ସୁଭାଷଙ୍କ ଆଦର ଦୃଷ୍ଟିରେ ଗାନ୍ଧୀ 

‘ଆମ ରାଷ୍ଟ୍ରର ପିତା!’

ଗାନ୍ଧୀ ଓ ସୁଭାଷଙ୍କ ମଧ୍ୟରେ ସମ୍ପର୍କକୁ ଏକ ଦୁଃସମ୍ପର୍କ ଭାବେ ଉପସ୍ଥାପିତ କରିବା, ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ବିଦ୍ୱେଷ ଥିଲା ବୋଲି ଦର୍ଶାଇବାରେ ଅନେକେ ଯେ ବେଶ୍ ଆଗ୍ରହୀ ଥିଲେ ଏହାର ସୂଚନା ମିଳେ ନେତାଜୀ ସୁଭାଷ ବୋଷଙ୍କର ଘନିଷ୍ଠ ସହଯୋଗୀ, ଅନ୍ତଃକାଳୀନ ସରକାରରେ ପ୍ରଚାର ମନ୍ତ୍ରୀ ଶ୍ରୀଯୁକ୍ତ ଆୟାରଙ୍କ ଦ୍ୱାରା ଲିଖିତ ଓ ୧୯୫୧ ମସିହାରେ ପ୍ରକାଶିତ ପୁସ୍ତକରେ । ସେ ଲେଖୁଛନ୍ତି୧(ପୃ ୨୫୬), “ମୁଁ ପଚାରେ, କାହାର ସେ ଅଧିକାର ଅଛି, ଏହି ଦୁଇ ବ୍ୟକ୍ତିଙ୍କ ମଝିକୁ ଚାଲି ଆସିବ ଏବଂ ଏହି ଦୁଇ ମହାନ ଦେଶପ୍ରେମୀଙ୍କର ମୂଳ ଗୁଣକୁ ଉପଲବ୍ଧି ନକରି ଅଜ୍ଞାନତାରୁ, ସେମାନଙ୍କ ମଧ୍ୟରେ ବିଦ୍ୱେଷ ଓ ଭୁଲ ବୁଝାମଣା ସୃଷ୍ଟି କରିବ?” ଶ୍ରୀଯୁକ୍ତ ଆୟାର ଉପସ୍ଥିତ ଥିଲେ ରେଙ୍ଗୁନ ରେଡିଓ ଷ୍ଟେସନରେ ଯେତେବେଳେ, ୬ ଜୁଲାଇ ୧୯୪୪ ଦିନ, ନେତାଜୀ ଗାନ୍ଧୀଙ୍କୁ ରାଷ୍ଟ୍ରପିତା ସମ୍ବୋଧନ କରି ବାର୍ତ୍ତା ପଢୁଥିଲେ । ଆୟାର ଲେଖୁଛନ୍ତି୧(ପୃ ୨୫୬), “ମୁଁ ପୂର୍ବରୁ ପଢ଼ିଥିଲି ଯାହା ସେ(ନେତାଜୀ) ମହାତ୍ମାଜୀଙ୍କୁ ରେଡିଓରେ ସେହି ରାତିରେ କହିବାକୁ ଯାଉଥିଲେ ।” କିନ୍ତୁ ସେ ବ୍ୟାକୁଳ ଥିଲେ ଦେଖିବାକୁ ନେତାଜୀଙ୍କ ମୁଖଭଙ୍ଗୀ ଯେତେବେଳେ ସେ ତାଙ୍କ ବାର୍ତ୍ତାର ଶେଷ ଧାଡ଼ି ପଢ଼ିବେ ଯେ୧(ପୃ ୨୫୬), “ଆମ ରାଷ୍ଟ୍ରର ପିତା! ଭାରତର ସ୍ୱାଧୀନତା ପାଇଁ ଏହି ଧର୍ମ ଯୁଦ୍ଧରେ, ଆମେ ଆପଣଙ୍କର ଆଶୀର୍ବାଦ ଏବଂ ଶୁଭ କାମନା ଚାହୁଁଛୁ ।” ଆୟାର ମାଇକର ଆରପଟେ ବସିଥିଲେ ଓ ସୁଭାଷଙ୍କ ଉଜ୍ଜ୍ୱଳ ମୁଖମଣ୍ଡଳକୁ ଅପଲକ ଦୃଷ୍ଟିରେ ଚାହିଁଥିଲେ । ନେତାଜୀ ଉପରୋକ୍ତ ଉପରୋକ୍ତ ଧାଡିକୁ ଆସୁଥିଲେ, ଆୟାର ଲେଖୁଛନ୍ତି୧(ପୃ ୨୫୬), “ମୁଁ ବ୍ୟଗ୍ର ଚିତ୍ତରେ, ତାଙ୍କ ମୁଁହକୁ ଅନାଇ ରହିଥିଲି । କିଛି ସମୟର ବିରତି । ସେ ଆରମ୍ଭ କଲେ, “ଆମ ରାଷ୍ଟ୍ରର ପିତା !” ତାଙ୍କ ସ୍ୱର କିଛିଟା ବସିଗଲା; ତାପରେ ସାମାନ୍ୟ ଥରିଲା; ତାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଗଲା; ତାପରେ ଗଳା ସଫା ହୋଇଗଲା, ଶବ୍ଦଗୁଡ଼ିକ ସ୍ପଷ୍ଟ ଓ ଶକ୍ତିଶାଳୀ ହୋଇ ବାହାରିଲା: “ଭାରତର ସ୍ୱାଧୀନତା ପାଇଁ ଏହି ଧର୍ମ ଯୁଦ୍ଧରେ”, ତାପରେ ସାମାନ୍ୟ ବିରତି, ସ୍ୱରର ତୀବ୍ରତାକୁ ସାମାନ୍ୟ କମାଇ, କହିଲେ ଅନୁନୟ ସ୍ୱରରେ: “ଆମେ ଆପଣଙ୍କର ଆଶୀର୍ବାଦ ଓ ଶୁଭ କାମନା ଚାହୁଁଛୁ ।”

