ନେତାଜୀ ସୁଭାଷ ଓ ଓଡ଼ିଶା

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାରେ ଜନ୍ମ ହୋଇଥିଲେ ଓ ତାଙ୍କ ଜୀବନର ପ୍ରଥମ ଏକ ତୃତୀୟାଂଶ ଓଡ଼ିଶାରେ ହିଁ ଅତିବାହିତ କରିଥିଲେ ଜାନୁଆରୀ ୧୮୯୭ରେ ଜନ୍ମିତ ସୁଭାଷ ମାର୍ଚ୍ଚ ୧୯୧୩ରେ କଟକର ରେଭେନ୍ସା କଲେଜିଏଟ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଓଡ଼ିଶା ସହ ସମ୍ପର୍କ

ସୁଭାଷ ବୋଷଙ୍କର ଓଡ଼ିଶା ସହ ସମ୍ପର୍କକୁ ନେଇ ସ୍ୱାଭାବିକ ଓଡ଼ିଶାବାସୀ ଗର୍ବ କରିଥାନ୍ତି । କିନ୍ତୁ କ୍ୱଚିତ ଆଲୋଚନା ହୋଇଥାଏ ଯେ ଓଡ଼ିଶା ସମ୍ପର୍କରେ ଓ ଓଡ଼ିଆ ଲୋକଙ୍କ ସମ୍ପର୍କରେ ତାଙ୍କର ଧାରଣା କଣ ଥିଲା ଓ ଓଡ଼ିଶାରେ ତାଙ୍କର ରହଣି ତାଙ୍କର ମନୋଭାବକୁ କିପରି ପ୍ରଭାବିତ କରିଥିଲା । ଏହାର ସୂଚନା ହିଁ ଏହି ନିବନ୍ଧର ଉଦେଶ୍ୟ ।

ସ୍କୁଲ ସହପାଠୀଙ୍କୁ ଆଲିଙ୍ଗନ

୧୯୦୯ ରୁ ୧୯୧୩ ଯାଏ ସୁଭାଷ ରେଭେନ୍ସା କଲେଜିଏଟରେ ଛାତ୍ର ଥିଲେ । ତାଙ୍କର ସହପାଠୀ ଥିଲେ ମହେଶ ଚନ୍ଦ୍ର ପ୍ରଧାନ ଯିଏ ୧୯୩୮ ମସିହାରେ କଟକ (ରାଧାନାଥ) ଟ୍ରେନିଂ କଲେଜର ଅଧ୍ୟକ୍ଷ ଥିଲେ । ୧୯୩୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ ସୁଭାଷଚନ୍ଦ୍ର ବୋଷ । ଏହି ଦୁଇ ସହପାଠୀଙ୍କର ସାକ୍ଷାତ ସମ୍ପର୍କରେ ଶ୍ରୀ ଶରତ ମହାରଣା (ଖ୍ୟାତନାମା ପ୍ରଧାନଶିକ୍ଷକ ଚନ୍ଦ୍ରମୋହନ ମହାରଣାଙ୍କ ପୁତ୍ର, ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଜାମାତା, ଅନ୍ନପୂର୍ଣ୍ଣା ମହାରଣାଙ୍କ ସ୍ୱାମୀ, ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରଚାରକ ଓ ଶିକ୍ଷକ) ଲେଖନ୍ତି୧, “ଆବୁଲ କାଲାମ ଆଜାଦ, ଶ୍ରୀ ଜେ ବି କ୍ରିପ୍ଲାନୀ, ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବୋଷ ପ୍ରଭୃତିଙ୍କଠାରୁ ଆମ୍ଭମାନେ କିଛି ଶୁଣିବା ଉଦେଶ୍ୟରେ ଶ୍ରୀମତୀ ଆଶାଦେବୀ ଶନିବାର ତା ୨୫.୦୩. ୧୯୩୮ସନ୍ଧ୍ୟାବେଳେ ୱାର୍ଦ୍ଧା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ଥିବା ଗୋଟିଏ ବଡ଼ ବଙ୍ଗଳାରେ ଆଲୋଚନା ସଭାର ବ୍ୟବସ୍ଥା କରିଥିଲେ । ଶ୍ରୀଯୁକ୍ତ ବୋଷ ୱାର୍ଦ୍ଧା ସହରର ଯମୁନାଲାଲ ବଜାଜଙ୍କର ଅତିଥିଶାଳାରୁ ଚାଲିକରି ସେହି ବଙ୍ଗଳାରେ ପହଂଚିବା ପୂର୍ବରୁ ଶ୍ରୀଯୁକ୍ତ ମହେଶ ଚନ୍ଦ୍ର ପ୍ରଧାନ ଫାଟକ ପାଖରେ ଅପେକ୍ଷା କରିଥିଲେ । କୌତୁହଳବଶତଃ ମୁଁ ମଧ୍ୟ ଫାଟକ ପାଖରେ ଠିଆ ହୋଇଥିଲି । ଶ୍ରୀଯୁକ୍ତ ବୋଷ ମହେଶ ଚନ୍ଦ୍ର ପ୍ରଧାନଙ୍କୁ ଦେଖିବା କ୍ଷଣି କୁଣ୍ଢେଇ ପକାଇଲେ  ଏବଂ ଓଡ଼ିଆରେ କୁଶଳ ସମାଚାର ପଚାରିଲେ । ସଭାରେ ପ୍ୟାଣ୍ଡେଲରେ ଆସୀନ ବିଶିଷ୍ଟ କଂଗ୍ରେସ ନେତା ଓ ଶିକ୍ଷାବିତ୍ମାନଙ୍କୁ ହିନ୍ଦୀରେ ଶ୍ରୀଯୁକ୍ତ ପ୍ରଧାନଙ୍କର ପରିଚୟ ପ୍ରଦାନ କରି କହିଲେ-ସାର କଥା- ଆମେ ଉଭୟେ କଟକର ରେଭେନ୍ସା କଲିଜିଏଟ ସ୍କୁଲରେ ୧୯୦୯ ରୁ ୧୯୧୩ ମସିହା ପର୍ଯ୍ୟନ୍ତ ସହପାଠୀ  ଓ ଅନ୍ତରଙ୍ଗ ବନ୍ଧୁ ଥିଲୁ । ଓଡ଼ିଆ ଭାଷା ପ୍ରତି ଓ କିଶୋର ବୟସର ସହପାଠୀ ପ୍ରତି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବୋଷଙ୍କର କି ଗଭୀର ପ୍ରୀତି!!”

