ଆମ ରାଷ୍ଟ୍ରର ପିତା ମହାତ୍ମା ଗାନ୍ଧୀଙ୍କ ଉଦେଶ୍ୟରେ ନେତାଜୀ ସୁଭାଷ ବୋଷଙ୍କର ରେଡିଓ ବାର୍ତ୍ତା

ଏହି ବାର୍ତ୍ତାଟିରେ ସୁଭାଷ ବୋଷ ଗାନ୍ଧୀଙ୍କୁ ଅବଗତ କରାନ୍ତି ଭାରତ ଛାଡ଼ିବାର କାରଣ, ଦର୍ଶାନ୍ତି ପୂର୍ବ ଏସିଆରେ ରହୁଥିବା ଭାରତୀୟମାନଙ୍କର ଭାରତର ସ୍ୱାଧୀନତା ପାଇଁ ବ୍ୟାକୁଳତା ଓ ତ୍ୟାଗ, ଆଜାଦ ହିନ୍ଦ ଫୌଜର ପରାକ୍ରମ

୬ ଜୁଲାଇ ୧୯୪୪, ରେଙ୍ଗୁନ, ବର୍ମା(ମ୍ୟନମାର)

‘ଆମ ରାଷ୍ଟ୍ରର ପିତା’, ମହାତ୍ମା ଗାନ୍ଧୀଙ୍କ ଉଦେଶ୍ୟରେ ଏପରି ସମ୍ବୋଧନ, ନେତାଜୀ ସୁଭାଷ ବୋଷ ଏକ ରେଡିଓ ବାର୍ତ୍ତାରେ କରିଥିଲେ। ଏହି ବାର୍ତ୍ତା ସେ ରେଙ୍ଗୁନରୁ ଦେଉଥିଲେ, ଯେତେବେଳେ ତାଙ୍କ ନେତୃତ୍ୱରେ ଆଜାଦ ହିନ୍ଦଫୌଜ ‘ଦିଲ୍ଲୀ ଚଲୋ’ର ଡାକରା ଦେଇ ବର୍ମା ପଟୁ ଭାରତର ସୀମା ଭିତରକୁ ପ୍ରବେଶ କରିବା ପାଇଁ ଏକ ନଛୋଡା ବନ୍ଧା ଲଢ଼େଇରେ ସକ୍ରିୟ ଥିଲା, ଉତ୍ତରପୂର୍ବ ଭାରତର ଇମ୍ଫାଲ ଓ କୋହିମା ସହରକୁ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଥିଲା । ଏହି ଅଭିଯାନରେ ଜାପାନ ଏକ ସହଯୋଗୀ ଭୂମିକାରେ ଥିଲା । ଜାପାନଠାରୁ ସାହାଯ୍ୟ ନେଇ ଭାରତକୁ ସ୍ୱାଧୀନ କରିବାର ଉଦ୍ୟମକୁ ମହାତ୍ମା ଗାନ୍ଧୀ ବିରୋଧ କରୁଥିଲେ ବରଂ ବ୍ରିଟିଶକୁ ଯେପରି ବିରୋଧ କରାଯାଉଛି, ସେହିପରି ବିରୋଧ ଜାପାନୀଙ୍କୁ ମଧ୍ୟ ହେବା ଉଚିତ ବୋଲି କହୁଥିଲେ। (“As regards the Japanese , I am certain that we should lay down our lives in order to resist them as we would resist the British.”) ଗାନ୍ଧୀଙ୍କର ଏପରି ଧାରଣା ସହ ବୋଧହୁଏ ସୁଭାଷ ଅବଗତ ଥିଲେ । ତେଣୁ ଏହି ବାର୍ତ୍ତାରେ ସ୍ୱାଧୀନତାର ଲକ୍ଷ୍ୟ ହାସଲ ପାଇଁ, ଜାପାନଠାରୁ ସହଯୋଗର ଆବଶ୍ୟକତା ଓ ଯଥାର୍ଥତା ଗାନ୍ଧୀଙ୍କୁ ବୁଝାଇବା ପାଇଁ ସୁଭାଷ ଚେଷ୍ଟା କରିଛନ୍ତି । ଏହି ବାର୍ତ୍ତାଟିରେ ସୁଭାଷ ବୋଷ ଗାନ୍ଧୀଙ୍କୁ ଅବଗତ କରାନ୍ତି ଭାରତ ଛାଡ଼ିବାର କାରଣ, ଦର୍ଶାନ୍ତି ପୂର୍ବ ଏସିଆରେ ରହୁଥିବା ଭାରତୀୟମାନଙ୍କର ଭାରତର ସ୍ୱାଧୀନତା ପାଇଁ ବ୍ୟାକୁଳତା ଓ ତ୍ୟାଗ, ଆଜାଦ ହିନ୍ଦ ଫୌଜର ପରାକ୍ରମ ଆଦି । ସତେ ଯେପରି ଘର ଛାଡି ପଳାଇ ଆସିଥିବା ଅମାନିଆ ପୁଅ ତାର ପରମପୂଜ୍ୟ ପିତାଙ୍କୁ ଦେଉଛି ଉଚ୍ଚ ଅଭିଳାଷକୁ ସାକାର କରିବା ପାଇଁ ତାର ଉଦ୍ୟମର ବିବରଣୀ । ବାର୍ତ୍ତାର ମୂଳପାଠଟି, ଅନୁବାଦରେ (ଅନୁବାଦକ: ବୀରେନ୍ଦ୍ର ନାୟକ ) ଏହିପରି ——

ମହାତ୍ମାଜୀ,

ଏବେ ଆପଣଙ୍କ ସ୍ୱାସ୍ଥ୍ୟରେ କିଛିଟା ଉନ୍ନତି ହୋଇଥିବାରୁ ଏବଂ ଆପଣ କିଛି ପରିମାଣରେ ଜନସଭାଗୁଡ଼ିକରେ ଯୋଗଦେଇ ପାରୁଥିବାରୁ, ମୁଁ ଆପଣଙ୍କୁ କିଛି ଜଣାଇବା ପାଇଁ ଚାହୁଁଛି ଯାହାଦ୍ୱାରା ଆପଣ ଜାଣିପାରିବେ ଭାରତ ବାହରେ ରହୁଥିବା ଦେଶପ୍ରେମୀ ଭାରତୀୟଙ୍କର ଯୋଜନା ଓ କାର୍ଯ୍ୟକ୍ରମ କଣ । ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ସାରା ପୃଥିବୀରେ ଭାରତୀୟମାନେ କିପରି ବେଶ୍ କିଛି ଦିନ ପାଇଁ ଉଦବିଗ୍ନ ହୋଇପଡିଥିଲେ ଯେତେବେଳେ ସେମାନେ ଶୁଣିଲେ ଯେ ଆପଣଙ୍କୁ ଅସୁସ୍ଥତା ହେତୁ କାରାଗାରରୁ ମୁକ୍ତ କରି ଦିଆଯାଇଛି । ଶ୍ରୀମତୀ କସ୍ତୁରବାଜୀଙ୍କର ବ୍ରିଟିଶ କାରାଗାରରେ ଦୁଃଖଦ ମୃତ୍ୟୁ ପରେ, ସ୍ୱାଭାବିକ ଯେ ଆପଣଙ୍କର ଦେଶବାସୀ ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଶଙ୍କିତ ହୋଇପଡ଼ିଥିଲେ । ଏହା ଭଗବାନଙ୍କର କୃପା ଯେ ସେ ଆପଣଙ୍କୁ ପୂର୍ବ ସୁସ୍ଥାବସ୍ଥାକୁ ଫେରାଇ ଆଣିଲେ ଯାହାଦ୍ୱାରା ଆପଣଙ୍କର ୩୮କୋଟି ୮୦ଲକ୍ଷ ଦେଶବାସୀ ଆପଣଙ୍କର ଦିଗଦର୍ଶନ ଓ ଉପଦେଶର ଲାଭ ପାଉଥିବେ । ଏହାପରେ ମୁଁ କିଛି କହିବାକୁ ଚାହୁଁଛି ଯେ ଭାରତ ବାହାରେ ଭାରତୀୟମାନଙ୍କର ଆପଣଙ୍କ ପ୍ରତି ମନୋଭାବ କିପରି । ଏହି ସମ୍ପର୍କରେ ମୁଁ ଯାହା କହିବି ତାହା ନିରୋଳା ସତ୍ୟ, କେବଳ ହିଁ ସତ୍ୟ । ଏପରି ଭାରତୀୟ, ଭାରତ ବାହାରେ ଓ ଭାରତ ଭିତରେ ମଧ୍ୟ ଯେଉଁମାନେ ହୃଦବୋଧ କରନ୍ତି ଯେ ଭାରତର ସ୍ୱାଧୀନତା ହାସଲ ହୋଇପାରିବ କେବଳ ଐତିହାସିକ ସଂଘର୍ଷ ପ୍ରକ୍ରିୟା ଦ୍ୱାରା । ଏହି ପୁରୁଷ ଏବଂ ନାରୀ ନିଷ୍ଠାର ସହିତ ଅନୁଭବ କରନ୍ତି ଯେ ବ୍ରିଟିଶ ସରକାରକୁ ମନାଇ ବା ନୈତିକ ଚାପ ଦେଇ ବା ଅହିଂସକ ପ୍ରତିରୋଧ ଦ୍ୱାରା କଦାପି ନୁଆଁଇ ହେବ ନାହିଁ । ତଥାପି, ଭାରତ ବାହରେ ଭାରତୀୟଙ୍କ ପାଇଁ, ପଦ୍ଧତିରେ ଭିନ୍ନତା ହେଉଛି ପରିବାରରେ ଭିନ୍ନତା ସଦୃଶ । ଯେଉଁ ଦିନଠାରୁ ଡିସେମ୍ବର ୧୯୨୯ରେ ଅନୁଷ୍ଠିତ ଲାହୋର କଂଗ୍ରେସରେ, ଆପଣ ସ୍ୱାଧୀନତାର ପ୍ରସ୍ତାବ (Independence Resolution) ଆଗତ କଲେଣି ସେହି ଦିନଠାରୁ ଭାରତୀୟ ଜାତୀୟ କଂଗ୍ରେସର ସମସ୍ତ ସଭ୍ୟଙ୍କ ସାମନାରେ ଗୋଟିଏ ଲକ୍ଷ୍ୟ ରହିଛି । ଭାରତ ବାହାରେ ଥିବା ଭାରତୀୟଙ୍କ ପାଇଁ, ଆପଣ ହିଁ ହେଉଛନ୍ତି ବର୍ତ୍ତମାନ ସୃଷ୍ଟି ହୋଇଥିବା ଜାଗରଣର ସ୍ରଷ୍ଟା । ବିଶ୍ୱ ସାମନାରେ ସେମାନଙ୍କର ସମସ୍ତ ପ୍ରଚାରରେ, ସେମାନେ ଆପଣଙ୍କୁ ସେହି ସ୍ଥାନ ଓ ସମ୍ମାନ ଦେଉଛନ୍ତି ଯାହା ଆପଣଙ୍କର ପ୍ରତିଷ୍ଠା ଅନୁସାରେ ଦିଆଯିବା ଉଚିତ । ବିଶ୍ୱର ଜନତାଙ୍କ ପାଇଁ, ଆମେ ସବୁ ଦେଶପ୍ରେମୀ ହେଉଛୁ ଏକ-ଯାହାଙ୍କର ଜୀବନରେ ଲକ୍ଷ୍ୟ ଏକ, ଆକାଂକ୍ଷା ଏକ ଓ ପ୍ରଚେଷ୍ଟା ଏକ । ୧୯୪୧ରୁ ଭାରତ ଛାଡିବା ପରଠାରୁ, ବ୍ରିଟିଶ ପ୍ରଭାବରୁ ମୁକ୍ତ ଯେତେ ଦେଶମାନଙ୍କୁ ମୁଁ ଯାଇଛି ସେ ଦେଶମାନଙ୍କରେ ଆପଣଙ୍କୁ ଯେଉଁ ଉଚ୍ଚ ମର୍ଯ୍ୟାଦାର ସହ ଦେଖାଯାଏ ସେପରି ମର୍ଯ୍ୟାଦା କୌଣସି ଭାରତୀୟ ନେତାକୁ ଗତ ଶତାବ୍ଦୀ ଭିତରେ ମିଳିଥିବା ଦେଖାଯାଏ ନାହିଁ । ପ୍ରତ୍ୟେକ ରାଷ୍ଟ୍ରର ନିଜର ଆଭ୍ୟନ୍ତରୀଣ ରାଜନୀତି ରହିଛି ଏବଂ ରାଜନୈତିକ ସମସ୍ୟା ପ୍ରତି ନିଜର ଦୃଷ୍ଟିକୋଣ ରହିଛି । କିନ୍ତୁ ତାହା ପ୍ରଭାବିତ କରିବ ନାହିଁ ସେ ବ୍ୟକ୍ତିଙ୍କ ପ୍ରତି ସମ୍ମନଶୀଳତାକୁ ଯିଏ ନିଷ୍ଠାର ସହିତ ନିଜ ଲୋକଙ୍କର ସେବା କରିଛନ୍ତି ଏବଂ ଏକ ପ୍ରଥମ ସ୍ତରର ଆଧୁନିକ ଶକ୍ତି ବିରୋଧରେ ଜୀବନ ସାରା ଅତ୍ୟନ୍ତ ସାହସର ସହିତ ଲଢ଼ିଛନ୍ତି । ପ୍ରକୃତରେ କହିବାକୁ ଗଲେ, ବ୍ରିଟିଶ ସାମ୍ରାଜ୍ୟକୁ ବିରୋଧ କରୁଥିବା ଦେଶମାନଙ୍କରେ ଆପଣଙ୍କର ମୂଲ୍ୟ ଓ କୃତିର ପ୍ରଶଂସା ସେହି ଦେଶମାନଙ୍କଠାରୁ ହଜାର ଗୁଣ ଅଧିକ ହୋଇଛି ଯେଉଁ ଦେଶଗୁଡ଼ିକ ସ୍ୱାଧୀନତା ଓ ଗଣତନ୍ତ୍ରର ବନ୍ଧୁ ବୋଲି ଛଳନା କରୁଛନ୍ତି । ଯେଉଁ ଉଚ୍ଚ ମର୍ଯ୍ୟାଦାର ସହ ଭାରତବାହାରେ ଥିବା ଦେଶପ୍ରେମୀ ଭାରତୀୟମାନେ ଓ ଭାରତ ସ୍ୱାଧୀନତାର ବିଦେଶୀ ବନ୍ଧୁମାନେ ଆପଣଙ୍କୁ ବିଚାର କରନ୍ତି, ତାହା ଶହେଗୁଣ ବଢ଼ିଯାଇଥିଲା ଯେତେବେଳେ ଆପଣ ସାହାସର ସହିତ, ୧୯୪୨ମସିହା ଅଗଷ୍ଟ ମାସରେ, ‘ଭାରତ ଛାଡ଼’ ପ୍ରସ୍ତାବ ଆଣିଥିଲେ ।

