ଖାଦ୍ୟଦ୍ରବ୍ୟର ଦରବୃଦ୍ଧି ଓ ରାଜନୀତିର ଗତିପଥ!

ଖାଦ୍ୟଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଭାରତରେ ଗରିବ ଶ୍ରେଣୀର ଖାଦ୍ୟଥାଳିଟିକୁ ଟଙ୍କିକିଆ ଚାଉଳର ଭାତରେ ସୀମିତ ରଖିଥିବାବେଳେ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ପ୍ରଥମ ଥରପାଇଁ ବୁଝାଇ ଦେଇପାରିଛି ଯେ, ସେମାନଙ୍କର ରୋଜଗାର ଯେତେ ବଢ଼ିଲେ ବି ବା ବଢ଼ିବାର ସମ୍ଭାବନା ଦେଖାଯାଉଥିଲେ ବି ଖୁଚୁରା ସାମଗ୍ରୀ ଓ ଖାଦ୍ୟଦ୍ରବ୍ୟର ଅହେତୁକ ଦରବୃଦ୍ଧି ବେଶୀଦିନ ଲାଗିରହିଲେ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଆଘାତ ପହଞ୍ଚାଇବ । କୁହାଯାଉଛି ଯେ ଗତ ତିନିମାସ ମଧ୍ୟରେ ଖାଦ୍ୟସାମଗ୍ରୀର ଦରବୃଦ୍ଧି ବହୁତ ବଢ଼ିଯାଇଛି । ରାଜ୍ୟର ରାଜଧାନୀରେ ଚାଉଳ କ୍ୱିଂଟାଲ ପିଛା ୮୦୦୦ଟଙ୍କାରେ ପହଞ୍ଚିଥିବା ବେଳେ ହରଡ଼ ଡାଲିର ଦର କିଲୋ ପିଛା ୧୮୦ଟଙ୍କାରେ ପହଞ୍ଚିଲାଣି । ସବୁ ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟୁଛି । ଜିରା ଯାହା ତିନି ମାସ ତଳେ କିଲୋପିଛା ୩୦୦ଟଙ୍କା ଥିଲା, ଏବେ କିଲୋପିଛା ୮୦୦ରୁ ୧୦୦୦ ଟଙ୍କାରେ ପହଞ୍ଚିଲାଣି । କଞ୍ଚାଲଙ୍କା ଯାହା ଗ୍ରାହକଙ୍କୁ ଫେରାଇବା ପାଇଁ ପରିବା ଦୋକାନୀ ପାଖରେ ଖୁଚୁରା ପଇସା ନଥିଲେ ଏମିତିରେ ୫୦ଗ୍ରାମ କଞ୍ଚାଲଙ୍କା ଗ୍ରାହକର ପରିବାମୁଣିରେ ପକାଇ ଦିଅନ୍ତି, ସେହି ଲଙ୍କାର ଦର ଏବେ କିଲୋପିଛା ୨୫୦ ଟଙ୍କା ହେଲାଣି । ଟମାଟୋ ଦର କିଲୋପିଛା ୧୪୦ ଟଙ୍କା ହୋଇଯିବା ଯୋଗୁଁ ବଢ଼ିଚାଲିଥିବା ଜନଅସନ୍ତୋଷକୁ ଆଖିଆଗରେ ରଖି ଟମାଟୋ ଉତ୍ପାଦନ ହେଉଥିବା ରାଜ୍ୟ ଗୁଡ଼ିକରୁ ଅଧିକ ସଂଖ୍ୟାରେ ଟମାଟୋ ସଂଗ୍ରହକରି କିଲୋପିଛା ୮୦ଟଙ୍କାର ନିୟନ୍ତ୍ରିତ ଦରରେ ଖାଉଟିମାନଙ୍କୁ ଯୋଗାଇବାର ବନ୍ଦୋବସ୍ତ କରୁଛନ୍ତି । ବିଡ଼ମ୍ବନାର କଥା ଯେ ଦୁଇ ମାସତଳେ ମହାରାଷ୍ଟ୍ରର ନାସିକ୍ ଅଞ୍ଚଳର ଟମାଟୋ ଉତ୍ପାଦନକାରୀମାନେ ଉଚିତ୍ ଦର ନପାଇବା ଯୋଗୁଁ ନିଜ ଉତ୍ପାଦିତ ଟମାଟୋ ଗୁଡ଼ିକୁ ନଷ୍ଟ କରିଦେଇଥିଲେ । ଏହି ଖବର ପାଇଥିବା ବଡ଼ବଡ଼ କମ୍ପାନୀରେ ଉଚ୍ଚଦରମାରେ କାମ କରୁଥିôବା ଯୁବକ/ଯୁବତୀମାନେ ଚକିତ ହୋଇଥିଲେ ଯେତେବେଳେ ମ୍ୟାକ୍‌ଡ଼ୋନାଲ୍ଡ’ର ରେସ୍ତୋରାଁରୁ ବର୍ଗର କିଣି ଖାଇବା ବେଳେ ସେଥିରେ ଟମାଟୋ ନଥିଲା ।

