ଆଫ୍ରିକାରେ ଆମେରିକୀୟ ବ୍ଲାକ ପାନ୍ଥରସ ଆନ୍ଦୋଳନ ଥିଲା କଳାଲୋକଙ୍କ ମୁକ୍ତି ଆନ୍ଦୋଳନ । ଏହା ଆରମ୍ଭ ହୋଇଥିଲା ୧୯୬୬ରେ, କାଲିଫର୍ଣ୍ଣିଆର ମୁକ୍ତି ଆନ୍ଦୋଳନ । ଅକଲାଣ୍ଡ୍ ସହରରେ ଏବଂ ଫେଡ଼େରାଲ ବୁ୍ୟରୋ ଅଫ୍ ଇନଭେଷ୍ଟିଗେସନର ସମସ୍ତ ବିଭାଜନକାରୀ କୌଶଳ ସତ୍ତ୍ୱେ ବଣ ନିଆଁ ଭଳି ତାହା ଏଇ ଦୁଇ ମହାଦେଶରେ ବ୍ୟାପି ଯାଇଥିଲା । ତା’ର ଜଣେ ମୁଖ୍ୟ ନେତା ଥିଲେ ମାଲକନଏକ୍ସ୍ ଯାହାଙ୍କୁ ଏଫ୍.ବି.ଆଇ ଚକ୍ରାନ୍ତ କରି ହତ୍ୟା ମଧ୍ୟ କଲା । ଅନ୍ୟ ବହୁ ନେତା ମଧ୍ୟ ବିନା ବିଚାରରେ ଆକସ୍ମିକ ଦୁର୍ଘଟଣା-ମୃତ୍ୟୁ ର ଶିକାର ହେଲେ । ତଥାପି କଳା ଚିତାବାଘ ଭଳି ଏହି ଆନ୍ଦୋଳନ ଗୋଟିଏ ପରେ ଗୋଟିଏ ପ୍ରଦେଶ ଓ ରାଜ୍ୟକୁ ଲମ୍ଫମାରି ଚାଲିଲା । ଏହି ସଂଘର୍ଷ ଭାରତୀୟ ପୀଡ଼ିତ ନିଷ୍ପେଷିତ ବର୍ଗଙ୍କୁ ମଧ୍ୟ ଖୁବ୍ ପ୍ରରୋଚିତ କଲା । ଠିକ୍ ଏଇ ସମୟ କାଳରେ ୧୯୬୭ରେ ଘଟିଥିଲା ବିଖ୍ୟାତ ନକ୍ସଲବାଡ଼ି ଚାଷୀ ଆନ୍ଦୋଳନ ଯାହା ସ୍ଥିତି ସ୍ଥାପକତାବାଦୀ ସି.ପି.ଏମ୍ ପାର୍ଟିକୁ ଆତଙ୍କିତ କରିଥିଲା । ତାର କିଛି କ୍ୟାଡ଼ର ଆଗେଇ ଆସି ଗଠନ କରିଥିଲେ ସି.ପି.ଆଇ.ଏମ୍.ଏଲ୍ । ଏହାଦ୍ୱାରା ଭାରତରେ ଶାସକଶ୍ରେଣୀ ଅସ୍ଥିର ବୋଧ କରି ଗୋଟିଏ ପରେ ଗୋଟିଏ କଳା ଅଟକ ଆଇନ ଆଣିଲେ ଓ ଏହି ପାର୍ଟିକୁ ମଧ୍ୟ ନିଷେଧ କଲେ । ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଟି.ନାଗିରେଡୀ ସମର୍ଥନ କରି ଏକ ବିବୃତି ବିଧାନସଭାରେ ରଖିଲେ ଓ ପଦତ୍ୟାଗ କଲେ । ସେହି ବିବୃତି “ବନ୍ଧା ପଡ଼ିଛି ଭାରତ” ବା “India mortaged” ନାମରେ ପୁସ୍ତକାକାରରେ ଛପା ହୋଇ ଭାରତର ଛାତ୍ର ବୁଦ୍ଧିଜୀବୀ ତଥା ବିପ୍ଲବୀ କମ୍ୟୁନିଷ୍ଟ ମାନଙ୍କୁ ଖୁବ୍ ଉଦ୍ବୁଦ୍ଧ କଲା ।
ଠିକ୍ ଏହି ସମୟ ଖଣ୍ଡରେ ୧୯୭୨ ମେ’ରେ ଏହି ସବୁରୁ ପ୍ରେରଣା ନେଇ ମହାରାଷ୍ଟ୍ରର ଦଳିତ କବି ନାମଦେଓ ଧସଲ ଦଳିତ ପ୍ରତିବାଦ ମଂଚ ରୂପେ ଗଢ଼ି ତୋଳିଥିଲେ “ଦଳିତ ପାନ୍ଥରସ୍” । ଦଳିତମାନଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାରକୁ ବିରୋଧ କରି ଅନ୍ୟ ଜଣେ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଲେଖକ ରାଜା ଧାଲେ (Dhale) ଦେଶର ସମାଜ ବ୍ୟବସ୍ଥାକୁ ଏସବୁ ନିର୍ଯାତନା ପାଇଁ ଦୋଷ ଦେଇ ୨୫ତମ ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ମନାଇବାକୁ ଆହ୍ୱାନ ଦେଲେ । ସେଥିପାଇଁ ହିନ୍ଦୁ ସଙ୍ଗଠନମାନେ ତାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇ ଗିରଫ କରିବା ପାଇଁ ଦାବି କଲେ । ଏତିକି ବେଳେ ଏହି ଅତି ଶୂଦ୍ର ଦଳିତ ଲେଖକଙ୍କୁ ସମର୍ଥନ କରି ନାମଦେଓ ଧାଲେ ଯୁକ୍ତି କଲେ -“ମଣିଷଠାରୁ ଜାତୀୟପତାକା ଭଳି ଜାତୀୟ ପ୍ରତୀକ କଣ ଅଧିକ ମୂଲ୍ୟବାନ? ଭାରତୀୟ ସମାଜ ଭଳି ଏକ ବାଛବିଚାର ଓ ବିଭାଜନଭରା ଲୋକ ସମୁଦାୟ ଆଗରେ ସାଧାରଣ ଜାତୀୟ ପ୍ରତୀକର ବୈଶିଷ୍ଟ୍ୟ କ’ଣ?”
ଦଳିତ ପାନ୍ଥରସ୍ ତରଫରୁ ଧସଲ ଏକ ଘୋଷଣାନାମା ବା ମେନିଫେଷ୍ଟୋ ଜାରି କରିଥିଲେ । ସେଥିରେ ଦଳିତମାନଙ୍କୁ ପ୍ରଥମେ ସଂଜ୍ଞାବଦ୍ଧ କରାଯାଇଥିଲା- “Members of SC and ST, Neo-Buddhists, the working people and all those who are being exploited in the name of religion….. [and identified its friends as] revolutionary parties set to crack down the caste system and class rule. These are- (I) Left parties that are left in the true sense… [Well aware of the consequences, the manifesto unambiguosly states that] the struggle for the emancipation of the dalits need a complete revolution… [and as part of its programme it is clear that] dalits must live, not outside the village in a separate settlement, but in the village itself.”ଭାରତୀୟ ସମ୍ବିଧାନର ଧାରା ୧୭ ଅନୁସାରେ- “Untouchability is abolished and its practice in any form is forbidden. The enforcement of any disability arising out of untouchability shall be an offence punishable in accordance with laws.”