ଭାରତରେ ଥିବାବେଳେ ବ୍ରିଟିଶ ସରକାର ସହିତ ଯାହା ମୋର ଅଭିଜ୍ଞତା ସେଥିରୁ, ଭାରତ ବାହାରେ ଥାଇ ବ୍ରିଟିଶ ନୀତି ସମ୍ପର୍କରେ ଯେଉଁ ଗୋପନୀୟ ସୂଚନା ପାଇଛି ସେଥିରୁ, ଏବଂ ସାରା ବିଶ୍ୱରେ ବ୍ରିଟିଶ ଶାସନର ଲକ୍ଷ୍ୟ ଓ ଉଦେଶ୍ୟକୁ ଯେପରି ଦେଖିଛି ସେଥିରୁ, ମୋର ହୃଦବୋଧ ହୋଇଛି ଯେ ବ୍ରିଟିଶ ସରକାର କଦାପି ଭାରତର ସ୍ୱାଧୀନତା ପାଇଁ ଦାବିକୁ ମାନିବ ନାହିଁ । ଯୁଦ୍ଧରେ ବିଜୟ ପ୍ରଚେଷ୍ଟାରେ, ବ୍ରିଟିଶ ଶାସନର ଆଜି ଉଦେଶ୍ୟ ହେଉଛି ଭାରତକୁ ପୁରାମାତ୍ରାରେ ଶୋଷଣ କରିବା । ଏହି ଯୁଦ୍ଧର ପର୍ଯ୍ୟାୟରେ ବ୍ରିଟେନ ତା ଇଲାକାର ଗୋଟିଏ ଅଂଶ ତାର ଶତ୍ରୁ ପାଖରେ ହରାଇ ଦେଇଛି ଏବଂ ଆଉ ଗୋଟିଏ ଅଂଶ ବନ୍ଧୁଙ୍କ ପାଖରେ । ଯଦି ବା ମିତ୍ର-ରାଷ୍ଟ୍ରଙ୍କର କୌଣସି ଉପାୟରେ ବିଜୟ ହୁଏ, ତାହାଲେ ବ୍ରିଟେନ ନୁହେଁ ଯୁକ୍ତରାଷ୍ଟ୍ର ଆମେରିକା ହିଁ ଭବିଷ୍ୟତରେ ଶୀର୍ଷରେ ରହିବ ଓ ବ୍ରିଟେନ ଯୁକ୍ତରାଷ୍ଟ୍ର ଆମେରିକାର ଆଶ୍ରିତ ହେବ । ଏପରି ପରିସ୍ଥିତିରେ, ବ୍ରିଟେନ ତାହାର ବର୍ତ୍ତମାନ ହୋଇଥିବା କ୍ଷତିର ଭରଣା ପାଇଁ ଭାରତକୁ ଆହୁରି ନିର୍ମମ ଭାବରେ ଶୋଷଣ କରିବ । ଏଥିପାଇଁ ଲଣ୍ଡନରେ ଯୋଜନା ହେଲାଣି ଜାତୀୟ ଆନେ୍ଦାଳନକୁ ସବୁଦିନ ପାଇଁ ଶେଷ କରିଦେବାକୁ । ଯେହେତୁ ଏହି ଯୋଜନା ସମ୍ପର୍କରେ ମୁଁ ଗୋପନୀୟ ଅଥଚ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିଛି, ତେଣୁ ଏହା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ମୋର କର୍ତ୍ତବ୍ୟ ବୋଲି ବିଚାର କଲି । ଆମେ ଏକ ସାଂଘାତିକ ଭୁଲ କରିବା ଯଦି ଆମେ ବ୍ରିଟିଶ ସରକାର ଓ ବ୍ରିଟିଶ ଜନତାଙ୍କୁ ପରସ୍ପରଠାରୁ ଭିନ୍ନ ବୋଲି ବିଚାର କରିବା । ନିଃସନ୍ଦେହ, ବ୍ରିଟେନରେ ଆଦର୍ଶବାଦୀଙ୍କର ଏକ କ୍ଷୁଦ୍ର ଗୋଷ୍ଠୀ ଅଛି, ଯେପରି ଯୁକ୍ତରାଷ୍ଟ୍ର ଆମେରିକାରେ ଅଛି, ଯେଉଁମାନେ ଭାରତକୁ ସ୍ୱାଧୀନ ଦେଖିବା ଚାହାନ୍ତି । ଏହି ଆଦର୍ଶବାଦୀମାନେ, ଯେଉଁମାନଙ୍କୁ ସେମାନଙ୍କ ଦେଶର ଲୋକେ ଅର୍ଦ୍ଧପାଗଳ ବୋଲି ବିଚାର କରିଥାନ୍ତି, ସେମାନେ ସେଠାରେ ସଂଖ୍ୟାଲଘୁ, ଆକାର ଅତି କ୍ଷୁଦ୍ର । ଯେତେଦୂର ଭାରତର ପ୍ରଶ୍ନ, ବ୍ୟାବହାରିକ ଉଦେ୍ଦଶ୍ୟରୁ ଦେଖିଲେ, ବ୍ରିଟିଶ ସରକାର ଓ ବ୍ରିଟିଶ ଜନତା ଏକ । ଯୁକ୍ତରାଷ୍ଟ୍ର ଆମେରିକାର ଯୁଦ୍ଧରେ ଲକ୍ଷ୍ୟ ସମ୍ପର୍କରେ କହିବାକୁ ଯାଇ, ମୁଁ କହିବି ଯେ ୱାଶିଂଟନଠାରେ ଥିବା ଚକ୍ରାନ୍ତକାରୀ ଶାସକଗୋଷ୍ଠୀ ବିଶ୍ୱ ଆଧିପତ୍ୟର ସ୍ୱପ୍ନ ଦେଖୁଛି । ଏହି ଚକ୍ରାନ୍ତକାରୀ ଶାସକଗୋଷ୍ଠୀ ଏବଂ ଏହାର ବୌଦ୍ଧିକ ବ୍ୟାଖ୍ୟାକାରୀ ଖୋଲାଖୋଲି ‘ଆମେରିକୀୟ ଶତାବ୍ଦୀ’ର କଥା କହୁଛନ୍ତି, ଅର୍ଥାତ୍ ଆଜିକା ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ହିଁ ସାରା ବିଶ୍ୱରେ ନିଜର ଆଧିପତ୍ୟ ସାବ୍ୟସ୍ତ କରିବ । ଏହି ଚକ୍ରାନ୍ତକାରୀ ଶାସକଗୋଷ୍ଠୀରେ ଏପରି ଚରମପନ୍ଥୀ ଅଛନ୍ତି ଯେଉଁମାନେ ଏତେଦୂର ପର୍ଯ୍ୟନ୍ତ କୁହନ୍ତି ଯେ ବ୍ରିଟେନ ଯୁକ୍ତରାଷ୍ଟ୍ର ଆମେରିକାର ୪୯ତମ ପ୍ରଦେଶ ।

