ଆଧୁନିକ ଭାରତର ନିର୍ମାତା : ସୁଭାଷ ବୋଷ 

‘Makers of Modern India’(‘ଆଧୁନିକ ଭାରତର ନିର୍ମାତାଗଣ’) ଶିରୋନାମାରେ ପ୍ରକାଶିତ ଇଂରାଜୀ ପୁସ୍ତକରେ କୌତୁହଳବଶତଃ ଯେତେବେଳେ ଏହି ଲେଖକ ସୁଭାଷ ବୋଷଙ୍କର ନାଁ ଖୋଜିଲା, ସେତେବେଳେ ସେ ନିରାଶ ହେଲା । କାରଣ ପୁସ୍ତକର ଲେଖକ ରାମଚନ୍ଦ୍ର ଗୁହା ଆଧୁନିକ ଭାରତର ନିର୍ମାତାଗଣ ଭାବେ ଯେଉଁମାନଙ୍କୁ ଉଲ୍ଲେଖ କରିଛନ୍ତି ସେମାନେ ହେଲେ ରାମମୋହନ ରାୟ, ସୟେଦ ଅହମଦ ଖାଁ, ଜ୍ୟୋତିରାଓ ଫୁଲେ, ଗୋପାଳକୃଷ୍ଣ ଗୋଖଲେ, ବାଳ ଗଙ୍ଗାଧର ତିଳକ, ତାରାବାଇ ଶିନ୍ଧେ, ମୋହନଦାସ କରମଚାନ୍ଦ ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ବି ଆର ଆମ୍ବେଦକର, ମହମ୍ମଦ ଅଲି ଜିହ୍ନା, ଇ ଭି ରାମାସ୍ୱାମୀ, କମଳାଦେବୀ ଚଟ୍ଟୋପାଧ୍ୟାୟ, ଜବାହାରଲାଲ ନେହେରୁ, ଏମ ଏସ ଗୋଲୱାଲକର, ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣ, ସି ରାଜଗୋପାଳାଚାରୀ, ଭେରିଅର ଏଲୱିନ, ହମିଦ ଦଲୱାଇ । କିନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କର ନାଁ ନ ଥିଲା । ପାକିସ୍ଥାନର ନିର୍ମାତା ମହମ୍ମଦ ଅଲି ଜିହ୍ନା ଏହି ତାଲିକାରେ ସ୍ଥାନିତ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । 

କାହିଁକି ଏହି ତାଲିକାରେ ସୁଭାଷ ବୋଷଙ୍କ ନାଁ ରହିଲା ନାହିଁ?

କାହିଁକି ଏହି ତାଲିକାରେ ସୁଭାଷ ବୋଷଙ୍କ ନାଁ ରହିଲା ନାହିଁ? ରାମଚନ୍ଦ୍ର ଗୁହା ଏହାର କାରଣ ଦର୍ଶାଇଛନ୍ତି । କାରଣ ହେଉଛି ସୁଭାଷଙ୍କର ପ୍ରକାଶିତ ଲେଖାରେ ନୂତନ ଧାରଣାର ସ୍ୱଳ୍ପତା (paucity of original ideas) ଓ ପ୍ରକାଶିତ ଲେଖାଗୁଡ଼ିକର ଅସାରତା (insubstantial) ବା ନୀରସତା (humdrum)(୧- ପୃ ୧୨) । ତାଙ୍କ ବିଚାରରେ (୧-ପୃ xii) “ବୋଷ ଜଣେ କାମର ମଣିଷ (man of action), ଗଭୀର ଜ୍ଞାନ ଥିବା ଚିନ୍ତକ (profound thinker) ନୁହନ୍ତି ।” ରାମଚନ୍ଦ୍ର ଗୁହା ଏହି ପୁସ୍ତକର ମୁଖବନ୍ଧରେ କୁହନ୍ତି (୧-ପୃ ୧), “ଆଧୁନିକ ଭାରତ ସମ୍ପର୍କରେ ଯାହା ଦୃଷ୍ଟି ଆକର୍ଷକ ତାହା ହେଉଛି ଯେଉଁମାନେ ଏହାର ଇତିହାସ ଗଢ଼ିଥିଲେ, ସେମାନେ ଏହା ସମ୍ପର୍କରେ ଅତି ନିର୍ଭରଯୋଗ୍ୟ ବିବରଣୀ ମଧ୍ୟ ଲେଖିଲେ । ଦେଶର ଆଗ ଧାଡିର ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଥିଲେ ଏହାର ଆଗଧାଡ଼ିର ଚିନ୍ତକ । ଏହା ବିଶେଷତଃ ମୋହନଦାସ କେ ଗାନ୍ଧୀ, ଜବାହାରଲାଲ ନେହରୁ ଏବଂ ବି ଆର ଆମ୍ବେଦକର ଏହି ତ୍ରୟଙ୍କ ପାଇଁ ସତ୍ୟ ।…..ଏପରିକି ସେମାନେ ଯେତେବେଳେ ଲଢୁଥିଲେ ଓ ସଂଘର୍ଷ କରୁଥିଲେ, ନେତୃତ୍ୱ ଦେଉଥିଲେ ଓ ଶାସନ କରୁଥିଲେ, ଗାନ୍ଧୀ, ନେହେରୁ ଏବଂ ଆମ୍ବେଦକର ବିଶ୍ୱକୁ ଯେପରି ଦେଖୁଥିଲେ ଓ ଗଢୁଥିଲେ ସେ ସମ୍ପର୍କରେ ବିଶଦ ଭାବରେ ଲେଖୁଥିଲେ ।” କେଉଁ ପରିମାଣରେ ଏହି ତିନି ମହାନ ବ୍ୟକ୍ତି ଲେଖିଥିଲେ, ତାହାର ଏକ ଆକଳନ ଦର୍ଶାଇ ଗୁହା ମହାଶୟ ଲେଖନ୍ତି (୧-ପୃ ୧-୨), “ଗାନ୍ଧୀଙ୍କର Collected Works, ଯାହା ଭାରତ ସରକାର ୧୯୫୮ରୁ ୧୯୯୪ ମଧ୍ୟରେ ପ୍ରକାଶ କରିଥିଲେ ତାହା ୯୦ ଖଣ୍ଡ(volumes)ରୁ ଊର୍ଦ୍ଧ ସଂଖ୍ୟା ଯାଏ ଯାଇଛି । ଏଯାବତ୍ ୫୦ ଖଣ୍ଡରୁ ଅଧିକ ନେହେରୁଙ୍କ    Selected Works ତାଙ୍କ ନାଁରେ ଗଠିତ ଏକ ଟ୍ରଷ୍ଟଦ୍ୱାରା ପ୍ରକାଶିତ ହୋଇଛି । ୧୯୮୦ ଦଶକରେ ଆମ୍ବେଦକରଙ୍କ ନିଜ ପ୍ରଦେଶ ମହାରାଷ୍ଟ୍ରର ସରକାର, ତାଙ୍କର ଲେଖାଗୁଡ଼ିକର ପ୍ରକାଶନ ୧୬ଖଣ୍ଡରେ କରିଛନ୍ତି ଯାହାର ପ୍ରତ୍ୟେକ ଖଣ୍ଡ ବେଳେବେଳେ ହଜାର ପୃଷ୍ଠାରୁ ଅଧିକ ହୋଇଛି ।” 

 ଏହି ଧାରାବାହିକତାରେ ଉଲ୍ଲେଖ କରାଯାଇପାରେ ଯେ ଗାନ୍ଧୀ, ନେହରୁ ଓ ଆମ୍ବେଦକରଙ୍କ ପରି ସୁଭାଷ ବୋଷଙ୍କର ଲେଖାଗୁଡିକୁ ନେଇ ୧୨ଟି ଖଣ୍ଡରେ ନେତାଜୀଙ୍କର Collected Works ପ୍ରକାଶ ପାଇଛି, ଯାହାର ସମ୍ପାଦନା (୨-ପୃ xi) କରିଛନ୍ତି ସୁଭାଷ ବୋଷଙ୍କ ପୁତୁରା ଡକ୍ଟର ଶିଶିର କୁମାର ବୋଷ ଓ ତାଙ୍କପୁତ୍ର ଐତିହାସିକ ହାର୍ଭାଡ ବିଶ୍ୱବିଦ୍ୟାଳୟ ପ୍ରଫେସର ସୁଗତ ବୋଷ । ଦ୍ୱାଦଶ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୭ ମସିହାରେ(୩) । ରାମଚନ୍ଦ୍ର ଗୁହାଙ୍କ Makers of Modern India  ପ୍ରକାଶ ପାଇବାର ୩ ବର୍ଷ ପୂର୍ବରୁ । କିନ୍ତୁ ସୁଭାଷଙ୍କ ଲେଖା ସମ୍ପର୍କରେ ‘ଅସାରତା ବା ନୀରସତା’ ମତ ଦେବାକୁ ଯାଇ ଯେଉଁ ପୁସ୍ତକର ସୂଚନା ଗୁହା ମହାଶୟ ଦେଇଛନ୍ତି ସେ ପୁସ୍ତକ ହେଉଛି ୧୯୯୦ରେ ପ୍ରକାଶିତ Leonard Gordonu ଲିଖିତ ଏକ ପୁସ୍ତକ(୪) । ଏହି ପୁସ୍ତକ, ଯାହା ବୋଷ ଭ୍ରାତାଦ୍ୱୟଙ୍କ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ଓ ପରସ୍ପର ଭିତରେ ଥିବା ସମ୍ପର୍କର ବିବରଣୀ, ସେଥିରେ ଲେଖକ Gordon ତାଙ୍କର ଉପସଂହାରର ଶେଷଧାଡିରେ ଲେଖିଥିଲେ (୪-ପୃ ୬୧୮), “ସେମାନଙ୍କୁ ମନେ ରଖାଯିବା ଉଚିତ ସେମାନଙ୍କର ଉତ୍ସାହ ଓ ଉତ୍ସର୍ଗ ପାଇଁ ଯାହା ନିଜ ଦେଶକୁ ଦେଇ ସେମାନେ ଚେଷ୍ଟିତ ଥିଲେ ନିଜର ଓ ଭାରତର ଭାଗ୍ୟର ପରିପୂର୍ଣ୍ଣତା ପାଇଁ ।” ଯାହା ଏହି ପୁସ୍ତକ ସମ୍ପର୍କରେ ଉଲ୍ଲେଖ ନକରି ରହି ହୁଏ ନାହିଁ ତାହା ହେଉଛି ସୁଭାଷଙ୍କର ବହୁ ମତ, ମନ୍ତବ୍ୟ ଓ ତାଙ୍କଦ୍ୱାରା ଲିଖିତ ନିବନ୍ଧ ଓ ପୁସ୍ତକରୁ ବହୁଳ ପରିମାଣରେ ଲେଖକ Gordonଙ୍କ ଦ୍ୱାରା ଉଦ୍ଧୃତି । ମନେ ହୁଏ ଯେପରି Gordon ମହାଶୟ ସୁଭାଷଙ୍କ ଲେଖାରେ ପାଇଛନ୍ତି ଅନେକ ମୌଳିକ ଧାରଣା ଓ ଅନୁଭବ କରିଛନ୍ତି ସୁଭାଷ ସାହିତ୍ୟର ସାରବତ୍ତା । ତେଣୁ ନେତାଜୀଙ୍କ  ଲେଖାରେ ମୌଳିକ ଧାରଣାର ଅଭାବ ଥିଲା ବା ଲେଖାଗୁଡିକ ଅସାର ବା ନୀରସ ଥିଲା କହିବା ସୁଭାଷ ସାହିତ୍ୟର ସଠିକ ଆକଳନର ନିଷ୍କର୍ଷ ହୋଇପାରେ । ଏହିପରି ଆକଳନକୁ ଆଧାର କରି ଆଧୁନିକ ଭାରତର ନିର୍ମାତା ତାଲିକାରେ ସୁଭାଷଙ୍କୁ ଅନ୍ତର୍ଭୁକ୍ତ ନ କରିବା ଯଥାର୍ଥ ମନେହୁଏ ନାହିଁ ।   

