ସାମ୍ୟବାଦୀ :  ତମେ ଆଗକୁ ଦେଖ, ପଛକୁ ନୁହଁ!

446 Views
9 Min Read

ଭାରତବର୍ଷରେ କମ୍ୟୁନିଷ୍ଟ  ଦଳ ଗଠନ ହେବାର ଶହେ ବର୍ଷରୁ ଊର୍ଦ୍ଧ ହୋଇଗଲା । ସ୍ୱାଧୀନତା ସଂଗ୍ରାମରେ କମ୍ୟୁନିଷ୍ଟମାନଙ୍କ ଭୂମିକା ଓ ଅବଦାନ ସ୍ୱୀକାର୍ଯ୍ୟ । ସାମନ୍ତବାଦ ବିରୋଧରେ ଲଢ଼େଇ, ଜମିଦାରୀ ପ୍ରଥାର ବିଲୋପ ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଦେଶର ସ୍ୱାଧୀନତା ହାସଲ ପରେ ‘ଲଙ୍ଗଳ ଯାହାର, ଜମି ତାହାର’ ଆନ୍ଦୋଳନ ଜରିଆରେ ପ୍ରକୃତ ଚାଷୀକୁ ଜମିର ମାଲିକ କରାଇବାରେ କମ୍ୟୁନିଷ୍ଟମାନଙ୍କ ଏକ ଉଲ୍ଲେଖନୀୟ ଅବଦାନ ରହିଛି । ଏହି ଆନ୍ଦୋଳନ ଜରିଆରେ କୃଷକମାନଙ୍କ ସପକ୍ଷରେ ବହୁବିଧ ଆଇନ ପ୍ରଣୟନ ଓ ତାହାକୁ କାର୍ଯ୍ୟକାରୀ କରିବାରେ ସହାୟକ ହୋଇଛି । ସମାଜରୁ ଶୋଷଣବ୍ୟବସ୍ଥା ଲୋପ କରି ମଣିଷ ମଣିଷ ମଧ୍ୟରେ ସମାନତା ଭିତ୍ତିରେ ବସବାସ କରିବା ଲାଗି ଏକ ସାମ୍ୟବାଦ ସମାଜ ପ୍ରତିଷ୍ଠା ଲାଗି କାର୍ଯ୍ୟ କରିଆସୁଛି । ଏହି ଆନ୍ଦୋଳନର ମୁଖ୍ୟ ଭୂମିକାରେ କାରଖାନାର ଶ୍ରମିକଙ୍କ ସମେତ କୃଷକ, କୃଷିଜୀବୀ, ନିର୍ମାଣ ଶ୍ରମିକ ଅଦି ସମସ୍ତ ଶ୍ରମଜୀବୀଙ୍କୁ ସଂଗଠିତ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ସାଧନ ସହ ସେମାନଙ୍କୁ ଶୋଷଣର ବଳୟରୁ ମୁକ୍ତ କରିବା ପାଇଁ ବହୁ ଲଢ଼େଇ କରିଛି । ଏହି ଶ୍ରମଜୀବୀମାନେ ହେଲେ ସମାଜର ସଂଖ୍ୟାଗରିଷ୍ଠ ଅଂଶ ।

