ଜମି ଥାଇ ବି ଦାଦନ କାହିଁକି?

10 Min Read

ଆମର ଗୋଟିଏ ଧାରଣା ରହିଆସିଛି ଯେ ଯେଉଁମାନଙ୍କର ଜମି ନାହିଁ ବା ଯେଉଁମାନେ ସମ୍ବଳହୀନ ସେମାନେ ହିଁ ଦାଦନ ଖଟିବା ପାଇଁ ଯାଉଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହଁ । ଜମି ଥିଲେ ବି ଯଦି ଜମିକୁ ଉତ୍ପାଦନକ୍ଷମ କରାଯାଇ ପାରୁନାହିଁ, ବା ସେଥିପାଇଁ ପୁଞ୍ଜି ଯୋଗାଡ଼ କରାଯାଇପାରୁ ନାହିଁ, ବା ତୁହାକୁ ତୁହା ଫସଲହାନୀ ତଥା ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫସଲ ଉତ୍ପାଦନ ସମ୍ଭବ ହେଉନାହିଁ ଏବଂ ସେଥିପାଇଁ କରାଯାଇଥିବା ଋଣର ସୁଧ ବି ପରିଶୋଧ କରିହେଉ ନାହିଁ ସେପରି ସ୍ଥଳେ ଚାଷୀଟି ପାଇଁ ବା ତାହା ଜମିରେ କାମ କରୁଥିବା କ୍ଷେତମୂଲିଆ ପାଇଁ ଦାଦନଯିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥାଏ । କୃଷି ଉପରେ ନିର୍ଭରଶୀଳ ଗୋଟିଏ ରାଜ୍ୟର ଏକ ଆଖି ଦୃଷ୍ଟିଆ ସଂଖ୍ୟା ବିଭିନ୍ନ ଦୁର୍ଦ୍ଧଶା ଓ ପ୍ରତିକୂଳ ପରିସ୍ଥିତି ଭିତରେ ରାଜ୍ୟ ବାହରକୁ ଯିବାକୁ ପଡ଼ୁଛି । ମନରେ ପ୍ରଶ୍ନ ଆସିବା କଥା କୃଷିକୁ ନେଇ ଆମ ରାଜ୍ୟର ବା ଆମ ଦେଶର ପରିସ୍ଥିତି କ’ଣ ସବୁବେଳେ ଏଭଳି ଥିଲା? ନାଁ ଆଦୌ ନୁହଁ । ୧୯୫୧-୫୨ବେଳେ ଅବିଭକ୍ତ ମଧ୍ୟପ୍ରଦେଶ (ଛତିଶଗଡ଼), ବିହାର (ଝାଡ଼ଖଣ୍ଡ) ଓ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଆଗଧାଡ଼ିରେ ଥିଲେ । ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନର ୨୪ ଭାଗ ଏହି ତିନିଟି ରାଜ୍ୟରୁ ଯାଉଥିଲା ।