ତେବେ ବିଶିଷ୍ଟ  ସ୍ୱତନ୍ତ୍ରତା ସେନାନୀ ଭାରତରତ୍ନ ରାଜର୍ଷି ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ଦୃଷ୍ଟିରେ ସୁଭାଷ ହେଉଛନ୍ତି ଆଧୁନିକ ଭାରତୀୟ ଇତିହାସର ନିର୍ମାତା । ୨୩ ଜାନୁଆରୀ ୧୯୪୮ରେ ପ୍ରକାଶିତ ସୁଭାଷଙ୍କ ଜୀବନୀ ଉପରେ ସଙ୍କଳିତ ଏକ ପୁସ୍ତକରେ ଟଣ୍ଡନ ମହାଶୟ ଲେଖିଥଲେ (୫-ପୃ ୩୭୨), “ନେତାଜୀ ସୁଭାଷଚନ୍ଦ୍ର ବୋଷ ଆମ ଦେଶର କେତେଜଣ ମହାପୁରୁଷଙ୍କ ମଧ୍ୟରୁ ଜଣେ ଯିଏ ଆଧୁନିକ ଭାରତୀୟ ଇତିହାସର ନିର୍ମାଣ କରିଛନ୍ତି ।… ଦେଶ ବାହାରକୁ ଯାଇ ଦେଶକୁ ସ୍ୱତନ୍ତ୍ର କରିବାର କାମନାକୁ ସେ ଯେପରି ବ୍ୟବହାରିକ ରୂପଦେଲେ ଓ ରାଷ୍ଟ୍ରୀୟ ସେନାର ନିର୍ମାଣ କରି ବ୍ରିଟିଶ ଗଭର୍ଣମେଂଟର ସାମାନା କଲେ ତାହା ତାଙ୍କର ଅଦ୍ଭୁତ ବ୍ୟକ୍ତିତ୍ୱର ପରିଚାୟକ ଅଟେ ।” ପ୍ରାୟ ଏହି ମତ ପ୍ରକାଶ ପାଇଛି ୧୯୭୫ରେ ଭାରତ ସରକାରଙ୍କ ଦ୍ୱାରା Builders of Modern India Seriesରେ ପ୍ରକାଶିତ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀରେ (୬) । ସୁଭାଷଙ୍କର ଘନିଷ୍ଠ ସହଯୋଗୀ ଓ ଏହି ପୁସ୍ତକର ଲେଖକ ଗିରିଜା କେ ମୁକର୍ଜୀ (୯-ପୃ ୧୩୧), ପୁସ୍ତକର ଉପସଂହାରରେ ଲେଖନ୍ତି (୬-ପୃ ୯୯-୧୦୦),“ଯେଉଁ ବ୍ୟକ୍ତିମାନେ ଆଧୁନିକ ଭାରତ ନିର୍ମାଣ କରିଥିଲେ, ସେମାନେ ନିର୍ବାସିତ ହୋଇ ବିଦେଶୀଭୂମିରେ ରହିବାର ଦୁର୍ଭାଗ୍ୟ କଦାପି ଭୋଗି ନଥିଲେ, ସୁଭାଷଙ୍କ ବ୍ୟତୀତ । ସେଇଥିପାଇଁ ସେ ସେମାନଙ୍କଠାରୁ କିଛିଟା ଭିନ୍ନ ଥିଲେ, କାରଣ ସେ ଆଧୁନିକତା ଏବଂ ଭାରତର ବିକାଶ ପାଇଁ ସଂଘର୍ଷ ଦୂର ଭୂଇଁରୁ କରୁଥିଲେ ଏବଂ ଆଣିଥିଲେ ଭାରତୀୟ ନବ ଜାଗରଣରେ ଅନ୍ୟ ଦେଶର ସୁଗନ୍ଧ ଓ ରଙ୍ଗ, ଏବଂ ଅନ୍ୟ ଅଂଚଳରୁ ଏବଂ ନିଜ ମାତୃଭୂମିର ସୀମାନ୍ତରୁ ଯୁଦ୍ଧର ରୋମାଂଚ । ବିଶ୍ୱର ଯେଉଁ ବ୍ୟକ୍ତିତ୍ୱମାନେ ସଦୃଶ ଉଦ୍ୟମ କରି ତାଙ୍କ ପରି ଦେଖାଯାଆନ୍ତି, ସେମାନେ ହେଲେ ମାଜିନି ଏବଂ ଗାରିବାଲ୍ଡି  (Mazzini and Garibaldi) ଯେଉଁମାନେ ସେମାନଙ୍କ ଦେଶ ବାହାରେ ଥାଇ ଇଟାଲୀର ମୁକ୍ତି ପାଇଁ ଯୁଦ୍ଧ କରିଥିଲେ । ଏହିପରି ମଧ୍ୟ କରିଥିଲେ ଲେନିନ ଏବଂ ଡି ଗଲ (Lenin and de Gaulle), କିନ୍ତୁ ନିଷ୍ଠୁର ତଫାତ୍ ସୁଭାଷ ଓ ସେମାନଙ୍କ ମଧ୍ୟରେ ଥିଲା ଏହି ଦୁଃଖଦ ବିଷୟ ଯେ ସେମାନେ ସେମାନଙ୍କ ଦେଶମାନଙ୍କର ମୁକ୍ତି ପରେ ଯେତେବେଳେ ନିଜ ନିଜ ଦେଶକୁ ଫେରି ଆସିପାରିଥିଲେ, ସୁଭାଷ ଫେରିନଥିଲେ ।” କହିବା ବାହୁଲ୍ୟ ଯେ ଭାରତ ସରକାରଙ୍କ ପ୍ରକାଶନ ବିଭାଗ ଦ୍ୱାରା Builders of Modern India Series ରେ ସୁଭାଷଚନ୍ଦ୍ର ବୋଷଙ୍କ ଜୀବନୀ ପ୍ରକାଶିତ ହେବା ଆଧୁନିକ ଭାରତର ନିର୍ମାତାଭାବେ ସୁଭାଷ ବୋଷଙ୍କୁ ଭାରତ ସରକାରଙ୍କ ସ୍ୱୀକୃତି ବୋଲି କୁହାଯାଇପାରେ । ସୁଭାଷ ବୋଷଙ୍କୁ ଆଧୁନିକ ଭାରତର ପରିକଳ୍ପନାରୁ ଯେ ବାଦ ଦିଆଯାଇ ନପାରେ ବରଂ ଗାନ୍ଧୀ ଓ ନେହେରୁଙ୍କ ସହିତ ସ୍ମରଣ କରାଯାଇପାରେ, ତାହାର ଏକ ପ୍ରମାଣ ହେଉଛି ୨୦୦୪ ମସିହାରେ ପ୍ରକାଶିତ(୭) ଗବେଷିକା ଶ୍ରୀମତୀ ରେବା ବୋଷ ତାଙ୍କ ଦ୍ୱାରା ଲିଖିତ ପୁସ୍ତକର ଶିରୋନାମା ‘ଗାନ୍ଧୀ, ବୋଷ, ନେହରୁ ଏବଂ ଆଧୁନିକ ଭାରତୀୟ ମାନସର ଗଠନ’ ।

ତେଣୁ ସୁଭାଷଙ୍କ ଲେଖାରେ ମୌଳିକତା ନାହିଁ ଓ ତାଙ୍କ ଲେଖା ଅସାର ବା ନୀରସ କହି ତାଙ୍କୁ ଆଧୁନିକ ଭାରତର ନିର୍ମାତାର ତାଲିକାରୁ ବାଦ୍ ଦେଇ ଗୁହା ମହାଶୟ ଯେଉଁମାନଙ୍କୁ ତାଲିକାଭୁକ୍ତ କରିଛନ୍ତି ସେମାନଙ୍କର ଅତି ସଂକ୍ଷିପ୍ତ ଜୀବନୀ ଲେଖି ସେମାନଙ୍କ ଦ୍ୱାରା ଲିଖିତ କେତୋଟି ପ୍ରବନ୍ଧ ବା ଉଦ୍ଧୃତି ମଧ୍ୟ ସ୍ଥାନିତ କରିଛନ୍ତି ବୋଧେ ଦର୍ଶାଇବାକୁ ପ୍ରବନ୍ଧ ବା ଉଦ୍ଧୃତି ଗୁଡିକର ମୌଳିକତା ଓ ସାରବତତା । ଏହି ପଦ୍ଧତିର ଅନୁସରଣରେ ସୁଭାଷଙ୍କର ଗୋଟିଏ ପ୍ରବନ୍ଧ (୮-ପୃ ୧୪୮-୧୫୬) ନିମ୍ନରେ ସ୍ଥାନିତ କରୁଛୁ ଯାହା ସେ ଲେଖିଥିଲେ ଭାରତ ସ୍ୱାଧୀନତା ପାଇବାର ୫ ବର୍ଷ ପୂର୍ବରୁ, ଯେଉଁଥିରେ ସ୍ୱାଧୀନ ଭାରତର ସ୍ୱରୂପ କଣ ହେବା ଉଚିତ, ସେପରି ଭାରତରେ କଣ ଗୁରୁତ୍ୱ ପାଇବା ଉଚିତ ତାହାର ପରିକଳ୍ପନାକୁ ସେ ଲିପିବଦ୍ଧ କରିଥିଲେ । ଏହି ପରିକଳ୍ପନାର ମୈାଳିକତା ଓ ବ୍ୟାପକତା ଅନୁମେୟ  ।  

“ସ୍ୱାଧୀନ ଭାରତ ଓ ତାହାର ସମସ୍ୟା (୮-ପୃ ୧୪୮-୧୫୬)

(Free India and Her Problems)

(Published in German in ‘Wille and Macht’(August , 1942) and reprinted in Azad Hind(9/10, 1942)

ନବ ଜାଗରଣ (The New Awakening)

ବ୍ରିଟିଶର ଭାରତ ଦଖଲ ଆରମ୍ଭହେଲା ୧୭୫୭ ସାଲରେ, ଯେତେବେଳେ ବଙ୍ଗପ୍ରଦେଶ ବ୍ରିଟିଶ ହାତକୁ ଗଲା । ବିଭିନ୍ନ ପର୍ଯ୍ୟାୟ ଦେଇ ଏହା ବିସ୍ତାରିତ ହେଲା ଓ ଶେଷରେ, ୧୮୫୭ର ମହାନ ବିପ୍ଳବ ପରେ, ୧୮୫୮ରେ ଏହା ସମାପ୍ତ ହେଲା । ଇଂରାଜ ଐତିହାସିକ ଏହି ବିପ୍ଳବକୁ ‘ସିପାହୀ ବିଦ୍ରୋହ’ କୁହନ୍ତି, କିନ୍ତୁ ଭାରତର ଜନଗଣ ଏହାକୁ ‘ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ବୋଲି ଅଭିହିତ କରନ୍ତି । ପ୍ରଥମ ଅବସ୍ଥାରେ ବିପ୍ଳବ ବେଶ ସଫଳ ହେଉଥିଲା, କିନ୍ତୁ ଶେଷଆଡ଼କୁ ଭାରତୀୟ ନେତାମାନଙ୍କର ରଣନୀତି ଓ କୂଟନୀତିରେ ତ୍ରୁଟିଯୋଗୁଁ ଏହା ବିଫଳ ହୋଇଗଲା । ବ୍ରିଟିଶଙ୍କର ରଣନୀତି ଓ କୁଟନୀତି ଉନ୍ନତତର ଥିଲା । ତଥାପି ବ୍ରିଟିଶ ବହୁ କଷ୍ଟରେ ବିଜୟ ଲାଭ କରିପାରିଥିଲା ।

ବିପ୍ଳବ ବିଫଳ ହେବା ପରେ ସାରାଦେଶରେ ଆତଙ୍କରାଜ ଚାଲିଲା । ଭାରତୀୟ ଜନଗଣଙ୍କୁ ପୂର୍ଣ୍ଣତଃ ନିରସ୍ତ୍ର କରାଗଲା ଓ ସେମାନଙ୍କୁ ଏପର୍ଯ୍ୟନ୍ତ୍ ନିରସ୍ତ୍ର କରାଚାଲିଛିି । ବର୍ତ୍ତମାନ ସେମାନେ ବୁଝୁଛନ୍ତି ଯେ ୧୮୫୮ରେ ନିରସ୍ତ୍ରୀକରଣକୁ ମାନିନେଇ ସେମାନେ ସେମାନଙ୍କର ଇତିହାସରେ ଏକ ଗୁରୁତର ଭୁଲ କରିଥିଲେ, କାରଣ ନିରସ୍ତ୍ରୀକରଣ ବହୁଳ ଭାବରେ ରାଷ୍ଟ୍ରକୁ ଦୁର୍ବଳ ଓ ନପୁଂସକ କରିଦେଲା । ୧୮୫୭ ବିପ୍ଳବର ବିଫଳତା ପରେ, ଭାରତର ଜନଗଣ କିଛି ସମୟପାଇଁ ହତୋତ୍ସାହିତ ହୋଇପଡ଼ିଥିଲେ । ତାପରେ, ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମହେବା ପରେ ଆରମ୍ଭ ହେଲା ରାଜନୈତିକ ଜାଗରଣ, ଯାହା ବିଶ୍ୱର ଅନ୍ୟ ଅଂଚଳମାନଙ୍କରେ ହେଉଥିବା ବିପ୍ଳବଦ୍ୱାରା ପ୍ରୋତ୍ସାହିତ ହେଉଥିଲା । ଏହି ଶତାବ୍ଦୀର ଆରମ୍ଭରେ ଜାତୀୟ ଆନ୍ଦୋଳନରେ ଦୁଇଟି ପଦ୍ଧତିର ବିକାଶ ଘଟିଲା-ବ୍ରିଟିଶ ସାମଗ୍ରୀର ବହିଷ୍କାର ଓ ଗୁପ୍ତ ବିଦ୍ରୋହ  (secret insurrection) ଗତ ବିଶ୍ୱଯୁଦ୍ଧ ପରେ, ୧୯୨୦ରେ, ଗଣ ଆଇନ ଅମାନ୍ୟ ଆନ୍ଦୋଳନ ବା ସତ୍ୟାଗ୍ରହ (passive resistance)ର ଏକ ନୂତନ ପଦ୍ଧତି ଗାନ୍ଧୀ ପ୍ରଚଳନ କଲେ ଯାହାର ଲକ୍ଷ୍ୟ ହେଲା କୌଣସି ଅସ୍ତ୍ର-ଶସ୍ତ୍ରର ପ୍ରୟୋଗ ନ କରି ବିଦେଶୀ ଶାସନକୁ ଉତ୍ଖାତ କରିବା । ଏହି କ୍ରମ ବିକାଶ ଫଳରେ ଭାରତ ଏକ ଏପରି ପର୍ଯ୍ୟାୟରେ ପହଂଚିଛି ଯେତେବେଳେ ବ୍ରିଟିଶ ଶାସନକୁ ଭାରତରୁ ଉତ୍ଖାତ କରିବା ସମ୍ଭବ ହୋଇପାରେ । 

