ଗତ ବର୍ଷ ବଲାଙ୍ଗୀରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମାମୁଁଙ୍କ ଘରକୁ ବନ୍ଧୁକ ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ସେଠାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିନ୍ତୁ ଉକ୍ତ ଯୁବକଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଥିଲା ‘ସପୋର୍ଟ ଟ୍ରେଣ୍ଡ’ । ପ୍ରେମିକା ଜଣଙ୍କ ଯୁବକଙ୍କ ସହ ବିଶ୍ୱାସଘାତ କରି ଅନ୍ୟ ଜଣେ ଚାକିରିଆ ଯୁବକଙ୍କୁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଯୁବକଜଣଙ୍କ ଅଭିଯୋଗ କରିବା ସହ ତାର ପ୍ରତୁ୍ୟତ୍ତରରେ ଏଭଳି କାଣ୍ଡ ଭିଆଇଥିବା କହିଥିଲେ । ଏହା ପରେ ସମସ୍ତଙ୍କ ଭିତରେ ଥିବା ମହିଳା ସଂକୀର୍ଣ୍ଣ ଏବଂ ସ୍ୱାର୍ଥପରର ଭାବନା ଅଭିଯାନର ରୂପ ନେଇଥିଲା । ଏହି ସମୟରେ ସେହି ଝିଅର ପକ୍ଷ କ’ଣ, ତାକୁ ଗୁରୁତ୍ୱ ମଧ୍ୟ ଦିଆଯାଇ ନଥିଲା । ଗୋଟିଏ ମୁହୂର୍ତ୍ତ ପାଇଁ ଯଦି ଯୁବକଜଣକ ବନ୍ଧୁକ ଧରି ସୃଷ୍ଟି କରିଥିବା ଆତଙ୍କ ପଛରେ ସେ ଦର୍ଶାଇଥିବା କାରଣ ସତ ବୋଲି ବିଶ୍ୱାସ କରାଯାଏ, ତେବେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସୃଷ୍ଟ ହୋଇଥିବା ‘ସର୍ପୋଟ ଟ୍ରେଣ୍ଡ’ କେବେ ଗ୍ରହଣ କରାଯାଇପାରିବ ନାହିଁ । (ଯଦି ଉକ୍ତ ମହିଳାଜଣକ ନିଜ ପରିବାର ବିରୋଧରେ ଯାଇ ଯୁବକଜଣକୁ ବିବାହ କରିଥାନ୍ତେ, ତେବେ ମଧ୍ୟ ସେହି ସମାଜ ବାପା, ମା’ଙ୍କୁ ବଦନାମ କରି ଝିଅ ନିଜ ଇଚ୍ଛାରେ ବିବାହ କରିଥିବା ଆକ୍ଷେପ କରିଥାନ୍ତା ଏବଂ ସମାଜ ସମ୍ମୁଖରେ ଝିଅଟି ହିଁ ଦୋଷୀ ସାବ୍ୟସ୍ତ ହୋଇଥାନ୍ତା) । ବର୍ତ୍ତମାନ ଯେଉଁ ବ୍ୟକ୍ତିମାନେ ଅଭିଯୁକ୍ତଙ୍କ ମାରଣାସ୍ତ୍ର ଧରି ଆକ୍ରମଣର ସମର୍ଥନରେ ବାହାରିଛନ୍ତି, କାଲି ସେମାନେ ଝିଅଙ୍କ ଉପରେ ଏସିଡ ମାଡ କରୁଥିବା ପୁରୁଷଙ୍କୁ ବି ସମର୍ଥନ କରିବେ । ପ୍ରେମରେ ପଡ଼ିଥିବା ପୁଅ ଏଭଳି କାଣ୍ଡ ଭିଆଇବାରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇବେ । ବଲାଙ୍ଗୀର ଯୁବକର ଉନ୍ମତ କାଣ୍ଡ ସମ୍ପର୍କିତ ଘଟଣା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି, କିନ୍ତୁ ପ୍ରେମରେ ପ୍ରତାରଣା ପ୍ରସଙ୍ଗକୁ ନିଆଗଲେ, ପ୍ରତିଦିନ କେତେ ଝିଅ ବିବାହ ପ୍ରତିଶ୍ରୁତି ଏବଂ ପ୍ରତାରଣା ନେଇ ଥାନାରେ ଏତଲା ଦେଉଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସର୍ଟ ଷ୍ଟେ ହୋମ୍, ସଖି କିମ୍ବା ବିଭିନ୍ନ ସାମାଜିକ ସଙ୍ଗଠନର ଦ୍ୱାରସ୍ଥ ହେଉଛନ୍ତି; ତାର କଳ୍ପନା ମଧ୍ୟ କରାଯାଇ ପାରିବନାହିଁ । ଏପରିକି ବରାତ ଆସିବା ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ଝିଅ କିମ୍ବା ପୁଅ ଅମଙ୍ଗ ହେବାରୁ ବିବାହ ଭାଙ୍ଗିଯାଉଛି । ପ୍ରେମରେ ପ୍ରତାରଣା ଯେ ଲିଙ୍ଗଗତ; ତାହା ଦର୍ଶାଇବା ଆଦୌ ଗ୍ରହଣୀୟ ନୁହେଁ । କେବଳ ଏହି ଗୋଟିଏ ଘଟଣା ନୁହେଁ । କରୋନା ସମୟରେ ସାବିତ୍ରୀରେ ବଜାର ଭିଡ଼, ବିରାଟ କୋହଲୀଙ୍କ କ୍ରିକେଟରେ ଦୁର୍ବଳ ପ୍ରଦର୍ଶନ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନ୍ତ୍ରୀ ସ୍ମୃତି ଇରାନୀ, ସାମ୍ବାଦିକା ବରଖା ଦତ୍ତ, ଅଭିନେତ୍ରୀ ସ୍ୱରା ଭାସ୍କର, ଗବେଷିକା ସଫୋରା ଜରାଗର ଠାରୁ ଆରମ୍ଭକରି ଆମ ଚାରିପଟରେ ଥିବା ଅନେକ ମହିଳା ପ୍ରତ୍ୟେକ ମୁହୂର୍ତ୍ତରେ ଫେସବୁକ, ହ୍ୱାଟସ୍ଆପ, ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ଲିଙ୍ଗଗତ ଟ୍ରୋଲ’ର ଶିକାର ହେଉଛନ୍ତି । ଏପରିକି କୌଣସି ଝିଅ ପ୍ରତି ଶତୃତା ପ୍ରଦର୍ଶନ, ବଦନାମ କରିବା କିମ୍ବା ସର୍ବୋପରି ତା’ ଉପରେ ଚାପ ସୃଷ୍ଟି ପାଇଁ ଫଟୋସପ୍ କରି ଅଶ୍ଳୀଳ ଫଟୋ ଅପଲୋଡ କିମ୍ବା ତାର ପୋଷ୍ଟରେ ଚରିତ୍ରଗତ ଆକ୍ଷେପ ଆଜି ସାମାନ୍ୟ ଘଟଣାରେ ପରିଣତ ହୋଇସାରିଛି । ମହିଳା ଏବଂ ପୁରୁଷ ଉଭୟ ଏହାକୁ ମହିଳାଙ୍କ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ଏପରିକି ଅନେକ କ୍ଷେତ୍ରରେ ସ୍ତ୍ରୀ ସହିତ ବିବାଦ ହେଲେ ସ୍ୱାମୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅନ୍ତରଙ୍ଗ ମୁହୂର୍ତ୍ତ ଅପଲୋଡ କରୁଛନ୍ତି । ମହିଳା ହୁଅନ୍ତୁ କି ପୁରୁଷ; କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବାରେ କୌଣସି ଅସୁବିଧା ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ଯେଉଁଭଳି ଭାବରେ ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କୁ ହିଁ ଲିଙ୍ଗଗତ ଏବଂ ଚରିତ୍ରଗତ ଆକ୍ଷେପ କରାଯାଉଛି, ଏହା ଆଧୁନିକ ସମାଜରେ ମହିଳାବିରୋଧୀ ନବ ମାନସିକତାର ଏକ ପ୍ରତିଫଳନ ।