ସୁଭାଷଙ୍କର ଏପରି ଆନ୍ତରିକ ସମ୍ଭାଷଣ ଦେଖି ଆୟାର ଲେଖୁଛନ୍ତି୧(ପୃ ୨୫୬), “ଯଦି ଗାନ୍ଧିଜୀ ସେହି ସ୍ଥାନରେ ଉପସ୍ଥିତ ଥାନ୍ତେ, ତାହାହେଲେ ମୁଁ ନିଶ୍ଚିତ ଯେ ସେ ମହାନ ବ୍ୟକ୍ତି ଏପରି ପ୍ରାର୍ଥନାକୁ ତଥାସ୍ତୁ କହିଥାନ୍ତେ ।” ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସୁଭାଷଙ୍କର ଏହି ବାର୍ତ୍ତା ଥିଲା ଆୟାରଙ୍କ ଦୃଷ୍ଟିରେ୧(ପୃ ୨୫୫), “୬ ଜୁଲାଇ,୧୯୪୪ ଦିନ ରେଙ୍ଗୁନ ରେଡିଓରେ ଗାନ୍ଧୀଙ୍କୁ ତାଙ୍କର ବାର୍ତ୍ତା, ମୋ ବିଚାରରେ, ଥିଲା ଯେପରି ଆତ୍ମା ସହିତ ଆତ୍ମା କହୁଥିବାର ଏକ କ୍ଲାସିକ । ଗାନ୍ଧୀଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଉଚ୍ଚାରଣର ପ୍ରତ୍ୟେକ ଧାଡ଼ି ଅତି ସୁନ୍ଦର ଥିଲା ଏବଂ ଥିଲା ଜଣେ ନେତାଙ୍କର ଆଉ ଜଣେ ନେତାଙ୍କ ପ୍ରତି ଏଯାବତ୍ ଦିଆଯାଇଥିବା ଅତି ଆନ୍ତରିକ ଶ୍ରଦ୍ଧାଞ୍ଜଳି ।” ଏହାର ପ୍ରମାଣ ମିଳେ ଏହି ବାର୍ତ୍ତାରେ ଥିବା ଦୁଇଟି ବାକ୍ୟରେ୨(ପୃ ୨୧୩); “୧୯୪୧ରୁ ଭାରତ ଛାଡ଼ିବା ପର ଠାରୁ, ବ୍ରିଟିଶ ପ୍ରଭାବରୁ ମୁକ୍ତ ଯେତେ ଦେଶମାନଙ୍କୁ ମୁଁ ଯାଇଛି ସେ ଦେଶମାନଙ୍କରେ ଆପଣଙ୍କୁ ଯେଉଁ ଉଚ୍ଚ ମର୍ଯ୍ୟାଦାର ସହ ଦେଖାଯାଏ ସେପରି ମର୍ଯ୍ୟାଦା କୌଣସି ଭାରତୀୟ ନେତାକୁ ଗତ ଶତାବ୍ଦୀ ଭିତରେ ମିଳିଥିବା ଦେଖାଯାଏ ନାହିଁ ।…ଯେଉଁ ଉଚ୍ଚ ମର୍ଯ୍ୟାଦାର ସହ ଭାରତ ବାହାରେ ଥିବା ଦେଶପ୍ରେମୀ ଭାରତୀୟମାନେ ଓ ଭାରତ ସ୍ୱାଧୀନତାର ବିଦେଶୀ ବନ୍ଧୁମାନେ ଆପଣଙ୍କୁ ବିଚାର କରନ୍ତି, ତାହା ଶହେ ଗୁଣ ବଢ଼ିଯାଇଥିଲା ଯେତେବେଳେ ଆପଣ ସାହସର ସହିତ, ୧୯୪୨ ମସିହା ଅଗଷ୍ଟ ମାସରେ, ‘ଭାରତ ଛାଡ’ ପ୍ରସ୍ତାବ ଆଣିଥିଲେ ।” 

‘ଦୈବ ପ୍ରେରିତ’