ଆଜିର ସ୍ଥିତି (The Situation Today)

ଭାରତରେ ଆଜି ସ୍ଥିତି ଏପରି ଯେ ବ୍ରିଟିଶଙ୍କୁ ସମସ୍ତେ ଘୃଣା କରୁଛନ୍ତି । ଯେତେବେଳେ ସଂଖ୍ୟାଗରିଷ୍ଠ ଲୋକେ ଚାହୁଁଛନ୍ତି ଆଜିର ଆନ୍ତର୍ଜାତିକ ସଙ୍କଟର ସୁଯୋଗ ନେଇ ବ୍ରିଟିଶ ଯୁଆଳୀକୁ କାଢ଼ି ଫୋପାଡିଦେବାକୁ, ଜନସଂଖ୍ୟାର ଗୋଟିଏ ବର୍ଗ ଏଥିପାଇଁ ନିଜକୁ ଯଥେଷ୍ଟ ଶକ୍ତିଶାଳୀ ମନେ କରୁନାହାନ୍ତି, ତେଣୁ ଚାହୁଁଛନ୍ତି ବ୍ରିଟିଶ ସରକାର ସହିତ ସାଲିସ କରି ସେମାନଙ୍କଠାରୁ ଯାହା ସମ୍ଭବ ହାସଲ କରିବାପାଇଁ । କେହି ଏପରି ଭାରତୀୟ ନାହିଁ ଯିଏ ନୈତିକ ପ୍ରତ୍ୟୟରୁ ବ୍ରିଟିଶକୁ ସହଯୋଗ କରୁଛି । ତେଣୁ ବ୍ରିଟିଶ ଶାସନ ଲୋକଙ୍କ ସଦିଚ୍ଛା ଉପରେ ନୁହଁ ବରଂ ବ୍ରିଟିଶ ବନ୍ଧୁକ ଉପରେ ଠିଆ ହୋଇଛି । 

ଅନେକ ଲୋକ ବୁଝିପାରୁ ନଥିବେ ଯେ ଭାରତ ଭଳି ଏକ ବିରାଟ ଦେଶ ଉପରେ ବ୍ରିଟିଶ ଆନୁପାତିକ ଭାବେ ଏତେ କମ୍ ସୈନ୍ୟ ନେଇ କିପରି ତାର ଆଧିପତ୍ୟ ସାବ୍ୟସ୍ତ କରିପାରୁଛି । ଏହାର ରହସ୍ୟ ହେଉଛି ଯେ ଏକ ଛୋଟ ଅଥଚ ଆଧୁନିକ ସୈନ୍ୟବାହିନୀ ଦ୍ୱାରା ଏକ ନିରସ୍ତ୍ର ବିଶାଳ ଜନସମୁଦାୟକୁ ଦବାଇ ରଖିବା ସମ୍ଭବ । ଯେତେବେଳେ ଯାଏ ଦଖଲରେ ଥିବା ଆଧୁନିକ ସୈନ୍ୟବାହିନୀ ଅନ୍ୟ ଶକ୍ତି ସହିତ ଯୁଦ୍ଧରେ ଲିପ୍ତ ନାହିଁ, ସେତେବେଳେ ସେ ପାଶବିକ ଶକ୍ତି ପ୍ରୟୋଗ କରି ଆଭ୍ୟନ୍ତରୀଣ ଜନଆନ୍ଦୋଳନକୁ ଦବାଇ ଦେଇପାରେ । କିନ୍ତୁ ବର୍ତ୍ତମାନ ବ୍ରିଟିଶ ଅନ୍ୟ ଶକ୍ତିମାନଙ୍କ ସହ ଯୁଦ୍ଧରେ ଲିପ୍ତ ଥିବାରୁ, ତେଣୁ ବେଶ ଦୁର୍ବଳ ହୋଇ ପଡିଥିବାରୁ, ଭାରତର ଜନସାଧାରଣଙ୍କ ପାଇଁ ସମ୍ଭବ ବିପ୍ଳବ କରିବା ଯାହାଦ୍ୱାରା ସବୁଦିନ ପାଇଁ ବ୍ରିଟିଶଶାସନ ସମାପ୍ତ ହେବ । କିନ୍ତୁ ଏଥିପାଇଁ ଆବଶ୍ୟକ ଭାରତର ଜନସାଧାରଣ ତାଙ୍କ ସଂଗ୍ରାମରେ ଅସ୍ତ୍ର ଧରିବା, ଓ ସେ ଶକ୍ତିମାନଙ୍କୁ ସହଯୋଗ କରିବା ଯେଉଁମାନେ ଆଜି ବ୍ରିଟେନ ସହିତ ଲଢୁଛନ୍ତି । ଏହି କାର୍ଯ୍ୟ ଗାନ୍ଧୀ କରିବେ ନାହିଁ-ତେଣୁ ବର୍ତ୍ତମାନ ଭାରତ ଏକ ନୂତନ ନେତୃତ୍ୱ ଚାହେଁ । 

ଯେତେବେଳେ ଭାରତ ସ୍ୱାଧୀନ ହେବ (When India is Free)

ଗୋଟିଏ ପ୍ରଶ୍ନ ଯାହା ଅନେକ ଲୋକ ପଚାରନ୍ତି ଯେ କଣ ହେବ ଯେତେବେଳେ ବ୍ରିଟିଶ ଭାରତ ଛାଡ଼ିବାକୁ ବାଧ୍ୟହେବେ । ବ୍ରିଟିଶ ଦ୍ୱାରା ପ୍ରଚାର ଅନେକଙ୍କ ମନରେ ଏହି ଭାବନା ସୃଷ୍ଟି କରିଛି ଯେ ବ୍ରିଟିଶ ବିନା ଭାରତରେ ଅରାଜକତା ଏବଂ ବିଶୃଙ୍ଖଳା ଆସିଯିବ । ଏହି ଲୋକମାନେ ସହଜରେ ଭୁଲିଥାନ୍ତି ଯେ ବ୍ରିଟିଶ ଦଖଲ ଆରମ୍ଭ ହେଲା ୧୭୫୭ରେ ଓ ଏହା ସରି ନଥିଲା ୧୮୫୭ ପର୍ଯ୍ୟନ୍ତ-ଯେତେବେଳେ କି ଭାରତ ଏକ ଏପରି ଭୂମି ଯାହାର ଇତିହାସ ହଜାର ହଜାର ବର୍ଷର । ଯଦି ବ୍ରିଟିଶ ଶାସନ ପୂର୍ବରୁ ସଂସ୍କୃତି, ସଭ୍ୟତା, ପ୍ରଶାସନ ଏବଂ ଅର୍ଥନୈତିକ ସମୃଦ୍ଧି ଭାରତରେ ସମ୍ଭବ ହୋଇଥିଲା, ବ୍ରିଟିଶ ଶାସନ ପରେ ମଧ୍ୟ ଏହା ସମ୍ଭବ । ପ୍ରକୃତରେ, ବ୍ରିଟିଶ ଶାସନ ଅଧୀନରେ, ଭାରତର ସଂସ୍କୃତି ଓ ସଭ୍ୟତାକୁ ଚପାଇ ଦିଆଯାଇଛି, ପ୍ରଶାସନର ଅଣଜାତୀୟକରଣ (denationalised) ହୋଇଛି ଏବଂ ଯେଉଁ ଭୂମି ଏକଦା ଧନୀ ଓ ସମୃଦ୍ଧ ଥିଲା ତାହା ବିଶ୍ୱର ଦରିଦ୍ରତମ ଅଂଚଳଗୁଡିକ ମଧ୍ୟରେ ଅନ୍ୟତମ ହୋଇଛି । 

ଏକ ନୂତନ ବେସାମରିକ ପ୍ରଶାସନ (A New Civil Administration)  

ଯେତେବେଳେ ବ୍ରିଟିଶ ଭାରତରୁ ବହିଷ୍କୃତ ହେବେ, ପ୍ରଥମ କାର୍ଯ୍ୟ ହେବ ଏକ ନୂତନ ସରକାରର ଗଠନ ତଥା ବ୍ୟବସ୍ଥା ଓ ନାଗରିକ ନିରାପତ୍ତା (order and public security)ର ପ୍ରତିଷ୍ଠା । ଏକ ନୂତନ ସରକାରର ଆବଶ୍ୟକୀୟ ପଦକ୍ଷେପ ହେଉଛି ବେସାମରିକ ପ୍ରଶାସନର ପୁନର୍ଗଠନ ଏବଂ ଏକ ଜାତୀୟ ସାମରିକ ବାହିନୀର ସୃଷ୍ଟି । ବେସାମରିକ ପ୍ରଶାସନର ପୁନର୍ଗଠନ କାର୍ଯ୍ୟ ଅପେକ୍ଷାକୃତ ସହଜ । କାରଣ ଅତୀତରେ, ବେସାମରିକ ପ୍ରଶାସନ ସବୁବେଳେ ଭାରତୀୟମାନେ ହିଁ ଚଳାଇଛନ୍ତି, ଏବଂ କେବଳ ଉପରସ୍ତରରେ ହିଁ ବ୍ରିଟିଶ ଅଫିସର ବସିଛନ୍ତି । କିନ୍ତୁ ଗତ କୋଡିଏ ବର୍ଷ ହେଲା ଭାରତୀୟମାନେ କ୍ରମଶଃ ଉପର ସ୍ତରରେ ବ୍ରିଟିଶ ଅଫିସରଙ୍କ ସ୍ଥାନ ନେଲେଣି । କେନ୍ଦ୍ର ସରକାରରେ, ଭାଇସରାୟଙ୍କ କ୍ୟାବିନେଟରେ ସଭ୍ୟମାନେ ଅନେକେ ଭାରତୀୟ । ପ୍ରାଦେଶିକ ସରକାରମାନଙ୍କରେ, ୧୯୩୭ମସିହାରୁ, ମନ୍ତ୍ରୀମାନେ ସମସ୍ତେ ଭାରତୀୟ ଓ ଇଂରେଜ ଅଫିସରମାନେ ତାଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି । ଉପରପଦବୀରେ ଯେଉଁଠି ଭାରତୀୟମାନେ ବ୍ରିଟିଶମାନଙ୍କ ସ୍ଥାନ ନେଇଛନ୍ତି ସେମାନେ ସେମାନଙ୍କ(ବ୍ରିଟିଶମାନଙ୍କ) ଅପେକ୍ଷା ନିଜକୁ ଅପେକ୍ଷାକୃତ ଅଧିକ ସମର୍ଥ ବୋଲି ପ୍ରମାଣିତ କରିଛନ୍ତି । ଭାରତୀୟ ମନ୍ତ୍ରୀ ଓ ଭାରତୀୟ ଅଫିସର ନିଜ ଦେଶକୁ ବ୍ରିଟିଶଙ୍କ ଅପେକ୍ଷା ଅଧିକ ଭଲ ଭାବରେ ଜାଣନ୍ତି ଏବଂ ଦେଶର କଲ୍ୟାଣରେ ସେମାନଙ୍କର ଆଗ୍ରହ ଅଧିକ । ତେଣୁ ସ୍ୱାଭାବିକ ଯେ ବ୍ରିଟିଶ ଅତୀତରେ ଯେପରି କାର୍ଯ୍ୟ କରୁଥିଲେ ତାହା ଅପେକ୍ଷା ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବା ଉଚିତ  । ସଂକ୍ଷେପରେ, ଆମର ଆଜି ଏପରି ତାଲିମପ୍ରାପ୍ତ ଅଭିଜ୍ଞ ଭାରତୀୟ ଅଫିସର ଅଛନ୍ତି ଯେ ବେସମାରିକ ପ୍ରଶାସନର ପୁନର୍ଗଠନ ଆଦୌ କଷ୍ଟକର ହେବନାହିଁ । ବେସାମରିକ ପ୍ରଶାସନ ପାଇଁ ସ୍ୱାଧୀନ ଭାରତର ନୂତନ ସରକାରକୁ କେବଳ ନୂତନ ନୀତି ଏବଂ ନୂତନ କାର୍ଯ୍ୟକ୍ରମ ସ୍ଥିର କରିବାକୁ ହେବ, ଓ ଶୀର୍ଷ ସ୍ଥାନ ପାଇଁ ଏକ ନୂତନ ନେତୃତ୍ୱ ପ୍ରସ୍ତୁତ କରିବାକୁ ହେବ । 

