ଓଡ଼ିଶାର ମହନୀୟ ପରମ୍ପରାର ଏକ ନିରବଚ୍ଛିନ୍ନ ଅବିଚ୍ଛେଦ୍ୟ ଅଙ୍ଗ, ଓଡ଼ିଆ ସଂସ୍କୃତିର ଏକ ପ୍ରବହମାନ ପ୍ରେକ୍ଷାପଟ୍ଟ, ସର୍ବୋପରି ଓଡ଼ିଆ ଜନଜୀବନର ସମନ୍ୱିତ ଅପୂର୍ବ ଆଲେଖ୍ୟ ବହନ କରୁଥିବା ଦକ୍ଷିଣ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହନ କରିଛି ଏକ ନିଜସ୍ୱ ସ୍ୱତନ୍ତ୍ର ଆସନ । ଦିନେ ଯେଉଁ ଅଞ୍ଚଳ ଓଡ଼ିଆସାହିତ୍ୟ-ସଂସ୍କୃତିର ଉଚ୍ଛ୍ୱସିତ ପ୍ରାଣକେନ୍ଦ୍ର ଥିଲା, ଆଜି ତାହା ମ୍ଳାନ ପଡ଼ିଯାଇଥିଲେ ମଧ୍ୟ ଓଡ଼ିଆବାସୀଙ୍କ ହୃଦୟରୁ ସମ୍ପୂର୍ଣ୍ଣ ଭାବେ ତିରୋହିତ ହୋଇପାରି ନାହିଁ । ୧୭୬୮ମସିହା ଜୁଲାଇରେ ବ୍ରିଟିଶ ଆବାସିକ ପ୍ରତିନିଧି ଗଞ୍ଜାମ ଆସି ସେଠାରେ ଶାସନ ଓ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ସେତେବେଳେ ଗଞ୍ଜାମ ଛଅଗୋଟି ଖଣ୍ଡରେ ବିଭକ୍ତ ଥିଲା । ଯଥା- ଆସିକା, ପୂର୍ବଖଣ୍ଡ, ମନ୍ତ୍ରିଡ଼ି, ତିରୁସ୍ଥାନମ୍, ମନ୍ସୁରକୋଟା ଓ ବାରୁଆ । ୧୮୦୩ରେ ନାଗାବଳୀରୁ ମହାନଦୀ-ମୋଫଜ୍ବନ୍ଦରଠାରୁ ପ୍ରୟାଗୀ ଅଞ୍ଚଳକୁ ନେଇ ଗଞ୍ଜାମ ଜିଲ୍ଲା ଗଠିତ ହୋଇଥିଲା । ୧୯୨୮ମସିହାରେ ଓଡ଼ିଶା ନେତୃବର୍ଗ ସାଇମନ୍ କମିଶନଙ୍କ ନିକଟରେ ନିଜର ଯଥାର୍ଥ ଦାବୀ ଉପସ୍ଥାପିତ କରିଥିଲେ । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୧ରେ ଲଣ୍ଡନ୍ ଗୋଲଟେବୁଲ୍ ବୈଠକରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନର ଦାବୀ ଦୋହରାଇଥିଲେ । ସେହିବର୍ଷ ଡିସେମ୍ବର ମାସରେ ଓଡ଼ନେଲ କମିଟି ଆଗରେ ଓଡ଼ିଶା ପକ୍ଷରୁ ବଳିଷ୍ଠ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା । ପାରଳା ମହାରାଜାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ୧୯୩୬ମସିହା ଏପ୍ରିଲ ପହିଲାରେ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ଭାବେ ଗଠିତ ହେବା ସହ ପାରଳା ଓ ଜୟପୁର ଅଞ୍ଚଳ ଓଡ଼ିଶାରେ ମିଶିଲା । ଏ ସମୟରେ ଗଞ୍ଜାମ ବିଭାଜିତ ହେଲା । ଇଛାପୁରର ଉତ୍ତରାଂଶ ନବଗଠିତ ଓଡ଼ିଶାରେ ରହିଲା ଏବଂ ଦକ୍ଷିଣଭାଗ ବିଚ୍ଛିନ୍ନାଞ୍ଚଳକୁ ନେଇ ମାନ୍ଦ୍ରାଜ ପ୍ରଦେଶରେ ଶ୍ରୀକାକୁଲମ୍ ଜିଲ୍ଲା ଗଠିତହେଲା । ଏ ଭିତରେ ଥିବା ଓଡ଼ିଆ ରାଜ୍ୟମାନେ ମଧ୍ୟ ଶ୍ରୀକାକୁଲମ୍ ଜିଲ୍ଲାର ଅନ୍ତର୍ଭୁକ୍ତ ହେଲେ । ୧୯୫୩ରେ ମାନ୍ଦ୍ରାଜ ବିଭାଜନ ହୋଇ ଆନ୍ଧ୍ରପ୍ରଦେଶ ଗଠିତ ହେଲା । ଏ ସମୟରେ ଶ୍ରୀକାକୁଲମ୍ ଜିଲ୍ଲାରେ ଇଚ୍ଛାପୁର, ଉଦ୍ୟାନ, ଜଳନ୍ତର, ମଞ୍ଜୁଷା, ବୁଡ଼ାରସିଙ୍ଗ୍, ତରଳା, ବାରୁଆ, ମୁକ୍ତାପୁର, ଟେକାଲି ଆଦି ଜମିଦାରୀଗୁଡ଼ିକ ରହିଲେ । ଏସବୁ ଅଞ୍ଚଳ ଓଡ଼ିଶାରୁ ବିଚ୍ଛିନ୍ନ ହୋଇରହି ଆନ୍ଧ୍ରପ୍ରଦେଶରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଗଲେଣି, ହେଲେ ନିଜର ମାତୃଭାଷା, ସାହିତ୍ୟ ଓ ସଂସ୍କୃତିକୁ ଭୁଲିପାରୁ ନାହାନ୍ତି ।