ସ୍ୱାଧୀନତା ସଂଗ୍ରାମ ପରେ ଦେଶରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ କମ୍ୟୁନିଷ୍ଟ ଦଳ ମୁଖ୍ୟ ବିରୋଧି ଦଳ ଭାବେ ବିବେଚିତ ହୋଇଥିଲା । ଆଜି ଉକ୍ତ କମ୍ୟୁନିଷ୍ଟ ଦଳ ଭାଗ ଭାଗ ହୋଇଯାଇଛି । ଏକତା ନଷ୍ଟ ହେବାଯୋଗୁଁ ସେମାନଙ୍କ ଲଢୁଆ ଶକ୍ତି ମଧ୍ୟ କ୍ଷୟ ହୋଇଯାଇଛି ଏବଂ ଦେଶର କୌଣସି ଜାତୀୟ ସମସ୍ୟାରେ ଏକ ନିର୍ଣ୍ଣାୟକ ଶକ୍ତି ଭାବେ ହସ୍ତକ୍ଷେପ କରିପାରୁ ନାହିଁ । ବିଶ୍ୱ ଶ୍ରମଜୀବୀଙ୍କ ଲଢ଼େଇ ଧିମେଇ ଯାଇଛି । ପୃଥିବୀର ପ୍ରଥମ କମ୍ୟୁନିଷ୍ଟ ରାଷ୍ଟ୍ର ‘ସୋଭିଏତ୍ ରାଷ୍ଟ୍ର ସଂଘ’ ଭାଙ୍ଗିଯାଇଛି । ସମାଜବାଦୀ ଦେଶଗୁଡିକର ମେଣ୍ଟ ଆଉ ନାହିଁ । କମ୍ୟୁନିଷ୍ଟ ଦେଶ ଚୀନ, ପୁଂଜିବାଦୀ ଅର୍ଥନୀତି ଆପଣେଇ ନେଇଛି, ବିଶ୍ୱ ବଜାରରେ ନିଜର ବ୍ୟବସାୟିକ ଆଧିପତ୍ୟ ବିସ୍ତାର କରିବାଲାଗି କାର୍ଯ୍ୟ କରିଚାଲିଛି । ଆଶା କରାଯାଉଥିଲା, ସୋଭିଏତ୍ ସଂଘ ସହ ଚୀନର ଯୋଗଦାନ ଫଳରେ ସମଗ୍ର ବିଶ୍ୱରେ ସମାଜବାଦ ପ୍ରତିଷ୍ଠିତ ହୋଇ ମଣିଷ ଉପରେ ମଣିଷର ଶୋଷଣ ଲୋପପାଇବ । କିନ୍ତୁ ଉଭୟ ଦେଶ ପୁଞ୍ଜିବାଦୀ ଅର୍ଥନୀତି ଗ୍ରହଣ କରିନେଇଛନ୍ତି । ସେମାନେ ଆଉ ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ମାଇଲଖୁଣ୍ଟ ହୋଇନାହାଁନ୍ତି । ସାରା ବିଶ୍ୱରେ ସାମ୍ୟବାଦୀ ଆନ୍ଦୋଳନ ଶିଥିଳ ହୋଇଯାଇଛି । କମ୍ୟୁନିଷ୍ଟମାନଙ୍କୁ ବିରୋଧ କରିଆସୁଥିବା ଶ୍ରେଣୀ ଶତୃମାନେ କମ୍ୟୁନିଷ୍ଟ ଦଳ ଓ ନେତୃତ୍ୱ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କୁ ଦୁର୍ବଳ ଓ ଶକ୍ତିହୀନ କରିଦେବାକୁ ସର୍ବଦା ଚାହିଁବା ଓ ଲୋପ କରିଦେବା ଦିଗରେ କାର୍ଯ୍ୟକରିବା ସ୍ୱାଭାବିକ । ତେବେ ଏହି ଶୋଷଣ ଶ୍ରେଣୀର ବିଭେଦକାରୀ କୌଶଳର ଶିକାର ହେବା କମ୍ୟୁନିଷ୍ଟମାନଙ୍କ ଦୁର୍ବଳତା ଭାରତବର୍ଷରେ କମ୍ୟୁନିଷ୍ଟମାନେ ଶୋଷକଶ୍ରେଣୀର ବିଭେଦକାରୀ କାର୍ଯ୍ୟର ଶିକାର ହୋଇଯିବାଯୋଗୁଁ ସେମାନଙ୍କ ସାଙ୍ଗଠନିକ ଶକ୍ତି ଦୁର୍ବଳ ହୋଇଯାଇଛି । ମାନସିକ ଦ୍ୱିଧା-ସନେ୍ଦହ–ନେତୃତ୍ୱ ପାଇଁ ନିଜ ନିଜ ମଧ୍ୟରେ କନ୍ଦଳ ଓ ଶତୃତା ଆଚରଣ ଯୋଗୁଁ ସେମାନଙ୍କ ଲଢ଼ିବା ମନୋବଳ ହ୍ରାସ ପାଇଯାଇଛି । କମ୍ୟୁନିଷ୍ଟମାନେ ଆତ୍ମବିଶ୍ୱାସ ହରାଇଥିବା ଭଳି ଜଣାଯାଉଛି । କିଛି କିଛି ଛୋଟ ଘଟଣା ଯେ କମ୍ୟୁନିଷ୍ଟମାନଙ୍କୁ ଆନ୍ଦୋଳନ କରିବ ଓ ତାହା ମଧ୍ୟ ବିଭେଦ ସୃଷ୍ଟିରେ ସହାୟକ ହେବ ଓ କମ୍ୟୁନିଷ୍ଟମାନଙ୍କୁ ଭାଗ ଭାଗ କରିବାରେ ମାଧ୍ୟମ ହେବ, ତାହା ହିଁ ବିଡ଼ମ୍ବନା । ଭାରତବର୍ଷରେ କମ୍ୟୁନିଷ୍ଟ ପାର୍ଟି କେବେ ଗଠନ ହେଲା–ତାହା ୧୯୨୦ ମସିହା ନା ୧୯୨୫ ମସିହାରେ, ପୁଣି “ଭାରତୀୟ”କମ୍ୟୁନିଷ୍ଟ ପାର୍ଟି ହେବ ନା “ଭାରତର”କମ୍ୟୁନିଷ୍ଟ ପାର୍ଟି ହେବ ତାହା ନେଇ ଦ୍ୱନ୍ଦ୍ୱ, ତର୍କ ଓ ପୃଷ୍ଠା ପୃଷ୍ଠା ଲେଖା । ରୁଷିଆ ଦେଶରେ ଷ୍ଟାଲିନ ନା ଲେନିନ୍ କିଏ ବଡ଼ । ତାହାକୁ ନେଇ ତର୍ଜମା, ତାହାକୁ ନେଇ ପୃଥିବୀସାରା ଲେନିନ୍ଭକ୍ତ ଓ ଷ୍ଟାଲିନଭକ୍ତ ମଧ୍ୟରେ ଯୁକ୍ତି । ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନରେ ସୋଭିଏତ୍ ସଂଘ ନା ଚୀନ ଦେଶର ନେତୃତ୍ୱର ନିର୍ଣ୍ଣାୟକ ଭୂମିକା ଗ୍ରହଣୀୟ, ସେ ନେଇ ବାଦ ବିସମ୍ବାଦ । ଏହିପରି କିଛି ଅନାବଶ୍ୟକ ଆଲୋଚନା ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ସମର୍ଥକଙ୍କୁ ବିବ୍ରତ କରି ସେମାନଙ୍କ ମନୋବଳକୁ ଭାଙ୍ଗି ଦେବାରେ ସହାୟକ ହୋଇଛି ।