ଏହି ଉଦ୍ୟୋକ୍ତାମାନଙ୍କ ମଧ୍ୟରୁ ବେଶ୍ କିଛି ଯୁବ ଦଳିତ ନେତାଥିଲେ ମୌଳିକ ଭାବେ ମାର୍କ୍ସବାଦୀ । Bernord D Mello ଙ୍କ ଭାଷାରେ (India after Naxalbari):-
“ଏହି ଯୁବ ଦଳିତ ଲେଖକ ଓ କବି ମାନଙ୍କ ମଧ୍ୟରୁ କେତେକାଂଶ ଅନୁବନ୍ଧ (DNA)ରେ ଥିଲା ବାମବାଦୀ କ୍ରାନ୍ତିକାରୀ ଚରିତ୍ର । ସେଥିସହ ମିଶି ରହିଥିଲା ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆର ସୁବିଧାବାଦୀ କୌଶଳ ଏବଂ ତାହା କଂଗ୍ରେସ ସହିତ ବିଲୀନ ହୋଇ ଯାଇଥିବାଜନିତ କ୍ରୋଧ ଓ ହତାଶ । (ଏହି ପାର୍ଟି ଆମ୍ବେଦକରଙ୍କ ଦ୍ୱାରା ଗଢ଼ା ଯାଇଥିଲା ।) ସି.ପି.ଆଇ ଓ ସି.ପି.ଏମ୍. ଭଳି ମୁଖ୍ୟଧାରା କମ୍ୟୁନିଷ୍ଟ ପାର୍ଟିମାନେ ଭାରତୀୟ ସମାଜର ସର୍ବାଧିକ ନିର୍ଯାତିତ ଅଂଶ ଦଳିତମାନଙ୍କ ଗଭୀର ହତାଶକୁ ଉପଲବ୍ଧ କରିବା ଦିଗରେ ବିଫଳ ହୋଇଥିଲେ । ବାସ୍ତବ ପକ୍ଷେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଉଦାରବାଦୀ ରାଜନୀତି ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥାରେ ଥିଲା, ଯାହାର କାରଣ ହେଉଛି ଏଠାରେ ଜାତିପ୍ରଥା ତଥାପି ବିଲୁପ୍ତ ହୋଇନଥିଲା । ସମାନ ନାଗରିକ ନୀତି ଓ ଭ୍ରାତୃତ୍ୱବୋଧ ପ୍ରତିଷ୍ଠା ଦିଗରେ ଏହା ବାଧକ ସାଜିଥିଲା । ଏଠାକାର ଅର୍ଦ୍ଧ ସାମନ୍ତବାଦୀ ଜାତି ବ୍ୟବସ୍ଥାର ଶିକାର ବନୁଥିବା ବ୍ୟାପକ ଦଳିତ ଜନଗଣଙ୍କ ତିକ୍ତତା ଓ ପ୍ରତିରୋଧ ପ୍ରକାଶ ପାଉଥିଲା ସେମାନଙ୍କ ଲଢ଼ୁଆ ପ୍ରତିବାଦରେ । ସେହିମାନେ ହିଁ କ୍ରାନ୍ତିକାରୀ ପରିବର୍ତ୍ତନର ସମ୍ଭାବ୍ୟ ଶକ୍ତି ରୂପେ ହଜାର ହଜାର ସଂଖ୍ୟାରେ ଆବିର୍ଭୂତ ହୋଇଥିଲେ ।”
୧୯୭୪ ଜାନୁଆରୀରେ ମଧ୍ୟ ମୁମ୍ବାଇର ଏକ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନର ପାନ୍ଥରମାନେ ଭୋଟ ବୟକଟ୍ ଡାକରା ଦେଇ ରାଜନୈତିକ ଶିବିରରେ ହୃତ୍କମ୍ପ ସୃଷ୍ଟି କରିଥିଲେ । ଏଣୁ RPI ସବୁମନ୍ତେ ପନ୍ଥରମାନଙ୍କୁ ଦମନ ପ୍ରତିରୋଧ କରିବାରେ ଲାଗିଗଲେ, ଯେପରି ନକ୍ସଲମାନଙ୍କୁ ସି.ପି.ଏମ୍ । ଅଣଦଳିତମାନଙ୍କ ଏହି ମାନସିକ ସ୍ଥିତି ଓ ଭାବାବେଗକୁ କଲମରେ ରୂପ ଦେଇଚନ୍ତି ନାମଦେଓ ଧସଲ୍-
“ଚେନ୍ ବନ୍ଧା କୁକୁରଟେ ବି
ମଝି ମଝିରେ ଭୁକେ ଏବଂ,
ଚିକ୍ରାର କରେ –
ଏ ହେଉଛି ତା’ର ସାମ୍ବିଧାନିକ ଅଧିକାର ।
ସେ ଖାଉଥାଏ ବାସିରୁଟିର ଟୁକୁଡ଼ା
ଅନ୍ୟାୟ ସହି ସହି ତାର ଚିତ୍ତ
ହୋଇଥାଏ ଅଥଡ଼ା ।
ଯଦି ବିଦ୍ରୋହର ଏକ ମୁହୂର୍ତ୍ତରେ
ସେ ଅସ୍ଥିର ହୋଇ ଉଠେ
ଓ ଛିଣ୍ଡାଇ ଦେବାକୁ ଚେଷ୍ଟାକରେ
ବେକର ଶିକୁଳି,
ତାକୁ ଗୁଳି କରାଯାଏ ।
(Song of republic and the dog)
ବି.ଆର୍.ଆମ୍ବେଦକରଙ୍କ ସମ୍ବିଧାନର ଲକ୍ଷ୍ୟ ଥିଲା ଏହି ଅଛୁଆଁ ଓ ଜାତିପ୍ରଥାର ବିଲୋପ ସାଧନ । କିନ୍ତୁ ରାଷ୍ଟ୍ର ତାକୁ ଠୋକର ଦେଲା । ମୁକ୍ତି ସମତା ଓ ଭ୍ରାତୃତ୍ୱବୋଧର ଲକ୍ଷ୍ୟକୁ ପୋଛି ଦିଆଗଲା । ସାଧାରଣ କୂଅରେ ପାଣି କାଢ଼ିବା, ଭୋଜନାଳୟରେ ସାଥୀରେ ବସି ଖାଇବା, ମନ୍ଦିରରେ ପ୍ରବେଶ ଏପରିକି ସେଲୁନ୍ ଧୋବାତୁଠ-ସବୁଠି ସେମାନଙ୍କୁ ବାଛନ୍ଦ କରାଗଲା । କେବଳ ଯେ ଗାଁରେ ଅଲଗା କରି ହରିଜନ ବା ଆଦିବାସୀ ସାହି ଥିଲା ତା’ନୁହେଁ :- ମୁମ୍ବାଇ ଭଳି ନଗରରେ ମଧ୍ୟ ଦଳିତମାନଙ୍କ ପାଇଁ ଅଲଗା ସାହି ସବୁ ଗଢ଼ି ଉଠିଲା । ଯେପରି କି ମାହାରୱାଡ଼ା, ମାଙ୍ଗୱାଡା ଗୋଲପୀଠ ଇତ୍ୟାଦି । ସ୍କୁଲରେ ମଧ୍ୟ ସେଇ ଅବସ୍ଥା । କେବଳ ଶ୍ରମ କରିବା ଓ ଗୋଦିବନିବାର ସ୍ୱାଧୀନତା ସେମାନଙ୍କର ସହିଗଲା ।