ଓଡ଼ିଆ ଭାଷାସାହିତ୍ୟକୁ ରୁଦ୍ଧିମନ୍ତ କରିବା ଦିଗରେ ଏ ଅଞ୍ଚଳର ସାହିତି୍ୟକମାନଙ୍କ ଭୂମିକା କୌଣସି ଗୁଣରେ କମ୍ ନୁହେଁ । ବହୁ ପ୍ରତିଭାଧର ସ୍ରଷ୍ଟା ଏ ଅଞ୍ଚଳର ଜନଜୀବନରେ ଜଡ଼ିତ ରହି ସାହିତ୍ୟିକ ଭାବଧାରାରେ ନିଜକୁ ସାମିଲ କରିଦେଇଥିଲେ । ମଞ୍ଜୁଷା, ତରଳା, ଜଳନ୍ତର, ଟେକାଲି, ବୁଡ଼ାରସି ଆଦି ଜମିଦାରୀଗୁଡ଼ିକ ମଧ୍ୟରେ ପରସ୍ପର ମଧ୍ୟରେ ସାଂସ୍କୃତିକ ବିନିମୟ ଘଟିବା ସହ ଉକ୍ରଳର ସାହତ୍ୟଚର୍ଚ୍ଚା ମଧ୍ୟ ବ୍ୟାପକଭାବେ ହେଉଥିଲା । ଏହି ଅଞ୍ଚଳର ରାଜନ୍ୟବର୍ଗ ଉକ୍ରଳୀୟ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ ପୃଷ୍ଠପୋଷକତା କରିବା ସହ ନିଜକୁ ମଧ୍ୟ ସେ ଭିତରେ ସାମିଲ କରାଉଥିଲେ । ଓଡ଼ିଆ ସାହିତି୍ୟରେ ବୁଡ଼ାରସିଂ ରାଜା ଗୌରଚନ୍ଦ୍ର ନିଶଙ୍କ ଦେଓଙ୍କ ପତ୍ନୀ ନିଶଙ୍କରାୟ ରାଣୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ‘ପଦ୍ମାବତୀ ଅଭିଳାଷ’ ଓ ‘ମଧୁମାଳତୀ କଥାରସ’ ନାମକ ଦୁଇଟି ମୂଲ୍ୟବାନ କାବ୍ୟ ରଚନା କରିଥିଲେ । ସେ ଥିଲେ ଉକ୍ରଳର ପ୍ରଥମ ନାରୀକବି । ୧୭୯୦ମସିହାରେ ମଞ୍ଜୁଷା ଓ ବୁଢ଼ାରସିଂ ମଧ୍ୟରେ ହୋଇଥିବା କଳହଯୋଗୁଁ ରାଣୀ ନିଜ ପିତ୍ରାଳୟ ଜରଡ଼ାଗଡ଼ରେ ବାସକରି ଏହି ଦୁଇଟି କାବ୍ୟ ରଚନା କରିଥିଲେ । ନିରନ୍ତର ଅନ୍ତଃପୁର ମଧ୍ୟରେ ଆବଦ୍ଧା ରାଣୀ ଯାହା ଚକ୍ଷୁରେ ଦେଖିଥିଲେ, ଯାହା କର୍ଣ୍ଣରେ ଶୁଣିଥିଲେ ତାକୁ ହିଁ ଲିପିବଦ୍ଧ କରିଥିଲେ । ‘ପଦ୍ମାବତୀ ଅଭିଳାଷ’ର ମୁଖବନ୍ଧରେ ସରସ୍ୱତୀଙ୍କ ବନ୍ଦନା ଓ ଶେଷରେ ଇଷ୍ଟଦେବତାଙ୍କ ସ୍ମରଣ ରହିଛି । ସାଧାରଣତଃ ପ୍ରାଚୀନ ଯୁଗର କବିମାନେ ଇଷ୍ଟଦେବତାଙ୍କୁ ପ୍ରଥମେ ସ୍ମରଣ କରୁଥିବା ବେଳେ ନିଃଶଙ୍କରାଣୀ ସରସ୍ୱତୀଙ୍କୁ ସ୍ମରଣ କରି ତକ୍ରାଳୀନ ସମୟରେ ବିଦ୍ୟାଶିକ୍ଷା ପ୍ରତି ଥିବା ନିଜର ଯଥାର୍ଥ ମନୋଭାବକୁ ପ୍ରକାଶ କରିଥିଲେ ।
ମଞ୍ଜୁଷାର ରାଜା ଶ୍ରୀନିବାସ ରାଜମଣି (୧୮୨୩-୧୮୬୦) ଥିଲେ ଜଣେ ବିଦ୍ୱାନ ଓ ଗୁଣିଗ୍ରାହୀ ପଣ୍ଡିତ । ତାଙ୍କ ରାଜସଭାରେ ସ୍ମୃତି,ସାହିତ୍ୟ,ସଙ୍ଗୀତ, ରସଶାସ୍ତ୍ର-ବେତ୍ତା ପଣ୍ଡିତ ମଣ୍ଡଳୀଙ୍କ ବିପୁଳ ସମାଗମ ଘଟୁଥିଲା । ସେ ବିଷ୍ଣୁ ସହସ୍ରନାମ ଭାଷ୍ୟ ଓ ଅନେକ ଚଉତିଶ ରଚନା କରିଥିଲେ । ଶ୍ରୀ ବୈଷ୍ଣବଙ୍କ ଉପାସ୍ୟଦେବୀ ଶ୍ରୀଦେବୀ ବା ଲକ୍ଷ୍ମୀଙ୍କ ଆରାଧନା ପାଇଁ ସେ ‘ଲକ୍ଷ୍ମୀ ଅଷ୍ଟୋତ୍ତର ଶତନାମ ସ୍ତୋତ୍ର’ ପ୍ରଣୟନ କରିଥିଲେ । ଏହା ବ୍ୟତୀତ ଅମରୁଶତକ, ମିତାକ୍ଷରା ଓ ଭାଗବତର ଅନୁବାଦ କରିବା ସହ ଏକାବନଗୋଟି ଚଉପଦୀରେ କୃଷ୍ଣଲୀଳା ବର୍ଣ୍ଣନା କରି ତାକୁ ‘ମୁକ୍ତଲତାବତୀ’ ନାମରେ ନାମିତ କରିଥିଲେ ।
