ହାଜତ ମୃତ୍ୟୁ: ଗଣତନ୍ତ୍ର ବିଫଳ ହେବାର ନମୁନା

ଆମଦେଶରେ ହାଜତରେ ମୃତ୍ୟୁ ହେଲା ସମାଜର ଅତି ଦୁର୍ବଳବର୍ଗର ଅତି ସବଳ ବର୍ଗ ହାତରେ ହତ୍ୟା, ଯେମିତି ଜଣେ ମଣିଷ ହାତରେ କୌଣସି ଜନ୍ଦା କିମ୍ବା ପିମ୍ପୁଡ଼ି

ଦେବରଞ୍ଜନ
ଦେବରଞ୍ଜନ272 Views
8 Min Read

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଏହାର ପ୍ରାୟ ୬୦ରୁ ୭୦ଭାଗ ଲୋକଙ୍କଠାରୁ ଦୂରେଇ ଗଲାଣି । ଏହି ଲୋକଙ୍କ ମଧ୍ୟରେ ଅଛନ୍ତି ଏ ଦେଶର ଚାଷୀ, ଦଳିତ, ଆଦିବାସୀ, ମୁସଲମାନ, ସହରର ଛୋଟ ଦୋକାନୀ, ଶ୍ରମିକ, ଠେଲାବେପାରୀ ଓ ସେମାନଙ୍କ ପରିବାର । ଅଥଚ ଭୋଟ ଦେଉଥିବା ସମଗ୍ର ୬୦ରୁ ୭୦ ପ୍ରତିଶତ ଭୋଟଦାତାଙ୍କ ମଧ୍ୟରୁ ପ୍ରାୟ ୮୦ପ୍ରତିଶତ ଭୋଟଦାତା ଏହି ବର୍ଗର ।

ବିଭିନ୍ନ ଶୋଭାଯାତ୍ରା, ଧାରଣା, ସରକାରୀ ମିଟିଂ ଓ ସରକାରୀ ଅଭିଯାନରେ ଏହି ବର୍ଗ ଦେଖାଯାଇଥାନ୍ତି । ଶାସକମାନେ ପୁଣି ସମସ୍ତ ପ୍ରତିଶୃତି ଏହି ବର୍ଗକୁ ଦେଇଥାନ୍ତି । ଏହି ବର୍ଗ ଲାଗି ଅନେକ ଯୋଜନା କରୁଥିବାର ଦାବି ମଧ୍ୟ କରନ୍ତି । ଆମସମାଜରେ ଏହିବର୍ଗ ଦେଶର ଅର୍ଥନୀତିରେ ସକ୍ରିୟ ଥିବା କାରଣରୁ ସମଗ୍ର ଅର୍ଥନୀତି କମ୍ପାନୀଙ୍କ ଦ୍ୱାରା ଅଧିକୃତ ହୋଇନାହିଁ । ଏହି ହେତୁ ମଧ୍ୟବିତ୍ତ ବର୍ଗ ଅନ୍ତତଃ କିଛି ସଞ୍ଚୟ କରିପାରୁଛି । ଅଥଚ ଆପଣ ଯଦି ଜଣେ ଡାକ୍ତର, ଇଞ୍ଜିନିୟର, ସାମ୍ବାଦିକ ଅଥବା କୌଣସି ଆୟକରଦାତା ହୋଇନଥାନ୍ତି କିମ୍ବା କୌଣସି ସରକାରୀଦଳର ପଦବୀରେ ନଥାନ୍ତି, ତେବେ ଗଣତନ୍ତ୍ରର ବିଭିନ୍ନ ଅନୁଷ୍ଠାନ ଯଥା ପୁଲିସ, ପ୍ରଶାସନ ଓ ନ୍ୟାୟାଳୟଠାରୁ ମଣିଷଭଳି ବ୍ୟବହାର ପାଇବା ମଧ୍ୟ ସହଜ ନୁହେଁ ।

ଦୁର୍ବଳବର୍ଗର ହାଜତ ମୃତ୍ୟୁ

ଆମଦେଶରେ ହାଜତରେ ମୃତ୍ୟୁ ହେଲା ସମାଜର ଅତି ଦୁର୍ବଳବର୍ଗର ଅତି ସବଳ ବର୍ଗ ହାତରେ ହତ୍ୟା, ଯେମିତି ଜଣେ ମଣିଷ ହାତରେ କୌଣସି ଜନ୍ଦା କିମ୍ବା ପିମ୍ପୁଡ଼ି । ହାଜତର ନିଭୃତକୋଣରେ ସେ କରୁଥିବା ଚିକ୍ରାର ଯେ କାହାକୁ ଶୁଣାଯିବ ଓ ସେ କାହାର ସାହାଯ୍ୟ ପାଇବ; ସେଭଳି ସମ୍ଭାବନା ନଥାଏ । ଦେଶର ଆଇନ ମଧ୍ୟ ସେଠାରେ ପହଞ୍ଚିପାରେ ନାହିଁ । ନିକଟରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଦେଇଥିବା ତଥ୍ୟ ଅନୁସାରେ, ଗଲା ତିନିବର୍ଷ (୨୦୧୯, ୨୦୨୦ ଓ ୨୦୨୧) ମଧ୍ୟରେ ୫୨୨୧ଜଣଙ୍କର ହାଜତରେ ମୃତ୍ୟୁ ହୋଇଛି । ଅର୍ଥାତ ହାରାହାରିରେ ଦେଖିଲେ ପ୍ରତିଦିନ ପାଞ୍ଚ ଜଣ ବ୍ୟକ୍ତିଙ୍କର ଦେଶର କୌଣସି ଏକ ପୁଲିସ ହାଜତରେ ଅଥବା ଜେଲରେ ମୃତୁ୍ୟ ଘଟୁଛି । ପୁଣି ଏହି ମୃତ୍ୟୁ ପୂର୍ବବର୍ଷମାନଙ୍କଠାରୁ ୨୫ରୁ ୩୫ ପ୍ରତିଶତ ଅଧିକ । ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ଗଲା ୧୦ ବର୍ଷ ମଧ୍ୟରେ(୨୦୧୦ – ୨୦୧୯) ୪୩ଜଣ ବ୍ୟକ୍ତିଙ୍କର ପୁଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ଗିରଫ ହେବାର ପ୍ରଥମ ଚବିଶ ଘଣ୍ଟା ମଧ୍ୟରେ ଅଧିକ ମୃତ୍ୟୁ ଘଟିଛି ବୋଲି ସ୍ୱୀକାର କରାଯାଉଛି ।

ଆଇନ କଣ କହେ ?