ସଦଭାବନା ବୀଜ ବପନ : ଓଡ଼ିଆ –ବଙ୍ଗାଳୀ ସଦଭାବନା

ପିଲାଟି ଦିନରୁ ବଂଗାଳୀ ଓ ଓଡ଼ିଆଙ୍କ ମଧ୍ୟରେ ସୁସମ୍ପର୍କର ଯେଉଁ ସଂସ୍କାର ସେ ପାଇଥିଲେ ତାଙ୍କ ପରିବାରରୁ, ତାହା ତାଙ୍କରି ଭାଷାରେ ଏହିପରି୨(ପୃ ୪୨), “ଆମ ଶିକ୍ଷକ ଓ ଛାତ୍ର ମାନଙ୍କ ମଧ୍ୟରେ ଉଭୟ ବଂଗାଳୀ ଓ ଓଡ଼ିଆ ଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ସେ ସମୟରେ କେହି ଶୁଣି ନଥିଲେ, ଅତ୍ୟନ୍ତ ଆମେ ଛାତ୍ର ଶୁଣି ନ ଥିଲୁ, ଯେ ଏହି ଦୁଇ ଭଗିନୀପ୍ରଦେଶର ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ଦୁର୍ଭାବନା ବା ଭୁଲ ବୁଝାମଣା ଅଛି । ଆଉ ଆମ ପରିବାରରେ ଆମ ଚିନ୍ତାରେ କଦାପି ସ୍ଥାନ ପାଇ ନଥିଲା ସଂକୀର୍ଣ୍ଣ ସ୍ଥାନୀୟତା ବା ପ୍ରାଦେଶିକତା । ଏଥିପାଇଁ ଆମେ ଆମର ପିତାମାତାଙ୍କୁ ଧନ୍ୟବାଦ ଦେବୁ । ମୋ ବାପାଙ୍କର ଓଡ଼ିଶାର ଲୋକଙ୍କ ସହ ବ୍ୟାପକ ସମ୍ପର୍କ ଥିଲା ଏବଂ ବହୁ ପ୍ରତିଷ୍ଠିତ ଓଡ଼ିଆ ପରିବାରଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା । ତାଙ୍କର ଦୃଷ୍ଟିକୋଣ ଉଦାର ଥିଲା ଏବଂ ତାଙ୍କର ସହାନୁଭୂତି ଥିଲା ବେଶ ବିସ୍ତୃତ ଏବଂ ଏହା ତାଙ୍କ ପରିବାରର ସମସ୍ତଙ୍କୁ ପ୍ରଭାବିତ କରିଥିଲା । ମୋର ମନେ ପଡୁନାହିଁ ତାଙ୍କ ମୁହଁରୁ ଓଡ଼ିଆ ଲୋକଙ୍କ ସମ୍ପର୍କରେ ବା ଅନ୍ୟ କୌଣସି ରାଜ୍ୟର ଲୋକଙ୍କ ସମ୍ପର୍କରେ କୌଣସି ତାତ୍ସଲ୍ୟଭରା ମନ୍ତବ୍ୟ । ଯଦିଓ ସେ ନିଜର ଭାବକୁ ପ୍ରଦର୍ଶନ କରୁ ନଥିଲେ ଏବଂ ସ୍ୱଭାବତଃ ଗମ୍ଭୀର ପ୍ରକୃତିର ଥିଲେ; କିନ୍ତୁ ସେ ଯେଉଁଠାରେ ରହିଲେ ମଧ୍ୟ, ତାଙ୍କ ସମ୍ପର୍କରେ ଆସୁଥିବା ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ପିତା ମାତାଙ୍କର ଏହିପରି ପ୍ରଭାବ ଅଲକ୍ଷିତ ଭାବେ ଏପରି କାର୍ଯ୍ୟ କରିଥିଲା ଯେ କେବଳ ପରବର୍ତ୍ତୀ ସମୟରେ ପିଲାମାନେ ବିଶ୍ଳେଷଣ ଦ୍ୱାରା ବୁଝିପାରିଲେ ଯେ ସେମାନଙ୍କ ଚରିତ୍ର ଗଠନରେ ଏହା କିପରି ସାହାଯ୍ୟ କରିଛି ବା ସେମାନଙ୍କ ଜୀବନକୁ  କିପରି ଏକ ନିର୍ଦ୍ଦିଷ୍ଟ ଦିଗ ଦେଇଛି ।”