ସେହିପରି ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଞ୍ଜନ ଜିଅନ୍ତା ଜଳିଯିବା ଘଟଣାରେ ଏସିଏଫ୍ ଙ୍କ ପରିବାର ପକ୍ଷରୁ ଏଥିପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀଙ୍କୁ ଦାୟୀ କରାଗଲା । କୌଣସି ନବବିବାହିତ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ରେ ତାଙ୍କ ପତି କିମ୍ବା ପତ୍ନୀଙ୍କୁ ପରିବାର ଦାୟୀ କରିବା ସ୍ୱାଭାବିକ ଘଟଣା । ଏଭଳି ଅଭିଯୋଗରେ କୌଣସି ଅସୁବିଧା ନାହିଁ । ଏସିଏଫ୍ ଙ୍କ ମୃତ୍ୟୁ ପଛରେ ଯିଏ ବି ଦାୟୀ ହୋଇଥାଆନ୍ତୁ ନା କାହିଁକି, ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ । କିନ୍ତୁ ଏହା ପୂର୍ବରୁ ସୌମ୍ୟ ଏବଂ ତାଙ୍କ ପତ୍ନୀଙ୍କୁ ନ ଜାଣି, ବ୍ୟକ୍ତିଗତ ସମ୍ପର୍କକୁ ନେଇ କୌଣସି ପ୍ରକାର ଅବଗତ ନଥାଇ ମଧ୍ୟ ପ୍ରତିଦିନ ଲକ୍ଷାଧିକ ବ୍ୟକ୍ତି ଘରେ ବସି ସାମାଜିକ ଗଣମାଧ୍ୟମରେ ବିଦ୍ୟାଭାରତୀଙ୍କ ନାମରେ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଚରିତ୍ରଗତ ଆକ୍ଷେପ କରିବାରେ ଲାଗିଛନ୍ତି । ଏଭଳି ଲେଖାଯାଉଛି ଯେପରିକି କଲେଜରୁ ଆଜି ପର୍ଯ୍ୟନ୍ତ ବିଦ୍ୟା କଣ କରିଛନ୍ତି, ତାଙ୍କ ବିଷୟରେ ସେମାନଙ୍କ ପାଖରେ ବିସ୍ତୃତ ବିବରଣୀ ରହିଛି କିମ୍ବା ସେମାନେ ଏହାର ପ୍ରତ୍ୟକ୍ଷଦର୍ଶୀ । ସୌମ୍ୟଙ୍କ ମୃତୁ୍ୟପରର କିଛି ଦିନ ପାରଳାଖେମୁଣ୍ଡି ଡିଏଫ୍ଓ ସମାଲୋଚନାର ଶିକାର ହେଲେ ସତ କିନ୍ତୁ ସମୟକ୍ରମରେ ସେ ଉଭାନ ହୋଇଗଲେ । ଲୋକଙ୍କ ଟାର୍ଗେଟରେ କେବଳ ରହିଯାଇଛନ୍ତି ବିଦ୍ୟାଭାରତୀ । ଗତବର୍ଷ ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ପଛରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଏହିଭଳି ଢଙ୍ଗରେ ଅନଲାଇନି ଟ୍ରୋଲ କରାଯାଇଥିଲା । ୨୦୨୦ କରୋନା ଏବଂ ଲକଡାଉନ ସମୟରେ ଯେତେବେଳେ ପ୍ରବାସୀ ଶ୍ରମିକ ଚାଲିଚାଲି ହଜାର-ହଜାର କିଲୋମିଟର ଅତିକ୍ରାନ୍ତ କରୁଥିଲେ, ସେମାନଙ୍କ ଦୁର୍ଦ୍ଦଶାର ଅନ୍ତ ନଥିଲା, କୁନି ଶିଶୁଟି ନିଜ ମାର ମୃତ ଦେହ ସହିତ ଖେଳୁଥିଲା । ଏହି ସମୟରେ ଅନେକ ବୈଦ୍ୟୁତିକ ଗଣମାଧ୍ୟମ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କଭରେଜରେ ବ୍ୟସ୍ତ ହୋଇ ପଡ଼ିଥିଲେ । ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଫେସବୁକ, ଟ୍ୱିଟରରେ ତାଙ୍କୁ ବିଷକନ୍ୟା ସଜାଇ ଦିଆଯାଇଥିଲା । ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପ୍ରଥମ କିଛି ଦିନ ମୃତକ ଯୁବକଙ୍କ ନବ ବିବାହିତା ସ୍ତ୍ରୀକୁ ନେଇ ବ୍ୟକ୍ତିଗତ ଆକ୍ଷେପ ସହିତ ଟ୍ରୋଲ କରାଯାଇଥିଲା । କିନ୍ତୁ ଶେଷରେ ପୁଲିସ୍ତ ତଦନ୍ତରୁ ଜଣାପଡ଼ିଥିଲା ମୃତକଙ୍କ ଅଧ୍ୟାପିକା ମା’ଙ୍କ ପଦୋନ୍ନତି ବିବାଦକୁ କେନ୍ଦ୍ର କରି ଆଉ ଜଣେ ଅଧ୍ୟାପକ ପାର୍ସଲ ବୋମା ତିଆରି କରି ପଠାଇଥିଲେ । ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି ନିଜେ କରମଚନ୍ଦ ପାଲଟି ଅନ୍ୟ ପ୍ରତି ବିଷବାନ୍ତି କରୁଥିବା ବ୍ୟକ୍ତିମାନେ ବଲାଙ୍ଗୀର ପାର୍ସଲ ବୋମା ଘଟଣାପରେ ବି ଚେତୁ ନାହାନ୍ତି ।
ଅନେକ ଅପରାଧିକ ଘଟଣାରେ ଲୋକଙ୍କ ପାଖରେ ପ୍ରମାଣ ନଥାଏ, ମହିଳାଙ୍କ ଭୂମିକାକୁ ନେଇ ଟିକିଏ ବି କେହି ସନ୍ଦେହ କଲେ, ଅନଲାଇନ୍ରେ ମହିଳାଙ୍କୁ ବ୍ୟକ୍ତିଗତ ଏବଂ ଚରିତ୍ରଗତ ଆକ୍ଷେପ କରିବାରେ ସମସ୍ତେ ଲାଗିପଡ଼ନ୍ତି । ଅପରାଧମାନଙ୍କରେ ମହିଳା ବିଶେଷକରି ସୁନ୍ଦରୀ ମହିଳାଙ୍କ ବିରୋଧରେ ଅଭିଯୋଗ ହେଲେ ତାକୁ ସ୍କ୍ରିନରେ ବାରମ୍ବାର ଦେଖାଇ ବୈଦ୍ୟୁତିକ ଗଣମାଧ୍ୟମରେ ଟିଆରପି ନେବାକୁ ସୁବିଧା ହୁଏ । ଆମ ସାମାଜିକ ମାନ୍ୟତା ଅନୁସାରେ ମହିଳା ମଣିଷ ନୁହେଁ, ଭୋଗ୍ୟା । (ଏଥିପାଇଁ ତ ସୁରା ସହିତ ସାକିର ବ୍ୟବହାର ହୁଏ), ତାର ଦେହ ହିଁ ତାର ପରିଚୟ, ସେ ଦେବୀ ହୋଇପାରେ ଅଥବା ବିଷକନ୍ୟା । ବିଷକନ୍ୟା ଜଣକ ସଙ୍କୀର୍ଣ୍ଣ, ସ୍ୱାର୍ଥପର, ନିଜ ରୂପର ଜାଲରେ ପୁରୁଷକୁ ଫସାଇ ଦିଏ । ଏଥିପାଇଁ ସାଧାରଣ ବିଶ୍ୱାସ ରହିଛି ଯେ ନାରୀ ମାୟା ନାରାୟଣକୁ ବି ଅଗୋଚର । ପୁରୁଷ ଏବଂ ମହିଳା ଉଭୟ ପରସ୍ପର ପାଇଁ ରହସ୍ୟଜନକ, ଉଭୟ ପରସ୍ପର ବିଷୟରେ ଜାଣିବା ପାଇଁ ଉତ୍ସକ କିନ୍ତୁ ଏହି ଶବ୍ଦ କେବଳ ମହିଳାଙ୍କ ପାଇଁ ହିଁ ବ୍ୟବହାର ହୁଏ, ପୁରୁଷଙ୍କ ପାଇଁ ନୁହେଁ । କାରଣ, ଏହି ସମାଜ କେବଳ ପୁରୁଷଙ୍କର ଏବଂ ମହିଳା କେବଳ ପୁରୁଷର ସହଯୋଗୀ ମାତ୍ର । ଏକାଧିକ ପୁରୁଷଙ୍କ ମହିଳାଙ୍କ ସମ୍ପର୍କକୁ ନେଇ ଆଲୋଚନା କରିବାଠାରୁ ରୋଚକ ଆଲୋଚନା ସମାଜରେ ନାହିଁ । ଏହାର ମଜା କେବଳ ପୁରୁଷ ନୁହେଁ , ମହିଳାମାନେ ମଧ୍ୟ ନିଅନ୍ତି । ଯେଉଁ ମହିଳା କେବଳ ‘ମୁଁ ହିଁ ସତୀ’ର ଆତ୍ମବଡ଼ିମାରେ ବୁଡ଼ି ରହିଥାଆନ୍ତି, ସେମାନେ ପୁରୁଷତନ୍ତ୍ର ବିଚାର ଜାଲରେ ପଡ଼ି ଅନ୍ୟ ମହିଳାଙ୍କୁ ପୁରୁଷ ଆଖିରେ ଦେଖନ୍ତି ।
କେବଳ ଅପରାଧିକ ଘଟଣାରେ ନୁହେଁ ; ବିଭିନ୍ନ ରାଜନୀତି, ଗଣମାଧ୍ୟମ, ସାମାଜିକ କର୍ମକର୍ତ୍ତା ସମେତ ଯେକୌଣସି ବୃତ୍ତିରେ ଥିବା ମହିଳା ଏପରିକି ଘର ଚାରିକାନ୍ଥରୁ ବାହାରୁନଥିବା ଝିଅ ପ୍ରତିଦିନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଆକ୍ଷେପର ଶିକାର ହେଉଛନ୍ତି । ଚରିତ୍ର ସହିତ ରୂପ, ଆକାର, ରଙ୍ଗ, ବୟସ, ଚାଲି, କଥା, ବୈବାହିକ ଜୀବନ ଏବଂ ତାଙ୍କର ମେଳାପି ସ୍ୱାଭାବକୁ ନେଇ ରଣ୍ଡି, ବେଶ୍ୟା, ମୋଟି, କାଳୀ, ଭେଁସ୍ପରି କାହିଁ କେତେ ଶବ୍ଦରେ ଆକ୍ଷେପ କରାଯାଏ । ଯାହା ପ୍ରତ୍ୟେକ ମହିଳାଙ୍କ ପାଇଁ ଅତି ସାଧାରଣ କଥା । ଦୈନିକ ସମ୍ବାଦପତ୍ର ହିନ୍ଦୁରେ ପ୍ରକାଶିତ ଏକ ଆଲେଖ୍ୟ ଅନୁସାରେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଲଗାତାର ପ୍ରତିପକ୍ଷ ଦ୍ୱାରା ସାମାଜିକ ଗଣମାଧ୍ୟମରେ ଟ୍ରୋଲର ଶିକାର ହୁଅନ୍ତି । ରାହୁଲ ଗାନ୍ଧୀଙ୍କୁ ପ୍ରତିପକ୍ଷ ପପୁ କହି ତାଙ୍କର କମ ବୁଦ୍ଧି ଥିବା ଦର୍ଶାଯାଏ, କିନ୍ତୁ ହଲିଉଡ ଚଳଚ୍ଚିତ୍ର ନାୟିକାଙ୍କ ଫଟୋ ଦେଖାଇ ସୋନିଆ ଗାନ୍ଧୀଙ୍କ ପ୍ରତି ଚରିତ୍ରଗତ ଆକ୍ଷେପ କରାଯାଏ । ମି ଠୁ’ରେ ଚୌକି ହରାଇଥିବା ପୂର୍ବତନ ମନ୍ତ୍ରୀ ଆକବର ଖାଁଙ୍କ ପ୍ରତି ଚରିତ୍ରଗତ ଆକ୍ଷେପ ହୁଏ ନାହିଁ କିନ୍ତୁ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ସ୍ମୃତି ଇରାନୀଙ୍କ ପାଇଁ ଏହା ସାଧାରଣ । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରୁ ମେ ମାସ ମଧ୍ୟରେ ୭୨୪ ମହିଳା ରାଜନେତ୍ରୀଙ୍କ ମଧ୍ୟରୁ ୯୫ଜଣ ୧୦ଲକ୍ଷ ଲିଙ୍ଗଗତ ଆକ୍ଷେପମୂଳକ ଟ୍ୱିଟ କରାଯାଇଛି । ଏଥିରେ ପ୍ରତି ୭ରୁ ଗୋଟିଏ ଟ୍ୱିଟରେ ମହିଳା ରାଜନେତ୍ରୀଙ୍କୁ ପ୍ରୋବ୍ଲେମେଟିକ, ପ୍ରତି ୫ଟି ଟ୍ୱିଟ ମଧ୍ୟରୁ ଗୋଟିଏରେ ସେମାନଙ୍କ ପ୍ରତି ଲିଙ୍ଗଗତ ଆକ୍ଷେପ କରାଯାଏ ବୋଲି ଦର୍ଶାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଅବିବାହିତ ରହିବାକୁ ଗୌରବାନ୍ୱିତ କରାଯାଏ । କିନ୍ତୁ ଅପରପକ୍ଷରେ ମମତା, ମାୟାବତୀ ଏବଂ ଜୟଲଳିତା ଅବିବାହିତା ରହିବା ନେଇ ତାତ୍ସଲ୍ୟ କରାଯାଏ । ଏପରିକି ସେମାନେ ନିଜ ସ୍ୱାମୀଙ୍କ ମୁଣ୍ଡ ଖାଇ ପାରୁନଥିବାରୁ ଦେଶର ମୁଣ୍ଡ ଖାଉଥିବା ନେଇ ଅନେକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । କେବଳ ଭାରତ ନୁହେଁ , ୟୁକେର ମଧ୍ୟ ଦଳମତ ନିର୍ବିଶେଷରେ ୪୫.୫ ପ୍ରତିଶତ ମହିଳା ରାଜନେତ୍ରୀ ଏଭଳି ଲିଙ୍ଗଗତ ଟ୍ରୋଲ’ର ଶିକାର ହେଉଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ରିପୋର୍ଟରେ ଦର୍ଶାଯାଇଛି ।
ଦ’ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ‘ଆନ୍ତର୍ଜାତୀୟ ସ୍ତରରେ ଅନଲାଇନ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କ ସଂଖ୍ୟା ୫୮ପ୍ରତିଶତ । କୋଭିଡ ସମୟରେ ମହିଳାମାନେ ଅନଲାଇନରେ ଯେତିକି ଜଡ଼ିତ ହେଲେ, ତାଙ୍କ ପ୍ରତି ଅଶ୍ଳୀଳ ଆକ୍ଷେପ ସେହିପରି ବଢ଼ିଲା । ୮୨୩୯ଟି ପୋଷ୍ଟକୁ ନେଇ କରାଯାଇଥିବା ନମୂନା ସର୍ଭେ ଅନୁସାରେ, ୪୭ ପ୍ରତିଶତ ପୋଷ୍ଟରେ ଲିଙ୍ଗଗତ ଟ୍ରୋଲିଂ, ୩୫ପ୍ରତିଶତ ଅଶ୍ଳୀଳ ମନ୍ତବ୍ୟ ଦିଆଯାଉଛି । ଏପରିକି କୋଭିଡ ସମୟରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିଜନଙ୍କୁ ଶଯ୍ୟା, ଅକ୍ସିଜେନ କିମ୍ବା ବିଭିନ୍ନ ପ୍ରକାର ଡାକ୍ତରୀ ସହାୟତା ପାଇଁ ସାମାଜିକ ଗଣମାଧ୍ୟମରେ ଫୋନ ନମ୍ବର ଦିଆଯାଉଥିଲା । ଏହି ସମୟରେ ଅନେକ ମହିଳା ବିଭିନ୍ନ ଅଜଣା ପୁରୁଷଙ୍କଠାରୁ ଅଶ୍ଳୀଳ ଫୋନ କଲ ଆସିଥିବା ଦର୍ଶାଇଥିଲେ । ମହାମାରୀରେ ସାମାଜିକ ଗଣମାଧ୍ୟମ ସହାୟତାର ମୁଖ୍ୟ ହତିଆର ପାଲଟିଥିଲା, କିନ୍ତୁ ଅନେକ ମହିଳାଙ୍କ ପାଇଁ ନିର୍ଯାତନାର ସ୍ୱରୂପ ବି ହୋଇଥିଲା । ସାମାଜିକ ବିଚାର ଭିନ୍ନ ଦିଗକୁ ଦେବା ଉଦେଶ୍ୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଯୁବ ସାମ୍ବାଦିକା ଶ୍ରୀମା ଶତପଥୀ ନିଜ ଫେସବୁକ ଆକାଉଣ୍ଟରେ ମହିଳା, ପୁରୁଷଙ୍କ ଖୋଲା ଛାତିର ଫୋଟ ଅପଲୋଡ କରିଥିଲେ । ପୁରୁଷଙ୍କ ଖୋଲା ଛାତି କାହିଁକି