ଅତୀତରେ ପିଆଜ ଦରବୃଦ୍ଧି ଯୋଗୁଁ ସରକାର ପତନ ହୋଇଥିବା ଘଟଣା ଆମେ ଜାଣିଛନ୍ତି । ଅତୀତରେ କିନ୍ତୁ ଗଣମାଧ୍ୟମ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଯାଇନଥିଲା । ସେଥିପାଇଁ ସାଧାରଣ ଲୋକମାନଙ୍କୁ ବାଧୁଥିବା ପ୍ରସଙ୍ଗଗୁଡ଼ିକ ଜନସାଧାରଣଙ୍କର ନଜରକୁ ଆଣି ରାଜନୈତିକ ଚାପ ସୃଷ୍ଟିକରିବାର କାମ ଗଣମାଧ୍ୟମ କରିପାରୁଥିଲେ । ଏବେ ଆର୍ଥିକ ସଂସ୍କାର ପର୍ବ ଏବଂ ବିଦେଶୀ ପୁଞ୍ଜିନିବେଶର ଯୁଗରେ ଯେତେବେଳେ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବରେ ଲାଭଖୋର ଘରୋଇ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି, ସେତେବେଳେ ଖୁଚୁରା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ଏବଂ ଗଣମାନେ ସାମ୍ନା କରୁଥିବା ଅନେକ ସମସ୍ୟା ତଥାକଥିତ ଗଣମାଧ୍ୟମଗୁଡ଼ିକର ଚର୍ଚ୍ଚାର ପରିସରକୁ ଆସୁ ନାହିଁ । ଗଣମାଧ୍ୟମର ଅଧିକାଂଶ ସମୟ ଏବେ ରାଜନୈତିକ ନାଟକବାଜି ଏବଂ କମ୍ପାନୀ ପ୍ରାୟୋଜିତ ସରକାରମାନଙ୍କର ଗୁଣଗାନରେ ଯାଉଛି ।

ଏହା ଫଳରେ ଏବେ ଚାଲିଥିବା ଅହେତୁକ ଦରବୃଦ୍ଧିର ଘଟଣାଗୁଡ଼ିକ ଏବଂ ଅଧିକାଂଶ ଭାରତୀୟଙ୍କ ଉପରେ ଏହାର କେଉଁ ପ୍ରକାର ପ୍ରଭାବ ପଡ଼ୁଛି, ତାକୁ ଜାତୀୟସ୍ତରରେ ବ୍ୟାପକ ଭାବେ ଆଲୋଚନା କରାଯାଇ ପାରୁନାହିଁ । କିନ୍ତୁ ଏଭଳି ଭାବିବା ବି ଉଚିତ୍ ନୁହଁ ଯେ ନିର୍ବାଚନୀ ରାଜନୀତିରେ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି କୌଣସି ପ୍ରଭାବ ପକାଇ ପାରିବ ନାହିଁ । ବିରୋଧି ଦଳମାନଙ୍କର ଏକାଠି ହେବା ପାଇଁ ଯେଉଁ ପ୍ରୟାସ ଚାଲିଛି ଏବଂ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟିର ନିଜର ଏକ ଅନ୍ୟଦଳ ମାନଙ୍କ ସହ ମିଶି ଗଠବନ୍ଧନ ଅଛି, ଅଚାନକ ମନେପକାଇ ବିରୋଧିଙ୍କୁ ମୁକାବିଲା କରିବା ପାଇଁ ଏକାଠି କରାଉଛନ୍ତି; ଏହି ପକ୍ରିୟାଗୁଡ଼ିକର ପ୍ରଭାବ ୨୦୨୪ ନିର୍ବାଚନରେ କ’ଣ ରହିବ ସ୍ପଷ୍ଟ ଜଣା ପଡ଼ୁନଥିଲେ ବି, ଖୁଚୁରା ସାମଗ୍ରୀ ଓ ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ଅନ୍ତତଃ ସମସ୍ତ ପ୍ରଭାବିତ ଲୋକମାନଙ୍କୁ ବ୍ୟବସ୍ଥା ବିରୋଧରେ ନିରବରେ ଏକାଠି କରାଇ ରାଜନୈତିକ ପରିଣାମକୁ ଏକ ନିର୍ଣ୍ଣାୟକ ରୂପ ଦେଇପାରେ; ଏହି କଥାଟିକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଥିବା ଘଟଣାଗୁଡ଼ିକ କେବଳ ଭାରତରେ ସୀମିତ ନୁହଁ । ସମଗ୍ର ବିଶ୍ୱରେ ଖୁଚୁରା ଦ୍ରବ୍ୟ ଏବଂ ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି କ୍ରମାଗତ ଭାବେ ବଢ଼ିବଢ଼ି ଚାଲିଛି, ବିଶେଷକରି ଯେଉଁଠି ଖୁଚୁରା ବେପାର ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ହାତକୁ ଚାଲିଯାଇଛି । ସେମାନେ ପ୍ରାୟତଃ ମୁଦ୍ରାସ୍ଫୀତିର ବାହାନା ନେଇ ଖୁଚୁରା ସାମଗ୍ରୀ ଓ ଖାଦ୍ୟଦ୍ରବ୍ୟର ଦରବୃଦ୍ଧି କରାଇ ଦେଇଥାନ୍ତି । ଏପ୍ରିଲ ୬, ୨୦୨୩ରେ ନିକ୍ ପପ୍‌ଲିଙ୍କ ଦ୍ୱାରା ଟାଇମ୍ ମାଗାଜିନ୍‌ରେ ଲେଖାଟିଏ ପ୍ରକାଶ ପାଇଥିଲା ଯାହାର ଶିରୋନାମା ଥିଲା “କେମିତି ଖାଦ୍ୟ କମ୍ପାନୀମାନଙ୍କର ବିପୁଳ ଲାଭ ଆପଣଙ୍କର ଖାଦ୍ୟଦ୍ରବ୍ୟ କିଣିବା କାମଟିକୁ ଅଧିକ ବ୍ୟୟବହୁଳ କରିଦେଉଛି” ।

ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଶ୍ରମ ସଚିବ ରବର୍ଟ୍ ରିଚ୍ ଖାଦ୍ୟ ସାମଗ୍ରୀ ଦରବୃଦ୍ଧିର କଥା କହିବାକୁ ଯାଇ କହିଛନ୍ତି ଯେ, “ଟଙ୍କା କୁଆଡ଼େ ଯାଉଛି ଦେଖନ୍ତୁ, କଥାଟି ସେଠି ସ୍ପଷ୍ଟ ହୋଇଯିବ । ଖାଦ୍ୟ କମ୍ପାନୀମାନେ ମୁଦ୍ରାସ୍ଫୀତିର ଆଢ଼ୁଆଳ ଭିତରେ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି କରିଥାନ୍ତି” । ନିକ୍ ଲେଖିଛନ୍ତି ଯେ ପ୍ୟାକେଟ୍ ଭିତରେ ଖାଦ୍ୟସାମଗ୍ରୀ ବିକ୍ରି କରୁଥିôବା ଆମେରିକାର ସବୁଠାରୁ ବଡ଼କମ୍ପାନୀ କଂଗ୍ରା ବ୍ରାଣ୍ଡସ୍ ଡିସେମ୍ବର ୨୦୨୨ରୁ ଫେବୃଆରୀ ୨୦୨୩ ଭିତରେ ନିଜ ଲାଭକୁ ୬୦ପ୍ରତିଶତ ବଢ଼ାଇ ପାରିଛି । ଏହି ସମୟକାଳ ଭିତରେ ସେମାନଙ୍କର ମୂଳ ଆୟ ୨୧୯ ନିୟୁତ ଆମେରିକୀୟ ଡଲାରରୁ ୩୪୨ନିୟୁତ ଆମେରିକୀୟ ଡଲାରରେ ଆସି ପହଞ୍ଚିଛି ।