ହିନ୍ଦୁମୁସଲମାନ ସଦଭାବନା

କଟକର ଓଡ଼ିଆ ବଜାରରେ ସୁଭାଷ ବୋଷଙ୍କ ପିତା ଜାନକୀନାଥ ବୋଷଙ୍କ ବାସଗୃହ ଥିଲା । ସୁଭାଷଙ୍କର ପିଲାଦିନ ଏହି ଅଂଚଳରେ ହିଁ କଟିଥିଲା । ଏହି ଅଂଚଳ ସମ୍ପର୍କରେ ସେ ଲେଖନ୍ତି୨(ପୃ ୬୩), “ଯେଉଁ ଅଂଚଳରେ ଆମେ ରହୁଥିଲୁ ତାହା ଏକ ମୁସଲମାନବହୁଳ ଅଂଚଳ ଥିଲା ଏବଂ ଆମର ପ୍ରତିବେଶୀ ମୁଖ୍ୟତଃ ମୁସଲମାନ ଥିଲେ । ଯେପରି ସାଧାରଣ ଗାଁ ଲୋକେ ତାଙ୍କ ଭିତରର ବର୍ଷୀୟାନ ବ୍ୟକ୍ତିକୁ ସମ୍ମାନ ଦେଇଥାନ୍ତି, ବାପାଙ୍କୁ ସେମାନେ ସେହିଭଳି ସମ୍ମାନ ଦେଉଥିଲେ । ଆମେ ତାଙ୍କ ପର୍ବପର୍ବାଣୀ, ଯେପରି ମହରମରେ ଭାଗ ନେଉଥୁଲୁ ଏବଂ ସେମାନଙ୍କର ଆଖଡାକୁ ଉପଭୋଗ କରୁଥୁଲୁ । ଆମ ଘରେ ନିୟୋଜିତ ଭୃତ୍ୟଙ୍କ ମଧ୍ୟରେ ମୁସଲମାନ ମଧ୍ୟ ଥିଲେ ଓ ସେମାନେ ସେତିକି ଅନୁଗତ ଥିଲେ ଯେପରି ଅନ୍ୟମାନେ ଥିଲେ । ସ୍କୁଲରେ ମୋର ମୁସଲମାନ ଶିକ୍ଷକ ଥିଲେ ଏବଂ ମୁସଲମାନ ସହପାଠୀ ଥିଲେ ଯେଉଁମାନଙ୍କ ସହିତ ମୋର ସମ୍ପର୍କ ସେତିକି ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଯେତିକି ଅନ୍ୟ ସହପାଠୀମାନଙ୍କ ସହ ଥିଲା । ପ୍ରକୃତରେ କହିବାକୁ ଗଲେ, ମୁଁ ମନେ ପକାଇପାରୁ ନାହିଁ ଯେ ମୁସଲମାନଙ୍କୁ କେବେ ମୁଁ ଆମଠାରୁ ଭିନ୍ନ ବୋଲି ଭାବିଛି, କେବଳ ଏହାକୁ ବାଦ ଦେଇ ଯେ ସେମାନେ ପ୍ରାର୍ଥନା କରିବାକୁ ମସଜିଦ ଯାଆନ୍ତି । ମୋର ପ୍ରାରମ୍ଭିକ ସମୟରେ ହିନ୍ଦୁ ମୁସଲମାନ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ବା ସଂଘର୍ଷ ଅଜଣା ଥିଲା ।”