ଏପରି କୌଣସି ଭାରତୀୟ ନାହିଁ, ସେ ଭାରତ ଭିତରେ ବାସ କରୁଥାଉ ବା ବିଦେଶରେ, ଯିଏ ଖୁସି ହେବ ନାହିଁ ଯଦି ଭାରତ ସ୍ୱାଧୀନତା ହାସଲ କରେ ଆପଣ ସାରା ଜୀବନ ଦେଖାଇ ଆସୁଥିବା ମାର୍ଗରେ, ଏବଂ ମଣିଷ ରକ୍ତ ନ ବୁହାଇ । କିନ୍ତୁ ଆଜିର ପରିସ୍ଥିତି ଯେପରି, ମୋର ବିଶ୍ୱାସ ଯେ ଯଦି ଆମେ ସ୍ୱାଧୀନତା ଚାହୁଁ ତାହାହେଲେ ଆମକୁ ପ୍ରସ୍ତୁତ ରହିବାକୁ ହେବ ରକ୍ତ ଭିତରେ ଚାଲିବାପାଇଁ ।

ଏହା ହୁଏତ ସବୁଠାରୁ ଉତ୍ତମ ହୋଇଥାନ୍ତା ଯଦି ନିଜ ପ୍ରଚେଷ୍ଟା ଓ ସମ୍ବଳଦ୍ୱାରା ଆମେ ଭାରତ ଭିତରେ ହିଁ ଏକ ସଶସ୍ତ୍ର ସଂଗ୍ରାମ ସଂଗଠିତ କରିପାରିଥାନ୍ତେ । କିନ୍ତୁ ମହାତ୍ମାଜୀ, ଆପଣ ଭାରତୀୟ ପରିସ୍ଥିତିକୁ ବୋଧହୁଏ ଅନ୍ୟମାନଙ୍କଠାରୁ ଅଧିକ ବୁଝନ୍ତି । ଯେତେଦୂର ମୋର ସମ୍ବନ୍ଧ, ଭାରତରେ କୋଡିଏ ବର୍ଷର ମୋର ଜନସେବାର ଅଭିଜ୍ଞତାରୁ, ମୁଁ ଏହି ନିଷ୍କର୍ଷରେ ପହଂଚିଥିଲି ଯେ ବାହାରୁ ଅର୍ଥାତ୍ ବାହାରେ ଥିବା ଆମ ଦେଶବାସୀଙ୍କଠାରୁ, ଏପରିକି ବିଦେଶୀ ଶକ୍ତିମାନଙ୍କ ଠାରୁ, ସାହାଯ୍ୟ ନନେଇ ଦେଶରେ ସଶସ୍ତ୍ର ସଂଗ୍ରାମ ସଂଗଠିତ କରିବା ଅସମ୍ଭବ । ଆଜିର ଯୁଦ୍ଧହେବା ପୂର୍ବରୁ ବିଦେଶୀ ଶକ୍ତିମାନଙ୍କଠାରୁ ଏପରିକି ବିଦେଶରେ ରହୁଥିବା ଭାରତୀୟଙ୍କଠାରୁ, ସାହାଯ୍ୟ ପାଇବା ବେଶ ଦୁରୁହ ଥିଲା । କିନ୍ତୁ ଯୁଦ୍ଧ ହୋଇଯିବାରୁ, ବ୍ରିଟିଶ ସାମ୍ରାଜ୍ୟର ଶତ୍ରୁମାନଙ୍କଠାରୁ, ରାଜନୈତିକ ଓ ସାମରିକ ସାହାଯ୍ୟ ମିଳିବାର ସମ୍ଭାବନା ସୃଷ୍ଟି ହେଲା । ସେମାନଙ୍କଠାରୁ କୈାଣସି ସାହାଯ୍ୟ ଆଶା କରିବା ପୂର୍ବରୁ, ମୋତେ ପ୍ରଥମେ ଦେଖିବାକୁ ପଡ଼ିଥିଲା ଯେ ଭାରତପାଇଁ ସ୍ୱାଧୀନତାର ଦାବି ପ୍ରତି ସେମାନଙ୍କର ମନୋଭାବ କଣ । ଗତ କିଛିବର୍ଷ ଧରି ବ୍ରିଟିଶ ପ୍ରଚାରକମାନେ ବିଶ୍ୱକୁ କହି ଚାଲିଛନ୍ତି ଯେ ଅକ୍ଷ ଶକ୍ତିମାନେ (Axis Powers)ସ୍ୱାଧୀନତାର ଶତ୍ରୁ , ତେଣୁ ଭାରତ ପାଇଁ ସ୍ୱାଧୀନତାର ଶତ୍ରୁ । ପ୍ରକୃତରେ ଏହା କଣ ସତ୍ୟ? ମୁଁ ମୋ ନିଜକୁ ପଚାରିଥିଲି । ଏଇଥିପାଇଁ, ସତ୍ୟ କଣ ତାହା ଜାଣିବାକୁ, ମୁଁ ଭାରତ ଛାଡିଥିଲି, ଦେଖିବାକୁ ଚାହିଁଥିଲି ଯେ ଅକ୍ଷ ଶକ୍ତିମାନେ ଆମର ସ୍ୱାଧୀନତା ପାଇଁ ଲଢେଇରେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନା ନାହିଁ ।

ମୁଁ ଘର ଓ ମାତୃଭୂମି ଛାଡ଼ିବାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ, ମୋତେ ସ୍ଥିର କରିବାକୁ ହେଲା ଯେ ବିଦେଶରୁ ସାହାଯ୍ୟ ନେବା ଠିକ ହେବ କି ନାହିଁ । ମୁଁ ପୂର୍ବରୁ ପଢିଥିଲି ସାରା ବିଶ୍ୱରେ ବିପ୍ଳବର ଇତିହାସ, ଜାଣିବା ପାଇଁ ଯେ କେଉଁ ପଦ୍ଧତି ଦ୍ୱାରା ଅନ୍ୟ ରାଷ୍ଟ୍ରମାନଙ୍କର ସ୍ୱାଧୀନତା ହାସଲ କରିବା ସମ୍ଭବ ହୋଇଥିଲା । କିନ୍ତୁ ମୁଁ ଗୋଟିଏ ହେଲେ ଦୃଷ୍ଟାନ୍ତ ପାଇନଥିଲି ଯେଉଁଠାରେ ପରାଧୀନ ଜନଗଣ କୌଣସିପ୍ରକାର ବିଦେଶୀ ସାହାଯ୍ୟ ବିନା ସ୍ୱାଧୀନତା ହାସଲ କରିଥିଲେ । ୧୯୪୦ରେ ମୁଁ ପଢ଼ିଥିବା ଇତିହାସକୁ ପୁଣି ଥରେ ପଢିଲି, ଏବଂ ପୁଣି ଥରେ ମୁଁ ସେହି ନିଷ୍କର୍ଷରେ ଉପନୀତ ହେଲି ଯେ ଇତିହାସରେ କୌଣସି ଏପରି ଦୃଷ୍ଟାନ୍ତ ନାହିଁ ଯେଉଁଠି ବାହାରୁ କୌଣସି ସାହାଯ୍ୟ ନନେଇ ସ୍ୱାଧୀନତା ହାସଲ ହୋଇଛି । ଏପରି ସାହାଯ୍ୟ ନେବା ନୀତି ଦୃଷ୍ଟିରୁ ଠିକ କି ଭୁଲ, ସେ ପ୍ରଶ୍ନ ସନ୍ଦର୍ଭରେ ମୁଁ ନିଜକୁ କହିଲି ଯେ ବ୍ୟକ୍ତିଗତ ଜୀବନରେ ଯେପରି ଆମେ ଋଣ କରିଥାଉ ଓ ପରେ ତାହାକୁ ପରିଶୋଧ କରିଦେଉ, ସେହିଭଳି ସର୍ବସାଧାରଣ ଜୀବନରେ ମଧ୍ୟ କରାଯାଇପାରେ । ପୁଣି ଯେତେବେଳେ, ବ୍ରିଟିଶ ସାମ୍ରାଜ୍ୟ ଭଳି ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଯଦି ଭିକ୍ଷା ଥାଳ ଧରି ବିଶ୍ୱ ବୁଲି ପାରେ, ତାହାହେଲେ ଆପତ୍ତି କଣ ହୋଇପାରେ ଆମଭଳି ପରାଧୀନ ଓ ନିରସ୍ତ୍ର ଲୋକେ ଋଣ ପରି ବିଦେଶରୁ ସାହାଯ୍ୟ ମାଗିବାରେ? ମହାତ୍ମାଜୀ, ଆପଣଙ୍କୁ ମୁଁ ଆଶ୍ୱସ୍ତ କରିପାରେ, ଯେ ଏକ ବିପଦସଙ୍କୁଳ ଅଭିଯାନରେ ଯିବାପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ଏଥିରେ ଲାଭକ୍ଷତିର ବିଚାର ଅତି ଯତ୍ନର ସହ କରିବାକୁ ଯାଇ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ ଓ ମାସ ପରେ ମାସ କଟାଇଛି । ମୋ ନିଜ ଲୋକଙ୍କର ଏତେଦିନ ସେବା କରିବା ପରେ, ତାହା ପୁଣି ମୋର ସମସ୍ତ ସାମର୍ଥ୍ୟର ବିନିମୟରେ, ମୁଁ ବିଶ୍ୱାସଘାତକ ହୋଇପାରେ ନା, ଏପରି ସୁଯୋଗ ମଧ୍ୟ ଦେଇପାରେ ନା ଯେ କେହି ମୋତେ ବିଶ୍ୱାସଘାତକ କହିବାକୁ ଯୁକ୍ତି ପାଇବ ।