କୌତୁହଳର କଥା ଯେ ମୁଦ୍ରାସ୍ଫୀତି ଯୋଗୁଁ ଦରବୃଦ୍ଧି ଘଟିଛି ବୋଲି ଏହି କମ୍ପାନୀର ମୁଖ୍ୟ କହୁଥିବା ବେଳେ, ଅନ୍ୟପଟେ ଗ୍ରାହକମାନେ ବର୍ଦ୍ଧିତ ଦରକୁ ବିନା ପ୍ରତିବାଦରେ ଗ୍ରହଣ କରୁଛନ୍ତି ବୋଲି ମଧ୍ୟ କହୁଛନ୍ତି । ଖାଦ୍ୟଦ୍ରବ୍ୟର କାରବାର କରୁଥିବା ଅନ୍ୟସବୁ ବଡ଼ବଡ଼ କମ୍ପାନୀମାନଙ୍କ ଭିତରେ ଥିବା ‘କୁଲ୍ ଏଡ୍‌’, ‘ଟାଇସନ୍ ଫୁଡସ୍‌’ ଏବଂ ‘ଜେନେରାଲ୍ ମିଲସ୍‌’ ଗୋଟିଏ ତିନିମାସିଆ ସମୟକାଳ ଭିତରେ ଯଥାକ୍ରମେ ୪୫୦ପ୍ରତିଶତ, ୧୦୦ପ୍ରତିଶତ ଏବଂ ୯୭ପ୍ରତିଶତର ଲାଭ ବୃଦ୍ଧି କରିପାରିଛନ୍ତି । ଭାରତ ଓ ଆମେରିକା ସମେତ ବିଶ୍ୱର ଯେଉଁଠି ଯେଉଁଠି ଖାଦ୍ୟ ସାମଗ୍ରୀ କାରବାର ବଡ଼ବଡ଼ କମ୍ପାନୀମାନଙ୍କ ହାତକୁ ଚାଲିଯାଇଛି, ସେଠି ମଧ୍ୟବିତ୍ତ ଶ୍ରେଣୀର ଖାଉଟିମାନେ ପ୍ରଶ୍ନକରିବା ବି ବନ୍ଦ କରିଦେଇଛନ୍ତି । ଏହି କମ୍ପାନୀ ମାନେ ହିିଁ ସରକାରମାନଙ୍କୁ ନିୟନ୍ତ୍ରଣ କରୁଥିବା ଯୋଗୁଁ ଏବଂ ନିଜେ ସରକାରମାନେ ଉଦାର ଅର୍ଥନୀତିର ଯୋଜନାମାନ କାର୍ଯ୍ୟକାରୀ କରୁଥିବା ଯୋଗୁଁ ସେମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ଆଦୌ ରହୁନାହିଁ ।

ପ୍ରାୟ ୨କୋଟିରୁ ଊର୍ଦ୍ଧ୍ୱ ଭାରତର ଖୁଚୁରା ବ୍ୟବସାୟୀମାନେ ନିଜର ସ୍ୱର ହରାଇ ସାରିଛନ୍ତି । ରାଜନୈତିକ ଦଳମାନେ ମଧ୍ୟ ଆଉ ଛୋଟବଡ଼ ବେପାରୀମାନଙ୍କ ଉପରେ ନିର୍ବାଚନ ପାଣ୍ଠିପାଇଁ ନିର୍ଭରଶୀଳ ନୁହଁନ୍ତି । ଭାରତର ସବୁଠାରୁ ବଡ଼ ଖାଦ୍ୟ କମ୍ପାନୀମାନଙ୍କ ମଧ୍ୟରେ ଏବେ ଅଛନ୍ତି ହିନ୍ଦୁସ୍ଥାନ ଲିଭର, ଆଇ.ଟି.ସି, ନେସ୍‌ଲେ, ଟାଟା, ବିରଲ୍ଲା, ରିଲାଏନ୍ସ ଇତ୍ୟାଦି । ଉତ୍ପାଦନକାରୀମାନଙ୍କ ଉପରେ ଏମାନଙ୍କର ପ୍ରଭାବ ଏବଂ ଏମାନେ ନିଜ ପାଖରେ ବିପୁଳ ଖାଦ୍ୟସାମଗ୍ରୀ ଦୀର୍ଘଦିନ ରଖିବାର କ୍ଷମତା ଏମାନଙ୍କୁ ସାଧାରଣ ଖୁଚୁରା ଦୋକାନୀ ବା ପରିବା ବିକାଳୀମାନଙ୍କ ତୁଳନାରେ କେତେ ଭଲସ୍ଥିତିରେ ରଖିପାରୁଛି, ସହଜରେ ଅନୁମାନ କରାଯାଇ ପାରେ । ଏବେ ତ କିଛିବର୍ଷ ଧରି ଆମେ ଦେଖି ଆସିଛେ ନିଜ ରାଜ୍ୟ ଓଡ଼ିଶାରେ କିଭଳି ପରିବା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶୀତଳଭଣ୍ଡାରଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ କରି ଦିଆଯାଇଛି ।

