ପୋଷଣଯୁକ୍ତ ଚାଉଳର ପ୍ରଭାବକୁ ଅଣଦେଖା

348 Views
22 Min Read

ମୂଳ ଲେଖା: ଗିରୀଶ ଜାଲୀହାଲ

ଅନୁବାଦ : ସୁରେନ୍ଦ୍ର ପାତ୍ର

ଅଗଷ୍ଟ ୧୫, ୨୦୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଉପରକୁ ଚଢିଥିଲେ । ଲାଲକିଲ୍ଲା ହେଉଛି ସେହି ସ୍ଥାନ ଯେଉଁଠାରୁ ସାଧାରଣତଃ ନେତାମାନେ ତଳେ ବସିଥିବା ନାଗରିକମାନଙ୍କୁ ବଡ଼ ବଡ଼ ଭାଷଣ ଦେବାକୁ ପ୍ରୋତ୍ସାହିତ ହୋଇ ଥାଆନ୍ତି । ନରେନ୍ଦ୍ର ମୋଦୀ ମଧ୍ୟ କହିଥିଲେ ଯେ ୨୦୨୪ ସୁଦ୍ଧା ଦେଶରୁ ରକ୍ତହୀନତାକୁ ଦୂର କରିବା ପାଇଁ ଭାରତର ଅଧାରୁ ଅଧିକ ଲୋକଙ୍କୁ ସୁକ୍ଷ୍ମପୋଷକ (micronutrients) ଯୁକ୍ତ ପୁଷ୍ଟିକର ଚାଉଳ ଯୋଗାଇ ଦିଆଯିବ । କିନ୍ତୁ ତରବରିଆ ଭାବେ ସିଏ ଯେଉଁ ନୀତିର ଘୋଷଣା କରିଦେଲେ ତାହା ଯେତିକି ଅପରିପକ୍ୱ ମାନବ ସ୍ୱାସ୍ଥ୍ୟ ପ୍ରତି ସେତିକି କ୍ଷତିକାରକ ।

କିଛି ରିପୋର୍ଟର ଏ ବିଷୟରେ ଯେଉଁ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି, ତାହା ମୁତାବକ ମୋଦୀ ଏପରି ନିଷ୍ପତ୍ତିରେ ଆଗକୁ ଯିବା ପୂର୍ବରୁ ଏକଥାକୁ ଅଣଦେଖା କରିଦେଲେ ଯେ ଦେଶରେ ଏହି ବିଶେଷ ଚାଉଳର ପୁଷ୍ଟିକାରକ ପ୍ରଭାବ କେତେ ତାହା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଯେତେଗୁଡିଏ ପ୍ରାରମ୍ଭିକ ପରିଯୋଜନା କରାଯାଇଛି ବୋଲି କୁହାଯାଉଛି । କିନ୍ତୁ ତାହା ମୋଟେ ଆରମ୍ଭ ହିଁ ହୋଇନାହିଁ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହାକୁ ନେଇ ଏକ ଲାଲ ପତକା ଦେଖାଇଥିଲା ଓ କହିଥିଲା ଯେ ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ତାକୁ ଆକଳନ ନକରି ସରକାରଙ୍କର ଏପରି ନିଷ୍ପତ୍ତି ନେବାଟା ‘ଅପରିପକ୍ୱ’ । କିନ୍ତୁ କେନ୍ଦ୍ର ସରକାର ତାକୁ ଖାତିର କଲା ନାହିଁ । ପ୍ରତ୍ୟାଖ୍ୟାନ କରିଦେଲା । ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷକ ସଂସ୍ଥାମାନେ ପୁଷ୍ଟିକର ଚାଉଳର ଶିଶୁମାନଙ୍କ ସ୍ୱାସ୍ଥ୍ୟଉପରେ ପଡ଼ିବାକୁ ଥିବା ବିପରୀତ ପ୍ରଭାବର ବ୍ୟାପକ ଅଧ୍ୟୟନ ପାଇଁ ଯେଉଁ ପରାମର୍ଶ ଦେଇଥିଲେ ତାକୁ ବେଖାତିର କରି ବସ୍ତା ବସ୍ତା ତଥାକଥିତ ପୁଷ୍ଟିସାରଯୁକ୍ତ ବା ପୋଷଣଯୁକ୍ତ ଚାଉଳ ଟ୍ରକରେ ଲଦା ହୋଇ ବିଭିନ୍ନ ଯାଗାକୁ ପଠା ଚାଲିଛି ।

ମୋଦୀ ଏହା ଉପରେ ଥିବା ଆଭ୍ୟନ୍ତରୀଣ ତଥା ବାହ୍ୟ ସତର୍କତାକୁ ଖାତିର ନ କରି ଏକ ଯୋଜନା ଘୋଷଣା କରିଦେଲେ ଯେ ୮୦ କୋଟି ଭାରତୀୟଙ୍କୁ ବାଧ୍ୟତାମୂଳକ ଭାବେ ଏପରି ଚାଉଳ ଯୋଗାଇ ଦିଆଯିବ । ଏହି ୮୦ କୋଟି ଲୋକ ହେଉଛନ୍ତି ସେହି ସବୁ ଗରିବ ଲୋକ ଯେଉଁମାନେ ବିଭିନ୍ନ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ସାରିଛନ୍ତି । ଏ ଯାବତ୍ କେନ୍ଦ୍ର ସରକାର ରକ୍ତହୀନତା ତଥା ପୁଷ୍ଟିହୀନତାର ସମାଧାନ ପାଇଁ ୧୩୭.୭୪ ଲକ୍ଷ ଟନ୍ ପୋଷଣଯୁକ୍ତ ଚାଉଳ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ହିତଗ୍ରାହୀମାନଙ୍କୁ ଦେବାପାଇଁ ରାଜ୍ୟମାନଙ୍କୁ ପଠାଇ ସାରିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ଭାରତର ୧.୭ ନିୟୁତ ଶିଶୁ ଗମ୍ଭୀର ପୁଷ୍ଟିହୀନତାରେ ପିଡ଼ିତ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏଥିରୁ ଅଧିକାଂଶ ଶିଶୁଙ୍କ ଖାଦ୍ୟରେ ଲୌହସାରର ଅଭାବ ଜନିତ କାରଣରୁ ସେମାନଙ୍କ ଠାରେ ରକ୍ତହୀନତା ଦେଖିବାକୁ ମିଳୁଛି । ସର୍ବୋପରି ଏକ ହିସାବରୁ ଦେଖାଯାଇଛି ଯେ ଭାରତର ପାଂଚବର୍ଷ ବୟସରୁ କମ୍ ୬୭.୧ % ଶିଶୁ ଓ ୧୫ ରୁ ୪୯ ବର୍ଷ ବୟସ୍କା ମହିଳା ବା ମା ରକ୍ତହୀନତା ଭୋଗୁଛନ୍ତି । ୨୦୧୯ ରୁ ୨୦୨୧ ମଧ୍ୟରେ ଶିଶୁମାନଙ୍କ ମଧ୍ୟରେ ୨୦୧୫-୧୬ ଠାରୁ ରକ୍ତହୀନତା ୯ % ବଢିଗଲା । ସରକାରଙ୍କ କହିବା କଥା ଯେ ଲୌହସାର, ଫୋଲିକ ଏସିଡ, ଭିଟାମିନ ବି-୧୨ ଆଦି ସହିତ ଦିଆଯାଉଥିବା ପୋଷଣଯୁକ୍ତ ଚାଉଳରେ ଭାତ ରାନ୍ଧି ଖାଇଲେ ତାହା ସୁକ୍ଷ୍ମପୁଷ୍ଟିହୀନତା (ବା ଗୁପ୍ତ-କ୍ଷୁଧା) ତଥା ରକ୍ତହୀନତାକୁ ଦୂର କରି ଦେଇ ପାରିବ ।

