ସମାଜବାଦୀ- ଗାନ୍ଧିବାଦୀଙ୍କ ପାଇଁ ଆତ୍ମସମୀକ୍ଷା ଦିବସ

7 Views
12 Min Read

ନଭେମ୍ବର ୨୩ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିବସ । ନଭେମ୍ବର ୨୬ ରବି ରାୟଙ୍କ ଜନ୍ମ ଦିବସ । ନବବାବୁ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ଭଗୀରଥ । ରବିବାବୁ ଥିଲେ ସେହି ପିଢ଼ିର ଶେଷ ସମାଜବାଦୀ ପ୍ରହରୀ -ଜଣେ କାସାବିଏଙ୍କା । ଦିହେଁ ଥିଲେ ସାମନ୍ତବାଦୀ ପରିବାରରୁ ଆସିଥିବା ‘ଶ୍ରେଣୀଚ୍ୟୁତ’ ସମାଜବାଦୀ । ଦିହେଁ ଥିଲେ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀଭକ୍ତ । ଉଭୟଙ୍କ ମନରେ ଏକଦା ଭ୍ରାନ୍ତି ଜନ୍ମିଥିଲା ଯେ କ୍ଷମତାକୁ ଯାଇ ଆଇନକାନୁନ ମାଧ୍ୟମରେ ଶୋଷଣ ପ୍ରକ୍ରିୟା ବଦଳାଇ ନ ପାରନ୍ତୁ ପଛେ ଅନ୍ତତଃ ଶୋଷିତ ଶ୍ରେଣୀପାଇଁ କିଛି କଲ୍ୟାଣକର ପଦକ୍ଷେପ ନେଇ ପାରିବେ । ମାତ୍ର ଅଚିରେ ଉଭୟଙ୍କ ମୋହଭଙ୍ଗ ହୋଇଛି । ଉଭୟ ମନ୍ତ୍ରୀ ଥିବାବେଳେ ସେଥିରୁ ଇସ୍ତଫା ଖାଲି ଦେଇନାହାନ୍ତି, ଦଳୀୟ ରାଜନୀତିରୁ ସନ୍ନ୍ୟାସ ନେଇ ଯାଇଛନ୍ତି । ସମସ୍ତ ସୁଯୋଗ ଥାଇ ମଧ୍ୟ କ୍ଷମତା ରାଜନୀତିକୁ ଆଉ ଫେରିନାହାନ୍ତି । ଜୀବନର ଶେଷ ପର୍ଯ୍ୟାୟରେ ନିଜ ଭୁଲ ପାଇଁ ପ୍ରାୟଶ୍ଚିତ କରିଛନ୍ତି । ଓଡ଼ିଶାର ଏହି ଦୁଇ ବିରଳ, ସଚ୍ଚୋଟ ଓ ଦକ୍ଷ ରାଜନୀତିଜ୍ଞଙ୍କ ସଫଳତା ତଥା ବିଫଳତାରୁ ଆଜିର ସମାଜସେବୀଙ୍କ ବହୁତ କିଛି ଶିଖିବାର ଅଛି । ସେଇଥିପାଇଁ ଏ ଆଲୋଚକ ମତରେ ନଭେମ୍ବର ୨୩ ରୁ ନଭେମ୍ବର ୨୬ ସମାଜବାଦୀ ଗାନ୍ଧୀବାଦୀଙ୍କ ଆତ୍ମ-ସମୀକ୍ଷା ଦିବସରୂପେ ପାଳନ କରାଯାଉ ।
୧୯୩୩ ମସିହାରେ ନବବାବୁ ନିଜର ଗାନ୍ଧିବାଦୀ, ସମାଜବାଦୀ ଏବଂ ସାମ୍ୟବାଦୀ ବନ୍ଧୁମାନଙ୍କୁ ନେଇ ଗଢ଼ିଲେ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ । ଏହା ଥିଲା ଜାତୀୟ କଂଗ୍ରେସର ଏକ ପରିପୂରକ ସଂଗଠନ । ୧୯୩୪ରେ ଏହି ଉଦେ୍ଦଶ୍ୟରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଢ଼ାହେବା ପରେ ଉକ୍ତ କର୍ମୀସଂଘ ସେଥିରେ ନିଜକୁ ମିଶାଇଦେଲା । ଜାତୀୟ କଂଗ୍ରେସ ବିଦେଶୀ ଶାସକଙ୍କ ବିରୋଧରେ ଲଢ଼ୁଥିବାବେଳେ ଏ ସଂଗଠନ ମୁଖ୍ୟତଃ ସ୍ୱଦେଶୀ ରାଜାରାଜୁଡ଼ା, ଜମିଦାରଙ୍କ ବିରୋଧରେ ଲଢ଼ୁଥିଲା । ସ୍ୱାଧୀନ ଭାରତରେ ସାମନ୍ତବାଦର ଅନ୍ତ ଘଟାଇବା ଥିଲା ଏହି ସଂଗଠନର ମୂଳଲକ୍ଷ୍ୟ । ନିଜ ଉଦ୍ଦେଶ୍ୟ ସାଧନରେ ଏ ସଂଗଠନ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ମାତ୍ର ଭାବାଦର୍ଶଗତ ଅନ୍ତଦ୍ୱର୍ନ୍ଦ୍ୱ ହେତୁ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନିଜର ସତ୍ତା ହରାଇ ସାରିଥିଲା । ତଥାପି ୧୯୪୬ ମସିହାରେ ସମାଜବାଦୀମାନେ ସମାଜବାଦୀ ଆନ୍ଦୋଳନକୁ ପୁନର୍ଜୀବନ ଦେବାପାଇଁ ଆଶା ପୋଷଣ କରିଥିଲେ । ଓଡ଼ିଶାରେ ନବବାବୁ ସେମାନଙ୍କ ନେତୃତ୍ୱ ନେବେ ବୋଲି ସେମାନଙ୍କର ଇଚ୍ଛାଥିଲା । ମାତ୍ର ନବବାବୁ ହଠାତ୍ ନେହେରୁଙ୍କ ଡାକରା ପାଇ କଂଗ୍ରେସରେ ଯୋଗ ଦେବାପାଇଁ ସ୍ଥିର କଲେ । ୧୯୪୬ରେ ପୁରୁଣା ସହଯୋଦ୍ଧା ଡ.ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଗଠିତ ରାଜ୍ୟ ସରକାରରେ ନବବାବୁ ରାଜସ୍ୱ ଯୋଗାଣ ଓ ପରିବହନ ମନ୍ତ୍ରୀରୂପେ ଯୋଗଦେଲେ । ପ୍ରକାଶ ଥାଉକି ନେହେରୁଙ୍କ ଜୀବନର ବହୁ ପର୍ଯ୍ୟାୟ ଭିତରୁ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟାୟର ନେହେରୁଙ୍କ ଭାବମୂର୍ତ୍ତି କେବଳ କଂଗ୍ରେସ ବାମପନ୍ଥୀଙ୍କ ନିକଟରେ ନୁହେଁ, ଦେଶର ସମସ୍ତ ପ୍ରଗତିଶୀଳ ଦଳ ଓ ସଂଗଠନ ନିକଟରେ ଥିଲା ଉଜ୍ଜ୍ୱଳ । କାଳେ ତାଙ୍କ ନେତୃତ୍ୱରେ ନୂଆ ଭାରତ ଗଢ଼ିବା ଦିଗରେ ସେ ସାହାଯ୍ୟ କରିପାରିବେ, ଏହି ସ୍ୱପ୍ନ ଦେଖି ନବବାବୁ ସମାଜବାଦୀଙ୍କ ଫୁଟା ଡଙ୍ଗାରୁ ନେହେରୁଙ୍କ ଜାହାଜକୁ ଡେଇଁ ପଡ଼ିଲେ । ଏକମାତ୍ର ପୁତ୍ରର ଦେହାବସାନ ପରେ ୧୯୪୮ରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ପୁନଶ୍ଚ ନେତାଙ୍କ ଭୀମ ରଡ଼ି ସମ୍ଭାଳି ନପାରି ୧୯୫୦ରେ ଫେରିଲେ କ୍ଷମତାକୁ । ମୁଖ୍ୟମନ୍ତ୍ରୀ ହେଲେ । ଉଭୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରୂପେ ସେ ଭୂସଂସ୍କାର, ସ୍ୱାୟତ୍ତ ଶାସନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ସଂସ୍କୃତି କ୍ଷେତ୍ରରେ ବହୁ ବୈପ୍ଳବିକ ପଦକ୍ଷେପ ନେଇଛନ୍ତି । ଏବେ ବି ତାଙ୍କର ଅନେକ ଜୀବନୀକାର ଓ ପ୍ରଶଂସକ ସେଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରନ୍ତି । ମାତ୍ର ନବବାବୁ ବୁଝିଥିଲେ ତାଙ୍କର ସେହି ଆପାତତଃ ଚକ୍ଚକ୍ ପାଦୁକା ଭିତରେ କେଉଁଠି କଣ୍ଟା ଫୁଟି ତାଙ୍କୁ ଲହୁଲୁହାଣ କରୁଥିଲା । ତାଙ୍କ ନିଜ ଦଳ, ଏପରିକି କିଛି ବାମପନ୍ଥୀ ନେତା, ଯେଉଁମାନଙ୍କ ନ୍ୟସ୍ତସ୍ୱାର୍ଥରେ ତାଙ୍କ ଭୂସଂସ୍କାର ଆଇନ ବାଧକ ସାଜୁଥିଲା, ତାଙ୍କୁ ବିରୋଧ କଲେ । ଫଳରେ ଉଭୟ ଭୂସଂସ୍କାର ଆଇନ ଓ ସ୍ୱାୟତ୍ତଶାସନ ସମ୍ପର୍କୀୟ ଆଇନ ସବୁ ପାଣି ଫାଟିଗଲା । ତାଙ୍କ ସ୍ୱପ୍ନର ମୌଳିକ ଶିକ୍ଷା ବହୁ ପ୍ରତିରୋଧ ମଧ୍ୟରେ ମଉଳି ମରିଗଲା । ୧୯୫୬ରେ ସେ ତିଆରି କରିଥିବା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ୭୦ବର୍ଷ ପରେ ମଧ୍ୟ ଏଯାବତ୍ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ୧୯୫୪ରେ ସେ ତିଆରି କରିଥିବା ସରକାରୀ ଭାଷା ଆଇନ ଏବେ ଏବେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ବସ୍ତୁତଃ ତାହା ଏକ ‘ଦନ୍ତହୀନ’ ଆଇନରେ ପରିଣତ ହୋଇଛି । ଏହା ବ୍ୟତୀତ ଶାସନରେ ଥିବାବେଳେ ବିପ୍ଳବୀ ନବକୃଷ୍ଣ ଏବଂ କ୍ଷମତାସୀନ ନବକୃଷ୍ଣଙ୍କ ଭିତରେ ବାରବାର ସଂଘର୍ଷ ଉପୁଜିଛି । ଉଦାହରଣସ୍ୱରୂପ, ବିପ୍ଳବୀ ନବକୃଷ୍ଣ ଭିଙ୍ଗାରପୁରର ଭାଗଚାଷୀ ନିଜ ଅଧିକାରରେ ଦୃଢ଼ ରହନ୍ତୁ ବୋଲି ଆହ୍ୱାନ ଦେଲେ । ମାତ୍ର ସେମାନେ ଆନ୍ଦୋଳନ କଲେ ସେମାନଙ୍କୁ ଜେଲ୍ ପଠାଇବାକୁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ହିସାବରେ ଧମକ ଦେଲେ । ପେଞ୍ଚପାଞ୍ଚ ରାଜନୀତିକୁ ଅତ୍ୟନ୍ତ ଘୃଣା କରୁଥିବା ନବବାବୁ ପେଞ୍ଚପାଞ୍ଚର ଶିକାର ହୋଇ ୧୯୫୬ରେ ମନ୍ତ୍ରୀପଦରୁ ଇସ୍ତଫା ଦେବା ସହିତ କଂଗ୍ରେସର ଚାରେଣିଆ ସଭ୍ୟ ପଦରୁ ମଧ୍ୟ ଇସ୍ତଫା ଦେଲେ ।
କ୍ଷମତା ମହାକାଶରେ ରବିବାବୁଙ୍କ ଗତିପଥ ମଧ୍ୟ ଥିଲା ନବବାବୁଙ୍କ ଟ୍ର୍ୟାଜେକଟାରୀ ଅନୁରୂପ । ଜୟପ୍ରକାଶଜୀଙ୍କ ‘ସଂପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନରେ ସେ ମଧ୍ୟ ନବବାବୁଙ୍କ ଭଳି ଥିଲେ ଜଣେ ଅଗ୍ରଗଣ୍ୟ ନେତା । ତାଙ୍କ ଭଳି ସେ ମଧ୍ୟ ଇନ୍ଦିରାଙ୍କ ଜେଲ୍ରେ କିଛିକାଳ କଟାଇଥିଲେ । ୧୯୭୫ରେ ଇନ୍ଦିରା ଗାନ୍ଧୀ ଯେଉଁ ଜରୁରୀ ପରିସ୍ଥିତି