ଏକ ଜାତୀୟ ସେନା (A National Army)

ଜାତୀୟ ସେନାର ଗଠନ ଏକ କଷ୍ଟକର କାର୍ଯ୍ୟ । ଅବଶ୍ୟ ଭାରତର ଅନେକ ତାଲିମପ୍ରାପ୍ତ ଓ ଅଭିଜ୍ଞ ସୈନିକ ଅଛନ୍ତି ଏବଂ ବର୍ତ୍ତମାନର ଯୁଦ୍ଧ ଯୋଗୁଁ ସେମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି । ଏଇ ଏବେ ଯାଏଁ ଭାରତୀୟ ସେନାରେ ବ୍ରିଟିଶ ଅଫିସରଙ୍କ ଆଧିପତ୍ୟ ଥିଲା ଏବଂ ଉଚ୍ଚପଦବୀରେ ଅଫିସରମାନେ କେବଳ ବ୍ରିଟିଶ ଲୋକ ହିଁ ଥିଲେ । ଯୁଦ୍ଧ ଅବସ୍ଥା ଯୋଗୁଁ ବ୍ରିଟିଶ ବାଧ୍ୟ ହୋଇଛି ବହୁସଂଖ୍ୟକ ଭାରତୀୟ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ଏବଂ ଉପର ସ୍ତରରେ କିଛି ସ୍ଥାନ ମଧ୍ୟ ଅଳ୍ପ କିଛି ଭାରତୀୟଙ୍କ ପାଇଁ ଉନ୍ମୁକ୍ତ କରିଛି । ଆଧୁନିକ ଅସ୍ତ୍ର ଯେପରି ଟ୍ୟାଙ୍କ, ଏରୋପ୍ଲେନ, ଭାରୀ କମାଣ (heavy artillery) ଆଦି ଯାହା ପୂର୍ବେ ବ୍ରିଟିଶଙ୍କ ଦ୍ୱାରା ବ୍ୟବହାର ପାଇଁ ସଂରକ୍ଷିତ ଥିଲା ତାହା ଅବସ୍ଥାଚକ୍ରର ଚାପରେ ଭାରତୀୟଙ୍କ ହାତରେ ନ୍ୟସ୍ତ ହୋଇଛି । ତଥାପି ଉଚ୍ଚପଦବୀରେ ଭାରତୀୟ ଅଫିସରଙ୍କର ଅଭାବ ରହିଛି ଯାହା ଜାତୀୟ ସେନା ଗଠନରେ ବାଧକ ହେବ । ଏହି ସନ୍ଦର୍ଭରେ ଭାରତର ମୁଖ୍ୟ ସମସ୍ୟା ଉପୁଜିବ ଅଳ୍ପ ସମୟ ଭିତରେ, କୁହାଯାଉ ଦଶ ବର୍ଷ ଭିତରେ, ତାହା ହେଉଛି ସବୁ ପଦବୀପାଇଁ ଅଫିସରଙ୍କୁ ତାଲିମ ଦେବା ଏବଂ ଏତଦ୍ଦ୍ୱାରା ଜାତୀୟ ସେନାର ଗଠନ ପ୍ରକ୍ରିୟାକୁ ସମାପ୍ତ କରିବା । ସେନାବାହିନୀ ସହିତ, ନୌସେନା ଓ ବାୟୁସେନା ବାହିନୀର ମଧ୍ୟ ଗଠନ କରିବାକୁ ହେବ ଏବଂ ଏହି ସବୁ କାର୍ଯ୍ୟକୁ ଯଥା ସମ୍ଭବ ତ୍ୱରାନ୍ୱିତ କରିବାକୁ ହେବ । ଯଦି କିଛି ସମୟ ପାଇଁ ଭାରତରେ ଶାନ୍ତିର ବାତାବରଣ କାଏମ ରହେ ଏବଂ କୌଣସି ମିତ୍ରଶକ୍ତିଠାରୁ ସାହାଯ୍ୟ ଆସେ, ତାହାହେଲେ ଜାତୀୟ ପ୍ରତିରକ୍ଷାକୁ ସଂଗଠିତ କରିବାବେଳେ ସମ୍ମୁଖୀନ ସମସ୍ୟାର ସନ୍ତୋଷଜନକ ସମାଧାନ ହୋଇଯିବ । 

ନୂତନ ରାଷ୍ଟ୍ର (The New State) 

ଏହା ଭୁଲ ହେବ ଏବେ ଠାରୁ ଦୃଢ଼ ଭାବରେ କହିବା ଯେ ଭବିଷ୍ୟତ ଭାରତ ରାଷ୍ଟ୍ରର ପ୍ରକୃତ ସ୍ୱରୂପ କଣ ହେବ । ଜଣେ କେବଳ କେତେକ ନୀତିର ସୂଚନା ଦେଇପାରେ ଯାହା ରାଷ୍ଟ୍ରର ଭିତ୍ତି ହେବ ଏବଂ ଏହାର ସ୍ୱରୂପକୁ ନିର୍ଦ୍ଧାରିତ କରିବ । ଅତୀତର ଅନେକ ସାମ୍ରାଜ୍ୟର ଅଭିଜ୍ଞତା ଭାରତର ରହିଛି ଏବଂ ଏହି ଅଭିଜ୍ଞତା ହିଁ ଯୋଗାଇବ ପୃଷ୍ଠଭୂମି ଯାହା ଉପରେ ଭବିଷ୍ୟତରେ ଆମକୁ ନିର୍ମାଣ କରିବାକୁ ହେବ । ସେତେବେଳେ ଆମକୁ ପରୀକ୍ଷା କରିବାକୁ ହେବ ସେହି କାରଣଗୁଡିକୁ ଯାହା ଫଳରେ ଆମର ରାଜନୈତିକ ପତନ ଘଟିଥିଲା, ଏବଂ ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ବାଧା ଦେବାକୁ ହେବ । ପୁନଶ୍ଚ ଆମକୁ ମନେ ରଖିବାକୁ ହେବ ଯେ ଆଜି ଭାରତର ବୁଦ୍ଧିଜୀବୀ ଆଧୁନିକ ରାଜନୈତିକ ଅନୁଷ୍ଠାନ (modern political institutions) ଗୁଡିକ ସହିତ ବେଶ ପରିଚିତ ଏବଂ ସେଥିରେ ସେମାନଙ୍କର ଆଗ୍ରହ ଖୁବ ବେଶୀ । ଆମକୁ ମଧ୍ୟ ଉତ୍ତର ଭର୍ସାଲିସ (post-Versailles) କାଳରେ ଇଉରୋପର ବିଭିନ୍ନ ଅଂଚଳରେ ହୋଇଥିବା ରାଜନୈତିକ ପରୀକ୍ଷା ଗୁଡିକୁ ବିଚାର କରିବାକୁ ହେବ । ଏବଂ ଶେଷରେ, ଭାରତର ସ୍ଥିତି ଅନୁସାରେ ଆବଶ୍ୟକତାକୁ ବିଚାର କରିବାକୁ ହେବ ।  

ଗୋଟିଏ ବିଷୟ, କିନ୍ତୁ ସ୍ପଷ୍ଟ । ଏକ ଶକ୍ତିଶାଳୀ କେନ୍ଦ୍ର ସରକାରର ଗଠନ । ଏପରି ସରକାର ବିନା  ବ୍ୟବସ୍ଥା ଓ ନାଗରିକ ନିରାପତ୍ତା (order and public security)କୁ ସୁରକ୍ଷିତ ରଖା ଯାଇପାରିବ ନାହିଁ । ସରକାର ପଛରେ ରହିବ ଏକ ସୁସଂଗଠିତ, ଶୃଙ୍ଖଳିତ ସର୍ବଭାରତୀୟ ଦଳ ଯିଏ ଜାତୀୟ ଏକତାକୁ କାଏମ ରଖିବାରେ ପ୍ରମୁଖ ସାଧନ ହେବ ।

ରାଷ୍ଟ୍ର ପ୍ରତ୍ୟେକ ବ୍ୟକ୍ତି ଓ ଗୋଷ୍ଠୀକୁ ଧର୍ମୀୟ ଓ ସାଂସ୍କୃତିକ ସ୍ୱାଧୀନତାର ଗ୍ୟାରେଂଟି ଦେବ ଏବଂ ରାଷ୍ଟ୍ରର କୌଣସି ଧର୍ମ ହେବ ନାହିଁ ।  ରାଜନୈତିକ ଏବଂ ଅର୍ଥନୈତିକ ଅଧିକାର କ୍ଷେତ୍ରରେ ସମୁଦାୟ ଜନଗଣଙ୍କ ମଧ୍ୟରେ ପୂର୍ଣ୍ଣ ସମାନତା ରହିବ । ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ଥିବ ରୋଜଗାର, ଖାଦ୍ୟ ଏବଂ ଶିକ୍ଷା, ଏବଂ ଥିବ ଧର୍ମ ଓ ସଂସ୍କୃତି ବିଷୟରେ ସ୍ୱାଧୀନତା, ସେତେବେଳେ ଭାରତରେ ସଂଖ୍ୟାଲଘୁ ସମସ୍ୟା ଆଉ ରହିବ ନାହିଁ ।

ଯେତେବେଳେ ନୂତନ ଶାସନବ୍ୟବସ୍ଥାର ସ୍ଥାପନା ହେବ ଏବଂ ରାଷ୍ଟ୍ରକଳ ସୂଚାରୁ ରୂପେ କାର୍ଯ୍ୟ କରିବା ଆରମ୍ଭ କରିବ, ସେତେବେଳେ କ୍ଷମତାର ବିକେନ୍ଦ୍ରୀକରଣ କରାଯିବ ଏବଂ ପ୍ରାଦେଶିକ ସରକାରଙ୍କୁ ଅଧିକ ଦାୟିତ୍ୱ ଦିଆଯିବ । 

ଜାତୀୟ ଐକ୍ୟ (National Unity)  

ସାରାଦେଶକୁ ଏକତ୍ର କରିବା ପାଇଁ ଯାହା ସମ୍ଭବ ସେ ସବୁ କାର୍ଯ୍ୟ ରାଷ୍ଟ୍ରକୁ କରିବାକୁ ପଡ଼ିବ,  ଏବଂ ଏଥିପାଇଁ ସବୁ ପ୍ରକାରର ପ୍ରଚାର ପଦ୍ଧତି- ସମ୍ବାଦପତ୍ର, ରେଡିଓ, ସିନେମା, ଥିଏଟର ଆଦିର ବ୍ୟବହାର କରିବାକୁ ହେବ । ସବୁ ରାଷ୍ଟ୍ରବିରୋଧୀ ଓ ବିଶୃଙ୍ଖଳାକାରୀ ତତ୍ତ୍ୱଙ୍କୁ ଦୃଢ଼ ଭାବରେ ଦମନ କରିବାକୁ ହେବ ଯେଉଁମାନେ ବ୍ରିଟିଶର ଗୁପ୍ତଚରଙ୍କ ସହିତ ଦେଶ ଭିତରେ ରହିଯାଇଥିବେ । ଏଥିପାଇଁ ଯଥେଷ୍ଟ ପୋଲିସ ବଳକୁ ସଂଗଠିତ କରାଯିବ ଏବଂ ଆଇନକୁ ସଂଶୋଧିତ କରାଯିବ ଯାହାଦ୍ୱାରା ରାଷ୍ଟ୍ରର ଐକ୍ୟ ବିରୋଧରେ ଅପରାଧକୁ ଶକ୍ତ ଦଣ୍ଡ ଦିଆଯାଇପାରିବ । ହିନ୍ଦୁସ୍ତାନୀ, ଯାହା ଦେଶର ଅଧିକାଂଶ ଅଂଚଳରେ ଲୋକେ ବୁଝୁଛନ୍ତି, ତାହାକୁ ଭାରତର ସାଧାରଣ ଭାଷାଭାବେ ଗ୍ରହଣ କରାଯିବ । ବିଶେଷ ଜୋର ଦିଆଯିବ ପୁଅ ଝିଅଙ୍କ ଶିକ୍ଷା ଉପରେ, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଶିକ୍ଷା ଉପରେ,  ଯଦ୍ୱାରା କମ ବୟସରୁ ସେମାନେ ଜାତୀୟ ଐକ୍ୟର ଚେତନାରେ ଉଦ୍ବୁଦ୍ଧ ହୋଇପାରିବେ । 