୨୦୦୧-୦୨ ମସିହା ବେଳକୁ ଏହା ଖସି ଆସି ପ୍ରାୟ ୧୬ ଭାଗରେ ପହଞ୍ଚିଲା । ପଞ୍ଜାବ ଭଳି ରାଜ୍ୟ ଯେଉଁଠି ପଥରଟିଏ (ଖଣିଜ) ବି ନାହିଁ,  ତିନିଟି ରାଜ୍ୟ ତୁଳନାରେ ଶସ୍ୟ ଉତ୍ପାଦନରେ ବହୁତ ଆଗରେ ଅଛି । ଦେଶର ଖାଦ୍ୟଶସ୍ୟ ଉତ୍ପାଦନର ୧୦.୨୩ ଭାଗ ପଞ୍ଜାବରୁ ଆସୁଛି କିନ୍ତୁ ୫୦ବର୍ଷ ତଳେ ଓଡ଼ିଶାର ଭାଗ ୪.୪୮ ଭାଗ ଥିଲାବେଳେ ଏବେ ତାହା ଖସି ଆସି ୨.୩୬ ଭାଗରେ ପହଞ୍ଚିଛି । ଛତିଶଗଡ଼ ଓ ଝାଡ଼ଖଣ୍ଡର ଅବସ୍ଥା ବି ଏକାଭଳି । ବିଡ଼ମ୍ବନାର କଥା ଏହି ଯେ ବର୍ତ୍ତମାନ ତିନିଟି ରାଜ୍ୟକୁ ବେଶି ପୁଞ୍ଜି ଆସୁଛି । କେବଳ  ଖଣିଜ କ୍ଷେତ୍ରପାଇଁ- ଯେଉଁ କ୍ଷେତ୍ରରେ ନିଯୁକ୍ତିର ହାର ପ୍ରତ୍ୟେକ ବର୍ଷ କମି କମି ଯାଉଛି ଏବଂ ଯେଉଁ କ୍ଷେତ୍ରପାଇଁ ଚାଷ ଜମିର ପରିମାଣ ବି କମି କମି ଯାଉଛି । ଏହି ତିନିଟି ରାଜ୍ୟର ତଥାକଥିତ କୃଷିରେ ଉନ୍ନତ ରାଜ୍ୟମାନଙ୍କ ତୁଳନାରେ ଯଦିଓ ଋଣଭାର ଓ କୃଷକ ଆତ୍ମହତ୍ୟା ହାର କମ୍‌, ଯେହେତୁ ଛୋଟ ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଏଠି ବେଶୀ । କିନ୍ତୁ ଚାଷଜମିର ଖର୍ଚ୍ଚ ଓ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟହ୍ରାସ ଫଳରେ ଏଠି ଚାଷୀ ଯେ କେବଳ ଅଭାବୀ ବିକ୍ରୀର ଶିକାର ହେଉ ନାହିଁ, ଜମି ଥାଇ ବି କାମ ଖୋଜିବା ପାଇଁ ବାହାରକୁ ଚାଲିଯାଉଛି । ସେମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ । ଆତ୍ମହତ୍ୟା ଯେଉଁଭଳି ଧ୍ୟାନ ଆକର୍ଷଣ କରେ, ପ୍ରତ୍ୟେକ ଦିନ ଜୀଇଁ ଥାଉ ଥାଉ ମରିବା ସଦୃଶ ଅବସ୍ଥାକୁ ଆସିବା କଥାଟି ସେତିକି ଧ୍ୟାନ ଆକର୍ଷଣ କରିନଥାଏ ।

ଓଡ଼ିଶାର ଚାଷୀ ଆଜି ଏକ ଷଣ୍ଢୁଆସି ଆକ୍ରମଣର ଶିକାର ହୋଇଛି । ତା’ ଚାଷ ଜମି ସରକାର ଓ ବଡ଼ବଡ଼ ଲୋକେ ନିଜ ଦଖଲରେ ରଖିଛନ୍ତି । ସେମାନଙ୍କଠାରୁ ମୁକ୍ତ କରିବା ପାଇଁ ଚାହିଁଲେ ତାକୁ ‘ନକ୍ସଲ’ର ଆଖ୍ୟା ଦିଆଯାଉଛି । ନିଜ ପାଖରେ ୭୫ ଭାଗରୁ ଅଧିକା ଜମି ରଖିଥିବା ସରକାର ଅନାହାରରେ ମରୁଥିବା ପରିବାରକୁ ଏକରେ ଜମି ଦେଉନଥିବା ବେଳେ ବେଦାନ୍ତ ଭଳି ଚର୍ଚ୍ଚିତ କମ୍ପାନୀମାନଙ୍କ ଶିକ୍ଷା ବ୍ୟବସାୟ ପାଇଁ ୪୫୦୦ ଏକର ଜମି ଦେବା ପାଇଁ ନିଜେ ମୁଖ୍ୟ ଶାସନ ସଚିବ ଅମିନ/ମୋହରିର ଭଳି ଜମି ଚିହ୍ନଟ କରୁଛନ୍ତି । ନିକଟରେ ଉଚ୍ଚତମ ନ୍ୟାୟଳୟ ଓଡ଼ିଶା ଉଚ୍ଚନ୍ୟାୟଳୟର ଏକ ଆଦେଶକୁ କାଏମ୍ ରଖି ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ କରିଥିବା ଜମିକୁ ଲୋକଙ୍କୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦେବାପରେ, ଓଡ଼ିଶା ସରକାର କମ୍ପାନୀ ମାନଙ୍କ ହିତରେ କରୁଥିବା ଅନୈତିକ କାମଗୁଡ଼ିକ ପଦାରେ ପଡ଼ିଯାଇଛି ।