ଜାରୀ କଲେ, ତାହା ଭାରତୀୟ ରାଜନୀତିରେ ଏକ ପ୍ରଳୟଙ୍କରୀ ଆଲୋଡ଼ନ ସୃଷ୍ଟିକଲା । ଏ ମହାଭାରତ ଯୁଦ୍ଧରେ ବିନୋବାପନ୍ଥୀ ସର୍ବୋଦୟ ସଂଗଠନ, ଡାଙ୍ଗେ-ମୋହିତସେନ୍ ବ୍ରାଣ୍ଡ୍ର ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ପ୍ରଜା ସୋସାଲିଷ୍ଟ ପାର୍ଟି ଇତ୍ୟାଦି ଇନ୍ଦିରାଙ୍କ ଶିବିରରେ ଯୋଗ ଦେଇଥିବାବେଳେ ଜୟପ୍ରକାଶପନ୍ଥୀ ସର୍ବୋଦୟ ସଂଗଠନ, କେତୋଟି ବାମପନ୍ଥୀ ସାମ୍ୟବାଦୀ ଦଳ, ଲୋହିଆପନ୍ଥୀ ସମାଜବାଦୀ ଦଳ ଜନସଂଘ ଇତ୍ୟାଦି ଇନ୍ଦିରାବିରୋଧୀ ଆନ୍ଦୋଳନ ଚଳାଇଲେ । ଏ ଇତିହାସ ଆଉ ଅଧିକ ଲମ୍ବାଇବା ନାହିଁ । ତେବେ ଫଳଶ୍ରୁତି କ’ଣ ହେଲା? ଜେ.ପି.ଙ୍କ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ସ୍ୱପ୍ନ ଏକ ଅଳିକ ସ୍ୱପ୍ନ ବୋଲି ବୁଝାପଡ଼ିଲା । ଗୁଡ଼ାଏ ଭୋଟସର୍ବସ୍ୱ ହତାଶ ଦଳଙ୍କର ବାରମିଶା ସଢ଼ାପଚା ପରିବା ନେଇ ଜେ.ପି. ଯେଉଁ ଘାଣ୍ଟିଆ ତରକାରୀ କରିବାକୁ ବସିଥିଲେ ତାହା କେହି ଗ୍ରହଣ କଲେ ନାହିଁ । ସଂପୂର୍ଣ୍ଣ କ୍ରାନ୍ତି ସମ୍ପୂର୍ଣ୍ଣ ଫ୍ଲପ୍ସୋରେ ପର୍ଯ୍ୟବସିତ ହେଲା । ବିନୋବାଙ୍କ ଅନୁଶାସନ ଏକ ଫମ୍ପା ପ୍ରବଚନ ବୋଲି ପ୍ରମାଣିତ ହେଲା । ବସ୍ତୁତଃ, ସେ ଦୁହେଁ ଉଭୟ ଯଥାକ୍ରମେ ଜନତାଦଳ ଓ କଂଗ୍ରେସ ଦଳ ପାଇଁ ସିଡ଼ି ହୋଇଗଲେ । ବିନୋବାପନ୍ଥୀ ସର୍ବୋଦୟ ସମାଜ, ପ୍ରଜା ସମାଜବାଦୀ ଦଳ ଓ ଭାରତୟ କମ୍ୟୁନିଷ୍ଟ ପାର୍ଟି ବସ୍ତୁତଃ ନିଶ୍ଚିହ୍ନ ହୋଇଗଲେ । ଜେ.ପି.ପନ୍ଥୀ ସର୍ବସେବା ସଂଘ, ଲୋହିଆପନ୍ଥୀ ସମାଜବାଦୀ ଦଳ, ଜେ.ପି.ଙ୍କୁ ସମର୍ଥନ ଜଣାଇଥିବା ଅନ୍ୟ କେତୋଟି ବାମପନ୍ଥୀ ଦଳ ନାମକୁ ମାତ୍ର ନିଜ ସ୍ଥିତି ବଜାୟ ରଖିଲେ । ଏହି ଆନ୍ଦୋଳନ ଜନସଂଘର ନୂଆ ଅବତାର ଜନତା ଦଳକୁ ଜନ୍ମ ଦେବା ସାର ହେଲା ।
ଇତିହାସର ଦୁର୍ଭାଗ୍ୟଜନକ ଶିକ୍ଷା, ଇତିହାସରୁ କେହି କିଛି ଶିଖିବା ଚାହେଁନା । ୧୯୭୪-୭୫ ମସିହାରେ ଯେଉଁ ଗୋଷ୍ଠୀ କଂଗ୍ରେସର ବି’ ଟିମ୍ ଓ ଯେଉଁ ଗୋଷ୍ଠୀ ଜନତା ଦଳର ‘ବି’ ଟିମ୍ ହୋଇଥିଲେ ସେମାନେ ଆକ୍ଷରିକ ଭାବେ ନିଶ୍ଚିହ୍ନ ହୋଇ ନଥିଲେ ମଧ୍ୟ ସମ୍ପୂର୍ଣ୍ଣଭାବେ ସେମାନଙ୍କ କଳାହରଣ ହୋଇଗଲା । ଏବେ ପୁନଶ୍ଚ ପ୍ରଗତିଶୀଳ ବୋଲାଉଥିବା ଗୋଷ୍ଠୀ କଂଗ୍ରେସର ‘ବି’ ଟିମ୍ ସାଜିଥିବାବେଳେ ତଥାକଥିତ ଦେଶଭକ୍ତମାନେ ବିଜେପିର ‘ବି’ଟିମ୍ ସାଜିଛନ୍ତି । ସେମାନଙ୍କର ନିଜସ୍ୱ କିଛି ଆଜେଣ୍ଡା ଥିବା ସାଧାରଣ ଜନତା ଜାଣି ପାରୁନାହିଁ । ହୁଏତ ପୂର୍ବପରି ଏହି ‘ବି’ ଟିମ୍ରୂପୀ ସିଡ଼ିମାନେ ନିର୍ବାଚନରେ ବ୍ୟବହୃତ ହୋଇସାରିଲା ପରି ନିର୍ବାଚନଭୂକ୍ ଦଳମାନେ ୟାଙ୍କୁ ଅଦରକାରୀ ସିଡ଼ି ପରି ଫୋପାଡ଼ିଦେବେ ।
କ୍ଷମତା ଓ ଅର୍ଥସର୍ବସ୍ୱ ରାଜନୀତି, ଆଉ ଗୋଡ଼ାଣିଆ ରାଜନୀତି ଦ୍ୱାରା ଯେ ସେମାନଙ୍କ ସ୍ୱପ୍ନର ‘ବ୍ୟବସ୍ଥା ପରିବର୍ତ୍ତନ’ ସମ୍ଭବ ନୁହେଁ-ଏହା ନବବାବୁ ଓ ରବିବାବୁ ଜୀବନର ଶେଷ ପର୍ଯ୍ୟାୟରେ ଅନୁଭବ କଲେ । ନବବାବୁ ନିଜ ଦଳ ଭିତରୁ ଓ ବାହାରୁ ବାରମ୍ବାର ଧକ୍କା ଖାଇ ସେ ରାଜନୀତିକୁ ଆଲବିଦା କଲେ । ରବିବାବୁ ମଧ୍ୟ ମନ୍ତ୍ରୀ ହିସାବରେ ନିଜ ଦଳର ରକ୍ଷଣଶୀଳ ଗୋଷ୍ଠୀଠାରୁ ଧକ୍କା ଖାଇଲେ । ବାଚସ୍ପତି ହିସାବରେ ମଧ୍ୟ ତଥାକଥିତ ପ୍ରଗତିଶୀଳମାନେ ତାଙ୍କୁ ନ୍ୟାୟୋଚ୍ଚିତ ସିଦ୍ଧାନ୍ତ ଗ୍ରହଣରେ ବାଧା ସୃଷ୍ଟିକଲେ । ଭାବିଥିଲେ ତାଙ୍କ ହାତଗଢ଼ା ଜନତା ଦଳର ସରକାରରେ ଯୋଗଦେଇ ସେ ତଳେ ପଡ଼ିଥିବା ଲୋକଙ୍କପାଇଁ କିଛି ଆଖିଦୃଶିଆ କାମ କରିପାରିବେ । ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ ସେ ଯେଉଁ ସ୍ୱଳ୍ପକାଳ ରହିଥିଲେ ଅନେକ ପ୍ରଶଂସନୀୟ କାର୍ଯ୍ୟ ଭିତରୁ ଦୁଇଟି କାର୍ଯ୍ୟକୁ ଉଦାହରଣସ୍ୱରୂପ ନିଆଯାଉ । ଦେଶର ଅଗମ୍ୟ, ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସେ ଇଂଲଣ୍ଡରୁ ୩୦୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ୍ ମଗାଇଥିଲେ । ଔଷଧ ବିତରଣଠାରୁ ଆରମ୍ଭକରି ସେ ଭ୍ୟାନ୍ ଭିତରେ ଅପରେସନର ମଧ୍ୟ ବ୍ୟବସ୍ଥା ଥିଲା । ଚୀନର ‘ନଗ୍ନପାଦ-ଚିକିତ୍ସକ’ ଢାଞ୍ଚାରେ ସେ ‘ଜନସ୍ୱାସ୍ଥ୍ୟ ରକ୍ଷକ’ ପଦ ସୃଷ୍ଟି କରିଥିଲେ । ତାଲିମପ୍ରାପ୍ତ ଏହି ଗ୍ରାମ୍ୟ ଚିକିତ୍ସକମାନେ ଛୋଟଛୋଟ ରୋଗର ଚିକିତ୍ସା କରିବା ସହିତ ଗାଁ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ସଂଯୋଗ ସେତୁ ରୂପେ କାର୍ଯ୍ୟ କରୁଥିଲେ । ତେବେ ରବିବାବୁ ମନ୍ତ୍ରୀ ପଦରୁ ଅବ୍ୟାହତି ନେଲେ ବର୍ଷକପରେ । ତା’ପରେ ସେ ଗାଡ଼ିଗୁଡ଼ିକ ଖତ ଖାଇଲା ଏବଂ ଜନସ୍ୱାସ୍ଥ୍ୟରକ୍ଷକ ପଦ ଉଠିଗଲା ।