୧୯୬୯, ଇଲାୟା ପେରୁମାଲ କମିଟି ଏସବୁ ବାଛ ବିଚାରକୁ ସ୍ୱୀକାର କରି ଏକ ରିପୋର୍ଟ ଦେଲେ । କିନ୍ତୁ ଇନ୍ଦିରା ତାକୁ ଦୃଷ୍ଟିପାତ ସୁଦ୍ଧା କଲେ ନାହିଁ । ଠିକ୍ ଏତିକିବେଳେ, ୧୯୭୪ରେ ହିଁ ଆମ୍ବେଦକରବାଦ ଓ ମାର୍କ୍ସବାଦକୁ ନେଇ ଦଳିତ ପାନ୍ଥର ଦୁଇଟି ଗୋଠରେ ବିଭକ୍ତି ହେଲା । ନକ୍ସଲ କୃଷି ଆନ୍ଦୋଳନ ଫଳରେ ବିହାର ଓ ଓଡ଼ିଶା ଭଳି କିଛିରାଜ୍ୟରେ ଭୂସଂସ୍କାର ଆଇନ ପାଇଁ ଘୋଷଣା ହୋଇଥିବା ସତ୍ତ୍ୱେ ତାହାକୁ କାର୍ଯ୍ୟକାରୀ କରାଗଲା ନାହିଁ- କାରଣ ହେଉଛି ଦଳିତ ଗୋଷ୍ଠୀ ଭିତରେ ବିଭାଜନ । ବିଭାଜନ ମଧ୍ୟ ଘଟିଲା ନକ୍ସଲବାଦୀ ଗୋଷ୍ଠୀରେ । ଫଳରେ କେନ୍ଦ୍ର ସରକାର ଦମନପାଇଁ ସୁବର୍ଣ୍ଣ ସୁଯୋଗ ପାଇଗଲେ । ନିର୍ଯାତିତ, ଅବହେଳିତ ଦଳିତମାନଙ୍କ ସ୍ୱରକୁ ଆହୁରି ଦବେଇ ଦେବା ପାଇଁ ଇନ୍ଦିରା ବିଂଶସୂତ୍ରୀ ଯୋଜନା ଆଣିଲେ ବୋଲି କୁହାଯାଏ, ଯାହା ଲୋକଙ୍କୁ ବିଭକ୍ତ କରିବା ପାଇଁ ବଢ଼ିଆ କାମ କଲା । ଋଣମୁକ୍ତି, ସୁଧମୁକ୍ତି, ଗୋତିମୁକ୍ତି ଇତ୍ୟାଦି ପ୍ରସଙ୍ଗ ଖୁବ୍ ଆଶା ଜଗାଇଲା ଗରିବମାନଙ୍କ ଭିତରେ । ସେମାନେ ଯେ ପ୍ରତାରିତ ହୋଇଛନ୍ତି; ଏକଥା ଜାଣିବା ପରେ ଜରୁରୀକାଳ ପରବର୍ତ୍ତୀ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ପ୍ରାୟତଃ ବିତାଡ଼ିତ ହେଲେ ।
କିନ୍ତୁ ଜମିଦାର-ଶିଳ୍ପପତି ଗୋଷ୍ଠୀ ସଙ୍ଗେ ସଙ୍ଗେ ପଟ୍ଟ ପରିବର୍ତ୍ତନ କରିଦେଲେ ଏବଂ ଅଚିରେ ଜନତାଦଳ ଭିତରେ ପ୍ରବେଶ କରି ତାକୁ ମଧ୍ୟ ଫଟାଇଦେଲେ-ଟୁକୁଡ଼ା ଟୁକୁଡ଼ା କରିଦେଲେ । ତା ସହ ସବୁ ବର୍ଗର ଦଳିତମାନଙ୍କ ଉପରେ ଆରମ୍ଭ ହୋଇଗଲା ସୁପରିକଳ୍ପିତ ଦମନ । କିନ୍ତୁ ଦମନବିରୋଧୀ ଆନ୍ଦୋଳନ ମଧ୍ୟ ପ୍ରାୟ ସବୁଆଡ଼େ ମୁଣ୍ଡ ଟେକିଲା । ୧୯୭୨ ମାର୍ଚ୍ଚ ୨୬ରେ ଘଟିଥିଲା ମଥୁରା ଧର୍ଷଣ । ନାଗପୁର ହାଇକୋର୍ଟ ପୀଠର ରାୟ ବିରୋଧରେ ଝଉ ଯେଉଁ ରାୟ ଦେଲେ, ଯେ ପୋଲିସ ଷ୍ଟେସନରେ ଧର୍ଷଣ ହୋଇଥିବା ମଥୁରା ସ୍ୱେଚ୍ଛାରେ ଦେହ ଦାନ କରିଛି । କାରଣ ସେ ଚିକ୍ରାର କରି ନାହିଁ । ୧୯୭୮ରେ ଏହି ରାୟ ବିରୋଧରେ ଶ୍ରେଣୀ, ଜାତି, ରାଜନୀତିକ ଆଦର୍ଶକୁ ଭୁଲି ସମସ୍ତ ଗଣତନ୍ତ୍ରୀ ଏକ ହୋଇ ଆନ୍ଦୋଳନ ଆରମ୍ଭ କଲେ । ……ନିଶାଭଂର ରାତି ଜଣେ, ନିରକ୍ଷରା ଦଳିତ ଝିଅ-ପୋଲିସ ଷ୍ଟେସନର ଅତ୍ୟାଚାରୀ ପରିବେଶ – ସେଠାରେ ବିନା ପ୍ରତିବାଦରେ ତାର ଦେହ ସମର୍ପଣ; ଏହାକୁ କୁହାଯିବ ସମ୍ମତି? ଏହା ଥିଲା ନାରୀପ୍ରଶ୍ନକୁ ନେଇ ଅଭୂତପୂର୍ବ ଆନ୍ଦୋଳନ । ବହୁ ନାରୀ ସଙ୍ଗଠନ ଏଇ ସମୟରେ ବିକଶିତ ହେଲେ ଓ ଏଇ ପ୍ରସଙ୍ଗକୁ ଆଜିର ନିର୍ଭୟା କେଶ୍ ଭଳି ଏକ ବ୍ୟାପକ ନାରୀ ନିର୍ଯାତନା ପ୍ରଶ୍ନରେ ପରିଣତ କଲେ । ଫଳତଃ ବାଧ୍ୟ ହୋଇ ଝଉ ନିଜ ରାୟକୁ ଅନ୍ୟ ଏକ ବୃହତ୍ତର ବେଂଚ୍ ଦ୍ୱାରା ପରିବର୍ତ୍ତିତ କରିବାକୁ ବାଧ୍ୟ ହେଲା । ଭାରତରେ ନାରୀ ପ୍ରଶ୍ନ ଉପରେ ଏହା ଏକ ଐତିହାସିକ ଆନ୍ଦୋଳନ ଥିଲା କହିଲେ ଅତୁକ୍ତି ହେବ ନାହିଁ ।
ସେହିପରି ଶ୍ରମିକ କ୍ଷେତ୍ରରେ ରେଳବାଇ ଧର୍ମଘଟ ଥିଲା କଳ୍ପନାତୀତ ଭାବେ ବ୍ୟାପକ ଓ ଶକ୍ତିଶାଳୀ । ଜେ.ପି.ଙ୍କ ନେତୃତ୍ୱରେ ଥିବା ଛାତ୍ର ଆନ୍ଦୋଳନ ମଧ୍ୟ କିଛି କମ୍ ନଥିଲା । ସବାଶେଷରେ ଜରୁରୀକାଳ ମଧ୍ୟରେ ଆରମ୍ଭ ହୋଇଥିଲା PUCLDR ଆନ୍ଦୋଳନ । ରେଳବାଇ ଶ୍ରମିକ ଆନ୍ଦୋଳନ ପାରମ୍ପରିକ ଶ୍ରମିକ ସଂଗଠନ TU ନେତାମାନଙ୍କୁ ବିରୋଧ କରି ଗଢ଼ିଉଠିଥିଲା । ସେମାନେ ତିଆରି କରିଥିଲେ National Federation of Indian Railways ଏବଂ All India Railwaymen’s Federation ଏସବୁ ସଙ୍ଗଠନ ଆଜିର ଦିନରେ ରେଳରୋଡ଼୍ ମେନେଜମେଣ୍ଟ ସହିତ ପ୍ରାୟ ସମ୍ମିଶ୍ରିତ ହୋଇ ସାରିଛନ୍ତି । ଗତ ୫ଦଶକ ମଧ୍ୟରେ ଏଭଳି ଆନ୍ଦୋଳନ ଆଉ ସମ୍ଭବ ହୋଇପାରିନି । ଅନ୍ୟାନ୍ୟ ଶ୍ରମିକ ସଂଗଠନ ଓ କାରଖାନା ଓ ଖଣି ଶ୍ରମିକମାନେ ଯଦି ହାତ ମିଳାଇ ପାରିଥାନ୍ତେ , ତେବେ ଏହା ହୋଇଥାନ୍ତା ଅଭୂତପୂର୍ବ – ତଥାପି ଏହାର ଐତିହାସିକତା ଅନସ୍ୱୀକାର୍ଯ୍ୟ । ଅବଶ୍ୟ ଏ ଭିତରେ ଗଢ଼ି ଉଠିଥିଲା ଛତିଶଗଡ଼ ମୁକ୍ତି ମୋର୍ଚ୍ଚା (CMM), Dalli Rajhana ଖଣି ଶ୍ରମିକ ଆନ୍ଦୋଳନ ଏବଂ ଚକ୍ରଧରପୁରରେ ଲଜାଇ ସହ ଯୁକ୍ତ ଅନ୍ୟାନ୍ୟ ଶ୍ରମିକ ସଂଗଠନରେ ଆନ୍ଦୋଳନ-ଶଙ୍କର ଗୁହା ନିୟୋଗୀ ଏବଂ ପୂର୍ଣ୍ଣେନ୍ଦୁ ମଜୁମଦାର ତଥା ଏ.କେ ରାୟଙ୍କ ନେତୃତ୍ୱରେ ।
ଓଡ଼ିଶାରେ ଉଭୟ ଲୋକ ସାହିତ୍ୟ ଓ ଲିଖିତ ସାହିତ୍ୟ ପରମ୍ପରାରେ କ୍ରମାଗତ ଭାବେ ଦଳିତ ପ୍ରଶ୍ନ ଓ ସସମ୍ୟା ସ୍ଥାନ ପାଇ ଆସିଛି । ଲିଖିତ ପରମ୍ପରାରେ ବୌଦ୍ଧ ଗାନ ଓ ଦୋହାର ଡୋମ୍ବୀ କେନ୍ଦ୍ରିକ କବିତା, ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ତଥା କନ୍ଧ କବି ଭୀମଭୋଇଙ୍କ “ସ୍ମତି ଚିନ୍ତାମଣି” ଓଡ଼ିଶା ସାହିତ୍ୟକୁ ବେଶ୍ ସମୃଦ୍ଧ କରିଛି । ଓଡ଼ିଶାରେ ବୌଦ୍ଧ ଧର୍ମ, ଅଲେଖ ନା ମହିମା ଧର୍ମ ତଥା ଭକ୍ତି ଆନ୍ଦୋଳନର ପ୍ରସାର, ଇତିହାସର ବିଭିନ୍ନ ସମୟ ଖଣ୍ଡରେ ଜାତି ଭେଦ ଓ ବ୍ରାହ୍ମଣବାଦକୁ ଧକ୍କା ଦେଇଛି, ହେଲେ ତାହା ଜାତିପ୍ରଥାକୁ ଉନ୍ମୁଳନ କରିପାରି ନାହିଁ । ୧୯୨୬ରୁ ଅର୍ଥାତ୍ ପ୍ରାୟ ଶହେବର୍ଷ ତଳୁ ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନ ଦେଖା ଦେଇଛି । କିନ୍ତୁ ସର୍ବହରା ଅଧିନାୟକତ୍ୱରେ ଶ୍ରମିକ-ଚାଷୀ ଓ ଛାତ୍ର, ବୁଦ୍ଧିଜୀବୀ ଇତ୍ୟାଦିଙ୍କ ଐକ୍ୟ କଥା କହୁଥିଲେ ହେଁ ଦଳିତ ପ୍ରସଙ୍ଗକୁ (ଆଦିବାସୀ ଓ ନାରୀ ପ୍ରଶ୍ନ ସମେତ । ସେମାନେ ପୂର୍ବରୁ କେବେ ଏକ ସ୍ୱତନ୍ତ୍ର ପ୍ରଶ୍ନ ରୂପେ ଗ୍ରହଣ କରି ନଥିଲେ । ଗତ ପ୍ରାୟ ଦୁଇ ଦଶକ ହେଲା ପରିସ୍ଥିତି ବଦଳିଛି । ଆଜିର ଦିନରେ ଜନବାଦୀ ତଥା ବିପ୍ଲବୀ କମ୍ୟୁନିଷ୍ଟ ମାନେ ଦଳିତ ପ୍ରଶ୍ନକୁ ଆପଣା କାର୍ଯ୍ୟସୂଚୀରେ ସ୍ଥାନ ଦେଇଛନ୍ତି । ତେବେ ପ୍ରଶ୍ନଉଠେ ଦଳିତ ପ୍ରସଙ୍ଗକୁ ଆମେ କିପରି ଦେଖିବା? ଆଦିବାସୀମାନଙ୍କ ତୁଳନାରେ ଦଳିତମାନେ ଅଧିକ ଭୂମିହରା । ୨୦୦୬ର ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମି ଉପରେ ମଧ୍ୟ ସେମାନଙ୍କ ଅଧିକାରକୁ ପ୍ରାୟତଃ ସ୍ୱୀକାର କରାଯାଇନାହିଁ । ଆଦିବାସୀ ଜମି ହସ୍ତାନ୍ତରବିରୋଧୀ ଆଇନରେ ମଧ୍ୟ ଦଳିତମାନେ ସ୍ଥାନ ପାଇନାହାନ୍ତି । ଅଥଚ ସେମାନେ ଏହାର ବିଧିବଦ୍ଧ ପ୍ରତିବାଦ କରିନାହାନ୍ତି ବା ଏହାକୁ ମୁଖ୍ୟ ପ୍ରସଙ୍ଗ କରିନାହାନ୍ତି । ଦଳିତ ସମସ୍ୟାର ମୁଖ୍ୟତଃ ଜମି ସମସ୍ୟା ନା ମୂଲ୍ୟବୋଧର ପ୍ରଶ୍ନ? କମ୍ୟୁନିଷ୍ଟ ଆନ୍ଦୋଳନ ଭୂମି ସଂପର୍କ ବା ଭୂ ସଂସ୍କାର ସହ ଦଳିତ ପ୍ରସଙ୍ଗକୁ ମିଶେଇ ଦିଅନ୍ତି । ତେଣୁ କେବଳ ଅସ୍ପୃଶ୍ୟତା ବିରୋଧୀ ଅଭିଯାନ ସେମାନେ ଖୁବ୍ କମ୍ କରନ୍ତି । ଏ ଦିଗରେ ସେମାନଙ୍କ ତ୍ରୁଟି ପ୍ରତି ଦୃଷ୍ଟି ଦେଲେ ଦେଖୁ ସେମାନେ ପ୍ରଥମତଃ ନିଜ ସ୍ଥାନୀୟ ପରିସ୍ଥିତି ଉପରେ ଏକ ତତ୍ତ୍ୱର ଯାନ୍ତ୍ରିକ ପ୍ରୟୋଗ କରନ୍ତି । ୨ୟରେ ଐତିହାସିକ ପରିବର୍ତ୍ତନ ମାନବ ଚେତନାକୁ କ୍ରମଶଃ ବଦଳାଏ – ଏହିଭଳି ଏକ ବିଚାରରେ ଦୃଢ଼ ବିଶ୍ୱାସ ସେମାନଙ୍କୁ ଜାତି ପ୍ରଶ୍ନଠାରୁ ଦୂରେଇ ଦିଏ । ତେବେ କେବଳ ଜମି ଓ ଆର୍ଥିକ ଯୁକ୍ତି ଦଳିତ ସମସ୍ୟାର ସମାଧାନ କରିପାରେନା । କାରଣ ଏହା ମଧ୍ୟ ଏକ ମୂଲ୍ୟବୋଧର ସମସ୍ୟା । ସମାଜରେ ମୂଲ୍ୟବୋଧ ବ୍ୟବସ୍ଥାର ଆମୂଳ ପରିବର୍ତ୍ତନ ଦ୍ୱାରା ହିଁ ଏହା ସମ୍ଭବ । ଉଭୟ ଗାନ୍ଧୀ ଓ ଆମ୍ବେଦକର ଥିଲେ ଏହି ବିଚାରର ପ୍ରବକ୍ତା । ଦଳିତ ଓ ହିନ୍ଦୁସମାଜ ଯେହେତୁ ସାମାଜିକ ଅର୍ଥନୈତିକ ଭାବେ ପରସ୍ପର ସହ ଘନିଷ୍ଠ ଭାବେ ଜଡ଼ିତ; ଉଭୟର ପରିବର୍ତ୍ତନରେ ହିଁ ସମାଜିକ ବିପ୍ଲବ ସମ୍ଭବ । ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇ ଜାରି ରହିଥିବା ଭକ୍ତି ଆନ୍ଦୋଳନର ଦାର୍ଶନିକ ଆଧାର ହେଉଛି ଏହିଭଳି ଏକ ବିଚାର । ପରକୁ ଛାଡ଼ି ଆପଣାକୁ ବଦଳା ଯାଇ ପାରିବ ନାହିଁ । ଅର୍ଥାତ୍ ପର ବି ପରିବର୍ତ୍ତନର ପ୍ରକ୍ରିୟାକୁ କେବଳ ଅନୁଭବ ନୁହେଁ; ଆରମ୍ଭ ମଧ୍ୟ କରିବା ଦରକାର । ‘ପର’ମାନେ ବି ବୁଝିବା ଦରକାର ଯେ ‘ଆପଣା’ ଓ ‘ପର’ ଏକ ଓ ଅଭିନ୍ନ । ‘ପର’ ମଧ୍ୟ ଏହି ପରିବର୍ତ୍ତନ ପ୍ରକ୍ରିୟାରେ ସାମିଲ ହେବା ଦରକାର । ଗାନ୍ଧୀ ଏହି ଐତିହାସିକ ପାପବୋଧକୁ ପରିଣତ କରିଥିଲେ ଏକ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥାରେ । ଏହା ଥିଲା ଗାନ୍ଧୀଙ୍କ ବିଚାର ।
କିନ୍ତୁ ଆମ୍ବେଦକରଙ୍କ ପାଇଁ ପ୍ରଥମତଃ ସମଗ୍ର ହିନ୍ଦୁସମାଜ ହେଉଛି ଘୃଣ୍ୟ । କାରଣ ସେଇମାନଙ୍କ ସକାଶେ ହିଁ ପ୍ରତିଟି ଦଳିତ ହୁଏ ଲାଂଛିତ ଓ ଅପମାନିତ । ସ୍ପୃଶ୍ୟ ହିନ୍ଦୁ ଜାତିର ସାଂସ୍କୃତିକ ପ୍ରତୀକ ସହ ନିଜର ପରିଚୟକୁ ମିଶାଇବା ତାଙ୍କ ପାଇଁ ଗ୍ରହଣୀୟ ନଥିଲା । ଅଥଚ ଗାନ୍ଧୀ ବିଚାରଧାରା ଥିଲା ଏହାର ବିପରୀତ “କୋଳେଇ ନେଉଥିବ, ପୁଣି ଯୁଝିଥିବ ।”