ସାରା ବିଶ୍ୱରେ ସୁକ୍ଷ୍ମ-ପୁଷ୍ଟିସାର ହୀନତା ବା ଅପପୁଷ୍ଟି ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ପୁଷ୍ଟିକରଣ କରାଯାଇଥିବା ଖାଦ୍ୟ ହେଉଛି ଏକ ବଡ଼ ଅସ୍ତ୍ର । ଉଦାହରଣ ସ୍ୱରୂପ ଜଳଗଣ୍ଡ ରୋଗକୁ ଦୂରେଇବା ପାଇଁ ଖାଇବା ଲୁଣକୁ ଆୟୋଡିନଯୁକ୍ତ କରାଯାଇଛି । ଏବେ ସରକାର ଯେପରି ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ପୁଷ୍ଟିକାରକ ଚାଉଳ ଯୋଗାଇବା ଉଦ୍ୟମ କରୁଛନ୍ତି ସମାନ୍ତରାଳ ଭାବରେ କେତେକ ରାଜ୍ୟକୁ ପୋଷଣଯୁକ୍ତ ଗହମ, ତେଲ ଓ ଦୁଗ୍ଧ ମଧ୍ୟ କେତେକ ସାମାଜିକ ସୁରକ୍ଷା ଯୋଜନାରେ ଯୋଗାଣ ଆରମ୍ଭ ହେଲାଣି ।

ବିଶେଷଜ୍ଞମାନଙ୍କର କହିବାନୁଯାୟୀ କୃତ୍ରିମ ଉପାୟରେ ପୋଷଣଯୁକ୍ତ କରାଯିବା ଦ୍ୱାରା ମାଇକ୍ରୋନ୍ୟୁଟ୍ରିଏଣ୍ଟ କମହେବା ସମସ୍ୟାର ସମାଧାନ ହୋଇଯିବ ବୋଲି ଭାବିବା ଠିକ ନୁହେଁ । ସେମାନଙ୍କ କହିବା କଥା ଯେ ଖାଦ୍ୟରେ ବିବିଧତା ଆଣି ପାରିଲେ ତଥା ଉଚିତ୍ ମୂଲ୍ୟରେ ଖାଦ୍ୟପଦାର୍ଥ ଯୋଗାଣ ହୋଇ ପାରିଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ । କିନ୍ତୁ ଅତୀତରେ , ଖର୍ଚ୍ଚ କମାଇବା ପାଇଁ, କେନ୍ଦ୍ର ସରକାର, ଏହାର ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକମାନଙ୍କର ତାଜା ଓ ସୁଷମ ଖାଦ୍ୟ ପ୍ରାପ୍ତିକୁ ସୀମିତ କରିବା କାର୍ଯ୍ୟଟିକୁ ବେଶ୍ ସକ୍ରୀୟଭାବେ କରିଛନ୍ତି । ଏବେ ସରକାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଲୋକଙ୍କୁ କୃତ୍ରିମ ଭାବେ ପୋଷଣଯୁକ୍ତ ଚାଉଳ ଦେବା ପଛରେ ପଡ଼ିଛନ୍ତି ।

କିନ୍ତୁ ବିଜ୍ଞାନ ଏ ଯାବତ୍ ଲୋକଙ୍କୁ ପୋଷଣଯୁକ୍ତ ଚାଉଳ ଦେବା ସପକ୍ଷରେ ସ୍ୱୀକୃତି ଦେଇନାହିଁ ।

ଏହି ଯେଉଁ ପୋଷଣଯୁକ୍ତ ଚାଉଳ ସେଥିରେ ଧାନକୁ କୁଟି ତାକୁ ସେଦୁଅ (ଡଫ୍) ପରି କରି ଦିଆଯାଏ, ତାପରେ ସେଥିଲେ ପୋଷଣସାମଗ୍ରୀ ସବୁ ପକାଯାଇ ପୁଣି ତାକୁ ମେସିନ ସହାୟତାରେ ଚାଉଳର ରୂପ ଦିଆଯାଏ । କିନ୍ତୁ କାହାରିକୁ ବି କେବଳ ଏହି ଅପ୍ରାକୃତିକ ଚାଉଳକୁ ପୁରା ଭାତ କରି ଖାଇବାକୁ ମିଳେ ନାହିଁ । ପାଖାପାଖି ୧୦୦ଟି ସାଧାରଣ ଚାଉଳ ଭିତରେ ଏପରି ଗୋଟିଏ ବିଶେଷ ଚାଉଳକୁ ଦେଖିବାକୁ ମିଳିଥାଏ । ଏହି ପୋଷଣଯୁକ୍ତ ଚାଉଳ ସତରେ ରକ୍ତହୀନତା ତଥା ପୁଷ୍ଟିହୀନତାର ସମାଧାନ କରି ପାରୁଛି କି ନାହିଁ ଜାଣିବା ପାଇଁ କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରାରମ୍ଭିକ ପ୍ରକଳ୍ପ(Pilot Project)ରେ ପରୀକ୍ଷା ଆରମ୍ଭ କଲେ । ଦେଶର ଅଧା ଲୋକଙ୍କ ଭିତରେ ଏହି ପରୀକ୍ଷା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିଥିଲା । ତେବେ ସେହି ସବୁ ପରୀକ୍ଷାରୁ କ’ଣ ଫଳ ଆସୁଛି ତା’କୁ ଅପେକ୍ଷା ନକରି ମୋଦୀ ୨୦୨୧ରେ ଦେଶର ଅଧାଅଧି ଲୋକଙ୍କୁ ପ୍ରଭାବିତ କଲା ଭଳି ଏକ ପୂର୍ଣ୍ଣ-ବିକଶିତ ଯୋଜନାର ଘୋଷଣା କରିଦେଲେ ।

ଯେତେବେଳେ ମୋଦୀ ଏହା ଘୋଷଣା କଲେ ସେତେବେଳକୁ ୧୫ଟି ରାଜ୍ୟରେ ୧୫ଟି ପାଇଲଟ ଯୋଜନାରୁ ୯ଟିରେ କାମ ମୋଟେ ଆରମ୍ଭ ହୋଇ ନ ଥିଲା ଯଦିଓ ଏହି ୧୫ଟି ରାଜ୍ୟ ନିଜ ରାଜ୍ୟରେ ପ୍ରାରମ୍ଭିକ ଯୋଜନା ଚାଲୁ କରିବା ପାଇଁ ଅନୁମତି ଦେଇ ସାରିଥିଲେ । କିନ୍ତୁ ସରକାରୀ ଅଧିକାରୀମାନେ ମୋଦୀଙ୍କ ସ୍ୱାଧୀନତା ଦିବସର ଘୋଷଣାକୁ ସେମାନଙ୍କ ପାଇଁ କାମ କରିବାର ଏକ ଆହ୍ୱାନ ବୋଲି ଧରିନେଲେ ଓ ସେମାନେ ଯେତେବେଳେ ଏହି ଯୋଜନାର ଅନୁମୋଦନ ପାଇଁ କୌଣସିଠାରେ ପହଂଚୁଥିଲେ ସେତେବେଳେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଯୋଜନା ପଛର ସ୍ୱୀକୃତି ହିସାବରେ ପେଶ୍ କରୁଥିଲେ ।

ରାଜ୍ୟଗୁଡ଼ିକର ଏହି ପ୍ରାରମ୍ଭିକ ଯୋଜନା ପାଇଁ ସେପରି କୌଣସି କ୍ଷୁଧା ନ ଥିଲା । ପ୍ରକଳ୍ପ ଅଧା ହେଲା ବେଳକୁ ଏହି ଚାଉଳ ମାତ୍ର ଛଅଟି ଜିଲ୍ଲାରେ ଯୋଗାଇ ଦିଆଯାଉଥିଲା, ତାହା ପୁଣି ଗୋଟିଏ ରାଜ୍ୟରେ ଗୋଟିଏ ଜିଲ୍ଲା ହିସାବରେ ।