ଏହା ପୂର୍ବରୁ ଗାନ୍ଧୀଙ୍କର ୭୫ତମ ଜୟନ୍ତୀ ଅବସରରେ ବାଂଗକଂଗରୁ ୨ ଅକ୍ଟୋବର ୧୯୪୩ ଦିନ ଏକ ରେଡିଓ ବାର୍ତ୍ତାରେ କହିଥିଲେ୨(ପୃ ୧୦୦), “ମହାତ୍ମା ଗାନ୍ଧୀ ଯେଉଁ ସେବା ଭାରତକୁ ଏବଂ ଭାରତର ସ୍ୱାଧୀନତା ପାଇଁ ଦେଇଛନ୍ତି ତାହା ଏପରି ଅନନ୍ୟ ଓ ଅତୁଳନୀୟ ଯେ ତାଙ୍କ ନାଁ ଆମର ଜାତୀୟ ଇତିହାସରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ ।” ଗାନ୍ଧୀଙ୍କର ଅବଦାନର ଗୁରୁତ୍ୱକୁ ରେଖାଙ୍କିତ କରି ସେ କହିଥିଲେ୨(ପୃ ୧୦୩), “ଏହା ଅତିଶୟୋକ୍ତି ହେବ ନାହିଁ କହିବା ଯେ ଯଦି ୧୯୨୦ରେ ସେ ସଂଗ୍ରାମର ନୂତନ ଅସ୍ତ୍ର ଧରି ଆଗେଇ ଆସି ନଥାନ୍ତେ, ତାହାହେଲେ ଭାରତ ବୋଧହୁଏ ଆଜି ମଧ୍ୟ ପଦାନତ ହୋଇ ରହିଥାନ୍ତା……କୌଣସି ବ୍ୟକ୍ତି ନିଜର ଗୋଟିଏ ଜୀବନ କାଳରେ, ସଦୃଶ ପରିସ୍ଥିତିରେ, ଏହାଠାରୁ ଅଧିକ ହାସଲ କରିପାରି ନଥିବେ ।” ସଂଗ୍ରାମର ନୂତନ ଅସ୍ତ୍ର ଥିଲା୨(ପୃ ୧୦୩) “ଅସହଯୋଗ (Non-co-operation) ବା ସତ୍ୟାଗ୍ରହ(Satyagraha) ବା ସବିନୟ ଅବଜ୍ଞା (Civil Disobedience)ର ଅଭିନବ ପଦ୍ଧତି” । ନେତାଜୀ ତ ତାଙ୍କୁ ଦୈବ ପ୍ରେରିତ ବୋଲି ମାନୁଥିଲେ, ଯେତେବେଳେ ସେ କହୁଥିଲେ୨(ପୃ ୧୦୩), “ସେ ଯେପରି ମୁକ୍ତିର ପଥ ଦେଖାଇବାକୁ ଦୈବ ପ୍ରେରିତ (sent by providence) ।” ମହାତ୍ମା ଗାନ୍ଧୀ ଆରମ୍ଭ କରିଥିବା କାର୍ଯ୍ୟକୁ ଆଗକୁ ନେବାକୁ ଉଦ୍ୟମ କରିବାକୁ ହେବ ବୋଲି ସେ ଆହ୍ୱାନ ଦେଇ କହୁଥିଲେ୨(ପୃ ୧୦୪), “ମହାତ୍ମା ଗାନ୍ଧୀ ଅତି ଦୃଢ଼ତାର ସହିତ ଆମକୁ ଠିଆ କରାଇଛନ୍ତି ମୁକ୍ତି ଦିଗକୁ ପଡ଼ିଥିବା ସଳଖ ରାସ୍ତା ଉପରେ । ସେ ଓ ଅନ୍ୟ ନେତାମାନେ କାରାଗାରରେ ସଢୁଛନ୍ତି । ତେଣୁ ଯେଉଁ କାର୍ଯ୍ୟ ମହାତ୍ମା ଗାନ୍ଧୀ ଆରମ୍ଭ କରିଛନ୍ତି ତାହାକୁ ତାଙ୍କ ଦେଶବାସୀଙ୍କୁ, ଦେଶ ଭିତରେ ଥାଆନ୍ତୁ ବା ବିଦେଶରେ, ସମ୍ପାଦନ କରିବାକୁ ହେବ ।” ଏହି ବାର୍ତ୍ତାରେ ସେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମରେ ଏହାର ଆବଶ୍ୟକତାକୁ ଗୁରୁତ୍ୱ ଦେଉଥିବା ବେଳେ, ସ୍ୱାଧୀନତା ସଂଗ୍ରାମରେ ଏକ ସଶସ୍ତ୍ର ବାହିନୀର ଅଭାବ ରହିଛି ବୋଲି ସୂଚିତ କରିଥିଲେ । ଏବଂ ଏହି ବାହିନୀ ଦେଶଭିତରେ ନୁହେଁ ବରଂ ଦେଶ ବାହାରେ ଗଢ଼ାଯିବାର ସମ୍ଭାବନା ଦେଖୁଥିଲେ । ଏହି ସନ୍ଦର୍ଭରେ ସେ କହୁଥିଲେ୨(ପୃ ୧୦୪), “ଘରେ ଭାରତୀୟମାନଙ୍କର ସବୁ ଅଛି ଅନ୍ତିମ ସଂଗ୍ରାମ ପାଇଁ କିନ୍ତୁ ଗୋଟିଏ ଜିନିଷ ନାହିଁ, ତାହା ହେଉଛି ମୁକ୍ତି ସେନା । ଏହି ମୁକ୍ତି ସେନା ବାହାରୁ ଯୋଗାଇବାକୁ ହେବ, ଏହା କେବଳ ବାହାରୁ ହିଁ ଯୋଗାଯାଇ ପାରେ ।” 

‘ମହାତ୍ମାଜୀ ଖୁସି ହେବେ’

ସ୍ୱାଧୀନତା ଆନ୍ଦୋଳନରେ ବିପକ୍ଷ ସହିତ ସଶସ୍ତ୍ର ଲଢ଼େଇର ସମ୍ଭାବନା ଗାନ୍ଧୀଙ୍କର ବିଚାରରେ ନ ଥିଲା- ଏହା ସର୍ବବିଦିତ । କିନ୍ତୁ କାହିଁକି ନ ଥିଲା ତାହାର କାରଣ ଦର୍ଶାଇବାକୁ ଯାଇ ସ୍ମରଣ କରାଇ ଦେଉଥିଲେ ଡିସେମ୍ବର ୧୯୨୦ର ନାଗପୁର କଂଗ୍ରେସ ଅଧିବେଶନରେ, ଗାନ୍ଧୀ କହିଥିବା ବାକ୍ୟ୨(ପୃ ୧୦୪), “ଯଦି ଭାରତ ପାଖରେ ତରବାରୀ ଥାଆନ୍ତା, ତାହାହେଲେ ସେ ତରବାରୀ କାଢ଼ିଥାନ୍ତା ।” ଏହାକୁ ସ୍ପଷ୍ଟ କରି ଗାନ୍ଧୀ କହିଥିଲେ, ସୁଭାଷଙ୍କ ଭାଷାରେ୨(ପୃ ୧୦୪-୫), “ମହାତ୍ମାଜୀ ତାପରେ କହିଲେ ଯେହେତୁ ସଶସ୍ତ୍ର ବିପ୍ଳବର ପ୍ରଶ୍ନ ଉଠୁନାହିଁ, ତେଣୁ ଦେଶ ସାମନାରେ କେବଳ ବିକଳ୍ପ ହେଲା ଅସହଯୋଗ ବା ସତ୍ୟାଗ୍ରହ ।” କିନ୍ତୁ ଏହା ଭିତରେ ସମୟ ବେଶ୍ ବଦଳି ଯାଇଛି, ତେଣୁ ସୁଭାଷ କହୁଛନ୍ତି୨(ପୃ ୧୦୪-୫), “ଭାରତୀୟଙ୍କ ପକ୍ଷରେ ବର୍ତ୍ତମାନ ସମ୍ଭବ ତରବାରୀ କାଢ଼ିବା ।” କହିବା ବାହୁଲ୍ୟ ଯେ ଆଜାଦ ହିନ୍ଦ ଫୌଜର ଗଠନକୁ ଯଥାର୍ଥ ଦର୍ଶାଉ ଥିଲେ ସୁଭାଷ ଗାନ୍ଧୀଙ୍କର ପ୍ରାୟ ଦୁଇଦଶନ୍ଧି ପୂର୍ବର ଉକ୍ତିକୁ ସ୍ମରଣ କରାଇ ଦେଇ । ଗାନ୍ଧୀଙ୍କ ବିଚାର ବାହାରକୁ ସେ ଯାଉନାହାନ୍ତି ବରଂ ସମୟର ପରିବର୍ତ୍ତନରେ ସେହି ବିଚାରକୁ ବିସ୍ତାର କରୁଛନ୍ତି -ଏପରି ସମ୍ବାଦ ଦେବାକୁ ସୁଭାଷ ଚେଷ୍ଟା କରୁଥିଲେ କି? ୧୮ ମଇ ୧୯୪୪ ଦିନ ଏକ ପ୍ରେସ ବାର୍ତ୍ତାରେ ଆଜାଦ ହିନ୍ଦ୍ ଫୌଜର ସଫଳତାକୁ ସ୍ମରଣ କରାଇ କହୁଥିଲେ୨(ପୃ ୨୦୦), “ମହାତ୍ମାଜୀ ଖୁସି ହେବେ ଯେତେବେଳେ ଜାତୀୟ ସେନା କଲିକତାରେ ପ୍ରବେଶ କରିବ, ଏବଂ ସେ ମୋତେ ଅଭିନନ୍ଦନ ଜଣାଇ ତାରବାର୍ତ୍ତା ପଠାଇବେ ।”  ଗାନ୍ଧୀ ଏକଦା କହିଥିଲେ ଯେ ଯଦି ତାଙ୍କ ଜୀବଦ୍ଦଶାରେ ସୁଭାଷ ସ୍ୱରାଜ ହାସଲ କରିବାରେ ସଫଳ ହୁଅନ୍ତି, ତାହାହେଲେ ସେ ପ୍ରଥମ ବ୍ୟକ୍ତି ହେବେ ସୁଭାଷଙ୍କୁ ଅଭିନନ୍ଦନର ତାରବାର୍ତ୍ତା ପଠାଇବାରେ୩(ପୃ ୩୦୧) । ସୁଭାଷ ସବୁବେଳେ ଯେପରି ଗାନ୍ଧୀଙ୍କ ସ୍ୱୀକୃତି ପାଇଁ ବ୍ୟାକୁଳ ଥିଲେ ।  

