଶୟ ନଷ୍ଟ ହେଉଛି । ସହରର ଦୂଷିତ ପାଣି ବିନା ଟ୍ରିଟମେଣ୍ଟରେ ନଈରେ ଛାଡ଼ି ଦିଆଯାଉଛି । ଦୁଃଖର କଥା ନଈର ସମସ୍ୟା ରାଜନୈତିକ ପ୍ରସଙ୍ଗ (ଇସ୍ୟୁ) ହେଉ ନାହିଁ । ତେଣୁ ଏ କ୍ଷେତ୍ରଟି ଅଣଦେଖା ହୋଇ ରହିଯାଉଛି। ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟକୁ ଆହୁରି ବଢ଼ାଇ ଦେଉଛି ।
ଜଳଜ ପ୍ରଜାତି ବିଭିନ୍ନତା ଉପରେ ଏହାର ତୀବ୍ର ପ୍ରଭାବ ପଡ଼ୁଛି । ମାଛ ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ୁଛି । ଜଳପଥ ପରିବହନ ଉପରେ ଏହାର ପ୍ରଭାବ ପଡ଼ୁଛି । ଏହି ପରିବର୍ତ୍ତନଗୁଡ଼ିକ ଗ୍ରାମୀଣ ଓ ଜନଜାତି ଅଞ୍ଚଳର ଲୋକମାନଙ୍କ ଜୀବନ, ଜୀବିକା ଏବଂ ସଂସ୍କୃତି ଉପରେ ଗଭୀର ପ୍ରଭାବ ପକାଉଛି । ଏହା ଏକ ଗଭୀର ସଙ୍କଟ ।
ଏହି ସଙ୍କଟର ସମାଧାନ ପାଇଁ ବହୁମୁଖୀ ଯୋଜନା ଆବଶ୍ୟକ । ଲୋକମାନେ ବୁଝିବା ଦରକାର ଯେ ନଦୀ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ-ଏହା ଆମ ସମସ୍ତଙ୍କ ଦାୟିତ୍ୱ ।
ଅନ୍ୟ ପକ୍ଷରେ ସରକାର ଯାହା କରିବା ଦରକାର ତାହା ହେଲା : ପ୍ରଥମ-ମଇଳା ପାଣିକୁ ପରିଷ୍କୃତ କରି ନଈରେ ଛାଡ଼ିବାର ବ୍ୟବସ୍ଥା । ଦ୍ୱିତୀୟ- ନଦୀ ପୁନର୍ଜୀବନ ପାଇଁ ପ୍ରାକୃତିକ ଜଳ ଧାରା ପୁନସ୍ଥାପନ । ତୃତୀୟ- ଜଳପଥ ପରିବହନକୁ ପ୍ରୋତ୍ସାହନ; ଚତୁର୍ଥ-ନଦୀ ଓ ନାଳକୁ ତା’ପଠା ସହିତ ଅବରୋଧମୁକ୍ତ କରିବା ।
ଏହା ଯଦି ନ କରାଯାଏ, ତେବେ ଦିନେ ହୁଏତ ଏ ଦେଶର ସବୁ ନଈ ଶୁଖିଯିବ, ସବୁ ଜଳାଶୟ ମରିଯିବ । ଠିଆ ହୋଇଥିବ କେବଳ କଂକ୍ରିଟ କୋଠା । ଆଉ ପାଣି ବିନା ଆଉଟୁପାଉଟୁ ହେଉଥିବା ମଣିଷ ଆଉ ତାର ଧୂସର ଭବିଷ୍ୟତ ।
Comments
0 comments