ଚାରୋଟି ରାଜ୍ୟ ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ପରେ ପରେ ଏହି ପୋଷଣଯୁକ୍ତ ଚାଉଳ ବିତରଣ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାର ପରିଣାମ ଏଇଆ ହେଲା ଯେ ପ୍ରାରମ୍ଭିକ(Pilot) ଯୋଜନା ଗୁଡ଼ିକ ବିଫଳ ହେଲା ।

ଦିଲ୍ଲୀରେ ୨୫ ଅକ୍ଟୋବର ୨୦୨୧ରେ ଆୟୋଜିତ ଏକ ସଂଗୋଷ୍ଠୀରେ ଏ ବିଷୟରେ ନିଜର ମତ ରଖି ତକ୍ରାଳୀନ ଖାଦ୍ୟ ଓ ସାଧାରଣ ବଂଟନ ବ୍ୟସ୍ଥାର ବିଭାଗୀୟ ସଚିବ ସୁଧାଂଶୁ ପାଣ୍ଡେ କହିଥିଲେ, “ଆମକୁ ବହୁ ଲୋକ ପ୍ରଶ୍ନ କରିଥିଲେ ଯେ “ଆମର ପ୍ରାରମ୍ଭିକ (Pilot) ପ୍ରକଳ୍ପ ସଫଳ ହେଲା ନାହିଁ କାହିଁକି ?” “ଆମେ ୧୫ଟି ରାଜ୍ୟରେ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଥିଲୁ । ଏହା ପ୍ରତି ରାଜ୍ୟର ଗୋଟିଏ ଜିଲ୍ଲାରେ ହୋଇଥିଲା । କିନ୍ତୁ ଏଥିରେ କେତେକ ମୌଳିକ ସମସ୍ୟା ରହିଥିଲା ।” ସେ କହିଥିଲେ ଯେ “ଏହି ସମସ୍ୟା ଗୁଡିକ ଥିଲା ମୁଖ୍ୟତଃ ଯୋଗାଣ ବ୍ୟବସ୍ଥାକୁ ନେଇ ।” ସେ ଆଉ ଭିତରକୁ ଯାଇ ଏକଥା କହି ନ ଥିଲେ ଯେ ଯେଉଁ ପ୍ରାରମ୍ଭିକ ବ୍ୟବସ୍ଥାରେ ଏପରି ସମସ୍ୟାମାନ ରହିଛି ସେ ବ୍ୟବସ୍ଥା କିପରି ବୈଜ୍ଞାନିକ ଉପାୟରେ ସଠିକ୍ ପରିଣାମ ଆଣି ଦେଇଥାଆନ୍ତା ?

ଭାରତର ରାଷ୍ଟ୍ର ପରିଚାଳିତ ବିଶେଷଜ୍ଞ ବା ପ୍ରବୁଦ୍ଧ ମଣ୍ଡଳୀ -ନୀତି ଆୟୋଗର ବରିଷ୍ଠ ପରାମର୍ଶଦାତା ଅନୁରାଗ ଗୋୟେଲ ଥରେ ଏହି ଯୋଜନାକୁ ସାର୍ବଜନୀନ କରାଯିବା ପାଇଁ ଡକା ଯାଇଥିବା ଏକ ଆଭ୍ୟନ୍ତରୀଣ ବୈଠକରେ ମାନିଲେ ଯେ- ପାଇଲଟ୍ସ ବା ପ୍ରାରମ୍ଭିକ ଯୋଜନା (ପ୍ରକଳ୍ପ)ଗୁଡିକ “ସେତେ ପରିମାଣରେ ସଫଳ ହୋଇ ନ ଥିଲା ।”

କିନ୍ତୁ ସେହି ପ୍ରଶ୍ନଟି ଯେତେବେଳେ ୫ ଅଗଷ୍ଟ ୨୦୨୨ରେ ସଂସଦରେ ପଚରାଗଲା, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ମିଛରେ କହିଲା ଯେ “ ପ୍ରାରମ୍ଭିକ ଯୋଜନା ସାରା ଦେଶରେ ପୋଷଣଯୁକ୍ର ଚାଉଳ ପାଇଁ ପରିସ୍ଥିତିକି କୁ ନିଶ୍ଚିତ କରିବାରେ ସଫଳ ହୋଇଛି । ବିଭାଗ କହିଲା ଯେ ପାଇଲଟ ପ୍ରକଳ୍ପ ଏଥି ସହ ସଂଶ୍ଳିଷ୍ଟ ମୁଖ୍ୟ ଲୋକମାନଙ୍କୁ ଏକ ବୃହତ ସାର୍ବଜନୀନ ବ୍ୟବସ୍ଥା ପ୍ରସ୍ତୁୂତ କରିବା ପାଇଁ ସୁଯୋଗ ଦେଇଛି । କିନ୍ତୁ ପୁଷ୍ଟିସାରର ଅଭାବ କମାଇବା କ୍ଷେତ୍ରରେ ପୋଷଣଯୁକ୍ତ ଚାଉଳର ପ୍ରଭାବ କ’ଣ ବୋଲି ଯେତେବେଳେ ପ୍ରଶ୍ନ କରାଗଲା ବିଭାଗ ଚୁପ୍ ରହିଥିଲା । ଅଥଚ ପୋଷଣଯୁକ୍ତ ଚାଉଳ ଦିଆଯିବାର ପ୍ରାରମ୍ଭିକ କାର୍ଯ୍ୟକଳାପର ପ୍ରମୁଖ ଯେତେକ ଉଦ୍ଦେଶ୍ୟ ଭିତରୁ ଏଇଟି ଥିଲା ଅନ୍ୟତମ ।

ଅର୍ଥ ବ୍ୟୟ ବିଭାଗ (Department of Expenditure) ୨୦୧୯ରେ ତାଙ୍କର ଏକ କାର୍ଯ୍ୟାଳୟ ମେମୋରେ ଚେତାଇ ଦେଇଥିଲେ ଯେ ପ୍ରଥମେ ପ୍ରାରମ୍ଭିକ (Pilot) ଯୋଜନାର ଫଳାଫଳକୁ ଅଧ୍ୟୟନ ନ କରି ପୋଷଣଯୁକ୍ତ ଚାଉଳକୁ ସାର୍ବଜନୀନ କରିବା କଥା ଚିନ୍ତା କରିବା ଅପରିପକ୍ୱତା ହୋଇଯିବ ।

ଦି ରିପୋଟର୍ସ କଲେକ୍ଟିଭ ଏ ବିଷୟରେ ନୀତି ଆୟୋଗ, ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ରିପୋର୍ଟ ମାଗିଥିଲେ । କିନ୍ତୁ ବହୁବାର ମନେ ପକାଇଦେବା ସତ୍ତ୍ୱେ କେହି ଏହାର ଜବାବ ଦେବାକୁ ପସନ୍ଦ କରି ନ ଥିଲେ ।

ଅନେକ ପ୍ରଶ୍ନ ଯୋଗ୍ୟ ପ୍ରାରମ୍ଭିକ ଯୋଜନା

ପୋଷଣଯୁକ୍ତ ଚାଉଳକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଏକମାତ୍ର ଅଧ୍ୟୟନ ରିପୋର୍ଟଟି ରହିଛି ତାହା ହେଉଛି ମହାରାଷ୍ଟ୍ରର ଗଡଚିରୋଲୀ ଜିଲ୍ଲାର ଗୋଟିଏ ପ୍ରାରମ୍ଭିକ ପରିଯୋଜନା ବିଷୟରେ ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟ । ଏହି ପ୍ରାରମ୍ଭିକ Pilot ଯୋଜନାଟି ନଭେମ୍ବର ୨୦୧୮ରେ ଆରମ୍ଭ ହୋଇଥିଲା । ଏହା ଭଅଁରାଗଡ ଏବଂ ଖୁରଖେଦା ଗାଁଆ ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରୀତ କରିଥିଲା । ଏଠାକାର ଲୋକସଂଖ୍ୟା ୧,୨.୩୯୮ ଥିଲା ।