ଭାରତ ବର୍ଷରେ କେଉଁ ପଥ ଦେଇ କ୍ଷମତା ଦଖଲ କଲେ ଯାଇ ସାମ୍ୟବାଦ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ । ସେ ପଥ ନିର୍ବାଚନ ନା ସଶସ୍ତ୍ର ସଂଗ୍ରାମ ଜରିଆରେ ସମ୍ଭବ । କେତେକଙ୍କ ମତରେ କେରଳ ରାଜ୍ୟର ପୁନାପ୍ପ୍ରଭ୍ୟୁଲାର ଓ ତେଲେଙ୍ଗାନାର ସଶସ୍ତ୍ର କୃଷକ ଆନ୍ଦୋଳନ ତଥା ପଶ୍ଚିମବଙ୍ଗର ତେଭାଗାରେ ସଂଗଠିତ ହୋଇଥିବା ସଶସ୍ତ୍ର ଭାଗଚାଷୀ ଆନ୍ଦୋଳନ ପରି ସଂଗ୍ରାମ ଜରିଆରେ ହିଁ ଭାରତବର୍ଷରେ ଶ୍ରମଜୀବୀ ଜନସାଧାରଣଙ୍କ ଶାସନ ପ୍ରତିଷ୍ଠିତ ହୋଇପାରିବ ଏବଂ ଆଉ କେତେକଙ୍କ ମତରେ ସଶସ୍ତ୍ର ସଂଗ୍ରାମ ଲାଗି ଦେଶର ଉପସ୍ଥିତି ପରିସ୍ଥିତି ଅନୁକୂଳ ନୁହେଁ, ଏଣୁ ବର୍ତ୍ତମାନ ପରିସ୍ଥିତିରେ ନିର୍ବାଚନ ଜରିଆରେ ଶ୍ରମଜୀବୀଙ୍କୁ ସଂଗଠିତ କରିବାକୁ ହେବ । ଆଉ କେତେକଙ୍କ ମତରେ “ସମାଜବାଦୀ ବିପ୍ଳବର ବାଟ ସବୁଠାରେ ଗଣତାନ୍ତ୍ରିକ ବିପ୍ଳବ ମଧ୍ୟ ଦେଇ ଯାଏ ଏବଂ ଯେହେତୁ ଆମ ଦେଶରେ ଗଣତାନ୍ତ୍ରିକ ବିପ୍ଳବ ଅସମ୍ପୂର୍ଣ୍ଣ ଏବଂ ଅମୀମାଂସିତ ଭାବେ ରହିଛି, ତେଣୁ ଏହି ବିପ୍ଳବକୁ ସମ୍ପୂର୍ଣ୍ଣ କରିବା ପାଇଁ  ଆମକୁ ସମସ୍ତ ଧ୍ୟାନ ଦେବାକୁ ହେବ । ସଂପ୍ରତି, ପୃଥିବୀତମାମ ସମାଜବାଦର ବିପର୍ଯ୍ୟୟ ପୁଣିଥରେ ନିଶ୍ଚିତ କରିଦେଇଛି ଯେ, ଗଣତାନ୍ତ୍ରିକ ବିପ୍ଳବର ଦାୟିତ୍ୱକୁ ଏଡ଼େଇ ଦେଇ ତରବରିଆଭାବେ ସମାଜବାଦ ନିର୍ମାଣ କଲେ, ଏହା ଆମପାଇଁ କୌଣସି ଅଧିକ ସୁଯୋଗ ଆଣିଦେବ ନାହିଁ । ଆଉ କିଛି ଗୋଷ୍ଠୀଙ୍କ ମନ୍ତବ୍ୟ, ସଶସ୍ତ୍ର ସଂଗ୍ରାମ ହିଁ ଏକମାତ୍ର ରାସ୍ତା ଯାହାକି ଦେଶର ଶ୍ରମଜୀବୀମାନଙ୍କ ଶାସନ ପ୍ରତିଷ୍ଠା କରାଇବ” । 