ଶ୍ରୀନିବାସ ରାଜମଣିଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ‘ଜଗନ୍ନାଥ ରାଜମଣି’ (୧୮୬୦-୧୮୯୯) ମଞ୍ଜୁଷା ସିଂହାସନ ଆରୋହଣ କରିଥିଲେ । ତାଙ୍କ ରାଜତ୍ୱରେ ମଧ୍ୟ ମଞ୍ଜୁଷା ରାଜ ଦରବାର ବୁଧହଂସ କେଳି କାସାରରେ ପରିପୂର୍ଣ୍ଣ ଥିଲା । ଜଗନ୍ନାଥ ରାଜମଣି ମହାଭାରତର ବିଷୟବସ୍ତୁକୁ ନେଇ ‘ଗଜମୋକ୍ଷଣ’ ନାମକ ଏକ କାବ୍ୟ ରଚନା କରିଥିଲେ । ତାଙ୍କର ପୃଷ୍ଠପୋଷକତାରେ ମଞ୍ଜୁଷା ସଙ୍ଗୀତ ମୁଖର ହୋଇ ଉଠିଥିଲା । ଜଗନ୍ନାଥଙ୍କ ପୁତ୍ର ବାସୁଦେବ ରାଜମଣି (୧୮୯୯-୧୯୧୪)ମଧ୍ୟ ଜଣେ ସାହିତ୍ୟାନୁରାଗୀ ଓ ଦେଶପ୍ରାଣ ବ୍ୟକ୍ତି ଥିଲେ । ତାଙ୍କ ଦ୍ୱାରା ୧୯୦୭ମସିହାରେ ମଞ୍ଜୁଷାସ୍ଥିତ ଓଡ଼ିଆ ପାଠାଗାର ପ୍ରତିଷ୍ଠା ହୋଇଥିଲା । ସାହିତ୍ୟ ଚର୍ଚ୍ଚା ତାଙ୍କ ପକ୍ଷରେ ଏକ ବ୍ୟସନ ହୋଇପଡ଼ିଥିଲା । ଦିନରେ ପ୍ରାୟ ୮ଘଣ୍ଟା କାଳ ଛାନ୍ଦ, ଚୌପଦି, କାବ୍ୟ, ନାଟକ, ପଦ୍ୟ ଇତ୍ୟାଦିର ଚର୍ଚ୍ଚା କରୁଥିଲେ । ଛାନ୍ଦ, କାବ୍ୟ ତଥା ଅଳଙ୍କାରରେ ତାଙ୍କର ଅମାପ ଜ୍ଞାନ ଥିଲା । ଜଗନ୍ନାଥଙ୍କ ଭାଇ ରଙ୍ଗନାଥ ରାଜମଣି ‘ସୁରେଖା ପରିଣୟ’ ନାମକ ଏକ କାବ୍ୟ ରଚନା କରିଥିଲେ ।
ମଞ୍ଜୁଷାର ମହାପଣ୍ଡିତ ଗଦାଧର ବିଦ୍ୟାଭୂଷଣ (୧୮୫୯-୧୯୪୪)ଥିଲେ ଜଣେ ବିଶିଷ୍ଟ ଲେଖକ । ତାଙ୍କର କାବ୍ୟମାନଙ୍କ ମଧ୍ୟରେ ‘ରସିକଶେଖର ଭାଣ’, ‘ଅଭିଷେକ ଚମ୍ପୁ’,‘ବାଣାସୁର ସ୍ମୃତିସନ୍ତକ’, ‘ଚଣ୍ଡେଶ୍ୱର ସ୍ତବ’, ‘ଉଦ୍ଧବ ଦୂତ’ଆଦି ପ୍ରଧାନ । ସ୍ୱପାଣ୍ଡିତ୍ୟର ଉକ୍ରର୍ଷ ବଳରେ ସେ ମଞ୍ଜୁଷାରୁ ବିଦ୍ୟାଭୂଷଣ, ବଡ଼ଖେମୁଣ୍ଡି ରାଜାଙ୍କ ଠାରୁ କବିରାଜ, ନୟାଗଡ଼ରୁ କବିରନô, ସଂଗମ୍ଭାଲ୍ସାରୁ ଶାସ୍ତ୍ରୀ,ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ମହାମହୋପାଧ୍ୟାୟ, ଖଲ୍ଲିକୋଟରୁ ବାଣୀଭୂଷଣ, ବାମଣ୍ଡାରୁ ତର୍କବାଗୀଶ, ମଥୁରା ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ବିଦ୍ୟାମହାର୍ଣ୍ଣବ ଉପାଧି ଲାଭ କରିଥିଲେ ।
ପଣ୍ଡିତ ଯତିରାଜ ଆଚାର୍ଯ୍ୟଥିଲେ ଏ ଅଞ୍ଚଳର ଜଣେ ବିଶିଷ୍ଟ କବି, ପଣ୍ଡିତ ଓ ଯାଜ୍ଞିକ । ସଂସ୍କୃତ ସାହିତ୍ୟରେ ସେ ବହୁ ଗ୍ରନ୍ଥ ପ୍ରଣୟନ କରିଥିଲେ । କେବଳ କାବ୍ୟ ନୁହେଁ, ନାଟକ, ନାଟିକା, ଅଳଙ୍କାର, ବ୍ୟାକରଣ, ସ୍ମୃତିଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଆଦି ବହୁ ବିଷୟରେ ସେଥିଲେ ଧୂରୀଣ । ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ମାଧବବିଳାସ କାବ୍ୟ, ଶ୍ରୀକୃଷ୍ଣ ଚରିତ କାବ୍ୟ, କଳାକାର ବିଳାସ, କଂସ ନିସୂଦନ ବ୍ୟାୟୋଗ, ସ୍ୟମନ୍ତ କାଭୁ୍ୟଦୟ, ବିଦଗ୍ଧବଲ୍ଲଭ, ଭୀଷଣ ବିନୋଦ, ହଂସଦୂତ, ଘଣ୍ଟାପଥ, ଲଘୁସିଦ୍ଧାନ୍ତ ଚନ୍ଦ୍ରିକା, ମନ୍ତ୍ରରନô ପ୍ରଦୀପ, ସମ୍ପ୍ରଦାୟ ପ୍ରଦୀପ, ପରମାର୍ଥ ପ୍ରଦୀପ, ସୁଦର୍ଶନ ଯଜ୍ଞପଦ୍ଧତି, ପ୍ରତିଷ୍ଠା ସରଣୀ, ବ୍ୟାକରଣ ଜୀବାତୁ ପ୍ରଭୃତି ପ୍ରଧାନ ।
ଏ ଅଞ୍ଚଳର ଶ୍ରୀଯୁକ୍ତ କାଳିଆ ପାଣିଗ୍ରାହୀ ଜଣେ ବିଶିଷ୍ଟ ପ୍ରାବନ୍ଧିକ ହିସାବରେ ଓଡ଼ିଶାରେ ସୁପରିଚିତ । ‘ସହକାର’, ‘ଭଞ୍ଜପ୍ରଦୀପ’, ‘ଝଙ୍କାର’ ଆଦି ପତ୍ରିକାରେ ତାଙ୍କର ବହୁ ସୁଚିନ୍ତିତ ଓ ସୁଲିଖିତ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ସ୍ୱର୍ଗତ ପାଣିଗ୍ରାହୀଙ୍କ ‘ଚିନ୍ତାଧାରା’ ନାମକ ଏକ ପ୍ରବନ୍ଧ ସଂକଳନ ୧୯୫୪ମସିହାରେ ପ୍ରକାଶିତ ହୋଇଥିଲା । ‘ବିଶ୍ୱରୂପ, ଅବତାର, ଗଜ ନିସ୍ତାରଣ, ଅନୁତାପ ଓ ଅଗସ୍ତ୍ୟ ଏହି ପାଞ୍ଚୋଟି ପ୍ରବନ୍ଧ ତାଙ୍କର ଗୋଟିଏ ଗୋଟିଏ ଅମଳିନ କୃତି । ଶାସ୍ତ୍ରପୁରାଣ ସମ୍ପର୍କିତ ଆଲୋଚନାରେ ସେ ଗତାନୁଗତିକ ଚିନ୍ତାଧାରାକୁ ଅନୁସରଣ କରି ସ୍ୱକୀୟ ବିଚାରବନ୍ତ ଦୃଷ୍ଟିକୋଣରେ ସେ ସକଳର ଅନୁଧ୍ୟାନ କରି ବିଶ୍ଳେଷଣ କରିଯାଇଛନ୍ତି । ବକ୍ତବ୍ୟକୁ ଉପସ୍ଥାପନ କରିବାର ସୁନ୍ଦର କୌଶଳ ତାଙ୍କ ପ୍ରବନ୍ଧକୁ ବେଶ୍ ଆଦୃତ କରିଛି । ମଞ୍ଜୁଷାର ଅନ୍ୟତମ ଦେଶସେବୀ, କର୍ମବୀର, ସାମ୍ବାଦିକ ନରସିଂହ ପାଣିଗ୍ରାହୀ ମଧ୍ୟ ‘ସାନ୍ତ୍ୱନା’, ‘ମନୋଦୂତ’, ‘ଶୋକସିନ୍ଧୁ’ ଆଦି କାବ୍ୟ ରଚନା କରି ନିଜର ଲେଖକୀୟ ଦକ୍ଷତା ପ୍ରତିପାଦିତ କରିଥିଲେ ।
ଯୁଗେଯୁଗେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବଧାରା ସାହିତ୍ୟ ଓ ସଂସ୍କୃତିକୁ ପ୍ରଭାବିତ କରିଆସିଛି । ସେହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଶ୍ରୁତି, ସ୍ମୃତି ଓ ସଂସ୍କୃତିରେ ନିଜକୁ ସାମିଲ କରିଥିଲେ ମଞ୍ଜୁଷାର ଖଞ୍ଜ ଗୋବିନ୍ଦ ଦାସ । ଉତ୍କଳୀୟ ସ୍ମୃତି ଓ ବୈଷ୍ଣବୀୟ ଚେତନା ମଧ୍ୟରେ ସଂଯୋଗସ୍ଥାପନ ପୂର୍ବକ ସେ ‘ସର୍ବ ସ୍ମୃତିସାର ସଂଗ୍ରହ’ ନାମକ ଏକ ପ୍ରସିଦ୍ଧ ଗ୍ରନ୍ଥ ରଚନା କରିଥିଲେ । ଏଥିରେ ସେ ବିଶିଷ୍ଟାଦ୍ୱୈତା ମତାନୁଯାୟୀ ପର୍ବପର୍ବାଣୀ ଗୁଡ଼ିକର ତିଥିବାର ଓ କାଳନିର୍ଣ୍ଣୟ କରିଛନ୍ତି ଏବଂ ମଞ୍ଜୁଷାର ପ୍ରସିଦ୍ଧ ବ୍ରହ୍ମୋତ୍ସବ, ରାଟି ଯାତ୍ରା ପ୍ରଭୃତିକୁ ସ୍ଥାନ ଦେଇଛନ୍ତି । ଏହି ଗ୍ରନ୍ଥରେ ସେ ଆର୍ଯ୍ୟବର୍ତ୍ତ, ଗୌଡ଼, ଉକ୍ରଳ ଓ ଦ୍ରାବିଡ଼ ଦେଶର ସମସ୍ତ ସ୍ମୃତି ବିଚାରକୁ ମନ୍ଥନ କରି ଆଭା ମଣ୍ଡିତ କରିଛନ୍ତି ।
ମଞ୍ଜୁଷାର ଅନ୍ୟତମ ପଣ୍ଡିତ ଯୋଗୀନ୍ଦ୍ର ମିଶ୍ର ‘ଦୁର୍ଗୋତ୍ସବ କାଳନିର୍ଣ୍ଣୟ’ ଗ୍ରନ୍ଥ ସମ୍ପାଦନା କରିବା ସହ ମଞ୍ଜୁଷା ରାଜବଂଶାବଳୀ (୧୯୧୫) ଗ୍ରନ୍ଥ ପ୍ରଣୟନ କରିଥିଲେ । ଏହା ବ୍ୟତୀତ ସୁଦର୍ଶନ ପୁରୋହିତ ‘କରୁଣା ପାରିଜାତ’,‘ସିଂହଳ ବିଜୟ’ ନାମକ ଦୁଇଖଣ୍ଡ ନାଟକ, ବାସୁଦେବ ସଦସ୍ୟ ‘ବୃକ୍ଷ ଆୟୁର୍ବେଦ’, ଶ୍ୟାମସୁନ୍ଦର କାବ୍ୟତୀର୍ଥ – ‘ଦମୟନ୍ତୀ ସ୍ୱୟଂମ୍ବର’, ବାସୁଦେବ ମାଝୀ ‘ସାମନ୍ତ ସଙ୍ଗୀତ କଳାକାର’, ପରୀକ୍ଷିତ ଦାସ ‘ଭାଗବତ’ ଓ ‘ଗୀତା’ ଏବଂ ବୃନ୍ଦାବନ ତ୍ରିପାଠୀ ହରିଶ୍ଚନ୍ଦ୍ର ନାଟକ, ସାବିତ୍ରୀ ନାଟକ ଓ କାହାଣୀ ଭଣ୍ଡାର ଆଦି ତିନିଗୋଟି ଗ୍ରନ୍ଥ ଲେଖି ଓଡ଼ିଆବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ।