ଚାଷୀର ଜମିକୁ ପାଣି ଯୋଗାଇବା ପାଇଁ କରାଯାଇଥିବା ୧୫ଟି ବୃହତ୍ ଜଳସେଚନ ପ୍ରକଳ୍ପ (ହୀରାକୁଦ, ରେଙ୍ଗାଲୀ ଓ ଇନ୍ଦ୍ରାବତୀ ସମେତ), ୫୩ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଏବେ ଖଣି କମ୍ପାନି ଓ କାରଖାନାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ଅଭାବୀ ବିକ୍ରୀର ଫାଇଦା ନେଇ ଚାଷୀକୁ ଜମିରୁ ବିତାଡ଼ିତ କରିବା ପାଇଁ ଏବେ ସରକାର ପୁଣି ଆରମ୍ଭ କରିଛନ୍ତି କମ୍ପାନୀ ଚାଷ ବା ଠିକାଚାଷ କାମ । ଅନେକ କମ୍ପାନୀ ଓଡ଼ିଶାରେ ଠିକାଚାଷ ପାଇଁ ଅଣ୍ଟାଭିଡ଼ି ଉଦ୍ୟମ ଆରମ୍ଭ କଲେଣି ।

ସବୁଠାରୁ ବଡ଼ ସମସ୍ୟା ହେଉଛି- କୃଷକ ଯେଉଁ ସଙ୍କଟରେ ପଡ଼ିଛି, ତାକୁ ଉଦ୍ଧାର କରିବାପାଇଁ ଯେଉଁସବୁ ଚାଷ ଓ ଚାଷୀବିରୋଧୀ କାମ ହାତକୁ  ନିଆଯାଉଛି – ସେସବୁ ସେ ଯେମିତି ବିନା ପ୍ରଶ୍ନରେ ଗ୍ରହଣ କରିପାରିବ ସେଭଳି ପରିସ୍ଥିତି ଓ ପରିବେଶ ସୃଷ୍ଟି କରାଯାଉଛି । ଏବେ ତାକୁ ବୁଝାଇ ଦିଆଯାଉଛି ଯେ କମ୍ପାନି ଚାଷ ତା’ ସ୍ୱାର୍ଥପାଇଁ ହେଉଛି । ଦୁର୍ଦ୍ଦଶା ଓ ଅସହାୟ ମଧ୍ୟରେ ଥିବା ଚାଷୀଟିକୁ କିଛି ପ୍ରଲୋଭନ ଦେଖାଇ ସାମୟିକ ଭାବେ ବୁଝାଇ ଦେଇହେବ । କିନ୍ତୁ କେତେ ଦିନ ‘କାଳିଆ’ ଯୋଜନାରେ କିଛି ଟଙ୍କା ରାଜ୍ୟ ସରକାର ଦେବା ବା ‘ପି.ଏମ୍‌. କିଶାନ’ ନାଁରେ କେନ୍ଦ୍ର ସରକାର ଦେବା କେତେ ଜଣ ଚାଷୀଙ୍କୁ ଋଣଯନ୍ତାରୁ ମୁକ୍ତ କରିପାରିଛି? କେତେ ଚାଷୀ ଏହି ନିର୍ବାଚନୀ ସାହାଯ୍ୟ ପାଇ ନିଜ ଗୋଡ଼ରେ ଠିଆ ହୋଇଛନ୍ତି? ‘କାଳିଆ’ ଓ ‘ପି.ଏମ୍‌.କିଶାନ’ ଯୋଜନା ଯୋଗୁଁ ଭାଗଚାଷୀ ଓ କ୍ଷେତ ମୂଲିଆଙ୍କର କ’ଣ ଲାଭ ହୋଇଛି; ତାହାର ବି ସମୀକ୍ଷା ହେବା ଦରକାର । ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଯାଉଥିବା ଶ୍ରମିକମାନଙ୍କ ସଂଖ୍ୟାରେ କେଉଁଭଳି ହ୍ରାସ ଘଟିଛି ବା ସବୁ ଯୋଜନା ସତ୍ତ୍ୱେବି ପ୍ରବାସୀ ଶ୍ରମିକ ତଥା ଦାଦନଙ୍କ ସଂଖ୍ୟା ବଢ଼ିଚାଲିଛି; ତାହାର ବି ଏକ ନିରପେକ୍ଷ ଅଧ୍ୟୟନ ହେବା ଦରକାର ।

