ସତ ହେବ କି ସତ୍ୟପାଲଙ୍କ ସତର୍କବାଣୀ!

ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଏଭଳି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖୁନାହାଁନ୍ତି ।

ଅଗଷ୍ଟ୧,୨୦୨୩ ଦିନ ନୂଆଦିଲ୍ଲୀ ସ୍ଥିତ ‘କନ୍‌ଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ’ ଠାରେ ‘ଜାତୀୟ ନିରାପତ୍ତା ବ୍ୟାପାର’ ଉପରେ ଆୟୋଜିତ ଏକ ସମାବେଶରେ ଅଧ୍ୟକ୍ଷତା କରି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଆଶଙ୍କା ପ୍ରକାଶ କରି କହିଥିଲେ ଯେ ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାରତୀୟ ଜନତା ପାର୍ଟି ଯେକୌଣସି ସ୍ତରକୁ ଖସି ଯାଇପାରେ । ତାଙ୍କର ଉକ୍ତି ଥିଲା ଯେ, “ମୋ ମନରେ ଅନେକ ଆଶଙ୍କା ରହିଛି । ସେମାନେ (ଭାଜପା) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିଛି ନା କିଛି କରିବସିବେ । ଏହା ସେମାନଙ୍କର ପ୍ରବୃତ୍ତି । ସେମାନେ ଏଭଳି କାର୍ଯ୍ୟ ଗୁଜୁରାଟ ଏବଂ ଦେଶରେ ଅନ୍ୟତ୍ର କରିସାରିଛନ୍ତି । ସେମାନେ ରାମ ମନ୍ଦିର ଉପରେ ଗ୍ରେନେଡ଼୍ ଆକ୍ରମଣ ମଧ୍ୟ କରିପାରନ୍ତି ।

ସେମାନେ ଗୋଟିଏ ଭାଜପା ନେତାଙ୍କୁ ମଧ୍ୟ ମରାଇ ଦେଇପାରନ୍ତି । ପାକିସ୍ତାନ ସହିତ ଗୋଟିଏ ସଂଘର୍ଷର ନାଟକ ମଧ୍ୟ ସଙ୍ଗଠିତ କରିପାରନ୍ତି ।” ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପୂର୍ବତନ ବନ୍ଧୁ ସତ୍ୟପାଲ୍ ମଲ୍ଲିକ୍ ଭାଜପା ଶାସନରେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ରହିଆସିଛନ୍ତି । ସେ ଆଗରୁ ମଧ୍ୟ ଅନେକ କଥା କହିଛନ୍ତି ଯାହା ସେ ନିଜର ଅନୁଭୂତିକୁ ଆଧାର କରି କହି ଆସିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ଥିଲା ଯେ ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାଜପାର ଲୋକପ୍ରିୟତା ସଙ୍କଟାପନ୍ନ ସ୍ଥିତିରେ ଥିଲା, ସେତେବେଳେ ଫେବୃୟାରୀ ମାସରେ ଜାମ୍ମୁ ଓ କଶ୍ମୀରର ସେ ରାଜ୍ୟପାଳ ଥିଲାବେଳେ ସେନାବାହିନୀର ଟ୍ରକଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା । ସେଥିରେ ସି.ଆର୍‌.ପି.ଏଫ୍‌ର ୪୦ଜଣ ଜବାନ ମୃତ୍ୟୁବରଣ କରିଥିଲେ । ସେତେବେଳକୁ ପ୍ରଧାନମନ୍ତ୍ରୀ ମୋଦୀ ଜିମ୍ମି କରବେଟ୍ ଜାତୀୟ ଉଦ୍ୟାନରେ ଭ୍ରମଣ କରୁଥିଲେ ଏବଂ କିଛି ନଜାଣିଲା ଭଳି ତତ୍‌କାଳୀନ ରାଜ୍ୟପାଳ ସତ୍ୟପାଲ୍‌ଙ୍କୁ ଫୋନ୍ କରି ପଚାରିଥିଲେ ଘଟଣାଟି କେମିତି ଘଟିଲା ଜାଣିବା ପାଇଁ । ସତ୍ୟପାଲ୍ ସ୍ପଷ୍ଟ କହିଥିଲେ ଯେ ଘଟଣାଟି ଆମ ନିଜ ଭୁଲ୍‌ପାଇଁ ଘଟିଲା । ମୋଦୀ ତାଙ୍କୁ ପରାମର୍ଶ ଦେଇଥିଲେ ଚୁପ୍ ରହିବା ପାଇଁ ।