 

‘ଭାରତୀୟ ଜନଗଣଙ୍କ ମା’- କସ୍ତୁରବା

ଗାନ୍ଧୀଙ୍କୁ ତ ରାଷ୍ଟ୍ରର ପିତା ବୋଲି ସମ୍ବୋଧନ କରିଥିଲେ ସୁଭାଷ, କିନ୍ତୁ ଏହା ପୂର୍ବରୁ ସେ କସ୍ତୁରବାଙ୍କୁ “ଭାରତୀୟ ଜନଗଣଙ୍କ ମା”(“a mother to the Indian people.”) ବୋଲି କହିଥିଲେ, କସ୍ତୁରବାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇ୨(ପୃ ୧୯୦) । କସ୍ତୁରବାଙ୍କର ମୃତ୍ୟୁ (୨୨ ଫେବୃଆରୀ ୧୯୪୪) ହୋଇଥିଲା ଯେତେବେଳେ ସେ ବ୍ରିଟିଶ ସରକାର ଦ୍ୱାରା ବନ୍ଦୀ ଥିଲେ । ଏପରି ମୃତ୍ୟୁର ପ୍ରତିକ୍ରିୟାରେ ସୁଭାଷ କହିଥିଲେ୨(ପୃ ୧୯୧), “ବ୍ରିଟିଶ ଶାସକ ଚାହିଁଲେ ଯେ କସ୍ତୁରବାଙ୍କ ମୃତ୍ୟୁ ହୃଦରୋଗରେ, କାରାଗାରରେ, ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ହେଉ ।” ସୁଭାଷଙ୍କ ଭାଷାରେ ଏହା ଦ୍ୱାରା ସେମାନେ ଗାନ୍ଧୀଙ୍କୁ ଦବାଇ ଦେଇ ପାରିବେ ବୋଲି ଭାବୁଥିଲେ । ସୁଭାଷଙ୍କ ଭାଷାରେ୨(ପୃ ୧୯୧), “ବ୍ରିଟିଶ(ଶାସକ) ବୋଧହୁଏ ଆଶା କରୁଥିଲେ ଯେ ଗାନ୍ଧୀଙ୍କୁ ମାନସିକ ଯନ୍ତ୍ରଣା ଦେଇ ସେମାନେ ତାଙ୍କ ଶରୀର ଓ ଆତ୍ମାକୁ ଦବାଇ ଦେଇପାରିବେ ଏବଂ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବେ …. ଯେତେ ପ୍ରକାରର ମାନସିକ ଯନ୍ତ୍ରଣା ଏବଂ ଦୈହିକ ପୀଡ଼ା ବ୍ରିଟିଶ ଶାସକ ମହାତ୍ମା ଗାନ୍ଧୀ ବା ଭାରତୀୟ ରାଷ୍ଟ୍ରଙ୍କୁ ଦିଅନ୍ତୁ ନା କାହିଁକି ତାଙ୍କୁ ତାଙ୍କ ଶପଥରୁ ଇଂଚେ ହେଲେ ଘୁଂଚାଇ ପାରିବ ନାହିଁ ।” କିନ୍ତୁ ସୁଭାଷ ବେଶ ବିଚଳିତ ହୋଇ ପଡୁଥିଲେ ଯେତେବେଳେ କାରାଗାରରେ ବନ୍ଦୀ ଗାନ୍ଧୀଙ୍କର ସ୍ୱାସ୍ଥ୍ୟହାନିର ଖବର ପାଉଥିଲେ । ଶ୍ରୀଯୁକ୍ତ ଆୟାର ଲେଖନ୍ତି୧(ପୃ୨୬୧) ସୁଭାଷ ତାଙ୍କୁ କହୁଥିବାର,“ମୋର ଆଶା ଭଗବାନଙ୍କ କୃପାରୁ ତାଙ୍କର (ଗାନ୍ଧିଜୀଙ୍କର) କିଛି ହେବ ନାହିଁ । ସାରା ଭାରତରେ ଏପରି କେହି ଜଣେ ନାହିଁ ଯିଏ ଭାରତର ଏହି ସଙ୍କଟ ସମୟରେ ତାଙ୍କ ସ୍ଥାନ ନେଇପାରିବ ।”    

