ମହାତ୍ମା ଗାନ୍ଧୀଙ୍କ ଜୀବନବୋଧରେ ସର୍ବୋଦୟ

ସମାଜରେ ମୌଳିକ ପରିବର୍ତ୍ତନ ପାଇଁ ଲୋକମାନଙ୍କ ଭିତରେ ନୈତିକ ସଚେତନତା ବିକାଶକୁ ମହାତ୍ମା ପ୍ରାଧାନ୍ୟ ଦେଉଥିଲେ । ସମାଜର ନୈତିକ ଉତ୍ତରଣ ନ ହେଲେ ବିକାଶର ଅର୍ଥ ରହିବ ନାହିଁ -ଏହା ତାଙ୍କର ଉପଲବ୍ଧି ଥିଲା

ଧନେଶ୍ୱର ସାହୁ
ଧନେଶ୍ୱର ସାହୁ311 Views
31 Min Read

ମହାତ୍ମା ଗାନ୍ଧୀ ବହୁ ମାନଦଣ୍ଡରୁ ଅନନ୍ୟ ଓ ଜଣେ ବିଶ୍ୱବିଦିତ ବ୍ୟକ୍ତିତ୍ୱ । ତାଙ୍କ ବିଚାରମଣ୍ଡଳ ଭିତରେ ସର୍ବୋଦୟ ଏକ ମୌଳିକ ଭାବନା । ତାଙ୍କୁ ଅହିଂସାର ମହାନ ପ୍ରବକ୍ତା ଭାବେ ଗ୍ରହଣ କରାଗଲେ ବି ତାଙ୍କର ସର୍ବୋଦୟ ପ୍ରତ୍ୟୟଟି ଅହିଂସାଠାରୁ ଅଧିକ ମୌଳିକ ମନେ ହୁଏ ।

ସର୍ବୋଦୟ ବିଚାର

ସର୍ବୋଦୟ ବିଚାରଟି ତାଙ୍କ ସାମାଜିକ-ରାଜନୈତିକ ଦର୍ଶନରେ ଏକ ପ୍ରମୁଖ ଭାବନା ଓ ଏହାର ବ୍ୟାପକତା ମଧ୍ୟ ବହୁ ଦିଗନ୍ତ ପ୍ରସାରୀ । ସର୍ବୋଦୟ ଭାବନାର ଏକ ସାମଗ୍ରିକ ବ୍ୟାଖ୍ୟା ଏକ ସୀମିତ ପ୍ରବନ୍ଧରେ ଦେବା ସମ୍ଭବପର ନୁହେଁ, ତେବେ ଏହି ପ୍ରତ୍ୟୟଟିର କେତେକ ମୌଳିକ ଲକ୍ଷଣର ସୂଚନା ଦେବା ଏଠାରେ ଆମର ଲକ୍ଷ୍ୟ । ତେବେ ଏହି ପ୍ରତ୍ୟୟଟିର କେତେକ ମୌଳିକ ଲକ୍ଷଣର ସୂଚନା ଦେବା ଏଠାରେ ଆମର ଲକ୍ଷ୍ୟ । ତେବେ ସର୍ବୋଦୟ ଭାବନାର ବ୍ୟାଖ୍ୟାନ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ବ୍ୟକ୍ତିତ୍ୱ ସମ୍ବନ୍ଧରେ ସାମାନ୍ୟ ଅବତାରଣା କରାଯାଇପାରେ ।

ଏହା ସୁବିଦିତ ଯେ ମହାତ୍ମା ଗାନ୍ଧୀ ଏକ ସାଧାରଣ ବ୍ୟକ୍ତିରୁ ଅସାଧାରଣ ହୋଇଥିଲେ । ପିଲାବେଳେ ସେ ଥିଲେ ଅତ୍ୟନ୍ତ ଡରକୁଳା, ଭୟାଳୁ ଓ ଲାଜକୁଳା ବ୍ୟକ୍ତି । ତେବେ ଜୀବନର କିଛି ଘଟଣା ପ୍ରବାହ ତାଙ୍କର ସମସ୍ତ ଭୟକୁ ଦୂର କରିବା ସହ ତାଙ୍କୁ ବିପ୍ଲବୀ ହେବାରେ ସହାୟକ ହୋଇଥିଲା । ୧୮୯୩ରେ ଦକ୍ଷିଣ ଆଫ୍ରିକା ଯାଇ ସେଠାରେ ଯେପରି ବର୍ଣ୍ଣଗତ ବୈଷମ୍ୟର ଶିକାର ହୋଇଥିଲେ ଓ ଭାରତୀୟମାନଙ୍କର ଅସମ୍ମାନଜନକ ସ୍ଥିତି ଦେଖିଥିଲେ, ତାହା ତାଙ୍କୁ ବିପ୍ଲବୀ ହେବାରେ ସାହାଯ୍ୟ କରିଥିଲା । ଗାନ୍ଧିଜୀ ଆଦୌ ବୁଦ୍ଧିମାନ ଛାତ୍ର ନଥିଲେ ଓ ଛାତ୍ର ଜୀବନରେ ମାମୁଲି ଛାତ୍ରଥିଲେ । କିନ୍ତୁ ଇଂଲଣ୍ଡରେ ଯାଇ ଆଇନ ଅଧ୍ୟୟନ କରିବା ଓ ଦକ୍ଷିଣ ଆଫ୍ରିକାରେ ଯାଇ ଦୁଇ ଦଶନ୍ଧି କାଳ ରହିବା ଭିତରେ ସେ ୟୁରୋପୀୟ ଚିନ୍ତାମାନସ ଓ ବୁଦ୍ଧିଜୀବୀମାନଙ୍କୁ ଜାଣିବାର ଓ ପଢ଼ିବାର ଅବକାଶ ପାଇଲେ । ପରେ ଭାରତବର୍ଷ ଫେରି ଭାରତୀୟ ଆନ୍ଦୋଳନର କର୍ଣ୍ଣଧାର ହେଲେ । ତାଙ୍କ ଜୀବନର ଘଟଣାପ୍ରବାହ, ତାଙ୍କର ନୈତିକ ପରାକାଷ୍ଠା ଓ ବୈଚାରିକ ଅବଦାନ ତାଙ୍କୁ ଏକ ବିଶ୍ୱମାନବର ସ୍ୱୀକୃତି ଦେଇପାରିଛି । ସମ୍ପ୍ରତି ସେ ବିଶ୍ୱ ବିବେକର ପ୍ରତୀକଭାବେ ସଭ୍ୟତାର ଇତିହାସରେ ପରିଚିତ ହୋଇଛନ୍ତି । ଧର୍ମ ଓ ଜାତୀୟତା ଊଦ୍ଧ୍ୱର୍ରେ ସେ ହୋଇଛନ୍ତି ମହାମାନବ, ମୋହନଦାସରୁ ସେ ପାଲଟିଛନ୍ତି ମହାତ୍ମା । ତାଙ୍କର ଜନ୍ମଦିନକୁ ଜାତିସଂଘ ଆନ୍ତର୍ଜାତିକ ସ୍ତରରେ ଅହିଂସ ଦିବସ ଭାବେ ପାଳନ କରୁଛି । ଅନ୍ୟ ଏକ ଦିଗରୁ ମଧ୍ୟ ସେ ଜଣେ ଆନ୍ତର୍ଜାତିକ ବ୍ୟକ୍ତିଭାବେ ପରିଚିତ ହୋଇଛନ୍ତି । ସମ୍ଭବତଃ ଇତିହାସରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କର ରାଜନୈତିକ କାର୍ଯ୍ୟକଳାପ ତିନିଟି ଦେଶ ସହ ସଂପୃକ୍ତ ଥିଲା, ଯାହା ତିନିଟି ମହାଦେଶରେ ଅବସ୍ଥିତ ।

ବହୁ ପରସ୍ପରବିରୋଧୀ ଭାବଧାରାର ପ୍ରତୀକ ଗାନ୍ଧିଜୀ

ତାଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଏହା ଦେଖାଯାଏ ଯେ ବହୁ ପରସ୍ପରବିରୋଧୀ ଭାବଧାରା ତାଙ୍କ ପାଖରେ ସମନ୍ୱିତ ହୋଇଥିଲା । ସାଧାରଣ ମାନବିକ ଦୁର୍ବଳତା ତାଙ୍କ ପାଖରେ ରହିଥିଲା । ସେ ବିବାହ କରିଥିଲେ ଓ ପାଂଚଟି ସନ୍ତାନର ବାପା ହୋଇଥିଲେ । ତେବେ ପରବର୍ତ୍ତୀ ଜୀବନରେ ସେ ସନ୍ଥରେ ରୂପାନ୍ତରିତ ହେଲେ । ସାଧାରଣତଃ ରାଜନୈତିକ ବ୍ୟକ୍ତିମାନେ ସନ୍ଥ ହୁଅନ୍ତି ନାହିଁ ବା ସନ୍ଥମାନେ ରାଜନୀତିରେ ଅଂଶଗ୍ରହଣ କରନ୍ତି ନାହିଁ । କିନ୍ତୁ ମହାତ୍ମା ରାଜନୀତି ଭିତରେ ରହି ସନ୍ଥର ଜୀବନ ଅତିବାହିତ କରିଥିଲେ । ସେହିପରି ଧର୍ମପ୍ରାଣ ବ୍ୟକ୍ତିମାନେ ବିପ୍ଲବୀ ହୁଅନ୍ତି ନାହିଁ ଓ ବିପ୍ଲବୀମାନେ ଧାର୍ମିକ ଜୀବନଧାରାରୁ ଦୂରରେ ରହିଥାନ୍ତି । କିନ୍ତୁ ମହାତ୍ମା ଅତ୍ୟନ୍ତ ଧର୍ମପ୍ରାଣ ବ୍ୟକ୍ତି ଥିଲେ ଓ ତା’ ସହିତ ମଧ୍ୟ ବିପ୍ଲବୀ ଥିଲେ । ତାଙ୍କର ଦିନଚର୍ଯ୍ୟା ପ୍ରାର୍ଥନାରୁ ଆରମ୍ଭ ହୋଇଥିଲା ଓ ସନ୍ଧ୍ୟାର ଆଗମନରେ ସେ ନିୟମିତ ପ୍ରାର୍ଥନା କରଉଥିଲେ । ତେବେ ବିଚାର ଓ କାର୍ଯ୍ୟଧାରାରେ ସେ ଥିଲେ କ୍ରାନ୍ତିକାରୀ । ମହାତ୍ମା ନିଜକୁ ଜଣେ ସନାତନୀ ହିନ୍ଦୁ କହୁଥିଲେ, କିନ୍ତୁ ଆତ୍ମପ୍ରତ୍ୟୟରେ ଆନ୍ତଧାର୍ମିକ ଥିଲେ । କୌଣସି ପ୍ରକାରର ସାମ୍ପ୍ରଦାୟିକତା ତାଙ୍କୁ ସ୍ପର୍ଶ କରି ନଥିଲା, ସେ ଥିଲେ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ଓ ଏକ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ । ଭାରତୀୟ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ଭାବରେ ସେ ଥିଲେ ଜାତୀୟବାଦୀ, ତେବେ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଆନ୍ତର୍ଜାତିକ ଓ ମହାମାନିବକ । ବ୍ୟକ୍ତିଗତ ଜୀବନରେ ସେ ଥିଲେ କର୍ମଯୋଗୀ, କିନ୍ତୁ ମନୁଷ୍ୟ ସମାଜର ଭବିଷ୍ୟତ ନେଇ ସେ ଥିଲେ ଜଣେ ସ୍ୱପ୍ନଦ୍ରଷ୍ଟା ମଣିଷ । ଏହିପରି ବହୁ ବିପରୀତଧର୍ମୀ ଭାବଧାରା ତାଙ୍କ ବ୍ୟକ୍ତିତ୍ୱରେ ସମନ୍ୱିତ ହୋଇଥିଲା ।