ଏହା ମୋ ପଇଁ ସବୁଠୁ ସହଜ ଥିଲା ଯେ ମୁଁ ଘରେ ରହିଥାନ୍ତି ଏବଂ କାର୍ଯ୍ୟ କରିଥାନ୍ତି ଯେପରି ମୁଁ ଏତେ ଦିନଧରି କାର୍ଯ୍ୟ କରି ଆସୁଥିଲି । ଏହା ମଧ୍ୟ ମୋ ପାଇଁ ସହଜ କଥା ହୋଇଥାନ୍ତା ଯେ ଯୁଦ୍ଧ ଚାଲିଥିବା ସମୟରେ ମୁଁ ଭାରତୀୟ ଜେଲରେ ରହିଥାନ୍ତି । ବ୍ୟକ୍ତିଗତ ଭାବରେ, ଏପରି କରିବାରେ ମୋର କିଛି କ୍ଷତି ହେଉନଥିଲା । ମୋ ଦେଶବାସୀଙ୍କୁ ସେମାନଙ୍କ ଉଦାରତା ଓ ସ୍ନେହ ପାଇଁ ଧନ୍ୟବାଦ ଦେବି, ମୁଁ ପାଇଥିଲି ସର୍ବୋଚ୍ଚ ସମ୍ମାନ ଯାହା କୌଣସି ସାର୍ବଜନିକ କାର୍ଯ୍ୟକର୍ତ୍ତା ପକ୍ଷରେ ଭାରତରେ ହାସଲ କରିବା ସମ୍ଭବ ହୋଇଥିଲା । ମୁଁ ମଧ୍ୟ ମୋର ଘୋର ସମର୍ଥକ ଓ ଅନୁଗତ ସହଯୋଗୀଙ୍କୁ ନେଇ ଏକ ଦଳ ଗଢ଼ିଥିଲି ଯେଉଁମାନଙ୍କର ମୋ ଉପରେ ଅବିଚଳିତ ବିଶ୍ୱାସ ଥିଲା । ଏକ ବିପଦସଙ୍କୁଳ ଅନ୍ୱେଷଣରେ ବିଦେଶକୁ ଯିବାଦ୍ୱାରା ମୁଁ କେବଳ ମୋ ଜୀବନକୁ ବିପଦରେ ପକାଉ ନ ଥିଲି, ମୋର ଭବିଷ୍ୟତ କର୍ମଜୀବନକୁ ମଧ୍ୟ ବିପଦରେ ପକାଉଥିଲି ଓ ଏହାଠାରୁ ଅଧିକ ମୁଁ ମୋର ଦଳକୁ ମଧ୍ୟ ବିପଦରେ ପକାଉଥିଲି । ମୋର ଯଦି ସାମାନ୍ୟତମ ଆଶା ଥାନ୍ତା ଯେ ବିଦେଶରୁ କିଛି କାର୍ଯ୍ୟ ନକରି, ଆମେ ସ୍ୱାଧୀନତା ହାସଲ କରିବୁୁ , ମୁଁ ଏକ ସଙ୍କଟ ସମୟରେ କଦାପି ଭାରତ ଛାଡି ଯାଇ ନ ଥାନ୍ତି । ମୋର ଯଦି କୌଣସି ଆଶା ଥାନ୍ତା ଯେ ଆମର ଜୀବନ କାଳରେ ଆମେ ଆଉ ଏକ ସୁଯୋଗ ପାଇବୁ, ସ୍ୱାଧୀନତା ହାସଲ କରିବାର ଏକ ସୁବର୍ଣ୍ଣ ସୁଯୋଗ, ଯେପରି ବର୍ତ୍ତମାନର ଯୁଦ୍ଧକାଳରେ ପାଉଛୁ, ମୋର ସନ୍ଦେହ ମୁଁ ଘରୁ ବାହାରିଥାନ୍ତି କି । କିନ୍ତୁ ମୁଁ ଦୁଇଟି ବିଷୟରେ ନିଶ୍ଚିତ ଥିଲି: ପ୍ରଥମତଃ, ଏପରି ସୁବର୍ଣ୍ଣ ସୁଯୋଗ ଆଉ ଏକ ଶତାବ୍ଦୀ ମଧ୍ୟରେ ଆସିବ ନାହିଁ; ଏବଂ ଦ୍ୱିତୀୟତଃ, ବିଦେଶରୁ କୌଣସି କାର୍ଯ୍ୟ ବିନା, କେବଳ ଦେଶ ଭିତରୁ ନିଜ ଉଦ୍ୟମରେ, ଆମେ ସ୍ୱାଧୀନତା ହାସଲ କରିପାରିବୁ ନାହିଁ । ସେଇଥି ପାଇଁ ମୁଁ ଏଥିରେ ଲମ୍ଫ ଦେବାର ସଙ୍କଳ୍ପ କଲି ।

ଭଗବାନ ମୋ ପ୍ରତି ଅତ୍ୟନ୍ତ ସଦୟ, ଅନେକ ପ୍ରକାରର ଅସୁବିଧା ସତ୍ତ୍ୱେ ମୋର ସମସ୍ତ ଯୋଜନା ଏ ଯାବତ୍ ସଫଳ ହୋଇଛି ।

ମୁଁ ଭାରତରୁ ବାହାରି ଯିବା ପରେ, ମୋର ପ୍ରଥମ ଉଦ୍ୟମ ହେଲା ମୋର ଦେଶବାସୀଙ୍କୁ ଯେଉଁଠାରେ ଭେଟିଲି ସେମାନଙ୍କୁ ସଂଗଠିତ କଲି । ମୋତେ ଖୁସି ଲାଗୁଛି କହିବାକୁ ଯେ ସବୁଠାରେ ମୁଁ ଦେଖିଲି ସେମାନେ ବେଶ ଜାଗ୍ରତ ଏବଂ ଭାରତର ସ୍ୱାଧୀନତା ପାଇଁ ସମ୍ଭବ ସବୁ କିଛି କରିବା ପାଇଁ ବ୍ୟାକୁଳ । ତାପରେ, ମୁଁ ଆମ ଶତ୍ରୁ ସହିତ ଯୁଦ୍ଧରତ ସରକାରମାନଙ୍କ ପାଖକୁ ଗଲି, ଜାଣିବା ପାଇଁ ଯେ ସେମାନଙ୍କର ଭାରତ ପ୍ରତି ମନୋଭାବ କଣ । ମୁଁ ଦେଖିଲି ଯେ ବ୍ରିଟିଶ ପ୍ରଚାରକମାନେ ଆମକୁ କେତେ ବର୍ଷ ଧରି ଯାହା କହି ଆସୁଥିଲେ, ତାର ଠିକ ଓଲଟା ଦେଖିଲି -ଅକ୍ଷ ଶକ୍ତି ରାଷ୍ଟ୍ରମାନେ ଖୋଲାଖୋଲି ଭାବେ ଭାରତ ପାଇଁ ସ୍ୱାଧୀନତାର ବନ୍ଧୁ । ମୁଁ ମଧ୍ୟ ଆବିଷ୍କାର କଲି ଯେ ସେମାନଙ୍କର ନିଜ କ୍ଷମତା ଭିତରେ, ଆମେ ଚାହୁଁଥିବା ସାହାଯ୍ୟ ଯୋଗାଇବା ପାଇଁ ସେମାନେ ପ୍ରସ୍ତୁତ ।

ମୁଁ ଜାଣିଛି କେଉଁ ପ୍ରକାର ଅପପ୍ରଚାର ଆମର ଶତ୍ରୁ ମୋ ବିରୋଧରେ ଚଲାଇଛନ୍ତି । କିନ୍ତୁ ମୁଁ ନିଶ୍ଚିତ ଯେ ମୋ ଦେଶବାସୀ ଯେଉଁମାନେ ମୋତେ ଖୁବ ଭଲ ଭାବରେ ଜାଣନ୍ତି ସେମାନେ କଦାପି ଏଥିରେ ଭଳିଯିବେ ନାହିଁ । ଯେଉଁ ବ୍ୟକ୍ତି ଜାତିର ସ୍ୱାଭିମାନ ଓ ସମ୍ମାନପାଇଁ ସାରା ଜୀବନ ଠିଆ ହୋଇଛି ଏବଂ ଏହା ଦର୍ଶାଇବାକୁ ଯାଇ ବେଶ୍ ଭୋଗିଛି, ସେ ଏହି ବିଶ୍ୱର ଶେଷ ବ୍ୟକ୍ତି ହେବ ଯିଏ ବିଦେଶୀ ଶକ୍ତି ସମ୍ମୁଖରେ ନିଜକୁ ସମର୍ପଣ କରିଦେବ । ଏହାଛଡ଼ା ବିଦେଶୀ ଶକ୍ତିଠାରୁ ମୋର ବ୍ୟକ୍ତିଗତ ଲାଭ କିଛି ହେବାର ନାହିଁ । ମୋର ନିଜ ଦେଶବାସୀଙ୍କ ହାତରୁ ସର୍ବୋଚ୍ଚ ସମ୍ମାନ ପାଇସାରିଲା ପରେ ମୋ ପାଇଁ ଆଉ କଣ ଅଛି ବିଦେଶୀ ଶକ୍ତିଠାରୁ ପାଇବାକୁ? କେବଳ ସେହି ବ୍ୟକ୍ତି ସଖି କଣ୍ଢେଇ ହେବ ଯାହାର ସମ୍ମାନବୋଧ ନାହିଁ କି ସ୍ୱାଭିମାନ ନାହିଁ ବା ଯିଏ ଅନ୍ୟର ପ୍ରଭାବଦ୍ୱାରା ନିଜପାଇଁ ପ୍ରତିଷ୍ଠା ଚାହୁଁଛି ।

ମୋର ସବୁଠାରୁ ବଡ଼ ଶତ୍ରୁ ମଧ୍ୟ ସାହସ କରିବ ନାହିଁ କହିବାକୁ ଯେ ମୁଁ ଜାତିର ସ୍ୱାଭିମାନ ଏବଂ ସମ୍ମାନକୁ ବିକିଦେଇପାରେ । ଏବଂ ମୋର ସବୁଠାରୁ ବଡ଼ ଶତ୍ରୁ ମଧ୍ୟ ଜୋର ଦେଇ କହିପାରିବ ନାହିଁ ଯେ ମୁଁ ମୋ ଦେଶରେ କେହି ନଥିଲି ଏବଂ ବିଦେଶୀ ସାହାଯ୍ୟ ଚାହୁଁଛି ମୋ ପାଇଁ ଏକ ସ୍ଥାନ ଅକ୍ତିଆର କରିବା ପାଇଁ । ଭାରତକୁ ଛାଡ଼ିବାଦ୍ୱାରା ମୁଁ ସବୁକୁ ବାଜିରେ ଲଗାଇ ଦେଇଛି ଏପରିକି ମୋର ଜୀବନକୁ ମଧ୍ୟ । କିନ୍ତୁ ମୋତେ ଏହି ବାଜି ଲଗାଇବାକୁ ପଡ଼ିଲା କାରଣ ମୁଁ ଦେଖୁଥିଲି ଯେ କେବଳ ଏହା କରି ହିଁ ଭାରତର ସ୍ୱାଧୀନତା ହାସଲ ଦିଗରେ ମୁଁ ସାହାଯ୍ୟ କରିପାରିବି ।

