ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଗତ ଜାନୁଆରୀ ୨୪,୨୦୨୩ ପ୍ରକାଶିତ ହେବାପରେ ଭାରତର ତଥାକଥିତ ମହାଧନୀଙ୍କ କଳାକାରନାମା ପଦାକୁ ଆସିଯାଇଛି ।
ଗୌତମ ଆଦାନୀଙ୍କ ପତିଆରା ବିସ୍ତାର
୨୦୧୪ରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଘୋଷିତ କରାଇବାରେ ଯାହାର ପ୍ରମୁଖ ଭୂମିକା ରହିଛି ବୋଲି କୁହାଯାଉଛି, ଶ୍ରୀ ଗୌତମ ଆଦାନୀ ଏବେ ଅନୈତିକ ବ୍ୟବସୟିକ କାରବାର କରୁଥିବା କମ୍ପାନୀମାନଙ୍କ କଳାତାଲିକାକୁ ଆସି ଯାଇଛନ୍ତି । ସମଗ୍ର ଭାରତ ସରକାର ଓ ରାଜ୍ୟସରକାରମାନଙ୍କୁ ନିଜ ହାତମୁଠାରେ ରଖି ଖଣିଖନନଠାରୁ ଆରମ୍ଭ କରି ବନ୍ଦର ଓ ବିମାନବନ୍ଦର ଅକ୍ତିଆର କରି ଚାଲିଥିବା ଗୌତମ ଆଦାନୀ ଯେ ଭାରତ ସରକାର ଓ ଶାସକଦଳର ପୃଷ୍ଠପୋଷକତା ନ ପାଇଲେ ଏଭଳି ପତିଆରା ବିସ୍ତାର କରିପାରିବେ ନାହିଁ, ଏକଥା ସମସ୍ତେ ଜାଣିଛନ୍ତି । କର୍ପୋରେଟ ମିଡ଼ିଆ ବା କମ୍ପାନୀମାନଙ୍କ ଅଧୀନକୁ ଚାଲିଯାଇଥିବା ଭାରତର ତଥାକଥିତ ଗଣମାଧ୍ୟମ ମଧ୍ୟ ଆଦାନୀଙ୍କ ଯାଦୁକରୀ ଅଭୁ୍ୟଦୟକୁ ନେଇ କେବେ କିଛି ପ୍ରଶ୍ନ ନଉଠାଇ ଆଦାନୀଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗରେ ଅଘୋଷିତ ଅଂଶିଦାର ହୋଇ ଯାଇଛନ୍ତି । ଅତି ପାଠୁଆ ଲୋକମାନେ ବି କମ୍ପାନୀ ଅଭିବୃଦ୍ଧି, ବିକାଶ ଇତ୍ୟାଦିର ଗଣିତ ବୁଝିପାରନ୍ତି ନାହିଁ।
ଗଣମାଧ୍ୟମର ଭୂମିକା
ସାଧାରଣ ଲୋକମାନେ ଏସବୁ ଜଟିଳ କଥା ବା ବୁଝିବେ କେମିତି? ଗଣମାଧ୍ୟମରେ ଉପଯୁକ୍ତ ପ୍ରଶ୍ନକୁ ନେଇ ଉପଯୁକ୍ତ ଆଲୋଚନା ହୋଇପାରି ଥିଲେ, ଲୋକଙ୍କ ମନ ଭିତରକୁ ପ୍ରଶ୍ନ ଆସିପାରନ୍ତା । ଏଠି ସାମ୍ବାଦିକମାନେ ଅସହାୟ ଯେହେତୁ ଏମାନଙ୍କ ମାଲିକମାନେ ଅନୈତିକ ବ୍ୟବସାୟରେ ନିଜେ ଲିପ୍ତ ଅଛନ୍ତି ବା ସେମାନଙ୍କ ନିଜର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଶ୍ନ ଗୁଡ଼ିକୁ ଉଠାଇବାକୁ ଦେଉ ନାହାନ୍ତି । ଯେଉଁ ପ୍ରଶ୍ନଗୁଡ଼ିକ ଟିଭି ଚ୍ୟାନେଲ (ଏନ୍.ଡ଼ି.ଟିଭି) ବିଶେଷ କରି ଏନ୍.ଡ଼ି.