ସୁଭାଷଙ୍କ ଚରିତ୍ରରେ ସାମ୍ପ୍ରଦାୟିକ ସଦଭାବନା

ଉଲ୍ଲେଖଯୋଗ୍ୟ ଯେ ସୁଭାଷଙ୍କ ପିତା ଜାନକୀନାଥ ବୋଷ କଟକର ଜଣେ ନାମାଜାଦା ଓକିଲ ଥିଲେ । କଟକ ସହିତ ଜାନକୀନାଥଙ୍କର ସମ୍ପର୍କ ତାଙ୍କର କଲେଜ ଜୀବନ ସମୟରୁ ଆରମ୍ଭ ହୋଇଥିଲା । ୧୮୮୦ ମସିହାରେ ସେ ଏଫ୍.ଏ ପରୀକ୍ଷାରେ କଟକ କଲେଜରୁ ୨ୟ ଶ୍ରେଣୀରେ  ଉତ୍ତୀର୍ଣ୍ଣ ହୋଇ ମାସିକ ୨୦ଟଙ୍କା ବୃତ୍ତି ଲାଭ କରିଥିଲେ । ୧୮୮୨ ମସିହାରେ ରେଭେନ୍ସା କଲେଜରୁ ବି.ଏ ପରୀକ୍ଷାରେ ସେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ୪ । ୧୮୮୩ ମସିହାରେ ରେଭେନ୍ସା କଲେଜରୁ ବି.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଗୋକୁଳାନନ୍ଦ ଚୌଧୁରୀ, ମଧୁସୂଦନ ଦାସଙ୍କ ସାନ ଭାଇ ଗୋପାଳବଲ୍ଲଭ ଦାସ ଯେଉଁମାନେ ପରବର୍ତ୍ତୀ ସମୟରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ । ଗୋକୁଳାନନ୍ଦ ଚୌଧୁରୀ ତ କଟକକୋର୍ଟରେ ଜାନକୀନାଥଙ୍କ ପରି ଜଣେ ନାମଜାଦା ଓକିଲ ହୋଇଥିଲେ । ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ ଗୋପବନ୍ଧୁ ଚୌଧୁରୀ ସୁଭାଷଙ୍କର ଉପରଶ୍ରେଣୀରେ ପଢୁଥିଲେ । ୧୯୪୯ଜାନୁଆରୀ ୨୩ ତାରିଖ ଦିନ ବଣେଇଗଡ଼ଠାରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ ଚୌଧୁରୀ କହିଥିଲେ୫,“ଗୋଟାଏ କଥା ତା (ସୁଭାଷ) ସମ୍ବନ୍ଧରେ ମନରେ ଛାପ ରହିଯାଇଛି । ତାହା ହେଉଛି ତାହାଠାରେ ସାନବଡ଼ ଭାବ ନଥିଲା କି ସାମ୍ପ୍ରଦାୟିକ ବିଷ ତାକୁ ସ୍ପର୍ଶ କରିନଥିଲା । ଭାରତବାସୀ ତ ଭାରତବାସୀ-ସେଥିରେ ହିନ୍ଦୁ କଣ ବା ମୁସଲମାନ କଣ-ସେଥିପାଇଁ ହୁଏତ ସହଜରେ ଆଇ.ଏନ୍.ଏ. ଗଢ଼ି ପାରିଥିଲା ।”

କହିବା ବାହୁଲ୍ୟ ଯେ ସୁଭାଷଙ୍କ ଚରିତ୍ରର ଏହି ଦୁଇଟି ଦିଗର ମୂଳଦୁଆ ପଡ଼ିଥିଲେ ତାଙ୍କର ପିଲାଦିନେ, କଟକରେ । ଏହି ମୂଳଦୁଆ କେତେ ଶକ୍ତିଶାଳୀ ଥିଲା, ତାହା ଜଣାପଡ଼େ ଗାନ୍ଧୀଙ୍କର ଆଇ.ଏନ୍.ଏ. ସୈନିକମାନଙ୍କ ସହ  ଏକ ଅଭିଜ୍ଞତାରୁ୬(ପୃ ୩୨୩)। ୧୯୪୫ ମସିହାର ଉତ୍ତରାର୍ଦ୍ଧର କଥା । ଲାଲକିଲ୍ଲାରେ ବନ୍ଦୀ ଥିବା ଆଇ.ଏନ୍.ଏ. ସୈନ୍ୟମାନଙ୍କୁ ସାକ୍ଷାତ କରିବାକୁ ମହାତ୍ମା ଗାନ୍ଧୀ ଯାଇଥାନ୍ତି । ସେମାନେ ଅଭିଯୋଗ କରୁଥିଲେ ଯେ ବନ୍ଦୀଭାବରେ ତାଙ୍କୁ ‘ହିନ୍ଦୁ ଚା’ ଓ ‘ମୁସଲମାନ ଚା’ ଏପରି କରି ପିଇବା ପାଇଁ ଦିଆଯାଉଛି । ଗାନ୍ଧୀ ତାଙ୍କୁ ପଚାରିଲେ, “ତୁମେ  ଏହାକୁ ନେଇ ବିବ୍ରତ କାହିଁକି?” ସେମାନଙ୍କର ଉତ୍ତର ଥିଲା, “ଆମେ ବିବ୍ରତ ନୋହୁଁ, ଆମେ ‘ହିନ୍ଦୁ ଚା’ ଓ ‘ମୁସଲମାନ ଚା’ରୁ ଅଧା ଅଧା ନେଉ, ମିଶାଇ ଦେଉ ଓ ସମସ୍ତେ ସେଇଥିରୁ ପିଉ ।” ଗାନ୍ଧୀ ବିସ୍ମିତ ସ୍ୱରରେ ହସି ହସି କହିଲେ, “ଏହା ତ ଅତି ଉତ୍ତମ କଥା ।”