ସତ୍ୟପାଲ୍ ଭାବିଥିଲେ ହୁଏତ ଅନୁସନ୍ଧାନ ହେବ, ସେଥିପାଇଁ ତାଙ୍କୁ ନିରବ ରହିବାକୁ ପଡ଼ିବ । କିନ୍ତୁ ସେ ଚକିତ ହୋଇଥିଲେ ଯେତେବେଳେ କୌଣସି ଅନୁସନ୍ଧାନ ହେଲାନାହିଁ ବରଂ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ପୁଲୱାମାରେ ମୃତ୍ୟୁବରଣ କରିଥିବା ଜବାନମାନଙ୍କର ସହିଦ୍‌ତ୍ୱ ଯେପରି ବ୍ୟର୍ଥ ନ ଯିବ, ସେଥିପାଇଁ ଭାଜପାକୁ ଭୋଟଦେବା ପାଇଁ । ସତ୍ୟପାଲ୍ କୁହନ୍ତି ଯେ ୨୦୧୯ର ନିର୍ବାଚନ “ଆମ ସୈନିକମାନଙ୍କର ମରଶରୀର ଉପରେ ଅନୁଷ୍ଠିତ ହେଇଥିଲା ।” ବିଡ଼ମ୍ବନାର କଥାଯେ ନା ଏ ଦେଶର ରାଜନୈତିକ ବିରୋଧିଦଳ ମାନେ, ନା ଏଦେଶର ତଥାକଥିତ ଶିକ୍ଷିତବର୍ଗ, ନା ଏଦେଶର ତଥାକଥିତ ଗଣମାଧ୍ୟମ ଘଟଣାଟିକୁ ନେଇ କିଛି ପ୍ରଶ୍ନ କରିଥିଲେ ।

୧୪ ଫେବୃଆରୀ ୨୦୧୯ରେ ଘଟିଥିବା ଏହି ଘଟଣାପରେ ଅନୁଷ୍ଠିତ ନିର୍ବାଚନରେ ଭାଜପା ବିପୁଳ ସଂଖ୍ୟାରେ ଲୋକସଭା ଆସନପାଇ ପୁଣିଥରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇଥିଲା । ପରେପରେ ସତ୍ୟପାଲ୍ ମଲ୍ଲିକ୍‌ଙ୍କୁ ଅକ୍ଟୋବର ୨୦୧୯ରେ ଗୋଆର ରାଜ୍ୟପାଳ ଭାବେ ବଦଳି କରାଇ ଦିଆଯାଇଥିଲା । ପୁଲୱାମା ଘଟଣାର ଏଯାବତ୍ କୌଣସି ଅନୁସନ୍ଧାନ କରାଯାଇ ନାହିଁ । ଯଦିଓ ଘଟଣା ଘଟିବା ପରେପରେ ନିର୍ବାଚନକୁ ଅଖିଆଗରେ ରଖି ପାକିସ୍ତାନ ଉପରେ ବିମାନ ଆକ୍ରମଣର ଏକ ନାଟକ ଦେଖିବାକୁ ମିଳିଥିଲା । ସେହିଦୃଷ୍ଟିରୁ ସତ୍ୟପାଲ୍ ମଲ୍ଲିକ୍‌ଙ୍କର ଅଗଷ୍ଟ ୧,୨୦୨୩ର ଆଶଙ୍କା ଏବଂ ସେ ତୁହାକୁତୁହା ଏହି କଥାଟିକୁ ବିଭିନ୍ନ ସାକ୍ଷାତକାରରେ କହୁଥିବା ଦୃଷ୍ଟିରୁ ଭାରତର ସଚେତନଶୀଳ ନାଗରିକମାନେ ଏବଂ ମେରୁଦଣ୍ଡଥିବା ରାଜନୈତିକ ଦଳମାନେ କଥାଟିକୁ ଗୁରୁତ୍ୱର ସହ ନେବା ଉଚିତ୍ ।

ଗତ ଏକ ସପ୍ତାହର ଘଟଣାବଳୀ ଏବଂ ଗତ ତିନିମାସ ଧରି ମଣିପୁରରେ ଚାଲିଥିବା ମାନବିକ ଅଧିକାରର ଭୟଙ୍କର ସ୍ଥିତି ସତ୍ୟପାଲ୍‌ଙ୍କର ଆଶଙ୍କାଟିକୁ ଯଥାର୍ଥ ପ୍ରତିପାଦନ କରୁଛି । ମଣିପୁର ସମ୍ପର୍କରେ ଆମେ ଆମର ଜୁନ୍ ୧୬-୩୦,୨୦୨୩ ସଂଖ୍ୟାର ‘ମଣିପୁର ହିଂସା ଓ ସମ୍ବେଦନହୀନ ଭାରତ’ ଶୀର୍ଷକ ସମ୍ପାଦକୀୟରେ କହିଥିଲୁ ଯେ, “…. ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାବରକରଙ୍କ ଜନ୍ମଦିନରେ ଅର୍ଥାତ୍ ମେ ୨୮, ୨୦୨୩ ଦିନ ଭାରତର ନୂତନ ସଂସଦ ଭବନକୁ ସିଂହାସନ ଆରୋହଣ ଢାଞ୍ଚାରେ ଉଦ୍‌ଘାଟନ କରୁଥିଲେ, ସେତେବେଳେ ଉତ୍ତରପୂର୍ବ ଭାରତର ମଣିପୁର ରାଜ୍ୟ ‘ମେଇତେଇ’ ଓ ‘କୁକି’ ଦୁଇ ସମ୍ପ୍ରଦାୟ ଭିତରେ ଭୟଙ୍କର ହିଂସାଯୋଗୁଁ ଜଳୁଥିଲା । ମେ ୩, ୨୦୨୩ରେ ଆରମ୍ଭ ହୋଇଥିବା ଏହି ହିଂସା ସେତେବେଳକୁ ୨୫ଦିନ ଅତିକ୍ରାନ୍ତ ହୋଇସାରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଏଯାଏଁ ନିଜ ଦଳଦ୍ୱାରା ଶାସିତ ମଣିପୁର ରାଜ୍ୟରେ ୪୦ଦିନରୁ ଅଧିକା ସମୟଧରି ଚାଲିଥିବା ହିଂସାକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷପ ନିଆଯାଉଛି, ପଦଟିଏ ମଧ୍ୟ କହିନାହାନ୍ତି । ଏବେ ତାଙ୍କର ଆମେରିକା ଗସ୍ତପାଇଁ ବିରାଟ ଆକାରର ଆୟୋଜନ ଚାଲିଛି ।” ଘଟଣାଟିର ପୃଷ୍ଠଭୂମି ପାଠକମାନଙ୍କୁ ମନେପକାଇ ଦେବା ଉଦ୍ଦେଶ୍ୟରେ ଆମେ ସଂକ୍ଷେପରେ କହିଥିଲୁଯେ, “ମେ ୩, ୨୦୨୩ ଠାରୁ ଜନଜାତି ‘କୁକି’ ସମ୍ପ୍ରଦାୟ ଓ ସଂଖ୍ୟାଧିକ ‘ମେଇତେଇ’ ସମ୍ପ୍ରଦାୟ ଭିତରେ ଯେଉଁ ହିଂସାପୂର୍ଣ୍ଣ ସଂଘର୍ଷ ଆରମ୍ଭ ହୋଇଥିଲା, ତାହାର ପୃଷ୍ଠଭୂମିରେ ଥିଲା ଜନଜାତି ‘କୁକି’ ସମ୍ପ୍ରଦାୟକୁ (ଭାରତୀୟ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟର ଜନଜାତି ଅଞ୍ଚଳକୁ ଦିଆଯାଉଥିବା ସୁବିଧା ମୁତାବକ) ରାଷ୍ଟ୍ର ଯୋଗାଉଥିବା ଅର୍ଥନୈତିକ, ରାଜନୈତିକ, ସାମାଜିକ ସୁବିଧା ଓ ସଂରକ୍ଷଣରେ ସୁବିଧା ସୁଯୋଗ । ‘ମେଇତେଇ’ ସମ୍ପ୍ରଦାୟ ତରଫରୁ ମଣିପୁର ଉଚ୍ଚନ୍ୟାୟାଳୟରେ ସେମାନଙ୍କୁ ଆଦିବାସୀ ବର୍ଗରେ ସାମିଲ କରିବାପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା । ମାର୍ଚ୍ଚ ୨୩, ୨୦୨୩ ଦିନ ସେହି ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀ ଏମ.ଭି ମୁରଲିଧରନ୍‌ଙ୍କର ଏକ ଜଣିକିଆ ଖଣ୍ଡପୀଠ ‘ମେଇତେଇ’ ସମ୍ପ୍ରଦାୟ ସପକ୍ଷରେ ରାୟଟିଏ ଦେଇଥିଲେ ।