ବ୍ରିଟିଶ ପ୍ରଚାର ଇଚ୍ଛାକୃତ ଭାବେ ଏକ ଧାରଣା ସୃଷ୍ଟି କରିଛି ଯେ ଭାରତୀୟ ମୁସଲମାନମାନେ ଭାରତର ସ୍ୱାଧୀନତା ଆନ୍ଦୋଳନର ବିରୋଧୀ ଅଟନ୍ତି । ଏହା ସମ୍ପୂର୍ଣ୍ଣ ମିଥ୍ୟା । ତଥ୍ୟ ହେଉଛି ଯେ ଜାତୀୟ ଆନ୍ଦୋଳନରେ ମୁସଲମାନଙ୍କର ଏକ ବଡ଼ଅଂଶ ରହିଛିି । ଆଜି ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହେଉଛନ୍ତି ଆଜାଦ-ଜଣେ ମୁସଲମାନ । ସଂଖ୍ୟାଗରିଷ୍ଠ ଭାରତୀୟ ମୁସଲମାନ ହେଉଛନ୍ତି ବ୍ରିଟିଶ ବିରୋଧୀ ଏବଂ ସେମାନେ ଭାରତକୁ ସ୍ୱାଧୀନ ଦେଖିବା ଚାହାନ୍ତି । ଏଥିରେ ସନ୍ଦେହ ନାହିଁ ଯେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବ୍ରିଟିଶ ସପକ୍ଷବାଦୀ ଦଳ ଧର୍ମ ଆଧାରରେ ସଂଗଠିତ ଦଳ । ସେମାନେ ଜନଗଣଙ୍କୁ ପ୍ରତିନିଧିତ୍ୱ କରନ୍ତି ବୋଲି ବିଚାର କରାଯିବା ଉଚିତ ନୁହେଁ ।     

୧୮୫୭ର ମହାନ ବିପ୍ଳବ ଜାତୀୟ ଐକ୍ୟର ଏକ ଚମକ୍ରାର ଉଦାହରଣ । ଏହି ଯୁଦ୍ଧ ବାହାଦୁର ଶାହାଙ୍କ ପତାକାତଳେ ଲଢ଼ା ଯାଇଥିଲା ଯିଏ ଜଣେ ମୁସଲମାନ ଥିଲେ ଏବଂ ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । ସେହି ଦିନଠାରୁ ଭାରତୀୟ ମୁସଲମାନମାନେ ଭାରତର ସ୍ୱାଧୀନତା ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଭାରତୀୟ ମୁସଲମାନମାନେ ଏହି ମାଟିର ସନ୍ତାନ ଯେପରି ଅଟନ୍ତି ଅବଶିଷ୍ଟ ଭାରତୀୟ, ଏବଂ ସେମାନଙ୍କର ସ୍ୱାର୍ଥ ସମାନ । ଭାରତରେ ଆଜି ମୁସଲମାନ ସମସ୍ୟା ବ୍ରିଟିଶଙ୍କ ଦ୍ୱାରା ଏକ କୃତ୍ରିମ ସୃଷ୍ଟି, ଠିକ ଯେପରି ଆୟାରଲାଣ୍ଡରେ ଉଲଷ୍ଟର (Ulster) ସମସ୍ୟା ବା ପାଲେଷ୍ଟାଇନରେ ୟୁହିଦି ସମସ୍ୟା । ଏହା ଲୋପ ପାଇଯିବ ଯଦି ବ୍ରିଟିଶ ଶାସନକୁ ବାହାର କରି ଦିଆଯାଏ । 

ସାମାଜିକ ସମସ୍ୟା (Social Problems)

ଯେତେବେଳେ ନୂତନ ଶାସନ ବ୍ୟବସ୍ଥାର ସ୍ଥାପନା ହେବ, ଭାରତ ତାର ସମସ୍ତ ଧ୍ୟାନ ସାମାଜିକ ସମସ୍ୟାର ସମାଧାନ ଉପରେ କେନ୍ଦ୍ରୀଭୂତ କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ହେଉଛି ଦାରିଦ୍ର୍ୟ ଓ ବେକାରୀ । ବ୍ରିଟିଶ ଶାସନରେ ଭାରତର ଦାରିଦ୍ର୍ୟ ମୁଖ୍ୟତଃ ଦୁଇଟି କାରଣରୁ-ବ୍ରିଟିଶ ସରକାର ଦ୍ୱାରା ଭାରତୀୟ ଶିଳ୍ପର ବିଧିବଦ୍ଧ ଧ୍ୱଂସ ସାଧନ ଏବଂ ବିଜ୍ଞାନଭିତ୍ତିକ କୃଷିର ଅଭାବ । ପ୍ରାକ୍ ବ୍ରିଟିଶ କାଳରେ ଖାଦ୍ୟ ଏବଂ ଶିଳ୍ପରେ ଭାରତ ତାର ସମସ୍ତ ଆବଶ୍ୟକତାକୁ ନିଜେ ଉତ୍ପାଦନ କରି ପାରୁଥିଲା ଏବଂ ବଳକା ଶିଳ୍ପ ଉତ୍ପାଦକୁ ରପ୍ତାନୀ କରିପାରୁଥିଲା ଯେପରି ବୁଣା ଲୁଗା । ଶିଳ୍ପ ବିପ୍ଳବର ଆରମ୍ଭ ଏବଂ ବ୍ରିଟେନ ଦ୍ୱାରା ରାଜନୈତିକ ଆଧିପତ୍ୟ ଭାରତର ପୁରାତନ ଶିଳ୍ପ ଢାଂଚାକୁ ଧ୍ୱଂସ କରିଦେଲା ଓ ନୂତନ ସୃଷ୍ଟି ପାଇଁ ତାକୁ ଅନୁମତି ଦିଆଗଲା ନାହିଁ । ବ୍ରିଟେନ ଇଚ୍ଛାକୃତ ଭାବେ ବ୍ରିଟିଶ ଶିଳ୍ପପାଇଁ କଂଚାମାଲର ଯୋଗାଣକାରୀ ଭୂମିକାରେ ଭାରତକୁ ସୀମିତ ରଖିଲା । ଫଳରେ ଲକ୍ଷାଧିକ ଭାରତୀୟ ଯେଉଁମାନେ ପୂର୍ବେ ଶିଳ୍ପ ଉପରେ ବଂଚୁଥିଲେ, ରୋଜଗାରରୁ ବିସ୍ଥାପିତ ହୋଇଗଲେ । ବିଦେଶୀ ଶାସନ ହିଁ କୃଷକ ଶ୍ରେଣୀକୁ ଦରିଦ୍ର କରିଦେଇଛି ଓ ଆଧୁନିକ ବିଜ୍ଞାନଭିତ୍ତିକ କୃଷିର ପ୍ରଚଳନକୁ ବାଧା ଦେଇଛି । ଫଳସ୍ୱରୂପ ଏକଦା ଭାରତର ଊର୍ବର ମାଟିରୁ ଆଜି ଅମଳ ଅତି ସ୍ୱଳ୍ପ ହେଉଛି ଏବଂ କୃଷକକୁ ଆଉ ଆହାର ଯୋଗାଇ ପାରୁ ନାହିଁ । କୃଷକଶ୍ରେଣୀର ଶତକଡ଼ା ୭୦ଭାଗ କୃଷକଙ୍କ ପାଖରେ ବର୍ଷକରେ ୬ ମାସ କାମ ନାହିଁ । ଯଦି ଭାରତ ଚାହେଁ ଦାରିଦ୍ର୍ୟ ଓ ବେକାରୀ ସମସ୍ୟାର ସମାଧାନ, ତାହାହେଲେ ଭାରତପାଇଁ ଆବଶ୍ୟକ ରାଷ୍ଟ୍ର ସହାୟତାରେ ଶିଳ୍ପୀକରଣ ଏବଂ ବୈଜ୍ଞାନିକ କୃଷି ।

ବିଦେଶୀ ଶାସନରେ ବ୍ରିଟିଶ କେବଳ ଶାସକ ନୁହେଁ ସେ ମଧ୍ୟ ଶ୍ରମିକ ଶ୍ରେଣୀର ନିଯୋକ୍ତା (employer) । ତେଣୁ ଶ୍ରମିକ ଶ୍ରେଣୀକୁ ଦୟନୀୟ ସ୍ଥିତିରେ ରଖାଯାଇଛି । ସ୍ୱାଧୀନ ଭାରତରେ ରାଷ୍ଟ୍ରକୁ ଶ୍ରମିକମାନଙ୍କର ହିତ ଦେଖିବାକୁ ହେବ, ଦେବାକୁ ହେବ ଜୀବନ ନିର୍ବାହ ପାଇଁ ଉଚିତ ମଜୁରୀ , ଅସୁସ୍ଥତା ବୀମା, ଦୁର୍ଘଟଣାରେ କ୍ଷତିପୂରଣ ଆଦି । ସେହିଭଳି କୃଷକଙ୍କୁ ଅତ୍ୟଧିକ ଟିକସ ଚାପରୁ  ଓ ଭୟଙ୍କର ଋଣଗ୍ରସ୍ତତାରୁ ଆଶ୍ୱସ୍ତି ଦେବାକୁ ହେବ । ଏହି ସନ୍ଦର୍ଭରେ ଭାରତ ପାଇଁ ଅନୁକରଣୀୟ ହୋଇପାରେ ଶ୍ରମିକ ହିତରେ କାର୍ଯ୍ୟକରୁଥିବା ଜର୍ମାନୀର କେତେକ ପ୍ରତିଷ୍ଠାନ, ଯେପରି ‘Arbeitsdienst’(labour service’(Winterhilfe’ (Winter Help: ଶ୍ରମ ସେବା), ‘Winterhilfe’ (Winter Help: ଶୀତରେ ସେବା) ‘Kraft durch Freude’(Strength Through Joy: ଖୁସିରୁ ଶକ୍ତି) ଆଦି । ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଜନସ୍ୱାସ୍ଥ୍ୟ ସମସ୍ୟା । ବ୍ରିଟିଶ ଶାସନରେ ଏହା ମଧ୍ୟ ଅସମାଧିତ ରହିଛି । ସୌଭାଗ୍ୟବଶତଃ, ଭାରତରେ ବର୍ତ୍ତମାନ ବହୁ ସଂଖ୍ୟାରେ ଯୋଗ୍ୟ ଡାକ୍ତର ଅଛନ୍ତି ଯେଉଁମାନେ ଭାରତରେ ଥିବା ଇଂରାଜ ଡାକ୍ତରଙ୍କଠାରୁ ମଧ୍ୟ ଉଚ୍ଚତର ମାନର ଏବଂ ଯେଉଁମାନେ ଜନସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରଶ୍ନ ସହିତ ବେଶ ପରିଚିତ । ରାଷ୍ଟ୍ରର ସମର୍ଥନ ଓ ଯଥେଷ୍ଟ ଆର୍ଥିକ ସହାୟତା ମିଳିଲେ, ସେମାନେ ରୋଗର ନିରାକରଣ ପାଇଁ ଏକ ବଡ଼ ଉଦ୍ୟମ ଆରମ୍ଭ କରିପାରିବେ । ଭାରତର ପ୍ରାଚୀନ ଭେଷଜ ବିଦ୍ୟା, ଆୟୁର୍ବେଦ ଏବଂ ୟୁନାନୀ, ଏହି ଦିଗରେ ମଧ୍ୟ ସାହାଯ୍ୟକାରୀ ହୋଇପାରେ । 

ଏହାପରେ ସବୁଠାରୁ ଭୟଙ୍କର ସମସ୍ୟା ହେଉଛି ନିରକ୍ଷରତା ଯାହାର ଅଂଶ ଦେଶର ବିଭିନ୍ନ ଅଂଚଳରେ ପ୍ରାୟ ୯୦ ପ୍ରତିଶତ । ଏହି ସମସ୍ୟାକୁ ସମାଧାନ କରିବା ଆଦୌ କଷ୍ଟକର ନୁହେଁ ଯଦି ରାଷ୍ଟ୍ର ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଇପାରେ । ବର୍ତ୍ତମାନ ଆମର ଏକ ବଡ଼ ସଂଖ୍ୟାରେ ଶିକ୍ଷିତ ପୁରୁଷ ଓ ମହିଳା ଅଛନ୍ତି ଯେଉଁମାନଙ୍କ ପାଖରେ କୌଣସି ନିଯୁକ୍ତି ନାହିଁ । ସ୍ୱାଧୀନ ଭାରତରେ ଏହି ପୁରୁଷ ଓ ମହିଳାମାନଙ୍କୁ ଭାରତସାରା ସହସା ପଠାଇ ଦିଆଯାଇ ପାରିବ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଠିଆ କରାଇବା ପାଇଁ । ଏହି କାର୍ଯ୍ୟ ସହିତ ଭାରତର ଜନଗଣଙ୍କ ଚାହିଦା ଅନୁସାରେ ଏକ ଜାତୀୟ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାପାଇଁ ମଧ୍ୟ ପ୍ରୟୋଗ କରିବାକୁ ହେବ । ସୌଭାଗ୍ୟ କ୍ରମେ, ଏହି ଦିଗରେ ଅନେକ ସ୍ଥାନରେ ପ୍ରୟୋଗ ହୋଇଛି ଯେପରି ଶାନ୍ତିନିକେତନର ଟାଗୋର ବିଦ୍ୟାଳୟରେ, ହରିଦ୍ୱାରର ଗୁରୁକୂଳ ଅନୁଷ୍ଠାନରେ, ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟରେ, ଦିଲ୍ଳୀର ଜାମିଆ ମିଲିଆ (ଜାତୀୟ ମୁସଲମାନ) ବିଶ୍ୱବିଦ୍ୟାଳୟରେ, ୱାର୍ଦ୍ଧା ନିକଟସ୍ଥ ଗାନ୍ଧୀ ବିଦ୍ୟାଳୟ ଆଦିରେ । ଏହା ଛଡ଼ା ଅନେକ ଏପରି ଶିକ୍ଷାନୁଷ୍ଠାନ ଅଛି ଯାହା ପ୍ରାକ୍ବ୍ରିଟିଶ ସମୟରୁ ଆମ ହାତକୁ ଆସିଛି, ଯେଉଁ ଗୁଡିକ ବେଶ ପ୍ରେରଣାଦାୟୀ ।  