ସୁପ୍ରିମକୋର୍ଟ ଏକଥା ସ୍ୱୀକାର କରିଛନ୍ତି ଯେ ପୁଲିସର ଅନୁସନ୍ଧାନ ସମୟରେ ହିଁ ଅଧିକ ହାଜତ ମୃତ୍ୟୁ ଘଟିଛି । ବିଭିନ୍ନ ତଥ୍ୟ ଅନୁସନ୍ଧାନ ରିପୋର୍ଟ ଅନୁସାରେ, ଅଧିକାଂଶ ମୃତବ୍ୟକ୍ତି କୌଣସି ଏକ ଛୋଟ ଚୋରିମାମଲାରେ ପୁଲିସ ଦ୍ୱାରା ଥାନାକୁ ଜବରଦସ୍ତି ଅଣାଯିବା ପରେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଛି । ଯଦି ସେ ପୁଲିସ ହାଜତରେ ମୃତ୍ୟୁ ହୋଇଥାଏ, ତେବେ ତାହାକୁ ଗଣମାଧ୍ୟମରେ ଆତ୍ମହତ୍ୟା କରିଥିବା କୁହାଯାଏ ଓ ବ୍ୟକ୍ତିଜଣକୁ ଯଦି ସେହି ଭିତରେ ବିଚାର ବିଭାଗ ହାଜତକୁ (ଜେଲ) ପଠାଇ ଦିଆଯାଇଥାଏ ଓ ତାହାର ସେଠାରେ ମୃତ୍ୟୁ ଘଟେ, ତେବେ ‘ପୂର୍ବର ଅସୁସ୍ଥତା’ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ଦର୍ଶାଯାଇଥାଏ । ହାଜତରେ ମୃତ୍ୟୁ ଘଟୁଥିବା ଲୋକ ମୁଖ୍ୟତଃ ଦଳିତ, ଆଦିବାସୀ, ମୁସଲମାନ, ଉଭୟଲିଙ୍ଗୀ, ଏକାକୀ ମହିଳା ଓ ବସ୍ତିବାସିନ୍ଦା । କିନ୍ତୁ ହାଜତ ମୃତୁ୍ୟରେ ଶିକାର ହେଉଥିବା ବ୍ୟକ୍ତି କଦାପି ସ୍ୱଚ୍ଛଳ ପରିବାର କିମ୍ବା ରାଜନୈତିକ ଦଳର ପ୍ରଭାବଶାଳୀ ସଦସ୍ୟ ହୋଇନଥାନ୍ତି । ବରଂ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାଲାଗି ସଂଗଠିତ କରାଉଥିବା କୌଣସି ରାଜନୈତିକ କର୍ମୀ ହୋଇଥାଇ ପାରନ୍ତି ।

କୌଣସି ବି ହାଜତ ମୃତ୍ୟୁ ଚବିଶ ଘଣ୍ଟା ମଧ୍ୟରେ ରିପୋର୍ଟ କରିବା ଲାଗି ଜାତୀୟ ମାନବିକ ଅଧିକାର କମିଶନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ତାହା ଯଥେଷ୍ଟ ନହେବା କାରଣରୁ ସୁପ୍ରିମକୋର୍ଟ ଥାନା ଓ ଜେଲରେ ସିସିଟିଭି କ୍ୟାମେରା ଖଞ୍ଜିବା, ଗିରଫ ସମୟରେ ପୁଲିସ ଅଫିସର ନିଜେ ନାମଫଳକ ଲଗାଇବା ଓ ଗିରଫ ବ୍ୟକ୍ତିର ପରିବାରଙ୍କୁ ତୁରନ୍ତ ଜଣାଇବା ଇତ୍ୟାଦି ନିର୍ଦେଶ ଜାରି କରିଛନ୍ତି । ନ୍ୟାୟିକ ପ୍ରକ୍ରିୟା ଅନୁସାରେ ‘ଅଭିଯୁକ୍ତ’ଜଣକ ଗିରଫ ହେବା ମାତ୍ରେ ଜେଲକୁ ଆସିବାପୂର୍ବରୁ ପ୍ରଥମେ ଜଣେ ଡାକ୍ତର ଓ ପରେ ନିମ୍ନକୋର୍ଟର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ । ଯାହାଦ୍ୱାରା ପୁଲିସ ହେପାଜତରେ ଥିଲାବେଳେ ତାଙ୍କଉପରେ କୌଣସି ଅତ୍ୟାଚାର ହୋଇନଥିବା ସ୍ପଷ୍ଟହେବ । ଏହା ସତ୍ତ୍ୱେ ବିଚାରବିଭାଗ ହାଜତରେ ବା ଜେଲରେ ମାତ୍ର ଚବିଶଘଣ୍ଟା ମଧ୍ୟରେ ଯେତେବେଳେ କୌଣସି ‘ଅଭିଯୁକ୍ତର’ ମୃତ୍ୟୁ ଘଟୁଛି, ସେତେବେଳେ ସୁପ୍ରିମକୋର୍ଟ କ’ଣ ନିର୍ଦ୍ଦିଷ୍ଟ ବିଚାରପତିଙ୍କ ବିପକ୍ଷରେ ହତ୍ୟାପାଇଁ ଦାୟୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ହୁଅନ୍ତା ନାହିଁ କି? ସେଭଳି ପଦକ୍ଷେପ ନେବା ଦୂରର କଥା, ସୁପ୍ରିମକୋର୍ଟ କେବେ କୌଣସି ବିଚାରପତିଙ୍କ ବିପକ୍ଷରେ ସାମାନ୍ୟତମ ଟିପ୍ପଣୀ ମଧ୍ୟ ଦେଇନାହାନ୍ତି । ଅଥଚ ନାଗରିକ ସମାଜରେ ହାଜତ ମୃତ୍ୟୁ ଯେ ସବୁଠାରୁ ସାଂଘାତିକ ଅପରାଧ, ଏକଥା କିନ୍ତୁ ସୁପ୍ରିମକୋର୍ଟ କହିବା ଲାଗି ଭୁଲୁନାହାନ୍ତି ।