ଏଥିରେ ସେଠାରେ ଚାଲିଥିବା ବିଜେପି ସରକାର (ଯେଉଁମାନେ ମୁଖ୍ୟତଃ ‘ମେଇତେଇ’ ସମ୍ପ୍ରଦାୟର)’ର ଏକ ଭୂମିକା ଥିଲା ବୋଲି ‘କୁକି’ ସମ୍ପ୍ରଦାୟର ଲୋକମାନେ ସନ୍ଦେହ କରି ନିଜଭିତରେ ପ୍ରତିବାଦ ପାଇଁ ସଂଗଠିତ ହେଉଥିଲେ । ମେ ୩, ୨୦୨୩ରେ ଏହା ସଂଘର୍ଷର ରୂପ ନେଇଥିଲା । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ମାମଲାଟି ଉଚ୍ଚତମ ନ୍ୟାୟାଳୟକୁ ଆସିବା ପରେ ମେ ୧୭, ୨୦୨୩ ଦିନ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏକ ଖଣ୍ଡପୀଠ ମଣିପୁର ଉଚ୍ଚ ନ୍ୟାୟାଳୟଙ୍କର ଆଦେଶଟିକୁ ‘ତୃଟିପୂର୍ଣ୍ଣ’ ବୋଲି କହିଥିଲେ ଯାହାର ଶୁଣାଣି ଏବେ ବି ଚାଲିଛି ।”

ତେବେ ସେତେବେଳକୁ ଆମେ ମେ ୪,୨୦୨୩ରେ ଘଟିଥିବା ଏକ ଜଘନ୍ୟ ଘଟଣା ସମ୍ପର୍କରେ କିଛି ବି ଜାଣିନଥିଲୁ । ଜୁଲାଇ ୧୯, ୨୦୨୩ ଦିନ ଇଣ୍ଟରନେଟ୍ ସୁବିଧା ଆଂଶିକଭାବେ ମଣିପୁରରେ ଉପଲବ୍ଧ ହେବାପରେ ଏହି ଘଟଣାଟି ବାହାରକୁ ଆସିଥିଲା ଏବଂ ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା । ଗୋଟିଏ ଭିଡ଼ିଓରେ (ଯାହା ଏବେ ଆଉ ଉପଲବ୍ଧ ନୁହଁ) ଦେଖିବାକୁ ମିଳିଥିଲାଯେ କିଭଳି ‘ମେଇତି’ ସମ୍ପ୍ରଦାୟର ଏକ ହିଂସ୍ରଭିଡ଼ ଆଦିବାସୀ ‘କୁକି’ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନକରି ପ୍ୟାରେଡ଼୍ କରାଇ ନେଉଛନ୍ତି । ପରେ ସେମାନଙ୍କର ଗଣଧର୍ଷଣ ମଧ୍ୟ ହୋଇଛି ଏବଂ ସେମାନଙ୍କର ବାପା ଏବଂ ଭାଇଙ୍କୁ ହତ୍ୟା କରାଯାଇଛି । ବିଡ଼ମ୍ବନାର କଥାଯେ ଆତ୍ମରକ୍ଷା ପାଇଁ ଏହି ଦୁଇମହିଳା ପୋଲିସ ନିକଟରେ ଆକୁଳ ନିବେଦନ କରିଥିବାବେଳେ ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଏହି ବର୍ବର ଓ ହିଂସ୍ର ବ୍ୟକ୍ତିମାନଙ୍କ ଆଗରେ ସେମାନଙ୍କୁ ସମର୍ପଣ କରିଦେଇଥିଲେ । ଜୁଲାଇ ୨୦,୨୦୨୩ଦିନ ଭାରତର ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଡ଼ି.ୱାଇ ଚନ୍ଦ୍ରଚୁଡ଼ ନିଜ ଆଡ଼ୁ ଉଦ୍‌ବେଗ ପ୍ରକାଶକରି ଯେତେବେଳେ କହିଲେ ଯେ ସରକାର ଏ ବାବଦରେ କିଛି ପଦକ୍ଷେପ ଯଦି ନ ନିଅନ୍ତି, ତେବେ ଅଦାଲତ ମାମଲାଟିରେ ନିଜେ ହସ୍ତକ୍ଷେପ କରିବେ ।