‘ଗାନ୍ଧୀ ଆଦର୍ଶଗତ ହଠଧର୍ମୀ (fanatic) ନୁହନ୍ତି’

ଗାନ୍ଧୀ ଯେତେବେଳେ ‘ଭାରତ ଛାଡ’ ଡାକରା ଦେଉଛନ୍ତି ଓ ‘କର ବା ମର’ର ଆହ୍ୱାନ ଦେଉଛନ୍ତି ସେତେବେଳେ, ଏହି ଡାକରା ବା ଆହ୍ୱାନ ଔପଚାରିକ ଭାବେ ଦିଆଯିବା ପୂର୍ବରୁ ସୁଭାଷ ଗାନ୍ଧୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ  ଲେଖୁଥିଲେ୪(ପୃ ୧୨୨) ଏକ ଦୀର୍ଘ ପ୍ରବନ୍ଧ ଯାହାର ଶିରୋନାମା ଥିଲା ‘ଗାନ୍ଧୀଙ୍କୁ ପୂର୍ଣ୍ଣ ସମର୍ଥନ’(‘Full Support to Gandhi’) । କାରଣ ଗାନ୍ଧୀ ହିଁ ବ୍ରିଟିଶ ଶାସନ ଭାରତରୁ ଅପସାରିତ ହେଉ ଏହି ସଙ୍କଳ୍ପର ସେ ଥିଲେ ମୁଖ୍ୟ କର୍ତ୍ତା । ସୁଭାଷ ଏହି ସୂଚନା ଦିଅନ୍ତି ଯେତେବେଳେ ସେ ଉକ୍ତ ପ୍ରବନ୍ଧରେ ଲେଖନ୍ତି୪(ପୃ ୧୨୪), “ତାଙ୍କରି ନିର୍ଦ୍ଦେଶରେ, କଂଗ୍ରେସର କାର୍ଯ୍ୟକାରୀ କମିଟି ଏକ ପ୍ରସ୍ତାବ ଗ୍ରହଣ କଲେ ୧୪ଜୁଲାଇ ୧୯୪୨ ଦିନ ୱାର୍ଦ୍ଧାଠାରେ ଯେ ବ୍ରିଟିଶ ଶାସନ ଭାରତରୁ ପ୍ରତ୍ୟାହୃତ ହେବା ଉଚିତ ।” ତେଣୁ Forward Blocର ପ୍ରଥମ ପ୍ରସ୍ତାବ ଥିଲା୪(ପୃ ୧୨୮), “ଭାରତରୁ ବ୍ରିଟିଶ ଶାସନର ପ୍ରତ୍ୟାହାର ଗାନ୍ଧୀଙ୍କ ଦାବିକୁ ପୂର୍ଣ୍ଣ ସମର୍ଥନ କରିବ ଓ ଯେଉଁମାନେ ଗାନ୍ଧୀଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ନିନ୍ଦା କରିବ ।” ଏହି ପ୍ରବନ୍ଧରେ ସେ କହିଥିଲେ୪(ପୃ ୧୩୦-୩୧), “ଗାନ୍ଧୀ ଯେହେତୁ ଆଦର୍ଶଗତ ହଠଧର୍ମୀ (fanatic) ନୁହନ୍ତି, ତାଙ୍କୁ ପ୍ରଭାବିତ କରିବା ସମ୍ଭବ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ବସ୍ତୁନିଷ୍ଠ ସାମରିକ ସ୍ଥିତି (objective military situation) ଏବଂ ଫରୱାର୍ଡ ବ୍ଲକର ପ୍ରଚାର ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି । ଉପରୋକ୍ତ ପ୍ରସ୍ତାବରେ ଯେଉଁ ଧାରାର ସେ ସୂଚନା ଦେଇଛନ୍ତି, ତାହା ଅନେକ ଦୃଷ୍ଟିରୁ, ସେପ୍ଟେମ୍ବର ୧୯୩୯ରୁ ଫରୱାର୍ଡ଼ ବ୍ଲକ ସମର୍ଥନ କରୁଥିବା ନୀତି ସହ ସମାନ । ” ଏହି ପ୍ରବନ୍ଧର ଶେଷରେ ସେ ଲେଖିଥିଲେ୪(ପୃ ୧୩୦-୩୧),“ସବିନୟ ଅବଜ୍ଞା (Civil Disobedience) ଅଭିଯାନ ଠିକ ସମୟରେ ଆରମ୍ଭ ହେବ । ଆମେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ଉଚିତ ।” 

‘ବ୍ୟବହାରିକ ରାଜନୈତିଜ୍ଞ’ 