ଭାରତ ପାଇଁ ଭବିଷ୍ୟତ ଲିପି ସମ୍ପର୍କରେ ମୋର ମତ ହେଉଛି, ଦେଶରେ ପ୍ରଚଳିତ ଲିପିଗୁଡିକୁ ଜୋର କରି ଉଚ୍ଛେଦ ନ କରି ସ୍ୱାଧୀନ ଭାରତର ସରକାର ଲାଟିନ ଲିପିର ପ୍ରୟୋଗକୁ ଉତ୍ସାହିତ ଓ ଲୋକପ୍ରିୟ କରିବା ଉଚିତ । 

ବିତ୍ତ (Finance)  

ସ୍ୱାଧୀନ ଭାରତ କିପରି ଏହାର ବଡ଼ ବଡ଼ ଯୋଜନା ପାଇଁ ଆବଶ୍ୟକୀୟ ଅର୍ଥ ପାଇବ ତାହା ଏକ ବଡ଼ ସମସ୍ୟା । ଭାରତ ପାଖରେ ଥିବା ତାହାର ସୁନା ଏବଂ ରୁପାକୁ ତ ବ୍ରିଟେନ ଚୋରି କରିନେଇଛି ଏବଂ ଯାହା ଅଳ୍ପ କିଛି ଅବଶିଷ୍ଟ ରହିଛି ସେ ଗୁଡ଼ିକ ମଧ୍ୟ ଚାଲିଯିବ ବ୍ରିଟିଶ ଭାରତ ଛାଡିବା ପୂର୍ବରୁ । ଭାରତର ଜାତୀୟ ଅର୍ଥନୀତିକୁ ସ୍ୱାଭାବିକ ସ୍ୱର୍ଣ୍ଣ ମାନକ (Gold Standard)କୁ ପରିତ୍ୟାଗ କରିବାକୁ ପଡିବ ଏବଂ ଏହି ନୀତିକୁ ଗ୍ରହଣ କରିବାକୁ ହେବ ଯେ ଜାତୀୟ ଅର୍ଥନୀତି ଶ୍ରମ ଓ ଉତ୍ପାଦନ ଉପରେ ନିର୍ଭର କରେ, ସୁନା ଉପରେ ନୁହେଁ । ବୈଦେଶିକ ବାଣିଜ୍ୟକୁ ରାଷ୍ଟ୍ରର ନିୟନ୍ତ୍ରଣକୁ ଆଣିବାକୁ ପଡିବ ଏବଂ ଦ୍ରବ୍ୟ ବିନିମୟ ନୀତି (principle of barter) ଉପରେ ଏହାକୁ ସଂଗଠିତ କରାହେବ, ଯେପରି ୧୯୩୩ ମସିହାରୁ ଜର୍ମାନୀ କରିଛି । 

ଯୋଜନା କମିଟି (Planning Committee)

ପୁନର୍ଗଠନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିବା ସମୟରେ, ଏହା ଜାଣିବା ଉଚିତ ହେବ ଯେ ୧୯୩୮ମସିହା ଡିସେମ୍ବର ମାସରେ ମୁଁ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲି, ସେତେବେଳେ  ଜୀବନର ପ୍ରତ୍ୟେକ ବିଭାଗରେ ପୁନର୍ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଁ ଜାତୀୟ ଯୋଜନା କମିଟିର ଉଦ୍ଘାଟନ କରିଥିଲି । ସେ କମିଟି ଅନେକ ମୂଲ୍ୟବାନ କାର୍ଯ୍ୟ କରିଛି ଏବଂ ଏହାର ରିପୋର୍ଟ ଗୁଡିକ ଆମର ଭବିଷ୍ୟତ କାର୍ଯ୍ୟକଳାପ ପାଇଁ ସାହାଯ୍ୟକାରୀ ହେବ । 

ସାମନ୍ତ ରାଜାଗଣ (The Princes)

ଭାରତୀୟ ସାମନ୍ତ ରାଜାଗଣ ଓ ସେମାନଙ୍କର ଦେଶୀୟ ରାଜ୍ୟ କାଳଗତ ଅସଂଗତି (anachronism) ଅଟେ, ତେଣୁ ଏହାର ଯଥା ଶୀଘ୍ର ଉଚ୍ଛେଦ ହେବା ଉଚିତ । ସେମାନେ ବହୁପୂର୍ବରୁ ଅଦୃଶ୍ୟ ହୋଇ ଯାଆନ୍ତେଣି ଯଦି ବ୍ରିଟିଶ ସେମାନଙ୍କୁ ସୁରକ୍ଷିତ ରଖି ନ ଥାନ୍ତା ଦେଶର ଏକତ୍ରିକରଣକୁ ବାଧାଦେବା ପାଇଁ । ଅଧିକାଂଶ ସାମନ୍ତ ରାଜା ବ୍ରିଟିଶ ସରକାରଙ୍କର ସକ୍ରିୟ ସମର୍ଥକ, ଏବଂ ଜଣେ ହେଲେ ରାଜା ନାହିଁ ଯିଏ ଇଟାଲୀରେ ହୋଇଥିବା ରିସୋର୍ଗିମେଂଟୋ (Risorgimento) ଆନ୍ଦୋଳନରେ ପିଡେମଂଟ(Piedemont)ର ଭୂମିକା ସଦୃଶ ଭୂମିକା ନିର୍ବାହ କରିବ । ଏହି ଦେଶୀୟ ରାଜ୍ୟର ଜନଗଣ, ଯାହାଙ୍କ ସଂଖ୍ୟା ସମୁଦାୟ ଭାରତର ଜନସଂଖ୍ୟାର ଏକ ଚତୁର୍ଥାଂଶ, ସେମାନଙ୍କ ସମ୍ପୃକ୍ତିରେ ଏକ ଆନ୍ଦୋଳନ ଚାଲିଛି ଯାହା ବ୍ରିଟିଶ ଭାରତରେ ଚାଲିଥିବା କଂଗ୍ରେସ ଆନ୍ଦୋଳନ ସହିତ ଘନିଷ୍ଠ ସମ୍ପର୍କରେ ରହିଛି । ସାମନ୍ତ ରାଜାଗଣ ସ୍ୱାଭାବିକ ଭାବରେ ବ୍ରିଟିଶ ଶାସନ ସହିତ ନିଶ୍ଚିହ୍ନ ହୋଇଯିବେ କାରଣ ସେମାନଙ୍କ ମଧ୍ୟରେ ଅଧିକାଂଶ ନିଜ ଲୋକଙ୍କ ମଧ୍ୟରେ ବେଶ୍ ଅପ୍ରିୟ । କିନ୍ତୁ ସେମାନେ ସ୍ୱାଧୀନ ଭାରତପାଇଁ କୌଣସି ଅସୁବିଧା ସୃଷ୍ଟି କରିପାରିବେ ନାହିଁ କାରଣ ବ୍ରିଟିଶ ସରକାର କୌଣସି ସାମନ୍ତ ରାଜାଙ୍କୁ ଆଧୁନିକ ସେନାବାହିନୀ ଗଢ଼ିବାର ଅନୁମତି ଦେଇ ନାହିଁ । ଯଦିଓ ଏହା ଆଶା କରିବା ବୃଥା, ତଥାପି ଯଦି ଏହି ସାମନ୍ତ ରାଜାଗଣ ଆନ୍ଦୋଳନରେ ଯୋଗ ଦିଅନ୍ତି ତାହାହେଲେ, ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା କରାଯାଇପାରେ। 

ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ(International Relations)  

ଅତୀତରେ ଭାରତର ପତନର ଏକ କାରଣ ଥିଲା ବାହାର ପୃଥିବୀଠାରୁ ଏହାର ବିଚ୍ଛିନ୍ନତା । ତେଣୁ ଭବିଷ୍ୟତରେ ଭାରତ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ଘନିଷ୍ଠ ସମ୍ପର୍କରେ ରହିବାକୁ ହେବ । ଭୌଗଳିକ ଦୃଷ୍ଟିରୁ, ପୂର୍ବ ଓ ପଶ୍ଚିମ ମଧ୍ୟରେ ଭାରତର ଅବସ୍ଥିତି, ଯାହା ସମ୍ଭବତଃ ଏହାର ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଭୂମିକାକୁ ନିର୍ଦ୍ଧାରିତ କରିବ । ଏହା ତେଣୁ ସ୍ୱାଭାବିକ ଯେ ଭବିଷ୍ୟତରେ ଭାରତ ତ୍ରିପକ୍ଷୀୟ ଶକ୍ତିମାନଙ୍କ(tripartite powers) ସହ , ଯେଉଁମାନେ ଭାରତର ଶତ୍ରୁ ସହ ଲଢୁଛନ୍ତି, ସେମାନଙ୍କ ସହ ନିକଟ ସମ୍ପର୍କରେ ରହିବ ।

ଭାରତ ବିଦେଶରୁ ସାହାଯ୍ୟ ଆବଶ୍ୟକ କରିବ ତାର ତ୍ୱରିତ ଶିଳ୍ପୀକରଣ ପାଇଁ ଏବଂ ତାର ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ଗଠନ ପାଇଁ । ସେ ତେଣୁ ଚାହିଁବ ସବୁ ପ୍ରକାରର କଳ-କବଜା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ଏବଂ ଉପକରଣ, ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞଙ୍କ ସାହାଯ୍ୟ । ସେ ମଧ୍ୟ ଆବଶ୍ୟକ କରିବ ତାର ଜାତୀୟ ପ୍ରତିରକ୍ଷା ଗଢ଼ିବା ପାଇଁ ପ୍ରତିରକ୍ଷା ବିଶେଷଜ୍ଞ ଓ ପ୍ରତିରକ୍ଷା ଉପକରଣ । ଏହି ସବୁ ବିଷୟରେ ତ୍ରିପକ୍ଷୀୟ ଶକ୍ତିମାନେ ମୂଲ୍ୟବାନ ସାହାଯ୍ୟ ଯୋଗାଇ ପାରନ୍ତି । ସ୍ୱାଧୀନ ଭାରତରେ ଜୀବନଧାରଣର ମାନ ତ୍ୱରିତ ବେଗରେ ବୃଦ୍ଧି ପାଇବ ଏବଂ ପରିଣତିରେ ଦ୍ରବ୍ୟ ବ୍ୟବହାରରେ (consumption) ଦ୍ରୁତ ଅଗ୍ରଗତି ହେବ ।  ଏତଦ୍ଦ୍ୱାରା ଶିଳ୍ପଜାତ ଦ୍ରବ୍ୟର ଅନ୍ୟତମ ସର୍ବବୃହତ ବଜାର ହେବ ସ୍ୱାଧୀନ ଭାରତ । ଏହା ଶିଳ୍ପରେ ଉନ୍ନତ ସବୁ ରାଷ୍ଟ୍ରଙ୍କ ପାଇଁ ଆକର୍ଷଣୀୟ ହେବ ।

ଏହା ବଦଳରେ, ମାନବତାର ସଂସ୍କୃତି ଓ ସଭ୍ୟତାକୁ ଭାରତର ରହିବ ଅବଦାନ । ଧର୍ମ ଏବଂ ଦର୍ଶନରେ, ସ୍ଥପତି ବିଜ୍ଞାନରେ, ଚିତ୍ରକଳାରେ, ନୃତ୍ୟ ଏବଂ ସଂଗୀତରେ, ଅନ୍ୟ କଳା ଓ ହସ୍ତଶିଳ୍ପରେ ଭାରତ ବିଶ୍ୱକୁ କିଛି ନିଆରା ଅବଦାନ କରିପାରେ । ବିଦେଶୀ ଶାସନର ସମସ୍ତ ପ୍ରତିବନ୍ଧ ସତ୍ତ୍ୱେ ଯେଉଁ ପ୍ରଗତି ହୋଇଛି ତାହାକୁ ବିଚାର କଲେ, ମୁଁ ନିଶ୍ଚିତ ଯେ ଭାରତ ଖୁବ ଶୀଘ୍ର ବିଜ୍ଞାନ ଗବେଷଣା ଓ ଶିଳ୍ପ ବିକାଶ କ୍ଷେତ୍ରରେ ସଫଳତା ହାସଲ କରିବ ।  