ଆଇ.ଏନ୍.ଏ. ସୈନିକମାନଙ୍କ ଭିତରେ ସାମ୍ପ୍ରଦାୟିକ ସଦଭାବନାର ଏହିପରି ବୀଜ ବପନ କରିପାରିଥିଲେ ସୁଭାଷ । ସେମାନେ କୌଣସି ବିଶ୍ୱାସ ବା ଧର୍ମ ମଧ୍ୟରେ ଭେଦଭାବ ଜାଣୁ ନ ଥିଲେ । ୨୩ ଜାନୁଆରୀ ୧୯୪୭ ଦିନ ମହାତ୍ମା ଗାନ୍ଧୀ ସୁଭାଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ୬(ପୃ ୩୨୨),“ସେ ଦେଶପାଇଁ ନିଜର ଉଜ୍ଜ୍ୱଳ କ୍ୟାରିଅରକୁ ତ୍ୟାଗ କରିଥିଲେ ।… ବିକ୍ଷିପ୍ତ ହୋଇ ରହିଥିବା, ବିଭିନ୍ନ ସମ୍ପ୍ରଦାୟରୁ ଏବଂ ଭାରତର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିମାନ ଯୁବକମାନଙ୍କୁ ଆଣି ଏକ ବାହିନୀ ଗଢ଼ି ଏବଂ ଏକ ଶକ୍ତିଶାଳୀ ସରକାର ବିରୁଦ୍ଧରେ ଲଢ଼ିବାର ସାହସ ଦେଖାଇଥିଲେ ।”

ସମାଜ ସେବାର ମୂଳଦୁଆ

ପ୍ରେସିଡେନ୍ସୀ ଓ କଲିକତା ବିଶ୍ୱବିଦ୍ୟାଳୟରୁ ବିତାଡ଼ିତ ହେବା ପରେ ସୁଭାଷବୋଷ କଟକ ଚାଲି ଆସିଥିଲେ । ତାଙ୍କ ଭାଷାରେ୨(ପୃ ୧୦୦), “ଏହା ମାର୍ଚ୍ଚ ୧୯୧୬ର ଶେଷ ଆଡ଼କୁ ମୁଁ ଏକ ବିତାଡ଼ିତ ଛାତ୍ରଭାବେ କଟକ ଚାଲି ଆସିଲି ।”(“It was the end of March, 1916, when I came down o Cuttack as a rusticated student”) କଟକକୁ ଫେରି ଆସିବାପରେ ସେ ସାମାଜିକ ସେବା କାର୍ଯ୍ୟରେ ଲିପ୍ତ ହେବା ପାଇଁ ମନସ୍ଥ କଲେ । ତାଙ୍କରି ଭାଷାରେ୨(ପୃ ୧୦୨-୩), “ବହିକୁ ଗୋଟିଏ ପାଖକୁ ଆଡ଼େଇ ଦେଇ, ମୁଁ ଆବେଗମୟ ଉତ୍ସାହର ସହିତ ସମାଜ ସେବାରେ ଲିପ୍ତ ହେଲି । ଏହି ଦିନମାନଙ୍କରେ ହଇଜା, ବସନ୍ତ ଭଳି ମହାମାରୀ ଓଡ଼ିଶାରେ ବାରମ୍ବାର ହେଉଥାଏ ।… ସୌଭାଗ୍ୟକ୍ରମେ, ଛାତ୍ରଙ୍କ ମଧ୍ୟରେ ଗୋଟିଏ ଗୋଷ୍ଠୀ ଥାଆନ୍ତି, ଯାହାଙ୍କ ମଧ୍ୟରେ କେତେଜଣ ମୋର ପୂରାତନ ବନ୍ଧୁ ଥାଆନ୍ତି, ଯେଉଁମାନେ ସହରର ବିଭିନ୍ନ ଅଂଚଳକୁ ଯାଇ ସ୍ୱେଚ୍ଛାରେ ସେବାଶୁଶ୍ରୁଷା କରିଥାନ୍ତି । ମୁଁ ସେମାନଙ୍କ ସହ ସାମିଲ ହୋଇଗଲି । ଆମେ ହଇଜା ଓ ବସନ୍ତ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସେବା ଉପରେ ଯଦିଓ ଜୋର ଦେଉଥିଲୁ, କିନ୍ତୁ ଆମର ସେବା ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଲବ୍ଧ ଥିଲା ।…. ହଇଜାରୋଗୀଙ୍କୁ ସେବା କରିବାରେ ଆମେ ବିଶେଷ ତୃପ୍ତି ଲାଭ କରୁଥୁଲୁ ବିଶେଷତଃ ଯେତେବେଳେ ଆମେ ଦେଖୁଥୁଲୁ ଯେ ବହୁ ରୋଗୀଙ୍କୁ ଆମେ ମରଣମୁଁହରୁ ରକ୍ଷା କରିପାରୁଛୁ । କିନ୍ତୁ ସତର୍କତା ଅବଲମ୍ବନ କ୍ଷେତ୍ରରେ ମୁଁ ଅତ୍ୟନ୍ତ ଅସାବଧାନ ଥିଲି ।”