ତରଳାର ରାଜା ଶ୍ରୀକୃଷ୍ଣ ସୁର ହରିଚନ୍ଦନ (୧୭୬୦-୧୭୯୩) ପ୍ରସିଦ୍ଧ ‘ଶ୍ରୀରାଧା ଭାଳେଣି’ ଗୀତିର ରଚୟିତା । ଏହି ପୁସ୍ତକ ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟରେ ସୁପ୍ରତିଷ୍ଠିତ । ଏହାବ୍ୟତୀତ ସେ ‘ସ୍ୱରସରଣୀ’ ନାମକ ସଂସ୍କୃତଭାଷାରେ ଜ୍ୟୋତିଷଶାସ୍ତ୍ରକୁ ଓଡ଼ିଆ ନବାକ୍ଷରୀ ବୃତ୍ତରେ ଅନୁବାଦ କରିଥିଲେ । ଗ୍ରନ୍ଥର ପୁସ୍ତିକାରେ ନିଜ ସମ୍ପର୍କରେ ସେ ଲେଖିଥିଲେ –
‘ସକଳ ଗୁଣର ଆଧାର, ଜାଣ ବୈଷ୍ଣବ ବୀରଧୀର
ଶ୍ରୀକୃଷ୍ଣ ସୁର ନରପତି, ତରଳା ରାଜ୍ୟ ଅଧିପତି
ସ୍ୱର ସରଣୀ ନାମେ ଗୀତ, ସୁଜନେ ଜାଣ ତାହା କୃତ ।’
ତରଳାର ଅନ୍ୟତମ ରାଜକୁମାର ଗୋବିନ୍ଦଚନ୍ଦ୍ର ଶୂରଦେଓ (୧୮୮୪) ରାସଲୀଳା, ମାନଭଞ୍ଜନ, ଯୁଗଳ ମିଳନ, ସାକ୍ଷୀଗୋପାଳ, ଧ୍ରୁବ, ସୁଦାମା, ଗୋପେଶ୍ୱର ପୂଜା, ଇନ୍ଦ୍ରସଭା, ନରମେଧ ଯଜ୍ଞ, ନରକାସୁର ବଧ, ମାୟା ଶବରୀ, ଶ୍ରୀକୃଷ୍ଣ ମହିମା, ଉକ୍ରଳରମଣୀ, ତାରାବାଇ ଇତ୍ୟାଦି ନାଟକ କରିଥିଲେ । ଏହା ବ୍ୟତୀତ ସେ ଫକୀରମୋହନଙ୍କ ଲଚ୍ଛମା ଓ ପେଟେଣ୍ଟ ମେଡ଼ିସିନକୁ ମଧ୍ୟ ନାଟ୍ୟରୂପ ଦେଇଥିଲେ ।
ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟ ହେଉଛନ୍ତି ‘ପ୍ରହ୍ଲାଦ ନାଟକ’ର ରଚୟିତା, ଯାହା ଓଡ଼ିଆ ଲୋକନାଟକର ଧାରାରେ ଏକ ପ୍ରମୁଖ ଆସନ ଦାବୀ କରେ । ଗବେଷକମାନଙ୍କ ମତାନୁସାରେ ଏହାର ପ୍ରକୃତ ରଚୟିତା ଯଦିଓ ସଙ୍ଗୀତଭୂଷଣ କିମ୍ବା ରଘୁନାଥ ପରିଚ୍ଛା ଅଟନ୍ତି, ତେବେ ନାଟକର ପରିପ୍ରଚାର ଓ ଦିଗରେ ରାମକୃଷ୍ଣ ଛୋଟରାୟଙ୍କ ସାହିତ୍ୟଦର୍ଶିତାକୁ ଅସ୍ୱୀକାର କରାଯାଇନପାରେ ।
ଟେକାଲିର ରାଜା ଶ୍ୟାମସୁନ୍ଦର ଦେବ ଥିଲେ ଜଣେ ବିଶିଷ୍ଟ କବି । ସେ ‘ଅନୁରାଗ କଳ୍ପଲତା’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ଆଠଟି ସ୍ତବକରେ ବିଭକ୍ତ ହୋଇଥିବା ଏହି ଗ୍ରନ୍ଥଟିର ପ୍ରତ୍ୟେକ ପଦ ଅକିମ୍ବାଆରେ ଆରମ୍ଭ ହୋଇଛି । ଟେକାଲିର ଅନ୍ୟତମ ରାଜା ପଦ୍ମନାଭ ଦେବ ସଂସ୍କୃତରେ ‘ଭାରତ ସାରସଂଗ୍ରହ’ ନାମକ ଏକ ଅମୂଲ୍ୟଗ୍ରନ୍ଥ ପ୍ରଣୟନ କରିଥିଲେ । ରାଜା ଲକ୍ଷ୍ମୀନାରାୟଣ ହରିଚନ୍ଦନ ଜଗଦ୍ଦେବ ଜଣେ ସୁପଣ୍ଡିତ, ଗବେଷକ ଓ ବିଶିଷ୍ଟ ଲେଖକ ଥିଲେ । ସେ ‘ଗଞ୍ଜାମ’ ନାମକ ଏକ ସାମୟିକ ପତ୍ରିକା ପ୍ରକାଶ କରୁଥିଲେ । ଓଡ଼ିଶାର ଇତିହାସ ଗବେଷଣା ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଓଡ଼ିଶା ଇତିହାସ ଗବେଷଣା ପତ୍ରିକାର ସମ୍ପାଦନା ମଣ୍ଡଳୀରେ ସେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ତାଙ୍କ ପୁତ୍ର ଗୋବିନ୍ଦଚନ୍ଦ୍ର ହରିଚନ୍ଦନ ଜଗଦ୍ଦେବ ମଧ୍ୟ ଜଣେ ସୁଲେଖକ ଓ ଗବେଷକ । ସେ ‘Utlal Empire Ganga Kings’ ନାମକ ଏକ ଐତିହାସିକ ଗ୍ରନ୍ଥ ରଚନା କରିଥିଲେ । ଟେକାଲି ରାଜା ମଧୁସୂଦନ ଦେଓ (୧୯୪୦)ରୁ (ଯିଏକି ବର୍ତ୍ତମାନ ବ୍ରହ୍ମପୁରରେ ଅବସ୍ଥାନ କରୁଛନ୍ତି) ମଧ୍ୟ ଜଣେ ବିଶିଷ୍ଟ ଆଇନଜ୍ଞ ଓ ଲେଖକ । ସେ ଟେକାଲିରୁ ‘ବୀଣା’ ନାମକ ପତ୍ରିକା ସମ୍ପାଦନା କରୁଥିଲେ ଯେଉଁଥିରେ ସାରା ଓଡ଼ିଶାର ସାହିତି୍ୟକମାନଙ୍କ କୃତି ସ୍ଥାନିତ ହେଉଥିଲା । ଏହା ବ୍ୟତୀତ ଟେକାଲି ନିକଟସ୍ଥ ଚମ୍ପାଦେଇପୁର ଗ୍ରାମର ରମାନାଥ ଶତପଥୀ ନିଃସ୍ୱାର୍ଥପର ଭାବେ ନିଜକୁ ରୋଗୀ ସେବାରେ ନିୟୋଜିତ କରିଥିଲେ ମଧ୍ୟ ମୁଖ୍ୟତଃ ସେ ଥିଲେ କବି । ତାଙ୍କରଚିତ ବହୁ କବିତା ନିଅାଁଖୁଣ୍ଟା ପତ୍ରିକାରେ ପ୍ରକାଶିତ । ତାଙ୍କରଚିତ କାବ୍ୟଗୁଡ଼ିକ ମଧ୍ୟରେ ‘ଭାଗ୍ୟଲତା’, ‘ପାରିନା ପାର୍ବତୀ’, ‘ଶକୁନ୍ତଳା’, ‘ସ୍ୱପ୍ନପତରୀ’ ଓ ‘ବିଧବାର ଆତ୍ମକାହାଣୀ’ ଆଦି ପ୍ରଧାନ । ଏଥିରୁ କେବଳ ‘ଭାଗ୍ୟଲତା’ କାବ୍ୟରେ ମାନବିକତାର ଏକ ଉଚ୍ଚାଙ୍ଗ ଦର୍ଶନ ଦେଖିବାକୁ ମିଳେ । ଏସବୁ ରଚନା ବ୍ୟତୀତ ସେ ଆହୁରି ଅନେକ କବିତା ‘କବିସୂର୍ଯ୍ୟ ଚମ୍ପୁଶୈଳୀ’ ଓ ଲୋକପ୍ରିୟ ତେଲୁଗୁଗୀତ ଶୈଳୀରେ ରଚନା କରିଥିଲେ ।
ସାମ୍ପ୍ରତିକ ସମୟରେ ବିଚ୍ଛିନ୍ନାଞ୍ଚଳରେ ରହି ଯେଉଁମାନେ ନିଜକୁ ସାହିତ୍ୟ ସାଧନାରେ ନିମଜ୍ଜିତ ରଖିଛନ୍ତି ସେମାନେ ହେଲେ ଦୋଳଗୋବିନ୍ଦପୁରର ଗୋବିନ୍ଦଚନ୍ଦ୍ର ବିଷୋୟୀ, ମଙ୍ଗୁଳୁଚରଣ ବୈଦ୍ୟ ଏବଂ ମଞ୍ଜୁଷାର ପ୍ରଦୋଷକୁମାର ତ୍ରିପାଠୀ । ଅବସରପ୍ରାପ୍ତଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ବିଷୋୟୀ ଏକାଧାରରେ ଜଣେ କବି, ଗାଳ୍ପିକ, ଶିଶୁ ସାହିତି୍ୟକ ଏବଂ ଅନୁବାଦକ । ଏଯାବତ୍ ତାଙ୍କର ୯ଗୋଟି ପୁସ୍ତକ ପ୍ରକାଶ ଲାଭ କରିଛି । ସେଗୁଡ଼ିକ ହେଲା ‘ଝଡ଼ାଜୁଇ’, ‘ଧୂଳିର ଫୁଲ’, ‘ଅର୍ଚ୍ଚନା’ (କବିତା), ‘ମରୁମାଳତୀ’, ‘ଦାହ’(ଗଳ୍ପ), କିଶଳୟ, ସୁରଭି, ଦଗା କୋଇଲି ଓ ମାଟିର ଲୁହ । ଏହା ବ୍ୟତୀତ ବହୁ ଅପ୍ରକାଶିତ ପାଣ୍ଡୁଲିପି ବି ତାଙ୍କ ପାଖରେ ଅଛି । ବିଚ୍ଚିନ୍ନାଞ୍ଚଳ ଓଡ଼ିଆମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ହୋଇଛି ତାଙ୍କ ସାହିତ୍ୟର ପ୍ରାଣବିନ୍ଦୁ । ଦୋଳଗୋବିନ୍ଦପୁରର ଅନ୍ୟ ଜଣେ ସାହିତି୍ୟକ ହେଲେ ଶ୍ରୀଯୁକ୍ତ ମଙ୍ଗଳଚରଣ ବୈଦ୍ୟ । ତାଙ୍କର ବହୁ କାବ୍ୟକବିତା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ମଞ୍ଜୁଷା ଓଡ଼ିଆ ପାଠାଗାରର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୋଷ କୁମାର ତ୍ରିପାଠୀ ମଧ୍ୟ ବହୁ ଓଡ଼ିଆ କବିତାର ସ୍ରଷ୍ଟା । ମଞ୍ଜୁଷାର ସାହିତ୍ୟିକ ପରିବେଶକୁ ସେ ଏଯାବତ୍ କବିତାମୟ କରିରଖିଛନ୍ତି ।