ଡାକ୍ତରଙ୍କ ରିପୋର୍ଟ କଣ କହେ ?

‘ଅଭିଯୁକ୍ତ’ଜଣକ ଯେବେ ଗିରଫ ହୁଅନ୍ତି, ତୁରନ୍ତ ଏକ ଡାକ୍ତରଙ୍କ ନିକଟରେ ତାହାଙ୍କର ମେଡିକାଲ ଚେକଅପ୍ ପାଇଁ ହାଜର କରାଯାଇଥାଏ । କିନ୍ତୁ ସେତେବେଳେ ତାଙ୍କ ନିକଟରେ କୌଣସି ବେମାର ଥିବା ଉଲ୍ଲେଖ ନଥାଏ । କିନ୍ତୁ ପରେ ସେ ବିଚାରବିଭାଗ ହାଜତରେ ମୃତ୍ୟୁବରଣ କରିବା ପରେ ‘ଗୁରୁତର ବେମାରୀ’ ରହିଥିବା କଥା ଉଲ୍ଲେଖ ରହେ । ‘ଅଭିଯୁକ୍ତ’ର ମୃତ୍ୟୁ ହେବାପରେ ତାଙ୍କର ଶବ ବ୍ୟବଛେଦ କକ୍ଷକୁ ନିଜ ସମ୍ପର୍କୀୟମାନଙ୍କୁ ଛାଡ଼ି ଦିଆଯାଇ ନଥାଏ । ଶବ ବ୍ୟବଛେଦର ସମସ୍ତ କାମ ସଫାଇ କର୍ମଚାରୀଜଣକ ହିଁ କରିଥାନ୍ତି । ଭିଡିଓ କ୍ୟାମେରାର ମୁହଁ କଦାପି ଶବର ଶରୀର ଆଡକୁ ନଥାଏ । ଏହା ପରେ ଡାକ୍ତରଙ୍କ ରିପୋର୍ଟରେ ରହେ ଯେ ମୃତ ବ୍ୟକ୍ତିର ଶରୀରରେ କୌଣସି ଦାଗ ନଥିଲା । କିନ୍ତୁ ପରିବାର ଲୋକେ ଶବକୁ ନେବା ପରେ ଏଥିରେ ଅନେକ ଦାଗ ରହିଥିବା କଥା ଦର୍ଶାଇଥା’ନ୍ତି ଓ ସେମାନେ ଅଭିଯୋଗ ମଧ୍ୟ ଦାଏର କରିଥା’ନ୍ତି । ଏ କ୍ଷେତ୍ରରେ ଡାକ୍ତରଙ୍କ ପ୍ରାଥମିକ ରିପୋର୍ଟକୁ କ’ଣ କେବେ ପ୍ରଶ୍ନ କରାଯାଇଛି? ଏପରିକି ପରିବାରର ଅଭିଯୋଗ ଆଧାରରେ ନା କୋର୍ଟ ଦ୍ୱିତୀୟ ବାର ଶବ ବ୍ୟବଛେଦ ଲାଗି ନିଦେ୍ର୍ଦଶ ଦିଅନ୍ତି, ନା ଡାକ୍ତରଙ୍କ ଏହି ସନେ୍ଦହଜନକ ଭୂମିକା ବିପକ୍ଷରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ମେଡିକାଲ କର୍ପୋରେସନ ବା ଜାତୀୟସ୍ତରରେ ଥିବା ଜାତୀୟ ମେଡିକାଲ କମିଶନ (ପୂର୍ବର ମେଡିକାଲ କାଉନସିଲ) କୌଣସି ତଦନ୍ତ କରନ୍ତି । ଜାତୀୟ ମାନବିକ ଅଧିକାର କମିଶନ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ସମ୍ପର୍କରେ ନିରବ ରହୁଛନ୍ତି । ସମସ୍ତେ ଧରି ନେଇଥାନ୍ତି ଯେ ଏଭଳି କେସ ଚାଲିଲେ କିଛି କ୍ଷତିପୂରଣ ବ୍ୟତୀତ ବିଶେଷ କିଛି ନ୍ୟାୟ ସେହି ପରିବାରକୁ ମିଳିବାର ନାହିଁ । ପରେ ଡାକ୍ତରୀ ରିପୋର୍ଟ ଆଧାରରେ ଅପରାଧୀ କର୍ମଚାରୀଜଣକ ଦୋଷମୁକ୍ତ ହୋଇଥା’ନ୍ତି । କାରଣ ମୂଳଲୋକଟି ଗରିବ ଶ୍ରେଣୀର ହୋଇଥାଏ ।

ହାଜତ ମୃତ୍ୟୁରେ ଦଣ୍ଡ କଣ ହେବା କଥା?

‘ଅଭିଯୁକ୍ତ’ଜଣକର ହାଜତରେ ମୃତ୍ୟୁ ହେବା ପରେ ସେ ଗିରଫ ହୋଇଥିବା କେସର ତଦନ୍ତ ମଧ୍ୟ ବନ୍ଦ ହୋଇଯାଏ । ସେ ଯେ ସତରେ ଚୋରି କରିଥିଲା, ନା କେବଳ ସନ୍ଦେହ ଆଧାରରେ ପୁଲିସ ତାଙ୍କୁ ଆଣିଥିଲେ; ସେହି ପ୍ରଶ୍ନ ଲୁଚିଯାଏ ।

କାରଣ ଏଭଳି କେସରେ ବା ସାତବର୍ଷରୁ କମ୍ ଜେଲଦଣ୍ଡ ଥିବା କୌଣସି ଅପରାଧ ଲାଗି ଅଭିଯୁକ୍ତକୁ ଗିରଫ କରିବାର କୌଣସି ପ୍ରାବଧାନ (ସିଆରପିସିର ଧାରା ୪୧–ଏ ଅନୁସାରେ) ନାହିଁ । ଯେଉଁଠି ପୁଲିସ ମୂଳରୁ ହିଁ ଭୁଲ ଥାଏ, ସେଭଳି କେସର ତଦନ୍ତ ତୁରନ୍ତ ବନ୍ଦ କରିଦିଆଯାଏ । ଫଳରେ, ପୁଣି ଏକ ହତ୍ୟା ପୁଣି କୌଣସି ଏକ ନୂତନ ହାଜତରେ ହୋଇଥାଏ । ଏହି ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ବା ନିର୍ବାଚିତ ସଦସ୍ୟ, ଏମ୍ଏଲ୍ଏ କି ଏମ୍ପି ବା ପଂଚାୟତ ସଦସ୍ୟ, ଏହାକୁ ରୋକିବା ଦିଗରେ ଆଦୌ ଆଗ୍ରହ ଦେଖାନ୍ତି ନାହିଁ । ସେହି ମୃତ ବ୍ୟକ୍ତିଜଣକ ସେମାନଙ୍କ ଦଳର ହୋଇନଥିବା କାରଣରୁ ସେମାନେ ପୁଲିସକୁ ସମର୍ଥନ କରିଯା’ନ୍ତି । ଏହି କାରଣରୁ ଗ୍ରାମାଞ୍ଚଳରେ ନିଜକୁ ପୁଲିସ ଓ ଅନ୍ୟ ଅଧିକାରୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ଲାଗି ବହୁ ଗ୍ରାମୀଣ ବ୍ୟକ୍ତି ଓ ବସ୍ତିବାସିନ୍ଦା କୌଣସି ନା କୌଣସି ରାଜନୈତିକ ଦଳ ଆଶ୍ରିତ ହୋଇଯାଉଛନ୍ତି ।