ଯୁବ ସଂଗଠନ ଗଢ଼ିବାର ସଙ୍କଳ୍ପ

ଏହି ସମାଜସେବା କାଳରେ ସୁଭାଷଙ୍କ ଚିନ୍ତାରେ ଅଙ୍କୁରୋଦଗମ ହୋଇଥିଲା ରାଷ୍ଟ୍ରକୁ ଦୁଃସ୍ଥିତିରୁ ମୁକ୍ତ କରିବାର ଚିନ୍ତା । ତାଙ୍କରି ଭାଷାରେ୨(ପୃ ୧୦୪), “ସେବା ଶୁଶ୍ରୁଷା ଯଦିଓ ବେଶ୍ କୌତୁହଳଜନକ ଓ ପ୍ରୟୋଜନୀୟ କାର୍ଯ୍ୟ ଥିଲା, ଏହା ମୋର ସମସ୍ତ ସମୟକୁ ପୂରଣ କରିବାପାଇଁ ଯଥେଷ୍ଟ ନଥିଲା । ସେବା ଶୁଶ୍ରୁଷା କାର୍ଯ୍ୟ ବାଞ୍ଛନୀୟ ହୋଇପାରେ, କିନ୍ତୁ ଏହା ଆମର ଜାତୀୟ ଦୁଃସ୍ଥିତିର ସ୍ଥାୟୀ ପ୍ରତିକାର ନୁହେଁ ।… ତେଣୁ ମୁଁ ହାତ ଦେଲି  ଯୁବ ସଙ୍ଗଠନ ନିର୍ମାଣରେ । ମୁଁ ବହୁସଂଖ୍ୟାରେ ଯୁବକଙ୍କୁ ଏକାଠି କଲି ଏବଂ ଶାରୀରିକ, ବୌଦ୍ଧିକ ତଥା ନୈତିକମାନର ବିକାଶ ପାଇଁ ବିଭିନ୍ନ ବିଭାଗ ଥାଇ ଏକ ସଙ୍ଗଠନ ଆମେ ଗଢ଼ିଲୁ । ମୁଁ ସେଠାରେ (କଟକରେ) ଥିବା ସମୟରେ ଏହା ଖୁବ ଭଲ ଭାବରେ କାର୍ଯ୍ୟ କରିଥିଲା । ଏହି ସମୟରେ ମୁଁ ମୁହାଁମୁହିଁ ହେଲି ଅସ୍ପୃଶ୍ୟତାର ସମସ୍ୟା ସହିତ ।”  କିପରି? ସୁଭାଷ ବୋଷଙ୍କ  ଭାଷାରେ୨(ପୃ ୧୦୪-୫), “ଛାତ୍ରଙ୍କର ଏକ ହଷ୍ଟେଲ, ଯେଉଁଟା ଆମର ଅତି ପ୍ରିୟ ଗନ୍ତବ୍ୟ ସ୍ଥଳ ଥିଲା, ସେହି ହଷ୍ଟେଲରେ ମାଝି ନାମରେ ଗୋଟିଏ ସାନ୍ତାଳ ଛାତ୍ର ରହୁଥିଲା । ସାନ୍ତାଳମାନଙ୍କୁ ସାଧାରଣତଃ ଛୋଟ ଜାତିର ବୋଲି ଧରାଯାଏ । କିନ୍ତୁ ଛାତ୍ରମାନେ ସେଠାରେ ଥିଲେ ଖୁବ ଉଦାରମନା, ତେଣୁ ଏହାକୁ ଗୁରୁତ୍ୱ ଦେଉ ନଥିଲେ । ମାଝିକୁ ଏକ ଅନ୍ତେବାସୀଭାବେ ସ୍ୱାଗତ କରାଯାଇଥିଲା । କିଛି ସମୟ ପାଇଁ ସବୁ ଠିକଠାକ ଚାଲିଥିଲା । ଗୋଟିଏ ଦିନ ଜଣେ ଅନ୍ତେବାସୀର ବ୍ୟକ୍ତିଗତ ଭୃତ୍ୟ କେମିତି ଜାଣିବାକୁ ପାଇଲା ଯେ ମାଝି ହେଉଛି ସାନ୍ତାଳ ଏବଂ ଗୋଟିଏ ଗଣ୍ଡଗୋଳ ଭିଆଇବା ପାଇଁ ଚେଷ୍ଟା କଲା, ଅନ୍ୟ ଭୃତ୍ୟମାନଙ୍କୁ ମତାଇଲା ଯେ ମାଝି ହଷ୍ଟେଲ ନ ଛାଡ଼ିଲା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିବେ ନାହିଁ । ସୌଭାଗ୍ୟ କ୍ରମେ କେହି ତା’ଦ୍ୱାରା ପ୍ରଭାବିତ ହେଲେ ନାହିଁ ଓ ଗଣ୍ଡଗୋଳ ଆରମ୍ଭ ହୋଇପାରିଲା ନାହିଁ । କିନ୍ତୁ ଯାହା ମୋତେ ସେ ସମୟରେ ଆଶ୍ଚର୍ଯ୍ୟ କରିଥିଲା ତାହା ହେଉଛି ଯେଉଁମାନେ ପ୍ରକୃତରେ ଉଚ୍ଚଜାତିର, ସାନ୍ତାଳ ଛାତ୍ରର ହଷ୍ଟେଲରେ ରହିବାକୁ ବିରୋଧ କରିପାରିଥାନ୍ତେ, ସେମାନେ ଏପରି କରି ନଥିଲେ, ଅଥଚ ଭୃତ୍ୟ ଯିଏ ନିଜେ ତୁଳନାତ୍ମକ ଭାବେ ଛୋଟ ଜାତିର, ସେ ଏତେ କ୍ଷୁବ୍ଧ ଥିଲା । ଏହି ଘଟଣା ପରେ ପରେ, ମାଝି ଟାଇଫଡ ରୋଗରେ ପଡ଼ିଲା ଏବଂ ଆମେ  ସବୁ ତା ସେବା-ଶୁଶ୍ରୁଷାରେ ଅଧିକ ଯତ୍ନ ସହକାରେ ଲାଗିପଡିଲୁ । ଏହିଥରେ ମୋତେ ଚକିତ କରି ମୋ ମା ମଧ୍ୟ ମୋ ସହିତ ଯୋଗ ଦେଇଥିଲେ ।”