ଆମ୍ବେଦକର ଚାହୁଁଥିଲେ ଶିକ୍ଷା, ଆତ୍ମାଭିମାନ ଓ ଶ୍ରେଣୀ ସଚେତନତା ଜରିଆରେ ସମସ୍ତ ଦଳିତ ଏକ୍ଜୁଟ୍ ହୁଅନ୍ତୁ । ନିମ୍ନ ଜାତିମାନଙ୍କ ପ୍ରତି ଦଳିତ ଶବ୍ଦର ପ୍ରୟୋଗ ସେତେବେଳେ ନ ଥିବାରୁ Scheduled Caste କଥା ସେ କହୁଥିଲେ, ଯେଉଁଠି ଆଦିବାସୀ, ନାରୀ ବା ଶ୍ରମିକମାନଙ୍କ ସ୍ଥାନ ନ ଥିଲା । ଦଳିତମାନେ ଯେଉଁଠି ଲଢ଼େଇ କରି ସାମାଜିକ ଅଧିକାର ହାସଲ କରୁଥିଲେ,ସେଠି ଉଚ୍ଚବର୍ଣ୍ଣ ବ୍ୟକ୍ତିମାନେ ହୁଏତ ଚୁପ୍ ହୋଇଯାଇଥାନ୍ତି । କିନ୍ତୁ ସେମାନଙ୍କ ମନରେ କୁହୁଳୁଥାଏ ପ୍ରତିଶୋଧର ଅଗ୍ନି କିମ୍ବା ଗ୍ରାସ କରୁଥାଏ ଏପରି ଏକ ଉଦାସୀନତା, ଯାହା କହୁଥିବ, କିଛି ବି ଘଟିଯାଉ, ମୁଁ କିନ୍ତୁ ବଦଳିବି ନାହିଁ । ତେଣୁ ଡି. ନାଗରାଜ ତାଙ୍କର ପୁସ୍ତକ ‘ଗାନ୍ଧୀ ଏଣ୍ଡ ଦି ଦଳିତ୍ କ୍ୱେଶ୍ଚନ୍’ରେ କହିଛନ୍ତି -‘ଜାତି ବ୍ୟବସ୍ଥାର ଉନ୍ମୂଳନ ଠାରୁ ଜାତି ସମାନତା ଗୁଣାତ୍ମକ ଭାବେ ଭିନ୍ନ ।’ ଜାତିବ୍ୟବସ୍ଥାର ଉନ୍ମୁଳନ ଥିଲା ଆମ୍ବେଦକରଙ୍କ ଲକ୍ଷ୍ୟ, ଯାହା ବୋଧହୁଏ ଭାରତୀୟ ସମାଜରେ ସୁଦୂର ପରାହତ । କିନ୍ତୁ ଜାତି ସମାନତା ହେଉଛି ଏକ ବାସ୍ତବବାଦୀ ଲକ୍ଷ୍ୟ । ଅଥଚ ଦଳିତ ଆନ୍ଦୋଳନରେ ଏ ସବୁ ଉପରେ ବିତର୍କ କରାଯାଉ ନାହିଁ । କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଏ ବିତର୍କ ଖୁବ୍ ଚାଲିଛି । ଜମି ପ୍ରଶ୍ନ ସହ ମୂଲ୍ୟବୋଧର ପ୍ରଶ୍ନକୁ ସେଠାରେ ଯୋଡ଼ାଯାଇ ଦଳିତ ବନବାସୀଙ୍କ ଜମି ପଟ୍ଟା ସଂପର୍କରେ ମଧ୍ୟ ଦାବି ଉଠୁଛି । ଆମ ଓଡ଼ିଶାରେ ଥିବା ବିଭିନ୍ନ ଦଳ, ସଂଗଠନ ଔପଚାରିକଭାବେ କେବଳ ଆମ୍ବେଦକର ଜୟନ୍ତୀ ବା ଦଳିତ ନିର୍ଯାତନା ପ୍ରଶ୍ନ ଉପରେ କିଛି କାର୍ଯ୍ୟକ୍ରମ ବା ଆନ୍ଦୋଳନ କରୁଛନ୍ତି । କିନ୍ତୁ ଜମିଜମାର ପ୍ରଶ୍ନକୁ ସ୍ପର୍ଶ ସୁଦ୍ଧା କରୁନାହାନ୍ତି ।
ବରଗଡ଼ଠାରେ ଗତବର୍ଷ ପାଳିତ ହୋଇଥିବା ବିର୍ସାମୁଣ୍ଡା ଜୟନ୍ତୀରେ ଯୋଗଦେବା ଅବସରରେ ମୁଁ ବିର୍ସାମୁଣ୍ଡାଙ୍କୁ ଉଦ୍ଧୃତ କରି କହିଥିଲି ଯେ, “ଯେ ପର୍ଯ୍ୟନ୍ତ ଆଦିବାସୀ ଜମି ଉପରେ ଅଧିକାର ହାସଲ କରିନାହିଁ, ସେ ପର୍ଯ୍ୟନ୍ତ ‘ଉଲୁଗୁଲାନ୍’ (ବିଦ୍ରୋହ) ଜାଗି ରହିବ ।” କିନ୍ତୁ ଅନ୍ୟ ନେତାମାନେ ଏ ପ୍ରଶ୍ନ ପ୍ରତି ଉଦାସୀନ ଥିବା ଭଳି ମନେହେଲା । ଆମ୍ବେଦକର ନିଜସ୍ୱ ଅଭିଜ୍ଞତାରୁ ଦର୍ଶାଇଛନ୍ତି ଯେ ହିନ୍ଦୁ ବ୍ୟତୀତ ଅନ୍ୟାନ୍ୟ ଧର୍ମ ଯଥା- ପାର୍ସୀ, ଇସ୍ଲାମ୍, ଶିଖ ଓ ଖ୍ରୀଷ୍ଟିଆନ୍ ସମସ୍ତ ଧର୍ମରେ ଅଛୁଆଁ ମାନଙ୍କ ପ୍ରତି ବାଛ ବିଚାର ଓ ବାଛନ୍ଦ ଲକ୍ଷଣୀୟ । ସୁତରାଂ ସର୍ବଶେଷର ସେ ହଜାର ହଜାର ସମର୍ଥକଙ୍କ ସହ ବୌଦ୍ଧଧର୍ମ ଗ୍ରହଣ କରି ଏଇ ସନ୍ଦେଶ ଦେଲେ ଯେ ଦଳିତମାନଙ୍କ ପାଇଁ ଏଇ ଗୋଟିଏ ଧର୍ମରେ ହିଁ ଜାତି ପ୍ରଥାର ବିଲୋପ ଘଟିଛି । ତେବେ ପ୍ରଶ୍ନ ଉଠେ, ଜଣେ ଦଳିତ ପାଇଁ ଗୋଟିଏ ଧର୍ମ ଗ୍ରହଣ କ’ଣ ନିହାତି ଜରୁରୀ? ଆଦିବାସୀମାନଙ୍କ ମଧ୍ୟରୁ ବେଶ୍ କେତେକ ସାଚାନାକୁ ନିଜର ଧର୍ମ ରୂପେ ଗ୍ରହଣ କରିଥିଲେ ସୁଦ୍ଧା ସମସ୍ତେ ଜାଣନ୍ତି ତାହା ହେଉଛି ନିରୋଳା ପ୍ରକୃତି ଉପାସନା । ପ୍ରକୃତିର ସମସ୍ତ ବସ୍ତୁ ଆମର ଉପାସ୍ୟ, ପୁଣି ଆମର ଭାଇବନ୍ଧୁ କୁଟୁମ୍ବ । ଧର୍ତନୀ ମାତା ସହ ଏହି ଏକାତ୍ମବୋଧ ସମ୍ପର୍କରେ ଆମ୍ବେଦକରଙ୍କ ଲେଖା ସବୁ ପ୍ରାୟତଃ ନୀରବ । ଏପରିକି ଅତିଶୂଦ୍ରମାନଙ୍କ ଶିକ୍ଷା ବିଷୟରେ ଜୋରଦେଇ କହୁଥିବାବେଳେ ଆଦିବାସୀମାନଙ୍କ ଶିକ୍ଷା ସମ୍ପର୍କରେ ସେ କେଉଁଠି କିଛି କହିଥିବାର ନଜିର ନାହିଁ । ନିମ୍ନ ବର୍ଗର ସଂପ୍ରଦାୟକୁ ଦଳିତ ପାନ୍ଥର ବେଶ୍ ବ୍ୟାପକ କରି ସେଥିରେ ନିମ୍ନ ଜାତି, ଶୂଦ୍ର, ଅତିଶୂଦ୍ର, ଆଦିବାସୀ, ନାରୀ, ଶ୍ରମିକ ଓ ଗରିବ କୃଷକମାନଙ୍କୁ ମିଶାଇ ଦେଇଥିବାବେଳେ ଆମ୍ବେଦକରଙ୍କ ଲେଖା ମାନଙ୍କରେ ଏ ନେଇ ସ୍ପଷ୍ଟତା ନାହିଁ ।