୧୯୮୯ରେ ରବିବାବୁ ନବମ ଲୋକସଭାର ବାଚସ୍ପତି ରୂପେ ନିର୍ବାଚିତ ହେଲେ । ସେ ଭୂମିକାରେ ତାଙ୍କର ବହୁ ଐତିହାସିକ ପଦକ୍ଷେପ ଭିତରୁ ଦୁଇଟିକୁ ଉଦାହରଣସ୍ୱରୂପ ନିଆଯାଉ । ସୁପି୍ରମକୋର୍ଟର ବିଚାରପତି ରାମସ୍ୱାମୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାପରେ ରାମସ୍ୱାମୀଙ୍କୁ ପାର୍ଲାମେଂଟ ତରଫରୁ ଭର୍ତ୍ସନା କରାଯିବା ସ୍ଥିର ହେଲା । ଆମ ସମ୍ବିଧାନ ଅନୁଯାୟୀ ଜଣେ ଜଜ୍ ଙ୍କ ଦଣ୍ଡଦେବାର ଏହା ହିଁ ଉପାୟ । ମାତ୍ର ତାହା ନ କରାଇ ଦେବାପାଇଁ ରାଜୀବ ଗାନ୍ଧୀ ଓ ନରସିଂହ ରାଓ ତାଙ୍କ ଉପରେ ସିଧାସିଧା ଚାପ ପକାଇଥିଲେ । ଏପରିକି ବାଚସ୍ପତି ତାଙ୍କ ରୁଲିଂ ଘୋଷଣା କରିବା ପୂର୍ବରୁ ତାଙ୍କ ପ୍ରତି ବଳପ୍ରୟୋଗର ଚେଷ୍ଟା କରାହୋଇଥିଲା । ସେହିପରି ତାଙ୍କର ଆଉ ଏକ ଚମକପ୍ରଦ ରୁଲିଂ ଥିଲା ତାଙ୍କର ଘନିଷ୍ଠ ସମାଜବାଦୀ ବନ୍ଧୁ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳର ଛଅଜଣ ମନ୍ତ୍ରୀ ଦଳବଦଳ ଆଇନ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କୁ ବରଖାସ୍ତ କରିବା । ସେହି ମନ୍ତ୍ରିମଣ୍ଡଳରେ ଆଇନମନ୍ତ୍ରୀ ଥିବା ସୁବ୍ରମନ୍ୟମ୍ ସ୍ୱାମୀ ସିଧା ରବିବାବୁଙ୍କ ପାଖକୁ ଆସି ତାଙ୍କୁ ଧମକାଇଲେ । ସିଦ୍ଧାନ୍ତ ନ ବଦଳାଇଲେ ତାଙ୍କୁ ଗରିଫ କରାଇବେ ବୋଲି ସ୍ୱାମୀ ବାଚସ୍ପତିଙ୍କୁ ଧମକ ଦେଲେ । ସେତେବେଳେ ତାହା ଦେଶସାରା ଏପରି ତୁମୁଳ ପ୍ରତିକି୍ରୟା ସୃଷ୍ଟି କଲା ଯେ ସ୍ୱାମୀ ରବି ବାବୁଙ୍କୁ ପାର୍ଲାମେଣ୍ଟରେ କ୍ଷମା ମାଗିଲେ । ରବିବାବୁଙ୍କୁ ଦ୍ୱିତୀୟବାର ବାଚସ୍ପତି କରାଯିବା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର କଂଗ୍ରେସ ତା’ର ଘୋର ବିରୋଧ କରିବାରୁ ତାହା ସମ୍ଭବ ହେଲା ନାହିଁ । ନବବାବୁ ଓ ରବିବାବୁ ଥିଲେ ନୀତିନିଷ୍ଠ । ମାତ୍ର ଉଭୟ ଥିଲେ ସରଳମନା । ରାଜନୈତିକ ରଙ୍ଗମଞ୍ଚ ବିଷୟରେ ସେମାନଙ୍କର ଯେତିକି ଧାରଣା ଥିଲା ତା’ର ଗ୍ରୀନ୍ ରୁମ ସମ୍ପର୍କରେ ସେତେ ଧାରଣା ନଥିଲା । ଅଭିଜ୍ଞତାରୁ ଉଭୟେ ହୃଦୟଙ୍ଗମ କଲେ ଯେ ରଙ୍ଗମଞ୍ଚରେ ଯେଉଁମାନେ ରାମଙ୍କ ସୈନ୍ୟବୋଲି ଘୋଷଣା କରୁଛନ୍ତି, ଗ୍ରୀନ୍ ରୁମ ସେମାନେ ରାବଣଙ୍କ ସୈନ୍ୟମାନଙ୍କ ସହିତ ବିଡ଼ି ପିଉଛନ୍ତି, କୋଳାକୋଳି ହେଉଛନ୍ତି । କ୍ଷମତା ଓ ଅର୍ଥପାଇଁ ନେତାଏ କେଉଁସ୍ତରକୁ ଓହ୍ଲାଇ ପାରନ୍ତି, ମୁହଁରେ ସମାଜବାଦ କଥା କହୁଥିବା ନେତାଏ କିପରି ବାଦଶା’ ଜୀବନ ବିତାନ୍ତି, କ୍ଷମତା ଲାଳସା କିପରି ନେତାଙ୍କୁ ଅକୃତଜ୍ଞ ଓ ପେଞ୍ଚୁଆ କରିଦିଏ ସେ ସବୁ ସମ୍ପର୍କରେ ନବବାବୁ ଓ ରବିବାବୁ ନିଜ ପାଖଲୋକଙ୍କ ପାଖରେ ଦିନଦିନ ଧରି ଗପିଛନ୍ତି । ଉଭୟଙ୍କ ଜୀବନୀକାରମାନେ ମଧ୍ୟ ସେ ସମ୍ପର୍କରେ କିଛିକିଛି ସୂଚନା ଦେଇଛନ୍ତି ।
ନବବାବୁ ଓ ରବିବାବୁ ନିଜ ପ୍ରକୃତ ସ୍ୱଧର୍ମ ଆବିଷ୍କାର କଲାବେଳକୁ ସନ୍ଧ୍ୟା ନଇଁଗଲାଣି । କ୍ଷମତାକୁ ଫେରିବା ପାଇଁ ଶେଷଯାଏ ବିଭିନ୍ନ ପ୍ରକାର ନିମନ୍ତ୍ରଣ ଆସୁଥିଲେ ମଧ୍ୟ ଉଭୟ ସଂସ୍କୃତ ଗଳ୍ପର ଗଙ୍ଗଦତ୍ତପରି ଶପଥ ନେଇଛନ୍ତି, ‘ନ ଗଙ୍ଗଦତ୍ତଃ ପୁନରପି କୂପମ୍ ।’ ଶେଷ ଜୀବନରେ ଉଭୟ ଜଗତୀକରଣବିରୋଧୀ ଆନେ୍ଦାଳନ, ଚାଷୀ ଆନେ୍ଦାଳନ, ନାଗରିକ ସ୍ୱାଧିକାର ସୁରକ୍ଷା ଆନ୍ଦୋଳନ ପରି ବିଭିନ୍ନ ଜନଆନ୍ଦୋଳନ ସହିତ ଜଡ଼ିତ ହୋଇଛନ୍ତି । ଉଭୟ ଜୀବନର ଶେଷ ପର୍ଯ୍ୟାୟରେ ଗାନ୍ଧୀଙ୍କୁ କିପରି ଝୁରି ହୋଇଛନ୍ତି ତାହା ଏ ଆଲୋଚକର ଆଖିଦେଖା କଥା । ଜୟପ୍ରକାଶଜୀ ଗାନ୍ଧୀ ଶତବାର୍ଷିକୀ ଭିତରେ ଗାନ୍ଧୀଙ୍କ ସମ୍ପର୍କରେ ଏକ ପୁସ୍ତକ ଲେଖିବାକୁ ନବବାବୁଙ୍କୁ ଅନୁରୋଧ କରିଛନ୍ତି । ମାତ୍ର ନବବାବୁ ଗାନ୍ଧୀଙ୍କ ପୁନଃପଠନ ଓ ପୁନଃ ରୋମନ୍ଥନରେ ଏପରି ମଜଗୁଲ ରହିଲେ ଯେ କେବଳ ଗାନ୍ଧୀଙ୍କ ରଚନାରୁ ତାଙ୍କ ମନମୁତାବକ କିଛି ଉକ୍ତି ଟାଇପ କରି ରଖିଦେଇଗଲେ । ରବିବାବୁଙ୍କ ଭାଗ୍ୟର ବିଡ଼ମ୍ବନା ନିଜର ପ୍ରଖର ସ୍ମୃତିଶକ୍ତି ପାଇଁ ପ୍ରସିଦ୍ଧ ରବିବାବୁ ଶେଷ ଜୀବନରେ ସ୍ମୃତି ଲୋପକାରୀ ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହେଲେ । ମାତ୍ର ତା’ପୂର୍ବରୁ ବହୁବାର କହିଛନ୍ତି, ଏବେ ମୁଁ ସକାଳୁ କିଛି ଗାନ୍ଧୀ ସାହିତ୍ୟ ନ ପଢ଼ିବାଯାଏ ଜଳସ୍ପର୍ଶ କରୁନାହିଁ ।