ପୁଣି ଦ୍ୱିତୀୟ ସବୁଜ ବିପ୍ଳବ କଥା ବିଶେଷ କରି ଓଡ଼ିଶା ଭଳି ପୂର୍ବ ଭାରତର ରାଜ୍ୟମାନଙ୍କୁ କେନ୍ଦ୍ରକରି ଅନେକ ଦିନ ହେଲା ଚାଲିଛି । ପ୍ରଥମ ସବୁଜ ବିପ୍ଳବ ପରେ ଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି ଦାବୀ କରାଯାଉଥିବାବେଳେ କୃଷକ କୃଷିକ୍ଷେତ୍ରରୁ ମୁହଁ ଫେରାଇବା, ଋଣ ଯନ୍ତାରେ ପଡ଼ି ଆତ୍ମହତ୍ୟାର ବାଟ ବାଛିବା ବା ମୂଲ ଲାଗି ରୋଜଗାର କରିବା ପାଇଁ ରାଜ୍ୟ ବାହରକୁ ଯିବା ଏକ ସାଧାରଣ ଘଟଣା ହୋଇଯାଇଛି । ଏହି କଥାର ମଧ୍ୟ ଅଧ୍ୟୟନ ହେବା ଦରକାର ଯେ କେତେ ସଂଖ୍ୟାରେ ଚାଷୀ ଭୂମିହୀନ ହୋଇଛନ୍ତି । ସମଗ୍ର ଦେଶର କୃଷିକୁ ନେଇ ସରକାର ଓ ଗଣମାଧ୍ୟମମାନେ ଏକ ମିଛ ପ୍ରଚାର କରିଆସିଛନ୍ତି । ଏମାନେ ପ୍ରଥମ ସବୁଜ ବିପ୍ଳବ ଆଣିବାବେଳେ ଅନେକ ମିଛକଥା କହି ଆମକୁ ବିଭ୍ରାନ୍ତ କରିଥିଲେ । ବଡ଼ କଥାଟି କୁହାଯାଉଥିଲା ଯେ ଦେଶ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ ହେବ, ବାହାରୁ ଖାଦ୍ୟଶସ୍ୟ ଆସିବ ନାହିଁ । ଏତେବଡ଼ ପ୍ରଚାର ସତ୍ତ୍ୱେ ୧୯୭୦-୭୧ବେଳକୁ ଆମକୁ ବାହାରୁ ପ୍ରାୟ ୧୦୦କୋଟି ଆମେରିକୀୟ ଡଲାର ମୂଲ୍ୟର ଖାଦ୍ୟଶସ୍ୟ ଆଣିବାକୁ ପଡ଼ୁଥିଲା । ୩୦ବର୍ଷ ପରେ ଅର୍ଥାତ୍ ୨୦୨୧ ଭାରତ ବିଦେଶରୁ ଆମଦାନୀ କରୁଥିବା ଖାଦ୍ୟଶସ୍ୟର ପରିମାଣ ୩୧.୪ ବିଲିୟନ (୧୦୦ କୋଟିରେ ଗୋଟିଏ ବିଲିୟନ ଏବଂ ଗୋଟିଏ ଡଲାରର ଆଜିର ଦିନରେ ମୂଲ୍ୟ ହେଉଛି ଭାରତୀୟ ମୁଦ୍ରାରେ ୮୧ ଟଙ୍କା) ।