ପ୍ରତ୍ୟେକ ବିଶିଷ୍ଟ ବ୍ୟକ୍ତିଙ୍କର ଜୀବନଧାରାକୁ ତାଙ୍କ ସମସାମୟିକ ସମାଜ ଓ ଦୁନିଆର ଘଟଣା ପ୍ରବାହ ପ୍ରଭାବିତ କରିବା ଏକ ସାଧାରଣ ଘଟଣା । ସେହି ସମୟର ସାଧାରଣ ସମସ୍ୟା, ସଂକଟ ଓ ଆହ୍ୱାନମାନ ଜଣଙ୍କର ବ୍ୟକ୍ତିତ୍ୱ ଓ ଭାବଧାରାକୁ ପ୍ରଭାବିତ କରିବା ଦେଖାଯାଏ । ଏହି ପରିପ୍ରେକ୍ଷୀରେ ମହାତ୍ମାଙ୍କ ଆବିର୍ଭାବ ସମୟରେ ଦେଶ ଦୁନିଆର ସ୍ଥିତି ବିଷୟରେ ସଂକ୍ଷିପ୍ତ ସୂଚନା ଦିଆଯାଇ ପାରେ । ମହାତ୍ମାଙ୍କ ସମୟରେ ପୃଥିବୀର ଅନେକ ଦେଶ ଉପନିବେଶ ହୋଇ ରହିଥିଲେ । ଇଉରୋପରେ ଶିଳ୍ପବିପ୍ଲବ ଆସିବାପରେ ବହୁ କଳକାରଖାନାମାନଙ୍କର ପ୍ରତିଷ୍ଠା ହେଲା । ଯାନ୍ତ୍ରିକ ଶିଳ୍ପ ମାଧ୍ୟମରେ ପ୍ରଚୁର ଉତ୍ପାଦନ ହୋଇପାରିଲା । ଇଉରୋପର ବଣିକମାନେ ବେପାର ଉଦେ୍ଦଶ୍ୟରେ ବିଭିନ୍ନ ଭୂଖଣ୍ଡକୁ ଗଲେ । କାଳକ୍ରମେ ସେମାନେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ବିଭିନ୍ନ ଦେଶମାନଙ୍କରେ ଇଉରୋପୀୟ ରାଷ୍ଟ୍ରମାନେ ସମୃଦ୍ଧ ହେଲେ ଓ ଉପନିବେଶବାଦୀ ରାଷ୍ଟ୍ରମାନେ ଦରିଦ୍ର ହେଲେ । ପୁନଶ୍ଚ ନିଜର ସାମ୍ରାଜ୍ୟବାଦକୁ ବିସ୍ତାର କରିବା ଉଦେ୍ଦଶ୍ୟରେ ସମୃଦ୍ଧ ରାଷ୍ଟ୍ରମାନଙ୍କର ମଧ୍ୟରେ ତୀବ୍ର ପ୍ରତିଯୋଗିତା ଲାଗିରହିଲା ଓ ଅନେକ ସମୟରେ ଯୁଦ୍ଧର ପରିବେଶ ସୃଷ୍ଟି ହେଉଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦୁଇଟି ବିଶ୍ୱଯୁଦ୍ଧର ବିଭୀଷିକା ମହାତ୍ମାଙ୍କୁ ଗଭୀରଭାବେ ପ୍ରଭାବିତ କରିଥିଲା । ଶିଳ୍ପବିପ୍ଲବରୁ ଉଦ୍ଭବ ପୁଂଜିବାଦ, ସାମ୍ରାଜ୍ୟବାଦ, ଅର୍ଥନୈତିକ ଶୋଷଣ, ଧନୀ-ଗରିବ ମଧ୍ୟରେ ବିଶାଳ ତାରତମ୍ୟ ଉପଭୋକ୍ତାବାଦ, ସାମ୍ରାଜ୍ୟବାଦର ବିସ୍ତାର ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଓ ଯୁଦ୍ଧଜନିତ ହିଂସା ଥିଲା ବିଂଶଶତାବ୍ଦୀ ଆରମ୍ଭର ବିଶ୍ୱ ଦୃଶ୍ୟପଟ୍ଟ । ଦୁଇଟି ବିଶ୍ୱଯୁଦ୍ଧର ପରିଣାମରୁ ଲକ୍ଷ ଲକ୍ଷ ନିହତ, ଆହତ ଓ ଅକର୍ମଣ୍ୟ ହୋଇଥିଲେ । ଲକ୍ଷ ଲକ୍ଷ ପରିବାର ବହୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଓ ସମଗ୍ର ମାନବ ସମାଜରେ ହତାଶ ଓ ନୈରାଶ୍ୟର ଏକ ପରିବେଶ ସୃଷ୍ଟି ହୋଇଥିଲା । ଏହାସହିତ ଜର୍ମାନୀରେ ଜିଉମାନେ ଯେଉଁପରି ଗଣହତ୍ୟାର ଶିକାର ହୋଇଥିଲେ, ତାହାଥିଲା ମାନବିକ ବର୍ବରତାର ଅନ୍ଧକାରର ଦିଗ । ସେହିପରି ଜାପାନ ଉପରେ ହୋଇଥିବା ଆଣବିକ ବିସ୍ଫୋରଣରେ ଦୁଇଟି ସହର ଯେପରି ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା ତାହା ବି ଥିଲା ହୃଦୟ ବିଦାରକ । ମାନବ ସଭ୍ୟତାର ଭବିଷ୍ୟତ ନେଇ ପୃଥିବୀରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ।

ଜାତୀୟ ଦୃଶ୍ୟପଟ୍ଟ

ଆମଦେଶର ଜାତୀୟ ଦୃଶ୍ୟପଟ୍ଟ ବି କୌଣସି କ୍ଷେତ୍ରରେ ଉନ୍ନତ ନ ଥିଲା । ବ୍ରିଟିଶ ସାମ୍ରାଜ୍ୟବାଦ ଦେଶକୁ କବଳିତ କରିଥିଲା, ରାଜନୈତିକ ସ୍ୱାଧୀନତା ଦେଶବାସୀଙ୍କ ପାଇଁ ହୋଇ ରହିଥିଲା । ଏହା ସହିତ ଗଡ଼ଜାତମାନଙ୍କର ରାଜା, ମହାରାଜା ଓ ଜମିଦାରମାନଙ୍କର ଶୋଷଣ ଅମାନବିକ ଥିଲା । ଉକ୍ରଟ ଦାରିଦ୍ର୍ୟ, ନିରକ୍ଷରତା, ଦୁର୍ଭିକ୍ଷ, ଅନାହାରଜନିତ ମୃତ୍ୟୁ, ମହାମାରୀଜନିତ ଗଣମୃତ୍ୟୁ ସାଧାରଣ ଘଟଣା ଥିଲା । ଜାତିଗତ ବିଭାଜନ ନେଇ ସମାଜ ଭାଗଭାଗ ହୋଇ ରହିଥିଲା ଓ ଜାତିଗତ ଭେଦଭାବ ଭାରତୀୟ ସମାଜରେ ସର୍ବବ୍ୟାପୀ ଥିଲା । ଅସ୍ପୃଶ୍ୟତା ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ସମାଜର ସାଧାରଣ ଘଟଣା ଥିଲା । ନାନା କୁସଂସ୍କାର, ଅହେତୁକ ବିଶ୍ୱାସ ଓ ନାନା ଅମାନବିକ ପରମ୍ପରା ଭରତୀୟ ସମାଜକୁ କଳୁଷିତ କରି ରଖିଥିଲା । ମୋଟଉପରେ ସାମାଜିକ ଦୁଃସ୍ଥିତି ନଭଶ୍ଚୁମ୍ଭୀ ହୋଇ ରହିଥିଲା ।

ଦେଶ ଦୁନିଆର ପରିସ୍ଥିତି ଓ ଭାରତୀୟ ସମାଜର ନାନା ଦୁଃସ୍ଥିତିକୁ ମହାତ୍ମା ଅନୁଭବ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଏକ ସୁସ୍ଥ, ନ୍ୟାୟିକ ଓ ସୁନ୍ଦରତର ପୃଥିବୀର ପରିକଳ୍ପନା କରିଥିଲେ । ତାଙ୍କ ବିଚାରରେ ସର୍ବୋଦୟ ଥିଲା ଏକ ନ୍ୟାୟପୂର୍ଣ୍ଣ, ସମତାଭିତ୍ତିକ ଓ ପ୍ରୀତିଭରା ସମାଜ । ତେବେ ତାଙ୍କର ସର୍ବୋଦୟ ପରିକଳ୍ପନାର ବିକାଶକୁ ଅନେକ ମନୀଷୀ ପ୍ରଭାବିତ କରିଥିଲେ । ତାଙ୍କ ଜୀବନ ଓ ବିଚାରବୋଧକୁ ପ୍ରଭାବିତ କରିଥିବା କିଛି ମନୀଷୀମାନଙ୍କ ମଧ୍ୟରେ ରୁଷୀୟ ଲେଖକ ଟଲଷ୍ଟୟ, ଆମେରିକୀୟ ପ୍ରକୃତିବାଦୀ ଡାଭିଡ଼ ଥରୋ ଓ ବ୍ରିଟିଶ ମାନବବାଦୀ ଜନ ରସ୍କିନ ବେଶି ଦୃଶ୍ୟପଟ୍ଟକୁ ଆସନ୍ତି । ଲିଓ ଟଲଷ୍ଟୟ (୧୮୨୮-୧୯୧୦) ଈଶ୍ୱରଙ୍କର ରାଜ୍ୟ ତୁମ ଭିତରେ ଅନ୍ତର୍ନିହିତ ରହିଛି ଭାବନା ଓ ତାଙ୍କର ଯୁଗାନ୍ତକାରୀ କୃତିମାନଙ୍କରେ ସମ୍ବେଦନଶୀଳ ହୃଦୟ ଓ ସେବାକୁ ଯେଉଁପରି ବର୍ଣ୍ଣନା କରିଛନ୍ତି, ତାହା ମହାତ୍ମାଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥିଲା । ଆମେରିକୀୟ ଲେଖକ ଓ ପ୍ରକୃତିବାଦୀ ହେନେରି ଡାଭିଡ଼ ଥୋରୋ (୧୮୧୭-୧୮୬୨) ସରକାରଙ୍କର ଅନ୍ୟାୟ ଆଇନର ଅବମାନନା ବା ସିଭିଲ ଡିସଓବିଡ଼ିଏନ୍ସର ଯେଉଁ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ, ସେଥିରେ ମହାତ୍ମା ପ୍ରଭାବିତ ହୋଇଥିଲେ । ସେହିପରି ବ୍ରିଟିଶ କଳାପ୍ରେମୀ ଲେଖକ ଜନ ରସ୍କିନଙ୍କର ଗୋଟିଏ କ୍ଷୁଦ୍ର ବହି “ଅନ ଟୁ ଦିସ୍ ଲାଷ୍ଟ”କୁ ମହାତ୍ମା ସର୍ବୋଦୟ ଶିରୋନାମାରେ ଅନୁବାଦ କରିଥିଲେ । ରସ୍କିନ (୧୮୧୯-୧୯୦୦) ବିଚାର ଦେଇଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିର ସୁଖ ସ୍ୱାଚ୍ଛନ୍ଦ୍ୟ ସାମୂହିକ ସୁଖ ସ୍ୱାଚ୍ଛନ୍ଦ୍ୟରେ ଅନ୍ତର୍ନିହିତ, ଯାହାକୁ ସର୍ବଜନ ହିତବାଦ କୁହାଯାଏ । ରସ୍କିନଙ୍କ ବିଚାରରେ ଜଣେ ଆଇନଜୀବୀଙ୍କର କାର୍ଯ୍ୟ ଓ ଜଣେ ଭଣ୍ଡାରୀଙ୍କ କାର୍ଯ୍ୟ ଭିତରେ କୌଣସି ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଜଣେ ଶ୍ରମଜୀବୀ କୃଷକ ବା କାରିଗର ଯିଏ ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତା ପୂରଣପାଇଁ ଶ୍ରମ କରୁଛନ୍ତି ସେ ଏକ ଉନ୍ନତ ଜୀବନର ଅଧିକାରୀ । ଏହିସବୁ ବିଚାର ମହାତ୍ମାଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥିଲା । ପୃଥିବୀର ବିଭିନ୍ନ ସଂସ୍କୃତିର କେତେକ ମାନବହିତୈଷୀ ବ୍ୟକ୍ତି ମନୁଷ୍ୟସମାଜର ଦୁଃଖ ଦୁର୍ଦ୍ଦଶା, ଦୁଃସ୍ଥିତି ଓ ବିଶେଷକରି ମନୁଷ୍ୟ ପ୍ରତି ମନୁଷ୍ୟର କ୍ରୂରତା ଦେଖି ଅତ୍ୟନ୍ତ ବିଗଳିତ ହୋଇଛନ୍ତି । ମନୁଷ୍ୟ ସମାଜରେ ରହିଥିବା ରାଶି ରାଶି ଦୁଃଖ ଯନ୍ତ୍ରଣା ପାଇଁ ଅନ୍ୟ କେତେକ ମନୁଷ୍ୟ ଯେ ଦାୟୀ ଏହି ଉପଲବ୍ଧିରୁ ସେମାନେ ଏକ ଦୁଃଖ ରହିତ ସମାଜର ପରିକଳ୍ପନା କରିଛନ୍ତି । ଏକ ଦୁଃଖ ରହିତ, ମାନବିକ ଓ ସୁନ୍ଦର ଦୁନିଆ ପାଇଁ ସେମାନେ ଗମ୍ଭୀର ସ୍ୱପ୍ନ ଦେଖାଇଛନ୍ତି । ମହାତ୍ମା ଗାନ୍ଧୀ ମଧ୍ୟ ସେହି ଧାରାରେ ଏକ ସମତାଭିତ୍ତିକ, ନ୍ୟାୟିକ ଓ ଅହିଂସ ସମାଜର ପରିକଳ୍ପନା କରିଛନ୍ତି । ବିଶେଷ କରି ଆମ ସଂସାରରେ ରହିଥିବା ଅମାନବିକତା, ଅନ୍ୟାୟ ଓ ଶୋଷଣ ଯେଉଁ ବ୍ୟବସ୍ଥା ଯୋଗୁଁ ରହିଛି ସେ ସବୁକୁ ପରିବର୍ତ୍ତନ କରି ଏକ ନ୍ୟାୟପୂର୍ଣ୍ଣ ଓ ମାନବିକ ସମାଜ ନିର୍ମାଣ ଚିତ୍ର ଦେଇଛନ୍ତି । ତାହା ହିଁ ହେଉଛି ତାଙ୍କ ପରିକଳ୍ପିତ ସର୍ବୋଦୟ ସମାଜ । ସର୍ବଜନହିତୈଷୀ ନ୍ୟାୟିକ ସମାଜ ହେଉଛି ମହାତ୍ମାଙ୍କ ଭାବଧାରାରେ ସର୍ବୋଦୟ ସମାଜର ଆଭିମୁଖ୍ୟ ।