ଏଭଳି ଏକ ସମୟରେ ବନ୍ଧୁ ରାଜେନ୍ଦ୍ର ଷଡ଼ଙ୍ଗୀ, ଲୋକପକ୍ଷ ଓ ଖୁଚୁରା ଦୋକାନୀମାନଙ୍କ ସୁରକ୍ଷା ପାଇଁ ୨୦୦୫ ମସିହାରେ ଚାଲିଥିବା ଏକ ଜନଅଭିଯାନକୁ ସ୍ମରଣ କରାଯାଇପାରେ । ‘ସମଦୃଷ୍ଟି’ର ଫେବୃଆରୀ ୦୧-୧୫,୨୦୦୬ ସଂଖ୍ୟାରେ ଏକ ସତର୍କବାଣୀ ‘ବିପର୍ଯ୍ୟୟର ଦ୍ୱାରଦେଶରେ ଖୁଚୁରା ଦୋକାନୀ’ ଶିରୋନାମାରେ ପ୍ରକାଶିତ ହୋଇଥିଲା । ଭୁବନେଶ୍ୱରରେ ‘ବିଗ୍ ବଜାର’ର ପ୍ରତିଷ୍ଠା ଏବଂ ଏହାର ପ୍ରତିକୂଳ ପ୍ରଭାବ ସାଧାରଣ ଖୁଚୁରା ଦୋକାନୀ ମାନଙ୍କ ଉପରେ କିଭଳି ପଡ଼ିବ, ସେ ସମ୍ପର୍କିତ ଭାବନା ଏହି ଆଲେଖ ଓ ଅଭିଯାନ ପାଇଁ ପୃଷ୍ଠଭୂମି ଯୋଗାଇଥିଲା । ଲୋକପକ୍ଷ ତରଫରୁ କରାଯାଇଥିବା ଏହି ଅଧ୍ୟୟନରେ ୨୦୦୫ ମସିହାରେ କୁହାଯାଇଥିଲା ଯେ ଆଗାମୀ ୫ବର୍ଷ ଭିତରେ ‘ବିଗ୍ ବଜାର’ ଭଳି ୩୦୦ଟି ସପିଂମଲ୍‌, ୩୫ଟି ବୃହତ୍ ମାର୍କେଟ କମ୍ପେ୍ଲକ୍ସ, ୩୨୫ଟି ବଡ଼ବଡ଼ ଡ଼ିର୍ପାଟମେଣ୍ଟାଲ ଷ୍ଟୋର, ୧୫୦୦ରୁ ଅଧିକ ସୁପର ମାର୍କେଟ୍ ଏବଂ ୧୦ହଜାରରୁ ଅଧିକ ଖୁଚୁରା କେନ୍ଦ୍ର ଖୋଲିବା ପାଇଁ ଭାରତୀୟ କମ୍ପାନୀମାନେ କାମ ଆରମ୍ଭ କରିସାରିଲେଣି । ତେବେ ଏହି ୧୮ବର୍ଷ ଭିତରେ ସଂଖ୍ୟାଟି କେଉଁ ପରିମାଣରେ ବଢ଼ିଛି ଆମେ ନିଜ ଅନୁଭବ କରିପାରୁଛନ୍ତି । ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ନେଇ ଓଡ଼ିଶାର କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା ଯେଉଁ କଥା କହିଛନ୍ତି ୨୦୦୬ରେ ପ୍ରକାଶିତ ଏହି ସତର୍କବାଣୀକୁ ମନେପକାଇ ଦେଉଛି । ସୁଧାକର ବାବୁ ଗଣମାଧ୍ୟମକୁ କହିଛନ୍ତି ଯେ, “ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ପରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବଡ଼ବଡ଼ ମଲ୍ କରିଥିବା କର୍ପୋରେଟ ସଂସ୍ଥା ବଜାରକୁ ନିୟନ୍ତ୍ରଣ କରୁଛନ୍ତି । ଦର ଯେତେବେଳେ ଯାହାହେବ ଖାଉଟିମାନେ ଦେବା ପାଇଁ ବାଧ୍ୟ ହେଉଛନ୍ତି ।

ମୁକ୍ତ ବଜାର ଉପରେ ସରକାରଙ୍କର କିଛି ନିୟନ୍ତ୍ରଣ ନାହିଁ ବୋଲି ସମ୍ପୃକ୍ତ ଅଧିକାରୀମାନେ ହାତ ଟେକି ଦେଉଛନ୍ତି” । ରାଜେନ୍ଦ୍ରବାବୁ ପୂର୍ବରୁ ସତର୍କ କରାଇଥିଲେ ଯେ ବିଦେଶୀ ପୁଞ୍ଜି ବା ବିଦେଶୀ କମ୍ପାନୀ ମାନଙ୍କୁ ଭାରତର ଖାଉଟି ବଜାରରେ ପ୍ରବେଶ କରିବା ପାଇଁ ଅନୁମତି ଦେଲେ କେଉଁଭଳି ଅବସ୍ଥା ସୃଷ୍ଟି ହେବ । ସେ କହୁଥିଲେ ଏକମାତ୍ର ୱାଲମାର୍ଟ କମ୍ପାନୀ ଯାହାର ୨୦୦୪ରେ କରିଥିବା ବେପାରର ମୂଲ୍ୟ ୧୧ଲକ୍ଷ ୫୦ହଜାର କୋଟି ଟଙ୍କା ଥିଲା, ତାହା ୨୦୦୩ରେ ହୋଇଥିବା ଭାରତର ମୋଟ ବାଣିଜ୍ୟର ମୂଲ୍ୟ ୧୧ଲକ୍ଷ କୋଟି ଠାରୁ ଅଧିକ ଥିଲା । ସେତେବେଳକୁ ୱାଲମାର୍ଟର ବିଶ୍ୱରେ ପ୍ରାୟ ୪୮୦୬ଟି ସପିଂ ମଲ ରହିଥିଲା ଏବଂ ସେଥିରେ ୧୪ଲକ୍ଷ ଲୋକ କାମ କରୁଥିଲେ । ଏହି କମ୍ପାନୀ ରାଜେନ୍ଦ୍ର ବାବୁଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୭ରେ ଭାରତୀ ଏଣ୍ଟରପ୍ରାଇଜେସ୍ ସହ ଏକାଠି ହୋଇ କାମ ଆରମ୍ଭ କରିଥିଲା । ରାଜେନ୍ଦ୍ର ବାବୁଙ୍କ ମୃତ୍ୟୁର ଗୋଟିଏ ବର୍ଷପରେ ଅର୍ଥାତ୍ ୨୦୦୯ ମସିହାରେ ୱାଲ୍‌ମାର୍ଟ ଏହାର ପ୍ରଥମ ଷ୍ଟୋର ପଞ୍ଜାବରେ ଆରମ୍ଭ କରିଥିଲା । ଏବେ ୱାଲ୍‌ମାର୍ଟ ଇଣ୍ଡିଆ ନାମରେ ପରିଚିତ କମ୍ପାନୀର ୨୮ଟି ଷ୍ଟୋର ହୋଇଗଲାଣି ।

ଭାରତରେ ଖୁଚୁରା ବାଣିଜ୍ୟର ନିୟନ୍ତ୍ରଣ ବଡ଼ବଡ଼ ଦେଶୀବିଦେଶୀମାନଙ୍କ ହାତକୁ ଚାଲିଗଲେ ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସେତେବେଳେ ସତର୍କ କରାଇ ଦିଆଯାଇ ଥିଲା । ରାଜେନ୍ଦ୍ର ବାବୁ ନିଜ ଅଧ୍ୟୟନରେ ଯେଉଁ କଥାଗୁଡ଼ିକ ନେଇ ସତର୍କ କରାଇଥିଲେ ସଂକ୍ଷେପରେ ଏଠି ଉପସ୍ଥାପନ କରାଯାଇପାରେ: (୧) ଭାରତର ରିଟେଲ୍ ବାଣିଜ୍ୟର ୫୦ପ୍ରତିଶତରୁ ଅଧିକ ବଡ଼ବଡ଼ ଦେଶୀ-ବିଦେଶୀ ଖୁଚୁରା କମ୍ପାନୀମାନଙ୍କ ହାତକୁ ଚାଲିଯିବ ଏବଂ ଏହି ଶକ୍ତିକୁ ବ୍ୟବହାର କରି ଉକ୍ତ କମ୍ପାନୀଗୁଡ଼ିକ ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ଅଗ୍ରସର ହେବେ ।

(୨) ଛୋଟଛୋଟ ଖୁଚୁରା ଦୋକାନ କରି ବଞ୍ଚୁଥିବା ୧୫୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ନିଜ ପରିବାର ସହ ରୋଜଗାର ହରାଇବେ ।

(୩) ଭାରତର କୃଷିଜାତ ଦ୍ରବ୍ୟ ବଜାରର ନିୟନ୍ତ୍ରଣ ଉକ୍ତ ବଡ଼ବଡ଼ ଦେଶୀ-ବିଦେଶୀ ଖୁଚୁରା କମ୍ପାନୀ ମାନଙ୍କ ହାତକୁ ଚାଲିଯିବ ଓ ଚାଷୀମାନେ ଉକ୍ତ କମ୍ପାନୀ ତଥା ଅନ୍ୟାନ୍ୟ କୃଷିଭିତ୍ତିକ ଦେଶୀ-ବିଦେଶୀ କମ୍ପାନୀ ମାନଙ୍କ ଅଧିନରେ ଶ୍ରମିକ ହୋଇ ରହିବେ । କୋଟି କୋଟି କୃଷକ ରୋଜଗାର ହରାଇବେ ।