ସେହିଭଳି ଆଉ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସଂସଦକୁ କହିଥିଲେ ଯେ -ମହାରାଷ୍ଟ୍ର ସରକାର ପୋଷଣଯୁକ୍ତ ଚାଉଳର ମୂଲ୍ୟାୟନ ଉପରେ ଏକ ଅଧ୍ୟୟନ କରିଥିଲେ । ସେମାନେ ଦେଖିଥିଲେ ଯେ ଏହି ଚାଉଳର ବ୍ୟବହାର ପ୍ରୟୋଜନୀୟ । ଏହି ଉତ୍ତରଟି ୨୭ ଜୁଲାଇ ୨୦୨୧ରେ ଖାଉଟୀ(ଉପଭୋକ୍ତା) ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାହ୍ୟା ମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ସଂସଦରେ ରଖିଥିଲେ । ତେବେ ଏହି ଅଧ୍ୟୟନର ପ୍ରକୃତ ଫାଳାଫଳ କ’ଣ ବାହାରିଥିଲା ସେ ବିଷୟରେ ବିଭାଗ କିଛି କହି ନ ଥିଲା ।

‘ଦି ରିପୋର୍ଟରସ କଲେକ୍ଟିଭ’ ଏହି ଅଧ୍ୟୟନକୁ ବୁଝିବାକୁ ଉଦ୍ୟମ କରିଥିଲେ । ସେମାନେ ମଧ୍ୟ ଟାଟା ଟ୍ରଷ୍ଟକୁ ସେମାନଙ୍କର କେତେକ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ । ଟାଟା ଟ୍ରଷ୍ଟର ଜଣେ ପ୍ରବକ୍ତା ମେଲରେ ଦି କଲେକ୍ଟିଭକୁ କହିଥିଲେ ଯେ “ ଗଡଚିରୋଲୀ ଜିଲ୍ଲାର ଦୁଇଟି ବ୍ଲକରେ ଯେଉଁଠାରେ କାର୍ଯ୍ୟକ୍ରମ କରାଯାଇଥିଲା ସେଠାରେ ଯେଉଁମାନଙ୍କୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା ସେମାନଙ୍କ ଭିତରେ ଏହା ଫଳପ୍ରଦ ହୋଇଛି ଓ ସକାରାତ୍ମକ ପରିବର୍ତ୍ତନ ଆଣିଛି ।

ଅଧ୍ୟୟନ ଦର୍ଶାଉଛି ଯେ ଯେଉଁମାନଙ୍କୁ ଗତ ୧୧ ମାସ ଧରି ପୋଷଣଯୁକ୍ତ ଚାଉଳ ଖାଇବାକୁ ଦିଆଯାଇଛି ସେମାନଙ୍କର ହିମୋଗ୍ଲୋବିନ ସ୍ତରରେ ଉନ୍ନତି ଘଟିଛି । କିନ୍ତୁ ଏକଥା ମଧ୍ୟ ଦେଖିବାକୁ ମିଳିଛି ଯେ ୧୯ ରୁ ୪୯ ବର୍ଷ ମଧ୍ୟରେ ମା’ମାନେ ଯେଉଁମାନଙ୍କୁ ପୋଷଣଯୁକ୍ତ ଚାଉଳ ଖାଇବାକୁ ଦିଆଯାଇଛି, ସେମାନଙ୍କର ଧୂମ୍ରପାନ ଅଭ୍ୟାସ ୩୦ % କମି ଯାଇଛି, ଯେଉଁମାନେ ପୋଷଣଯୁକ୍ତ ଚାଉଳ ଖାଉ ନାହାନ୍ତି ସେମାନଙ୍କର ଏହି ଅଭ୍ୟାସ ମାତ୍ର ୮ % କମ ହୋଇଛି । ସେହିପରି ୧୯ ବର୍ଷରୁ ୪୯ ବର୍ଷର ମା ଯେଉଁମାନଙ୍କୁ ପୋଷଣଯୁକ୍ତ ଚାଉଳ ଦିଆ ଯାଇନାହିଁ ସେମାନଙ୍କର ମଦ୍ୟପାନ ଅଭ୍ୟାସ ୩୫୦% ବୃଦ୍ଧି ପାଇଛି । କିନ୍ତୁ ଯେଉଁମାନଙ୍କୁ ପୋଷଣଯୁକ୍ତ ଚାଉଳ ଦିଆଯାଇଛି ସେମାନଙ୍କର ଏହି ଅଭ୍ୟାସ ମାତ୍ର ୨୧ % ବୃଦ୍ଧି ପାଇଛି । ଏହି ଅଧ୍ୟୟନ ପଛରେ ଥିବା ବୈଜ୍ଞାନିକ ବା ଟାଟା ଟ୍ରଷ୍ଟ୍ ଅଧ୍ୟୟନରେ କେଉଁଠାରେ ହେଲେ କେହି କହି ନାହାନ୍ତି ଯେ ସେମାନେ କାହିଁକି ଏହି ମା’ ମନଙ୍କ କ୍ଷେତ୍ରରେ ପୋଷଣଯୁକ୍ତ ଚାଉଳ ଖାଇବାକୁ ମଦ ପିଇବା ଓ ଧୂମ୍ରପାନ କରିବା ଅଭ୍ୟାସ ସହିତ ଯୋଡିଛନ୍ତି ।

କିନ୍ତୁ ସେମାନଙ୍କ ଜବାବରେ ଟାଟା ଟ୍ରଷ୍ଟ, ଅବିଶ୍ୱସନୀୟ ଭାବେ ଆହୁରି ମଧ୍ୟ କହିଛନ୍ତି ଯେ “ ଏହି ଉଭୟ ବ୍ଲକରେ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ସମ୍ଭବ ହୋଇଥିବାର ଦେଖିବାକୁ ମିଳିଲା । ବିଭିନ୍ନ ମେଡ଼ିକାଲରେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସୁଥିବା ଶିଶୁ ମାନଙ୍କର ଚିକିତ୍ସା ଏବଂ ଯତ୍ନରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଥିଲା ।” କିନ୍ତୁ ସେମାନେ ଏକଥା କହି ନ ଥିଲେ ଯେ ପୋଷଣଯୁକ୍ତ ଚାଉଳ ଖାଇବା ଦ୍ୱାରା କିପରି ଏହି ସବୁ ଘଟଣା ଘଟିଥିଲା ।

ଯେଉଁ ବିଶେଷଜ୍ଞମାନଙ୍କ ସହିତ ‘ଦି କଲେକ୍ଟିଭ’ ଏ ସମ୍ବନ୍ଧରେ ଆଲୋଚନା କରିଥିଲା ସେମାନେ କହିଥିଲେ- “ଏହି ଅଧ୍ୟୟନ ଅତି ହାଲକା ଭାବରେ ପରିକଳ୍ପନା କରାଯାଇଛି । ସେମାନେ ଦର୍ଶାଇଥିଲେ ଯେ ଏଥିରେ ପ୍ରାରମ୍ଭିକ ପ୍ରକଳ୍ପ (ପାଇଲଟ୍ ପ୍ରୋଜେକ୍ଟ)ର ଫଳାଫଳ କୌଣସି ପତ୍ରପତ୍ରିକାରେ ପ୍ରକାଶ କରାଯାଇନାହିଁ କିମ୍ବା କେହି ପ୍ରତିଷ୍ଠିତବ୍ୟକ୍ତି ଏହାର ସମୀକ୍ଷା କରିନାହାନ୍ତି । ପ୍ରାରମ୍ଭିକ ପରିଯୋଜନା, ଜନସ୍ୱାସ୍ଥ୍ୟ ଗବେଷଣାକାରୀଙ୍କର ଦୃଷ୍ଟି କେବଳ ଲଜିଷ୍ଟିକାଲ ଫିଜିବିଲିଟୀ ଉପରେ ଅଧିକ ରହିଥିଲା, ପୌଷ୍ଟିକତା ଉପରେ ଏହାର ପ୍ରଭାବ କ’ଣ ତା ଉପରେ କମ ରହିଥିଲା ।