 ଭ୍ରମଣର ଆନନ୍ଦାନୁଭୂତି

କଟକରେ ରହଣିକାଳରେ ସାଙ୍ଗସାଥୀଙ୍କୁ ଧରି ଐତିହାସିକ ଓ ଧର୍ମ ସ୍ଥାନମାନଙ୍କୁ ବୁଲିଯିବାକୁ ଖୁବ ଉପଭୋଗ କରିଥିଲେ ନେତାଜୀ । ସେ ଏହାର ଭଲ ପ୍ରଭାବ ସମ୍ପର୍କରେ ଲେଖନ୍ତି୨(ପୃ ୧୦୫), “ଖୋଲାରେ ବହୁତ ଚଲାବୁଲା କରିବା ସ୍ୱାସ୍ଥ୍ୟପାଇଁ ଭଲ ଏବଂ ଅନ୍ୟମାନଙ୍କ ସହ ଆନ୍ତରିକ ଆଳାପ ପାଇଁ ଯୋଗାଇଥାଏ ଅବସର ଯାହା କୋଠରୀର ଚାରିକାନ୍ଥ ମଧ୍ୟରେ କଦାପି ସମ୍ଭବ ନୁହେଁ । ଏତଦ୍ ବ୍ୟତୀତ, ଏହା ଫଳରେ ମୁଁ ଦୂରେଇ ରହି ପାରିଲି ଘରଠାରୁ, ଯେଉଁଠି ମୋର ନିର୍ଦ୍ଦିଷ୍ଟ କିଛି କରିବାର ନ ଥିଲା  କାରଣ ଏକାକୀ ଯୋଗ କରିବାର କୌଣସି ଆକର୍ଷଣ ମୋ ପାଇଁ ଆଉ ନଥିଲା ଏବଂ ପାଠ୍ୟପୁସ୍ତକ ପଢ଼ିବା ପ୍ରତି ମୋର ଆଗ୍ରହ ନଥିଲା । ମୁଁ ବର୍ତ୍ତର୍ମାନ ପରୀକ୍ଷା କରୁଥିଲି ଯେ ଆମର ଧାର୍ମିକ ପର୍ବ-ପର୍ବାଣୀକୁ ଆମର ଗୋଷ୍ଠୀ ଜୀବନ ବିକଶିତ କରିବା ପାଇଁ ବ୍ୟବହାର କରାଯାଇପାରେ କି ।”