ପ୍ରଚଳିତ ରାଜନୈତିକ ଅର୍ଥନୈତିକ ଓ ଶୈକ୍ଷକ ବ୍ୟବସ୍ଥା କେବେହେଲେ ଏକ ସର୍ବୋଦୟ ସମାଜର ପ୍ରତିଷ୍ଠା ପାଇଁ ଆଧାର ହୋଇପାରିବ ନାହିଁ

ମହାତ୍ମା ବିଚାର କରିଛନ୍ତି ଯେ ପ୍ରଚଳିତ ରାଜନୈତିକ ଅର୍ଥନୈତିକ ଓ ଶୈକ୍ଷକ ବ୍ୟବସ୍ଥା କେବେହେଲେ ଏକ ସର୍ବୋଦୟ ସମାଜର ପ୍ରତିଷ୍ଠା ପାଇଁ ଆଧାର ହୋଇପାରିବ ନାହିଁ । ଫଳରେ ସେ ଏ ସବୁର ବିକଳ୍ପ ବିଷୟରେ ଚିନ୍ତାପ୍ରକଟ କରିଛନ୍ତି । ଏକ ସର୍ବୋଦୟ ସମାଜର ବିକାଶ ପାଇଁ ସେ ବିକଳ୍ପ ରାଜନୈତିକ, ଅର୍ଥନୈତିକ ଓ ଶୈକ୍ଷିକ ବ୍ୟବସ୍ଥାର ଅବଦାରଣା କରିଛନ୍ତି । ଏକ ଉନ୍ନତ ସମାଜର ଆଧାର କେତେକ ନୈତିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ । ସମାଜର ମୂଳଭିତ୍ତି ନୈତିକତା ଉପରେ ଗଢ଼ିଉଠିଲେ ସମାଜରୁ ସକଳ ମନ୍ଦସ୍ଥିତିର ଦୂରୀକରଣ ହୋଇପାରିବ । ଏକ ନୀତିପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ଓ ମାନବିକ ସମ୍ବନ୍ଧକୁ ମହାତ୍ମା ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି । ସାମାଜିକ ନ୍ୟାୟକୁ ସେ ସମାଜର ନିର୍ମାଣର ମୂଳ ଆଧାର ଭାବେ ନେଇଛନ୍ତି । ସମାଜ ଯେତେ ନ୍ୟାୟିକ ଆଧାର ଉପରେ ବିକଶିତ ହେବ, ଏହା ସେତେ ଉନ୍ନତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଏକ ନ୍ୟାୟିକ ସମାଜର ମୌଳିକ ଲକ୍ଷଣଭାବେ ସେ ଅହିଂସା, ସମତା ଓ ସ୍ୱାଧୀନତାକୁ ମୁଖ୍ୟ ସ୍ଥାନ ଦେଇଛନ୍ତି । ଅହିଂସା, ସମତା ଓ ସ୍ୱାଧୀନତା ମହାତ୍ମାଙ୍କ ବିଚାରରେ ନିରଙ୍କୁଶ ମୂଲ୍ୟବୋଧ । ଏ ପ୍ରତ୍ୟେକ ଆଦର୍ଶକୁ ସେ ସର୍ବୋକୃଷ୍ଟ ବା ନିରଙ୍କୁଶ ମନେ କରିଛନ୍ତି ଓ ଏମାନଙ୍କର ସମନ୍ୱୟ ହେଉଛି ନ୍ୟାୟ । ସର୍ବୋଦୟ ସମାଜ ନ୍ୟାୟଉପରେ ପ୍ରତିଷ୍ଠିତ ହେବାର ତାତ୍ପର୍ଯ୍ୟ ହେଉଛି ଅହିଂସା, ସମତା ଓ ସ୍ୱାଧୀନତା ହିଁ ଏହି ସମାଜର ଆଧାର ହେବ । ଏହି ମୂଲ୍ୟବୋଧମାନ ପରସ୍ପର ସହ ସଂଯୋଜିତ ଓ ପରସ୍ପରର ପରିପୂରକ । ସମାଜ ଅହିଂସକ ହେବାର ଅର୍ଥ ହେଉଛି ଏହା ବ୍ୟକ୍ତି ସ୍ୱାଧୀନତା ଓ ସମତା -ଭିତ୍ତିକ ମଧ୍ୟ ହୋଇଥିବ । ସେହିପରି ଏକ ସମତାଭିତ୍ତିକ ସମାଜ ହିଁ ଅହିଂସା-ସମାଜ ହୋଇପାରିବ ଯେଉଁଥିରେ ପ୍ରତ୍ୟେକ ନାଗରିକ ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରିପାରିବ । ବ୍ୟକ୍ତି ସ୍ୱାଧୀନତା ସେହି କ୍ଷେତ୍ରରେ ସୁରକ୍ଷିତ ରହିବ ଯାହା ଅହିଂସ ହୋଇଥିବ ଓ ଯାହା ସମତାକୁ ପ୍ରାଧାନ୍ୟ ଦେଉଥିବ । ଏହିପରି ଅହିଂସା, ସମତା ଓ ସ୍ୱାଧୀନତାକୁ ମୌଳିକ ଆଦର୍ଶ ଭାବରେ ମହାତ୍ମାଙ୍କ ରାଜନୈତିକ ଦର୍ଶନରେ ଗୁରୁତ୍ୱ ଦିଆଯାଇଛି । ଏହି ମୂଲ୍ୟବୋଧମାନ ସାମାଜିକ ଜୀବନ ପ୍ରବାହରେ ଯେତେ ଅଧିକ ପ୍ରତିଫଳିତ ହେଉଥିବ, ସମାଜ ସେତେ ଅଧିକ ପ୍ରଗତିଶୀଳ ଓ ନୀତିପୂର୍ଣ୍ଣ ହେଉଥିବ । ଏହି ମୂଲ୍ୟବୋଧମାନ ନିରଙ୍କୁଶ ହୋଇଥିବାରୁ ସାମଗ୍ରିକ ଭାବେ ଏହି ମୂଲ୍ୟଚୟ ଯେ ସମାଜରେ ପ୍ରତିଫଳିତ ହେବ, ଏହା ହୁଏତ ସମ୍ଭବ ହୋଇନପାରେ । ତେବେ ସମାଜ ଯେତିକି ବିକଶିତ ହେଉଥିବ, ଏହି ମୂଲ୍ୟଚୟମାନ ସମାଜରେ ଅଧିକରୁ ଅଧିକ ବାସ୍ତବ ରୂପ ନେଉଥିବ । ମହାତ୍ମା ସମାଜର ନୈତିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି ଓ ଯାହା କିଛି ଦୁନିଆରେ ଭୌତିକ ବା ପ୍ରାଯୁକ୍ତିକ ବିକାଶ ହେଉଥିଲେ ମଧ୍ୟ ନୈତିକ ମୂଲ୍ୟବୋଧର ବିକାଶ ନ ହେଲେ ସମାଜ ଯେ କ୍ଷୟଶୀଳ ହେବ, ଏହା ଅନୁଭବ କରିଛନ୍ତି । ସର୍ବୋଦୟ ସମାଜର ପରିକଳ୍ପନା ଭିତରେ ନୈତିକ ଆଦର୍ଶକୁ ପ୍ରାଧାନ୍ୟ ଦିଆଯାଇଛି ଓ ସମସ୍ତ ସାମାଜିକ ସମ୍ବନ୍ଧ ଓ ସଂଗଠନକୁ ନୈତିକତାର ଆଧାର ଉପରେ ବିକଶିତ କରାଯାଇଛି । ବିଶ୍ୱ ଦୃଶ୍ୟପଟ୍ଟରେ ହେଉ ବା ଭାରତୀୟ ସମାଜରେ ହେଉ ସେ ମାନବିକତାର ଯେଉଁ ବିପର୍ଯ୍ୟୟ, ଯୁଦ୍ଧ, ହିଂସା, ଶୋଷଣ, ଅନ୍ୟାୟ, ଭେଦଭାବ ଓ ବୈଷମ୍ୟର ଚିତ୍ର ଦେଖିଛନ୍ତି ତାହାର ପରିବର୍ତ୍ତନ ପାଇଁ ନୈତିକତାକୁ ପ୍ରାଧାନ୍ୟ ଦେଇଛନ୍ତି ଓ ଏକ ନୈତିକ ସମାଜର ପରିକଳ୍ପନା କରିଛନ୍ତି ଯାହାକୁ ସର୍ବୋଦୟ ବା ସର୍ବଜନହିତୈଷୀ ଆଦର୍ଶ ସମାଜ କୁହାଯାଉଛି । ସର୍ବୋଦୟ ସମାଜ ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଉପନିବେଶବାଦ ।

ଏଣୁ ଭାରତବର୍ଷକୁ ସାମ୍ରାଜ୍ୟବାଦର ବିଲୋପ ପାଇଁ ସେ ନିଜକୁ ସଂପୃକ୍ତ କରିଛନ୍ତି । ଭାରତର ରାଜନୈତିକ ସ୍ୱାଧୀନତା ତାଙ୍କପାଇଁ ସେହି ସ୍ଥିତିରେ ସବୁଠାରୁ ବଡ଼ ଆହ୍ୱାନ ମନେ ହୋଇଛି । ଭାରତ ରାଜନୈତିକ ସ୍ୱାଧୀନତା ଲାଭକରିବା ଦ୍ୱାରା ସମଗ୍ର ପୃଥିବୀରୁ ଉପନିବେଶବାଦର ବିଲୟ ପ୍ରକିୟା ଆରମ୍ଭ ହେବ । ମନୁଷ୍ୟ ସମାଜରୁ ହିଂସା ଓ ଯୁଦ୍ଧ ଦୂର କରିବାକୁ ହେଲେ ଉପନିବେଶବାଦର ବିଲୁପ୍ତ ହେବ ଆବଶ୍ୟକ । ପୃଥିବୀକୁ ଯୁଦ୍ଧମୁକ୍ତ କରିବାକୁ ଏହା ହେବ ପ୍ରଥମ ଆବଶ୍ୟକତା, ତେବେ ଭାରତବର୍ଷରୁ ସାମ୍ରାଜ୍ୟବାଦର ବିଲୋପ ପାଇଁ ସେ ଅହିଂସା ଓ ସତ୍ୟାଗ୍ରହକୁ ତାଙ୍କର ସାଧନଭାବେ ନେଇ ଅହିଂସାର ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି । ଅହିଂସା ଓ ସତ୍ୟାଗ୍ରହ ଯେ ରାଜନୈତିକ ପରିବର୍ତ୍ତନର ସାଧନ ହୋଇପାରିବ ଏହାର ପ୍ରୟୋଗ କ୍ଷେତ୍ରରେ ମହାତ୍ମା ବିଶ୍ୱରେ ପଥପ୍ରଦର୍ଶକ ହୋଇଛନ୍ତି । ସେହିପରି ଭାରତୀୟ ସମାଜରେ ରହିଥିବା ନାନା ଦୁଃସ୍ଥିତିର ବାସ୍ତବ ଉପଲବ୍ଧିରୁ ସେ ଏହାର ପୁନଃନିର୍ମାଣ ପାଇଁ ଗମ୍ଭୀର ସମ୍ପୃକ୍ତି ବ୍ୟକ୍ତ କରିଛନ୍ତି । ଏହି ପୃଷ୍ଠଭୂମିରେ ସେ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମର ସୂତ୍ରପାତ କରିଛନ୍ତି । ଗ୍ରାମବହୁଳ ରାଷ୍ଟ୍ରର ବିକାଶର ଧାରା ଗ୍ରାମମାନଙ୍କର ପୁନନିର୍ମାଣରୁ ଆରମ୍ଭ ହେବା ଆବଶ୍ୟକ । ଫଳରେ ଗ୍ରାମମାନଙ୍କୁ କିପରି ଉନ୍ନତ ଓ ବିକଶିତ କରିହେବ, ସେପାଇଁ ମହାତ୍ମା ତାଙ୍କ ରଚନାତ୍ମକ କାର୍ଯ୍ୟସୂଚୀର ବ୍ୟାପକ ପ୍ରୟୋଗ ପାଇଁ ପ୍ରୟାସ କରିଛନ୍ତି । ସମାଜର ରାଜନୈତିକ, ଅର୍ଥନୈତିକ, ଶୈକ୍ଷିକ ଓ ସାଂସ୍କୃତିକ ପରିବେଶରେ ମୌଳିକ ପରିବର୍ତ୍ତନ ପାଇଁ ପ୍ରୟାସ ସମୟରେ ବିଭିନ୍ନ ବିରୋଧ, ଦ୍ୱନ୍ଦ୍ୱ, ବିବାଦ ଓ ସମସ୍ୟା ସୃଷ୍ଟି ହୋଇପାରେ । ଏକ ପ୍ରଚଳିତ ବ୍ୟବସ୍ଥାକୁ ଅନ୍ୟ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଏକ ସହଜ ପ୍ରକ୍ରିୟା ନୁହେଁ, ଏ କ୍ଷେତ୍ରରେ ନାନା ଦ୍ୱନ୍ଦ୍ୱ ଓ ସମସ୍ୟା ଆସିପାରେ । ସେପରି ସ୍ଥିତିରେ ମହାତ୍ମା ଏହି ସମସ୍ୟାର ସମାଧାନ ପାଇଁ ସେ ସତ୍ୟାଗ୍ରହକୁ ସର୍ବଶ୍ରେଷ୍ଠ ଆୟୁଧ ଭାବରେ ଗ୍ରହଣ କରିଛନ୍ତି । ମହାତ୍ମାଙ୍କର ବିଶ୍ୱାସ ରହିଥିଲା ସେ ସତ୍ୟାଗ୍ରହ ହିଁ ସକଳ ସମସ୍ୟାର ସମାଧାନ କ୍ଷେତ୍ରରେ ଏକ ନିର୍ଭରଶୀଳ, ନ୍ୟାୟପୂର୍ଣ୍ଣ ଅହିଂସ ପନ୍ଥା ହୋଇପାରିବ । ସାମାଜିକ ଶୋଷଣ, ଭେଦଭାବ ଓ ଅନ୍ୟାୟର ଦୂରୀକରଣ ପାଇଁ ଲୋକମାନଙ୍କ ମଧ୍ୟରେ ନୈତିକ ସଚେତନତା ସୃଷ୍ଟି କରିବାକୁ ହେବ ଓ ଏଥିପାଇଁ ସତ୍ୟାଗ୍ରହ ଉପଯୁକ୍ତ ସାଧାନ ବୋଲି ମହାତ୍ମା ଗ୍ରହଣ କରୁଥିଲେ ।

‘ପୂର୍ଣ୍ଣ ସ୍ୱରାଜ’ର ପରିକଳ୍ପନା

ସର୍ବୋଦୟ ସମାଜର ବିକାଶପାଇଁ ମହାତ୍ମା ଯେଉଁ ରାଜନୈତିକ ବିକଳ୍ପର ପରିକଳ୍ପନା କରିଥିଲେ ତାହାକୁ ‘ପୂର୍ଣ୍ଣ ସ୍ୱରାଜ’ କୁହାଯାଉଛି । ସାମ୍ରାଜ୍ୟବାଦ ଯେଉଁପରି ଏକ ମନ୍ଦ ବ୍ୟବସ୍ଥା, ରାଷ୍ଟ୍ର ମଧ୍ୟ ସେହିପରି ଏକ ମନ୍ଦ ରାଜନୈତିକ ସଂଗଠନ । ରାଷ୍ଟ୍ର କ୍ଷମତା ଓ କେନ୍ଦ୍ରୀୟ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ହୋଇଥିବାର ଏହା ଅହିଂସାର ଆଧାର ହୋଇପାରିବ ନାହିଁ ବୋଲି ମହାତ୍ମା ଭାବୁଥିଲେ । ଏକ କେନ୍ଦ୍ରୀୟ ରାଜନୈତିକ ବ୍ୟବସ୍ଥା ପରିବର୍ତ୍ତେ ସେ ଏକ ବିକେନ୍ଦ୍ରୀଭୂତ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିଲେ । ମହାତ୍ମା ଏହି ପରିପ୍ରେକ୍ଷୀରେ ନିରାଷ୍ଟ୍ରବାଦର ସମର୍ଥକ ଥିଲେ । ବିକଶିତ ନିରାଷ୍ଟ୍ରବାଦ ମହାତ୍ମାଙ୍କ ପାଇଁ ଏକ ଆଦର୍ଶ ରାଜନୈତିକ ବ୍ୟବସ୍ଥା ଥିଲା । ପ୍ରତ୍ୟେକ ପଞ୍ଚାୟତ ସ୍ୱାବଲମ୍ବୀ ଓ ସ୍ୱାଧୀନତା ଭାବେ ବିକଶିତ ହେବ । ପରସ୍ପର ନିର୍ଭରଶୀଳତା ଭିତରେ ସ୍ୱାବଲମ୍ବୀ ଗ୍ରାମ ପଞ୍ଚାୟତମାନେ ଏକ ଅହିଂସ ରାଜନୈତିକ ବ୍ୟବସ୍ଥା ସୃଷ୍ଟି କରିବେ । ରାଷ୍ଟ୍ରୀୟ ବ୍ୟବସ୍ଥା ସହିତ ସଂପୃକ୍ତ କେନ୍ଦ୍ରୀୟ ସଂସଦ, ବିଚାର ବିଭାଗ, ସୈନ୍ୟବାହିନୀ, ରାଜନୈତିକ ଦଳ ଇତ୍ୟାଦିକୁ ବିଲୋପ କରାଯିବ । ସ୍ୱାବଲମ୍ବୀ ହୋଇ ପ୍ରତ୍ୟେକ ପଞ୍ଚାୟତ ବିକଶିତ ହେବ ଓ ଗ୍ରାମର ସମସ୍ତ ସମସ୍ୟା ଲୋକମାନେ ସମାଧାନ କରିବେ । ଏହିପରି ବ୍ୟବସ୍ଥାରେ ଲୋକମାନେ ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରିବେ ଓ ଏହି ସବୁ ପଞ୍ଚାୟତମାନେ ସମତା ଉପରେ ପ୍ରତିଷ୍ଠିତ ହେବ । ଲୋକମାନଙ୍କ ମଧ୍ୟରେ ସମତାର ବାତାବରଣ ରହିଲେ ଅହିଂସା ସବୁ କ୍ଷେତ୍ରରେ ରହିବ ଓ ସମସ୍ତ ନାଗରିକ ସ୍ୱାଧୀନତା ଉପଭୋଗ କରିବେ । ଗ୍ରାମସ୍ୱରାଜ ମାଧ୍ୟମରେ ପୂର୍ଣ୍ଣ ସ୍ୱରାଜ ସମ୍ଭବ ହୋଇପାରିବ । ମହାତ୍ମାଙ୍କର ବିକଳ୍ପ ରାଜନୈତିକ ବ୍ୟବସ୍ଥା ନିରାଷ୍ଟ୍ରବାଦକୁ ସମର୍ଥନ କରେ । ଗ୍ରାମ ସ୍ୱରାଜରୁ ପୂର୍ଣ୍ଣ ସ୍ୱରାଜ ଓ ପୂର୍ଣ୍ଣ ସ୍ୱରାଜରୁ ନିରାଷ୍ଟ୍ରବାଦ ବା ଆନାର୍କିଜିମ୍କୁ ସେ ଏକ ଆଦର୍ଶ ରାଜନୈତିକ ବ୍ୟବସ୍ଥା ଭାବେ ପରିକଳ୍ପନା କରିଥିଲେ ।