ଟିଭିର ହିନ୍ଦୀ ସଂସ୍କରଣର ସମ୍ପାଦକ ରବିଶକୁମାର ଉଠାଉଥିଲେ, ଏହି ଭିତରେ ଆଦାନୀ ମହାଶୟ କୌଶଳ ପ୍ରୟୋଗକରି ଏହାର ସମସ୍ତ ସଂସ୍କରଣକୁ ବଳପୂର୍ବକ ଅକ୍ତିଆର କରିନେଲେ । ରବିଶ୍ କୁମାରଙ୍କର ଲକ୍ଷଲକ୍ଷ ପ୍ରଶଂସକ ମାନଙ୍କ ଭିତରୁ କେହି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାର ବଳିଷ୍ଠ ପ୍ରମାଣ କିଛି ଦେଖିବାକୁ ମିଳିନାହିଁ । ଏଭଳି ଏକ ପ୍ରତିକୂଳ ସମୟରେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ମାଧ୍ୟମରେ ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟର ଅନୈତିକ ବ୍ୟବସାୟିକ କାରବାର ଉପରେ ଯେଉଁ ଗବେଷଣା ଆଧାରିତ ତଥ୍ୟ ଲୋକଲୋଚନକୁ ଆସିଛି, ଯାହାର ପ୍ରତିକ୍ରିୟା ଆଦାନୀ ଗୋଷ୍ଠି ମଧ୍ୟ ରଖିଛନ୍ତି ଏବଂ ଏହି ପ୍ରତିକ୍ରିୟାର ଉତ୍ତର ଗୋଟିଏ ଗୋଟିଏ ପ୍ରଶ୍ନଉଠାଇ ହିଣ୍ଡେନବର୍ଗ ଗବେଷଣା ଦଳ ଦେଇଚାଲିଛନ୍ତି, ଦେଶଭିତରେ ଯେଉଁଭଳି ଆଲୋଡ଼ନ ସୃଷ୍ଟି କରିବାକଥା ତାହା ଦେଖିବାକୁ ମିଳୁନାହିଁ । ୧୦୦ରୁ ଉର୍ଦ୍ଧ ପୃଷ୍ଠାର ଏହି ରିପୋର୍ଟଟିକୁ ଏଠି ଉପସ୍ଥାପନ କରିବା ସହଜ ନୁହଁ । ଆମେ କେବଳ ଚେଷ୍ଟା କରିବୁ ମୂଳ ରିପୋର୍ଟର ସାରାଂଶଟିକୁ ସଂକ୍ଷେପରେ ଆଲୋଚନା କରିବା ପାଇଁ । ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଯେଉଁ ଢାଞ୍ଚାଟି ଅନୈତିକ ବ୍ୟବସାୟିକ କାରବାରକୁ ବୈଧତା ଯୋଗାଉଛି ଏବଂ ପ୍ରୋତ୍ସାହିତ ମଧ୍ୟ କରୁଛି ସେ ସମ୍ପର୍କରେ ବିଶ୍ଳେଷଣ କରିବୁ ।
ହିଣ୍ଡେନବର୍ଗ ଗବେଷଣା ରିପୋର୍ଟରେ ଗୌତମ ଆଦାନୀଙ୍କ ଉପରେ କ’ଣ ସବୁ କୁହାଯାଇଛି ଜାଣିବାର ଆଗ୍ରହ ତ ନିଶ୍ଚୟ ରହିବ ଯେହେତୁ କମ୍ପାନୀମାନଙ୍କର ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଏହିସବୁ ବିଷୟରେ ସଠିକ୍ ଆଲୋଚନା କରନ୍ତି ନାହିଁ । ଏହିଭଳି ଏକ ଭ୍ରାନ୍ତିର ମଧ୍ୟ ପ୍ରସାରଣ ହେବ ଯେ ଏହି ହିଣ୍ଡେନ୍ବର୍ଗ ଗବେଷଣା ସଂସ୍ଥାଟି କାହାର, ତାହା ପଛରେ କିଏ ଅଛନ୍ତି ଏବଂ ସେମାନେ କାହିଁକି ଗୌତମ ଆଦାନୀଙ୍କ କମ୍ପାନୀର କାରବାର ଉପରେ ଦୁଇବର୍ଷ ଧରି ଅନୁସନ୍ଧାନ ଚଳାଇଥିଲେ । ଅନେକ ଲୋକ ମଧ୍ୟ ଆଦାନୀ କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରତିକ୍ରିୟାଟିକୁ ବିଶ୍ୱାସକରି ଏହି ସଂସ୍ଥାଟିକୁ ସନ୍ଦେହ କରିପାରନ୍ତି, ଯେହେତୁ ଏହା ଏକ ବିଦେଶୀ ସଂସ୍ଥା ।
ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ
ତେବେ ଏହି ହିଣ୍ଡେନବର୍ଗ ଗବେଷଣା ରିପୋର୍ଟରେ କ’ଣ କୁହାଯାଇଛି ସଂକ୍ଷେପରେ ବୁଝିନେବା ଉଚିତ୍ ହେବ । ଏମାନଙ୍କର ଦୁଇବର୍ଷର ଗବେଷଣା ପରେ ସଂସ୍ଥାଟି ଜାଣିବାକୁ ପାଇଛନ୍ତି ଯେ ଭାରତର ଜଣେ ଲକ୍ଷ କୋଟିପତି, ଏସିଆର ସବୁଠାରୁ ଧନୀ ତଥା ବିଶ୍ୱର ତୃତୀୟ ଧନୀବ୍ୟକ୍ତି (ଏବେ ଯଦିଓ ରିପୋର୍ଟ ପ୍ରକାଶ ପରେ ୧୧ତମ ସ୍ଥାନକୁ ଖସି ଆସିଛନ୍ତି) ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଘନିଷ୍ଠବନ୍ଧୁ ଶ୍ରୀ ଗୌତମ ଆଦାନୀଙ୍କ କମ୍ପାନୀସମୂହ ଖୋଲାଖୋଲି ଭାବେ ନିଜର ଅଂଶଧନ ଗୁଡ଼ିକୁ ହଟଚମଟ କରି, କୃତ୍ରିମ ଭାବେ ବୃଦ୍ଧିକରି ଏବଂ ଗୋଟିଏ ଦଶନ୍ଧି ଧରି ହିସାବଖାତାରେ ଜାଲିଆତି କରି ୧୨୦ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ପାଇଛନ୍ତି । ଗଣିତଟି ନିଜେ କରିଲେ ଅଧିକ ବୁଝି ପାରିବା । ୧୦୦କୋଟିରେ ଗୋଟିଏ ବିଲିୟନ ହୁଏ । ୧୨୦ ବିଲିୟନ ଡଲାର ଅନ୍ୟଅର୍ଥରେ ୧୨ହଜାର କୋଟି ଡଲାରକୁ ବୁଝାଇବ । ଆଜିର ଦିନରେ ଗୋଟିଏ ଡଲାର ବଦଳରେ ୮୨ଭାରତୀୟ ଟଙ୍କା ମିଳିଥାଏ । ଅର୍ଥାତ୍ ୧୨ହଜାର କୋଟି ଡଲାରକୁ ଯଦି ୮୨ରେ ଗୁଣାଯିବ ତେବେ ତାହା ୯ଲକ୍ଷ ୮୪ହଜାର କୋଟି ଟଙ୍କା ବା ପାଖାପାଖି ୧୦ଲକ୍ଷ କୋଟି ଟଙ୍କା ହେବ ।
ଗତବର୍ଷ ଭାରତ ସରକାରଙ୍କର ବାର୍ଷିକ ବଜେଟର ପରିମାଣ ୪୯ଲକ୍ଷ କୋଟିରୁ କିଛି ଅଧିକ ଟଙ୍କା ଥିଲା । ଅର୍ଥାତ୍ ଗୌତମ ଆଦାନୀଙ୍କ ‘ଅନୈତିକ’ ବ୍ୟବସାୟରୁ ମାତ୍ର କିଛି ବର୍ଷରେ ମିଳିଥିବା ଟଙ୍କା ଭାରତର ବିଗତବର୍ଷର ବଜେଟର ୫ଭାଗରୁ ଗୋଟିଏ ଭାଗ ସହ ସମତୁଲ ହେବ । ଚିନ୍ତାର ବିଷୟ ଏହା ଯେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଅନୁସାରେ ୧୨୦ବିଲିୟନ ଆମେରିକୀୟ ଡଲାର ମଧ୍ୟରୁ ସର୍ବାଧିକ ୧୦୦ବିଲିୟନ ଡଲାର ଗୌତମ ଆଦାନୀଙ୍କୁ କେବଳ ଗତ ତିନିବର୍ଷ ମଧ୍ୟରେ ମିଳିଛି । ଏହା ସମ୍ଭବ ହୋଇଛି କେବଳ ନିଜର ପ୍ରମୁଖ ୭ଟି କମ୍ପାନୀର ଅଂଶଧନର ମୂଲ୍ୟକୁ କୃତ୍ରିମଭାବେ ବହୁ ପରିମାଣରେ ବଢ଼ାଇ ଦିଆଯାଇଥିବା ଯୋଗୁଁ । ଭାରତର ବ୍ୟବସାୟିକ ଇତିହାସରେ ଗୋଟିଏ ଟଙ୍କାର ମୂଲ୍ୟ ତିନିବର୍ଷ ଭିତରେ ୮ଶହ ୧୯ଟଙ୍କାରେ ପହଞ୍ଚିଯିବାର ବିସ୍ମୟକର ଉଦାହରଣ କେବେ ଦେଖିବାକୁ ମିଳିନଥିଲା । ଆଦାନୀଙ୍କର ୭ଟି ପ୍ରମୁଖ କମ୍ପାନୀ ନିଜ ଅଂଶଧନର ମୂଲ୍ୟ କୃତ୍ରିମ ଭାବେ କେବଳ ବୃଦ୍ଧି କରିଛନ୍ତି ତାହା ନୁହଁ, ସେମାନେ ମଧ୍ୟ ସରକାରୀ ଅର୍ଥଲଗାଣ ସଂସ୍ଥା ମାନଙ୍କଠାରୁ କୃତ୍ରିମଭାବେ ବଢ଼ାଇ ଦିଆଯାଇଥିବା ଅଂଶଧନକୁ ବନ୍ଧକ ରଖି ମାତ୍ରାଧିକ ଋଣ ମଧ୍ୟ ନେଇଛନ୍ତି । ଆଦାନୀଙ୍କ ପରିବାରର ୮ଜଣ ପ୍ରମୁଖ ସମ୍ପର୍କିୟ କମ୍ପାନୀର ୨୨ଜଣ ମୁଖ୍ୟ ନେତୃତ୍ୱଙ୍କ ଭିତରେ ଅଛନ୍ତି । ଏହା ଫଳରେ ଆର୍ଥିକ କାରବାରର ନିଷ୍ପତ୍ତି ଓ ନିୟନ୍ତ୍ରଣ ସମ୍ପୂର୍ଣ୍ଣଭାବେ ପରିବାର ହାତକୁ ଚାଲିଯାଇଛି । ଏହି କମ୍ପାନୀରେ କାମ କରୁଥିବା ପୂର୍ବତନ ପଦସ୍ଥ ଅଧିକାରୀମାନେ ମଧ୍ୟ ହିଣ୍ଡେନବର୍ଗଙ୍କୁ କହିଛନ୍ତିଯେ ଆଦାନୀ ଗୋଷ୍ଠିଟି ଏକ ପାରିବାରିକ ବ୍ୟବସାୟିକ ସଂସ୍ଥା ହୋଇଯାଇଛି ।
ଆଦାନୀଙ୍କ ଇତିହାସ
ଆଦାନୀଙ୍କ ଇତିହାସଟି ଆଗରୁ ମଧ୍ୟ ଭଲ ନଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି । ନିଜ ପରିବାରର ଲୋକେ ଅନ୍ୟ ଦେଶ ବା ଟିକସ ନପଡ଼ୁଥିବା ସ୍ଥାନ ଗୁଡ଼ିକୁ (ଯାହାକୁ ଟିକସର ସ୍ୱର୍ଗ କୁହାଯାଏ) ଯଥା ମରିସସ୍, ସଂଯୁକ୍ତ ଆରବ ଏମିରେଟସ୍ ଏବଂ କାରାବିୟନ ଦ୍ୱୀପପୁଞ୍ଜ ଗୁଡ଼ିକରେ ମିଛ କମ୍ପାନୀ (ଯାହାର କିଛି କାରବାର ନଥାଏ) ପ୍ରତିଷ୍ଠାକରି ମୂଳ ଆଦାନୀ କମ୍ପାନୀମାନଙ୍କ ଠାରୁ ଅର୍ଥଚାଲାଣ କରି ଆସିଛନ୍ତି । ୨୦୦୪-୨୦୦୫ ମସିହାରେ (ସେତେବେଳେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଥଲେ) ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀଙ୍କୁ ଭାରତ ସରକାରଙ୍କର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରାରେ ହୀରା କାରବାର କରୁଥିବାଯୋଗୁଁ ଅଭିଯୁକ୍ତ କରିଥିଲେ । ରାଜେଶ ଆଦାନୀଙ୍କୁ ଜାଲିଆତି ଓ ଟିକସ୍ ଫାଙ୍କିବା ଅଭିଯୋଗରେ ଦୁଇଥର ଜେଲ୍ ଯିବାକୁ ପଡ଼ିଥିଲା । ଏହି ମହାଶୟ ପରେ କମ୍ପାନୀର ପରିଚାଳନା ନିର୍ଦ୍ଧେଶକ ହେଲେ । ସେହି ହୀରା କଳାବଜାର କାରବାରରେ ଆଦାନୀଙ୍କ ଅତି ନିକଟ ସମ୍ପର୍କିୟ ସମିର ଭୋରା ରିଙ୍ଗ ଲିଡ଼ର ଥିଲେ ବୋଲି ଏହି ନିର୍ଦ୍ଦେଶାଳୟ ଅଭିଯୋଗ ଆଣିଥିଲା । ପରେ ଏହି ମହାଶୟ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇପାରିଲେ ।