ଠିକ୍ ତାହାର କିଛି ସମୟପରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭବନକୁ ଯିବା ବାଟରେ ଗଣମାଧ୍ୟମକୁ ଡାକି କିଛି ପ୍ରତିକ୍ରିୟା ରଖିଥିଲେ । ପ୍ରତିକ୍ରିୟାଟି ମଣିପୁରକୁ ନେଇ କିଛି ଅନୁଶୋଚନା ବା ଆତ୍ମବେଦନାକୁ ପ୍ରତିଫଳିତ କରିନଥିଲା । ବରଂ ତାହା ଥିଲା ମୁଖ୍ୟବିଚାରପତିଙ୍କ ବକ୍ତବ୍ୟର ଏକ କ୍ରୁର ଉପହାସ । ସେ ମଣିପୁର କଥା ନୁହଁ, ବିରୋଧି ଦଳମାନଙ୍କ ଦ୍ୱାରା ଶାସିତ ରାଜ୍ୟମାନଙ୍କରେ ଘଟିଥିବା ନାରୀମାନଙ୍କ ପ୍ରତି ହିଂସାର କାଁ ଭାଁ କିଛି ଘଟଣା ସହ ମଣିପୁରରେ ଘଟୁଥିôବା ଜଘନ୍ୟ ଘଟଣାଗୁଡ଼ିକୁ ମିଶାଇ କେତୋଟି ଶବ୍ଦରେ ନିଜର ପ୍ରଳାପ ବା ବିଳାପ ପ୍ରକାଶ କରିଥିଲେ । ଆଗରୁ ବଛାହୋଇ ଆଣାଯାଇଥିବା ଗଣମାଧ୍ୟମର ପ୍ରତିନିଧିମାନେ ଗୋଟିଏ ବି ପ୍ରଶ୍ନ କରିବାର ସୁଯୋଗ ନଥିଲା । ତାହା ପରଠାରୁ ପ୍ରଧାନମନ୍ତ୍ରୀ ଭୟଙ୍କର ଭାବେ ନିରବ ଏବଂ ନିର୍ବାଚନ ପ୍ରଚାରରେ ସକ୍ରିୟ ଅଭିଯାନ ଆରମ୍ଭ କରିସାରିଛନ୍ତି । ମିଳିତ ବିରୋଧିଦଳ ମାନଙ୍କର ନୂଆକରି ଗଠିତ ସମୂହ (ଆଇ.ଏନ୍‌.ଡ଼ି.ଆଇ.ଏ ବା ଇଣ୍ଡିଆ) ତରଫରୁ ଯେତେ ପ୍ରତିବାଦ ବା ପ୍ରତିକ୍ରିୟା ହେଲେ ବି ପ୍ରଧାନମନ୍ତ୍ରୀ ପୂର୍ବପରି ନିରବ ରହିଆସିଛନ୍ତି । ତାଙ୍କର ଅନୁଗାମୀମାନେ ତାଙ୍କ ପାଇଁ ଦୁର୍ବୋଧ୍ୟ ଓକିଲାତି କରି ନିଜେ ଅପଦସ୍ତ ହେଉଛନ୍ତି । ଠିକ୍ ଏହି ସମୟରେ ଜୁଲାଇ ୩୧,୨୦୨୩ଦିନ ମଣିପୁର ସମ୍ପର୍କରେ ଉଚ୍ଚନ୍ୟାୟାଳୟର ଏକ ଖଣ୍ଡପୀଠ ଯାହାସବୁ ପ୍ରଶ୍ନ ପଚାରିଥିଲେ, ଭାରତ ସରକାରଙ୍କର ପଦସ୍ଥ ଓକିଲମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ମାନ୍ୟବର ମୁଖ୍ୟ ବିଚାରପତି ନିଜର ଗଭୀର ଅସନ୍ତୋଷ ବ୍ୟକ୍ତକରି ସରକାରଙ୍କୁ ୬ଟି ପ୍ରଶ୍ନର ଉତ୍ତର ଦେବାପାଇଁ କହି ଶୁଣାଣୀଟିକୁ ଦିନକ ପାଇଁ ଘୁଞ୍ଚାଇଥିଲେ । ଠିକ୍ ପରଦିନ ଶୁଣାଣୀବେଳେ ଭାରତ ସରକାରଙ୍କର ସଲିସିଟର ଜେନେରାଲ୍ ତଥା ମୋଦୀ ଓ ଶାହାଙ୍କର ପରମବନ୍ଧୁ ତୁଷାର ମେହେଟ୍ଟା ଅଦାଲତକୁ ନିବେଦନକରି କହିଥିଲେଯେ ମାନ୍ୟବର ବିଚାରପତିଙ୍କ ଟିପ୍ପଣୀକୁ ଅଦାଲତ ବାହାରେ ଅନ୍ୟ ଅର୍ଥ କରାଯାଉଛି । ସେ ଦେଇଥିବା ତଥ୍ୟଅନୁସାରେ ମେ ୪ ରୁ ୨୭, ଜୁଲାଇ ୨୦୨୩ ଭିତରେ ୬ହଜାର ୫ଶହ ୨୩ଟି ଏଫ୍‌.ଆଇ.ଆର୍ ରୁଜୁ କରାଯାଇଛି । ୧୫୦ଲୋକଙ୍କର ମୃତ୍ୟୁ ଘଟିଛି । ସେ ଭିତରୁ କେବଳ ମେ ୩ରୁ ୫ଭିତରେ ୫୯ଜଣ ଏବଂ ମେ ୨୭ରୁ ୨୯ ଭିତରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀ ମେ ୨୮ଦିନ ନୂତନ ସଂସଦ ଭବନ ‘ରାଜଚକ୍ରବର୍ତ୍ତି’ ଚେହେରାରେ ଉଦ୍‌ଘାଟନ କଲାବେଳେ ମଣିପୁର ରାଜ୍ୟ ଉଗ୍ରହିଂସାରେ ଜଳୁଥିଲା । ପ୍ରଧାନ ବିଚାରପତି ନିଜର ଉଦ୍‌ବେଗ ପ୍ରକାଶକରି କହିଥିଲେ ଯେ ମେ ୩ରୁ ଜୁଲାଇ ୨୭ (୨୦୨୩) ଯାଏଁ ରାଜ୍ୟରେ ପୋଲିସ୍ ଯେମିତି ନିଜ ଦାୟିତ୍ୱରେ ନଥିଲା ।