ସମୁଚିତ, ମହିଳାଙ୍କ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ବିଚାରକୁ ବିରୋଧ କରୁଥିବା ସଂକୀର୍ଣ୍ଣ ମାନସିକତାସମ୍ପନ୍ନ ବ୍ୟକ୍ତି ନିଜ ବିରୋଧ ଉପଯୁକ୍ତ ଢଙ୍ଗରେ ଉପସ୍ଥାପନ କରିବା ପ୍ରତିବଦଳରେ ଶ୍ରୀମାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, ଚରିତ୍ରଗତ ଆକ୍ଷେପ କରିବାସହ ଦେହଜୀବୀ ବୋଲି ଆକ୍ଷେପ କରିଥିଲେ । ସେହିପରି ହେତୁବାଦୀ ବିଚାରରେ ବିଶ୍ୱାସ କରୁଥିବା କୋରାପୁଟର ଯାଜ୍ଞସେନୀ ମଧ୍ୟ ଏପରି ସାମାଜିକ ଗଣମାଧ୍ୟମର ଆକ୍ଷେପର ଶିକାର ହୋଇଥିଲେ । ଜେଏନୟୁ ଆନେ୍ଦାଳନ ଚାଲିଥିବା ସମୟରେ ଆନ୍ଦୋଳନ କାରୀ ଛାତ୍ରୀଙ୍କ ଚରିତ୍ର ସଂହାର କରାଯାଇ ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଅଶ୍ଳୀଳ ମାଇମ୍ସ୍ ପ୍ରସ୍ତୁତ କରାଯାଉଥିଲା, ସେ ସମ୍ପର୍କରେ ସମସ୍ତେ ଅବଗତ । ଛାତ୍ରୀମାନେ ନିଶା ସେବନ କରୁଥିବା, ଏକାଧିକ ପୁରୁଷ ବନ୍ଧୁ ରହିଥିବା ପରି ଅନେକ ଫଟୋଗୁଡ଼ିକ ଅପଲୋଡ କରାଯାଇଥିଲା । ଯେଉଁଠି ଯେଉଁ ଭାବରେ ମହିଳା କାହାକୁ ଚ୍ୟାଲେଞ୍ଜି ହେଲା, ତାର ଚରିତ୍ରଗତ ଆକ୍ଷେପ ଆରମ୍ଭ ହୋଇଯାଏ ।
ପ୍ରତିପକ୍ଷ ବିଚାରକୁ ଦମନ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ବେତନଯୁକ୍ତ ଟ୍ରୋଲବାହିନୀ ରଖିଛନ୍ତି ଯେଉଁଥିରେ ସାମାନ୍ୟ କଥାରେ ବ୍ୟକ୍ତିମାନଙ୍କୁ ଆକ୍ଷେପ କରାଯାଏ । ଟ୍ରୋଲରମାନେ ଉଭୟ ମହିଳା, ପୁରୁଷଙ୍କୁ ଟାର୍ଗେଟ କରନ୍ତି । କିନ୍ତୁ ମହିଳାଙ୍କ ପ୍ରତି ହେଉଥିବା ଅଶ୍ଳୀଳ ଟ୍ରୋଲ ଶୀଘ୍ର ସମ୍ପ୍ରସାରିତ ହୁଏ(ଟ୍ରେଣ୍ଡ କରେ) । ମହିଳାର ବ୍ୟକ୍ତିତ୍ୱକୁ ତାର ଚରିତ୍ର ଆଧାରରେ ମାପନ୍ତି । ଏହି ଖିଅ ଏତେ ସୂକ୍ଷ୍ମ ଯେ ଗୋଟିଏ ଟ୍ରୋଲ୍ ବି ଏହାକୁ ଭାଙ୍ଗି ଦେଇପାରେ । ସାମାଜିକ ଗଣମାଧ୍ୟମ ପ୍ରତ୍ୟେକ ବ୍ୟକ୍ତିକୁ ସାମ୍ବାଦିକ କରିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କଠାରୁ ମଧ୍ୟ ସେହିଭଳି ସାମାଜିକ ଦାୟିତ୍ୱବୋଧର ଆଶା କରାଯାଏ । ନଚେତ ଘୃଣାର ସମାଜ ଗଠନରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଆୟୁଧ ହୋଇ ପଡ଼ିବ । ଯାହାର ଭିତ୍ତିଭୂମି ପଡ଼ି ସାରିଛି ।
Photo Credit- https://bit.ly/3vzrCCi
Comments
0 comments