ସରକାର ସଂସଦରେ ଉତ୍ତର ଦେଇ ଟାଟା ଟ୍ରଷ୍ଟର ଅଧ୍ୟୟନ ଦରକାରୀ ବୋଲି କହିବାର ଅଠରଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଘୋଷଣା କଲେ ଯେ ପ୍ରାରମ୍ଭିକ ଯୋଜନା ଧୂଳିସାତ ହୋଇ ଯାଇଥିଲେ ବି ସରକାର ସାରାଦେଶରେ ପୋଷଣଯୁକ୍ତ ଚାଉଳ ଯୋଗାଇବେ ।

ଯେତେବେଳେ ସରକାରୀ ଅଧିକାରୀମାନେ ସଂସଦରେ ଯୋର ଦେଇ କହିଲେ ଯେ ପ୍ରାରମ୍ଭିକ ଯୋଜନା (Pilot) ସଫଳ ଥିଲା, ସେତେବେଳେ ଅମଲାତନ୍ତ୍ର ଭିତରେ ଭିତରେ ମାନିଥିଲା ଯେ ଏହା ପ୍ରତି ଲୋକଙ୍କର ପ୍ରତିକ୍ରିୟା ଦୁର୍ବଳ, ନିଷ୍ପ୍ରଭ(Lacklustre) ଥିଲା ଓ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଥିଲା ଯେ ପୋଷଣଯୁକ୍ତ ଚାଉଳର ଫଳପ୍ରଦ ଦିଗଟି ପ୍ରତି ନିଶ୍ଚିତ ହେବାକୁ ହେଲେ ଆଉ ଅଧିକ ଅଧ୍ୟୟନ ଓ ପ୍ରମାଣର ଆବଶ୍ୟକତା ରହିଛି ।

ତରବରିଆ ପରଷା

ପ୍ରାରମ୍ଭିକ ପ୍ରକଳ୍ପ ବିଫଳ ହେବା ପରେ ସରକାର ଦେଶର ୮୦ କୋଟି ଜନତାଙ୍କୁ ପୋଷଣଯୁକ୍ତ ଚାଉଳ ଦେବାପାଇଁ କେତେକ ବୈଜ୍ଞାନିକ ଉପାୟରେ କରାଯାଇଥିବା ବଚ୍ଛା ବଚ୍ଛା ଅଧ୍ୟୟନ ଉପରେ ଗୁରୁତ୍ୱ ଦେଲେ ।

ଜୁନ ୨୦୨୧ରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ୧୩ଟି ଗବେଷଣାତ୍ମକ ସନ୍ଦର୍ଭର ଏକ ସୂଚୀ ତିଆରି କଲେ । ସେ ଏହାକୁ ଉପଭୋକ୍ତା କଲ୍ୟାଣ ବିଭାଗର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭିତିରିଆ ଦେବା ପାଇଁ ତିଆରି କରିଥିଲେ । କାରଣ ତାଙ୍କ ମନ୍ତ୍ରାଳୟ ଏହି ଚାଉଳର ସଂଗ୍ରହ ତଥା ବିତରଣ ଦାୟିତ୍ୱରେ ରହିଛି ।

ଖାଦ୍ୟ ବିଭାଗ ଏକତ୍ରିତ କରିଥିବା ଏହି ପ୍ରମାଣଗୁଡ଼ିକୁ ନିରିଖେଇ ଦେଖିଲେ ପୋଷଣଯୁକ୍ତ ଚାଉଳର ଯୋଗାଣକୁ ନେଇ ଯେ କୌଣସି ବ୍ୟକ୍ତିର ମନରେ ଆହୁରି ଅନେକ ପ୍ରଶ୍ନ ଉଠିବ ।

ଲିଷ୍ଟରେ ଥିବା ୧୩ଟି ନିବନ୍ଧ ଭିତରୁ ୧୧ଟିରେ ପୋଷଣଯୁକ୍ତ ଚାଉଳର ଉପକାର ବିଷୟରେ କିଛି କଥା କୁହାଯାଇଛି, କିନ୍ତୁ ଦୁଇଟିରେ ସ୍ପଷ୍ଟ କରି ଦିଆଯାଇଛି ଯେ ପୋଷଣଯୁକ୍ତ ଚାଉଳର ମଣିଷ ଶରୀରର ଲୌହସାର, ଜୀବସାର କ ଏବଂ ହେମଗ୍ଲୋବିନ ସ୍ତର ଉପରେ କୌଣସି ପ୍ରଭାବ ନାହିଁ ।

ସୂଚୀରେ ଥିବା ଆଉ ଗୋଟିଏ ନିବନ୍ଧ ଯେଉଁଥିରେ ପୋଷଣଯୁକ୍ତ ଚାଉଳର ସୁଗୁଣ ଗୁଡ଼ିକୁ ପ୍ରମାଣ କରିବାର ଉଦ୍ୟମ କରାଯାଇଛି ତାହାର ଜଣେ ସଂଯୁକ୍ତ ଲେଖକ ସିଧା ସଳଖ ପୋଷଣଯୁକ୍ତ ଚାଉଳର ଦୁର୍ଗୁଣଗୁଡ଼ିକ ବିଷୟରେ ସମସ୍ତଙ୍କୁ ସଚେତନ କରାଇ ଦେଇଛନ୍ତି ।

କୌତୁହଳର ବିଷୟ ହେଉଛି ଯେ ଖାଦ୍ୟ ବିଭାଗ ଯୁକ୍ତ-ରାଜ୍ୟ(ୟୁ-କେ)ର ଜଣେ ଗବେଷକ କୋଚରେନଙ୍କର ପୋଷଣଯୁକ୍ତ ଚାଉଳ ଉପରେ ଲେଖାଯାଇଥିବା ସମୀକ୍ଷାଟିକୁ ଅଣଦେଖା କରିଦେଲେ । ଏହି ସମୀକ୍ଷକଙ୍କ ସହିତ ‘ଦି କଲେକ୍ଟିଭ’ ଆଲୋଚନା କରିଥିଲା ଓ ପୋଷଣଯୁକ୍ତ ଚାଉଳ ଉପରେ ଯେତେ ବୈଜ୍ଞାନିକ ଲେଖା ଆସିଛି ସେଥିରେ ଏହା ସୁନା ଭଳି ଝଟକୁଥାଏ ବୋଲି କୁହାଯାଇପାରେ ।

କୋଚରେନଙ୍କ ସମୀକ୍ଷାଟି ପୋଷଣଯୁକ୍ତ ଚାଉଳ କିପରି ଫଳପ୍ରଦ ତା ଉପରେ କରାଯାଇଥିବା ବିଭିନ୍ନ ଅଧ୍ୟୟନର ଏକ ମିଳିତ ରିପୋର୍ଟ । ଏବଂ ଏଥିରେ ସେସବୁର ବିଶ୍ଳେଷଣ କରାଯାଇଛି । ଏଥିରେ ପୋଷଣଯୁକ୍ତ ଚାଉଳ ଉପରେ ପ୍ରସ୍ତୁତ କରାଯାଇଥିବା ୧୭ଟି ସନ୍ଦର୍ଭ ବିଷୟରେ କିଛି ହେଲେ କୁହାଯାଇ ନାହିଁ । ଖାଦ୍ୟ ମନ୍ତ୍ରାଳୟର ୧୩ଟିରୁ ୬ଟି ପେପର କୋଚରେନଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ୧୭ଟି ନିବନ୍ଧ ଭିତରେ ରହିଛି ।

ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ “ଚାଉଳକୁ ଲୌହସାର ବା ଅନ୍ୟାନ୍ୟ ସୁକ୍ଷ୍ମ ପୁଷ୍ଟିକାରକ ଦେଇ ପୋଷଣଯୁକ୍ତ କରିଦେଲେ ତାହା ରକ୍ତହୀନତା ଓ ଅନ୍ୟାନ୍ୟ ଲୌହସାର ଅଭାବଜନିତ ସମସ୍ୟାର ସେପରି ବଡ଼ କିଛି ସମାଧାନ କରି ପାରିବ ନାହିଁ । ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ୨ ବର୍ଷରୁ ଅଧିକ ବୟସ୍କ ମଣିଷ ଶରୀରରେ ହିମୋଗ୍ଲୋବିନର ମାତ୍ରା ଯେ ବଢିଯିବ ସେ ବିଷୟରେ ଆମେ ନିଶ୍ଚିତ ନୁହେଁ ।”

ଡଃ ଏଚପିଏସ ସଚ୍ଚଦେବ, ଯିଏକି କେନ୍ଦ୍ର ସରକାରଙ୍କର ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟୀ ଅଫ ଇଣ୍ଡିଆ ର ପ୍ୟାନେଲ ଅନ୍ ନ୍ୟୁଟ୍ରୀସନ ଆଣ୍ଡ ଫୋର୍ଟିଫିକେସନ (FSSAI)ର ବରିଷ୍ଠ ପରାମର୍ଶଦାତା ଅଛନ୍ତି, ତାଙ୍କ ମତରେ “ ଗୋଟିଏ କଥା ପୁରା ସ୍ପଷ୍ଟ ଯେ କୋଚେରେନ୍ଙ୍କ ସମୀକ୍ଷା ବିଶ୍ୱସ୍ତରରେ ସବୁଠୁ ବଡ଼ ପ୍ରମାଣର ସ୍ରୋତ ।” ସେ ପରେ ପୁଷ୍ଟିସଂଯୁକ୍ତ ଚାଉଳକୁ ଅଧିକ ବିପଦଯୁକ୍ତ ପ୍ରକାରର ଖାଦ୍ୟ ବୋଲି ଚେତେଇଥିଲେ ଓ କହିଥିଲେ ଯେ ଯଦି ଏହାକୁ ଠିକ ଭାବରେ ପ୍ରସ୍ତୁତ କରା ନ ଯାଏ ତେବେ ଏହା ଶରୀର ଉପରେ ବିଧ୍ୱଂସଙ୍କର ପ୍ରଭାବ ପକାଇପାରେ ।

ମୁଁ କୋଚରେନଙ୍କ ସମୀକ୍ଷା ଅନୁଯାୟୀ ଯିବି । କାରଣ ମୁଁ ତାକୁ ଭଲଭାବେ ଅଧ୍ୟୟନ କରିଛି । ଏହା ସ୍ତରୀୟ ପଦ୍ଧତିରେ ହୋଇଥିବା ଏକ ଚମକ୍ରାର ସମୀକ୍ଷା । ଏପରିକି ଯଦି ପରେ କୌଣସି ପ୍ରମାଣ ଆସେ ତାହାହେଲେ ତାହାକୁ ପରେ ଏଥିରେ ଯୋଡିହେବ । କିନ୍ତୁ ଆମକୁ ଏକ ପୁରାପୁରି ପରିସମାପ୍ତିରେ ପହଂଚିବାକୁ ହେବ,” ବୋଲି ଡଃ ସଚ୍ଚଦେବ କହିଛନ୍ତି ।

ଖାଦ୍ୟ ବିଭାଗର ସୂଚୀରେ ୨୦୦୪-୦୫ ମସିହାରେ ବେଙ୍ଗାଲୁରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ହୋଇଥିବା ଏବ ସର୍ବେକ୍ଷଣର ଦୃଷ୍ଟାନ୍ତ ରହିଛି । ଏଠାରେ ଯେଉଁମାନେ ପୋଷଣଯୁକ୍ତ ଚାଉଳ ଖାଇଥିଲେ ସେମାନଙ୍କର ଶରୀରରେ ଲୌହସାରହିନତା ଦେଖା ଯାଇଥିଲା । ଏହା ସହିତ ଏହି ଶିଶୁମାନଙ୍କ ଶରୀରରେ ‘ସେରମ ଫେରିଟିନ’ (Cerum Feritin)ନାମକ ଏକ ପ୍ରୋଟିନ ପରିମାଣ ବୃଦ୍ଧି ପାଇ ଯାଇଥିଲା ଯାହାକି ମଧୁମେହ ବା ଡାଇବିଟିଜ୍ ପାଇଁ ବାଟ ଖୋଲି ଦେଇଥାଏ ।

ଯେଉଁ ସାତଜଣ ଲୋକ ଏହି ଚାଉଳ ଖାଇିବା ଫଳରେ ଫେରିଟିନ ବୃଦ୍ଧି ପାଉଥିବାକୁ ନେଇ ଗବେଷଣା କରିଥିଲେ ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡଃ ଅନୁରା କୁରପାଦ । ଡଃ କୁରପାଦ ହେଉଛନ୍ତି ନୀତି ଆୟୋଗର ନ୍ୟାସନାଲ ଟେକନିକାଲ ବୋର୍ଡର ସଦସ୍ୟ । ସେ ସର୍ବସାଧାରଣରେ ଖୋଲାଖୋଲି ଉଚ୍ଚ ଫେରିଟିନର ଭୟଙ୍କର ସମସ୍ୟା ବିଷୟରେ କହି ସାରିଛନ୍ତି ।

ଏବେ ସରକାର ଏହି ବିଷୟକୁ ନେଇ ଯେଉଁ ଅଧ୍ୟୟନ ସୂଚୀ ତିଆରି କରିଛନ୍ତି ସେଥିରେ କୁରପଦ ଆଣିଥିବା ସ୍ୱାସ୍ଥ୍ୟପାଇଁ ଭୟଙ୍କର ଫେରିଟିନର ବୃଦ୍ଧି ଘଟଣା ସାମିଲ ହୋଇ ସାରିଛି। ଚାଉଳର ପୋଷଣତତ୍ତ୍ୱରେ ବୃଦ୍ଧି କରିବାକୁ ନେଇ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାର ଏହା ଏକ ବିରୋଧାଭାସକୁ ସୂଚାଉଛି ଯେହେତୁ ଅଧ୍ୟୟନରୁ ଲୌହସାରହୀନତା ପୂର୍ବରୁ ଆଲୋକକୁ ଆସିସାରିଛି ।

କିନ୍ତୁ ଲୋକେ ପୋଷଣଯୁକ୍ତ ଚାଉଳର ହାନିକାରକ ଦିଗଟିକୁ ନେଇ ଏତେ ଭୟଭୀତ କାହିଁକି ହେବେ ଯେତେବେଳେ କି ଦେଶର ନିୟୁତ ନିୟୁତ ଲୋକ ଅର୍ଦ୍ଧଶତାବ୍ଦୀରୁ ଅଧିକ ଦିନ ଧରି ଆୟୋଡିନଯୁକ୍ତ ଲୁଣ ଖାଇ ଚାଲିଛନ୍ତି । ହେଲେ ଦୁହିଁକ ମଧ୍ୟରେ ପ୍ରଭେଦ ଅଛି । ଡଃ କୁରପଦ ଲୁଣ ଓ ଚାଉଳ ଭିତରେ ଥିବା ପ୍ରଭେଦ ବିଷୟରେ କହିବାକୁ ଯାଇ କହନ୍ତି ଯେ ଚାଉଳ ଓ ଲୁଣ ଭିତରେ ତଫାତ ହେଉଛି ଯେ ଲୋକେ ଚାହିଁଲ ବି ଅଧିକ ମାତ୍ରାରେ ଲୁଣ ଖାଇଦେଇ ପାରିବେ ନାହିଁ । ତାଙ୍କ ମତରେ “ କେତେବେଳେ କେମିତି ଲୋକଟିଏ ହୁଏତ କହିପାରେ ଯେ ଆଜି ତରକାରୀରେ ଅଧିକ ଲୁଣ ହୋଇ ଯାଇଛି ତେଣୁ ସେ ତାହାକୁ ଖାଏ ନାହିଁ । ଆବଶ୍ୟକତା ଠାରୁ ଅଧିକ ଲୁଣ କେହି ଖାଆନ୍ତି ନାହିଁ । କିନ୍ତୁ ଚାଉଳ କ୍ଷେତ୍ରରେ ସେମିତି କିଛି ଘଟେ ନାହିଁ ତେଣୁ ମଣିଷ ପୋଷଣଯୁକ୍ତ ଚାଉଳକୁ ଆବଶ୍ୟକତାଠାରୁ ଅଧିକ ଖାଇ ନେବାର ଭୟ ଥାଏ ।”