ବର୍ତ୍ତମାନ ଅକ୍ଷ ଶକ୍ତି ସମ୍ପର୍କରେ ଗୋଟିଏ ପ୍ରଶ୍ନ ରହିଲା ଉତ୍ତର କରିବାକୁ । ଏପରି ହୋଇଥିବା ସମ୍ଭବ କି ମୁଁ ସେମାନଙ୍କ ଦ୍ୱାରା ପ୍ରତାରିତ ହୋଇଛି? ମୋର ବିଶ୍ୱାସ ଯାହା ସମସ୍ତେ ସ୍ୱୀକାର କରିବେ ଯେ ସବୁଠାରୁ ଚତୁର ଓ ଧୂର୍ତ୍ତ ରାଜନୈତିକ ବ୍ୟକ୍ତି ବ୍ରିଟିଶମାନଙ୍କ ମଧ୍ୟରେ ଦେଖାଯାଆନ୍ତି । ଯିଏ ବ୍ରିଟିଶ ରାଜନୈତିକ ବ୍ୟକ୍ତିମାନଙ୍କ ସହ କାର୍ଯ୍ୟ କରିଛି ଓ ତାଙ୍କ ସହ ସାରା ଜୀବନ ଲଢ଼ିଛି, ତାକୁ ବିଶ୍ୱର କୌଣସି ରାଜନୈତିକ ବ୍ୟକ୍ତି ପ୍ରତାରିତ କରିପାରେନା । ଯଦି ବ୍ରିଟିଶ ରାଜନୈତିକ ବ୍ୟକ୍ତିମାନେ ମୋତେ ତୁଷ୍ଟ କରିପାରିନାହାନ୍ତି କି ଦବାଇ ପାରିନାହାନ୍ତି, ଅନ୍ୟ କୌଣସି ରାଜନୈତିକ ବ୍ୟକ୍ତି ଏହା କରିବାରେ ସଫଳ ହେବେନାହିଁ । ଯଦି ବ୍ରିଟିଶ ସରକାର, ଯାହା ହାତରେ ମୁଁ ଭୋଗିଛି ଦୀର୍ଘ ବନ୍ଦୀ ଜୀବନ, ଉତ୍ପୀଡ଼ନ ଓ ଶାରୀରିକ ନିର୍ଯାତନା, ସେ ମୋ ମନୋବଳକୁ ଭାଙ୍ଗିପାରିନାହିଁ, କୌଣସି ଅନ୍ୟ ଶକ୍ତି ଏପରି କରିବାକୁ ଭାବି ପାରିବ ନାହିଁ । ଏତଦ୍ ବ୍ୟତୀତ, ଯେପରି ଆପଣ ନିଜେ ଜାଣନ୍ତି ଆନ୍ତର୍ଜାତିକ ବିଷୟରେ ମୁଁ ଜଣେ ଅତି ସତର୍କ ଛାତ୍ର । ଏହି ଯୁଦ୍ଧ ଆରମ୍ଭହେବା ପୂର୍ବରୁ ମୋର ଆନ୍ତର୍ଜାତିକ ସ୍ତରର ନେତୃତ୍ୱଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଥିଲା । ତେଣୁ ମୁଁ ନୂଆ ଶିଖାଳି ନୁହେଁ ଯେ କୌଣସି ଚତୁର ଏବଂ ଧୂର୍ତ୍ତ ରାଜନୈତିକ ବ୍ୟକ୍ତିଦ୍ୱାରା ଠକିଯିବି । ଶେଷ କଥା ଅଥଚ ବେଶ ମହତ୍ତ୍ୱ୍ୱପୂର୍ଣ୍ଣ ଯେ ଅକ୍ଷ ଶକ୍ତିମାନଙ୍କର ମନୋଭାବ ସମ୍ପର୍କରେ କୌଣସି ମତରେ ଉପନୀତ ହେବା ପୂର୍ବରୁ ଅକ୍ଷ ଶକ୍ତି ରାଷ୍ଟ୍ର ଗୁଡିକର ପ୍ରମୁଖ ନେତା ଓ ବ୍ୟକ୍ତିତ୍ୱମାନଙ୍କ ସହ ଯେଉଁମାନେ ସେମାନଙ୍କର ଜାତୀୟ ବ୍ୟାପାର ପାଇଁ ଦାୟୀଥିଲେ, ମୁଁ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥିଲି । ପରିଣତିରେ, ଏହା କହିବାର ମୁଁ ସାହସ କରିପାରେ ଯେ ମୋ ଦେଶବାସୀ ମୋର ଆନ୍ତର୍ଜାତୀୟ ବିଷୟରେ ବୁଝାମଣା ଉପରେ ସମ୍ପୂର୍ଣ୍ଣ ଆସ୍ଥାବାନ ହୋଇପାରିବେ । ମୋର ଦେଶବାସୀ ଯେଉଁମାନେ ବିଦେଶରେ ଅଛନ୍ତି ସେମାନେ ଏହାର ସାକ୍ଷ୍ୟ ଦେଇପାରିବେ ଯେ ମୁଁ ଭାରତ ଛାଡିବା ଦିନ ଠାରୁ ଏପରି କିଛି କରିନାହିଁ ଯାହା ଦ୍ୱାରା ମୋ ଦେଶର ସମ୍ମାନ ବା ସ୍ୱଭିମାନ ବା ସ୍ୱାର୍ଥ ସହିତ ବୁଝାମଣା ହୋଇଛି । ବରଂ, ମୁଁ ଯାହା କରିଛି ତାହା ମୋ ରାଷ୍ଟ୍ରର ଲାଭ ପାଇଁ, ବିଶ୍ୱ ସମ୍ମୁଖରେ ଭାରତର ମର୍ଯ୍ୟାଦା ବୃଦ୍ଧି ପାଇଁ ଏବଂ ଭାରତର ସ୍ୱାଧୀନତା ଲକ୍ଷ୍ୟକୁ ଆଗେଇ ନେବା ପାଇଁ ।