ନିରନ୍ତର ବିକାଶ ଓ ପରିବେଶ ସୁରକ୍ଷା

ମହାତ୍ମା ଅର୍ଥନୈତିକ ବିକଳ୍ପ ନେଇ ମଧ୍ୟ ଗମ୍ଭୀର ଭାବନା ବ୍ୟକ୍ତ କରିଥିଲେ । ସେ ବୃହତ ଶିଳ୍ପ ପରିବର୍ତ୍ତେ କୁଟୀର ଶିଳ୍ପର ବିକାଶକୁ ପ୍ରାଧାନ୍ୟ ଦେଉଥିଲେ । ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରତି ଆଗ୍ରହକୁ ସେ ନାପସନ୍ଦ କରୁଥିଲେ ଓ ତା ପରିବର୍ତ୍ତେ କୁଟୀର ଶିଳ୍ପର ବିକାଶକୁ ଅର୍ଥନୈତିକ ସମସ୍ୟାର ସମାଧାନ ଭାବେ ନେଉଥିଲେ । ବୃହତ୍ ଶିଳ୍ପର ବିକାଶଦ୍ୱାରା ପୁଂଜିବାଦ, ଅର୍ଥନୈତିକ ବୈଷମ୍ୟ ଓ ବେକାରୀ ସମସ୍ୟା ବୃଦ୍ଧିପାଉଛି ବୋଲି ସେ ଭାବୁଥିଲେ । ଏହି ସ୍ଥିତିରେ ସମାଜର ଅର୍ଥନୈତିକ ସନ୍ତୁଳନ ଓ ସମତା ପାଇଁ ସେ କ୍ଷୁଦ୍ର ଓ କୁଟୀରଶିଳ୍ପର ବିକାଶକୁ ଗୁରୁତ୍ୱ ଦେଉଥିଲେ । ଏହା ସହିତ ବୃହତ୍ ଶିଳ୍ପ ଦ୍ୱାରା ପରିବେଶର ଯେପରି ପ୍ରଦୂଷଣ ହେବ ତାହା ମାନବ ସଭ୍ୟତା ପାଇଁ ଭୟଙ୍କର ସମସ୍ୟା ସୃଷ୍ଟି କରିବ । ନିରନ୍ତର ବିକାଶ ଓ ପରିବେଶ ସୁରକ୍ଷା ଅର୍ଥନୈତିକ ବିକାଶ ପାଇଁ ମାନଦଣ୍ଡ ହେବା ଆବଶ୍ୟକ । ପରିବେଶ ଅନୁକୂଳ ପ୍ରଯୁକ୍ତିର ବିନିଯୋଗ ହେବ ଓ ସବୁ କର୍ମକ୍ଷମ ବ୍ୟକ୍ତି କର୍ମସଂସ୍ଥାନ ପାଇପାରିବେ । ପ୍ରତ୍ୟେକ ଅଞ୍ଚଳରେ ଉପଲବ୍ଧ ପ୍ରାକୃତିକ ସଂଶାଧନମାନଙ୍କୁ ନେଇ କୁଟୀର ଶିଳ୍ପର ବିକାଶ ଓ କୃଷିକୈନ୍ଦ୍ରିକ ଶିଳ୍ପ ମାଧ୍ୟମରେ ବେକାରୀ ସମସ୍ୟାକୁ ଦୂରୀଭୂତ କରାଯାଇପାରିବ । ସରଳ ଓ ସ୍ୱାବଲମ୍ବନଶୀଳ ଜୀବନଧାରାକୁ ପ୍ରାଧାନ୍ୟ ଦିଆଯିବ ଓ ଲୋକମାନଙ୍କର ସମ୍ମିଳିତ ଉଦ୍ୟମରେ ପ୍ରତ୍ୟେକ ପଞ୍ଚାୟତ ସ୍ୱୟଂଚାଳିତ, ସ୍ୱାବଲମ୍ବୀ ଏକକ ଭାବରେ ଗଢ଼ି ଉଠିବ । ପରସ୍ପର ନିର୍ଭରଶୀଳ ପଞ୍ଚାୟତ ବ୍ୟବସ୍ଥାର ଆଧାର ଉପରେ ପୂର୍ଣ୍ଣସ୍ୱରାଜ ବାସ୍ତବ ଭିତ୍ତି ନେଇପାରିବ ।

ଗ୍ରାମସ୍ୱରାଜ ଓ ପୂର୍ଣ୍ଣସ୍ୱରାଜକୁ ସଫଳ କରିବାପାଇଁ ଏକ ଉନ୍ନତି ଶିକ୍ଷାବ୍ୟବସ୍ଥା ଅବଶ୍ୟମ୍ଭାବୀ ମନେହୁଏ । ଏହି ପରିପ୍ରେକ୍ଷୀରେ ମହାତ୍ମା ଏକ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ମଧ୍ୟ କରିଥିଲେ । ମହାତ୍ମାଙ୍କ ପ୍ରଚଳିତ ଶିକ୍ଷାକୁ ମୌଳିକ ଶିକ୍ଷା ବା ନୟୀତାଲିମ କୁହାଯାଏ । ପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ପାଠ୍ୟସୂଚୀରେ ପରିବର୍ତ୍ତନ କରି ସେ ଏସବୁର ଏକ ବିକଳ୍ପ ପଦ୍ଧତି ସ୍ଥିର କରିଥିଲେ । ପ୍ରତ୍ୟେକ ଶିଶୁ ଭିତରେ ରହିଥିବା ସାମର୍ଥ୍ୟକୁ ବିକଶିତ କରାଇବା, ଏକ ନୀତିପୂର୍ଣ୍ଣ ଜୀବନ ପାଇଁ ତାକୁ ପ୍ରେରଣା ଦେବା ଓ ସ୍ୱାବଲମ୍ବୀ ହେବାକୁ ପ୍ରସ୍ତୁତ କରିବା ଶିକ୍ଷାର ମୁଖ୍ୟ ଆଭିମୁଖ୍ୟ ବୋଲି ସେ ଗ୍ରହଣ କରୁଥିଲେ । ପ୍ରତ୍ୟେକ ଶିଶୁର ଶାରୀରିକ, ମାନସିକ ଓ ଆତ୍ମିକ ବିକାଶକୁ ସେ ଗୁରୁତ୍ୱ ଦେଉଥିଲେ । ବ୍ୟକ୍ତିଭିତରେ ସୃଜନଶୀଳତା ଓ ମାନବିକ ସମ୍ବେଦନର ବିକାଶକୁ ସେ ଶିକ୍ଷାର ମୂଳ ଲକ୍ଷ୍ୟ ଭାବେ ନେଉଥିଲେ । ପ୍ରଚଳିତ ଶିକ୍ଷା ଯେପରି ଚାକିରୀ ସର୍ବସ୍ୱ ହେଉଛି ଓ ଅସ୍ୱାଭାବିକ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରୁଛି, ତାହାର ସେ ବିରୋଧୀ ଥିଲେ । ମୌଳିକ ଶିକ୍ଷାର ବିକାଶ ଦ୍ୱାରା ଏକ ସ୍ୱାବଲମ୍ବନଶୀଳ ଓ ନୀତିପୂର୍ଣ୍ଣ ସମାଜର ଯେ ବିକାଶ ହୋଇପାରିବ ଏହା ତାଙ୍କର ବିଚାର ଥିଲା । ସମାଜର ରାଜନୈତିକ ପୁନର୍ବିନ୍ୟାସ ଓ ଅର୍ଥନୈତିକ ପୁନର୍ନିମାଣ ପାଇଁ ମୌଳିକ ଶିକ୍ଷା ବ୍ୟବସ୍ଥା ଯେ ମୁଖ୍ୟ ସାଧନ ହେବ, ଏହା ତାଙ୍କର ବିଶ୍ୱାସ ରହିଥିଲା ।

ସମାଜର ନୈତିକ ଉତ୍ତରଣ ନ ହେଲେ ବିକାଶର ଅର୍ଥ ରହିବ ନାହିଁ

ସମାଜରେ ମୌଳିକ ପରିବର୍ତ୍ତନ ପାଇଁ ଲୋକମାନଙ୍କ ଭିତରେ ନୈତିକ ସଚେତନତା ବିକାଶକୁ ମହାତ୍ମା ପ୍ରାଧାନ୍ୟ ଦେଉଥିଲେ । ସମାଜର ନୈତିକ ଉତ୍ତରଣ ନ ହେଲେ ବିକାଶର ଅର୍ଥ ରହିବ ନାହିଁ -ଏହା ତାଙ୍କର ଉପଲବ୍ଧି ଥିଲା । ପ୍ରତ୍ୟେକ ନାଗରିକ ସରଳ ଜୀବନ, ସାଧୁତା ଓ ସମାଜ ପ୍ରତି ଉତ୍ତରଦାୟିତ୍ୱ ଭାବ କିପରି ପୋଷଣ କରିବେ ତାହା ବି ତାଙ୍କ ବିଚାରରେ ପ୍ରାଧାନ୍ୟ ନେଇଥିଲା । ଜୀବନର ଯେ କୌଣସି ଲକ୍ଷ୍ୟସାଧନ କ୍ଷେତ୍ରରେ ପନ୍ଥାର ପବିତ୍ରତା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହା ସେ ଭାବୁଥିଲେ । ପନ୍ଥାର ନୈତିକ ମାନଉପରେ ଲକ୍ଷ୍ୟର ମହତ୍ତ୍ୱ ନିର୍ଭର କରେ । ଲକ୍ଷ୍ୟ ଯେତେ ମହତ୍ତ୍ୱପୂର୍ଣ୍ଣ ହେଲେ ବି ପ୍ରୟୋଗ ହେଉଥିବା ପନ୍ଥା ଯଦି ଉନ୍ନତ ବା ନୀତିପୂର୍ଣ୍ଣ ନୁହେଁ ମହାତ୍ମା ତାକୁ ସ୍ୱୀକାର କରିବେ ନାହିଁ । ଲକ୍ଷ୍ୟ ମହତ୍ ହେବା ସହିତ ପନ୍ଥା ବି ମହତ୍ ହେବା ଆବଶ୍ୟକ । ଏକ ଅନୈତିକ ପନ୍ଥା ଏକ ମହତ୍ ଲକ୍ଷ୍ୟ ସାଧନପାଇଁ ଆଧାର ହୋଇପାରିବ ନାହିଁ । ପ୍ରତ୍ୟେକ ନାଗରିକ ଭିତରେ ଏହି ସଚେତନତା ରହିଲେ ସମାଜର ଗୁଣାତ୍ମକ ବିକାଶ ସମ୍ଭବ ହୋଇପାରିବ । ଏହା ସହିତ ଶ୍ରମର ମର୍ଯ୍ୟାଦାକୁ ମହାତ୍ମା ସର୍ବଦା ଗୁରୁତ୍ୱ ଦେଉଥିଲେ । ଶ୍ରମବିହୀନ ଉପାର୍ଜନକୁ ସେ ପାପ ମନେ କରୁଥିଲେ । ଅହିଂସାର ଏକ ବ୍ୟାପକ ଅର୍ଥ କ୍ଷେତ୍ରରେ ସେ ଭାବୁଥିଲେ ଯେ, ଶ୍ରମବିହୀନ ଉପାର୍ଜନ ହେଉଛି ହିଂସା । ପ୍ରତ୍ୟେକ ବ୍ୟକ୍ତିର ଜୀବନର ମୂଲ୍ୟ ରହିଛି ଓ କୌଣସି ପ୍ରକାରର ସାମାଜିକ ଭେଦଭାବକୁ ସେ ଅନୈତିକ ମନେ କରୁଥିଲେ । ସର୍ବୋଦୟ ସମାଜର ନିର୍ମାଣ କ୍ଷେତ୍ରରେ ରାଜନୈତିକ ପରିବର୍ତ୍ତନ, ଅର୍ଥନୈତିକ ବିକଳ୍ପ ଓ ଶୈକ୍ଷିକ ତଥା ନୈତିକ ବିକାଶକୁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥିଲେ ।