କହିବା ବାହୁଲ୍ୟ ଯେ ସମର୍ଥନ କରିବା ପାଇଁ ସେ ନିବେଦନ କରିଥିଲେ କଂଗ୍ରେସ ଭିତରେ ସଂଖ୍ୟାଲଘୁ ବାମପନ୍ଥୀ Forward Blocର ସଭ୍ୟମାନଙ୍କୁ । କଂଗ୍ରେସ ଭିତରେ ସଂଖ୍ୟାଗରିଷ୍ଠ ଯେଉଁମାନେ ଥିଲେ ସେମାନେ ସୁଭାଷଙ୍କ ଭାଷାରେ ଥିଲେ, “ଗାନ୍ଧୀ-ପକ୍ଷ” (“Gandhi-Wing”) । ସୁଭାଷଙ୍କ ବିଚାରରେ୪(ପୃ ୧୨୬) ଏହି “ଗାନ୍ଧୀ-ପକ୍ଷ”ମଧ୍ୟରେ ଖୋଲାଖୋଲି ବ୍ରିଟିଶ ବିରୋଧୀ ନୀତିର ସଂକ୍ରମଣ ପାଇଁ ସଂଖ୍ୟାଲଘୁ Forward Bloc  ହିଁ ଦାୟୀ ଥିଲା । ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଉପରେ ସୁଭାଷଙ୍କର ମନ୍ତବ୍ୟ ଥିଲା୨(ପୃ ୨୯୨), “ଗାନ୍ଧୀ କେତେକ ଦୃଷ୍ଟିରୁ ଜଟିଳ ବ୍ୟକ୍ତିତ୍ୱର ଅଧିକାରୀ । ଗାନ୍ଧୀଙ୍କ ବ୍ୟକ୍ତିତ୍ୱରେ ଦୁଇଟି ଦିଗ ରହିଛି, ପ୍ରଥମତଃ ସେ ଜଣେ ଏକ ରାଜନୈତିକ ବ୍ୟକ୍ତି ଓ ଦ୍ୱିତୀୟତଃ ସେ ଏକ ଦାର୍ଶନିକ । ଆମେ ତାଙ୍କୁ ଏକ ରାଜନୈତିକ ନେତା ଭାବେ ଅନୁସରଣ କରୁ, କିନ୍ତୁ ଆମେ ତାଙ୍କ ଦର୍ଶନକୁ ଗ୍ରହଣ କରିନାହୁଁ ।… ଯଦିଓ ଗାନ୍ଧୀଙ୍କର ନିଜର ରହିଛି ଏକ ଜୀବନ ଦର୍ଶନ, ସେ ଅଟନ୍ତି ଜଣେ ବ୍ୟବହାରିକ ରାଜନୈତିଜ୍ଞ ତେଣୁ ଲୋକଙ୍କ ଉପରେ ସେ ନିଜର ଦର୍ଶନ ଲଦି ଦିଅନ୍ତି ନାହିଁ । ଫଳସ୍ୱରୂପ ଯଦିଓ ଆମେ ଆମ ସଂଘର୍ଷରେ ତାଙ୍କୁ ଅନୁସରଣ କରୁଛୁ, ଆମେ ନିଜର ଦର୍ଶନ ଅନୁସରଣ କରିବାକୁ ସ୍ୱାଧୀନ । ଯଦି ଗାନ୍ଧୀ ଚେଷ୍ଟା କରିଥାନ୍ତେ, ତାଙ୍କର ଦର୍ଶନକୁ ଆମ ଉପରେ ଲଦି ଦେଇଥାନ୍ତେ, ଆମେ ତାଙ୍କୁ ନେତାଭାବେ ଗ୍ରହଣ କରିନଥାନ୍ତୁ । କିନ୍ତୁ ସେ ତାଙ୍କର ଦର୍ଶନ ଓ ତାଙ୍କର ରାଜନୈତିକ ସଂଘର୍ଷ ମଧ୍ୟରେ ବ୍ୟବଧାନ ରକ୍ଷା କରିଛନ୍ତି ।” ଗାନ୍ଧୀ ସତ୍ୟାଗ୍ରହ ଓ ଆଇନ ଅମାନ୍ୟକୁ ସ୍ୱାଧୀନତା ପାଇଁ ଆନ୍ଦୋଳନର ପ୍ରମୁଖ ଅସ୍ତ୍ର କରିଥିଲେ ଯାହାଦ୍ୱାରା ସ୍ୱାଧୀନତା ହାସଲ ହେବ ନାହିଁ ବୋଲି ସୁଭାଷ ବିଶ୍ୱାସ କରୁଥିଲେ କିନ୍ତୁ ସ୍ୱୀକାର କରୁଥିଲେ୨(ପୃ ୨୮୯), “ଏଥିରେ ସନ୍ଦେହ ନାହିଁ ଯେ ଏହା ବହୁତ ସାହାଯ୍ୟ କରିଛି ଭାରତୀୟ ଲୋକଙ୍କୁ ଜାଗ୍ରତ ଓ ଏକାଠି କରିବାରେ ଏବଂ ବିଦେଶୀ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ  କାଏମ ରଖିବାରେ ।”  ହିଂସା ଓ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ଗାନ୍ଧୀ ବିରୋଧ କରୁଥିଲେ, କିନ୍ତୁ ନେତାଜୀ କରୁ ନଥିଲେ, ଏହା ନେତାଜୀ ସ୍ୱୀକାର କରି ଲେଖୁଛନ୍ତି୨(ପୃ ୨୯୧-୨), “ ହିଂସା ବା ବଳ ପ୍ରୟୋଗ ସମ୍ପର୍କରେ ଆପଣମାନେ ମହାତ୍ମା ଗାନ୍ଧୀଙ୍କର ମତ ଜାଣନ୍ତି । ସେ ଅସ୍ତ୍ରର ବ୍ୟବହାର ସପକ୍ଷରେ ନ ଥିଲେ ବା ସ୍ୱାଧୀନତା ହାସଲ ପାଇଁ ରକ୍ତ ପ୍ରବାହକୁ ସମର୍ଥନ କରୁ ନ ଥିଲେ ।…ଆମ ପିଢ଼ିର ଲୋକେ ଗାନ୍ଧୀଙ୍କୁ ଅନୁସରଣ କରିଛୁ ଏକ ରାଜନୈତିକ ସଂଘର୍ଷର ନେତା ଭାବେ, କିନ୍ତୁ ଗ୍ରହଣ କରିନାହୁଁ ସବୁ ପ୍ରଶ୍ନ ଉପରେ ତାଙ୍କର ଧାରଣାକୁ ।” ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱର ଗୋଟିଏ ବଡ ଦିଗ ଥିଲା ଜନତାର ମତ ପ୍ରତି ସଚେତ ରହିବା । ସୁଭାଷ କୁହନ୍ତି୨(ପୃ ୩୪୮), “ମହାତ୍ମା ଗାନ୍ଧୀ ସବୁବେଳେ ଜନମତ ପ୍ରତି ସହାନୁଭୂତିଶୀଳ ଯେପରି ଜଣେ ନେତାହେବା ଉଚିତ । ସିମଳା ସମ୍ମିଳନୀରେ କଂଗ୍ରେସର ପ୍ରତିନିଧିତ୍ୱ କରିବାକୁ ମନା କରିଦେଇ ସେ ସଠିକ କାର୍ଯ୍ୟ କରିଛନ୍ତି ଏବଂ ନିଜକୁ ସ୍ୱତନ୍ତ୍ର ରଖିଛନ୍ତି ମତ ଦେବାକୁ ଯାହା ସେ ଠିକ ବୋଲି ଭାବୁଛନ୍ତି ଏବଂ ଯାହା ଲୋକଙ୍କର ଇଚ୍ଛା ଏବଂ ଭାରତର ପ୍ରକୃତ ସ୍ୱାର୍ଥରେ ।” କଂଗ୍ରେସ ଦଳ ଗାନ୍ଧୀଙ୍କ ନେତୃତ୍ୱରେ କେତେ ବ୍ୟାପକ ଓ ଅଦମନୀୟ ଶକ୍ତିରେ ପରିଣତ ହୋଇଥିଲା ତାହାକୁ ଦର୍ଶାଇ ସେ ୨୬ ଜାନୁଆରୀ ୧୯୪୩, ସ୍ୱାଧୀନତା ଦିବସ ପାଳନ ଅବସରରେ କହୁଥିଲେ୪(ପୃ ୧୮୮-୯), “ଗତ ୨୨ବର୍ଷ ଭିତରେ , ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାରା ଦେଶରେ, ଦେଶୀୟ ରାଜ୍ୟ (States of the princes) ସମେତ, ଏକ ଶକ୍ତିଶାଳୀ ସଂଗଠନ ଠିଆ କରାଇଛି । ଏହା ସୁଦୂର ଗ୍ରାମାଂଚଳରେ, ଏବଂ ସବୁ ବର୍ଗ ମଧ୍ୟରେ, ରାଜନୈତିକ ଜୀବନକୁ ଜାଗ୍ରତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭାରତର ଜନଗଣ ଶିଖିଛି କିପରି ଶକ୍ତିଶାଳୀ ଶତ୍ରୁକୁ ମଧ୍ୟ ବିନା ଅସ୍ତ୍ରରେ ଆଘାତ କରାଯାଇପାରେ । ଏବଂ ମହାତ୍ମାଜୀଙ୍କ ନେତୃତ୍ୱରେ କଂଗ୍ରେସ ଦେଖାଇ ଦେଇଛି ଯେ ଶାନ୍ତିପୂର୍ଣ୍ଣ ବିରୋଧର ଅସ୍ତ୍ର (weapon of passive resistance) ସାହାଯ୍ୟରେ ପ୍ରଶାସନକୁ ଅଚଳ କରିଦେବା ସମ୍ଭବ ।” କିନ୍ତୁ ଗାନ୍ଧୀଙ୍କର ଏପରି ଅହିଂସକ ଆନ୍ଦୋଳନର ସଫଳତାକୁ ସୁଭାଷ ଉଚ୍ଛ୍ୱସିତ ପ୍ରଶଂସା କରିବାବେଳେ, ଏହାର ସୀମିତତା ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ଯେତେବେଳେ ସେ କୁହନ୍ତି୪(ପୃ ୧୮୯), “….ଯେତେବେଳେ ଶାନ୍ତିପୂର୍ଣ୍ଣ ବିରୋଧ ବିଦେଶୀ ଶାସନକୁ ଅଟକାଇ ଦେଇପାରେ, ବା ଏହାକୁ ପଙ୍ଗୁ କରିଦେଇପାରେ, ବିନା ଶାରୀରିକ ବଳ (physical force) ପ୍ରୟୋଗରେ, କିନ୍ତୁ ଏହାକୁ ଉତ୍‌ଖାତ ବା ବହିଷ୍କାର (overthrow or expel) କରିପାରିବ ନାହିଁ । ” ଲକ୍ଷ୍ୟ କରିବାର କଥା ଯେ ସୁଭାଷ ଗାନ୍ଧୀଙ୍କର ସତ୍ୟାଗ୍ରହ, ଆଇନ ଅମାନ୍ୟ ଆନ୍ଦୋଳନର ମୁଖର ପ୍ରଶଂସକ ହୋଇଥିଲେ ହେଁ ସେ ବ୍ରିଟିଶ ଶାସନର ମୂଳୋତ୍ପାଟନ ପାଇଁ ଦୈହିକ ବଳ ପ୍ରୟୋଗ ବା ହିଂସକ ଶକ୍ତି ପ୍ରୟୋଗ ହିଁ ଶେଷ କଥା ବୋଲି ମନେ କରୁଥିଲେ । 