ବିଶେଷଜ୍ଞମାନେ ଏକଥା ମଧ୍ୟ କହନ୍ତି ଯେ, ଅୟୋଡିନ ଅଧିକ ମାତ୍ରାକୁ ଶରୀରକୁ ଗଲେ ତାହା ମୁତ୍ର ଆକାରରେ ଶରୀରରୁ ବାହାରି ଯାଇଥାଏ । କିନ୍ତୁ ଲୌହ କ୍ଷେତ୍ରରେ ସେପରି ହେବା ସମ୍ଭବ ହୁଏ ନାହିଁ ।

ଡଃ କୁରପଦ ଦି କଲେକ୍ଟିଭକୁ ଟେଲିଫୋନ ଯୋଗେ କହିଥିଲେ ଯେ “ଆମର ଅଧ୍ୟୟନ ଅତି ଗରିବ ଳୋକମାନଙ୍କୁ ନେଇ ହୋଇଥିଲା । ଦ୍ୱିତୀୟତଃ ଆମେମାନେ ଲୌହସାରହୀନ ଲୋକମାନଙ୍କ ଉପରେ ଦୃଷ୍ଟିନିବଦ୍ଧ କରୁଛୁ । ତେଣୁ ଏହି ଅଧ୍ୟୟନଗୁଡିକ ସାଧାରଣ ବା ସାର୍ବଜନୀନ ଅଧ୍ୟୟନ ନୁହେଁ ।” ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ “ତୁମେ ଯଦି ପୃଥିବୀଯାକରେ ସାଧାରଣ ଲୋକଙ୍କୁ ନେଇ ହେଉଥିବା ଅଧ୍ୟୟନ ଆଡକୁ ଦୃଷ୍ଟି ଦେବ ସେସବୁ କଥା କୋଚରେନ ସମୀକ୍ଷାରେ ରହିଛି । ଯେଉଁଥିରେ କୁହାଯାଇଛି ଯେ ପୋଷଣଯୁକ୍ତ ଚାଉଳର ରକ୍ତହୀନତାକୁ କମ କରିବା କ୍ଷେତ୍ରରେ କୌଣସି ରେକର୍ଡ ନାହିଁ ।”

ଦି କଲେକ୍ଟିଭ ପକ୍ଷରୁ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ଯେ ନୀତି ଆୟୋଗର ନ୍ୟାସାଲ ଟେକନିକାଲ ବୋର୍ଡ ଅନ୍ ନ୍ୟୁଟ୍ରୀସନରେ ପୋଷଣଯୁକ୍ତ ଚାଉଳ ଉପରେ କେବେ କିଛି ଆଲୋଚନା ହୋଇଛି କି ସେତେବେଳେ ଡଃ କୁରପାଦ କହିଲେ ଯେ “ନାଁ! ମୁଁ ଜାଣିବାରେ ସେପରି କିଛି ହୋଇନାହିଁ।”

ସରକାରଙ୍କ ନିଜସ୍ୱ ସର୍ବୋଚ୍ଚ ମେଡିକାଲ ଗବେଷଣା ସଂସ୍ଥା,Indian Council of Medical Research କହିସାରିଛି ଯେ ସ୍କୁଲ ଛାତ୍ରଛାତ୍ରୀମାନଙ୍କର ରକ୍ତହୀନତା ସମସ୍ୟା କମ କରିବା ପାଇଁ ପୋଷଣଯୁକ୍ତ ଚାଉଳର କୌଣସି ଭୂମିକା ନାହିଁ।

ଜନସ୍ୱାସ୍ଥ୍ର୍ୟ ବିଶେଷଜ୍ଞମାନେ ମୂଳରୁ କହି ଆସୁଛନ୍ତି ଯେ ବାଧ୍ୟତାମୂଳକ ଭାବେ ଚାଉଳକୁ ପୋଷଣଯୁକ୍ତ କରାଯିବା ଶରୀର ପାଇଁ ବିପଦକୁ ନିମନ୍ତ୍ରଣ କରିପାରେ।

ନୀତି ଆୟୋଗର ଫାଇଲ ନୋଟିଙ୍ଗରେ ମଧ୍ୟ ଏହାକୁ ଦେଖିବାକୁ ମିଳିଛି । ଆୟୋଗର କୃଷି ସମ୍ବନ୍ଧିତ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ନଭେମ୍ବର ୨୦୨୧ରେ କହିଛନ୍ତି ଯେ “କେତେଜଣ ମେଡିକାଲ ବିଶେଷଜ୍ଞ ପୋଷଣଯୁକ୍ତ ଚାଉଳର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଖରାପ ପ୍ରଭାବକୁ ନେଇ ଘୋର ଚିନ୍ତା ପ୍ରକଟ କରି ସାରିଛନ୍ତି । ସେହି କଥାଟିକୁ ଆଇସିଏମଆରର ଡିଜି ମଧ୍ୟ ଉଲ୍ଲେଖ କରିଛନ୍ତି।” ସେ କହିଛନ୍ତି ଯେ “ସେଥିପାଇଁ ଏହି ଚାଉଳକୁ ଲୋକଙ୍କ ଭିତରେ ବିତରଣ କରିବା ପାଇଁ ଅଧିକ ବ୍ୟବସ୍ଥା କରିବା ପୂର୍ବରୁ ଏହାର ମାନବ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼ୁଛି ତା ଉପରେ ବିଭିନ୍ନ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯିବା ଉଚିତ୍ ।” ସୂଚନା ଅଧିକାର ଆଇନରେ ବହୁ ଲୋକଙ୍କ ପକ୍ଷରୁ ତଥ୍ୟ ପାଇବା ପାଇଁ ଆଇସିଏମଆର ନିକଟରେ ଆବେଦନ କରାଯାଇଥିଲେ ମଧ୍ୟ ସେଥିରୁ ଜଣାପଡ଼ିଛି ଯେ ଏହା ଉପରେ କେବେ କୌଣସି ଆଲୋଚନା ହୋଇନାହିଁ ।

ପ୍ରଫେସର ଚାନ୍ଦ ତାଙ୍କ ନୋଟରେ କହିଛନ୍ତି- “ସେ ଯାହହେଉ, ଏଭଳି ପଦକ୍ଷେପ କେବଳ ସ୍ୱଳ୍ପସମୟ ପାଇଁ ନିଆଯିବା ଉଚିତ୍।” ସରକାର ତାକୁ ମଧ୍ୟ ଆଡେଇ ଦେଇଛନ୍ତି ।

ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ଫାଇଲ ନୋଟିଙ୍ଗରେ ଲେଖିଛନ୍ତି ଯେ- “ବିଶେଷଜ୍ଞମାନେ ଶିଶୁମାନଙ୍କୁ ପୋଷଣଯୁକ୍ତ ଚାଉଳ ଯୋଗାଇବା ଉପରେ ବହୁ ପ୍ରତିବାଦ କରିଛନ୍ତି ।”