ମହାତ୍ମାଜୀ, ପୂର୍ବ ଏସିଆରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଜାପାନ ବିରୋଧରେ ଆମର ଶତ୍ରୁମାନେ ଏକ ଚରମ ଓ ଅପ୍ରତିହତ ଅଭିଯାନ ଚଲାଇଛନ୍ତି । ତେଣୁ ମୁଁ ଜାପାନ ସମ୍ପର୍କରେ କିଛି କହିବି । କାରଣ ବର୍ତ୍ତମାନ ମୁଁ ଜାପାନର ସରକାର, ସେନା ଓ ଲୋକଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ କାର୍ଯ୍ୟ କରୁଛି । ଏପରି ଗୋଟିଏ ସମୟ ଥିଲା ଯେତେବେଳେ ଆମର ଶତ୍ରୁ ସହ ଜାପାନର ମୈତ୍ରୀ ସମ୍ପର୍କ ଥିଲା । ମୁଁ ସେ ପର୍ଯ୍ୟନ୍ତ ଜାପାନକୁ ଆସି ନ ଥିଲି ଯେତେବେଳ ଯାଏ ଆଂଗ୍ଳ-ଜାପାନୀ (Anglo-Japanese) ମୈତ୍ରୀ ସମ୍ପର୍କ ଅବ୍ୟାହତ ଥିଲା । ମୁଁ ସେତେବେଳ ଯାଏ ଜାପାନକୁ ଆସି ନଥିଲି ଯେତେବେଳ ଯାଏ ଦୁଇଦେଶ ମଧ୍ୟରେ ବୈଦେଶିକ ସମ୍ପର୍କ ଚାଲିଥିଲା । ଯେତେବେଳେ ଜାପାନ ତାର ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲା ଅର୍ଥାତ୍ ବ୍ରିଟେନ ଓ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କଲା, ସେତେବେଳେ ଯାଇ ମୋ ନିଜ ଇଚ୍ଛାରେ ମୁଁ ଜାପାନ ଯିବା ପାଇଁ ନିଷ୍ପତ୍ତି ନେଲି । ମୋର ବହୁ ଦେଶବାସୀଙ୍କ ପରି ମୁଁ ଅନେକ ବର୍ଷ ଧରି ଜାପାନ ବିରୋଧୀ ପ୍ରଚାର ସାହିତ୍ୟ ପଢ଼ିଥିଲି । ମୋର ବହୁ ଦେଶବାସୀଙ୍କ ପରି ମୁଁ ମଧ୍ୟ ବୁଝି ନଥିଲି କାହିଁକି ୧୯୩୭ରେ ଜାପାନ ଚୀନ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହେଲା? ଏବଂ ମୋର ବହୁ ଦେଶବାସୀଙ୍କ ପରି, ମୋର ସହାନୁଭୂତି, ୧୯୩୭ ଓ ୧୯୩୮ରେ, ଚୁଂଗକିଂଗ (Chungking) ପ୍ରତି ଥିଲା । ଆପଣ ସ୍ମରଣ କରିପାରନ୍ତି ମୁଁ ଯେତେବେଳେ କଂଗ୍ରେସ ସଭାପତି ଥିଲି, ଚୁଂଗକିଂଗକୁ ଏକ ମେଡିକାଲ ଦଳ ପଠାଇଥିଲି । କିନ୍ତୁ ଜାପାନକୁ ଯିବା ପରେ ମୁଁ ଯାହା ବୁଝିଲି ଏବଂ ଯାହା ଆମ ଦେଶର ଲୋକ ବୁଝିନାହାନ୍ତି, ଯେ ପୂର୍ବ ଏସିଆରେ ଯୁଦ୍ଧହେବା ଦିନ ଠାରୁ ଜାପାନର ବିଶ୍ୱ ପ୍ରତି ଦୃଷ୍ଟିକୋଣ, ଏବଂ ବିଶେଷ ଭାବରେ ଏସୀୟ ରାଷ୍ଟ୍ରଗୁଡ଼ିକ ପ୍ରତି ଦୃଷ୍ଟିକୋଣରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ କେବଳ ସରକାରକୁ ପ୍ରଭାବିତ କରିନାହିଁ, ଜାପାନର ଜନଗଣଙ୍କୁ ମଧ୍ୟ ପ୍ରଭାବିତ କରିଛି । ଏକ ନୂତନ ଚେତନା ଯାହାକୁ ମୁଁ କହିପାରେ ଏସୀୟ ଚେତନା, ତାହା ଜାପାନର ଜନଗଣଙ୍କ ଆତ୍ମାକୁ ଦଖଲ କରିଛି । ଏହି ପରିବର୍ତ୍ତନରୁ ହିଁ ବୁଝାପଡେ ଫିଲିପାଇନ୍ସ, ବର୍ମା ଏବଂ ଭାରତ ପ୍ରତି ଜାପାନର ବର୍ତ୍ତମାନ ମନୋଭାବ । ଏହିଥିରୁ ହିଁ ବୁଝାପଡ଼େ ଚୀନରେ ଜାପାନର ନୂତନ ନୀତି । ଜାପାନକୁ ମୁଁ ଯିବା ପରେ ଏବଂ ସେ ଦେଶର ବର୍ତ୍ତମାନ ନେତୃତ୍ୱ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସାରିବା ପରେ ମୁଁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ଯେ ଏସିଆ ପ୍ରତି ଜାପାନର ବର୍ତ୍ତମାନ ନୀତି ଏକ ପ୍ରବଂଚନା ନୁହେଁ, ବରଂ ଏଥିରେ ଦୃଢ଼ ଆନ୍ତରିକତା ରହିଛି । ଏହା ଇତିହାସରେ ପ୍ରଥମ ଦୃଷ୍ଟାନ୍ତ ନୁହେଁ ଯେତେବେଳେ ସାରା ଦେଶ ଏକ ନୂତନ ଚେତନାଦ୍ୱାରା ଗ୍ରସ୍ତ ହୋଇଛି । ଆମେ ଏପରି ଉଦାହରଣ ପୂର୍ବେ ଦେଖିଛନ୍ତି, ଫ୍ରାନ୍ସରେ ଫରାସୀ ବିପ୍ଳବ ବେଳେ, ରୁଷିଆରେ ବଲସେଭିକ ବିପ୍ଳବ ବେଳେ । ନଭେମ୍ବର ୧୯୪୩ରେ ଜାପାନକୁ ଦ୍ୱିତୀୟ ଥରପାଇଁ ଯାଇସାରିବା ପରେ, ମୁଁ ଫିଲିପାଇନ୍ସ ଗଲି, ଫିଲିପିନୋ ନେତୃତ୍ୱଙ୍କୁ ସେଠାରେ ଭେଟିଲି ଏବଂ ସେଠାକାର ପରିସ୍ଥିତି ନିଜେ ଦେଖିଲି । ମୁଁ ବେଶ ଦୀର୍ଘ ସମୟ ପାଇଁ ବର୍ମା ଯାଇଛି ଏବଂ ସେଠାରେ ସ୍ୱାଧୀନତାର ଘୋଷଣା ପରେ ସେଠାକାର ସ୍ଥିତିକୁ ନିଜ ଆଖିରେ ଦେଖିଛି । ଏବଂ ମୁଁ ଚୀନକୁ ଯାଇଛି ଦେଖିବା ପାଇଁ ଯେ ଜାପାନର ନୂତନ ନୀତି ଅସଲି ନା ନକଲି । ଜାପାନ ଏବଂ ଚୀନର ଜାତୀୟ ସରକାର ମଧ୍ୟରେ ସର୍ବଶେଷ ରାଜିନାମା ଚୀନର ଜନଗଣଙ୍କୁ ବସ୍ତୁତଃ ସବୁ ଦେଇଛି ଯାହା ଚୀନ ଦାବି କରୁଥିଲା । ଏହି ରାଜିନାମା ଅନୁସାରେ ଜାପାନ ରାଜି ହୋଇଛି ଯେ ଯେଉଁ ମୁହୂର୍ତରେ ଯୁଦ୍ଧର ଅବସାନ ହେବ ସେ ତାହାର ସେନାକୁ ଚୀନରୁ ପ୍ରତ୍ୟାହାର କରିନେବ । ତେଣୁ ଆଉ କଣ ପାଇଁ ଚୁଂଗକିଂଗ -ଚୀନ ଯୁଦ୍ଧ କରୁଛି? କେହି କଣ ବିଶ୍ୱାସ କରିପାରେ ଯେ ବ୍ରିଟେନ ଏବଂ ଆମେରିକା ନିଃସ୍ୱାର୍ଥପର ଭାବେ ଚୁଂଗକିଂଗ-ଚୀନକୁ ସାହାଯ୍ୟ କରୁଛନ୍ତି? ଚୁଂଗକିଂଗ -ଚୀନକୁ ଯେଉଁ ସାହାଯ୍ୟ ବ୍ରିଟେନ ଏବଂ ଆମେରିକା ଦେଉଛନ୍ତି ଜାପାନ ବିରୋଧରେ ଯୁଦ୍ଧ ଚଲାଇ ରଖିବାକୁ, ତାର ପ୍ରତିବଦଳରେ ସେମାନେ ତାଙ୍କ ଭାଗ ଦାବି କରିବେ ନାହିଁ କି? ମୁଁ ସ୍ପଷ୍ଟ ଦେଖିପାରୁଛି ଜାପାନ ପ୍ରତି ଅତୀତର ଘୃଣା ଓ ଶତ୍ରୁତା କାରଣରୁ ଚୁଂଗକିଂଗ ବ୍ରିଟେନ ଏବଂ ଆମେରିକା ପାଖରେ ବନ୍ଧା ପଡିଛି । ଯେତେବେଳ ଯାଏ ଚୀନ ପ୍ରତି ଜାପାନ ତାର ବର୍ତ୍ତମାନର ନୀତି ପ୍ରଣୟନ କରି ନଥିଲା, ସେତେବେଳ ପର୍ଯ୍ୟନ୍ତ ଚୀନର ଏକ ବାହାନା ଥିଲା ଜାପାନ ସହିତ ଲଢ଼ିବା ପାଇଁ ବ୍ରିଟିଶ ଓ ଆମେରିକୀୟ ସାହାଯ୍ୟ ଲୋଡିବା । ବର୍ତ୍ତମାନ ଯେହେତୁ ଚୀନ-ଜାପାନ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି, ସେତେବେଳେ ଚୁଂଗକିଂଗ ପାଖରେ କୌଣସି ବାହାନା ନାହିଁ ଜାପାନ ବିରୋଧରେ ଏକ ଅର୍ଥହୀନ ସଂଗ୍ରାମରେ ମାତିବା ପାଇଁ । ଏହା ଚୀନ ଦେଶର ଜନଗଣଙ୍କ ପାଇଁ ଭଲ ନୁହେଁ, ନିଶ୍ଚିତ ଭାବରେ ଏସିଆ ପାଇଁ ଭଲ ନୁହେଁ । ଏପ୍ରିଲ ୧୯୪୨ରେ ଆପଣ କହିଥିଲେ ଯେ ଯଦି ଏହା କରିବା ପାଇଁ ଆପଣ ସ୍ୱାଧୀନ ହୁଅନ୍ତି, ତାହାହେଲେ ଆପଣ ଚୀନ ଓ ଜାପାନ ମଧ୍ୟରେ ବୁଝାମଣା ପାଇଁ କାର୍ଯ୍ୟ କରିବେ । ତାହା ଥିଲା ଏକ ବିରଳ ରାଜନୀତିଜ୍ଞତା (statesmanship)ର ଅଭିବ୍ୟକ୍ତି । ଚୀନରେ ଅରାଜକତା ମୂଳରେ ଭାରତର ଗୋଲାମୀ ରହିଛି । କାରଣ ବ୍ରିଟିଶ ଶାସନର ଭାରତ ଉପରେ ଅକ୍ତିଆର ଫଳରେ ଆଂଗ୍ଲୋ-ଆମେରିକା ଚୁଂଗକିଂଗ ମଧ୍ୟରେ ମିଥ୍ୟା ଆଶା ସୃଷ୍ଟି କରିପାରିବ ଯେ ଯଥେଷ୍ଟ ସାହାଯ୍ୟ ଚୁଂଗକିଂଗକୁ ଅଣାଯାଇପାରିବ ଯାହା ଦ୍ୱାରା ଚୁଂଗକିଂଗ ଜାପାନ ବିରୋଧରେ ଯୁଦ୍ଧକୁ ଜାରି ରଖିପାରିବ । ମହାତ୍ମାଜୀ, ଆପଣ ସମ୍ପୂର୍ଣ୍ଣ ଭାବେ ଠିକ ଭାବିଥିଲେ ଯେ ଏକ ସ୍ୱାଧୀନ ଭାରତ ହିଁ ଜାପାନ ଓ ଚୀନ ମଧ୍ୟରେ ଶାନ୍ତି ପାଇଁ କାର୍ଯ୍ୟ କରିପାରିବ । ମୁଁ ତ ଏତେ ଦୂର ଯାଇ କହିବି ଯେ ଭାରତର ସ୍ୱାଧୀନତା ସ୍ୱତଃ ଏକ ସମ୍ମାନଜନକ ରାଜିନାମା ଚୁଂଗକିଂଗ ଏବଂ ଜାପାନ ମଧ୍ୟରେ କରାଇ ପାରିବ ଓ ଚୁଂଗକିଂଗ ବର୍ତ୍ତମାନ କରୁଥିବା ବୋକାମୀ ପ୍ରତି ତାର ଆଖି ଖୋଲି ଦେଇପାରିବ । ଯେଉଁଦିନ ଠାରୁ ମୁଁ ପୂର୍ବ ଏସିଆକୁ ଆସିଲିଣି ଏବଂ ଚୀନ ଗଲିଣି, ମୁଁ ଚୀନ ପ୍ରଶ୍ନ ଉପରେ ଗଭୀର ଅଧ୍ୟୟନ କରିଛି । ମୁଁ ଚୁଂଗକିଂଗର ଶାସନରେ ଏକଛତ୍ରବାଦ ଦେଖୁଛି । ବ୍ୟକ୍ତିଗତ ଭାବରେ ମୋର ଏକଛତ୍ରବାଦ ପ୍ରତି କୌଣସି ଆପତ୍ତି ନାହିଁ, ଯଦି ଏହା ନ୍ୟାୟନିଷ୍ଠ । କିନ୍ତୁ ଯେଉଁ ଏକଛତ୍ରବାଦ ଚୁଂଗକିଂଗର ଶାସନରେ ଚାଲିଛି ତାହା ସ୍ପଷ୍ଟ ଭାବରେ ବିଦେଶୀ ଆମେରିକୀୟ ପ୍ରଭାବର ଅଧୀନ । ଦୁର୍ଭାଗ୍ୟର କଥା ଯେ ଆଂଗ୍ଲୋ-ଆମେରିକୀୟମାନେ ଚୁଂଗକିଂଗର ଶାସକଗୋଷ୍ଠୀକୁ ବହଲାଇ ବୁଝାଇବାରେ ସମର୍ଥ ହୋଇଛନ୍ତି ଯେ ଯଦି ଜାପାନ କୌଣସି ଉପାୟରେ ହାରି ଯାଏ ତାହାହେଲେ ଏସିଆରେ ଚୀନ ହିଁ ସବୁଠାରୁ ଶକ୍ତିଶାଳୀ ହେବ । କିନ୍ତୁ ସତ୍ୟ ହେଉଛି ଯେ ଯଦି ଜାପାନ କୌଣସି ଉପାୟରେ ହାରି ଯାଏ ତାହାହେଲେ ଚୀନ ଆମେରିକାର ପ୍ରଭାବ ଓ ନିୟନ୍ତ୍ରଣ ଭିତରକୁ ଚାଲିଯିବ । ଏହା ଚୀନ ପାଇଁ ଓ ସମଗ୍ର ଏସିଆ ପାଇଁ ଦୁଃଖଦ ଘଟଣା ହେବ । ଜାପାନକୁ କୌଣସି ଉପାୟରେ ହରାଇପାରିଲେ, ଏସିଆରେ ସର୍ବଶକ୍ତିଶାଳୀ ହୋଇ ପାରିବ ଏହିଭଳି ଏକ ମିଥ୍ୟା ଆଶା ନେଇ ଚୁଂଗକିଂଗର ଶାସକଗୋଷ୍ଠୀ ହ୍ୱାଇଟହାଉସ ଓ ହ୍ୱାଇଟହଲର ଶାସକଗୋଷ୍ଠୀଙ୍କ ସହ ଏକ ଅପବିତ୍ର ଗଠବନ୍ଧନ କରିଛି । ମୁଁ ଚୁଂଗକିଂଗ ସରକାରର ପ୍ରଚାରକମାନଙ୍କର ଭାରତରେ କାର୍ଯ୍ୟକଳାପ ସମ୍ପର୍କରେ କିଛି ଜାଣିଛି-ସେମାନେ ଭାରତୀୟ ଲୋକଙ୍କର ସହାନୁଭୂତି ପାଇବା ପାଇଁ ତାଙ୍କ ଭାବନାକୁ ନେଇ ଖେଳୁଛନ୍ତି । କିନ୍ତୁ ମୁଁ ଆନ୍ତରିକତାର ସହ କହିବି ଯେ ଚୁଂଗକିଂଗ ଯିଏ ୱାଲ ଷ୍ଟ୍ରିଟ ଏବଂ ଲୋମବୋର୍ଡ ଷ୍ଟ୍ରିଟ ପାଖରେ ବନ୍ଧା ପଡିଛି, ସିଏ ଭାରତୀୟ ଜନଗଣଙ୍କ ସହାନୁଭୂତି ପାଇବାପାଇଁ ଆଉ ଯୋଗ୍ୟ ନୁହନ୍ତି, ବିଶେଷତଃ ଯେତେବେଳେ ଜାପାନ ତାର ନୂତନ ନୀତି ଚୀନ ପାଇଁ ପ୍ରଣୟନ କରିଛି ।