ଗାନ୍ଧୀ ବ୍ରିଗେଡ

ଏହା ହୁଏତ ଏକ ବିଡ଼ମ୍ବନା ମନେ ହୋଇପାରେ ଯେ ଅହିଂସାର ପୂଜାରୀ ଗାନ୍ଧୀଙ୍କ ନାଁରେ ଆଜାଦ ହିନ୍ଦ ଫୌଜର ଗୋଟିଏ ବାହିନୀର ନାଁ ନେତାଜୀ ରଖିଥିଲେ ‘ଗାନ୍ଧୀ ବ୍ରିଗେଡ’ ଯାହାର ବ୍ରିଟିଶସେନା ସହିତ ପ୍ରାଣମୁର୍ଚ୍ଛା ଯୁଦ୍ଧକୁ ସମ୍ମାନର ସହ ସ୍ମରଣ କରାଯାଏ୫(ପୃ ୨୮୦) । କିନ୍ତୁ  ନେତାଜୀ ଏପରି କରିବା ଦର୍ଶାଏ ଗାନ୍ଧୀଙ୍କ ପ୍ରତି ସୁଭାଷଙ୍କର ଅନୁରକ୍ତି ଓ ତାଙ୍କର କାର୍ଯ୍ୟକଳାପରେ ବୋଧହୁଏ ଗାନ୍ଧୀଙ୍କର ଛାପ ଦେଖିବାର ଦୁର୍ବଳତା । 

‘କେବଳ ଗାନ୍ଧୀଜୀ ହିଁ ଏପରି କରି ପାରନ୍ତି’