ଜାତୀୟ କବି ବୀରଶୋର ଯେତେବେଳେ ଶୁଣିଲେ, ନବବାବୁ ମୁଖ୍ୟମନ୍ତ୍ରୀ ହେଉଛନ୍ତି, କହିଲେ “ସେ ବେଶୀଦିନ ସେଠି ଠାକିବ ନାହିଁ । ଖାଣ୍ଟି ସୁନାରେ କ’ଣ ଅଳଙ୍କାର ତିଆରି ହୋଇପାରେ? ଅଳଙ୍କାର ତିଆରି ପାଇଁ ସୁନାରେ ନିଶ୍ଚୟ କିଛି ଖାଦ ମିଶାଇବାକୁ ହୁଏ ।” କ୍ଷମତା ରାଜନୀତିରେ ଯେ ପ୍ରବେଶ କରିବ ସେ କେବେ ଖାଣ୍ଟିହୋଇ ରହିପାରିବ ନାହିଁ । ମାତ୍ର ତାଙ୍କ ଉପରେ ଅଙ୍କୁଶ ଲଗାଇବା ଦିଗରେ ଖାଣ୍ଟି ଲୋକଙ୍କର ଆବଶ୍ୟକତା ରହିଛି । ଗାନ୍ଧିଜୀଙ୍କର ଥିଲା ତାହା ହିଁ ଯୁକ୍ତି । ସ୍ୱାଧୀନ ଭାରତରେ ସତୁରି ହଜାର ଗାଁରେ ସତୁରି ହଜାର ‘ଲୋକସେବକ’ ରହି ତୃଣମୂଳ ସ୍ତରରେ ଲୋକଚରିତ୍ର ଗଢ଼ିବେ ଓ ଗଣତନ୍ତ୍ରକୁ ସେହିସ୍ତରରୁ ସୁଦୃଢ଼ କରିବେ । ସେମାନଙ୍କୁ ତାଲିମ୍ ଦେବା ଓ ଦିଗ୍ଦର୍ଶନ ଦେବା କାର୍ଯ୍ୟ କରିଥାଆନ୍ତେ ଏହି ‘ଖାଣ୍ଟି ସୁନା’ । ଆଜି କ୍ଷମତା ରାଜନୀତିର ଯେଉଁ କଦର୍ଯ୍ୟ ଖେଳ ଦେଖିବାକୁ ମିଳୁଛି ସେହି ପରିପ୍ରେକ୍ଷୀରେ ଗାନ୍ଧିବାଦୀ-ସମାଜବାଦୀ ସମାଜକର୍ମୀମାନଙ୍କୁ ଆତ୍ମ-ସମୀକ୍ଷା କରିବାକୁ ପଡ଼ିବ । ନବବାବୁ ଓ ରବିବାବୁଙ୍କ ଜୀବନରୁ ଶିକ୍ଷାଲାଭ କରିବାକୁ ପଡ଼ିବ । ଗାନ୍ଧୀ-କାର୍ଯ୍ୟ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟର ପର୍ଯ୍ୟବସିତ ନ ହେଉ । କିମ୍ବା ରାଜନୈତିକ ଖେଳରେ ତଥାକଥିତ ‘ପ୍ରଗତିଶୀଳ’ ଓ ‘ପ୍ରତିକ୍ରିୟାଶୀଳ’ଙ୍କ ପକ୍ଷଭୁକ୍ତ ହୋଇ ସମାଜସେବୀମାନେ ନିଜ ଅଲକ୍ଷ୍ୟରେ ସେମାନଙ୍କ ପାଇଁ ପୁନଶ୍ଚ ଶିଡ଼ି ହୋଇ ନ ଯାଆନ୍ତୁ । ପ୍ରଗତିଶୀଳ ଦୃଷ୍ଟିକୋଣ ରଖୁଥିବା ଜେନ୍ ଜେଡ କ୍ଷମତା ଗାଦିରେ ବସିଲେ ସ୍ୱର୍ଗରାଜ୍ୟ ଆସିଯିବ – ଏ ଭ୍ରାନ୍ତଧାରଣା ସୃଷ୍ଟି ନ ହେଉ । କ୍ଷମତା ରାଜନୀତି ଖେଳର କିଛି ନିଜସ୍ୱ ନିୟମ ଅଛି । ଏ ସଂପର୍କରେ ନୈରାଜ୍ୟବାଦୀ (anarchist) ଗାନ୍ଧୀ ସଚେତନ ଥିଲେ । ଏଣୁ ଶାସନଗଦିକୁ ନଯାଇ ଶାସକ ଗୋଷ୍ଠୀ ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଲୋକସେବକ ସଂଘ ଗଢ଼ିବା ଚାହିଁଥିଲେ । ଏହି ଯୁବସମାଜ କ୍ଷମତା ଖୁଆଡ଼ ବାହାରେ ରହି ଏକ ଜାଗ୍ରତ ଜନସମାଜ ଗଠନ ଦିଗରେ ବ୍ରତୀ ହୁଅନ୍ତୁ । ଦଳ ବଦଳି ଖେଳରୁ ଦୂରରେ ରହି ଚେର ବଦଳି କାର୍ଯ୍ୟରେ ଲାଗନ୍ତୁ । ଶେଷ ଜୀବନରେ ଏ ଦିଗରେ ବିଶେଷ କିଛି କରିପାରି ନଥିବା ନବବାବୁ ଓ ରବିବାବୁଙ୍କ ଆତ୍ମାର ଅବଶୋଷ ଦୂର ହେଉ ।


     ଶୈଳଜ ରବି

Total Views: 7

Comments

0 comments

Share This Article