ରିପୋର୍ଟରେ କୁହାଯାଇଛି ଯେ ଆଦାନୀଙ୍କ ବଡ଼ଭାଇ ବିନୋଦ ଆଦାନୀ ମଧ୍ୟ ଏକ ବିଭ୍ରାନ୍ତିପୂର୍ଣ୍ଣ ଚରିତ୍ର ଥିଲେ । ସେ ସରକାରୀ ଅନୁସନ୍ଧାନ ଗୁଡ଼ିକର କେନ୍ଦ୍ରରେ ରହି ଆସିଛନ୍ତି । ମିଛକମ୍ପାନୀ ବିଦେଶରେ ଖୋଲି ତାହାରି ମାଧ୍ୟମରେ ପୁଞ୍ଜି କାରବାର କରିବା ତାଙ୍କର ଏକ ପ୍ରମୁଖ କାମ ରହିଆସିଛି । କେବଳ ମରିସସରେ ୩୮ଟି ମିଛ କମ୍ପାନୀ ଏବଂ ଏଥି ସହିତ ସାଇପ୍ରସ୍, ୟୁ.ଏ.ଇ, ସିଙ୍ଗାପୁର ଓ ଅନ୍ୟ କାର୍ବିୟନ ଦ୍ୱୀପଗୁଡ଼ିକରେ ମଧ୍ୟ ବିନୋଦ ମିଛ କମ୍ପାନୀର ସାମ୍ରାଜ୍ୟ ବିସ୍ତାର କରି ଆସିଛନ୍ତି । ରିପୋର୍ଟ ମୁତାବକ ଏହି ସବୁ କମ୍ପାନୀ ମାନଙ୍କର ଠିକଣା, କର୍ମଚାରୀମାନଙ୍କ ନାମ ବା ଟେଲିଫୋନ୍ ନଂ ଖୋଜିଲେ ବି ମିଳିନଥାଏ । ସେହି ସବୁ ସତ୍ତ୍ୱେ ଆଦାନୀଙ୍କ ଭାରତୀୟ କମ୍ପାନୀମାନଙ୍କ ପାଇଁ ସେମାନେ ହଜାର ହଜାର କୋଟି ଡଲାରର ବିଦେଶୀ ପୁଞ୍ଜି ଯୋଗାଡ଼ କରିପାରିଛନ୍ତି । ନିଜ ପରିବାର ଦ୍ୱାରା ସର୍ବାଧିକ ଅଂଶଧନ ରଖିଥିବା ଯୋଗୁଁ ଆଦାନୀ କମ୍ପାନୀ ଗୁଡ଼ିକ ‘ପବ୍ଲିକ୍’ କମ୍ପାନୀ ପର୍ଯ୍ୟାୟଭୁକ୍ତ ହେବାକଥା ନୁହଁ । କିନ୍ତୁ ଆଦାନୀ ଗୃପ ପ୍ରତି ସରକାରଙ୍କର ‘ସେବି’ (SEBI) ସଂସ୍ଥା ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସବୁଠାରୁ କୌତୁହଳର କଥାଯେ ଆଦାନୀ ଏଣ୍ଟରପ୍ରାଇଜେସ୍ ଓ ଆଦାନୀ ଟୋଟାଲ୍ ଗ୍ୟାସ ନାମକ ଦୁଇଟି ବିରାଟ କମ୍ପାନୀର ବାର୍ଷିକ ଅଡ଼ିଟ୍ ଯେଉଁ ‘ସାହା ଧନ୍ଧାରିଆ ପାଟନରସ୍’ କରୁଛନ୍ତି ସେମାନଙ୍କର ବୟସ ୨୪ ଓ ୨୩ବର୍ଷ ।
ଏତେ ବିରାଟ କମ୍ପାନୀ କୌଣସି ଅଭିଜ୍ଞତା ନଥିବା ଅଡ଼ିଟରମାନଙ୍କୁ ନିଯୁକ୍ତ କରିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତି ସନ୍ଦେହ ବଢ଼ାଇବା ସ୍ୱାଭାବିକ । ରିପୋର୍ଟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି ଯେ, ଯେତେବେଳେ କି ଗୌତମ ଆଦାନୀ ଦାବିକରନ୍ତି ଯେ ସେ ସବୁ ସମାଲୋଚନାକୁ ଖୋଲାମନରେ ନେଇଥାନ୍ତି ଯେହେତୁ ସେଥିରୁ ତାଙ୍କୁ ଶିଖିବାର ସୁଯୋଗ ମିଳିଥାଏ, କିନ୍ତୁ ପ୍ରକୃତରେ ସେ ସେଭଳି କରିନ୍ତି ନାହିଁ । ତାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକ ବା ସମାଲୋଚକ ମାନଙ୍କୁ ସେ ସରକାରଙ୍କ ଉପରେ ଥିବା ନିଜର ପ୍ରଚଣ୍ଡ ପ୍ରଭାବକୁ ବ୍ୟବହାର କରି ଜେଲ୍କୁ ପଠାଇ ଦିଅନ୍ତି ବା ଆଇନଗତ ମାମଲାରେ ଛନ୍ଦି ଦିଅନ୍ତି ।