ଅର୍ଥାତ ସମଗ୍ର ଖାଦ୍ୟ ଦ୍ରବ୍ୟ ଆମଦାନୀର ମୂଲ୍ୟ ୨୫ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଅନ୍ୟପଟେ କୃଷି ଉତ୍ପାଦନ ଅଭିବୃଦ୍ଧି ହାର କମି କମି ଯାଉଛି । ସାମଗ୍ରିକ ଜାତୀୟ ଉତ୍ପାଦନରେ କୃଷିଜାତ ଦ୍ରବ୍ୟ ଉତ୍ପାଦନର ଅବଦାନ ମଧ୍ୟ ଦ୍ରୁତଗତିରେ କମି କମି ଯାଉଛି ଏବଂ ଅଣ କୃଷିଜାତ କ୍ଷେତ୍ରର ଉତ୍ପାଦନ ବଢ଼ି ବଢ଼ି ଯାଉଛି । ନିଷ୍ଠୁର ସତ୍ୟଟିକୁ ଲୁଚାଇଦେବା ପାଇଁ ଦ୍ୱିତୀୟ ସବୁଜ ବିପ୍ଳବର ସ୍ୱପ୍ନ ବଣ୍ଟା ଚାଲିଛି । କଂଗ୍ରେସ ନେତୃତ୍ୱାଧିନ ୟୁ.ପି.ଏ ଶାସନ ବେଳେ ନିଜେ ତତ୍କାଳୀନ ଅର୍ଥମନ୍ତ୍ରୀ ଚିଦାମ୍ବରମ କହିଥିଲେ ଯେ ଏବେ ବି ଆମ ଦେଶର ୧୧କୋଟି ୫୫ଲକ୍ଷ ପରିବାର କୃଷି ଉପରେ ସିଧାସଳଖ ନିର୍ଭର କରନ୍ତି । ଅର୍ଥାତ୍ ୫୭କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଏବେବି କୃଷି ଏକ ଜୀବିକା । କିନ୍ତୁ ସେ ଓ ତାଙ୍କର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିକଳ୍ପ ଜୀବିକା କଣ ହେବ ସ୍ପଷ୍ଟ ନକରି ଲୋକମାନଙ୍କୁ କୃଷି କ୍ଷେତ୍ରରୁ ବାହାରି ଆସିବା ପାଇଁ ଆହ୍ୱାନ ଦେଉଥିଲେ । ଏଭଳି ଏକ ଡ଼ାକରାକୁ ତାଙ୍କ ନିଜ ଦଳ ଏବଂ ଅନ୍ୟ ସହଯୋଗୀଦଳର ନେତୃତ୍ୱମାନେ ଗ୍ରହଣ କରି ପାରୁନଥିଲେ ।