ମହାତ୍ମାଜୀ, ଆପଣ ଅନ୍ୟମାନଙ୍କ ଅପେକ୍ଷା ଭଲଭାବରେ ଜାଣନ୍ତି ଭାରତୀୟମାନେ କେବଳ ପ୍ରତିଶୃତି ପ୍ରତି କେତେ ସନ୍ଦିହାନ । ମୁଁ ଜାପାନ ଦ୍ୱାରା ପ୍ରଭାବିତ ହେଉଥିବା ଶେଷବ୍ୟକ୍ତି ହେବି, ଯଦି ତାର ନୀତିର ଘୋଷଣା ପ୍ରତିଶୃତି ମାତ୍ର ହୁଏ । କିନ୍ତୁ ମୁଁ ନିଜ ଆଖିରେ ଦେଖିଛି, ବିଶ୍ୱଯୁଦ୍ଧ ମଝିରେ, କିପରି ଜାପାନ ଫିଲିପିନ୍ସ, ବର୍ମା ଏବଂ ଜାତୀୟ ଚୀନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଜେନେରାଲ ଟୋଜୋ ଜାପାନର ଏକ ଏପରି ନେତା ଓ ପ୍ରଧାନମନ୍ତ୍ରୀ ଯିଏ ତାଙ୍କର ବଚନ ପ୍ରତି ନିଷ୍ଠାବାନ ଏବଂ ଯାହାଙ୍କର କାର୍ଯ୍ୟ ତାଙ୍କର ଘୋଷଣା ସହିତ ସୁସଂଗତ, ଏକ ଏପରି ନେତା ଯିଏ ସମସାମୟିକ ରାଜନୀତିଜ୍ଞମାନଙ୍କଠାରୁ ଯଥେଷ୍ଟ ଊଦ୍ଧ୍ୱର୍ରେ ।

ଭାରତ ସନ୍ଦର୍ଭରେ ମୁଁ କହିବି ଯେ ଜାପାନ ତାର କାର୍ଯ୍ୟ ଦ୍ୱାରା ତାର ନିଷ୍ଠାର ପ୍ରମାଣ ଦେଇଛି । ଗୋଟିଏ ସମୟ ଥିଲା ଯେତେବେଳେ ଲୋକେ କହୁଥିଲେ ଯେ ଭାରତରେ ଜାପାନର କିଛି ସ୍ୱାର୍ଥପର ଉଦେ୍ଦଶ୍ୟ ରହିଛି । ଯଦି ଏପରି ଥାନ୍ତା ତାହାହେଲେ ସେ କାହିଁକି Provisional Government of Free India କୁ ସ୍ୱୀକୃତି ଦିଅନ୍ତା? ସେ କାହିଁକି ନିଷ୍ପତ୍ତି ନିଅନ୍ତା ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ Provisional Government of Free India ହାତରେ ଟେକି ଦେବାପାଇଁ? କାହିଁକି ଅଣ୍ଡାମାନ ଓ ନିକୋବର ଦ୍ୱୀପର ଏକ ଭାରତୀୟ ଉଷସରଲ Chief Commissioner ପୋର୍ଟ ବ୍ଲେୟାରରେ ବସିଥାନ୍ତା? ଶେଷ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, କାହିଁକି ଜାପାନ ବିନା ସର୍ତ୍ତରେ ପୂର୍ବ ଏସିଆରେ ଥିବା ଭାରତୀୟଙ୍କୁ ସେମାନଙ୍କ ସ୍ୱାଧୀନତା ସଂଗ୍ରାମରେ ସାହାଯ୍ୟ କରନ୍ତା? ପୂର୍ବ ଏସିଆର ସବୁ ଅଂଚଳରେ ଭାରତୀୟ ଅଛନ୍ତି ଏବଂ ସେମାନେ ଜାପାନକୁ ଖୁବ ପାଖରୁ ଦେଖିବାର ସୁଯୋଗ ପାଇଛନ୍ତି । କାହିଁକି ତିରିଶ ଲକ୍ଷ ଭାରତୀୟ ଯିଏ ପୂର୍ବ ଏସିଆ ସାରା ବାଂଟି ହୋଇ ରହିଛନ୍ତି, ଜାପାନ ସହିତ ଘନିଷ୍ଠ ସହଯୋଗର ନୀତି ଗ୍ରହଣ କରିଛନ୍ତି, ଯଦି ସେମାନେ ତାର ପ୍ରକୃତ ଆଚରଣ ଓ ନିଷ୍ଠାପରତାକୁ ନେଇ ସନ୍ତୁଷ୍ଟ ନୁହନ୍ତି? ଆପଣ ଜଣେ ବ୍ୟକ୍ତିକୁ ବାଧ୍ୟ କରିପାରିବେ ବା ବହଲେଇ ଦେଇପାରିବେ, ଆପଣ ଚାହୁଁଥିବା କାର୍ଯ୍ୟକୁ କରିବାପାଇଁ । କିନ୍ତୁ କେହି ସାରା ପୂର୍ବ ଏସିଆରେ ରହିଥିବା ତିରିଶ ଲକ୍ଷ ଭାରତୀୟଙ୍କୁ ବାଧ୍ୟ କରି ପାରିବ ନାହିଁ ।

ଯଦି ପୂର୍ବ ଏସିଆର ଭାରତୀୟମାନେ ନିଜର କୌଣସି ଉଦ୍ୟମ ନ କରି ଏବଂ ସର୍ବାଧିକ ବଳିଦାନ ନଦେଇ ଜାପାନଠାରୁ ସାହାଯ୍ୟ ନେଇଥାନ୍ତେ ତାହାହେଲେ ସେମାନେ ଭୁଲ କରିବାର ଦୋଷୀ ହୋଇଥାନ୍ତେ । କିନ୍ତୁ ଏକ ଭାରତୀୟ ଭାବେ, ମୁଁ ଆନନ୍ଦିତ ଓ ଗର୍ବିତ ଏହା କହି ପାରୁଥିବାରୁ ଯେ ପୂର୍ବ ଏସିଆରେ ମୋ ଦେଶବାସୀ ଭାରତର ସ୍ୱାଧୀନତା ଲଢ଼େଇ ପାଇଁ ଲୋକ, ଅର୍ଥ ଓ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ସବୁଠାରୁ ଅଧିକ ଉଦ୍ୟମ କରିଛନ୍ତି । ଅର୍ଥ ଓ ଆବଶ୍ୟକ ସାମଗ୍ରୀ ସଂଗ୍ରହ ତଥା ଜାତୀୟ ସେବାରେ ଲୋକଙ୍କୁ ଲଗାଇବାରେ ମୋର ଦେଶ ଭିତରେ କୋଡିଏ ବର୍ଷର ଅଭିଜ୍ଞତା ଅଛି । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ପୂର୍ବ ଏସିଆରେ ଆମ ଦେଶବାସୀ ବର୍ତ୍ତମାନ କରୁଥିବା ତ୍ୟାଗର ଗୁରୁତ୍ୱ ଓ ମୂଲ୍ୟର ମୁଁ ସଠିକ ଆକଳନ କରିପାରେ । ସେମାନଙ୍କର ଉଦ୍ୟମ ଉକ୍ରୃଷ୍ଟ । ଯେହେତୁ ସେମାନେ ନିଜେ ଚମକ୍ରାର ଉଦ୍ୟମ କରୁଛନ୍ତି ଏବଂ ପ୍ରସ୍ତୁତ ଅଛନ୍ତି ସର୍ବାଧିକ ତ୍ୟାଗ କରିବା ପାଇଁ, ତେଣୁ ଜାପାନରୁ କୌଣସି ଜିନିଷ, ଯେପରି ଅସ୍ତ୍ର-ଶସ୍ତ୍ର ଆଦି, ଯାହାର ଉତ୍ପାଦନ ଆମେ ନିଜେ କରୁନା, ସାହାଯ୍ୟ ନେବାରେ ମୁଁ କୌଣସି ଆପତ୍ତି ଦେଖେ ନାହିଁ ।

ମହାତ୍ମାଜୀ, ମୁଁ ଏଠାରେ ସ୍ଥାପନା କରିଥିବା Provisional Government ସମ୍ପର୍କରେ ବର୍ତ୍ତମାନ କିଛି କହିବାକୁ ଚାହିଁବି । ଇତ୍ୟବସରରେ Provisional Government of Azad Hind(or Free India)ଜାପାନ, ଜର୍ମାନୀ ଏବଂ ସାତଟି ଅନ୍ୟ ମିତ୍ର ଶକ୍ତି ଦ୍ୱାରା ସ୍ୱୀକୃତି ପାଇଛି । ଏହା ଦ୍ୱାରା ସାରା ବିଶ୍ୱ ସମ୍ମୁଖରେ ଭାରତକୁ ମିଳିଛି ଏକ ନୂତନ ପ୍ରତିଷ୍ଠା ଓ ସମ୍ମାନ । Provisional Government କେବଳ ଗୋଟିଏ ଲକ୍ଷ୍ୟ, ସଶସ୍ତ୍ର ସଂଗ୍ରାମ ଦ୍ୱାରା ବ୍ରିଟିଶଶାସନରୁ ଭାରତର ମୁକ୍ତି । ଥରେ ଯେତେବେଳେ ଆମର ଶତ୍ରୁ ଭାରତରୁ ବିତାଡ଼ିତ ହୋଇଯିବେ ଏବଂ ବ୍ୟବସ୍ଥାର ସ୍ଥାପନା ହୋଇଯିବ, Provisional Government କାର୍ଯ୍ୟ ସରିଯିବ । ତାପରେ, ଏହା ଭାରତୀୟ ଜନଗଣ ଯେଉଁମାନେ ନିଜେ ସ୍ଥିର କରିବେ ଯେ ସେମାନେ କେଉଁ ପ୍ରକାର ସରକାର ଗଢ଼ିବେ ଏବଂ କିଏ ସେ ସରକାରର ଦାୟିତ୍ୱ ନେବ । ମୁଁ ଆପଣଙ୍କୁ ଆଶ୍ୱସ୍ତ କରିପାରେ ମହାତ୍ମାଜୀ, ଯେ ମୁଁ ଓ ମୋ ସହିତ କାମ କରୁଥିବା ସମସ୍ତେ ନିଜକୁ ଭାରତୀୟ ଜନଗଣଙ୍କ ସେବକ ବୋଲି ଭାବନ୍ତି । ଆମର ଉଦ୍ୟମ, ଆମର ପୀଡ଼ା ଏବଂ ଆମର ତ୍ୟାଗପାଇଁ ଆମେ ପୁରସ୍କାରଭାବେ କେବଳ ଚାହୁଁ ଆମ ମାତୃଭୂମିର ସ୍ୱାଧୀନତା । ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ ରାଜନୀତିରୁ ଅବସର ନେଇଯିବେ, ଥରେ ଭାରତ ସ୍ୱାଧୀନ ହୋଇଗଲେ । ଅବଶିଷ୍ଟ ଯେଉଁମାନେ ରହିବେ ସେମାନେ ସ୍ୱାଧୀନ ଭାରତରେ ଯେ କୌଣସି ପଦବୀ, ତାହା ଯେତେ ସାଧାରଣ ହେଉ, ସେଥିରେ ନିଜକୁ ନିୟୋଜିତ କରିବେ । ଯେଉଁ ଉଦ୍ଦୀପନା ଆମ ସମସ୍ତଙ୍କୁ ଆଜି ଜୀବନ୍ତ କରିଦେଇଛି ତାହା ହେଉଛି ସ୍ୱାଧୀନ ଭାରତରେ ଝାଡୁଦାର ହେବା ବ୍ରିଟିଶ ଶାସନରେ ଉଚ୍ଚପଦବୀରେ ରହିବାଠାରୁ ଅଧିକ ସମ୍ମାନାସ୍ପଦ । ଆମେ ସମସ୍ତେ ଜାଣୁ ଯେ ଥରେ ସ୍ୱାଧୀନତା ହାସଲ ହୋଇଗଲେ, ଭାରତରେ ହଜାର ହଜାର ସଂଖ୍ୟାରେ ଏପରି ମହିଳା ଓ ପୁରୁଷ ଅଛନ୍ତି ଯେଉଁମାନଙ୍କ ହାତରେ ଭାରତର ଭାଗ୍ୟକୁ ଟେକି ଦିଆଯାଇପାରେ।