ନବୀନ ଭାରତ ଆଗରେ ବିରାଟ କାର୍ଯ୍ୟ ରହିଛି ସମାପନ ପାଇଁ । ନିଃସନ୍ଦେହ, ବହୁତ ଅସୁବିଧା ରହିଛି ଅତିକ୍ରମ କରିବାକୁ, କିନ୍ତୁ ସେଥିରେ ମଧ୍ୟ ରହିଛି ସଂଘର୍ଷର ଆନନ୍ଦ ଓ ଖ୍ୟାତି, ଏବଂ ସର୍ବଶେଷରେ ବିଜୟ ।” 

ସ୍ୱାଧୀନ ଭାରତ କେନ୍ଦ୍ର: ଜାତୀୟ ପତାକା, ଜାତୀୟ ଗାନ, ଜାତୀୟ ଅଭିବାଦନ 

ସ୍ୱାଧୀନ ଭାରତର ସ୍ୱରୂପର ପରିକଳ୍ପନାକୁ ଲିପିବଦ୍ଧ କରି ଉପରୋକ୍ତ ପ୍ରବନ୍ଧର ପ୍ରକାଶନର ପ୍ରାୟ ଦଶ ମାସ ପୂର୍ବରୁ, ୨ ନଭେମ୍ବର ୧୯୪୧ ଦିନ, ଜର୍ମାନୀର ବର୍ଲିନ ସହର ନିକଟସ୍ଥ ଏକ ଅଂଚଳରେ ସୁଭାଷ ଏକ କେନ୍ଦ୍ରର ସ୍ଥାପନା କରିଥିଲେ ଯାହାର ନାଁ ରଖାଯାଇଥିଲା Free India Center  (ସ୍ୱାଧୀନ ଭାରତ କେନ୍ଦ୍ର) ଏହି କେନ୍ଦ୍ରରେ ‘ସବୁଜ, ଗୈରିକ ଏବଂ ଶ୍ୱେତ ରଙ୍ଗଦ୍ୱାରା ପ୍ରସ୍ତୁତ ଭାରତୀୟ ଜାତୀୟ କଂଗ୍ରେସର ତ୍ରିରଙ୍ଗା ପତାକାକୁ ଜାତୀୟ ପତାକାଭାବେ ଗ୍ରହଣ କରାଗଲା । କିନ୍ତୁ ଏହାର ମଧ୍ୟ ଭାଗରେ ଚରଖା ସ୍ଥାନରେ ଏକ ଲମ୍ପ ଦେଉଥିବା ବାଘ, ଯାହା ବ୍ରିଟିଶ  ବିରୋଧୀ ଯୋାଦ୍ଧା ଟିପୁ ସୁଲତାନଙ୍କୁ ସ୍ମରଣ କରାଇ ଦିଏ, ତାହାର ଚିତ୍ର ରଖାଗଲା । ଅବଶ୍ୟ ଦକ୍ଷିଣପୂର୍ବ ଏସିଆରେ ଏହି ପତାକାରେ ପୁନର୍ବାର ଗାନ୍ଧୀଙ୍କ ଚରଖାକୁ ରଖାଗଲା ।’ ତେବେ ଭାରତ ସ୍ୱାଧୀନତା ପାଇବା ପରେ, ଏ ଦୁଇ ଚିତ୍ରକୁ ବାଦ ଦେଇ, ତା’ସ୍ଥାନରେ ଅଶୋକ ସ୍ତମ୍ଭର ‘ଚକ୍ର’ ଚିତ୍ରକୁ ରଖାଗଲା ଯାହା ମୈାର୍ଯ୍ୟ ସାମ୍ରାଜ୍ୟର ପ୍ରତୀକ । ଏହି କେନ୍ଦ୍ରରେ ରବୀନ୍ଦ୍ରନାଥ ଟାଗୋରଙ୍କ ଲିଖିତ ସଂଗୀତ ‘ଜନ ଗଣ ମନ ଅଧିନାୟକ ଜୟ ହେ’କୁ ଜାତୀୟ ସଂଗୀତ (national anthem) ଭାବେ ଗ୍ରହଣ କରାଗଲା, ଯାହା ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ କାଏମ ରହିଲା । ଏହି ସମୟରେ ସୁଭାଷ ଚାହିଁଲେ ଭାରତୀୟମାନେ ପରସ୍ପରକୁ ‘ଜୟ ହିନ୍ଦ୍’କହି ଅଭିବାଦନ କରନ୍ତୁ । ଏହିପରି ଅଭିବାଦନ କରିବାର ଶୈଳୀ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଅବ୍ୟାହତ ରହିଲା (୯-ପୃ ୧୨୯) । ସୁଗତ ବୋଷ ଲେଖନ୍ତି (୨-ପୃ ୨୧୦-୧୧), “ଜାତୀୟ ସଙ୍ଗୀତ ଏବଂ ଜାତୀୟ ଅଭିବାଦନ ସମ୍ପର୍କରେ ନିଷ୍ପତ୍ତି ବୋଷଙ୍କର ଅତି ତୀକ୍ଷ୍ଣ ରାଜନୈତିକ ଅନ୍ତର୍ଦୃଷ୍ଟିର ଉଦାହରଣ, ଏବଂ ଏହା ସ୍ୱାଧୀନ ଭାରତକୁ ସେ ହସ୍ତାନ୍ତରିତ କରିଥିବା ଦୀର୍ଘସ୍ଥାୟୀ ସମ୍ପତ୍ତି(lasting legacies) ମଧ୍ୟରେ ଉଲ୍ଲେଖ କରାଯିବ ।”

ଝାନ୍ସୀ ରାଣୀ ବାହିନୀ

ଏକ ବିରଳ ପ୍ରୟାସରେ ଲାଗିପଡ଼ିଥିଲେ ସୁଭାଷ । କେବଳ ମହିଳାଙ୍କୁ ନେଇ ଗୋଟିଏ ସୈନ୍ୟବାହିନୀର କରିଥିଲେ ଗଠନ ଯାହାର ପ୍ରଥମ ତାଲିମ ଶିବିର ଅନୁଷ୍ଠିତ ହେଉଥିଲା, ୨୨ ଅକ୍ଟୋବର ୧୯୪୩ ଦିନ, ସିଙ୍ଗାପୁରରେ । ତାଙ୍କ ଅଜାଣତରେ ବିଶ୍ୱର ସାମରିକ ଇତିହାସରେ ସେ ଠିଆ କରାଉଥିଲେ ପ୍ରଥମ କେବଳ ମହିଳା ସୈନ୍ୟବାହିନୀ-ଝାନ୍ସୀ ରାଣୀ ବାହିନୀ(୧୦) । ଏହା ସହଜ ହୋଇନଥିଲା; ମହିଳାମାନଙ୍କୁ ନେଇ ସୈନ୍ୟବାହିନୀର ଗଠନ ସମ୍ଭବ ବୋଲି ଜାପାନୀମାନେ ଭାବୁ ନଥିଲେ ।  ବାହିନୀର ମୁଖ୍ୟ ଶ୍ରୀମତୀ ଲକ୍ଷ୍ମୀ ସ୍ୱାମୀନାଥନ(ସେହଗଲ)ଙ୍କ ଭାଷାରେ (୫-ପୃ ୧୯୯), “ସେମାନଙ୍କ(ଜାପାନୀଙ୍କ) ପାଇଁ ମହିଳା ସୈନ୍ୟବାହିନୀ ଅକଳ୍ପନୀୟ ଥିଲା । ସେମାନେ ଅନେକ ସମୟ ପର୍ଯ୍ୟନ୍ତ ବିଶ୍ୱାସ କରୁ ନଥିଲେ ଯେ ଏହି ବିଷୟକୁ ନେଇ ନେତାଜୀ ବେଶ୍ ଗମ୍ଭୀର । ସେମାନେ ହସପିଟାଲରେ ମହିଳା ନର୍ସ ଦେଖିବାପାଇଁ ବେଶ୍ ପ୍ରସ୍ତୁତ ଥିଲେ, ପ୍ରକୃତରେ ହସପିଟାଲମାନଙ୍କରେ ମହିଳା ନର୍ସମାନେ ହିଁ  କାର୍ଯ୍ୟ କରୁଥିଲେ । ସାମରିକ କାର୍ଯ୍ୟାଳୟରେ ସେମାନେ ମହିଳାଙ୍କୁ କ୍ଲର୍କ ଏବଂ ଷ୍ଟେନୋଗ୍ରଫର କାର୍ଯ୍ୟରେ ନିଯୁକ୍ତି ଦେଉଥିଲେ । କିନ୍ତୁ ଏକ ମହିଳା ସୈନ୍ୟବାହିନୀ ସେମାନଙ୍କର ସାମରିକ ପରମ୍ପରାର ଯେ ବିରୁଦ୍ଧାଚରଣ କରୁଥିଲା! ସେମାନେ ସେଥିପାଇଁ ବହୁ ପ୍ରତିବନ୍ଧକ ସୃଷ୍ଟି କଲେ ଯେପରି କ୍ୟାମ୍ପ ପକାଇବା ପାଇଁ ଉପଯୁକ୍ତ ସ୍ଥାନ ପାଇବାରେ ଏବଂ ଅଭ୍ୟାସ ପାଇଁ ପଡ଼ିଆ ପାଇବାରେ । ନେତାଜୀ ଅବଶ୍ୟ ଏ ପ୍ରକାର ହସ୍ତକ୍ଷେପଦ୍ୱାରା ଆଦୌ ପ୍ରଭାବିତ ହେଲେ ନାହିଁ, ବରଂ ବିଷୟଟିକୁ ସେଠାରେ ଥିବା ସର୍ବୋଚ୍ଚ ସାମରିକ ଅଧିକାରୀଙ୍କ ନିକଟକୁ ନେଲେ, ଏବଂ ଏଥିପାଇଁ ଯାହା କରିବା ସମ୍ଭବ ତାହା କରିବେ ବୋଲି ଜଣାଇଦେଲେ । ଶେଷକୁ ଜାପାନୀମାନେ ବୁଝିଲେ ଓ ମାନିଗଲେ ।”  ତାଲିମ ଶିବିରକୁ ଉଦବୋଧନ ଦେଇ ନେତାଜୀ କହିଥିଲେ (୩-ପୃ ୧୨୬), “ମୁଁ ଯେତେବେଳେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଦିଶା ନିର୍ଦ୍ଦେଶର ଦାୟିତ୍ୱ ନେଲି, ସେତେବେଳେ ମୁଁ ଅନୁଭବ କଲି ଯେ ଏହି ଗମ୍ଭୀର ଜରୁରୀ ପରିସ୍ଥିତିରେ ଆମ ଭଉଣୀମାନଙ୍କୁ ଭାରତର ସେବା ପାଇଁ ସୁଯୋଗ ଦିଆଯିବା ଉଚିତ । ମୁଁ ଅନେକଙ୍କ ପରାମର୍ଶ ଲୋଡ଼ିଲି, ଏବଂ କେତେଜଣ ମୋତେ କହିଲେ ଯେ ଏକ ମହିଳାବାହିନୀର ଗଠନ ଭାରତରେ ସମ୍ଭବ ହୋଇପାରେ, ପୂର୍ବ ଏସିଆରେ ଏହା ଅସମ୍ଭବ । ସେମାନେ ଯାହା କହିଲେ ତାହା ମୋର ବିଶ୍ୱାସକୁ ଏବଂ ମୋର ଦୃଢ଼ତାକୁ ପ୍ରଭାବିତ କରିପାରି ନ ଥିଲା । ଆଜି, ତୁମ ନିଜ ଆଖି ସାମନାରେ ଦେଖୁଛ, ଆମର ଭଉଣୀମାନେ କଣ ହାସଲ କରିପାରିଛନ୍ତି ।” ଏହି ସେନା ଗଢ଼ିବା ପଛରେ ସୁଭାଷଙ୍କର ଦୀର୍ଘକାଳୀକ ଲକ୍ଷ୍ୟ ଥିଲା ଯେ ଭାରତ ସ୍ୱାଧୀନତା ପାଇବା ପରେ ଏହି ମହିଳା ସୈନିକମାନେ ଭାରତର ନିରକ୍ଷର ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଶିକ୍ଷାର ପ୍ରସାର କରିବା ପାଇଁ ସମର୍ପିତ ହେବେ । ଏହି ମହିଳାବାହିନୀର ସେନାପତି କ୍ୟାପଟେନ ଲକ୍ଷ୍ମୀ ସେହଗଲ କୁହନ୍ତି (୭-ପୃ ୨୧୫), “ଏହା ସୁଭାଷଙ୍କର ବିଚାର ଥିଲା ଯେ ସ୍ୱାଧୀନତା ପରେ ଝାନ୍ସୀ ରାଣୀ ବାହିନୀରେ ଥିବା ସମର୍ପିତ ମହିଳାଙ୍କ ଗୋଷ୍ଠୀ ଏକ ଉପଯୋଗୀ ଭୂମିକା ନିର୍ବାହ କରିବେ ଯେଉଁମାନଙ୍କୁୁ ଦେଖି  ଭାରତର ନିରକ୍ଷର ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହେବ, ଏବଂ ଯେଉଁମାନେ ଏହି ଗ୍ରାମୀଣ ମହିଳାମାନଙ୍କର ବିକାଶ, ଶିକ୍ଷା ଏବଂ ଆତ୍ମ ନିର୍ଭରଶୀଳତାକୁ ସମ୍ଭବ କରିପାରିବେ ।” 