ଏଠି ସମ୍ପୂର୍ଣ୍ଣ ରିପୋର୍ଟଟିକୁ ଆଲୋଚନା କରିବା ସମ୍ଭବ ନୁହଁ । ତେବେ ଗୋଟିଏ ପ୍ରଶ୍ନ ମନକୁ ଆସିପାରେ ଯେ ହିଣ୍ଡେନବର୍ଗ ଗବେଷଣା ସଂସ୍ଥାଟି କିଏ ଏବଂ ସେମାନେ ଗୌତମ ଆଦାନୀଙ୍କୁ ବାଛିଲେ କାହିଁକି? ଏହାର ପ୍ରତିଷ୍ଠାତା ନାଥନ୍ ଏଣ୍ଡରସନ୍ ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟ ଉପରେ କେବଳ ଡ଼ିଗ୍ରିଟିଏ ପାଇ କିଛି ଦିନ ‘ଫେକ୍ଟସେଟ୍ ଗବେଷଣା ବ୍ୟବସ୍ଥା’ ନାମକ ଏକ ପୁଞ୍ଜି ନିବେଶ ପରିଚାଳନା କମ୍ପାନୀରେ କାମ କରୁଥିଲେ । କମ୍ପାନୀମାନେ କିଭଳି ଜାଲିଆତି କରନ୍ତି ସେ ବାବଦରେ ସେଠି ପ୍ରଥମେ ଜାଣିବାକୁ ପାଇଥିଲେ । ସେ କିଛି ଦିନପାଇଁ ଏହି ସବୁ କମ୍ପାନୀରୁ ବାହାରିଯାଇ ଇସ୍ରାଏଲ୍ ଦେଶରେ ଏକ ଆମ୍ବୁଲାନସ୍ ଡ୍ରାଇଭର ଭାବରେ କାମ କରୁଥିଲେ । ସେଠି ତାଙ୍କୁ ଭବିଷ୍ୟତର କାର୍ଯ୍ୟ ଉପରେ ଚିନ୍ତା କରିବାପାଇଁ ଯଥେଷ୍ଟ ସମୟ ମିଳିଥିଲା । ସେ ଏହି ମାତ୍ର ୨୦୧୭ ମସିହାରେ ହିଣ୍ଡେନବର୍ଗ ଗବେଷଣା ସଂସ୍ଥା ପ୍ରତିଷ୍ଠା କରି ବ୍ୟବସାୟିକ କମ୍ପାନୀମାନଙ୍କର ଅନୈତିକ କାରବାର ଗୁଡ଼ିକୁ ଅନୁଧ୍ୟାନ କରି ଆସୁଥିଲେ ।
ଆଦାନୀ ପୂର୍ବରୁ ସେ ନିକୋଲା କମ୍ପାନୀର ମାଲିକ ଟ୍ରେଭର ମିଲ୍ଟନ୍ କିଭଳି ପୁଞ୍ଜିନିବେଶକାରୀଙ୍କୁ ମିଛ କହିଥିଲେ ସେହି କଥାଟିକୁ ପଦାରେ ପକାଇଥିଲେ । ତାହାପରେ ସେ ବିଶ୍ୱର ସବୁଠାରୁ ଧନୀ ଏଲନ୍ ମସ୍କଙ୍କର ଗୋଟିଏ ଜାଲିଆତିକୁ ଧରିବାରେ ସଫଳ ହୋଇଥିଲେ(ସମସ୍ତ ତଥ୍ୟ ଇଣ୍ଟରନେଟ୍ରେ ଉପଲବ୍ଧ) । ମସ୍କ ମଧ୍ୟ ତାହାପରେ ନିଜର ଭୁଲଟିକୁ ସୁଧାରି ପାରିଥିଲେ । ସେହି ଦୃଷ୍ଟିରୁ ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଯେଉଁଠି ଗୋଟିଏ ଟଙ୍କା ମାତ୍ର ତିନି ବର୍ଷରେ ୮୧୯ଟଙ୍କାରେ ପହଞ୍ଚିପାରେ, ହିଣ୍ଡେନବର୍ଗ ରାଡ଼ର୍ ଭିତରକୁ ଆସିଯିବା ସ୍ୱାଭାବିକ ମନେହୁଏ । ସ୍ତମ୍ଭକାର ଶ୍ରୀ ସରଳ ଦାସ ଅଧିକ ବିସ୍ତାର ଭାବେ ରିପୋର୍ଟ ଉପରେ ଆଲୋଚନା ରଖିଛନ୍ତି ।
ତେବେ ଆଦାନୀଙ୍କ ପ୍ରତିକ୍ରିୟା ଅଧିକ କୌତୁହଳପୂର୍ଣ୍ଣ