ଯଦିଓ ଗାନ୍ଧୀ ଅକ୍ଷଶକ୍ତିର ବିରୋଧୀ ଥିଲେ ଅକ୍ଷଶକ୍ତିର ପରାଜୟରେ ଉଲ୍ଲସିତ ମିତ୍ର ରାଷ୍ଟ୍ରଗୋଷ୍ଠୀକୁ ଚେତାଇ ଦେଇଥିଲେ ଯେ ସେମାନେ ଏହା ଦ୍ୱାରା ମୁଣ୍ଡବୋଲା ହୋଇଯିବା ଉଚିତ ନୁହେଁ ଯାହା ସେମାନଙ୍କର ପତନର କାରଣ ହୋଇପାରେ । ଗାନ୍ଧୀଙ୍କର ଏପରି ଚେତାବନୀକୁ ଉଲ୍ଲେଖ କରି ନେତାଜୀ ଶ୍ରୀଯୁକ୍ତ ଆୟାରଙ୍କୁ କହୁଥିଲେ୧(ପୃ ୨୬୧), “ବିଶ୍ୱରେ ଆଉ ଜଣେ ଏପରି ବ୍ୟକ୍ତି ନାହିଁ ଯିଏ ବିଜୟୀ ଆଂଗ୍ଲୋ-ଆମେରିକା ଶକ୍ତିକୁ ଏହି ଭାଷାରେ କହିବାର ସାହସ କରିବ । କେବଳ ଗାନ୍ଧିଜୀ ହିଁ ଏପରି କରିପାରନ୍ତି ।” ନେତାଜୀ ଯେତେବେଳେ ଏହା କହୁଥିଲେ ସେତେବେଳେ ତାଙ୍କ ଚକ୍ଷୁରେ ଗର୍ବ ଓ ସମ୍ମାନ ଦେଖୁଥିଲେ ଶ୍ରୀଯୁକ୍ତ ଆୟାର । 

‘ନେତାଜୀ ଗାନ୍ଧୀଜୀଙ୍କର ପ୍ରକୃତ ଶିଷ୍ୟ’ 

ଗାନ୍ଧୀ ଓ ସୁଭାଷଙ୍କ ସମ୍ପର୍କକୁ ଶ୍ରୀଯୁକ୍ତ ଆୟାର, ତାଙ୍କ କହିବା ଅନୁସାରେ୧(ପୃ ୨୬୧), ଏପରି ଉପସ୍ଥାପିତ କରିବାର ଉଦ୍ୟମ କରିଥିଲେ ଯାହାଦ୍ୱାରା ଗାନ୍ଧୀଙ୍କର ଅତି ବଳିଷ୍ଠ ଅନୁଯାୟୀକୁ ମଧ୍ୟ ଆବଶ୍ୟକ ହେବ ନାହିଁ ଗାନ୍ଧୀଙ୍କ ପ୍ରତି ଆନୁଗତ୍ୟକୁ ସାବ୍ୟସ୍ତ କରିବା ପାଇଁ ନେତାଜୀଙ୍କ ପ୍ରତି ପ୍ରତିକୂଳ ମନୋଭାବ ଦର୍ଶାଇବା । ଶ୍ରୀଯୁକ୍ତ ଆୟାର ତ ନେତାଜୀଙ୍କୁ ଗାନ୍ଧିଜୀଙ୍କର ପ୍ରକୃତ ଶିଷ୍ୟ ବୋଲି ଅଭିହିତ କରିଥିଲେ । ତାଙ୍କରି ଭାଷାରେ      ୧(ପୃ ୨୬୧), “ଅହିଂସା ପ୍ରଶ୍ନକୁ ବାଦ ଦେଲେ, ନେତାଜୀ ଗାନ୍ଧିଜୀଙ୍କର ପ୍ରକୃତ ଶିଷ୍ୟ ଥିଲେ ” । ଏହି ଧାରଣାକୁ ବୋଧେ ବିସ୍ତାରିତ କରି ଶ୍ରୀଯୁକ୍ତ ଆୟାର ଲେଖିଲେ୧(ପୃ ୨୬୧), “ରୁଢ଼ିବାଦୀ ଗାନ୍ଧୀ ଅନୁଯାୟୀଙ୍କୁ ଆଘାତ ଦେବା ପାଇଁ ମୁଁ ବୋଧେ ଏହା କହୁନାହିଁ -ଯେ ସୁଭାଷ ଯୁଗ ((Subhas Era) ) ଗାନ୍ଧୀ ଯୁଗ ( (Gandhi Era)ର ସ୍ୱାଭାବିକ ବିବର୍ତ୍ତନ(evolution) ବା ଯେପରି ହେଉ ନା କାହିଁକି, ସର୍ବନିମ୍ନ ଆବଶ୍ୟକ ପରିବର୍ତ୍ତନ ସହ ଏକ ଧାରାବାହିକତା (a continuation) ।”ଏହା  ଅବଶ୍ୟ ଶ୍ରୀ ଆୟାର କହୁଥିଲେ ୧୯୫୧ ମସିହାରେ ।      

ବ୍ୟବହୃତ ଉପାଦାନ ସୂଚୀ

  1. Unto Him A Witness: The Story of Netaji Subhas Chandra Bose in East Asia, S. A. Ayer , Thacker  & Co., Ltd, Bombay, 21 October 1951
  2. Chalo Delhi: Writings and Speeches(1943-45), Subhas Chandra Bose, edited by Sisir K Bose and Sugata Bose, Netaji Collected Works Vol.12, Netaji Research Bureau 2007, Orient BlackSwan Pvt. Ltd.,2021
  3. Mahatma, Vol. 5 , D G Tendulkar, The Publications Division, Ministry of Infornation and Broadcasting, Government of India.

4.Azad Hind: Writings and Speeches(1941-43),Subhas Chandra Bose, edited by Sisir K Bose and Sugata Bose, Netaji Collected Works Vol.11, Netaji Research Bureau 2002, Permanent Black, distributed by Orient BlackSwan Pvt. Ltd., 2016(Second Impression)

  1. His Majesty’s Opponent, Sugata Bose, Penguin Books, 2011

Comments

0 comments

Share This Article