(୪) ଭାରତର କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଦ୍ୱାରା ଉତ୍ପାଦିତ ଖାଉଟି ଦ୍ରବ୍ୟର ବଜାରଟିର ନିୟନ୍ତ୍ରଣ ଏହିସବୁ କମ୍ପାନୀମାନଙ୍କ ହାତକୁ ଚାଲିଯିବ । ଧିରେ ଧିରେ ଏହି ଖୁଚୁରା କମ୍ପାନୀମାନେ କୁଟୀର, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଗୁଡ଼ିକ ଉପରେ କଟକଣା ଲାଗୁ କରାଇବେ ଯାହାକୁ ସହ୍ୟ ନକରିପାରି ଉକ୍ତ ଶିଳ୍ପଗୁଡ଼ିକ ବନ୍ଦ ହୋଇଯିବ ଏବଂ ବଡ଼ବଡ଼ ଦେଶୀ-ବିଦେଶୀ କମ୍ପାନୀ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବୃହତ୍‌ଶିଳ୍ପରୁ ଜାତ ଦ୍ରବ୍ୟରେ ଭାରତ ବଜାର ପୂର୍ଣ୍ଣ ହୋଇଯିବ । କୁଟୀର, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉପରେ ନିର୍ଭର କରି ବଞ୍ଚୁଥିବା ଲକ୍ଷଲକ୍ଷ ଲୋକ ରୋଜଗାର ହରାଇବେ ।

(୫) ପ୍ରଥମ କିଛି ବର୍ଷ ଉପଭୋକ୍ତାମାନେ ଖାଉଟି ଦ୍ରବ୍ୟ ଶସ୍ତାରେ ପାଇପାରନ୍ତି କିନ୍ତୁ ଖୁଚୁରା ବଜାରର ମୁଖ୍ୟ ଅଂଶ ବଡ଼ବଡ଼ ଦେଶୀ-ବିଦେଶୀ କମ୍ପାନୀ ମାନଙ୍କ ହାତକୁ ଚାଲିଗଲାପରେ ଖାଉଟି ଦ୍ର୍ରବ୍ୟର ବିକ୍ରି ଆସ୍ତେ ଆସ୍ତେ ବଢ଼ି ହଠାତ୍ ଆକାଶଛୁଆଁ ହେବ ।

କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ବଡ଼ବଡ଼ ଦେଶୀ-ବିଦେଶୀ କମ୍ପାନୀଙ୍କ ପ୍ରବେଶ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ବ୍ୟାପକ ପରିବର୍ତ୍ତନ ସହିତ ଖୁଚୁରା ବାଣିଜ୍ୟ କ୍ଷେତ୍ରର ପରିବର୍ତ୍ତନ ମିଶିଯାଇ ଭାରତର ଜନଗଣଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେବ । ଏହି ସବୁ ସତର୍କବାଣୀର ପ୍ରାସଙ୍ଗିକତା ଆଜିର ଦିନରେ ଆମେ ସ୍ପଷ୍ଟଭାବେ ବୁଝିପାରୁଥିବା । ଏବେ ଓଡ଼ିଶାର କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା ଯାହା କହୁଛନ୍ତି ଯଦି ଏହି କଥାଟିକୁ ୨୦୦୫-୦୬ ମସିହାରେ ବୁଝିପାରିଥାନ୍ତେ, ହୁଏତ ଖାଉଟିମାନଙ୍କୁ ପୂର୍ବରୁ ସତର୍କ କରାଇ ପାରିଥାନ୍ତେ ବା ସଙ୍ଗଠିତ ହେବାପାଇଁ ବାଟ ଦେଖାଇ ପାରିଥାନ୍ତେ । ଆଜି ଆମେ ଯେଉଁ ସମୟରେ ଆସି ପହଞ୍ଚିଛନ୍ତି, ସମସ୍ତେ ଯେମିତି ନିଜକୁ ଏକୁଟିଆ ଏବଂ ଅସହାୟ ମନେ କରୁଛନ୍ତି । ପରିଣାମସ୍ୱରୂପ ପ୍ରତିବାଦ ଅପେକ୍ଷା ସମର୍ପଣକୁ ଆମେ ବେଶୀ ସହଜରେ ଗ୍ରହଣ କରିପାରୁଛନ୍ତି । ସବୁକ୍ଷେତ୍ରରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରବେଶ ଏବଂ ଦର ଯାହା ହେଉନା କାହିଁକି ବଡ଼ବଡ଼ ମଲ୍‌ରୁ କ୍ରୟ କରିବାର ଆଗ୍ରହ ଏବଂ କ୍ଷମତା ଏମାନେ ନିଜ ଉଚ୍ଚଦରମା ଧାରୀ କର୍ମଚାରୀମାନଙ୍କୁ ଦେଉଥିବା ଯୋଗୁଁ ଏହି ବଡ଼ ବଜାର ଗୁଡ଼ିକ ପ୍ରତି ଗ୍ରହଣୀୟତା ବଢ଼ାଇବା କାମଟି ସହଜ ହୋଇଯାଉଛି । ଏମାନଙ୍କ ପଛରେ ଏମାନଙ୍କ ପରିବାର ବି ସପିଂମଲ୍ ସଂସ୍କୃତିରେ ନିଶାସକ୍ତ ହୋଇଯାଉଛନ୍ତି ।