ମହାତ୍ମାଙ୍କ ରାଜନୈତିକ ଓ ସମାଜ ଦର୍ଶନ

ଅନେକ ସମୟରେ କୁହାଯାଏ ଯେ ମନୁଷ୍ୟମାନେ ବହୁ ସମୟରେ ଅର୍ଥନୈତକ ଉଦେଶ୍ୟ ଦ୍ୱାରା ପରିଚାଳିତ ହୋଇଥାନ୍ତି । ସମାଜର ଅର୍ଥନୈତିକ ବ୍ୟବସ୍ଥା ଅନ୍ୟାନ୍ୟ ସାମାଜିକ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଅନେକ ଯୁଦ୍ଧ, ହିଂସା, ବିପ୍ଲବ ଇତ୍ୟାଦି ପଶ୍ଚାତରେ ଅର୍ଥନୈତିକ କାରଣ ନିହିତ ଥାଏ । ସମାଜରେ ଅର୍ଥନୈତକ ସମତା ଆଣିବା ଏତେ ସହଜ ବ୍ୟାପାର ମନେହୁଏ ନାହିଁ । ଏହି ସମସ୍ୟା କ୍ଷେତ୍ରରେ ମହାତ୍ମା ଏହାର ଏକ ନୈତିକ ସମାଧାନର ପନ୍ଥା ଦେଖାଇଛନ୍ତି । ଯେଉଁମାନଙ୍କ ପାଖରେ ପ୍ରଚୁର ଧନ, ସଂପତ୍ତି ରହିଛି, ସେମାନଙ୍କୁ ଏହି ଧାରଣା ଦିଆଯିବା ଆବଶ୍ୟକ ଯେ ସେମାନେ ହେଉଛନ୍ତି ସଂପତ୍ତିର ନ୍ୟାସୀ ବା ଟ୍ରଷ୍ଟି ମାତ୍ର । ସକଳ ସଂପତ୍ତିର ଅଧିକାରୀ ହେଉଛି ସମାଜ । ମହାତ୍ମା ନ୍ୟାସୀତ୍ୱ ନାମରେ ଏକ ବିଚାରର ଅବତାରଣା କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଏକ ସାଧାରଣ ଜୀବନ ଅତିବାହିତ କରିବେ ଓ ତାଙ୍କ ପାଖରେ ଯେଉଁ ବଳକା ଅର୍ଥ ରହିବ, ତାହା ସମାଜର ମଙ୍ଗଳ ବିଧାନ ପାଇଁ ଆବଶ୍ୟକ ସମୟରେ ବିନିଯୋଗ ହେବ । ସମାଜର ସବୁ ମଣିଷଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହେବା ଦରକାର । ଯାହା ପାଖରେ ଅଧିକ ସଂପତ୍ତି ରହିଛି ସେ ତାହାର ନ୍ୟାସୀ ମାତ୍ର । ନ୍ୟାସୀତ୍ୱ ବିଚାରକୁ ସମାଜରେ ବ୍ୟାପକ ପ୍ରସାର କରିବାଦ୍ୱାରା ସମାଜରେ ଏକ ନୈତିକ ପରିବର୍ତ୍ତନ ଆସିପାରିବ । ସର୍ବୋଦୟ ପରିକଳ୍ପନା ପଶ୍ଚାତରେ ଏହିପରି ଏକ ନୈତିକ ଭାବନା ରହିବା ଦୃଷ୍ଟିଗୋଚର ହୁଏ । ସର୍ବୋଦୟ ସମାଜର ପ୍ରତିଷ୍ଠା ପୃଷ୍ଠଭୂମିରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭାବନା ହେଉଛି ସତ୍ୟାଗ୍ରହ । ମହାତ୍ମାଙ୍କର ରାଜନୈତିକ ବିଚାର କ୍ଷେତ୍ରରେ ସତ୍ୟାଗ୍ରହ ଏକ ମୌଳିକ ଭାବନା ଓ ଏହାର ଏକ ବ୍ୟାପକ ପରିଭାଷା ରହିବା ମନେହୁଏ ।

ସମାଜର ଯେ କୌଣସି ଅନ୍ୟାୟ, ଦ୍ୱନ୍ଦ୍ୱ, ପାର୍ଥକ୍ୟ, ବିବାଦ ଇତ୍ୟାଦି ଦୂର କରିବାକୁ ସେ ସତ୍ୟାଗ୍ରହକୁ ସର୍ବଦା ଏକ ଆୟୁଧ କରୁଥିଲେ । ସତ୍ୟାଗ୍ରହ ଏକ ଅହିଂସ ବିରୋଧ ବା ପ୍ରତିବାଦ ଯାହାଦ୍ୱାରା ପ୍ରତିପକ୍ଷର ମନୋଭାବରେ ଏକ ନୈତିକ ପରିବର୍ତ୍ତନ ଅଣାଯାଏ । ନ୍ୟାୟ ପ୍ରତିଷ୍ଠା ପାଇଁ ଅନ୍ୟାୟ ବିରୁଦ୍ଧରେ ହେଉଥିବା ଅହିଂସ ପ୍ରତିବାଦକୁ ସତ୍ୟାଗ୍ରହ କୁହାଯାଏ । ମହାତ୍ମା ଜୀବନରେ ଅନେକ ସତ୍ୟାଗ୍ରହରେ ସଂପୃକ୍ତ ହୋଇଥିବା ଦେଖାଯାଏ । ଯେକୌଣସି ସମସ୍ୟା ବା ଦ୍ୱନ୍ଦ୍ୱର ସମାଧାନ ପାଇଁ ସତ୍ୟାଗ୍ରହ ଯେ ଏକ ସର୍ବୋକୃଷ୍ଟ ପନ୍ଥା, ଏହା ମହାତ୍ମାଙ୍କର ବିଶ୍ୱାସ ରହିଥିଲା । ସତ୍ୟାଗ୍ରହୀ ପ୍ରତିପକ୍ଷ ପ୍ରତି କୌଣସି ବିଦ୍ୱେଷ ପୋଷଣ କରିବେ ନାହିଁ ଏବଂ ଯେକୌଣସି ତ୍ୟାଗ ସହିବାକୁ ପ୍ରସ୍ତୁତ ହେବେ । ପ୍ରତିପକ୍ଷର ମାନସିକତାରେ ପରିବର୍ତ୍ତନ ପାଇଁ ସତ୍ୟାଗ୍ରହୀ ଯେକୌଣସି କଷ୍ଟ ସହ୍ୟ କରିବେ, କିନ୍ତୁ ପ୍ରତିପକ୍ଷ ପ୍ରତି ମନରେ କୌଣସି ଘୃଣା ରଖିବେ ନାହିଁ । ସତ୍ୟାଗ୍ରହର ପନ୍ଥା ଭିତରେ ଆଲୋଚନା, ନୈତିକ ନିବେଦନ, ଅନଶନ, ଅସହଯୋଗ, ଆଇନ ଅମାନ୍ୟ ପରି କାର୍ଯ୍ୟ ସଂପୃକ୍ତ । କୌଣସି ବ୍ୟକ୍ତି, ଗୋଷ୍ଠୀ, ଗଣ, ସମୂହ ଏପରିକି ଏକ ଦେଶ ବି ସତ୍ୟାଗ୍ରହରେ ସମ୍ପୃକ୍ତ ହୋଇପାରିବ । ଅନ୍ୟାୟ ବିରୁଦ୍ଧରେ ସତ୍ୟାଗ୍ରହ ଯେ ସବୁଠାରୁ ଉତ୍କୃଷ୍ଟ ନୈତିକ ପ୍ରତିବାଦ ଏହା ମହାତ୍ମାଙ୍କର ବିଶ୍ୱାସ ରହିଥିଲା । ଏକ ସର୍ବୋଦୟ ସମାଜ ପ୍ରତିଷ୍ଠା ପୃଷ୍ଠଭୂମିରେ ଲକ୍ଷ୍ୟ ହାସଲ ପାଇଁ କୌଣସି ଦ୍ୱନ୍ଦ୍ୱ ବା ସମସ୍ୟାର ସମାଧାନ କ୍ଷେତ୍ରରେ ସତ୍ୟାଗ୍ରହ ଏକ ସାଧନ ହୋଇପାରିବ । ମହାତ୍ମାଙ୍କ ସମଗ୍ର ଚିନ୍ତା ମାନସରେ ସତ୍ୟାଗ୍ରହ ହେଉଛି ଏକ ମୌଳିକ ଭାବନା, ଯାହା ରାଜନୈତିକ ଦର୍ଶନକୁ ତାଙ୍କର ଏକ ବଡ଼ ଅବଦାନ ।

ସମାଜରେ ମୌଳିକ ଢାଚାଗତ ପରିବର୍ତ୍ତନ, ସମାଜର ନୈତିକ ଉତ୍ତରଣ, ନ୍ୟାସୀତ୍ୱ, ସତ୍ୟାଗ୍ରହ ଭାବନା ସକଳ ସର୍ବୋଦୟ ସହ ସଂଶ୍ଲିଷ୍ଟ । ତେବେ ଏହି ସବୁ ଭାବନା ପୃଷ୍ଠଭୂମିରେ ରହିଛି ‘ମନୁଷ୍ୟ’ର ସ୍ୱରୂପ ନେଇ ମହାତ୍ମାଙ୍କର ବିଶ୍ୱାସ । ମନୁଷ୍ୟର ନୈତିକ ମହତ୍ତ୍ୱ ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଥିଲା । ମନୁଷ୍ୟ ସ୍ୱରୂପରେ ମହାନୀୟ । ସ୍ନେହ, ପ୍ରେମ, ଆନ୍ତରିକତା, ବନ୍ଧୁତ୍ୱଭାବ, ସହଯୋଗର ମନୋଭାବ ଇତ୍ୟାଦି ଉତ୍ତମ ଗୁଣମାନ ମନୁଷ୍ୟ ସ୍ୱଭାବରେ ଅନ୍ତର୍ନିହିତ । ଏହି ଉତ୍ତମ ଗୁଣ ଯୋଗୁଁ ଏକ ଆଦିମ ସ୍ଥିତିରୁ ସଭ୍ୟତାର କ୍ରମବିକାଶ ହୋଇ ଆମେ ଆଜିର ସ୍ଥିତିକୁ ଆସିପାରିଛେ । ସମାଜରେ ଯାହା କିଛି ଅନ୍ୟାୟ, ହିଂସା ଭେଦଭାବ ଇତ୍ୟାଦି ମନ୍ଦ ସ୍ଥିତି ରହିଛି ତାହା ମନ୍ଦ ସାମାଜିକ ବ୍ୟବସ୍ଥା ଯୋଗୁଁ ରହିଛି । ବ୍ୟବସ୍ଥାର ପରିବର୍ତ୍ତନ ହେଲେ ପ୍ରତ୍ୟେକ ବ୍ୟକ୍ତି ନୀତିମାନ ଓ ଆଦର୍ଶ ସ୍ୱଭାବଯୁକ୍ତ ହୋଇପାରିବ । ମହାତ୍ମାଙ୍କର ଏହା ମଧ୍ୟ ବିଶ୍ୱାସ ଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ଭିତରେ ଆତ୍ମା ରହିଛି, ଆତ୍ମା ହେଉଛି ଏଇ ଈଶ୍ୱରୀୟ ସତ୍ତା । ହିନ୍ଦୁଧର୍ମର ଅତି ଜନପ୍ରିୟ ଗ୍ରନ୍ଥ ‘ଗୀତା’ ମହାତ୍ମାଙ୍କର ପ୍ରେରଣାଦାୟୀ ପୁସ୍ତକ ଥିଲା ଓ ତାହାର ଭାବଧାରା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ପ୍ରତ୍ୟେକ ବ୍ୟକ୍ତି ଭିତରେ ରହିଥିବା ଆତ୍ମା ଏକ ଦିବ୍ୟ ଉପାଦାନ ହୋଇଥିବାରୁ ସବୁ ମନୁଷ୍ୟ ଯେ ଦେବତ୍ୱର ବନ୍ଧନରେ ଏକ ହୋଇପାରିବେ ଏହା ସେ ଗ୍ରହଣ କରୁଥିଲେ । ମହାତ୍ମାଙ୍କର ଏହା ମଧ୍ୟ ବିଶ୍ୱାସ ଥିଲା ଯେ ପ୍ରତ୍ୟେକ ବ୍ୟକ୍ତିର ନୈତିକ ପରିବର୍ତ୍ତନ ସମ୍ଭବ । ଉପଯୁକ୍ତ ଶିକ୍ଷା, ପ୍ରଶିକ୍ଷଣ ଓ ନୈତିକ ନିବେଦନଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ନୈତିକ ପରିବର୍ତ୍ତନ ସମ୍ଭବ । ବ୍ୟକ୍ତି ଭିତରେ ରହିଥିବା ପାଶବିକ ପ୍ରବୃତ୍ତିକୁ ପ୍ରଶମିତ କରି ବ୍ୟକ୍ତି ଭିତରେ ଦେବତ୍ୱର ମନୋଭାବ ସୃଷ୍ଟି କରାଯାଇପାରିବ । ପ୍ରତ୍ୟେକ ବ୍ୟକ୍ତିର ବିବେକ ଓ ଅନ୍ତରାତ୍ମାକୁ ନିବେଦନଦ୍ୱାରା ତା ଭିତରେ ଯେ ଏକ ମୌଳିକ ପରିବର୍ତ୍ତନ ଅଣାଯାଇ ପାରିବ ଏହା ତାଙ୍କର ବିଶ୍ୱାସ ରହିଥିଲା । ଯେ କୌଣସି ସାମାଜିକ ସମସ୍ୟାକୁ ମହାତ୍ମା ଏକ ନୈତିକ ସମସ୍ୟା ବୋଲି ଭାବୁଥିଲେ । ଏହି ଭାବନାରୁ ବ୍ୟକ୍ତିମାନଙ୍କର ନୈତିକ ପରିବର୍ତ୍ତନ ଦ୍ୱାରା ସାମାଜିକ ଦ୍ୱନ୍ଦ୍ୱ ଓ ସମସ୍ୟାର ଯେ ସମାଧାନ କରାଯାଇ ପାରିବ,ଏହା ତାଙ୍କର ଭାବନା ଥିଲା ।