ଆନ୍ତର୍ଜାତୀୟ କ୍ଷେତ୍ରରେ କମ୍ୟୁନିଷ୍ଟ  ଆନ୍ଦୋଳନରେ ବିଭେଦ ସୃଷ୍ଟି ମୂଳରେ ଯେଉଁ କେତେଗୁଡ଼ିଏ କାରଣ ରହିଛି, ସେଥିମଧ୍ୟରେ ସୋଭିଏତ ସଂଘ ଓ ଚୀନ ଦେଶର କମ୍ୟୁନିଷ୍ଟ ପାର୍ଟିର ଦ୍ୱନ୍ଦ୍ୱ ମୁଖ୍ୟ ଅଟେ । ଚୀନ ଦେଶରେ ମାଓ-ସେ-ତୁଙ୍ଗଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟି କ୍ଷମତା ଦଖଲ କଲାପରେ ସୋଭିଏତ ସଂଘ କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ସହ ବିବାଦ ସୃଷ୍ଟି ହେଲା ।  ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନର ମୁଖ୍ୟ କିଏ ହେବ, ତାହା ନେଇ ବିବାଦ, ଚୀନ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପ୍ରସ୍ତୁତ “ମହାବିତର୍କ” ଦସ୍ତାବିଜରେ ଉଲ୍ଲେଖ ଅଛି ଯେ “କ୍ରୁଶ୍ଚେଭ ଯେବେଠାରୁ ସୋଭିଏତ ପାର୍ଟି ଓ ସରକାରର ନେତୃତ୍ୱ ହାତେଇଛନ୍ତି, ସେବଠାରୁ ସୋଭିଏତ ସଂଘରେ ଶ୍ରେଣୀସଂଘର୍ଷର ସ୍ଥିତିରେ ବୁନିଆଦି ପରିବର୍ତ୍ତନ ଘଟିଛି ।” ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ “କ୍ରୁଶ୍ଚେଭଙ୍କ ଆଧୁନିକ ସଂଶୋଧନବାଦ ବିରୋଧରେ ଚାଲିଥିବା ଚିନ୍ତାଧାରାତ୍ମକ ସଂଘର୍ଷର ଫଳସ୍ୱରୂପ ସୃଷ୍ଟି ହୋଇଛି” ଆନ୍ତର୍ଜାତିକ କମୁ୍ୟନିଷ୍ଟ ଆନ୍ଦୋଳନରେ ମତଭେଦ ଓ ବିନାଶ ।