ହୁଏତ ସେମାନେ ଅନୁମାନ କରିପାରୁଥିଲେ ଏହା କେବଳ ଦେଶରେ ବେରୋଜଗାରୀ ଓ ଦରିଦ୍ରମାନଙ୍କ ସଂଖ୍ୟାକୁ ଅଶାତୀତ ଭାବେ ବଢ଼ାଇ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକସଭାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ଯୋଗୁଁ ଏବଂ ସେ ଦଳର ପ୍ରତିଦ୍ୱନ୍ଦ୍ୱୀବିହୀନ ନେତା ହୋଇଥିବା ଯୋଗୁଁ ମନମୋହନ ସିଂହ ଓ ଚିଦାମ୍ବରମଙ୍କ ନୀତିକୁ ଅଧିକ ଅକ୍ରମଣାତ୍ମକ ଭାବେ କାର୍ଯ୍ୟକାରୀ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ । ସେଥିପାଇଁ ସେ ତିନୋଟି ‘କଳା କୃଷି ଆଇନ’ ଦିନେ ଆଣିଥିଲେ ଏବଂ ଗୋଟିଏ ବର୍ଷ ଧରି ୭୦୦ରୁ ନିଜ ସାଥିଙ୍କୁ ହରାଇବା ସତ୍ତ୍ୱେ ଏକ ବଳିଷ୍ଠ କୃଷକ ଆନ୍ଦୋଳନ ଦିଲ୍ଲୀର କେତେକ ପ୍ରବେଶ ଦ୍ୱାରକୁ ଅବରୋଧ କରି ରଖିôବାପରେ ସେସବୁ ଆଇନକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ । ବିଦେଶୀ ପୁଞ୍ଜିର ମୋହରେ ସବୁଠାରୁ ଅଧିକ ନିରନ୍ତର ଜୀବିକା ଯୋଗାଇ ପାରୁଥିବା କୃଷି, ଜଳ ଓ ଜଙ୍ଗଲ ସମ୍ପଦ ଯଦି ବିପନ୍ନ ହୁଏ ତେବେ ଦାଦନଙ୍କ ସଂଖ୍ୟା ବଢ଼ିବା ବ୍ୟତୀତ ଅନ୍ୟକଣ ବିକଳ୍ପ ଅଛି ତାହା ସ୍ପଷ୍ଟ ହୋଇପାରନ୍ତା । ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାଗଣା ଖାଦ୍ୟ ଉପରେ ଆଜିର ଦିନରେ ନିର୍ଭର କରୁଛନ୍ତି । ଆଗାମୀ ଦିନରେ ସେହି ସଂଖ୍ୟା ହୁଏତ ୧୦୦ କୋଟିରୁ ଅଧିକ ହୋଇଯାଇପାରେ ।

ଗୋଟିଏ ପ୍ରଶ୍ନ ମନକୁ ଆସିବା କଥା ଯେ ଏତେବଡ଼ ଏହି ଦେଶଟାରେ ୧୦୦କୋଟିରୁ ଅଧିକ ଲୋକ ଯଦି ନିରନ୍ତର ଜୀବିକାର ଭିତ୍ତିଭୂମିରୁ ଉଦ୍‌ବାସ୍ତୁ ହୁଅନ୍ତି ବା ସେମାନଙ୍କର ଜୀବିକା ଓ ରୋଜଗାର ବିପନ୍ନ ହୁଏ ତେବେ ସେମାନଙ୍କୁ କେଉଁ ଆଲୁମିନା କାରଖାନା, ଲୁହା କାରଖାନା, କୋଇଲା ଖଣି ବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ କାମ ଯୋଗାଇବ? କେମିତି ଯୋଗାଇବ? କେତେଦିନ ଯୋଗାଇବ? ତା’ହେଲେ ଆମ ଚାଷଜମି ଅଧିକ ଊର୍ବର ହେବା ପରିବର୍ତ୍ତେ ମରୁଭୂମିରେ ପରିଣତ କରିବା ପାଇଁ କାହା ହିତରେ ଆମେ ନିଷ୍ପତ୍ତି ନେଉଛେ? ଗତ ଦୁଇ ଦଶନ୍ଧି ଭିତରେ ରାଜ୍ୟର ସମସ୍ତ ପ୍ରମୁଖ ଜଳଭଣ୍ଡାର ଏବଂ ବିସ୍ତୀର୍ଣ୍ଣ ଉଚ୍ଚମାନର ବିବିଧତାଭରା ଜଙ୍ଗଲ କମ୍ପାନୀମାନଙ୍କ ହିତରେ କାମ କରିବା ପାଇଁ ସରକାର ବ୍ୟବସ୍ଥା କରିସାରିଛନ୍ତି । ଏଠି ୨୦୦୭ର ପଶ୍ଚିମ ଓଡ଼ିଶା କୃଷକ ଆନ୍ଦୋଳନର ଅଭୂତପୂର୍ବ ହୀରାକୁଦ ନଦୀବନ୍ଧ ଘେରାଉ କାର୍ଯ୍ୟକ୍ରମଟିକୁ ସ୍ମରଣ କରାଯାଇ ପାରେ । ପ୍ରାୟ ୩୦ହଜାର ଚାଷୀ ହୀରାକୁଦର ପାଣି ଚାଷୀର, କମ୍ପାନୀ ମାନଙ୍କର ନୁହଁ ଏବଂ ସବୁ ଚାଷଜମିକୁ ହୀରାକୁଦ ପାଣି ଯୋଗାଇ ଦେବା ପାଇଁ ଆନ୍ଦୋଳନ କରିଥିଲେ । ଏବେ ହୀରାକୁଦ ବନ୍ଧରେ ଯେତିକି ପାଣି ଅଛି; ପ୍ରାଥମିକତା ଭିତ୍ତିରେ ପ୍ରଥମେ ବେଦାନ୍ତ, ଭୂଷଣ, ଆଦାନୀ ଏବଂ ଏଭଳି ଅନେକ କମ୍ପାନୀକୁ ମିଳୁଛି ।