ସେ ପ୍ରଶ୍ନ କରିଥିଲେ ପରିସ୍ଥିତି ଏତେ ପ୍ରତିକୂଳ ଥିଲାଯେ ଏଫ୍‌.ଆଇ.ଆର୍ ମଧ୍ୟ ପଞ୍ଜିକୃତ ହେଲାନାହିଁ ଏବଂ ଗୋଟିଏ ଦୁଇଟି ମାମଲାକୁ ଛାଡ଼ିଦେଲେ କାହାକୁ ମଧ୍ୟ ଗିରଫ କରାଗଲା ନାହିଁ! ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଅଚଳ ହୋଇଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଅଗଷ୍ଟ ୭,୨୦୨୩ ଦିନ ପରବର୍ତ୍ତୀ ଶୁଣାଣୀ ଧାର୍ଯ୍ୟକରି ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ମଣିପୁର ରାଜ୍ୟର ପୋଲିସ୍ ଡିଜି ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଅଦାଲତଙ୍କର ସମସ୍ତ ପ୍ରଶ୍ନର ଉତ୍ତର ରଖିବେ । ଏହି ଭିତରେ ଉଚ୍ଚତମ ନ୍ୟାୟାଳୟ ଏବଂ ଏହାର ପ୍ରଧାନ ବିଚାରପତିଙ୍କୁ ଲକ୍ଷ୍ୟରେ ରଖି ଭାଜପା ଓ ସଂଘପରିବାର ତରଫରୁ ସାମାଜିକ ଗଣମାଧ୍ୟମରେ ଏକ ଅଭିଯାନ ଆକାରରେ ସମାଲୋଚନା ଏବଂ କୁତ୍ସା ଘଟଣା କରାଯାଉଛି ।

ଠିକ୍ ଏହି ସମୟରେ ଭାରତର ଅନ୍ୟକେତେକ ଅଞ୍ଚଳରେ ସତ୍ୟପାଲ୍ ମଲ୍ଲିକ୍‌ଙ୍କ ଆଶଙ୍କାକୁ ସତ୍ୟ ସାବ୍ୟସ୍ତ କଲାଭଳି କିଛି ଘଟଣା ଦେଖିବାକୁ ମିଳିଛି । ଗତ କିଛିଦିନ ଭିତରେ ସାମ୍ପ୍ରଦାୟିକ ହିଂସା ଓ ଘୃଣାର ପ୍ରସାର ଏଭଳି ଘଟିଛି ଯେ ଅତି ଅପ୍ରତ୍ୟାଶିତ ଭାବେ କିଛି ନିରୀହ ଲୋକ ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଛନ୍ତି । ଘଟଣାଗୁଡ଼ିକ ମୁଖ୍ୟତଃ ବିଜେପି ଶାସିତ ରାଜ୍ୟମାନଙ୍କରେ ଘଟୁଛି । ଗୋଟିଏ ଘଟଣାରେ ମୁମ୍ବାଇ ଜୟପୁର ଏକ୍ସପ୍ରେସ୍ ଟ୍ରେନ୍‌ରେ ଜଣେ ରେଳବାଇ ନିରାପତ୍ତା ବାହିନୀର ବନ୍ଧୁକଧାରୀ ସୁରକ୍ଷାକର୍ମୀ ଚଳନ୍ତା ଟ୍ରେନ୍ ଭିତରେ ତିନୋଟି ଭିନ୍ନଭିନ୍ନ କମ୍ପାର୍ଟମେଣ୍ଟ ଯାଇ ବାଛିବାଛି ତିନିଜଣ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟାକରିଥିଲେ ଏବଂ ନିଜର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ସେ ହତ୍ୟାକରିଥିଲେ । ଘଟଣାଟିକୁ ସାମ୍ପ୍ରଦାୟିକ ରୂପ ନଦେବାପାଇଁ ବିଭିନ୍ନ କାହାଣୀ ପ୍ରସାରିତ ହୋଇଥିଲା ।