ସମ୍ବାଦପତ୍ରର ଭୂମିକା କଣ ରହିଆସିଛି?

ଏହି ସବୁଠାରୁ ଦୂରରେ ରହୁଥିବା ସ୍ୱାଭିମାନୀ, ସରଳ, ଦରିଦ୍ର ମଣିଷ ବିପକ୍ଷରେ ଯେବେ କୌଣସି ଚୋରି ଅଭିଯୋଗ ଆସେ , ସେତେବେଳେ ପୁଲିସର ସେମାନେ ସହଜ ଲକ୍ଷ୍ୟ ପାଲଟିଯାନ୍ତି । ଏ କ୍ଷେତ୍ରରେ ପ୍ରକୃତରେ ଚୋରି କୌଣସି ଧନୀ ଡାକ୍ତର, ଅଧ୍ୟାପକ, ବ୍ୟବସାୟୀ ବା ଇଞ୍ଜିନିୟରଙ୍କ ଘରୁ ହୋଇଥାଏ । ପୁଲିସର ଅନୁସନ୍ଧାନରେ ବିଳମ୍ବ ଦେଖି ଗଣମାଧ୍ୟମର ସାମ୍ବାଦିକ ସେହି ସମାନବର୍ଗର ହୋଇଥିବା କାରଣରୁ ‘ପୁଲିସ ହାତଖୋଲା’ ନାମରେ ସମ୍ବାଦ ପ୍ରକାଶ କରି ଏକ ଚାପ ମଧ୍ୟ ସୃଷ୍ଟିକରନ୍ତି । ଫଳରେ, ସେହି ନିର୍ଦ୍ଦଳୀୟ ଓ ନିଷ୍ପ୍ରଭ ମଣିଷ ‘ସାମାନ୍ୟ ସନ୍ଦେହ’ ସାମାନ୍ୟ ସନ୍ଦେହ କାରଣରୁ ଅଥବା ପୁଲିସର ସୂଚନାଦାତାଙ୍କ ଆକ୍ରୋଶମୂଳକ ମନୋଭାବ କାରଣରୁ ହଠାତ ଗିରଫ ହୁଏ । ପୁଲିସର ‘ଅନୁସନ୍ଧାନ’ ପ୍ରକ୍ରିୟା ମଧ୍ୟରେ କେହି କେହି ଦୋଷ ସ୍ୱୀକାର କରିଥାନ୍ତି ତ କେହି ପୁଣି ଭାରି ବୁଟ୍ ଓ ବାୟୋନେଟ୍ର ଆକ୍ରମଣ ସମ୍ଭାଳି ନପାରି ମୃତ୍ୟୁବରଣ କରିଥା’ନ୍ତି । ଲୋକଟି ଯଦି ବଞ୍ଚିଯାଏ, ତେବେ ତାହାର ବିଚାର ପ୍ରକ୍ରିୟା ମଧ୍ୟ ସେହିଭଳି ଲମ୍ବା ରହିଥାଏ । ଏଭଳି କ୍ଷେତ୍ରରେ ଲୋକଙ୍କର ସଙ୍ଗଠିତ ଓ ଦୀର୍ଘ ପ୍ରତିବାଦ ଦ୍ୱାରା ହିଁ କିଛିଟା ପରିବର୍ତ୍ତନ ଆସିପାରିବ ।

Photo Credit-https://lawwire.in/custodial-death/

Comments

0 comments

Share This Article