ମୁଖ୍ୟତଃଭାବେ ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନର ନେତୃତ୍ୱ ନେଇ ଏବଂ ବିଶ୍ୱ ବାଣିଜ୍ୟ ବଜାରକୁ ଦଖଲ ନେଇ ସୋଭିଏତ ସଂଘ ଓ ଚୀନ  ଦେଶ ମଧ୍ୟରେ ପ୍ରତିଯୋଗିତା କାରଣରୁ ଏହି ବିବାଦ ସୃଷ୍ଟି ହୋଇଛି ଏବଂ ତାହାର ପ୍ରଭାବରେ ପୃଥିବୀର ପ୍ରାୟ ସମସ୍ତ ଦେଶର କମ୍ୟୁନିଷ୍ଟ ଆନ୍ଦୋଳନ ଭାଗ ଭାଗ ହୋଇଯାଇଛି ଓ ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନ ଶକ୍ତିହୀନ ହୋଇଯାଇଛି ।

ତେବେ ସାଧାରଣ ଶୋଷିତ ଜନତା ଓ ସାମ୍ୟବାଦୀ ଶାସନବ୍ୟବସ୍ଥାର ସମର୍ଥକ ସାଥିମାନେ ଏହି ବିରୋଧାତ୍ମକ ତତ୍ତ୍ୱର ଗଭୀର ବିଚାର କରନ୍ତି ନାହିଁ । କାରଣ ସେମାନେ ଅଶିକ୍ଷିତ ଓ ତତ୍ତ୍ୱ ସମ୍ପର୍କରେ ସାମାନ୍ୟ ଅବଧାରଣା ନାହିଁ ବା ସେମାନେ ତତ୍ତ୍ୱରେ ମାର୍ଜିତ ହୋଇନାହାଁନ୍ତି । ସେମାନେ ଚାହାଁନ୍ତି ଜୀବନ-ଜୀବିକାର ଜଞ୍ଜାଳରୁ ମୁକ୍ତି–ଏକ ସୁଖମୟ ଜୀବନ ଯାପନ । ସେମାନେ ଆଶା କରନ୍ତି ସମସ୍ତ ସାମ୍ୟବାଦୀମାନେ ଏକାଠି ହୋଇ ସେମାନଙ୍କୁ ଶୋଷଣର ଜାଲରୁ ମୁକ୍ତିର ବାଟରେ ଆଗେଇ ନିଅନ୍ତୁ । ସେମାନଙ୍କ ତାତ୍ତ୍ୱିକ ବିଚାର ଏତେ ଉନ୍ନତ ନୁହେଁ ଯେ କେଉଁ ତାତ୍ତ୍ୱିକ ଧାରା ସଠିକ ଓ କେଉଁଟି ଭୂଲ । ସେମାନେ ସ୍ଥାନୀୟ ନେତା ଯାହାଙ୍କୁ ସେମାନେ ଆପଦ ବିପଦର ସାଥୀ ଓ ସହାୟକ ବୋଲି ଭାବନ୍ତି ସେମାନଙ୍କ ମତ ଓ କାର୍ଯ୍ୟ ସହ ଯୋଡ଼ି ହୋଇ କାର୍ଯ୍ୟ କରିଥାନ୍ତି । 

ଆମେ ଜାଣୁ, ଆଗକୁ ଦେଖି ଯେଉଁମାନେ ବାଟ ଚାଲନ୍ତି, ସେମାନେ ସାଧାରଣତଃ ଲକ୍ଷ୍ୟସ୍ଥଳରେ  ପହଞ୍ଚିବାରେ ସଫଳ ହୋଇଥାନ୍ତି । ଯେଉଁମାନେ ପଛକୁ ଦେଖି ବାଟ ଚାଲନ୍ତି, ସେମାନେ ଆଗକୁ ଅଗ୍ରସର ହୋଇପାରନ୍ତି ନାହିଁ । ସେମାନଙ୍କ ଅଗ୍ରଗତି ଧିମେଇ ଯାଏ । ଏପରିକି କଣେଇ କଣେଇ ପଛକୁ ଚାହିଁ ବାଟ ଚାଲିଲେ ମଧ୍ୟ ସେମାନେ ସିଧା ରାସ୍ତାରେ ଯାଇ ପାରନ୍ତି ନାହିଁ । ବାଟ ଚାଲିବାରେ ଏପଟ ସେପଟ ହୋଇଯାଆନ୍ତି, ଯାତ୍ରାର ଗତି ମନ୍ଥର ହୋଇଯାଏ । ବାଟ ହୁଡ଼ିଲେ ବିପଥଗାମୀ ହେବା ଅବଶ୍ୟମ୍ଭାବୀ, ତାହାକୁ ସଂଶୋଧନ କରିବା ଲାଗି ବେଳେବେଳେ ପୁରୁଷ ପୁରୁଷ ଚାଲିଯାଏ । ତେଣୁ ପଛକୁ ନୁହେଁ, ଆଗକୁ ଦେଖି ବାଟ ଚାଲିବା ଆବଶ୍ୟକ । 