ଉପସଂହାର

ଭାରତ ସ୍ୱାଧୀନତା ପାଇଲେ ଏହାର ସ୍ୱରୂପ କଣ ହେବା ଉଚିତ ସେ ପରିକଳ୍ପନାକୁ ସ୍ୱାଧୀନତା ପ୍ରାପ୍ତିର ପାଂଚବର୍ଷ ପୂର୍ବରୁ ଲିପିବଦ୍ଧ କରିବା, ଏବଂ କେଉଁ କାର୍ଯ୍ୟକ୍ରମ ଗୁରୁତ୍ୱ ପାଇବା ଉଚିତ, ବିଚାର ଗୁରୁତ୍ୱ ପାଇବା ଉଚିତ ଏବଂ ଏଗୁଡିକୁ କିପରି କାର୍ଯ୍ୟକାରୀ ଓ ସାକାର କରାଯିବା ଉଚିତ ତାହାର ଏକ ସ୍ପଷ୍ଟ ବ୍ୟବସ୍ଥିତ ଚିତ୍ର ସେଥିରେ ଉପସ୍ଥାପିତ କରାଯିବା ଏକ ଆଧୁନିକ ଭାରତର ନିର୍ମାଣ ପାଇଁ ସୁଭାଷଙ୍କ ଭାବନାରେ ବ୍ୟାକୁଳତାର ହିଁ ନିଦର୍ଶନ ହୋଇପାରେ । ସ୍ୱାଧୀନ ଭାରତର ଲକ୍ଷ୍ୟ କଣ ହେବା ଉଚିତ ତାହାକୁ ସୁଭାଷ ଯେପରି ଲିପିବଦ୍ଧ କରିଛନ୍ତି, ଉପରୋକ୍ତ ନିବନ୍ଧରେ, ତାହାର ପ୍ରତିଫଳନ ଯଦି ଆମେ ୧୯୫୦ ଜାନୁଆରୀ ୨୬ ଦିନରୁ ସ୍ୱାଧୀନ ଭାରତ ପାଇଁ ପ୍ରଚଳିତ ସମ୍ବିଧାନର ଧାରାମାନଙ୍କରେ ଦେଖୁଥାଉ ତାହାହେଲେ ଆଧୁନିକ ଭାରତର ନିର୍ମାଣରେ ସୁଭାଷଙ୍କ ପରିକଳ୍ପନାର ପ୍ରୟୋଗକୁ ଅସ୍ୱୀକାର କରାଯାଇପାରେ କି? ଯେପରି ‘ରାଷ୍ଟ୍ର ପ୍ରତ୍ୟେକ ବ୍ୟକ୍ତି ଓ ଗୋଷ୍ଠୀକୁ ଧର୍ମୀୟ ଓ ସାଂସ୍କୃତିକ ସ୍ୱାଧୀନତାର ଗ୍ୟାରେଂଟି ଦେବ’-ସୁଭାଷଙ୍କର ଏହି ପରିକଳ୍ପନା ସମ୍ବିଧାନର ଧାରା ୨୫ରେ ପ୍ରତିଫଳିତ ହୁଏ ନାହିଁ କି? ସେହିପରି ଉପରୋକ୍ତ ନିବନ୍ଧରେ ଦାରିଦ୍ର୍ୟ, ବେକାରୀ, ନିରକ୍ଷରତା, ଅସମାନତା ଆଦିର ନିରାକରଣ ପାଇଁ ନେତାଜୀଙ୍କ ପରାମର୍ଶ ସମ୍ବିଧାନର ମୌଳିକ ଅଧିକାର ଓ ନିର୍ଦ୍ଦେଶିକା ନୀତି ଅଧ୍ୟାୟ ଦ୍ୱୟରେ ବେଶ୍ ସ୍ପଷ୍ଟ ପ୍ରତିଫଳିତ ହୁଏ ।  ‘ରାଷ୍ଟ୍ରର କୌଣସି ଧର୍ମ ହେବ ନାହିଁ’ -ସୁଭାଷଙ୍କର ପରାମର୍ଶ ସମ୍ବିଧାନର ପ୍ରାକ୍କଥନରେ ଉଲ୍ଲେଖ ‘ଧର୍ମନିରପେକ୍ଷତା’ର ଅବଧାରଣାରେ ପ୍ରତିଫଳିତ ହେବା ଦେଖାଯାଏ ନାହିଁ କି? ସ୍ୱାଧୀନ ଭାରତରେ ଦେଶୀୟ ସାମନ୍ତ ରାଜା ଓ ସେମାନଙ୍କ ଦେଶୀୟ ରାଜ୍ୟର ଉଚ୍ଛେଦର ଆବଶ୍ୟକତା ସମ୍ପର୍କରେ ସୁଭାଷଙ୍କ ପରାମର୍ଶ କାର୍ଯ୍ୟକାରୀ ହୁଏ ନାହିଁ କି ଯେତେବେଳେ ସ୍ୱାଧୀନତା ପାଇବା ସମୟରେ ଖୋଲା ଯାଏ ଏକ ସରକାରୀ ବିଭାଗ,  Ministry of States, ଯାହାକୁ ଦାୟିତ୍ୱ ଦିଆଯାଏ ଯେ ୫୬୦ରୁ ଊର୍ଦ୍ଧ ଦେଶୀୟ ରାଜା ମହାରାଜା ଓ ନବାବଙ୍କୁ ଏହି ବିଭାଗ ପ୍ରବର୍ତ୍ତାଇବ ସେମାନଙ୍କର ନିଜ ନିଜ ରାଜ୍ୟକୁ ଭାରତରେ ମିଶାଇ ଦେବା ପାଇଁ? ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ଏହି ବିଭାଗର ପଦକ୍ଷେପ ଦ୍ୱାରା ଦେଶୀୟ ରାଜ୍ୟ ଗୁଡିକର ଭାରତରେ ମିଶିବାକୁ ତ ଆମେ ଅତି ଗର୍ବର ସହ ସ୍ମରଣ କରନ୍ତି, ଓ ଏହା ହିଁ ତ ସୁଭାଷ ଚାହୁଁଥିଲେ – ନୂତନ ଭାରତରେ ସାମନ୍ତ ରାଜା ଓ ସେମାନଙ୍କର ରାଜ୍ୟର ଉଚ୍ଛେଦ । କହିବା ବାହୁଲ୍ୟ ଯେ ଯେଉଁ ଆଧୁନିକ ଭାରତବର୍ଷ ଆମେ ଦେଖୁଛେ ସେଥିରେ ନେତାଜୀଙ୍କର ବହୁ ପରିକଳ୍ପନାର ପ୍ରତିଫଳନ ରହିଛି, ଜାତୀୟ ପତାକା, ଜାତୀୟ ସଂଗୀତ ସମେତ । ଜାତୀୟ ଐକ୍ୟ ଉପରେ ତାଙ୍କର ଗୁରୁତ୍ୱ ତ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟର ଧାରା ୫୧ ଏ (ସି)ରେ ପ୍ରତିଫଳିତ । ତେଣୁ କାହିଁକି କୁଣ୍ଠିତ ହେବା ସୁଭାଷଙ୍କୁ ଆଧୁନିକ ଭାରତର ନିର୍ମାତା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ? ଏହାଦ୍ୱାରା ତ ଆମେ ଇତିହାସ ସହିତ ନ୍ୟାୟ କରିପାରିବା ଓ ସୁଭାଷ ସାହିତ୍ୟରେ ଆମର ବୁଝାମଣାର ଗଭୀରତାକୁ ପ୍ରମାଣିତ କରିପାରିବା । ଏହା କଠୋର ସତ୍ୟ ଯେ ସୁଭାଷ ଚନ୍ଦ୍ର ବୋଷ, ଭାରତ ସ୍ୱାଧୀନତା ପାଇବାର ଦୁଇବର୍ଷ ପୂର୍ବରୁ  ମୃତ୍ୟୁବରଣ କରିଥିଲେ । ତେଣୁ  ଅନେକେ ପ୍ରଶ୍ନ କରିଥାନ୍ତି ଯେ ଯଦି ଭାରତ ସ୍ୱାଧୀନତା ପାଇବା ସମୟରେ ଜୀବିତ ଥାନ୍ତେ, ତାହାହେଲେ ସେ ସ୍ୱାଧୀନ ଭାରତର ନିର୍ମାଣରେ କିପରି ଭୂମିକା ନିର୍ବାହ କରିଥାନ୍ତେ । ଜର୍ମାନୀରେ ରହଣି ସମୟରେ, ୧୯୩୦ ଦଶକରେ, ସୁଭାଷଙ୍କ ସହ ଘନିଷ୍ଠ ସମ୍ପର୍କରେ ଆସିଥିବା Dr.Lothar Frank,୧୯୭୦ ଦଶକରେ, ଏପରି ପ୍ରଶ୍ନ ଉଠାଇଛନ୍ତି (୯-ପୃ ୨୪୯-୫୦) ,ଏବଂ ନେତାଜୀଙ୍କର ରାଜନୈତିକ ଦର୍ଶନର ବିଚାର କରି ମନ୍ତବ୍ୟ କରିଛନ୍ତି ଯେ “ବୋଷଙ୍କ ଧାରଣା ଓ ନିର୍ମାଣର ଭାରତ ବିଶ୍ୱ ଇତିହାସ ଓ ରାଜନୀତିରେ ଭିଏତନାମ, ଯୁଗୋସ୍ଲୋଭିଆ ଓ କ୍ୟୁବା ଠାରୁ ବଡ଼ ଆହ୍ୱାନ ହୋଇ ପ୍ରକଟିତ ହୋଇଥାନ୍ତା ।” ସେ ଆହୁରି ମନ୍ତବ୍ୟ କରନ୍ତି ଯେ “ବୋଷ, ଏକ ମନୁଷ୍ୟ ଓ ଚିନ୍ତକ ଭାବରେ ମାନବୀୟ ବ୍ୟାପାରରେ(in human affairs) ଏକ ନୂତନ ଦର୍ଶନ, ଏକ ନୀତି ସମ୍ବନ୍ଧୀୟ ନୂତନ ଅବଧାରଣା (ethical conception)ର ସନ୍ଧାନ କରୁଥିଲେ ।” ଏହି ମନ୍ତବ୍ୟ ଖଣ୍ଡନ କରେ ନାହିଁ କି ରାମଚନ୍ଦ୍ର ଗୁହାଙ୍କର ସେ ବକ୍ତବ୍ୟକୁ ଯେ(୧-ପୃ xii) “ବୋଷ ଜଣେ କାମର ମଣିଷ (man of action), ଗଭୀର ଜ୍ଞାନ ଥିବା ଚିନ୍ତକ (profound thinker) ନୁହନ୍ତି ।”

ବ୍ୟବହୃତ ଉପାଦାନ ସୂଚୀ 

1.‘Makers of Modern India’, Ramchandra Guha, Penguin Books of India, 2010

2.His Majesty’s Opponent, Sugata Bose, Penguin Books, 2019

  1. Chalo Delhi, Writings and Speeches: 1943-1945, Subhas Chandra Bose, Netaji Collected Works Volume 12, Edited by Sisir K Bose and Sugata Bose, Orient BlackSwan, 2007
  2. Brothers against the Raj: A Biography of Sarat and Subhas Chandra Bose, Leonard Gordon,  Columbia University Press, New York, 1990
  3. Netaji: His Life and Work, edited by Shri Ram Sharma, Shiva Lal Agarwala & Co., Agra, January 23rd 1948
  4. SUBHAS CHANDRA BOSE ,GIRIJA K. MOOKERJEE , PUBLICATIONS DIVISION ,MINISTRY OF INFORMATION AND BROADCASTING ,GOVERNMENT OF INDIA ,First Published: June 1975 , Fourth Reprint: 2010 
  5. Gandhi, Bose, Nehru and the Making of the Modern Indian Mind, Reba Som, Viking, Penguin Books, India, 2004
  6. ‘Free India and Her Problems’, Azad Hind, Writings and Speeches: 1941-1943, Subhas Chandra Bose, Netaji Collected Works Volume 11, Edited by Sisir K Bose and Sugata Bose, permanent black, 2002, second impression 2016
  7. A Beacon Across Asia: A Biography of Subhas Chandra Bose, edit. Sisir Kumar Bose et al., Orient Longman Ltd. 1973

10. INA’s Rani Of Jhansi Regiment: First In Recorded Military History That Comprised Only Women,   by Jay Bhattacharjee – Sunday, October 21, 2018,https://swarajyamag.com/magazine/forgotten-glory; “Women at War: Subhas Chandra Bose and the Rani of Jhansi Regiment”, Vera Hilderbrand,Harper Collins India, 2016

Comments

0 comments

Share This Article