ଶତାବ୍ଦୀ ବ୍ୟାପୀ ନୀଚବର୍ଗର ଲୋକଙ୍କ ଉପରେ ଯେଉଁ ନିର୍ଯାତନା ଚାଲି ଆସିଛି ଓ ତାଙ୍କୁ ଦାସ ଓ ପଶୁ ଭଳି ବ୍ୟବହାର କରାଯାଇଛି, ସେଥିରେ ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନର ୫ମ ସିଡ଼ୁ୍ୟଲରେ ଯଥେଷ୍ଟ ପ୍ରାବଧାନ କରାଯାଇଥିଲେ ସୁଦ୍ଧା ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ କାହିଁକି ଆସିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିଥିଲେ ଅତିଶୂଦ୍ର ବର୍ଗର ଜଣେ ଆଇ.ଏ.ଏସ୍.-ବଲୱନ୍ତ ସିଂ । ମାତ୍ର ୫ବର୍ଷ ଚାକିରି ପରେ ସେ କାର୍ଯ୍ୟକ୍ଷେତ୍ରରେ ତାଙ୍କ ପ୍ରତି ହେଇଥିବା ଅପମାନକୁ ହଜମ କରି ନପାରି ଚାକିରି ଛାଡ଼ି ଆଇନ ଅଧ୍ୟୟନ କରିଥିଲେ ଓ ଓକିଲ ବୃତ୍ତିକୁ ଆଦରି ନେଇଥିଲେ । ସେ ଏହି ପ୍ରଶ୍ନର ଉତ୍ତର ଖୋଜି ଖୋଜି ସାରା ଭାରତର ଦଳିତବର୍ଗର ନେତାମାନଙ୍କ ଯୋଗାଯୋଗ କରିଥିଲେ । ନିଜେ ବୁଲିଥିଲେ ଓ ବୁଝିବାକୁ ଚେଷ୍ଟା କରିଥିଲେ ଦଳିତ ଆନ୍ଦୋଳନର ସ୍ଥିତି, ଯାହାକୁ ସେ ନିଜର ଆତ୍ମଜୀବନୀମୂଳକ ପୁସ୍ତକ – ‘The suffering people ଏବଂ sorrows’ of the suppressed’’ରେ ଲିପିବଦ୍ଧ କରିଛନ୍ତି । ତାଙ୍କର ପ୍ରଥମ ବହି ‘An untouchable in the IAS’ଛାପିବା ପାଇଁ ଚେଷ୍ଟା କରି କିପରି କେତେ ନା କେତେ ପ୍ରକାଶକଙ୍କ ଠାରୁ ସେ ଫେରିଛନ୍ତି, ଏପରିକି ଲାଂଛିତ ମଧ୍ୟ ହୋଇଛନ୍ତି, ସେ କଥା ଲେଖିବା ସଙ୍ଗେସଙ୍ଗେ ବହିର ପ୍ରକାଶ ପରେ ପରେ ସବୁବର୍ଗରେ ତାହା ଗୋଟାଇଥିବା ପ୍ରଶଂସା ସମ୍ପର୍କରେ ମଧ୍ୟ ଲେଖିଛନ୍ତି । କିନ୍ତୁ କେବଳ statesmanକୁ ଛାଡ଼ି ଅନ୍ୟ କୌଣସି କାଗଜରେ ତାର ସମୀକ୍ଷା ମଧ୍ୟ କରି ନଥିଲେ । ତେବେ ପରେ ପରେ ବହୁ ଗବେଷଣା ସନ୍ଦର୍ଭରେ ଭାରତୀୟ ସିଭିଲ ସର୍ଭିସେସ୍ରେ ଜାତିଆଣ ମନୋଭାବର ଏକ ଜୀବନ୍ତ ଦଲିଲ ରୂପେ ଏହାକୁ ଗ୍ରହଣ କରାଯାଇଛି । ସେ କ୍ଷୋଭର ସହ ଲେଖିଛନ୍ତି ଯେ ଦଳିତ ସଂପ୍ରଦାୟର ଅନେକ କେବଳ ଚାକିରି ବା ଆର୍ଥିକ ସମୁନ୍ନତିକୁ ମୂଳ ଲକ୍ଷ୍ୟ ରୂପେ ଗ୍ରହଣ କରି ଅନ୍ୟାନ୍ୟ ସାମାଜିକ ଲାଂଛନା ପ୍ରସଙ୍ଗ ନେଇ ଚୁପ୍ ରହିଛନ୍ତି । ଆମେରିକାରେ କଳା ଲୋକଙ୍କ ସ୍ଥିତି ସହ ଭାରତର ଅତିଶୂଦ୍ରମାନଙ୍କ ସ୍ଥିତିକୁ ତୁଳନା କରି ସେ କହିଛନ୍ତି, ସେଠି ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ଧାଡ଼ି ବାନ୍ଧି ରହିଥିବାବେଳେ ଭାରତରେ ତାହା ବରିଳ ।
ଏହି କ୍ରମରେ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଇତ୍ୟାଦି ଭ୍ରମଣ କରିଛନ୍ତି । ସେ ଗୁଜୁରାଟର ନର୍ମଦା ବଚାଓ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ବିସ୍ଥାପିତ ଆଦିବାସୀ କଲୋନୀର ଲୋକଙ୍କୁ ଭେଟି କଥା ହୋଇଛନ୍ତି । କେହି ଜଣେହେଲେ ବିସ୍ଥାପିତ ଚାକିରି ପାଇ ନାହାନ୍ତି କିମ୍ବା ନିୟମିତ ମଜୁରି ମଧ୍ୟ ପାଉ ନାହାନ୍ତି । ଉଚ୍ଚବର୍ଗର ଅଧିକାରୀମାନଙ୍କ ବାଛ ବିଚାରର ଶିକାର ହୋଇ କ୍ଷତିପୂରଣ ମଧ୍ୟ ଅଧିକାଂଶ ପାଉନାହାନ୍ତି । ଭୂକମ୍ପ ପୀଡ଼ିତ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ସେ ବୁଲି ଦେଖୁଛନ୍ତି । ସେମାନଙ୍କ ଭଙ୍ଗା ଘରର ଭୂମିକୁ କର୍ପୋରେଟ୍ମାନଙ୍କୁ ଦେଇ ଦେବାର ଷଡ଼ଯନ୍ତ୍ର କରି ସେମାନଙ୍କୁ ଅନ୍ୟତ୍ର ଉଠିଯିବା ପାଇଁ କିପରି ପ୍ରବର୍ତ୍ତା ଯାଉଛି, ସେ ବିଷୟ ଶୁଣିଛନ୍ତି ।
ନିମ୍ନ ଜାତି ଓ ଆଦିବାସୀମାନଙ୍କ ଦୁର୍ଦ୍ଦଶା ମହାରାଷ୍ଟ୍ରରେ ମଧ୍ୟ ପ୍ରାୟତଃ ସମାନ । ସେଠି ଆନ୍ଦୋଳନର ଏକ ଇତିହାସ ରହିଛି । ମହାତ୍ମା ଜ୍ୟୋତିରାଓ ଫୁଲେ ଏବଂ ସାବିତ୍ରୀ ବାଈ ଫୁଲେ ଅସ୍ପୃଶ୍ୟମାନଙ୍କ ଦୁର୍ଦ୍ଦଶା ଓ ସାମାଜିକ ବାଛନ୍ଦକୁ ବିରୋଧ କରି ଗଢ଼ିଥିଲେ “ସତ୍ୟ ଶୋଧକ ସମାଜ” । ସବୁ ମଣିଷ ସମାନ, ଏଇ ମଣିଷ ସମାଜ କରିଛି ଜାତି ପ୍ରଥା, ତେଣୁ ତାର ଉନ୍ମୁଳନ ଦରକାର; ଏଇଭଳି ସନ୍ଦେଶର ପ୍ରତିଷ୍ଠା ପାଇଁ ମହାରାଜ ମଧ୍ୟ ସଂଘର୍ଷ ଚଳାଇଥିଲେ । ଦାସମାନଙ୍କଠାରୁ ଆହୁରି ହୀନ ଜୀବନ ଯାପନ କରୁଥିବା ମାହାର ଜାତିର ନିର୍ଯାତନା ଥିଲା ଅବର୍ଣ୍ଣନୀୟ । ଗାଁ ବାହାରେ ଥିଲା ସେମାନଙ୍କ ପତ୍ର କୁଡ଼ିଆରେ ବସ୍ତି । ଗାଁ କୂଅରୁ ସେମାନଙ୍କୁ ପାଣି ମନା, ଛାଇ ମନା, ମୁହଁ ଦେଖାଇବା ମନା । ଅସ୍ପୃଶ୍ୟତା କେବଳ ଛୁଆଁ ଅଛୁଆଁରେ ସୀମିତ ନଥିଲା । ନାରୀମାନଙ୍କ ଉପରେ ମଧ୍ୟ ନିର୍ଯାତନା ଥିଲା ସୀମାତୀତ । ବିଧବାମାନଙ୍କ ମୁଣ୍ଡନ ଓ ଗର୍ଭନଷ୍ଟ ବିରୋଧରେ ଆନ୍ଦୋଳନ କରି ମହାତ୍ମା ଫୁଲେ ଗଢ଼ିଥିଲେ ବିଭିନ୍ନ ଆଶ୍ରୟ କେନ୍ଦ୍ର । ବାଳିକା ଶିକ୍ଷାର ପ୍ରସାର ପାଇଁ କେତେ ନା କେତେ ବିଦ୍ୟାଳୟ । ବମ୍ବେରେ ବାରିକମାନଙ୍କୁ ଏକ୍ଜୁଟ୍ କରି ବିଧବା ମୁଣ୍ଡନ ବନ୍ଦ କରିଥିଲେ । ଗଢ଼ିଥିଲେ “ବାଳହତ୍ୟା ପ୍ରତିବନ୍ଧକ ଗୃହ” । ମହାତ୍ମା ଫୁଲେ ଏ ସମ୍ପର୍କରେ ଏକ ବାକ୍ୟ ମଧ୍ୟ ରଚନା କରିଥିଲେ ଯାହାର ନାମ- ବାମନାତେ କାସବ”
କଣ ତମ ଧରମ?
କୁହ ତାର ମରମ
ଶୂଦ୍ରଙ୍କ ଭିକ୍ଷା କରୁଛ ହଜମ
ଏଇତ ତମର ଅସଲ ଧର୍ମ ।”
ତାଙ୍କ ପରେ ପରେ ଆସିଥିଲେ ଆଉ ଜଣେ ସମାଜ ସଂସ୍କାରକ- ପଣ୍ଡିତା ରମାବାଈ, ଏବଂ ସର୍ବଶେଷରେ ଭୀମାରାଓ ଆମ୍ବେଦକର । ମାହାରମାନଙ୍କ ଉପରେ ଚାଲିଥିବା ନିର୍ଯାତନା ସଂପର୍କରେ ଦୟା ପାୱାର ତାଙ୍କ ଆତ୍ମଜୀବନୀ “ବାଲୁଟା”ରେ ଲେଖିଛନ୍ତି- “ମାହାରମାନଙ୍କ କାମର କିଛି ଟାଇମ ନ ଥାଏ । ଦିନ ରାତି ଚବିଶ ଘଣ୍ଟା ମଧ୍ୟରେ ସେମାନଙ୍କୁ ଯେଉଁ କାମ ଦିଆଯାଏ ସେମାନେ କରିବା ପାଇଁ ବାଧ୍ୟ । ଯାହାକୁ କୁହାଯାଇ ପରିବ “ଗୋତି” ଶ୍ରମ । ଏସବୁ କରିବାପାଇଁ କିଛି ବିଦ୍ୟା ବା କୌଶଳ ଲୋଡ଼ା ନାହିଁ । ଗୋରୁ ମଣିବା, ସେମାନଙ୍କୁ କୁଣ୍ଡାପାଣି ଦେବା, ମୃତ ପଶୁମାନଙ୍କୁ ଘୋଷାରି ଘୋଷାରି ନେଇ ଗାଁ ବାହାରେ ଫୋପାଡ଼ିବା, ଡେଙ୍ଗୁରା ପିଟିବା ଓ ସରକାରୀ ନୀତି ଘୋଷଣା କରିବା ଇତ୍ୟାଦି ।”
Photo Credit- https://bit.ly/3wO7oFj
Comments
0 comments