ଅତୀତର ଭୂଲ ଭଟକାକୁ ନେଇ ଯେଉଁ କମ୍ୟୁନିଷ୍ଟ ମାନେ ଘାରି ହୁଅନ୍ତି, ବିର୍ତକ କରନ୍ତି, ସେମାନେ ଆଗକୁ ଦେଖିପାରନ୍ତି ନାହିଁ । ସେମାନଙ୍କ ଚିନ୍ତା ବିଚାର ମାନସିକତା ପଛ ଦିନର ଭୂଲଗୁଡିକୁ ଖୋଜି ଖୋଜି, ତାହାକୁ ତର୍ଜମା କରି କଟିଯାଏ । ଆଗକୁ କଣ କରିବାକୁ ଆବଶ୍ୟକ, ସେ ବିଷୟରେ ଚିନ୍ତା କରିବା, ପନ୍ଥା ନିର୍ଣ୍ଣୟ କରିବାକୁ ସମୟ ମିଳେ ନାହିଁ । ଯେଉଁ କିଛି ସମୟ ଆଗକୁ ଦେଖିବାପାଇଁ ଚେଷ୍ଟା କରେ, ଅତୀତର ଘଟଣାଗୁଡିକ ତାହାକୁ ପଛକୁ ଟାଣି ଧରେ । ଆଗକୁ ଅଗ୍ରସର ହେବାରେ ବାଧା ଦିଏ । ଏପରିକି ବର୍ତ୍ତମାନ ସମ୍ମୁଖରେ ରହିଥିବା ସୁଯୋଗକୁ ମଧ୍ୟ ହାତଛଡ଼ା କରିଦେଇଥାଏ । ଆଗକୁ ଅଗ୍ରସର ହୋଇପାରେ ନାହିଁ, ଯାହା ବିତି ଯାଇଛି, ତାହା ବିଷୟରେ ଭାବିବା, ଅନୁଶୋଚନା କରିବା କେବଳ ବୃଥା ହୋଇଥାଏ, କେବଳ ଅତୀତକୁ ନେଇ ବଞ୍ଚିହୁଏ ନାହିଁ । ଅତୀତର ଅଭିଜ୍ଞତାରୁ କିଛି ଉଚିତ ଶିକ୍ଷା ମିଳିପାରେ ବୋଲି ଆମେ ବିଚାର କରୁ, କିନ୍ତୁ ସେହି ଶିକ୍ଷା ଓ ଅନୁଭୂତି ସେତେବେଳର ପରିସ୍ଥିତି ଲାଗି ପ୍ରଯୁଜ୍ୟ ଥିଲା ।

ବର୍ତ୍ତମାନର ପରିସ୍ଥିତି ଅତୀତରେ ପରିସ୍ଥିତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଥାଏ । ଅତୀତର ଅନୁଭୂତିକୁ ଏହି ନୂତନ ପରିସ୍ଥିତିରେ ପ୍ରୟୋଗ କରିବାକୁ ଉଦ୍ୟମ କଲେ ତାହା ଫଳବତୀ ହୋଇନଥାଏ । ପୁଣି ଭୂଲ କରିବାକୁ ହୋଇଥାଏ । ନୂତନ ପରିସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟକରିବା ଜଣେ ବିଜ୍ଞ ବ୍ୟକ୍ତିର ଉଚିତ ବିଚାର ହୋଇଥାଏ ।

ବର୍ତ୍ତମାନର ପରିସ୍ଥିତି କ’ଣ, ଆଗରେ ଯେଉଁ ସମ୍ଭାବନା ରହିଛି, ଯାହା ବିପଦ ରହିଛି, ତାହାକୁ ତର୍ଜମା କରି କୌଶଳ ସ୍ଥିରକରିବା ଦ୍ୱାରା ଠିକ ମାର୍ଗରେ ଆଗେଇ ଯାଇହେବ ।