ବିଡ଼ମ୍ବନାର କଥାଯେ ଖୁଚୁରା ବଜାର ଆମ ପହଞ୍ଚ ବାହାରକୁ ଚାଲିଯାଉଛି ଏବଂ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ଆମେ ପରିବା ଏବଂ ଡାଲିଜାତୀୟ ଖାଦ୍ୟ ଖାଇବା ବନ୍ଦ କରିଦେଉଛନ୍ତି, ଅଥଚ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଗାଁରେ ସ୍କୁଲ୍ ବନ୍ଦ କରିଦିଆଯାଉଛି, ଦୂରଦୂରାନ୍ତରେ ପିଲାଙ୍କୁ ପଢ଼ିବା ପାଇଁ ବାଧ୍ୟ କରାଯାଉଛି । କିନ୍ତୁ କମ୍ ପ୍ରତିକ୍ରିୟା ବା ପ୍ରତିବାଦ ଦେଖିବାକୁ ମିଳୁଛି । ଥିଲାବାଲା ଲୋକେ ସରସ୍ୱତୀ ଶିଶୁମନ୍ଦିର ଓ ଦାମୀ ଘରୋଇ ବିଦ୍ୟାଳୟ ମାନଙ୍କୁ ବହୁ ଆଗରୁ ଗ୍ରହଣ କରିସାରିଛନ୍ତି । ଏବେ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଗାଁର ଆଉକିଛି ସମ୍ଭ୍ରାନ୍ତମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏକ ବିଚିତ୍ର ନୀତିଚାଲିଛି ଖଣିଜ ଶିଳ୍ପ ଚାଲିଥିବା ଅଞ୍ଚଳରେ । ସେଠି ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ଖଣି କମ୍ପାନୀମାନେ ସହାୟତା ଯୋଗାଇବେ ।

ଲାଞ୍ଜିଗଡ଼ରୁ ଖବର ଆସିଛି ସରକାରୀ ବିଦ୍ୟାଳୟମାନଙ୍କର କିଛି ଦାୟିତ୍ୱ ଏବେ ବେଦାନ୍ତ କମ୍ପାନୀ ବୁଝିବ । ଅନ୍ୟପଟେ କିସ୍ ଓ କିଟ୍ ଭଳି ସଂସ୍ଥାମାନେ ଆଦାନୀ ଏବଂ ଅନ୍ୟାନ୍ୟ କମ୍ପାନୀ ମାନଙ୍କ ସହ ମିଶି ବିସ୍ଥାପିତ ହେବାକୁ ଥିବା ବା ହେଉଥିବା ଆଦିବାସୀ ପିଲାମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ ବ୍ୟାପକଭାବେ ଆରମ୍ଭ କଲେଣି । କେଉଁଥିରେ ବି ଆମର ପ୍ରତିକ୍ରିୟା ନାହିଁ । ଆମେ ଖୁସି ଯେ ଆମ ସରକାରମାନେ ଆମର ମନ୍ଦିରଗୁଡ଼ିକର ଶୋଭାବର୍ଦ୍ଧନ ପାଇଁ ଆଗ୍ରହର ସହିତ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳି ଭକ୍ତ ଏବଂ ଭକ୍ତିର ବାତାବରଣ ଭିତରେ ପ୍ରତିବାଦ ବା ଏମିତିକି ପ୍ରତିକ୍ରିୟାର ସ୍ଥାନ କେଉଁଠି ସହଜରେ ଅନୁମାନ କରାଯାଇ ପାରେ । ଏହିସବୁ ସତ୍ତ୍ୱେ ଯେଉଁ ଲୋକେ ବା ସଂଗଠନ ମାନେ ନିଜର ପ୍ରତିବାଦକୁ ଜୀବନ୍ତ କରି ରଖିଛନ୍ତି, ଆମର ଭବିଷ୍ୟତର ବଂଶଧରମାନେ ସେମାନଙ୍କ ପାଖରେ କୃତଜ୍ଞ ରହିବେ ନିଶ୍ଚୟ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.