କିନ୍ତୁ ପରେ ଗୋଟିଏ ଭିଡ଼ିଓରେ ସେ ନିଜେ ଘୋଷଣା କରି କହିଥିଲେ ଯେ ଯେଉଁମାନେ ‘ମୋଦୀ ଓ ଯୋଗୀ’ଙ୍କୁ ସମର୍ଥନ କରିବେ, ସେମାନେ ହିଁ ଭାରତରେ ରହିବେ । ଠିକ୍ ପରେପରେ ହରିୟାନା ରାଜ୍ୟର ଦିଲ୍ଲୀ ନିକଟସ୍ଥ ମେୱାତ୍ ଓ ଗୁରୁଗ୍ରାମ ଅଞ୍ଚଳରେ ସଂଖ୍ୟାଧିକ ମୁସଲ୍‌ମାନ ରହୁଥିôବା ଜନବସତି ଆଡ଼କୁ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ କାଉଡ଼ିଆମାନଙ୍କର ଶୋଭାଯାତ୍ରାକୁ ଅନେକ ଉତ୍ତେଜନା ପ୍ରବଣ ନାରା ଓ ପୂର୍ବ ପ୍ରସାରିତ ଭିଡ଼ିଓ ମାଧ୍ୟମରେ ନେଲାବେଳେ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା । ଦେଶର ରାଜଧାନୀ ଦିଲ୍ଲୀର ନିକଟବର୍ତ୍ତୀ ଭାଜପାଶାସିତ ହରିୟାନା ରାଜ୍ୟର ଏହି ଅଞ୍ଚଳରେ ଏଭଳି ଘଟଣା ଘଟିବାର ସମସ୍ତ ପୂର୍ବସୂଚନା ଥିଲେ ମଧ୍ୟ ରାଜ୍ୟତରଫରୁ ତାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ପରେ ଅର୍ଥାତ୍ ଜୁଲାଇ ୩୦,୨୦୨୩ ରାତିରେ ଅଞ୍ଜୁମନ ଜାମା ମସ୍‌ଜିଦ୍‌କୁ ପୋଡ଼ି ଦିଆଯାଇଥିଲା ଏବଂ ସେଠାରେ ଥିବା ଇମାମ୍‌ଙ୍କ ସମେତ ଦୁଇଜଣ ଜଳିପୋଡ଼ି ମରିଯାଇଥିଲେ ।

ଏବେ ଗୁରୁଗ୍ରାମର ଭୟଙ୍କର ଆତଙ୍କ ଭିତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସେହି ସ୍ଥାନ ଛାଡ଼ି ପଳାୟନ କରିବାର ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଭାଜପା ଶାସିତ ରାଜ୍ୟ ସରକାରଙ୍କର ଘଟିଚାଲିଥିବା ଘଟଣାରେ ସମ୍ପୃକ୍ତିନାହିଁ, ଏହି କଥା ଗ୍ରହଣ କରିହେବ ନାହିଁ ଯଦି ପଡ଼ୋଶୀ ଭାଜପାଶାସିତ ଉତ୍ତରପ୍ରଦେଶର ଗୋଟିଏ ଘଟଣାକୁ ଆମେ ଗୁରୁତ୍ୱର ସହିତ ଦେଖିବା । ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରେ କାଉଡ଼ିଆମାନଙ୍କର ଏକ ଭୟଙ୍କର ଶୋଭାଯାତ୍ରା ଅନୁମତି ନଥିବା ଯାତ୍ରାପଥରେ ଏକ ସଂଖ୍ୟାଲଘୁ ଅଞ୍ଚଳକୁ ଉତ୍ତେଜନାମୂଳକ ପ୍ରଚାର ଭିତରେ ବଳପୂର୍ବକ ପ୍ରବେଶ କରିବାପାଇଁ ଉଦ୍ୟମ କଲାବେଳେ ସେଠି ଉପସ୍ଥିତ ଥିବା ବରିଷ୍ଠ ପୋଲିସ ଏସ୍‌.ପି ଶ୍ରୀ ପ୍ରଭାକର ଚୌଧୁରୀ ତାଙ୍କୁ ବାଧାଦେବା ହେତୁ ମାତ୍ର ୪ଘଣ୍ଟା ଭିତରେ ଯୋଗୀ ଆଦିତ୍ୟ ନାଥଙ୍କ ସରକାର ତାଙ୍କୁ ସେଠାରୁ ବଦଳି କରିଦେଇଥିଲେ । ଏହି ଘଟଣାଟି ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଭାଜପାଶାସିତ ରାଜ୍ୟମାନଙ୍କରେ ସଂଖ୍ୟାଲଘୁ ମାନଙ୍କଉପରେ ଆକ୍ରମଣକୁ ସରକାରମାନେ ହିିଁ ପ୍ରୋତ୍ସାହନ ଯୋଗାଉଛନ୍ତି ।

ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଏଭଳି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖୁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ସଂସଦ ମଧ୍ୟ ଯାଉନାହାନ୍ତି, ସେଠି ବକ୍ତବ୍ୟ ରଖିବା ତ ଦୂରର କଥା । ବିରୋଧିମାନେ ଜାଣିଛନ୍ତି ଯେ ସଂଖ୍ୟାଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବର ଫଳାଫଳ ସରକାରଙ୍କ ସପକ୍ଷରେ ହିଁ ଯିବ, ତଥାପି ଅନ୍ତତଃ ମଣିପୁର ପ୍ରସଙ୍ଗରେ ବକ୍ତବ୍ୟ ରଖିବାପାଇଁ ପ୍ରଧାନମନ୍ତ୍ରୀ ବାଧ୍ୟହେବେ, ଏହି ଆଶାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ସବୁଠାରୁ ବିବାଦରେ ରହିଆସିଛି ଓଡ଼ିଶାର ନବୀନ ସରକାରଙ୍କର ବିଜୁ ଜନତା ଦଳର ଆଭିମୁଖ୍ୟ । ନବୀନ ବାବୁଙ୍କ ଦଳ ସବୁଥିରେ ନରେନ୍ଦ୍ର ମୋଦୀଙ୍କୁ ଆରମ୍ଭରୁ ହିଁ ସମର୍ଥନ ଦେଇ ଆସିଛନ୍ତି ।

ଏହି ଥର ମଧ୍ୟ ମଣିପୁରର ଗଣଧର୍ଷଣ ଏବଂ ନାରୀଙ୍କ ପ୍ରତି ହିଂସାର ଭୟଙ୍କର ଦୃଶ୍ୟ ସମଗ୍ର ବିଶ୍ୱକୁ ଚକିତ କରିଥିଲାବେଳେ ନବୀନ ବାବୁ ଏହି ସବୁ ଜଘନ୍ୟ ଅପରାଧପ୍ରତି ସମାନ୍ୟତମ ସମବେଦନା ଦେଖାଇ ନାହାନ୍ତି । ବରଂ ମୋଦୀ ସରକାରଙ୍କ ସପକ୍ଷରେ ଛିଡ଼ାହେବା ପାଇଁ ନିଜ ସାଂସଦମାନଙ୍କୁ ନିର୍ଦ୍ଦେଶ ଜାରିକରିଛନ୍ତି । ଅନ୍ୟପଟେ ଓଡ଼ିଶାରେ ସଂଘ ପରିବାରର ଶାଖା ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ତାଙ୍କର ଶାସନ କାଳ ଭିତରେ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହି ସମ୍ପର୍କରେ ‘ସମଦୃଷ୍ଟି’ର ବିଭିନ୍ନ ସମ୍ପାଦକୀୟରେ ପୂର୍ବରୁ ଉଲ୍ଲେଖ କରାଯାଇଛି । ବିଳମ୍ବରେ ହେଲେବି ରାହୁଲ ଗାନ୍ଧୀଙ୍କର ‘ଭାରତ ଯୋଡ଼ ଯାତ୍ରା’ ଏବଂ ବିଭିନ୍ନ ଜନପ୍ରସଙ୍ଗେରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ନେଇ ବଳିଷ୍ଠ ପକ୍ଷ ସର୍ବସାଧାରଣଙ୍କ ସାମ୍ନାରେ ରଖିବା କାମଟି କିଛି ଆଶା ସୃଷ୍ଟି କରିଛି ଯେ ଭାରତରେ ରାଜନୈତିକ ବିରୋଧର ଏକ ସ୍ୱର ଏବେ ବି ବଞ୍ôଚକି ଅଛି । ଯଦି ଏହି ସ୍ୱରର ପ୍ରତିଧ୍ୱନି ସମଗ୍ର ଦେଶରୁ ଦେଖିବାକୁ ମିଳିବ ନାହିଁ, ତେବେ ସତ୍ୟପାଲ୍ ମଲ୍ଲିକ୍ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହେବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.