ତମେ ଅନ୍ୟକୁ କେବଳ ସମାଲୋଚନା କରି ସମୟ ନଷ୍ଟ କରନାହିଁ । ନିଜ କମ୍ୟୁନିଷ୍ଟ ପାର୍ଟିର ଆଦର୍ଶ, କାର୍ଯ୍ୟକ୍ରମ ଓ ନୀତିକୁ ଶ୍ରମଜୀବୀ ଲୋକଙ୍କ ନିକଟରେ ଉପସ୍ଥାପିତ କର, ତାହା କିପରି ଅନ୍ୟମାନଙ୍କ ମତବାଦ ଠାରୁ ଉନ୍ନତ ଓ ବାସ୍ତବ ତାହାକୁ ବୁଝାଅ, ବାରମ୍ବାର କୁହ – ପ୍ରକାଶ କର, ସେମାନେ ନ ବୁଝିବାର କାରଣ ଖୋଜ, କେଉଁ ତରିକ୍କାରେ ବୁଝାଇଲେ ସେମାନେ ବୁଝିବାରେ ସକ୍ଷମ ହେବେ, ତାହା ଚିନ୍ତାକରି ପ୍ରୟୋଗ କର, ଉଦାହରଣ ଦିଅ, ପୁରାଣ ଶାସ୍ତ୍ରରୁ ଉଦ୍ଧୃତି ମଧ୍ୟ ଦିଆଯାଇ ପାରେ । ସେମାନଙ୍କ ନିକଟରେ ନିଜର ନିଷ୍ଠାର ଆଦର୍ଶ ହୁଅ, କଥା ଓ କାର୍ଯ୍ୟରେ ଯେପରି ଫରକ ସେମାନେ ନ ଦେଖନ୍ତି, ସେପରି ଉଦାହରଣ ହୁଅ, ଦେଶର ଶ୍ରମଜୀବୀ ଜନସାଧାରଣ ଜନତା ତମକୁ ଗ୍ରହଣ କରିବେ, ବିଶ୍ୱାସ କରିବେ, ନିଜ ଜୀବନ ଦେଇ କାର୍ଯ୍ୟ କରିବେ ।

କମ୍ୟୁନିଷ୍ଟମାନେ ସମଗ୍ର ଶୋଷିତ-ପୀଡ଼ିତ  ମାନବ ସମାଜକୁ ଶୋଷଣରୁ ମୁକ୍ତ ଏକ ସାମ୍ୟବାଦୀ ସମାଜ ପ୍ରତିଷ୍ଠା ଜରିଆରେ ମଣିଷର ଆବଶ୍ୟକତାଗୁଡ଼ିକ ପୂରଣ କରିବା ଲାଗି କିପରି ସମ୍ଭବ, ତାହାକୁ ଶ୍ରମଜୀବୀ ଜନତାଙ୍କ ମଧ୍ୟରେ ପ୍ରକାଶ କରନ୍ତୁ । କମ୍ୟୁନିଷ୍ଟମାନଙ୍କ ଆଦର୍ଶ ଓ ନୀତି  ଶ୍ରମଜୀବୀଙ୍କ ପାଇଁ, ତେଣୁ ଶ୍ରମଜୀବୀଙ୍କୁ ସଙ୍ଗଠିତ କରିବାଲାଗି ସେମାନଙ୍କ ନିକଟରେ ରହିବାକୁ ହେବ, ଏକାଠି କରିବାକୁ ହେବ, ତାତ୍ତ୍ୱିକ ଶିକ୍ଷାରେ ଦୀକ୍ଷିତ କରିବାକୁ ହେବ । ସେମାନେ ଆଗଭର ହୋଇ ନିଜକୁ ସମସ୍ତ ଶ୍ରମଜୀବୀଙ୍କୁ ଏବଂ ସମଗ୍ର ମାନବସମାଜକୁ ଶୋଷଣ, କଷଣ, ଦୁଃଖ ଦୈନ୍ୟରୁ ମୁକ୍ତ କରିବେ । କମ୍ୟୁନିଷ୍ଟମାନେ କେବଳ ସେମାନଙ୍କ ଦିଗଦର୍ଶକ ଅଟନ୍ତି ।

Total Views: 446

Comments

0 comments

Share This Article