ବହୁ ବିଶେଷଜ୍ଞ ଏପରି ପରୋକ୍ଷରେ ଖାଦ୍ୟ ସହିତ ଔଷଧ (ଡ୍ରଗ୍ସ) ମିଶାଇବା ଘଟଣାକୁ ବିରୋଧ କରୁଛନ୍ତି । ମେଡିକାଲ ବିଶେଷଜ୍ଞ ପ୍ରଫେସର ଚାନ୍ଦ ତାଙ୍କର ଫାଇଲ ନୋଟିଙ୍ଗରେ ଯାହା କହିଛନ୍ତି ଅନ୍ୟମାନେ ତାର ସମାଲୋଚନା କରିଛନ୍ତି । ଉଦାହରଣ ସ୍ୱରୂପ ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଡଃ କୁରପାଦ । ତାଙ୍କ ମତରେ “ ସେମାନେ ‘ରକ୍ତହୀନତା ମୁକ୍ତ ଭାରତ’ ନାଁଆରେ ଚଳାଇଥିବା କାର୍ଯ୍ୟକ୍ରମରେ ଲୌହସାରର କମିକୁ କମ କରିବାର ଉଦ୍ୟମ କରି ଆସୁଛନ୍ତି । ଯେହେତୁ ଏହି ଚାଉଳ ପ୍ରଚୁର ପରିମାଣରେ ଳୌହସାର ଯୋଗାଉଛି ତେଣୁ ତାହା ଆବଶ୍ୟକତାଠାରୁ ଅଧିକ ହେଉଛି ବୋଲି କୁହାଯାଇପାରେ । ସେଭଳି କ୍ଷେତ୍ରରେ ଆମେ ଆଉ ଖାଦ୍ୟକୁ ଏଭଳି ଭାବେ ପୋଷଣଯୁକ୍ତ କରିବାର କ’ଣ ଆବଶ୍ୟକତା ଅଛି ଯାହାକି ସବୁଠାରୁ ଦୁର୍ବଳତର ବ୍ୟବସ୍ଥା ଭାବରେ ପରିଗଣିତ ହେଉଛି ?”

ପୋଷଣଯୁକ୍ତ ଚାଉଳ ସେମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ଯେଉଁମାନେ ଅଧିକ ଲୌହସାର କାରଣରୁ ଶରୀରୀକ ସମସ୍ୟା ଭୋଗୁଛନ୍ତି ।

ଡଃ ବନ୍ଦନା ପ୍ରସାଦ, Public Health Resource Society, ର ସଚିବ କହନ୍ତି-ଯେପରିକି ଥାଲାସେମିଆ ବା ସିକିଲସେଲ(ରକ୍ତଶିକୁଳି) ରକ୍ତହୀନତା ପୀଡିତ୍ ରୋଗୀମାନଙ୍କୁ ଲୌହସାର ଦିଆଯିବା ଅନୁଚିତ୍ ସେହିପରି ଯେଉଁମାନେ ଗମ୍ଭୀର ଯକ୍ଷ୍ମାରୋଗ ଭୋଗୁଛନ୍ତି ସେମାନଙ୍କୁ ମଧ୍ୟ ଅଧିକ ଲୌହସାର ଦିଆଯିବା ଅନୁୁଚିତ୍ ।

ଖାଦ୍ୟ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ସମାଧାନ ରାସ୍ତା ପରିଚାଳନାଗତ ଦିଶାନିର୍ଦ୍ଦେଶ ଭାବେ ବାହାର କରାଯାଇଛି ଆଉ ସେଇଟି ହେଉଛି, ପୋଷଣଯୁକ୍ତ ଚାଉଳ ପ୍ୟାକେଟ ଉପରେ ସେମାନେ ଲେଖି ଦେଇଛନ୍ତି ଯେ ଏହା ଥାଲାସେମିଆ ଓ ନିମ୍ନ ଲୌହସାର ଯୁକ୍ତ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ନୁହେଁ ।

ଦି କଲେକ୍ଟିଭ ପକ୍ଷରୁ ପୋଷଣଯୁକ୍ତ ଚାଉଳର ବିତରଣ ବ୍ୟବସ୍ଥା ବିଷୟରେ ଜାଣିବା ପାଇଁ ଝାଡ଼ଖଣ୍ଡ ଗସ୍ତ କରାଯାଇଥିଲା । ବିଶେଷ କରି ଟିମ ରାଜ୍ୟର ସେହି ସବୁ ଆଦିବାସୀ ବହୁଳ ଗ୍ରାମଗୁଡ଼ିକୁ ଯାଇଥିଲା ଯେଉଁଠାରେ ସିକିଲ ସେଲ ରକ୍ତହୀନତାର ପ୍ରାଦୁର୍ଭାବ ଟିକିଏ ଅଧିକ । ସାରା ଦେଶରେ ଝାରଖଣ୍ଡ ହେଉଛି ଗୋଟିଏ ରାଜ୍ୟ ଯେଉଁଠାରେ ଥାଲାସେମିଆ ଏବଂ ସିକିଲସେଲ(ରକ୍ତଶିକୁଳି) ରୋଗୀଙ୍କ ସଂଖ୍ୟା ଅଧିକ । ସାରା ଦେଶରେ ଯେତିକି ଲୋକ ସିକିଲସେଲ ରକ୍ତହୀନତା ରୋଗରେ ପୀଡ଼ିତ ଏକମାତ୍ର ଝାରଖଣ୍ଡରେ ତାର ସଂଖ୍ୟା ହେଉଛି ଦୁଇଗୁଣ ।

ବହୁ ସ୍ଥାନରେ ଝାରଖଣ୍ଡର ଇଷ୍ଟସିଂହଭୂମ ଜିଲ୍ଲାରେ ଥିବା କୁଚିଆସୋଲୀ ଗ୍ରାମରେ ପହୁଂଚିଥିବା ପୋଷଣଯୁକ୍ତ ଚାଉଳ ଥଳି ଉପରେ ସେହି ନିଷେଧ କଥା ଲେଖା ଯାଇଥିବାର ଦେଖିବାକୁ ମିଳି ନ ଥିଲା ଯେ ‘ଏହୀ ସିକିଲସେଲ ରକ୍ତହୀନତା ବା ଥାଲାସେମିଆ ରୋଗୀଙ୍କ ବ୍ୟବହାର ପାଇଁ ନୁହେଁ । ‘

ଜଣେ ସୂଚନାଧିକାର କର୍ମୀ କବିତା କୁରୁଗନ୍ଥୀଙ୍କ ପକ୍ଷରୁ ମଗାଯାଇଥିବା କେତେକ ତଥ୍ୟର ସମୀକ୍ଷା ଦି କଲେକ୍ଟିଭ ପକ୍ଷରୁ କରାଯାଇଥିଲା । ସେଥିରେ ଦେଖାଗଲା ଯେ ବାସ୍ତବରେ ସିକିଲସେଲ, ରକ୍ତହୀନତା ବା ଥାଲାସେମିଆ ରୋଗୀମାନଙ୍କୁ ପୋଷଣଯୁକ୍ତ ଚାଉଳ ବ୍ୟବହାର କରିବାରୁ ବାରଣ କରିବା ପାଇଁ କେନ୍ଦ୍ର ସରକାରଙ୍କର ସେପରି କୌଣସି ବାରଣ ବ୍ୟବସ୍ଥା ନାହିଁ । ତା ସତ୍ତ୍ୱେ ସରକାର ଏହି ଚାଉଳକୁ ଦେଶର କୋଟିି କୋଟି ଲୋକଙ୍କ ପାଖରେ ପହୁଂଚାଇ ଦେବାରେ ଲାଗିଛନ୍ତି ।

(ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାକୁ ଦେଶସାରା ପହୁଂଚାଇବାର ଶୁଭାରମ୍ଭ କରିଦେବା ପରେ ବଡ଼ ଅଫିସରଙ୍କର ଗୋଟିଏ ଦଳ ଏହି ଚାଉଳ ସମ୍ବନ୍ଧରେ ଏକ ପ୍ରାରମ୍ଭିକ ସମୀକ୍ଷା କରିଥିଲେ । ସେ ରିପୋର୍ଟଟି ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରି ନାହିଁ ।)

Comments

0 comments

Share This Article