ଶେଷ ବ୍ରିଟିଶ ବ୍ୟକ୍ତି ଭାରତରୁ ବିତାଡ଼ିତ ହେବା ପର୍ଯ୍ୟନ୍ତ ଆମେ ଜାପାନଠାରୁ କେତେ ସାହାଯ୍ୟ ନେବା ତାହା ନିର୍ଭର କରୁଛି ଭାରତ ଭିତରୁ ଆମେ କେତେ ସହଯୋଗ ପାଇବୁ । ଜାପାନ ନିଜେ ଚାହେଁନା ତାର ସାହାଯ୍ୟ ଆମ ଉପରେ ଲଦି ଦେବାପାଇଁ । ଜାପାନ ଖୁସି ହେବ ଯଦି ଭାରତୀୟମାନେ ସେମାନଙ୍କର ନିଜ ପ୍ରଚେଷ୍ଟାରେ ନିଜକୁ ମୁକ୍ତ କରିପାରିବେ । ବ୍ରିଟେନ ଓ ଆମେରିକା ଉପରେ ଯୁଦ୍ଧ ଘୋଷଣା ପରେ, ଆମେ ହିଁ ଜାପାନଠାରୁ ସାହାଯ୍ୟ ମାଗିଛୁ କାରଣ ଆମର ଶତ୍ରୁ ଅନ୍ୟ ଶକ୍ତି ମାନଙ୍କଠାରୁ ସାହାଯ୍ୟ ମାଗୁଥିଲା । ତେବେ, ମୋର ପୂରା ବିଶ୍ୱାସ ଅଛି ଯେ ଯେଉଁ ସାହାଯ୍ୟ ଆମେ ଆମର ଦେଶବାସୀଙ୍କଠାରୁ ପାଇବୁ ତାହା ଏତେ ବେଶୀ ହେବ ଯେ ଆମକୁ ଖୁବ କମ ସାହାଯ୍ୟ ଜାପାନଠାରୁ ନେବାକୁ ପଡ଼ିବ । କେହି ଆମଠାରୁ ଅଧିକ ଖୁସି ହେବ ନାହିଁ ଯଦି ଆମ ଦେଶବାସୀ ଦେଶରେ ଥାଇ ସେମାନଙ୍କର ନିଜ ଉଦ୍ୟମରେ ନିଜକୁ ମୁକ୍ତ କରିବାରେ ସଫଳ ହୁଅନ୍ତି, ବା ଯଦି ବ୍ରିଟିଶ ସରକାର ଆପଣଙ୍କର ‘ଭାରତ ଛାଡ଼’ ପ୍ରସ୍ତାବକୁ ମାନି ନିଅନ୍ତି ଓ ଏହାକୁ କାର୍ଯ୍ୟକାରୀ କରନ୍ତି । ଆମେ କିନ୍ତୁ ଏହା ଧରି ନେଇ ଚାଲିଛୁ ଯେ ଉପରୋକ୍ତ ଦୁଇଟିରୁ କୌଣସିଟି ସମ୍ଭବ ନୁହେଁ, ଏବଂ ସଶସ୍ତ୍ର ସଂଗ୍ରାମ ଅବଶ୍ୟମ୍ଭାବୀ ।

ମହାତ୍ମାଜୀ, ସାରିବା ପୂର୍ବରୁ, ଆଉ ଗୋଟିଏ ବିଷୟ ସମ୍ପର୍କରେ ଉଲ୍ଲେଖ କରିବି, ତାହା ହେଉଛି ଏହି ଯୁଦ୍ଧର ଶେଷ ପରିଣତି କଣ । ମୁଁ ଭଲ ଭାବରେ ଜାଣିଛି ଯେଉଁ ପ୍ରକାର ପ୍ରଚାର ଆମର ଶତ୍ରୁମାନେ ଚଳାଇଛନ୍ତି ତାହା ଏହି ଧାରଣା ସୃଷ୍ଟି କରିବାକୁ ଯେ ସେମାନଙ୍କର ବିଜୟ ନିଶ୍ଚିତ । ମୋର ଆଶା ଯେ ମୋ ଦେଶବାସୀ ଏହାଦ୍ୱାରା ପ୍ରତାରିତ ହେବେ ନାହିଁ, ଏବଂ ଭ୍ରାନ୍ତିରେ ରହି ଯେ ଏହି ଯୁଦ୍ଧରେ ଆଂଗ୍ଲୋ-ଆମେରିକୀୟଙ୍କର ବିଜୟ ହେବ, ବ୍ରିଟେନ ସହିତ ସ୍ୱାଧୀନତା ବିଷୟରେ କୌଣସି ସାଲିସ କରିବେ ନାହିଁ । ଯୁଦ୍ଧକାଳୀନ ଅବସ୍ଥା ଭିତରେ ବିଶ୍ୱସାରା ମୁଁ ମେଲା ଆଖିରେ ବୁଲି ଥିବାରୁ, ଭାରତ-ବର୍ମା ସୀମାରେ ଏବଂ ଭାରତ ଭିତରେ ଶତ୍ରୁର ଆଭ୍ୟନ୍ତରୀଣ ଦୁର୍ବଳତା ଦେଖିଥିବାରୁ, ଏବଂ ଆମ ନିଜର ସାମର୍ଥ୍ୟ ଓ ସମ୍ବଳର ଆକଳନ କରିଥିବାରୁ, ମୁଁ ନିଶ୍ଚିତ ଶେଷରେ ବିଜୟ ଆମର । ମୁଁ ଏତେ ବୋକା ନୁହେଁ ଯେ ଶତ୍ରୁର ଶକ୍ତିକୁ କୌଣସି ଭାବେ ଲଘୁ କରି ଦେଖିବି । ମୁଁ ଜାଣେ ଯେ ଆମ ସମ୍ମୁଖରେ ଏକ ଦୀର୍ଘ ଏବଂ କଠିନ ସଂଗ୍ରାମର ପଥ ରହିଛି । ମୁଁ ମଧ୍ୟ ସଚେତନ ଯେ ବ୍ରିଟେନ ଅତି ସାହସର ସହିତ ଭାରତ ଭୂଇଁରେ ଲଢ଼ିବ ଏବଂ ଶକ୍ତିର ସହିତ ଲଢ଼ିବ ତାର ସାମ୍ରାଜ୍ୟକୁ ରକ୍ଷା କରିବା ପାଇଁ । କିନ୍ତୁ ମୁଁ ମଧ୍ୟ ଜାଣିଛି ସଂଗ୍ରାମ ଯେତେ ଦୀର୍ଘ ଓ ଶକ୍ତିଶାଳୀ ହେଉ ନା କାହିଁକି, ଏହାର କେବଳ ପରିଣତି ଗୋଟିଏ, ଆମର ବିଜୟ । ଭାରତର ଶେଷ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଯାଇଛି । ଆଜାଦ ହିନ୍ଦ ଫୌଜର ବାହିନୀ ଭାରତ ଭୂଇଁରେ ସାହାସର ସହିତ ଯୁଦ୍ଧ କରୁଛନ୍ତି ଏବଂ ସମସ୍ତ ବାଧା ବିଘ୍ନ ସତ୍ତ୍ୱେ ସେମାନେ ଧୀର ସ୍ଥିର ଭାବରେ ଆଗେଇ ଚାଲିଛନ୍ତି । ଏହି ସଶସ୍ତ୍ର ସଂଗ୍ରାମ ଚାଲିବ ଯେତେବେଳ ଯାଏ ଶେଷ ବ୍ରିଟିଶ ବ୍ୟକ୍ତିକୁ ଭାରତରୁ ବାହାର କରି ନ ଦିଆଯାଇଛି ଏବଂ ଯେତେବେଳ ଯାଏ ଆମର ତ୍ରିରଙ୍ଗୀ ଜାତୀୟପତାକା ନୂଆଦିଲ୍ଲୀଠାରେ ଭାଇସରାୟଙ୍କ ଘର ଉପରେ ଗର୍ବର ସହିତ ନ ଉଡ଼ିଛି ।

ଆମ ରାଷ୍ଟ୍ରର ପିତା : ଭାରତର ସ୍ୱାଧୀନତା ପାଇଁ ଏହି ଧର୍ମ ଯୁଦ୍ଧରେ, ଆମେ ଆପଣଙ୍କର ଆଶୀର୍ବାଦ ଓ ଶୁଭ କାମନା ଚାହୁଁଛୁ ।

ବ୍ୟବହୃତ ଉପାଦାନ ସୂଚୀ

1. Father of Our Nation[Message to Mahatma Gandhi, broadcast on 6 July 1944], Chalo Delhi, Subhas Chandra Bose, Edited by Sisir Kumar Bose and Sugata Bose, Orient BlackSwan, 2007, pp.212-222

  1. Mahatma, D G Tendulkar, Vol.6, Publications Division, Government of India, p.137

Comments

0 comments

Share This Article