ଅସହାୟତା ଭିତରୁ ଆଶା!

କେନ୍ଦ୍ର ଏବଂ ରାଜ୍ୟର ସରକାରମାନେ ଅଧିକ ଉଗ୍ର ଓ ଶକ୍ତିଶାଳୀ ଥିବାର ଦୃଶ୍ୟପଟ୍ଟକୁ ପ୍ରସାରିତ କରିଚାଲିଥିବା ଭିତରେ ସମଗ୍ର ଦେଶ ଓ ଏହାର ସଂଖ୍ୟାଧିକ ଅଧିବାସୀ ଏକ ପ୍ରକାର ଅସହାୟତା ଭିତର ଦେଇ ଗତି କରୁଛନ୍ତି । ଏହି ଅସହାୟତା ଘୃଣା, ବିଦ୍ୱେଷ ଏବଂ ଭେଦଭାବର ସ୍ଥିତି ମଜବୁତ୍ ହେଉଥିବା ଯୋଗୁଁ ଯେତିକି ହେଉଛି, ତାହାଠାରୁ ଢ଼େର୍ ଅଧିକ ହେଉଛି ଏହିଥିପାଇଁକି ଯେ, ଏଭଳି ଏକ ସମୟରେ ଜନଗଣଙ୍କୁ ସାହାରା, ସାନ୍ତ୍ୱନା ଏବଂ ସାଥିଦେବା ପାଇଁ ନିର୍ଭରଯୋଗ୍ୟ କୌଣସି ରାଜନୈତିକ, ସାମାଜିକ ଓ ବୌଦ୍ଧିକ ସଂଗଠନ ସାମ୍ନାକୁ ଆସିବାର ଦେଖାଯାଉ ନାହାନ୍ତି । ଆମେ ତୁହାକୁ ତୁହା କହି ଆସିଛୁ ଯେ ଆଜିର ଦିନରେ କର୍ପୋରେଟ ଗଣମାଧ୍ୟମ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦିନର କାହାଣୀ ଦେଖାଇବା ବନ୍ଦ କରିସାରିଲେଣି । ବରଂ ସେମାନଙ୍କ ପାଇଁ ନିର୍ବାଚିତ ସରକାରମାନେ ଯେଉଁ ମିଛି ମିଛିକା ପ୍ରତିଶୃତି ଆଣିଦେଉଛନ୍ତି, ତାହାର ୨୪ଘଣ୍ଟିଆ ପ୍ରସାରଣ ଓ ପ୍ରଚାର ଭିତରେ ଲୋକଙ୍କର ବାସ୍ତବ କଥା ଓ କାହାଣୀ ମଳିନ ପଡ଼ିଯାଉଛି । ଏହି କଥା ମଧ୍ୟ କୁହାଯାଉଛି ଯେ ସରକାରୀ ବିଜ୍ଞାପନ କର୍ପୋରେଟ ଗଣମାଧ୍ୟମର ଆଖି ଦୁଇଟିକୁ ଅନ୍ଧ କରିଦେଇଛି । ଅଣକର୍ପୋରେଟ ଗଣମାଧ୍ୟମରେ କେତେ ବାସ୍ତବ କଥା ଏବଂ କାହାଣୀ ସ୍ଥାନ ପାଇଲେ ବି ସେମାନଙ୍କର ପହଞ୍ଚ ଅତି ସୀମିତ । ଏଭଳି ସୀମିତତା ଆମେ ରାଜନୈତିକ କ୍ଷେତ୍ରରେ ଛୋଟ ଛୋଟ ବାମ ଓ ବିପ୍ଳବୀ ଦଳମାନଙ୍କୁ ଦେଖିଲେ ସେମାନଙ୍କର ନିଷ୍ଠାପର ଉଦ୍ୟମ ସତ୍ତ୍ୱେ କାହିଁକି ବ୍ୟାପକ ଅଞ୍ଚଳରେ ଜନଗଣଙ୍କ ଉପରେ ପ୍ରଭାବ ପଡ଼ିପାରୁ ନାହିଁ ସେହି କଥାଟିକୁ ବୁଝିହୋଇଯିବ । ଜନଗଣଙ୍କୁ ସବୁଠାରୁ ବେଶି ବାଧୁଛି ଯେତେବେଳେ ସେମାନଙ୍କର ବିକାଶ ପାଇଁ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହାର ପ୍ରତିଯୋଗିତାମୂଳକ ବିଜ୍ଞାପନ ପ୍ରତିଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି ଏବଂ ସହରରୁ ଗାଁ ଯାଏଁ ବିଭିନ୍ନ ସ୍ଥାନରେ ବଡ଼ବଡ଼ ବିଜ୍ଞାପନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରରେ ରଖି ପ୍ରସାରିତ ହେଉଛି, ଠିକ୍ ସେତିକିବେଳେ ହାତକୁ ରୋଜଗାର ନପାଇ ଏବଂ ନିଜ ଗାଁରେ ବା ଗାଁ ପାଖରେ ଜୀବିକାର କୌଣସି ସୁଯୋଗ ନପାଇ ଶ୍ରମଜୀବୀ ମଣିଷ ଏବଂ ଏମିତିକି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି । ସରକାରଙ୍କ ପାଖରେ କୌଣସି ଖବର ନାହିଁ ଯେ କାହିଁକି ମାଟ୍ରିକ୍ୟୁଲେସନ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ଏବଂ କେତେକ କ୍ଷେତ୍ରରେ ପ୍ରବେଶପତ୍ର ପାଇ ସାରିଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଆସିପାରୁ ନାହାନ୍ତି । ଏହି ଭିତରେ ପାଖାପାଖି ଆଠ ହଜାର ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ବନ୍ଦ ହୋଇ ସାରିଲାଣି । ସର୍ବଭାରତୀୟ ଶିକ୍ଷା ବଞ୍ଚାଅ ସମିତିର ଓଡ଼ିଶା ଶାଖା ତରଫରୁ ଏ ବାବଦରେ ଅନେକ ପ୍ରତିବାଦ, ଆଲୋଚନା ଏବଂ ତଥ୍ୟପତ୍ର ପ୍ରକାଶନ ଅନବରତ ଚାଲିଛି । ଏହାର ପ୍ରଭାବ ସରକାରଙ୍କ ଉପରେ କିଛି ନାହିଁ । ସମାଜ ଉପରେ ମଧ୍ୟ ନାହିଁ । ସମାଜର କୁହାଳିଆ ବର୍ଗଙ୍କ ପାଇଁ ସରକାରୀ ଶିକ୍ଷା ବ୍ୟବସ୍ଥା ଅଦରକାରୀ ହୋଇଯାଇଛି । ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ଭିତରେ ଯଦି ନିଜେ ଗୋଟିଏ ଛୋଟ ସର୍ବେକ୍ଷଣଟିଏ କରିବେ, ସେଠି ନିଜେ ଉତ୍ତର ପାଇଯିବେ । ଅନ୍ୟପଟେ ମାଲକାନଗିରି ଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଶିକ୍ଷକ ମରୁଡ଼ି । ମୁଖ୍ୟମନ୍ତ୍ରୀ କିନ୍ତୁ ବହୁ ଆଡ଼ମ୍ବରରେ ନିଯୁକ୍ତିପତ୍ର ବାଣ୍ଟି ଚାଲିଛନ୍ତି । ଦିନକୁ ୧୨କିଲୋମିଟର ଚାଲିଚାଲି ଯିବା ଆସିବା କରି ପିଲାମାନେ (ବେଶି ଝିଅମାନେ) ସ୍କୁଲରେ ଉପସ୍ଥିତ ରହିବାବେଳେ ସବୁ ବିଷୟରେ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି । ଘରକୁ ଫେରିଲେ ପାଠ ପଢ଼ାଇବା ପାଇଁ ମୁରବି କେହି ନାହାନ୍ତି ଯେହେତୁ ଏହି ପିଲାମାନେ ସେହି ପରିବାରମାନଙ୍କର ପ୍ରଥମ ପାଠୁଆ ହୋଇ ବାହାରିଛନ୍ତି । ନିଜେ ସରକାର ସଂଘ ପରିବାର ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରମାନଙ୍କୁ ମଜବୁତ୍ କରିଚାଲିଛନ୍ତି । ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତାଦଳର ନିର୍ବାଚନୀ ମେଣ୍ଟ ହେଉ ବା ନହେଉ; ସଂଘ ପରିବାରର ଜୟଯାତ୍ରା ଓଡ଼ିଶାରେ ଜାରି ରହିବ । ନିକଟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ ଜେଏନ୍ୟୁର ଜଣେ ପ୍ରଫେସର ନିବେଦିତା ମେନନ କହିବାବେଳେ ତାଙ୍କୁ ଏବିଭିପି ବିରୋଧ କରିବା ଏବଂ ପରେ ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ନିମନ୍ତ୍ରଣ କରିକି ଫେରାଇଦେବା ଏହାର ବଳିଷ୍ଠ ପ୍ରମାଣ ।