ମହାତ୍ମାଙ୍କ ରାଜନୈତିକ ଓ ସମାଜ ଦର୍ଶନ ଉପରେ ବହୁ ଚର୍ଚ୍ଚା ବିଭିନ୍ନ ସ୍ତରରେ ହୋଇଆସୁଛି । ମହାତ୍ମା ଦାର୍ଶନିକ ନ ଥିଲେ କିମ୍ବା ତତ୍ତ୍ୱନିର୍ମାଣକାରୀ ନଥିଲେ । ବରଂ ତାଙ୍କର ଅସଂଖ୍ୟ ଚିଠିପତ୍ର, ଭାଷଣ ଓ ତାଙ୍କ ସଂପାଦିତ ପତ୍ରିକାମାନଙ୍କର ଲେଖମାନଙ୍କରୁ ସମୀକ୍ଷକ ଓ ଆଲୋଚକମାନେ ତାଙ୍କ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସିଦ୍ଧାନ୍ତମାନଙ୍କୁ ନିର୍ମାଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ବିଚାରର ମୌଳିକ ଭାବନା ଯଥା ସର୍ବୋଦୟ, ଅହିଂସା, ସତ୍ୟାଗ୍ରହ, ନ୍ୟାସୀତ୍ୱ, ମୌଳକି ଶିକ୍ଷା, ରଚନାତ୍ମକ କାର୍ଯ୍ୟସୂଚୀ, ନିରାଷ୍ଟ୍ରବାଦ, ଜୀବନର ସ୍ୱରୂପ ଇତ୍ୟାଦି ବିଷୟରେ ବହୁ ଚର୍ଚ୍ଚା ହୋଇଆସୁଛି । ଅନେକ ସମୀକ୍ଷକ ମତ ରଖିଥାନ୍ତି ଯେ ସେ ସମାଜ-ବିଜ୍ଞାନୀ ନ ଥିଲେ ବରଂ ଥିଲେ ସ୍ୱପ୍ନଦ୍ରଷ୍ଟ ଆଦର୍ଶବାଦୀ ବ୍ୟକ୍ତି । ତାଙ୍କର ସର୍ବୋଦୟ ଭାବନାଟି ଯେତେ ମାନବିକ ଓ ଆଦର୍ଶ ପରିକଳ୍ପନା ହେଲେ ବି ଏହା କେବଳ ଏକ କାଳ୍ପନିକ ଆଦର୍ଶ ବା ଇଭଟୋପିଆ । ଏହା ପାଶ୍ଚାତ୍ୟରେ କୌଣସି ବସ୍ତୁନିଷ୍ଠ କାରଣ ନାହିଁ ବା ଏହାର ବାସ୍ତବତା ନେଇ ସେପରି କିଛି ଯୁକ୍ତିସଙ୍ଗତ ବିଚାର ନାହିଁ । ଏହା କେବଳ ଜଣେ ଆଦର୍ଶବାଦୀ ସ୍ୱପ୍ନଦ୍ରଷ୍ଟା ବ୍ୟକ୍ତିଙ୍କର କାଳ୍ପନିକ ଅଭିବ୍ୟକ୍ତି ମାତ୍ର ।

ସର୍ବୋଦୟ ସମାଜର ପରିକଳ୍ପନା କେବଳ କୃଷିଭିତ୍ତିକ ଗ୍ରାମୀଣ ଜୀବନଧାରା କ୍ଷେତ୍ରରେ ସୀମିତ ରହିବ

ମହାତ୍ମା ବିଚାର କରିଛନ୍ତି, ଯେ ବ୍ୟବସ୍ଥିତ ସମାଜ ଓ ତାହାର ମୌଳିକ ଆଧାରମାନ ଅହିଂସା, ସମତା ଓ ସ୍ୱାଧୀନତା ଉପରେ ପ୍ରତିଷ୍ଠିତ ହୋଇନାହିଁ, ଏଣୁ ଏସବୁ ବ୍ୟବସ୍ଥା ନ୍ୟାୟିକ ନୁହେଁ । ମାନବିକ ପ୍ରୟାସରେ ସମାଜ ଓ ସାମାଜିକ ସଂଗଠନମାନଙ୍କୁ ଏହି ମୌଳିକ ଆଦର୍ଶ ଆଧାରରେ ନିର୍ମାଣ କରାଯାଇପାରିବ । ଏହା ସରକାରୀ ଉଦ୍ୟମରେ ନହୋଇ ସଚେତନ ନାଗରିକଙ୍କର ସ୍ୱେଚ୍ଛାକୃତ ଉଦ୍ୟମରେ ପରିଚାଳିତ ହେବ । ଏହାର ଅବଧାରଣ ଏକ କୃଷିଭିତ୍ତିକ ଗ୍ରାମୀଣ ସମାଜ ସ୍ତରରେ କରାଯାଇପାରିବ ଯେଉଁଟି ଗ୍ରାମମାନଙ୍କୁ ସ୍ୱାବଲମ୍ବୀ ଏକକ ସଂଗଠନ ଭାବରେ ନିର୍ମାଣ କରାଯିବ । ଏହାର ନିର୍ମାଣପାଇଁ ରଚନାତ୍ମକ କାର୍ଯ୍ୟକ୍ରମକୁ ସାଧନ କରାଯିବ । ସମଗ୍ର ଦେଶରେ ଏହି ରଚନାତ୍ମକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ପ୍ରୟୋଗ କରାଯାଇ ଗ୍ରାମସ୍ୱରାଜକୁ ବାସ୍ତବ ରୂପରେଖ ଦିଆଯିବ । ତେବେ ଏହା କେବଳ କୃଷିଭିତ୍ତିକ ଗ୍ରାମୀଣ ପରିବେଶରେ କରାଯିବ, ସୁତରାଂ ସହର ଜୀବନରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଯେଉଁ ଶିଳ୍ପୋନ୍ନତ ରାଷ୍ଟ୍ରମାନେ ଗ୍ରାମୀଣ ଜୀବନଧାରାକୁ ବିକଶିତ ସହରରେ ରୂପାନ୍ତରିତ କରିଛନ୍ତି , ସେ କ୍ଷେତ୍ରରେ ଏହାର କୌଣସି ପ୍ରୟୋଗ ରହିପାରିବ ନାହିଁ । ଫଳତଃ ସର୍ବୋଦୟ ସମାଜର ପରିକଳ୍ପନା କେବଳ କୃଷିଭିତ୍ତିକ ଗ୍ରାମୀଣ ଜୀବନଧାରା କ୍ଷେତ୍ରରେ ସୀମିତ ରହିବ ଓ ଏହାର କୌଣସି ସାର୍ବଜନୀନ ମୂଲ୍ୟ ରହିବ ନାହିଁ । ଏପରିକି ଆମ ଦେଶ ପରି ଏକ ଗ୍ରାମବହୁଳ କୃଷିଭିତ୍ତିକ ଦେଶରେ ରଚନାତ୍ମକ କାର୍ଯ୍ୟକ୍ରମ କେତେ ସଫଳ ହୋଇଛି । ମହାତ୍ମାଙ୍କ ବିଶିଷ୍ଟ ଅନୁଗାମୀ ଓ ଅନ୍ୟ ଜଣେ ସନ୍ଥ ବିନୋବା ଭୂଦାନ ଆନ୍ଦୋଳନ ଦ୍ୱାରା ଭାରତ ବର୍ଷରେ ଯେଉଁ ଅର୍ଥନୈତିକ ସଂସ୍କାର ବା କ୍ରାନ୍ତି ଆଣିବାକୁ ପ୍ରୟାସ କରିଥିଲେ ସରକାରୀ ପ୍ରୋତ୍ସାହନ ଅଭାବରେ ଏହା ସଫଳ ହୋଇପାରିଲା ନାହିଁ । ସେହିପରି ମହାତ୍ମା ପରିକଳ୍ପନା କରିଥିଲେ ଯେ କାଳକ୍ରମେ ସର୍ବୋଦୟ ସମାଜର ଭିତ୍ତି ସୁଦୃଢ଼ ହୋଇଚାଲିଲେ ରାଷ୍ଟ୍ର ଓ ରାଷ୍ଟ୍ରୀୟ ଅନୁଷ୍ଠାନମାନଙ୍କର ପ୍ରାକୃତିକ ବିଳୟ ଘଟିବ । ଏହି ପରିକଳ୍ପନାଟି ସ୍ୱବିରୋଧାତ୍ମକ ମନେହୁଏ । ରାଷ୍ଟ୍ର ଯଦି ଏହାର ବିଳୟ ବା ସ୍ଥିତିର ବିଲୋପ ପାଇଁ ପଦକ୍ଷେପ ନ ନିଏ, ତେବେ ଏହା ସମ୍ଭବ ହେବ ନାହିଁ । ରାଷ୍ଟ୍ର ଯେ ନିଜର ଅନୁଷ୍ଠାନମାନଙ୍କର ବିଲୋପ ଘଟାଇବ ଏହା ସମ୍ଭବ ମନେହୁଏ ନାହିଁ । ପୁନଶ୍ଚ ଏକ ବିକେନ୍ଦ୍ରୀଭୂତ ଗ୍ରାମୀଣ ସଂଗଠନମାନ ଯେ ସୂଚାରୁ ରୂପେ କାର୍ଯ୍ୟ କରିବେ ତାହା ମଧ୍ୟ ଅନେକାଂଶରେ ସନେ୍ଦହଜନକ କୌଣସି କେନ୍ଦ୍ରୀୟ ବା ସରକାରୀ ନିୟନ୍ତ୍ରଣ ଅଭାବରେ ଗ୍ରାମମାନେ ଯେ ଆଦର୍ଶ ସ୍ଥାନୀୟ ହେବେ ଏହା କୁହାଯାଇ ପାରିବ ନାହିଁ । ବିଶେଷକରି ଆମ ଦେଶପରି ଏକ ଜାତିଭିତ୍ତିକ ଭେଦଭାବମୂଳକ ସାମାଜିକ ବ୍ୟବସ୍ଥାରେ ଗ୍ରାମମାନେ ଯେ ସମତା ଓ ସାମାଜିକ ନ୍ୟାୟକୁ ପ୍ରାଧାନ୍ୟ ଦେବେ ଏହା ଅସମ୍ଭବ ମନେହୁଏ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଓ ଆଇନଗତ ନିରାପତ୍ତା ଦିଆଯାଇ ମଧ୍ୟ ଗ୍ରାମମାନଙ୍କରେ ଦଳିତମାନଙ୍କ ଉପରେ ସାମାଜିକ ଅତ୍ୟାଚାର ଏବେ ବି ଏକ ସାଧାରଣ ଘଟଣା । ଶିକ୍ଷା, ଗଣମାଧ୍ୟମ ଓ ସାମାଜିକ ଚେତନାର ସ୍ତର ଅନେକ ଉନ୍ନତ ହୋଇଥିଲେ ମଧ୍ୟ ଜାତିଆଣ ଓ ସାଂପ୍ରଦାୟିକ ମାନସିକତା ଆମ ଦେଶର ସାମାଜିକ ବାସ୍ତବତା । ଏହି ପରିସ୍ଥିତିରେ ଗ୍ରାମସ୍ୱରାଜର ପରିକଳ୍ପନା ଏକ କାଳ୍ପନିକ ବସ୍ତୁ ଓ ଏହାର ସଫଳତା ସନ୍ଦେହଜନକ ମନେହୁଏ ।