ବିଚ୍ଛିନ୍ନାଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଓଡ଼ିଶାରେ ପ୍ରତିଷ୍ଠା ପାଇଥିବା ସାହିତ୍ୟିକ ମାନଙ୍କ ମଧ୍ୟରେ ପ୍ରଫେସର ଡଃ. ସୁଦର୍ଶନ ଆଚାର୍ଯ୍ୟ ଓ ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ ଅନ୍ୟତମ । ଡଃ ଆଚାର୍ଯ୍ୟଙ୍କ ‘ଓଡ଼ିଆ କାବ୍ୟକୌଶଳ’ ଏକ ଯୁଗାନ୍ତକାରୀ ସୃଷ୍ଟି । ‘ସ୍ରଷ୍ଟା ଓ ସୃଷ୍ଟି’, ‘ସାହିତ୍ୟ ଓ ସାହିତି୍ୟକ’ ସମାଲୋଚନା ପୁସ୍ତକ ସହ ବହୁ ଦୁର୍ଲ୍ଲଭ ରଚନାର ସମ୍ପାଦନା ତାଙ୍କ ପାଇଁ ଆଣିଦେଇଛି ଅମାପ ଗୌରବ । ତାଙ୍କର ଅନୁଦିତ ସୋମଦେବଙ୍କ ‘କଥାସରିତା ସାଗର’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଅତିବଡ଼ି ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ସମ୍ପ୍ରତି ଉକ୍ରଳ ସମ୍ମିଳନୀର ସଭାପତି ଥିବା ଶ୍ରୀଯୁକ୍ତ ବସନ୍ତକୁମାର ପାଣିଗ୍ରାହୀ ମଧ୍ୟ ଜଣେ ଆଇନଜ୍ଞ, କବି, ନାଟ୍ୟକାର ଓ ସ୍ତାମ୍ଭିକ ଭାବେ ବେଶ୍ ଜଣାଶୁଣା । ‘ପଦ୍ୟାଞ୍ଜଳି’ ଓ ‘କୁସୁମାଞ୍ଜଳି’ ନାମରେ ତାଙ୍କର ଦୁଇଗୋଟି କବିତା ସଙ୍କଳନ ପ୍ରକାଶ ପାଇଛି । କେବଳ ଓଡ଼ିଶାର ନୁହେଁ ବିଚ୍ଛିନ୍ନାଞ୍ଚଳର ଭାଷା ସାହିତ୍ୟର ଉନ୍ନତିକଳ୍ପେ ତାଙ୍କର ଅବଦାନ ଅବିସ୍ମରଣୀୟ ।
ଏହାବ୍ୟତୀତ ଓଡ଼ିଶାରେ ଜନ୍ମଲାଭ କରିଥିଲେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ରହି କିଛି ସାହିତି୍ୟକ କାବ୍ୟ ସାଧନା କ୍ଷେତ୍ରରେ ଅସାମାନ୍ୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏ କ୍ଷେତ୍ରରେ ପ୍ରଥମେ ଆସିବେ କବିସୂର୍ଯ୍ୟ ବଳଦେବ ରଥ । ଜଳନ୍ତରଗଡ଼ ଥିଲା କବିଙ୍କ କାବ୍ୟଭୂମି । ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କର ପୃଷ୍ଠପୋଷକତା ଲାଭକରି ନିଜ ପରିବାର ସହ ସେ ସେଠାରେ ବାସ କରିଥିଲେ । ଜଳନ୍ତର ଅବସ୍ଥାନ ସମୟରେ ହିଁ ବଳଦେବଙ୍କ କବିତାର ଆଦ୍ୟସ୍ଫୁରଣ ଘଟିଥିଲା । ଜଳନ୍ତର ରାଜାଙ୍କ ପାଳିତାକନ୍ୟାଙ୍କ ନାମାନୁସାରେ ସେ ‘ଚନ୍ଦ୍ରକଳା’ ନାମକ ଏକ କାବ୍ୟ ରଚନା କରିଥିଲେ । କିନ୍ତୁ ଏହି କାବ୍ୟରେ ୧୪ଗୋଟିଏ ଛାନ୍ଦ ରଚିତ ହେବା ପରେ ସତରବର୍ଷ ବୟସରେ ଚନ୍ଦ୍ରକଳାଙ୍କର ମୃତୁ୍ୟ ହେବାରୁ କାବ୍ୟଟି ଅସମ୍ପୂର୍ଣ୍ଣ ରହିଗଲା । କବିସୂର୍ଯ୍ୟ ଉପାଧି ହେଉଛି ଜଳନ୍ତର ରାଜାଙ୍କ ପ୍ରଦତ୍ତ ଉପାଧି । ପରବର୍ତ୍ତୀ ସମୟରେ ସେ ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୁ’ ସମେତ ବହୁ ସଙ୍ଗୀତଧର୍ମୀ କବିତା ରଚନା କରି ଓଡ଼ିଶାର ସାହିତି୍ୟକ ଦିଗନ୍ତକୁ ଝଲସାଇ ଦେଇଥିଲେ ।