କେବଳ ସେମାନେ କାହିଁକି, ଶିକ୍ଷା ବ୍ୟବସାୟୀମାନଙ୍କ ପ୍ରତି ମଧ୍ୟ ସରକାରଙ୍କର ଅହେତୁକ ଅନୁକମ୍ପା । ରାଜ୍ୟସାରା ସେମାନେ ଖୋଲି ଚାଲିଛନ୍ତି ବ୍ୟବସାୟିକ ଶିକ୍ଷାର ଏକ ବିଶାଳ ସାମ୍ରାଜ୍ୟ । ଆଦିବାସୀଅଞ୍ଚଳରେ ଶିକ୍ଷାର ବିକାଶ ନାଁରେ ବେଳେବେଳେ ସରକାରୀ ବା ଆଶ୍ରମ ସ୍କୁଲ ମାନଙ୍କରୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶହଶହ ମାଇଲ ଦୂର ତଥାକଥିତ ଭବ୍ୟ ଆବାସିକ ବିଦ୍ୟାଳୟମାନଙ୍କରେ ପାଠ ପଢ଼ାଇବା ପାଇଁ କିଛି ଖଣି କମ୍ପାନୀମାନଙ୍କର ଦଲାଲ୍ ନେଇ ଆସିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ସହଯୋଗ ରହିଆସିଛି । ଯେଉଁ ଆଦିବାସୀ ପିଲାମାନେ ଗାଁରେ ରହି ପାଦରେ ଚାଲିଚାଲି ପାଠ ପଢ଼ିବାର ଆଗ୍ରହ ନେଇ ବିଦ୍ୟାଳୟକୁ ଆସୁଛନ୍ତି, ସେମାନଙ୍କ କଥାକୁ କିଏ ବା ପ୍ରାଥମିକତା ଦେବ । ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ଼ ଫ୍ରଡ଼ ବା ଜାଲିଆତି ହେଉଛି ତଥାକଥିତ ୫-ଟି ଦ୍ୱାରା ସ୍କୁଲ୍ ଗୁଡ଼ିକର ରୂପାନ୍ତରୀକରଣ । କିନ୍ତୁ କେଉଁଠି ବି କିଛି ପ୍ରଶ୍ନ ଉଠୁ ନାହିଁ । ବିଡ଼ମ୍ବନାର କଥାଯେ ଏହି ନିରୀହ ଓ ଅସହାୟ ବର୍ଗର ପିଲାମାନଙ୍କୁ ସାଇ ଇଣ୍ଟରନ୍ୟାସନାଲ ବା କିସ୍ ଇଣ୍ଟରନ୍ୟାସନାଲ ଭଳି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ବଡ଼ବଡ଼ିଆଙ୍କ ପିଲାମାନଙ୍କ ସହ ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା କରିବାକୁ ପଡ଼ିବ । ଯଦି କିଏ କେଉଁଠି ୧୦ବର୍ଷରେ ଥରେ ନିଜର କଠିନ ପରିଶ୍ରମ ଓ ପ୍ରତିକୂଳ ପରିସ୍ଥିତି ଭିତରେ କିଛି ସଫଳତା ପାଇଲା ସରକାର ତାହାର ଉତ୍ସବ ମନାଇବେ । ଆମେ ସମସ୍ତେ ସାଧୁବାଦ ଦେଇ କରତାଳି ଦେବା । ଛଳନାମୟ ଏକ ସମାଜରେ ଅସହାୟତା ଭିତରେ ଥିବା ମଣିଷମାନଙ୍କ ପାଇଁ ସତରେ ସାହାରା ବୋଲି କିଛି ନାହିଁ ।

ଶିକ୍ଷା ସମାଜ ପରିବର୍ତ୍ତନ ପାଇଁ ବାଟ ଦେଖାଇଥାଏ ବୋଲି କୁହାଯାଏ । ସେହି ବାଟଟିକୁ ବନ୍ଦ କରିଦେବା ପାଇଁ ଯେତେବେଳେ ନିର୍ବାଚିତ ସରକାରମାନେ ନିଷ୍ଠାପର ଭାବରେ କାମ କରନ୍ତି ଏବଂ ନିଜକୁ ସଚେତନଶୀଳ ନାଗରିକ କହୁଥିବା ଏକ ବିରାଟ ତଥାକଥିତ ଶିକ୍ଷିତବର୍ଗ ନିଜ ନିରବତା ମାଧ୍ୟମରେ ସରକାରଙ୍କ ସହ ସାଥିହୋଇ ଛିଡ଼ା ହୁଅନ୍ତି, ସେତେବେଳେ ଏହି ଅସହାୟମାନଙ୍କ ଭିତରେ ଆଶା ନିର୍ମାଣ କରିବା କାମଟି କରିବ କିଏ? କିଛି ତ ସକାରାତ୍ମକ ଉଦାହରଣ ଆମେ ଦେଖୁଛୁ ଏବଂ ଏହି ସମ୍ପର୍କରେ ପରେ କେବେ ଆଲୋଚନା କରାଯାଇ ପାରେ । ତେବେ ଏହି ପ୍ରସଙ୍ଗ ଏବଂ ଏଭଳି ଅନେକ ପ୍ରସଙ୍ଗ ଯାହାକୁ ଆମେ ଅଣଦେଖା କରିଆସିଛୁ ସମୟ ଆସିଛି ସେହି ସବୁ ଉପରେ ଯେମିତି ଚିନ୍ତା କରିବା । ସେହିଭିତରୁ ହିଁ ଆଶାର ପଥଟି ସ୍ପଷ୍ଟ ହୋଇ ପଦାକୁ ଆସିବ । ଗୋଟିଏ କଥା ମନେ ରଖିବାକୁ ହେବ ଯେ ଗୋଟିଏ ଯନ୍ତ୍ରଣା ଜର୍ଜରିତ ଅସହାୟତା ଭିତରେ ଗତି କରୁଥିବା ଜନସମୂହ ଭିତରେ ଆମେ ଗୋଟିଏ ଗୋଟିଏ ପ୍ରାଚୁର୍ଯ୍ୟର ଦ୍ୱୀପହୋଇ ବେଶି ଦିନ ରହିପାରିବା ନାହିଁ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.