ହିଣ୍ଡେନବର୍ଗ ଗବେଷଣା ରିପୋର୍ଟକୁ ସେ ତାଙ୍କ କମ୍ପାନୀ ନୁହଁ ବରଂ ‘ଭାରତ ଉପରେ ଏକ ଆକ୍ରମଣ’ ଅଖ୍ୟାଦେଇ ‘ଆଦାନୀ ହିଁ ଭାରତ’ (ଆଦାନୀ ଇଜ୍ ଇଣ୍ଡିଆ) ଓ ‘ଭାରତ ହିଁ ଆଦାନୀ’(ଇଣ୍ଡିଆ ଇଜ୍ ଆଦାନୀ) ର ଭ୍ରମଟି ଆମ ଦେଶରେ ବଢ଼ି ଚାଲିଥିବା କୋଟିକୋଟି ମିଛ ଦେଶପ୍ରେମୀ ମାନଙ୍କ ଭିତରେ ଆଣିପାରିଥିବେ । ଏଠି ସ୍ମରଣ କରିଦିଆଯାଇ ପାରେ ଯେ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ରରେ ରଖି ବି.ବି.ସି ଦ୍ୱାରା ପ୍ରଯୋଜିତ ଏକ ବୃତ୍ତଚିତ୍ରକୁ ମଧ୍ୟ ‘ଭାରତ ଉପରେ ଏକ ଆକ୍ରମଣ’ କୁହାଯାଇଥିଲା- ଅର୍ଥାତ୍ ‘ମୋଦୀ ହିଁ ଭାରତ’ ଏବଂ ‘ଭାରତ ହିଁ ମୋଦୀ’ । ଦେଶ ଭିତରେ ଯଦିକେହି ସତକଥା କୁହେ ବା ଉଚିତ୍ ପ୍ରଶ୍ନକରେ ସେ ସହରି ନକ୍ସଲ ବା ଦେଶଦ୍ରୋହୀର ଆଖ୍ୟାପାଏ । ଦେଶଭିତରର ବୌଦ୍ଧିକ ସମୁଦାୟଟି ନିରବ ହୋଇଗଲାପରେ ଏବଂ ରାଜନୈତିକ ଶକ୍ତିମାନେ ପ୍ରଭାବହୀନ ହୋଇଯିବା ପରେ ବାହାରୁ ଯଦିକେହି ପରିଶ୍ରମକରି ପ୍ରକୃତ ତଥ୍ୟ ବା ବାସ୍ତବ ଚିତ୍ର ଲୋକଲୋଚନକୁ ଆଣେ ତାକୁ ‘ଆକ୍ରମଣକାରୀ’ ବା ଦେଶ ଉପରେ ଏକ ଆକ୍ରମଣର ଆଖ୍ୟା ଦିଆଯାଇଥାଏ ।
ଆଦାନୀଙ୍କ ସାମ୍ରାଜ୍ୟ ମୋଦୀଙ୍କ ଭାଗ୍ୟରେଖା ସହ ଯୋଡ଼ିହୋଇ ଆସିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭକରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆସନରେ ବସିବାଯାଏଁ ଗୌତମ ଆଦାନୀ ମୋଦୀଙ୍କୁ ବଳିଷ୍ଠ ସହଯୋଗ ଯୋଗାଇ ଆସିଛନ୍ତି । ସବୁକଥାର ସାକ୍ଷୀ ଲାଲ୍କୃଷ୍ଣ ଆଡ଼ଭାନୀ ଏବେ ବି ଅଛନ୍ତି । ୨୦୧୩ରୁ ୨୦୧୪ ଲୋକସଭା ନିର୍ବାଚନ ଯାଏଁ ନରେନ୍ଦ୍ର ମୋଦୀଙ୍କୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଯେଉଁ ବ୍ୟୟବହୁଳ ନିର୍ବାଚନ ଅଭିଯାନ ଚାଲିଲା ତାହା ଭାରତର ନିର୍ବାଚନୀ ଇତିହାସରେ ଏକ ବିରଳ ଘଟଣା ଥିଲା । ଏହି ପ୍ରଚାର ଅଭିଯାନର ମୁଖ୍ୟ ପୃଷ୍ଠପୋଷକ ଥିଲେ ଗୌତମ ଆଦାନୀ । ଏହି ପାଖାପାଖି ୯ବର୍ଷ ଭିତରେ ଗୌତମ ଆଦାନୀ କେବଳ ଭାରତରେ ନୁହଁ, ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ପୃଥିବୀର ୩ୟ ଧନୀବ୍ୟକ୍ତି ହୋଇ ପାରିଥିଲେ ।
ଆଦାନୀ ଓ ଓଡିଶା