ମହାତ୍ମାଙ୍କ ବିଚାରରେ ସର୍ବୋଦୟ ସମାଜ ଏକ ଶ୍ରେଣୀହୀନ ଓ ରାଷ୍ଟ୍ରହୀନ ବ୍ୟବସ୍ଥା ହେବ । ଏଥିପାଇଁ ସେ ରଚନାତ୍ମକ କାର୍ଯ୍ୟକ୍ରମ ଓ ଦ୍ୱନ୍ଦ୍ୱ ସମାଧାନ ପାଇଁ ସତ୍ୟାଗ୍ରହକୁ ଅବଶ୍ୟମ୍ଭାବୀ ପନ୍ଥା ଭାବରେ ଗ୍ରହଣ କରୁଥିଲେ । ଯେକୌଣସି ବିବାଦ, ଦ୍ୱନ୍ଦ୍ୱ ବା ଅନ୍ୟାୟକୁ ଦୂର କରିବାକୁ ସେ ସତ୍ୟାଗ୍ରହକୁ ଅତି ନିର୍ଭରଶୀଳ ଆୟୁଧ ଭାବେ ଗ୍ରହଣ କରୁଥିଲେ । ସତ୍ୟାଗ୍ରହ ସହ କେତେକ ନୈତିକ ଆଚରଣକୁ ସେ ସଂଶ୍ଲିଷ୍ଟ କରିଥିଲେ । ତେବେ ସତ୍ୟାଗ୍ରହ ଯେ ସମସ୍ତ ସାମାଜିକ ସମସ୍ୟାର ସମାଧାନର ସୂତ୍ର ଏହା ଅତିଶୟୋକ୍ତି, ମନେହୁଏ । ସତ୍ୟାଗ୍ରହର ସଫଳତା ବହୁ ପାରିପାଶ୍ୱିର୍କ ଘଟଣା, ସତ୍ୟାଗ୍ରହ ସହ ସଂପୃକ୍ତି ବ୍ୟକ୍ତିଙ୍କର ଜାତୀୟ ପ୍ରଭାବ, ଗଣମାଧ୍ୟମରେ ସହଯୋଗ ପରି ଅନେକ ଘଟଣା ଉପରେ ନିର୍ଭର କରେ । ଡ. ଆମ୍ବେଦକରଙ୍କ ପରିଚାଳିତ ଦଳିତମାନଙ୍କର ମନ୍ଦିର ଭିତରେ ପ୍ରବେଶ ନେଇ ସତ୍ୟାଗ୍ରହମାନ ରକ୍ଷଣଶୀଳ ହିନ୍ଦୁମାନଙ୍କର ବିରୋଧଯୋଗୁଁ ସଫଳ ହୋଇନାହିଁ । ମହାତ୍ମା ବି ଏହି ପ୍ରକାରର କୌଣସି ସତ୍ୟାଗ୍ରହରେ ସଂପୃକ୍ତ ହୋଇନାହାନ୍ତି ଯାହା ପାଇଁ କେତେକ ଦଳିତ ସଂଗଠନ ତାଙ୍କୁ ସମାଲୋଚନା କରିଥାନ୍ତି । ସାମାଜିକ ସମସ୍ୟାମାନ ଏତେ ଜଟିଳ ଓ ଏହା ସମାଜର ନାନା ଆନୁଷଙ୍ଗିକ ବ୍ୟବସ୍ଥା ସହ ଏପରି ଜଡ଼ିତ ଯେ ସବୁ ସମସ୍ୟାର ସମାଧାନ ସତ୍ୟାଗ୍ରହ ମାଧ୍ୟମରେ କରିହେବ ବିଚାର କରିବା ଯୁକ୍ତିସଙ୍ଗତ ମନେ ହୁଏ ନାହିଁ । ସତ୍ୟାଗ୍ରହ, ନ୍ୟାସୀତ୍ୱ ଆଜି ବିଚାରମାନଙ୍କର ଅନେକ ସୀମିତତା ରହିଛି ଓ ଏ ସବୁ ଯେ ଜଟିଳ ସାମାଜିକ ବା ଅର୍ଥନୈତିକ ସମସ୍ୟା ସମାଧାନର ନିର୍ଭରଯୋଗ୍ୟ ପନ୍ଥା ଏହା କୁହାଯାଇ ପାରିବ ନାହିଁ । ସେହିପରି ମନୁଷ୍ୟର ସ୍ୱରୂପ ନେଇ ମହାତ୍ମା ଯେଉଁ ଭାବଧାରା ପୋଷଣ କରନ୍ତି ତାହା ମଧ୍ୟ କେବଳ ଆଦର୍ଶ ସ୍ଥାନୀୟ ମନେହୁଏ ଯାହା ବାସ୍ତବତାଠାରୁ ଅନେକ ଭିନ୍ନ । ମନୁଷ୍ୟକୁ ମହନୀୟ ମନେ କରିବା ମାନବିକ ପ୍ରବୃତ୍ତିର ଏକ ଯଥାର୍ଥ ଅବବୋଧ ନୁହେଁ । ମହାତ୍ମାଙ୍କର ଅନେକ ବିଚାର ସରଳବିଶ୍ୱାସ ଉପରେ ଆଧାରିତ, ଯାହା ପଶ୍ଚାତରେ କୌଣସି ବିଚାରଗତ ବା ବିଜ୍ଞାନସମ୍ମତ କାରଣ ନାହିଁ । ମାନବିକ ସ୍ୱଭାବ, ସାମାଜିକ ସସମ୍ୟା, ଅର୍ଥନୈତିକ ବ୍ୟବସ୍ଥା, ସମାଜର ଧାର୍ମିକ ମାନସିକତା ପରି ପ୍ରସଙ୍ଗମାନ ଅତି ଜଟିଳ ଓ ପ୍ରତ୍ୟେକଟି ପ୍ରସଙ୍ଗ ବହୁ ବିଷୟ ସହ ସଂଯୁକ୍ତ । ପ୍ରତ୍ୟେକ ସମସ୍ୟାକୁ କେବଳ ଏକ ନୈତିକ ସମସ୍ୟା ବୋଲି ବିବେଚନା କରିବା ଓ ଏକ ସମସ୍ୟାର ସମାଧାନ ପାଇଁ ନୈତିକ ଆବେଦନକୁ ସବୁ କ୍ଷେତ୍ରରେ ପ୍ରୟୋଗ କରିବା ଯଥାର୍ଥ ମନେହୁଏ ନାହିଁ ।

ମହାତ୍ମାଙ୍କର ଶିଳ୍ପ ସଭ୍ୟତା ଓ ପ୍ରାଯୁକ୍ତିକ ବିକାଶ ଉପରେ ମନ୍ତବ୍ୟ ମଧ୍ୟ ବହୁ ସମାଲୋଚିତ ହେବା ଦେଖାଯାଏ । ନିରନ୍ତର ବିକାଶ ଓ ପାରିବେଶିକ ସୁରକ୍ଷା ପୃଥିୀ ପାଇଁ କାମ୍ୟ, ଏହା କେହି ଅସ୍ୱୀକାର କରିବେ ନାହିଁ । ତେବେ ସକଳ ପ୍ରଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ସଭ୍ୟତା ପ୍ରାକ୍-ଶିଳ୍ପ ଯୁଗକୁ ଫେରିପାରିବ କି? ସଭ୍ୟତାର ପଶ୍ଚାତଗତି ସମ୍ଭବ ହେବ କି? ସଭ୍ୟତାର ବିକାଶଧାରା ଏକ ଅବାରିତ ପ୍ରକ୍ରିୟା । ମାନବସଭ୍ୟତା ଯେତେବେଳେ ଯେଉଁ ସଂକଟର ସମ୍ମୁଖୀନ ହୋଇଛି ତାହାର ସମାଧାନ ପାଇଁ ମଣିଷ ନିଜର ବିଚାର ବୁଦ୍ଧି ପ୍ରୟୋଗ କରି କିଛି ସମାଧାନ ବାହାର କରିବାକୁ ପ୍ରୟାସ କରିଛି ଓ ଏହି ପ୍ରକ୍ରିୟାରେ ସଭ୍ୟତାର କ୍ରମୋନ୍ନତି ଘଟିଛି । ଆଧୁନିକ ପ୍ରଯୁକ୍ତିର ପ୍ରୟୋଗରୁ ଯେଉଁ ସମସ୍ୟାମାନ ସୃଷ୍ଟି ହେଉଛି ତାହାର ସମାଧାନ ବିଜ୍ଞାନସମ୍ମତ ପଦ୍ଧତିରେ କରାଯାଇ ପାରିବ । କିନ୍ତୁ ବିଜ୍ଞାନ, ପ୍ରଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ସଭ୍ୟତାକୁ ପ୍ରାକ୍-ଶିଳ୍ପ ଯୁଗକୁ ନେବା ଅବାସ୍ତବ ଓ ଅବାନ୍ତର ମନେ ହୁଏ ।

ଶେଷରେ

ମହାତ୍ମାଙ୍କ ବିଚାର ପୃଷ୍ଠଭୂମିରେ ଏହି ସବୁ ସମୀକ୍ଷାମୂଳକ ବିଚାର ପ୍ରକାଶ ପାଇବା ଦେଖାଯାଏ । ତେବେ ମହାତ୍ମା ସର୍ବୋଦୟ ସମାଜର ପରିକଳ୍ପନା ଭିତରେ ଯେଉଁ ଶାନ୍ତିପୂର୍ଣ୍ଣ, ଅହିଂସ ଓ ମାନବିକ ବିଶ୍ୱର ପରିକଳ୍ପନା କରିଛନ୍ତି ତାହାର ଏକ ସାର୍ବଜନୀନ ଆବେଦନ ରହିବା ମନେ ହୁଏ । ସଭ୍ୟତା-ଧ୍ୱଂସକାରୀ ଆଣବିକ ଅସ୍ତ୍ରର ଜ୍ଞାନ ମନୁଷ୍ୟ ହାସଲ କରିବାପରେ ବିଶ୍ୱ ଭ୍ରାତୃତ୍ୱ ଓ ଅହିଂସାର ଆବଶ୍ୟକତା ସାଂପ୍ରତିକ ମାନବ ସମାଜର ସ୍ଥିତି ପାଇଁ ଅବଶ୍ୟମ୍ଭାବୀ ମନେ ହୁଏ । ଏହି ଦୃଷ୍ଟିରୁ ମହାତ୍ମାଙ୍କ ବିଚାର ମାନବଜାତିର ଭବିଷ୍ୟତ ପାଇଁ ପ୍ରାୟ ଆଲୋକବର୍ତ୍ତିକା ମନେହୁଏ । ସେହିପରି ପାରିବେଶିକ ପ୍ରଦୂଷର ସଭ୍ୟତା ପାଇଁ ଯେଉଁ ଆହ୍ୱାନମାନ ସୃଷ୍ଟି କରିଛି ତାହାର ମୁକାବିଲା ପାଇଁ ମହାତ୍ମାଙ୍କର କେତେକ ଦିଗ୍ଦର୍ଶନ ପ୍ରେରଣାଦାୟୀ ଅଟେ । ଏକ ସରଳ ଜୀବନ, ଉପଭୋକ୍ତାବାଦୀ ମାନସିକତାର ପ୍ରତ୍ୟାଖାନ ଓ ନିଜର ଆବଶ୍ୟକତାକୁ ସୀମିତ କରିବାର ମନୋଭାବ ଦ୍ୱାରା ପାରିବେଶିକ ଅବକ୍ଷୟକୁ ଅନେକାଂଶରେ ପ୍ରତିହତ କରାଯାଇପାରିବ । ଏହି ସବୁ ପରିପ୍ରେକ୍ଷୀରେ ସର୍ବୋଦୟର ଏକ ମାନବିକ ପରିଭାଷା ରହିପାରିବ । ଏକ ସରଳ, ସମ୍ବେଦନପୂର୍ଣ୍ଣ ଓ ସମାଜ ପ୍ରତି ଏକ ସମର୍ପିତ ଅଙ୍ଗୀକାରବୋଧ ହେବ ସର୍ବୋଦୟର ନୂତନ ଅର୍ଥ । ଏହା ସହିତ ଏକ ଆନ୍ତର୍ଜାତିକ ମନୋଭାବ ଓ ବିଶ୍ୱପ୍ରୀତି ଯାହାବି ମହାତ୍ମାଙ୍କ ଭାବନାରେ ଅନ୍ତର୍ନିହିତ ଥିଲା ତାହା ହେବ ସର୍ବୋଦୟର ଏକ ବିସ୍ତାରିତ ଅର୍ଥ ।

Comments

0 comments

Share This Article