ଆତ୍ମସମୀକ୍ଷାର ଅଭ୍ୟାସ

କଟକରେ ରହଣି ସମୟରେ ତାଙ୍କର ମାନସିକ ଶକ୍ତିରେ କି ପ୍ରକାର ପରିବର୍ତ୍ତନ ଆସିଥିଲା ସେ ସମ୍ପର୍କରେ ସୁଭାଷ ଲେଖନ୍ତି୨(ପୃ ୧୦୬), “ଏହି ସମୟରେ, ମୋର ମନେ ପଡୁଛି ଯେ ମୋର ମାନସ ଏକ ନିର୍ଦ୍ଦିଷ୍ଟ ଭାବରେ ବିକଶିତ ହୋଇଥିଲା ତାହା ହେଉଛି ଆତ୍ମ-ସମୀକ୍ଷାର ଅଭ୍ୟାସ । ଏହି ଅଭ୍ୟାସ ସେହି ଦିନଠାରୁ ମୁଁ ନିୟମିତ ଭାବରେ କରୁଛି ଏବଂ ଏହାର ବହୁତ ଉପକାର ପାଇଛି । ଏହାଦ୍ୱାରା ଜଣେ ତାର ନିଜ ମନ ବା ବିଚାର ଉପରେ ଏକ ଶକ୍ତିଶାଳୀ ସନ୍ଧାନୀ ଆଲେକ (searchlight) ପକାଇଥାଏ ଓ  ନିଜକୁ ଆହୁରି ଭଲ ଭାବରେ ଜାଣିଥାଏ ।”

କାମ୍ବ୍ରିଜରେ ଓଡିଆ ଛାତ୍ରଙ୍କ ସହାଯ୍ୟ

କାମ୍ବ୍ରିଜ ୟୁନିଭର୍ସିଟିରେ ପ୍ରବେଶ କରିବାରେ ଓଡ଼ିଶାରୁ ସେଠାରେ ପଢୁଥିବା ଛାତ୍ରମାନେ ତାଙ୍କୁ କିପରି ସାହାଯ୍ୟ କରିଥିଲେ ସେ ସମ୍ପର୍କରେ ସୁଭାଷ କୁହନ୍ତି୨(ପୃ ୧୧୯), “ଓଡ଼ିଶାରୁ କେତେକ ଛାତ୍ର ଯେଉଁମାନଙ୍କୁ ମୁଁ ପୂର୍ବରୁ ଅଳ୍ପ ଜାଣିଥିଲି, ସେମାନେ ମୋ ଆଡକୁ ସାହାଯ୍ୟର ହାତ ବଢ଼ାଇଲେ । ତାଙ୍କ ଭିତରୁ ଜଣେ ଯିଏ Fitzwilliam Hall ରେ ଥିଲେ ସେ ମୋତେ Mr Reddaway, the Censor ଙ୍କ ନିକଟକୁ ନେଲେ ଓ ତାଙ୍କ ସହିତ ମୋର ପରିଚୟ କରାଇଦେଲେ । Mr Reddaway ଅତ୍ୟନ୍ତ ଦୟାଳୁ ଓ ସହାନୁଭୂତିଶୀଳ ଥିଲେ, ମୋତେ ଧୈର୍ଯ୍ୟର ସହ ଶୁଣିଲେ ଏବଂ ଶେଷରେ କଥାବାର୍ତ୍ତାକୁ ସମାପ୍ତ କରୁ କରୁ କହିଲେ ଯେ ସେ ମୋତେ ସିଧାସଳଖ admit କରିଦେବେ ।”

ବ୍ୟବହୃତ ଉପାଦାନ ସୂଚୀ

୧.ଦ୍ରଷ୍ଟବ୍ୟ ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ, ଶିକ୍ଷାସନ୍ଧାନ, ଭୁବନେଶ୍ୱର, ପୃ ୪୨

୨. An Indian Pilgrim or Autobiography of Subhas Chandra Bose ,WWW.HINDUSTANBOOKS.COM

୩. ଉକ୍ରଳ ଦୀପିକା, ଜାନୁଆରୀ ୩୧, ୧୮୮୦

୪. ଉକ୍ରଳ ଦୀପିକା, ଫେବୃଆରୀ ୪, ୧୮୮୨

୫. ଗ୍ରାମସେବକ, ଫେବୃଆରୀ , ୧୯୪୯

୬. His Majesty’s Opponent, Sugata Bose, Penguin Books, 2011,  p.323

Total Views: 1,170

Comments

0 comments

Share This Article