କେବଳ ଗୁଜୁରାଟ କାହିଁକି ଓଡ଼ିଶା ଏବଂ ଏମିତିକି ବାମପନ୍ଥୀ ଶାସିତ କେରଳ ରାଜ୍ୟଯାଏଁ ଗୌତମ ଆଦାନୀଙ୍କ ପତିଆରା ବିସ୍ତାର କରିବାରେ ନରେନ୍ଦ୍ର ମୋଦୀଙ୍କ ସରକାର କିଭଳି ସାହାଯ୍ୟ କରିଥିଲେ ଅନୁମାନ କରାଯାଇପାରେ! ଯେଉଁଠି ସାମୂହିକ ନେତୃତ୍ୱରେ ସରକାର ଚାଲିଛି ସେଠି ଅନୁଭୂତି ଭିନ୍ନ ରହିପାରେ । କିନ୍ତୁ ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ବ୍ୟକ୍ତି ନୁହଁ ବରଂ ଗୋଟିଏ ବ୍ୟକ୍ତିର ଭାବମୂର୍ତ୍ତିରେ ସରକାର ଚାଲିଛି, ସେଠି ସରକାରଟି ଆଦାନୀ ଭଳି କମ୍ପାନୀମାନଙ୍କର କ୍ରୀଡ଼ନକ ସାଜିବା ଅତି ସହଜ । ଧାମରାଠାରୁ ଆରମ୍ଭ କରି ରାୟଗଡ଼ା ଯାଏଁ ବନ୍ଦର, ପାହାଡ଼, ନଦୀ, ଖଣିଖାଦାନ ଗୋଟିଏ ପରେ ଗୋଟିଏ ଆଦାନୀ କମ୍ପାନୀ ହାତକୁ ଚାଲିଯାଉଛି । ଏହି ରାଜ୍ୟରେ କମ୍ପାନୀମାନଙ୍କର ସୁଅ ଛୁଟିଥିଲା ବେଳେ ଆଦାନୀ ସରକାରଙ୍କର ପ୍ରାଥମିକତା ପାଇଆସିଛି ।
ଏବେ ରାଜ୍ୟରେ ଅପରାଧିକରଣ ମଧ୍ୟ ବଢ଼ିଚାଲିଛି । ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କର ପତିଆରା ଅନେକ ଦିନରୁ ରହିଆସିଥିଲା । ଏବେ ସେଠି ଆଦାନୀ ଓ ବେଦାନ୍ତ ଭଳି କମ୍ପାନୀମାନଙ୍କର ପ୍ରବେଶ ଯୋଗୁଁ ପତିଆରାର ପ୍ରତିଷ୍ଠାକୁ ନେଇ ଏକ ଅଦୃଶ୍ୟ ସଙ୍ଘର୍ଷ ଉପୁଜୁଥିଲା ବୋଲି ଆଶଙ୍କା ମଧ୍ୟ କିଛିଲୋକ କରିଛନ୍ତି । ପରେ ମନ୍ତ୍ରୀ ନବଦାସଙ୍କୁ ହତ୍ୟା କରାଯାଇ ଥିଲା । ଜଣେ ପୋଲିସ ଅଧିକାରୀଙ୍କୁ ଏଥିପାଇଁ ଆୟୁଧ୍ୟ କରାଯାଇଥିଲା ବୋଲି ସାଧାରଣରେ ସନ୍ଦେହ କରାଯାଉଛି । ଠିକ୍ ଏହି ସମୟରେ ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଆମକୁ କିଛି ଚିନ୍ତନ ମନ୍ଥନ ପାଇଁ ସୁଯୋଗ ଦେଇଛି ।
ଆମପାଇଁ କିଛି ପ୍ରଶ୍ନ
ଆମେ କେଉଁଭଳି ବିକାଶ, କେଉଁଭଳି ଅଭିବୃଦ୍ଧି ଏବଂ କେଉଁଭଳି ଆର୍ଥିକ ପ୍ରଗତିର ରାସ୍ତା ବାଛିଛୁ? ନା ଆମପାଇଁ କିଏ ସବୁକିଛି ନିର୍ଦ୍ଧାରଣ କରୁଛି ଏବଂ ଆମେ କେବଳ କୌଣସି ପ୍ରଶ୍ନ ନକରି ସବୁଥିରେ ମୋହର ମାରି ଚାଲିଛନ୍ତି? ଏହି ସବୁରୁ ଲାଭ ପାଉଛି କିଏ? ସଦ୍ୟପ୍ରକାଶିତ ଅକ୍ସଫାମ୍ ରିପୋର୍ଟ ଅନୁସାରେ ସାଧାରଣ ଲୋକମାନେ ତ ନିଶ୍ଚିତ ଭାବେ ନୁହଁ । ଭାରତରେ କେବଳ ଧନୀ ଏବଂ ମହାଧନୀମାନଙ୍କର ସଂଖ୍ୟା ବଢ଼ିଚାଲିଛି । ତାହାବି କେଉଁ ଉପାୟରେ ବଢ଼ିଚାଲିଛି ହିଣ୍ଡେନବର୍ଗ ଗବେଷଣା ରିପୋର୍ଟ ଆମକୁ ସୂଚାଇ ଦେଇଛି । ଏଥର ଆମେ ଟିକେ ଭଲଭାବେ ସବୁକଥା ଗୁଡ଼ିକୁ ବୁଝିବାପାଇଁ ଆନ୍ତରିକତାର ସହ ଉଦ୍ୟମ କରିବା କି? ଆଜି ଯଦି ନ କରନ୍ତି, ଆଗାମୀ କାଲିଟି ହୁଏତ ଆଉ ଆସିବ ନାହିଁ!
Comments
0 comments