ପ୍ରାଥମିକତା ତାଲିକାର ଶେଷରେ ଅଛନ୍ତି ଚାଷୀ । ଏବେ ଏବେ ଆମପାଖରେ ଖବର ଆସି ପହଞ୍ଚିଛି ଯେ ଲୋୟର ସୁକତେଲ ନଦୀବନ୍ଧ, ଯାହାର ନିର୍ମାଣ ପ୍ରବଳ ପ୍ରତିବାଦ ଭିତରେ ଚାଲିଥିଲା; ଏବେ ତାକୁ ସରକାର ଅଚାନକ କାର୍ଯ୍ୟକାରୀ କରିଛନ୍ତି । ଗାଁ ଭିତରକୁ ପାଣି ପଶିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଶୁଣାଯାଉଛି ଯେ ସେହି ଅଞ୍ଚଳର ଲୋକେ ଯେଉଁମାନଙ୍କ ଭିତରେ ଅଧିକାଂଶ କୃଷକ ଅଛନ୍ତି ବାଧ୍ୟହୋଇ ପାଣିର ଭୟରେ ବାହାରକୁ ଚାଲିଯିବେ । କେଉଁଠାକୁ ଯିବେ ଓ କେମିତି ରହିବେ ସେ ଚିନ୍ତା ସରକାରଙ୍କର ନାହିଁ । ବଲାଙ୍ଗିର ଜିଲ୍ଲାପାଳ ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଏଯାଏ ସ୍ପଷ୍ଟ ହୋଇନାହିଁ ଲୋୟର ସୁକତେଲ ନଦୀବନ୍ଧର ପାଣି ଲୋକେ ପାଇବେ ନାଁ ଆଉ କିଛି କମ୍ପାନୀ ପାଇବେ । ବିଡ଼ମ୍ବନାର କଥା ଯେ ଆମେମାନେ ଏଯାଏଁ ବୁଝିପାରୁ ନାହାଁନ୍ତି ବିକାଶ ନାଁରେ ଆମ ସରକାରମାନେ ଯେଉଁ ଯୋଜନା କରୁଛନ୍ତି, ତାହା ହିଁ ଦାଦନର ଏକ ବଳିଷ୍ଠ ପୃଷ୍ଠଭୂମି ତିଆରି କରୁଛି ।

Total Views: 315

Comments

0 comments

Share This Article