ଟେକାଲିରେ ଜନ୍ମଗ୍ରହଣ କରିଥିବା ଡାକ୍ତର ରାଧାଚରଣ ପଣ୍ଡା (୧୮୮୯-୧୯୭୪) ମଞ୍ଜୁଷାରେ କିଛିଦିନ ଅବସ୍ଥାନ କାଳରେ ‘ପ୍ରାଚୀନଦୀର ଐତିହାସିକ ବିଭବ’, ‘ଉକ୍ରଳର ଶିଳ୍ପଚାତୁରୀ’, ‘ଗଣସେବକ ଗୋଦାବରୀଶ’ ଓ ‘ସ୍ୱାସ୍ଥ୍ୟସେବୀ’ ଆଦି ଗ୍ରନ୍ଥ ରଚନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବାଣପୁରକୁ ନିଜ କର୍ମକ୍ଷେତ୍ରରୂପେ ବାଛି ନେଇଥିଲେ । ସଂସ୍କାରକ ଜୟମଙ୍ଗଳ ରଥ ମଞ୍ଜୁଷାରେ ଅବସ୍ଥାନକାଳରେ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ମାଉସୀ ପୁଅ ରାମକୃଷ୍ଣ ତ୍ରିପାଠୀ ଜଣେ ପ୍ରସିଦ୍ଧ ଗୀତିକବି ଥିଲେ । ସେ ‘ରେଙ୍ଗୁନ୍’ ଓଡ଼ିଆପତ୍ରିକା ସମ୍ପାଦନା କରୁଥିଲେ । ମଞ୍ଜୁଷା ହାଇସ୍କୁଲର ତକ୍ରାଳୀନ କଳା ଶିକ୍ଷକ ମଧୁସୂଦନ ମହାପାତ୍ରଙ୍କ ପୁଅ ଶାରଦାଚରଣ ମହାପାତ୍ର (୧୯୧୫) ‘ମଞ୍ଜୁଷା ସ୍ମୃତି’ ନାମକ ଏକଗ୍ରନ୍ଥର ରଚୟିତା । ନାଟ୍ୟକାର କେଳୁଚରଣ ସାମନ୍ତରାୟ ଶ୍ରୀକାକୁଲମ୍ରେ ଅବସ୍ଥାନ କାଳରେ ‘ବାଲିଘର’, ‘କହିବା କାହାକୁ’, ‘ମୁଁ କିଏ’, ‘ବଳୟ’ ଆଦି ପୁସ୍ତକ ରଚନା ସହ ସାହିତ୍ୟ କ୍ଷେତ୍ରରେ ନିଜକୁ ମନୋନିବେଶ କରିଥିଲେ । ସମ୍ପ୍ରତି ବିଚ୍ଛିନ୍ନାଞ୍ଚଳକୁ କର୍ମକ୍ଷେତ୍ର ରୂପେ ବାଛିନେଇ ସାହିତ୍ୟ ସର୍ଜନାଦିଗରେ ନିଜକୁ ସାମିଲ କରିଥିବା ଲେଖକମାନଙ୍କ ମଧ୍ୟରେ ଡଃ ଶରତ କୁମାର ଜେନା, ରବୀନ୍ କୁମାର ପାଢ଼ୀ, ଡଃ ସୁଶାନ୍ତ ଜେନା ଅନ୍ୟତମ । ଶେଷରେ କହିବାକୁ ଗଲେ, ଓଡ଼ିଶାରୁ ବିଚ୍ଛିନ୍ନ ଏହି ଦକ୍ଷିଣାଞ୍ଚଳ ଆନ୍ଧ୍ରପ୍ରଦେଶରେ ରହି ଅର୍ଦ୍ଧାଧିକ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଲାଣି, ଓଡ଼ିଆ ସାହିତ୍ୟ ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚିଗଲାଣି ; କିନ୍ତୁ ଓଡ଼ିଆ ସଂସ୍କୃତି ସେମିତି ଅମଳିନ ଅଛି । ସମସ୍ତ ରାଜନୈତିକ, ଭାଷାତାତ୍ତ୍ୱିକ ଓ ସାଂସ୍କୃତିକ ବିରୋଧାଭାସ ସତ୍ତ୍ୱେ ଏ ଅଞ୍ଚଳର ଓଡ଼ିଆମାନେ ଓଡ଼ିଆତ୍ୱକୁ ଭୁଲିପାରି ନାହାନ୍ତି । କାରଣ ମଣିଷର ଭାବ ଓ ଭାଷାକୁ ଚପାଇ ଦେବାର ଉଦ୍ୟମ କଦାପି ସଫଳ ହୁଏନାହିଁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ର ପ୍ରତି ମହନୀୟ ଅବଦାନ ଯୋଗୁଁ ବର୍ତ୍ତମାନ ବି ଓଡ଼ିଶା ସହ ବିଚ୍ଛିନ୍ନାଞ୍ଚଳର ଅଚ୍ଛେଦ୍ୟ ବନ୍ଧନ ରହିଛି । ସେହି ବନ୍ଧନକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଏ ଅଞ୍ଚଳର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ପ୍ରଗତି ପାଇଁ ଓଡ଼ିଶା ସରକାର ତଥା ଓଡ଼ିଶାର ଓଡ଼ିଆମାନେ କିଛି ଜାତୀୟତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
Comments
0 comments